অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

‘ଅର୍ଗାନନ୍’ – ପଞ୍ଚମ ଓ ଷଷ୍ଠ ସଂସ୍କରଣ

‘ଅର୍ଗାନନ୍’ – ପଞ୍ଚମ  ସଂସ୍କରଣ ମୁଖବନ୍ଧ

ପୁରାତନ  ଚିକିତ୍ସା  ପଦ୍ଧତି  ସମ୍ପର୍କରେ  ସାଧାରଣ  ଭାବରେ  ମତାମତ  ଦେବାକୁ  ଗଲେ, ମୁଁ  ଲକ୍ଷ୍ୟ  କରେ  ଯେ, ସେ  ପଦ୍ଧତିରେ, ଆଗରୁ  ଧାରଣା  କରି  ନେବାକୁ  ପଡିବ  ଯେ, କେତେବେଳେ  ରକ୍ତାଧିକ୍ୟ, କେତେବେଳେ  କୌଣସି  ରୋଗବସ୍ତୁ  ଓ  ଦୂଷିତ  ପଦାର୍ଥ  ସବୁ  ରୋଗୀ  ଶରୀର  ମଧ୍ୟରେ  ରହିଯାଇଅଛି  ଏବଂ  ଏହି  କଳ୍ପିତ  ବସ୍ତୁ  ପାଇଁ  ( ବମନକାରୀ, ଭେଦକାରୀ, ଘର୍ମକାରକ, ମୂତ୍ର  ନିଃସରକ  ଔଷଧ, ଆକର୍ଷକ  ପଟ୍ଟି  ବା  ଜାରମଉରା  ଲଗାଇ), ଜୀବନ  ଧାରଣ  ପାଇଁ  ଅତ୍ୟନ୍ତ  ପ୍ରୟୋଜନୀୟ  ଉପାଦାନର  ନିଃସରଣ   ଅନ୍ୟତ୍ର  କୌଣସି  ଅଂଶକୁ  ସଞ୍ଚାଳିତ  କରାହୁଏ   । ବିଶ୍ଵାସ, ତଦ୍ଦ୍ଵାରା  ରୋଗଟି  ଦୁର୍ବଳ  ହୋଇପଡିବ  ଅଥବା  ନିର୍ମୂଳ  ହୋଇଯିବ   । ବସ୍ତୁତଃ, ଏହା  ଫଳରେ  ରୋଗ  ଯନ୍ତ୍ରଣା  ଆହୁରି   ବଢିଯାଏ  ଏବଂ  ଏହିଭଳି  ଯନ୍ତ୍ରଣାଦାୟକ  ଉପାୟ  ଅବଲମ୍ବନରେ  ରୋଗାରୋଗ୍ୟକଳ୍ପେ  ଯେ  ଶକ୍ତି  ଓ  ପୁଷ୍ଟିଦାୟକ  ରସସମୂହ  ଅପରିହାର୍ଯ୍ୟ, ସେ  ସବୁକୁ  ଶରୀର  ମଧ୍ୟରୁ  କାଢି  ନିଆଯାଏ   । ଏହି  ପ୍ରକ୍ରିୟାରେ  ଶକ୍ତିଶାଳୀ  ଔଷଧର  ମାତ୍ରାଧିକ୍ୟ  ଦ୍ଵାରା  ଶରୀରର  ବିଭିନ୍ନ  ଯନ୍ତ୍ରସବୁକୁ  ଆକ୍ରମଣ  କରାହୁଏ  ଏବଂ  ସେ  ସବୁର  ଦୀର୍ଘକାଳ  ଧରି  ପୁନଃ  ପୁନଃ  ପ୍ରୟୋଗ  ଦ୍ଵାରା  ଶରୀର  ମଧ୍ୟରେ  ଦୀର୍ଘସ୍ଥାୟୀ  ଓ  ଭୟଙ୍କର  ଅଜ୍ଞାତ  ପ୍ରତିକ୍ରିୟା  ସୃଷ୍ଟି   ହୋଇଥାଏ   । ଗୋଟିଏ   ବ୍ୟବସ୍ଥାପତ୍ର  ମଧ୍ୟରେ  ଏହିପରି   କେତେଗୁଡିଏ  ଅଜ୍ଞାତ  ବସ୍ତୁକୁ  ଯେପରି  ଇଚ୍ଛାକୃତ  ଭାବରେ  ମିଶାଇ, ସେ  ସବୁର  ପ୍ରତିକ୍ରିୟାସମୂହକୁ  ଆହୁରି  ଦୁର୍ଜ୍ଞେୟ  କରାଯାଏ  ଏବଂ  ଦୀର୍ଘକାଳ  ଧରି  ଏ  ସବୁର  ପ୍ରୟୋଗ  ଫଳରେ, ଶରୀର  ମଧ୍ୟରେ  ନୂତନ  ଓ  ପ୍ରାୟତଃ  ଦୁଃସାଧ୍ୟ  ଔଷଧଜ- ରୋଗସମୂହର  ସୃଷ୍ଟି  କରାହୁଏ   । ରୋଗୀର  ପ୍ରସନ୍ନତା  ପାଇଁ, ଯେତେବେଳେ  ସୁବିଧା  ମିଳିଲା  ସେତେବେଳେ, ଯଥାଶୀଘ୍ର   ସେହି  ସମସ୍ତ  ଔଷଧକୁ  ପ୍ରୟୋଗ  କରାହୁଏ  ଏବଂ  ସେ  ସବୁର  ବିପରୀତ  କ୍ରିୟା  ଦ୍ଵାରା  କିଛି  ସମୟ  ପାଇଁ, ଆପାତ – ଉପଶମକାରୀଭାବେ   ରୋଗକୁ  ଦମନ   କରି  ରଖେ   । ମାତ୍ର  ଏହା  ଫଳରେ, ଏହିସବୁ  ଲକ୍ଷଣ  ପ୍ରତି  ପ୍ରବଣତା  ଆହୁରି   ବଢିଯାଇଥାଏ   । ଏହି  ପଦ୍ଧତିରେ  ଶରୀରର  ବହିର୍ବିଭାଗର  ରୋଗସବୁକୁ  କେବଳ   ସ୍ଥାନୀୟ  ଓ  ସ୍ଵତନ୍ତ୍ର  ବୋଲି  ମନେକରି  ବାହ୍ୟ  ପ୍ରଲେପ  ଦ୍ଵାରା  ଦୂରୀଭୂତ  କରାଇ, ଅଯଥା  ଧାରଣା  କରାହୁଏ  ଯେ  ତାହା  ଆରୋଗ୍ୟ  ଲାଭ  କରିଅଛି   । ମାତ୍ର  ତଦ୍ଦ୍ଵାରା  ଅନ୍ତରସ୍ତ   ରୋଗ  ଶରୀରର  ଅନ୍ୟ  କୌଣସି  ଅଧିକ  ଗୁରୁତ୍ଵପୂର୍ଣ୍ଣ  ଅଂଶରେ  ଆତ୍ମପ୍ରକାଶ  କରିବାକୁ  ବାଧ୍ୟହୁଏ   । ରୋଗ  ଯେତେବେଳେ  ସେଥିରେ  ମଧ୍ୟ  ବଶୀଭୂତ  ନ ହୋଇ  ଆହୁରି  ବୃଦ୍ଧି  ପ୍ରାପ୍ତ  ହୁଏ, ସେତେବେଳେ  ଏହି  ପୁରାତନପନ୍ଥୀ  ମାନେ  କିଂକର୍ତ୍ତବ୍ୟବିମୂଢ  ହୋଇ  ସେ  ସବୁକୁ  ଅନ୍ୟ  କୌଣସି  ଅବସ୍ଥାକୁ  ରୂପାନ୍ତରିତ   କରିବାକୁ  ଚେଷ୍ଟା  କରିଥାନ୍ତି   । ଅନ୍ୟ  ବାଟ  ନ ପାଇ, କୌଣସି  ଏକ  ପରିବର୍ତ୍ତନକାରୀ  ଔଷଧ, ଜୀବ  ବିଧ୍ଵଂଶ କାରୀ  କାଲୋମେଲ, ପାରଦବିଶେଷ  ଓ  ଅନ୍ୟାନ୍ୟ   ପାରାଦଘଟିତ   ଔଷଧ  ବହୁଳମାତ୍ରାରେ   ପ୍ରୟୋଗ  କରିଥାଆନ୍ତି   ।

ଏଭଳି  ଭେଷଜ  ପ୍ରୟୋଗ  ଦ୍ଵାରା  ଅଧିକାଂଶ  ରୋଗ, ବିଶେଷକରି  ପୁରାତନ  ରୋଗସମୂହ, ମାରାତ୍ମକ  ନ ହେଲେ   ମଧ୍ୟ  ଅସାଧ୍ୟ  ହୋଇପଡେ   । ପୂର୍ବରୁ   ବିଦ୍ୟମାନ  ସ୍ଵାଭାବିକ  ରୋଗାବସ୍ଥା, ନୂତନ  ଧ୍ଵଂସାତ୍ମକ  ଔଷଧଜ  ରୋଗ  ସହିତ  ମିଶିବା  ହେତୁ  ରୋଗୀ  ଦୁର୍ବଳରୁ  ଦୁର୍ବଳତର  ହୋଇପଡେ  ଓ  ଅଧିକ  ନିର୍ଯ୍ୟାତିତ  ହୋଇଥାଏ  । ଏଥିରୁ  ପରିଷ୍କାର  ବୁଝାପଡେ  ଯେ  ପୁରାତନ  ପଦ୍ଧତି  ଚିକିତ୍ସାର  ଏହା  ହିଁ  ହେଉଛି  ଅତ୍ୟନ୍ତ  ଅହିତକାରୀ  କାର୍ଯ୍ୟ   । ଏହି  ଅନିଷ୍ଟକର ପଦ୍ଧତିରେ  ଥରେ  ଅଭ୍ୟସ୍ତ  ହୋଇପଡିଲେ  ବିବେକର  ଦଂଶନ  ଆଉ  ଅନୁଭୂତ  ହୁଏ  ନାହିଁ  ଏବଂ ଏହା  ଏକ  ଅତ୍ୟନ୍ତ  ସୁବିଧାଜନକ  କାର୍ଯ୍ୟରେ  ପରିଣତ  ହୋଇପଡେ   ।

ତଥାପି  ଏହି  ପୁରାତନ  ପନ୍ଥାର  ସାଧାରଣ  ଚିକିତ୍ସକମାନେ, ଏ  ସବୁ  କ୍ଷତିକାରକ  କାର୍ଯ୍ୟର  ସପକ୍ଷରେ  ଯେଉଁସବୁ  କାରଣ  ଦର୍ଶାଇ  ଥା’ନ୍ତି, ତାହା  ସେମାନଙ୍କର   ପୋଥିପତ୍ର  ଓ  ଶିକ୍ଷାଗୁରୁମାନଙ୍କର  ପୂର୍ବକଳ୍ପିତ  ସିଦ୍ଧାନ୍ତ  ବା  ଅନ୍ୟ କେହି  ପ୍ରଖ୍ୟାତ  ପୁରାତନପନ୍ଥୀ  ଚିକିତ୍ସକଙ୍କର  ଦୃଷ୍ଟାନ୍ତ  ଉପରେ  ନିର୍ଭରଶୀଳ   । ଏପରିକି, ସେସବୁ  ସପୂର୍ଣ୍ଣ  ବିପରୀତ  ଓ  ନିରର୍ଥକ  ଚିକିତ୍ସା   ପ୍ରଣାଳୀ   ବୋଲି  ପ୍ରତୀୟମାନ  ହେଲେ  ମଧ୍ୟ  ଏବଂ  ସେହି  ପଦ୍ଧତିର  ଏସବୁ  ଔଷଧର  ମାରାତ୍ମକ  ପ୍ରତିକ୍ରିୟା  ସମ୍ପର୍କରେ  ଯେତେ  ଉଚ୍ଚସ୍ଵରରେ  ଘୋଷଣା  କଲେ  ମଧ୍ୟ ସେମାନଙ୍କର  ସମର୍ଥନ  ଓ ପ୍ରାମାଣିକ ଦୃଷ୍ଟାନ୍ତ  ଲାଭ  କରାଯାଇଥାଏ  । ତଥାକଥିତ  ଚିକିତ୍ସା  ପ୍ରଣାଳୀ  ମାଧ୍ୟମରେ  ବହୁବର୍ଷଧରି  ଅପକର୍ମ  କରିବାପରେ, ଏହାର  କ୍ଷତିକର  ପ୍ରକୃତିକୁ ଅବଗତ  ହୋଇ  ସେହି  ବୃଦ୍ଧ  ଚିକିତ୍ସକ  କ୍ରମଶଃ  ସନ୍ଦେହ ମୁକ୍ତ  ହୁଅନ୍ତି ଏବଂ ସେତେବେଳେ  ଅତ୍ୟନ୍ତ  ଗୁରୁତର  ବ୍ୟାଧିସକଳର  କ୍ଷେତ୍ରରେ  ମଧ୍ୟ  ଲିଚୁର  ସିରପ  ମିଶା  କଦଳୀସିଝା  ପାଣି  ଠାରୁ  ମଧ୍ୟ  ଅଧିକ  ଶକ୍ତିଶାଳୀ   ଔଷଧ  ପ୍ରୟୋଗ  କରନ୍ତି  ନାହିଁ   । ଯାହାଫଳରେ  ଖୁବ୍  କମ୍ ସଂଖ୍ୟକ  ରୋଗୀ  କ୍ଷତିଗ୍ରସ୍ତ  ହୁଅନ୍ତି  ଓ  ପ୍ରାଣତ୍ୟାଗ   କରିଥାଆନ୍ତି   ।

ଏହି  ଅନାରୋଗ୍ୟକଳା  ଯାହା  ବହୁ  ଶତାବ୍ଦୀ  ଧରି   ଦୃଢଭାବରେ  ପ୍ରତିଷ୍ଠିତ   ହୋଇ  ନିଜର  ଇଚ୍ଛା  ଓ  ଖୁସିରେ  ରୋଗୀମାନଙ୍କର   ଜୀବନମୃତ୍ୟୁ  ଉପରେ  ସମ୍ପୂର୍ଣ୍ଣ  କ୍ଷମତା  ଜାହିର  କରିଅଛି ଏବଂ  ଏହି  ଦୀର୍ଘ  ସମୟ  ମଧ୍ୟରେ  ସର୍ବାପେକ୍ଷା  ଧ୍ଵଂସାତ୍ମକ  ଯୁଦ୍ଧଠାରୁ  ମଧ୍ୟ  ଦଶଗୁଣ  ଲୋକଙ୍କର  ପରମାୟୁ  ହ୍ରାସ  କରିଅଛି, ଆଉ  ଲକ୍ଷଲକ୍ଷ  ରୋଗୀଙ୍କୁ  ପୂର୍ବାପେକ୍ଷା  ଅଧିକ  ପୀଡିତ  ଓ  ହତଭାଗ୍ୟ  କରିଅଛି, ତାହା  ହେଉଛି  ଏଲୋପାଥି   । ଏହାର  ଠିକ୍  ବିପରୀତ, ନବାବିଷ୍କୃତ, ପ୍ରକୃତ  ଆରୋଗ୍ୟ – କଳା, ସବିସ୍ତାର  ଶିକ୍ଷା  ଦେବା  ପୂର୍ବରୁ, ମୁଁ  ପ୍ରଥମେ  ଆଉ  ଟିକିଏ  ପୁଙ୍ଖାନୁପୁଙ୍ଖଭାବରେ  ଏହାର  ବ୍ୟାଖ୍ୟା   କରିବି   ।

ଶେଷୋକ୍ତ  ପଦ୍ଧତି ଟି କିନ୍ତୁ  ସମ୍ପୂର୍ଣ୍ଣ  ଏକ  ଭିନ୍ନ  ପଦ୍ଧତି   । ପ୍ରତ୍ୟକ  ଚିନ୍ତାଶୀଳ  ବ୍ୟକ୍ତିଙ୍କୁ  ସହଜରେ  ବିଶ୍ଵାସ  କରାଇ   ଦିଆଯାଇପାରେ  ଯେ, ମନୁଷ୍ୟର  ରୋଗସମୂହ  କୌଣସି  ବସ୍ତୁ, ଉଗ୍ର  ପଦାର୍ଥ, ଯାହାକୁ କି ରୋଗର  ଉପାଦାନ କୁହାଯାଇଥାଏ , ତଦ୍ଦ୍ଵାରା  ଉତ୍ପନ୍ନ ହୁଏ  ନାହିଁ   । ମାତ୍ର  ତାହା  ହେଉଛି, ଯେଉଁ  ଅତୀନ୍ଦ୍ରିୟ  ଶକ୍ତି  ମାନବ  ଶରୀରକୁ  ସଞ୍ଜୀବିତ କରି  ରଖେ  ତାହାର  ହିଁ  ଅତୀନ୍ଦ୍ରିୟ  ବିକୃତି   । ହୋମିଓପାଥି  ଜାଣେ  ଯେ, ସୁନିର୍ବାଚିତ  ଔଷଧର  ପ୍ରୟୋଗ   ଫଳରେ  ଜୀବନୀଶକ୍ତିର   ପ୍ରତିକ୍ରିୟା   ଦ୍ଵାରା  ହିଁ  କେବଳ  ଆରୋଗ୍ୟ  ସାଧିତ  ହୋଇପାରେ, ଏବଂ  ରୋଗୀ  ଶରୀରରେ  ଜୀବନୀଶକ୍ତିର  ଯେଉଁ  ପରିମାଣର  କର୍ମକ୍ଷମତା  ବିଦ୍ୟମାନ  ଥାଏ, ସେହି  ଅନୁପାତରେ  ହିଁ  ଆରୋଗ୍ୟ   କାର୍ଯ୍ୟ  ଦ୍ରୁତ  ତଥା  ନିଶ୍ଚିତଭାବରେ  ସମାହିତ  ହୋଇଥାଏ  ।  ସେଥିପାଇଁ  ହୋମିଓପାଥି  ଯେତେସବୁ  ଦୁର୍ବଳତା   ସୃଷ୍ଟିକାରୀ  ଓ  ଯନ୍ତ୍ରଣାଦାୟକ  ସମସ୍ତ  ପଦାର୍ଥ  ଓ  ବ୍ୟବସ୍ଥାକୁ  ପରିହାର  କରିଥାଏ, କାରଣ  ଯନ୍ତ୍ରଣା  ହିଁ  ଶରୀରର  ଶକ୍ତି  ହ୍ରାସ  କରିଥାଏ   । ସେଥିପାଇଁ  ଏହା  ଆରୋଗ୍ୟସାଧନ  ପାଇଁ  କେବଳ  ସେହି  ସବୁ  ଔଷଧ  ବ୍ୟବହାର  କରେ, ଯାହାର  ସୁସ୍ଥ  ଶରୀରକୁ  ପରିବର୍ତ୍ତନ  ଓ  ବିକୃତ  କରିବାର  କ୍ଷମତା  ସମ୍ପର୍କରେ  ତାହାର  ସଠିକ୍  ଜ୍ଞାନ  ଥାଏ   । ଏସବୁ  ଔଷଧ  ମଧ୍ୟରୁ  ଏପରି  ଏକ  ଔଷଧ  ସେ  ନିର୍ବାଚନ  କରେ  ଯାହାର  ରୋଗସୃଷ୍ଟିକାରୀ  ଶକ୍ତି  ପ୍ରାକୃତିକ  ରୋଗକୁ  ସାଦୃଶ୍ୟାନୁସାରେ  ଦୂର  କରିଥାଏ   । ଏହା  ରୋଗୀପାଇଁ  ଗୋଟିଏ  ମାତ୍ର  ଔଷଧ  ପ୍ରୟୋଗ   କରିଥାଏ  ଏବଂ  ତାହା  ଅତ୍ୟନ୍ତ  ସ୍ୱଳ୍ପ  ମାତ୍ରାର  (ଏତେ  ସ୍ୱଳ୍ପମାତ୍ରାରେ ପ୍ରୟୋଗ  କରାଯାଏ  ଯେ  ତାହାଦ୍ଵାରା  କୌଣସି  କଷ୍ଟ  ବା  ଦୁର୍ବଳତା  ସୃଷ୍ଟି  ହୁଏ  ନାହିଁ   । କେବଳ  ଜୀବନୀଶକ୍ତିର  ପ୍ରତିକ୍ରିୟା  ସହାୟତାରେ  ପ୍ରାକୃତିକ  ରୋଗକୁ  ଦୂର  କରିବାପାଇଁ  ଯଥେଷ୍ଟ  ହୋଇଥାଏ)  । ଫଳରେ  ରୋଗୀକୁ   ସାମାନ୍ୟତମ  ଦୁର୍ବଳ  ନ କରି, ତାହାର  କ୍ଷତି  ସାଧନ  ନ କରି, କିମ୍ବା  ତାହାକୁ  କୌଣସି  ପ୍ରକାରର  ନିର୍ଯ୍ୟାତନା ନ ଦେଇ,   ପ୍ରାକୃତିକ  ରୋଗର  ଧ୍ଵଂସ   ସାଧନ  କରିଥାଏ   ।  ଏପରିକି   ରୋଗୀ  ସୁସ୍ଥ  ହେବା  ସଙ୍ଗେ  ସଙ୍ଗେ  ତାର  ଶରୀରର  ଶକ୍ତି  ବୃଦ୍ଧି  ହୋଇଥାଏ  ଓ  ସେ  ଆରୋଗ୍ୟଲାଭ  କରେ   । ଏହି  କାର୍ଯ୍ୟଟି  ବାହାରକୁ  ଖୁବ୍  ସହଜସାଧ୍ୟ  ମନେହେଲେ  ମଧ୍ୟ  ବାସ୍ତବିକ  କିନ୍ତୁ  ଏକ  ହରକତିଆ  ଓ କଠିନ  କାର୍ଯ୍ୟ  । ସେଥିପାଇଁ   ବେଶ୍  ବିଚାରବୁଦ୍ଧିର  ଆବଶ୍ୟକ  ହୁଏ   । ମାତ୍ର  ଏହା  ବିନାଯନ୍ତ୍ରଣାରେ, ସ୍ୱଳ୍ପ  ସମୟ  ମଧ୍ୟରେ  ରୋଗୀର  ସମ୍ପୂର୍ଣ୍ଣ   ସ୍ୱାସ୍ଥ୍ୟ  ଫେରାଇ  ଆଣେ  । ସେଥିପାଇଁ  ଏହା  ହିତକର  ଓ  ଏକ  ପବିତ୍ର  ଚିକିତ୍ସା – କଳା  ।

ସୁତରାଂ  ହୋମିଓପାଥି  ଏକ  ସମ୍ପୂର୍ଣ୍ଣ  ଅବିମିଶ୍ର  ଚିକିତ୍ସା – ପଦ୍ଧତି, ଯାହା  ସର୍ବଦା  ତାହାର  ମୂଳନୀତି  ଓ  ବ୍ୟବହାରିକ  ପଦ୍ଧତିରେ   ଅବିଚଳ   । ଯେଉଁ  ମୂଳନୀତି  ଉପରେ  ଏହାର  ଭିତ୍ତି  ପ୍ରତିଷ୍ଠିତ, ତାହାକୁ  ଯଥାର୍ଥ  ଭାବରେ  ଉପଲବ୍ଧ  କରିପାରିଲେ   ଜଣାଯିବ  ଯେ  ଏହା  କେତେ  ବୈଶିଷ୍ଟ୍ୟପୂର୍ଣ୍ଣ  ଚିକିତ୍ସା  ପଦ୍ଧତି  (ଏବଂ  ସେ  ପାଇଁ  ହିଁ  ହିତକାରୀ) । ବିଶୁଦ୍ଧଭାବରେ  ଏହାକାଉ  ପ୍ରୟୋଗ  କରିବାକୁ  ହେବ, କାରଣ  ବିଶୁଦ୍ଧତାର  ମାଧ୍ୟମରେ  ଗତାନୁଗତିକ  ଧରାବନ୍ଧା  ବିପରୀତ  ପଥରେ  ଯିବା  ସମ୍ପୂର୍ଣ୍ଣ  ନିଷିଦ୍ଧ   । ଅନ୍ୟଥା  ହୋମିଓପାଥି  ନାମର  ଯଥାର୍ଥତା   ରହେନା   ।

ବିପଥଗାମୀ  କେତେକ  ଚିକିତ୍ସକ  ହୋମିଓପାଥି  ଚିକିତ୍ସକଭାବେ  ପରିଗଣିତ  ହେବାକୁ  ଚାହିଁଲେ  ମଧ୍ୟ  ଏଲୋପାଥିର  କୁପ୍ରଥା  ସବୁକୁ  ହୋମିଓପାଥି  ଚିକିତ୍ସା  ସହିତ  ମିଶାଇ  ଥା’ନ୍ତି   । ନୀତି  ସମ୍ବନ୍ଧରେ  ଅଜ୍ଞତା, ଆଳସ୍ୟ, ରୁଗ୍ନ  ମନୁଷ୍ୟ  ପ୍ରତି  ଅବଜ୍ଞ  ଓ  ହାସ୍ୟାସ୍ପଦ  ଦାମ୍ଭିକତା  ହିଁ  ଏହାର  କାରଣ   । ଏତଦ୍ ବ୍ୟତୀତ  ସେମାନେ  ଯେ  ପ୍ରତ୍ୟକ   ରୋଗୀ  କ୍ଷେତ୍ରରେ  ସର୍ବାକ୍ଷେପ  ଉପଯୋଗୀ  ହୋମିଓପାଥି   ଔଷଧ  ଖୋଜି  ବାହାର  କରିବାର  ଅମାର୍ଜନୀୟ  ଅବହେଳା  ପ୍ରଦର୍ଶନ  କରନ୍ତି, ଲାଭର  ଲାଳସା  କ’ଣ  ତାର  ଭିତ୍ତିଭୂମିର  ଉତ୍ସ  ଓ  ଫଳ  ଲାଭ  ପାଇଁ   କୌଣସି  ଏକ  ହୀନ  ଉଦ୍ଦେଶ୍ୟ  ? ସେମାନେ  ଜରୁରୀ   ଓ  ଗୁରୁତର  ରୋଗସବୁର  ନିରାମୟ   କରିବାକୁ  ଅକ୍ଷମ  (ଯାହାକି  କେବଳ  ଖାଣ୍ଟି  ଓ  ମନଯୋଗୀ  ହୋମିଓପାଥି  ଚିକିତ୍ସକ   କରିବାପାଇଁ   ସମର୍ଥ), ଏବଂ  ସେମାନେ  ତାଙ୍କର  ବହୁ  ରୋଗୀଙ୍କୁ  ଠିକ୍  ସେହି  ଜାଗାକୁ  ପଠାଇ  ଦେଇଥା’ନ୍ତି, ଯେଉଁଠାରୁ  କି  କେହି  କେବେ  ଫେରି  ଆସେନା   । ବନ୍ଧୁଗଣ, ମୃତବ୍ୟକ୍ତି  ପାଇଁ  ଯେତେ  ଯାହା  କରିବାର  କଥା (କ୍ଷତିକର   ଏଲୋପାଥିକ  ପଦ୍ଧତି  ସକଳ  ସହିତ) ସବୁକିଛି  କରାହହୋଇଛି  ବୋଲି  କହି  ନିଜକୁ  ଆଶ୍ଵାସ  ଦେଇଥା’ନ୍ତି   ।

 

‘ଅର୍ଗାନନ୍’ – ଷଷ୍ଠ  ସଂସ୍କରଣ  ମୁଖବନ୍ଧ

ପୁରାତନ  ଚିକିତ୍ସା – ପଦ୍ଧତି  ସମ୍ପର୍କରେ  ସାଧାରଣ  ଭାବରେ  ମତାମତ  ଦେବାକୁ  ଗଲେ, ଏହା  ଲକ୍ଷ  କରିବାର  କଥା  ଯେ, ସେ  ପଦ୍ଧତିରେ, ଆଗରୁ  ଧାରଣା  କରିନେବାକୁ  ହେବ  ଯେ, କେତେବେଳେ  ରକ୍ତର   ଆଧିକ୍ୟ  (ରକ୍ତାଧିକ୍ୟ – ଯାହା  କେବେ  ହେଁ ନ ଥାଏ); କେତେବେଳେ  ଅବା  କୌଣସି  ରୋଗବସ୍ତୁ ଓ  ଦୂଷିତ  ପଦାର୍ଥ  ସବୁ, ରୋଗୀ  ଶରୀର  ମଧ୍ୟରେ  ରହିଯାଇଛି  ଏବଂ  ଏହିସବୁ  କଳ୍ପିତ  ବସ୍ତୁକୁ  (ବମନକାରୀ, ଭେଦକାରୀ, ଘର୍ମକାରକ, ମୂତ୍ର  ନିଃସରକ   ଔଷଧର  ପ୍ରୟୋଗ, ଆକର୍ଷକ  ପଟ୍ଟି  ବା  ଜାରମଉରା  ଇତ୍ୟାଦି  ଲଗାଇ) ଜୀବନ  ଧାରଣ  ପାଇଁ  ଅତ୍ୟାବଶ୍ୟକ  ରକ୍ତର  ମୂଲ୍ୟଦେଇ  କ୍ଷରଣ  କରାଯାଏ  ବା  ସେ  ସବୁକୁ  ପରିଷ୍କାର  କରିବାର  ଚେଷ୍ଟା  କରାହୁଏ, କିମ୍ବା  ଶରୀରର  ଅନ୍ୟ  କୌଣସି  ଅଂଶକୁ  ପରିଚାଳିତ   କରାହୁଏ   । ବିଶ୍ଵାସ, ତଦ୍ଦ୍ଵାରା ରୋଗଟି  ଦୁର୍ବଳ  ହୋଇପଡିବ ଅଥବା  ନିର୍ମୂଳ  ହୋଇଯିବ  । ବସ୍ତୁତଃ  ଏହା  ଫଳରେ, ରୋଗ   ଯନ୍ତ୍ରଣା  ଆହୁରି   ବଢିଯାଏ  ଏବଂ  ଏଭଳି  ଯନ୍ତ୍ରଣାଦାୟକ  ଉପାୟ  ଅବଲମ୍ବନରେ  ରୋଗାରୋଗ୍ୟ   କଳ୍ପେ  ଯେ  ଶକ୍ତି  ଓ  ପୁଷ୍ଟିଦାୟକ  ରସସମୂହ  ଅପରିହାର୍ଯ୍ୟ, ସେ  ସବୁକୁ   ଶରୀର  ମଧ୍ୟରୁ  କାଢି  ନିଆଯାଏ   । ଏହି  ପ୍ରକ୍ରିୟାରେ  ଶକ୍ତିଶାଳୀ  ଔଷଧସମୂହକୁ  ମାତ୍ରାଧିକ୍ୟଦ୍ଵାରା  ଶରୀରର  ବିଭିନ୍ନ   ଯନ୍ତ୍ରସବୁକୁ  ଆକ୍ରମଣ  କରାହୁଏ, ଏବଂ  ସେ  ସବୁକୁ  ଦୀର୍ଘକାଳ  ଧରି  ପୌନଃପୁନିକ   ଭାବରେ  ପ୍ରୟୋଗ  କରାହୁଏ – ଯାହାର  ଦୀର୍ଘସ୍ଥାୟୀ  ଓ  ଭୟଙ୍କର  ଅଜ୍ଞାତ  ପ୍ରତିକ୍ରିୟା  ସୃଷ୍ଟି  ହୋଇଥାଏ  ଶରୀର  ମଧ୍ୟରେ   । ଗୋଟିଏ  ବ୍ୟବସ୍ଥାପତ୍ର  ମଧ୍ୟରେ  ଏହିପରି  କେତେଗୁଡିଏ   ଅଜଣା  ବସ୍ତୁକୁ  ଇଚ୍ଛାକୃତଭାବେ  ମିଶାଇ  ସେ  ସବୁର  ପ୍ରତିକ୍ରିୟାସମୂହକୁ  ଆହୁରି  ଦୁର୍ବୋଧ୍ୟ  କରାଯାଏ  ଏବଂ  ଦୀର୍ଘକାଳଧରି  ଏ  ସବୁର  ପ୍ରୟୋଗ  ଫଳରେ  ଶରୀର  ମଧ୍ୟରେ  ନୂତନ  ଓ  ପ୍ରାୟତଃ  ଦୁଃସାଧ୍ୟ  ଔଷଧଜ  ରୋଗ  ସମୂହର  ସୃଷ୍ଟି  କରାହୁଏ  । ରୋଗୀର  ପ୍ରସନ୍ନତା  ପାଇଁ, ଯେତେବେଳେ  ସୁବିଧା  ମିଳିଲା  ସେତେବେଳେ  ଯଥାଶୀଘ୍ର  ସେହି  ସମସ୍ତ  ଔଷଧକୁ  ପ୍ରୟୋଗ   କରାହୁଏ  ଏବଂ  ସେସବୁର  ବିପରୀତ  କ୍ରିୟା  ଦ୍ଵାରା କିଛି  ସମୟ  ପାଇଁ  ଆପାତଃ  ଉପଶମକାରୀ  ଭାବରେ   ରୋଗକୁ  ଦମନ  କରି  ରଖେ  । କିନ୍ତୁ  ଏହା  ଫଳରେ  ଏ  ସବୁ  ଲକ୍ଷଣ  ପ୍ରତି  ପ୍ରବଣତା   ଆହୁରି   ଅଧିକ  ବଢିଯାଏ   । ଏହି  ପଦ୍ଧତିରେ  ଶରୀରର   ବହିର୍ଭାଗର  ରୋଗସବୁକୁ  କେବଳ   ସ୍ଥାନୀୟ  ଓ  ସ୍ଵତନ୍ତ୍ର  (ମଣିଷର  ସାମଗ୍ରିକ  ସ୍ଥିତି  ଉପରେ   ଯେପରି  ଏହାର  କିଛି  ସମ୍ପର୍କ  ନାହିଁ – ଅନୁବାଦକ) ବୋଲି  ମନେକରି   ବାହ୍ୟ  ପ୍ରଲେପଦ୍ଵାରା  ଦୂରୀଭୂତ  କରାଇ   ଅଯଥା  ଧାରଣା  କରାହୁଏ  ଯେ  ତାହା  ଆରୋଗ୍ୟଲାଭ  କରିଅଛି   । ମାତ୍ର  ତାହାଦ୍ଵାରା  ଅନ୍ତରସ୍ଥ  ରୋଗ, ଶରୀରର  ଅନ୍ୟ  କୌଣସି  ପ୍ରଧାନ  ଓ  ଅଧିକ  ଗୁରୁତ୍ଵପୂର୍ଣ୍ଣ  ଅଂଶରେ   ଆତ୍ମପ୍ରକାଶ  କରିବାକୁ  ବାଧ୍ୟ  ହୁଏ   । ରୋଗ  ଯେତେବେଳେ  ସେ ସବୁରେ   ବଶୀଭୂତ  ନ ହୋଇ  ଆହୁରି  ବୃଦ୍ଧି   ପାଇଥାଏ, ସେତେବେଳେ  ଏହି  ପୁରାତନ  ପନ୍ଥା  ଅନ୍ୟ  କୌଣସି  ରୂପକୁ  ପରିବର୍ତ୍ତନ   କରିବା  ପାଇଁ   ଚେଷ୍ଟା  କରିଥାଏ   । ଅନ୍ୟ  ପନ୍ଥା  ନ ପାଇ  କୌଣସି  ଏକ   ପରିବର୍ତ୍ତନକାରୀ ଔଷଧ, ଯଥା : ଜୀବନୀଧ୍ଵଂସକାରୀ  କାଲୋମେଲ, ପାରଦବିଶେଷ  ଏବଂ  ଅନ୍ୟାନ୍ୟ   ପାରଦଘଟିତ  ଔଷଧ  ବହୁଳମାତ୍ରାରେ  ପ୍ରୟୋଗ   କରିଥା’ନ୍ତି    ।

ଏଥିରୁ  ବୁଝାପଡେ ଯେ  ଏହି  ପୁରାତନ  ଚିକିତ୍ସା  ପଦ୍ଧତିର  ଅପବିତ୍ରକାରୀ  ପ୍ରଧାନ  କାର୍ଯ୍ୟ  ହେଲା, ଅଧିକାଂଶ  ରୋଗକୁ  ମାରାତ୍ମକ  ନ କଲେ  ମଧ୍ୟ  ଅସାଧ୍ୟ  କରିପକାଏ  ଓ  ଅଜ୍ଞାତନତାବଶତଃ  ଯେ  ସବୁ  ରୋଗ  ଦୀର୍ଘସ୍ଥାୟୀହୋଇ  ରହି  ରୋଗୀକୁ  ଦୁର୍ବଳ  କରି  ପକାଇଥାଏ, ଅନବରତ  ଭାବରେ  ଏଭଳି  ଚିକିତ୍ସା  ଦ୍ଵାରା  ତାହା  ସହିତ  ନୂତନ  ଅନିଷ୍ଟକାରୀ  ଔଷଧଯ  ରୋଗ  ସଂଯୋଗ  କରି  ଅଧିକରୁ  ଅଧିକ  ଦୁର୍ବଳ  ଓ  ନିର୍ଯ୍ୟାତିତ   କରିଥାଏ   । ଏହିଭଳି  କ୍ଷତିକର  ପଦ୍ଧତିରେ  ଥରେ  ଅଭ୍ୟସ୍ତ  ହୋଇପଡିଲେ, ବିବେକର  ଦଂଶନ  ଆଉ  ଅନୁଭୂତ  ହୁଏ  ନାଏଚଏନ  ଏବଂ  ଏହା  ଏକ  ଅତ୍ୟନ୍ତ   ସୁବିଧାଜନକ  କାର୍ଯ୍ୟରେ  ପରିଣତ  ହୋଇଯାଏ   ।

ତଥାପି  ଏହି  ପୁରାତନ  ପନ୍ଥାର  ସାଧାରଣ  ଚିକିତ୍ସକମାନେ  ଏ ସବୁ  କ୍ଷତିକର   କାର୍ଯ୍ୟର  ସପକ୍ଷରେ  କାରଣ  ଦର୍ଶାଇ  ଥାଆନ୍ତି, ଯାହାକି  ସେମାନଙ୍କର  ପୋଥିପତ୍ର   ଓ  ଶିକ୍ଷାଗୁରୁମାନଙ୍କର   ପୂର୍ବକଳ୍ପିତ  ସିଦ୍ଧାନ୍ତ  ବା  ଅନ୍ୟ  କେହି  ପ୍ରଖ୍ୟାତ  ପୁରାତନପନ୍ଥୀ  ଚିକିତ୍ସକଙ୍କର  ଦୃଷ୍ଟାନ୍ତ  ଉପରେ  ନିର୍ଭରଶୀଳ   । ଏପରିକି  ସେ  ସବୁ  ସମ୍ପୂର୍ଣ୍ଣ  ବିପରୀତ  ଓ  ନିରର୍ଥକ  ଚିକିତ୍ସାପ୍ରଣାଳୀ   ବୋଲି  ପ୍ରତୀୟମାନ  ହେଲେ  ମଧ୍ୟ  ଏବଂ  ସେହି  ପଦ୍ଧତିରେ  ଏହିସବୁ  ଔଷଧର  ମାରାତ୍ମକ  ପ୍ରତିକ୍ରିୟା  ସମ୍ପର୍କରେ  ଯେତେ  ଉଚ୍ଚସ୍ଵରରେ   ଘୋଷଣା   କରାଯାଉନା  କାହିଁକି, ସେମାନଙ୍କର  ସମର୍ଥନ ଓ ପ୍ରାମାଣିକ  ଦୃଷ୍ଟାନ୍ତ  ଲାଭ  କରାଯାଇ  ଥାଏ  । ତଥାକଥିତ  ଚିକିତ୍ସାପ୍ରଣାଳୀ  ମଧ୍ୟରେ  ବହୁବର୍ଷଧରି  ଅପକର୍ମ  କରିବା  ପରେ, ଏହାର  ଅନିଷ୍ଟକାରୀ  ପ୍ରକୃତିକୁ   ହୃଦୟଙ୍ଗମ   କରି, ଯେତେବେଳେ  ସେହି  ବୃଦ୍ଧ  ଚିକିତ୍ସକ   କାଳକ୍ରମେ  ସନ୍ଦେହମୁକ୍ତ  ହୁଅନ୍ତି, ସେତେବେଳେ  ଅତ୍ୟନ୍ତ  ଗୁରୁତର   ବ୍ୟାଧିସକଳର   ଚିକିତ୍ସାକ୍ଷେତ୍ରରେ   ମଧ୍ୟ  ଲିଚୁର  ସିରପ  ମିଶା  କଦଳୀସିଝା  ପାଣି  ଠାରୁ  ମଧ୍ୟ  ଅଧିକ  ଶକ୍ତିଶାଳୀ  ଔଷଧ  ପ୍ରୟୋଗ  କରନ୍ତି  ନାହିଁ   । ଯାହା  ଫଳରେ  ଖୁବ୍  କମ୍ ସଂଖ୍ୟକ   ରୋଗୀ  କ୍ଷତିଗ୍ରସ୍ତ  ହୁଅନ୍ତି  ଓ  ମହାପ୍ରୟାଣ   ଲାଭ  କରନ୍ତି   ।

ବହୁ  ଶତାବ୍ଦୀ  ଧରି  ଏହି  ଅନାରୋଗ୍ୟକଳା  ସୁଦୃଢଭାବରେ  ପ୍ରତିଷ୍ଠିତ  ହୋଇ, ଆପଣା  ଖିଆଲ  ଓ  ଖୁସିରେ  ରୋଗୀର  ଜୀବନ  ଓ  ମୃତ୍ୟୁକୁ  ପରିଚାଳିତ  କରିବାର  କ୍ଷମତାକୁ   ଅକ୍ତିଆର  କରି  ରଖିଅଛି  ଏବଂ  ଏହି  ସମୟ  ମଧ୍ୟରେ  ମହାବିଧ୍ଵଂସକାରୀ  ଯୁଦ୍ଧ  ଅପେକ୍ଷା  ଅଧିକତର  ରୁଗ୍ନ  ଓ  ଦୁର୍ଦ୍ଦଶାଗ୍ରସ୍ତ  କରିଅଛି   ଏହି  ଏଲୋପାଥି, ଯାହାକି  ମୁଁ  ଏହି  ଗ୍ରନ୍ଥର  ପୂର୍ବ  ସଂସ୍କରଣର  ମୁଖବନ୍ଧମାନଙ୍କରେ  ସବିଶେଷ  ବିଚାରାଲୋଚନା  କରିଅଛି   । ବର୍ତ୍ତମାନ  ମୋ  ଦ୍ଵାରା  ଆବିଷ୍କୃତ  ଏହାର  ସମ୍ପୂର୍ଣ୍ଣ  ବିପରୀତ   ଏକ  ପଦ୍ଧତି, ପ୍ରାୟତଃ  ସମ୍ପୂର୍ଣ୍ଣତା  ଲାଭ  କରିଥିବା  ପ୍ରକୃତ  ଚିକିତ୍ସା- କଳା  ସମ୍ପର୍କରେ  ହିଁ  ବିଚାରାଲୋଚନା  କରିବି   । ଅତୀତରେ  ଯେତେବେଳେ  କୌଣସି  ଆଖିଦୃଶିଆ  ଆରୋଗ୍ୟ   ହୋଇଥାଏ, ତାହା  ସବୁବେଳେ  ହିଁ, ବସ୍ତୁତଃ, ସଦୃଶ  ଔଷଧ  ହେତୁ  ହିଁ  ଘଟିଥାଏ  ଏବଂ ତାହା  ପ୍ରଚଳିତ  ଚିକିତ୍ସା  ପଦ୍ଧତିର  ବିରୁଦ୍ଧାତ୍ମକ  ହେଲେ  ମଧ୍ୟ, ଘଟଣାକ୍ରମେ  ଚିକିତ୍ସକ  ମାନଙ୍କଦ୍ଵାରା  ପର୍ଯ୍ୟବେକ୍ଷିତ  ହୋଇଅଛି   । ଏହାର  ଯଥେଷ୍ଟ  ଦୃଷ୍ଟାନ୍ତ ଏଥିରେ  ସନ୍ନିବେଶ  କରାହୋଇଅଛି ପ୍ରମାଣ  ସ୍ଵରୂପେ  ।  ଶେଷୋକ୍ତ  ପଦ୍ଧତି  ଏହାଠାରୁ  ସମ୍ପୂର୍ଣ୍ଣ  ଭିନ୍ନଧରଣର   । ଏହା  ପ୍ରତ୍ୟକ  ଚିନ୍ତାଶୀଳ  ବ୍ୟକ୍ତିଙ୍କଠାରେ  ସହଜରେ  ବିଶ୍ଵାସ  ଜନ୍ମାଇପାରେ  ଯେ, ମନୁଷ୍ୟର  ରୋଗସମୂହ  କୌଣସି  ବସ୍ତୁ, ଉଗ୍ରପଦାର୍ଥ,  ଯାହାକୁ  କି  ରୋଗର  ଉପାଦାନ   କୁହାଯାଇଥାଏ, ତଦ୍ଦ୍ଵାରା  ଉତ୍ପନ୍ନ  ହୁଏ  ନାହିଁ   । ମାତ୍ର  ତାହା  ହେଉଛି  ଯେଉଁ  ଅତୀନ୍ଦ୍ରିୟ  ଶକ୍ତି  ମାନବ  ଶରୀରକୁ  ସଞ୍ଜୀବିତ   କରି  ରଖେ  ତାହାର  ହିଁ  ଅତୀନ୍ଦ୍ରିୟ  ବିକୃତି   । ହୋମିଓପାଥି  ହିଁ  ଜାଣେ  ଯେ  ସୁନିର୍ବାଚିତ  ଔଷଧର  ପ୍ରୟୋଗ   ଫଳରେ  ଜୀବନୀଶକ୍ତିର  ପ୍ରତିକ୍ରିୟା  ଦ୍ଵାରା  ହିଁ  କେବଳ  ଆରୋଗ୍ୟ  କାର୍ଯ୍ୟ  ଦ୍ରୁତ  ତଥା  ନିଶ୍ଚିତ  ଭାବରେ  ସମାହିତ   ହୋଇଥାଏ   । ସେଥିପାଇଁ  ହୋମିଓପାଥି, ଯେତେସବୁ  ଦୁର୍ବଳତା – ସୃଷ୍ଟିକାରୀ  ଓ ଯନ୍ତ୍ରଣାକାରୀ  ସମସ୍ତ  ପଦାର୍ଥ  ଓ  ବ୍ୟବସ୍ଥାକୁ  ପରିହାର  କରିଥାଏ; କାରଣ, ଯନ୍ତ୍ରଣା  ହିଁ  ଶରୀରର  ଶକ୍ତି  ହ୍ରାସ  କରିଥାଏ   । ସେଥିପାଇଁ  ଏହା  ଆରୋଗ୍ୟ  ସାଧନ  ପାଇଁ  କେବଳ  ସେହି  ସବୁ  ଔଷଧ  ବ୍ୟବହାର  କରେ, ଯାହାର  ସୁସ୍ଥ  ଶରୀରକୁ  ପରିବର୍ତ୍ତନ  ବା  ବିକୃତ  କରିବାର   କ୍ଷମତା  ସମ୍ପର୍କରେ  ତାହାର  ସଠିକ୍  ଜ୍ଞାନ  ଥାଏ   । ଏହିସବୁ  ଔଷଧ  ମଧ୍ୟରୁ  ଏପରି  ଏକ  ଔଷଧ  ନିର୍ବାଚନ  କରେ, ଯାହାର  ରୋଗସୃଷ୍ଟିକାରୀ  ଶକ୍ତି  ପ୍ରାକୃତିକ  ରୋଗକୁ  ସାଦୃଶ୍ୟାନୁସାରେ  ଦୂର  କରିଥାଏ  ଏବଂ  ତାହା  ଅତ୍ୟନ୍ତ  ସ୍ୱଳ୍ପମାତ୍ରାରେ  (ଏତେ  ସ୍ୱଳ୍ପମାତ୍ରାରେ  ପ୍ରୟୋଗ  କରାଯାଏ  ଯେ  ତଦ୍ଦ୍ଵାରା   କୌଣସି  କଷ୍ଟ   ବା  ଦୁର୍ବଳତା  ସୃଷ୍ଟି  ହୁଏ  ନାହିଁ, କେବଳ  ଜୀବନୀଶକ୍ତିର  ପ୍ରତିକ୍ରିୟାର  ସାହାଯ୍ୟରେ  ପ୍ରାକୃତିକ  ରୋଗକୁ  ଦୂର   କରିବାପାଇଁ  ଯଥେଷ୍ଟ   ହୋଇଥାଏ ) ରୋଗୀକୁ  ସାମାନ୍ୟତମ  ଦୁର୍ବଳ ନ କରି, ତାହାର  କ୍ଷତିସାଧନ  ନ କରି, କିମ୍ବା  ତାହାକୁ  କୌଣସି  ପ୍ରକାରର  ନିର୍ଯ୍ୟାତନା ନ ଦେଇ, ପ୍ରାକୃତିକ  ରୋଗର  ଧ୍ଵଂସ   ସାଧନ  କରିଥାଏ   । ଏପରିକି  ରୋଗୀ  ସୁସ୍ଥ  ହେବା  ସଙ୍ଗେ  ସଙ୍ଗେ  ତା’ର  ଶରୀରର  ଶକ୍ତି  ବୃଦ୍ଧି  ଘଟେ  ଓ  ସେ  ଆରୋଗ୍ୟ  ଲାଭ   କରେ   । ଏହି  କାର୍ଯ୍ୟଟି  ବାହାରକୁ   ଖୁବ୍ ସହଜସାଧ୍ୟ  ମନେହେଲେ  ମଧ୍ୟ  ବାସ୍ତବିକ  କିନ୍ତୁ  ଏକ  ହରକତିଆ  ଓ  ଆୟାସପୂର୍ଣ୍ଣ  କାର୍ଯ୍ୟ   । ସେଥିପାଇଁ  ବେଶ୍  ବିଚାରବୁଦ୍ଧିର   ଆବଶ୍ୟକ  ହୁଏ  । ମାତ୍ର  ଏହା  ବିନା  ଯନ୍ତ୍ରଣାରେ, ସ୍ୱଳ୍ପ  ସମୟ  ମଧ୍ୟରେ  ରୋଗୀର  ସମ୍ପୂର୍ଣ୍ଣ  ସ୍ୱାସ୍ଥ୍ୟ  ଫେରାଇ  ଆଣେ   । ସେଥିପାଇଁ  ଏହା  ହେଉଛି  ଏକ  ହିତକର  ଓ  ପବିତ୍ର  ଚିକିତ୍ସା – କଳା   ।

ସୁତରାଂ  ହୋମିଓପାଥି  ଏକ  ସମ୍ପୂର୍ଣ୍ଣ  ଅବିମିଶ୍ରିତ   ଚିକିତ୍ସା – ପଦ୍ଧତି, ଯାହା  ସର୍ବଦା  ତାହାର  ମୂଳନୀତି  ଓ  ବ୍ୟବହାରିକ  ପଦ୍ଧତିରେ  ସମ୍ପୂର୍ଣ୍ଣ  ଅବିଚଳ  । ଯେଉଁ  ମୂଳନୀତି  ଉପରେ  ଏହାର  ଭିତ୍ତି  ପ୍ରତିଷ୍ଠିତ, ତାହାକୁ  ଯଥାର୍ଥରୂପେ  ଉପଲବ୍ଧି  କରିପାରିଲେ  ଏହା  ବୁଝାପଡିବ  ଯେ  ଏହା  ସ୍ଵୟଂସମ୍ପୂର୍ଣ୍ଣ   । ଯାହାର  ବିଧାନ  ଓ  ପ୍ରୟୋଗମାର୍ଗ  ଶୁଦ୍ଧ  ତାହା  ସ୍ଵୟଂ – ପ୍ରକାଶ  । ଡିବା  ଯେପରି  ରାତ୍ରିର   ବିପରୀତ, ସେହିଭଳି  ପୁରାତନପନ୍ଥାର  ସେହି  କ୍ଷତିକର  ଗତାନୁଗତିକ  ପଦ୍ଧତି  ଆଡକୁ  ଆଉଜି  ପଡୁଥିବା  ଲୋକଙ୍କର  ହୋମିଓପାଥିର  ସମ୍ମାନାସ୍ପଦ  ନାମ  ନେଇ  ଗର୍ବ  ନ  କରିବା  ଉଚିତ   ।

‘ଅର୍ଗାନନ୍’ – ପଞ୍ଚମ ଓ ଷଷ୍ଠ ସଂସ୍କରଣର ମୁଖବନ୍ଧ ଉପରେ ଟିପ୍ପଣୀ

ଅର୍ଗାନନ୍ ର  ଚାରୋଟି  ସଂସ୍କରଣ  ପର୍ଯ୍ୟନ୍ତ  ହ୍ୟାନିମାନ  କେବଳ  ପୁରାତନ  ଚିକିତ୍ସା  ପଦ୍ଧତି  ଓ ସେ  ସବୁର  ପରିବର୍ତ୍ତନ  ର  ଆବଶ୍ୟକତା  ଉପରେ  ଜୋର  ଦେଇ  ତାଙ୍କର  ମୁଖବନ୍ଧରେ  ରୋଗର  କାରଣ  ଓ  ସେ  ସବୁର  ନିରାକରଣପାଇଁ  ନୂତନ  ପଥ  ଆବିଷ୍କାରର  ଆବଶ୍ୟକତା  ବା  ସେଥିପାଇଁ  ଅନୁସନ୍ଧାନର  ଆଭିମୁଖ୍ୟ  କ’ଣ  ହେବା  ଉଚିତ, ସେ  ସବୁ  ସମ୍ପର୍କରେ  ଆଲୋଚନା  କରିଅଛନ୍ତି   । ମାତ୍ର  ପଞ୍ଚମ  ଓ  ଷଷ୍ଠ  ସଂସ୍କରଣରେ, ଉପଯୁକ୍ତ  ଉଦ୍ଦେଶ୍ୟରେ  ଆବିଷ୍କୃତ ଏକ  ନୂତନ  ପଦ୍ଧତି  ହୋମିଓପାଥି  ଉପରେ  ହିଁ  ନିଜର  ବଳିଷ୍ଠ   ମତାମତ  ପ୍ରଦାନ  କରିଅଛନ୍ତି   ।

ଲକ୍ଷ୍ୟ  କରିବାର  କଥା, ଏଲୋପାଥି  ଚିକିତ୍ସାର  ଅସାରତା  ବା  ଏହାର  ମନ୍ଦଭାଗଟି  ଉପରେ  ଆଲୋଚନା  କରିବାକୁ  ଯାଇ  ସେ  ଯାହା  କହିଛନ୍ତି  ତାହା  ଆଜି ଏହି  ପଞ୍ଚମ  ସଂସ୍କରଣର ଏକ  ଶତାବ୍ଦୀ  ପରେ  ଉଦ୍ ଘୋଷିତ ସେହି  ପୁରାତନପନ୍ଥୀ  ଚିକିତ୍ସକମାନଙ୍କର  ମତାମତଠାରୁ  କୌଣସି  ଗୁଣରେ  ଭିନ୍ନ  ନୁହେଁ   ।

ହ୍ୟାନିମାନ  ଯେ  ଏକ  ଅତ୍ୟନ୍ତ  ଦୂରଦୃଷ୍ଟିସମ୍ପନ୍ନ   ବ୍ୟକ୍ତି ଏବଂ  ସେ  ଏକଶତ  ବର୍ଷ  ଆଗକୁ  ଚିନ୍ତା  କରିପାରୁଥିଲେ, ତାଙ୍କର  ଏହି  ମୁଖବନ୍ଧ  ହିଁ ତାହାର  ଯଥେଷ୍ଟ ପ୍ରମାଣ   । ଆଜି ‘ଆୟୋଟ୍ରୋଜେନିକ  ଡିଜିଜ’  ବୋଲି  ଯେଉଁ  ଚିତ୍କାର  ଶୁଣାଯାଏ  ସେହି  ଏଲୋପାଥିକ  ଡାକ୍ତରମାନଙ୍କ  ମୁଖରୁ, ଦୀର୍ଘକାଳ  ଆଣ୍ଟିବାଇଓଟିକ   ଏବଂ  ଷ୍ଟିରୟେଡ  ପ୍ରୟୋଗର  ଫଳ ଅସୁମାରି  ରୋଗୀ  ଯେ  ଭୋଗ  କରୁଛନ୍ତି  ଏକ  ସାଧାରଣ  ରୋଗକୁ   ଭଲ  କରିବାକୁ   ଯାଇ, ତାହା  ଏହି  ମୁଖବନ୍ଧର  ଏକ  ପ୍ରତିଧ୍ୱନି  ମାତ୍ର   । ଆୟାଟ୍ରୋଜେନିକ  ରୋଗ  ବା  ଡାକ୍ତରଙ୍କ  ଦ୍ଵାରା  ସୃଷ୍ଟ  ରୋଗ  ଆଉ  କ’ଣ   ହୋଇପାରେ  ହ୍ୟାନିମାନଙ୍କ  ଉକ୍ତ  ‘ଡ୍ରଗ୍ ଡିଜିଜ’  ବ  ଔଷଧଜ  ରୋଗ  ଛଡା  ? ଏହାର  ମାରାତ୍ମକତା, ଅସାଧ୍ୟତା  ଓ  ସ୍ଥାୟିତ୍ଵ   ସମ୍ପର୍କରେ  କ’ଣ  ଆଉ  କିଛି ନୂତନ   ଅଭିଜ୍ଞତା  ଆଜିଦିନରେ  ମିଳିପାରିବ   ?

ଏକଜିମା, ହାରପିସ  ଇତ୍ୟାଦିକୁ  ସ୍ଥାନୀୟ  ଚର୍ମରୋଗ  ବୋଲି  ଧରିନେଇ  ତାହାର  ଅପସାରଣ  ନିମନ୍ତେ  ଯେ  ସବୁ  ବ୍ୟବସ୍ଥା, ତା’ର  ପ୍ରତିଦାନରେ  ଆମେ  ଶ୍ଵାସରୋଗଠାରୁ  ଆରମ୍ଭକରି  ଦୁରନ୍ତ  ସ୍ନାୟବିକ  ବ୍ୟଥା  ପର୍ଯ୍ୟନ୍ତ  ଯେ  କେତେ  ପ୍ରକାରର  କଷ୍ଟ  ଭୋଗ  କରୁଅଛୁ  ତାହାର  କ’ଣ  ପ୍ରମାଣ  ଅଭାବ ? ସ୍ଥାନୀୟ  ରୋଗ  ବୋଲି  ଧରିନେଇ  ଅନିୟମିତତା  ଅତିରଜ  ପାଇଁ  ଜରାୟୁର  ଅପସାରଣରେ  ମହିଳାମାନେ  ସମସ୍ତ  ଜୀବନ  କାଳରେ  ଅସାଧ୍ୟ   ସ୍ନାୟବିକ  ରୋଗରେ  ଛଟପଟ   କରି  ତାଙ୍କର  ସଂସାରକୁ  ଯେ  ଅତ୍ୟନ୍ତ  ଅସୁଖୀ  କରି  ବସୁଛନ୍ତି  ତାହା  କ’ଣ  ଚିକିତ୍ସକ  ଜୀବନରେ  ଏକ  ଦୈନନ୍ଦିନ  ସମସ୍ୟା  ହୋଇ  ଆଜି  ଆସି  ନାହିଁ   ?

ମନୁଷ୍ୟର  ପ୍ରତ୍ୟକ  ଅଙ୍ଗର  କାର୍ଯ୍ୟ  ଅଲଗା  ଅଲଗା  ହେଲେ  ମଧ୍ୟ  ତାହାର  ଏକ ସାମଗ୍ରିକ  ସମନ୍ଵିତ  ସମ୍ପର୍କ  ଉପରେ  ରହିଛି  ଓ  ଏହାର  ବ୍ୟତିକ୍ରମରେ  ଯେ  ଶରୀର  ତା’ର  କାର୍ଯ୍ୟକ୍ଷମତା  ଓ  ଭାରସାମ୍ୟ  ହରାଇ  ବସେ, ତାହା  କ’ଣ  ଆମେ  ଶରୀର   ବିଜ୍ଞାନରୁ  ଶିକ୍ଷା  ଲାଭ  କରି  ନାହୁଁ   ? ରୋଗ  ଯେ  ଏହି  ଭାରସାମ୍ୟର  ଅଭାବ  ହେତୁ  ଘଟେ  ଏହା  କ’ଣ  କୌଣସି  ଚିକିତ୍ସକର  ଅଭିଜ୍ଞତା  ମଧ୍ୟରେ  ଆସେ  ନାହିଁ   ?ଶରୀରସ୍ଥ  ଯନ୍ତ୍ରମାନଙ୍କର  ସନ୍ତୁଳନତା  ଯେ  ରକ୍ଷାକରେ  କେବଳ  ତାହାରି  ବିକୃତିରୁ  ହିଁ  ଏହି  ଭାରସାମ୍ୟ  ନଷ୍ଟ  ହୋଇଥାଏ  ଏବଂ  ସେଥିପାଇଁ  ଏହି  ବିକୃତିକୁ  ସଜାଡିବା  ହିଁ  ଚିକିତ୍ସକର  ପ୍ରଧାନ  କର୍ତ୍ତବ୍ୟ  ବୋଲି  ହ୍ୟାନିମାନ  ଏହିସବୁ  ମୁଖବନ୍ଧରେ  ଗୁରୁତ୍ଵ   ଆରୋପ  କରିଅଛନ୍ତି   ।

ଯେହେତୁ  ଏହି  ସନ୍ତୁଳନ  ରକ୍ଷାକାରୀ   ଏକ  ଅତୀନ୍ଦ୍ରିୟବସ୍ତୁ, ତାହାକୁ  ସଜାଡିବାକୁ  ହେଲେ  ବା  ତାହା  ଉପରେ କୌଣସି  ପ୍ରଭାବ  ପକାଇବାକୁ  ହେଲେ  ଅନ୍ୟଏକ  ଅତୀନ୍ଦ୍ରିୟ  ଶକ୍ତିର ହିଁ  ଆବଶ୍ୟକତା  ରହିଛି   । ମନୁଷ୍ୟ  ଶରୀର  ମଧ୍ୟରେ  ଯେପରି  ଏହି  ଅତୀନ୍ଦ୍ରିୟ  ବସ୍ତୁଟି  ଶରୀରର  ସମସ୍ତ  ଯନ୍ତ୍ରକୁ  ଏକ  ସନ୍ତୁଳନ  ଅବସ୍ଥାରେ   କାର୍ଯ୍ୟକ୍ଷମ କରାଇଥାଏ, ସେହିପରି  ସଂସାରର  ସମସ୍ତ  ବସ୍ତୁ  ମଧ୍ୟରେ  ଏହିପରି  ଏକ  ଅତୀନ୍ଦ୍ରିୟ  ଶକ୍ତି  ସେହି  ବସ୍ତୁର  ଏକକତ୍ଵକୁ  ରକ୍ଷା  କରୁଅଛି    । ତେଣୁକରି  ମନୁଷ୍ୟ  ଶରୀରର  ଏହି  ଅତୀନ୍ଦ୍ରିୟ  ବସ୍ତୁଟିର  ସ୍ଵାଭାବିକତା  ପାଇଁ, ତା’ର   ବିକୃତିରୁ  ତାକୁ  ରକ୍ଷା  କରିବା  ପାଇଁ, ଅନ୍ୟ  ଏକ  ଅତୀନ୍ଦ୍ରିୟ  ବସ୍ତୁର  ଆବଶ୍ୟକତା  ରହିଅଛି  ଏହା  ଅନସ୍ଵୀକାର୍ଯ୍ୟ   । ଏହି  ଜ୍ଞାନକୁ  ହିଁ ସମସ୍ତେ  ବ୍ୟବହାର  କରିଥା’ନ୍ତି   । ନଚେତ୍  ଏଭଳି  କେତେକ  ବସ୍ତୁଦ୍ଵାରା  ରୋଗ  ଆରୋଗ୍ୟର  କଳ୍ପନା  ମଧ୍ୟ  କରାଯାଇ  ପାରନ୍ତା   ନାହିଁ   ।

ମାତ୍ର  ଏହାର  ପ୍ରୟୋଗର  ଧାରା  ବା  ପଦ୍ଧତି  ହିଁ  ସବୁଠାରୁ  ବେଶି  ନିୟାମକ   । ଶରୀରର  ଗଠନ, ବୃଦ୍ଧି  ବା  ସ୍ଥାୟିତ୍ଵ  ପାଇଁ  ଆମେ  ଯେତେସବୁ  ସ୍ଥୂଳରୂପୀ  ଖାଦ୍ୟ  ଭକ୍ଷଣ  କରିଥାଉ, ତାହା  କ’ଣ  ସେହି  ସ୍ଥୂଳରୂପରେ  ଶରୀର  ମଧ୍ୟରେ  ବିନିଯୁକ୍ତ   ହୋଇଥାଏ  ? ତାହାକୁ  ସବୁ  ସୂକ୍ଷ୍ମକରଣ   କରି  ଶରୀରର  ଉପଯୁକ୍ତ  କାର୍ଯ୍ୟପାଇଁ  ଉପଯୁକ୍ତ  କରିବା  ଲାଗି  ଶରୀରର  କ’ଣ  କୌଣସି  ଶକ୍ତି  ଅପଚୟ  ହୁଏ  ନାହିଁ  ? ଯଦି  ଏହା  ସତ୍ୟ, ତାହାହେଲେ   ରୋଗାବସ୍ଥାରେ  ସ୍ଥୂଳମାତ୍ରାର  ଔଷଧ  ପ୍ରୟୋଗ  ଦ୍ଵାରା, ସେ  ଅବସ୍ଥାରେ  ଅତ୍ୟନ୍ତ  ଭାରାକ୍ରାନ୍ତ   ଶାରୀରିକ  ଯନ୍ତ୍ର  ସକଳ  ଉପରେ  ଏହି  ଭେଷଜ  ଦ୍ରବ୍ୟସବୁର  କି  ପ୍ରଭାବ  ପଡିବ   ? କେତେ  ଶକ୍ତିର  ଅପଚୟ  ନ  ହେବ  ? କେତେ  ଷ୍ଟ୍ରେନ ନ ପଡିବ  ସେହି  ରୋଗଦ୍ଵାରା  ଭାରାକ୍ରାନ୍ତ  ଶରୀରର   ଯନ୍ତ୍ରସକଳ  ଉପରେ  ?

ପୁନଶ୍ଚ, କୌଣସି  ଏକ  ବସ୍ତୁ  ଉପରେ  ପ୍ରଭାବ  ବିସ୍ତାର  ପାଇଁ  ଯଦି  ବିଭିନ୍ନ  ଦିଗରୁ  ଏକକାଳୀନ  କାର୍ଯ୍ୟାରମ୍ଭ  ହୁଏ  ତାହାହେଲେ  ତାହାର  ପ୍ରତିରୋଧ  ଶକ୍ତି  ଯେ  କେତେଶୀଘ୍ର  ଅପଚୟ  ହୁଏ  ତାହା  ମଧ୍ୟ  ବିଚାରଯୋଗ୍ୟ   । ଯାହାର  ଶକ୍ତି  ସଂରକ୍ଷଣରେ  ଶରୀରର  ଭାରସାମ୍ୟ  ସନ୍ତୁଳିତ  ଅବସ୍ଥାରେ  ରହିବାର  କଥା  ତାହାର  ଅପଚୟରେ  ସନ୍ତୁଳିତ ଠିକ୍ ରହିବ ତ ?  ଏହା  ହିଁ  ହେଉଛି  ଏହି  ମୁଖବନ୍ଧମାନଙ୍କରେ  ଉଠାହୋଇଥିବା  ହ୍ୟାନିମାନଙ୍କର  ପ୍ରଶ୍ନ   ।

କ୍ଷତର  ଆରୋଗ୍ୟ  ଓ  ପ୍ରଦାହ  ସମ୍ପର୍କରେ  ଆମର  ଶରୀରତାତ୍ତ୍ଵିକ  ତଥା  ବୈକାରିକୀତତ୍ତ୍ଵ  ସମ୍ପର୍କିତ  ଯେ  ଜ୍ଞାନ, ସେଥିରୁ  କ’ଣ  ଆମେ  ଜାଣୁ  ନାହୁଁ  ଯେ, କୌଣସି  କ୍ଷୟକ୍ଷତିର  ଆରୋଗ୍ୟ  ପାଇଁ  ଶରୀରକୁ  କେତେ  ଶକ୍ତିର  ଅପଚୟ   କରିବାକୁ  ପଡିଥାଏ  ? ଶକ୍ତିର  ଅପଚୟରେ  କିପରି  ଦୁର୍ବଳତା  ଓ  ଅବସନ୍ନତା  ଆନୁପାତିକ   ଭାବରେ  ଆସିଥାଏ  ତାହା  ଆମ  ସମସ୍ତଙ୍କର  ଅଭିଜ୍ଞତାର  କଥା   । ଏହି  ପ୍ରାକୃତିକ  ନିୟମକୁ   ରୋଗୀ  ଚିକିତ୍ସା  କାଳରେ  ସହାନୁଭୂତିର  ସହିତ  ବିଚାର  କରିବାକୁ  ହେବ, ଏହି  ମାନବିକତାର  ପ୍ରଶ୍ନ  ହ୍ୟାନିମାନ  ତାଙ୍କର  ଏହି  ମୁଖବନ୍ଧମାନଙ୍କରେ  ଅତ୍ୟନ୍ତ  ହୃଦୟଗ୍ରାହୀତାର  ଭାଷାର  ପ୍ରକାଶ  କରିଅଛନ୍ତି   ।

ଏ  ସମ୍ପର୍କରେ  ଏଠାରେ  ଏକ  ମୌଳିକ  କଥା  ପ୍ରତି  ସ୍ଵତଃ  ଦୃଷ୍ଟି  ଆକର୍ଷିତ  ହୋଇଥାଏ   ।  କ୍ରିୟା  ଓ  ପ୍ରତିକ୍ରିୟା  ସମ୍ପର୍କିତ  ନିୟମ  ଏକ  ପ୍ରାକୃତିକ  ନିୟମ  ଓ  ଚିରନ୍ତନୀ  ସତ୍ୟ   । ପ୍ରତ୍ୟକ  କାର୍ଯ୍ୟର  ଏକ  ପ୍ରାଥମିକ  କ୍ରିୟା  ଓ  ତା’ପରେ  ତାହାର  ପ୍ରତିକ୍ରିୟା  ସବୁକ୍ଷେତ୍ରରେ  ଦେଖାଯାଏ   । ଔଷଧ  ପ୍ରୟୋଗ  ପରେ  ଶରୀର  ଉପରେ  ଔଷଧ  ତାହାର  ପ୍ରାଥମିକ  କ୍ରିୟା  ପ୍ରକାଶ  କରିଥାଏ   ଓ  ତାହାପରେ  ତାହାର  ପ୍ରତିକ୍ରିୟା  ଦେଖାଯାଏ   । କୌଣସି  ଉତ୍ତେଜନା  ପାନୀୟ  ପରେ  ଯେଉଁ  ପ୍ରାଥମିକ  ଉତ୍ତେଜନା  ପ୍ରକାଶ  ପାଏ  ତାହାପରେ  ଆନୁପାତିକ   ଭାବରେ  ଅବସନ୍ନତା   ଘାରିଥାଏ, ଏହା  ଏକ  ନୀତିଦିନିଆ  ଦୃଷ୍ଟାନ୍ତ  ଆମ  ଆଗରେ   । ତେଣୁ, ସ୍ଥୂଳ  ଔଷଧର  ପ୍ରୟୋଗ  ପରେ  ତାହାର  ପ୍ରାଥମିକ  କ୍ରିୟା  ଯେତେ  ସମୟ  ଧରି  ଚାଲିବ  ତା’ର   ପ୍ରତିକ୍ରିୟା  ମଧ୍ୟ  ଆନୁପାତିକ  ଭାବରେ  ସେତିକି  ସମୟ  ଧରି  ରହିବ, କାରଣ  ‘କ୍ରିୟା  ଓ  ପ୍ରତିକ୍ରିୟା  ସର୍ବଦା  ସମାନ  ଓ  ବିପରୀତମୁଖୀ’ । ଔଷଧର  କ୍ରିୟା ଯଦି  ରୋଗ  ଲକ୍ଷଣର  ବିପରୀତ  ହୁଏ  ତାହାହେଲେ ଏହାର ପ୍ରତିକ୍ରିୟା  ରୋଗଲକ୍ଷଣର  ଅନୁରୂପ  ହେବ  । ଠିକ୍  ସେହିପରି  ଔଷଧର  କ୍ରିୟା  ଯଦି  ରୋଗର  ଅନୁରୂପ ହୁଏ, ପ୍ରତିକ୍ରିୟା  ବିପରୀତ ମୁଖୀ  ନିଶ୍ଚୟ  ହେବ   । ରୋଗାବସ୍ଥାରେ  ଶରୀରର  ପ୍ରତିରୋଧ  ଶକ୍ତିର  କ୍ରିୟା  ରୋଗର  ବିପରୀତ  ମୁଖୀ   । ତେଣୁ,  ଔଷଧର  କ୍ରିୟା  ଯଦି  ରୋଗର   ଅନୁରୂପ  ହୁଏ  ଏବଂ  ପ୍ରତିକ୍ରିୟା   ବିପରୀତ  ମୁଖୀ  ହୁଏ  ତାହାହେଲେ  ଏହା  ରୋଗପ୍ରତିରୋଧକ  ଶକ୍ତିର   କାର୍ଯ୍ୟର  ଅନୁରୂପ  ହେବ, ଏବଂ  ତାହାକୁ  ସାହାଯ୍ୟ  କରିବ, ଯଦି  ଭେଷଜ  ଦ୍ରବ୍ୟର  ମାତ୍ରା  ସୂକ୍ଷ୍ମ  ହୁଏ  (ପ୍ରାଥମିକ – କ୍ରିୟାରେ  ରୋଗର   ସାମୟିକ  ବୃଦ୍ଧି   ରୋଗ  ପ୍ରତିରୋଧକ   ଶକ୍ତିକୁ  ଆହୁରି  ଶକ୍ତିଶାଳୀ  କରେ)  । ପ୍ରାଥମିକ – କ୍ରିୟା  ଯଦି  ବିପରୀତମୁଖୀ  ଓ  ବହୁ  କ୍ଷଣସ୍ଥାୟୀ  ହୁଏ  ତାହାହେଲେ  ଏହାର  ବିପରୀତାବସ୍ଥା  ହିଁ  ଘଟିବ  ଓ  ରୋଗୀର ଶକ୍ତି  ଅପଚୟ  ବିଶେଷ  ହେବ   । ଏହା  ଯଦି  ଏକକ  ଔଷଧର  ବ୍ୟବହାରର  ଫଳ  ହୁଏ  ତାହାହେଲେ ଏକକାଳୀନ  ବହୁ  ଔଷଧର  ଫଳ  ସ୍ଵତଃ   ଅନୁମେୟ   ।

ତେଣୁ  ଚିକିତ୍ସାକଳା  ଶରୀରର   ଶକ୍ତି  ସଞ୍ଚୟ  ତଥା  ହେବା  ଉଚିତ, ତାହାକୁ  ଅଧିକ  ଦୁର୍ବଳ  ଓ  ଯନ୍ତ୍ରଣାଜର୍ଜରିତ  କରିବା  ପାଇଁ  ନୁହେଁ   । ଏହି  ମୁଖବନ୍ଧ  ଲେଖିଲାବେଳେ   ରୋଗୀପ୍ରତି  ହ୍ୟାନିମାନଙ୍କର  ସମ୍ବେଦନଶୀଳତା  ଏତେମାତ୍ରାରେ  ଆବେଗମାୟା  ହୋଇଉଠିଛି  ଯେ, ସେ  ଚିକିତ୍ସା  ସମୟରେ  ରୋଗୀ  ଶରୀରରୁ  ଏକ  ବୁନ୍ଦା  ରକ୍ତ  କ୍ଷରଣକୁ  ମଧ୍ୟ  ନିଷେଧ  କରିଅଛନ୍ତି    । ରକ୍ତ ହେଉଛି   ଶରୀରର  ରୋଗ   ନିରୋଧ   ଶକ୍ତିର  ବାହକ  । ଏହାର   କ୍ଷରଣରେ  ଶରୀର  ଆନୁପାତିକ  ଭାବରେ  ସେ  ଶକ୍ତିର  ଅଭାବରେ   ପଡେ   । ସାମାନ୍ୟ  ରକ୍ତର  କ୍ଷରଣରେ  ମଧ୍ୟ  କେତେକ  ତନ୍ତୁ  ଏବଂ  କୋଷର  କ୍ଷୟକ୍ଷତି  ଘଟିଥାଏ   ଏବଂ  ସେହି  କ୍ଷୟକ୍ଷତିର  ପୂରଣ  କରିବା  ପାଇଁ  ଶରୀରରେ   କିଛି  ଶକ୍ତିର   ଅପଚୟ  ଘଟେ, ଯାହାକି   ରୋଗାବସ୍ଥାରେ  କଦାଚିତ୍  ସ୍ପୃହଣୀୟ  ନୁହେଁ   । ଅଲିଅଳ  ସନ୍ତାନର   ଚିକିତ୍ସା  ପାଇଁ  ଯୋଗାଡ   ହୋଇଥିବା  ଅର୍ଥ  ଯଦି   ନିସ୍ତବ୍ଧ  ରାତ୍ରିରେ  ଡକାୟତି  ହୋଇଯାଏ, ତାହାହେଲେ  ସେ  ପରିବାରର  ମୁଖ୍ୟଙ୍କ  ଅବସ୍ଥା  କିପରି  ହେବ  ? ତାହା  ହିଁ  ଏଭଳି  ଚିକିତ୍ସାର   ସେସ  ପରିଣତି   ରୋଗୀର  ଶରୀର  ଉପରେ   । ତେଣୁକରି  ହ୍ୟାନିମାନ  ତାଙ୍କର  ଏହି  ମୁଖବନ୍ଧମାନଙ୍କରେ  ଏଅଗ  ଚିକିତ୍ସାପାଇଁ  ସାମଗ୍ରିକ – ଏକକତ୍ଵ ଉପରେ  ହିଁ  ଗୁରୁତ୍ଵ  ଆରୋପ  କରିଅଛନ୍ତି, କାରଣ  ସୁସ୍ଥାବସ୍ଥା  ହେଉଛି  ଦେହୀର  ଏକ  ସାମଗ୍ରିକ  ସନ୍ତୁଳିତ   ଅବସ୍ଥା   । ସେଥିପାଇଁ  ଏହି  ସାମଗ୍ରିକତାର  ବିରୁଦ୍ଧାଚରଣ   କରୁଥିବା  ଯେ  କୌଣସି  ଚିକିତ୍ସା  ପଦ୍ଧତି  ଏକ  ପବିତ୍ର  କର୍ମର  ବିପରୀତ  ଛଡା  ଅନ୍ୟକିଛି   ହୋଇପାରେନା  ତାଙ୍କ  ମତରେ   ।

ଏହି  ସବୁ  କଥା  କହିବାକୁ  ଯାଇ  ଯେ  ସବୁ  ସମାଲୋଚନା  ସେ  କରିଯାଇ  ଅଛନ୍ତି, ସେଥିରୁ  ସେ  ନିଜକୁ  ମଧ୍ୟ  ମୁକ୍ତ  କରି  ନାହାନ୍ତି   ଏବଂ ଏକଦା  ସେ  ଯେ  ଏହି  ଅନିଷ୍ଟକାରୀ  ପନ୍ଥାର   ଉପଦେଷ୍ଟାଭାବରେ  କାର୍ଯ୍ୟ  କରିଛନ୍ତି, ସେଥିପାଇଁ   ନିଜେ  ଦୁଃଖ  ପ୍ରକାଶ  କରିଅଛନ୍ତି  । କୌଣସି  ଏକ କାର୍ଯ୍ୟ  କରିବାକୁ  ହେଲେ  ପ୍ରତ୍ୟକ  ସ୍ତରରେ  ନିଜର  କାର୍ଯ୍ୟକୁ  ମଧ୍ୟ  ପର୍ଯ୍ୟାଲୋଚନା  କରିବାର  ଆବଶ୍ୟକତା  ରହିଛି ହ୍ୟାନିମାନଙ୍କର  ଏଭଳି  ସ୍ଵୀକାରୋକ୍ତି   ସବୁଠାରୁ  ବେଶି  ଶିକ୍ଷାପ୍ରଦ   ।

ବର୍ତ୍ତମାନ  ଆସନ୍ତୁ, ଆମେ   ସମସ୍ତେ  ଆମର  କାର୍ଯ୍ୟସବୁକୁ  ସମୀକ୍ଷା  କରିବା, ପର୍ଯ୍ୟାଲୋଚନା  କରିବା  ଓ  ଯାହା  ଉଚିତ  ତାହା  ହିଁ  କରିବା  ଏବଂ ଏହାରି  ପୃଷ୍ଠଭୂମି  ଉପରେ ‘ଅର୍ଗାନନ୍  ଅଫ  ମେଡ଼ିସିନ୍’ ଗ୍ରନ୍ଥରୁ  ଜ୍ଞାନ  ଆହରଣ  କରିବା   ।

ସଂଗୃହୀତ – ଡାକ୍ତର କମଳାକାନ୍ତ  କର

Last Modified : 1/28/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate