ହୋମ / ସ୍ଵାସ୍ଥ୍ୟ / ମାନସିକ ସ୍ୱାସ୍ଥ୍ୟ / ମାନସିକ ସ୍ଵାସ୍ଥ୍ୟସେବା ଓ ସମସ୍ୟା
ସେଆର କରନ୍ତୁ

ମାନସିକ ସ୍ଵାସ୍ଥ୍ୟସେବା ଓ ସମସ୍ୟା

ମେଣ୍ଟାଲ ହେଲଥ୍ କେୟାର ବିଲ୍ ବା ମାନସିକ ସ୍ୱାସ୍ଥ୍ୟସେବା ବିଲ୍ ରାଜ୍ୟସଭାରେ ଉପସ୍ଥାପିତ ହୋଇ ସଂଖ୍ୟାଗରିଷ୍ଟ ଭୋଟରେ ଗୃହିତ ହୋଇଛି ।

ମାନସିକ ସ୍ୱାସ୍ଥ୍ୟସେବା ବିଲ୍

ମାନବାଧିକାର କର୍ମୀଙ୍କ ଦୀର୍ଘ ବର୍ଷର ଦାବିକ୍ରମେ ଗତ ୮ ଅଗଷ୍ଟ ୨୦୧୬ ରେ ମେଣ୍ଟାଲ ହେଲଥ୍ କେୟାର ବିଲ୍ ବା ମାନସିକ ସ୍ୱାସ୍ଥ୍ୟସେବା ବିଲ୍ ରାଜ୍ୟସଭାରେ ଉପସ୍ଥାପିତ ହୋଇ ସଂଖ୍ୟାଗରିଷ୍ଟ ଭୋଟରେ ଗୃହିତ ହୋଇଛି । ଏହା ପୁନର୍ବାର ଲୋକସଭାରେ ଉପସ୍ଥାପିତ ହେବ ଏବଂ ସଂଖ୍ୟାଗରିଷ୍ଟ ଭୋଟରେ ପାସ୍ ହେଲାପରେ ରାଷ୍ଟ୍ରପତିଙ୍କ ସୀକୃତି ମିଳିଲେ ଆଇନରେ ପରିଣତ ହେବ । କିନ୍ତୁ ଆଇନ ହେବା ପୂର୍ବରୁ ବିଲକୁ ନେଇ ଅନେକ କଳ୍ପନାଜଳ୍ପନା ଲାଗିରହିଛି । ବିଲ୍ ଅନୁଯାୟୀ ଏଣିକି ଆତ୍ମହତ୍ୟା ଉଦ୍ୟମ କରୁଥିବା ବ୍ୟକ୍ତିଙ୍କୁ ଆଇ. ପି . ସି . ର ଧାରା ୩୦୯ ଅନୁସାରେ ଅପରାଧୀ ବିବେଚନା କରି ଦଣ୍ଡ ବିଧାନ କରିବା ପରିବର୍ତ୍ତେ ତାଙ୍କୁ ମାନସିକ ରୋଗୀ ଭାବି ତାଙ୍କର ଉଚିତ ଚିକିତ୍ସା କରାଯିବ । ବିଲର ରୂପରେଖକୁ ନେଇ ଭିନ୍ନ ଭିନ୍ନ ମତ ପ୍ରକାଶ ପାଇଛି । କିଛି ଲୋକ ବିଲ୍ ର ସପକ୍ଷରେ ଥିବାବେଳେ କିଛି ଏହାକୁ ବିରୋଧ କରୁଛନ୍ତି । ବର୍ତ୍ତମାନ ଭାରତବର୍ଷରେ ବଳବତ୍ତର ଥିବା ମାନସିକ ସ୍ୱାସ୍ଥ୍ୟ ଆଇନ ୧୯୮୭ ଅନୁସାରେ କେହି ଆତ୍ମହତ୍ୟା ଉଦ୍ୟମ କରି ବିଫଳ ହେଲେ ତିନିବର୍ଷ ପର୍ଯ୍ୟନ୍ତ ସଶ୍ରମ କାରାଦଣ୍ଡର ବ୍ୟବସ୍ଥା ଅଛି । ଆଇନ ପାଶ୍ଚାତଭାଗରେ ଜୀବନ ଭଗବାଙ୍କ ଦାନ ଏବଂ ଏହାକୁ ନେବା କାହାରି ଅଧିକାର ନାହିଁ ବୋଲି ବିଚାର କରାଯାଇ ଆତ୍ମହତ୍ୟାକୁ ଅପରାଧ ବୋଲି ବିବେଚନା କରାଯିବା ଦ୍ଵାରା ଆତ୍ମହତ୍ୟାର ମାତ୍ରା କମିବ ବୋଲି ଆଶା କରଯାଇଥିଲା । ହେଲେ  ଅସଲରେ ଏହା ଭୁଲ ପ୍ରମାଣିତ ହୋଇଛି, ଯାହାକି ୨୦୧୫ ରେ ପ୍ରକାଶିତ ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋ ତଥ୍ୟରୁ ବେଶ ସ୍ପଷ୍ଟ । ତଥ୍ୟ ଅନୁଯାୟୀ ଭାରତରେ ପ୍ରତି ୪ ମିନିଟରେ ଜଣେ ଆତ୍ମହତ୍ୟା କରୁଛି । କିଶୋର ସ୍ୱାସ୍ଥ୍ୟ ସମ୍ପର୍କିତ ଲେନସେଟ ରିପୋର୍ଟ ମଧ୍ୟ ଏହି ତଥ୍ୟ ପ୍ରଦାନ କରେ ଯେ ଭରତବର୍ଷର ଯୁବାବସ୍ଥାରେ ମୃତ୍ୟୁବରଣ କରୁଥିବା ଅଧିକାଂଶ ବ୍ୟକ୍ତିବିଶେଷଙ୍କର ମୃତ୍ୟୁ ଆତ୍ମହତ୍ୟାଜନିତ, ଯାହାକି ବହୁଳ ମାତ୍ରାରେ ଭାରତୀୟଙ୍କ ମଧ୍ୟରେ ମାନସିକ ବିଷାଦକୁ ପ୍ରତିଫଳିତ କରେ । ଜାତିସଂଘର ତଥ୍ୟ ଅନୁଯାୟୀ ଭାରତବର୍ଷରେ ମାନସିକ ଅସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା ୭୦ ନିୟୁତ । ୨୦୦୫ ମସିହାର ଅନ୍ୟ ଏକ ତଥ୍ୟ ଅନୁଯାୟୀ ଭାରତୀୟ ଜନସଂଖ୍ୟାର ୨ ରୁ ୭% ମାନସିକ ରୋଗର ଶିକାର ହୋଇଥିବା ସ୍ଥଳେ ୧ ରୁ ୨% ଅତ୍ୟଧିକ ମାନସିକ ବିଷାଦଗ୍ରସ୍ତ । ଆହୁରି ମଧ୍ୟ ଆତ୍ମହତ୍ୟାରେ ସଫଳ ହେଉଥିବା ବ୍ୟକ୍ତିବିଶେଷ ବିଚାର ଏବଂ ଦଣ୍ଡର ସାମନା କରୁ ନଥିବା ବେଳେ ଅସହ୍ୟ ଶାରୀରିକ ଏବଂ ମାନସିକ ଯନ୍ତ୍ରଣାରୁ ମୁକ୍ତି ସକାଶେ ଆତ୍ମହତ୍ୟା ଉଦ୍ୟମ କରି ଦଣ୍ଡ ପାଇବା ଦ୍ଵାରା ତାଙ୍କର ଯନ୍ତ୍ରଣା ଉପସମ ହେବା ପରିବର୍ତ୍ତେ ବହୁଗୁଣିତ ହୋଇଥାଏ ।

ଅନ୍ୟଦୀଗରେ ୨୦୦୭ ମସିହାରେ ଭାରତ ଦ୍ଵାରା ସ୍ଵାକ୍ଷରିତ ଭିନ୍ନକ୍ଷମଙ୍କ  ଅଧିକାର ସମ୍ପର୍କିତ ଜାତିସଂଘର ଘୋଷଣାନାମା ଅନୁଯାୟୀ ପ୍ରତ୍ୟେକ ସ୍ଵାକ୍ଷରକାରୀ ରାଷ୍ଟ୍ର ମାନସିକ ଅସୁସ୍ଥ ବ୍ୟକ୍ତିଙ୍କର ଅଧିକାର ପୂର୍ବକ ଆଗରୁଥିବା ଆଇନରେ ଯଥୋଚିତ ପରିବର୍ତ୍ତନ ଆଣିବେ ।

ଏହି କ୍ରମରେ ରାଜ୍ୟସଭା ଦ୍ଵାରା ପାରିତ ମାନସିକ ସ୍ୱାସ୍ଥ୍ୟସେବା ବିଲ୍ ମାନସିକ ସ୍ଵାସ୍ଥ୍ୟକୁ କେବଳ ଏକ ଚିକିତ୍ସା ହିସାବରେ ନ ଧରି ବରଂ ଅଧିକାର ହିସାବରେ ଧରିଛି । ଏହାଦ୍ଵାରା ବିନା ପକ୍ଷପାତରେ ମାନସିକ ସ୍ୱାସ୍ଥ୍ୟସେବା ଶସ୍ତାରେ ଏବଂ ସୁବିଧାରେ ମିଳିପାରିବ ।

