অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଆଘାତଜନିତ ପୀଡା ପାଇଁ ହୋମିଓପ୍ୟାଥି ଚିକିତ୍ସା

ଆଘାତଜନିତ ପୀଡା ପାଇଁ ହୋମିଓପ୍ୟାଥି ଚିକିତ୍ସା

ଆଘାତଜନିତ ପୀଡା

ଯେଉଁପରିପ୍ରେକ୍ଷୀରେ  ଏହାର  ଅବତାରଣା,  ତାହାହେଉଛି   କୌଣସି  ବସ୍ତୁଦ୍ଵାରା  ବାହାରୁ  ଶରୀରର  କୌଣସି  ଅଙ୍ଗରେ  ମାଡ  ହେବାର  ଅବସ୍ଥା   । ତେଣୁ  ଏହାର  ପରିଣାମ  ନିର୍ଭର  କରୁଛି  ଆଘାତପ୍ରାପ୍ତ  ନିର୍ଦ୍ଧିଷ୍ଟ  ଅଙ୍ଗ  ବା  ଅଂଶ  ଓ  ଆଘାତର   ଶକ୍ତି  ଉପରେ   । ‘ପ୍ରତ୍ୟକ୍ଷ – ଶରୀର  ବିଜ୍ଞାନ’  ଦୃଷ୍ଟିରୁ, ଶରୀର   ବାହାରୁ   ଭିତର   ପର୍ଯ୍ୟନ୍ତ   ଯେ  ସବୁ  ତନ୍ତୁରେ  ଅଙ୍ଗପ୍ରତ୍ୟଙ୍ଗାଦି   ସୃଷ୍ଟି  ହୋଇଛି   ତାହା  କୋମଳ, ଜଟାକାର,  କଠିନ  ଓ  ଅତିକୋମଳ  ତନ୍ତୁମାନଙ୍କୁ  ନେଇ    । ଯଥା : ଚର୍ମ,  ମାଂସପେଶୀ, ମାଂସରଜ୍ଜୁ, ସ୍ନାୟୁ, ଅସ୍ଥି  ଆବରଣ, ଗ୍ରନ୍ଥି, ଅସ୍ଥି ଓ  ଅତି   କୋମଳ  ପ୍ରାଣଧାରକ  ଅଙ୍ଗପ୍ରତ୍ୟଙ୍ଗ   । ପୁନଶ୍ଚ  ଧାରୁଆ, ମୁନିଆ,  ଦନ୍ଥରା ଓ  ମୁଣ୍ଡା  ଇତ୍ୟାଦି  ଜିନିଷ  ଦ୍ଵାରା  ବିଭିନ୍ନ  ପ୍ରକାରର   ଆଘାତ  ସୃଷ୍ଟି  ହୋଇଥାଏ   । ଏହିସବୁ  ବିଭିନ୍ନ  ଧରଣର  ଅସ୍ତ୍ରଦ୍ଵାରା   ଭିନ୍ନଭିନ୍ନ  କିସମର  ତନ୍ତୁଦ୍ଵାରା  ଗଠିତ  ଶରୀରାଂଶ  ଉପରେ  ଆଘାତଜନିତ  ଫଳ  ଭିନ୍ନ  ଭିନ୍ନ  ପ୍ରକାରର  ଓ  ତାହା  ଉପରେ  ଜୀବନ୍ତ  ଶରୀରର  ପ୍ରତିକ୍ରିୟା  ଆନୁପାତିକଭାବରେ  ମଧ୍ୟ  ନାନାପ୍ରକାରର   । ଏହିସବୁ  ଦିଗକୁ  ଲକ୍ଷ୍ୟରଖି  ହୋମିଓପାଥି  ଔଷଧର   ବ୍ୟବହାର  ନିର୍ଦ୍ଧିଷ୍ଟ   ହୁଏ  । ଯଥା : ମୁଣ୍ଡା  ଜିନିଷଦ୍ଵାରା  ଆଘାତ  ପାଇଁ  ଏକୋନାଇଟ, ଆର୍ଣ୍ଣିକା, ବୋଭିଷ୍ଟା, ଏସିଡସଲଫ, ସିମ୍ଫାଇଟମ୍ , ନ୍ୟାଟ୍ରମସଲଫ ରୁଟା ବ୍ୟବହାର  ହେଲେ, ଧାରୁଆ  ଅସ୍ତ୍ରଦ୍ଵାରା  ଆଘାତପାଇଁ  ଷ୍ଟାଫିସାଗ୍ରିୟା, ହାଇଫେରିକାମ୍, ଏଲିୟାମ  ସିପା ଆଦି  ପ୍ରୟୋଜନ   । ମୁନିଆ  ଜିନିଷଦ୍ଵାରା  ଆଘାତ  ହୋଇଥିଲେ   ଲିଡମ, ହାଇପେରିକମ୍, ସାଇଲିସିଆଆନାଗାଲିସ କଥା   ଚିନ୍ତା  କରିବା   ବିଧେୟ  । ଦନ୍ଥରା  ଜିନିଷ  ହୋଇଥିଲେ   ଆର୍ଣ୍ଣିକା, କାଲେଣ୍ଡୁରା, ହାଇପେରିକମ୍ କଥା  ସବୁବେଳେ   ମନେ  ରଖିବା   କଥା  ।

ପୁନଶ୍ଚ   ଆଘାତ  ଦ୍ଵାରା  ବାହ୍ୟଚର୍ମ  ଅକ୍ଷତ  ଥିଲେ   ଏକୋନାଇଟ, ଆର୍ଣ୍ଣିକା, ବୋଭିଷ୍ଟା, ଏସିଡସଲଫ, ନ୍ୟାଟ୍ରମସଲଫ, ସିମ୍ଫାଇଟମ୍ ଓ  ରୁଟା କଥା  ଯେପରି   ମନରେ   ଆଣିବାକୁ  ହେବ,  କ୍ଷତ   ହୋଇଥିଲେ  ଏକୋନାଇଟ, ଆର୍ଣ୍ଣିକା, କାଲେଣ୍ଡୁରା, ହାଇପେରିକମ୍ ଓ ଲିଡମ   ଆଦି  କଥା  ମଧ୍ୟ  ସେହିଭଳି  ଚିନ୍ତା  କରିବାକୁ  ପଡିବ  ।

