ସେଆର କରନ୍ତୁ

ସ୍ତ୍ରୀ ରୋଗ ପାଇଁ ହୋମିଓପ୍ୟାଥି ଚିକିତ୍ସା

ସ୍ତ୍ରୀ ରୋଗ ପାଇଁ ହୋମିଓପ୍ୟାଥି ଚିକିତ୍ସା ର ସୂଚନା

ସ୍ତ୍ରୀ  ରୋଗ

ସ୍ତ୍ରୀ  ରୋଗ  ସମ୍ପର୍କରେ  ଚିନ୍ତାକଲେ   ଆମେ  ସାଧାରଣତଃ  ସ୍ତ୍ରୀ  ଲୋକମାନଙ୍କର  ମାସିକ  ଋତୁସମ୍ପର୍କିତ  ତଥା  ସ୍ତ୍ରୀଜନନେନ୍ଦ୍ରିୟର  କେତେକ  ସ୍ରାବସମ୍ବନ୍ଧୀୟ  ବିକାର  ବିଷୟର  ହିଁ ଭାବିଥାଉ ଏବଂ ଏ  ସବୁର  ଆରମ୍ଭ  ଜଣେ  ସ୍ତ୍ରୀଲୋକ   ଗୃହଯୋଗ୍ୟ  (ପ୍ରଥମ  ଋତୁଦର୍ଶନ)  ହେବା  ଦିନଠାରୁ   ହୋଇ  ରଜୋନିବୃତ୍ତି  ପର୍ଯ୍ୟନ୍ତ   ଚାଲିଥାଏ  ।  ସାଧାରଣଭାବରେ  ବିଳମ୍ବିତ  ଋତୁ, ଅତିରଜଃ,  ବାଧକ, ରଜବୋଧ, ପ୍ରଦର  ଓ   ରଜୋନିବୃତ୍ତି  ସମୟର  ବିକାର,  ଏହି  କେତେକ  ସମ୍ପର୍କରେ  ଡାକ୍ତରଙ୍କ   ନିକଟକୁ ସ୍ତ୍ରୀଲୋକମାନେ   ଆସିଥା’ନ୍ତି  । ତେଣୁ  ଏ  ସବୁକୁ ଅଲଗା  ଅଲଗା  ଭାବରେ  ବିଚାରାଲୋଚନା  କରିବା  ଆବଶ୍ୟକ    ।

ବିଳମ୍ବିତ  ଋତୁ

ସାଧାରଣତଃ  ଝିଅମାନେ  ୧୪ରୁ  ୧୫ ବର୍ଷ  ମଧ୍ୟରେ  ପ୍ରଥମେ   ଋତୁସ୍ନାନ  କରିଥା’ନ୍ତି   । ଯଦି  ଏଥିରୁ  ଡେରି  ହୋଇଗଲା,  ପିତାମାତା  ବିଶେଷ  ବ୍ୟସ୍ତ   ହୋଇପଡିଥାନ୍ତି  ।

ଏହାର  କାରଣ  ବିଶେଷଭାବରେ  ସ୍ୱାସ୍ଥ୍ୟଗତ  ଓ  ସାଧାରଣତଃ  ଏହା  ଦରିଦ୍ର  ପରିବାରର ଝିଅମାନଙ୍କଠାରେ   ପୋଷାକହୀନତା  ଯୋଗୁଁ  ଦେଖାଯାଇଥାଏ  ।  ଏଥିସହିତ   ରକ୍ତହୀନତା ଓ  ଶୀର୍ଣ୍ଣତା  ବିଶେଷଭାବରେ  ଦୃଷ୍ଟିଗୋଚର  ହୁଏ   । ଅଭିଜ୍ଞତାରୁ   ଦେଖାଯାଇଛି,  ଏସବୁ  କ୍ଷେତ୍ରରେ  ବିଶେଷଭାବରେ  ନେଟ୍ରାମମ୍ୟୁର – ୧୦୦୦ ଶକ୍ତିର  ଔଷଧ  ପନ୍ଦର  ଦିନରେ  ଥରେ   କରି   ବ୍ୟବହାର  କଲେ   ବେଶ୍  ସୁଫଳ  ମିଳିଥାଏ   । ରୋଗୀର   ଧାତୁଗତ   ଲକ୍ଷଣ  ଉପରେ  ଏହା  ନିର୍ଭାର  କରି  ଏହା  ଦିଆଯାଇଥାଏ   ।  ଅବଶ୍ୟ  ଏହି  ସବୁ  ଧାତୁଗତ  ଲକ୍ଷଣ  ଉପରେ  ଆଉ  କେତେକ  ଔଷଧ, ବିଶେଷ  ଭାବରେ   ଫେରମମେଟ, କାଲାକାରିଆଫସ୍, କ୍ୟାଲକାରିଆକାର୍ବ  ଓ  ପଲ୍ସେଟିଲା ମଧ୍ୟ  ଭଲ  ଫଳ  ଦେଇଥାଏ   । ସେ  ସବୁର  ଲକ୍ଷଣ  ନିମ୍ନପ୍ରକାରରେ   ପ୍ରାୟ  ଦେଖାଯାଏ   ।

ନେଟ୍ରାମମ୍ୟୁର : ଶୀର୍ଣ୍ଣ  ଶରୀର  ସହିତ  ବାଳିକାଟି  ଅତ୍ୟନ୍ତ   ଗରମକାତର  ଅଥଚ  ସାଂଘାତିକ  ଶର୍ଦ୍ଦିପ୍ରବଣ  ହୋଇଥିବ  । ଲୁଣ  ବା  ଲୁଣିଆ  ଜିନିଷ  ଖାଇବାର  ଆଗ୍ରହ  ବେଶି  ଥିବ  ତା’ର  ଓଠ  ବିଶେଷତଃ  ତଳ  ଓଠ  ଶୁଖି  ଫାଟିଯିବା   ସଙ୍ଗେ  ସଙ୍ଗେ  ପାଟିର  ଦୁଇକଡ  କଣ  ମଧ୍ୟ  ଫାଟୁଥିବ   । ମୁଣ୍ଡବିନ୍ଧା  ଏକ  ମାମୁଲି  ଘଟଣା ଏହା  ପକ୍ଷରେ  ପ୍ରାୟ  ସବୁଦିନେ   ।

ଫେରମମେଟ

ଫେରମମେଟ ଅତ୍ୟନ୍ତ  ଶୀତକାତର,  ଶେଥା  ଚେହେରା ; ଫିକା  ମୁହଁ  କିନ୍ତୁ  ସାମାନ୍ୟ  ଉତ୍ତେଜନାରେ   ଲାଲ୍ ପଡିଯାଉଥିବ  । ଏଥିସହିତ  ପ୍ରାୟ  ଅଜୀର୍ଣ୍ଣ  ଦୋଷ  ଲାଗି  ରହିଥିବ  । ଖାଉ  ଖାଉ  ମଝିରେ  ବାନ୍ତି  କରିବାକୁ  ଉଠିଯାଉଥିବ  ବା  ପାଇଖାନା  ଯାଉଥିବ   । ଖରାପ   ସ୍ୱାସ୍ଥ୍ୟପାଇଁ  ଯଦି  ଅଣ୍ଡା  ଖାଇବାକୁ   କୁହାଯାଏ   ତାହା  ତା’ଠି  ଚଳେନା   ।

କାଲକାରିଆଫସ୍

କାଲକାରିଆଫସ୍ସେ ହିଭଳି  ଶୀତକାତର , ପତଳା,  ରକ୍ତଶୂନ୍ୟତାର  ଚେହେରା  । ଲୁଣ   ଖାଇବାପାଇଁ  ଆଗ୍ରହ   । ଖୁବ୍  ଶୀଘ୍ର  ଡେଙ୍ଗା  ହୋଇଯାଏ  ଅଥଚ  ଋତୁ  ଦର୍ଶନ  ହୁଏ  ନାହିଁ   ମୁଣ୍ଡରୁ  ପ୍ରବଳ  ଝାଳ   ।

ଠିକ୍  ଏହିଭଳି   ଶୀତକାତର   ଅଥଚ  ଫିକା  ନୁଦୁସ  ନାଦସ  ଚେହେରା   । ପ୍ରବଳ  ଝାଳୁଆ  ଦେହ – ବିଶେଷ  କରି  ଶର୍ଦ୍ଦି  ଲାଗି  ରହିଥିବ  । ବହୁତ  ମାନ୍ଦା, ଅଳସୁଆ  ସ୍ଵଭାବ   । ଖାଇବାପାଇଁ  ତା’ର  ଆଗ୍ରହ  ବିଶେଷଭାବରେ   ଅଣ୍ଡାପାଇଁ   । ସମୟ  ସମୟରେ  ପାଉଁଶ  ଓ  ଖଡିମାଟି  ଖାଇବାକୁ  ଇଚ୍ଛା  କରୁଥିବ, ହେଲେ  କ୍ଷୀର  ପ୍ରତି  ଆଗ୍ରହ  ଜମା  ନଥିବ  । ତାହାହେଲେ   କ୍ୟାଲକାରିଆକାର୍ବ ଦେବା  କଥା   ।

ପଲସେଟିଲା

ପଲସେଟିଲା ସାଧାରଣତଃ  ଋତୁ  ବନ୍ଦ  କଥା   ଶୁଣିଲେ  ଆମେ  ଏହାକୁ  ଦେଇ  ଦେଉ  । କାକତାଳୀୟ  ନ୍ୟାୟରେ  ଏହା  ସାଧାରଣଭାବରେ   ମିଶିଯାଏ   । ସେ  ଯାହାହେଉ, ନାକ  କାନ୍ଦୁରୀ, ଅଳସ  ପ୍ରକୃତି  ଓ  ଧୀରସ୍ଥିର  ସ୍ଵାଭାବର  ଝିଅମାନଙ୍କ  ପ୍ରତି  ହିଁ  ଏହା  ବିଶେଷ  କାର୍ଯ୍ୟକାରୀ   । ଏହାର  ରୋଗୀ  ଗରମ  ସହିପାରେନା,  ସବୁବେଳେ   ଝରକା  କବାଟ   ଖୋଲି   ରହିବାକୁ  ପସନ୍ଦ  କରେ   । କଥାକଥାକେ  କାନ୍ଦ, ମାତ୍ର  ଟିକିଏ  ବୁଝାଇ  ଦେଲେ  ସାଙ୍ଗେ  ସାଙ୍ଗେ   ମୁହଁରେ  ହସ  । ଏ  ଅବୁ  ଲକ୍ଷଣରେ  ଏହାର  ଉଚ୍ଚଶକ୍ତି  ପ୍ରୟୋଗ  କଲେ   ବେଶ୍  ଫଳ  ମିଳେ   । ମନେରଖନ୍ତୁ  ଅବୁଝା, ଅଝଟ  ଝିଅମାନଙ୍କଠି   ଏହା  ଆଦୌ   କାମ  କରିବ  ନାହିଁ   ।

ଏହା  ବାଦ୍  ଲକ୍ଷଣ  ଭେଦରେ   ଆହୁରି   ଅନ୍ୟାନ୍ୟ  ଔଷଧ  ମଧ୍ୟ  ଲାଗିପାରେ   । ନିର୍ଦ୍ଧିଷ୍ଟ  ରୋଗୀକ୍ଷେତ୍ରରେ  ହୋମିଓମତରେ   ଚିକିତ୍ସା  କଲେ  କେଉଁ  ଔଷଧ  ତାକୁ  ଲାଗିବ  ଏହା  ଆଗରୁ   କହିବା  ସମ୍ଭବ  ନୁହେଁ   ।  କାରଣ  ମୋ ଅଭିଜ୍ଞତାରୁ  କହୁଛି, କ୍ୟାନସରରେ  ମରିଥିବା  ଏକ  ମା’ର  ଝିଅ  ଅଠର  ବର୍ଷ  ପର୍ଯ୍ୟନ୍ତ  ଋତୁବତୀ  ହୋଇ ନ ଥିଲା  । ତାକୁ  କାର୍ ସିନୋସିନ – ୧୦୦୦ ଶକ୍ତି  ପନ୍ଦର  ଦିନରେ   ପାନେକରି   ଦେବାର  ୨ ମାସ  ମଧ୍ୟରେ  ଋତୁସ୍ରାବ  ହୋଇଥିଲା  ଏବଂ  ତାହା  ବିନା  କିଛି  ଅସୁବିଧାରେ  ନିୟମିତଭାବରେ  ପ୍ରତିମାସରେ  ହେଉଛି  ଓ  ତା’ର  ସ୍ୱାସ୍ଥ୍ୟର   ପରିବର୍ତ୍ତନ  ଆଶାତୀତ  ଭାବରେ   ଲକ୍ଷ   କରାଯାଇଛି   ।

ସେ  ଯାହା  ହେଉନା  କାହିଁକି, ଏ ସବୁ  କ୍ଷେତ୍ରରେ  ପୁଷ୍ଟିସାର  ଖାଦ୍ୟର   ବ୍ୟବସ୍ଥା  କରିବା  ଦରକାର  ଔଷଧୀୟ   ଚିକିତ୍ସା   ସହିତ   ।

ଅତିରଜଃ

ସାଧାରଣତଃ  ସ୍ତ୍ରୀଲୋକମାନଙ୍କର  ଋତୁସ୍ରାବ  ମାସରେ  ଥରେ, ୨୮ ରୁ ୩୦  ଦିନ ଓ  ପରିମାଣରେ  ବେଶି  ଯାଇ, ଋତୁସ୍ରାବ  ଅବସ୍ଥାରେ   ଦୁର୍ବଳ   ଅନୁଭବ  କରାଏ,  ତାହାହେଲେ  ଆମେ  ତାକୁ  ଅତିରଜଃ  କହିଥାଉ  । ଏହାର  କାରଣ  ଅନେକ  ହେଲେମଧ୍ୟ  ଏହାକୁ  ସାଧାରଣତଃ  ଦୁଇଭାଗରେ  ବିଭକ୍ତ  କରାଯାଇପାରେ   ।

  1. ଧାତୁଗତ  କାରଣ,
  2. ଜରାୟୁର  ରକ୍ତସ୍ରାବୀ  ଅଞ୍ଚଳର  ବୃଦ୍ଧି   ।

ଧାତୁଗତ   ଦୋଷରେ  ସାଧାରଣତଃ  ଜଣେ  ସ୍ତ୍ରୀଲୋକ  ପ୍ରଥମ  ଋତୁଦର୍ଶନ  ଦିନରୁ  ଏଭଳି  ଭୋଗନ୍ତି, ତା’ର  କୌଣସି  କାରଣ  ନିର୍ଦ୍ଧିଷ୍ଟଭାବରେ   କହିବା  ମୁସ୍କିଲ,ଯଦିଓ  ରକ୍ତହୀନତା  ଓ  ପୁଷ୍ଟିହୀନତା  କାରଣଗୁଡିକୁ  ଏଥିସହିତ   ଯୋଡା  ଯାଇପାରେ   । ଏହି  ଧାତୁଗତ   କାରଣରୁ  ରଜୋନିବୃତ୍ତି  ସମୟରେ  ମଧ୍ୟ  ଅତିରଜଃର  ପ୍ରକାଶ   ହୋଇଥାଏ  ।

ଦ୍ଵିତୀୟ   କାରଣଟି  ସମ୍ପୂର୍ଣ୍ଣ  ଜରାୟୁ  ସମ୍ପର୍କିତ   । ଜରାୟୁର  ମାଂସପେଶୀର  ଶିଥିଳତା  ପାଇଁ  ଅନେକ  ସମୟରେ   ପ୍ରସବ  ପରେ  ତାହା  ସ୍ଵାଭାବିକ  ଅବସ୍ଥାକୁ  ଫେରି  ନ ଥାଏ   । ତେଣୁ  ତା’ର   ରକ୍ତସ୍ରାବୀ  ଅଞ୍ଚଳର  ବୃଦ୍ଧି  ଘଟିଥାଏ   । ପୁନଶ୍ଚ   ଜରାୟୁ  ମଧ୍ୟରେ  କୌଣସି  ଅର୍ବୁଦ  ଯଦି  ସୃଷ୍ଟି  ହୁଏ, ଜରାୟୁ  ମାଂସପେଶୀର  ସଂପ୍ରସାରଣ   ଘଟି  ରକ୍ତସ୍ରାବୀ   ଅଞ୍ଚଳ  ସଂକ୍ରମଣରେ  ମଧ୍ୟ  ଏହା  ସମ୍ଭବ   ।

ବହୁ  ସମୟରେ  ଦେଖାଯାଏ, ଗର୍ଭପାତ  ପରେ,  ଜରାୟୁ  ମଧ୍ୟସ୍ଥ  ଗର୍ଭଜନିତ  ସମସ୍ତ  ସୃଷ୍ଟି  ଯଦି  ପରିଷ୍କାରଭାବରେ  ବାହାରି  ନ ଯାଏ  ତାହାହେଲେ   ଏହି  ବିକାର  ବିଶେଷଭାବରେ  ଦେଖାଯାଏ  ଏବଂ  ଅଭିଜ୍ଞତାରୁ  ଯାହା  ଜଣାଯାଏ, ଅଧୁନା  ଗର୍ଭନଷ୍ଟ  କରିବାର  ଯେ  ପ୍ରବଳ  ଆଗ୍ରହ  ଦେଖାଦେଇଛି, ଆଇନଗତ  ସୁବିଧାହେତୁ, ଏହାର  ପ୍ରାବଲ୍ୟ  ମଧ୍ୟ  ସେହି  ଅନୁପାତରେ  ବଢୁଛି  ଓ  ଜରାୟୁର  ସଂକ୍ରମଣ  ମଧ୍ୟ  ବଢୁଛି  । ସେ  ଯାହା  ହେଉନା  କାହିଁକି, ଏ  ସମସ୍ତ  ରୋଗିଣୀଙ୍କ  ଚିକିତ୍ସା  କାଳରେ,  ରୋଗିଣୀଙ୍କ  ସ୍ୱାସ୍ଥ୍ୟପୁଷ୍ଟି  ପ୍ରତି  ପ୍ରଥମେ   ଦୃଷ୍ଟି   ଦେଇ  ତତ୍ ସହିତ  ଔଷଧ  ପ୍ରୟୋଗ  କରିବା  ଦରକାର   ।

ହୋମିଓପାଠ୍ୟ  ଚିକିତ୍ସା  ଲାକ୍ଷଣିକ  ହୋଇଥିବାରୁ,  ଲକ୍ଷଣ  ଭେଦରେ  ଯେ  ଯେଉଁ  ଔଷଧ  ନ ଲାଗିବ  କହିହେବା  ନାହିଁ,  ତଥାପି  ଅଣ୍ଟାରେ  ବ୍ୟଥା  ରହି  ତାହା  ଯଦି  ଜଙ୍ଘଆଡକୁ  ଆସୁଥିବ  ଓ  ତୁହାକୁ  ତୁହା  ବଡ  ବଡ  ଖଣ୍ଡ  ସହିତ  ରକ୍ତସ୍ରାବ  ହେଉଥିବ  ତାହାହେଲେ  ସାବାଇନା- ୩୦ ପ୍ରତି  ୪/୬ ଘଣ୍ଟାରେ  ଦେବେ   । ଅବଶ୍ୟ  ଋତୁସ୍ରାବ  ସହିତ  ସାନ୍ନିପାତିକ   ଅବସ୍ଥା  ଥିବ, ହାତଗୋଡ  ହେମାଳ,  ଅଥଚ   ରୋଗୀ  ଗରମହୁଳା  ପାଇଁ  ଛାଟିପିଟି   ହେଉଥିବ , ଗୋଡ  ଆଙ୍ଗୁଠି  ଓ  ପାଦରେ  କିଳା  ପଶିଯାଉଥିବ, ତାହାହେଲେ  ସିକେଲିକର – ୩୦ ପ୍ରୟୋଗ  କରିବେ   । ଋତୁନିବୃତ୍ତି  ସମୟଏର ଅଥବା   ଜରାୟୁରେ  ଅର୍ବୁଦଜନିତ  ଅତିରଜଃରେ  ଅଷ୍ଟିଲାଗୋ – ୬ ବିଶେଷ  ଉପଯୋଗୀ   । ଏଥିରେ  ରୋଗୀ  ସାଂଘାତିକ   ମୁଣ୍ଡବ୍ୟଥା  ସହ  ମୁଣ୍ଡ  ବୁଲାଇବାର  କଥା  କୁହେ   । ଗାଢ  ଲାଲ୍  ରଙ୍ଗ  ସହିତ  ମୁଣ୍ଡା  ମୁଣ୍ଡା  ରକ୍ତସ୍ରାବ  ହୁଏ   ।

ଲାକେସିସ୍ - ୨୦୦ ରଜୋନିବୃତ୍ତି  ସମୟର  ଏକ  ଆମୋଘ  ଔଷଧ  । ଏ  ସମୟରେ  ସ୍ତ୍ରୀଲୋକମାନଙ୍କର  ଯେ  ମାନସିକ  ଅବସ୍ଥା, ସବୁବେଳେ  ବକର  ବାକର  ହେବା, ସମସ୍ତଙ୍କୁ  ସନ୍ଦେହ  କରିବା, କଳିକରିବା, ଦେହମୁଣ୍ଡ  ଝାଇଁମାରି   ଖାଲି  ହୁତାସିଆ  ଲାଗିବା   ଏହି  ଔଷଧର  ପ୍ରଧାନ   ଲକ୍ଷଣ   । ରାତିରେ  ନିଦ ନ ହୋଇ,  ଚାଉଁ ଚାଉଁ   ଭାଙ୍ଗିଯିବା  ଓ  ସାପ  ସ୍ଵପ୍ନ  ଦେଖିବା  ପ୍ରାୟତଃ  ଲାକେସିସ୍ ରୋଗୀ  କ୍ଷେତ୍ରରେ  ଦେଖାଯାଏ   ।

ଅତିରଜଃରେ  କାଲକାରିଆକାର୍ବ  ମଧ୍ୟ  ବହୁ  ଉପଯୋଗୀ   । ନୁଦୁସ ନାଦସ   ଫୁଲିଲା  ଫାଲିଲା   ଚେହେରା  । ଅତି  ଶୀଘ୍ର  ଶୀଘ୍ର  ଓ  ବହୁ  ପରିମାଣର  ଋତୁସ୍ରାବରେ  ଏହା  ବିଶେଷ  ପ୍ରୟୋଜନ   । ଝିଅମାନଙ୍କ  ପକ୍ଷରେ  ଏହା  ବହୁତ  ଉପାଦେୟ   ଔଷଧ   । ସାବାଇନାରେ  କହିଲା  ଭଳି  ସ୍ରାବ  ହେଉଥିବ  ଏବଂ ତାହା  ଖୁବ୍  ଗରମବୋଧ   ହେଉଥିବ,  ତାହାହେଲେ   ବେଲାଡୋନା  ଦେବାକୁ  ଭୁଲିବେ   ନାହିଁ  ।

ଲମ୍ବା  ଡେଙ୍ଗା  ସ୍ତ୍ରୀଲୋକ, କଥା  କଥାକେ  ମୁହଁ  ଲାଲ   ପଡି  ଗରମ  ହୋଇଯାଉଥିବ; ଶୀତକାତର  ଅଥଚ  ଥଣ୍ଡାପାଣି   ପିଇବାରେ   ଆଗ୍ରହୀ,  ଲୁଣିଆ   ମସଲାଯୁକ୍ତ   ଖାଦ୍ୟରେ  ଲୋଭ – ଏଭଳି  ପ୍ରକୃତିର   ରୋଗିଣୀକୁ  ଫସଫରସ ଦିଅନ୍ତୁ   ।

ଏସବୁ  ସତ୍ତ୍ୱେ, ରୋଗୀକୁ  ବିଶେଷଜ୍ଞଙ୍କ  ନିକଟରେ  ପରୀକ୍ଷା  କରାଇ  ଜରାୟୁ  ସମ୍ବନ୍ଧୀୟ  କିଛି  ବିକାର  ଅଛି  କି  ନାହିଁ  ଜାଣିବା  ନିତାନ୍ତ  ଆବଶ୍ୟକ   । ସେଭଳି  କୌଣସି   କାରଣ  ନ ଥିଲେ,  ଜଣେ  ଅଭିଜ୍ଞ  ହୋମିଓପାଥି  ଡାକ୍ତରଙ୍କ  ନିକଟରେ  ଚିକିତ୍ସା   କରାଇବେ   । ହୋମିଓପାଥି  ଔଷଧ  ଛଡା  ଏହାର  ଅନ୍ୟ  କୌଣସି  ବ୍ୟବସ୍ଥା  କରିବା  ସର୍ବାଦୌ  ଅନୁଚିତ   । ଶେଷାସ୍ତ୍ର  ପ୍ରୟୋଗ  କରି, ଅସମୟରେ  ଜରାୟୁକୁ  ବାହାର  କରିଦେଲେ  ତା’ର  ପରିଣାମରେ  ଯେଉଁସବୁ  ଗୋଳଯୋଗ  ହେବ  ତାହାର  ଚିକିତ୍ସା  ବଡ  ଅସାଧ୍ୟ, ଏହା  ଜାଣି  ରଖିବା  ଉଚିତ୍  ।

ରଜଃରୋଧ

ପ୍ରଥମ  ଋତୁଦର୍ଶନ   ଠାରୁ  ରଜୋନିବୃତ୍ତି   ପର୍ଯ୍ୟନ୍ତ  ଧାରାବାହିକଭାବରେ  ପ୍ରତିମାସରେ  ନିର୍ଦ୍ଧିଷ୍ଟ  ଦିନ (୨୮ - ୩୦)ବ୍ୟବଧାନରେ  ଜଣେ  ସ୍ତ୍ରୀଲୋକର  ଋତୁସ୍ରାବ  ହେବା  ଏକ  ପ୍ରାକୃତିକ  ନିୟମ  । କେବଳ  ଗର୍ଭଧାନ  ସମୟରେ  ହିଁ  ଏହା ୧୦ ମାସ  ବନ୍ଦ  ରହେ  ଓ ପ୍ରସବ  ପରେ  ସ୍ତନ୍ୟଦାନ  ସମୟରେ  ମଧ୍ୟ ଏହା  ବନ୍ଦ  ରହିବା  ଶରୀରତାତ୍ତ୍ଵିକ  ନିୟମ   ।  ଏହାଛଡା  ଅନ୍ୟ  କାରଣରୁ  ଏହା  ବନ୍ଦ  ହୋଇଯିବା  ଅପ୍ରାକୃତ  ଏବଂ  ନିଶ୍ଚିତ  ରୋଗଜନିତ   । ପୁଷ୍ଟିସାରହୀନତା ଅବଶ୍ୟ  ଏହାର  ଏକ  ପ୍ରଧାନ  କାରଣ  । ସୁତରାଂ  ରୋଗିଣୀର  ପୁଷ୍ଟିପାଇଁ  ସନ୍ତୁଳିତ  ଖାଦ୍ୟର  ବ୍ୟବସ୍ଥା  କରିବା  ଦରକାର  ଓ ରଜଃରୋଧର  କାରଣ  ସମ୍ପର୍କରେ  ଭଲଭାବରେ  ଅନୁସନ୍ଧାନ   କରି  ଏହାର   ସମୟୋପଯୋଗୀ   ବ୍ୟବସ୍ଥା   ଗ୍ରହଣ  କରିବା  ଦରକାର  । କୌଣସି  ନ୍ୟାସର୍ଗ  ଜୀବରସର  ଅଭାବରୁ  ବା  ଅସନ୍ତୁଳନରୁ   ଏହା  ଘଟେ   । ତା’ର   ଅନ୍ତୁଳନ ତ କରିବା  ଆବଶ୍ୟକ, ହେଲେ  ରୋଗିଣୀର  ଧାତୁଗତ  ଚିକିତ୍ସା  ନ କରି  କେବଳ  ଏହା  ଉପରେ   ନିର୍ଭର  କଲେ, ପରିଶ୍ରମ  ନ କରି ବା  ଉପାର୍ଜନର  ବିକଳ୍ପ  ବ୍ୟବସ୍ଥା  ନ କରି  ଖାଲି   ଋଣରେ   ଚଳିଲାଭଳି   ଅବସ୍ଥା  ହିଁ  ହେବ  । ଧାତୁଗତ  ଚିକିତ୍ସା  ପାଇଁ  ହୋମିଓପାଥି  ହିଁ  ପ୍ରକୃଷ୍ଟ  ବ୍ୟବସ୍ଥା  । ଏଥିପାଇଁ  ନିମ୍ନଲିଖିତ  ଔଷଧଗୁଡିକ   ବିଶେଷଭାବରେ  ପ୍ରୟୋଜନ  ହୋଇଥାଏ  । ଏଲୁମିନା, କାଲକାରିଆକାର୍ବ, କାଲକାରିଆଫସ୍, ଗ୍ରାଫାଇଟସ,  ଆଇଓଡିଆମ,  ଲ୍ୟାକେସିସ୍, ନେଟ୍ରାମମ୍ୟୁର, ଫସଫରସ,  ପଲସେଟିଲା, ସିପିଆ ଆଦି ପ୍ରମୁଖ  ଔଷଧ  ଯାହାର  ନିଦର୍ଶନ  ସବୁ  ନିମ୍ନପ୍ରକାର   ।

ଏଲୁମିନା : ଅତିମାତ୍ରାର  ଶ୍ଵେତପ୍ରଦର  ସ୍ରାବ  ହେଉଥାଏ  ମାତ୍ର  ଋତୁସ୍ରାବ   ହୁଏ  ନାହିଁ  ଏବଂ  ଏହି  ସ୍ରାବ   କେବଳ   ଦିନବେଳା  ହୋଇଥାଏ   । ରୋଗିଣୀ   ବହୁତ  ଦୁର୍ବଳ   ଅନୁଭବ  କରେ,  ନିଦ  ଭଲ  ହୁଏନା, ଖାଲି  ଛଟପଟ   ଲାଗେ  ଏବଂ  ନିଦ୍ରାପରେ   ଖୁବ୍  ଛାତି  ଧଡପଡ  କରେ  । ଏପରି  କୋଷ୍ଠବଦ୍ଧ  ଯେ  ତରଳ  ମଳ  ମଧ୍ୟ  ଖୁବ୍  କୁନ୍ଥାଇବା  ପରେ  ହିଁ   ବାହାରିଥାଏ   ।

କାଲକାରିଆକାର୍ବ : ଅତ୍ୟନ୍ତ  ଘର୍ମାକ୍ତ, ମୋଟା  ସୋଟା  ସ୍ତ୍ରୀଲୋକ   । ପାଦଦୁଇଟି   ସବୁବେଳେ  ଓଦା  ଓଦା  ଓ  ଥଣ୍ଡା   । ସିଡି  ଚଢିଲେ  ସାହାସି  ଯା’ନ୍ତି   । ରୋଗିଣୀ  ଥଣ୍ଡା  ପବନ  ଚାହିଁଲେ  ମଧ୍ୟ  ଅଳ୍ପକରେ  ଥଣ୍ଡା  ଲାଗିଯାଏ  । ପାଣିରେ  ବହୁକ୍ଷଣ  ଧରି  ଠିଆ  ହେବାପରେ   ଯଦି  ରଜଃରୋଧ   ହୋଇଥାଏ  ତାହାହେଲେ   ଏହା  ବହୁତ  ଭଲ  କାମ   କରେ   । କାଲକେରିଆ  ରୋଗୀ  ଅଣ୍ଡା  ଖାଇବାକୁ  ଖୁବ୍  ଭଲ  ପାଆନ୍ତି  ।

କାଲକାରିଆଫସ୍: ପତଳା  ଚେହେରା, ଶୀତକାତର, ମାତ୍ର  ଝାଳୁଆ  ଓ  ଥଣ୍ଡା  ଧରିବା  ପ୍ରବଣତା  ଥିବା  ସ୍ତ୍ରୀଲୋକମାନଙ୍କ  ରଜଃରୋଧରେ  ଏହା  ଏକ  ପ୍ରଧାନ  ଔଷଧ   ।

ଗ୍ରାଫାଇଟସ : ଏହା  ମଧ୍ୟ  ମୋଟା  ସୋଟା  ଶୀତକାତର, ସର୍ବଦା  କୋଷ୍ଠକାଠିନ୍ୟ  ଭୋଗ   କରୁଥିବା  ସ୍ତ୍ରୀଲୋକମାନଙ୍କ  ପ୍ରତି  ପ୍ରଯୁଜ୍ୟ  । ଏମାନେ  ସବୁବେଳେ  କିଛି ନା କିଛି   ଚର୍ମରୋଗ  ଭୋଗୁଥିବେ,  ବିଶେଷଭାବରେ  ଜାଦୁ  ଏହାଙ୍କର  ଚିରସାଥି  । ପ୍ରାୟତଃ  ଏମାନେ  ପେଟ   ପୋଡୁଥିବାର  କଥା  କୁହନ୍ତି,  ଯାହାକି  କିଛି  ଖାଇଦେଲେ, ବିଶେଷଭାବରେ  ଗରମ  କ୍ଷୀର  ଖାଇଲେ  ଉପଶମ   ଅନୁଭବ  ହୁଏ   ।

ଆଇଓଡିଆମ : ଅତିଦୁର୍ବଳ   ଶୀର୍ଣ୍ଣ   ଶୁଖିଲା  ଶରୀର,  ଯଦିଓ  ରାକ୍ଷସଭଳି   ଭୋକ  । ସବୁବେଳେ  ଛାତି  ଧଡଧଡ   କରୁଥାଏ  । ଏତେ  ଗରମ  କାତର  ଯେ  ସବୁବେଳେ  ଖାଲି  ଥଣ୍ଡା  ଖୋଜି  ବୁଲେ  । ଟି:ବି  ଧାତୁର  ରୋଗୀ  କ୍ଷେତ୍ରରେ   ଏହା  ବିଶେଷ  ପ୍ରୟୋଜନୀୟ  ।

ଲାକେସିସ୍ : ଅତ୍ୟନ୍ତ  ଗରମକାତର, ଈର୍ଷାପରାୟଣା, କଥାଚାଣ୍ଡେଇ  ସ୍ତ୍ରୀଲୋକମାନଙ୍କ  ପକ୍ଷରେ  ପ୍ରଯୁଜ୍ୟ   । ଏ  ଧରଣର  ରୋଗିଣୀମାନଙ୍କର   ଶରୀରର  ଯେ  କୌଣସି  ଅଂଶରୁ  କିଛି  ସ୍ରାବ  ହେଲେ  ବେଶ୍  ଆରାମବୋଧ  କରନ୍ତି  ଓ  ସେମାନଙ୍କର  ଯାବତୀୟ  କଷ୍ଟ  ନିଦରୁ  ଉଠିଲା   ପରେ   ବଢିଯାଏ   ।

ନେଟ୍ରାମମ୍ୟୁର : ଶୁଖିଲା  ଚେହେରା, ଗରମକାତର  ଅଥଚ  ସାମାନ୍ୟ   କିଛିରେ  ଶର୍ଦ୍ଦି  ଲାଗି  ଯାଉଥିବ, ଯେତେ  ଖାଇଲେ  ମଧ୍ୟ  ଦେହରେ  ଲାଗୁ  ନ ଥିବ ; ଲୁଣ ବା  ଲୁଣିଆ  ଖାଦ୍ୟ  ପାଇଁ  ଅତିଶୟ  ଆଗ୍ରହ ; ଖୁବ୍ କଠିନ  ଝାଡା  ଓ  ଯେତେବେଳେ  କଠିନ  ଝାଡା  ହେବ  ସେତେବେଳେ  ଝାଡା  ପରେ  ପରେ  ରକ୍ତ  ପଡିବ  ମଳଦ୍ଵାରରୁ   । ଖରା  ହେଲେ  ହିଁ  ମୁଣ୍ଡବ୍ୟଥା  ଆରମ୍ଭ – ପ୍ରାୟ  ଦିନ  ୧୦ରୁ ୪ ପର୍ଯ୍ୟନ୍ତ   । ମେଲେରିଆ  ଭୋଗିବା  ପରେ  ଯଦି  ରଜଃନିରୋଧ  ହୋଇଥାଏ  ତାହାହେଲେ  ଉପଯୁକ୍ତ  ଲକ୍ଷଣ  ରଜଃରୋଧ  ପାଇଁ  ଏହା ଏକ  ଅମୋଘ  ଔଷଧ   ।

ଫସଫରସ୍ : ଲମ୍ବା  ପତଳା  ଚେହେରାର  ଶୀତକାତର  ସ୍ତ୍ରୀଲୋକ   ଋତୁସ୍ରାବ  ବନ୍ଦ  ହେବା  ସହିତ  ନାକରୁ   ରକ୍ତ  ପଡୁଥିଲେ  ବ  କାଶ  ହେଉଥିଲେ  ଏହାକୁ  ଚିନ୍ତା  କରିବାର  କଥା  । ଯଦିଓ  ଏମାନେ  ଥଣ୍ଡା  ସହିପାରନ୍ତି  ନାହିଁ, ତଥାପି  ଖୁବ୍  ଥଣ୍ଡାପାଣି,  ଏପରିକି  ଫ୍ରିଜ୍  ପାଣି  ବା  ବରଫା  ଦିଆ  ପାଣି  ପିଇବାକୁ  ବହୁତ  ପସନ୍ଦ  କରନ୍ତି   । ଖାଇବାକୁ  ଲୁଣି ଓ  ରସରସିଆ  ଖାଦ୍ୟ  ଖୋଜନ୍ତି  ।  ମେଘ  ଘଡଘଡି  ଓ  ବିଜୁଳିକୁ  ଖୁବ୍  ଭୟ   କରନ୍ତି ; କଥା  କଥାକେ   କାନମୁଣ୍ଡା   ଲାଲ୍  ହୋଇଯାଏ    ।

ପଲସେଟିଲା : ରଜଃରୋଧ  କଥା  ଶୁଣିଲେ  ହିଁ  ସଙ୍ଗେ  ସଙ୍ଗେ  ପଲସେଟିଲା   କଥା  ଚିନ୍ତା  କରାଯାଏ  ଓ  ଅନେକ ସମୟରେ  ଆଖିବୁଜି  ଏହାର  ୧୦୦୦ ଶକ୍ତି  ପ୍ରୟୋଗ  କରି  ଦିଆଯାଏ, ଯାହାକି  ସର୍ବଦା  ଅବାଞ୍ଛିତ  । ଏହା  କେବଳ  କ୍ରନ୍ଦନଶୀଳ, ନରମ  ସ୍ଵଭାବ  ସ୍ତ୍ରୀଲୋକଙ୍କ  କ୍ଷେତ୍ରରେ  ବ୍ୟବହାର  ହେବା  ଉଚିତ୍   । ଏମାନେ  ତାଙ୍କ  କଷ୍ଟକଥା  କହିଲାବେଳେ   କୋହ  ସମ୍ଭାଳି  ପାରନ୍ତି  ନାହିଁ   । ଯଦିଓ  ଏ  ରୋଗୀ  ଗରମ  ସହି  ପାରନ୍ତି  ନାହିଁ  ତଥାପି  ରଜଃରୋଧ  ହେତୁ ଯଦି  ପେଟରେ  ଯନ୍ତ୍ରଣା  ହୁଏ, ସେ  ଯନ୍ତ୍ରଣା  ସହିତ  କିନ୍ତୁ  ବେଶ୍  ଶୀତ  ଲାଗେ   । ଏପରିକି  ଯନ୍ତ୍ରଣା  ଓ  ଶୀତ  ଖୁବ୍  ଆନୁପାତିକ   । ଯନ୍ତ୍ରଣା  ଯେତେ  ଅଧିକ  ଶୀତଭାବେ  ସେତେ  ବେଶି   । ମାତ୍ର   ଖୋଲା  ପବନ   ଦରକାର  କରୁଥିବେ   । କିନ୍ତୁ   ଗୋଟାଏ  କଥା  ଲକ୍ଷ୍ୟ  କରିବା  କଥା  ଯେ  ଏ  ରୋଗୀର  ତୃଷା  ଯେପରି  ଆଦୌ   ନାହିଁ  । ଏପରିକି  ପାଟି  ଶୁଖି  ଅଠା ଅଠା   ହୋଇଯାଉଥିଲେ  ମଧ୍ୟ   । କେବଳ  ଏହିସବୁ  ଚାରିତ୍ରିକ  ଲକ୍ଷଣ  ଥିଲେ   ହିଁ  ପଲସେଟିଲା  ପ୍ରୟୋଗ  କରାଯିବା  କଥା   ।

ସିପିଆ : ପତଳା  ଶୀର୍ଣ୍ଣ  ଚେହେରା   । ଶରୀରର  ସବୁ  ଅଂଶ  ଖୁବ୍  ଦୁର୍ବଳ  ଓ  ଖାଲି  ଖାଲି  ଭାବ  । ଜନନେନ୍ଦ୍ରିୟରେ  ଏ  ଦୁର୍ବଳତା  ଏତେ  ଭାବରେ  ଅନୁଭବ  ହୁଏ ଯେ, ସେ  ମାନେ  କରନ୍ତି  ସତେ  ଯେପରି  ତାଙ୍କର  ଜରାୟୁ  ଆଦି  ବାହାରି  ଆସିବା  ଏବଂ  ସେ  ବସିଲା  ବେଳେ  ଖୁବ୍  ସତର୍କତାର  ସହିତ  ଗୋଡ  ଯାକି, ଚାପ  ଦେଇ  ବସିବେ   । ମୁହଁ  ନାକ  ଉପର  ଦେଇ  ବେଶ୍  ପ୍ରଜପତି  ଭଳି  ଚିହ୍ନ   ପଡିବା  ଆରମ୍ଭ  କରୁଥାଏ  । ଖୁବ୍  ବିମର୍ଷ   ଅଥଚ  କଳିହୁଡୀ  ସ୍ଵଭାବର  ହୋଇଥିଲେ  ଏହା  ବିଶେଷ  ଉପକାରୀ  । ପାଣିରେ  କାମ  କରିବା  ପରେ  ରଜଃରୋଧ  ହୋଇଥିଲେ  କ୍ୟାଲକାରିଆକାର୍ବ  ପରି  ଉପଯୁକ୍ତ  ଧାତୁରେ  ହିଁ  ଉପଯୋଗୀ   ।

ବାଧକ  ଯନ୍ତ୍ରଣା

କଷ୍ଟକର  ଋତୁସ୍ରାବକୁ   ସାଧାରଣଭାବରେ  ବାଧକ  ଯନ୍ତ୍ରଣା  କୁହାଯାଏ  ।

ଋତୁସ୍ରାବ  ସମୟରେ  ସ୍ତ୍ରୀଲୋକମାନଙ୍କର  କିଛିନା  କିଛି  ଅସ୍ଵାଭାବିକ   ଅନୁଭୂତି   ହେବା  ସାଧାରଣ  ଘଟଣା  ହେଲେ  ମଧ୍ୟ, କେତେକ  କ୍ଷେତ୍ରରେ  ବ୍ୟଥାବେଦନା  ଏତେ  ବେଶି  ହୁଏ ଯେ,  ସଙ୍ଗେ  ସଙ୍ଗେ  ଏହାପାଇଁ  ଔଷଧ  ବ୍ୟବସ୍ଥା  କରିବା  ଆବଶ୍ୟକ  ହୁଏ   ।

ଏହି  ଯନ୍ତ୍ରଣା, ପ୍ରାଦାହିକ ହୁଏ  କୌଣସି  ସଂକ୍ରମଣ   ପାଇଁ ; ଅତ୍ୟନ୍ତ  ଅସହିଷ୍ଣୁ  ଓ  ସ୍ପର୍ଶକାତରଙ୍କର  ସ୍ନାୟବିକ  ଲକ୍ଷଣର  ଆଧିକ୍ୟ  ପାଇଁ, ସ୍ନାୟବିକ ; ପତଳା   ଚର୍ମଭଳି , ଜରାୟୁ – ଅନ୍ତସ୍ଥ  ଝିଲ୍ଲୀ  ପରଦା   ବାହାରି  ଆସିବାର  କାରଣଋ  ବ୍ୟଥା  ହେଉଥିଲେ  ଝିଲ୍ଲିକ   ବାଧକ  ବୋଲି  କୁହାଯାଇଥାଏ   । ତେବେ  ସେ  ଯାହା  ହେଉନା  କାହିଁକି, ଲକ୍ଷଣ  ଭେଦରେ,  ପୂର୍ବୋକ୍ତ   କଷ୍ଟମାନଙ୍କପାଇଁ  ଦୀର୍ଘସ୍ଥାୟୀ   ଚିକିତ୍ସା   ଧାତୁଗତ  ହେବା  ଉଚିତ୍  । ମାତ୍ର   ଏହା   ଅତ୍ୟନ୍ତ   କଷ୍ଟଦାୟକ   ହୋଇଥିବାରୁ,  ଏହାର ଆଶୁ  ପ୍ରଶମନ  ପାଇଁ   ନିମ୍ନଲିଖିତ  ଔଷଧ  ବ୍ୟବହାର  କରାଯାଇପାରେ   । ଦୀର୍ଘସ୍ଥାୟୀ  ବା  ଚିରସ୍ଥାୟୀ   ଚିକିତ୍ସା  ପାଇଁ  ପ୍ରବୀଣ  ହୋମିଓପାଥି  ଡାକ୍ତରଙ୍କ  ପରାମର୍ଶ  ସର୍ବାଦୌ  କର୍ତ୍ତବ୍ୟ  । ଆଧୁନିକ  ଚିକିତ୍ସା  D & C  ପଦ୍ଧତି  ଏହାର  ସମାଧାନ  ନିଶ୍ଚିତଭାବରେ  ନୁହେଁ   । ଏହା  ବରଂ  ଅଧିକ  ସଂକ୍ରମଣର   ବାଟ  ଉନ୍ମୁକ୍ତ   କରିଥାଏ   ।

ଆଶୁ  ଚିକିତ୍ସା  ନିମନ୍ତେ  ଆପଣ  ଏକୋନାଇଟ  ବ୍ୟବହାର  କରିପାରିବେ  ଯଦି  ବ୍ୟଥା   ଖୁବ୍  ସାଂଘାତିକଭାବରେ  ଆସି  ରୋଗୀକୁ   ଘର୍ମାକ୍ତ   କରି  ପକାଉଥିବ   ଓ ରୋଗୀ  ମନେ  କରୁଥିବେ  ସତେ  ଯେପରି  ଏହା  ତାଙ୍କର  ମୃତ୍ୟୁ  ଯନ୍ତ୍ରଣା   । ହୃତପିଣ୍ଡର  ସ୍ପନ୍ଦନ  ବଢିଯିବା  ସହିତ  ମୁହୁର୍ମୁହୁ  ବହୁପରିମାଣରେ  ପାଣି  ମାଗୁଥିବେ  ପିଇବାକୁ   । ଅତ୍ୟନ୍ତ  ବ୍ୟସ୍ତ   ହୋଇ  ଛାଟିପିଟି   ହେଉଥିବେ ଓ  “ଆଉ  ବଞ୍ଚିବି  ନାହିଁ”  ବୋଲି  ଚିତ୍କାର  କରୁଥିବେ   । ଶେଯଋ   ହଠାତ୍  ଉଠି  ପଡୁଥିବେ  ଓ  ସେତେବେଳେ  ମୁହଁଟା  ଫିକା   ପଡିଯାଉଥିବ  ।

ବେଲାଡୋନା  ଲାଗିବ, ଯଦି  ବ୍ୟଥା  ହଠାତ୍  ଆସୁଥିବ ଓ  ହଠାତ୍  କମିଯାଉଥିବ  । ପ୍ରତିଥର  ଯନ୍ତ୍ରଣା  ସମୟରେ  ମୁଣ୍ଡଟା  ଧପ୍ ଧପ୍   କରି  ଉଠୁଥିବ  ଓ ମୁହଁ  ଲାଲ୍   ପଡି  ଯାଉଥିବ   । ସ୍ରାବ  ଅତ୍ୟନ୍ତ  ଗରମ  ଅନୁଭୂତ  ହେଉଥିବ   । ସିମିସିଫ୍ୟୁଗାରେ  ସ୍ରାବ  ଯେତେ   ବଢୁଥିବ  ବ୍ୟଥା  ସେତେ  ବଢୁଥିବ   । ଲାକେସିସ୍  କିନ୍ତୁ  ଏହାର  ସମ୍ପୂର୍ଣ୍ଣ   ଓଲଟା  । ସ୍ରାବ  ଯେତେ  ବେଶି  ବ୍ୟଥା  ସେତେ  କମିଯାଏ   । ଯଦି  ସ୍ରାବ  ସହିତ  ଝିଲ୍ଲି  ପରଦାଭଳି   କୌଣସି  ଜିନିଷ  ବାହାରିବା  ହେତୁ ଯନ୍ତ୍ରଣା   ହେଉଥିବ  ତାହାହେଲେ  ବୋରାକ୍ସ – ୬ ଦେବାକୁ  ଭୁଲିବେ  ନାହିଁ   । ପେଟବ୍ୟଥା  ଯଦି  ଖୁବ୍  ଚାପ  ଦେଲେ  ଉପଶମ   ହେଉଥିବ, ରୋଗୀ  ପେଟତଳେ  ତକିଆ  ଆଦି  ଦେଇ  ଶୋଇରହିବାକୁ   ଭଲ  ପାଉଥିବେ କୋଲୋସିନ୍ଥ – ୬ ପ୍ରୟୋଗ   କରିବାକୁ  ପଛେଇବ  ନାହିଁ   । ଯଦି  ଏପରି  ଚାପ  ସହିତ  ଗରମ  ସେକ   ଦେବାରେ  ରୋଗୀ  ଆରାମ  ପାଉଥିବେ  ତାହାହେଲେ  ମାଗନେସିୟାଫସ୍ – ୨୦୦  ଦେବା  ଦରକାର   । ଅନେକ  ରୋଗୀ   ଏତେ  ସ୍ପର୍ଶକାତର  ଯେ, ସାମାନ୍ୟ  ତମ  ବ୍ୟଥାରେ  ମଧ୍ୟ  ବଡ  କ୍ରୋଧ  ପ୍ରକାଶ  କରନ୍ତି  ଓ ସେ  ସମୟରେ  ତାଙ୍କ  ମୁହଁରେ  ବାଡବତା  ରହେ  ନାହିଁ, ସଂଭ୍ରମ  ରହେନା, ଲଜ୍ଜାକର  ଓ  ନ କହିବା  ଭାଷାରେ  ଗାଳିଗୁଲଜ  କରିବାକୁ  ମଧ୍ୟ  ପଛାନ୍ତି  ନାହିଁ,  ସେଥିଲାଗି  ସେମାନଙ୍କଠାରେ  କ୍ୟାମୋମିଲ – ୧୨ ଭଲ  କାମ  କରିବ  । ଯଦି  ପ୍ରତ୍ୟକ  ତୁହାର  ବ୍ୟଥା   ସହିତ  ଅଇ  ଉଠାଉଥିବ  ଇପିକାକ୍ – ୨୦୦ ଦେବେ   ।

ବୋରାକ୍ସ ଭଳି  ଭାଇବୁରନ ଓପୁଲସ  ମଧ୍ୟ  ଝିଲ୍ଲିକବାଧକ  ପାଇଁ  ବେଶ୍  ଭଲ   ଓ  ପେଟଭିତର   ଖୁବ୍  ଜୋରରେ  ମୋଡିପକାଇଲା  ଭଳି   ଅନୁଭବ   ହୁଏ   ।

ବାଧକ  ଯନ୍ତ୍ରଣାରେ   ଯଦି  ଏତିକି   ଔଷଧ  ଉଚିତ  ଭାବରେ,  ଠିକଣା  ସମୟରେ ପ୍ରୟୋଗ  କରାଯାଏ  ତାହାହେଲେ   ମୋର  ମନେହୁଏ, ଏହାର   ଆଶୁ  ପ୍ରଶମନ  ପାଇଁ  ଯଥେଷ୍ଟ  ହେବ  । ଅବଶ୍ୟ  ଚିରସ୍ଥାୟୀ  ପ୍ରତିକାର  ପାଇଁ  ବିଶେଷଜ୍ଞଙ୍କର   ପରାମର୍ଶ   ଅନିବାର୍ଯ୍ୟ  ।

ଶ୍ଵେତପ୍ରଦର

ସ୍ତ୍ରୀ  ଜନନେନ୍ଦ୍ରିୟର   ମୁଖରୁ  କୌଣସି  ଅସ୍ଵାଭାବିକ   ସ୍ରାବକୁ  ପ୍ରଦର   କୁହନ୍ତି   । ଅତିରଜକୁ   ରକ୍ତପ୍ରଦର  ଓ  ଧଳାସ୍ରାବକୁ  ଶ୍ଵେତପ୍ରଦର  କହନ୍ତି  । ଆମେ  ଏହି  ଶ୍ଵେତପ୍ରଦର   କଥା  ହିନ  ଏହି  ଅଧ୍ୟାୟରେ  ଆଲୋଚନା  କରିବା   ।

ଏହା  ସ୍ତ୍ରୀ  ଜନନେନ୍ଦ୍ରିୟ  ମଧ୍ୟରେ  କୌଣସି  ସଂକ୍ରମଣ ହେତୁ  ହୋଇଥାଏ   । ତଥାପି   ଯେଉଁ  ସ୍ତ୍ରୀଲୋକମାନେ   ବରାବର   ଗର୍ଭନିରୋଧ   ବଟିକା  ବ୍ୟବହାର  କରନ୍ତି,  ଡାଇବେଟିସ  ବା  ମଧୁମେହ, ଯକ୍ଷ୍ମା, ରକ୍ତହୀନତା  ବା  କୌଣସି   ପୋଷକ   ଖାଦ୍ୟର  ଅଭାବ   ଭୋଗୁଥା’ନ୍ତି,  ସେମାନଙ୍କଠାରେ  ଏହା  ବେଶି  ଦେଖାଯାଏ   । ଟ୍ରାଇକୋମୋନା, ମୋନିଲିଆ  ଭଳି   କ୍ଷୁଦ୍ର  କୀଟାଣୁମାନେ  ବିଶେଷଭାବରେ  ପରିଷ୍କୃତିର  ଅଭାବରୁ  ଏକ  ସ୍ଥାନୀୟ  କାରଣ  ହିସାବରେ,  ଜନନେନ୍ଦ୍ରିୟରେ   ସାମାନ୍ୟ  ପ୍ରଦାହ  ସୃଷ୍ଟି   କରି  ଏକ  ଦୀର୍ଘସ୍ଥାୟୀ   ପ୍ରଦର   ସ୍ରାବ  କରାଇଥା’ନ୍ତି  । ଅବଶ୍ୟ  ଗର୍ଭାବସ୍ଥାରେ   ଏଭଳି  ସ୍ରାବକୁ   ସାଧାରଣ  ବା  ମାମୁଲି   ଘଟନା  ବୋଲି  ମନେ   କରାଯାଏ  । ନିର୍ଦ୍ଧିଷ୍ଟ  ଜୀବାଣୁ, କୀଟାଣୁ ଓ  ସଂକ୍ରମଣର  ଗୁରୁତ୍ଵ   ଉପରେ   ସ୍ରାବର   ପ୍ରକାର  ଓ  ଗନ୍ଧ   ନିର୍ଭର   କରେ   ଏବଂ  ଏ  ସବୁ  ହିଁ  ହୋମିଓପାଥି  ଔଷଧ  ନିର୍ବାଚନରେ  ଅନେକ   ସାହାଯ୍ୟ   କରେ   । ଯଥା : ଅଣ୍ଡାନାଳ  ଭଳି   ମେଞ୍ଚା  ମେଞ୍ଚା   ହୋଇ  ଗରମପାଣି  ଗଡି  ଆସୁଥିବାର  ଲକ୍ଷଣରେ  କୌଣସି  ମୋଟାସୋଟା, ଶୀତକାତର  ଝାଳେଇ  ଝିଅ  ପାଇଁ   କ୍ୟାଲକାରିଆକାର୍ବ ବ୍ୟବହାର   କରାଯାଇପାରେ   । ପାଦପର୍ଯ୍ୟନ୍ତ   ନିଗିଡି  ଆସୁଥିବା, କ୍ଷତିକାରୀ  ସ୍ରାବ  ଯଦି  ଦିନରେ  ବେଶି  ହେଉଥିବ  ତାହାହେଲେ  ଏଲୁମିନା ଲାଗିବ  ଏବଂ  ଏହିଭଳି  ସ୍ରାବ   ରାତିରେ   ବେଶି  ହେଉଥିଲେ   ସିଫିଲିନାମ କଥା  ଚିନ୍ତା  କରିବା  ଶ୍ରେୟ  ହେବ  । ଅତ୍ୟନ୍ତ  ଦୁର୍ବଳକାରୀ   ସୂତାଭଳି  ଲମ୍ବି  ଆସୁଥିବା  କ୍ଷୟକରି  ସ୍ରାବ  ପାଇଁ  ମଧ୍ୟ  ଏଲୁମିନା ବ୍ୟବହାର   ହୋଇପାରିବ   । କିନ୍ତୁ  ଏହା  ଯଦି  ହଳଦିଆ  ବର୍ଣ୍ଣର  ହୋଇ  ବେଶ୍  ଅଠାଳିଆ  ହୋଇଥିବ ଓ ରୋଗୀ  ଖୁବ୍  କୋଷ୍ଠକାଠିନ୍ୟ  ଭୋଗୁଥିବ  ତାହାହେଲେ  ତ  ନିଶ୍ଚିତଭାବରେ   ହାଇଡ୍ରାସଟିସ ଦେବାକୁ  ହେବ   । କିନ୍ତୁ  ଏସବୁ  ସହିତ  ଯଦି  ସାଂଘାତିକ  ଅଣ୍ଟାବ୍ୟଥା   ଓ  ସାମାନ୍ୟ  ଚଳାଚଳରେ  ଭୟାନକ  କ୍ଲାନ୍ତି ଓ  ଅବସାଦ   ଆସୁଥିବ  ତାହାହେଲେ   ଇସକ୍ୟୁଲସ କଥା  ହିଁ  ଚିନ୍ତା  କରିବାକୁ  ପଡିବ   । ଏକ  ଋତୁମତୀ  ନାରୀଙ୍କର   ଯଦି   ଋତୁସ୍ରାବ   ଯେତେ   କମି  କମି  ଯାଉଥିବ, ପ୍ରଦର  ସ୍ରାବ   ସେତେ   ବଢି  ବଢି  ଯାଉଥିବ,  ତାହାହେଲେ  ତାଙ୍କୁ  କ୍ୟାଲକାରିଆକାର୍ବ ଛଡା  ଅନ୍ୟ  କ’ଣ  ଦିଆଯାଇପାରେ  ?

ଛୋଟ  ଛୋଟ  ବାଳିକାମାନଙ୍କର  ସ୍ରାବପାଇଁ  ସିନା, କାଲୋଫାଇଲମ ଓ  କାଲକେରିଆକାର୍ବ   କଥା  ଚିନ୍ତା  କରାଯାଏ   । କୃମିଦୋଷରୁ   ସିନା । ନିଡୁଆ,  ଅଳସୁଆ  ଛୁଆଙ୍କପାଇଁ  କଲୋଫାଇଲମ ଓ  ନୁଦୁସ  ନାଦସ , ଅଳସୋଇ, ଝାଳେଇ  ମାନଙ୍କପାଇଁ   କାଲକାରିଆକାର୍ବ । ମୋଟାସୋଟା   ଝିଅଙ୍କର  ବା  ସ୍ତ୍ରୀଲୋକଙ୍କ   ଅଣ୍ଟାରେ  ଅତିଶୟ   ବ୍ୟଥା   ପାଇଁ  ଇସକ୍ୟୁଲସ ଛଡା  କେଲିକାର୍ବ ମଧ୍ୟ   ବ୍ୟବହାର  ହୁଏ  । ମାତ୍ର  କେଲିକାର୍ବରେ  ଅଣ୍ଟାରେ   ଛୁଞ୍ଚିମାରିଲାଭଳି  ପୀଡା  ହେବ  ଏବଂ   ଏହାର  ଯାବତିୟ  କଷ୍ଟ  ରାତି   ୩ଟା   ପରେ  ସକାଳ  ପର୍ଯ୍ୟନ୍ତ  ବୃଦ୍ଧି   ପାଇଥାଏ   । କ୍ଷତକାରୀ  ସ୍ରାବ  ପାଇଁ   ଏଲୁମିନା ଭଳି  କ୍ରିୟୋଜୋଟର ବ୍ୟବହାର  ମଧ୍ୟ  ବହୁଳ  । ମାତ୍ର  କ୍ରିୟୋଜୋଟର ସ୍ରାବ  ଅଧିକ   କ୍ଷୟକାରୀ   । ବାହ୍ୟ  ଜନନେନ୍ଦ୍ରିୟରେ  ଓ  ଜଙ୍ଘରେ  ଏହାର  ସ୍ରାବ  ଲାଗି  ଘା’  ହୋଇଯାଏ  ଓ  ଖୁବ୍  ପୋଡେ  । ଏହା ସହିତ   ଘନଘନ   ମୂତ୍ରତ୍ୟାଗର  ପୂର୍ବରୁ   ଓ  ପରେ  ଏହି  ସ୍ରାବ  ଦେହରୁ  ବେଶି   ଯାଇଥାଏ   । ଏହାର  ସ୍ରାବପରେ  ଚୁଚୁନ୍ଦ୍ରାର  ଗନ୍ଧଭଳି   ଗନ୍ଧ   ଜଣାଯାଏ  । ଅତିଶୟ   ଦୁର୍ଗନ୍ଧ  ସ୍ରାବରେ  ନାଇଟ୍ରିକ  ଏସିଡ ମଧ୍ୟ  ବ୍ୟବହାର  ହୁଏ   । କିନ୍ତୁ  ଏହି  ରୋଗୀର  ଝାଳ  ବହୁତ  ହୁଏ  ଓ  ତାହା  ଦୁର୍ଗନ୍ଧଯୁକ୍ତ    । ହେଲେ   ମଧ୍ୟ  ଏହି  ରୋଗୀର   ପରିସ୍ରାର  ଗନ୍ଧ  ହିଁ  ନାଇଟ୍ରିକ  ଏସିଡର ପରିଚୟ  ଦେଇଥାଏ   । ଏତେ  ଦୁର୍ଗନ୍ଧ  ଯେ,  ପରିସ୍ରା  ପରେ  ସେ  ସ୍ଥାନକୁ   ଭଲରୂପେ  ଧୋଇଲା  ପରେ  ମଧ୍ୟ  ଗନ୍ଧ  ରହିଯାଏ  ।  ସ୍ତ୍ରୀଲୋକମାନଙ୍କର  ଯେ  କୌଣସି  ଅସୁସ୍ଥତାରେ  ପଲସେଟିଲା  ଯେପରି  ଏକ  ଅମୋଘ  ଔଷଧ   । ତାହା  ସତ୍ୟ  ହେଲେ   ମଧ୍ୟ,  ବହଳିଆ,  ଈଷତ୍  ହଳଦିଆ  ରଙ୍ଗର  ସ୍ରାବ, ଶୋଇଲାବେଳେ  ଓ  ସନ୍ଧ୍ୟାରେ  ବଢୁଥିବ, ଶୀତଭାବ  ସହିତ   ଖୋଲା   ପବନକୁ   ଆଶାୟୀ   ହେଉଥିବ, ଶୋଷ  ନ  ଥାଇ  ମଧ୍ୟ   ପାଟି  ଶୁଖିଯାଉଥିବ,  କଥା  କଥାକେ  ନାକ  ସକଉଥିବ  ତାହାହେଲେ  ସିନା  ଏହା  ଲାଗିବ   । କୋମଳ  ସ୍ଵଭାବ  ଓ  ଚରିତ୍ରର  ନାରୀ  ନ  ହୋଇ  ଯଦି  ଉଦ୍ଦଣ୍ଡୀ, କଳହପ୍ରିୟା  ସ୍ତ୍ରୀଲୋକ  ହୁଅନ୍ତି,  ତାହାହେଲେ   ତାଙ୍କୁ  ତ  ପଲସେଟିଲା   ଲାଗିବ  ନାହିଁ,  ବରଂ  ନାରୀ  ହେଲେ   ମଧ୍ୟ  ନକ୍ସଭୋମିକା   ତାଙ୍କଠାରେ  ଭଲ କାମ   କରିବ   । ନକ୍ସ  ରୋଗୀଙ୍କର   ନିଷ୍ଫଳ  ମଳବେଗ  ଓ  ସକାଳୁଆ  ଅଣ୍ଟାଧରା  ଏକ  ଚରିତ୍ରଗତ   ଲକ୍ଷଣ   । ଏହା  ଥିବ  ହିଁ  ଥିବ   ।

ପ୍ରକୃତି  ଓ  ଚରିତ୍ର   ଭେଦରେ  ନେଟ୍ରାମମ୍ୟୁର, ସିପିଆ,  ପ୍ଲାଟିନମ  ଦୀର୍ଘସ୍ଥାୟୀ   ଶ୍ଵେତପ୍ରଦରର   ଖୁବ୍  ନାମୀ  ଔଷଧ   । କ୍ରୋଧୀ, ଗରମକାତର  ରୋଗୀପାଇଁ   ନେଟ୍ରାମମ୍ୟୁର  ହେଲେ, ଶୀତକାତର   ବିଷାଦଗ୍ରସ୍ତ  ନାରୀପାଇଁ  ସିପିଆ  ଓ  ଗର୍ବୀ, ଅହଂକାରୀ  ସ୍ତ୍ରୀଲୋକ  ପାଇଁ  ପ୍ଲାଟିନମ  । ଏସବୁର  ଅନ୍ୟାନ୍ୟ   ଲକ୍ଷଣ  ଯେ  କୌଣସି  ଭଲ  ମେଟେରିଆ  ମେଡିକାରେ  ପଢିବାକୁ   ପାଇବେ   ।

ଏସବୁ   ସତ୍ତ୍ୱେ  ଯଦି  ପୁରାତନ  ଚର୍ମରୋଗ   ଭୋଗ  ପରେ  ଏ  ପ୍ରଦର   ସ୍ରାବର  ଆରମ୍ଭ  ବୋଲି  ରୋଗୀଲିପିରୁ  ଜଣାଯାଏ  ତାହାହେଲେ  ଗରମକାତର   ରୋଗୀପାଇଁ  ସଲଫର   ଓ ଶୀତକାତର  ରୋଗୀପାଇଁ   ସୋରିଣାମ   ତ  ନିଶ୍ଚୟ  ବ୍ୟବସ୍ଥା   କରିବାକୁ  ପଡିବ  । ଉଭୟ   କିନ୍ତୁ  ମଇଳା  ନୁଙ୍ଗୁରା  ସ୍ଵଭାବର   । ଗାଧୋଇବାକୁ  ଇଚ୍ଛା  କରନ୍ତି   ନାହିଁ   । ବେଶପୋଷାକର   ସେପରି  କିଛି  ଗୋଟାଏ  ଆଡମ୍ବର   ନ  ଥାଏ   । ଅବଶ୍ୟ   । ସଲଫର  ସ୍ରାବ  ସକାଳେ  ରୋଗୀ  ଶଯ୍ୟା  ଛାଡି  ଗୋଟାଏ  ଆଡମ୍ବର  ନ  ଥାଏ   । ଅବଶ୍ୟ  ସଲଫରର  ସ୍ରାବ  ସକାଳେ  ରୋଗୀ   ଶଯ୍ୟା  ଛାଡି  ଠିଆ  ହେଉ  ହେଉ  ହିଁ  ଅଧିକ  ହୋଇଥାଏ   । ପାଦ,  ପାପୁଲି  ଓ  ତାଳୁରେ  ଜ୍ଵାଳା  ଥାଏ   ।

ଆଗରୁ  କହିଛି, ଏବେ  ମଧ୍ୟ  ଟା’ର  ପୁନରାବୃତ୍ତି  କରୁଛି, ରୋଗର  ନାମଦେଇ  ହୋମିଓପାଥିରେ  ଔଷଧ  ନିର୍ବାଚନ  ହୋଇପାରେନା   । ରୋଗୀର  ବୈଶିଷ୍ଟ୍ୟବାଚକ   ଲକ୍ଷଣ   ସହିତ  ଯେଉଁ  ଔଷଧର  ସେହିଭଳି  ଲକ୍ଷଣ  ସବୁର  ମେଳ  ଥିବ,  ସେହି  ଔଷଧ  ହିଁ  ଆରୋଗ୍ୟକାରୀ   । ତେଣୁ  ଠିକଣା  ଭାବରେ  ରୋଗୀକୁ  ପର୍ଯ୍ୟବେକ୍ଷଣ   କରି  ମେଟେରିଆ  ମେଡିକାକୁ  ଦଖଲ  କଲେ  ହିଁ   ରୋଗାରୋଗ୍ୟ   ହେବ   ।

ରଜନିବୃତ୍ତି

ସ୍ତ୍ରୀଲୋକମାନେ  ଏକ  ନିର୍ଦ୍ଧିଷ୍ଟ   ବୟସରେ  ଋତୁବତୀ   ହୋଇ  ପ୍ରଜନନକ୍ଷମ   ହୋଇଥା’ନ୍ତି  ଓ  ଏକ  ନିର୍ଦ୍ଧିଷ୍ଟ  ବୟସସୀମା  (୪୫-୫୦) ମଧ୍ୟରେ  ତାହା  କାର୍ଯ୍ୟକ୍ଷମ   ରହେ   । ତାହାପରେ, ଶରୀର  ମଧ୍ୟରେ  ଉଦ୍ଦୀପକ  ଜୀବରସ  ବା  (Hormone) ର  ଅଭାବ  ବା  ଅସନ୍ତୁଳନତା  ଘଟି  ପ୍ରଜନନ  କ୍ଷମତା  ନଷ୍ଟ  ହୁଏ   । ଏହି  ଜୀବରସର  ଅଭାବ  ଓ  ଅସନ୍ତୁଳନତା  ଏହି  ପରିବର୍ତ୍ତିତ  ବୟସରେ  ଅନେକ  ଗୋଳଯୋଗ  ସୃଷ୍ଟିକରେ   ।  କେତେକଙ୍କ  କ୍ଷେତ୍ରରେ   ଯାହାକୁ  କି  ରଜନିବୃତ୍ତିକାଳୀନ   ଅସୁସ୍ଥତା   ବା  Menopausal syndrome  ବୋଲି   କୁହାଯାଇଥାଏ   । ଏ  ସମୟରେ  ଅନିୟମିତ  ଓ  ଅତିଶୟ  ରଜସ୍ରାବଠାରୁ   ଆରମ୍ଭକରି  ଦେହରେ  ହୁଲା  ଉଠିବା   ଭଳି  ସ୍ନାୟବିକ  ଓ  ମାନସିକ  ଅବସାଦ  ଓ  ବିରକ୍ତି  ଭଳି   ମାନସିକ  ଅସୁସ୍ଥତା   ଇତ୍ୟାଦି  ଦେଖାଯାଏ  ଏବଂ ଏ  ସବୁ   ଧାତୁଗତ  କାରଣରୁ  ସମସ୍ତ  ସ୍ତ୍ରୀଲୋକମାନଙ୍କ  ଠାରେ  ଏହି  ସମୟରେ  ଏକାଭଳି  ଲକ୍ଷଣ  ପ୍ରକାଶ  ପାଇ  ନ  ଥାଏ  ବା  ସମସ୍ତେ  ମଧ୍ୟ  ଏ  କଷ୍ଟ  ଭୋଗ  କରି  ନ ଥାନ୍ତି  । ତେଣୁ, ଧାତୁଗତ   ଚିକିତ୍ସା  ବା  ସାମଗ୍ରିକ  ଚିକିତ୍ସା  ହିଁ  ଏଥିରୁ   ପ୍ରକୃଷ୍ଟ  ଚିକିତ୍ସା । ସ୍ଥାନୀୟ  ଚିକିତ୍ସା   କେବଳ  ବଢିଯାଉଥିବା  ଗଛର   ଡାଳକୁ  କାଟି  ଆହୁରି  ଅଧିକ  କେନା  ବଢାଇବା   କାମ  ହିଁ  କରିଥାଏ   । ଫଳରେ   ଏଥିପାଇଁ  ଜଣେ  ଦକ୍ଷ  ଚିକିତ୍ସକର  ନିତାନ୍ତ  ଆବଶ୍ୟକ  ଥିଲେ  ମଧ୍ୟ   ନିମ୍ନଲିଖିତ  କେତେକ  ଔଷଧ  ବହୁଳାଂଶରେ  ସାହାଯ୍ୟ   କରିଥାଏ   ।

ମାନସିକ  ଅସ୍ଥିରତା  ଓ  ଅଯଥା  ଆଶଙ୍କା  ସହିତ  ମୁହଁ  ଗରମ  ହୋଇଯିବା  ସଙ୍ଗେ  ସଙ୍ଗେ   ଝାଳ ବୋହି  ଯାଉଥିଲେ  ଆମାଇଲ ନାଟଟ୍ରେଟ – ୬  ଦିନକୁ  ୨ଥର  କରି  ଦେଇ   ଦେଖାନ୍ତୁନା   । ବିନା  କାରଣରେ, ମାନସିକ  ଆସାଦ  ବା  ବିମର୍ଷତା  ହଠାତ୍  ଦେଖାଦେଲେ,  ସିମିସିଫ୍ୟୁଗା- ୨୦୦ ଦିନକୁ  ୨ ଥର  କରି  ଦେବେ   । ଦେହମୁଣ୍ଡରେ   ଗରମ   ହୁତାସନ  ଲାଗିବା  ସହିତ  ଯଦି  କେହି  ଅଚାନକ   ଈର୍ଷାପରାୟଣା, ସନ୍ଦେହୀ  ହୋଇପଡନ୍ତି  ଓ  ଖାଲି   ଅବିରତ  ବକର  ବକର   କରି  ଚାଲନ୍ତି  ତାହାହେଲେ  ଲାକେସିସ୍ – ୨୦୦ ଦେବେ   । ଛାତି  ଧଡଧଡ  କରିବା  ଓ  ଭଲ  ନିଦ ନ ହେବା, ଶୋଇକରି  ଉଠିଲା  ପରେ  ସମସ୍ତ  ଲକ୍ଷଣ  ବଢିଯିବାରେ  ଲାକେସିସର  ପ୍ରୟୋଗ   ଖୁବ୍  ସ୍ପଷ୍ଟ  ହୋଇପଡେ  । ଏହି  ଔଷଧ  ସାଧାରଣତଃ  ସ୍ତ୍ରୀଲୋକମାନଙ୍କର  ରଜନିବୃତ୍ତି  ସମୟର  ଏକ  ପ୍ରଧାନ  ଓ  ବହୁଳଭାବରେ  ପ୍ରୟୋଗ  ହେଉଥିବା  ଔଷଧ  । କେହି  କେହି  ସ୍ତ୍ରୀଲୋକ  ଏ  ସମୟରେ   ଅଧିକ  ରତିକ୍ରିୟା  ପାଇଁ  ବ୍ୟସ୍ତ   ହୋଇପଡି  ପାରିବାରିକ  ଅଶାନ୍ତି  ବଢାଇଥା’ନ୍ତି  । ସେ  କ୍ଷେତ୍ରରେ  ମ୍ୟୁରେକ୍ସ – ୨୦୦  ଦିନକୁ  ୨ ଥର  କରି  କିଛି  ଦିନ  ଦେଲେ  ସବୁ  ଠିକ୍ ଠାକ୍ ହୋଇଯିବ  । ଅତ୍ୟନ୍ତ  ପରିବର୍ତ୍ତନଶୀଳ  ମେଜାଜ  ସହିତ  ବିମର୍ଷତା  ଓ  ଦୀର୍ଘଶ୍ଵାସ  ଉଗ୍ନେସିଆର   ଲକ୍ଷଣ   । ମନେରଖନ୍ତୁ  ଇଗ୍ନେସିୟା  କିନ୍ତୁ  ରାତିରେ  ଦେବେ  ନାହିଁ  ଏହା  ଦେଲେ  ରୋଗୀର  ସୁଖନିଦ୍ରାତ  ହେବ  ନାହିଁ   । ବରଂ  ଏହା  ନିଦ୍ରାହୀନତା  ସୃଷ୍ଟି  କରିବ  ।

ଏ  ସମୟର  ଅତିରଜ  ପାଇଁ  ଏହି  ପୁସ୍ତକର  ‘ଅତିରଜ’  ଅଧ୍ୟାୟରେ  ଥିବା  ସମସ୍ତ  ଔଷଧ  ଲକ୍ଷଣାନୁସାରେ  ବ୍ୟବହାର  କରାଯାଇପାରେ,  ତେଣୁ  ସ୍ଵତନ୍ତ୍ରଭାବରେ  ଏହାର  ଉଲ୍ଲେଖ  ଅନାବଶ୍ୟକ   ।

ଗର୍ଭସ୍ରାବ

ଏହାକୁ  ଅନ୍ୟଭାବରେ  ଗର୍ଭପାତ  କହିବା  ହିଁ  ଯୁକ୍ତିଯୁକ୍ତ   । ଏ  ବିଷୟରେ  ଆଲୋଚନା  କରିବାକୁ  ଗଲେ, ଆମେ  କେବଳ  ପ୍ରାକୃତିକ  ଗର୍ଭପାତ  କଥା  ହିଁ  ବିଚାର  କରିବା   । ଗର୍ଭଧାରଣ  ପରେ  ଗର୍ଭସ୍ଥ  ଭ୍ରୁଣ  ଦିନକୁ  ଦିନ  ବୃଦ୍ଧି  ପାଇ  ୨୮୦  ଦିନରେ  ସମ୍ପୂର୍ଣ୍ଣତା  ଲାଭ  କରି  ଭୂମିଷ୍ଠ  ହୁଏ  । ମାତ୍ର  କୌଣସି  ସଂକ୍ରମଣ, ବିଶେଷଭାବରେ  ଉପଦଂଶଜନିତ  ସଂକ୍ରମଣ ; ଅତ୍ୟନ୍ତ  ଶକ୍ତିଶାଳୀ  ଔଷଧ, ବିଶେଷତଃ  ମ୍ୟାଲେରିଆ  ପାଇଁ  ଦିଆଯାଉଥିବା  ଔଷଧ ; ଭୟ  ବା  ହଠାତ୍  ମାନସିକ  ଅବସାଦ  ଓ  ଜରାୟୁର  ଉପଯୁକ୍ତ  ଅଭିବୃଦ୍ଧିର  ଅଭାବରୁ  ଅକାଳରେ  ଭ୍ରୂଣଟି  ଜରାୟୁରୁ  ଖସିଆସେ  । ଏହାକୁ  ଗର୍ଭସ୍ରାବ  ଓ  ଗର୍ଭପାତ  କୁହାଯାଇଥାଏ  ଏବଂ  ଏହା  ଏକ  ଛୋଟକାଟିଆ  ପ୍ରସାବ  ହୋଇଥିବାରୁ  ପ୍ରସବାନ୍ତିକ ସମସ୍ତ  ଉପଚାର  ମଧ୍ୟ  ଏ  କ୍ଷେତ୍ରରେ  ହେବା  ଉଚିତ୍, ଏହି  ଦୁଃଖିନୀ  ମା’ଙ୍କ  ସ୍ୱାସ୍ଥ୍ୟର  ପୁନରାନୟନ  ପାଇଁ   । ଇସ୍ପିତ  ସନ୍ତାନର  ଅକାଳ  ନଷ୍ଟ   ପାଇଁ  ଯେ  ମାନସିକ  ଅବସାଦ,  ତାକୁ  ଦୂର  କରିବାକୁ  ସମସ୍ତ  ପ୍ରଚେଷ୍ଟା  ପ୍ରୟୋଜନ,  ନଚେତ  ଏହାର  ସୁଦୂରପ୍ରସାରୀ  ପ୍ରଭାବ  କେବଳ  ଏହି  ମାତାଙ୍କ  ଉପରେ  ପଡିବ  ନାହିଁ,  ତାଙ୍କର  ଭାବି  ସନ୍ତାନ  ଉପରେ  ମଧ୍ୟ  ପଡିବ   ।

ସେ  ଯାହାହେଉନା  କାହିଁକି, ଠିକଣା  ସମୟରେ  ଉଚିତ୍  ହୋମିଓପାଥି  ଔଷଧ  ପ୍ରୟୋଗରେ ଏହି  ଅକାଳ  ଗର୍ଭପାତ   ବନ୍ଦହୋଇ   ମାତାଙ୍କ  ମୁଖରେ  ଚିରଦିନକୁ  ଯେ  ହସ  ଫୁଟାଯାଇ  ପାରୁଛି  ତା’ର  ଅନେକ  ନଜିର  ରହିଛି   । ତେଣୁ  ରାତି  ଅଧରେ  ଏ ବିପଦ  ଯଦି  ହଠାତ୍  ଦେଖାଦିଏ  ତାହାହେଲେ  ନିମ୍ନଲିଖିତ  କେତୋଟି  ଔଷଧର  ଲକ୍ଷଣାନୁସାରେ  ପ୍ରୟୋଗ  କଲେ  ସାମ୍ଭାବ୍ୟ  ବିପଦକୁ  ଅନେକ  କ୍ଷେତ୍ରରେ  ଏଡାଇ  ଦିଆଯାଇ  ପାରିବ   ।

ଆମେ  ଦେଖିଛେ  ଗର୍ଭବତୀ  ବୋହୂଟି  ରାତିରେ  ପରିସ୍ରା  ବା  ଝାଡା  ଯାଇଛି,  ହଠାତ୍  ଚମକିପଡି   ପେଟରେ  ଯନ୍ତ୍ରଣା  ଅନୁଭବ  କରେ  ଓ  ତାହା  ପରେ  ପରେ  ରକ୍ତସ୍ରାବ   ସହ  ଗର୍ଭସ୍ଥ  ଭ୍ରୁଣ   ଉପରେ  ବିପଦ  । କ’ଣ  ଏକୋନାଇଟ- ୨୦୦  କେତେପାନ  ଦେଲେ  ଅସୁବିଧା  ଅଛି  ? ଦେଖିବେ,  ପ୍ରତି  ଘଣ୍ଟାରେ  ଏକପାନ  କରି  ଦେବା  ପରେ ୨/୩ ଘଣ୍ଟାରେ  ସବୁ  ଠିକ୍  । ଅନେକ  ସମୟରରେ  ରାତିରେ  ଉଠି  ଯାଉ  ଯାଉ  ଝୁଣ୍ଟି  ପଡିଲେ  ବା  ଛୋଟ  ପୁଅଟି  ଖୁବ୍  ଶକ୍ତିକରି   ପେଟକୁ   ଗୋଇଠାଟା  ପକାଇଲା  ବା  ମଦ୍ୟପ  ସ୍ଵାମୀ  ନିଶା  ଖାଇ   ବେଶ୍  ବାଡିଆବାଡି  କଲେ  ବା  ଅତ୍ୟନ୍ତ  ଆସକ୍ତ  ସ୍ଵାମୀ  କାମବାସନା  ଚରିତାର୍ଥ  କଲେ  ସ୍ଥାନ, କାଳ  ଓ  ପାତ୍ରର  ବିଚାର  ନ  କରି  ଓ  ପରେ  ପରେ  ଆରମ୍ଭ  ହୋଇଗଲା  ବିପଦର  ଆଶଙ୍କା   । କାଳବିଳମ୍ବ  ନ କରି  ଆର୍ଣ୍ଣିକା – ୬ ପ୍ରତି  ଅଧଘଣ୍ଟା  ବା  ପନ୍ଦର  ମିନିଟ୍ ରେ  ଦିଅନ୍ତୁ  ୪-୬ ଟା  ପାନ,  ସବୁ  ମଙ୍ଗଳ  ହୋଇଯିବ   ।

ଯେ  କୌଣସି  କାରଣରୁ  ଗର୍ଭପାତର  ସମ୍ଭାବନା  ଥିଲେ  ଯଦି  ଗର୍ଭିଣୀର  ମନେ  ହୁଏ  ତଳପେଟର  ସମସ୍ତ  ଯନ୍ତ୍ରାଂଶ   ଠେଲି  ପେଲି  ବାହାରି  ଆସୁଛି ଓ  ତତ୍  ସହିତ  ଖୁବ୍  ଗରମ  ସ୍ରାବ  ଦେଖାଦିଏ  ଓ  ବେଦନା  ବାରମ୍ବାର  ହଠାତ୍  ଆସି  ହଠାତ୍  ବନ୍ଦ  ହୋଇ   ଯାଉଥାଏ  ତାହାହେଲେ   ବେଲାଡୋନା – ୬ ମୁହୁର୍ମୁହୁ   ଦିଅନ୍ତୁ  । ଯଦି  ଅଣ୍ଟା  ଓ  ପିଠିରେ  ଅତ୍ୟନ୍ତ  ଯନ୍ତ୍ରଣା  ଥାଏ ଓ  ମଝି  ପେଟରୁ  ବ୍ୟଥା  ବାମ  ସ୍ତନଆଡକୁ  ମାରି  ଦେଉଥାଏ   ତାହାହେଲେ  କାଲୋଫାଇଲାମ – ୬ ଲାଗି  ଲାଗି  ପ୍ରତି  ପନ୍ଦରରୁ  ତିରିଶ  ମିନିଟ   ବ୍ୟବଧାନରେ  ହିତ  ପରିବର୍ତ୍ତନ  ପର୍ଯ୍ୟନ୍ତ  ଦିଅନ୍ତୁ   । ଯଦି  ମନେହୁଏ  ବେଦନା  ଅଣ୍ଟାରୁ  ବାହାରି  ତଳିପେଟ  ଭିତରକୁ  ଯାଉଛି  ଓ  ଜଙ୍ଘ  ଫାଟି  ଫାଟି  ପଡୁଛି, ଗାଢ  ରଙ୍ଗର  ପ୍ରଚୁର  ଜମାଟବନ୍ଧା  ରକ୍ତସ୍ରାବ  ହେବାକୁ  ଆରମ୍ଭ  କରିଛି  ତାହାହେଲେ  ସାବାଇନା – ୩୦ ଦେବେ   । ଏହାଛଡା  ପ୍ରତି  ବେଦନା  ସହିତ  କମ୍ପଭାବ  ଅଥଚ  ଝରକା  କବାଟ  ବନ୍ଦ  ରଖିଲେ  ଶ୍ଵାସରୁଦ୍ଧ  ଭଳି  ଲାଗୁଥିବ  ତାହାହେଲେ  ପଲସେଟିଲା – ୩୦   । ବାନ୍ତି  ବାନ୍ତି  ଭାବ  ଥିଲେ  ଇପିକାକ – ୨୦୦ ଓ ଏଭଳି  ଦୂରାବସ୍ଥା  ପ୍ରାୟ  ଅଭ୍ୟାସମତେ  ପ୍ରତ୍ୟକ  ଗର୍ଭାବସ୍ଥାରେ  ଘଟୁଥିଲେ  ଭାଇବୁରନମ  ଓପୁଲସ – ୬ ଦେଇ  ଦେଖିବେ   । ଠିକ୍  ସମୟରେ   ଭାଇବୁରନମ ଯେ  କିଭଳି  କାମ  କରେ  ତାହା  କେବଳ  ଅଭିଜ୍ଞ  ସ୍ଵାମୀ  ହିଁ  କହବେ  । (ଅଭ୍ୟାସଗତ  ଗର୍ଭପାତ) ରେ  ଏହା  ଅମୃତ  ତୁଲ୍ୟ  । ଅବଶ୍ୟ  ଏ  ଧରଣର   ରୋଗୀର  ଜରାୟୁର  ସ୍ଵାଭାବିକ  ଅଭିବୃଦ୍ଧି  ଘଟିଥିବ  ଏବଂ  ଚାରିତ୍ରିକ  ଓ  ଧାତୁଗତ   ଲକ୍ଷଣସବୁ  ଅନ୍ୟ  କୌଣସି  ଔଷଧର  ସୂଚନା  ଦେଉ  ନ ଥିବ  ।

ପ୍ରସବ  ବେଦନା

ଭଗବାନଙ୍କ  ଅପାର  କରୁଣାରୁ  ଗର୍ଭିଣୀର  ପୂର୍ଣ୍ଣଗର୍ଭକାଳ  ଉପସ୍ଥିତ  ହେବା  ମାତ୍ରେ  ସ୍ଵାଭାବିକ  ନିୟମାନୁସାରେ  ପ୍ରସବବେଦନା  ଉପସ୍ଥିତ  ହୁଏ   । ପ୍ରସବବେଦନା  ହେବନାହିଁ   ଏପରି  କଥାନୁହେଁ, କାରଣ  ପୂର୍ଣ୍ଣଗର୍ଭାବସ୍ଥା  ହେବା  ସଙ୍ଗେ  ସଙ୍ଗେ  ଜରାୟୁ  ଯଦି  ସଙ୍କୁଚିତ  ନ ହୁଏ  ଗର୍ଭସ୍ଥ  ସନ୍ତାନ  ଭୂମିଷ୍ଠ  ହେବବା  କିପରି   । ଜରାୟୁର  ସଂକୋଚନ  ହିଁ  ବେଦନାର  କାରଣ  । ଏ  ବେଦନା  ଗର୍ଭବତୀ  ମହିଳା  ଯେତେ  କମ୍  ସମୟ  ଭୋଗ  କରିବେ  ଓ  ବିନା  କୌଣସି  ଯାନ୍ତ୍ରିକ  ହସ୍ତକ୍ଷେପରେ  ପ୍ରସବ  କରିବେ  ସେଇଟା  ହିଁ  ସୁଖ  ପ୍ରସବ  କୁହାଯାଏ  । ସୁଖ  ପ୍ରସବର   ଅର୍ଥ  ନୁହେଁ  ଯେ  କଷ୍ଟ  ଆଦୌ  ହେବ  ନାହିଁ   । ଜରାୟୁର  ସଂକୋଚନ  ଶକ୍ତିକୁ   ସବଳ  କରି  ଗର୍ଭସ୍ଥ   ଶିଶୁକୁ  ସ୍ଵାଭାବିକ  ରଖି  ସୁରୁଖୁରୁରେ  ପ୍ରସବ  ଦ୍ଵାର  ବାଟେ   ସ୍ଵାଭାବିକ   ସାହାଯ୍ୟ  ଦାନକରି  ସ୍ୱଳ୍ପ   ସମୟ  ମଧ୍ୟରେ  ପ୍ରସବ   କରାଇବା  ହିଁ  ସୁଖ  ପ୍ରସବ   ।

ହୋମିଓପାଥିରେ  ଏହି  ସୁଖ  ପ୍ରସବ  ପାଇଁ  ବହୁ  ପ୍ରଚାରିତ  ବ୍ୟବସ୍ଥା  ରହିଛି, ଏହା  ସମସ୍ତେ  ଜାଣନ୍ତି  । ଜଣେ  ସୁସ୍ଥ  ଗର୍ଭବତୀ   ନାରୀଙ୍କର  ଏହି  ସ୍ୱଳ୍ପକଷ୍ଟର  ପ୍ରାକୃତିକ  ପ୍ରସବ  ପାଇଁ  ହୋମିଓପାଥିର  ଡାକ୍ତରମାନେ  କେତୋଟି  ଧରା  ବନ୍ଧା  ଔଷଧ, ପ୍ରସବର  ପ୍ରତ୍ୟାଶିତ   ଦିନର  ୩ ସପ୍ତାହ  ପୂର୍ବରୁ  ବ୍ୟବହାର  ପାଇଁ  ଉପଦେଶ  ଦେଇଥାନ୍ତି   । ପ୍ରସବର  ଏହି   ପ୍ରତ୍ୟାଶିତ  ଦିନତି  ହିସାବ  କରିବା  ପାଇଁ  ଏକ  ସୂତ୍ର  ରହିଛି,  ଏବଂ  ତାହା  ହେଉଛି  ଶେଷ  ମାସିକ  ଋତୁ  ସ୍ରାବ ତାରିଖରେ  ୯ ମାସ ୭ ଦିନ  ଯୋଗ  କରିଦେବା   । ଉଦାହରଣ  ସ୍ୱରୂପ, ଜଣେ  ସ୍ତ୍ରୀଲୋକଙ୍କର  ଶେଷ  ଋତୁସ୍ରାବର  ତାରିଖ  ଥିଲା  ୩୦.୬.୧୯୯୭  । ଏଥିରେ  ୯ ମାସ  ୭ ଦିନ  ଯୋଗକଲେ  ପ୍ରତ୍ୟାଶିତ  ପ୍ରସବ  ଦିନତି  ୧୯୯୮ ମାର୍ଚ୍ଚମାସ  ୭ ତାରିଖରେ  । ତେଣୁ  କରି  ୧୯୯୮  ମସିହା  ଫେବୃୟାରୀ ମାସ  ପ୍ରଥମରୁ  ହିଁ  ସୁଖ   ପ୍ରସବର  ଔଷଧ  ସେବନ  କରାଯାଇପାରେ   । ସେଥିପାଇଁ  ୩/୪ ଟି  ଔଷଧ  ବ୍ୟବହାର   କରାଯାଏ  । କେହି କେହି  ସିମିସିଫୁଗା, କଲୋଫାଇଲମ  କେଲିଫସ  ଓ  ପଲସେଟିଲା, ଦେଲାବେଳେ   କେହି  କେହି  କେଲିଫସକୁ  ବାଦ  ଦେଇ  ବାକି  ତିନୋଟି  ଔଷଧ  ବ୍ୟବହାର  କରନ୍ତି  । ଯେଉଁମାନେ  କେଲିଫସ  ବ୍ୟବହାର  କରନ୍ତି  ସେମାନେ  ଏହାକୁ  ବାଇଓକେମିକର  6X ଶକ୍ତି  ବଟିକା  ବା  ବିଚୂର୍ଣ୍ଣ  ବ୍ୟବହାର   କରିଥାନ୍ତି   ।

ଏହି  ଔଷଧ  ଗୁଡିକର  ବ୍ୟବହାର  ପ୍ରଣାଳୀ  ହେଉଛି, ଶେଷ  ତିନିସପ୍ତାହର  ପ୍ରଥମ  ସପ୍ତାହରେ  ସିମିସିଫୁଗା  ୩୦ ଶକ୍ତିକୁ  ଦିନରେ  ଦୁଇଥର, ସକାଳ  ଓ  ସନ୍ଧ୍ୟାରେ  ଖାଲି  ପେଟରେ  ଖାଇବେ, ଦ୍ଵିତୀୟ  ସପ୍ତାହରେ  କଲୋଫାଇଲମ ୩୦ ସେହିଭଳି   ଦିନକୁ  ୨ ଥର  ଏବଂ  ତୃତୀୟ  ସପ୍ତାହରେ  ଯଦି  କେଲିଫସ  6X  ବ୍ୟବହାର  କରନ୍ତି  ତାହା  ହେଲେ  ୪ ଟି  ବଟିକା  ଦିନକୁ  ୩ ଥର  କରି  ଚୋବାଇ  ଗରମ  ପାଣି  ପିଇବେ   । ଏହି  ଔଷଧକୁ  ଗର୍ଭବେଦନା  ଆସିବା  ପର୍ଯ୍ୟନ୍ତ  ଚାଲୁ  ରଖିବାକୁ  ହେବ   । ଯେଉଁମାନେ  ଏହାକୁ  ବ୍ୟବହାର  ନ କରନ୍ତି, ସେମାନେ  ପଲସେଟିଲା – ୩୦ ଦିନକୁ  ଦୁଇଥର କରି  ପ୍ରସବ  ବେଦନା  ଆସିବା  ପର୍ଯ୍ୟନ୍ତ  ଖାଇବାକୁ  ପରାମର୍ଶ  ଦେଇଥାନ୍ତି  । ପ୍ରସବ  ବେଦନା  ଆରମ୍ଭ  ହେଲେ,  ପ୍ରତି  ପର୍ଯ୍ୟାୟରେ   ବେଦନା  ଶେଷରେ  ପଲସେଟିଲା – ୨୦୦, ବେଦନା  ଘନଘନ   ହେବା  ପର୍ଯ୍ୟନ୍ତ  ଚାଲୁ  ରଖନ୍ତି  ।

ଏଭଳି  ବ୍ୟବସ୍ଥାରେ  ସାଭାବିକ  ପ୍ରସବ  ହେବାର  ନଜିର  ରହିଛି   । ଅବଶ୍ୟ  ଯେଉଁ  ଗର୍ଭବତୀ  ମହିଳାମାନେ   ପ୍ରାୟତଃ   ଶାରୀରିକ  ପରିଶ୍ରମ  କରୁଥାନ୍ତି,  ସେମାନଙ୍କ  କ୍ଷେତ୍ରରେ  ଏହି  ସୂତ୍ର  ଶତକଡା  ଶହେ  କାମରେ   ଲାଗେ  ବୋଲି  କହିବା  ଅତିଶୟୋକ୍ତି   ହେବନାହିଁ   କହିଲେ  ଭୁଲ  ହେବନାହିଁ   । ପ୍ରସବକାଳୀନ  ଯେତେ  ସବୁ  ଅସୁବିଧା  ଶାରୀରିକ  ପରିଶ୍ରମ  କାତର  ମଠୋଇ ମାନଙ୍କ   କ୍ଷେତ୍ରରେ   ଦେଖାଯାଇଥାଏ   । ହେଲେ  ମଧ୍ୟ,  ପ୍ରସବକାଳୀନ  ଲକ୍ଷଣମାନଙ୍କ  ସାହାଯ୍ୟରେ  ସଠିକ୍  ହୋମିଓପାଥି  ଔଷଧ  ନିରୂପଣ   କରି  ପୂର୍ବକଥିତ   ମତେ  ପ୍ରସବ  ବେଦନାରେ  ପର୍ଯ୍ୟାୟକୁ   ଆଖି  ଆଗରେ   ରଖି  ଔଷଧର  ପୁନଃ  ପୁନଃ  ପ୍ରୟୋଗ  ଦ୍ଵାରା  ଅନାୟାସରେ  ବହୁ  ଜଟିଳତାରୁ  ଉଦ୍ଧାର  ମିଳିଥାଏ  । ସେ  ସବୁ  ଔଷଧ  ମାନଙ୍କରୁ   ପ୍ରଥମେ  ଉପଯୁକ୍ତ  ଔଷଧମାନଙ୍କର  ବିଚାର  କରାଯାଉ  ଯାହାକି  ଏ  କ୍ଷେତ୍ରରେ  ସବୁଠାରୁ  ଅଗ୍ରଗଣ୍ୟ  ।

ସିମିସିଫୁଗା : ଏହାର  କ୍ରିୟା  ଗର୍ଭାଶୟର  ତନ୍ତୁମାନଙ୍କ  ଉପରେ  ଏ  ପରି  ଯେ  ଏହାକୁ  ପ୍ରସବ  ପୂର୍ବରୁ  ଦେଲେ  ପ୍ରସବଯନ୍ତ୍ରଣା  ସମୟରେ  ଜରାୟୁର  ପେଶୀ  ସକଳର  ସଂକୋଚନ  ହେତୁ  ଶୀଘ୍ର  ଅବସ  ହୋଇ  ପଡେ  ନାହିଁ  ଓ  ଜରାୟୁର  ଶୀର୍ଷରୁ  ସଂକୋଚନକୁ  ତାହାର  ଗ୍ରୀବା  ପର୍ଯ୍ୟନ୍ତ  ସମତୁଲ  ଭାବରେ  ଗତିଶୀଳ  କରାଇଥାଏ   । ଏହି  ଔଷଧ  ବିଶେଷ ଭାବରେ   ବାତପୀଡା   ଭୋଗୁଥିବା  ସ୍ତ୍ରୀ  ଲୋକମାନଙ୍କ  ପକ୍ଷରେ  ଅତ୍ୟନ୍ତ  ଆବଶ୍ୟକ   । ପ୍ରସବକାଳରେ  ଯନ୍ତ୍ରଣା   ଯଦି  ଦୁର୍ବଳ  ଥିବ ଓ  ସମତୁଲ ଭାବରେ  ଉପରୁ  ତଳକୁ  ଯାଉନଥିବ  ତାହାହେଲେ   ଏହା  ବିଶେଷ  ଉପକାରୀ  । ବିଶେଷ  କରି  ଯନ୍ତ୍ରଣା   ଆଡବାଗରେ   ଅଣ୍ଟାର  ଗୋଟିଏ  ପଟରୁ   ଆର  ପଟକୁ  ଯାଉଥିଲେ   ବା  ଯନ୍ତ୍ରଣା   ସମୟରେ   ବାମପଟ  ସ୍ତନ  ତଳକୁ  କଷ୍ଟ  ଲାଗୁଥିଲେ   ଏହି  ଔଷଧର  ୨୦୦ ଶକ୍ତି  ପ୍ରତି  ପନ୍ଦର  ମିନିଟ ରେ  ପ୍ରୟୋଗ  କଲେ  ସ୍ଵାଭାବିକ  ଗର୍ଭ  ଯନ୍ତ୍ରଣା  ହୋଇ  ସୁବିଧାରେ  ପ୍ରସବ  ହୋଇଥାଏ   ।

କାଲୋଫାଇଲାମ : ପ୍ରସବର  କିଛିଦିନ  ପୂର୍ବରୁ  ଏହାକୁ  ପ୍ରୟୋଗ  କଲେ  ଜରାୟୁଗ୍ରୀବାର  କଠିନତାକୁ  ଏହା  ନରମ  ରଖି  ପ୍ରସବକୁ  ସୁଗମ  କରାଇଥାଏ   । ପ୍ରସବ  ସମୟରେ  ଯଦି  ଗ୍ରୀବାର  ମୁଖ  ଖୁବ୍  ଶକ୍ତ ରହେ  ଓ  ଗର୍ଭଯନ୍ତ୍ରଣା  ଯଥେଷ୍ଟ  ଥିଲେ  ମଧ୍ୟ  ଏହା  ଖୋଲେ  ନାହିଁ, ଯନ୍ତ୍ରଣାଟି  ଜରାୟୁ  ଗ୍ରୀବା  ପର୍ଯ୍ୟନ୍ତ  ଆସି  ଏଣେ  ତେଣେ  ଚାଲିଗଲା  ପରି  ବା  ପ୍ରସାରିତ  ହେଲା  ଭଳି  ଅନୁଭୂତ  ହେଉଥାଏ   । ତାହାହେଲେ  ପ୍ରତି  ଯନ୍ତ୍ରଣା  ପରେ  ପରେ  ଏହି  ଔଷଧକୁ  ଦେଲେ  ଜରାୟୁଗ୍ରୀବା  ଓ  ମୁଖ  ନରମ  ହୋଇ  ଯନ୍ତ୍ରଣା  ସ୍ଵାଭାବିକ  ହୋଇଥାଏ  ଓ  ପ୍ରସବ  ସୁଗମ  ହୁଏ   ।

କେଲିଫସ : ଏହାର  ବ୍ୟବହାର  ସ୍ନାୟବିକ  ଦୁର୍ବଳତାକୁ  ଦୂର  କରିଥାଏ   । ତେଣୁ  ଦୁର୍ବଳ  ଗର୍ଭଯନ୍ତ୍ରଣାକୁ   ସବଳ  କରିବାରେ  ଏହାର  ପ୍ରୟୋଗ  ଉତ୍ତମ  କାର୍ଯ୍ୟ  କରେ  ।

ପଲସେଟିଲା : ଏହାର  ପ୍ରସବକାଳୀନ   ଔଷଧ  ଭବରେ  ପ୍ରସିଦ୍ଧ   । ସମସ୍ତଙ୍କର  ଧାରଣା  ପ୍ରସବର  କିଛି  କାଳପୂର୍ବରୁ  ଏହା  ପ୍ରୟୋଗ  କରୁଥିଲେ  ଗର୍ଭସ୍ଥ  ଶିଶୁର  ଅସ୍ଵାଭାବିକ  ଅବସ୍ଥାନ  ମଧ୍ୟ  ସ୍ଵାଭାବିକ  ହୋଇଥାଏ  ଓ  ପ୍ରସବ  ଯନ୍ତ୍ରଣା  ସମୟରେ  ଏହାକୁ  ପ୍ରୟୋଗ  କଲେ  ଅବିଳମ୍ବେ  ପ୍ରସବ  କାର୍ଯ୍ୟ  ସମ୍ପାଦନ  ହୋଇଥାଏ   । ଏହା  ବହୁଳାଂଶରେ  ସତ୍ୟ  । ଏହି  ଔଷଧକୁ  ସିମିସିଫୁଗା  ଓ  କଲୋଫାଇଲମ  ସହିତ  ପୂର୍ବ  କଥିତ  ମତେ  ପ୍ରସବର  ପ୍ରତ୍ୟାଶିତ  ଦିନ  ପୂର୍ବରୁ  ସେବନ  କରାଇଲେ, ପ୍ରସବକାଳୀନ  ସଂକଟକୁ  ଯେ  ଏଡାଇ  ଦେଇ  ହେବ  ଏ କଥା  ବହୁ  ପରୀକ୍ଷିତ  । ପ୍ରସବକାଳୀନ  ଯନ୍ତ୍ରଣାରେ   କିନ୍ତୁ   ପଲସେଟିଲାର  ନିର୍ଦ୍ଧିଷ୍ଟ  ଲକ୍ଷଣ  ରହିଛି   । ପ୍ରସବିନୀ, ପ୍ରସବଗୃହ  ଭିତରେ  ପଶୁପଶୁ  ପ୍ରଥମେ   ଅଣନିଶ୍ଵାସୀ  ହୋଇ  ପଡିଲାଭଳି ଅନୁଭବ  କରେ  ଓ  ଝରକା  ଆଦି  ଖୋଲିଦେବାକୁ   କହେ  । ଯନ୍ତ୍ରଣାର  ପ୍ରତି  ପର୍ଯ୍ୟାୟରେ  ଖୁବ୍  ଶୀତ  ଅନୁଭବ   କରେ  । ଯନ୍ତ୍ରଣା  ଯେତେ  ବଢିବ  ସେ ସେତେ  କମ୍ପିଲାଭଳି  ଅନୁଭବ  କରିବ  । ଯନ୍ତ୍ରଣାରେ  ଓଠ ପାଟିଜିଭ  ଶୁଖିଯାଉଥିଲେ    ମଧ୍ୟ  ପିଇବାପାଇଁ  ଆଦୌ  ଚାହୁଁ  ନ ଥିବ  । ଅନେକ  ସମୟରେ  ଯନ୍ତ୍ରଣା  ଆରମ୍ଭ  ହେବାର  ସ୍ଥାନ  ବିକ୍ଷିପ୍ତ  ଭାବରେ  ପେଟର  ଏଠି ସେଠି  ଅନୁଭବ  କରେ । ପଲସେଟିଲା  ଦେବାପରେ  ସବୁ  ସ୍ଵାଭାବିକ  ହୋଇ  ଖୁବ୍ ଶୀଘ୍ର  ପ୍ରସବ  ହୋଇଯାଇଥାଏ   ।

ଯଦି  ଅତ୍ୟନ୍ତ  ଭୟାତୁରା  ପ୍ରସବିନୀ, ଗର୍ଭଯନ୍ତ୍ରଣା  ଆଦୌ  ସାହି  ପାରିବେନି  କହି  ଅତିବ୍ୟସ୍ତ  ହୋଇ  କେବଳ  ମୃତ୍ୟୁର   ଆଙ୍କା  ପ୍ରକାଶ  କରୁଥିବେ  ଓ  ଘନଘନ  ପାଣି  ପିଇବାକୁ   ଚାହୁଁଥିବେ   ତାହାହେଲେ  ଅଙ୍ଗେ  ଅଙ୍ଗେ   ଏକୋନାଇଟନାପ୍ – ୨୦୦ ଶକ୍ତିର   ପ୍ରତି  ପନ୍ଦର  ମିନିଟ  ବ୍ୟବଧାନରେ  ଦେଲେ,  ସେ  ଜଣେ  ସ୍ଵାଭାବିକ  ପ୍ରସବିନୀ  ହୋଇ  ମୁହଁରେ  ହସ   ଫୁଟାଇବେ   ।

କେତେବେଳେ  କେତେବେଳେ , ଗର୍ଭଯନ୍ତ୍ରଣା  କିଛି  ନ ଥିବ  ହଠାତ୍  ଖୁବ୍  ବେଗରେ  ଆସି  ହଠାତ୍  ବନ୍ଦ  ହୋଇଯାଏ  ବା  ସଂପୂର୍ଣ୍ଣ  ଭବାରେ  ଜରାୟୁର  ଉପରୁ  ତଳକୁ  ନ  ଆସି  ମଝିରେ  ରହିଯାଏ  ଓ  ଜରାୟୁ  ମୁଖଟି  ଖୁବ୍  ଶକ୍ତଥାଏ ; ପ୍ରତି  ଯନ୍ତ୍ରଣା  ସହିତ  ମୁଣ୍ଡଟା  ଗରମ  ହୋଇଯାଇ  ଧକ୍ ଧକ୍   କରେ ; ସତେ  ଯେପରି  ସବୁ  ଯାକ  ରକ୍ତ  ମୁଣ୍ଡକୁ  ଚଢିଯାଉଛି, ତାହାହେଲେ  ବେଲାଡୋନା – ୨୦୦ ପ୍ରତି ଯନ୍ତ୍ରଣା  ପର୍ଯ୍ୟାୟର  ପରେ   ପରେ  ଦିଅନ୍ତୁ   ।

ଯନ୍ତ୍ରଣା  ଖୁବ୍  ଶିଥିଳ ; ତା ସଙ୍ଗେ  ସଙ୍ଗେ  ପ୍ରସବିନୀ  ଏତେ  ବେଶି  ଅବସ  ଯେ, ଯନ୍ତ୍ରଣାର  ବେଗ  ଯିବା  ପରେ  ପରେ  ସେ  ଶୋଇପଡେ ; ଆଖି  ଖୋଲିବା  ସମ୍ଭବ  ହୁଏ   ନାହିଁ , ଶୋଷ  ଆଦୌ  ନ  ଥାଏ , ଅବସନ୍ନତା  ଏତେ  ବେଶି  ଯେ  ଦେହହାତ  ଥରେ, ଜିଭ  ବାହାର  କରିପାରିବେନି, ଏବଂ  ପ୍ରତି  ବେଦନା  ପରେ  ପରେ  ପରିସ୍ରା  ଯିବାକୁ  ଚାହେଁ, ତାହା  ହେଲେ  ଜେଲସେମିୟମ  ।  ଏହାର  ପ୍ରୟୋଗ  ପରେ  ଜରାୟୁର  ମୁଖ  ନରମ  ହୋଇ, ଗର୍ଭଯନ୍ତ୍ରଣା  ସବଳ  ହୋଇ  ଥାଏ   । ଅନେକ  ଏଭଳି  କ୍ଷେତ୍ରରେ  କେଲିଫସ 6X  ବଟିକା  ମଧ୍ୟ  ପ୍ରୟୋଗ  କରିଥା’ନ୍ତି  । ହେଲେ  ଉପର  ଲକ୍ଷଣ  ଗୁଡିକ  ଜେଲସେମିୟାମର   ନିର୍ଣ୍ଣାୟକ   । ଅତି  ସ୍ପର୍ଶକାତର  ରୋଗୀ  ଯନ୍ତ୍ରଣା  ବଢିବା  ସହିତ  ବାରମ୍ବାର  ପ୍ରସ୍ରାବ  ଯିବାକୁ  ଇଚ୍ଛା  କରୁଥିଲେ  ହିପରସଲଫ  ଦେବା  ଉଚିତ୍  ।

ଅନେକ  କ୍ଷେତ୍ରରେ  ଦେଖିବେ, ପ୍ରତିଗର୍ଭ  ଯନ୍ତ୍ରଣା  ସହିତ  ପ୍ରସବିନୀର  ମେଜାଜ  ଏତେ  ତେଢା  ହୋଇ  ଯାଏ  ଯେ,  ସେ  ଧାଈଠାରୁ  ଡାକ୍ତରଙ୍କ  ପର୍ଯ୍ୟନ୍ତ   କାହାକୁ  ଯେ  ଗାଳିଗୁଲଜ  ନ  କରେ, ଏ କଥା  କହି  ହେବନି  । ତା’ର  ପ୍ରସବ  କାର୍ଯ୍ୟ  ତ୍ୱରାନ୍ୱିତ  ନକରାଇବାରେ  ସମସ୍ତେ  ଯେପରି  ଦାୟୀ  । ଗର୍ଭଯନ୍ତ୍ରଣା  ତାକୁ  ଏତେ  ଅସହ୍ୟ  ଯେ, ସେ   ତାକୁ  ଧରି  ରଖିପାରେନା  ଓ  ମନେକରେ   ଯନ୍ତ୍ରଣାର  ସ୍ଵାଭାବିକତା  ଉପରୁ  ତଳକୁ  ନ ଯାଇ  ଯେପରି  ଉପରକୁ  ଉଠୁଛି  ।  ଏଭଳି  କ୍ଷେତ୍ରରେ  କ୍ୟାମୋମିଲା  ୨୦୦ ହିଁ  ଅବସ୍ଥା  ସମ୍ଭାଳିବାରେ  ସକ୍ଷମ   । ପ୍ରତି  ଯନ୍ତ୍ରଣା  ସମୟରେ  ପାଦଗୁଡିକ   ହେମାଲ  ହୋଇ  ଶରୀରର   ଉପରଅଂଶ  ଗରମ  ବୋଧ  କରୁଥିଲେ  ଓ  ସାରା   ଶରୀର  ବଥା  ରହିଥିଲେ  ଆର୍ଣ୍ଣିକା – ୨୦୦ ଅତ୍ୟନ୍ତ  ଉପକାରୀ  । ଏହି  ଔଷଧଟି  ପ୍ରସବ  ପରେ  ଦିନକୁ  ୩ – ୪ ଥର  କରି  ୨-୩ ଦିନ  ଦେଲେ  ପ୍ରସବ  ପରର   ନାନା  ଅସୁବିଧା  ଦୂର  ହୋଇଥାଏ  । ପ୍ରସବାନ୍ତିକ  ଶରୀର  ପୀଡା  ଏହା   କମାଇବା  ସଙ୍ଗେ  ସଙ୍ଗେ, ଜରାୟୁର  ଅତ୍ୟଧିକ  ସଂକୋଚନକୁ   ନିୟନ୍ତ୍ରିତ    କରି  ତାକୁ  ସ୍ଵାଭାବିକ  ଅବସ୍ଥାକୁ  ଆଣିଥାଏ   । ପ୍ରସବାନ୍ତିକ  ରକ୍ତସ୍ରାବକୁ  ନିୟନ୍ତ୍ରଣ  କରିବାରେ  ଏହାଠାରୁ  ବଳି  ଉତ୍କୃଷ୍ଟ  ଔଷଧ  ଆଉ ନାହିଁ   । ତେଣୁ  ପ୍ରସବର  ପରେ  ପରେ  ଏହି  ଔଷଧ  ଦେବାକୁ  ଯେପରି  କେହି  ନ ଭୁଲନ୍ତି   ।

ପ୍ରସବାନ୍ତିକ  ରକ୍ତସ୍ରାବ  ବିଶୃଙ୍ଖଳା

ପ୍ରସବ  ପରେ  ଅନ୍ତତଃ  ପକ୍ଷେ  ତିନି  ସପ୍ତାହ  ପର୍ଯ୍ୟନ୍ତ  ପ୍ରସବିନୀର  ଜରାୟୁରୁ  କିଛି  ସ୍ରାବ  ହୁଏ   । ତାହା  ପ୍ରଥମ  ସପ୍ତାହରେ  ଗାଢ  ରକ୍ତ, ଦ୍ଵିତୀୟ  ସପ୍ତାହରେ  ଫଟାରକ୍ତ  ଭଳି  ଓ  ତୃତୀୟ  ସପ୍ତାହରେ  ସାମାନ୍ୟ  ଚୂନ  ପାଣିଭଳି  ସ୍ରାବ  ହୋଇ  ପରିଶେଷରେ  ବନ୍ଦ  ହୋଇଯାଏ  । ଏହି ସ୍ରାବ  ସ୍ଵାଭାବିକ  ହୋଇଥିଲେ  ମଧ୍ୟ  ଏନ୍ତୁଡିଶାଳର  ସ୍ୱାସ୍ଥ୍ୟରକ୍ଷା  ବିଧିବଦ୍ଧ   ପାଳନ  ନ କଲେ  ଏହି  ସ୍ରାବରେ  ପରିବର୍ତ୍ତନ  ହୋଇ, ଏହାର  ପରିମାଣରେ  ଏପଟ  ସେପଟ  ହୋଇ  ନାନା  ପ୍ରକାରର  ଜଟିଳତା  ସୃଷ୍ଟି  ହୋଇଥାଏ   । ଏହି  ସ୍ରାବ  ଅଧିକ  ହେବା  ଯେତିକି  ସଂକଟ  ଜନକ  ହଠାତ୍  କମିଯିବା   ମଧ୍ୟ  ସେତିକି  ଅସୁବିଧାର କାରଣ  ହୋଇଥାଏ   । ଏହି  ପ୍ରସବାନ୍ତିକ   ସ୍ରାବକୁ  ନିୟନ୍ତ୍ରଣରେ  ରଖିବାପାଇଁ  ପ୍ରସବ  ପରେ  ପରେ  ଆର୍ଣ୍ଣିକା – ୨୦୦ ଦିନକୁ ୩-୪ ଥର  କରି  ୪-୫ ଦିନ  ଦେବା  ସର୍ବାଦୌ  ଉଚିତ   । ଯଦି  ଏହି  ସ୍ରାବରେ  କିଛି  ଅସ୍ଵାଭାବିକତା  ଦେଖାଯାଏ  ତାହାହେଲେ  ଲକ୍ଷଣ  ଭେଦରେ   ନିମ୍ନଲିଖିତ   ଔଷଧ  ବ୍ୟବହାର କଲେ  ବଡବଡ  ଜଟିଳତାରୁ  ରକ୍ଷା  ମିଳିଥାଏ   । ଅଳସ  ପରାୟଣା, ପରିଶ୍ରମ  କାତରା  ସ୍ତ୍ରୀଲୋକ   ମାନଙ୍କଠାରେ  ଏହି  ସ୍ରାବ  କେବଳ  ଅଧିକ  ହୁଏ  ନାହିଁ   ଦୀର୍ଘଦିନ  ଧରି  ମଧ୍ୟ  ହୋଇଥାଏ   । ସେମାନଙ୍କ  କ୍ଷେତ୍ରରେ  ବେଲାଡୋନା, କାଲକେରିଆକାର୍ବ  ଦୁହେଁ  ଖୁବ୍  କାର୍ଯ୍ୟକାରୀ, ଏବଂ  ଏ  ଦୁଇ  ଔଷଧ   ପରିପୂରକ  ମଧ୍ୟ   । ଦୁର୍ଗନ୍ଧଯୁକ୍ତ  ଗରମ  ସ୍ରାବ  ତୁହାକୁ  ତୁହା   ବହୁପରିମାଣରେ   ହେଉଥିଲେ   ବେଲାଡୋନା  ଲାଗିବ  ଓ  ଏହା  ସାମାନ୍ୟ  କାମ କରି  ମଧ୍ୟ, ତୁହାଇ, ତୁହାଇ  ସ୍ରାବ  ହେଉଥିଲେ  କ୍ୟାଲକାରିଆ  କାର୍ବ  ପରିପୂରକ  ଭାବରେ  କାର୍ଯ୍ୟକରି  ଆରୋଗ୍ୟ   କରିଥାଏ   । କଳାକାରିଆକାର୍ବର  ସ୍ତ୍ରୀ  ଲୋକ  ମାନଙ୍କର  ମାସିକ  ଋତୁର  ଇତିହାସ  କିନ୍ତୁ  ପ୍ରଚୁର  ଓ  ଦୀର୍ଘସ୍ଥାୟୀ  ସ୍ରାବର   ଇତିହାସ   । ଏ ମାନେ  ପ୍ରସବାନ୍ତିକ  ସମୟରେ  ଅଣ୍ଡା  ଖାଇବା  ପାଇଁ   ବହୁତ  ଆଗ୍ରହ  ପ୍ରକାଶ  କରନ୍ତି   । କ୍ଷୀର  ହଜମ  କରିପାରନ୍ତି  ନାହିଁ,  ଖାଇଲେ  ତରଳ  ଝାଡା  ହୁଏ   । ମୁଣ୍ଡରୁ  ଯଥେଷ୍ଟ  ଝାଳ  ବାହାରିବା  ସଙ୍ଗେ  ପାଦ  ଗୁଡିକ  ମଧ୍ୟ  ଝାଳୁଆ  ଓ  ଥଣ୍ଡାରହେ   । ପ୍ରସବିନୀ  ବହୁତ  ହାଲିଆ  ଅନୁଭବ  କରେ  । ପ୍ରଚୁର  ଦୁର୍ଗନ୍ଧ  ଯୁକ୍ତ  ସ୍ରାବରେ  ବ୍ୟାପଟିସିଆ   ମଧ୍ୟ  ଅନ୍ୟ  ଏକ  ଉତ୍ତମ  ଔଷଧ   । ଏଥିରେ  କେବଳ  ଏହି  ସ୍ରାବ  ଦୁର୍ଗନ୍ଧ   ଯୁକ୍ତ  ନୁହେଁ  ଝାଡା  ପରିସ୍ରା  ମଧ୍ୟ  ଖୁବ୍  ଦୁର୍ଗନ୍ଧ  ଯୁକ୍ତ  ଓ  ରୋଗୀର   ଦେହସାରା  ପୀଡା  ରହିବା  ସହିତ  ଅତ୍ୟନ୍ତ  ଦୁର୍ବଳତା  ଅନୁଭବ  କରିବା  ମଧ୍ୟ  ଏଥି  ସହ  ଲକ୍ଷ୍ୟ  କରାଯାଏ   । ଏହାର  ସ୍ରାବ  କେବଳ  ଦୁର୍ଗନ୍ଧଯୁକ୍ତ  ନୁହେଁ  ଏତୟନତା  କ୍ଷୟକାରୀ  ମଧ୍ୟ   । ଜଙ୍ଗସନ୍ଧିରେ  ତାହା  ଲାଗି  ଲାଲ  ପଡି  ଦରଜ  ହୋଇଯାଏ   । ସାମାନ୍ୟ  ହଲଚଲରେ  ଯଥେଷ୍ଟ  ବୃଦ୍ଧି  ପାଇଲେ  ଏରିଜିରନ  ମନ୍ତ୍ରବତ୍  କାର୍ଯ୍ୟକରେ   । ଯଦି  ସ୍ରାବ  ବହୁଦିନ  ଧରିଲାଗି  ରହିଥିବ  ଓ  ପ୍ରାୟ  ଧୀରେଧୀରେ   ନିଗିଡିଲା  ପରି  ସ୍ରାବ  ହେଉଥିବ, ତାହାହେଲେ   କଲୋଫାଇଲାମ  ବିଳମ୍ବ  ନ କରି   ବ୍ୟବହାର  କରିବାର  କଥା   । ଖୁବ୍  ପତଳା  ଦୀର୍ଘସ୍ଥାୟୀ   ସ୍ରାବ  ସହିତ  ଅତ୍ୟନ୍ତ   ଅସ୍ଥିରତା  ରହିଥିବ  ଓ  ମଳଦ୍ଵାରରେ  ଖୁଞ୍ଚିଲା  ଭଳି  ବ୍ୟଥା  କରୁଥିବ, ତାହାହେଲେ  ରସଟକ୍ସ  କଥା  ମଧ୍ୟ  ଚିନ୍ତା  କରିବା  ଉଚିତ   । ରସଟକ୍ସରେ  ଜ୍ଵରଭାବ  ଓ  ଶରୀର  ପୀଡା  ରହିବ ହିଁ  ରହିବ   । ଅତି  ଦୁର୍ଗନ୍ଧଯୁକ୍ତ  ସ୍ରାବ  ସହିତ  ଅତିଶୟ  ଜ୍ଵର ଓ ଶରୀର  ପୀଡାଥାଇ, ରସଟକ୍ସରେ  ତତକ୍ଷଣାତ  ଉପଶମ  ନ ପାଇଲେ  ପାଇରୋଜେନ   ହିଁ  ନିର୍ଦ୍ଧିଷ୍ଟ   । ଖୁବ୍ ପତଳା  କଳା  କଳା  ଦୁର୍ଗନ୍ଧ  ସ୍ରାବ  ହେଉଥିବ, ଦେହ  ଗରମରେ  ବାଇବିଛି  ଭଳି  ଲାଗୁଥିବ  ତାହାହେଲେ   ସିକେଲିକର  ହିଁ  ଉପଶମ  ଆଣିବ  । ପ୍ରଚୁର  ସ୍ରାବ  ସହିତ  ନିଦ୍ରାହୀନତା  ରହିଥିଲେ   କଫିଆ  ପ୍ରୟୋଗ  କରିବେ   । ଯଦି  ହଠାତ୍  ବନ୍ଦ  ହୋଇ, ପେଟ  ବିନ୍ଧା  ଛିଟିକା  କରେ  ତାହାହେଲେ   କଲୋସିନ୍ଥ  ପ୍ରୟୋଗ  କରିବେ   ।  ଏଥିରେ  ଯନ୍ତ୍ରଣା  ସମୟରେ   ରୋଗୀ   ପେଟେଇ  ପେଟତଳେ  ମୁଚୁକା   ଦେଇ  ଶୋଇ  ରହିଥିବେ   । ଭୟ  ପାଇ  ଯଦି  ଏହା  ବନ୍ଦ  ହୋଇଯାଇଥାଏ ଓ  ମାନସିକ  ଅସ୍ଥିରତା  ସହିତ  ଆସନ୍ନ   ମୃତ୍ୟୁଭୟ  ରହିଥାଏ   ତାହାହେଲେ  ଏକୋନାଇଟ   । ମୃତ୍ୟୁଭୟ  ଓ  ଅସ୍ଥିରତା   ନ ଥିଲେ  ଅପିଆମ   ହିଁ  ପ୍ରଯୁଜ୍ୟ   । ସ୍ରାବ  ବନ୍ଦହୋଇଯାଇ    ପେଟରେ   ଯନ୍ତ୍ରଣା  ସହିତ  ମୁଣ୍ଡବ୍ୟଥା  ଓ  ଉଦରାମୟ   ରହି  ଚିଡିଚିଡାଭାବ  ବଢିଯାଇଥିଲେ   କ୍ୟାମୋମିଲା   ବ୍ୟବହାର  କରିବେ   । ଖାଇବା  ଓ  ପିଇବା  ପରେ  ଶାବ  ବଢିଯାଉଥିଲେ   କଲୋସିନ୍ଥ   ବ୍ୟବହାର  କରିବେ   । ରାତିରେ  ବଢୁଥିଲେ  ମର୍କସଲ ; ଖୁବ୍  ଗରମ  ବୋଧ  ହେଉଥିଲେ   ବେଲାଡୋନା ; ଧଳାରଙ୍ଗର   ପ୍ରଚୁର  ସ୍ରାବ   ପାଇଁ  କ୍ୟାଲକେରିଆକାର୍ବ ; ଏହି  ଭଳି  ସ୍ରାବ  ସହିତ  ତୃଷ୍ଣାହୀନତା   ଥିଲେ  ପଲସେଟିଲା ; ଛୁଆ  କ୍ଷୀର ଖାଇବା  ସମୟରେ  ବେଶି  ହେଉଥିଲେ  ସାଇଲିସିଆ ; କବାଟ  ଝରକା  ଦେଇ   ରୁଦ୍ଧ  କୋଠରୀରେ  ରହିଲେ   ଯଦି  ସ୍ରାବବୃଦ୍ଧି  ହେଉଥାଏ   ତାହାହେଲେ  ପଲସେଟିଲା  ବ୍ୟବହାର  କଲେ  ଗୃହସ୍ଥଙ୍କର   ବେଶିକିଛି   ମୁଣ୍ଡ  ବ୍ୟଥାର  କାରଣ  ରହିବ  ନାହିଁ   । ହଁ, ଗୋଟିଏ  କଥା  ସର୍ବଦା  ମନେ  ରଖିବା  ଉଚିତ  ଯେ  ଶିଶୁକୁ   ମା’କ୍ଷୀର  ଜନ୍ମ  ପରେ  ପରେ  ଦେଲେ, ମା’ର  କ୍ଷୀର  ବଢିବା  ସଙ୍ଗେ  ସଙ୍ଗେ  ପ୍ରସବାନ୍ତିକ  ଅସ୍ଵାଭାବିକ  ସ୍ରାବ  ମଧ୍ୟ  ନିୟନ୍ତ୍ରିତ  ହୋଇଥାଏ   ।

ଥନହରା

ଏ  ରୋଗ  ସାଧାରଣତଃ  ସଦ୍ୟ  ପ୍ରସାବ  ମା’  ମାନଙ୍କର   ହୋଇଥାଏ, ବିଶେଷ  କରି  ଯେଉଁ  ମାନଙ୍କର  ସ୍ତନରେ  କ୍ଷୀର  ବହୁତ  ସ୍ରବେ  ଓ  ଛୁଆ  ପୂରା  ଖାଇ  ପାରେନା, ସେ  କ୍ଷେତ୍ରରେ  କ୍ଷୀର  ଚୁପୁଡି  ବାହାର  ନ କରି  ଦେଲେ  ଏହା  ହୁଏ  । ଅପରିଷ୍କାର  ଲୁଗାପଟା   ବ୍ୟବହାର  ତଥା  ସ୍ତନର  ପରିସ୍ପୃତି  ପ୍ରତି  ଧ୍ୟାନ  ନ  ରଖିଲେ  ଏହି  ରୋଗ  ହୋଇଥାଏ   । ଗାଁ   ଗହଳିର   ସ୍ତ୍ରୀ  ଲୋକମାନଙ୍କଠାରେ  ଏହା  ବିଶେଷ  ଦେଖା  ଯାଇଥାଏ ପରିଷ୍କୃତି  ଅଭାବରେ   । ସ୍ତନଟି  ଖୁବ୍  ଟାଣ  ଓ  ଗରମଥିଲେ  ଫାଇଟୋଲାକା ୨୦୦ ଦିନକୁ  ୩ – ୪ ଥର  ଦିଅନ୍ତୁ  ଓ କ୍ଷୀର  ଧୀରେ  ଧୀରେ   ଛାପି  ବା  Breast  Pump  ଦ୍ଵାରା  ବାହାର  କରି  ଦିଅନ୍ତୁ  । ଯଦି  ଖୁବ୍  ଲାଲ୍ ଓ  ଧକ୍ ଧକ୍  କରୁଥିବ  ତାହା  ହେଲେ  ବେଲାଡୋନା ସେହି  ପ୍ରକାରେ  ବ୍ୟବହାର  କରନ୍ତୁ   । ଯଦି  ସ୍ତନ  ଭିତରେ  ଛୁଞ୍ଚିମାରିଲା  ଭଳି  ଟପ୍ ଟପ୍   କରି  ବ୍ୟଥା   ହେଉଥାଏ  ଓ  ସାମାନ୍ୟ  ହଲଚଲରେ  ରୋଗୀ  ଚିତ୍କାର  କରୁଥାଏ, ଚଲାବୁଲା   କଲାବେଳେ   ବା  କଡଲେଉଟାଇବା  ସମୟରେ  ରୋଗୀ  ଅତି  ସନ୍ତର୍ପଣରେ  ସ୍ତନଟିକୁ  ଧରି  ଧୀରେ ଧୀରେ  ଚଳପ୍ରଚଳ  ହୁଏ ତାହାହେଲେ   ବ୍ରାୟୋନିଆ ଖାଇବାକୁ  ଦେବେ   । ଯଦି  ଆଘାତ  ଜନିତ  କାରଣରୁ  ହୋଇଥାଏ  ତାହା   ହେଲେ  ପ୍ରଥମେ   ଆର୍ଣ୍ଣିକା  ଦେବେ   । ତଥାପି   ଯଦି  ସ୍ତନର  ଶକ୍ତଭାବ   ନ  କମେ  ତାହାହେଲେ   କୋନିୟାମ  ପ୍ରୟୋଗ  କରିବେ   । ଏହା  ସହିତ  ଅନେକ  ସମୟରେ  ଜ୍ଵର  ରହିବ, ତଥାପି   ଉପଯୁକ୍ତ  ଲକ୍ଷଣ  ମାନ  ହିଁ  ରହିଥିବ  ଓ ସେହି  ଔଷଧ  ସବୁ  ଲାଗିବ   । ଯଦି  ପୂଜ  ହୋଇଯାଏ  ବା  ତା’ର  ଉପକ୍ରମ  ହୁଏ  ତାହାହେଲେ , ମର୍କସଲ, ହିପାରସଲଫ, ସାଇଲିସିଆ ଆଦି  ଔଷଧ  ବ୍ୟବହାର  କରିବାକୁ  ହେବ   । ଏ ସବୁ  ସମ୍ପର୍କରେ  ‘ବଥ’ ଅଧ୍ୟାୟରେ  ସବିଶେଷ  ଆଲୋଚନା  କରାଯାଇଛି   । ତାହାକୁ  ଅଧ୍ୟୟନ  କରି  ଔଷଧ   ପ୍ରୟୋଗ  କରିବେ   ।

ସଂଗୃହୀତ – ଡାକ୍ତର  କମଳାକାନ୍ତ  କର

3.03125
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top