ହୋମ / ସ୍ଵାସ୍ଥ୍ୟ / ଯେଉଁଠି ଡାକ୍ତର ନାହାଁନ୍ତି / ପ୍ରାଥମିକ ଚିକିତ୍ସା(ସଂକ୍ରମିତ ଘା)
ସେଆର କରନ୍ତୁ

ପ୍ରାଥମିକ ଚିକିତ୍ସା(ସଂକ୍ରମିତ ଘା)

ପ୍ରାଥମିକ ଚିକିତ୍ସା(ସଂକ୍ରମିତ ଘା)ର ସୂଚନା

ସଂକ୍ରମିତ ଘା କିପରି  ଚିହ୍ନିବେ ଓ  ଚିକିତ୍ସା  କରିବେ

କ୍ଷତଟିଏ  ସଂକ୍ରମିତ  ହୋଇଥାଏ, ଯଦି : -

  • ତାହା  ନାଲିଆ  ହୋଇଥାଏ,  ଫୁଲିଥାଏ,  ତାତିଥାଏ  ଓ  ଯନ୍ତ୍ରଣା  ଦେଉଥାଏ
  • ସେଥିରେ  ପୂଜଥାଏ
  • ସେଥିରୁ  ଦୁର୍ଗନ୍ଧ  ବାହାରିବା  ଆରମ୍ଭ  ହୁଏ ।
  • ଏହି  ସଂକ୍ରମଣ  ଦେହର  ଅନ୍ୟାନ୍ୟ  ଅଂଶକୁ  ବ୍ୟାପିଯାଉଥାଏ, ଯଦି,
  • ଏହାଦ୍ଵାରା  ଜ୍ଵର  ହୁଏ
  • କ୍ଷତର  ଉପରଭାଗରେ  ନାଲିଗାର  ଦେଖାଯାଏ
  • ଗ୍ରନ୍ଥି  ଫୁଲିଯାଏ  ଏବଂ  ଛୁଇଁଲେ   ଯନ୍ତ୍ରଣା  ଲାଗେ   । ଏହି ଗ୍ରନ୍ଥଗୁଡିକରେ  ଜୀବାଣୁ  ରହିବାପାଇଁ  ଛୋଟ  ଛୋଟ  ସ୍ଥାନ  ଥାଏ  ଏବଂ  ସେଗୁଡିକ  ସଂକ୍ରମିତ  ହେବାଦ୍ଵାରା  ଚମଡା  ତଳେ  ଫୁଲି  ଦେହରେ  ଛୋଟ  ଛୋଟ  ଆବୁ  ହୋଇଯାଏ   ।

କାନମୂଳ  ପଛପଟେ  ଗ୍ରନ୍ଥି  ଫୁଲିରେ  ମୁଣ୍ଡ  ବା  ମୁଣ୍ଡର  ଉପରଭାଗରେ  ସଂକ୍ରମଣର  ସୂଚନା  ଦିଏ   । ଏହା  ଘା’  ଉକୁଣୀ  କିମ୍ବା  ଜର୍ମାନ  ମିଳିମିଳା  ଯୋଗୁଁ  ହୋଇଥାଏ   । କାନ  ତଳର  ଏବଂ  ବେଳ  ଉପରର  ଗ୍ରନ୍ଥି  ଫୁଲିଲେ,  ତାହା  କାନ,  ମୁହଁ  ବା  ମୁଣ୍ଡରେ   ସଂକ୍ରମଣର  ସୂଚନା  ଦେଇଥାଏ   । ମାଢି  ତଳର  ଗ୍ରନ୍ଥି  ଫୁଲିଲେ  ତାହା  ଦାନ୍ତ  କିମ୍ବା  ଗଲା  ସଂକ୍ରମଣର  ସୂଚନା  ଦିଏ   ।

କାଖ  ତଳର  ଗ୍ରନ୍ଥି  ଫୁଲିଲେ  ତାହା  ବାହୁ,  ମୁଣ୍ଡ  କିମ୍ବା  ସଂକ୍ରମଣର  (ଅଥବା  ବେଳେବେଳେ  ବକ୍ଷ  କର୍କଟ  ରୋଗ) ସୂଚନା  ଦେଇଥାଏ   ।

ଜଙ୍ଘମୂଳର  ଗ୍ରନ୍ଥି  ଫୁଲିଲେ  ତାହା  ଗୋଡ,  ପାଦ,  ଜ୍ଞାନେନ୍ଦ୍ରିୟ  ବା  ମଳ  ଦ୍ଵାରରେ  ସଂକ୍ରମଣର  ସୂଚନା  ଦେଇଥାଏ   ।

ସଂକ୍ରମିତ  କ୍ଷତର  ଚିକିତ୍ସା

  • ଥରକୁ  ୨୦ ମିନିଟ୍ ପର୍ଯ୍ୟନ୍ତ  ଦିନକୁ  ୪ ଥର  କ୍ଷତଟି  ଉପରେ  ଗରମ  ସେକ  ଦିଅନ୍ତୁ  । ସେକପାଇଁ  ଲୁଣ  (ଏକ  ଲିଟର  ପାଣିରେ  ଏକ  ଚାମଚ  ଲୁଣ) ମିଶା  ଗରମପାଣି  ବ୍ୟବହାର  କରନ୍ତୁ  କିମ୍ବା  ସଂକ୍ରମିତ  ହାତ  ବା  ପାଦକୁ  ବାଲଟିଏ ଉଷୁମ  ପାଣିରେ  ରଖନ୍ତୁ   ।
  • ସଂକ୍ରମିତ  ଅଂଶକୁ  ବିଶ୍ରାମ  ଦେବା  ଅବସ୍ଥାରେ  ଉପରକୁ  ଟେକି  ରଖନ୍ତୁ (ହୃତପିଣ୍ଡ  ଉଚ୍ଚତାର  ଉର୍ଦ୍ଧ୍ଵରେ)
  • ଯଦି  ସଂକ୍ରମଣ  ଗୁରୁତର  ହୋଇଥାଏ  ଅଥବା  ସେହି  ବ୍ୟକ୍ତି  ଧନୁଷ୍ଟଙ୍କାର  ପ୍ରତିଷେଧକ  ଟୀକା  ନେଇ ନ ଥାନ୍ତି,  ତେବେ  ପେନିସିଲିନ  ବା  ପେନିସିଲିନ  ପରି  ପ୍ରତିଜୀବାଣୁ  ଓ  ଧନୁଷ୍ଟଙ୍କାର  ପ୍ରତିଷେଧକ  ଟୀକା  ଦିଅନ୍ତୁ   ।

ସାବଧାନ

ଯଦି  କ୍ଷତରୁ  ଦୁର୍ଗନ୍ଧ  ବାହାରେ,  ସେଥିରୁ  ବାଦାମି  ବା  ପାଉଁଶିଆ  ରଙ୍ଗର  ତରଳପଦାର୍ଥ  କ୍ଷରଣ  ହୁଏ   ବା  ଯଦି  କ୍ଷତ  ଚାରିପାଖରେ  ଚରମ  କଳା  ପଡିଯାଏ  ଓ ପବନ  ଫୋଟକା  ବାହାରେ,  ତେବେ  ତାହା  ଗ୍ୟାଙ୍ଗ୍ରିନ  ହୋଇଥାଇପାରେ   । ଯଥାଶୀଘ୍ର  ଡାକ୍ତରୀ  ସାହାଯ୍ୟ  ନିଅନ୍ତୁ   । ଏଥି  ମଧ୍ୟରେ  ଗ୍ୟାଙ୍ଗ୍ରିନର  ବିଧାନ  ଅନୁସରଣ  କରନ୍ତୁ   । କ୍ଷତକୁ  ଚିରି  ସାବୁନ  ଓ  ପାଣିଦ୍ଵାରା  ଭଲଭାବେ  ସଫାକରି  ଖୋଲା  ଛାଡି  ଦିଅନ୍ତୁ   ।

ବିଶେଷ  ଭାବରେ  ନିମ୍ନୋକ୍ତ  କ୍ଷତଗୁଡିକ  ବିପଦଜନକଭାବେ  ସଂକ୍ରମିତ  ହୋଇଥାଏ  ।

ଏହି  କ୍ଷତଗୁଡିକ  ବିପଦଜନକ  ଭାବେ  ସଂକ୍ରମିତ  ହେବାର  ଅଧିକ  ସମ୍ଭାବନା  ଥାଏ  ।

  • ଅପରିଷ୍କାର  କ୍ଷତ  ବା  କୌଣସି  ଅପରିଷ୍କାର  ପଦାର୍ଥ  ଜନିତ  କ୍ଷତ
  • ଛିଦ୍ରଯୁକ୍ତ  କ୍ଷତ  ବା  ଗଭୀର  କ୍ଷତ  ଯେଉଁଥିରୁ  ରକ୍ତସ୍ରାବ  ହୁଏ  ନାହିଁ
  • ଘୁଷୁରୀ, ଗୋରୁ  ଇତ୍ୟାଦି  ରହୁଥିବା  ଗୁହାଳରେ  ହୋଇଥିବା  କ୍ଷତ
  • ତୀବ୍ର  ଆଘାତ  ବା  ଘର୍ଷଣ  ଜନିତ  ବଡ  କ୍ଷତ
  • ଘୁଷୁରୀ, କୁକୁର  ବା  ମଣିଷମାନଙ୍କର  କାମୁଡା  ଜନିତ  କ୍ଷତ
  • ଗୁଳିଜନିତ  କ୍ଷତ

ବିପଦ  ଯୁକ୍ତ  କ୍ଷତ  ଗୁଡିକର  ବିଶେଷ  ଯତ୍ନ

ଏ  ପ୍ରକାର  ଅତି  ବିପଦ  ଯୁକ୍ତ  କ୍ଷତ  ଗୁଡିକର  ବିଶେଷ  ଯତ୍ନ : -

  1. ସିଝା  ଲୁଣାପାଣି (ଗୋଟିଏ  ଲିଟର  ପାଣିରେ  ଏକ ଚା ଚାମଚ  ପୂର୍ଣ୍ଣ  ଲୁଣ) ଓ  ସାବୁନ  ଦ୍ଵାରା  କ୍ଷତଟିକୁ  ଭଲଭାବେ  ପରିଷ୍କାର  କରନ୍ତୁ   । ମଇଳା  ଟୁକୁଡା, ଜମାଟ  ବାନ୍ଧିଥିବା  ରକ୍ତ,  ମଲା  ଚମଡା  ବା  ନଷ୍ଟ  ହୋଇଯାଇଥିବା  ମାଂସ  ସବୁକୁ  ବାହାର  କରି  ଦିଅନ୍ତୁ  । ସିରିଞ୍ଜ  ବା  ରବର  କୁମ୍ପିଦ୍ଵାରା  ପିଚକାରୀ  ମାରି  ମଇଳା  ଟୁକୁଡା  ସବୁକୁ  ବାହାର  କରି  ଦିଅନ୍ତୁ  ।
  2. ପାଣିରେ  ପଟାସିୟମ  ପରମାଙ୍ଗାନେଟ  (ଗୋଟିଏ  ବାଲ୍ଟି  ପାଣିରେ  ଏକ  ଚା  ଚାମଚ) ମିଶାଇ,  ସେଥିରେ  କ୍ଷତକୁ  ଭିଯାଇ  ଦିଅନ୍ତୁ  । ତା’ ପରେ  ସେଥିରେ  ଜେନସିଆନ   ଭାଓଲେଟ  ବୋଳିଦେଇ  ସଫା  କ୍ଷତପଟି  ବାନ୍ଧି  ଦିଅନ୍ତୁ   ।
  3. ଯଦି  କ୍ଷତଟି   ଖୁବ୍  ଗଭୀର  ହୋଇଥାଏ,  ଯଦି  ତାହା  କାମୁଡା  ଜନିତ  ବା  ଯଦି  କ୍ଷତଟିରେ  ମଇଳା  ଟୁକୁରା  ରହିଛି  ବୋଳି  ସନ୍ଦେହ  ହୁଏ,  ତେବେ  ପ୍ରତିଜୀବାଣୁ  ବା  ଜୀବାଣୁନାଶୀ  ପ୍ରୟୋଗ  କରନ୍ତୁ  । ଏ  କ୍ଷେତ୍ରରେ  ସବୁଠାରୁ  ଭଲ  ଔଷଧ  ହେଉଛି  ଆମ୍ପିସିଲିନ, ତାର  କ୍ୟାପସୁଲ   ବ୍ୟବହାର  କରନ୍ତୁ  ଓ  ଅତି  ଦୁରୁତର  ଅବସ୍ଥାରେ  ହିଁ  ଇଞ୍ଜେକ୍ସନର   ସାହାଯ୍ୟ  ନିଅନ୍ତୁ,  ଆମ୍ପିସିଲିନ  କିଣିବା  ପାଇଁ  ଯଦି  ସାମର୍ଥ୍ୟ  ନ ଥାଏ  ତେବେ  ପେନିସିଲିନ, ଟେଟ୍ରାସାଇକ୍ଲିନ  ବା  ସଲଫା  ବ୍ୟବହାର  କରନ୍ତୁ   । ମାତ୍ରା  ଜାଣିବା  ପାଇଁ  ସବୁଜ  ପୃଷ୍ଠା  ଦେଖନ୍ତୁ   ।
  4. ଏହି  ପ୍ରକାରର  କ୍ଷତକୁ  କେବେ  ସିଲାଇ  କରନ୍ତୁ  ନାହିଁ  ବା  ସେଗୁଡିକରେ  ପ୍ରଜାପତି  କ୍ଷତପଟି  ବାନ୍ଧନ୍ତୁ  ନାହିଁ   । କ୍ଷତକୁ  ଖୋଲା  ଛାଡି  ଦିଅନ୍ତୁ   । ଯଦି  କ୍ଷତଟି  ଖୁବ୍  ବଡ  ହୋଇଥିବ  ତେବେ  ଜଣେ  ଅଭିଜ୍ଞ  ସ୍ୱାସ୍ଥ୍ୟକର୍ମୀ  ବା  ଡାକ୍ତର  ଏହାକୁ  ଚିକିତ୍ସା  କରିବା  ଉଚିତ୍  ।

ଏହି  ଭୟାନକ  ରୋଗର   ପ୍ରତିଷେଧକ  ଟିକା  ନେଇ  ନ ଥିବା  ଲୋକମାନଙ୍କ  କ୍ଷେତ୍ରରେ  ହିଁ  ଧନୁଷ୍ଟଙ୍କାର  ଭୟ  ବେସୀ   । ଯେଉଁମାନେ  ଧନୁଷ୍ଟଙ୍କାର   ପ୍ରତିଷେଧକ  ନେଇ  ନ ଥାନ୍ତି,  ସେମାନଙ୍କ  କ୍ଷେତ୍ରରେ  ଧନୁଷ୍ଟଙ୍କାରର  ଭୟ  କମାଇବା  ପାଇଁ,  କ୍ଷତ  ହେଲା  ସଙ୍ଗେ  ସଙ୍ଗେ  ସେମାନଙ୍କୁ  ପେନିସିଲିନ  ବା  ଆମ୍ପିସିଲିନ  ଦିଅନ୍ତୁ   ।

ଧନୁଷ୍ଟଙ୍କାର  ପ୍ରତିଷେଧକ  ନେଇ  ନ ଥିବା  କୌଣସି  ବ୍ୟକ୍ତିଙ୍କର  ଯଦି  ଏ  ପ୍ରକାରର  ଗୁରୁତର  କ୍ଷତ  ହୁଏ,  ତେବେ  ତାଙ୍କୁ  ସପ୍ତାହେ  ବା  ତା’ଠାରୁ  ଅଧିକ  ଦିନ  ପର୍ଯ୍ୟନ୍ତ  ଅଧିକ  ମାତ୍ରାର  ପେନିସିଲିନ  ବା  ଆମ୍ପିସିଲିନ  ଦିଅନ୍ତୁ   । ଧନୁଷ୍ଟଙ୍କାର  ପ୍ରତି  ବିଷ   ମଧ୍ୟ  ବ୍ୟବହାର  କରାଯାଇପାରେ   । କିନ୍ତୁ  ଏହା  ବ୍ୟବହାର  କରିବା  ବେଳେ  ଆବଶ୍ୟକୀୟ  ସତର୍କତା  ଅବଲମ୍ବନ  କରନ୍ତୁ   ।

ଆଧାର – ଓଡିଶା ଭଲ୍ୟୁଣ୍ଟାରୀ ହେଲଥ ଆସୋସିଏସନ

3.5
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top