ସେଆର କରନ୍ତୁ

କାଶ ପାଇଁ ହୋମିଓପ୍ୟାଥି ଚିକିତ୍ସା

କାଶ ପାଇଁ ହୋମିଓପ୍ୟାଥି ଚିକିତ୍ସା ର ସୂଚନା

କାଶ ହେବାର କାରଣ ଓ ଲକ୍ଷଣ

କାଶ  ହେଉଛି  ଏପରି  ଏକ  ପ୍ରକ୍ରିୟା  ଯାହାଦ୍ଵାରା  ଅତ୍ୟନ୍ତ  ସମ୍ବେଦନଶୀଳ  ଶ୍ଵାସଯନ୍ତ୍ର  ମଧ୍ୟସ୍ଥ  ଯେ  କୌଣସି  ବାହ୍ୟପଦାର୍ଥକୁ  ଶରୀରସ୍ଥ  ପ୍ରାଣଶକ୍ତି  ନିକାଲି  ବାହାର  କରିଦିଏ   । ଧୂଳିକଣାଠାରୁ  ଆରମ୍ଭକରି   ଜୀବାଣୁ  ପର୍ଯ୍ୟନ୍ତ  ସମସ୍ତ  ଉତ୍ତେଜନା   ବା  ପ୍ରଦାହ  ଜନକ  ପଦାର୍ଥ  ଶ୍ଵାସଯନ୍ତ୍ରର  ସଂସ୍ପର୍ଶରେ  ଆସିବା  ମାତ୍ରେ   ହିଁ  ତନ୍ମଧସ୍ଥ  ଶୈଷ୍ମିକ  ପରଦାରେ  ଉତ୍ତେଜନା  ସୃଷ୍ଟି  ହୋଇ  କାଶ  ହୋଇଥାଏ   । ଏବଂ  ତାହା  ପ୍ରାଥମିକ  ଅବସ୍ଥାରେ  ଶୁଖିଲା  ହୋଇଥାଏ   । ଏହି  ଉତ୍ତେଜକ  ପଦାର୍ଥ  ଦୀର୍ଘ  ସମୟ  ଧରି  ରହିଲେ  ଶ୍ଲେସ୍ମିକ   ପରଦା  ତା’ର ଅ ଉତ୍ତେଜନା   ପ୍ରଶମନ  କରିବା  ପାଇଁ  ଶ୍ଲେଷ୍ମା  ସୃଷ୍ଟି  କରିଥାଏ  ଓ  ତାହା  କଫ  ଆକାରରେ, ପୂର୍ବୋକ୍ତ  ଉତ୍ତେଜକ  ପଦାର୍ଥକୁ  ଧରି  କାଶ  ଜରିଆରେ  ବାହାରି  ଆସେ  । ତେଣୁ  ଧରିବାକୁ  ଗଲେ  କାଶ  ହେଉଛି   ଶରୀରର  ଏକ  ହିତକାରୀ  ପ୍ରକ୍ରିୟା   । ମାତ୍ର ଏହା  ଦୀର୍ଘଦିନ  ରହିଲେ  ଜାଣିବାକୁ  ହେବ  ଯେ  କୌଣସି  ଏକ  ଦ୍ରବ୍ୟ  ସ୍ଥାୟୀଭାବରେ  ଶ୍ଵାସଯନ୍ତ୍ର  ମଧ୍ୟରେ  ରହିଛି  ଏବଂ  ତାହାକୁ   ବାହାର  କରିବା  ପାଇଁ ଶରୀରର  ଜୀବନୀଶକ୍ତି  ଉଦ୍ୟମ  ଅବ୍ୟାହତ  ରଖିଛି  । ସେ  କ୍ଷେତ୍ରରେ  ତାହାର  ସାହାଯ୍ୟ   ଆବଶ୍ୟକ, ନଚେତ  ଶରୀରର  ଅନ୍ୟାନ୍ୟ  ଇନ୍ଦ୍ରିୟସକଳ  ତାହାପ୍ରତି  ସହାନୁଭୁତିଶୀଳ  ହୋଇ  ତାହାର  ରକ୍ଷା  କାର୍ଯ୍ୟରେ  ଲାଗି  ସମସ୍ତ  ଶରୀରକୁ  ଏହି  ଅଧିକକାର୍ଯ୍ୟଭାର   ଯୋଗୁଁ   ଦୁର୍ବଳ  କରିଦିଅନ୍ତି   । ସୁତରାଂ  କାଶ ଜରିଆରେ  ଜୀବନୀଶକ୍ତି  ତାହାର  ଆବେଦନ  ପ୍ରକାଶ  କରେ   । ବିଭିନ୍ନ  ପ୍ରକାରର  କାଶ, ଜୀବନୀଶକ୍ତିର   ଭିନ୍ନ  ଭିନ୍ନ  ପ୍ରକାରର  ଆବଶ୍ୟକତାକୁ  ନେଇ  ଭିନ୍ନ  ଭିନ୍ନ  ଭାଷା  ସୃଷ୍ଟି  କରିଥାଏ   । ଯାହାକୁ  ଆମେ  ଲକ୍ଷଣ   ହିସାବରେ  ନେଇ, ସେହି  ଭାଷା  ବା  ଲକ୍ଷଣ   ଉପରେ  ନିର୍ଭର  କରି  ଔଷଧ  ନିର୍ବାଚନ  କରୁ  । ତେଣୁ  ଏ କାଶ  ସାଧାରଣ   ଉତ୍ତେଜକ  ପଦାର୍ଥ  ହେଉ  ବା  ଜୀବାଣୁଜନିତ  ଯକ୍ଷ୍ମା  ହେଉ,  ସେ  କଥା  ପ୍ରାଥମିକ  ସ୍ତରରେ  ଜାଣିବାର   ଆବଶ୍ୟକତା  ନାହିଁ   । ପ୍ରାଥମିକ  ସ୍ତରରେ, ଘରୋଇ  ଉପଚାର  ପାଇଁ  ପ୍ରକୃତିର   ଏହି  ଭାଷା  ହିଁ  ଯଥେଷ୍ଟ   । ଚିକିତ୍ସାରେ  ବିଶେଷ  ବ୍ୟବହାରିକ  ଜ୍ଞାନଦ୍ଵାରା  ଏହି  ଭାଷା  ବା  ଲକ୍ଷଣରୁ  ମଧ୍ୟ  କାଶର  ଜାଣିବା  ବେଶ୍  ସମ୍ଭବ   ।

ମନେକରନ୍ତୁ, ଲହରିଆ  କାଶ  ଶେଷରେ  ରୋଗୀର  ଏପରି  ଦମ  ବନ୍ଦ   ହୋଇଯାଏ  ଯେ,  ଫୁସଫୁସ୍ ର  ସମସ୍ତ  ବାୟୁ   ଯେପରି  କାଶରେ  ଚାଲିଯାଏ  ଓ  କାଶ  ଶେଷରେ  ଦମକାଏ  ବାୟୁ  ପ୍ରଶ୍ଵାସ  ଆକାରରେ,  ଶରୀରର  ଶ୍ଵାସଯନ୍ତ୍ର   ମଧ୍ୟକୁ  ପଶିଯାଇ  ଏକ ଅସ୍ଵାଭାବିକ  ଶବ୍ଦ  ହୁପ୍  ପରି  ଶୁଣାଯାଏ, ତେଣୁ  ଏହାକୁ  ହୁପିଂ  କାଶ  କୁହାଯାଏ   । ପୁରୁଣା  କାଶ  ସହିତ  ଦଲକା  ଦଲକା  ଫେଣଫେଣ  ରକ୍ତ  ବାହାରିଲେ  ଆମେ  ଯକ୍ଷ୍ମା  ବୋଲି   ସନ୍ଦେହ  କରୁ ; ବଇଁଶି  ବାଜିଲା  ଭଳି  ପେଲିହୋଇ   କାଶ  ହେଲେ,  ଆମେ ଶ୍ଵାସ  ରୋଗ  ବୋଲି  କହୁ  । ସୁତରାଂ  କାଶର  ଢଙ  ଓ ତା’ର ସହଚର  ଲକ୍ଷଣକୁ   ନେଇ  ଆମେ  ଯେପରି  ରୋଗ  କଥା  ଚିନ୍ତା  କରୁ,  ସେହିଭଳି  ସେ ସବୁକୁ  ନେଇ  ଉପଯୁକ୍ତ  ଔଷଧ ମଧ୍ୟ ବଛାଯାଇପାରେ  ।

ରୁମେକ୍ସ – ୨୦୦

ଧରନ୍ତୁ, ଭଦ୍ରଲୋକ  ଶୀତଦିନରେ  ଥଣ୍ଡା  ପବନରେ  ଢେର  ରାତି  ପର୍ଯ୍ୟନ୍ତ  ସ୍କୁଟର  ଚଢି  ବୁଲିଲେ  । ଘରେ  ଆସି  ପହଞ୍ଚିବାର   କିଛି  ସମୟ  ଯାଇଛି  କି ନାହିଁ  ଆରମ୍ଭ  ହୋଇଗଲା   କଷ୍ଟକର  ଶୁଖିଲା  କାଶ  । ଚାହୁଁ  ଚାହୁଁ  ଉତ୍ତାପ  ବଢିଗଲା ; ମନ  ମଧ୍ୟରେ  ନାନା  ପ୍ରକାରର  ଭୟ  ଓ  ଆଶଙ୍କା  ଅଯଥାରେ  ଜମାଟ  ବାନ୍ଧି  ବ୍ୟତିବ୍ୟସ୍ତ   କରାଇବା  ସଙ୍ଗେ  ବ୍ୟସ୍ତତା  କମାଇବାକୁ  ଖାଲି  ଗ୍ଲାସ  ଗ୍ଲାସ  କରି  ପାଣି  ପିଇ  ଚାଲିଲେ ; ଛାତି  ଖାଲି  ଧଡପଡ   ହେଉଛି ; ଘରେ  ମଧ୍ୟ  ସମସ୍ତେ  ସନ୍ତ୍ରସ୍ତ ; କେହିଜଣେ  ଯଦି  ଏକୋନାଇଟ – ୨୦୦ ଦେଇଦିଅନ୍ତି  ତାହାହେଲେ   ସବୁ  ଶାନ୍ତ   ।

ନାହିଁ ତ, ଅନ୍ୟଜଣେ, ଠିକ୍  ସେଇ  କାରଣରୁ  କାଶୁଛନ୍ତି, ଗଳା  ବସିଯାଇଛି  ବା  ଭାଙ୍ଗିଯାଇଛି, ତଣ୍ଟି  ଛିଣ୍ଡିଗଳାଭଳି   ମନେହେଉଛି ; ଥଣ୍ଡାପାଣି   ପିଇଲେ  କାଶର  ସାମାନ୍ୟ   ଉପସମ  ହେଉଛି  ଓ  କାଶିଲାବେଳେ  ପରିସ୍ରା  ପଡିଯାଉଛି, ତେବେ  କଷ୍ଟିକମ- ୩୦ କେତେପାନ  ଦିଅନ୍ତୁ  ଦିନକୁ  ୩ ଥର   କରି, ଦେଖିବେ  ଭଲ  ହୋଇଯିବ ୨/୩  ଦିନ  ଭିତରେ   ।

ଠିକ୍  ସେହିଭଳି  କାଶ, ପରିସ୍ରା  ପଡିଯାଉଛି,  କିନ୍ତୁ  ଅନବରତ  ଗଳା  ଖୁସ୍ ଖୁସ୍  କରିକାଶ  ହେଉଛି ; ସାମାନ୍ୟ  ଥଣ୍ଡା  ପବନ  ବାଜିଲେ   ହିଁ  କାଶ  ବଢି  ଯାଉଛି;  ରୁମେକ୍ସ – ୨୦୦ ଦିନକୁ ୩ ଥର  କରି  ଦିଅନ୍ତୁନା   ।

ସ୍ପଞ୍ଜିୟା- ୩୦

ଅନ୍ୟ  ଏକ  ରୋଗୀ  ପାଖରେ  ଦେଖିବେ  ଏହିଭଳି  ଥଣ୍ଡା  ପବନ  ଲାଗି  ଶୁଖିଲା  କାଶ, କିନ୍ତୁ  ପ୍ରତି  କାଶ  ଯେପରି  ଧଇଁ  ପେଲିଲାଭଳି ; ଛାତି  ଭିତରେ  କରତ  ଚାଲିଲା  ଭଳି  ଶବ୍ଦ; ସାମାନ୍ୟ  ଉଷୁମ  ପାଣି  ପିଇଲେ   କାଶର  ସାମୟିକ   ଉପସମ  ହେଉଥିବ   । କାଶତା  ମନେ   ହେଉଥିବ  ଛାତି  ଭିତରୁ  କୌଣସି  ଏକ  ସ୍ଥାନରୁ  ଯେପରି  ବାହାରୁଛି, ତାହାହେଲେ  ସ୍ପଞ୍ଜିୟା- ୩୦ ପ୍ରତି  ୨/୩ ଘଣ୍ଟାରେ  ଦିଅନ୍ତୁ   ।

ହିପାରସଲ୍ଫ – ୩୦

କିନ୍ତୁ  ଯଦି  ଦେଖିଲେ  କାଶରେ  କଫ  ପଡୁଛି, ଥଣ୍ଡା  ପବନ  ଲାଗିଲେ, ଚଲାଚଲି  କଲେ  କାଶ  ବଢୁଛି, ସେ  ପାଖରେ  ଟନସିଲ   ବଢି  ତଣ୍ଟି  ଦରଜ, ଉଷୁମ  ପାଣି  କୁଳିକଲେ   ଆରାମ  ଲାଗୁଛି, ସବୁବେଳେ  ଘୋଡେଇ  ହୋଇ  ରହିବାକୁ  ଚାହୁଁଛନ୍ତି, କାରଣ  ଥଣ୍ଡା  ପବନ   ଲାଗିଲେ  ହିଁ  କାଶ  ବଢୁଛି ; ଏହି  କାରଣରୁ  ସକାଳୁ  କବାଟ  ଝରକା  ଖୋଲିଲେ   ହିଁ  ବେଦମ  କାଶ   । ତାହାହେଲେ  ହିପାରସଲ୍ଫ – ୩୦ ଦିନକୁ  ୪/୫ ଥର  ଦିଅନ୍ତୁ  ।

ରସଟକ୍ସ – ୨୦୦

ଏ ତ  ଗଲା  ଶୀତଦିନ  କଥା   । ବର୍ଷାଦିନେ  ବର୍ଷାରେ  ଭିଜିଲାପରେ  କାଶ ; ରୋଗୀ  ଠିକ୍  ଏହିପରି   ଶୀତକାତର, ଥଣ୍ଡା  ପବନ  ବାଜିଲେ  ହିଁ  କାଶ  ବଢିଯାଉଛି; ବଡ  କଷ୍ଟକର  କାଶ, ତଣ୍ଟି  ଛିଡିଗଲା  ଭଳି  ବ୍ୟଥା; କାଶରେ  ଯେଉଁ  କଫ  ସାମାନ୍ୟମାତ୍ରାରେ  ବାହାରେ,  ସେଥିରେ  ରକ୍ତର   ସ୍ଵାଦ; ଦେହହାତ   ଛେଚିକୁଟି  ହୋଇ  ଜ୍ଵର  ଜ୍ଵର  ଭାବ, ତେବେ  ଅତି  ସାଧାରଣ  ଔଷଧ  ରସଟକ୍ସ – ୨୦୦ ଦିଅନ୍ତୁ   ।

ବ୍ରାୟୋନିଆ – ୨୦୦

ନାହିଁ ତ  ଯଦି  ଦେଖନ୍ତି  କାଶ  ଶୁଖିଲା, ବହୁତ  ପୀଡାଦାୟକ, କାଶିଲାବେଳେ  କେବଳ  ତଣ୍ଟି  ନୁହେଁ  ଛାତି  ପେଟ  ସବୁଜଜାଗାରେ  ବ୍ୟଥା ; ରୋଗୀ  ବଡ  ସନ୍ତର୍ପଣରେ  ଛାପି  ଛାପି  କାଶନ୍ତି, କାରଣ  ସ୍ଵାଭାବିକ  କାଶ  ହେଲେ ତାଙ୍କର  ସର୍ବାଙ୍ଗ  ଯେପରି   ଭାଙ୍ଗିପଡିବ   । ତାହାହେଲେ  କାଳବିଳମ୍ବ  ନ  କରି  ବ୍ରାୟୋନିଆ – ୨୦୦  ଦିନକୁ ୩/୪ ଥର  ଖାଇବାକୁ  ପରାମର୍ଶ  ଦିଅନ୍ତୁ  ।

ଡଲକାମେରା – ୨୦୦

ଅନେକ  ସମୟରେ  ଦେଖିବେ  ଗରମ  ଦିନରେ   ହଠାତ  ଥଣ୍ଡା  ପଡିଗଲା  ଅସରାଏ  ଦୁଇଅସରା  ବର୍ଷା  ହୋଇ, ତାକୁ  ସହିବା  ପାଇଁ  ମଧ୍ୟ  ଶରୀରର  ଶକ୍ତି  ନାହିଁ   । କାଶ  ଆରମ୍ଭ  ହୋଇଗଲା  । ଅଥବା  ସଭ୍ୟତା  ବା  ପଦାଧିକାର  ଖାତିରିରେ,  ଏୟାର  କଣ୍ଡିସନ   ରୁମରେ   ବସି  କାମ  କରିବାର  ଯେ  ଆଗ୍ରହ, ଏ.ସି.  ରୁମ  ଆଗରେ  ଆଣ୍ଟିରୁମ  ନାହିଁ,  ବାହାରେ  ବହୁତ  ଗରମ ; ସେ  ଘରୁ  ବାହାରିଲେ  ହିଁ   ଉତ୍ତାପର   ଆକାଶପାତାଳ  ତଫାତ, ସାହେବଙ୍କୁ   ଥଣ୍ଡା  ଧରି  ପକାଇଛି,  କାଶ  କାହିଁରେ   କ’ଣ,  କୌଣସି  ଔଷଧ  କାଟୁ  କରୁ  ନାହିଁ   କିପରି   କରିବ  ? ଉତ୍ତେଜକ  ପଦାର୍ଥ ତ  ଛାଡିବା  ସମ୍ଭବ  ନୁହେଁ – ଗଲା  ବସିଗଲାଣି, ଏପରିକି  ଶ୍ଵାସକଷ୍ଟ  ମଧ୍ୟ  ଆରମ୍ଭ  ହୋଇଗଲାଣି, ଧଇଁ  ବାହାରିପଡିବ କି ? ସାମାନ୍ୟ  ପରିଶ୍ରମରେ  କାଶ  ରଖାଇ  ଥୋଇ   ଦେଉନି – ପ୍ରକୃତି  ଓ  ସଭ୍ୟତାର  ଏ  ଦାନ  ପାଇଁ  ଡଲକାମେରା – ୨୦୦ ଦିନକୁ  ୪/୫  ଥର  ଦେଇ  ଦେଖିବେ  କି ?

କୋରାଲିୟମ – ୬ ବା  ୩୦

ପିଲାକୁ   ହୁପିଂ  କାଶ  ହେଇଛି, କାଶି  କାଶି  ଲାଠି  ହୋଇଯାଉଛି  ଗୋଡହାତ, ମୁହଁ  କଳା  ପଡିଯାଉଛି, ଦିଅନ୍ତୁନା  କ୍ୟୁପ୍ରମମେଟ-୬, ଡ୍ରସେରା – ୩୦ ତ  ହୁପିଂ  କାଶର  ସାର୍ବଜନୀନ  ଔଷଧ   ଏଥିପାଇଁ  କାଶ  ଅଧରାତି  ପରେ  ବଢୁଥିବା   ଚାହିଁ  । କାଶି  କାଶି  ଖାଲି  ଓଟାରି  ହୋଇ  ବାନ୍ତି  କରୁଥିବା  ଦରକାର  ଓ  କାଶ  ସ୍ଵାଭାବିକ  ‘ହୁପ୍’  ସହିତ  ରହିବାର  ଆବଶ୍ୟକତା  ଅଛି   । ତୁହାକୁ  ତୁହା  ‘ଖୁକ୍  ଖୁକ୍’  କରି  କାଶ  ହେଉଥିବ, ପ୍ରଶ୍ଵାସ   ନେଲାବେଳେ   ମନେ  ହେଉଥିବ  ଶ୍ଵାସନଳୀରେ  ଥଣ୍ଡା  ପବନ  ପଶିଯାଉଛି,  ମୁହଁଟି  ନାଲି   ପୋହଳା  ଭଳି   ଦେଖାଯାଉଥିବ, ତେବେ  କୋରାଲିୟମ – ୬ ବା  ୩୦ ଦିଅନ୍ତୁ   ।

କାକ୍ ଟସ- ୬ରୁ

ହୃଦ୍ ରୋଗ  ସହିତ  କାଶ  ହେଉଥିବ, ଛାତି  ଯେପରି  ଚାପିହୋଇ  ରହିଛି  ଓ  ନିଶ୍ଵାସ  ନେବାରେ   ଭୀଷଣ  କଷ୍ଟ,  କାକ୍ ଟସ- ୬ରୁ  କେତେପାନ  ଦେଇ   ବିଶେଷଜ୍ଞଙ୍କ  ପରାମର୍ଶ   ନେବା  ଉଚିତ୍    ।

ପଲସେଟିଲା – ୩୦ ଓ ଇପିକାକ୍ – ୨୦୦

ସନ୍ଧ୍ୟା  ସମୟରେ   ଶୁଖିଲା  କାଶ  ଅଥଚ  ସକାଳେ  ନରମ  କାଶ ; କାଶ ସମୟରେ  କାନମୁଣ୍ଡ  ଭାଁ  ଭାଁ  ହୋଇଯାଉଥିବା  ଓ ରୋଗୀ  ଖୋଲା  ପବନ  ଦରକାର  କରୁଥିବ,  ତାହାହେଲେ  ପଲସେଟିଲା – ୩୦ ଦେବେ   । ଏହାର  ସ୍ଵାଭାବିକ  ଲକ୍ଷଣ, ‘ପାଟି, ଜିଭ  ଶୁଖିଲା  ମନେ  ହେଉଥିଲେ   ମଧ୍ୟ  ଆଦୌ   ପାଣି  ପିଇବାକୁ  ଇଚ୍ଛା  ହେଉ  ନ ଥିବ ’, ରହିବ  ହିଁ  ରହିବ   । ଯଦି  ପ୍ରତି  କାଶ  ସହିତ ଅଇ  ଲାଗି  ରହିଥିବ,  ଜିଭ  ସଫା  ଓ  ପାଟିରେ  ଲାଳ  ଥିବ ଓ  ଶେଷ  ଆଦୌ  ନ ଥିବ  ତାହାହେଲେ  ଇପିକାକ୍ – ୨୦୦ ଲାଗିବ  ।

ଶ୍ଵାସଯନ୍ତ୍ରଟି  ମଣିଷର   ଏତେ  ସମ୍ବେଦନଶୀଳ  ଯେ,  ଶର୍ଦ୍ଦି  ହେଲେ  କାଶ, ପେଟ  ଗରମ  ହେଲେ  କାଶ,  ହୃଦ୍ ରୋଗ  ହେଲେ  ମଧ୍ୟ  କାଶ  ହେବ, ଧୂଳିକୁ  ଗଲେ  କାଶ, ଏ.ସି. ରୁମକୁ   ଯିବା  ଆସିବା  କଲେ  କାଶ, କଡା  ପାନ  ଖାଇଲେ  କାଶ  ତ  ଥଣ୍ଡା  ପାନୀୟରେ  କାଶ  । ତେଣୁ  କାଶ  ବିଷୟରେ  ହୋମିଓପାଥି  ଚିକିତ୍ସାପାଇଁ  ଲେଖିଲେ  ତ  ପୋଥି  ସରିବ  ନାହିଁ  ।

ଏଥିରେ  ଯାହା  ଲେଖାଗଲା  ତାହା  ଜଣେ  ଡାକ୍ତରଙ୍କ   ପାଇଁ  ଔଷଧ  ବାଛିବା  ଲାଗି  ମାର୍ଗଦର୍ଶକ  ଭାବରେ  କାର୍ଯ୍ୟ  କରିବ  । ଘରୋଇ  ଚିକିତ୍ସାପାଇଁ   ହଠାତ୍  ଚିକିତ୍ସକର   ଅଭାବରେ  ସାମାନ୍ୟ  କେତେକ  ପଦକ୍ଷେପ  ନେବା  ପାଇଁ  ହିଁ  ଏହା  ଉଦ୍ଦିଷ୍ଟ   । ଏହାକୁ  ସ୍ଵୟଂସମ୍ପୂର୍ଣ୍ଣ   ମନେକରିବା  ଠିକ୍  ହେବ  ନାହିଁ    । ତେଣୁ  କାଶ  ଦୀର୍ଘଦିନ  ଧରି  ଲାଗି  ରହିଲେ   ଓ  କୌଣସି   ଔଷଧ  କାମ  ନ କଲେ,  ତୁରନ୍ତ  ବିଶେଷଜ୍ଞଙ୍କ  ଦ୍ଵାରା  ପରୀକ୍ଷା  କରାଇ  ଯଥାଯଥ  ବ୍ୟବସ୍ଥା  କରିବା  ଉଚିତ୍  ।

ସଂଗୃହୀତ – ଡାକ୍ତର  କମଳାକାନ୍ତ  କର

3.05263157895
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top