ମାଂସପେଶୀରେ  ଆଘାତ  ହୋଇଥିଲେ   ଆର୍ଣ୍ଣିକା, ବୋଭିଷ୍ଟା, ଏସିଡସଲଫ କଥା   ଯେପରି  ଆମେ  ଚିନ୍ତାକରୁ,  ଜଟାକାର  ତନ୍ତୁ  ପାଇଁ   ସେହିପରି  ରସଟକ୍ସ ଓ  ରୁଟା ଆଦି  ଆଗ୍ରାଧିକାର  ଭିତ୍ତିରେ  ବ୍ୟବହାରର  ପ୍ରୟୋଜନ   ଆସିଥାଏ  । ସ୍ନାୟୁଗତ  ଆଘାତ  ପାଇଁ  ଏକୋନାଇଟ, ଏଲିୟାମସିପା,  ଲିଡମ୍ ହାଇପରକାମ୍ ର ଯେପରି  ତୁଳନା  ନାହିଁ  ସେହିପରି  ଅସ୍ଥି ଆବରଣ  ପାଇଁ  ରୁଟା ଓ  ଅସ୍ଥି  ପାଇଁ  ସିମ୍ପାଇଟମ  ଭଳି   ଔଷଧର  ସ୍ଥାନାଧିକାର  କରିବା  ଭଳି  ଔଷଧ  କାହିଁ  ? ଗ୍ରନ୍ଥି ର  ଆଘାତ  ପର  ଅବସ୍ଥା  ପାଇଁ  କୋନିୟମ  ଯେପରି  ଅମୋଘ  ମୁଣ୍ଡ  ପାଇଁ  ସେହିପରି  ନେଟ୍ରାମସଲଫର  ପଟ୍ଟାନ୍ତର   ନାହିଁ   । ହେଲେ  ମଧ୍ୟ,  ଆଘାତ  ଯେତେବେଳେ   ଶରୀର   ଉପରେ  ଏକ  ବାହ୍ୟ  ବସ୍ତୁର  ସଙ୍ଘାତ,  ତେଣୁ  ଉପଯୁକ୍ତ  ଆଲୋଚନା   ପରିପ୍ରେକ୍ଷୀରେ   ଆର୍ଣ୍ଣିକା  ଓ  ହାଇପରିକମ୍ ର  ବ୍ୟବହାର  ସବୁଠାରୁ  ଅଧିକ  ଓ  ସ୍ଵତନ୍ତ୍ର   । ସତେ   ଯେପରି   ଏହି  ଦୁଇଟି   ଔଷଧକୁ   ଛାଡିଦେଲେ  ହୋମିଓପାଥିକ  ମତରେ  ଆଘାତର   ଚିକିତ୍ସା   ହୋଇପାରେନା   । କାରଣ, ଯେ  କୌଣସି  ଆଘାତ   ପ୍ରଥମେ   ଉପରିସ୍ଥ  କୋମଳ   ତନ୍ତୁ  ଓ  ସ୍ନାୟୁ  ତନ୍ତୁକୁ   କ୍ଷତିଗ୍ରସ୍ତ  କରେ   । କିନ୍ତୁ  ବଡକଥା  ହେଉଛି, ଆଘାତ  ପରେ   ଅନେକ   ସମୟରେ  ଶରୀରର  ପ୍ରଥମ   ପ୍ରତିକ୍ରିୟା  ହେଉଛି   Shock  ବା  ଆଘାତର   ଅବସନ୍ନତା  । ତେଣୁ,  ଯାହାବା  ଅବସ୍ଥା  ଥାଉନା   କାହିଁକି  ଏକୋନାଇଟ – ୨୦୦ ରୁ  ୨/୪ ପାନ  ୧୫ ମିନିଟ୍  ଅନ୍ତରରେ   ଦେବା  ଉଚିତ  ।

ଏକୋନାଇଟ ଠାରୁ  Shuck  ବା  ଆଘାତପର  ଅବସନ୍ନତା  ପାଇଁ   ଆଉ  ଶକ୍ତିଶାଳୀ  ଔଷଧ  କିଛି  ହୋଇପାରେନା  ପ୍ରାଥମିକ  ଅବସ୍ଥାରେ   । ତାହାଛଡା   ଆଖିଉପରେ  ମାଡ  ହେଲେ  ଏହା  ଯଦି  ପ୍ରଥମରୁ   ପ୍ରୟୋଗ  କରନ୍ତି, ତାହାହେଲେ  କୌଣସି  ପ୍ରକାରର   ଆଘାତଜନିତ   ଚକ୍ଷୁ  ପୀଡା  ହେବାର  ସମ୍ଭାବନାକୁ  ସୁରୁଖୁରୁରେ  ଏଡାଇ  ଦେଇହେବ  ।  ଏହାପରେ  ଯଦି  ଆକ୍ଷିପତା  ବା  ତାହାରି  ଭିତର  ଅଂଶରେ  ମଲା  ରକ୍ତ   ଜମିଥିବ ବା ନେଳି   ପଡିଥିବ   ତାହାହେଲେ  ଆର୍ଣ୍ଣିକା ହିଁ  ଔଷଧ   । ଏହା  ସହିତ   ମୁଣ୍ଡବିନ୍ଧା  ରହି  ଆଖି  ବିନ୍ଧୁଥିଲେ  ରୁଟା । ତଥାପି   ଦରଜ   ରହିଗଲେ  ସିମ୍ପାଇଟମ ଦେଇ  ଦେଖନ୍ତୁ   ଆଖି  ଡାକ୍ତରଙ୍କ   ପାଖକୁ   ଯିବାର   ଆବଶ୍ୟକତା   ରହିଛି  କି  ନାହିଁ  ।