ଚିକିତ୍ସା

ବିଲ୍ ରେ ମୁଖ୍ୟତଃ ଚାରୋଟି ଜିନିଷ, ଯଥା – ଚିକିତ୍ସା ପଦ୍ଧତି, ଜନସ୍ୱାସ୍ଥ୍ୟର ମାନ୍ୟତା, ଆତ୍ମହତ୍ୟାକୁ ଅପରାଧକୁ ବାଦ ଦେବ ଏବଂ ଜମା ଉପରେ ଗୁରୁତ୍ଵାରୋପ କରା ଯାଇଅଛି । ଚିକିତ୍ସା ପଦ୍ଧତି ବୋଇଲେ ଜଣେ କେଉଁଭଳି ଚିକିତ୍ସା ପାଇବବୟନ ହକଦାର, ତାହା ନିର୍ଦ୍ଧିଷ୍ଟ କରାଯିବ । ଅର୍ଥାତ୍ ମାନସିକ ରୋଗଗ୍ରସ୍ତ ଛୋଟ ପିଲାଙ୍କୁ ଏଣିକି ବୈଦୁତିକ ଚିକିତ୍ସା ମନ କରାଯାଇଅଛି । କେବଳ ଯାହା ଜିହାତି ଆବଶ୍ୟକ ସ୍ଥଳେ ଏଭଳି ଚିକିତ୍ସା କରାଯାଇ ପାରିବ । ମାନସିକ ଅସୁସ୍ଥ ବ୍ୟକ୍ତିବିଶେଷ ଏଣିକି ଅଧିକାର ସ୍ୱରୂପ ସରକାରଙ୍କଠାରୁ ଶସ୍ତାରେ, ସୁବିଧାରେ ଏବଂ ଉନ୍ନତମାନର ଚିକିତ୍ସା କରିପାରିବେ । ଏତଦଦ୍ଭିନ୍ନ ଅନ୍ୟ ରୋଗୀ ଭଳି ମାନସିକ ରୋଗୀକୁ ସମାନ ଗୁରୁତ୍ଵ ପ୍ରଦାନ ଲ୍କରାଯିବା ସମେତ ଅମାନୁଷିକ ଏବଂ ନିମ୍ନମାନର ଚିକିତ୍ସାରୁ ସୁରକ୍ଷା ପ୍ରଦାନ କରାଯିବା ବ୍ୟବସ୍ଥା ହେଉଅଛି । ଏହାବାଦ୍ ଆତ୍ମହତ୍ୟାକୁ ଅପରାଧରୁ ବାଦ୍ ଦିଆଯାଇଛି ଏବଂ ଅନ୍ୟ ସ୍ୱାସ୍ଥ୍ୟଗତ ଅସୁସ୍ଥତା ଭଳି ମାନସିକ ସ୍ୱାସ୍ଥ୍ୟ କ୍ଷେତ୍ରରେ ମଧ୍ୟ ସ୍ୱାସ୍ଥ୍ୟବୀମାକୁସାମିଲ କରାଯିବା ସ୍ଥିର ହୋଇଅଛି । ବିଲ୍ ଅନୁଯାୟୀ ଏଣିକି ଜିଲ୍ଲା ସ୍ତରରେ ମାନସିକ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ରାଷ୍ଟ୍ର ଏବଂ ରାଜ୍ୟର ଦାଇତ୍ଵ ହେବ । ଏହି କ୍ରମରେ ଉଭୟ ବହିର୍ବିଭାଗ ଏବଂ ଅନ୍ତର୍ବିଭାଗ ଚିକିତ୍ସା, ସ୍ୱାସ୍ଥ୍ୟକେନ୍ଦ୍ର ତଥା ଗୋଷ୍ଟିସ୍ତରରେ ଥଇଥାନ ବ୍ୟବସ୍ଥା ସମେତ ମହିଳାଙ୍କ ମହିଳାଙ୍କ ସକାଶେ ସ୍ଵତନ୍ତ୍ର ଧ୍ୟାନ ଉପରେ ଗୁରୁତ୍ଵାରୋପ କରାଯାଇଅଛି । ଏଭଳି ସ୍ଥଳେ ଜନସ୍ୱାସ୍ଥ୍ୟ ଏକ ରାଜ୍ୟ ତାଲିକା ଭୁକ୍ତ ବିଷୟ ହୋଇଥିବାରୁ ରାଜ୍ୟମାନଙ୍କର ଅର୍ଥାଭାବକୁ ଆଖିଆଗରେ ରଖି କେନ୍ଦ୍ର ଯଥୋଚିତ ଆର୍ଥିକ ସାହାଯ୍ୟ ପ୍ରଦାନ ପୂର୍ବକ ଆଇନକୁ ଠିକ୍ ଭାବରେ ପାଳନ ନିମିତ୍ତ ଯତ୍ନଶୀଳ ହେବା ଉଲ୍ଲେଖ ରହିଛି । ବିଲ୍ ରେ ମାନସିକ ରୋଗ ଏବଂ ଏ ସମ୍ପର୍କିତ ଚିକିତ୍ସା ସମ୍ବଦ୍ଧରେ ବିଷାଦ ବର୍ଣନା ରହିଛି । ଠିକ୍ ସେହିପରି କେନ୍ଦ୍ର ତଥା ରାଜ୍ୟ ସ୍ତରରେ ‘ମେଣ୍ଟାଲ ହେଲଥ ଅଥରିଟି’ ସ୍ଥାପନ ଏବଂ ମାନସିକ ସ୍ୱାସ୍ଥ୍ୟ ସମୀକ୍ଷା କମିଶନ ତଥା ବୋର୍ଡ ଗଠନ କରାଯିବା ସକାଶେ ବିଲ୍ ରେ ଉଲ୍ଲେଖ କରାଯାଇଛି ।

ଆଗରୁ ମାନସିକ ଅସୁସ୍ଥତାକୁ ମାନସିକ ବିକାରଗ୍ରସ୍ତ ଭିନ୍ନ ଅନ୍ୟ ସମସ୍ତ ମାନସିକ ସମସ୍ୟାକୁ ବୁଝାଇଥିଲା । କିନ୍ତୁ ରାଜ୍ୟ ସଭାରେ ପାସ୍ ହୋଇଥିବା ବିଲ ଅନୁଯାୟୀ ଏଣିକି ଚିନ୍ତା, ମାନସିକ ଅବସ୍ଥା, ଉପଲବ୍ଧି, ଆଭିମୁଖ୍ୟ ବା ସୃତିଶକ୍ତି ବ୍ୟତିକ୍ରମକୁ ମାନସିକ ଅସୁସ୍ଥତା ବୋଲି ଧରାଯିବ, କାରଣ ଏହାଦ୍ଵାରା  ଜଣେ ବ୍ୟକ୍ତିର  ଆଚରଣ, ଠିକଭୂଲ ବିଚାର କରିବାର କ୍ଷମତା, ବାସ୍ତବତା କୁ ବୁଝିବା ବା ଦୈନଦିନ ଜୀବନର ସାଧାରଣ ଅବଶ୍ୟକତାକୁ ପୂରଣ କରିବାରେ ଅସାମର୍ଥ୍ୟ ପ୍ରକଟିତ ହୋଇଥାଏ । ଆହୁରି ମଧ୍ୟ ନିଶସେବନ କାରଣରୁ ଘଟୁଥିବା ମାନସିକ ଅସନ୍ତୁଳନ ମଧ୍ୟ ଏହି ଶ୍ରେଣୀଭୁକ୍ତ ଧରାଯିବ । ଯାହା କି ହେଉ, ବିଳମ୍ବରେ ହେଲେ ମଧ୍ୟ ଏଭଳି ଏକ ବିଲ ସଂସଦରେ ଆଗତ ହେବା ସ୍ଵାଗତଯୋଗ୍ୟ ପଦକ୍ଷେପ ।

ରାଜ୍ୟସଭାରେ ପାରିତ ନୂତନ ବିଲରେ ମଧ୍ୟ ଅନେକ ଅସୁବିଧା ରହିଛି ଯେପରିକି ଏହା କେବଳ ମନୋବ୍ୟାଧି ଚିକିତ୍ସକଙ୍କ ଭୂମିକା କଥା କହିଥିବାବେଳେ ପରାମର୍ଶଦାତା ବା କାଉନସିଲର ତଥା ମନସ୍ତତ୍ଵବିଦଙ୍କ ଭୂମିକା ସମ୍ବଧରେ ନୀରବ ରହିଛି । ଡାକ୍ତରଖାନା ମାଧ୍ୟମରେ ବିନା ମୂଲ୍ୟରେ ଔଷଧ ଯୋଗାଇ ଦେବାର ଆବଶ୍ୟକତା ମଧ୍ୟ ରହିଛି ।

ଆଧାର - ସମ୍ବାଦ

4.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top