ହୋମ / ସ୍ଵାସ୍ଥ୍ୟ / ମାନସିକ ସ୍ୱାସ୍ଥ୍ୟ / ମାନସିକ ସ୍ୱାସ୍ଥ୍ୟସେବାର ସ୍ଥିତି ଓ ବ୍ୟବସ୍ଥା
ସେଆର କରନ୍ତୁ

ମାନସିକ ସ୍ୱାସ୍ଥ୍ୟସେବାର ସ୍ଥିତି ଓ ବ୍ୟବସ୍ଥା

ଭାରତ ହେଉଛି ପୃଥିବୀରେ ଏକମାତ୍ର ଦେଶ ଯିଏକି ମାନସିକ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମକୁ ନିଜର ସାଧାରଣ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେସାମିଲ କରିଛି ।

ଭାରତୀୟ ଚିକତ୍ସା ଗବେଷଣା ପରିଷଦ

ଭାରତୀୟ ଚିକତ୍ସା ଗବେଷଣା ପରିଷଦ ( ଆଇସିଏମଆର୍) ସର୍ବେକ୍ଷଣ ଅନୁସାରେ ଆମ ଦେଶରେ ଶତକଡା ୧ ଭାଗ ଗୁରୁତର ମାନସିକ ଅସୁସ୍ଥ ବ୍ୟକ୍ତି ଅଛନ୍ତି । ହିସାବରେ ପ୍ରାୟ ୧.୫ କୋଟି ଗୁରୁତର ମାନସିକ ଅସୁସ୍ଥ ବ୍ୟକ୍ତି ଏବଂ ପାଖାପାଖି ୧୫ କୋଟି ଲୋକ ମାନସିକ ସ୍ୱାସ୍ଥ୍ୟ ସେବା ଦରକାର କରିଥାନ୍ତି । ଭାରତରେ ମାନସିକ ଅସୁସ୍ଥ ବ୍ୟକ୍ତିଙ୍କ ଚିକିତ୍ସା, ଯତ୍ନ ଏବଂ ପୁନବାର୍ସ ପାଇଁ ଆଇନ, ନୀତି ଓ ଯୋଜନା ରହିଛି । ୧୯୮୨ ମସିହାରେ ଜାତୀୟ ମାନସିକ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ୨୭ଟି ଜିଲାରେ ପରୀକ୍ଷାମୂଳକ ଭାବରେ ଆରମ୍ଭ କରାଯାଇ ବର୍ତ୍ତମାନ ୨୪୧ଟି ଜିଲାକୁ ସମ୍ପ୍ରସାରଣ କରାଯାଇଅଛି । ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି ମାନସିକ ଅସୁସ୍ଥଙ୍କ ପାଇନହ ଉପୟୁକ୍ତ ସ୍ୱାସ୍ଥ୍ୟସେବା ଉପଲବ୍ଧ କରିବା, ସାଧାରଣ ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ଏହାକୁ ସାମିଲ କରିବା ଏବଂ ଏହାର ସଫଳତା ପାଇଁ ଗୋଷ୍ଠୀ ଭାଗୀଦାରିତା ବୃଦ୍ଧି କରିବା । ଭାରତ ହେଉଛି ପୃଥିବୀରେ ଏକମାତ୍ର ଦେଶ ଯିଏକି ମାନସିକ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମକୁ ନିଜର ସାଧାରଣ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେସାମିଲ କରିଛି । ଆସନ୍ତା ୨୦୨୦ ମସିହା ସୁଦ୍ଧା ଏହି କାର୍ଯ୍ୟକ୍ରମ ଦେଶର ସବୁ ଜିଲାରେ କାର୍ଯ୍ୟକାରୀ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।

