ସେଆର କରନ୍ତୁ

ରଜୋନିବୃତ୍ତି

ରଜୋନିବୃତ୍ତି ର ସୂଚନା

ଉପକ୍ରମ

(ଯେତେବେଳେ ସ୍ତ୍ରୀ ଲୋକମାନଙ୍କର ମାସିକ ଋତୁସ୍ରାବ ବନ୍ଦ ହୋଇଯାଏ)

ରଜୋନିବୃତ୍ତି ସ୍ତ୍ରୀମାନଙ୍କ ଜୀବନରେ ଏଭଳି ଏକ ସମୟ ଯେତେବେଳେ କି ତାଙ୍କର ମାସିକ ଋତୁସ୍ରାବ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଏ   । ରଜୋନିବୃତ୍ତି  ପରେ ନାରୀଟି ଗର୍ଭଧାରଣ ଶକ୍ତି ହରାଇ ବସେ  । ଅର୍ଥାତ୍ ସେ ଆଉ ଗାଏଭବତୀ ହୋଇପାରେ ନାହିଁ   । ସାଧାରଣତଃ ଜୀବନର ୪୦ ବର୍ଷରୁ ୫୦ ବର୍ଷ ମଧ୍ୟରେ ଏହି ପରିବର୍ତ୍ତନ ଆସିଥାଏ   । ମାସିକ ଋତୁସ୍ରାବ ସମ୍ପୂର୍ଣ୍ଣ ବନ୍ଦ ହେବାର କେତେମାସ ପୂର୍ବରୁ ମାସିକ ଋତୁସ୍ରାବରେ ଅନିୟମିତତା ଦେଖା ଦେଇଥାଏ   ।

ଏହି ସମୟରେ ବା ପରେ ଯୌନ କ୍ରିୟା ନ କରିବାର କିଛି କାରଣ ନାହିଁ  କିନ୍ତୁ ମହିଳା ମଧ୍ୟ ଏହି ସମୟରେ ଗର୍ଭଧାରଣ କରିପାରିବେ   ।ଯଦି ଜଣେ ମହିଳା ପିଲା ନ ଚାହୁଁଥାଆନ୍ତି ସେ ବିଭିନ୍ନ ଗର୍ଭ ନିରୋଧକ ଉପାୟ ରଜୋନିବୃତ୍ତି ପରେ ୧୨ ମାସ ପର୍ଯ୍ୟନ୍ତ କରିବା ଉଚିତ୍  ।

ରଜୋନିବୃତ୍ତିର ପ୍ରାଥମିକ ପର୍ଯ୍ୟାୟରେ ଜଣେ ମହିଳା ବ୍ୟଗ୍ରତା, କାତରତା ଓ ଅସହ୍ୟ ଗରମ ଅନୁଭୂତ କରିଥାଏ   । ଯେତେବେଳେ ରଜୋନିବୃତ୍ତି ଆରମ୍ଭ ହୁଏ  ଜଣେ ମହିଳା ନିଜକୁ ଗର୍ଭବତୀ ବୋଲି ଭାବେ   । କିନ୍ତୁ ତାହାର ଯେତେବେଳେ ୩/୪ ମାସ ପରେ ଋତୁସ୍ରାବ ହୁଏ  ସେ ଗର୍ଭପାତ ହୋଇଗଲା ପରି ଭାବିଥାଏ   । ଯଦି ଜଣେ ୪୦ ରୁ ୫୦ ବର୍ଷ ବୟସ୍କ ମହିଳାର ଋତୁସ୍ରାବ ହୁଏ ଏହା ରଜୋନିବୃତ୍ତି ଯୋଗୁଁ ହୋଇଥାଏ   ।

ଯଦି ରଜୋନିବୃତ୍ତି ସମୟରେ ଅତ୍ୟଧିକ ରକ୍ତସ୍ରାବ ହୁଏ ବା ପେଟରେ ଭୀଷଣ ବ୍ୟଥା ହୁଏ, ଅଥବା ଋତୁସ୍ରାବ ବନ୍ଦ ହେବାର କେତେମାସ ବା କେତେ ବର୍ଷ ପରେ ପୁନର୍ବାର ରକ୍ତସ୍ରାବ ହୁଏ ତେବେ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରନ୍ତୁ  ।ଏଭଳି ପରିସ୍ଥିତିରେ ଏହା କ୍ୟାନସର ଅଥବା ଅନ୍ୟ କୌଣସି ରୋଗ ତାହା ଜାଣିବା ପାଇଁ ଡାକ୍ତରୀ ପରୀକ୍ଷାର ଆବଶ୍ୟକତା ଅଛି   ।

ରଜୋନିବୃତ୍ତି ପରେ ମହିଳାମାନଙ୍କର ହାଡ ଦୁର୍ବଳ ହୋଇଯାଏ   । ଏଥିରୁ ରକ୍ଷା ପାଇବା ପାଇଁ ମହିଳାମାନେ କ୍ୟାଲସିୟମ ଯୁକ୍ତ ଖାଦ୍ୟ ଖାଇବା ଉଚିତ୍  । ଏହି ବୟସରେ ସେମାନେ ଅଧିକ ସମୟ ପାଇଥାନ୍ତି   । ତେଣି ନାତି ନାତୁଣୀଙ୍କ ସହ ମିଶି ବିତାଇବା ଉଚିତ୍ କିମ୍ବା କିଛି ହାଲକା କାମ କରିବା ଉଚିତ୍  ।

ଗର୍ଭଧାରଣ

ସ୍ତ୍ରୀର ଡିମ୍ବାଣୁ ଓ ପୁରୁଷ ଶୂକ୍ରାଣୁର ମିଳନରେ ଗର୍ଭଧାରଣ ହୋଇଥାଏ   । ମହିଳାର ବିଜକୋଷରୁ ପ୍ରତିମାସରେ ଋତୁ ସ୍ରାବର  ୨ ସପ୍ତାହ ପରେ ଗୋଟିଏ ଡିମ୍ବାଣୁ ବାହାରି ଫାଲୋପିଆନ  ଟ୍ୟୁବ ଦେଇ ଶୂକ୍ରାଣୁ ସହିତ ମିଳନ ଘଟିଥାଏ   । ଏହାପରେ ଡିମ୍ବବାହୀ ନାଲି ଦେଇ ଏହା ଜରାୟୁକୁ ଯାଇ ଭ୍ରୁଣରେ ରୂପାନ୍ତରିତ ହୋଇଥାଏ  । ମା’ର ଗର୍ଭାଶୟ  ମଧ୍ୟରେ ଏହା ପୂର୍ଣ୍ଣାଙ୍ଗ ଶିଶୁରେ ପରିଣତ ହେବା ପାଇଁ ୩୮ – ୪୦ ସପ୍ତାହ ଲାଗେ   ।

ଶିଶୁର ଲିଙ୍ଗ

ଜଣେ ଶିଶୁ ପୁଅ ହେବ କି ଝିଅ ହେବ ମିଳନ ସମୟରେ ହିଁ ସ୍ଥିର ହୋଇଥାଏ   । ମହିଳାମାନଙ୍କ ବିଜକୋଷରେ ଏକ୍ସ କ୍ରୋମୋଜୋନ ଥାଏ ଓ ପୁରୁଷ ଶୂକ୍ରାଣୁରେ ଏକ୍ସ ଓ ୱାଇ କ୍ରୋମୋଜୋନ ଥାଏ   । ଯୌନକ୍ରିୟା ସମୟରେ ଯଦି ଶୂକ୍ରାଣୁ ଏକ୍ସ କ୍ରୋମୋଜୋନ ଡିମ୍ବାଣୁ ସହିତ ମିଶେ ତେବେ ଝିଅ ହୋଇଥାଏ   । ସେହିପରି ଶୂକ୍ରାଣୁ ୱାଇ କ୍ରୋମୋଜୋନଥାଇ ମିଳନ ଘଟିଲେ ପୁଅ ହୁଏ   । ମହିଳାମାନଙ୍କର ବିଜକୋଷ ପୁଅ ହେବା ବା ଝିଅ ହେବା ସ୍ଥିର କରି ନ ଥାଏ   ।

ଆମ ଦେଶରେ ଅଧିକାଂଶ ମହିଳା ଝିଅ ଜନ୍ମ କରିବାଦ୍ଵାରା ସ୍ଵାମୀ, ଶାଶୁ, ଶ୍ଵଶୁର ସମସ୍ତଙ୍କଠାରୁ ଗଞ୍ଜଣା ଶୁଣିଥାନ୍ତି  । କିନ୍ତୁ ପୁଅ ବା ଝିଅ ଜନ୍ମ କେବଳ ପୁରୁଷ ଉପରେ ନିର୍ଭର କରେ  ।

