অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

କୃମି ଓ ଅନ୍ୟାନ୍ୟ ଅନ୍ତ୍ର ପରଜୀବୀ

କୃମି ଓ ଅନ୍ୟାନ୍ୟ ଅନ୍ତ୍ର ପରଜୀବୀ

ଉପକ୍ରମ

  • ଝାଡାରେ ସାଧାରଣତଃ ଗୋଲ କୃମି, ପିନ୍ କୃମି ଓ ଟେପ୍ କୃମି ଦେଖା ଯାଇଥାନ୍ତି । ଅଙ୍କୁଶ କୃମି ଝାଡାରେ ଥିଲେ ମଧ୍ୟ ଦେଖା ଯାଆନ୍ତି ନାହିଁ ।
  • ଝାଡାରେ ଦେଖାଯାଉଥିବା କୃମିଗୁଡିକ ହେଲେ ଗୋଲ କୃମି, ପିନ୍ କୃମିୟ ଫିଟା କୃମି । ଅଙ୍କୁଶ କୃମି ଓ ହ୍ଵପ୍ କୃମି ସାଧାରଣରେ ଅନ୍ତ୍ରରେ ଦେଖାଯାଇଥାନ୍ତି ।

ଦ୍ରଷ୍ଟବ୍ୟ

କୃମି ଔଷଧ ମଧ୍ୟରୁ ପାଇପରାଜାଇନ ବହୁତ ଲୋକପ୍ରିୟ । ଏହା କେବଳ ଗୋଲକୃମି ଓ ପିନ୍ କୃମି ପାଇଁ କାମ କରିଥାଏ । କିନ୍ତୁ ଏହା ଛୋଟ ଛୁଆଙ୍କୁ ଦେବା ଉଚିତ୍ ନୁହେଁ । ଅନ୍ୟ କୃମି ପାଇଁ ଅଲଗା ଔଷଧ ଦରକାର ହୁଏ । ମେବେଣ୍ଡାଜୋଲ ଅଧିକ ନିରାପଦ ଅଟେ ଓ ଏହା ବିଭିନ୍ନ କୃମି ମାରିବାରେ ସାହାଯ୍ୟ କରେ ଆଲବେଣ୍ଡାଜୋଲ ଓ ପାଇରାନଟେଲ ମଧ୍ୟ କୃମି ନଷ୍ଟକରେ, ମାତ୍ର ତାହା ଅଧିକ ଦାମ୍ ପଡିଥାଏ । ଥ୍ୟାୟାବେଣ୍ଡାଜୋଲ କୃମି ନଷ୍ଟ କରେ, ମାତ୍ର ଏହାର ଅଧିକ ପ୍ରତିକ୍ରିୟା ଥାଏ । ଏହା ବ୍ୟବହାର କରିବା ଉଚିତ୍ ନୁହେଁ ।

ଗୋଲକୃମି (କେଞ୍ଚୁଆ)

ଏହା ୨୦-୩୦ ସେ.ମି. ଲମ୍ବା ଓ ଗୋଲାପି ବା ଧଳା ରଙ୍ଗର ଦେଖାଯାଏ ।

କିପରି ବ୍ୟାପନ୍ତି

ଝାଡାରୁ ପାଟିକୁ – ପରିଷ୍କାର ପରିଛନ୍ନତା ଅଭାବରୁ ଗୋଲକୃମିର ଡିମ୍ବ ଜଣେ ବ୍ୟକ୍ତିର ଝାଡାରୁ ଅନ୍ୟ ବ୍ୟକ୍ତିର ପାଟିକୁ ଯାଏ।

ସ୍ୱାସ୍ଥ୍ୟ ଉପରେ ପ୍ରଭାବ

ଥରେ ଏହି କୃମି ଅଣ୍ଡା ଗିଳିଦେଲେ, ତାହା ଫାଟିଯାଇ ରକ୍ତ ସହ ମିଶିଯାଏ, ଯାହା କୁଣ୍ଡେଇ ହେବାର କାରଣ ହୋଇଥାଏ । ଏହି ଛୋଟ କୃମି ଦ୍ଵାରା ଫୁସୁଫୁସ୍ ରେ ନିମୋନିଆ କିମ୍ବା ଶୁଖିଲା କାଶ ହୋଇ କାଶରେ ରକ୍ତ ପଡେ । ଛୋଟ କୃମିଗୁଡିକ କାଶିବାରେ, ଗିଳିବାରେ ଅନ୍ତ୍ରରେ ପ୍ରବେଶ କରନ୍ତି ଏବଂ ସେଠାରେ ସମ୍ପୂର୍ଣ୍ଣ ବିକାଶ ଲାଭ କରନ୍ତି ।

ଅନ୍ତ୍ରରେ ଥିବା ଗୋଲକୃମି ବଦହଜମି ଓ ଦୁର୍ବଳତାର କାରଣ ହୋଇଥାନ୍ତି । ଶିଶୁମାନଙ୍କଠାରେ ଗୋଲକୃମି, ଶିଶୁର ପେଟ ବଢାଇବାରେ କାରଣ ଅଟନ୍ତି, ମୂର୍ଚ୍ଛାରୋଗ ବା ଅନ୍ତ୍ରର କ୍ଷତି କରନ୍ତି ଏହି କୃମି ମଧ୍ୟ ଯକୃତ ଓ ଅନ୍ତ୍ର ମଧ୍ୟରେ ପେରିଟୋନାଇଟିସ ରୋଗ ସୃଷ୍ଟି କରନ୍ତି । ଯେତେବେଳେ ଶିଶୁକୁ ଜ୍ଵର ହୁଏ, କୃମିମାନେ ଝାଡାରେ ବା ଛାତିଭିତର ଦେଇ ନାକ ବା ପାଟି ବାଟେ ପଦାକୁ ବାହାରି ଆସନ୍ତି । ବେଳେବେଳେ ଏହା ଛାତିଭିତର ବାୟୁ ପଥକୁ ଅବରୋଧ କରିଦିଅନ୍ତି ।

ପ୍ରତିଷେଧକ

ପାଇଖାନା ବ୍ୟବହାର କରନ୍ତୁ । ଖାଇବା ପୂର୍ବରୁ ହାତ ଧୋଇ ଖାଆନ୍ତୁ । ଖାଦ୍ୟରେ ମାଛି ବସାଇ ଦିଅନ୍ତୁ ନାହିଁ ।

ଚିକିତ୍ସା

  • ଗୋଲକୃମିରୁ ମୁକ୍ତିପାଇବା ପାଇଁ ମେବେଣ୍ଡାଜୋଲ ଖାଆନ୍ତୁ
  • ପାଇପରାଜାଇନ ଖାଆନ୍ତୁ । କେତେକ ଘରୋଇ ଚିକିତ୍ସା ଗୋଲକୃମି ମାରିବାରେ ସାହାଯ୍ୟ କରେ । ଘରୋଇ ଚିକିତ୍ସା ପାଇଁ ଅମୃତଭଣ୍ଡା ମଞ୍ଜି ବ୍ୟବହାର କରାଯାଇ ପାରିବ ।

ସତର୍କତା : ଗୋଲକୃମି ପାଇଁ ଥାୟାବେଣ୍ଡାଜୋଲ ବ୍ୟବହାର କରନ୍ତୁ ନାହିଁ ।

ସୂତା କୃମି ବା ଦଶିପୋକ

ଏକ ସେ.ମି. ଲମ୍ବା ଧଳା ରଙ୍ଗ ପତଳା ସୂତା ପରି ଦେଖାଯାନ୍ତି ।

ଏହି କୃମିଗୁଡିକ ମଳଦ୍ଵାର ବାହାରେ ହଜାର ହଜାର ସଂଖ୍ୟାରେ ଡିମ୍ବ ଦିଅନ୍ତି । ଏହି କାରଣରୁ ରାତିରେ ମଳଦ୍ଵାର କୁଣ୍ଡାଇ ହୋଇଥାଏ । ଯେତେବେଳେ ଶିଶୁମାନେ ନଖରେ କୁଣ୍ଡାନ୍ତି ଡିମ୍ବଗୁଡିକ ନଖ ସନ୍ଧିରେ ଲାଗିଯାନ୍ତି ଏବଂ ତାହା ଖାଦ୍ୟରେ ପାଟି ମଧ୍ୟକୁ ଯାଆନ୍ତି । ଏହିପରି କୃମି ପିଲା ପାଟିରେ ବା ଅନ୍ୟ ପାଟିରେ ପହଞ୍ଚନ୍ତି । ଏହି କାରଣତୁ ସୂତାକୃମି ସଂକ୍ରମଣ ହୋଇଥାଏ ।

ସ୍ୱାସ୍ଥ୍ୟ ଉପରେ ପ୍ରଭାବ

ଅତ୍ୟଧିକ କୁଣ୍ଡାଇଲେ ମଳଦ୍ଵାର ଚାରିପାଖରେ ଛୋଟ ଘା’ ହେବାର ସମ୍ଭାବନା ଥାଏ ଯାହା ସଂକ୍ରମିତ ହୋଇପାରେ ବେଳେବେଳେ କୃମି ପେରିଟୋନାଇଟିସ କାରଣ ହୋଇପାରେ । ସ୍ତ୍ରୀଲୋକଙ୍କ କ୍ଷେତ୍ରରେ, ଏହା ଜନନେନ୍ଦ୍ରିୟ ମଧ୍ୟକୁ ଯାଇ ନଳୀ ସଂକ୍ରମଣର କାରଣ ହୁଅନ୍ତି ।

ଚିକିତ୍ସା ଓ ପ୍ରତିଷେଧକ

  • ସୂତାକୃମି ହୋଇଥିବା ଶିଶୁ ଚିପା ପ୍ୟାଣ୍ଟ ପିନ୍ଧିବା ଉଚିତ୍ ।
  • ଝାଡା ଯିବାପରେ ଓ ଶୋଇସାରି ଉଠିବାପରେ ପିଲାର ପିଚା ତଥା ହାତ ଧୋଇ ଦିଅନ୍ତୁ । ଖାଇବା ପୂର୍ବରୁ ସବୁବେଳେ ହାତ ଧୋଇ ଦିଅନ୍ତୁ ।
  • ଆଙ୍ଗୁଠିରନଖ ଛୋଟ କରି କାଟି ଦିଅନ୍ତୁ ।
  • ବାରମ୍ବାର ପୋଷାକ ବଦଳାଇ ଦିଅନ୍ତୁ ଓ ଗାଧୋଇ ଦିଅନ୍ତୁ । ବିଶେଷତଃ ପିଚା ଓ ନଖକୁ ଭଲଭାବରେ ସଫା କରନ୍ତୁ ।
  • କୁଣ୍ଡାଇ ନ ହେବାପାଇଁ ଶୋଇବା ସମୟରେ ତା’ର ମଳଦ୍ଵାରର ଚାରିପାଖରେ କିଛି ଭେସଲିନ ବା ସୋରିଷତେଲ ଲଗାନ୍ତୁ । ପାଇପରାଜାଇନ ଥିବା କୃମି – ଔଷଧ ଦିଅନ୍ତୁ, ଓ ଧ୍ୟାନ ମଧ୍ୟ ଦିଅନ୍ତୁ । ଯେତେବେଳେ କୃମିପାଇଁ ଗୋଟିଏ ପିଲା ଚିକିତ୍ସିତ ହେଉଛି, ଏହି ସମୟରେ ପରିବାରର ସମସ୍ତଙ୍କର ଚିକିତ୍ସା କରାଇନେବା ବୁଦ୍ଧିମାନର କାର୍ଯ୍ୟ ।
  • ପରିଚ୍ଛନ୍ନତା, ସୂତାକୃମି ସଂକ୍ରମଣର ସବୁଠାରୁ ଭଲ ପ୍ରତିଷେଧକ ଅଟେ । ବ୍ୟକ୍ତିଗତ ସ୍ୱାସ୍ଥ୍ୟରକ୍ଷା ପ୍ରତି ଧ୍ୟାନ ନ ଦେଲେ ଔଷଧ ବ୍ୟବହାରଦ୍ଵାରା କୃମି ଭଲ ହୋଇଯାଇଥିଲେ ମଧ୍ୟ ପୁଣି ଆଉଥରେ ହୋଇଥାଏ । ସୂତାକୃମି ପ୍ରାୟ ୬ ସପ୍ତାହ ବଞ୍ଚେ । ପରିଚ୍ଛନ୍ନତାପାଇଁ ଥିବା ପରାମର୍ଶକୁ ଭଲଭାବରେ ଅନୁସରଣ କଲେ ଅଧିକାଂଶ କୃମି ବିନା ଔଷଧରେ ମଧ୍ୟ କେତେ ସପଟାହା ମଧ୍ୟରେ ଭଲ ହୋଇଯାଏ ।

ହ୍ୱିପ କୃମି (ଟ୍ରାଇଚୁରିସ,ଟ୍ରାଇକୋସେଫାଲସ୍)

  • ୩ରୁ ୫ ସେ.ମି. ରଙ୍ଗ ଧୂସର ବା ଗୋଲାପି ।
  • ଏହି କୃମି କେଞ୍ଚୁଆ ସଦୃଶ, ଗୋଟିଏ ବ୍ୟକ୍ତିର ଝାଡାରୁ ଅନ୍ୟ ବ୍ୟକ୍ତିର ପାଟିକୁ ଯାଏ । ଏହା ବିଶେଷ କ୍ଷତି କରି ନ ଥାଏ ମାତ୍ର ଏହା ଆମାଶୟର କାରଣ ହୋଇପାରେ । ପିଲାମାନଙ୍କ କ୍ଷେତ୍ରରେ କେବେକେବେ ଏହି କୃମି ଯୋଗୁ ଅନ୍ତ୍ରର ଶେଷ ଅଂଶଟି ମଳଦ୍ଵାର ବାଟ ଦେଇ ବାହାରକୁ ଚାଲିଆସେ ।

ନିବାରଣ : କେଞ୍ଚୁଆ ପାଇଁ ଅନୁସରଣ କରାଯାଉଥିବା ପଦ୍ଧତି

ଚିକିତ୍ସା

ଯଦି କୃମି କିଛି ସମସ୍ୟା ସୃଷ୍ଟି କରେ ତେବେ ଥାୟାବେଣ୍ଡାଜୋଲ ବା ମେବେଣ୍ଡାଜୋଲ ଦିଅନ୍ତୁ । ଲକ୍ଷ୍ୟ କରନ୍ତୁ ସେ ସମୟରେ ଯଦି ଅନ୍ତ୍ରର ଶେଷ ଅଂଶଋ ମଳଦ୍ଵାର ବାଟ ଦେଇ ବାହାରକୁ ଚାଲିଆସେ ତେବେ ପିଲାକୁ ଉଷୁମ ପାଣି ଉପରେ ବସାନ୍ତୁ ।

ଅଙ୍କୁଶ କୃମି

  • ୧ ସେ.ମି. ଲମ୍ବ ରଙ୍ଗ – ନାଲି
  • ଅଙ୍କୁଶକୃମି ମାନେ ପ୍ରାୟ ଝାଡାରେ ଦେଖାଯାଆନ୍ତି ନାହିଁ । ଝାଡାରେ କୃମି ଅଛି କି ନାହିଁ ଜାଣିବାପାଇଁ ପରୀକ୍ଷା ଦରକାର ।

ଅଙ୍କୁଶକୃମି କିପରି ବ୍ୟାପିଥାଏ

  1. ଶିଶୁକୃମି ଲୋକର ଖାଲି ପାଦ ମଧ୍ୟଦେଇ ପ୍ରବେଶ କରିଥାଏ । ଏହା ଦ୍ଵାରା କୁଣ୍ଡାଇ ହୁଏ ।
  2. ଅଳ୍ପଦିନ ଭିତରେ ରକ୍ତପ୍ରଦାହଦ୍ଵାରା ଫୁସୁଫୁସ୍ ରେ ପହଞ୍ଚେ । ଏହାଦ୍ଵାରା ଶୁଖିଲା କାଶ ହୋଇପାରେ ।
  3. କାଶିବାଦ୍ଵାରା ଛୋଟ ଛୋଟ କୃମି ଉପରକୁ ଆସେ ଓ ଲୋକଟି ପୁଣି ସେଗୁଡିକୁ ଗିଳିପକାଏ।
  4. କିଛିଦିନ ପରେ ଲୋକରେ ପେଟବ୍ୟଥା ବା ଆମାଶୟ ହୋଇପାରେ।
  5. ଅଙ୍କୁଶକୃମି ଅନ୍ତ୍ରରେ ଆଙ୍କୁଡିପରି ଲାଗି ରହନ୍ତି । ଲକଟି ଦୁର୍ବଳ ହୋଇଯାଏ ଓ ରକ୍ତହୀନତା ଦେଖାଦେଇ ପାରେ ।
  6. ଏହି କୃମିର ଡିମ୍ବ ଲୋକଟିର ଝାଡାରେ ଶରୀର ବାହାରକୁ ଆସେ । ସନ୍ତ ସନ୍ତିଆ ମାଟିରେ ଅଣ୍ଡାରୁ ଛୁଆ ଜନ୍ମ ହୁଏ ।

ପିଲାମାନଙ୍କ ଅଙ୍କୁଶକୃମି ସଂକ୍ରମଣ ଅତ୍ୟଧିକ କ୍ଷତିକାରକ ରୋଗ ଅଟେ। ରକ୍ତ କମିଯିବା, ଅତ୍ୟନ୍ତ ବିବର୍ଣ୍ଣ ଦେଖାଯିବା ବା ମାଟି ଖାଇବା, ପିଲାଠାରେ ଅଙ୍କୁଶକୃମି ହୋଇଥିବାର ଲକ୍ଷଣ ଅଟେ । ଯଦି ସମ୍ଭବ, ତା’ର ଝାଡା ପରୀକ୍ଷା କରାଇନେବା ଉଚିତ୍ ।

ଚିକିତ୍ସା

ମେବେଣ୍ଡାଜୋଲ ବା ପାଇରାନଟେଲ ପାମୋଏଟ ବ୍ୟବହାର କରନ୍ତୁ । ରକ୍ତହୀନତାକୁ ଚିକିତ୍ସା କରିବା ପାଇଁ ଲୌହରେ ଭରପୁର ଖାଦ୍ୟ ଖାଆନ୍ତୁ ଓ ଆବଶ୍ୟକ ହେଲେ ଲୌହ ବଟିକା ଖାଆନ୍ତୁ ।

ଫିତାକୃମି

  • ଅନ୍ତ୍ରନଳୀ ମଧ୍ୟରେ ଫିତାକୃମି ବହୁତ ଲମ୍ବ ହୋଇପାରନ୍ତି । ମାତ୍ର ଝାଡାରେ ଦେଖାଯାଉଥିବା ଧଳା ଛୋଟଛୋଟ ଖଣ୍ଡ ପ୍ରାୟ ୧ ସେ.ମି. ଲମ୍ବର ହୋଇଥାନ୍ତି ।
  • କେବେକେବେ ଏହି ଖଣ୍ଡ ଆପେ ବାହାରି ଆସିପାରେ ଓ ଅନ୍ତ୍ରର୍ବାସରେ ଦେଖାଯାଇପାରେ ।
  • ଘୁଷୁରି ମାଂସ, ଗାଈ ମାଂସ ବା ଅନ୍ୟ ମାଂସ ଭଲ ଭାବରେ ନ ସିଝାଇ ଖାଇଲେ ଫିତାକୃମି ହୁଏ ।

ନିବାରଣ

ସବୁ ମାଂସକୁ ଭଲଭାବରେ ସିଝାନ୍ତୁ, ବିଶେଷତଃ ଘୁଷୁରି ମାଂସ । ଭଜା ହୋଇଥିବା ମାଂସର ମଝିଅଂଶ ଯେପରି କଞ୍ଚା ରହି ନ ଯାଏ । ସେଥିପ୍ରତି ଧ୍ୟାନ ଦିଅନ୍ତୁ । ଯଦି ମାଂସକୁ ଭଲଭାବରେ ନ ସିଝାଇ ଖିଆଯାଏ ତେବେ ପେଟରେ ଫିତାକୃମି ହୋଇଯାଏ । ଏହି ଲାର୍ଭାଗୁଡିକ ଯୋଗୁଁ ମୁଣ୍ଡବ୍ୟଥା, ମୂର୍ଚ୍ଛାରୋଗ ବା ମୃତ୍ୟୁ ହୋଇପାରେ। କୃମି ଅଣ୍ଡାଗୁଡିକ ଘୁଷୁରିର ଶରୀରରେ ଲାର୍ଭା ସୃଷ୍ଟି କରିପାରେ । ଅପରିଚ୍ଛନ୍ନତା ହେତୁ ଯେଉଁ ଅଣ୍ଡା ମଣିଷର ଝାଡାରୁ ମୁହଁକୁ ଚାଲିଆସେ ତାହା ମସ୍ତିସ୍କରେ ମଧ୍ୟ ଲାର୍ଭା ସୃଷ୍ଟି କରିପାରେ ।

ପରିପକ୍ଵ ଫିତାକୃମି

ଘୁଷୁରି ଏହି ଅଣ୍ଡାଗୁଡିକୁ ମଣିଷର ଝାଡାସହ ଖାଇଥାଏ ।

ସ୍ୱାସ୍ଥ୍ୟ ଉପରେ ପ୍ରଭାବ :

  • ଫିତାକୃମି, କେବଳ ସମୟ ସମୟରେ ସ୍ୱଳ୍ପ ପେଟବ୍ୟଥା ଛଡା, ଅନ୍ୟ କୌଣସି ସମସ୍ୟାର କାରଣ ହୋଇ ନ ଥାଏ ।
  • ଲାର୍ଭା ଯେତେବେଳେ ବ୍ୟକ୍ତିର ମସ୍ତିସ୍କ ମଧ୍ୟକୁ ଚାଲିଯାଏ ସେତେବେଳେ ହିନ ସବୁଠାରୁ ବେଶୀ ବିପଦ। ଯେତେବେଳେ ଝାଡାରୁ ମୁହଁ ପର୍ଯ୍ୟନ୍ତ ଅଣ୍ଡା ଯାଏ ସେତେବେଳେ ଏହା ଘଟିଥାଏ। ଏହି କାରଣ ଯୋଗୁଁ, ଫିତାକୃମି ହୋଇଥିବା ଯେ କୌଣସି ବ୍ୟକ୍ତି, ପରିଚ୍ଛନ୍ନତା ପାଇଁ ଥିବା ଉପଦେଶକୁ ଯତ୍ନସହକାରେ ମାନିବା ଉଚିତ୍ ଓ ଯେତେଶୀଘ୍ର ସମ୍ଭବ ଚିକିତ୍ସା କରାଇନେବା ଉଚିତ୍।

ଚିକିତ୍ସ।

ନିକ୍ଲୋସାମାଇଡ ଔଷଧ, ବା ପ୍ରାଜିକ୍ଵାଣ୍ଟେଲ ଦାଇକ୍ଲୋରୋଫେନ ଔଷଧ ବା କ୍ଵିନାକ୍ରାଇନ ଏଟାବ୍ରାଇନ, ଔଷଧ ଖାଆନ୍ତୁ । ଯତ୍ନ ସହକାରେ ପରାମର୍ଶ ଅନୁସରଣ କରନ୍ତୁ । ଘରୋଇ ପ୍ରତିକାର ପାଇଁ ପ୍ରଥମ ପରିଚ୍ଛେଦ ଦେଖନ୍ତୁ ।

ଟ୍ରିଚିନୋସିସ

ଏହିସବୁ କୃମି ଆଦୌ ଝାଡାରେ ଦେଖାଯାଆନ୍ତି ନାହିଁ । ଏଗୁଡିକ ଅନ୍ତନଳୀ ଦେଇ ମାଂସପେଶୀ ମଧ୍ୟକୁ ପ୍ରବେଶ କରନ୍ତି । ଫିତାକୃମି ପରି, ସଂକ୍ରମିତ ଘୁଷୁରିର ମାଂସ ବା ଅନ୍ୟାନ୍ୟ ମାଂସ ଯାହାକି ଭଲଭାବରେ ସିଝି ନ ଥାଏ, ତାକୁ ଖାଇ ବ୍ୟକ୍ତି କୃମିରେ ଆକ୍ରାନ୍ତ ହୁଅନ୍ତି ।

ସ୍ୱାସ୍ଥ୍ୟ ଉପରେ ପ୍ରତିକ୍ରିୟା

ଖାଇଥିବା ସଂକ୍ରମିତ ମାଂସର ପରିମାଣ ଉପରେ ନିର୍ଭର କରି, ବ୍ୟକ୍ତି କିଛି ପ୍ରତିକ୍ରିୟା ଅନୁଭବ କରି ନ ପାରେ ବା ସେ କ୍ରମେ କ୍ରମେ ବହୁତ ଦୁର୍ବଳ ହୋଇ ମୃତ୍ୟୁବରଣ କରିପାରେ । ସଂକ୍ରମିତ ମାଂସ ଖାଇବାର ଅଳ୍ପକେତେ ଘଣ୍ଟାପରେ ଓ ପ୍ରାୟ ୫ ଦିନ ଭିତରେ ବ୍ୟକ୍ତିଙ୍କୁ, ଆମାଶୟ ହୋଇପାରେ ବା ସେ ପେଟରେ କିଛି ଅସୁସ୍ଥତା ଅନୁଭବ କରିପାରେ ।

ଗୁରୁତର ଅବସ୍ଥାରେ ବ୍ୟକ୍ତିର ଏଭଳି ହୋଇପାରେ :

  • ଥଣ୍ଡା ସହିତ ଜ୍ଵର
  • ମାଂସପେଶୀରେ ଯନ୍ତ୍ରଣା
  • ଆଖିର ଚାରିପାଖ ବା କେତେକ ସମୟରେ ପାଦ ମଧ୍ୟ ଫୁଲିଯିବା
  • ଚମଡାରେ ନେଳିଆ ବା କଳାଦାଗ
  • ଆଖିର ଧଳାଅଂଶରୁ ରକ୍ତ ବାହାରିବା । ଗୁରୁତର ଅବସ୍ଥା ୩ରୁ ୪ ସପ୍ତାହ ପର୍ଯ୍ୟନ୍ତ ରହିପାରେ

ଚିକିତ୍ସା

ସଙ୍ଗେ ସଙ୍ଗେ ଡାକ୍ତରୀ ସାହାଯ୍ୟ ନିଅନ୍ତୁ । ଥୟାବେଣ୍ଡାଜୋଲ ବା ମେବେଣ୍ଡାଜୋଲ ଅଳ୍ପ ସାହାଯ୍ୟ କରିପାରେ। (କରଟିକୋ – ଷ୍ଟିରଏଡସ ଔଷଧ ମଧ୍ୟ ସାହାଯ୍ୟ କରିପାରେ କିନ୍ତୁ ଏହାକୁ ଜଣେ ସ୍ୱାସ୍ଥ୍ୟକର୍ମୀ ବା ଡାକ୍ତରଙ୍କ ଦ୍ଵାରା ଦେବା ଉଚିତ୍ )

ଗୁରୁତ୍ୱପୂର୍ଣ୍ଣ : ଯଦି ବହୁତ ଲୋକ ଗୋଟିଏ ଘୁଷୁରିର ମାଂସ ଖାଇ ରୋଗରେ ପଡନ୍ତି ତେବେ ଟ୍ରିଚିନୋସିସ ହୋଇଛି ବୋଲି ଭାବନ୍ତୁ,ଏହା ବିପଦପୂର୍ଣ୍ଣ ହୋଇପାରେ, ଡାକ୍ତରୀ ସାହାଯ୍ୟ ନିଅନ୍ତୁ ।

ଟ୍ରିଚିନୋସିସ୍ ର ନିବାରଣ

  • ଘୁଷୁରି କିମ୍ବା ଅନ୍ୟାନ୍ୟ ମାଂସ ଜଳଭାବରେ ସିଝା ହୋଇଥିଲେ ହିଁ ଖାଆନ୍ତୁ ।
  • ବଳକା ମାଂସ ବା ହାଡକୁ ଘୁଷୁରିକୁ ଖାଇବାକୁ ଦିଅନ୍ତୁ ନାହିଁ ।

ଏମିବା (ଆଦିଜୀବ ବା କାମରୂପୀ)

ଏସବୁ କୃମି ନୁହନ୍ତି, ଛୋଟ ଛୋଟ ଜୀବାଣୁ ଯାହା କେବଳ ଅଣୁବୀକ୍ଷଣ ଯନ୍ତ୍ରରେ ଦେଖାଯାଇପାରିବ । ପରିବେଶର ପରିଚ୍ଛନ୍ନତାର ଅଭାବ ଯୋଗୁ ଏସବୁ ପିଇବାପାଣି ବା ଖାଦ୍ଯ ଇତ୍ୟାଦିରେ ରହିଯାନ୍ତି ଓ ଫଳରେ ଅନ୍ୟ ବ୍ୟକ୍ତି ସଂକ୍ରମିତ ହୁଅନ୍ତି ।

ସେଗୁଡିକ କିପରି ବ୍ୟାପିଥାନ୍ତି

ସଂକ୍ରମିତ ଲୋକର ଝାଡାରେ ଲକ୍ଷଲକ୍ଷ ସଂଖ୍ୟାରେ ଏହି ପରଜୀବୀ ଗୁଡିକ ରହିଥାନ୍ତି । ଉପଯୁକ୍ତ ପରିଚ୍ଛନ୍ନତାର ଅଭାବ ଯୋଗୁଁ ସେଗୁଡିକ ଖାଦ୍ୟ ଓ ପାନୀୟର ଆଧାର ସହ ମିସିଯାନ୍ତି ଏବଂ ଅନ୍ୟ ଲୋକ ସଂକ୍ରମିତ ହୋଇଥାନ୍ତି ।

ଏମିବାଦ୍ଵାରା ସଂକ୍ରମଣର ଲକ୍ଷଣ

ବହୁତ ସୁସ୍ଥବ୍ୟକ୍ତି ଅସୁସ୍ଥ ନ ହୋଇ ମଧ୍ୟ ଏମିବାଦ୍ଵାରା ପୀଡିତ ହୋଇପାରନ୍ତି । କିନ୍ତୁ ଗୁରୁତର ଆମାଶୟ ଓ ତରଳ ଝାଡାର ଏହା ସାଧାରଣ କାରଣ ଅଟେ – ବିଶେଷତଃ ପୁଷ୍ଟିହୀନ ବା ଅନ୍ୟାନ୍ୟ ରୋଗ ଯୋଗୁଁ ଦୁର୍ବଳ ହୋଇଥିବା ବ୍ୟକ୍ତିଙ୍କର ପାଇଁ ଏମିବାଦ୍ଵାରା ହେଉଥିବା ତରଳଝାଡାର ଲକ୍ଷଣ ।

  • ଆମାଶୟ ଯାହା ଛାଡିଯାଇ ପୁଣିଥରେ ହୋଇଥାଏ – ସମୟ ସମୟରେ ଝାଡା ଟାଣ ହୋଇଯାଏ ।
  • ପେଟ କାମୁଡି ହେବା ଏବଂ ବାରମ୍ବାର ଝାଡାଯିବା, ଏପରିକି ଝାଡା ହେଉ ବା ନ ହେଉ କେବଳ ମାତ୍ର ଲାଳ ଆସିପାରେ ।
  • ପ୍ରଚୁର ଲାଳ ସହିତ ବହୁତ ତରଳ ଝାଡାରେ କେତେକ ସମୟରେ ରକ୍ତ ମଧ୍ୟ ଆସିପାରେ ।
  • ରୋଗର ସାଘାଂତିକ ଅବସ୍ଥାରେ ଅଧିକ ରକ୍ତ ଆସିପାରେ । ବ୍ୟକ୍ତି ଅତ୍ୟଧିକ ରୋଗିଣା ତଥା ଦୁର୍ବଳ ହୋଇଯାଏ ।
  • ପ୍ରାୟ ଜ୍ଵର ହୁଏ ନାହିଁ ।

ଏମିବା କିମ୍ବା ଅନ୍ୟ ଜୀବାଣୁଦ୍ଵାରା ରକ୍ତ ପଡିବା ସହ ଆମାଶୟ ହୋଇଥାଏ । କିନ୍ତୁ ଜୀବାଣୁଜନିତ ଆମାଶୟ ହଠାତ୍ ଆରମ୍ଭ ହୋଇଥାଏ, ଝାଡା ବହୁତ ପାଣିଆ ହୁଏ ଓ ଅଧିକାଂଶ ସମୟ ଜ୍ଵର ରହେ । ସାଧାରଣ ନିୟମାନୁଯାୟୀ,ସମୟ ସମୟରେ ରକ୍ତଯୁକ୍ତ ଆମାଶୟର ଅନ୍ୟକାରଣ ଥାଏ । ସଠିକ୍ ଭାବରେ ଏହାର ଜାଣିବାପାଇଁ ଝାଡା ପରୀକ୍ଷା ନିହାତି ଦରକାର ହୋଇପାରେ ।

କେତେକ ସମୟରେ ଆମିବା ଯକୃତ ମଧ୍ୟରେ ପ୍ରବେଶ କରି ପୂଜଯୁକ୍ତ ଘା’ କରିଦିଏ । ଏହା ଦ୍ଵାରା ପେଟର ଡାହାଣପାଟ ଉପର ଅଂଶରେ ଯନ୍ତ୍ରଣା ହୋଇପାରେ । ଯନ୍ତ୍ରଣା ଡାହାଣପାଖ ଛାତିକୁ ବ୍ୟାପିଯାଇପାରେ ଓ ଚାଲିଲାବେଳେ ସବୁଠାରୁ ଅଧିକ କଷ୍ଟ ହୁଏ । ଏହି କାରଣ ଲକ୍ଷଣ ସହିତ ଯଦି ବ୍ୟକ୍ତି କାଶିବାକୁ ଆରମ୍ଭ କରେ ଓ କଫରେ ପିଙ୍ଗଳବର୍ଣ୍ଣ ତରଳ ପଦାର୍ଥ ଆସେ ତେବେ ଜାଣିବାକୁ ହେବ ଯେ ଘା’ ଫାଟିଯାଇ ଫୁସୁଫୁସ୍ କୁ ବୋହିବାରେ ଲାଗିଛି ।

ଚିକିତ୍ସା

  • ଯଦି ସମ୍ଭବ ଡାକ୍ତରୀ ସହାୟତା ନିଅନ୍ତୁ ଓ ଝାଡା ପରୀକ୍ଷା କରନ୍ତୁ ।
  • ଏମିବା ଜନିତ ଆମାଶୟ ମେଟ୍ରୋନିଡାଜୋଲ ଦ୍ଵାରା ଚିକିତ୍ସା କରାଯାଇପାରିବ । ଯଦି ସମ୍ଭବ ଡିଲୋକ୍ସାନାଇଡ ଫୁରୋଏଟ ବା ଟେଟ୍ରାସାଇକ୍ଲିନ ସହିତ ମଧ୍ୟ ଚିକିତ୍ସା କରାଯାଇପାରିବ ।
  • ଏମିବା ଜନିତ ଘା’ ବା ବଥ ପାଇଁ ଏମିବା ଜନିତ ଆମାଶୟର ଚିକିତ୍ସା କରନ୍ତୁ ଓ ପରେ ୧୦ ଦିନ ପାଇଁ କ୍ଲୋରୋକୁଇନ ବଟିକା ଖାଆନ୍ତୁ ।

ନିବାରଣ

ପାଇଖାନା ତିଆରି କରି ବ୍ୟବହାର କରନ୍ତୁ । ପିଇବା ପାଣିର ଉତ୍ସକୁ ପରିଷ୍କାର ରଖନ୍ତୁ ଓ ପରିଚ୍ଛନ୍ନତା ପାଇଁ ଉପଦେଶାବଳୀକୁ ଅନୁସରଣ କରନ୍ତୁ। ଏମିବାଦ୍ଵାରା ହେଉଥିବା ତରଳ ଝାଡାକୁ ଭଲ ଖାଦ୍ୟ ଖାଇ, ନିଜ ଶରୀରକୁ କୌଣସି କ୍ଲାନ୍ତି ନ ପହଞ୍ଚାଇ, ମଦ୍ୟପାନ ନ କରି ମଧ୍ୟ ନିୟନ୍ତ୍ରଣ କରାଯାଇପାରେ ।

ଜିଆଡିଆ

  • ଜିଆଡିଆ ମଧ୍ୟ ଏମିଆ ସଦୃଶ ଏକ ସୂକ୍ଷ୍ମ ଜୀବାଣୁ ଅଟେ । ତାହା ଅନ୍ତ୍ରରେ ରହେ ଓ ଆମାଶୟର କାରଣ ହୋଇଥାଏ । ଏହି ଆମାଶୟ ଦୀର୍ଘକାଳସ୍ଥାୟୀ ହୋଇପାରେ ବା କିଛିଦିନ ପରେ ହୋଇପାରେ (ଆରମ୍ଭ ହେବା, ଭଲ ହୋଇଯିବା ଓ ପୁଣି ଆରମ୍ଭ ହେବା ) ।
  • ରକ୍ତ କିମ୍ବା କଫ ନଥିବା ବୁଦବୁଦ୍ ଆକାରର ହଳଦିଆ ଓ ଗନ୍ଧଯୁକ୍ତ ଆମାଶୟ ହେଲେ ,ବ୍ୟକ୍ତିଙ୍କଠାରେ ଜିଆଡିଆ ଥାଇପାରେ ।
  • ପେଟ ଗ୍ୟାସଦ୍ଵାରା ଫୁଲିଯାଏ ଓ ଆଦୌ ଭଲ ଲାଗେନାହିଁ । ଅନ୍ତ୍ରନାଳୀ ମଧ୍ୟରେ ଅଳ୍ପଅଳ୍ପ କାମୁଡିବା ପରିଲାଗେ ଓ ବ୍ୟକ୍ତିର ମଳଦ୍ଵାରରେ ପବନ ବାହାରେ । ପ୍ରାୟ ଜ୍ଵର ହୁଏନାହିଁ।
  • ଜିଆଡିଆ ସଂକ୍ରମଣ ପ୍ରାୟ ଆପେ ଆପେ ଭଲ ହୋଇଯାଏ । ପୁଷ୍ଟିକର ଖାଦ୍ୟ ସାହାଯ୍ୟ କରେ । ସାଘାଂତିକ ଅବସ୍ଥାରେ ମେଟ୍ରୋନିଡାଜୋଲର ବ୍ୟବହାର ଠିକ୍ କାମ ଦେଇପାରେ । କୁଇନାକ୍ରିନ୍ ଶସ୍ତା ମାତ୍ର ସେତେ ଭଲ କାମ କରେ ନାହିଁ ।

ଗିନିଆ କୃମି

ଗିନିଆ କୃମି ଲମ୍ବା, ପତଳା ହୋଇଥାଏ । ଯାହା ଚର୍ମ ତଳେ ବାସ କରେ ଓ ଆଣ୍ଠୁରେ ଯନ୍ତ୍ରଣା ଦାୟକ ଘା’ ସୃଷ୍ଟି କରେ । କୃମି ଯାହା ଧଳା ସୂତା ପରି ଦେଖାଯାଏ,ଏକ ମିଟର ଲମ୍ବା ହୋଇପାରେ । ଏହା ବିଶେଷତଃ ଆଫ୍ରିକା, ଭାରତ ଓ ମଧ୍ୟ – ପୂର୍ବ ଦେଶମାନଙ୍କରେ ଦେଖାଯାଇଥାଏ ।

ଗିନିଆକୃମି ଏହିପରି ଭାବରେ ଜଣଙ୍କଠାରୁ ଅନ୍ୟଜଣଙ୍କୁ ବ୍ୟାପିଥାଏ ।

  1. ଖୋଲା ଘା’ ଥିବା ବ୍ୟକ୍ତି ପାଣିରେ ଗାଧୋଇବାଦ୍ଵାରା ଏହି କୃମି ହଜାର ହଜାର ଅଣ୍ଡା ଦେଇଥାଏ ।
  2. ପାଣିରେ ଥିବା କେତେକ ଜୀବ ଏହି ଅଣ୍ଡାକୁ ଖାଇ ଦିଅନ୍ତି ।
  3. ଏହି ପାଣିକୁ ଅନ୍ୟ ବ୍ୟକ୍ତି ପିଇଲେ ପାଣି ସହିତ ଏହି ଅଣ୍ଡାଗୁଡିକ ସୁସ୍ଥ ପେଟ ଭିତରକୁ ଯାଏ ।
  4. ଏହି ଅଣ୍ଡାଗୁଡିକ ଚର୍ମ ତଳେ କୃମିରେ ରୂପାନ୍ତରିତ ହୋଇ ଶରୀରରେ କ୍ଷତି ଘଟାଇ ଥାଆନ୍ତି । ଏହି ସମୟରେ ବ୍ୟକ୍ତିକୁ କିଛି ଜଣା ପଡେ ନାହିଁ । ଏକ ବର୍ଷ ପରେ କୃମି ବଡ ହୋଇ ଅଣ୍ଡା ଦେବାର ହେଲେ ଘା’ ଆରମ୍ଭ ହୁଏ ।

ଲକ୍ଷଣ

  • ଗଣ୍ଠି, ଗୋଡ, ଅଣ୍ଡକୋଷ ବା ଶରୀରର ଯେକୌଣସି ସ୍ଥାନରେ ଫୁଲା ହୋଇ ଯନ୍ତ୍ରଣା ହୁଏ।
  • ସପ୍ତାହ ପରେ ଫୋଟକା ବାହାରେ ଓ ଏହାର ଉପର ଅଂଶ ଫାଟିଯାଇ ଘା’ ଭଳି ହୋଇଯାଏ । ବ୍ୟକ୍ତି ଗାଧୋଉଥିବା ସମୟରେ ଏହି ଫୋଟକା ଫାଟିଯାଇ ପାଣିରେ ମିଶେ।
  • ଯଦି ଘା’ ମଇଳା ଓ ସଂକ୍ରମିତ ହୋଇଯାଏ, ତାହାହେଲେ ଅଧିକ ଫୁଲାହୋଇ ଯନ୍ତ୍ରଣା ଦେଇଥାଏ ଓ ଚାଲିହୁଏ ନାହିଁ । ବେଳେବେଳେ ଧନୁଷ୍ଟଙ୍କାର ମଧ୍ୟ ହୋଇଥାଏ ।

ଚିକିତ୍ସା

ଘା’କୁ ସଫା ରଖନ୍ତୁ । କୃମିର ମୁଣ୍ଡ ପଦାକୁ ବାହାରିଯିବା ପର୍ଯ୍ୟନ୍ତ ଥଣ୍ଡା ପାଣିରେ ଘା’କୁ ବୁଡାଇ ରଖନ୍ତୁ ।

  • ଗୋଟିଏ କାଠି ଦେହରେ କନା ଗୁଡାଇ ଦିନରେ କିଛି ସମୟଧରି ଘା’ କୁ ସଫାକରନ୍ତୁ । ଏହି ସଫା କରିବା ୧ ସପ୍ତାହରୁ ଅଧିକ ସମୟ ଲାଗି ପାରେ । କୃମି ଗୁଡିକ ୧ ମିଟରରୁ ଅଧିକ ଲମ୍ବ ହୋଇପାରନ୍ତି । ତେଣୁ ସଫା କରିବା ବନ୍ଦ କରନ୍ତୁ ନାହିଁ କାରଣ ଏହା ଅତ୍ୟଧିକ ସଂକ୍ରମଣର କାରଣ ହୋଇପାରେ।
  • ମେଟ୍ରୋନିଡାଜୋଲ ବା ଥାୟାବେଣ୍ଡାଜୋଲ ବ୍ୟବହାର କଲେ ଉପକାର ମିଳେ ଓ କୃମି ବାହାର କରିଦେବାର ସୁବିଧା ହୁଏ (ଔଷଧ କୃମିଗୁଡିକୁ ମାରିଦିଏ ନାହିଁ ) ।
  • ଯଦି ଘା’ ସଂକ୍ରମିତ ହୋଇଯାଏ (ଯନ୍ତ୍ରଣାଦାୟକ, ଲାଲ, ଫୁଲା ଓ ଜ୍ଵର ପାଇଁ ପେନିସିଲିନ ବା ଡାଇକ୍ଳୋସିଲିନ ବା ସେହିଭଳି ଆଣ୍ଟିବାଇଓଟିକ ଦିଅନ୍ତୁ ।

ପ୍ରତିଷେଧକ

  • ଯଦି ପାଇପ୍ ପାଣି ମିଳୁଛି ତାହାହେଲେ ପିଅନ୍ତୁ । ଯଦି ଗୋଟିଏ ଯାଗାରୁ ପାଣି ଆସୁଛି ତାକୁ ସେହିପରି ପିଅନ୍ତୁ ନାହିଁ । ନିର୍ଦ୍ଧିଷ୍ଟ ପିଇବା ପାଣି ପାତ୍ରରେ ପାଣିକୁଆ ଛାଣି ରଖନ୍ତୁ ।
  • ଯଦି ଗାଁର ଲୋକେ ପଥର ଖୋଳନ୍ତି, ତାହାହେଲେ ପାଣି ଝର ବାହାରିବା ପର୍ଯ୍ୟନ୍ତ ଖୋଲିବା ଉଚିତ୍ ।
  • କୂଅ ମଧ୍ୟରେ ଗୋଡି, ବାଉଁଶ ତାଟ ଦେଇ ପାରିବେ। ସବୁବେଳେ ଝରପାଣି ପିଅନ୍ତୁ ।

ଯଦି ପିଇବା ପାଣି ଅପରିଷ୍କାର ନ ହୁଏ ଓ ସେଥିରେ ଗାଧୋଇବା, ଶୌଚହେବା ବନ୍ଦ କରାଯାଏ । ତେବେ ଏହି ସଂକ୍ରମଣ ହେବ ନାହିଁ । ଏପରିକି ଏହା ସେହି ଅଞ୍ଚଳରୁ ମଧ୍ୟ ଦୂରେଇ ଯିବ।

ଆଧାର ଓଡିଶା ଭଲ୍ୟୁଣ୍ଟାରୀ ହେଲଥ ଆସୋସିଏସନ

Last Modified : 4/21/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate