ସେଆର କରନ୍ତୁ

ଏଙ୍ଗଜାଇଟି

ଏଙ୍ଗଜାଇଟି ବିଷୟରେ ସୂଚନା

ଏଙ୍ଗଜାଇଟି କ’ଣ

ବିଗତ କିଛି ବର୍ଷ ମଧ୍ୟରେ ଆମ ସମସ୍ତଙ୍କ ଜୀବନଶୈଳୀରେ ଅନେକ ପରିବର୍ତ୍ତନ ଆସିଛି  । ଆଜିକାଲି ଅଧିକାଂଶ ଲୋକଙ୍କ ମଧ୍ୟରେ କାର୍ଯ୍ୟଭାର ଓ କାର୍ଯ୍ୟବ୍ୟସ୍ତତା ବୃଦ୍ଧି ପାଇଛି, ଜୀବନର ପ୍ରତ୍ୟକ କ୍ଷେତ୍ରରେ ପ୍ରତିଯୋଗିତାମୂଳକ ମନୋଭାବ ବୃଦ୍ଧି ପାଇଛି, ପିଲାମାନଙ୍କ ଉପରେ ପରୀକ୍ଷାରେ ଭଲ ପ୍ରଦର୍ଶନ କରିବାର ଅତ୍ୟଧିକ ଚାପ ମଧ୍ୟ ବଢିବାରେ ଲାଗିଛି  । ଲୋକଙ୍କ ମଧ୍ୟରେ ଶାରୀରିକ ପରିଶ୍ରମ କମିଛି, ଗୋଟିଏ ଜାଗାରେ ଦୀର୍ଘ ସମୟ ଧରି ବସି ରହି କାମ କରିବା ବୃଦ୍ଧି ପାଇଛି, ଏହା ସହ ମୋବାଇଲ ଫୋନର ବ୍ୟବହାର ମଧ୍ୟ ବୃଦ୍ଧି ପାଇଛି  । ଏସବୁ ଫଳରେ ଲୋକଙ୍କ ମଧ୍ୟରେ ମାନସିକ ଚାପ, ବ୍ୟସ୍ତତା ଓ ଉଦବେଗ ବୃଦ୍ଧି ପାଇଛି  । ମାତ୍ର କିଛି ଲୋକଙ୍କ ମଧ୍ୟରେ ଛାନିଆ ଓ ବ୍ୟସ୍ତତା ସବୁବେଳେ ଲାଗି ରହେ  । ବା ଅଧିକ ମାତ୍ରାରେ ଦେଖାଯାଇଥାଏ  । ଏହାକୁ ମାନସିକ ଉଦବେଗ ରୋଗ ବା ସାଧାରଣ ଲୋକଙ୍କ ଭାଷାରେ ଏଙ୍ଗଜାଇଟି ରୋଗ ବୋଲି କୁହାଯାଏ  । ଆଧୁନିକ ଭାରତୀୟ ସମାଜରେ ଏହି ରୋଗ ପ୍ରାଦୁର୍ଭାବ କ୍ରମଶଃ ବଢିବାରେ ଲାଗିଛି  । ମାତ୍ର ଲୋକମାନଙ୍କ ମଧ୍ୟରେ ଏହାର ଲକ୍ଷଣ ସମ୍ବନ୍ଧରେ ସଚେତନତାର ଅଭାବ ଯୋଗୁ ପ୍ରାରମ୍ଭିକ ଅବସ୍ଥାରେ ଏହାର ଚିହ୍ନଟ ଓ ଚିକିତ୍ସା ହୋଇ ପାରୁନାହିଁ   । ଆମ ଦେଶରେ ୨୦ ପ୍ରତିଶତ ଲୋକଙ୍କଠାରେ ବିଭିନ୍ନ ପ୍ରକାର ଏଙ୍ଗଜାଇଟି ରୋଗ ଦେଖାଯାଇଥାଏ  । ଏଥିମଧ୍ୟରୁ ପ୍ରମୁଖ ହେଲା  । ଜେନେରାଲାଇଜ୍ଡ ଏଙ୍ଗଜାଇଟି ଡିସଅର୍ଡର, ଫୋବିଆ ରୋଗ, ପ୍ୟାନିକ ଡିସଅର୍ଡର, ଅବସେସିଭ କମ୍ପଲସିଭ ଡିସଅର୍ଡର (ଓସିଡି) ବା ଶୁଚିବାଇ ରୋଗ, ସୋସିଆଲ ଏଙ୍ଗଜାଇଟି ଡିସଅର୍ଡର ଆଦି  ।

ଲକ୍ଷଣ

ଜେନେଲାଇଜ୍ଦ ଏଙ୍ଗଜାଇଟି ଡିସଅର୍ଡର – ଏଥିରେ ମନରେ  ସବୁବେଳେ ଅତ୍ୟଧିକ ବ୍ୟସ୍ତତା, ଛାନିଆ, ବିଚଳିତ ଭାବେ ଚିଡିଚିଡା ଭାବ ଓ ଉଦବେଗ ଲାଗି ରହେ  । ଅତି ଛୋଟଛୋଟ କଥାରେ ମନ ଅସ୍ଥିର ରହେ  । ଅଧିକାଂଶ ସମୟ ମନ ବ୍ୟସ୍ତ ଓ ବିଚଳିତ ରହିବା ଯୋଗୁଁ କୌଣସି କାମରେ ମନ ଲାଗେ ନାହିଁ, କାହା ସହିତ କଥା ହେବାକୁ ଇଚ୍ଛା ହୁଏ ନାହିଁ  । ନିଦ ଓ ଭୋକ କମି ଯାଇଥାଏ  ।

ପ୍ୟାନିକ ଡିସଅର୍ଡର

ଏହି ରୋଗରେ ହଠାତ ମନରେ ଛାନିଆ ଓ ଭୟର ଭାବନା ଆସିଥାଏ  । ଏହା ଯେକୌଣସି ସ୍ଥାନ କିମ୍ବା ସମୟରେ ହୋଇପାରେ  । ଏହି ସମୟରେ ଛାତିରେ ଯନ୍ତ୍ରଣା ହୁଏ, ଦେହ ହାତ ଝିମିଝିମି ହୋଇଯାଏ, ପାଟି ଶୁଖିଯାଏ, ଛାତି ଅତି ଜୋରରେ ଧଡଧଡ ହୁଏ, ନିଃଶ୍ଵାସ ପ୍ରଶ୍ଵାସ ନେବାରେ ଅସୁବିଧା ହୁଏ, ହାତଗୋଡ ଥରେ, ମୁଣ୍ଡ ବୁଲାଏ, ଝାଳ ବୁହେ ଓ ଦେହ ଅତ୍ୟନ୍ତ ଗରମ ହୋଇଯାଏ  । ରୋଗୀକୁ ଏତେ ଜୋରରେ  ଛାନିଆ ଲାଗିଥାଏ ଯେ ସେ ଅନୁଭବ କରେ ହଠାତ୍ ତା’ର ମୃତ୍ୟୁ ହୋଇଯିବ  । କିନ୍ତୁ ଏହିସବୁ ଲକ୍ଷଣ ମାତ୍ର ୧୦-୧୫ ମିନିଟ ପର୍ଯ୍ୟନ୍ତ ଲାଗି ରହେ  । ଏହାପରେ ରୋଗୀ ଆପେଆପେ ସମ୍ପୂର୍ଣ୍ଣ ଠିକ୍ ହୋଇଯାଏ  । ଏହି ଛାନିଆ ଓ ଭୟ ବାରମ୍ବାର ହୋଇଥାଏ  । ମନ ଭିତରେ ସବୁବେଳେ ଉଦବେଗ ଲାଗି ରହିଥାଏ  । ଯେ ପୁଣି ଏପରି ଛାନିଆ ଆଉ ଥରେ ଆରମ୍ଭ ହେବ ନାହିଁ ତ  । ଧୀରେ ଧୀରେ  ଏହି ସମସ୍ୟାର ପ୍ରକୋପ ବଢିଥାଏ  ।

ଫୋବିଆ ରୋଗ

ଏଥିରେ କେତେକ ନିର୍ଦ୍ଧିଷ୍ଟ ବସ୍ତୁ, ସ୍ଥାନ ଓ ପରିସ୍ଥିତି ପ୍ରତି ଅସ୍ଵାଭାବିକ ଭାବେ ଭୟ ଦେଖାଯାଇଥାଏ  । ଫଳରେ ସେମାନେ ଏସବୁ ବସ୍ତୁ, ସ୍ଥାନ ଓ ପରିସ୍ଥିତିଠାରୁ ଦୂରେଇ ରହିବାକୁ ଚେଷ୍ଟା କରନ୍ତି  । ଏହି ପ୍ରକାରର ଅସ୍ଵାଭାବିକ ଭୟକୁ ଫୋବିଆ ରୋଗ ବୋଲି କୁହାଯାଏ  । କୌଣସି ରୁଦ୍ଧ ସ୍ଥାନ (ଲିଫ୍ଟ, ସିନେମା ହଲ), ଭିଡ ଜାଗା, ଉଚ୍ଚ ସ୍ଥାନ, ବସ୍ ଓ ଟ୍ରେନ ପ୍ରତି ଭୟ ଦେଖାଦେଲେ ଏହାକୁ ଆଗୋରାଫୋବିଆ ବୋଲି କୁହାଯାଏ  ।

ଅବସେସିଭ କମ୍ପଲସିଭ ଡିସଅର୍ଡର ବା ଶୁଚିବାଇ ରୋଗ :  ଏହି ରୋଗରେ ରୋଗୀ ମନରେ ଗୋଟିଏ ପ୍ରକାରର ଚିନ୍ତା ଓ ଭାବନା ବାରମ୍ବାର ଆସିଥାଏ । ଫଳରେ ରୋଗୀ ମନରେ ଉଦବେଗ ସୃଷ୍ଟି ହୋଇଥାଏ ଓ ରୋଗୀ ବ୍ୟତିବ୍ୟସ୍ତ ହୋଇପଡେ  ।  ପ୍ରଥମ କିଛି ଦିନ ରୋଗୀ ଏସବୁ ଚିନ୍ତାକୁ ରୋକିବାକୁ ଚେଷ୍ଟା କରିଥାଏ  । ମାତ୍ର କିଛି ଦିନ ପରେ ଆଉ ରୋକିପାରେ ନାହିଁ  । ଫଳରେ ସେ କେତେକ କାମକୁ ବାଧ୍ୟ ହୋଇ ବାରମ୍ବାର କରିଥାଏ  । ମନରେ ବାରମ୍ବାର ଆସୁଥିବା ଏହି ଚିନ୍ତାଗୁଡିକ ହେଲା ଅତ୍ୟଧିକ ମଇଳା ବା ଅପରିଷ୍କାର ଭାବନା, ମନରେ ସନ୍ଦେହ ଭାବନା  । ଶୁଚିବାଇ ରୋଗରେ ବ୍ୟକ୍ତି ବାଧ୍ୟ  ହୋଇ ଅନେକ କାମ କରିଥାଏ । ଏଗୁଡିକ ହେଲା ବାରମ୍ବାର ହାତ ଗୋଦା ଧୋଇ ହେବା, ବେଶୀ ସଫା ସୁତୁରା ରଖିବା, ତାଲା ଠିକ୍ ଭାବେ ପଡିଲା କି ନାହିଁ ବାରମ୍ବାର ଯାଞ୍ଚ କରିବା, ଗ୍ୟାସ ଚୁଲା ବନ୍ଦ ହେଲା କି ନାହିଁ ଯାଞ୍ଚ କରିବା, ଜିନିଷକୁ ବାରମ୍ବାର ସଜାଡି ରଖିବା ଆଦି  ।

କାରଣ

ବିଭିନ୍ନ କାରଣରୁ ଏଫଜାଇଟି ରୋଗ ହୋଇପାରେ ମସ୍ତିଷ୍କରେ କିଛି ରାସାୟନିକ ପଦାର୍ଥ (ନିଉରୋଟ୍ରାନ୍ସମିଟର) ଯଥା ସେରୋଟୋନୀନ ଓ ନରଏପିନେଫ୍ରିନର ମାତ୍ରାରେ ପରିବର୍ତ୍ତନ ଓ ଜିନଗତ ସମସ୍ୟା ଯୋଗୁ ଏହି ରୋଗ ଆରମ୍ଭ ହୋଇପାରେ  । ଏହାଛଡା ଦୈନନ୍ଦିନ ଜୀବନରେ ଦେଖା ଦେଉଥିବା ମାନସିକ ଚାପ ଓ ଚିନ୍ତା, ବିଭିନ୍ନ ନିଶାସେବନ ଦ୍ଵାରା ମଧ୍ୟ ଏହି ସମସ୍ୟା ଦେଖାଯାଇଥାଏ  । ବେଳେବେଳେ କେତେକ ଶାରୀରିକ ସମସ୍ୟା ଯେମିତିକି ଥାଇରଏଡଜନିତ ରୋଗ, ଉଚ୍ଚ ରକ୍ତଚାପ, ହୃଦରୋଗରୁ ମଧ୍ୟ ଏଙ୍ଗଜାଇଟି ରୋଗ ଆରମଭ ହୋଇପାରେ  । ଅନେକ ଲୋକଙ୍କ କ୍ଷେତ୍ରରେ ଏହା ବଂଶାନୁଗତ ହୋଇଥାଏ  ।

ଚିକିତ୍ସା

ଏଙ୍ଗଜାଇଟି ରୋଗଗୁଡିକର ଲକ୍ଷଣ ଓ ଚିକିତ୍ସା ସମ୍ବନ୍ଧରେ ଲୋକମାନଙ୍କ ମଧ୍ୟରେ ସଠିକ୍ ସୂଚନାର ଅଭାବ ରହିଛି  । ଯଦ୍ୱାରା ସେମାନେ ଠିକ୍ ସମୟରେ ଡାକ୍ତରଙ୍କ ପରାମର୍ଶ ନିଅନ୍ତି ନାହିଁ  । ସାଧାରଣତଃ ବିଭିନ୍ନ ଏଙ୍ଗଜାଇଟି ରୋଗର ଲକ୍ଷଣ ଆରମ୍ଭ ହେଲେ ଲୋକମାନେ ଏହାକୁ ଭୁଲବଶତଃ ହୃଦରୋଗ କିମ୍ବା ଅନ୍ୟ କିଛି ଶାରୀରିକ ରୋଗର ଲକ୍ଷଣ ଭାବି ଡାକ୍ତରଙ୍କ ପାଖକୁ ଯାଇଥାନ୍ତି  । ବିଭିନ୍ନ ପ୍ରକାରର ଶାରୀରିକ ପରୀକ୍ଷା ନିରୀକ୍ଷା କରାଇ ଅଯଥା ଖର୍ଚ୍ଚାନ୍ତ ହୋଇଥାନ୍ତି  । ଅନେକ ରୋଗୀ ନିଜର ଲକ୍ଷଣ ସମ୍ବନ୍ଧରେ ଅନ୍ୟ କାହାକୁ ଜଣାଇବା ପାଇଁ କୁଣ୍ଠାବୋଧ କରିଥାନ୍ତି  । ଏସବୁ ଲକ୍ଷଣ ଦେଖାଗଲେ ତୁରନ୍ତ ମାନସିକ ରୋଗ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ   । ଏହି ରୋଗର ଚିକିତ୍ସା ନିମନ୍ତେ ଔଷଧ ସହିତ ମନସ୍ତାତ୍ତ୍ଵିକ ଚିକିତ୍ସା ପଦ୍ଧତି (କାଉନ୍ସଲିଙ୍ଗ) ବ୍ୟବହାର କରାଯାଏ  । ରୋଗର ପ୍ରାରମ୍ଭିକ ଅବସ୍ଥାରେ ଚିକିତ୍ସା ଆରମ୍ଭ କଲେଶୀଘ୍ର ରୋଗର ଲକ୍ଷଣଗୁଡିକ କମିଯାଏ ଓ କମ୍ ଔଷଧରେ ଚିକିତ୍ସା ସମ୍ଭବ ହୋଇଥାଏ । ଏହି ରୋଗର ଚିକିତ୍ସା ପାଇଁ ବ୍ୟବହୃତ ଔଷଧଗୁଡିକର ନିର୍ଦ୍ଧିଷ୍ଟ କୋର୍ସ ଥାଏ  । ରୋଗର ତୀବ୍ରତା ସହିତ ରୋଗୀ ଉପରେ ନିର୍ଭର କରିଥାଏ । ତେଣୁ ଏହା କୋର୍ସ ପୂର୍ବରୁ ଔଷଧ ବନ୍ଦ କରନ୍ତୁ ନାହିଁ  । ରୋଗର ତୀବ୍ରତା କମିଲେ ଔଷଧର ମାତ୍ରା କମାଇ ଦିଆଯାଏ  । ବିଭିନ୍ନ ପ୍ରକାରର ମନସ୍ତାତ୍ତ୍ଵିକ ଚିକିତ୍ସା ପଦ୍ଧତି ଯଥା ସିବିଟି (କଗନିଟିଭ ବିହେଭିରାଲ ଥେରାପି), ଇଆରପି, ବିହେଭିରା ଥେରାପି ଆଦି ବ୍ୟବହାର କରାଯାଏ  । ରୋଗର ଲକ୍ଷଣ ଅନୁସାରେ ଡାକ୍ତରଙ୍କ ପରାମର୍ଶ ମାନି ନିର୍ଦ୍ଧିଷ୍ଟ ସମୟ ପର୍ଯ୍ୟନ୍ତ ଔଷଧ ସେବନ କରିବା ଜରୁରୀ  । ଏହା ପୂର୍ବରୁ ଔଷଧ ବନ୍ଦ କରିଦେଲେ ରୋଗର ଲକ୍ଷଣ ଗୁଡିକ ପୁଣି ଥରେ ଦେଖାଯାଇଥାଏ  । ସବୁବେଳେ ସୁସ୍ଥ ଜୀବନଶୈଳୀ ଅବଲମ୍ବନ କରନ୍ତୁ  । ପ୍ରତିଦିନ ଶାରୀରିକ ବ୍ୟାୟାମ ଓ ଯୋଗ ଅଭ୍ୟାସ କରନ୍ତୁ, ନିୟମିତ ଦୀର୍ଘ ଓ ଗଭୀର ନିଃଶ୍ଵାସ ପ୍ରଶ୍ଵାସ ନିଅନ୍ତୁ, ସମସ୍ତ ନିଶାଦ୍ରବ୍ୟଠାରୁ ଦୂରେଇ ରହନ୍ତୁ  । ଠିକ୍ ସମୟର ଏଙ୍ଗଜାଇଟି ରୋଗର ଚିକିତ୍ସା କରାନଗଲେ ରୋଗୀକୁ ଡିପ୍ରେସନ ହେବାର ସମ୍ଭାବନା ଥାଏ  । କେତେକ ରୋଗୀ ଏଙ୍ଗଜାଇଟି ମୁକାବିଲା କରି ନ ପାରି ବିଭିନ୍ନ ନିଶାଦ୍ରବ୍ୟ ସେବନ (ମଦ, ସିଗାରେଟ, ଗୁଟ୍ଖା, ଗଞ୍ଜେଇ, ଭାଙ୍ଗ) କରିଥାନ୍ତି  । ଫଳରେ ଏଙ୍ଗଜାଇଟି ରୋଗର ଲକ୍ଷଣ ଓଲଟା ଆହୁରି ବଢିଯାଏ  ।

ସଂଗୃହିତ – ଡା. ସତ୍ୟକାମ ମହାପାତ୍ର, ମାନସିକ ରୋଗ ବିଶେଷଜ୍ଞ

3.08333333333
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top