ଗର୍ଭଧାରଣର ଲକ୍ଷଣ

*        ଗର୍ଭଧାରଣର ପ୍ରଥମ ଲକ୍ଷଣ ହେଉଛି ମାସିକ ଋତୁସ୍ରାବ ନ ହେବା  ।

*        ସକାଳ ଅସୁସ୍ଥତା (ବାନ୍ତି ବା ଅରୁଚି ଲାଗିବା) ଏହା ବିଶେଷ କରି ଗର୍ଭର ଦ୍ଵିତୀୟ ମାସରେ ଅଧିକ ହୋଇଥାଏ   । ତିନି ମାସ ପରେ ଏହା ଆପେ ଆପେ ଭଲ ହୋଇଯାଏ   ।

*        ସ୍ତନର ଆକାର ବୃଦ୍ଧି ପାଏ   ।

*        ବାରମ୍ବାର ପରିସ୍ରା ଲାଗେ   ।

*        ପେଟର ଆକାର ବୃଦ୍ଧି

*        ଗର୍ଭାଧାନର ଚିହ୍ନ (ମୁହଁ, ସ୍ତନ ଓ ପେଟରେ କଳା ଦାଗ)

*        ଶେଷରେ ଗର୍ଭର ୫ ମାସରେ ଭ୍ରୁଣ ପେଟରେ ବୁଲେ ଏବଂ ଏହି ବୁଲିବା ମା’କୁ ଜଣାପଡେ  ।

*        ଗର୍ଭର ୬ ମାସରେ ଗର୍ଭସ୍ଥ ଶିଶୁର ଅବସ୍ଥାନ ପୂର୍ଣ୍ଣ ଭାବରେ ଜଣାପଡେ   । ଏହି ସମୟରେ ଶିଶୁର ଅଙ୍ଗ ପ୍ରତ୍ୟଙ୍ଗ ମଧ୍ୟ ଜାଣିହୁଏ  ।

ଗର୍ଭାବସ୍ଥା ସମୟରେ କିପରି ସ୍ୱାସ୍ଥ୍ୟବତୀ ରହିବେ ?

*        ଉତ୍ତମରୂପେ ଭୋଜନ କରିବା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ଅଟେ   । ଶରୀର ପାଇଁ ପ୍ରୋଟିନ, ଭିଟାମିନ, ଓ ଧାତୁ ସାରା, ବିଶେଷତଃ ଲୌହତତ୍ଵ ଖାଦ୍ୟର ବିଶେଷ ପ୍ରୟୋଜନ ରହିଛି   ।

*        ଆରାମଦାୟକ ଓ ଢିଲା ଲୁଗା ପିନ୍ଧନ୍ତୁ  ।

*        ଗର୍ଭର ଶେଷ ମାନଙ୍କରେ ମା’ ଅଧିକ ବିଶ୍ରାମ ଓ ଶୋଇବା ଉଚିତ୍  । ରାତିରେ ୮ ଘଣ୍ଟା ଓ ଅପରାହ୍ନରେ ୨ ଘଣ୍ଟା ଶୋଇବା ଉଚିତ୍  ।

*        ଆୟୋଡିନ ଯୁକ୍ତ ଲବଣ ବ୍ୟବହାର କଲେ ଗର୍ଭରେ ଶିଶୁ ମୃତ୍ୟୁ ତଥା ବିକଳାଙ୍ଗ ହେବାର ଭୟ କମିଯାଏ  । (ମାତ୍ର ପାଦ ଫୁଲିବା ବା ଅନ୍ୟାନ୍ୟ ଅସୁବିଧାମାନ ଦେଖା ଦେଲେ ଅଧିକ ଆୟୋଡାଇଜଡ ଲବଣ ଖାଇବା ଉଚିତ୍ ନୁହେଁ )   ।

*        ପରିଚ୍ଛନ୍ନ ରହନ୍ତୁ : ପ୍ରତିଦିନ ଗାଧାନ୍ତୁ ଓ ପ୍ରତିଦିନ ଉତ୍ତମରୂପେ ଦାନ୍ତ ସଫା କରନ୍ତୁ   ।

*        ଗର୍ଭାବସ୍ଥାର ଶେଷ ମାସରେ ମୌଥୁନ କଲେ ପାଣିଥଳୀ ଫାଟିଯିବାର ଓ ଏହାଦ୍ଵାରା ଗୁରୁତର ସଂକ୍ରମଣ ଆଦି ହେବାର ଭୟ ଥାଏ  ।

*        ଯଦି ସମ୍ଭବ ହେଉଛି ତେବେ ଔଷଧ ଖାଆନ୍ତୁ  ନାହିଁ   ।କାରଣ କେତେକ ଔଷଧ ଗର୍ଭରେ ବଢୁଥିବା ଶିଶୁର ଅସୁବିଧା କରାଇଥାନ୍ତି, କେବଳ ସ୍ୱାସ୍ଥ୍ୟସେବୀ ବା ଡାକ୍ତରଙ୍କ ପରାମର୍ଶରେ ହିଁ ଔଷଧ ସେବନ କରନ୍ତୁ  (ଯଦି କୌଣସି ରୋଗ ପାଇଁ ଡାକ୍ତର ବା ସ୍ୱାସ୍ଥ୍ୟସେବୀ ଔଷଧ ଦେଇଥାନ୍ତି)। ଆପଣ ଯଦି ଗର୍ଭବତୀ ହୋଇଥିବାର ସନ୍ଦେହ କରୁଥାନ୍ତି ତେବେ ଔଷଧ ଲେଖିବା ପୂର୍ବରୁ ତାଙ୍କୁ କହିଦିଅନ୍ତୁ ) ଯଦି ଆପଣଙ୍କୁ ଆସ୍ପିରିନ ବା ଆଣ୍ଟାସିଡ ଭଳି ଅମ୍ଳ ବିରୋଧୀ ଔଷଧ ଗ୍ରହଣ କରିବାକୁ ପଡୁଥାଏ  ତେବେ ଏକ ସମୟରେ ଗୋଟିଏ ବଟିକା ଖାଇପାରନ୍ତି   । ଭିଟାମିନ୍  ବା ଲୌହଧାତୁ ସାରା ବଟିକା ନିର୍ଦ୍ଧାରିତ ପରିମାଣରେ ଗର୍ଭଧାରଣର ୩ ମାସ ପରେ ଖାଇଲେ ଏହା ହାନିକାରକ ନ ହୋଇ ବରଂ ଅତ୍ୟନ୍ତ ଉପକାରୀ ହୋଇଥାନ୍ତି  ।

*        ଧୂମପାନ ବା ମଦ୍ୟପାନ କରନ୍ତୁ ନାହିଁ  । ଗର୍ଭାବସ୍ଥା ସମୟରେ ଧୂମପାନ ବା ମଦ୍ୟପାନ କରିବା ଉଚିତ୍ ନୁହେଁ  । ଏହି ମାଦକ ଦ୍ରବ୍ୟ ଦୁଇଟି ମା’ର  କ୍ଷତି କରିବା ସଙ୍ଗେ ସଙ୍ଗେ ଶିଶୁର ମଧ୍ୟ ଅନେକ କ୍ଷତି ଘଟାଇଥାଏ   ।

*        ମିଳିମିଳା ହୋଇଥିବା ପିଲାଙ୍କଠାରୁ ଦୂରରେ ରୁହନ୍ତୁ, ବିଶେଷତଃ ଯେଉନମାନଙ୍କଠାରେ ଜର୍ମାନ ମିଳିମିଳା ହୋଇଥିବ, ତାଙ୍କଠାରୁ ନିଶ୍ଚିତରୂପେ ଦୂରରେ ରୁହନ୍ତୁ   ।

*        ଘରର କାମ ଧନ୍ଦା ତଥା ବ୍ୟାୟାମ କରନ୍ତୁ  । କିନ୍ତୁ ଅତ୍ୟଧିକ ହାଲିଆ  ହୋଇ ପଡିଲା ପରି କାମ କରନ୍ତୁ  ନାହିଁ  ।

*        ପୋକମରା ଔଷଧ, ବିଷ, ତଥା କାରଖାନାର ରାସାୟନିକ ପଦାର୍ଥଠାରୁ ଦୂରରେ ରୁହନ୍ତୁ   । ଏହାକୁ ଶୁଙ୍ଘିବା, ଧରିବା ସେଗୁଡିକର ଧୁଳି ଓ ଗନ୍ଧକୁ ଆଘ୍ରାଣ  କରିବାଦ୍ଵାରା ଗର୍ଭସ୍ଥ ଶିଶୁର କ୍ଷତି ହୁଏ   ।

ଗର୍ଭାବସ୍ଥାକାଳୀନ ଛୋଟ ଛୋଟ ସମସ୍ୟା

ଅଇ ଉଠିବା, ବାନ୍ତି ହେବା : ସାଧାରଣତଃ ସକାଳ ସମୟରେ ଦେଖାଦିଏ ଓ ଗର୍ଭର ୨ୟ ଓ ୩ୟ ମାସରେ ଏହି ଅନୁଭବ ଅଧିକତର ହୁଏ   । ଏଭଳି ପରିସ୍ଥିତିରେ ସକାଳୁ ଶେଯରୁ ଉଠିଲା ପରେ ଶୁଖିଲା ପାଉଁରୁଟି, ବିସ୍କୁଟ ବା କୌଣସି ଶୁଷ୍କଖାଦ୍ୟ ଖାଇଲେ କେତେକାଂଶରେ ଲାଭ ମିଳିଥାଏ   । ଏକକାଳୀନ ଗୁଡାଏ ଖାଆନ୍ତୁ ନାହିଁ  । ବରଂ ଗୋଟିଏ ଦିନରେ ଅଳ୍ପ ଅଳ୍ପ କରି ବହୁବାର ଖାଆନ୍ତୁ  । ଯଦି ପରିସ୍ଥିତି ଗୁରୁତର ହୁଏ ତେବେ ରାତ୍ରୀରେ ଶୋଇଲାବେଳେ ଓ ସକାଳୁ ଉଠିବା ସମୟରେ ଆଣ୍ଟିହିଷ୍ଟାମିନ୍ ଔଷଧ ଖାଆନ୍ତୁ   । ଚିକ୍କଣ ସ୍ନେହସାର ଜାତୀୟ ଖାଦ୍ୟ ଭକ୍ଷଣ କରନ୍ତୁ ନାହିଁ  । ୩ମାସ ପରେ ବାନ୍ତି ହୋଇଯିବା ଉଚିତ୍  । ଗର୍ଭଧାରଣର ଶେଷ ୩ ମାସରେ ଯଦି ବାନ୍ତି ହୁଏ ତେବେ ଏହା ବିପଦଜନକ  । ବିଶେଷ କରି ସ୍ତ୍ରୀ ଲୋକର ପାଦ ଫୁଲିଥିବ ଓ ମୁଣ୍ଡରେ ଯନ୍ତ୍ରଣା ହେଉଥିବ ଶୀଘ୍ର ଡାକ୍ତରଙ୍କୁ ଦେଖାନ୍ତୁ   ।

ନାଭି ବା ଛାତିରେ ଜ୍ଵଳନ ବା ପୀଡା : (ବଦହଜମି, ଆମ୍ବିଳା ହାକୁଟି  ମାରିବା ଓ ଛାତି ଜଳିବା ଏକ ସମୟରେ ଅଳ୍ପ ଅଳ୍ପ କରି ଖାଆନ୍ତୁ   । ଯଦି ସୁବିଧା ହେଉଛି ପିଅନ୍ତୁ  । ଶୋଇବାବେଳେ ଛାତି ଓ ମୁଣ୍ଡ ତଳେ ତକିଆ ତଥା କମ୍ବଳ ଆଦି ଦେଇ ଶୋଇବା ପାଇଁ ଚେଷ୍ଟା କରନ୍ତୁ  । ଅଧିକ ଭଜା ତେଲିଆ ଓ ମସଲା ଯୁକ୍ତ ଖାଦ୍ୟ ଖାଆନ୍ତୁ ନାହିଁ  ।

ପାଦଫୁଲା : ଦିନରେ କେତେବାର ପାଦକୁ ଏକ ଉଚ୍ଚ ଯାଗା ଉପରେ ରଖି ବିଶ୍ରାମ କରନ୍ତୁ   । ଲୁଣ ଅଳ୍ପ ଖାଆନ୍ତୁ ଓ ଲବଣ ଜାତୀୟ ଖାଦ୍ୟ ନ ଖାଇବାକୁ ଚେଷ୍ଟା କରନ୍ତୁ  । ମକା ଦାନାରେ ତିଆରି ଚା’ ପିଇଲେ ଲାଭ ମିଳିପାରେ   । ଯଦି ପାଦ ଖୁବ୍  ଜୋରରେ ଫୁଲିଯାଇଛି ଓ ପାଦଫୁଲା ସାଙ୍ଗକୁ ହାତ ଓ ମୁହଁ ଫୁଲିଯାଏ ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ କରନ୍ତୁ  । ଗର୍ଭାବସ୍ଥାର ଶେଷ ମାସମାନଙ୍କରେ  ଗର୍ଭାଶୟରେ ଶିଶୁର ଚାପ ଯୋଗୁଁ ଏହି ପାଦଫୁଲା ହୋଇଥାଏ   । ଯେଉଁ ସ୍ତ୍ରୀ ଲୋକଙ୍କର ରକ୍ତ ଶୂନ୍ୟତା ଥାଏ, ପୁଷ୍ଟିହୀନତା ଥାଏ ବା ଅଧିକ ଲୁଣ ଖାଇଥାନ୍ତି  ତାଙ୍କଠାରେ ଏହି ପାଦ ଫୁଲା ଅଧିକ ଭୟଙ୍କର  ଦେଖାଯାଏ  । ତେଣୁ ଅଳ୍ପ ବା ଆଦୌ ଲୁଣ ନ ଦେଇ ପୁଷ୍ଟିକର  ଖାଦ୍ୟ ଖାଆନ୍ତୁ   ।

ଅଣ୍ଟା ପଛ ପାଖରେ ବିନ୍ଧିବା : ଗଭାବସ୍ଥା ସମୟରେ ସାଧାରଣତଃ ଏହିପରି ବିନ୍ଧା ହୋଇଥାଏ   । ବ୍ୟାୟାମ କଲେ ତଥା ଠିଆ ହେଲାବେଳେ ବା ବସିଲାବେଳେ ମେରୁଦଣ୍ଡ ସିଧା କଲେ ଉପକାର ମିଳିଥାଏ  । କଠିନ ବିଛଣାରେ ଶୋଇଲେ ଓ ପିଠିର ମାଂସପେଶୀକୁ ମାଲିସ କଲେ ମଧ୍ୟ ଉପକାର ମିଳେ   ।

ରକ୍ତଶୂନ୍ୟତା ତଥା ପୁଷ୍ଟିହୀନତା : ଗ୍ରାମାଞ୍ଚଳରେ ବହୁ ସ୍ତ୍ରୀ ଲୋକଙ୍କର ଗର୍ଭାବସ୍ଥା ପୂର୍ବରୁ ରକ୍ତଶୂନ୍ୟତା ଥାଏ ଓ ଗର୍ଭାବସ୍ଥା ସମୟରେ ଏହି ରକ୍ତଶୂନ୍ୟତା ଉତ୍କଟତର  ହୋଇଥାଏ   । ଗର୍ଭାଶୟର ଶିଶୁକୁ ସୁସ୍ଥ ସବଳ କରିବାପାଇଁ ସ୍ତ୍ରୀ ଲୋକଟିକୁ ବହୁତ ପରିମାଣରେ ପ୍ରୋଟିନ ତଥା ଲୌହ ଧାତୁସାର  ଯୁକ୍ତ ଖାଦ୍ୟ ଖାଇବାକୁ ପଡିବ   । ଯଦି ସେ ଗର୍ଭବତୀ ନାରୀ ଅତ୍ୟଧିକ ଦୁର୍ବଳ ତଥା ନିସ୍ତେଜ ଦେଖାଯାଉଥାନ୍ତି  ଓ ତାଙ୍କଠାରେ ରକ୍ତଶୂନ୍ୟତା ତଥା ପୁଷ୍ଟିହୀନତାର ଅନ୍ୟାନ୍ୟ ଲକ୍ଷଣମାନ ପ୍ରକାଶ ପାଉଥାଏ, ସେ ପ୍ରଚୁର ପରିମାଣରେ ପ୍ରୋଟିନଯୁକ୍ତ ଖାଦ୍ୟ ଖାଇବା ଆବଶ୍ୟକ  । ଅଧିକ ପ୍ରୋଟିନ ପାଇଁ ସେ ବିନ୍, ବାଦାମ, କୁକୁଡା, ଘିଅ, ଅଣ୍ଡା, ମାଂସ, ମାଛ ଓ ସବୁଜ ତଟକା ପରିବା ଖାଇବା ଉଚିତ୍ ଏବଂ ଲୌହ ସାରଯୁକ୍ତ ବଟିକା ମଧ୍ୟ ଖାଇବା  ଆବଶ୍ୟକ ମଧ୍ୟ ପଡିଥାଏ   । ଯଦି ଅଧିକ ପରିମାଣରେ ସୁଷମ ଖାଦ୍ୟ ନ ମିଳେ, ଏହିଭଳି ଭାବରେ ସେ ତାଙ୍କର ରକ୍ତକୁ ପରିପୁଷ୍ଟ କରାଇ ଶିଶୁ ଜନ୍ମ ପରେ ହେଉଥିବା ଭୟଙ୍କର ରକ୍ତକ୍ଷୟକୁ ସହଜରେ ମୁକାବିଲା କରି ପାରିବେ   । ସୁବିଧା ହେଲେ ଲୌହ ବଟିକା ସାଙ୍ଗରେ କିଛି ପରିମାଣରେ ଫୋଲିକଏସିଡ୍  ଓ ଖାଦ୍ୟପ୍ରାଣ ‘ଗ’ ସଂଯୁକ୍ତ ହେବା ଭଲ   ।

ଶୀରା ଫୁଲିବା (ନାଗରା ଶୀରା) ଗର୍ଭାବସ୍ଥା  ସମୟରେ ଏହା ସାଧାରଣତଃ ଦେଖାଦେଇଥାଏ  । କାରଣ ଶିଶୁର ଓଜନ ତଥା ଚାପ ଗୋଡ ଆଡୁ ଆସୁଥିବା ଶୀରା ଉପରେ ପଡିଥାଏ   । ଆପଣଙ୍କର ପାଦକୁ ଯେତେ ଉଚ୍ଚ ସମ୍ଭବ ବାରମ୍ବାର ଟେକି ରଖନ୍ତୁ  । ଯଦି ଶୀରା ଗୁଡିକ ଖୁବ୍ ଜୋରରେ ଫୁଲିଯାଇଥାଏ  ତେବେ ଇଲାଷ୍ଟିକ ପଟିରେ ଏହିପରି ବାନ୍ଧି ଦିଅନ୍ତୁ   । ରାତ୍ରିରେ ଏହି ପଟି ଖୋଲି ଦିଅନ୍ତୁ  ।

ଅର୍ଶ : ଏହା ମଳ ଦ୍ଵାରରେ ଥିବା ନାଗରା ଶୀରାରେ ହୁଏ   । ଗର୍ଭାଶୟରେ ଶିଶୁର ଓଜନ ଯୋଗୁଁ ଏହା ହୋଇଥାଏ   । ଝାଡା କଠିନ ହେଲେ ଏହା ତୀବ୍ର ହୁଏ   । ଯନ୍ତ୍ରଣା କମାଇବାପାଇଁ  ଖୋଲା ଯାଗାରେ ପିଚା ଉପରକୁ ଟେକି ଏହିପରିଭାବେ ଆଣ୍ଠାନ୍ତୁ । କିମ୍ବା ଗୋଟିଏ ଗମଲାରେ ଉଷୁମ ପାଣିରେ ପଟାସିୟମ ପରମାଙ୍ଗାନେଟ୍  ମିଶାଇ ଦିନକୁ ଦୁଇ ତିନିଥର ୩୦ ମିନିଟ୍ ଲେଖାଏଁ ବସନ୍ତୁ  ।

କୋଷ୍ଠ କାଠିନ୍ୟ : ପ୍ରଚୁର ପରିମାଣରେ ପାଣି ପିଅନ୍ତୁ  । ତନ୍ତୁ ଯୁକ୍ତ ଖାଦ୍ୟ ଏବଂ ଫଳ ଅଧିକ ଖାଆନ୍ତୁ, ଯଥା : - ଫଳ, ଅମୃତଭଣ୍ଡା, ଓ ଛୁଇଁ ଇତ୍ୟାଦି  । ଅଧିକ ବ୍ୟାୟାମ କରନ୍ତୁ   । ବିରେଚକ ଔଷଧ ସେବନ କରନ୍ତୁ ନାହିଁ   ।

ଗର୍ଭ ସମୟରେ ଯୋନି ସ୍ରାବ ଅଧିକ ଆହୋଇଥାଏ   । ପରିଷ୍କାର ପରିଚ୍ଛନ୍ନ ରହିବାଦ୍ଵାରା ଏହା କମିଯାଏ  । ଯଦି ଏହି ଯୋନି ସ୍ରାବ ହଳଦିଆ ରଙ୍ଗର ହୋଇଥାଏ ବା ଗନ୍ଧଯୁକ୍ତ ହୁଏ ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ କରିବା ଉଚିତ୍  ।

ଗୋଡ ଆକୁଞ୍ଚନ ହେତୁ ଯନ୍ତ୍ରଣା

ମୃଦୁ ମାଲିସ୍ ମାଂସପେଶୀ ଆକୁଞ୍ଚନ ଜନିତ ଯନ୍ତ୍ରଣା ଲାଘବ କରିଥାଏ   ।

ଗର୍ଭାବସ୍ଥା କାଳରେ କ୍ଷତିକାରକ ଲକ୍ଷଣ

ରକ୍ତସ୍ରାବ :

ଗର୍ଭାବସ୍ଥା କାଳରେ ଯଦି ନାରୀଟିର ସାମାନ୍ୟ ରକ୍ତସ୍ରାବ ହୁଏ ତେବେ ତାହା ଭୟଙ୍କର ଲକ୍ଷଣ ଅଟେ   । ଗର୍ଭପାତ ହେବାର ଅଧିକ ସମ୍ଭାବନା ଥାଏ   । ଗର୍ଭସ୍ଥ ଶିଶୁ ନଷ୍ଟ ହୁଏ   । ସ୍ତ୍ରୀ ଲୋକଟିକୁ ଚୁପଚାପ ଶୁଆଇ ରଖି ତୁରନ୍ତ ସ୍ୱାସ୍ଥ୍ୟସେବୀଙ୍କୁ ଡକାଇ ପଠାଇବା ଦରକାର  । ଯଦି ୬ ମାସ ଗର୍ଭଧାରଣ ପରେ ରକ୍ତସ୍ରାବ ହୁଏ,  ତେବେ ଧରାଯିବ ଗର୍ଭଫୁଲଦ୍ଵାରା ପ୍ରସାବ ଦ୍ଵାର ବନ୍ଦ ହୋଇଛି   । ଏହି ସମୟରେ ଯଦି ବିଶେଷଜ୍ଞମାନଙ୍କର ସହାୟତା ନ ମିଳେ ତେବେ ଅତ୍ୟଧିକ ରକ୍ତସ୍ରାବ ଜନିତ କାରଣରୁ ନାରୀଟିକୁ ମୃତ୍ୟୁ ବରଣ  କରିବାକୁ ପଡିଥାଏ   । ତେଣୁ ତାଙ୍କୁ ଯଥାଶୀଘ୍ର ଡାକ୍ତରଖାନା ନେଇଯିବାର ବନ୍ଦୋବସ୍ତ କରନ୍ତୁ   ।

ଭୟଙ୍କର ରକ୍ତଶୂନ୍ୟତା :

ସ୍ତ୍ରୀ ଲୋକଟି ଦୁର୍ବଳ, ନିସ୍ତେଜ ଦେଖାଯାନ୍ତି ଓ ତାଙ୍କର ଚର୍ମ ବିଶେଷ ମିଳନ ଦେଖାଯାଏ   । ଯଦି ଉପଯୁକ୍ତ ଚିକିତ୍ସା ନ କରାଯାଏ  ତେବେ ଶିଶୁ ଜନ୍ମ କରୁଥିବା ସମୟରେ ରକ୍ତ ଅଭାବରୁ ସ୍ତ୍ରୀ ଲୋକଟିକୁ ମୃତ୍ୟୁ ବରଣ କରିବାକୁ ପଡିଥାଏ   । ଯଦି ରକ୍ତଶୂନ୍ୟତା ଭୟଙ୍କର ହୋଇଥାଏ ତେବେ କେବଳ ପୁଷ୍ଟିକର ଖାଦ୍ୟ ଅବସ୍ଥାକୁ  ଠିକ୍ ସମୟରେ ସୁଧାରି ପାରେନାହିଁ  । ଜଣେ ସ୍ୱାସ୍ଥ୍ୟସେବୀଙ୍କ ଠାରୁ ଲୌହ ସାରଯୁକ୍ତ ବଟିକା ଓ ଲୌହ ଲବଣଯୁକ୍ତ ଇଞ୍ଜେକ୍ସନ ନିଅନ୍ତୁ  । ଯଦି ସମ୍ଭବ ହୁଏ ତେବେ ଡାକ୍ତରଖାନାରେ ତାହାଙ୍କର ଶିଶୁ ପ୍ରସବ ହେବା ଉଚିତ୍  । କାରଣ ଅଧିକ ରକ୍ତ ଆବଶ୍ୟକ ପଡିଲେ ସେଠାରୁ ସହଜରେ ମିଳିପାରେ   ।

ଫୁଲା :

ପାଦ, ହାତ, ମୁହଁ, ଫୁଲିଲେ, ମୁଣ୍ଡ ବିନ୍ଧିଲେ, ମୁଣ୍ଡ ଘୂରିଲେ, ଜାଲୁଜାଳୁଆ ଦେଖା ଦେବା ଲକ୍ଷଣ ମାନ ଦେଖା ଦେଲେ ତାହା ଟକସିମିଆ ବା ଗର୍ଭାବସ୍ଥା ବିଷାକ୍ତକାରଣ ଅଟେ   । ହଠାତ୍ ଓଜନ ବଢିଯିବା, ଉଚ୍ଚ ରକ୍ତଚାପ ଦେଖା ଦେବା ଓ ପରିସ୍ରାରେ ଅଧିକ ପରିମାଣରେ ପ୍ରୋଟିନ ନିର୍ଗତ ହେବା ଆଦି ମଧ୍ୟ ଅନେକ ଗୁରୁତ୍ଵପୂର୍ଣ୍ଣ ଲକ୍ଷଣ ଅଟେ   । ଏଥିପାଇଁ ଯଦି ସମ୍ଭବ ହେଉଛି  ଧାଈ ଅଥବା ସ୍ୱାସ୍ଥ୍ୟସେବୀଙ୍କ ପାଖକୁ ଯାଇ ଏହି ଘଟଣାର ପରୀକ୍ଷା କରି ଦିଅନ୍ତୁ   ।

ଗର୍ଭାବସ୍ଥାରେ ଟକ୍ସିମିଆ  ଥିଲେ ରୋଗୀକୁ ଡାକ୍ତରଙ୍କ ପାଖକୁ ନିଅନ୍ତୁ  । ଏହାଦ୍ଵାରା ରୋଗୀର ଜୀବନ ଗର୍ଭସ୍ଥ ଶିଶୁର ଜୀବନ ରକ୍ଷା କରାଯାଇପାରିବ   ।

ଗର୍ଭାବସ୍ଥା ବିଷାକ୍ତ କାରଣ ଚିକିତ୍ସା ପାଇଁ ଗୋଟିଏ ନାରୀକୁ ଏହା କରିବା ଉଚିତ୍  ।

*        ଉପରବେଳା କେତେ ଘଣ୍ଟା ପାଇଁ ସ୍ଥିର ଭାବରେ ବିଛଣାରେ ଶୋଇ ରୁହନ୍ତୁ   ।

*        ଲୁଣ ଖାଆନ୍ତୁ ନାହିଁ  । (ଲୁଣ ଆଦୌ ଖାଆନ୍ତୁ ନାହିଁ ଅଥବା ଲବଣଯୁକ୍ତ ଖାଦ୍ୟ ମଧ୍ୟ ଖାଆନ୍ତୁ  ନାହିଁ )  ।

*        ଜଡିଏ ସେ ଶୀଘ୍ର ଆରୋଗ୍ୟ ହେଉ ନାହାନ୍ତି ଏବଂ ଦେଖିବାରେ ସେ କଷ୍ଟ ଅନୁଭବ କରୁଛନ୍ତି, ମୁହଁ ଖୁବ୍ ଜୋରରେ ଫୁଲିରହିଛି ବା ବେଳେବେଳେ ମୂର୍ଚ୍ଛା ହୋଇ ଯାଉଛନ୍ତି, ତେବେ ଅତି ଶୀଘ୍ର ଡାକ୍ତରଖାନାକୁ ନେଇ ଯା’ନ୍ତୁ  । ଆରଣ ତାଙ୍କର ଜୀବନ ବିପଦ ସଙ୍କୁଳ  ।

ଯଦି କେବଳ ଆପଣଙ୍କର ପାଦ ଫୁଲିଛି ତେବେ ତାହା କ୍ଷତି କାରକ ନୁହେଁ, କିନ୍ତୁ ଗର୍ଭ ବିଷାକ୍ତ ହେବାର ଅନ୍ୟାନ୍ୟ କାରଣ ପ୍ରତି ଦୃଷ୍ଟି ଦିଅନ୍ତୁ  । ଆଦୌ ଲୁଣ ଖାଆନ୍ତୁ ନାହିଁ   । ନିହାତି ଆବଶ୍ୟକ ହେଲେ ସାମାନ୍ୟ ଟିକେ ଖାଇ ପାରନ୍ତି   ।

ଗର୍ଭବିଷାକ୍ତ କରଣ ଏଡାଇବାକୁ ହେଲେ : ଅତ୍ୟଧିକ ପ୍ରୋଟିନ ଯୁକ୍ତ ସୁଷମ ଖାଦ୍ୟ ଖାଆନ୍ତୁ  । ଅଧିକ ଓଜନ ବୃଦ୍ଧି, ହାତ ଓ ପାଦରେ ଶୋଥ ତଥା ନିଦ୍ରାନାଶ ହେଉଥିଲେ ପ୍ରସବ ପୂର୍ବରୁ ଭଲଭାବେ ସତର୍କତା ଅବଲମ୍ବନ କରିବା ଉଚିତ୍  ।

ଗର୍ଭାବସ୍ଥା ସମୟରେ ପରୀକ୍ଷା ବା ଯାଞ୍ଚ : (ପ୍ରସବ ପୂର୍ବ ଯତ୍ନ)

ବହୁ ସ୍ୱାସ୍ଥ୍ୟ କେନ୍ଦ୍ର ତଥା ଧାଈମାନେ ଗର୍ଭବତୀ ନାରୀମାନଙ୍କୁ ଉତ୍ସାହିତ କରିବାକୁ ନିୟମିତ ପ୍ରସବପୂର୍ବ  ପରୀକ୍ଷା କରିବା ପାଇଁ ତଥା ନିଜର ସ୍ୱାସ୍ଥ୍ୟ ସମନ୍ଧୀୟ ଅନ୍ୟାନ୍ୟ ସମସ୍ୟା ସଂକ୍ରାନ୍ତରେ କଥାବାର୍ତ୍ତା ହେବାପାଇଁ ଆସିବାକୁ କହିଥାନ୍ତି  । ଯଦି ଆପଣ ଗର୍ଭବତୀ ଥାଆନ୍ତି  ଓ କେବେକେବେ ଏହି ପରୀକ୍ଷା ପାଇଁ ଯାଆନ୍ତି ତେବେ ଆପଣ ନିଜେ ବହୁତ ସ୍ୱାସ୍ଥ୍ୟ ସମସ୍ୟା ସମାଧାନ ବାଟ ଶିଖି ପାରିବେ ଏବଂ ଶିଶୁ କିପରି ସୁସ୍ଥ ସବଳ ହୋଇପାରିବ ତାହା ମଧ୍ୟ ଶିଖି ପାରିବେ   ।

ବିପଦପୂର୍ଣ୍ଣ ଗର୍ଭବତୀ ମହିଳା

କେତେକ ମହିଳାଙ୍କର ଗର୍ଭଧାରଣ ସମୟରେ ବା ପ୍ରସବ ସମୟରେ ବିପଦପୂର୍ଣ୍ଣ ଜଟିଳତା ଦେଖାଦେଇଥାଏ  । ଯାହା ମହିଳାମାନଙ୍କୁ ମୃତ୍ୟୁମୁଖରେ ପକାଇଥାଏ   । ଏହି ମହିଳା ସାଧାରଣତଃ ୨୦ ବର୍ଷ ପୂର୍ବରୁ ଗର୍ଭଧାରଣ କରିଥାନ୍ତି ବା ୩୫ ବର୍ଷ ପରେ ଗର୍ଭଧାରଣ କରିଥାନ୍ତି  । ଏଥି ସହିତ ଯେଉଁ ମହିଳା ୪ ଥରରୁ ଅଧିକ ଗର୍ଭଧାରଣ କରନ୍ତି, କୁପୋଷଣରେ ଆକ୍ରାନ୍ତ ମହିଳା, ଧୂମପାନ କରୁଥିବା ମହିଳା ବା ଯେଉଁ ମହିଳାଙ୍କର ଗର୍ଭାବସ୍ଥା ବିଷାକ୍ତକରଣ ଇତିହାସ ଥାଏ ସେମାନେ ବିପଦପୂର୍ଣ୍ଣ ଗର୍ଭଧାରଣ କରିଥାନ୍ତି   । ଏହି ବିପଦପୂର୍ଣ୍ଣ ଗର୍ଭଧାରଣ କରୁଥିବା ମହିଳା ନିୟମିତ ପ୍ରସବ ପୂର୍ବ ଯତ୍ନ ଓ ଶରୀର ଯାଞ୍ଚ କରିବା ଉଚିତ୍  ।

ଯଦି ଆପଣ ଜଣେ ଧାଈ ହୋଇଥାଆନ୍ତି : ତେବେ ଆପଣ ମାଆ ହେବାକୁ ଯାଉଥିବା ନାରୀମାନଙ୍କୁ ତଥା ଜନ୍ମ ହେବାକୁ ଥିବା ଶିଶୁମାନଙ୍କର ଅଶେଷ ଉପକାର କରିବେ ଯଦି ସେମାନଙ୍କୁ ପ୍ରସବ ପୂର୍ବ  ପରୀକ୍ଷା ପାଇଁ ବାରମ୍ବାର ଡାକନ୍ତି ବା ନିଜେ ସେମାନଙ୍କୁ ଦେଖିବା ପାଇଁ ଯାଆନ୍ତି  । ଗର୍ଭବତୀ ନାରୀମାନଙ୍କୁ ଗର୍ଭାବସ୍ଥାର ପ୍ରଥମ ଆଠମାସ ପର୍ଯ୍ୟନ୍ତ ମାସକୁ ଥରେ ଲେଖାଏଁ ଓ ଶେଷ ମାସରେ ପ୍ରତି ସପ୍ତାହରେ ଥରେ ଲେଖାଏଁ ଦେଖାଇବାକୁ ଯିବା ସବୁଠୁ ଭଲ   । ଗର୍ଭବତୀ ମା’ ଓ ଗର୍ଭସ୍ଥ ଶିଶୁ ଉପଯୁକ୍ତଭାବେ ଅଛନ୍ତି କି ନାହିଁ। ଶିଶୁଟି ଠିକ୍ ଭାବେ ବାଢୁଛି କି ନାହିଁ, ତଥା କିଛି ଯଦି ଅସୁବିଧା ଘଟୁଥାଏ  ତେବେ ତାହା ଜଣାପଡିଯାଇଥାଏ  ।

ପ୍ରସବ ପୂର୍ବ ସମୟରେ କେତେକ ଜରୁରୀ ନିୟମମାନଙ୍କ ଉପରେ ଧ୍ୟାନ ଦେବା ଉଚିତ୍ ?

ମାସିକ ଋତୁସ୍ରାବ କେବେ ଆରମ୍ଭ ହୋଇଥିଲା ସେହି ଅନୁସାରେ ହିସାବ କରନ୍ତୁ ସେ କେବେ ପ୍ରସବ କରିବେ   ।

ନିଜେ ଜାଣିଥିବା କଥା ଅନ୍ୟକୁ ଜଣାଇବା : ମାଆକୁ ତାଙ୍କର ସମସ୍ୟା ତଥା ଆବଶ୍ୟକତା ସମ୍ବନ୍ଧରେ ପଚାରନ୍ତୁ  । ସେ କେତେଥର ପିଲା ଜନ୍ମ କଲେଣି ପଚାରି ବୁଝନ୍ତୁ : ତାଙ୍କର ଶେଷ ସନ୍ତାନ କେବେ ହୋଇଥିଲା ସେ ସମୟରେ ଅଥବା ସନ୍ତାନ ଜନ୍ମ କାଳରେ କିଛି ଅସୁବିଧା ସୃଷ୍ଟି ହୋଇଥିଲା କି ? ସେ ନିଜେ କିପରି ସୁସ୍ଥ ରହି ପାରିବେ ଓ ତାଙ୍କର ଶିଶୁଟି କିପରି ସୁସ୍ଥ ରହି ପାରିବ ସେ ସଙ୍କ୍ରାନ୍ତରେ କଥାବାର୍ତ୍ତା କରନ୍ତୁ   । ଯଥା :

*        ଠିକ୍ ପରିମାଣରେ ଖାଇବା – ତାଙ୍କୁ ଅଧିକ ପ୍ରୋଟିନ ଥିବା ଭିଟାମିନ୍ ଯୁକ୍ତ ଲୌହସାର ଓ କାଲସିୟମ ଯୁକ୍ତ ଖାଦ୍ୟ ଖାଇବାକୁ  ପ୍ରବର୍ତ୍ତାନ୍ତୁ  ।

*        ଉତ୍ତମ ପରିଚ୍ଛନ୍ନତା

*        ଆଦୌ ଔଷଧ ସେବନ କରନ୍ତୁ ନାହିଁ ବା ଖୁବ୍ କମ୍ ଔଷଧ ସେବନ କରନ୍ତୁ   ।

*        ଧୂମପାନ କରନ୍ତୁ ନାହିଁ ଓ ମଦ୍ୟପାନ କରନ୍ତୁ ନାହିଁ  ।

*        ଅଧିକ ମାତ୍ରାରେ ବ୍ୟାୟାମ ତଥା ବିଶ୍ରାମ  ।

*        ନବଜାତମାନଙ୍କୁ ଧନୁଷ୍ଟଙ୍କାର ରୋଗରୁ ରକ୍ଷା କରିବା ପାଇଁ ମହିଳାମାନଙ୍କୁ ୫ ଟି ଟିକା ନେବାକୁ ପଡିଥାଏ  ।

ଧନୁଷ୍ଟଙ୍କାର ଟିକା ୧ : ଗର୍ଭଧାରଣ ସମୟରେ ଯେତେଶୀଘ୍ର ସମ୍ଭବ (୪ ମାସରୁ ୬ ମାସ ମଧ୍ୟରେ)

ଧନୁଷ୍ଟଙ୍କାର ଟିକା ୨ : ପ୍ରଥମ ଟିକା ନେବାର ୧ ମାସ ବା ୪ ସପ୍ତାହ ପରେ

ଧନୁଷ୍ଟଙ୍କାର ଟିକା ୩ : ଟିକା ଦୁଇ ନେବାର ୬ ମାସ ପରେ କିମ୍ବା ଗର୍ଭଧାରଣ ସମୟରେ

ଧନୁଷ୍ଟଙ୍କାର ଟିକା ୪ : ଟିକା ତିନି ନେବାର ୧ ବର୍ଷ ପରେ କିମ୍ବା ପରବର୍ତ୍ତୀ ଗର୍ଭଧାରଣ ସମୟରେ

ଧନୁଷ୍ଟଙ୍କାର ଟିକା ୫ : ଟିକା ଚାରି ନେବାର ୧ ବର୍ଷ ପରେ କିମ୍ବା ପରବର୍ତ୍ତୀ ଗର୍ଭଧାରଣ ସମୟରେ

ସ୍ତନ୍ୟପାନ

ସ୍ତନ୍ୟପାନର ମହତ୍ଵ ମା’କୁ ବୁଝାନ୍ତୁ  । ମା’କ୍ଷୀର ସବୁଠାରୁ ଶିଶୁପାଇଁ ଉତ୍ତମ ଖାଦ୍ୟ ଅଟେ ଓ ଏହା ଶିଶୁକୁ ସଂକ୍ରମଣରୁ ରକ୍ଷା କରିଥାଏ   ।

ପୁଷ୍ଟିକାରକ ଖାଦ୍ୟ

ମା’ ପୂର୍ଣ୍ଣ ସ୍ୱାସ୍ଥ୍ୟବତୀ ଦେଖା ଯାଉଛନ୍ତି କି ? ତାଙ୍କର ରକ୍ତଶୂନ୍ୟତା ଅଛି କି ? ଯଦି ଥାଏ ତା’ ହେଲେ ଭଲ ଖାଦ୍ୟ ଖାଇବା ପାଇଁ ପରାମର୍ଶ ଦିଅନ୍ତୁ  । ଯଦି ସମ୍ଭବ ହେଉଛି ସେ ଲୌହସାର ଯୁକ୍ତ ବଟିକାସହ ଫୋଲିକ ଏସିଡ ଓ ଭିଟାମିନ୍ ‘ସି’ ଗ୍ରହଣ କରିବାକୁ କୁହନ୍ତୁ   । ସକାଳ ବାନ୍ତି, ଛାତି ପୋଡାଜଳା ଆଦି ପାଇଁ ସତର୍କ ହେବା ନିମନ୍ତେ ତାହାଙ୍କୁ କୁହନ୍ତୁ   ।

ତାଙ୍କର ଓଜନ ସାଧାରଣଭାବେ ବଢୁଛି କି ? ସମ୍ଭବ ହେଲେ ସେ ଯେତେଦୂର ଆସୁଛନ୍ତି ପ୍ରତିଥର ତାଙ୍କର ଓଜନ କରନ୍ତୁ   । ସାଧାରଣଭାବେ ୯ ମାସ ଗର୍ଭାବସ୍ଥା ସମୟରେ ତାଙ୍କର ୮ରୁ ୧୦ କିଲୋଗ୍ରାମ ଓଜନ ବଢିବା ଉଚିତ୍  । ଯଦି ତାଙ୍କର ଓଜନ ବଢିବା ବନ୍ଦ ହୋଇଯାଏ, ତାହା ଏକ ଖରାପ ଲକ୍ଷଣ   । ଯଦି ଶେଷମାସ ମାନଙ୍କରେ ହଠାତ ଓଜନ ବୃଦ୍ଧି ପାଏ ତେବେ ତାହା ଅତ୍ୟନ୍ତ ବିପଦଜନକ ସଙ୍କେତ   । ଯଦି ଆପଣଙ୍କ ପାଖରେ ଓଜନ କରିବାକୁ ତରାଜୁ ନାହିଁ ତେବେ ତାଙ୍କ ଚେହେରା ଦେଖି ନିର୍ଦ୍ଧାରଣ କରନ୍ତୁ, ତାଙ୍କର ଓଜନ ବଢୁଛି କି ନାହିଁ   ।

କିମ୍ବା ନିଜେ ଏକ ସାଧାରଣ ତରାଜୁ ତିଆରି କରନ୍ତୁ   ।

ଇଟା କିମ୍ବା ଅନ୍ୟ କୌଣସି ଓଜନିଆ କିଣିଷକୁ ଏହିପରିଭାବେ ରଖି ଓଜନ କରିପାରନ୍ତି  । ଯଦି ସମ୍ଭବ ହୁଏ ତେବେ ଗର୍ଭବତୀ ମହିଳାର ପରିସ୍ରା ପରୀକ୍ଷା କରି ସେଥିରେ ସୁଗାର ବା ଆଲବୁମିନ ଅଛି କି ନାହିଁ ଦେଖନ୍ତୁ  । ନିୟମିତ ରକ୍ତଚାପ ପରୀକ୍ଷା କରନ୍ତୁ   । ରକ୍ତପରୀକ୍ଷାକରି ଜାଣନ୍ତୁ ଯେ ମା’ର ରକ୍ତହୀନତା କିମ୍ବା ଯୌନ ରୋଗ ଅଛି କି ନାହିଁ   ।

ଛୋଟ ଛୋଟ ସମସ୍ୟା : ଗର୍ଭାବସ୍ଥାର ସାଧାରଣ ଲକ୍ଷଣମାନଙ୍କ ସଂକ୍ରାନ୍ତରେ ମାଆକୁ ପଚାରନ୍ତୁ ଏବଂ ଏଗୁଡିକ ଯେ କ୍ଷତିକାରକ ନୁହେଁ  ମାଆକୁ ବୁଝାଇ ଦିଅନ୍ତୁ ଏବଂ ତାହା ସଙ୍ଗେ ସଙ୍ଗେ ତାଙ୍କୁ ଉପଯୁକ୍ତ ଉପଦେଶ ମଧ୍ୟ ଦିଅନ୍ତୁ   ।

କ୍ଷତି କାରକ ଲକ୍ଷଣ : ପ୍ରତିଥର ଗର୍ଭବତୀ ସ୍ତ୍ରୀକୁ ଦେଖିବାକୁ ଆସୁଥିବା ସମୟରେ ତାଙ୍କର ନାଡିର ଗତି ଲେଖି ରଖନ୍ତୁ   । ଏହାଦ୍ଵାରା ଆପଣଙ୍କୁ ଜଣା ପଡିବ ଯେ ପରବର୍ତ୍ତୀ ସମୟରେ ଗର୍ଭଣୀର ଯଦି କୌଣସି ବିଶେଷ ସମସ୍ୟା ଦେଖାଦିଏ  ତାକୁ ଆୟତ୍ତ କରିବାକୁ ବିଶେଷ କଷ୍ଟ ହେବ ନାହିଁ (ଉଦାହରଣ ସ୍ୱରୂପ ଗର୍ଭବିଷାକ୍ତ ହେବା ବା ଅତ୍ୟଧିକ ରକ୍ତସ୍ରାବ ହେବା) । ଯଦି ଆପଣଙ୍କ ପାଖରେ ରକ୍ତଚାପ ମାପ ଯନ୍ତ୍ର ଥାଏ, ତେବେ ତାଙ୍କର ରକ୍ତଚାପ ମାପ କରନ୍ତୁ   । ତାଙ୍କର ଓଜନ ନିଅନ୍ତୁ   । ନିମ୍ନଲିଖିତ ଭୟଙ୍କର ଲକ୍ଷଣମାନଙ୍କ ପ୍ରତି ବିଶେଷ ସତର୍କ ଦୃଷ୍ଟି ଦିଅନ୍ତୁ  ।

*        ହଠାତ୍ ଓଜନ ବଢିଲେ

*        ହାତ ଓ ମୁହଁ ଫୁଲିଲେ

*        ରକ୍ତଚାପ ବୃଦ୍ଧି ପାଇଲେ

*        ଅତ୍ୟଧିକ ରକ୍ତଶୂନ୍ୟତା ଦେଖା ଦେଲେ

*        ରକ୍ତସ୍ରାବ ହେଲେ

ସମସ୍ତ ଗର୍ଭବତୀ ସ୍ତ୍ରୀଙ୍କର ପରିସ୍ରା ପରୀକ୍ଷା କରନ୍ତୁ  । ଏହାଦ୍ୱାରା ପରିସ୍ରା ଯନ୍ତ୍ରରେ ସଂକ୍ରମଣ ଓ ପରିସ୍ରାରେ ପ୍ରୋଟିନ୍ ଅଛି କି ନାହିଁ  ଜାଣିହେବ   ।

କେତେକ ଧାଈମାନଙ୍କ ପାଖରେ ପରିସ୍ରାରେ ବୁଡାଇବା କାଗଜ ପଟି ବା ଅନ୍ୟ କୌଣସି ସେହିଭଳି ଯନ୍ତ୍ର ଥାଏ ଯାହାଦ୍ଵାରା କି ପରିସ୍ରାରୁ ନିର୍ଗତ ହେଉଥିବା ପ୍ରୋଟିନ୍ ଓ ଶର୍କରା ଆଦି ଯାଞ୍ଚ କରାଯାଇପାରେ  । ଅତ୍ୟଧିକ ପ୍ରୋଟିନ  ନିର୍ଗତ ହେଉଥିଲେ ତାହା ଗର୍ଭ ବିଷାକ୍ତ କରଣ ରୋଗର ସୂଚନା ଅଟେ  ଓ ଅତ୍ୟଧିକ ଶର୍କରା ନିର୍ଗତ ହେଉଥିଲେ ତାହା ମଧୁମେହ  ରୋଗର ସୂଚନା କାରକ ଅଟେ   ।

ଏଥି ମଧ୍ୟରୁ ଯଦି ଗୋଟିଏ ଭୟଙ୍କର ଲକ୍ଷଣ ଦେଖା ଦେଉଛି ତେବେ ସ୍ତ୍ରୀ ଲୋକଟିକୁ ଯଥା ଶୀଘ୍ର ଡାକ୍ତରଖାନା ନେଇ ଚାଳନ୍ତୁ ଓ ଡାକ୍ତରଖାନାରେ ଶିଶୁ ଜନ୍ମ କରିବା ହିଁ ନିରାପଦ ଅଟେ   ।

ଗର୍ଭାଶୟରେ ଶିଶୁର ସ୍ଥିତି ଓ ବିକାଶ :

ଯେତେଥର ମାଆ ତାଙ୍କର ଗର୍ଭ ପରୀକ୍ଷା ପାଇଁ ଆସୁଛନ୍ତି, ତାଙ୍କର ଗର୍ଭାଶୟ ପରୀକ୍ଷା କରନ୍ତୁ ଓ ତାଙ୍କୁ ଗର୍ଭାଶୟ ପରୀକ୍ଷା ପ୍ରଣାଳୀ ଶିଖାଇ ଦିଅନ୍ତୁ   ।

ଗର୍ଭାଶୟ  ନାଭିର କେତେ ଆଙ୍ଗୁଳି ଉପରେ ବା ନିମ୍ନରେ ବୃଦ୍ଧି ପାଉଛି ତାହା ନିଶ୍ଚିତ ଭାବରେ ପ୍ରତି ମାସରେ ଲେଖି ରଖନ୍ତୁ  । ଯଦି ଗର୍ଭାଶୟ ବହୁତ ବଡ ଦେଖାଯାଏ  ଓ ଖୁବ୍ ଶୀଘ୍ର ବଢିଯାଏ  ତେବେ ଏଥିରେ ପାଣିର ମାତ୍ରା ଅଧିକ ଅଛି ବୋଲି ବୁଝିବାକୁ ହେବ   । କିମ୍ବା ଏଥିରେ ୨ଟି ପିଲା ଅଛନ୍ତି  । ଯଦି ଏହା ହୁଏ ତେବେ ଗର୍ଭାଶୟ ମଧ୍ୟରେ ଥିବା ଶିଶୁର ଚଳ ପ୍ରଚଳ କରିବା ପରୀକ୍ଷା ଟିକେ କଷ୍ଟ ହୁଏ   । ଯଦି ଗର୍ଭାଶୟରେ ଅଧିକ ଜଳଥାଏ ତେବେ ପ୍ରସବ ସମୟରେ ଅଧିକ ରକ୍ତସ୍ରାବ ହୋଇଥାଏ  ଓ ଶିଶୁ ବିକଳାଙ୍ଗ ହେବାର  ସମ୍ଭାବନା ଥାଏ   ।

ଗର୍ଭସ୍ଥ ଶିଶୁର ଅବସ୍ଥାନ ଜାଣିବାପାଇଁ ଏହିପରି କରନ୍ତୁ  ।

ଗର୍ଭସ୍ଥ ଶିଶୁର ଅବସ୍ଥାନ ଜାଣିବା ପାଇଁ ମା’ର  ଡାହାଣ ପାଖକୁ ତା’କୁ ମୁହଁ କରି ଛିଡା ହୁଅନ୍ତୁ   ।

  1. ପେଟର ଉପରି ଭାଗକୁ ଦୁଇ ହାତରେ ଅନୁଭବ କରନ୍ତୁ   । ମୁଣ୍ଡ ଗୋଲ ଓ କଠିନ ଜଣାପଡେ ଏବଂ ପିଚା ଚଉଡା ଏବଂ ଲମ୍ବା ଜଣାପଡେ   ।
  2. ପିଠି ବଙ୍କା ହେଲା ଭଳି ଜଣାପଡେ   ।
  3. ବସ୍ତି କୋଟରୀୟ ହାଡର ଉପରିଭାଗ ନରମ ଓ ବଡ ଜଣାପଡେ   ।

ଯଦି ପିଲାର ଅବସ୍ଥାନ ଓଲଟା ଥାଏ ତେବେ ପେଟର ଉପରି ଭାଗ କଠିନ ଓ ଗୋଲ ଜଣାପଡେ  ।

ଯଦି ପିଲାର ଅବସ୍ଥାନ ଅଡୁଆ ଥାଏ ତେବେ ପେଟର ଉପରି ଭାଗ ଖାଲି ଜଣାପଡେ  ।

ଯଦି ପିଲାର ମୁଣ୍ଡ ତଳକୁ ଥାଏ, ପିଲା ସୁରୁଖୁରୁରେ ଜନ୍ମ ହୋଇଥାଏ କିନ୍ତୁ ପିଲାର ମୁଣ୍ଡ ଉପରକୁ ଥିଲେ ପ୍ରସବ କଷ୍ଟକର ହୁଏ ଏପରି ସ୍ଥଳରେ ପ୍ରସବ ଡାକ୍ତରଖାନାରେ ହେବା ଉଚିତ୍ । ପିଲାଟି ପାଣି ଥଳୀ ଭିତରେ ବଢୁଛି ଟେବୁ ଶିଶୁର ଅବସ୍ଥାନ ବେଳକୁ ବେଳ ବଦଳିଥାଏ  । ୯ ମାସ ହେଲେ ଶିଶୁର ମୁଣ୍ଡଟି ତଳକୁ ରୁହେ   । ଯଦି ଶିଶୁର ଅବସ୍ଥାନ ଅଡୁଆ ହୋଇଥାଏ ତେବେ ମା’କୁ ଡାକ୍ତରଖାନା ନିଅନ୍ତୁ କାରଣ ତାଙ୍କର ଅସ୍ତ୍ରୋପ୍ରଚାର କରିବାକୁ ପଡିପାରେ   ।

ଶିଶୁର ହୃତ୍ ସ୍ପନ୍ଦନ

୫ ମାସ ପରେ ଶିଶୁର ହୃତ୍ ସ୍ପନ୍ଦନ ତଥା ଚଳ ପ୍ରଚଳ ପରୀକ୍ଷା କରନ୍ତୁ  । ମାଆର ପେଟ ଉପରେ କାନ ରଖି ଆପଣ ଶିଶୁର ହୃତ୍ ସ୍ପନ୍ଦନ ଜାଣିବାକୁ ଚେଷ୍ଟା କରିପାରନ୍ତି  । କିନ୍ତୁ ଏହା ଶୁଣିବାକୁ ଟିକେ କଷ୍ଟ ହୋଇପାରେ  । ଯଦି ଗୋଟିଏ ଫିଟୋସ୍କୋପ ସାହାଯ୍ୟରେ ଶୁଣିବାକୁ ଚେଷ୍ଟା କରିବେ ତେବେ ତାହା ସହଜରେ ଶୁଭିବ  ।

ଯଦି ଆପଣଙ୍କ ପାଖରେ ଫିଟୋସ୍କୋପ ନାହିଁ, ତେବେ ଶୁଖିଲା ମାଟି ବା କାଠରେ ଗୋଟିଏ ତିଆରି କରି ପାରନ୍ତି   ।

ଗର୍ଭାବସ୍ଥାର ଶେଷମାସରେ ଶିଶୁର ହୃତ୍ ସ୍ପନ୍ଦନ ଯଦି ମାଆର ନାଭି ତଳରେ  ଖୁବ୍ ଜୋରରେ ଶୁଭେ, ତେବେ ଶିଶୁର ମୁଣ୍ଡ ତଳ ଆଡକୁ ଅଛି ଓ ପ୍ରସବ ସମୟରେ ତା’ର ମୁଣ୍ଡ ପ୍ରଥମେ ବାହାରିବ   ।

ଯଦି ଶିଶୁର ହୃତ୍ ସ୍ପନ୍ଦନ ମାଆର ନାଭିର ଉପରେ ଖୁବ୍ ଜୋରରେ ଶୁଣାଯାଏ ତେବେ ଶିଶୁର ମୁଣ୍ଡ ଉପର ଆଡକୁ ଅଛି ଓ ପ୍ରସବ ସମୟରେ ଓଲଟା ପ୍ରସବ ହେବ  (ଗୋଡ ଆଗ ଆସିବ)।

ଯଦି ଆପଣଙ୍କର ଘଣ୍ଟାରେ ସେକେଣ୍ଡ କଣ୍ଟା ଅଛି ତେବେ ପିଲାର ହୃତ୍ ସ୍ପନ୍ଦନ ଗଣିପାରିବେ   । ପ୍ରତି ମିନିଟ୍ କୁ ୧୨୦ ରୁ ୧୬୦ସାଧାରଣ ଅଟେ   । ୧୨୦ ରୁ କମ୍ ଭୁଲ ବଶତଃ ହୋଇଥାଏ   । ପିଲାର ହୃତ୍ ସ୍ପନ୍ଦନ, ଅଭ୍ୟାସ ନ ଥିଲେ ଜାଣିବା କଷ୍ଟକର ଅଟେ  ।

ଆଧାର – ଓଡିଶା ଭଲ୍ୟୁଣ୍ଟାରୀ ହେଲଥ ଆସୋସିଏସନ

2.96296296296
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top