ମାନସିକ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ

ଆମ ରାଜ୍ୟରେ ଜାତୀୟ ମାନସିକ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦେଶାଳୟ ମାଧ୍ୟମରେ ରାଜ୍ୟର ବଲାଙ୍ଗାର, କୋରାପୁଟ,ମୟୁରଭଞ୍ଜ, ପୁରୀ ଖୋର୍ଦ୍ଧା, କେନ୍ଦୁଝର, ଢେଙ୍କାନାଳ, କନ୍ଧମାଳ, ବାଲେଶ୍ଵର,କଳାହାଣ୍ଡି, ଅଣୁଗୋଳ, ରାୟଗଡା, ସୁନ୍ଦରଗଡ ଇତ୍ୟାଦି ୧୩ ଟି ଜିଲାରେ ଚାଲୁଅଛି , ଏହି କାର୍ଯ୍ୟକ୍ରମ ଚାଲୁଥିବା ଜିଲାମାନଙ୍କରେ ମାନସିକ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ମନୋଚିକିତ୍ସକ, ମନୋ-ସାମାଜିକ କର୍ମୀ, ମନସ୍ତତ୍ତ୍ଵବିତ୍ ଇତ୍ୟାଦି ନିଯୁକ୍ତି ଦେବାର ବ୍ୟବସ୍ଥା ଅଛି । ପ୍ରତ୍ୟେକ ଜିଲାର ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ହେଉଛନ୍ତି ଏହି କାର୍ଯ୍ୟକ୍ରମର ନୋଡାଲ ଅଫିସର । ଏତଦ୍ ବ୍ୟତୀତ ବୁର୍ଲା, ବ୍ରହ୍ମପୁର ଏବଂ କଟକସ୍ଥିତ ଡାକ୍ତରୀ ମହାବିଦ୍ୟାଳୟ ଏବଂ ଡାକ୍ତରଖାନାରେ ମଧ୍ୟ ମାନସିକ ସ୍ୱାସ୍ଥ୍ୟ ସେବା ପାଇଁ ସମସ୍ତ ବ୍ୟବସ୍ଥା ଅଛି । ଏହି କାର୍ଯ୍ୟକ୍ରମର ତଦାରଖ ଏବଂ ରୂପାୟନର ଉତ୍ତରଦାୟିତ୍ଵ ରାଜ୍ୟ ମାନସିକ ସ୍ୱାସ୍ଥ୍ୟ ପ୍ରାଧିକରଣକୁ ଦିଆଯାଇଛି । ଏହା ସହିତ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ସମସ୍ତ ଜିଲାମୁଖ୍ୟ ଡାକ୍ତରଖାନାରେ ନିରାମୟ ଯୋଜନାରେ ମାନସିକ ରୋଗୀଙ୍କ ପାଇଁ ଅତ୍ୟାବଶ୍ୟକ ଔଷଧ ଯୋଗାଇ ଦେବା ପାଇଁ ବ୍ୟବସ୍ଥା କରାଯାଇଛି । ମାନସିକ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଚାଲୁ ନଥିବା ଜିଲାମାନଙ୍କରେ ସରକାରଙ୍କ ରାଜ୍ୟ ମାନସିକ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ତରଫରୁ ଡାକ୍ତରମାନଙ୍କୁ ମାନସିକ ସ୍ୱାସ୍ଥ୍ୟ ଉପରେ ତାଲିମ ଦେବାର ବ୍ୟବସ୍ଥା ଅଛି । ମାତ୍ର ଏହାର ବ୍ୟାବହାରିକତା ସାଧାରଣ ତାଲିମ ଦେବାର ବ୍ୟବସ୍ଥା ଅଛି । ମାତ୍ର ଏହାର ବ୍ୟାବହାରିକତା ସାଧାରଣ ମାନସିକ ରୋଗୀ ଏବଂ ସେମାନଙ୍କର ପରିବାର ପାଖରେ ପହଞ୍ଚି ପାରୁ ନାହିଁ ।

ଜାତୀୟ ମାନସିକ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ବିଗତ ୩୦ ବର୍ଷର ଫଳାଫଳକୁ ଯଦି ଦେଖିବା ତେବେ ଏହାର ସଫଳତା ହାର ଅତି ନଗଣ୍ୟ । ବର୍ତ୍ତମାନ ମଧ୍ୟ ଏହି ସେବା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପର୍ଯ୍ୟନ୍ତ ପହଞ୍ଚି ପାରିନାହିଁ ଓ ଆବଶ୍ୟକ ଅନୁସାରେ ମନୋଚିକିତ୍ସାକଙ୍କ ଅଭାବ ରହିଛି । ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ( ଡବ୍ଲ୍ୟୁଏଚଓ) ୨୦୧୫ ବାର୍ଷିକ ରିପୋର୍ଟ ଅନୁସାରେ ଭାରତରେ ମାତ୍ର ୩୫୦୦ ମନୋଚିକିତ୍ସକ ଥିବାବେଳେ ପ୍ରତି ୧ ଲକ୍ଷ ଜନସଂଖ୍ୟାରେ, ମାନସିକ ସ୍ୱାସ୍ଥ୍ୟ କେନ୍ଦ୍ରରେ କେବଳ ୨ ଟି ଶଯ୍ୟା ରହିଛି । ୧୦ ଲକ୍ଷ ଜନସଂଖ୍ୟାରେ ମାତ୍ର ୩ ଜଣ ମନୋଚିକିତ୍ସକ ଅଛନ୍ତି, କୌଣସି ଡାକ୍ତରଖାନାରେ ଯଥେଷ୍ଟ ପରିମାଣର ଔଷଧ ମିଳୁନାହିଁ । ଜିଲା ମାନସିକ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଚାଲୁଥିବା ଜିଲାମାନଙ୍କରେ ଭିତ୍ତିଭୂମିର ଅଭାବ ରହିଛି । ଗ୍ରାମାଞ୍ଚଳରେ ମାନସିକ ସ୍ୱାସ୍ଥ୍ୟ ଉପରେ ଲୋକମାନଙ୍କର ମଧ୍ୟରେ ସଚେତନତାର ଅଭାବ ରହିଛି । ଆଶ୍ଚର୍ଯ୍ୟର କଥା ଏପ୍ରକାର ଅସୁସ୍ଥ ବ୍ୟକ୍ତିଙ୍କ ବିଷୟରେ ସରକାରଙ୍କ ପାଖରେ ଖବର ନାହିଁ ।

ମନୋଚିକିତ୍ସକ ଏବଂ ମନୋସାମାଜିକ କର୍ମୀଙ୍କ ମତରେ ମାନସିକ ଅସୁସ୍ଥତା ଔଷଧ ମାଧ୍ୟମରେ ଯେତେ ଭଲ ହୋଇନଥାଏ ତା’ ଠାରୁ ଅଧିକ ଭଲ ହୋଇଥାଏ ପରିବାର, ପାଖ ପଡୋଶୀ ଏବଂ ସମାଜର ବ୍ୟବହାର ଯତ୍ନ ଏବଂ ସହଯୋଗରେ ଔଷଧ ଅସୁସ୍ଥତାର ଲକ୍ଷଣଗୁଡିକ କମ୍ କରିଥାଏ, ମାତ୍ର ଗୋଷ୍ଠୀ ସହାୟତା ମାନସିକ ସ୍ୱାସ୍ଥ୍ୟର ଉନ୍ନତି ଏବଂ ସାମାଜିକ ପୁନର୍ବାସ କରିବାରେ ସହାୟତା କରିଥାଏ । ପରିବାର ଏକ ଗୁରୁତ୍ଵପୂର୍ଣ୍ଣ ସଂସ୍ଥା ଯେଉଁଠି ଡାକ୍ତରଖାନା ଅପେକ୍ଷା ଉପୟୁକ୍ତ ଏବଂ ସୁରକ୍ଷିତ ପରିବେଶ ମିଳିଥାଏ ।

ଉପରୋକ୍ତ ସ୍ଥିତି ଓ ସମ୍ଭାବନାକୁ ଦୃଷ୍ଟିରେ ରଖି ଭାରତ ସରକାର ୧୯୮୭ ମସିହାରେ ମାନସିକ ଅସୁସ୍ଥମାନଙ୍କ ପାଇଁ ମାନସିକ ସ୍ୱାସ୍ଥ୍ୟ ଆଇନ ପ୍ରଣୟନ କରିଛନ୍ତି ଏବଂ ବର୍ତ୍ତମାନ ଏକ ନୂଆ ମାନସିକ ସ୍ୱାସ୍ଥ୍ୟ ଆଇନ ସରକାରଙ୍କ ବିଚାରାଧୀନ ଅଛି । ଇତି ମଧ୍ୟରେ ସରକାର ମାନସିକ ସ୍ୱାସ୍ଥ୍ୟ ନୀତି ୨୦୧୪ ମସିହାରେ ପ୍ରଣୟନ କରିସାରିଛନ୍ତି । ଉକ୍ତ ନୀତିରେ ମାନସିକ ସ୍ୱାସ୍ଥ୍ୟକୁ ସୁଦୃଢ କରିବାକୁ ପଦକ୍ଷେପ ଗ୍ରହଣ ପାଇଁ କେତେକ ନିର୍ଦେଶ ଏବଂ ସୁପାରିସ କରାଯାଇ ଅଛି । ପ୍ରଥମତଃମାନସିକ ସ୍ୱାସ୍ଥ୍ୟ ସେବା ପାଇଁ ଏକ କାର୍ଯ୍ୟକ୍ଷମ ସରକାରୀ ବ୍ୟବସ୍ଥା ଏବଂ କାର୍ଯ୍ୟକ୍ରମ ରୂପାୟନ ଉପରେ ଗୁରୁତ୍ଵ ଦେବାକୁ କୁହାଯାଇଛି ଯେଉଁଥିରେ ସରକାରୀ ସ୍ତରରେ ଏକ ଉପୟୁକ୍ତ କାର୍ଯ୍ୟ ଖସଡା ତା ପାଇଁ ଅର୍ଥ ବ୍ୟବସ୍ଥା ସହିତ ସମସ୍ତଙ୍କ ଦକ୍ଷତା ବୃଦ୍ଧି ଉପରେ ଗୁରୁତ୍ଵ ଦିଆଯାଇଛି ।

ଦ୍ଵିତୀୟତଃ ମାନସିକ ସ୍ୱାସ୍ଥ୍ୟର ଉନ୍ନତି ପାଇଁ ଅଙ୍ଗନବାଡି ଏବଂ ବିଦ୍ୟାଳୟସ୍ତରରେ ଯତ୍ନକାରୀମାନଙ୍କ ଦକ୍ଷତା ବୃଦ୍ଧି, ଶିଶୁଏବଂ ଅଭିଭାବକମାନଙ୍କ ପାଇଁ ଜୀବନ କୌଣସି ଶିକ୍ଷା, ଲିଙ୍ଗଗତ ଏବଂ ଯୌନଗତ ବିଭେଦ ଦୂର ପାଇଁ ସଚେତନତା ସୃଷ୍ଟି ଇତ୍ୟାଦି ପାଇଁ ପ୍ରସ୍ତାବ ଅଛି । ବିଦ୍ୟାଳୟ ସ୍ତରରେ ମାନସିକ ରୋଗ ଚିହ୍ନଟ କରିବା ସହିତ ପାଠ୍ୟ ଖସଡାରେ ମାନସିକ ସ୍ୱାସ୍ଥ୍ୟକୁ ସାମିଲ କରିବା ଏବଂ କାର୍ଯ୍ୟସ୍ଥଳରେ ନିର୍ଯାତନା ରୋକିବା ପାଇଁ କାର୍ଯ୍ୟସ୍ଥଳ ନାତି ପ୍ରଣୟନ ଉପରେ ଗୁରୁତ୍ଵ ଦିଆଯାଇଛି । ମାନସିକ ସ୍ୱାସ୍ଥ୍ୟ ଉପରେ ସମସ୍ତଙ୍କୁ ଠିକ ସୂଚନା ପହଞ୍ଚାଇବା ପାଇଁ ପରାମର୍ଶ ସେବା ଦେୟମୁକ୍ତ ଟେଲିଫୋନ ଏବଂ ୱେବସାଇଟ୍ ବ୍ୟବସ୍ଥା ଲୋକଙ୍କ ନିମ୍ନମାନର ଜୀବନ ଶୈଳୀକୁ ପରିବର୍ତ୍ତନ ପାଇଁ ତଥା ସାମାଜିକ ବାସନ୍ଦ, ଘୃଣାଭାବ ଏବଂ ଆୟରେ ବିଭେଦ ଉପରେ ସଚେତନତା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯିବା ପାଇଁ ସୁପାରିସ କରାଯାଇଛି । ବିଶୁଦ୍ଧ ପାନୀୟ ଜଳ ଓ ପରିମଲ ବ୍ୟବସ୍ଥା, ବାଶହୀନମାନଙ୍କ ପାଇଁ ବାସଗୃହର ବ୍ୟବସ୍ଥା, ଉପୟୁକ୍ତ ପୁଷ୍ଟିକର ଖାଦ୍ୟ ବ୍ୟବସ୍ଥା ସହିତ ମହିଳାମାନଙ୍କ ପ୍ରତି ହିଂସାକୁ ରୋକିବା ପାଇଁ କାର୍ଯ୍ୟକ୍ରମ ଏବଂ ଆୟୁର୍ବେଦ ଚିକିତ୍ସା ଏବଂ ଯୋଗକୁ ପ୍ରୋତ୍ସାହିତ କରିବାର ବ୍ୟବସ୍ଥା କଥା କୁହାଯାଇଛି ।

ତୃତୀୟତଃ ମାନସିକ ରୋଗକୁ ରୋକିବା ସହିତ ଆତ୍ମହତ୍ୟା କମ୍ କରିବା ନିମନ୍ତେ ସମାଜରୁ ମାନସିକ ରୋଗ ପ୍ରତିଥିବା ଅନ୍ଧବିଶ୍ଵାସ, ଭୁଲଧାରଣା ଏବଂ ଭେଦଭାବ ଉପରେ ସଚେତନତା ସୃଷ୍ଟି କରିବା । ଚିକିତ୍ସା ସେବାର ଉପଲବ୍ଧତା, ଯତ୍ନ ପରିବାର ତଥା ଗୋଷ୍ଠୀରେ ଅଂଶଗ୍ରହଣ ବ୍ୟାଙ୍କରେ ଜମାଖାତାର ପରିଚାଳନା, ପରିଚୟପତ୍ର, ଡ୍ରାଇଭିଙ୍ଗ ଲାଇସେନ୍ସ ସହିତ ଅନ୍ୟ ଭିନ୍ମକ୍ଷମ ପରି ସୁବିଧାସୁଯୋଗ ଏମାନଙ୍କୁ ମିଳିବ । ମାନସିକ ଅସୁସ୍ଥ ବ୍ୟକ୍ତିଙ୍କ ପାଇଁ ଶିକ୍ଷା ବ୍ୟବସ୍ଥା ସହିତ ରୋଜଗାର ବ୍ୟବସ୍ଥା ଯୋଗାଇ ଦେବା ପାଇଁ ବ୍ୟବସ୍ଥା କରିବା ତଥା ଆତ୍ମହତ୍ୟାକୁ ନେଇ ଗଣମାଧ୍ୟମରେ ବିବରଣୀ ସମ୍ପର୍କିତ ନିର୍ଦେଶାବଳୀ ଜାରି କରିବାର ପ୍ରସ୍ତାବ ଅଛି ।

ଚତୁର୍ଥତଃ ମାନସିକ ସ୍ୱାସ୍ଥ୍ୟସେବାକୁ ସାର୍ବଜନୀନ କରାଯିବା ଯେଉଁଥିରେ ସେବାକୁ ବ୍ୟାପକ କରିବା ସହିତ ପରିବାରକୈନ୍ଦ୍ରିକ କରାଯିବ । ବାହାରେ ବୁଲୁଥିବା ମାନସିକ ରୋଗୀଙ୍କ ପାଇଁ ସ୍ୱଳ୍ପ ଏବଂ ଦୀର୍ଘକାଳୀନ ରହଣି ବ୍ୟବସ୍ଥା ମାନସିକ ସ୍ୱାସ୍ଥ୍ୟ ସେବାର ନିୟମ ଓ ମାନ ନିର୍ଦ୍ଧାରଣ, ନିରନ୍ତର ଗୁଣାତ୍ମକ ବିକାଶ ପାଇଁ ସାମାଜିକ ସମୀକ୍ଷା, ଯତ୍ନକାରୀମାନଙ୍କୁ ନେଇ ଗୋଷ୍ଠୀ ଗଠନ କାରୀ ସେମାନଙ୍କର ଆର୍ଥିକ ଆବଶ୍ୟକତାକୁ ପୂରଣ କରାଯିବ । ମାନସିକ ସ୍ୱାସ୍ଥ୍ୟକୁ ସାଧାରଣ ସ୍ୱାସ୍ଥ୍ୟ ସୂଚନାକୁ ବ୍ୟାପକ କରାଯିବ । ଯତ୍ନକାରୀମାନଙ୍କ ଯୋଗ୍ୟତା ଅନୁସାରେ ଆର୍ଥିକ ଲାଭ ଏବଂ ବିଭିନ୍ନ କରରୁ ଛାଡ ନିମନ୍ତେ ବ୍ୟବସ୍ଥା କରାଯିବ । ବାସହୀନ ମାନସିକ ରୋଗୀଙ୍କ ପାଇଁ ପୁନର୍ବାସ ନୀତି ଅନୁସାରେ ପୁନର୍ବାସ ବ୍ୟବସ୍ଥା କରାଯିବା ସହିତ ସେମାନଙ୍କ ପାଇଁ ଅନୁଷଙ୍ଗିକ ବ୍ୟବସ୍ଥା ସ୍ଥାନୀୟ ସରକାର ଏବଂ ସମାଜ ମଙ୍ଗଲ ବିଭାଗ ମାଧ୍ୟମରେ କରାଯିବାର ନିର୍ଦେଶ ଅଛି ।

ପଞ୍ଚମତଃ ଲୋକମାନଙ୍କର ମାନସିକ ସ୍ଵାସ୍ଥ୍ୟର ଆବଶ୍ୟକତା ପୂରଣ ପାଇଁ ପର୍ଯ୍ୟାପ୍ତ ପରିମାଣର ମାନବ ସମ୍ବଳ ସୃଷ୍ଟି କରି ସେମାନଙ୍କୁ ତାଲିମ ଦିଆଯିବ । ଅନ୍ୟାନ୍ୟତାଲିମ କାର୍ଯ୍ୟକ୍ରମରେ ମାନସିକ ସ୍ୱାସ୍ଥ୍ୟକୁ ମଧ୍ୟ ସାମିଲ କରାଯିବା ସହିତ ଆଶା, ଅଙ୍ଗନବାଡି ଏବଂ ନର୍ସମାନଙ୍କୁ ତାଲିମ ଦେଇ ଜିଲାସ୍ତରରେ ତାଲିମଦାତାମାନଙ୍କର ଏକ ଗୋଷ୍ଠୀ ପ୍ରସ୍ତୁତ କରାଯିବ । ଶେଷରେ ମାନସିକ  ଅସୁସ୍ଥ ବ୍ୟକ୍ତି ଏବଂ ସେମାଙ୍କର ଯତ୍ନକାରୀମାନଙ୍କୁ ସବୁ କ୍ଷେତ୍ରରେ ଭାଗୀଦାରୀତା ପାଇଁ ଉତ୍ସାହିତ କରାଯିବା ସହିତ ସେମାନଙ୍କୁ ବିଭିନ୍ନ ଗାଁ କମିଟିରେ ସାମିଲ କରାଯିବ ଫଳରେ ସେମାନେ ତାଙ୍କ ପାଇଁ ହେଉଥିବା କାର୍ଯ୍ୟକ୍ରମ ତଦାରଖକରିବେ ଏବଂ ନିଜସ୍ୱ ମତାମତ ଦେଇ ପାରିବେ ।

ବର୍ତ୍ତମାନର ଜାତୀୟ ମାନସିକ ସ୍ୱାସ୍ଥ୍ୟନାତିରେ ଥିବା ଉପରୋକ୍ତ ନିର୍ଦେଶ ଏବଂ ସୁପାରିସ ଏକ କଳ୍ପିତ ଅବସ୍ଥା ମାତ୍ର । ଆଗାମୀ ଦିନରେ ଏହା ଉପରେ ଆହୁରି ତର୍ଜମା କରି ଜାତୀୟ ମାନସିକି ସ୍ୱାସ୍ଥ୍ୟ ନୀତିରେ ଦିଆଯାଇଥିବା ପ୍ରସ୍ତାବଗୁଡିକ ପ୍ରସ୍ତାବିତ ମାନସିକ ସ୍ୱାସ୍ଥ୍ୟ ଆଇନରେ ସାମିଲ କଲେ ଏହି ଆଇନଟି ଆହୁରି ବ୍ୟାପକ ହୋଇ ପାରିବ । ଫଳରେ ଆମ ଦେଶର ୧.୫ କୋଟିରୁ ଉର୍ଦ୍ଧ୍ଵ ଗୁରୁତର ମାନସିକ ଅସୁସ୍ଥ ବ୍ୟକ୍ତି ସେମାନଙ୍କର ଅଧିକାର ପାଇଁ ଉପକୃତ ହୋଇପାରିବେ ଏବଂ ସରକାରଙ୍କ ସ୍ଵପ୍ନ ସାକାର ହୋଇପାରିବ ।

3.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top