ହୋମ / ସ୍ଵାସ୍ଥ୍ୟ / ଯୋଗ / ସୁସ୍ଥତାର ଚାବିକାଠି ଯୋଗ
ସେଆର କରନ୍ତୁ

ସୁସ୍ଥତାର ଚାବିକାଠି ଯୋଗ

ସୁସ୍ଥତାର ଚାବିକାଠି ଯୋଗ ର ସୂଚନା

ଯୋଗାର  ଜନ୍ମଭୂମି  ଭାରତ

“ସ୍ୱାସ୍ଥ୍ୟ କରିବା ଦ୍ଵାରା ଶରୀର ଓ ମନର ସର୍ବୋତ୍ତମ ସ୍ୱାସ୍ଥ୍ୟରକ୍ଷା ଯେ ସମ୍ଭବ, ଆଧୁନିକ ବୈଜ୍ଞାନିକ ଅନୁଧ୍ୟାନଗୁଡିକରୁ ତାର ପ୍ରମାଣମାନ ମିଳିଲାଣି  । ପ୍ରମାଣ ମିଳୁଛି ଯେ ନିୟମିତ ଯୋଗ କରିବା ଫଳରେ ରକ୍ତରେ ଗ୍ଲୁକୋଜର ମାତ୍ରା ହ୍ରାସ ପାଇଁ ତାହା ଡାଇବେଟିସ ନିୟନ୍ତ୍ରଣକୁ ସୁଷମ କରିପାରୁଛି  । ଯେଉନମାନଙ୍କ ରକ୍ତରେ କୋଲେଷ୍ଟରଲ୍ ମାତ୍ରା ବଢିଯାଇଥାଏ, ସେମାନେ ଯୋଗକଲେ କୋଲେଷ୍ଟରଲର ମାତ୍ରା ପହଞ୍ଚିଯାଉଛି ଅନୁମୋଦିତ ସ୍ତରରେ  । ”

ଏଠାରେ ଯୋଗ ଜନ୍ମ ନେଇଥିଲା ପାଖାପାଖି ୬୦୦୦ ବର୍ଷ ପୂର୍ବେ  । ପ୍ରାଣ, ମନ ଓ ଶରୀରର ରୂପାନ୍ତର ପାଇଁ ଯୋଗ ଏକ ଶାରୀରିକ ମାନସିକ ଓ ଆଧ୍ୟାତ୍ମିକ ସାଧନା ପଦ୍ଧତି  । ଯୋଗ ସାଧନା ପାଇଁ ଶରୀର ଏବଂ ମନ ତଥା ଚିନ୍ତା ଏବଂ କାର୍ଯ୍ୟରେ ଐକ ସ୍ଥାପିତ ହୋଇଥାଏ  । ମଣିଷ ଓ ପ୍ରକୃତି ମଧ୍ୟରେ ସମନ୍ଵୟ ସ୍ଥାପିତ ହୋଇ ପ୍ରାପ୍ତ ହୁଏ ସଂପୂର୍ଣ୍ଣ ସୁସ୍ଥତା  ।

ଯୋଗ ଶବ୍ଦଟି ‘ଯୁଜ୍’ ଧାତୁରୁ ବ୍ୟୁତ୍ପନ୍ନ ।  ‘ଯୁଜ୍’ ର ଅର୍ଥ ମିଳନ ବା ସଂଯୋଗ  । ତାତ୍ତ୍ଵିକ ଦୃଷ୍ଟିରୁ ଦେଖିଲେ ଯୋଗ ମାଧ୍ୟମରେ ‘ଜୀବାତ୍ମା’ର ‘ପରମାତ୍ମା’ ଙ୍କ ଶ ସଂଯୋଗ ସ୍ଥାପିତ ହୋଇଥାଏ  । ମାତ୍ର ପ୍ରାୟୋଗିକ ଦୃଷ୍ଟିକୋଣରୁ ଶରୀର ସହ ମନର ସକାରାତ୍ମକ ତଥା ଅନୁକୂଳ ସଂଯୋଗ ସ୍ଥାପନ ହିଁ ଯୋଗ  । ଏହା ଶାରୀରିକ ଓ ମାନସିକ ସୁସ୍ଥତା ଲାଭ କରିବାର ପ୍ରକୃଷ୍ଟ କଳା ଏବଂ ବିଜ୍ଞାନ  । ଯୋଗ ଶରୀରର ଓ ମନର ସବୁଠାରୁ ବିଶ୍ଵସ୍ତ ସହଯୋଗୀ  । ଯୋଗ କେବଳ ଆସନ କି ଧ୍ୟାନରେ ସୀମିତ ନୁହେଁ କି କାଁ ଭାଁ କୀବେଳେ କେମିତିର କାର୍ଯ୍ୟ ନୁହେଁ  । ଏହା ଦୈନନ୍ଦିନ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇ ଉଠିବା ଆବଶ୍ୟକ  ।

ଜୀବାଣୁ ଓ ଆଣ୍ଟିବାୟୋଟିକ୍ସ ର ଆବିଷ୍କାର

ଉନବିଂଶ ଶତାବ୍ଦୀର ଦ୍ଵିତୀୟାର୍ଦ୍ଧ ଏବଂ ବିଂଶ ଶତାବ୍ଦୀର ପ୍ରଥମାର୍ଦ୍ଧ ଭିତରେ ଆବିଷ୍କୃତ ହୋଇଗଲା ଜୀବାଣୁ ଓ ଆଣ୍ଟିବାୟୋଟିକ୍ସ  । ଉଦ୍ଭାବିତ ହୋଇଗଲା ବିଭିନ୍ନ ରୋଗର ପ୍ରତିଷେଧକ ଟୀକା  । ଭିଟାମିନ୍, ହରମୋନ, ବିଭିନ୍ନ ଔଷଧ ଏକ୍ସରେ ଭଳି ରୋଗ ନିର୍ଣ୍ଣୟ ପଦ୍ଧତି ଡାକ୍ତରମାନଙ୍କ ହାତକୁ ଆସିଗଲା  । ଏହିସବୁ ଅସ୍ତ୍ରରେ ବଳୀୟାନ ହୋଇ ଚିକିତ୍ସକକୁଳ ହେଣ୍ଡିମାରି ଚାଲିଲେ ଯେ ମଣିଷ ଯନ୍ତ୍ରଟିର ଯେକୌଣସି ତ୍ରୁଟିକୁ ସୁଧାରି ନେବା ନିମନ୍ତେ ସେମାନେ ସମ୍ପୂର୍ଣ୍ଣ ସମର୍ଥ  । ସୁତରାଂ ସେମାନେ ମଣିଷକୁ ଏକ ମନ୍ତ୍ର  ରୂପେ ଭାବି ନେଇ ସେ ଭୋଗୁଥିବା କେବଳ ରୋଗଟି ଉପରେ ଏକାଗ୍ର ହେଲେ ସିନା ରୋଗାକ୍ରାନ୍ତ ବ୍ୟକ୍ତି ବା ମଣିଷଟି ଉପରେ ଏକାନ୍ତ ହେଲେ ନାହିଁ  । ଆଣ୍ଟିବାୟୋଟିକ୍ସଔଷଧ ଓ ପ୍ରତିଷେଧକ ଟିକା ପ୍ରୟୋଗ ଫଳରେ ସଂକ୍ରାମକ ରୋଗମାନେ ଆଶାତୀତ ଭାବରେ ଆୟତ୍ତ ହୋଇଗଲେ  । ସୁତରାଂ ଏହି ସଫଳତା ସେମାନଙ୍କ ଠାରେ ଆତ୍ମବିଶ୍ଵାସକୁ ବୃଦ୍ଧି କରେଇ ନେଲା  ।

କିନ୍ତୁ ବିଂଶ ଶତାବ୍ଦୀର ଶେଷାର୍ଦ୍ଧ ଆଡକୁ ପ୍ରସରିବାରେ ଲାଗିଲା ବିଭିନ୍ନ ଅଣସଂକ୍ରାମକ ବ୍ୟାଧି  । ଜନସାଧାରଣଙ୍କ ପ୍ରତିକୂଳ ତଥା ଶ୍ରମକାତର ଜୀବନଶୈଳୀ ଏହି ଧରଣର ବ୍ୟାଧିଗୁଡିକର ଉତ୍ପତ୍ତିକୁ ପ୍ରୋତ୍ସାହନ ଦେଇ ଚାଲିଲା  । ଏଭଳି ବ୍ୟାଧିଗୁଡିକୁ ସମ୍ପୂର୍ଣ୍ଣ  ଆରୋଗ୍ୟ କରିବା କି ନିୟନ୍ତ୍ରଣାଧୀନ କରିବା ସମ୍ଭବ ହୋଇପାରିଲାନି  । ଏହା ଫଳରେ ଚୈତନ୍ୟ ଉଦୟ ହେଲା ଚିକିତ୍ସା ବିଜ୍ଞାନୀମାନଙ୍କର  । ଏଯାବତ୍ ବ୍ୟକ୍ତିର ଶରୀରକୁ ଅଗ୍ରାଧିକାର ଦେଇ ସେମାନେ ବ୍ୟକ୍ତିର ମନକୁ ଉପେକ୍ଷା କରି ଆସୁଥିଲେ  ।  ରୋଗ ସୃଷ୍ଟି କରାଇବାରେ ମନର ଯେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି,  ତାହା ସେମାନେ କ୍ରମେ ହୃଦୟଙ୍ଗମ କଲେ  । ବିଳମ୍ବରେ ହେଉ ପଛେ, ସେମାନଙ୍କର ଯେ ମନ କଥା ଅବଶେଷରେ ମାନେ ପଡିଛି, ଏହା ହିଁ ଆଶ୍ଵାସନାର କଥା  ।

ସେମାନେ କ୍ରମେ ଉପଲବ୍ଧି କଲେ ଯେ ପ୍ରତିକୂଳ ଜୀବନଶୈଳୀ ହିଁ ଅଣସଂକ୍ରାମକ ମାରାତ୍ମକ ରୋଗଗୁଡିକର ଜନକ  । ମାନସିକ ଚାପବୃଦ୍ଧି ଆଧୁନିକ ମଣିଷଠାରେ ଆଧୁନିକ ବ୍ୟାଧିମାନ ଜାତ କରାଇବାରେ ପ୍ରଧାନ ଖଳନାୟକ ବୋଲି ସେମାନଙ୍କର ଆଉ ସନ୍ଦେହ ରହିଲାନି  । ହେଲେ କ’ଣ ଏହାର ପ୍ରତିକାର ? ପ୍ରତିକାର ପାଇଁ ଅନୁସନ୍ଧାନ ଚାଲିଲା  । ଏହାର ଫଳଶ୍ରୁତି ସ୍ୱରୂପ ପ୍ରାୟତଃ ବିସ୍ମୃତ ହୋଇଯାଇଥିବା ଯୋଗପଦ୍ଧତିକୁ ସେମାନେ ପୁନର୍ବାର ଆବିଷ୍କାର କଲେ  । ଯୋଗକୁ ଏକ ପ୍ରାୟୋଗିକ ମନୋବିଜ୍ଞାନ ରୂପେ ସେମାନେ ସ୍ଵୀକୃତି ଦେଲେ  । ରୋଗୀ ଚିକିତ୍ସା ନିମନ୍ତେ ମନୋ ସ୍ନାୟୁ ପ୍ରତିରକ୍ଷାତନ୍ତ୍ର ବା ସାଇକୋ ନ୍ୟୁରୋ ଇମ୍ୟୁନୋଲୋଜିର ବିକାଶ ସମ୍ପର୍କିତ ଗବେଷଣା ପ୍ରାଧାନ୍ୟ ପାଇଲା  । ଚିକିତ୍ସା ବ୍ୟବସ୍ଥାରେ ଯୋଗ ପଦ୍ଧତି ଅବଲମ୍ବନ କରି ଏଥିପ୍ରତି ନ୍ୟାଯ୍ୟ ଗୁରୁତ୍ଵ ଦେବା ପାଇଁ ଅନେକ ଏକମତ ହେଲେ  । ଫଳରେ ଜନ୍ମ ନେଲା ମନୋ ଶରୀର ଭେଷଜ ବା ମାଇଣ୍ଡ ବଡି ମେଡ଼ିସିନ  ।

ଯୋଗ ର ଉପକାରିତା

ଯୋଗ କରିବା ଦ୍ଵାରା ମନର ମଳିନତା ଦୂର ହୁଏ  । ଦୂରୀଭୂତ ହୋଇଯାଏ ବିଷୟ ବାସନା  । କାବୁ ଆଦି ରିପୁଗଣ  । ବୃଦ୍ଧିପାଏ ମନର ପବିତ୍ରତା  । କାରଣ ଯୋଗ ଦର୍ଶନରେ ରହିଛି ଏକ ବିଶେଷତ୍ଵ  । ଅତି ଗୁରୁତ୍ୱପୂର୍ଣ୍ଣ ପ୍ରାୟୋଗିକ ମୂଲ୍ୟ ବହନ କରୁଥିବା ଏହା ଏକ ବିଜ୍ଞାନସମ୍ମତ ଦର୍ଶନ  । ଯୋଗ ପ୍ରାକୃତିକ ନିୟମର ବିରୋଧାଚରଣ କରେନାହିଁ  । ବରଂ ଇନ୍ଦ୍ରିୟ, ମନ, ପ୍ରାଣ ଇତ୍ୟାଦିର କ୍ରିୟାକୁ ସମନ୍ଵିତ ଓ ଶୃଙ୍ଖଳିତ କରି ଯୋଗସାଧନା ଶରୀରକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ  । ଏହା ରକ୍ଷା କରିଥାଏ ଏକ ପ୍ରଶାନ୍ତ ମାନସିକ ଭାରସାମ୍ୟ  । ଚିତ୍ତ ବିକ୍ଷୋଭର ଅବସାନ ଘଟେଇ ହ୍ରାସ କରିପକାଏ ମାନସିକ ଚାପ  । ତେଣୁ ମନରେ ଶାନ୍ତି ଓ ସମତା ବିରାଜମାନ କରେ  । ସେଥିପାଇଁ ସମ୍ଭାବନା ଆଶାତୀତ ଭାବରେ ହ୍ରାସ ପାଇଥାଏ  ।

ଏହା ଜଣାଶୁଣା କଥା ଯେ, ସୁସ୍ଥ ରହିବା ନିମନ୍ତେ ମନର ଅବସ୍ଥା ହେଉଛି ଖୁବ୍ ଗୁରୁତ୍ୱପୂର୍ଣ୍ଣ  । କିନ୍ତୁ ମନର ସୁସ୍ଥତା ପାଇଁ ଆବଶ୍ୟକ ପଡେ ଅନୁକୂଳ ପରିବେଶ ତଥା ଅନୁକୂଳ ପନ୍ଥା  । ଯୋଗ ହିଁ ଅନୁକୂଳ ମାନସିକ ପରିବେଶ ଓ ଅନୁକୂଳ ପଥ ଯୋଗାଇଦେବାରେ ସମର୍ଥ  । ସେଥିପାଇଁ ଯୋଗସାଧନାର ସେବାକୁ ରୋଗୀ ଚିକିତ୍ସାରେ ବିନିଯୋଗ କରିବା ବୁଦ୍ଧିମତାର କାର୍ଯ୍ୟ  ।

ଯୋଗ କରିବା ଦ୍ଵାରା ଶରୀର ଓ ମନର ସର୍ବୋତ୍ତମ ସ୍ଵାସ୍ଥ୍ୟରକ୍ଷା ଯେ ସମ୍ଭବ, ଆଧୁନିକ ବୈଜ୍ଞାନିକ ଅନୁଧ୍ୟାନଗୁଡିକରୁ ତା’ର ପ୍ରମାଣମାନ ମିଳିଲାଣି   । ପ୍ରମାଣ ମିଳୁଛି ଯେ ନିୟମିତ ଯୋଗ କରିବା ଫଳରେ ରକ୍ତରେ ଗ୍ଲୁକୋଜର ମାତ୍ରା ହ୍ରାସ ପାଇଁ ତାହା ଡାଇବେଟିସ ନିୟନ୍ତ୍ରଣକୁ ସୁଷମ କରିପାରୁଛି  । ଯେଉଁମାନଙ୍କ ରକ୍ତରେ କୋଲେଷ୍ଟରଲ ମାତ୍ରା ବଢି ଯାଇଥାଏ, ସେମାନେ ଯୋଗକଲେ କୋଲେଷ୍ଟରଲର ମାତ୍ରା ପହଞ୍ଚିଯାଉଛି ଅନୁମୋଦିତ ସ୍ତରରେ  । ରକ୍ତରେ ଲିମ୍ଫୋସାଇଟ ନାମକ ଶ୍ଵେତରକ୍ତ କୋଷିକାର ସଂଖ୍ୟା ବଢିଯିବାରୁ ଶରୀରର ରୋଗ ପ୍ରତିଷେଧକ ଶକ୍ତି ମଧ୍ୟ ବଢିଯାଉଛି  । ତେଣୁ ଜୀବାଣୁ – ଭୂତାଣୁ ଆଦି ଅଣୁଜୀବଗୁଡିକର ଆକ୍ରମଣକୁ ଶରୀର ପ୍ରତିହତ କରିବା ସହଜ ହୋଇପଡୁଛି  । କର୍ଟିସଲ, ଆଡ୍ରୋନାଲିନ, ଓ ନରଆଡ୍ରେନାଲିନ ଭଳି ଷ୍ଟ୍ରେସ ସୃଷ୍ଟିକାରୀ ହରମୋନର ମାତ୍ରା କମିଯିବା ଦ୍ଵାରା ମାନସିକ ଚାପ ଅସ୍ଵାଭାବିକ ସ୍ତରରେ ପହଞ୍ଚିପାରୁନାହିଁ  । ଯୋଗ କରିବା ଯୋଗୁ ମନ ହୋଇଉଠୁଛି ସମ୍ପୂର୍ଣ୍ଣ ପ୍ରଶାନ୍ତ, ନୀରବ, ନିଶ୍ଚଳ  । ଅପସରି ଯାଉଛି ଉତ୍କଣ୍ଠା, ଉଦବେଗ, ବିଷାଦ  । ମାଂସପେଶୀଗୁଡିକ ସୁସ୍ଥସବଳ ଓ ସମର୍ଥ ରହିବାସହ ମେରୁଦଣ୍ଡ ଏବଂ ଗଣ୍ଠିମାନ ନମନୀୟ ଓ ଚଳନଶୀଳ ରହିପାରୁଛି  । ଶ୍ଵାସକ୍ରିୟା ଗଭୀର ଓ ଛନ୍ଦଯୁକ୍ତ ହୋଇଯିବାରୁ ଫୁସୁଫୁସ୍ ର କାର୍ଯ୍ୟକାରିତା ଓ ଅମ୍ଳଜାନ ଆହରଣ କ୍ଷମତାରେ ମଧ୍ୟ ଉନ୍ନତି ପରିଲକ୍ଷିତ ହେଉଛି  । ମନରୁ ନକରାତ୍ମକ ଭାବନା ଦୂର ହୋଇ ମନକୁ ଆବୋରି ବସୁଛି ସକାରାତ୍ମକ ଭାବନା  । ଆମେ ଜାଣୁ ଯେ ସକାରାତ୍ମକ ଭାବନାର ପରିମାଣ ସର୍ବଦା ଶୁଭଂକର ହିଁ ହୋଇଥାଏ  ।

ବଡ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି, ଉନ୍ନତ ଚିକିତ୍ସା ପଦ୍ଧତି ଉପଲବ୍ଧ ଥିବା ବିକଶିତ ରାଷ୍ଟ୍ରଗୁଡିକରେ ମଧ୍ୟ ଯୋଗପଦ୍ଧତି ଆଦର ବୃଦ୍ଧି ପାଇବାରେ ଲାଗିଲାଣି  । ଫଳରେ ଯୋଗପଦ୍ଧତି ଅନୁକୂଳ ଭାବରେ ପ୍ରଭାବିତ କଲାଣି ପୃଥିବୀର ବହୁ ରାଷ୍ଟ୍ରର ଜନସାଧାରଣଙ୍କ ଶାରୀରିକ ଓ ମନସ୍ତାତ୍ତ୍ଵିକ ସ୍ୱାସ୍ଥ୍ୟକୁ  । ଭାରତୀୟ ଯୋଗସାଧକମାନେ ସେହିସବୁ ରାଷ୍ଟ୍ରରେ ଯୋଗକୁ ଲୋକପ୍ରିୟ କରାଇବାରେ ପ୍ରଧାନ ଗ୍ରହଣ କରିଛନ୍ତି  ।

ସଂଗୃହୀତ – ଡା. ନିତ୍ୟାନନ୍ଦ ସ୍ଵାଇଁ

3.33333333333
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top