অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ହୋମିଓପ୍ୟାଥି ଚିକିତ୍ସା (ଝାଡା ବାନ୍ତି,ବଦହଜମୀ)

ହୋମିଓପ୍ୟାଥି ଚିକିତ୍ସା (ଝାଡା ବାନ୍ତି,ବଦହଜମୀ)

ଝାଡା ବାନ୍ତି

ବର୍ଷାକାଳରେ  ଜଳର  ପ୍ରଦୂଷଣ  ତଥା  ଅନ୍ୟାନ୍ୟ   ଖାଦ୍ୟଦ୍ରବ୍ୟର  ସଂକ୍ରମଣ,  ମାଛିମାନଙ୍କର  ପ୍ରାଦୁର୍ଭାବରୁ  ବେଶି   ହେଉଥିବାରୁ , ଖାଦ୍ୟପାନୀୟ  ସହିତ  ଯେଉଁସବୁ   ଜୀବାଣୁ, ଭୂତାଣୁ   ଓ  ଅନ୍ୟାନ୍ୟ   ଉତ୍ତେଜକ  ପଦାର୍ଥ   ପାକାଶୟ  ମଧ୍ୟକୁ   ପ୍ରବେଶ   କରେ   ତାହା  ଯେ  କେବଳ   ଝାଡା  ବା  ଉଦରାମୟ  କରାଏ  ତାହା  ନୁହେଁ,  ତାହା  ସହିତ  ବାନ୍ତି  ମଧ୍ୟ  କରାଏ   । ଝାଡା  ସହିତ  ଏହି  ବାନ୍ତିର  ଉପସ୍ଥିତି  ରୋଗୀକୁ  ଖୁବ୍  ଶୀଘ୍ର  ଏକ  ସଙ୍କଟଜନକ   ପରିସ୍ଥିତି   ଆଡକୁ  ଟାଣିନିଏ,  ଯଦି  ତୁରନ୍ତ  ଏହାକୁ  ରୋକା  ନ ଯାଏ  ।

ହୋମିଓପାଥିରେ  ଅତ୍ୟନ୍ତ  ଆଶୁଫଳଦାୟକ  ଏବଂ  ପରୀକ୍ଷିତ  ଔଷଧ   କେତେକ  ରହିଛି  ଯାହାକି   ନିମ୍ନଲିଖିତ  ଲକ୍ଷଣମାନଙ୍କ  ଉପସ୍ଥିତିରେ  ଔଷଧ  ନିରୂପଣ  କରି   ଦିଆଯାଇ  ପାରିବ   ।

  1. ଅତ୍ୟନ୍ତ  ବିଚଳିତ  ଭାବ, ସଦାସର୍ବଦା  ପାଟି  ଶୁଖି  ଯାଉଥିବ  ଓ ଅଳ୍ପ  ପରିମାଣର   ପାଣି  ବାରମ୍ବାର  ପିଇବାପାଇଁ  ଖୋଜୁଥିବ, ଅଥଚ  ପିଇବା  ସଙ୍ଗେ  ସଙ୍ଗେ   ଆହା  ବାନ୍ତି   ହୋଇ  ଯାଉଥିବ   । ଝାଡା  ଖୁବ୍  ତରଳ  ଓ  ଅତ୍ୟନ୍ତ  ଦୁର୍ଗନ୍ଧ   ।
  2. ଏ  କ୍ଷେତ୍ରରେ ଆର୍ଶେନିକ – ୬ ପ୍ରତି  ଘଣ୍ଟାରେ  ୪/୫ଟି  ଗୁଳିକରି  ଦିଅନ୍ତୁ,  ଝାଡା  ବାନ୍ତି  ବନ୍ଦ  ହେବାଯାଏ   ।

  3. ଅନେକ  ସମୟରେ  ରୋଗୀ  ଅତ୍ୟନ୍ତ  ତୃଷାପାଇଁ  ଖୁବ୍  ଥଣ୍ଡାପାଣି  ପିଇବାକୁ  ଚାହେଁ ଓ  ପିଇବାର   ଅତି  ଅଳ୍ପ  ସମୟପରେ  ତାହା  ପେଟରୁ   ଗରମ  ଗରମ  ପାଣି   ଆକାରରେ  ବାନ୍ତି  ହୋଇ  ବାହାରି  ଆସେ   । ଝାଡା  ପ୍ରାୟ  ଲାଗିରହିଥାଏ, ସତେ  ଯେପରି  ମଳଦ୍ଵାର   ମୁକୁଳା  ହୋଇ  ରହିଛି   । ଏଥିରେ  ଫସଫସ୍ – ୬ ପ୍ରତି  ୧/୨ ଘଣ୍ଟା  ଅନ୍ତରରେ  ଝାଡା ବାନ୍ତି  ବନ୍ଦ  ହେବାଯାଏ  ଦେବେ   ।
  4. କେତେକ  କ୍ଷେତ୍ରରେ   ଦେଖାଯାଏ   ବାନ୍ତି  ହେବା  ପୂର୍ବରୁ  ପେଟରେ   ଯନ୍ତ୍ରଣା  ଓ  ସଙ୍ଗେ  ସଙ୍ଗେ  ବାନ୍ତି  ଓ  ଝାଡା  ପର  ପର  ହୋଇ  ଯାଉଛି,  ଦେହ  ହାତ  ସବୁ  ଥଣ୍ଡା, ମୁଣ୍ଡରେ  ଶୀତଳ  ଝାଳ  ବିନ୍ଦୁ ବିନ୍ଦୁ  ହୋଇ  ଦେଖା  ଯାଉଛି   । ହଁ, ରୋଗୀ  ଖାଲି  ଲେମ୍ବୁ  ସରବତ  ପିଇବାକୁ  ଚାହୁଁଥିବ   । ତାହାହେଲେ   ସେ  କ୍ଷେତ୍ରରେ  ଭେରାଟ୍ରମ  ଆଲବମ୍ -୬ ପ୍ରତି  ୧/୨ ଘଣ୍ଟା  ଅନ୍ତରରେ  ଦେବେ   ।
  5. ଠିକ୍  ଏଇଭଳି   ଅବସ୍ଥା;  ଅଥଚ  ରୋଗୀ  ଖୁବ୍  ଅବସନ୍ନ, ଯେପରି  ନିଦ   କେଉଁଠୁ  ମାଡି  ଆସୁଛି, ଛାତିରେ   କଫ  ଜମି  ଗଲାଣି,  ରୋଗୀ  ଡାହାଣପେଟ  ଶୋଇଥିବ,  ନ ହେଲେ  ବାନ୍ତି  ହୋଇଯିବ  । ଜିଭ  ମୋଟା,  ଧଳା  ଅଥଚ  ଚା’  ମଧ୍ୟରେ  ନାଲି  ନାଲି  ଗଜା,  ଶୋଷ  ବିଲକୁଲ  ନାହିଁ – ଏଣ୍ଟିମଟାର୍ଟ – ୨୦୦ ପ୍ରତି  ଘଣ୍ଟାରେ  ଦେବେ   । ଏଭଳି  ସାଂଘାତିକ  ଅବସ୍ଥାରେ  ଏହି  ଔଷଧ  ନିମ୍ନଶକ୍ତି  ଯଥା ୬ ବା  ତତ୍ ନିମ୍ନ  କେବେହେଲେ  ଦେବେ  ନାହିଁ  ।
  6. ଅତ୍ୟଧିକ  ଅମିତାହାର  ପାଇଁ  ଯଦି  ଖୁବ୍  ତରଳ   ଖଟା  ଗନ୍ଧର   ଝାଡା  ସହିତ  ମୁଣ୍ଡା  ମୁଣ୍ଡା   ବାନ୍ତି  ହେଉଥିବ,  ରୋଗୀ  ଖୁବ୍  ଚିଡୁଥିବ, ଜିଭରେ  ଧଳାବଦ୍ଧ  ଛତିଆ   ଯେତେ   ସଫା  କଲେ  ମଧ୍ୟ  ଜମୁଥିବ,  ଶୋଷ   ମୋତେ  ନ ଥିବ  ବା  ପାଣି  ପିଇବା  ସଙ୍ଗେ  ସଙ୍ଗେ  ଝାଡାବାନ୍ତି   ବୋହି  ଯାଉଥିବ,  ତାହାହେଲେ  ଏଣ୍ଟିକ୍ରୁଡ -୬ ପ୍ରତି  ଘଣ୍ଟାରେ  ପାନେ   କରି  ଦିଅନ୍ତୁ   ।
  7. ଦେଖିବେ, ଯଦି  ଏଭଳି   ଝାଡାବାନ୍ତି   ହଠାତ୍  କେତେଥର  ହୋଇ  ରୋଗୀ  ବେହୋଲ  ହୋଇ ପଡିଯିବ,  ସାରା  ଶରୀର   ଥଣ୍ଡା  ହୋଇଯାଇ  ନାଡିର  ଗତି  ମନ୍ଥର   ହୋଇଯିବ, ରୋଗୀର   ଦେହ  ହେମଶୀତଳ   ଜଣାପଡୁଥିଲେ  ମଧ୍ୟ  ଦେହରୁ  ଖାଲି  ଲୁଗାକାଢି  ଫୋପାଡି  ଦେଉଥିବ, ଦେହଟା   ଭାରି  ଉଚ୍ଚାଟ  ଲାଗୁଥିବ, - ତାହାହେଲେ  ଯଥାଶୀଘ୍ର  କାମ୍ପର  ସାମାନ୍ୟ  ଚିନିରେ  ଏକବୁନ୍ଦା   ମିଶାଇ  ପ୍ରତି  ଅଧଘଣ୍ଟାରେ  ଦେବେ   ।
  8. ଠିକ୍  ଏହିଭଳି  ଅବସ୍ଥା, ଅବଶ୍ୟ  ଏ  ଉଚ୍ଚାଟଭାବ  ନ ଥିବ, ହେଲେ  ପେଟ  ଗୋଡର  ପେଣ୍ଡା  ସବୁରେ   ବାକୁଲି  ବା  ଖିଲ  ପଶି  ବ୍ୟସ୍ତ  କରାଉଥିବ, ତାହାହେଲେ  କୁପ୍ରମମେଟ- ୬ ପ୍ରତି  ଅଧଘଣ୍ଟାରେ  ଦିଅନ୍ତୁ   ।

ଏହିସବୁ  ରୋଗୀମାନଙ୍କର  ଚିକିତ୍ସା  ସମୟରେ  କିନ୍ତୁ  ମନେରଖିବେ  ରୋଗୀ  ଶରୀରର  ଜଳୀୟ  ଅଂଶର  ଯେପରି   ଅତିବେଶି  କ୍ଷୟ  ନ  ହେଉଥାଏ  ଓ  ବାରମ୍ବାର  ପାନୀୟମାନଙ୍କ  ଜରିଆରେ  କ୍ଷୟ  ଘଟୁଥିବା  ଜଳୀୟ  ଅଂଶକୁ   ଭରଣା  କରୁଥିବେ   ।  ପଇଡପାଣି   ବା  ଫୁଟାପାଣିରେ  ସାମାନ୍ୟ  ଲୁଣ  ଓ  ଟିକେ  ଗୁଡ  ବା  ମିଶ୍ରି  ମିଶିଥିବା  ସର୍ବତ   ବରାବର  ଦେଇ  ଚାଲିଥିବେ   । ଡାକ୍ତରଖାନାର  ସୁବିଧା  ପାଖଆଖରେ  ନ ଥିଲେ  ଦେଖିବେ ଏହି  କେତୋଟି  ଔଷଧ  ଲକ୍ଷଣାନୁସାରେ   ଠିକଣା  ସମୟରେ  ଯଦି  ପ୍ରୟୋଗ  କରନ୍ତି   ତେବେ  ଆପଣଙ୍କ  ପରିବାରରେ  ଯଥାଶୀଘ୍ର  ହସ  ଫୁଟି  ଉଠିବ  ।

ବଦହଜମୀ

ଉପୁରି  ମିଳିଲେ   ପେଟପୂଜା  କରିବାକୁ  କାହାର   ବା  ଇଚ୍ଛା  ନହେବ ? କିଏ  ହୁଏତ  ଗରମ  ମସଲାଦିଆ  ଉଚ୍ଚାଙ୍ଗ   ଖାଦ୍ୟ  ତଣ୍ଟି  ଯାଏ  ଖାଇଲାଣିତ  ଆଉକିଏ  ସରପୁଳି   ଛଣାଛଣି  ଉଦରଭର୍ତ୍ତି  ଯାଏ  ଚପେଇଲେଣି   । ପାଣି   ପିଇବାକୁ  ମଧ୍ୟ  ଜାଗା  ନାହିଁ  । ଅଜୀର୍ଣ୍ଣ  ହେବ  ନାହିଁତ  ଆଉ  କ’ଣ  ।  ପ୍ରଥମ  ବର୍ଗର   ଲୋକଙ୍କୁ   ନକ୍ସଭୋମିକା   ଦେଇ  ଦ୍ଵିତୀୟ   ବର୍ଗଙ୍କୁ   ପଲସେଟିଲା  ଦିଅନ୍ତୁ, ଦେଖିବେ,  ପୁଣିଥରେ   ସେ  ସୁଯୋଗ   ମିଳିଲେ  ତାହାର  ସଦୁପଯୋଗ   କରିବାକୁ  ସେମାନେ   ଭୁଲିବେ  ନାହିଁ   । ଏହା  ସିନା  କଦପା  କିପରି   ଅକାଳ   ସକାଳର  କଥା, ହେଲେ  ଅନେକ  ଲୋକ  ଅଛନ୍ତି  ତାଙ୍କୁ  ଯେପରି   ବଦହଜମି  ରୋଗ  ଗୋଡେଇଛି, ସାଙ୍ଗ  ଛାଡୁନି  । ଇଚ୍ଛା ଥିଲେ  ମଧ୍ୟ  ଖାଇହେଉନି । ଖାଇଲେ  ପେଟରେ  ବାୟୁ  ବଢି  ଯାଉଛି   । ଖାଲି  ଢେକୁରି  ଉପରେ  ଢେକୁରି, ନହେଲେ  ପେଟ  ଢୋଲ   । ଦୟା  କରି  ଏପରି  କ୍ଷେତ୍ରରେ  କାର୍ବୋଭେଜ – ୩୦ ରୁ  କେତେପାନ  ଖାଇ  ଅପାତ  କଷ୍ଟକୁ  ଦୂର  କରନ୍ତୁ  ଓ  ତା’ପରେ  ଦିନକୁ  ପାନେ  ବା  ଦୁଇପାନ  କରି  କିଛି  ଦିନ  ଖାଆନ୍ତୁ  । ଉପଶମ  ଅବଶ୍ୟ  ପାଇବେ    । ଆଉ  କେତେକ  ଅଛନ୍ତି  ତାଙ୍କର  ଖାଲି  ପାଟି  ଖଟା  ହୋଇଯାଉଛି,  ଦାନ୍ତ  ବି  ବାଦ  ପଡୁନି  ସେଥିରୁ   । ଉକୁଚେଇ  ହେଇ  ଖଟାଖଟା  ପାଣି  ବାହାରି  ପଡୁଛି    । ଡରରେ  ଖାଇବା  ଛାଡି  ଦେଲେଣି  । ସେମାନେ  ରୋବିନିଆ – ୩୦ ଦିନକୁ  ୩ – ୪ ଥର   କିଛିଦିନ  ଖାଇ   ଉପଶମ  ହେଲାପରେ  ବନ୍ଦ  କରି  ଦିଅନ୍ତୁ   । ନାହିଁ  ଯଦି  ଦେଖିଲେ  ଓପରବେଳା  ହେଲେ  ରାତି  ୮-୯ ପର୍ଯ୍ୟନ୍ତ   ଖାଲି  ଆମ୍ବିଳିଢକାର, ପେଟ  କଳକଳ, ବାୟୁ  ଟିକେ  ଗଲେ  ଆରାମ, ତାହାହେଲେ  ଲାଇକୋପୋଡିୟମ- ୩୦ ରୁ  ପ୍ରତିଦିନ  ସକାଳେ  ୪-୫ ଦିନ  ଖାଇବେ   । ଆରାମ  ଲାଗିଲେ  ବନ୍ଦ   କରିଦେବେ  । ଯଦି  ଦେଖନ୍ତି  ରାତି  ସାରା   ପେଟ  ଫମ୍ପେଇ  ରହିଛି,  ଦୁଇ  ଚାରିଥର   ତରଳ  ଦୁର୍ଗନ୍ଧ  ଝାଡା, ଯାହା  ଖାଇଛନ୍ତି  ସବୁ  ଖଣ୍ଡ  ଖଣ୍ଡ   ଝାଡାରେ  ବାହାରି   ଯାଉଛି,  ହେଲେ  ଦିନବେଳା  ସେତେ  ବେଶି  କଷ୍ଟ  ନାହିଁ   । ପେଟରେ   ବେଳେ  ବେଳେ  ବେଶ୍  ଯନ୍ତ୍ରଣା,  ଯେତେ  ଜୋରରେ  ଚାପିବେ  ସେତେ  ଆରାମ, ତାହାହେଲେ  ଚାଇନା – ୩୦ ନିଶ୍ଚିତ   ଉପକାର  ଦେବ  । ଖାଲି  ସବୁବେଳେ  ଛାତି  ପୋଡୁଥିବ, କେବଳ  ଛାତିକ’ଣ, ଉକୁଚେଇ  ହୋଇ  ପେଟରୁ   ଯାହା   ଉଠିଆସୁଥିବ   ତାହା  ମଧ୍ୟ  ପାଟିଭିତରେ  ହାଉ  ହାଉକରି  ପୋଡୁଥିବ,  ଢକାର,  ବାୟୁ  ଯାହାବି  ଗଲେ  ଗରମ, ଝାଡାମଧ୍ୟ  ଗରମ  ଓ  ମଳଦ୍ଵାର  ଜ୍ଵାଳା    । ଏଭଳି   ଅବସ୍ଥାରେ   ଆଇରିସଭର୍ସ – ୬ ବା  ୩୦  ତତକ୍ଷଣାତ   ଉପଶମ  ଦେବ   । କ୍ଷେତ୍ର   ବିଶେଷରେ   ଦେଖିବେ, ଭୋକ  ନାହିଁ  ଶୋଷ  ନାହିଁ  । ମନେହେବ   ପେଟରେ  ସବୁ  ଜମି  ରହିଛି, ଖାଲି ଅଇ   ଉଠୁଛି   । ଶୋଷ  ନାହିଁ, ପାଟିରେ   ଛେପ   କଳକଳ, ତାହାହେଲେ  ଇପିକାକ – ୨୦୦  ଦେବାକୁ   ଭୁଲିବେ  ନାହିଁ   । ଖାଲି  ପାଟିଭିତରେ  ହାତପୁରାଇ  ରୋଗୀ  ବାନ୍ତି  କରିବାକୁ  ଚାହାନ୍ତି, କାରଣ  ବାନ୍ତି  କଲେ ହିଁ  ଯେପରି  ଆରାମ  ପାଇବେ,  ଝାଡା   ମାଡୁଥିଲେ  ମଧ୍ୟ   ପାଇଖାନା  ଗଲେ   ଝାଡା  ହେଉନି,  ନିଷ୍ଫଳ  ମଳ  ତ୍ୟାଗର   ଇଚ୍ଛା   । ତାହାହେଲେ  ନକ୍ସଭୋମିକା – ୨୦୦ ହିଁ  ଫଳପ୍ରଦ   । ଏହିଭଳି  ଅବସ୍ଥା, ପାଟିଶୁଖି  ଅଠା, କିନ୍ତୁ  ପାଣି   ପିଇବା   ପ୍ରତି  ଆଗ୍ରହ  ନାହିଁ, ଅଜୀର୍ଣ୍ଣିଆ  ଝାଡା, ସେ  ପୁଣି  ରାତିରେ   ଅଧିକ, ଝାଡା  କେତେବେଳେ  କିପରି  ହେଉଛି  ବର୍ଣ୍ଣନା  କରିବା  ସମ୍ଭବ  ନୁହେଁ, ତାହା  ହେଲେ  ପଲସେଟିଲା  ହିଁ  ପ୍ରଥମେ  ଚିନ୍ତା  କରିବାକୁ  ହେବ  । ଦୁଧ, ଦହି ,  ଆଚାର, ଖଟା  ଖାଇ  ଅଜୀର୍ଣ୍ଣ  ଜିଭଟିରେ  ମୋଟା  ଧଳା  ସରଭଳି  ଛତିଆ, ଶୋଷ  ନାହିଁ  କି  ଭୋକ  ନାହିଁ,  ତରଳ  ଝାଡା  ହେଲେ  ମଧ୍ୟ  ସେଥିରେ  ମୁଣ୍ଡାମୁଣ୍ଡା  ମଳ  ପଡୁଛି   । ଏଣ୍ଟିମକ୍ରୁଡ – ୩୦ ଦେଇ   ସଙ୍ଗେ  ସଙ୍ଗେ   ଆରାମ   କରିବାକୁ  ହେବ   । ରହଣିଆ  ବାସୀ  ଖାଦ୍ୟ,  ପଚରା   ମାଂସ  ଖାଇ  ଅଜୀର୍ଣ୍ଣ   । ଦୁର୍ଗନ୍ଧ  ମଳ ଓ  ବାୟୁ ; ଅପରିଷ୍କାର  ପାଣି  ପିଇ  ପେଟ  ଖରାପ, ଆର୍ଶେନିକ   ଏଲବମ – ୬ ବ  ୩୦   । ବହୁତ   ଔଷଧ   ବା  ନିଶାପାଣି  ଖାଇ   ଜୀର୍ଣ୍ଣଶକ୍ତି   କମିଯାଇଛି – ନକ୍ସଭୋମିକା ; ଗୁଡାଏ  ମାଛ  ଖାଇ   ଅଜୀର୍ଣ୍ଣ  ହେଲେ  ଚିନିନାମ୍ ଆର୍ଶ ; ଫଳଖାଇବା  ପରେ   ହେଲେ  ଇପିକାକ୍ , ଆଳୁଖାଇ  ହେଲେ, ଏଲୁମିନା ; ଘୁସୁରୀମାଂସ   ଖାଇଲା  ପରେ   ହୋଇଥିଲେ  ପଲସେଟିଲା ଆଦି  ଔଷଧ  ଆପଣଙ୍କୁ   ବହୁ  ସାଘାଂତିକ   ଅବେଳିଆ  ଛାନିଆରୁ  ରକ୍ଷା  କରିବ  । ଏ  ସବୁକୁ  ବ୍ୟବହାର  କରିବାର  ସୁଯୋଗ   ହରାଇ  ଉଚିତ  ନୁହେଁ   । ଅଧିକ  ଶକ୍ତିଶାଳୀ  ଔଷଧ  ଖାଇ  ପେଟକୁ  ଅଧିକ  ଖରାପ  କରିବା  ଅପେକ୍ଷା  ଏହି  ଛୋଟ  ଦାନାର  ଔଷଧ  ଖାଇ  ତତକ୍ଷଣାତ  ଓ  ସ୍ଥାୟୀ  ଆରାମ  ନ ପାଇବେ  କାହିଁକି  ?

ସଂଗୃହୀତ – ଡାକ୍ତର  କମଳାକାନ୍ତ  କର

Last Modified : 6/21/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate