ହୋମ / ସ୍ଵାସ୍ଥ୍ୟ / ହୋମିଓପ୍ୟାଥି / ଅସ୍ତ୍ର ଚିକିତ୍ସା ଓ ହୋମିଓପାଥି (ଖ)
ସେଆର କରନ୍ତୁ

ଅସ୍ତ୍ର ଚିକିତ୍ସା ଓ ହୋମିଓପାଥି (ଖ)

ଅସ୍ତ୍ର ଚିକିତ୍ସା ଓ ହୋମିଓପାଥି ର ସୂଚନା

ହୋମିଓପାଥିରେ  କ’ଣ  ଅସ୍ତ୍ର  ଚିକିତ୍ସା  ବା  ସର୍ଜରୀ  ଅଛି  ? ଏ  ପ୍ରଶ୍ନ ପ୍ରାୟତଃ  ସର୍ବସାଧାରଣରେ  ଜଣେ  ହୋମିଓପାଥି  ଡାକ୍ତରଙ୍କୁ  ସମ୍ମୁଖୀନ  ହେବାକୁ  ପଡିଥାଏ  । ଜଣେ  ହୋମିଓପାଥି  ଚିକିତ୍ସକଙ୍କ ପାଇଁ  ଏହା ଏକ  ଅବାନ୍ତର ପ୍ରଶ୍ନ  ହୋଇଥିଲେ  ମଧ୍ୟ  ଘଟଣାଚକ୍ରର  ପରିପ୍ରେକ୍ଷୀରେ  ଏହାର  ତାତ୍ପର୍ଯ୍ୟ  ବେଶ୍ ରହିଛି  ଦୁଇଟି  କାରଣରୁ   ।

  1. ସାଧାରଣ  ଚିକିତ୍ସା  ପଦ୍ଧତି  ଏଲୋପାଥିରେ, ଅସ୍ତ୍ର  ଚିକିତ୍ସା  ବା  ସର୍ଜରୀ  ଏକ  ପ୍ରମୁଖ  ଭୂମିକା  ଗ୍ରହଣ  କରିଅଛି   ।
  2. ହୋମିଓପାଥି  ଶିକ୍ଷା  ସହିତ  ବା  ହୋମିଓପାଥି  ଶିକ୍ଷାର  ପ୍ରମାଣପତ୍ରରେ  ଅସ୍ତ୍ର  ଚିକିତ୍ସାର  ସୂଚନା  ପ୍ରଦାନ  କରା  ହୋଇଅଛି  । ଯଥା : ହୋମିଓପାଥି  ଭେଷଜ  ଓ  ଅସ୍ତ୍ର  ଚିକିତ୍ସାରେ  ଡିପ୍ଲୋମା/ସ୍ନାତକ  ।

ଯେଉଁମାନେ  ଏ ପ୍ରଶ୍ନ  ପଚାରିଛନ୍ତି  ସେମାନେ  ସମସ୍ତେ  ସାଧାରଣ  ଜ୍ଞାନରେ  ଅଜ୍ଞ ନୁହଁନ୍ତି  । ଉପଯୁକ୍ତ  ଦୁଇଟି  କାରଣ  ହେତୁ  ସେମାନେ  ହୁଏତ  ଦ୍ଵିଧାଗ୍ରସ୍ତ  ହୋଇ  ବା  କୌତୁହଳ  ବଶତଃ  ଏ  ପ୍ରଶ୍ନ  ଉତ୍ଥାପନ  କରିଥାନ୍ତି   । ତେଣୁ  ଏ  ସମ୍ପର୍କରେ ସବିଶେଷ ଆଲୋଚନାର  କ୍ଷେତ୍ର  ଯଥେଷ୍ଟ  ରହିଅଛି  ।

ଏହି  ପ୍ରଶ୍ନ  ଉପରେ  ଆଲୋଚନା  କରିବାକୁ  ହେଲେ  ରୋଗ  ସବୁର  ସମ୍ପର୍କରେ  ଆଲୋଚନା  କରିବାକୁ  ହେବ  । ଏବଂ  ଏସବୁ  ସମ୍ପର୍କରେ  ସୁବ୍ୟବସ୍ଥିତ  ଭାବରେ  ବିଚାରାଲୋଚନା   କରିବାକୁ  ଗଲେ  ଆମକୁ  ଖ୍ରୀଷ୍ଟପୂର୍ବ  ୪୫୦୦  ପୂର୍ବରୁ   ସେହି  ବୈଦିକ   ଯୁଗକୁ  ଯିବାକୁ  ପଡିବ, ଯେଉଁଠାରେ  ଚିକିତ୍ସା  ସମ୍ପର୍କରେ  ସୁସଙ୍ଗଠିତ  ଭାବରେ  ରୀତି  ଅନୁସାରୀ  ଏକ  ଅଧ୍ୟୟନର  ଅୟମାରମ୍ଭ  ହୋଇଅଛି  । ମୋ  ମତରେ, ଆମେ  ଏବେ  ମଧ୍ୟ  ସେ  ଧରଣର  ଅଧ୍ୟୟନରୁ  ଏକପାଦ  ବି  ଆଗକୁ  ନ  ଯାଇ, ବହୁପଥ  ପଛକୁ   ଚାଲିଗଲୁଣି, ଯଦିଓ  ଗବେଷଣା   ନାମରେ  ଅନେକ  କିଛି  ଭେଳିକି  ଆମେ  ସୃଷ୍ଟି  କରୁଅଛୁ, ଦୈନନ୍ଦିନ  ପ୍ରଚାର  ମାଧ୍ୟମରେ   ।

ବୈଦିକ  ଯୁଗ  କଥା  କହିବାର  ହେଉଛି : “ଋଗ୍ ବେଦସ୍ୟୋପବଦୌୟ  ଆୟୁର୍ବେଦ  ଇତିସ୍ମୃତଃ”  । ଅର୍ଥାତ୍  ଆୟୁର୍ବେଦ   ହେଉଛି  ଋଗ୍ ବେଦର  ଏକ  ଉପବେଦ   । ଆୟୁର୍ବେଦ, ଚିକିତ୍ସାବିଜ୍ଞାନଶାସ୍ତ୍ରର  ବୈଦିକ  ନାମ  କରଣ   । ଆୟୁର୍ବେଦ   ହେଉଛି  ସେହି  ବିଜ୍ଞାନ, ଯଦ୍ୱାରା   ଜଣେ  ବିଦ୍ୟାର୍ଥୀ, ସ୍ୱାସ୍ଥ୍ୟ  ପ୍ରତି  କ’ଣ  ସବୁ  ହିତକର  ତଥା   ହାନିକର, ରୋଗର  କାରଣ  ତଥା  ତାହାର  ନିରାକରଣ  ବା  ଚିକିତ୍ସା ସମ୍ପର୍କିତ  ଯାବତୀୟ  ବିଷୟ  ଅବଗତ  ହୋଇଥାଏ    ।

ଆୟୁର୍ହିତାହିତଂ  ବ୍ୟାଧିନିଦାନୋପଶୟଂ  ତଥା  ବିଦ୍ୟତେ  ଯତ୍ ବିଦ୍ଵଦ୍ ଭିଃ  ସଚାୟୁର୍ବେଦ  ଉଚ୍ୟତେ   ।

ଏହି  ପରିପ୍ରେକ୍ଷୀରେ, ଉନବିଂଶ  ଶତାବ୍ଦୀର  ମଧ୍ୟଭାଗରେ, ହୋମିଓପାଥିର  ଆବିଷ୍କର୍ତା  ଡାଃ  ସାମୁଏଲ  ହ୍ୟାନିମାନ, ତାଙ୍କ  ଚିକିତ୍ସା  ଦିଗ୍ ଦର୍ଶନୀ  ପୁସ୍ତକ  ‘ଅର୍ଗାନନ୍  ଅଫ୍ ମେଡ଼ିସିନ୍ ’ର  ୩ୟ  ଓ  ୪ର୍ଥ  କାରିକାମାନଙ୍କରେ  କ’ଣ  କହିଛନ୍ତି  ତାହା  ମଧ୍ୟ  ପ୍ରଣିଧାନଯୋଗ୍ୟ   । ସେ  କହିଛନ୍ତି :

‘ଯଦି  ଚିକିତ୍ସକ  ପ୍ରତ୍ୟକ  ରୋଗୀଠାରୁ  କଣ  ସବୁ  ଆରୋଗ୍ୟ  କରିବାକୁ  ହେବ  ତାହା  ଜାଣିଥାନ୍ତି; ଯଦି  ସମସ୍ତ  ଭେଷଜ  ତଥା  ପ୍ରତ୍ୟକ  ଭେଷଜ  ମଧ୍ୟରେ  ଥିବା  ଆରୋଗ୍ୟକାରୀ  ଶକ୍ତି  ସମ୍ପର୍କରେ  ତାଙ୍କର  ଜ୍ଞାନ  ଥାଏ ; ଭେଷଜର  ଏହି  ଆରୋଗ୍ୟକାରୀ  ଶକ୍ତିର  ଜ୍ଞାନକୁ  ନିର୍ଦ୍ଧିଷ୍ଟ  ନିୟମାନୁସାରେ  ଉପଯୁକ୍ତ  ମାତ୍ରାରେ  ରୋଗ  କ୍ଷେତ୍ରରେ  କେଉଁ  କେଉଁ  ଉପସର୍ଗର  ଆରୋଗ୍ୟ  କଳ୍ପେ  କିଭଳି  ଭାବରେ  ପ୍ରୟୋଗ  କରାଯାଏ, ସେ  ସମ୍ପର୍କରେ  ତାଙ୍କର  ସଠିକ  ଧାରଣା  ଥାଏ, ଏବଂ  ପ୍ରତ୍ୟକଟି  କ୍ଷେତ୍ରରେ  କେଉଁସବୁ  ବାଧାବିଘ୍ନ  ଥାଏ  ଏବଂ  ସେସବୁକୁ  କିପରି  ଭାବରେ  ଅପସାରିତ  କଲେ  ଆରୋଗ୍ୟଚିରସ୍ଥାୟୀ  ହୋଇପାରିବ, ସେ  ସବୁ  ବିଷୟରେ  ଜାଣିଥାନ୍ତି, ତାହାହେଲେ  ସେ  ଜଣେ  ଆରୋଗ୍ୟ  ନୈପୁଣ୍ୟ  ପ୍ରକୃତ  ଚିକିତ୍ସକ  । ପୁନଶ୍ଚ  ଯେଉଁସବୁ  କାରଣରୁ  ସ୍ୱାସ୍ଥ୍ୟର  ବିଶୃଙ୍ଖଳା  ଘଟେ  ଓ  ରୋଗର  ଉତ୍ପତ୍ତି  ହୋଇଥାଏ, ସୁସ୍ଥମନୁଷ୍ୟଠାରୁ  ସେ  ସବୁକୁ   କିପରି  ଦୂରେଇ  ରଖାଯାଇପାରେ, ସେ  ସବୁର  ଜ୍ଞାନ  ଯଦି  ତାଙ୍କର  ଥାଏ, ତାହାହେଲେ  ସେ  ଜଣେ  ସ୍ୱାସ୍ଥ୍ୟ  ସଂରକ୍ଷକ  ଭାବରେ  ମଧ୍ୟ  ଗଣ୍ୟ  ହୁଅନ୍ତି   ।’

ଉପଯୁକ୍ତ  ଦୁଇଟି  ଉକ୍ତିକୁ  ଅଧ୍ୟୟନ  କଲେ ଏହା  ସ୍ପଷ୍ଟ  ପ୍ରତୀୟମାନ  ହୁଏ ଯେ,  ଉପସ୍ଥାପନାର  ଢଙ ଓ  ଭାଷାର  ତାତ୍ପର୍ଯ୍ୟକୁ  ବାଦଦେଲେ   ଉଭୟଙ୍କର  ଚିକତ୍ସା ସମ୍ପର୍କିତ  ତଥା  ଜନସ୍ୱାସ୍ଥ୍ୟ  ସମ୍ବଳିତ  ଶିକ୍ଷାର  ଉଦ୍ଦେଶ୍ୟ ଏକ  ଓ  ଅଭିନ୍ନ   ।

ସଭ୍ୟତାର  ଉନ୍ମେଷ  କାଳରୁ  ଯଦି  ରୋଗକ୍ଳିଷ୍ଟ  ମାନବର  କଷ୍ଟ  ଅପନୋଦନ  ପାଇଁ  ଏସବୁ  ଜ୍ଞାନହିଁ  ଚିରନ୍ତନୀ, ତାହାହେଲେ   ରୋଗ  କଣ  ଓ  କେଉଁ  ରୋଗ  ପାଇଁ  କିଭଳି  ବ୍ୟବସ୍ଥାର  ଆବଶ୍ୟକତା  ରହିଛି  ତାହାହିଁ  ଜାଣିବାର  କଥା, ଅସ୍ତ୍ର  ଚିକିତ୍ସା ବା  ଶଲ୍ୟ  ଚିକିତ୍ସାର  ଆବଶ୍ୟକତା   ଓ  ତାହାର  ବ୍ୟବହାରିକ  ଦିଗ  କଥା  ବିଚାର  କରିବା  ପୂର୍ବରୁ  । ରୋଗ  ହେଉଛି  ଜୀବର  ସୁସ୍ଥାବସ୍ଥାର  ଏକ  ବିକାର  ଅବସ୍ଥା   । ଏକ  ମୁଦ୍ରାର  ଦୁଇ  ପାର୍ଶ୍ଵଭଳି  ଏ  ଦୁଇଟି  ହେଉଛନ୍ତି  ପ୍ରାଣୀର  ଦୁଇଗୋଟି  ଅବସ୍ଥା    । ସୁସ୍ଥାବସ୍ଥାରେ  ପ୍ରାଣୀ  ତାହାର  ଯାବତୀୟ  କାର୍ଯ୍ୟ  ନିର୍ବାହ  କରୁଥିଲେ  ହେଁ  ତାହାର  ସମସ୍ତ  ଅଙ୍ଗ  ପ୍ରତ୍ୟଙ୍ଗ  ଆଦି  ସମ୍ପର୍କରେ  ସେ  କୌଣସି  ଅନୁଭବ  କରି  ପାରେନାହିଁ   । ଅଥଚ, ଅସୁସ୍ଥାବସ୍ଥାରେ  ତାହାର  ନିତ୍ୟ  ନୈମିତ୍ତିକ   କାର୍ଯ୍ୟ  ସମୟରେ  ସେ  ସବୁର  ଅବସ୍ଥିତି  ସମ୍ପର୍କରେ  ସେ  ଖୁବ୍  ସଚେତନ  ହୋଇଥାଏ   । ଏହାର  କାରଣ, ସେ  ସବୁର  ଆକାର  ପ୍ରକାର, କାର୍ଯ୍ୟକ୍ଷମତା  ଓ  ଅନୁଭୂତିରେ  ଫରକ  ଜଣାପଡେ  । ସେ  ସବୁକୁ  ସେ  ଅସ୍ଵାଭାବିକ  ଭାବରେ  ଅନୁଭବ  କରେ   । ଏହି  ଅସ୍ଵାଭାବିକ  ଅନୁଭୂତି  ହିଁ  ହେଉଛି  ଅସୁସ୍ଥତାର   ପରିଚିତି   । କୌଣସି  ଅଙ୍ଗ  ପ୍ରତ୍ୟଙ୍ଗରେ  ଏହି  ଅନୁଭୂତି  ପରିଲକ୍ଷିତ  ହେବା  ସଙ୍ଗେ  ସଙ୍ଗେ, ଶରୀରର  ଅଧିକାଂଶ  ଅଙ୍ଗରେ  ତା’ର  ପ୍ରତିଫଳନ  ପଡେ  । କାରଣ, ଶରୀରର  କାର୍ଯ୍ୟ  ବା  ଜୀବନ୍ତ  ଅବସ୍ଥାରେ   ପ୍ରାଣୀର  ସକଳ  କାର୍ଯ୍ୟ  ହେଉଛି, ତାହାର  ସମସ୍ତ  ଅଙ୍ଗ   ପ୍ରତ୍ୟଙ୍ଗର  ଏକ  ସୁସଙ୍ଗଠିତ  ସମନ୍ଵିତ  ନଷ୍ଟ  ହୁଏ   । ଫଳରେ ଶରୀରରେ  ନାନା  ପ୍ରକାରର  ଗୋଳ  ଯୋଗ  ଘଟେ    । ଶରୀରର  ବିଭିନ୍ନ  ଅଙ୍ଗପ୍ରତ୍ୟଙ୍ଗର  କାର୍ଯ୍ୟକାରୀ  ସମନ୍ଵୟର  ଅଭାବ  ହିଁ  ରୋଗ ଏବଂ  ଏହାର  ପରିପ୍ରକାଶ  ହେଉଛି  ସେହି  ଅଙ୍ଗପ୍ରତ୍ୟଙ୍ଗ  ବା  ଯନ୍ତ୍ର  ସକଳର  ଅସ୍ଵାଭାବିକ  କାର୍ଯ୍ୟ  ଓ  ତତ୍ ଜନିତ  ଅସ୍ଵାଭାବିକ  ଲକ୍ଷଣ  ମାନଙ୍କର  ପରିପ୍ରକାଶ   ।

ପ୍ରାଚ୍ୟ  ଶାସ୍ତ୍ର  ମତରେ, “ପୁରୁଷସ୍ୟ  ଦୁଃଖ  ସମ୍ବନ୍ଧ”  । ଅର୍ଥାତ୍  କୌଣସି  ପୁରୁଷଠାରେ  ଦୁଃଖର  ସମାହାର  ହିଁ  ରୋଗ   । “ତତ୍  ଦୁଃଖ  ସଂଯୋଗ  ବିଶେଷ  ବ୍ୟାଧୟ  ଇତ୍ୟୁଚ୍ୟତେ   ।” ବ୍ୟକ୍ତିବିଶେଷ  ମଧ୍ୟରେ  ଦୁଃଖ  ସଂଯୋଗକୁ  ରୋଗ   କୁହାଯାଏ   । ପୁନଶ୍ଚ, ରୋଗ  ସୃଷ୍ଟିକାରୀ  ପଦାର୍ଥ  ଓ  ଶରୀରର  ଯାଇବାପଦାର୍ଥ   ମାନଙ୍କର  ପାରସ୍ପରିକ  କ୍ରିୟାହିଁ  ହେଉଛି  ରୋଗ  । “ବିକୃତ  ଦୋଷ  ଦୁଷ୍ୟ  ସମବାୟୋ  ବିକାରଃ  ।” ହ୍ୟାନିମାନ  ଏସବୁ  ସମ୍ପର୍କରେ  କ’ଣ  କହିଛନ୍ତି  ଆସନ୍ତୁ  ଅନୁଧ୍ୟାନ  କରିବା  । ସେ  କହିଛନ୍ତି, ‘ପ୍ରତ୍ୟକ  ରୋଗରେ  ରୋଗୀର   ମନ  ଓ  ଶରୀରର  ସୁସ୍ଥାବସ୍ଥାରୁ  ଯେଉଁ  ସବୁ  ପରିବର୍ତ୍ତନ  ହୋଇଅଛି  (ଅସ୍ଵାଭାବିକ  ଘଟଣାବଳୀ, ଆକସ୍ମିକ  ଦୁର୍ଘଟଣା, ଲକ୍ଷଣ  ସମୂହ) ସେ  ସମସ୍ତ  ବାହାରକୁ  ଇନ୍ଦ୍ରିୟ   ସକଳ  ଦ୍ଵାରା   ଉପଲବ୍ଧି   ହୋଇଥାଏ   । ଅର୍ଥାତ୍  ସୁସ୍ଥାବସ୍ଥାରେ  ବ୍ୟକ୍ତିବିଶେଷର  ଯେଉଁ  ସ୍ଵାଭାବିକ  ଅବସ୍ଥା  ଥିଲା, ବର୍ତ୍ତମାନ  ରୋଗାବସ୍ଥାରେ  ସେହି  ଅବସ୍ଥାର  ଯେଉଁସବୁ  ଅସ୍ଵାଭାବିକ  ପରିବର୍ତ୍ତନ  ରୋଗୀ  ନିଜେ  ଅନୁଭବ  କରନ୍ତି, ତାର  ପରିଚର୍ଯ୍ୟାକାରୀମାନେ  ଯାହା  ସବୁ  ଲକ୍ଷ୍ୟ  କରନ୍ତି  ଏବଂ  ଚିକିତ୍ସକ  ଯେଉଁସବୁ  କଥା  ପର୍ଯ୍ୟବେକ୍ଷଣ  କରନ୍ତି,  ସେହିସବୁ   ବୋଧଗମ୍ୟ   ଲକ୍ଷଣରାଜିର  ମାଧ୍ୟମରେ  ରୋଗର  ସମତା  ସ୍ୱରୂପ   ପ୍ରକାଶିତ  ହୁଏ  ।’ (ଅର୍ଗାନନ୍  ୬ଷ୍ଠ  କାରିକା)

ପୁନଶ୍ଚ  ପଞ୍ଚମ  କାରିକାରେ  ସେ  କହିଛନ୍ତି – ‘ତରୁଣା  ରୋଗର  ଏକାନ୍ତ  ସାମ୍ଭାବ୍ୟ  ଉତ୍ତେଜକ କାରଣ  ଏବଂ  ପୁରାତନ  ରୋଗର  ସମଗ୍ର  ବିସ୍ତ୍ରୁତ  ଇତିହାସର  ମାଧ୍ୟମ, ରୋଗର  ମୂଳ  କାରଣ  ନିର୍ଦ୍ଧାରଣ  କରିବା  ପାଇଁ  ଚିକିତ୍ସକକୁ  ସାହାଯ୍ୟ  କରେ   । କୌଣସି  ଗୋଟିଏ  ପୁରାତନ  ରୋଗ  କଳ୍ମଷ  ସାଧାରଣତଃ  ପୁରାତନ  ରୋଗ  ଉତ୍ପତ୍ତିର  କାରଣ   ।ରୋଗ  ଆରୋଗ୍ୟ  ପାଇଁ  ଚିକିତ୍ସକର  ଏ ସବୁ  ଜାଣିବାର  ପ୍ରୟୋଜନ  ରହିଛି  । ଏ  ସବୁ  ଦୃଷ୍ଟିରୁ  ହୋମିଓପାଥି  ଆବିଷ୍କର୍ତ୍ତାଙ୍କର   ଦୃଷ୍ଟିଭଙ୍ଗି  ଓ  ପ୍ରାଚ୍ୟ  ଆୟୁର୍ବିଜ୍ଞାନ  ମଧ୍ୟରେ  ମତୌକ୍ୟ  ରହିଅଛି   ।

ସେ  ଯାହା  ହେଉନା  କାହିଁକି, ଉପଯୁକ୍ତ  ମତାମତର  ପରିପ୍ରେକ୍ଷୀରେ, ଏହି  ଦୋଷ  ଓ  ଦୁଷ୍ୟ  ମଧ୍ୟରେ  ଯେଉଁ  କ୍ରିୟା  ଓ  ପ୍ରତିକ୍ରିୟା  ଘଟେ, ତାହା  ବିଭିନ୍ନ  କାରଣରୁ  ହୋଇଥାଏ   । ତାହା  କୌଣସି  ଅନ୍ତର୍ନିହିତ  ବା  ବାହ୍ୟ  କାରଣ  ହେତୁ  ଘଟିଥାଏ  ଅନ୍ତର୍ନିହିତ  କାରଣ  ଆଧ୍ୟାତ୍ମିକ  ଓ  ବାହ୍ୟ  କାରଣ  ଆଧିଭୌତିକ  ଓ  ଆଧିଦୈବିକ   । ଏପରି  ତିନୋଟି  କାରଣରୁ   ରୋଗ  ସୃଷ୍ଟି  ହେବାର  ସମ୍ଭାବନା  ଥାଏ   ।

ଆଧିଭୌତିକ  ଅର୍ଥାତ୍  ବାହ୍ୟ  ପଦାର୍ଥର  କାରଣରୁ  ଯେଉଁସବୁ  ରୋଗର  ସୃଷ୍ଟି, ତାହାକୁ  ଦୂର  ନ କଲେ, ତାହାର  ବର୍ତ୍ତମାନରେ  ଶରୀରର  ଦୁଷ୍ୟ ସକଳର  ପ୍ରତିକ୍ରିୟା  ଦୁଃଖର  କାରଣ  ହୋଇଥାଏ  ଏବଂ  ଏହାକୁ  ସବୁ  ଦୂର  କରିବାର  କାର୍ଯ୍ୟକୁ  ଶଲ୍ୟତନ୍ତ୍ର   ବା  ସର୍ଜରୀ  ବା  ଅସ୍ତ୍ରଚିକିତ୍ସା  କୁହାଯାଏ   । ଏହାଦ୍ଵାରା  ବାହ୍ୟ  ପଦାର୍ଥ  ବା  ଜୀବନ୍ତ  ଶରୀର   ମଧ୍ୟରେ  ରହିବା  ପାଇଁ  ଅନୁପଯୁକ୍ତ  ବର୍ଜ୍ୟ  ପଦାର୍ଥ  ସବୁକୁ  ନିକାଶ  କରାଯାଇଥାଏ  ଓ  ତଦ୍ ଜନିତ  କ୍ଷତକୁ  ବୁଝାଇ  ନ ଥାଏ   । ଶରୀର  ମଧ୍ୟରେ  ଥିବା  ବର୍ଜ୍ୟ  ପଦାର୍ଥ  ଯାହାକି  ଶରୀର  ପାଇଁ  କଷ୍ଟକର   ବା  ଦୁଃଖଦ  ଅବସ୍ଥା  ସୃଷ୍ଟି  କରିଥାଏ  ତାହାକୁ  ମଧ୍ୟ  ଶଲ୍ୟ  କୁହାଯାଏ   । “ନ  କେବଳ  କାଷ୍ଠତୃଣା  ବିଶଲ୍ୟମତି  ପ୍ରାବୃଦ୍ଧ  ମଳ ଦୋଷଜବା, ଯତ୍  କିଞ୍ଚିଦାବାଧକରଂ  ଶରୀରେ  ତତ୍  ସର୍ବମେଦ  ପ୍ରବଦନ୍ତି  ଶଲ୍ୟମ   ।”

ସୁତରାଂ, ଉପଯୁକ୍ତ  ଆଲୋଚନାରୁ  ଯାହା  ଜଣାଯାଏ, ଚିକିତ୍ସା  କ୍ଷେତ୍ରରେ  ବାହ୍ୟପଦାର୍ଥ  ଦ୍ଵାରା  ସୃଷ୍ଟ  କ୍ଷତ  ଓ  ଶରୀର  ମଧ୍ୟସ୍ଥ  ଅଦରକାରୀ  ବର୍ଜ୍ୟ  ପଦାର୍ଥକୁ  ବାହାର  କରିବାର  ଚିକିତ୍ସା  ହେଉଛି  ଶଲ୍ୟତନ୍ତ୍ର  ବା  ସର୍ଜରୀ  ଓ ଏହାର  ଅତିରିକ୍ତ  ଯାବତୀୟ  ରୋଗ  ଭେଷଜ  ଓ  ଅନ୍ୟାନ୍ୟ  ଆନୁସଙ୍ଗିକ  ଚିକିତ୍ସାର  କ୍ଷେତ୍ର  ।

ଏହି  ଶଲ୍ୟ  ଚିକିତ୍ସା  ସମ୍ପର୍କରେ  ହୋମିଓପାଥିର  ଆବିଷ୍କର୍ତ୍ତା  ଡାଃ  ହ୍ୟାନିମାନଙ୍କ  ଉକ୍ତି  ବିଶେଷ  ପ୍ରଣିଧାନ  ଯୋଗ୍ୟ   । ରୋଗର  ବର୍ଗୀକରଣ  କରିବା  ସମୟରେ, ହ୍ୟାନିମାନ  ତାଙ୍କ  ‘ଅର୍ଗାନନ୍  ଅଫ୍ ମେଡ଼ିସିନ୍’ ଗ୍ରନ୍ଥର  ୧୮୬  କାରିକାରେ  ଉଲ୍ଲେଖ  କରିଛନ୍ତି :

‘ତଥାପି, ଯେ  ସମସ୍ତ  ସ୍ଥାନୀୟ  ରୋଗ  କିଛିଦିନ  ହେବ  କୌଣସି  ଆଘାତର  କାରଣରୁ  ଉତ୍ପନ୍ନ, ସେ  ସବୁ  ଆପାତ  ଦୃଷ୍ଟିରେ  ସ୍ଥାନୀୟ  ରୋଗ  ଭାବରେ  ଅଭିହିତ  କରାଯିବାର  ଯୋଗ୍ୟ   । କିନ୍ତୁ  ସେ  ସବୁ  ନିଶ୍ଚିତ ଭାବରେ  ନଗଣ୍ୟ  ଏବଂ  ସେତେବେଶି  ଗୁରୁତର  କିଛି  ନୁହେଁ   । କାରଣ  ବାହ୍ୟ  ଆଘାତ  ଗୁରୁତର  ହେଲେ, ସମସ୍ତ  ଜୀବନ୍ତ  ଯନ୍ତ୍ର  ସକଳ  ସମବେଦନା  ପ୍ରକାଶ  କରିଥାନ୍ତି  । ଫଳତଃ  ଜ୍ଵର  ବା  ଅନ୍ୟାନ୍ୟ  ଉପସର୍ଗ   ସୃଷ୍ଟି   ହୁଏ   । ଏସବୁ  ରୋଗର  ଚିକିତ୍ସା  ସର୍ଜେରୀର  ଆୟତ୍ତାଧୀନ    । କିନ୍ତୁ  ତାହାର  ଆବଶ୍ୟକତା  କେବଳ, ଆକ୍ରାନ୍ତ  ସ୍ଥାନରେ  ଅସ୍ତ୍ର  ସାହାଯ୍ୟର  ପ୍ରୟୋଜନ  ଯେତେବେଳ  ପର୍ଯ୍ୟନ୍ତ  ଥିବ, ଏହାର  ଅତିରିକ୍ତ  ନୁହେଁ   । କାରଣ, ଯେଉଁସବୁ   ଆରୋଗ୍ୟ  କେବଳ  ମାତ୍ର  ଜୀବନୀଶକ୍ତିର  ସହଯୋଗରେ  ସମ୍ଭବ, ସେ  ପାଇଁ  ଆରୋଗ୍ୟ  ପଥରେ  ଥିବା  ବାହିକ   ବାଧାକୁ  ସର୍ଜେରୀ  ଦ୍ଵାରା  ଦୂରକରିବାର  ଆବଶ୍ୟକତା  ରହିଅଛି  । ଉଦାହରଣ  ସ୍ୱରୂପ, ଗଣ୍ଠି  ଖସିଗଲେ  ବା ସନ୍ଧିଚ୍ୟୁତି ଘଟିଲେ  ତାକୁ  ପୁନଃ  ସଂଯୋଜନା  କରିବା ; ସିଲାଇ  ଓ  ପଟ୍ଟିବାନ୍ଧି  କ୍ଷତର  ଧାରକୁ  ଯୋଡି  ରଖିବା ; ଯାନ୍ତ୍ରିକ  ଚାପ  ଦ୍ଵାରା  ରକ୍ତସ୍ରାବୀ  ଧମନୀର  ମୁଖବନ୍ଧ   କରିବା; ଶରୀରର  କୌଣସି  ଅଂଶରେ  ବାହ୍ୟପଦାର୍ଥ   ପଶି  ଯାଇଥିଲେ  ତାକୁ  ବାହାର  କରିବା ; ଶରୀରର  କୌଣସି  ଗହ୍ଵର ବା  ରନ୍ଦ୍ର  ମଧ୍ୟରେ  ଉତ୍ତେଜକ   ପଦାର୍ଥ   ରହିଥିଲେ  ତାକୁ  ନିଷ୍କାସନ  କରିବା  ପାଇଁ  ପଥ  ସୃଷ୍ଟି  କରିବା; ହାଡର  ଭଙ୍ଗା  ଅଂଶକୁ  ସଂଯୁକ୍ତ  କରି, ଠିକ୍ ଭାବରେ  ରହିବା  ପାଇଁ  ଭଲ  ଭାବରେ   ପଟ୍ଟିବାନ୍ଧିବା  ଇତ୍ୟାଦି  ଇତ୍ୟାଦି   ।ମାତ୍ର  ଯେତେବେଳେ  ଏସବୁ  ଆଘାତ  ଫଳରେ, ଜୀବଟି  ସାମଗ୍ରିକ  ଆରୋଗ୍ୟ  ପାଇଁ  ଏକ  କାର୍ଯ୍ୟକାରୀ   ଗତିଶୀଳ  ସାହାଯ୍ୟ   ଦରକାର  କରେ, ସେତେବେଳେ  ଜଣେ  ଅତ୍ୟନ୍ତ  ସକ୍ରିୟ  ଚିକିତ୍ସକ   ଏବଂ  ତାଙ୍କର  ସାହାଯ୍ୟକାରୀ  ହୋମିଓପାଥିର  ଆବଶ୍ୟକ  ହୁଏ   । ଉଦାହରଣ  ସ୍ୱରୂପ, ସାଂଘାତିକ  ଆଘାତରୁ  ମାଂସ  ପେଶୀ, ପେଶୀବନ୍ଧନୀ, ଧମନୀ  ଓ  ଶିରା  ବିଦୀର୍ଣ୍ଣ  ହୋଇ  ପ୍ରବଳ  ଜ୍ଵର  ହୋଇଥିଲେ,  ଔଷଧ  ପ୍ରୟୋଗ  ଦ୍ଵାରା  ତାହା  ଉପଶମ  କରିବାର  ଦରକାର  ହୁଏ  । ଅହବା  ଉତ୍ତପ୍ତ  ତରଳ ପଦାର୍ଥ  ଲାଗି  ବା  ନିଆଁରେ  ପୋଡି  ଯାଇଥିଲେ, ତା’ର  ପୀଡାକୁ  ହୋମିଓପାଠ୍ୟ  ମତରେ  ଉପଶମ  କରିବାକୁ  ପଡିଥାଏ    ।’

ପୁନଶ୍ଚ, କାରଣ  ତତ୍ତ୍ଵ  ଓ  ତାହାର  ନିରାକରଣର  ଆବଶ୍ୟକତା  ସମ୍ପର୍କରେ   ଆଲୋଚନା  କରିବାକୁ  ଯାଇ  ହ୍ୟାନିମାନ  ସେହି  ପୁସ୍ତକର  ସାତନମ୍ବର  କାରିକା  ଓ  ତାହାର  ପାଦଟୀକାରେ  ଯାହା  ଉଲ୍ଲେଖ  କରି  ଅଛନ୍ତି, ସେ  ସବୁ  ମଧ୍ୟ  ଅବଧାନତାର   ସହିତ  ବିଚାର  କରିବାର  କଥା  । ସେଥିରେ  ସେ  କହିଛନ୍ତି  :

“ବର୍ତ୍ତମାନ  ଯେଉଁ  ରୋଗରେ  କୌଣସି  ସୃଷ୍ଟ   ଉତ୍ତେଜକ  ବା  ପରିପୋଷକ  କାରଣ  ଦୂର  କରିବାର  ନଥାଏ, ଆମେ  କେବଳ  ରୁଗ୍ମ  ଲକ୍ଷଣ  ଅବୁ  ଛଡା  ଜଣେ  ରୋଗୀଠାରେ  ଅନ୍ୟ  କିଛି  ମଧ୍ୟ  ଉପଲବ୍ଧି  କରୁନା..”  । ଏହି  ଉତ୍ତେଜକ  ଓ  ପରିପୋଷକ  କାରଣ  ସବୁକୁ  ଉଦାହରଣ  ମାଧ୍ୟମରେ, ଏହି  କାରିକାର   ପାଦଟିକାରେ  ହ୍ୟାନିମାନ  ଯାହା  ଲେଖିଛନ୍ତି  ତାହା  ଅବଶ୍ୟ  ଅସ୍ତ୍ର  ଚିକିତ୍ସା  ବା  ସର୍ଜେରୀର  ପରିସୀମା  ମଧ୍ୟରେ  ହିଁ  ଆସୁଛି   । ସେ  ଲେଖିଛନ୍ତି :

“ପ୍ରତ୍ୟକ  ବୁଦ୍ଧିମାନ  ଚିକିତ୍ସକ  ଏହା  ସବୁ  ଯେଉଁଠି  ଥିବ, ସେ  ସବୁକୁ  ପ୍ରଥମେ  ବାହାର  କରିଦେବେ  ଏହା  କହିବା  ନିଷ୍ପ୍ରଯୋଜନ   । ଏହା  ଦ୍ଵାରା  ଅସୁସ୍ଥତା  ସ୍ଵତଃସ୍ଫୃର୍ତ୍ତ  ଭାବରେ  ହିଁ  ଦୂର  ହୋଇଯାଏ   । ...କନିନୀକା  ମଧ୍ୟରେ  କୌଣସି  ବାହ୍ୟ  ପଦାର୍ଥ  ଖୁଞ୍ଚିହୋଇ  ରହି  ଚକ୍ଷୁପ୍ରବାହ  ସୃଷ୍ଟି  କରୁଥିଲେ  ତାକୁ  ବାହାର  କରି  ଦେବେ; କ୍ଷତସ୍ଥାନରେ  ଶକ୍ତକରି  ପଟ୍ଟିବାନ୍ଧିବା   ଦ୍ଵାରା  ସେ  ଅଂଶରେ  ରକ୍ତ  ସଞ୍ଚାଳନ ବାଧାପ୍ରାପ୍ତ   ହୋଇ  ପଚନ  କ୍ରିୟା  ସୃଷ୍ଟି  ହେବାର  ଆଶଙ୍କାରେ  ତାହା  ଢିଲା  କରିଦେଇ  ଉପଯୁକ୍ତ  ପଟ୍ଟିର   ବ୍ୟବସ୍ଥା  କରିବେ; ସଜ୍ଞାହୀନ  କଲାଭଳି  କୌଣସି  ବିକ୍ଷତ  ଧମନୀକୁ  ବାହାରକରି  ତାକୁ  ବାନ୍ଧି  ଦେବେ ; ନାଶା, ଖାଦ୍ୟ  ନଳୀ, ପ୍ରସ୍ରାବ  ଦ୍ଵାର, ଯୋନିପଥ   ଇତ୍ୟାଦି  ଶରୀରର  ଛିଦ୍ର  ପଥରେ   କୌଣସି  ବର୍ଜ୍ୟପଦାର୍ଥ  ପଶିଯାଇଥିଲେ  ତାହାକୁ  ବାହାର  କରିଦେବାକୁ  ହେବ  । ମୂତ୍ରାଶୟର  ପଥୁରୀକୁ  ଚୂର୍ଣ୍ଣକରି  ଦେବାକୁ  ହେବ   । ନବଜାତ  ଶିଶୁର  ଅବରୁଦ୍ଧ  ମଳଦ୍ଵାରକୁ  କାଟି  ଖୋଲି  ଦେବାକୁ  ହେବ, ଇତ୍ୟାଦି  ଇତ୍ୟାଦି   ।”

ଉତ୍ତେଜକ   ଓ  ପରିପୋଷକ  କାରଣ  ସବୁକୁ  ଦୂର  କରିବାର  ଆବଶ୍ୟକତା  ଉପରେ  ଗୁରୁତ୍ଵ  ଦେଇ  ଯେଉଁ  କେତେକ  ଅବସ୍ଥାର  ଦୃଷ୍ଟାନ୍ତ  ହୋମିଓପାଥି  ଶାସ୍ତ୍ରର   ଜନକ   ନିଜେ  ଦେଲେ, ସେଥିରେ   ହୋମିଓପାଥି   ଚିକିତ୍ସା  ସହିତ  ଅସ୍ତ୍ରଚିକିତ୍ସାର  ଶାସ୍ତ୍ରର  କ’ଣ  ତାହା  ପରିଷ୍କାର  ଭାବରେ  ବୁଝାପଡେ   । ତେଣୁ  ଜଣେ  ହୋମିଓପାଥି  ଶାସ୍ତ୍ରର   ଶିକ୍ଷାର୍ଥୀ  କେଉଁ  କ୍ଷେତ୍ରରେ  ଅସ୍ତ୍ରଚିକିତ୍ସାର  ଆବଶ୍ୟକତା   ରହିଛି  ତାହା  ଯଦି  ଶିକ୍ଷା  ନପାଏ  ତାହାହେଲେ, ତା’ର  ଶିକ୍ଷା  ଯେ  ଅସମ୍ପୂର୍ଣ୍ଣ  ଓ  ତା’ର  ଚିକିତ୍ସା  ଦୋଷଯୁକ୍ତ  ରହିବ, ଏହା  କହିବା  ବାହୁଲ୍ୟମାତ୍ର   ।

ଏହା  ବ୍ୟତୀତ  ଅନ୍ୟଗୋଟିଏ  ଦିଗପ୍ରତି  ମଧ୍ୟ  ବିଚାର  କରାଯାଇପାରେ   । ତାହାହେଉଛି  ଏସିଡ୍  ପେପ୍ ଟିକ  ଡିଜିଜ, ଏପେଣ୍ଡିସାଇଟସ୍,  ଅଷ୍ଟିଓ  ମାଇଲିଟିସ୍  ଓ  ଗାଙ୍ଗ୍ରିନ  ଭଳି  କେତେକ  ଅବସ୍ଥା, ଭେଷଜ  ଓ  ଅସ୍ତ୍ରଚିକିତ୍ସା  ଉଭୟର  ସୀମାନ୍ତରେଖାରେ   ଅବସ୍ଥିତ  ରୋଗ  ଯାହା  ସବୁ  କି  ଆଖିବୁଜି  ସର୍ଜେରୀ  ଆଡକୁ  ଟାଣି  ନିଆଯାଏ    । ବହୁ  ଚିକିତ୍ସକଙ୍କ  ଅଭିଜ୍ଞତାରୁ  ଏସବୁ  ଅନାୟାସରେ  ଔଷଧଦ୍ଵାରା  ମଧ୍ୟ  ଆରୋଗ୍ୟ  ଲାଭ   କରୁଥିବାର  ଦୃଷ୍ଟାନ୍ତ  ରହିଅଛି  । ତେଣୁ  ଏ  ସବୁ  ରୋଗୀଙ୍କୁ  ହୋମିଓପାଥି  ଚିକିତ୍ସା  ମଧ୍ୟରେ  ରଖି  ଏକ  ସୁସଙ୍ଗଠିତ  ଅସ୍ତ୍ରୋପ୍ରଚାର  ଗୃହଦ୍ଵାରା  ଆପଦ  କାଳରେ, ଯଦି  ଆବଶ୍ୟକ  ପଡେ, ଅସ୍ତ୍ରୋପ୍ରଚାର  କରି  ରୋଗୀର  ଜୀବନ  ରକ୍ଷା  କରାଯାଇ  ପାରନ୍ତା   ।

କ୍ୟାନସର  ସମ୍ପର୍କରେ  ବହୁ  ବିଜ୍ଞ  ଚିକିତ୍ସକଙ୍କର  ମତ  ହେଉଛି, ଏହାର  କୋଷ  ଗୁଡିକୁ  ଥରେ  ଆଘାତ  ଲାଗିଲେ  ସେ  ସବୁ  ସୁପ୍ତସିଂହ  ଜାଗ୍ରତ  ହେଲାଭଳି   ଭୟଙ୍କର   ରୂପଧାରଣ   କରି  ରୋଗୀକୁ  ମରଣମୁଖୀ  କରାଇ  ଥାନ୍ତି  । ତେଣୁ  ଆଖିବୁଜା  ଅସ୍ତ୍ରଚିକିତ୍ସା  ମଧ୍ୟ  ଅନେକ  କ୍ଷେତ୍ରରେ  ହାନିକର  ପରିସ୍ଥିତି  ପାଇଁ  ଦାୟୀ   । ଏସବୁ  ରୋଗୀମାନଙ୍କ  ପାଇଁ  ହୋମିଓପାଥି  ଓ  ଆବଶ୍ୟକ  ସ୍ଥଳେ  ସର୍ଜେରୀର  ବ୍ୟବସ୍ଥା  ଏକ  ଉତ୍ତମ  ବ୍ୟବସ୍ଥା   । ପ୍ରଥମାବସ୍ଥାରେ  ହୋମିଓପାଥି  ଚିକିତ୍ସା  ଦ୍ଵାରା  କେତେକ  କ୍ୟାନସର  ରୋଗୀ  ଭଲ  ହେଉଥିବାର  ଦୃଷ୍ଟାନ୍ତ  ପ୍ରତ୍ୟହ  ସମ୍ବାଦ  ମାଧ୍ୟମରେ  ଜାଣିବାକୁ  ମିଳୁଛି   । ସୁତରାଂ   ଗୋଟିଏ  ସ୍ଥାନରେ  ହୋମିଓପାଥି  ଓ ଅସ୍ତ୍ରଚିକିତ୍ସାର  ଦ୍ଵୈତ ବ୍ୟବସ୍ଥା  (ଯେପରି  ସାଧାରଣ  ଏଲୋପାଥି  ଚିକିତ୍ସା  ପଦ୍ଧତିରେ  ଚାଲିଛି) ହୋଇପାରନ୍ତା, ତାହାହେଲେ  ଏ  ସମସ୍ତ  ରୋଗମାନଙ୍କ  ଉପରେ  ହୋମିଓପାଥି  ଔଷଧର  କାର୍ଯ୍ୟକାରିତା  ଉପରେ  ସଫଳ  ଗବେଷଣା  କରିବାର  ସୁବିଧା  ମିଳନ୍ତା   ।

କେବଳ  ସେତିକି  ନୁହେଁ, ଅସ୍ତ୍ରଚିକିତ୍ସା  ପର  ପରିଚାର୍ଯ୍ୟାର  ସମୟ  ସୀମାକୁ  ମଧ୍ୟ  ହୋମିଓପାଥି  ଔଷଧର  ସମତାଳୀୟ   ବ୍ୟବହାରରେ  ସ୍ୱଳ୍ପ  କରାଯାଇପାରନ୍ତା   । ଏହାର  ନଜିର  ସଚରାଚର   ଚିକିତ୍ସା  ଜଗତରେ  ବହୁଳ  ଦେଖାଯାଇ  ଅଛି   । ପୁନଶ୍ଚ  ଯେ  କୌଣସି  ହାଡଭଙ୍ଗା  କ୍ଷେତ୍ରରେ   ଟ୍ରାକ୍ସନ  ଓ  ପ୍ଲାଷ୍ଟର  ସହିତ  ହୋମିଓପାଥି  ଔଷଧ  ବ୍ୟବହାରରେ  କେତେଶୀଘ୍ର  ନୂତନ  ହାଡର  ସୃଷ୍ଟି  ହୋଇ  ରୋଗୀ  କେତେ  କମ୍  ସମୟ  ମଧ୍ୟରେ   ସକ୍ଷମ  ହୋଇଥାଏ, ତାହା  କେବଳ  ଅଭିଜ୍ଞ  ମାନେହିଁ  କହିପାରିବେ, ଯାହାର  ସଂଖ୍ୟା  ଅନେକ  ରହିଛି   ।

ସୁତରାଂ  ଅସ୍ତ୍ରଚିକିତ୍ସା  ଓ  ହୋମିଓପାଥିର  ସମ୍ପର୍କ  ଯେ  ପରିପୂରକ, ଗବେଷଣା  ମାଧ୍ୟମରେ   ଏହି  ସିଦ୍ଧାନ୍ତରେ  ଉପନୀତ   ହେବା  କେବଳ  ଏକ  ଚିକିତ୍ସା  ମହାବିଦ୍ୟାଳୟରେ ଓ  ତତ୍  ସଂଲଗ୍ନ  ଚିକିତ୍ସାଳୟରେ  ହିଁ  ସମ୍ଭବ    । ଏହାଦ୍ଵାରା  ହୋମିଓପାଥି  ଶିକ୍ଷାର୍ଥୀ, ଶିକ୍ଷକ  ତଥା  ଶଲ୍ୟଚିକିତ୍ସକ, ସମାଶଙ୍କ  ପାଇଁ  ଏକ  ନୂତନ  ଦିଗ୍ ଦର୍ଶନ  ମିଳନ୍ତା   । ସେମାନଙ୍କର  ଆତ୍ମାପ୍ରତ୍ୟୟ  ଓ  ଆତ୍ମବିଶ୍ଵାସ   ବଢନ୍ତା   ।

ଉଚିତ  ଭାବରେ  ସର୍ଜେରୀ  ଶିକ୍ଷା  ନଦେଲେ, ମହାବିଦ୍ୟାଳୟ   ସଂଲଗ୍ନ  ହାସପାତାଳରେ  ସର୍ଜେରୀର  ବ୍ୟବସ୍ଥା  ନକଲେ, ଛାତ୍ରମାନେ, ହ୍ୟାନିମାନ  କହିଲା  ଭଳି  “ଆରୋଗ୍ୟ  ନୈପୁଣ୍ୟ  ଚିକିତ୍ସକ ” ହେବେ  କିପରି ? କେଉଁ  ଅବସ୍ଥାରେ  ସର୍ଜରୀ   କରି  ବର୍ଜ୍ୟ  ପଦାର୍ଥକୁ  ବାହାର  କରିବା  ଦରକାର,  କେଉଁ  ଅବସ୍ଥାରେ  ରୋଗୀର  ଜୀବନୀ  ଶକ୍ତିକୁ  ସାହାଯ୍ୟ କରିବା  ପାଇଁ  ଔଷଧ  ବ୍ୟବସ୍ଥା  ଅନିବାର୍ଯ୍ୟ  ଏବଂ  କେଉଁ  ଔଷଧଟି  ହୋମିଓପାଥି  ମତରେ  ନିର୍ଦ୍ଧିଷ୍ଟ, ତାହାର ଶିକ୍ଷା  ଛାତ୍ରଟି  ପାଇବ  କେଉଁଠାରୁ   ?

ଶାସ୍ତ୍ରକହୁଛି :

“ଯସ୍ତୁ  କେବଳ  ଶାସ୍ତ୍ରଜ୍ଞ  କର୍ମସ୍ୱପରିନିଷ୍ଟିତଃ

ସମୁହ୍ୟତ୍ୟାତୁରଂ  ପ୍ରାପ୍ୟ ଭୀରୁରିବାହମ୍”

ଅର୍ଥାତ୍, ଯେ  କେବଳ  ଶାସ୍ତ୍ରରେ  ପଣ୍ଡିତ  ମାତ୍ର  କାର୍ଯ୍ୟରେ  ଅନଭ୍ୟସ୍ତ, ସେ  ରୋଗୀର  ସମ୍ମୁଖୀନ  ହେଲେ, ଭୀରୁ  ଯେପରି  ରଣ   ମୁହଁରେ  ପଡିଲେ  ହୁଏ, ସେହିଭଳି  ହତବମ୍ବ  ହୋଇପଡେ   । ତେଣୁ  ଶାସ୍ତ୍ର  ଶିକ୍ଷା  ସହିତ  ପ୍ରାୟୋଗିକ   ଶିକ୍ଷାର  ଆବଶ୍ୟକତାଯେ  ନିଶ୍ଚୟ   ଗୁରୁତ୍ଵପୂର୍ଣ୍ଣ   ଏହା  ଭୁଲିଯିବା  ଉଚିତ  ନୁହେଁ   । ପୁନଶ୍ଚ  :

“ଶାସ୍ତ୍ରଗୁରୁମୁଖୋଦ୍ ଗୀର୍ଣ୍ଣମାଦାୟୋ  ପାସ୍ୟ  ଚାଃସକୃତ୍

ଯ  କର୍ମ  କୁରୁତେ  ବୈଦ୍ୟ  ସବୈଦ୍ୟୋ ନେତୁ  ତସ୍କରାଃ”

ଅର୍ଥାତ୍ ; ଯିଏ  ଶାସ୍ତ୍ରୀୟ  ଚିକିତ୍ସାବିଦ୍ୟା  ତାଙ୍କ  ଗୁରୁଙ୍କ  ମୁଖରୁ  ଶିକ୍ଷାଲାଭ  କରିଛନ୍ତି  ପ୍ରକୃତ  ଚିକିତ୍ସା  କ୍ଷେତ୍ରକୁ   ଯିବା  ପୂର୍ବରୁ  ତାଙ୍କରି  ଅନୁଦେଶାନୁସାରେ   ବାରମ୍ବାର  ସେ  ଶିକ୍ଷାକୁ  ରୋଗୀକ୍ଷେତ୍ରରେ  ଉପଯୋଗ  କରିଛନ୍ତି, ସେହିଁ  କେବଳ  ପ୍ରକୃତ  ଚିକିତ୍ସକ, ଅନ୍ୟ  ସମସ୍ତେ  ହେଉଛନ୍ତି   ତସ୍କର   ।

ସର୍ବଶେଷରେ  ଏହାହିଁ  ସିଦ୍ଧାନ୍ତ  । ସର୍ଜେରୀ  ଓ  ଭେଷଜ  ଚିକିତ୍ସା, ଚିକିତ୍ସାବିଜ୍ଞାନର  ଦୁଇଟି  ଅଙ୍ଗ   । ଉଭୟ  ପରିପୂରକ   । କେବଳ  ଉପଯୁକ୍ତ  ଭାବରେ  ଶିକ୍ଷାଲାଭ  କରିଥିବା  ବ୍ୟକ୍ତିହିଁ  ଏ ସବୁ  କାର୍ଯ୍ୟ  କରିବା  ପାଇଁ   ବିବେଚିତ  ହେବା  ଉଚିତ   । ଜ୍ଞାନ  ଓ ଧୂରୀଣତାରେ  ସମ୍ପ୍ରଦାୟୀକତାର  ପ୍ରଶ୍ନ   ଉଠାଇ  ବାସନ୍ଦ   କରିବା  ଏକ  ଜଘନ୍ୟ  ଅପରାଧ   । ଯୋଗ୍ୟତା  ହିଁ  ସବୁଠାରେ   ମାପକାଠି  ହେବା  ଉଚିତ   । ଯୋଗ୍ୟତା  ନିର୍ଭର  କରୁଛି   ଠିକଣା  ପ୍ରଶିକ୍ଷଣ   ଉପରେ  ଏବଂ  ଏହି  ପ୍ରଶିକ୍ଷଣ  ବ୍ୟବସ୍ଥା  କରିବାର  ଦାୟିତ୍ଵ  ହେଉଛି   ରାଷ୍ଟ୍ରର   ।

ସଂଗୃହୀତ – ଡାକ୍ତର କମଳାକାନ୍ତ କର

3.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top