ହୋମ / ସ୍ଵାସ୍ଥ୍ୟ / ଯୋଗ / ଯୋଗର ଇତିହାସ
ସେଆର କରନ୍ତୁ

ଯୋଗର ଇତିହାସ

ଯୋଗର ଇତିହାସ ବିଷୟରେ ସୂଚନା ।

ଯୋଗ

ଆଜିକାଲି ଯୋଗ ଅଧ୍ୟାତ୍ମ ବିଜ୍ଞାନ ପରିବର୍ଭେ ଶାରୀରିକ ବ୍ୟାୟାମ ଭାବେ ଅଧିକ ଆଦୃତ ହୋଇଛି

ଯୋଗ ଏକ ଚିରନ୍ତନ ବିଜ୍ଞାନ ଶ୍ରୀମଦ୍ଭଗବଦଗୀତା  ଯୋଗକୁ ଅବ୍ୟୟ ବୋଲି ଅଭିହିତ କରେ – ଇମଂ ବିବସ୍ଵତେ ଯୋଗଂ: ପ୍ରୋକ୍ତବାନହମବ୍ୟୟମ । (ଗୀତା) ଯୋଗର ଇତିହାସ ମାନବର ଇତିହାସଠାରୁ ଅର୍ବାଚୀନ ନୁହେଁ । ଭାରତଭୂମିରେ ଯୋଗ ଗୁରୁ-ଶିଷ୍ୟ ପରଂପରାରେ ବହୁ ପୁରାତନ କାଳରୁ ପ୍ରଚଳିତ ହୋଇ ଆସିଛି । ପ୍ରଥମ ଥର ପାଇଁ ମହର୍ଷି ପତଞ୍ଜଳି ଏହି ଜ୍ଞାନକୁ ଲିପିବଦ୍ଧ କରି 'ଯୋଗସୁତ୍ର ନାମକ ଗ୍ରନ୍ଥ ଦ୍ଵାରା ଯୋଗକୁ ଲୋକାର୍ପଣ କରିଥିଲେ । ତେବେ ପରମ୍ପରା ହିରଣ୍ୟଗର୍ଭଙ୍କୁ ଯୋଗର ଜ୍ଞାତା ରୂପରେ ଚିତ୍ରଣ କରିଥାଏ । କପିଳ ସାଂଖ୍ୟସୁତ୍ର ପ୍ରଣେତା । ସେ ଯୋଗଶାସ୍ତ୍ରର ଜ୍ଞାନୀ ନିଶ୍ଚୟ, କିନ୍ତୁ ସେ ଯୋଗଶାସ୍ତ୍ର ପ୍ରଣୟନ କରି ନାହାନ୍ତି । ତେଣୁ ମହର୍ଷି ପତଞ୍ଜଳି ହିଁ ବ୍ୟବସ୍ଥିତ ଭାବେ ସଂସାରରେ ଯୋଗର ପ୍ରବର୍ତ୍ତନ କରିଥିଲେ ବୋଲି ଗ୍ରହଣ କରିବା ବିଧେୟ । ପ୍ରାଚୀନ ଭାରତରେ ଯୋଗର ଅସ୍ତିତ୍ଵ : - ପ୍ରାୟ ପାଞ୍ଚହଜାରରୁ ଅଧିକ ବର୍ଷ ପୂର୍ବରୁ ବୈଦିକ କାଳରେ ଯୋଗର ଅସ୍ତିତ୍ଵ ଥିବାର ବହୁ ପ୍ରମାଣ ମିଳେ । ଋଗ୍ ବେଦ, ଯଜୁର୍ବେଦ, ସାମ ବେଦ ଓ ଅଥର୍ବ ବେଦରେ 'ଯୋଗ ଶବ୍ଦ ଓ ଯୋଗ ବିଷୟରେ ବହୁଳ ଉଲ୍ଲେଖ ଦେଖାଯାଏ । ଏହା ବ୍ୟତୀତ 'ପ୍ରାଣ ଏବଂ ତାହାର କାର୍ଯ୍ୟକଳାପ ବିଷୟରେ ବିଶେଷ ବିବରଣ ମିଳିଥାଏ । ପ୍ରାଣକୁ ଆୟତ୍ତ କଲେ ମାନବ ସୁଖୀ ହୁଏ ବୋଲି ମଧ୍ୟ ଉଲ୍ଲେଖ ମିଳେ । କହିବା ବାହୁଲ୍ୟ ଯେ ପ୍ରାଣ ଉପରେ ନିୟନ୍ତ୍ରଣ ଯୋଗର ଏକ ମହତ୍ତ୍ଵପୂର୍ଣ୍ଣ ବିଭାବ । ମହେଞ୍ଜେଦାରୋହରପ୍ପା ସଭ୍ୟତାର ଅବଶେଷରୁ ମଧ୍ୟ ଯୋଗର ଅସ୍ତିତ୍ଵର ପ୍ରମାଣ ମିଳେ । ଏହି ସଭ୍ୟତା ଯେ ବୈଦିକ ସଭ୍ୟତା ଥିଲା ଏଥିରେ ପ୍ରାୟ ସବୁ ବିଦ୍ଵାନ୍ ସହମତ । ଉପନିଷଦ୍ କାଳରେ (୨୦୦୦ ଖ୍ରୀଷ୍ଟପୂର୍ବ ।-୧୨୦୦ ଖ୍ରୀଷ୍ଟପୂର୍ବ) ଯୋଗର ବିଶେଷ ପ୍ରସାର ହୋଇ ସାରିଥିଲା । ଏଗାରଟି ପ୍ରାଚୀନ ଉପନିଷଦରେ ଯୋଗର ବିଭିନ୍ନ ବିଭାବ ବର୍ଣ୍ଣିତ ହୋଇଥିବା ଦେଖାଯାଏ । ଅନ୍ୟତମ ମହତ୍ତ୍ଵପୂର୍ଣ୍ଣ ଉପନିଷଦ୍ ‘କଠୋପନିଷଦ୍’ରେ ଇନ୍ଦ୍ରିୟ (ମନ)ର ନିଶ୍ଚଳତାକୁ ଯୋଗ (ତାଂ ଯୋଗମିତି ମନ୍ୟନ୍ତେ ସ୍ଥିରାମିନ୍ଦ୍ରିୟଧାରଣାମ) ବୋଲି କୁହାଯାଇଛି ଯାହାକୁ ପତଞ୍ଜଳି 'ଚିତ୍ତବୃଭିନିରୋଧୀ ବୋଲି ଅଭିହିତ କରିଛନ୍ତି । କଠୋପନିଷଦରେ ମଧ୍ୟ ନାଡ଼ି ବିଷୟରେ ବର୍ଣ୍ଣନା କରାଯାଇଛି ଓ କୁହାଯାଇଛି ‘ଶତଂ ଚୈକା ଚ ହୃଦୟସ୍ୟ ନାଡ଼୍ୟଃ' ଅର୍ଥାତ୍ ହୃଦୟରେ ନାଡ଼ିର ସଂଖ୍ୟା ଶହେ ଏକ । ତନ୍ମଧ୍ୟରୁ  କେବଳ ଗୋଟିଏ ନାଡ଼ି ହିଁ   ମୁକ୍ତି ଦେଇଥାଏ । ଅନ୍ୟ ସବୁ ନାଡ଼ି ମୃତ୍ୟୁ ପଥକୁ ଟାଣି ନେଇଥାଆନ୍ତି । ଶ୍ଵେତାଶ୍ଵତର ଉପନିଷଦରେ ଯୋଗ ନିମନ୍ତେ ଉପଯୁକ୍ତ ସ୍ଥାନ, ଉପଯୁକ୍ତ ଆସନ, ଯୋଗମାର୍ଗରେ ଅଗ୍ରସର ହେଉଥିବା ଯୋଗୀର ଯୋଗସିଦ୍ଧିର ଲକ୍ଷଣ ଇତ୍ୟାଦିର ବିବରଣ ମିଳେ । ମାଣ୍ଡୁକ୍ୟ ଉପନିଷଦରେ ଓଁକାରର ବିଶେଷ ବର୍ଣ୍ଣନା ରହିଛି । ବୃହଦାରଣ୍ୟକ ଉପନିଷଦ୍ ରେ ପ୍ରାଣର ମହତ୍ତ୍ଵ ବିଷୟରେ ବର୍ଣ୍ଣନା କରାଯାଇଛି ।

ମହର୍ଷି ପତଞ୍ଜଳି ଓ ଯୋଗସୁତ୍ର

ପ୍ରଥମ ଥର ପାଇଁ ଯୋଗଶାସ୍ତ୍ରର ବିଧିବଦ୍ଧ ପ୍ରଣୟନ ମହର୍ଷି ପତଞ୍ଜଳିଙ୍କ ଦ୍ଵାରା କରାଯାଇଥିଲା । ତାଙ୍କ ରଚିତ ଗ୍ରନ୍ଥର ନାମ 'ଯୋଗସୂତ୍ର । ସୂତ୍ରାକାରରେ ଲେଖାଯାଇଥିବା ଏହି ଗ୍ରନ୍ଥଟି 'ଯୋଗୀର ଭିତ୍ତିଗ୍ରନ୍ଥ । ପରବର୍ତ୍ତୀ କାଳରେ ଏହା ଉପରେ ଠିଆ ହେଲା ବିଶାଳ ଯୋଗସାହିତ୍ୟ । ଧୀରେଧୀରେ ଏହାକୁ ଆଧାର କରି ତଥା ଏହାର ଏକଦେଶକୁ ଆଧାର କରି ବିଭିନ୍ନ ସଂପ୍ରଦାୟ ବିକଶିତ ହେଲା । ଯୋଗସୁତ୍ର ଚାରୋଟି ପାଦରେ ବିଭକ୍ତ । ଏଥିରେ ସୂତ୍ରସଂଖ୍ୟା ୧୯୫ । ଏହା 'ଯୋଗ’ର ସର୍ବଶ୍ରେଷ୍ଠ ଓ ପ୍ରାମାଣିକ ଗ୍ରନ୍ଥ । ପତଞ୍ଜଳିଙ୍କ ପୂର୍ବରୁ ଯୋଗ ଜ୍ଞାନର ଅସ୍ତିତ୍ଵ ରହିଥିବା ସ୍ୱୟଂ ପତଞ୍ଜଳି ହିଁ ସ୍ପଷ୍ଟ କରିଛନ୍ତି । ଯୋଗସୂତ୍ରର ପ୍ରଥମ ସୂତ୍ରରେ ସେ ଲେଖିଛନ୍ତି । 'ଅଥ ଯୋଗାନୁଶାସନମ୍' । ଅନୁଶାସନ ଶବ୍ଦର ଅର୍ଥ ‘ଶିଷ୍ଟସ୍ୟ ଶାସନମ୍' ଅର୍ଥାତ୍ ପୂର୍ବେ ଉପଦେଶ ଦିଆଯାଇଥିବା ଜ୍ଞାନର ପୁନରୁପଦେଶ ।

ରାମାୟଣ ଓ ମହାଭାରତ (ଇତିହାସଗ୍ରନ୍ଥ) କାଳରେ ଯୋଗ

ରାମାୟଣ ଓ ମହାଭାରତ (ଖ୍ରୀଷ୍ଟପୂର୍ବ ୫୦୦ ବା ତତଃ ପୂର୍ବ) ସମୟକୁ ଯୋଗ ଅତି ପ୍ରସିଦ୍ଧ ହୋଇସାରିଲାଣି । ଭଗବଦଗୀତା ଏହି କାଳର ରଚନା । ଏଥିରେ ଯୋଗବିଷୟରେ ବିଭିନ୍ନ ବର୍ଣ୍ଣନା ଦେଖିବାକୁ ମିଳେ । ସଞ୍ଜୟ ବହୁଦୂରରୁ ଯୁଦ୍ଧର ଦୃଶ୍ୟ ଦେଖିପାରୁଥିଲେ ଓ ଧୃତରାଷ୍ଟ୍ରଙ୍କୁ ତାହା ବର୍ଣ୍ଣନା କରିପାରୁଥିଲେ । ଏହା 'ଦୂରଦୃଷ୍ଟି' ନାମକ ଯୋଗସିଦ୍ଧି | ଅର୍ଜୁନ ଭଗବାନ୍‌ଙ୍କର ବିଶ୍ଵରୂପ ଦର୍ଶନ କରିବା ମଧ୍ୟ ଅନ୍ୟ ଏକ ଯୋଗସିଦ୍ଧି । ମହାଭାରତ ଯୁଦ୍ଧରେ ପୁତ୍ରର ମୃତ୍ୟୁ ପରେ ଦ୍ରୋଣାଚାର୍ଯ୍ୟ ଯୋଗ (ସମାଧି) ଅବସ୍ଥାରେ ବସିଥିଲେ ଓ ବ୍ରହ୍ମଲୋକକୁ ପ୍ରାପ୍ତ ହୋଇଥିଲେ ବୋଲି ବର୍ଣ୍ଣନା ରହିଛି । ରାମାୟଣରେ ହନୁମାନ୍ ଅତି କ୍ଷୁଦ୍ର ଓ ଅତି ବୃହତ୍ ହେଇଯାଇପାରୁଥିଲେ । ଏ ଦୁଇଟି ମଧ୍ୟ ‘ଅଣିମା' ଓ 'ମହିମା' ନାମକ ଦୁଇଟି ଯୋଗସିଦ୍ଧି । ରାମାୟଣରେ ବର୍ଣ୍ଣିତ ଅଛି ଯେ ଅଗସ୍ତାଙ୍କ ଆଶ୍ରମରେ ପଶୁପକ୍ଷୀମାନଙ୍କର ମଧ୍ୟରେ ଶତ୍ରୁତା ନଥିଲା । ଏହା ଅଗସ୍ତନ୍ୟଙ୍କର ଅହିଂସା ପ୍ରତିଷ୍ଠାହାରା ସମ୍ଭବ ହୋଇଥିଲା (ଅହିଂସାପ୍ରତିଷ୍କାୟାଂ ତତ୍ସନ୍ନିଧୌ ବୈରତ୍ୟାଗଃ - ଯୋଗସୂତ୍ର) ଏହି ସମସ୍ତ ଉଲ୍ଲେଖରୁ ପ୍ରମାଣିତ ହୁଏ ଯେ ରାମାୟଣ ଓ ମହାଭାରତ କାଳପର୍ଯ୍ୟନ୍ତ ଯୋଗ ଅତି ପ୍ରସିଦ୍ଧ ହୋଇସାରିଥିଲା ।

ପୁରାଣକାଳ ଓ ଅର୍ବାଚୀନ ଉପନିଷଦ୍ କାଳରେ ଯୋଗ

ଏହା ଖ୍ରୀଷ୍ଟଜନ୍ମର ପରବର୍ତ୍ତୀ କାଳ ଅଟେ ଓ ବହୁଶତାବ୍ଦୀ ପର୍ଯ୍ୟନ୍ତ ବ୍ୟାପ୍ତ । ଏହି ସମୟରେ ରଚିତ ଗ୍ରନ୍ଥମାନଙ୍କରେ । ଅଥାତ୍ ବିଭିନ୍ନ ପୁରାଣମାନଙ୍କରେ ଓ ବିଭିନ୍ନ ଅର୍ବାଚୀନ ଉପନିଷଦମାନଙ୍କରେ ଆସନ, ପ୍ରାଣାୟାମ, ମୁଦ୍ରା, ବନ୍ଧ ଇତ୍ୟାଦିର ବିଶେଷ ବର୍ଣ୍ଣନା ଦେଖାଯାଏ । ଏହି ସମୟ ବେଳକୁ ହଠଯୋଗର ପ୍ରସାର ହେଇସାରିଲାଣି । ମଧ୍ୟକାଳରେ ଯୋଗ

ମଧ୍ୟକାଳରେ ହଠଯୋଗର ପ୍ରସାର ବିଶେଷ ବୃଦ୍ଧି ପାଇଥିଲା । ଏଥିରେ ନାଥ ସଂପ୍ରଦାୟର ବିଶେଷ ଭୂମିକା ରହିଥିଲା । ସ୍ଵାମୀ ଗୋରଖନାଥ ଏବଂ ତାଙ୍କର ଅନୁଗାମୀମାନେ ହଠଯୋଗର ବିଶେଷ ପ୍ରସାର କରିଥିଲେ । ସ୍ଵାମୀ ସ୍ଵାମୀରାମ ଓ ଯୋଗୀ ଘେରଣ୍ଡ ହଠଯୋଗର ପୁସ୍ତକମାନ ପ୍ରଣୟନ କରିଥିଲେ । ହଠଯୋଗରେ ଶରୀର ଉପରେ ବିଶେଷ ଗୁରୁତ୍ଵ ଆରୋପ କରାଗଲା, କିନ୍ତୁ ଚିତ୍ତବୃଭିନିରୋଧ ବା ସମାଧି ଏହାର ଅନ୍ତିମ ସୋପାନ ବୋଲି ଗ୍ରହଣ କରାଗଲା। (କେବଳ ରାଜଯୋଗାୟ ହଠଯୋଗୋ ପଦିଶ୍ୟତେ - ହଠଯୋଗପ୍ରଦୀପିକା) ।

ଆଧୁନିକ କାଳ ଓ ଯୋଗ

ଆଧୁନିକ କାଳରେ ରାମକୃଷ୍ଣ ପରମହଂସ, ଶ୍ରୀ ଅରବିନ୍ଦ, ସ୍ଵାମୀ ବିବେକାନନ୍ଦ, ସ୍ଵାମୀ ଶିବାନନ୍ଦ ସରସ୍ୱତୀ, ମାତା ଆନନ୍ଦମୟୀ ପ୍ରମୁଖ ମହାଯୋଗୀଙ୍କର ଆବିର୍ଭାବ ହୋଇଥିଲା ।

ବିଗତ କେତେ ବର୍ଷ ମଧ୍ୟରେ ଯୋଗ ଭାରତର ସୀମା ଅତିକ୍ରମ କରି ସଂପୂର୍ଣ୍ଣ ବିଶ୍ଵରେ ପ୍ରସିଦ୍ଧି ଲାଭ କରିଛି ; କିନ୍ତୁ ଏକ ଅଧ୍ୟାତ୍ମ ବିଜ୍ଞାନ ପରିବର୍ତ୍ତେ ଏକ ଶାରୀରିକ ବ୍ୟାୟାମ ଭାବେ ଅଧିକ ଆଦୃତ ହୋଇଛି । ଏହାର ବ୍ୟବସାୟୀକରଣ ହେଉଥିବା ଯୋଗୁ ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ଅନେକ ସ୍ଥାନରେ ଯୋଗରେ ଅପମିଶ୍ରଣ ହେଉଥିବା ଦେଖାଯାଉଛି । ଏଥିପ୍ରତି ଅଧିକାଧୁକ ଦୃଷ୍ଟି ଦେବାକୁ ପଡ଼ିବ । ଯୋଗର ବିକାଶ ସ୍ଥାନରେ ହୁଏତ ଯୋଗର ବିନାଶ ହେଇପାରେ ।

ସଂଗୃହିତ: ଡ. ଇନ୍ଦୁଲତା ଦାସ

2.875
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top