ଯେ  କୌଣସି  ଆଘାତ   ପରେ   ଯଦି  ମଲା  ରକ୍ତ  ଜମି   ଚର୍ମ   ନେଳି  ପଡି  ଯାଇଥିବ  ପ୍ରଥମେ  ଆର୍ଣ୍ଣିକା  ହିଁ  ଦିଅନ୍ତୁ  । ଦେଖିବେ  ପ୍ରଥମେ  ଦରଜ   କମିଯାଇ   ଧୀରେ  ଧୀରେ   ଚର୍ମ   ପରିଷ୍କାର   ହୋଇଯିବ  । ଯଦି   ଆଘାତ  ବହୁତ   ଜୋରଦାର   ଧରଣର   ହୋଇ  ଭିତର   ତନ୍ତୁଗୁଡିକର  ମଧ୍ୟ  କ୍ଷୟକ୍ଷତି   ଘଟି   ଦରଜଟା   ଭିତରେ  ମାଲୁମ   ହେଉଥିବ  ଓ  ମଲା  ରକ୍ତ  ତଥାପି  ରହିଥିବ  ତାହାହେଲେ   ସଲଫ୍ୟୁରିକ  ଏସିଡ୍ ଦେବେ   । ଏଥିସହିତ  ଗୋଟିଏ  କଥା   କହି  ରଖିବା  ଉଚିତ  ହେବ  ଯେ,  କେତେକ  ଲୋକଙ୍କର  ଧାତୁ  ଏପତି  ଯେ  ସାମାନ୍ୟତମ   ଆଘାତ   ଲାଗିଲେ  ମଧ୍ୟ  ଦେହ  ଉପରେ   ଦାଗ  ରହିଯାଏ,  ଆଘାତର  ଛାପ  ରହିଯାଏ   ଏବଂ  ତାହା  ଯିବାକୁ   ଢେର   ସମୟ  ଲାଗେ   । ଏ  କ୍ଷେତ୍ରରେ   ବୋଭିଷ୍ଟା (ଯାହାର  ପ୍ରୟୋଗ   ସାଧାରଣତଃ  କେହି  କରି  ନ ଥାନ୍ତେ)  ଦେଇ  ଦେଖନ୍ତୁନା,  ତାହାହେଲେ   ହୋମିଓପାଥି  କ’ଣ  ତାହା  ଅଙ୍ଗେ   ଲିଭେଇବେ  । ପୁନଶ୍ଚ  କୌଣସି  ଆଘାତରେ  କ୍ଷତ  ହେଲେ,  ପ୍ରଥମେ  ତାହାକୁ   ହାଇପେରିକମ୍ Q ରେ   ସଫାକରି  ପଟ୍ଟି  ବାନ୍ଧି   ଦେବେ   । ହାଇପେରିକମ୍ ର  କ୍ରିୟା   ବିଶେଷଭାବରେ   ସ୍ନାୟୁ  ତନ୍ତୁ  ଉପରେ  ହୋଇଥିବାରୁ   ଏହାର  ପ୍ରୟୋଗରେ  ଆଘାତଜନିତ  ବ୍ୟଥା   ଅତିଶୀଘ୍ର   ଦୂର  ହେବା   ସଙ୍ଗେ  ସଙ୍ଗେ  କ୍ଷତ  ମଧ୍ୟ  ଶୁଖିଯାଏ   ।

ଅନେକ  କାଲେଣ୍ଡୁରା Q ବ୍ୟବହାର  କରିବାକୁ   ଉପଦେଶ   ଦିଅନ୍ତି  । ଏହା  କିନ୍ତୁ   କୌଣସି  କ୍ଷତରେ   ପୂଜ  ହେଲା   ପରେ  ହିଁ  ବ୍ୟବହାର  କରିବାର  କଥା   । ନଚେତ୍  ସଦ୍ୟ  କ୍ଷତରେ  ବ୍ୟବହାର  କଲେ  ପୂଜ  ହେବାର  ସମ୍ଭାବନା   ଥାଏ   । ପରୀକ୍ଷା  କରି  ଦେଖନ୍ତୁନା   । ନିଜର  ଅଭିଜ୍ଞତା  ଠାରୁ  ବଡ  କଥା   କିଛି  ନାହିଁ  ।

ଯଦି  ଅଧିକ  ରକ୍ତ  କ୍ଷରଣ  ହେଉଥାଏ  କୌଣସି  କ୍ଷତରୁ,  ତାହାହେଲେ  ଆମଲିକା Q ରେ  କ୍ଷତ  ଧୋଇ  ଫେରମଫସ୍ – 3X ଚୂର୍ଣ୍ଣକୁ  ତା  ଉପରେ   ଦେଇ  ପଟ୍ଟି  ବାନ୍ଧି  ଦିଅନ୍ତୁ   । ଦେଖିବେ  ସବୁ  ଠିକ୍ ଠାକ୍    ।

ଆଘାତ   ବିଷୟରେ   ଭାବିଲାବେଳେ   ସାଧାରଣତଃ   ମକଚି  ଯିବା  ବା  ହଠାତ୍  ମୋଡି  ହୋଇଯିବା  କଥା  ପ୍ରଥମେ  ଆମ   ଦୃଷ୍ଟିକୁ   ଆସେ   । ଏହାର  ଚିକିତ୍ସା  ମଧ୍ୟ  ଠିକ୍  ସେହିଭଳି    । ପ୍ରଥମେ  ଆର୍ଣ୍ଣିକା ଖାଇବାକୁ   ଦେବେ  ସେଠାରେ  ମଲା  ରକ୍ତ  ଜମିଯାଇ   ନେଳି  ପଡି  ଯାଇଥିବ  ଓ  ଅଧକପ୍  ଶୀତଳ  ଜଳରେ  ୩୦ ଟୋପା  ଆର୍ଣ୍ଣିକା  Q  ମିଶାଇ   କନା  ଭିଜାଇ  ପଟ୍ଟି  ବାନ୍ଧିଦେବେ  । ବିଶେଷ  ଭାବରେ  କଟି  ଓ  ବଳାଗଣ୍ଠି   ପାଇଁ  ଲିଡିମପାଲର   ଅନୁରୂପ  ବ୍ୟବହାର   ଶୀଘ୍ର  ଉପଶମ  ଦେବ  । ଯଦି  ଆଘାତ  ସ୍ଥାନ  ଫୁଲି  ଯାଇଥାଏ ଓ  ଉପଯୁକ୍ତ  ଚିକିତ୍ସା   ବିଶେଷ  ଫଳଦାୟକ  ନ ହୁଏ, ୨୪ ରୁ  ୪୮ ଘଣ୍ଟା  ପରେ  ବ୍ରାୟୋନିଆ ଖାଇବାକୁ  ଦିଅନ୍ତୁ   । ଏହିସବୁ  ଔଷଧ  ୬-୨୦୦  ଶକ୍ତି  ପର୍ଯ୍ୟନ୍ତ  ୩-୪ ଘଣ୍ଟାରୁ   ଆରମ୍ଭ  କରି  ୮ ଘଣ୍ଟା   ଅନ୍ତରରେ   ଅବସ୍ଥାଭେଦରେ  ଦିଆଯିବା  ଉଚିତ   । ଏସବୁ  ସତ୍ତ୍ୱେ   ୧୦-୧୨ ଘଣ୍ଟା   ମଧ୍ୟରେ  ଯଦି  ବ୍ୟଥା  ଓ  ଫୁଲା  ନକମେ   ବା  ବଢେ,  ତାହାହେଲେ  X – Ray କରିନେବେ  ଏବଂ  ଯଦି  ଦେଖନ୍ତି  କୌଣସି  ହାଡ ତଦ୍ଦ୍ଵାରା  କ୍ଷତିଗ୍ରସ୍ତ  ହୋଇଥାଏ  (ସାମାନ୍ୟଠାରୁ  ଆରମ୍ଭ  କରି  ସମ୍ପୂର୍ଣ୍ଣଭାବରେ ) ତାହାହେଲେ  ସ୍ଥାନଟିକୁ   ସଞ୍ଚାଳନରୁ   ବନ୍ଦ  ରଖିବା  ପାଇଁ   ପ୍ଲାଷ୍ଟର  ପଟ୍ଟି  ଦେବେ  ଓ  ସିମ୍ପାଇଟମ – ୬ ଦିନକୁ  ୪ ଥର  କରି  ଖାଇବେ  ଓ  ମଝିରେ  ମଝିରେ  ହାଇପେରିକମ୍ – ୨୦୦ ରୁ  ପାନେ   ପାନେ  ଦେବେ,  ଦିନକୁ  ଥରେ  ବ  ଦୁଇଥର   ।

ଶେଷରେ  ଗୋଟିଏ   କଥା  କହିବା  ଜରୁରୀ   ମନେକରେ  । ଆଜିକାଲି   ଯାନବାହନର  ଯେଭଳି  ଗତି ଓ  ଆରୋହୀମାନଙ୍କର  ମତୁଆଲା   ଚାଳନା, ସେଥିରେ   ତତଜନିତ   ଆଘାତର  ମାତ୍ରା  ଦିନକୁ  ଦିନ  ବଢିବାରେ  ଲାଗିଛି   । ତେଣୁକରି   ସର୍ବଦା  ନିକଟରେ  ଏକୋନାଇଟ – ୨୦୦ ଓ  ଆର୍ଣ୍ଣିକା – ୨୦୦ର ଦୁଇଟି  ଶିଶି  ଡ୍ରାଇଭିଂ  ଲାଇସେନସ  ଭଳି  ପାଖରେ  ରଖିଥିବେ   । କୌଣସି  ଦୁର୍ଘଟଣା  ଘଟିବା  ସଙ୍ଗେସଙ୍ଗେ  ପ୍ରତି  ପନ୍ଦର  ମିନିଟରେ   ଏକୋନାଇଟ – ୨୦୦ ରୁ  ୪/୫ଟି  ଗୁଳି  ୪ ଥର  ଖାଇନେବେ  ଓ  ତାହାପରେ   ପ୍ରତି  ପନ୍ଦର  ମିନିଟରେ   ଆର୍ଣ୍ଣିକା – ୩୦ ରୁ ୪ ଥର  ଖାଇ  କୌଣସି   ବିଶେଷଜ୍ଞଙ୍କର   ପରାମର୍ଶ  ଲୋଡିବେ  । କାରଣ  ଏଭଳି  ଦୁର୍ଘଟଣାରେ  ମସ୍ତିସ୍କ  ଆଘାତର  ସମ୍ଭାବନା  ହିଁ  ଅଧିକ   ।

ଔଷଧର  ଆଘାତ  କ୍ଷେତ୍ରରେ   ଉପଯୋଗୀ  ବିଶିଷ୍ଟ  ଲକ୍ଷଣ

ଏଥିସହିତ  ସାଧାରଣ  ଜ୍ଞାତବ୍ୟପାଇଁ   କେତେକ   ଔଷଧର  ଆଘାତ  କ୍ଷେତ୍ରରେ   ଉପଯୋଗୀ  ବିଶିଷ୍ଟ  ଲକ୍ଷଣ  ପ୍ରଦାନ  କରାଗଲା :

  1. ଏକୋନାଇଟ : ଆଘାତ  ପାଇବା  ପରେ  ପରେ  ଏହାକୁ  ବ୍ୟବହାର  କଲେ   କ୍ଷତଜନିତ   ମାନସିକ  ଧକ୍କାକୁ  ପ୍ରତିରୋଧ   କରାଯାଇପାରେ   । ଅତ୍ୟଧିକ  ଯନ୍ତ୍ରଣା  ଓ  ତୃଷାଥାଇ  ପ୍ରବଳ  ଜ୍ଵର  ହୋଇ  ରୋଗୀ  ଅତ୍ୟନ୍ତ   ଅସ୍ଥିର, ଆତଙ୍କିତ  ଓ ଭୟାର୍ତ୍ତ  ହୋଇପଡିଲେ  ଓ  ସମସ୍ତ  ଲକ୍ଷଣ  ସନ୍ଧ୍ୟା  ଓ  ରାତ୍ରି  କାଳରେ  ବୃଦ୍ଧି  ପାଉଥିଲେ  ଏହା  ବିଶେଷ  ଫଳପ୍ରଦ   । ବିଭିନ୍ନ  ପ୍ରକାର  ଅସ୍ତ୍ରୋପ୍ରଚାର  ପରେ  ଏହାକୁ  ସେବନ   କଲେ  ଅସ୍ତ୍ରୋପ୍ରଚାରଜନିତ  କମ୍ପ  ନ ହେବାର   ସମ୍ଭାବନା   ଥାଏ   ।
  2. ଆର୍ଣ୍ଣିକାମଣ୍ଟ : ପଡିଯିବା  କିମ୍ବା  ଧାର  ନ ଥିବା  କୌଣସି  ଅସ୍ତ୍ରଦ୍ଵାରା  ଶରୀରରେ  ଆଘାତ  ହେବାଦ୍ଵାରା  ଯେ  କୌଣସି  ପ୍ରକାରର   କ୍ଷତପାଇଁ  ଏହା  ବ୍ୟବହାର୍ଯ୍ୟ   । ବିଶେଷତଃ   କୋମଳ  ଅଂଶରେ  ଆଘାତଜନିତ  ରକ୍ତ  ଜମିଥିଲେ  ଏହା  ବିଶେଷ   ଫଳପ୍ରଦ   । ସମଗ୍ର  ଶରୀର   ଦରଜ  ରହିବାଦ୍ଵାରା   ଶୋଇଥିବା   ସ୍ଥାନ  କଠିନ   ବୋଧହୁଏ  ଓ  ଯନ୍ତ୍ରଣା  ଯୋଗୁଁ  ରୋଗୀ  ବାରମ୍ବାର  ସ୍ଥାନ  ପରିବର୍ତ୍ତନ   କରେ   । ଏହାକୁ   ସେବନ   କଲେ  କ୍ଷତ  ସ୍ଥାନରୁ   ରକ୍ତସ୍ରାବ  ବନ୍ଦ  ହୋଇଯାଏ   । ଆଘାତଜନିତ   ପୁରାତନ   ଶାରୀରିକ  ବିଲକ୍ଷଣ   ପାଇଁ  ଏହା  ଏକ  ପ୍ରମୁଖ  ଔଷଧ   ।
  3. କ୍ୟାଲେଣ୍ଡୁରା : ଯେ  କୌଣସି  ପ୍ରକାରର  ଅସ୍ତ୍ର  (ଧାରୁଆ, ମୁନିଆ  ବା  ଧାର  ନ  ଥିବା) ଦ୍ଵାରା  ଶରୀରର   ମାଂସପେଶୀ   ବହୁଳ   ସ୍ଥାନ  ଆଘାତ   ଫଳରେ  ବିଦୀର୍ଣ୍ଣ  ହୋଇ  ଯାଇଥିଲେ , ଏହା  ନୂତନ  ତନ୍ତୁ   ସୃଷ୍ଟି  କରିବାରେ  ସାହାଯ୍ୟ   କରିବା  ସଙ୍ଗେ  ସଙ୍ଗେ   କ୍ଷତ  ସ୍ଥାନରେ  ପୂଜ  ସୃଷ୍ଟିକୁ  ପ୍ରତିରୋଧ   କରେ  । କ୍ଷତ  ସ୍ଥାନ  ଦରଜ   ରହି  ଚତୁଃପାର୍ଶ୍ଵ  ଲାଲ୍  ପଡିଯାଏ  ଓ  ଅତ୍ୟଧିକ  ଜ୍ଵର   ସହିତ   ପ୍ରବଳ  ଯନ୍ତ୍ରଣା  ହୁଏ   ।  ଏହାର  ମୂଳଅର୍କ   କିମ୍ବା  ଲୋସନକୁ  କ୍ଷତସ୍ଥାନ  ପୂଜ  ହୋଇଥିଲେ  ସଫା  କରିବାପାଇଁ   ବ୍ୟବହାର  କରାଯାଏ  ଓ  ଶକ୍ତିକୃତ   ଔଷଧକୁ  ସେବନ  କରାଯାଏ   ।
  4. ରସଟକ୍ସ : ଅତ୍ୟଧିକ  ଓଜନିଆ  ପଦାର୍ଥ   ଉଠାଇବା  ଦ୍ଵାରା  ଶରୀରର   କୌଣସି  ଅଙ୍ଗ  ଆଘାତପ୍ରାପ୍ତ  ହେଲେ  କିମ୍ବା  କୌଣସି  କାରଣରୁ  ରକା  ପଶି  ଯାଇଥିଲେ,  ବିଶେଷତଃ  ମାଂସପେଶୀ  ଓ  ଅସ୍ଥି  ସଂଯୋଜକ   ରଜ୍ଜୁ  ଆଘାତପ୍ରାପ୍ତ   ହୋଇଥିଲେ   ଏହା  ବ୍ୟବହାର୍ଯ୍ୟ  । କ୍ଷତ  ଓ  ଯନ୍ତ୍ରଣା  ଯୋଗୁଁ  ରୋଗୀଠାରେ  ଅତ୍ୟନ୍ତ  ଶାରୀରିକ  ଅସ୍ଥିରତା  ପ୍ରକାଶ  ପାଏ   । କ୍ଷତସ୍ଥାନ  ସମେତ  ସମଗ୍ର  ଶରୀର  ଦରଜ  ହେଉଥିଲେ  ଓ  ବିଶ୍ରାମ ସମୟରେ  ଏବଂ  ଥଣ୍ଡା  ଉପଚାରରେ  ଯନ୍ତ୍ରଣା  ବୃଦ୍ଧିପାଇ  କିଛି  ସମୟ ଚଲାବୁଲା  ପରେ  ଓ  ଗରମ  ପ୍ରୟୋଗରେ  ହ୍ରାସ   ପାଉଥିଲେ  ଏହା  ବିଶେଷ  ଫଳପ୍ରଦ   ।
  5. ହାଇପେରିକମ୍ : ଶରୀରର  ସ୍ନାୟୁବହୁଳ  ସ୍ଥାନ , ଯଥା : ଗୋଡ ଓ ହାତର  ଆଙ୍ଗୁଳି,  ହାତ  ପାପୁଲି ଓ ପାଦ  ନଖମୂଳ  ଇତ୍ୟାଦି  ସ୍ଥାନରେ   ଆଘାତ   ହୋଇଥିଲେ  ଅଥବା  କୌଣସି  ମୁନିଆଁ  ପଦାର୍ଥ,  କଣ୍ଟା  କିମ୍ବା  ଜନ୍ତୁ   କାମୁଡିବା  ଦ୍ଵାରା   କ୍ଷତ   ହୋଇ  ପ୍ରବଳ  ଯନ୍ତ୍ରଣା  ହେଉଥିଲେ  ଏହା  ବିଶେଷଭାବେ   ବ୍ୟବହୃତ   ହୁଏ   । ଏହାର   ମୂଳଅର୍କ   ବା  ଲୋସନକୁ  କ୍ଷତସ୍ଥାନ  ପରିଷ୍କାର   କରିବାପାଇଁ   ବ୍ୟବହାର   କରାଯାଏ   ।
  6. ଲିଡମପାଲ : ତୀକ୍ଷ୍ନ  ମୁନଯୁକ୍ତ   ଅସ୍ତ୍ର  ଯଥା : କଣ୍ଟା, କାଚ  ମୁନ  ଅଥବା  ଜନ୍ତୁ  କାମୁଡିବାଦ୍ଵାରା   କ୍ଷତ  ହୋଇ   ଆଘାତ  ସ୍ଥାନ  ଥଣ୍ଡା  ରହିବା  ସତ୍ତ୍ୱେ  ଥଣ୍ଡା   ଉପଚାରରେ  ଯନ୍ତ୍ରଣା   ଉପଶମ   ହେଉଥିଲେ   ଏହା  ଫଳପ୍ରଦ  । ଆଘାତ  ଫଳରେ  ଆଖିପତା  ବା  ଡୋଳାରେ  ରକ୍ତ  ଜମାଟ   ବାନ୍ଧିଥିଲେ   ଏହାକୁ   ବ୍ୟବହାର  କରାଯାଏ  । ବଳାଗଣ୍ଠି   ମକଚି  ହୋଇ  କଷ୍ଟ  ହେଉଥିଲେ  ଏଥିରେ   ଉପଶମ   ମିଳେ   ।
  7. ହାମାମେଲିସ୍ : ପଡିଯିବାଦ୍ଵାରା  କିମ୍ବା   ଅନ୍ୟ  କୌଣସି  କାରଣରୁ   କ୍ଷତ  ହୋଇ  ପ୍ରଚୁର   କାଳିଚିଆ  ରକ୍ତସ୍ରାବ   ହେଉଥିଲେ  ଓ  ଆକ୍ରାନ୍ତ   ସ୍ଥାନ  ଅତ୍ୟଧିକ  ଦରଜ  ହୋଇଥିଲେ  ଏହାର  ବ୍ୟବହାର  ଦ୍ଵାରା  ରକ୍ତସ୍ରାବ   ବନ୍ଦହୋଇ   ବ୍ୟଥା   ଦୂର  ହୁଏ   । ଆଘାତ  ଦ୍ଵାରା ଆଖି  ଡୋଳାରେ  ରକ୍ତ  ଜମାଟ  ବାନ୍ଧିଥିଲେ   ଏହା  ଦୂର   କରେ  ।
  8. ଷ୍ଟାଫିସାଗ୍ରିୟା : କାଚ  କିମ୍ବା  ତୀକ୍ଷ୍ନ  ଧାରା  ଥିବା  ଅସ୍ତ୍ରଦ୍ଵାରା  କ୍ଷତ  ହୋଇ  ଅତିଶୟ   ଯନ୍ତ୍ରଣା  ହେଉଥିଲେ  ଏହା  ଫଳପ୍ରଦ   । ବିଭିନ୍ନ  ପ୍ରକାର  ଅସ୍ତ୍ରୋପ୍ରଚାର   ପରବର୍ତ୍ତୀ   କୌଣସି  କୁପ୍ରଭାବ  ପାଇଁ  ଏହାକୁ  ସାଧାରଣତଃ   ବ୍ୟବହାର   କରାଯାଏ   ।
  9. ରୁଟା : ଶରୀରର   କୌନୀ  ଗଣ୍ଠି   ବା  ହାତରେ  ଆଘାତଜନିତ   ଅତ୍ୟନ୍ତ  ଦରଜ  ଓ  ଯନ୍ତ୍ରଣା  ହେବାଦ୍ଵାରା  ରୋଗୀ   ଅସ୍ଥିର   ହୋଇ  ବାରମ୍ବାର  ସ୍ଥାନ  ପରିବର୍ତ୍ତନ  କରୁଥିଲେ  ଏହାର  ବ୍ୟବହାର  ଫଳରେ  ଦରଜ  ଓ  ପୀଡାରୁ  ଉପଶମ   ମିଳେ   । ଏହା  ବିଶେଷଭାବରେ   ଅସ୍ଥି   ଆବରଣ  ଉପରେ  କାର୍ଯ୍ୟ  କରିଥାଏ   ।
  10. ସିମ୍ପାଇଟମ୍ : ଦୁର୍ଘଟଣା  ଯୋଗୁଁ   ହାଡ  ଭାଙ୍ଗି  ଯାଇଥିଲେ  ଭଙ୍ଗା  ଅଙ୍ଗକୁ   ଠିକ୍ ଭାବେ   ସ୍ଥିର  ରଖିବାପରେ   ଏହି  ଔଷଧ   ବ୍ୟବହାର  କଲେ   ଭଗ୍ନହାଡ   ଶୀଘ୍ର  ଯୋଡି   ହୋଇଯାଏ   ଓ  କ୍ଷତଜନିତ  ଯନ୍ତ୍ରଣା  ଦୂର  ହୁଏ   । ଆଖିଡୋଳାରେ   ମାଡ  ବସି  ଯନ୍ତ୍ରଣା  ହେଲେ  ଓ  ଅଙ୍ଗର  କଟା  ହୋଇଥିବା  ସ୍ଥାନରେ  ଦୀର୍ଘଦିନ  ଧରି  ଯନ୍ତ୍ରଣା  ହେଉଥିଲେ   ଏହାଦ୍ଵାରା  ଉପଶମ  ମିଳେ   ।
  11. ଇତିନାସିଆ : ବିଷାକ୍ତ  କୀଟଦଂଶନ  ଦ୍ଵାରା  କ୍ଷତପାଇଁ   ଏହା  ଅବ୍ୟର୍ଥ   ଔଷଧ   । ପୁରାତନ   କ୍ଷତ  ସ୍ଥାନରୁ  ଦୁର୍ଗନ୍ଧଯୁକ୍ତ  ପୂଜ   ବାହାରି   ରୋଗୀ  ବହୁତ  ଦୁର୍ବଳ   ହୋଇ   ପଡିଥିଲେ   ଓ  ସର୍ବଦା  ଶୀତଭାବ  ରହି  ବାନ୍ତି  ଲାଗୁଥିଲେ   ଏହା  ବ୍ୟବହାର୍ଯ୍ୟ  । ଏହାର  ମୂଳଅର୍କ  ବା  ଲୋସନ୍  ଦ୍ଵାରା  ମଧ୍ୟ  ଘା  ସଫା  କରାଯାଏ   ।
  12. ଏପିସ୍ ମେଲ୍ : ବିଷାକ୍ତ  କୀଟଦଂଶନ  ଫଳରେ  କ୍ଷତ  ସ୍ଥାନ  ଫୁଲି   ଦରଜ  ହୋଇ   ବିନ୍ଧୁଥିଲେ  ଏହା  ପ୍ରୟୋଗ  କରାଯାଏ   । ଅତ୍ୟଧିକ  ଜ୍ଵାଳାଯନ୍ତ୍ରଣା  ସତ୍ତ୍ୱେ   ତୃଷାହୀନତା  ଏହାର  ନିର୍ଦ୍ଦେଶକ  ଲକ୍ଷଣ   ।
  13. ଆଲିୟମ  ସେପା : ଚକ୍ଷୁରେ  ଆଘାତ   ଲାଗିଲେ   ତଥା  କଟା   ହୋଇଥିବା  ଅଙ୍ଗର   ଥୁଣ୍ଟା   ଅଂଶରେ  ଦୀର୍ଘ  ଦିନଧରି   ସ୍ନାୟବିକ   ଯନ୍ତ୍ରଣା  ଲାଗିରହିଲେ   ଏହା  ବ୍ୟବହାଆର୍ଯ୍ୟ
  14. ନାଟ୍ରମ୍ ସଲଫ : ମୁଣ୍ଡରେ  ଆଘାତ  ହୋଇଥିଲେ  ‘ଆର୍ଣ୍ଣିକା’  ପରେ  ଏହା  ବ୍ୟବହାର୍ଯ୍ୟ   । ବିଶେଷକରି   ଆଘାତ  ପରେ   ମୁଣ୍ଡ  ଓଜନିଆ   ରହୁଥିଲେ,  ଭ୍ରମ  ହେଉଥିଲେ  ବା  ବେଳେବେଳେ   ମୂର୍ଚ୍ଛା  ଯାଉଥିଲେ  ଏହା  ମହାର୍ଘ  ।
  15. କାନ୍ଥାରିସ୍ : ପୋଡିହୋଇ   କିମ୍ବା  ଗରମ  ପାଣି  ପଡି   ଫୋଟକା  ହୋଇ  ଅତ୍ୟଧିକ  ଜ୍ଵାଳା  ହେଉଥିଲେ  ଏହା  ଏକ  ଅବ୍ୟର୍ଥ  ଔଷଧ   । କ୍ଷତସ୍ଥାନ  ଲାଲ୍ ପଡି  କୁଣ୍ଡାଇ  ହୁଏ  ଓ  ଥଣ୍ଡା  ପ୍ରୟୋଗରେ  ଉପଶମ  ମିଳେ  । ପୋଡିଯିବା  ସଙ୍ଗେ  ସଙ୍ଗେ  ଏହାର  ଲୋସନକୁ   ବ୍ୟବହାର   କଲେ  ଅଧିକ  ଫୋଟକା  ଓ  ପୂଜ   ହେବାର  ସମ୍ଭାବନା   କମ୍  ହୁଏ   । ସାଘାଂତିକ   ପୋଡି  ହୋଇଥିବା  ରୋଗୀର   ଚିକିତ୍ସା   କାଳରେ  ଯଦି  ମୂତ୍ରଯନ୍ତ୍ରଣା  ଆରମ୍ଭ  ହୁଏ, ଏହାର  ପ୍ରୟୋଗ  ଆବଶ୍ୟକ   ।
  16. ଆରସେନିକ  ଆଲବମ୍ : ପୋଡା  ଘା’  ଦୀର୍ଘ  ଦିନ  ରହି  ପାଚିବାକୁ  ଆରମ୍ଭ  କଲେ  ଓ  କ୍ଷତ  ସ୍ଥାନରେ   ହେଉଥିବା  ଜ୍ଵାରା  ଗରମ  ଉପଚାରରେ  ହ୍ରାସ  ପାଉଥିଲେ  ଏହାକୁ  ସେବନ  କରିବା  ବିଧେୟ   । ଆଭ୍ୟନ୍ତରୀଣ  ଜ୍ଵାଳାଭାବ   ସହ  ଅତ୍ୟଧିକ  ତୃଷା  ହୁଏ,  କିନ୍ତୁ  ରୋଗୀ  କମ୍  ବ୍ୟବଧାନରେ  ଅଳ୍ପପାଣି  ପିଇବାକୁ   ଇଚ୍ଛା  କରେ  । ରୋଗୀ  ଅତ୍ୟନ୍ତ   ଅବସ, ଆତଙ୍କିତ, ଅସ୍ଥିର   ଓ  ଭୟାର୍ତ୍ତ  ହୋଇପଡେ   ।
  17. କଷ୍ଟିକମ୍ : ଦୀର୍ଘଦିନର   ପୋଡା  ଘା’  ସ୍ଥାନରେ   କୌଣସି  ଅସୁବିଧା  ହୋଇ  ଆକ୍ରାନ୍ତ   ସ୍ଥାନ  ଦରଜ  ରହିଲେ   ବା  ପୁନର୍ବାର   ପାଚିଲେ ; ବହୁଦିନ   ଧରି  ପୋଡା  ଘା’ ନ  ଶୁଖିଲେ   ଏହା  ଆବଶ୍ୟକ  ହୁଏ   । ପୋଡା  ଘା’  ଚିକିତ୍ସା  ସମୟରେ  ଏହାକୁ   ସେବନ   କଲେ   ଅତ୍ୟଧିକ  ଘା’  ଦାଗ  ତଥା  ମାଂସପେଶୀର  ବିକୃତି  ହ୍ରାସ  ପାଇଥାଏ  ଏବଂ  ଅଙ୍ଗପ୍ରତ୍ୟଙ୍ଗ  ବଙ୍କା  ହୁଏ  ନାହିଁ  ।
  18. ଆର୍ଟିକାୟୁରେନସ୍ : କ୍ଷତସ୍ଥାନ  ଅତ୍ୟଧିକ  କୁଣ୍ଡେଇ   ହୋଇ   ଜଳାପୋଡା  ହେବା  ଏହାର  ମୁଖ୍ୟ  ଲକ୍ଷଣ   । ଘା’  ହୋଇଥିବା   ସ୍ଥାନରେ   ଏହାର  ଲୋସନ୍  ବା  ଲିନିମେଣ୍ଟକୁ   ବ୍ୟବହାର   କଲେ   ଭଲ  ଫଳ  ମିଳେ   ।
  19. ହିପାରସଲଫ : ଆକ୍ରାନ୍ତ  ସ୍ଥାନ   ଅତ୍ୟଧିକ  ଦରଜ   ହୋଇ   ସେଥିରେ   ପୂଜ  ହେବା   ଲକ୍ଷଣ  ଦେଖାଗଲେ  ଓ  ରୋଗୀଠାରେ   ଶୀତଭାବସହ  ବିରକ୍ତି   ଜନ୍ମିଲେ  ଏହା  ବ୍ୟବହାର୍ଯ୍ୟ   ।
  20. ସିକେଲିକର୍ : କ୍ଷତସ୍ଥାନ  ଥଣ୍ଡା  ଓ  ବଧିରା  ହୋଇ  ନୀଳବର୍ଣ୍ଣ   ଧାରଣ   କଲେ  ଓ  ପଚି  ଯାଇଥିଲେ  ଏହା  ବ୍ୟବହୃତ   ହୁଏ   । ଏଥିସହ   ଦେହ  ଭିତରେ  ପ୍ରବଳ  ଜ୍ଵାଳା  ଭାବ  ଅନୁଭୂତ  ହୁଏ   ।
  21. ସାଇଲିସିଆ : ଆକ୍ରାନ୍ତ  ସ୍ଥାନରୁ   ପତଳା  ଓ  ଗନ୍ଧଯୁକ୍ତ  ପୂଜସ୍ରାବ  ହେଉଥିଲେ  ଓ  କ୍ଷତ  ନୀଳ  ଘା’ରେ  ପରିଣତ  ପୂଜ  ବା  ପାଣି  ନିର୍ଗତ  ହେଉଥିଲେ   ଏହା   ଉତ୍ତମ  ଫଳ   ଦିଏ  । ଶରୀରରେ  କୌଣସି   କଣ୍ଟା   ରହି  ଯାଇଥିଲେ   ଏହାର  ଉଚ୍ଚଶକ୍ତି   ତାହାକୁ   ବାହାର  କରିଦିଏ   । ଏନାଗାଲିସର  ମଧ୍ୟ  ଏହି  ଶକ୍ତି  ଅଛି   ।

ସଂଗୃହୀତ – ଡାକ୍ତର  କମଳାକାନ୍ତ  କର

Last Modified : 6/21/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate