অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ନ୍ୟାଚୁରୋପାଥି ବା ପ୍ରାକୃତିକ ଚିକିତ୍ସା

ପ୍ରାକୃତିକ ଚିକିତ୍ସା

ପ୍ରାକୃତିକ ଚିକିତ୍ସା ହେଉଛି ଏକ ପ୍ରକାର ଜୀବନଚର୍ଯ୍ୟା । ବେଦ ଏବଂ ଅନ୍ୟାନ୍ୟ ପୁରାଣ ଗ୍ରନ୍ଥ ଗୁଡିକରେ ଏହାର ଉଲ୍ଲେଖ ରହିଛି । ଯେଉଁ ସବୁ ଧାରଣା ଓ ନିୟମ ଉପରେ ଏହି ପ୍ରାକୃତିକ ପଦ୍ଧତି ଆଧାରିତକ , ପୁରାତନ ଗ୍ରନ୍ଥମାନଙ୍କରେ ସେସବୁର ଉପସ୍ଥିତି ଯୋଗୁଁ ପୁରାତନ ଭାରତବର୍ଷ ରେ ଏହି ପ୍ରାକୃତିକ ଚିକିତ୍ସା ପଦ୍ଧତିର ବହୁଳ ଉପଯୋଗ ହୋଇ ଆସୁଥିବାର ଅନୁମାନ କରାଯାଏ ।

ଯେଉଁ ତିନିଟି ନିୟମ ଉପରେ ପ୍ରାକୃତିକ ଚିକିତ୍ସା ପର୍ଯ୍ୟବସିତ, ସେଗୁଡିକ ହେଉଛି :

  • ରୋଗ କରାଉଥିବା ଉପାଦାନ ଗୁଡିକର ଶରୀରରେ ଜମାହେବା ।
  • ରକ୍ତ ଏବଂ ଲସିକାର ଉପାଦାନରେ ଅସନ୍ତୁଳନ ।
  • ଜୀବନୀ ଶକ୍ତି ଦୁର୍ବଳ ହେବା ।

ପ୍ରାକୃତିକ ଚିକିତ୍ସା ମତ ଏହି ଯେ, ଶରୀରରେ ରୋଗ କାରକ ପଦାର୍ଥ ଗୁଡିକ ଜମା ହେଉଥିବା ହେତୁ ମଣିଷ ରୋଗରେ ପଡିଥାଏ ଏବଂ ସେହି ପଦାର୍ଥଗୁଡିକ ଯଦି ଶରୀରରୁ ବାହାରିଯିବା ଲାଗି ବ୍ୟବସ୍ଥା କରାଯାଏ , ତେବେ ରୋଗ ଭଲ ହୋଇଥାଏ । ମନୁଷ୍ୟ ଶରୀରରେ ଆପେ ଆପେ ଠିକ ହେବାର ଗଠନ ମୂଳକ ଶକ୍ତି ଅନ୍ତନିହିତ ଭାବେ ରହିଛି ବୋଲି ପ୍ରାକୃତିକ ଚିକିତ୍ସା ପଦ୍ଧତିର ବିଶ୍ଵାସ । ଅନ୍ୟ ଚିକିତ୍ସା ପଦ୍ଧତିଗୁଡିକ ଠାରୁ ଭିନ୍ନ, ଏହି ପଦ୍ଧତିରେ ଗୋଟିଏ ରୋଗର ନିର୍ଦ୍ଧିଷ୍ଟ କୌଣସି କାରଣ ବା ନିର୍ଦ୍ଧିଷ୍ଟ ଚିକିତ୍ସା ଉପରେ ବିଶ୍ଵାସ କରାଯାଇଥାଏ , ବରଂ ଏହି ପଦ୍ଧତି ସାମଗ୍ରିକ ଉପରେ ଆଧାରିତ ଜଣେ ଲୋକର ଜୀବନ ଚର୍ଯ୍ୟା, ଚିନ୍ତାଧାରା, କାର୍ଯ୍ୟ ପ୍ରଣାଳୀ, ନିଦ୍ରା, ଯୌନ ଜୀବନ, ଅବସର ଇତ୍ୟାଦିରେ ସାମଗ୍ରିକ ଭାବେ ଥିବା ତ୍ରୁଟି ଏବଂ ଅନିୟମିତତା ହେତୁ ରୋଗ ହୋଇଥାଏ । ଶରୀରର ସାଧାରଣ କାର୍ଯ୍ୟପ୍ରଣାଳୀକୁ ପରିପାର୍ଶ୍ଵିକ ଉପାଦାନମାନଙ୍କରେ ଥିବା କ୍ଷତିକାରକ ତତ୍ଵଗୁଡିକ ମଧ୍ୟ କ୍ଷତି ପହଞ୍ଛାଇଥାନ୍ତି ଦୁର୍ବଳ, ବିଷାକ୍ତ ତଥା ରୋଗ ଗ୍ରସ୍ତ କରାଇଥାଏ ।

ଚିକିତ୍ସା ଲାଗି ଏହି ପଦ୍ଧତି ପ୍ରଥମେ ଅସୁସ୍ଥତା ସମସ୍ତ କାରଣ ଗୁଡିକୁ ଦୂର କରିବା ଏବଂ ତାପରେ ଶରୀରକୁ ଆପେ ଆପେ ଠିକ ହେବା ଲାଗି ଛାଡିଦେବା ଉପରେ ଗୁରୁତ୍ଵ ଦେଇଥାଏ । ସଠିକ ପ୍ରାକୃତିକ ଉପାୟମାନ ଅବଲମ୍ବନ କରି ଓ ପ୍ରାକୃତିକ ଶକ୍ତି ଗୁଡିକ ନିରାପଦ ପରିସର ମଧ୍ୟରେ ନିୟନ୍ତ୍ରଣ କରି ପ୍ରାକୃତିକ ଚିକିତ୍ସକ ରୋଗ ମୁକ୍ତିରେ ସାହାଯ୍ୟ କରିଥାନ୍ତି । ପ୍ରାକୃତିକ ଚିକିତ୍ସାର ପାଞ୍ଚଟି ଆୟୁଧ ହେଲା ବାୟୁ, ଜଳ, ଉତ୍ତାପ, ମାଟି, ଏବଂ ଉପବାସ । ଏହା ଛଡା ପ୍ରାକୃତିକ ସାତ୍ତ୍ଵିକ ଖାଦ୍ୟ, ଯୋଗ ଧ୍ୟାନ ଓ ପ୍ରାର୍ଥନା ସୁସ୍ଥତାର ଚାବିକାଠି ।

ନିୟମାବଳୀ

  • ଜଣେ ବ୍ୟକ୍ତିଙ୍କର ସମସ୍ତରୋଗ, ସେଗୁଡିକ କାରଣ ଏବଂ ଚିକିତ୍ସା ଏକକ ବା ସମଗ୍ରରୂପେ ବିଚାର କରାଯାଏ ।
  • ରୋଗର ମୂଳ କାରଣ ଜୀବାଣୁ ନୁହେଁ । ଶରୀରରେ ରୋଗ କାରକ ତତ୍ଵ ମାନ ଜମା ହେବାରୁ ଯେତେବେଳେ ଜୀବାଣୁମାନଙ୍କର ବଂଶବୃଦ୍ଧି ଲାଗି ଅନୁକୂଳ ପରିବେଶ ସୃଷ୍ଟି ହୁଏ , ଜୀବାଣୁମାନେ ବଢି ଚାଲନ୍ତି ।
  • ତରୁଣ ବା ନୂତନ ରୋଗ ଗୁଡିକ ଆମର ଶତ୍ରୁ ନୁହନ୍ତି –ବରଂ ମିତ୍ର । ତରୁଣ ରୋଗ ଗୁଡିକର ତ୍ରୁଟିପୂର୍ଣ୍ଣ ଚିକିତ୍ସା ବା ସେଗୁଡିକ ଚପାଇ ଦେବା ଦ୍ଵାରା ପୁରାତନ ରୋଗ ଜନ୍ମ ନେଇଥାଏ ଓ ଜଟିଳ ହୋଇଥାଏ ।
  • ପ୍ରକୃତି ହେଉଛି ସବୁଠୁ ବଡ ଚିକିତ୍ସକ । ନିଜକୁ ରୋଗରୁ ରକ୍ଷା କରିବାର ଶକ୍ତି ଏବଂ ଅସୁସ୍ଥଥିଲେ, ସ୍ୱାସ୍ଥ୍ୟ ଫେରିପାଇବାର ଶକ୍ତି ମନୁଷ୍ୟ ଶରୀରର ରହିଛି ।
  • ପ୍ରାକୃତିକ ଚିକିତ୍ସା ପଦ୍ଧତିରେ ରୋଗ ନୁହେଁ, ରୋଗୀକୁ ଚିକିତ୍ସା କରାଯାଏ ।
  • ଏହି ପଦ୍ଧତିରେ ନିଦାନ ଅତ୍ୟନ୍ତ ସରଳ । ନିଦାନ ଲାଗି ଦୀର୍ଘକାଳ ଅପେକ୍ଷାକରି ଚିକିତ୍ସାରେ ବିଳମ୍ବ କରାଯିବା ଦରକାର ନାହିଁ ।
  • ଏହି ପଦ୍ଧତିରେ ପୁରାତନ ରୋଗ ଭୋଗୁଥିବା ରୋଗୀମାନଙ୍କ ମଧ୍ୟ ସଫଳ ଭାବେ ଚିକିତ୍ସା କରାଯାଇ ଅପେକ୍ଷାକୃତ  କମ ସମୟ ମଧ୍ୟରେ ରୋଗମୁକ୍ତ କରାଯାଇପାରେ ।
  • ଚାପିଯାଇଥିବା ବା ଚପାଇଦିଆଯାଇଥିବା ରୋଗ ଗୁଡିକୁ ମଧ୍ୟ ଏହି ପଦ୍ଧତିରେ ଭଲ କରାଯାଇଥାଏ ।
  • ପ୍ରାକୃତିକ ଚିକିତ୍ସା ରୋଗର ଶାରୀରିକ, ମାନସିକ, ସାମାଜିକ ଏବଂ ଆତ୍ମିକ ଏହି ଚାରିଦିଗର ଏକ ସମୟରେ ଉପଚାର କରିଥାଏ ।
  • ଶରୀରର ସମସ୍ତ ଅଙ୍ଗକୁ ଅଲଗା ଅଲଗା ଚିକିତ୍ସା ନ କରି ଏହି ପଦ୍ଧତିରେ ସମଗ୍ର ଶରୀରକୁ ଏକକ ଭାବେ ଚିକିତ୍ସା କରାଯାଏ ।
  • ପ୍ରାକୃତିକ ଚିକିତ୍ସା ପଦ୍ଧତିରେ ଔଷଧର ବ୍ୟବହାର ନାହିଁ । ଏହି ପଦ୍ଧତିରେ ଖାଦ୍ୟ ହିଁ ଔଷଧ ।
  • ମାହାତ୍ମାଗାନ୍ଧୀଙ୍କ ମତରେ “ରାମ ନାମ” ହେଉଛି ସବୁଠୁ ଭଲ ପ୍ରାକୃତିକ ଚିକିତ୍ସା । ଅର୍ଥାତ ନିଜର ଅଧ୍ୟାମିକ ବିଶ୍ଵାସ ଅନୁଯାୟୀ ପ୍ରାର୍ଥନା କରିବା ଏହି ଚିକିତ୍ସାର ଏକ ଗୁରୁତ୍ଵପୂର୍ଣ୍ଣ ଅଂଶ  ।

ସଂକ୍ଷେପରେ କହିବାକୁ ଗଲେ, ପ୍ରକୃତି ଗଠନ ମୂଳକ ନିୟମ ସମ୍ମତି ଚିକିତ୍ସା ହେଉଛି ପ୍ରାକୃତିକ ଚିକିତ୍ସା । ଏହି ପଦ୍ଧତି ପ୍ରକୃତି କୋଳକୁ ଫେରିଯିବା ଲାଗି ଏକ ଆହ୍ଵାନ ଏବଂ ନୁଜ ସହିତ, ସମାଜ ସହିତ ତଥା ପରିବେଶ ସହିତ ସମନ୍ୱୟ ରକ୍ଷା କରି ସରଳ ଜୀବନ ଯାପନ କରିବା ଉପରେ ଗୁରୁତ୍ଵ ଦେଇଥାଏ । ଶରୀରର ନିଜସ୍ଵ ସ୍ୱାସ୍ଥ୍ୟ ଫେରିପାଇବାର ଶକ୍ତିକୁ ମାଟି, ପାଣି, ପବନ ଅଗ୍ନି ଏବଂ ଆକାଶ ଭଳି ପାଞ୍ଚ ମହାଭୁତ ସହାୟତାରେ ଉଜ୍ଜୀବିତ  କରି ଆରୋଗ୍ୟ ପ୍ରାପ୍ତି କରାଇବା ପ୍ରାକୃତିକ ଚିକିତ୍ସା ମୂଳ ସୂତ୍ର । ଯଦିଓ ମୂଳ ପ୍ରାକୃତିକ ଚିକିତ୍ସା ପଞ୍ଚମହାଭୂତ ଉପରେ ପର୍ଯ୍ୟବେସିତ, ବର୍ତ୍ତମାନ ମାଲିସ , ବୈଦୁତିକ ଚିକିତ୍ସା , ଫିଜିୟଥେରାଫି , ଆକ୍ୟୁପଙ୍କଚର ଓ ଆକ୍ୟୁପ୍ରେସର ପ୍ରଭୁତି ଔଷଧ ବିହୀନ ଚିକିତ୍ସା ଗୁଡିକୁ ପ୍ରାକୃତିକ ଚିକିତ୍ସା ମଧ୍ୟରେ ଅନ୍ତର୍ଭୁକ୍ତ କରାଯାଉଛି । ତେବେ ଏହି ଚିକିତ୍ସା ପଦ୍ଧତିରେ ରୋଗୀର ଖାଦ୍ୟ ବା ପଥ୍ୟର ଭୂମିକା ସବୁଠାରୁ ଅଧିକ ଗୁରୁତ୍ଵପୂର୍ଣ୍ଣ ।

ଇତିହାସ

ପ୍ରାକୃତିକ ଚିକିତ୍ସା ଜର୍ମାନୀ ଏବଂ ଅନ୍ୟ ପାଶ୍ଚାତ୍ୟ ଦେଶଗୁଡିକରେ ପ୍ରଥମେ ଜଳ ଚିକିତ୍ସାରୁ ଆରମ୍ଭ ହୋଇଥିଲା । ଜଳ ଚିକିତ୍ସାକୁ ବିଶ୍ଵ ବିଖ୍ୟାତ କରାଇଥିଲେ ଭିନସେଣ୍ଟ ପ୍ରେସନିଜ । ୧୮୯୫ ମସିହାରେ ପ୍ରାକୃତିକ ଚିକିତ୍ସା ର ଆରମ୍ଭ କରାଯାଇଥିଲା । କ୍ରମେ ବିଭିନ୍ନ ଦେଶର ଚିକିତ୍ସକ ମାନେ  ଏହାର ପ୍ରୟୋଗ କରିବା ସହ ଏଥିରେ କିଛି କିଛି ଉପଚାର ଯୋଗ କରିଥିଲେ ଓ ଏହି ଚିକିତ୍ସାପଦ୍ଧତିର ଉନ୍ନତି ବିଧାନ କରିଥିଲେ । ଜାତିର ଜଣକ ମହାତ୍ମା ଗାନ୍ଧୀ ଏହି ଚିକିତ୍ସା ପଦ୍ଧତିରେ ଆଗ୍ରହୀ ହେବା ପରେ ପ୍ରାକୃତିକ ଚିକିତ୍ସା ଆମ ଦେଶରେ ପ୍ରସାର ଲାଭ କରିଥିଲା । ମହାରାଷ୍ଟ୍ର ପ୍ରଦେଶର ପୁନେ ଜିଲ୍ଲାର ଉରୁଲି କଞ୍ଚନ ଠାରେ ଗାନ୍ଧୀଜୀ ଗୋଟିଏ ପ୍ରାକୃତିକ ଚିକିତ୍ସା ହସ୍ପିଟାଲ ମଧ୍ୟ ସ୍ଥାପନ କରିଥିଲେ ଏବଂ ହସ୍ପିଟାଲ ଟି ମଧ୍ୟ ସକ୍ରିୟ ରହିଛି ।

ପୃଷ୍ଠ ଭୂମି :ଭାରତ ସରକାର ଭାରତୀୟ ଚିକିତ୍ସା ପଦ୍ଧତି ଏବଂ ହୋମିଓପ୍ୟାଥି ଉପରେ ଗବେଷଣା ତଥା ଉନ୍ନତିବିଧାନର ଗୁରୁତ୍ଵ ଉପଲବ୍ଧି କରି ୧୯୬୯ ମସିହାରେ ପ୍ରତିଷ୍ଠା କରିଥିଲେ “ଭାରତୀୟ ଚିକିତ୍ସା ଏବଂ ହୋମିଓପ୍ୟାଥି ପାଇଁ କେନ୍ଦ୍ରୀୟ ଗବେଷଣା ପରିଷଦ “ ଏହି ପରିଷଦ ୧୯୭୮ ମସିହା ପର୍ଯ୍ୟନ୍ତ ରହିଥିଲା ଏବଂ ଉକ୍ତ ସମୟ ସୀମା ମଧ୍ୟରେ ପ୍ରାକୃତିକ ଚିକିତ୍ସାର ଉନ୍ନତିବିଧାନ ଭାରତ ସରକାରଙ୍କର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ସିଧାସଳଖ ଦାୟିତ୍ଵରେ ଥିଲା । ୧୯୭୮ମସିହାରେ ମାର୍ଚ୍ଚ ମାସରେ ଏହି ପରିଷଦକୁ ଭାଙ୍ଗିଦିଆଯାଇ ଚାରିଟି ସ୍ଵତନ୍ତ୍ର ଗବେଷଣା ପରିଷଦ ଗଠନ କରାଯାଇଥିଲା ।

ସେଗୁଡିକ ହେଲା :ଆୟୁର୍ବେଦ ଓ ସିଦ୍ଧ ପାଇଁ, ୟୁନାନୀ ପାଇଁ , ହୋମିଓପ୍ୟାଥିକ ପାଇଁ ଏବଂ ଯୋଗ ବା ନାଚୁରୋପ୍ୟାଥି ପାଇଁ ଗବେଷଣା ପରିଷଦ । ଏଣୁ ନିଜ ନିଜର ମୌଳିକ ନିୟମ ତଥା ତତ୍ଵ ଅନୁଯାୟୀ ଯୋଗ ଓ ପ୍ରାକୃତିକ ଚିକିତ୍ସାର ସର୍ବାଙ୍ଗୀନ ବିକାଶ ଓ ପ୍ରସାର ପାଇଁ ୧୯୭୮ ମସିହା ଠାରୁ ପଥ ପ୍ରଶସ୍ତ ହୋଇଛି । ପ୍ରାକୃତିକ ଚିକିତ୍ସାରେ ସର୍ବରୋଗହର ଭାବରେ କେତେକ ବ୍ୟସତା ରହିଛି , ଯାହାକି ସମସ୍ତ ଦେହକୁ ରୋଗ ମୁକ୍ତ ତଥା ସୁସ୍ଥ ରଖିବାରେ ମୁଖ୍ୟ ରୂପେ ସହାୟକ ହୋଇଥାଏ । ସମସ୍ତ ରୋଗରେ ପ୍ରଯୁଜ୍ୟ ଅତି ଆବଶ୍ୟକ ଉପାୟମାନ ମଧ୍ୟରୁ ପ୍ରଥମେ କେତେକ ସହଜ କ୍ରିୟା ମାତ୍ର କଲେ ବ୍ୟକ୍ତି ରୋଗ ମୁକ୍ତ ହୋଇପାରେ । ଆବଶ୍ୟକ ସ୍ଥଳରେ ଅଧିକ ସମୟ ସାପେକ୍ଷ ଏବଂ ଅଧିକ ଲୋକଙ୍କ ସାହାଯ୍ୟ ସାପେକ୍ଷ ଉପାୟଗୁଡିକ କରିବାକୁ ହୁଏ । ଧୈର୍ଯ୍ୟର  ସହ ପ୍ରାକୃତିକ ଚିକିତ୍ସା ଦ୍ଵାରା ପ୍ରାୟ ସମସ୍ତ ରୋଗ ଆରୋଗ୍ୟ ହୋଇପାରେ । ଏହା ବ୍ୟତୀତ ଯାହା ସବୁ କଲେ ଆମ ସ୍ୱାସ୍ଥ୍ୟର ଉନ୍ନତି ହୁଏ ଏବଂ ନିରୋଗ ତଥା ଦୀର୍ଘଜୀବି ହେବାର ସାହାଯ୍ୟ ମିଳେ,ସେସବୁ ମଧ୍ୟ ପ୍ରାକୃତିକ ଚିକିତ୍ସାରେ ନିର୍ଦ୍ଦେଶିତ ହୋଇଛି । ଡାକ୍ତର, ଔଷଧ, ଇଂଜେକସନ, ଓ ଅସ୍ତ୍ରୋପଚାର ପଛରେ ନ ଧାଇଁ କେବଳ ସାମାନ୍ୟ କେତେକ ଉପକରଣ ସାହାଯ୍ୟରେ ପ୍ରାକୃତିକ ଚିକିତ୍ସା ଦ୍ଵାରା ନିଜର, ପରିବାରର ତଥା ସମାଜରେ ଅନ୍ୟମାନଙ୍କ ସକଳ ପ୍ରକାର ବ୍ୟାଧିରୁ ମୁକ୍ତି ଲାଭ କରିବା ବୁଦ୍ଧିମତ୍ତାର ପରିଚୟ ।

ପ୍ରୟୋଗ ବିଧି (ସ୍ନାନ)

ବିଭିନ୍ନ ସମୟରେ ବାୟୁ ସ୍ନାନ: ବିଭିନ୍ନ ଶୀତଳ ପବନର ସମ୍ପର୍କରେ ଆସିବା ଫଳରେ ସ୍ନାୟୁ ଗୁଡିକ ସତେଜ ରହେ ଓ ସୁନିଦ୍ରା ହୋଇଥାଏ । ମୁକ୍ତ ବାୟୁରେ ଭ୍ରମଣ ଅଭ୍ୟାସ ରଖିପାରିଲେ ବାର୍ଦ୍ଧକ୍ୟ ଦୂରରୁ ହାତିଯାଏ ଏବଂ ଆୟୁ ବୃଦ୍ଧି ଘଟେ । ଖାଲି ପେଟରେ ଏପରି ଶୀତଳ ମୁକ୍ତବାଯୁରେ ଭ୍ରମଣ ସହିତ ଗଭୀର ଶ୍ଵାସକ୍ରିୟା କଲେ ପ୍ରଭୂତ ଉପକାର ମିଳେ । ଘରଭିତରେ ଶୋଇବାକୁ ହେଲେ ଦୁଆର ଝରକା ଖୋଲାରଖୀ ଖୋଲା ଝରକା କି ଖୋଲା ଦୁଆର ଆଡକୁ, ମୁଣ୍ଡ କରି ଶୋଇବା ଆବଶ୍ୟକ ।

“କେବଳ ଯେଉଁ ମାନେ ଅଭ୍ୟାସ କରି ବାୟୁ ସ୍ନାନ କରନ୍ତି , ସେହିମାନେ କେବଳ ସମସ୍ତ ଶରୀରର ଉପରିଭାଗରେ ଥିବା କୋଟି କୋଟି ସ୍ନାୟୁର ଶେଷ ଭାଗରେ ଏହାର କି ପ୍ରକାର ଶାନ୍ତିଦାୟକ ଓ ପୃଷ୍ଠିକାରକ ପ୍ରଭାବ ପଡେ, ତାହାର ମୂଲ୍ୟ ବୁଝିପାରନ୍ତି । ସ୍ନାୟୁବିକ ଦୁର୍ବଳତା, ନିଉରାସ୍ଥେନିଆ ଏବଂ ଉଦବେଗ ଓ ମାନସିକ ଗୋଳମାଳରେ ବାୟୁ, ସୂର୍ଯ୍ୟକିରଣ ଓ ଶୀତଳ ଜଳ ଦ୍ଵାରା ଯେ ଅଭୁତ ଫଳ ମିଳେ, ତାହା ଏଥିରୁ ହିଁ ବୁଝାପଡେ ।

ସୂର୍ଯ୍ୟ ସ୍ନାନ

ସୂର୍ଯ୍ୟ କିରଣ ଓ ‘ଡି’ ଭିଟାମିନ : ସୂର୍ଯ୍ୟ କିରଣ ଆମ୍ଭ ମାନଙ୍କ ଦେହରେ ପଡିଲେ ଆମ୍ଭେ ମାନେ ଯଥେଷ୍ଟ ପରିମାଣରେ ‘ଡି’ ଭିଟାମୀନ ଗ୍ରହଣ କରିପାରୁ , ଯାହା ଫଳରେ କାଲସିୟମ ଆମ ଶରୀରରେ ଭଲ ଭାବରେ ଜୀର୍ଣ୍ଣ ହୋଇପାରେ ଏବଂ ହାଡ ଭଲ ଭାବରେ ଶକ୍ତ ହୋଇପାରେ ।

ବାଷ୍ପ ସ୍ନାନର ବିକଳ୍ପ :ସୂର୍ଯ୍ୟସ୍ନାନ ନେବା ଦ୍ଵାରା ଲୋମକୂପ ଖୋଲିଯାଏ ଏବଂ ଶରୀରରୁ ବହୁତ ପରିମାଣର ଝାଳ ବୋହିଥାଏ । ଖରା ପୋଇଁବା ଫଳରେ ଶରୀର ମଧ୍ୟରୁ ଦୂଷିତ ପଦାର୍ଥମାନ ତରଳ ହୋଇ ଝାଳବାଟେ ବାହାରି ଯିବା ଫଳରେ ସ୍ୱାସ୍ଥ୍ୟ ମନକୁମନ ସୁଧୁରିଥାଏ ।

ସୂର୍ଯ୍ୟ କିରଣର ଆରୋଗ୍ୟକାରୀ ଗୁଣ

ସୂର୍ଯ୍ୟକିରଣର ପ୍ରଭାବ ଯେ କେବଳ ଚମଡା ଉପରେ ପଡେ ତା ନୁହେଁ , ଏହା ଶରୀର ଭିତରେ ଥିବା ସମସ୍ତ ଜୀବକୋଷ, ତନ୍ତୁ ଓ ହୃଦୟ ଆଦି ସମସ୍ତ ଯନ୍ତ୍ର ଉଦ୍ଦୀପନା କରିଥାଏ । ଏହାର ପରିଣାମସ୍ୱରୂପ ଶରୀରର ସମସ୍ତ ଯନ୍ତ୍ରର କାର୍ଯ୍ୟ କାରିତା ଶକ୍ତି ଏବଂ ଶରୀର ମଧ୍ୟରେ କ୍ଷୟ ଏବଂ ଗଠନ କରିବାର କାମକୁ ଯଥେଷ୍ଟ ମାତ୍ରାରେ ବୁଦ୍ଧି କରାଇଥାଏ । ଏହି କାରଣରୁ ନିୟମିତ ଭାବରେ ପ୍ରତ୍ୟହ ଖରା ପୋଇଁଲେ ବହୁତ ରୋଗ ଆରୋଗ୍ୟ କରାଯାଇପାରେ ।

ଖୋଲା ଦେହ ଉପରେ ସୂର୍ଯ୍ୟକିରଣ ପଡିଲେ, ଚର୍ମରେ ଭିଟାମିନ 'ଡି' ଉତ୍ପନ ହୋଇଥାଏ । ସୂର୍ଯ୍ୟଦୟ ସମୟରେ ପ୍ରାତଃ ଭ୍ରମଣ  ଦ୍ଵାରା ଚର୍ମ ପରିଷ୍କାର ହୋଇଥାଏ, ଶରୀରରେ ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି ପାଏ ଏବଂ ଶରୀର ମଧ୍ୟରେ ନୂତନ ଜୀବନର ଆବିର୍ଭାବ ହୋଇଥାଏ । ଖରା ଟାଣ ନ ଥିବା ବେଳେ, ଯେତେବେଳେ ଖରା ଖରା ପୋଇଁଲେ ସୁଖ ଲାଗେ, ଅର୍ଥାତ ଶୀତଦିନେ ସକାଳ ୯ଟା କି ୧୦ଟା ପର୍ଯ୍ୟନ୍ତ ଓ ଉପରବେଳା ୩ଟାରୁ ସଂଧା ପର୍ଯ୍ୟନ୍ତ ଏବଂ ଗ୍ରୀଷ୍ମଦିନରେ ସକାଳ ୮ଟା କି ୯ ଟା ପର୍ଯ୍ୟନ୍ତ ଓ ଉପରବେଳା ୪ ଟା ପରଠାରୁ ସୂର୍ଯ୍ୟସ୍ନାନ ଉପକାର କରିଥାଏ । ଏହା ଖରା ଯଦି ଟାଣ ନ ଥାଏ , ତେବେ ଯେତେ ସମୟ ଖରାରେ ବସିବାକୁ ସୁଖକର ମାନେ ହେବ, ବସିଲେ ଉପକାର ମିଳିଥାଏ ।

ସୂର୍ଯ୍ୟସ୍ନାନ ପରେ ଯତ୍ନ :

ସାଧାରଣ ବ୍ୟକ୍ତି ପକ୍ଷରେ ସୂର୍ଯ୍ୟସ୍ନାନର ଠିକ ପରେ ପରେ ମୁଣ୍ଡକୁ ଭଲଭାବରେ ଥଣ୍ଡା ପାଣିରେ ଧୋଇଦେଇ ପୋଛିଦେବାକୁ ହୁଏ , ତାପରେ ଥଣ୍ଡାପାଣିରେ ଭିଜା ଚାପୁଡା ତଉଲିଆରେ ସମସ୍ତ ଦେହ ପୋଛି ଦେହ ଗରମ ଥାଉ ଥାଉ ସାଧାରଣ ଉତ୍ତାପ ଜଳରେ ଗାଧୋଇବା ଦରକାର । ଯଦି ଭୋରରୁ ସ୍ନାନ କାର୍ଯ୍ୟ ସରିଯାଇଥାଏ, ତେବେ ସୂର୍ଯ୍ୟସ୍ନାନ ପରେ ମୁଣ୍ଡକୁ ଭଲଭାବରେ ଥଣ୍ଡାପାଣିରେ ଧୋଇ ପୋଛିବା ପରେ ଦେହକୁ ଓଦା ଚିପୁଡା ତଉଲିଆରେ ବାରମ୍ବାର ପୋଛି ଥଣ୍ଡା କରିପାରିଲେ ବେଶ ଉପକାର ସହିତ ଆରମ ମିଳିଥାଏ । ମାତ୍ର ସୂର୍ଯ୍ୟ ସ୍ନାନ ପରେ ପୂର୍ବୋକ୍ତମତେ ଶରୀରକୁ ଥଣ୍ଡା ନ କଲେ ବହୁତ କ୍ଷତି ହେବାର ଆଶଙ୍କା ଥାଏ ।

ଯଦି ବ୍ୟକ୍ତି ବାହାର କାର୍ଯ୍ୟ କରିଥାଏ, ତେବେ ସେ ବେଳେବେଳେ ସୂର୍ଯ୍ୟ କିରଣ ପାଇଥାଏ । ଯେଉଁ ମାନେ ଖରାରେ କାମ କରନ୍ତି, ସେମାନଙ୍କ ପାଇଁ ଆଉ ସ୍ଵତନ୍ତ୍ର ଭାବରେ ସୂର୍ଯ୍ୟସ୍ନାନ ଲୋଡା ହୁଏ ନାହିଁ ।

ପତ୍ର ମଧ୍ୟ ଦେଇ ସୂର୍ଯ୍ୟସ୍ନାନ (ଶିଶୁର)

ଯଦି କଦଳୀପତ୍ର କି ବଡ ମହଣପତ୍ର କି ସେପରି ଓସାରିଆ ସାଗୁଆ ବଡ ପତ୍ର ମିଳେ , ତେବେ ସୂର୍ଯ୍ୟ କିରଣ ସେହି ପତ୍ର ଭେଦ କରି ଶିଶୁର ମୁଣ୍ଡଠାରୁ ପାଦ ପର୍ଯ୍ୟନ୍ତ ସମସ୍ତ ଶରୀର ଉପରେ ପଡ଼ିପାରିଲେ , ଶିଶୁର ଯଥେଷ୍ଟ ଉପକାର ହୁଏ । ଶିଶୁକୁ ତେଲ ମର୍ଦନ କରିବା ସମୟରେ ତାକୁ ଖରାରେ ଶୁଖାଇ ତେଲ ମର୍ଦନ କଲେ ମାଲିସରେ ରକ୍ତ ସଞ୍ଚାଳନର ଉନ୍ନତି ହେବା ସହିତ ସୂର୍ଯ୍ୟକିରଣରୁ 'ଡି'ଭିଟାମିନ ମିଳିଥାଏ । ଏଣୁ ଶିଶୁର ହାଡ ମଜବୁତ ହୁଏ ।

ବିଭିନ୍ନ ରୋଗରେ ସୂର୍ଯ୍ୟ ସ୍ନାନ ବ୍ୟବସ୍ଥା :

ମଧୁମେହ,ମୋଟାହେବା, ବାତରୋଗ ଏବଂ ଆଣ୍ଟୁଗଣ୍ଠି ବାତରେ ଏହା ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ବହୁତ ଦିନହେବ ଅଜୀର୍ଣ୍ଣ ରୋଗ ଭୋଗିବା ହେତୁ ଯେଉଁମାନଙ୍କର ଚମଡା ଶୁଷ୍କ ଓ ମୃତବତ ହୋଇଥାଏ , ଯଦି ସେମାନେ ନିୟମାନୁସାରେ ପ୍ରତ୍ୟହ ସୂର୍ଯ୍ୟସ୍ନାନ କରନ୍ତି , ତେବେସେମାନଙ୍କର ଶରୀରରେ ଚର୍ମ ପୁଣି ନରମ, ସତେଜ ହୋଇଥାଏ । ଏହି କାରଣରୁ ଏକଜିମା ରୋଗରେ ସୂର୍ଯ୍ୟସ୍ନାନ କରିବା ଫଳରେ ସ୍ୱଳ୍ପ ସମୟରେ ଆରମ ଲାଭ କରନ୍ତି । ଏହି ସ୍ନାନ ଦ୍ଵାରା ଶରୀରର ମଧ୍ୟରେ ରକ୍ତ-ଉତ୍ପାଦନ କରିବା ବ୍ୟବସ୍ଥାରେ ଉନ୍ନତି ହୁଏ ଏବଂ ଶରୀରର ବିଷ ବହିର୍ମୁଖୀ ହୋଇ ଶରୀର ମଧ୍ୟରୁ ବାହାରି ଯାଏ ।

ଯେଉଁ ରୋଗୀଙ୍କର ଯକୃତ ଦୁର୍ବଳ ହୋଇଯାଏ, ଅଥବା ଶରୀରରେ କୌଣସି ପ୍ରଧାନ ଅଙ୍ଗ ଦୁର୍ବଳ ହୋଇଥାଏ , ସେମାନଙ୍କର ସୂର୍ଯ୍ୟସ୍ନାନ ଦ୍ଵାରା ଆଶ୍ଚର୍ପ୍ୟଜଣକ ଲାଭ ହୋଇଥାଏ । ଗ୍ରନ୍ଥିପ୍ରଦାହ ଅଥବା ଗ୍ରନ୍ଥିର ଯକ୍ଷ୍ମାରେ ମଧ୍ୟ ଏହା ଦ୍ଵାରା ବହୁତ ଆରମ ମିଳେ।

ନିଷେଧ ଓ ସାବଧାନତା : ସମସ୍ତ ପ୍ରକାର ଜ୍ଵର ରୋଗରେ ସୂର୍ଯ୍ୟସ୍ନାନ ମନା । ଯେଉଁମାନଙ୍କର ଗଣ୍ଠିସବୁ ଦରଜ ହୁଏ , ସେମାନେ ସୂର୍ଯ୍ୟସ୍ନାନ ପରେ କଦାପି ଖୁବ ଶୀତଳ ଜଳରେ ସ୍ନାନ କରିବା ଉଚିତ ନୁହେଁ । ଏପରିକି ରୋଗୀ ସୂର୍ଯ୍ୟ ସ୍ନାନ ପରେ ସମସ୍ତ ଶରୀରରେ ଶୀତଳ ଘର୍ଷଣ ଅଥବା ତଉଲିଆ ସ୍ନାନର ପ୍ରୟୋଗ କରିବା ଦରକାର । ଗଣ୍ଠିମାନଙ୍କରେ ଦରଜ ଥିବା ବେଳେ ସୂର୍ଯ୍ୟସ୍ନାନ ପରେ ପରେ ଅତିଶୀଘ୍ର ଗଣ୍ଠିସବୁ ଫ୍ଲାନେଲରେ ଭଲଭାବରେ ବାନ୍ଧି ସାରିବାପରେ ଶରୀରର ଅନ୍ୟାନ୍ୟ ଅଙ୍ଗ ଉପରେ ଶୀତଳ ଘର୍ଷଣ ଅଥବା ତଉଲିଆ ସ୍ନାନ ପ୍ରୟୋଗ କରିବା ଦରକାର ।

ଜଳସ୍ନାନ

ପୂର୍ଣ୍ଣ ସ୍ନାନ

ସ୍ନାନ ବେଳେ ଓଦା ତଉଲିଆରେ ଘଷି ହେବା ଆବଶ୍ୟକ

ସ୍ନାନ କରିବା ସମୟରେ ଦେହର ସମସ୍ତ ଅଙ୍ଗକୁ ଭଲଭାବରେ ଓଦା ଗାମୁଛାରେ ଘଷିଘଷି ଗାଧୋଇବା ଦରକାର । ତାହେଲେ ଚର୍ମ ନିର୍ମଳ ରହେ ଏବଂ ଚର୍ମରେ ରକ୍ତ ସଞ୍ଚାଳିତ ଅଧିକ ହୋଇଥାଏ, ଫଳରେ ସ୍ନାୟୁର ଶକ୍ତି ବୃଦ୍ଧିପାଏ ଏବଂ ସ୍ୱାସ୍ଥ୍ୟର ଉନ୍ନତି ହୁଏ ।

ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ବାୟୁମଣ୍ଡଳ ଶୀତଳ ଥାଏ । ସେତେବେଳେ ପୂର୍ଣ୍ଣ ସ୍ନାନକଲେ ଦେହ ଶୀତଳ ଜଳ ଓ ଶୀତଳ ବାୟୁର ସଂସ୍ପର୍ଶରେ ଆସିଥାଏ । ଏହାଦ୍ଵାରା ସ୍ନାୟବିକ ଦୁର୍ବଳତା ରହେ ନାହିଁ ଏବଂ ଶରୀର ମଧ୍ୟରୁ ଆବର୍ଜନା ଅଧିକ ମାତ୍ରାରେ ନିଷ୍କାସିତ ହେବାର ସୁଯୋଗ ମିଳେ । ଯେଉଁମାନେ ସୂର୍ଯ୍ୟଉଦୟ ପୂର୍ବରୁ ସ୍ନାନ କରିଥାନ୍ତି ସେମାନଙ୍କୁ ବହୁତ କମ ବ୍ୟାଧି ହୋଇଥାଏ ।

ବିଭିନ୍ନ ଅଙ୍ଗର ସ୍ନାନ ବା ଆଂଶିକ ସ୍ନାନ

ସମସ୍ତ ବ୍ୟକ୍ତି ପୂର୍ବକୁ ମୁହଁକରି ଓ ମୌନ ରହି ଖାଇବା ପୂର୍ବରୁ ମୁହଁ, ଦି ହାତ ଓ ଦି ପାଦକୁ ଭଲ ଭାବରେ ଧୋଇବା ଦରକାର । କେତେକ ପ୍ରାତଃ ଉଠିବା ପରେ ମୁହଁ ଧୋଇବା, ଚକ୍ଷୁଃସ୍ନାନ କରିବା ଏବଂ ସ୍ନାନ ପରେ ନାକରେ ପାଣି ପିଇବା ବା ନେତି ଆଦି ଅଭ୍ୟାସ କରିଥାନ୍ତି ।

ଚକ୍ଷୁଃସ୍ନାନ :ଗୋଟିଏ ଚଟକା ଗହଳିଆ ବେଳା କି ତସଲାରେ ଥଣ୍ଡାପାଣି ରଖି ତହିଁରେ ଦୁଇ ଆଖିକୁ ବୁଡାଇ ପାଣି ଭିତରେ ଆଖିର ପତାକୁ ୩/୪ ଥର ମିଟମିଟ କରାଯାଏ ଏବଂ ପୁଣି ପାଣି ଭିତରୁ ବାହାରକୁ ସେହିପରି ଆଖିପାତାକୁ ୩/୪ ଥର ମିଟମିଟ କରାଯାଏ  ଏହା ପରେ ଦୁଇ ଆଖିକୁ ପାଣିରେ ୪/୫ ଥର ବୁଡାଇ ରଖି ଏବଂ ପାଣି ବାହାରେ ୪/୫ ଥର ଆଖିପତାକୁ ପୂର୍ବପରି କ୍ରମାନ୍ଵୟରେ ମିଟମିଟ କରାଯାଏ । ସକାଳୁ ଶଯ୍ୟା ତ୍ୟାଗ ପରେ ପରେ ଏପରି ଚକ୍ଷୁଃ ସ୍ନାନ ଆଖିର ବହୁତ ଉପକାର କରେ । ଗାଧୋଇବା ସମୟରେ ମଧ୍ୟ ପାଟିରେ ପାଣି ପୁରାଇ ହାତରେ ଆଖିକୁ ପାଣି ଛାଟିବା ସହିତ ଦୋଳାକୁ ଏକଡରୁ ସେକଡ, ଉପରୁ ତଳ ଧୀରେ ଧୀରେ ନିଆଗଲେ ଏବଂ ବୃତ୍ତାକାରରେ ଏପଟରୁ ସେପଟ ଏବଂ ସେ ପଟରୁ ଏପଟ ଏପରି କେତେବାର ଧୀରେ ଘୂରାଇଲେ ଆଖିଡୋଳାକୁ ଚାଳନ କରୁଥିବା ମାଂସପେଶୀ ଗୁଡିକ ବଳାବର୍ତ୍ତଳ ହେବ ସହିତ ସ୍ନିଗଧ ହୋଇଥାନ୍ତି ।

ମୁଣ୍ଡ ପାଇଁ ସୁଗନ୍ଧ ତୈଳ,ଔଷଧ ଓ ରଙ୍ଗରେ ହାନି :

ମୁଣ୍ଡରେ କୌଣସି ମତେ ସୁଗନ୍ଧ ତୈଳ, କୌଣସି ଔଷଧ ବା ବାଳକୁ ରଙ୍ଗ କରିବା ପାଇଁ କୌଣସି ଦ୍ରବ୍ୟ ବ୍ୟବହାର କରିବା ଅନୁଚିତ ।

ଲଗାଇବା ତେଲ: ତେଲ ଲଗାଇବା ଭଲଭାବରେ ଘଷିଘଷି ତେଲକୁ ଦେହରେ ପିଆଇବା ପରେ ଦେହକୁ ଓଦା ଗାମୁଛା ରଗଡି ତେଲ ଛଡାଇବା ଦରକାର । ପାଦରେ ତେଲ ଘଷିବା ଦ୍ଵାରା ଦୃଷ୍ଟି ଶକ୍ତିର ଉପକାରିତା ହୁଏ, ପାଦ ଆଉ ଶୀତଦିନେ ଫାଟେ ନାହିଁ  ।

ମୁଣ୍ଡ କୁଣ୍ଡାଇବା :ଖାଇସାରିବା ପରେ କିଛି ସମୟ ବଜ୍ରାସରେ ବସି ବିଶ୍ରାମ ନେବା ବେଳେ ମୁଣ୍ଡ ବାଳ କୁଣ୍ଡାଇଲେ ବେଶ ଆରମ ଲାଗେ ଏବଂ ବହୁତ ଉପକାର ହୁଏ । ମୁଣ୍ଡ କୁଣ୍ଡାଇବା ପାଇଁ ଅନେକ ପ୍ରକାର ପାନିଆଁ ଅଛି । ସେ ସମସ୍ତ ପ୍ରକାର ପାନିଆଁ ମଧ୍ୟରେ କାଠ ଓ ଶିଙ୍ଘର ପାନିଆଁ ସର୍ବୋକୃଷ୍ଟ ।

ସନ୍ଧ୍ୟା କାଳୀନ ନିମ୍ନାଙ୍ଗ ସ୍ନାନ ବା ସିଜବାଥ : କୌଣସି କୁଣ୍ଡ ବ ଟବରେ ୪/୫ ଇଞ୍ଚ ଗଭୀରର ପାଣି ରଖି ଏହି ସ୍ନାନ ନିଆଯାଏ । ସାଧାରଣତଃ ଯେଉଁ ଉତ୍ତାପର ପାଣି ମିଳେ , ସେହି ଉତ୍ତାପର ପାଣି ବ୍ୟବହାର କରାଯାଏ । ବ୍ୟକ୍ତି ସବଳ ଥିଲେ ଅଧିକ ଜଳ ବି ଉପକାର ଦେଇଥାଏ । କୁଣ୍ଡ ବା ଟ୍ଯାବରେ ପାଣି ରଖି ତା' ଭିତରେ ଚକାମାଲି ପକାଇ ବସିବା ପରେ ପରେ ଉଷ୍ମଭାବ ଆସିବା ପରେ ଟପ ରୁ ଉଠିବାକୁ ହୋଇଥାଏ । ଏହା ଫଳରେ ସମସ୍ତ ଶରୀର ହାଲୁକା ଓ ଆରାମ ଲାଗେ, ମଳଦ୍ଵାରର ମାଂସପେଶୀ ସବଳ ହୁଏ ଏବଂ ତଳି ପେଟ ଓ ଅନ୍ତ୍ରର କ୍ରିୟାରେ ଉନ୍ନତି ଘଟେ । ପୁରାତନ କୋଷ୍ଠବଦ୍ଧ ଓ ମୂତ୍ରାଶୟ ଦୋଷ ଦୂର କରିବା ପାଇଁ ଏହି ସ୍ନାନର ଆବଶ୍ୟକତା ଯଥେଷ୍ଟ ଅଛି ।

ପାଦସ୍ନାନ : କୌଣସି ଟପରେ ଥଣ୍ଡାପାଣି ରଖିବାକୁ ହୁଏ, ଯେପରି ରୋଗୀ ତା' ଭିତରେ ପାଦ ବୁଡାଇଲେ ବା ଛିଡାହେଲେ ତା'ର ଗୋଡର ମାତ୍ର ବଳାଗଣ୍ଠି ପର୍ଯ୍ୟନ୍ତ ବୁଡିଥାଏ । ସେଥିରେ ଏକ ମିନିଟରୁ ଦୁଇ ମିନିଟ ପର୍ଯ୍ୟନ୍ତ ସେପରି ପାଦ ଦୁଇଟିକୁ ବୁଡାଇ ଛିଡାହେବା ପରେ ପରେ ଦି ପାଦକୁ ପାଣିରୁ କାଢିଆଣି ଶୁଖିଲା ଖଦଡିଆ ତଉଲିଆରେ ରୋଗୀ ନିଜେ ଓଦା ଅଙ୍ଗକୁ ପୋଛି ଶୁଖାଇବାକୁ ହୁଏ ।

କାଟିସ୍ନାନ ବା ହିପ ବାଥ : ଏହି ସ୍ନାନ ପାଇଁ ଗୋଟିଏ ପଥରର କିମ୍ବା ସିମେଣ୍ଟର କିମ୍ବା ଧାତୁର କୁଣ୍ଡଟିଏ ଆବଶ୍ୟକ ଯେପରି କୁଣ୍ଡବାହାରକୁ ଦି ଗୋଡ଼ ରଖି ସେଥିରେ ବସିଲେ ନାଭି ପର୍ଯ୍ୟନ୍ତ ଶରୀର ପାଣିରେ ବୁଡିପାରେ ଏବଂ  ପିଠି କୁଣ୍ଡର ପଛପଟକୁ ଆଉଜି ରହିଥାଏ । ସେଥିପାଇଁ କୁଣ୍ଡର ପଛପଟ ଆଗପଟ ଠାରୁ ଉଚ୍ଚ ହୋଇଥାଏ, ଯେପରି କୁଣ୍ଡରେ ପଛକୁ ଆଉଜି ବସିବାବେଳେ ବେକ ପର୍ଯ୍ୟନ୍ତ କୁଣ୍ଢରେ ଲାଗିରହେ ।

କାଟିସ୍ନାନ ର ଉପକାରିତା : ମସଲାମସଲି ପରିହାର କରି ପ୍ରାକୃତିକ ଖାଦ୍ୟ ଯଥା,ଫଳ, ପନିପରିବା, ପାଚିଲା ଓ କଞ୍ଚା ସାଲାଡ ଯଥେଷ୍ଟ ପରିମାଣରେ ଖାଇ, କାଟିସ୍ନାନ କଲେ କୋଷ୍ଠ ବଦ୍ଧ ଓ ପୁରାତନ ଅଜୀର୍ଣ୍ଣ ଆଦି ପେଟର ଯାବତୀୟ ଗୋଳମାଳ ସହଜରେ ଦୂର ହୋଇଥାଏ । ଯଦି ପତଳା ଝାଡା ଓ ଆମାଶଯ ଆଦି ଗୋଳମାଳରେ ପେଟ ଗରମ ଲାଗେ, ତେବେ ଦିନ ଭିତରେ ଦୁଇତିନିଥର ଦୁର୍ବଳ ରୋଗୀ ଯେପରି କାଟି ସ୍ନାନ କରେ ସେପରି କଲେ ଆରୋଗ୍ୟ ଲାଭ ହୁଏ । ଯଦି ଭଲଭାବରେ କ୍ଷୁଧା ହୁଏ ନାହିଁ, ତେବେ ଦିନାକେତେ ଦିନଭିତରେ ଏ ଓଳି ସେ ଓଳି, କାଟିସ୍ନାନ କଲେ, କ୍ଷୁଧା ବୃଦ୍ଧି ପାଏ । କାଟିସ୍ନାନ କରିବା ଫଳରେ ଅନ୍ତ୍ରରେ ମଳ ଆଉ ସଢିପାରେ ନାହିଁ । ତେଣୁ ଦୁର୍ବାୟୁ ମଧ୍ୟ ହୁଏ ନାହିଁ । କିଛି ଦିନ ଅଭ୍ୟାସ କରି କାଟିସ୍ନାନ କଲାପରେ ସ୍ୱାସ୍ଥ୍ୟର ଅଭୁତ ପରିବର୍ତ୍ତନ  ହୋଇଥାଏ ଏବଂ ଶରୀରର ରୋଗ ପ୍ରତିରୋଧ କ୍ଷମତା ବୃଦ୍ଧିପାଏ  ।

ଏହି ସ୍ନାନ କରିବା ଫଳରେ ସ୍ନାୟୁ ଗୁଡିକ ସତେଜ ହୋଇଥାନ୍ତି । ତେଣୁ ସ୍ନାୟୁ ବିକ ରୋଗରେ ଏହି ବିଶେଷ ଉପକାର କରେ । ପକ୍ଷଘାତ, ଗୁରୁରକ୍ତଚାପ, ବାନ୍ତିଦେଖାଇବା ବା ବାରମ୍ବାର ଅମ୍ଳ ବାନ୍ତି ହେବା ଓ ମୁଣ୍ଡ ବୁଲା ଆଦି ବିଭିନ୍ନ ରୋଗରେ କାଟିସ୍ନାନର ଫଳ ଅତୁଳନୀୟ  ।

ଗରମ ଥଣ୍ଡା ହିପବାଥ୍ :ଶ୍ଵେତ ପ୍ରଦର, ପ୍ରଜନନ ଯନ୍ତ୍ରର ଯାବତୀୟ ଗୋଳମାଳରେ ଏହା ଫଳପ୍ରଦ ହୋଇଥାଏ । ଗରମ ପାଣିରେ ତିନି ମିନିଟରୁ ଛଅ ମିନିଟ ପର୍ଯ୍ୟନ୍ତ ନେବାର ଅବ୍ୟବହିତ ପରେ ଥଣ୍ଡା ପାଣିରେ ଦୁଇ କି ତିନି ମିନିଟ ହାପିବାଥ ନିଆଯାଏ । ପ୍ରଥମେ ଗରମ ପାଣିରୁ ଆରମ୍ଭ କରି ଥଣ୍ଡା ପାଣିରେ ଶେଷ କରିବାକୁ ହୁଏ । ତିନିଥର ଗରମ ପାଣି ଓ ତିନିଥର ଥଣ୍ଡା ପାଣିରେ ସ୍ନାନ କରି ସ୍ନାନ କୁ ଶେଷ କରିବାକୁ ହୁଏ ।

ସମସ୍ତ ହେହର ଶୀତଳ ଘର୍ଷଣ : ସ୍ନାୟୁଗତ ଚିକିତ୍ସା କରିବା ବେଳେଲ୍ଲ ମେରୁଦଣ୍ଡ ଉପରେ ୨/୩ ଥର ପ୍ରାୟ ୫/୧୦ ମିନିଟ ପାଇଁ ଗରମ ଥଣ୍ଡା ପ୍ରୟୋଗର ଠିକ ପରେ ପରେ ସମସ୍ତ ଦେହରେ ଶୀତଳଘର୍ଷଣ ପ୍ରୟୋଗ କଲେ ଅଧିକ ଫଳ ମିଳିଥାଏ ଏହି ରୋଗରେ ଶୀତଳଘର୍ଷଣ ସହିତ ହିପ ବାଥ ଓ ଅନ୍ୟାନ୍ୟ ସର୍ବଦୈହିକ ଚିକିତ୍ସା କରିବାକୁ ପଡେ । ସ୍ନାୟୁ ଗୁଡିକ ସୁସ୍ଥ ରହିଲେ ଦେହ ଓ ମନ ସୁସ୍ଥ ରହେ । ସେଥି ଲାଗି ଶୀତଳ ଘର୍ଷଣ ପ୍ରାକୃତିକ ଚିକିତ୍ସାର ସମସ୍ତ ପଦ୍ଧତି ମଧ୍ୟରେ ସର୍ବଶ୍ରେଷ୍ଠ ।

ବରଫର ବ୍ୟବହାର :ରକ୍ତ ସ୍ରାବ ବାହାର କି ଭିତର ଯେ କୌଣସି ସ୍ଥାନରୁ ହେଉ ପଛେ, ଅଧକପେ ଦୁବରସ ପିଆଇ ଆକ୍ରାନ୍ତ ସ୍ଥାନ ଉପରେ ବାହାରେ ଓଦାକନାର ପଟିଦେଲେ ରକ୍ତସ୍ରାବ ବନ୍ଦ ହୋଇଯାଏ । ପେଟ, ଅନ୍ତ୍ର କିମ୍ବା ଛାତିରୁ ରକ୍ତ ପଡିଲେ ପ୍ରଥମେ ଗଣ୍ଡିର ଓଦାକନାପଟି ନେଇ ରୋଗୀକୁ କେବଳ ଲେମ୍ବୁ ପାଣି ପିଆଇ ଉପବସରେ ରଖିବାକୁ ହୁଏ ଏବଂ ଦିନରେ ଦୁଇଥର ପ୍ରାୟ ଅଧ କପେ ଦୁବରସ ୧୦/୧୨ ଟୋପା ମହୁ ମିସାଇ ଦିଆଗଲେ ରକ୍ତସ୍ରାବ ବନ୍ଦ ହୁଏ । ପ୍ରତି ଦୁଇ ଘଣ୍ଟାରେ ଗଣ୍ଠି ପଟି ବଦଳାଇ ପୁଣି ଦିଆଯାଏ ଏବଂ ସମସ୍ତ ରାତ୍ରି ପାଇଁ ଦିଆଯାଏ ।  ଉଷୁମ ଲେମ୍ବୁ ପାଣିରେ ଏଣିମା ନିଆଯାଏ ।

ଘର୍ମ ସ୍ନାନ

ଘର୍ମ ସ୍ନାନ ଉପକାର :ଦେହକୁ ଅତ୍ୟଧିକ ଓ ଅସ୍ବାଭାବିକ ଭାବରେ ଉତ୍ତପ୍ତ ନ କରି ଯଦି ଯଥେଷ୍ଟ ଝାଳ ବୁହାଯାଇପାରେ ତେବେ ଅସାଧ୍ୟ ବେମାରି ଭଲ ହୋଇଯାଇଥାଏ । ଯଥା :ଶୋଥ ବେମାରି, ମୁତ୍ରକୁଚ୍ଛ, ପୁରାତନ ଆଣ୍ଠୁଗଣ୍ଠିବାତ ଓ ମଧୁମେୟ ଆଦି ରୋଗରେ ଯଦି ସହଜ ଉପାୟରେ ଦେହରୁ ଝାଳ ବୁହାଯାଇପାରେ , ତେବେ ରୋଗୀ ଆରୋଗ୍ୟ ପଥରେ ନିଶ୍ଚିତ ଭାବରେ ଯାଇଥାଏ । ଘର୍ମ ସ୍ନାନ ଫଳରେ ସମସ୍ତ ଦେହର ରକ୍ତ ସଂଚାଳନରେ ଉନ୍ନତି ଘଟେ, ଫୁସଫୁସର କ୍ରିୟାରେ ଉନ୍ନତି ଘଟେ ଏବଂ ରକ୍ତରେ ଖାରତ୍ଵ ବୃଦ୍ଧି ଘଟି ଥାଏ । ଏହି ସ୍ନାନ ନେବା ଫଳରେ ଅସାଧ୍ୟ ବେମାରି ଭଲ ହେବାର ଉଲ୍ଲେଖ ରହିଛି ।

ବାଷ୍ପସ୍ନାନର ଉପକାରିତା: ଅଜୀର୍ଣ୍ଣ ସମସ୍ତ ବାତରୋଗ, ପେଶିବାତ, ଗ୍ରନ୍ଥିବାତ, କଟିବାତ, ବାତହେତୁ ବେକ ବଙ୍କା ହେବା, ଗ୍ରନ୍ଥିପ୍ରଦାହ ,ଦେହ କୁଣ୍ଡାଇ ହେବା, ଶୁଖିଲା କୁଣ୍ଡିଆ, ପୁରାତନ ଚର୍ମରୋଗ , କ୍ଷତ, ଆଳସ୍ୟପରାୟଣ ଲୋକ ପକ୍ଷରେ ଏବଂ ଦେହର ଓଜନ ଅସ୍ଵାଭାବିକ ଭାବରେ କମ ହୋଇଥିଲେ ବାଷ୍ପସ୍ନାନ ଆଶ୍ଚର୍ଯ୍ୟ ଭାବରେ ଫଳପ୍ରଦ ହୋଇଥାଏ ।

ସ୍ଥାନୀୟ ବାଷ୍ପ ସ୍ନାନ ଆଂଶିକ ବାଷ୍ପ ସ୍ନାନ :ପାଟି ଓ କାନ ଭିତର ପରି କେତେକ ସ୍ଥାନ ରହିଛି , ଯେଉଁ ଠାରୁ ଗରମସେକ ଦେବା ସେତେସୁବିଧାଜଣକ ନୁହେଁ । ମାତ୍ର ବାଷ୍ପ ସ୍ନାନ ସୁବିଧାରେ ଦିଆଯାଇପାରେ । ଏପରି ବାଷ୍ପ ସ୍ନାନ ନେବା ଫଳରେ ଆକ୍ରାନ୍ତ ଅଙ୍ଗରୁ ଯଥେଷ୍ଟ ଆବର୍ଜନା ଝାଳ ଆକାରରେ ବାହାରିଯାଏ । ଫଳରେ ଆକ୍ରାନ୍ତ ଅଙ୍ଗର ରୋଗ ଲକ୍ଷଣ ହ୍ରାସ ହେବା ଦେଖାଯାଏ ।

ଆଂଶିକ ବାଷ୍ପସ୍ନାନ ଉପକାର :କୌଣସି ଅଙ୍ଗରେ ବିଛା, କଙ୍କଡା ବିଛା କିମ୍ବା ବିଷାକ୍ତ ପୋକ ଦଂସନ କାଲେ, କୌଣସି ଅଙ୍ଗରେ ଖିଲଧରିଲେ, ଏକଜିମା, ଯାଦୁ, କିମ୍ବା କୌଣସି ଚର୍ମରୋଗ ହେତୁ କୌଣସି ସ୍ଥାନ ଅତ୍ୟନ୍ତ କୁଣ୍ଡାଇଦେଲେ, ଅର୍ଶ କି ଭାଗନ୍ଧର ହେଲେ କିମ୍ବା ମଳକଣ୍ଟକ କି ମଳଦ୍ଵାରରେ ଘା ହେଲେ, ଆକ୍ରାନ୍ତ ଅଙ୍ଗରେ ଆଂଶିକ ବାଷ୍ପସ୍ନାନ ଅତ୍ୟନ୍ତ ଉପକାର କରେ ।

ସମସ୍ତ ପ୍ରକାର ଫୁଲା ଓ ବିନ୍ଧା ଛିଟିକା ପାଇଁ ଏହି ଆଂଶିକ ବାଷ୍ପସ୍ନାନରୁ ସଦ୍ୟଫଳ ମିଳେ । ଦାନ୍ତ ମୂଳ ବିନ୍ଧା ଛିଟିକା ହେଲେ, ଦାନ୍ତ ମୂଳରୁ ପୂଯ ବାହାରିଲେ ଏବଂ ଯେକୌଣସି ଯନ୍ତ୍ରଣାର ଲାଘବ ଏବଂ ଦାନ୍ତରୋଗ ଦୂର କରିବା ନିମିତ୍ତ ପାଟି ଭିତରେ ବାଷ୍ପସ୍ନାନ ଅବ୍ୟଥ ଚିକିତ୍ସା । ଏହା ଦ୍ଵାରା ସାଂଘାତିକ ରୋଗୀ ଅତି ଅଳ୍ପ ସମୟରେ ଆରୋଗ୍ୟଲାଭ କରିଥାଏ

ବେଳେବେଳେ ଅତ୍ୟଧିକ ଚାପା ଫଳରେ ଅଥବା ଅନ୍ୟ କୌଣସି କାରଣରୁ ଗୋଡର କି ଜଙ୍ଗର ପେଣ୍ଡାର ମାଂସପେଶୀ କି ଅନ୍ୟ କୌଣସି ସ୍ଥାନର ମାଂସପେଶୀ ପଚି ସଢିବାକୁ ବସେ । ଏହା ଫଳରେ ବେଳେବେଳେ ଅଙ୍ଗଚ୍ଛେଦନ କରିବା ଆବଶ୍ୟକ ହୋଇଥାଏ । ମାତ୍ର ଏପରି ସ୍ଥଳରେ ଉକ୍ତ ଆକ୍ରାନ୍ତ ଅଙ୍ଗ ଉପରେ ଆଂଶିକ ବାଷ୍ପସ୍ନାନ ଦେବାର ଠିକ ପରେ ପରେ ସେହି ସ୍ଥାନରେ ହଠାତ ଥଣ୍ଡାପାଣିରେ ଭିଜା କନାରେ ଥଣ୍ଡା ଜଳ ପଟି ପ୍ରୟୋଗ କରାଯାଏ । ବାଷ୍ପସ୍ନାନ ୧୦ ମିନିଟ ନେବା ପରେ ପରେ ଥଣ୍ଡା ଜଳପଟି ପାଞ୍ଚ ମିନିଟ ଦିଆଯାଏ ପୂଯ ବାହାରିବା ପରେ ମଧ୍ୟ ପୂର୍ବୋକ୍ତମତେ ବାଷ୍ପ ସ୍ନାନ, ଜଳପଟି ଓ ମାଟିପଟି ଘା ସଂପୂର୍ଣ୍ଣ ଭାବରେ ସୁଖିବା ପର୍ଯ୍ୟନ୍ତ, ଚଳାଇବାକୁ ହୁଏ । ନିଶ୍ଚିତଭାବରେ କଟିଦେବାକୁ ଥିବା ଅଙ୍ଗ ତଥା ଅଙ୍ଗ ଚ୍ଛେଦନ ବିପଦରୁ ମୁକ୍ତହୋଇ ମାତ୍ର ଅତି ସ୍ୱଳ୍ପ ଦିନରେ ନିଶ୍ଚିତଭାବରେ ରୋଗୀ ଆରୋଗ୍ୟପ୍ରାପ୍ତି ହୋଇଥାଏ ।

ଆଂଶିକ ବାଷ୍ପସ୍ନାନ ବାରଣ :ଦାନ୍ତରେ ଆଘାତ ଲାଗିଲେ କିମ୍ବା କୌଣସି ସ୍ଥାନରେ ଆଘାତ ଲାଗି କିଛି କଷ୍ଟ ହେଲେ କୌଣସି ମତେ ସେକ କିମ୍ବା ଆଂଶିକ ବାଷ୍ପସ୍ନାନ ଦେବାକୁ ହୁଏ ନାହିଁ  । କେବଳ ଥଣ୍ଡା ଜଳ ପଟି କି ମାଟି ପଟି ପ୍ରୟୋଗ କରାଯାଇଥାଏ । ଆଘାତ ଜନିତ ଦନ୍ତର ବେଦନାରେ ଆଂଶିକ ବାଷ୍ପସ୍ନାନ ଦେଲେ ଦାନ୍ତ ନଷ୍ଟ ହୋଇଯାଇଥାଏ ।

ଉଷ୍ଣପାଦ ସ୍ନାନ :ବାଷ୍ପ ସ୍ନାନ ଓ ଅନ୍ୟାନ୍ୟ ଘର୍ମଜନକ ସ୍ନାନ ମଧ୍ୟରେ ଉଷ୍ପପାଦ ସ୍ନାନ ଏକତମ । ବାଷ୍ପ ସ୍ନାନରେ ଯେ ପ୍ରକାର ବିପଦର ଆଶଙ୍କାମାନ ଥାଏ , ସେ ସମସ୍ତ  ଏଥିରେ ନ ଥାଏ । ଦୁର୍ବଳ ରୋଗୀ ପକ୍ଷରେ ବାଷ୍ପ ସ୍ନାନ ନେବାରେ ଭୟ ଥାଏ , ମାତ୍ର ଦୁର୍ବଳ ରୋଗୀ ଉଷ୍ଣପାଦସ୍ନାନ ଚେୟାର ଉପରେ ବସିକରି ନେଇପାରେ । ଏହି ସ୍ନାନ ନେବା ପୂର୍ବରୁ କୋଷ୍ଠ ସଫା କରିବାକୁ ହୋଇଥାଏ । ଏଣୁ  ପେଟରେ ଥଣ୍ଡା ଗରମ ସେକ ନେବା ପରେ ଉଷୁମ ଲେମ୍ବୁପାଣିରେ ଏନିମାନେଇ ଝାଡା ସଫା କରିବାକୁ ହୋଇଥାଏ । ତାହା ପରେ ମୁଣ୍ଡ, ମୁହଁ, ବେକଷଣ୍ଢା ଭଲ ଭାବରେ ଥଣ୍ଡାପାଣିରେ ଧୋଇ ମୁଣ୍ଡ ଉପରେ ଥଣ୍ଡା ପାଣିରେ ଭିଜା ଚିପୁଡା ତଉଲିଆ କିମ୍ବା ଗାମୁଛା ଗୁଡାଇବାକୁ ହୁଏ , ସେପାରି ମୁଣ୍ଡ, କାନମୁଣ୍ଡା ବେକ ଷଣ୍ଢା କୁ ଓଦା କ୍ନାରେ ଭଲ ଭାବରେ ଘୋଡାଯାଇପାରେ ।  ଗରମ ଜଳ ପାତ୍ର ସହିତ ରୋଗୀର ବେକ ପର୍ଯ୍ୟନ୍ତ ସମସ୍ତ ଶରୀର କମ୍ବଳରେ ଢାଙ୍କିନେବା ହେତୁ ଗରମ ପାଣିରୁ ବାଷ୍ପ କମ୍ବଳ ଭିତରେ ଖେଳାଇହୋଇ ଦେହର ବିଭିନ୍ନ ଅଂଶରେ ବାଜି ପାରିଥାଏ ଏବଂ ଫଳରେ ଝାଡା ଉତ୍ତମ ରୂପେ ବାହାରିପାରିଥାଏ ।

ଏନିମା (ଡୁସ) :କଲେରା, ମୂତ୍ରରୋଧ, ଆମାଶୟ, କୋଷ୍ଠବଦ୍ଧ, ଆଜମ, ମିଳିମିଳା, ମେଲେରିଆ, ଆଦି ଯାବତୀୟ ତରୁଣ ରୋଗ ଓ ପୁରାତନ ରୋଗୀମାନଙ୍କରେ ଶରୀରକୁ ବିଷମୁକ୍ତି କରାଇବା ଲାଗି ଏନିମା/ଡୁସର ଭୂମିକା ଗୁରୁତ୍ଵପୂର୍ଣ୍ଣ । ବଜାରରେ ମିଳୁଥିବା ଡୁସକ୍ୟାନ ସାହାଯ୍ୟରେ ଉଷୁମ ଲେମ୍ବୁପାଣିର ଡୁସର ପ୍ରୟୋଗ ବହୁଳ ଭାବେ କରାଯାଏ ।

ଦିନକ ଠାରୁ ଅଧିକ ସମୟ ଉପବାସ କଲେ, ଡୁସ ନେବା ଅପରିହାର୍ଯ୍ୟ ହୋଇଥାଏ । ଫଳରେ ବାନ୍ତି, ମୁଣ୍ଡ ଘୂରା ଓ ଜ୍ଵରାଦି ବିଭିନ୍ନ ପ୍ରକାର ଗୋଳମାଳର ସୃଷ୍ଟି ହୁଏ ।

ଜଳପଟି

ପ୍ରୟୋଗ :କୌଣସି ସ୍ଥାନ ହଠାତ ଆଘାତ ପାଇଲେ, କଟିଗଲେ କିମ୍ବା କେଉଁ ଠାରେ ଫୁଲା ପଡିଲେ, ବଗି କି ବଥ ଆଦି ହେଲେ କିମ୍ବା ଜ୍ଵର ଅଧିକ ମାତ୍ରାରେ ଥିଲେ ଏହି ଜଳପଟୀର ପ୍ରୟୋଗ ହୋଇଥାଏ । ଆକ୍ରାନ୍ତ ଅଙ୍ଗକୁ ଶୀତଳ କରି ସେଠାରେ ଶୀତଳଭାବରେ ସୃଷ୍ଟି କରିବା ପାଇଁ ଜଳ ପଟି ପ୍ରୟୋଗ ହୋଇଥାଏ ।

ଉପକାର :ଘା ସୁଖିବା ପ୍ରକ୍ରିୟା ତ୍ଵରାନ୍ଵିତ ହୁଏ:

ସକାଳେ ଓ ସଂଧାରେ ଗରମ ଥଣ୍ଡା ଦେବା ପରେ ଜଳପଟି ଦେଲେ କଟାସ୍ଥାନ ଅତି ଶୀଘ୍ର ଶୁଖିଯାଏ । ଜଳପଟି ଏପରି ମୋଟା  ଭାବରେ ଦେବାର କଥା , ଯେପରି ତାହା ସବୁବେଳେ ଓଦା ରହିଥାଏ । କେତେବେଳେ ଯଦି ଦୈବାତ ଶୁଖିଯାଏ, ତେବେ ମଝିରେ ମଝିରେ ଉକ୍ତ ପରି ଉପରେ ଥଣ୍ଡାପାଣି ଦିଆହୋଇଥାଏ । ଏଣୁ କୌଣସି ସ୍ଥାନ ବଡ ଧରଣର କାଟିଗଲେ ଚିନି, ମାଛ, ମାଂସ ଓ ଅଣ୍ଡା ଆଦି ପରିତ୍ୟାଗ କରି ଲୁଣ ପରିମାଣକୁ କମାଇ ଅଧିକ ମାତ୍ରାରେ ଫଳ, କଞ୍ଚା ପାନିପରିବାର ସାଲଡ, ଧନିଆ ଓ ପୋଦିନା ଆଦି ଖାଦ୍ୟୋପଯୋଗୀ ପତ୍ର ଯାହା କଞ୍ଚାରେ ଖାଇହେବା ସେପରି କ୍ଷାରଧର୍ମୀ ଖାଦ୍ୟ ଅଧିକ ମାତ୍ରାରେ ଖାଇଲେ, ରକ୍ତର ଅମ୍ଳତ୍ବ କମେ ଓ ଖାରତ୍ଵର ବୁଦ୍ଧି ହୋଇଥାଏ , ପରିମାଣରେ ଘା ମଧ୍ୟ ସଅଳ ଶୁଖିଯାଏ । ପୋଡା ଘା’ ଫୋଟକା, ଫୁଲା, ଦରଜ, ଗର୍ଭାଶୟ ତଥା ଅନ୍ତ୍ରର ପ୍ରଦାହ, ଆଖିରେ ଯନ୍ତ୍ରଣା ଏବଂ ଜ୍ଵର ଆଦିରେ ଜଳପଟି ଆରୋଗ୍ୟଦାୟକ ହୋଇଥାଏ ।

ଯୋଗ ଓ  ଧ୍ୟାନ

ଚିନ୍ତାଶୂନ୍ୟ ମନ ଓ ସନ୍ତୁଳିତ ମସ୍ତିଷ୍କ ଉଭୟ ମାନସିକ ଓ ଶାରୀରିକ ସୁସ୍ଥତା ଲାଗି ଆବଶ୍ୟକ । ଚିନ୍ତା ଓ ଚାପରୁ ମୁକ୍ତି ଲାଗି ଆମକୁ ଆମର ମନକୁ ନିୟମିତ କରିବାକୁ ପଡିବ । ଏହି ନିୟନ୍ତ୍ରଣ ଧ୍ୟାନ, ପ୍ରାର୍ଥନା ଓ ଯୋଗ ମାଧ୍ୟମରେ କରାଯାଇ ପାରିବ । ଯୋଗ ଦୁଇ ଭାଗରେ ବିଭକ୍ତ ଯଥା ଶାରୀରିକ ଯୋଗ ଓ ଆଧ୍ୟାତ୍ମିକ ଯୋଗ । ଶାରୀରିକ ଯୋଗାଭ୍ୟାସ ଦ୍ଵାରା ଶରୀରର ସମସ୍ତ ଅଙ୍ଗ ପ୍ରତ୍ୟଙ୍ଗ ବ୍ୟାୟମ ହୋଇଥାଏ । ଏଣୁ ଏହା ଦ୍ଵାରା ଶରୀର ସୁଢଳ ଓ ସୁଠାମ ରହିବା ସହ ରୋଗମୁକ୍ତ ରହେ । ଆଧ୍ୟାତ୍ମିକ ଯୋଗ ଜଣକୁ ଆତ୍ମ ସମୀକ୍ଷା କରିବାର ସାହାଯ୍ୟ କରିଥାଏ ଓ ତଦ୍ଵାରା ତାଙ୍କର ଅସ୍ତିତ୍ବର ସରାଳିକରଣ କରାଇଥାଏ । ଏହା ଫଳରେ ମନୁଷ୍ୟ ମନରୁ ନକାରାତ୍ମକ ଚିନ୍ତା ଦୂର ହୁଏ ।ଧ୍ୟାନ ମାନସିକ ଅଶନ୍ତି ଦୂର କରାଇ ସ୍ନାୟୁତନ୍ତୀ ଗୁଡିକ ଶୁଙ୍ଖଳିତ କରାଏ ଓ ସ୍ଥିରତା ଆଣେ । ଦିନକୁ ପନ୍ଦର କୋଡିଏ ମିନିଟ ନୀରବ ନିଶ୍ଚଳ ଭାବରେ ଧ୍ୟାନ କଲେ, ମାନସିକ ସ୍ୱାସ୍ଥ୍ୟ ଠିକ ରହେ ଓ ଆମ ଭିତରେ ଥିବା ପ୍ରାଣ ଶକ୍ତି ଉନ୍ମୋଚିତ ହୁଏ ।

ଆଧାର  - ଓଡିଶା ଭଲ୍ୟୁନଟାରୀ ହେଲଥ ଆସୋସିଏସନ, ଭୁବନେଶ୍ଵର

Last Modified : 10/30/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate