ସେଆର କରନ୍ତୁ

‘ବ୍ୟାଧି’ର ଆଧ୍ୟାତ୍ମିକ ବିଶ୍ଳେଷଣ

‘ବ୍ୟାଧି’ର ଆଧ୍ୟାତ୍ମିକ ବିଶ୍ଳେଷଣ ର ସୂଚନା

ଉପକ୍ରମ

ମାନସିକ  ଶାନ୍ତି, ପ୍ରଫୁଲ୍ଲତା  ବା  ସ୍ଫର୍ତ୍ତି  ଯାହା  କୁହା  ଯାଉନା  କାହିଁକି, ତାହା  ଶାରୀରିକ  ସୁସ୍ଥତାର  ଏକ  ନିଖୁଣ  ପରିମାପକ   । ଯେ  ଯେତିକି  ମାତ୍ରାରେ ତୃପ୍ତ  ସେ  ସେତିକି  ମାତ୍ରାରେ  ବ୍ୟାଧିରହିତ   ।

ବ୍ୟାଧିର  ଅର୍ଥ  ମାନସିକ  ଓ  ଶାରୀରିକ   କାର୍ଯ୍ୟକଳାପର ଏକ ବିଶୃଙ୍ଖଳ  ଅବସ୍ଥା  । ହୁଏତ  ଏହି  ବିଶୃଙ୍ଖଳ  ମାନସିକ  ସ୍ତରରେ  ହୋଇପାରେ  ବା  ଶାରୀରିକ  ସ୍ତରରେ  ହୋଇପାରେ   । ମାତ୍ର  ଜନସାଧାରଣରେ  ଏହା  ଏକ  ବଦ୍ଧଧାରଣା, ଯେଉଁ  ଅବସ୍ଥାର  ବ୍ୟାଧି  ହେଉନା  କାହିଁକି  ତାହା  ଯଦି  ବାହ୍ୟସ୍ତର  ବା  ଶାରୀରିକ ସ୍ତରରେ  ବିକାଶ  ପ୍ରାପ୍ତ  ନ  ହୋଇଛି  ତାହା  କେବେହେଲେ  ବ୍ୟାଧିନୁହେଁ  । ମନେ  କରାଯାଉ  ପାଗଳାମି ; ଏହା  ଏକ  ମାନସିକ  ସ୍ତରର  ବିଶୃଙ୍ଖଳା  ଏବଂ  ତାହା  କେବଳ  ବାହ୍ୟ  ସ୍ତରର  ପ୍ରଳାପ  ଓ  ଭୟଙ୍କର  କାର୍ଯ୍ୟକଳାପ  ଦ୍ଵାରା  ବିକଶିତ  ହେଉଥିବାରୁ  ଆମେ  ତାହାକୁ  ‘ବ୍ୟାଧି’ ଏହି  ଶିରୋନାମା  ତଳେ  ସ୍ଥାନ  ଦେଉଅଛୁ  ।

ତାହାହେଲେ   ଲୋକ  ଦୃଷ୍ଟିକୁ   ଆସିଲା  ଭଳି  କୌଣସି  ଏକ ବିପର୍ଯ୍ୟସ୍ତ ମାନବିକ  କାର୍ଯ୍ୟକଳାପକୁ  ବାଦ  ଦେଲେ  ବ୍ୟାଧି  ବା  ରୋଗର  ସ୍ଥାନ  ଜୀବ  ଜଗତରେ  ନାହିଁ ?

ମନେ  କରାଯାଉ, ଜଣେ  ସବଳ, ସୁଗଠନ  ପୁରୁଷ, କୌଣସି  ଦିନ  ନିଜର  ଶାରୀରିକ ଅସୁସ୍ଥତାର  କାରଣ  ନେଇ  କେଉଁ  ଭେଷଜ – ଗୁଣଜ୍ଞଙ୍କ  ନିକଟରେ  ଶରଣାପନ୍ନ  ହୋଇ  ନାହାନ୍ତି, ତେବେ  ଆମ୍ଭେ  ସେ  ବ୍ୟକ୍ତିଙ୍କୁ   ନିଶ୍ଚୟ  ସୁସ୍ଥ  ବା  ବ୍ୟାଧି  ରହିତ  କହିବା, ଯଦିଓ  ସେ  ଜଣେ  ହିଂସୁକ, ପରାଧନାଶାୟୀ  ଓ  କୁଟୀଳ, କାରଣ  ତାଙ୍କର  ସେ  ଭଳି  କୌଣସି  ତଥାକଥିତ  ପାଗଳାମି  ନାହିଁ   ।

କିନ୍ତୁ  ସେ  ଭଳି  ବ୍ୟକ୍ତିଙ୍କୁ  କେବେହେଲେ  ପ୍ରକୃତ  ସୁସ୍ଥ  ବ୍ୟକ୍ତି  ବୋଲି  କୁହାଯାଇ  ନପାରେ  । ଯଦିଓ  ଶାରୀରିକ  ସ୍ତରରେ  ସେ  ବ୍ୟାଧିଗ୍ରସ୍ତ  ନୁହନ୍ତି, ସେ  ମାନସିକ  ସ୍ତରରେ  ବ୍ୟାଧିଗ୍ରସ୍ତ  । ତାହାହେଲେ  ତାଙ୍କର  ପାଗଳାମି  କାହିଁ  ? ମନ-  ସ୍ତରରେ   ବ୍ୟାଧିଗ୍ରସ୍ତ  ହେଲେ  ପାଗଳାମି  ରହିବାର  କଥା, ଏକଥା  ସତ୍ୟ  । ଏହି  ସ୍ଥଳରେ  ସେହି  ହିଂସୁକ  ପ୍ରକୃତି, ପରଧନ  ପ୍ରତି  ଆଶା  ଇତ୍ୟାଦି  ପାଗଳାମି   । ପାଗଳ  ପଣ  ହେଉଛି  ସୁସ୍ଥତାର  ଏକ  ବିକାର  ।  ସୁସ୍ଥମନ  ମଧ୍ୟରେ  କେବେହେଲେ  ଏତାଦୃଶ  ମଳିନତାର  ବିକାଶ  ଘଟିନପାରେ  । ମନେ  କରାଯାଉ  ଏକ  ଦର୍ପଣ, ତାହା  ସେତେବେଳେ  ପର୍ଯ୍ୟନ୍ତ  ଏକ  ସ୍ଵଚ୍ଛ  ପ୍ରତିବିମ୍ବ  ଦେବାକୁ  ସକ୍ଷମ  ହେବ, ଯେତେବେଳେ  ପର୍ଯ୍ୟନ୍ତ  ତାହା  ଅମଳିନ  ଅଛି  ବା  ସୁସ୍ଥଅଛି   । ଏକ  ପରିଷ୍କାର  ନିର୍ମଳ  ଦର୍ପଣରେ  କେବଳ  ଏକ  ନିର୍ମଳ  ପ୍ରତିବିମ୍ବ  ଛଡା  ଅନ୍ୟ  କ’ଣ  ମିଳିପାରେ  ? କିନ୍ତୁ  ମନୁଷ୍ୟର  ଏତାଦୃଶ  ପ୍ରକୃତିକୁ  ଆମେ  ପାଗଳାମି  କହିନଥାଉ, କାରଣ  ତା’ର  କୌଣସି  ଅଭାସ  ଆମେ  ବ୍ୟାବଚ୍ଛେଦରେ, ସ୍ନାୟୁ  ମଣ୍ଡଳରେ  ପାଇ  ନଥାଉ   । ବ୍ୟବଚ୍ଛେଦରେ  ଆମେ  କେବଳ  ମରୁତ  ଶରୀରର  ଅଙ୍ଗାଦି  ଦେଖୁ, ବା  ପରୀକ୍ଷା  କରୁ, ସେଥିରେ  ପ୍ରକୃତ  ରୋଗଲକ୍ଷଣ   ମିଳିବ  କାହୁଁ ? ରୋଗୀ  ନିକଟରେ   ସିନା  ରୋଗର  ଲକ୍ଷଣ  ମିଳିବ  ।

ଅସୁସ୍ଥତା  ଅନ୍ୟ  ଦୃଷ୍ଟିକୋଣରୁ  ବିଚାର  କଲେ  ଅଶାନ୍ତିକୁ ହିଁ ବୁଝାଇବ   । ଦେହୀ  ଯେତେବେଳେ  କୌଣସି  ଏକ  ବ୍ୟାଧିରେ  ଯନ୍ତ୍ରଣା  ଭୋଗ  କରେ, ସେତେବେଳେ  ତା’ର  ଶାନ୍ତି  ବି ନଷ୍ଟ  ହୁଏ, ସେ  ଶାନ୍ତି  ପାଇଁ  ଆକୁଳ  ହୁଏ   । ଏହି  ଶାନ୍ତି   ପାଇଁ   ଯେ  ଆକୁଳତା , ଏହିଟା  ହିଁ  ପ୍ରକୃତ  ବ୍ୟାଧିର  ଲକ୍ଷଣ   । ତେଣୁ  ସେ  ଯେଉଁ  ତଥାକଥିତ   ସୁସ୍ଥ  ବ୍ୟକ୍ତି  ତାଙ୍କର   ଶାନ୍ତି  କେଉଁଠି   ? ପରଧନ  ପ୍ରାପ୍ତିରେ, ପରର  ଅକଲ୍ୟାଣରେ  । ଏହା  ବିନା  ସେ  ଅଶାନ୍ତ   । ତାଙ୍କର  ମନ  ବା  ଆତ୍ମା  ସେହି  ଶାନ୍ତି  ପାଇଁ  ଆକୁଳ, ତେଣୁ  ସେ  ବ୍ୟାଧିଗ୍ରସ୍ତ   ।

ମନେ  କରାଯାଉ  ଏକ  ଶବ’ର  ଗୋଟାଏ  ଅଙ୍ଗ  କୌଣସି  ପ୍ରକାରେ  ନଷ୍ଟ  ହୋଇଗଲା, ତେବେ  ସେ ଶବଟି  ବ୍ୟାଧିଗ୍ରସ୍ତ   ହେଲା  କି ?

ହେଲାନାହିଁ, କାରଣ  ଟା’ର   ବୋଧଶକ୍ତି  ବା  ଜୀବନୀ  ଶକ୍ତି  ବିଲୁପ୍ତ, ସେ  ମଧ୍ୟରେ  ଆତ୍ମା  ନାହିଁ  । କିନ୍ତୁ  ଏ  ଜୀବର  ଯଦି  ସମାନ  ଦଶା  ହୋଇଥାନ୍ତା  ତେବେ  ତାହା  ବ୍ୟାଧିଗ୍ରସ୍ତ  ବୋଲି  କହିବାକୁ   ହୋଇଥାନ୍ତା   । ତେବେ  ଏହି  ଜୀବଟି  କିଏ  ? ଯାହାର  ଅନୁପସ୍ଥିତିରେ  ଶରୀର, ଶବରେ  ପରିଣତ  ହୁଏ, ଯାହାକି  ଜୀବନୀଶକ୍ତି  ବା  ଆତ୍ମା  ନାମରେ  ଖ୍ୟାତ   । ତେବେ ଏହି  ଜୀବନୀ  ଶକ୍ତି  ବା  ଆତ୍ମାହିଁ  ପ୍ରକୃତରେ  ବ୍ୟାଧିଗ୍ରସ୍ତ  ହୋଇଥାଏ   ଏବଂ  ମନ  ହେଉଛି  ଜୀବନୀଶକ୍ତି   ବା  ଆତ୍ମାର  ବହିଃପ୍ରକାଶ   । ତେଣୁ  ଯେତେବେଳେ  ଦେହୀ  ବ୍ୟାଧିଗ୍ରସ୍ତ  ହୁଏ, ପ୍ରଥମେ  ତାହା  ମାନସିକ  ସ୍ତରରେ  ହୁଏ  ଏବଂ  ପରେ  ତାହା  ବାହ୍ୟସ୍ତର  ବା  ଶରୀର  ଉପରେ  ପ୍ରତିଫଳିତ   ହୁଏ   ।

ଶରୀରର କୌଣସି  ଏକ  ଅଙ୍ଗରେ  କଣ୍ଡୂୟଣ ହେବାର  ଅବ୍ୟହିତ  ପୂର୍ବରୁ  ଶରୀର  ମଧ୍ୟରେ  କେହି  ଯେପରି  ସେହି  କଣ୍ଡୂୟଣକୁ  ଅନୁଭବ  କରେ  ଏବଂ  ଏହା  ପରେ  ତାହା  ଶରୀର   ଉପରେ  ବହିଃପ୍ରକାଶ  ଲାଭ  କରେ   । ତେବେ  ଏ  ଅନୁଭୂତିଟି  କାହାର  ଅଛି  ? ‘ଶବ’ ର  ନା  ଜୀବନୀଶକ୍ତିର  ? ତେଣୁ  ଶରୀର  ବ୍ୟାଧିଗ୍ରସ୍ତ  ହେବା  ପୂର୍ବରୁ  ଜୀବନୀଶକ୍ତି  ବ୍ୟାଧିଗ୍ରସ୍ତ  ହୁଏ   । ପକ୍ଷାନ୍ତରେ  ଜୀବନୀଶକ୍ତି  ବ୍ୟାଧିଗ୍ରସ୍ତ   ନହେଲେ  ଶରୀର  ରୋଗାକ୍ରାନ୍ତ  ହେବନାହିଁ   ।

ଏ  କ୍ଷେତ୍ରରେ  ଏକ  ସାଧାରଣ  ଉଦାହରଣ  ହୁଏତ   ଅମୂଳକ  ହେବନାହିଁ   । ଶୈଶବାବସ୍ଥାରେ, ମନୁଷ୍ୟ  ଯେତେବେଳେ   ସାଙ୍ଗ  ସାଥିମାନଙ୍କ  ସହ  ଖେଳରେ   ସମୟ  କଟାଉଥାଏ, ସେ  ସମୟରେ  ଯଦି  ଶରୀରର  କୌଣସି  ଅଂଶ  ଆଘାତ  ପ୍ରାପ୍ତହୋଇ  ରକ୍ତ  ସ୍ରାବହୁଏ , ତେବେ  ଶିଶୁଟି  ଅପରିଷ୍କାର  ମାଟି  ଓ  କାଦୁଅ ଏ  ସ୍ଥାନରେ  ଲେପିଡିଏ  ଏବଂ  କାର୍ଯ୍ୟତଃ  ଟା’ର  ସେ  ଆଘାତ  ଭଲ  ହୋଇଯାଏ   । କିନ୍ତୁ  ମନୁଷ୍ୟ  ସାମାନ୍ୟ  ବୁଦ୍ଧିପ୍ରାପ୍ତ  ହେବାପରେ  ଯଦି  ତାହାକରେ  ଟା’ର  ସେ  ଅଂଶରେ  ପୂଜ  ସୃଷ୍ଟିହୁଏ   ।

ଏହାର  ପଛରେ  ହିବା  ‘ଦର୍ଶନ’ ଟି  କ’ଣ  ?

ଛୋଟ  ପିଲାଟିର  ମନ  ନିର୍ମଳଥାଏ, ଟା’ର  ଆତ୍ମାର  ପ୍ରକାଶ  ଅନାବୃତ  ଥାଏ, ତେଣୁ  ତାର  ପୂର୍ଣ୍ଣଧାରଣା   ଯେ  ସେ  ଯେଉଁ  ଆବର୍ଜନା  ଲେପିଦିଏ  ତାହା  ଜୀବାଣୁମୟ  ନୁହେଁ, ଔଷଧ   । ଟା’ର  ଆତ୍ମା  ବା  ମନ  ବ୍ୟାଧିଗ୍ରସ୍ତ  ନ  ଥାଏ   ତେଣୁ  ତାହା  ବାହ୍ୟସ୍ତରରେ  ପ୍ରତିଫଳିତ  ହୁଏନାହିଁ   । ମାତ୍ର  ବୟୋବୃଦ୍ଧି   ସଙ୍ଗେ  ସଙ୍ଗେ  ପରିବେଷ୍ଟନୀ   ମଧ୍ୟରୁ ମନୁଷ୍ୟ  ଘୃଣାଭାବ  ଶିଖେ   । ସେ  ସେହି  ମଇଳା, କାଦୁଅକୁ   ଜୀବାଣୁମୟ  ମନେକରେ   । ତା’ର  ମନ  କଳୁଷିତ   ହୁଏ   । ଆତ୍ମାରେ   ତା’ର   ପ୍ରେମଭାବର   ଅଭାବ  ଘଟେ, ତେଣୁ  ସେ  ଆବର୍ଜନା, ଯାହା  ଶିଶୁଟିକୁ  ତା’ର  ପ୍ରେମବଶରୁ  ଔଷଧର  ଗୁଣପ୍ରଦାନ  କରିଥିଲା, ବୁଦ୍ଧିମାନ  ବୟସ୍କ  ନିକଟରେ  ଶତ୍ରୁତା   କରି  ବିଷର  ଗୁଣ  ପ୍ରଦାନ  କଳା   । ତେଣୁ  ଏ’ଟା  ନିଶ୍ଚିତ  ଯେ  ମନ  ବା  ଜୀବନୀଶକ୍ତି  ସ୍ତରରେ  ରୋଗର  ଆବିର୍ଭାବ  ପ୍ରଥମ   । ଶାରୀରିକ ଅସୁସ୍ଥତା  ପ୍ରକୃତ  ଅସୁସ୍ଥତା  ନୁହେଁ, ତାହାକେବଳ  ଅନ୍ତରସ୍ଥ  ଗୋଳ  ଯୋଗର  ଉପସର୍ଗ  ମାତ୍ର  ।

ମନୁଷ୍ୟର  ଏ  ମନୋବ୍ୟାଧି  ତେବେ  ଜାତ  ହେଲା  କିପରି  ?

ତା’ର  ଅହଂଭାବ, ପର  ଉପରେ  ନିଜର   ପ୍ରଭୁତ୍ଵ   ଜାହିର   କରିବାରେ  ଯେ  ଆକାଂକ୍ଷା,  ଦୁଃସାହସିକ   କାର୍ଯ୍ୟକଳାପ ; ମାନବ  ସମାଜରେ  ଆଧ୍ୟାତ୍ମିକ  ଚର୍ଚ୍ଚାର  ହ୍ରାସତା  ଓ  ଇଶ୍ଵର  ବିଶ୍ଵାସର  ଅଭାବ  ହିଁ  ଉପରୋକ୍ତ  ମନୋବ୍ୟାଧିର  କାରଣ   ।

ଯଦି  କେହି  କେବେ  ଚିନ୍ତାକରେ  “ତା’କୁ  ନିୟନ୍ତ୍ରଣ  କଲାଭଳି  କୌଣସି  ଶକ୍ତିନାହିଁ, ସେ  ସ୍ଵାଧୀନ” , ତେବେ  ତାହାର  ପରିସମାପ୍ତି  କେଉଁଠି   ? ନିଶ୍ଚୟ  ଧ୍ଵଂସରେ   ।

ଜଣେଲୋକ  ବାନ  ତିଆରି  କରୁଥିଲା  । ସେଥିରେ  ତାହାର  ଯଥେଷ୍ଟ  ଦକ୍ଷତା  ମଧ୍ୟ  ଥିଲା   । ଫଳରେ  ମନ  ମଧ୍ୟରେ  ତା’ର  ଅହଂଭାବର  ଉଦ୍ରେକ  ହେଲା  ଲୋକ  ପ୍ରଶସ୍ତିରେ   । ଦିନେ, ସେହି  ସର୍ବଜ୍ଞ  ଅହଂଭାବ  ହେତୁ  ବେଖାତିରରେ  ବାଣ  ତିଆରି  କରୁଛି, ତା’ର  ଧୂମପାନପ୍ରତି  ଲାଳସା  ଜାତ  ହେଲା   । ଅହଂଭାବ  ହେତୁ  ତା’ର  ମନ  ବ୍ୟାଧିଗ୍ରସ୍ତ  ହୋଇସାରିଛି, ତେଣୁ  ସ୍ଥାନ, କାଳ,  ପାତ୍ରର  ବିଚାର  ତା’ର  ମନକୁ  ଆସିଲା  ନାହିଁ   । ସେହି  ସ୍ଥାନରେ  ସେ  ଧୂମପାନ   କଳା  ଏବଂ ଅର୍ଦ୍ଧଦଗ୍ଧ  ବିଡି  ଖଣ୍ଡକୁ  ଭୁଇଁରେ  ମାଡିଦେଇ   ରଖିଦେଲା   । ଭଲା  ଶକ୍ତିକୁ   କେହି  ଏପରି  ମାଡି  ମକଚି  ରଖିପାରେ  ? ଶକ୍ତି  ଶକ୍ତିକୁ  ଆକର୍ଷଣ  କଲା   । ନିକଟସ୍ଥ  ବାରୁଦ  ପାତ୍ରରେ  ବିସ୍ଫୋରଣ   ଘଟିଲା   । ବିଚାରା   ବାଣୁଆର  ଦକ୍ଷତା  ଚିରଦିନପାଇଁ   ଭୁପୃଷ୍ଠରୁ  ଲୋପ  ପାଇଗଲା  ।

ବର୍ତ୍ତମାନ  ଏ  ଜଗତର  ଗତି  ସେହି  ଆଡକୁ ; କାରଣ  ଆମର  ଆଧ୍ୟାତ୍ମିକ  ଚିନ୍ତାଧାରା  ଲୋପ   ପାଇଛି ; ମନ  ବ୍ୟାଧିଗ୍ରସ୍ତ  । ମନ  ଯେତେବେଳେ  ବ୍ୟାଧିଗ୍ରସ୍ତ , ନାନାପ୍ରକାର  ବୁଦ୍ଧିବିକଳ୍ପ, ସ୍ଵଭାବରେ  ଜାତହେବ   ଏବଂ  ଫଳରେ  ନାନା ରୋଗର  ପ୍ରାଦୁର୍ଭାବ  ଘଟିବ   ।

ସେଥିପାଇଁ  ରୋଗ  ମୁକ୍ତିର   କାମନା ଥିଲେ, ମାନବ  ସମାଜକୁ  ପ୍ରଥମେ  ତା’ର  ମନକୁ  ପବିତ୍ର   କରିବାକୁ  ହେବ   ଏବଂ  ସେଥିପାଇଁ  ମନ  ମଧ୍ୟରେ  ଧର୍ମଭାବ  ତଥା  ଇଶ୍ଵର – ପ୍ରୀତିକୁ  ଜାଗରୁକ  ହେବ   ।

“ମହାପାତକ  ଯୁକ୍ତୋପି  ଧ୍ୟାୟନ୍ନିମିଷମଚ୍ୟୁତମ

ପୁନସ୍ତପସ୍ଵୀ  ଭବତି  ପଂକ୍ତି  ପାବନ  ପାବନ”

“ରସୋବୈସ, ରସହ୍ୟୋବାୟଂ  ଲବଧାନନ୍ଦୀଭବତି ”  ।

ପୁରାକାଳରେ   ଆମ  ଏ  ଦେଶରେ  ସାଧାରଣ  ମନୁଷ୍ୟର  ପରମାୟୁ  ଶତାଧିକ   ବର୍ଷଥିଲା, ଏବେ  ଏତେ  ଉଣାହେଲା  କାହିଁକି  ? ତାହା  ଆମ  କୃତ  କର୍ମର  ଫଳ   । ପୂର୍ବପୁରୁଷଙ୍କର  ସେହି  ଉନ୍ନତ  ଚିନ୍ତାଧାରା, ନିର୍ମଳ  ଭାବନା, କେତେ  ଜଣଙ୍କ  ନିକଟରେ   ଆଜିକାଲି   ଦେଖିବାକୁ  ମିଳୁଛି  ? ଉପଦେଶାବଳିରୁ  ଶୁଣିବାକୁ   ମିଳେ, ମନୁଷ୍ୟ  ଯେ  ପରିମାଣରେ  ପାପ  ଅର୍ଜନକରେ  ତାହାର  ଆୟୁ  ସେହି  ପରିମାଣରେ  କ୍ଷୟପ୍ରାପ୍ତ  ହୁଏ   । ଏହାର  ମର୍ମ  କ’ଣ  ? ମନୁଷ୍ୟର  ମନ  ଯେ  ପରିମାଣରେ  ବିପଥଗାମୀ  ହୋଇ  ବ୍ୟାଧିଗ୍ରସ୍ତ  ହୁଏ, ସେହି  ପରିମାଣରେ  ତାହା  ଶରୀରରେ  ପ୍ରତିଫଳିତ  ହୋଇ  ରୋଗ  ସୃଷ୍ଟିକରେ   । ରୋଗଗ୍ରସ୍ତ  ହେଲେ  ଦେହୀର  ଜୀବନୀଶକ୍ତି  ଦୁର୍ବଳହୁଏ, ଫଳରେ ସେ  ଅଳ୍ପାୟୁହୁଏ   ।

ମନୁଷ୍ୟ  ସମାଜର   ଅଧଃପତନ  ମନସ୍ତରରେ  । ତେଣୁ  ଜୀବକୁ  ରୋଗମୁକ୍ତ  କରିବାକୁ  ହେଲେ  ଏଭଳି  ଔଷଧର  ଆବଶ୍ୟକତା   । ରହିଛି   ଯାହାକି  ସେହି  ସୂକ୍ଷ୍ମ  ମନସ୍ତରରେ  କ୍ରିୟା  ପ୍ରକାଶ  କରିପାରିବ  ଏବଂ  ସେହି  ଔଷଧ  କେବଳ  ଅତିଶୟ  ସୂକ୍ଷ୍ମକୃତ  ଜୈବିକ  ଓ  ଅଜୈବିକ   ଭେଷଜରେ  ବା  ଅତିସୂକ୍ଷ୍ମ   ଆଧ୍ୟାତ୍ମିକ ଚିନ୍ତାଧାରାରେ  ମିଳିପାରେ   । କାରଣ  ସୂକ୍ଷ୍ମତା  ସହିତ  କେବଳ  ସୂକ୍ଷ୍ମତାର  ସମ୍ବନ୍ଧ  ରହିପାରେ,  ସ୍ଥୂଳତାର  ଯୁକ୍ତି  ସେଠି  ଅସାର   । ଶକ୍ତି  ସହିତ  କେବଳ  ଶକ୍ତିର  ସମ୍ପର୍କହିଁ  ଯୁକ୍ତିଯୁକ୍ତ   । ଆତ୍ମାକିଛି  ନୁହେଁ, ଗୋଟାଏ  ଶକ୍ତିମାତ୍ର   । ଆତ୍ମା  ସହିତ  ଆତ୍ମାର  ବୁଝାମଣା  ନହେଲେ  ବା  ଯେ  ପର୍ଯ୍ୟନ୍ତ  ଆତ୍ମା  ସହିତ  ଆତ୍ମା  ନମିଶିଛି, ସେ  ପର୍ଯ୍ୟନ୍ତ  ପ୍ରକୃତ  ପ୍ରେମର  ପ୍ରକାଶ  ହୋଇନଥାଏ   । ଏବଂ  ପ୍ରକୃତ  ପ୍ରେମର  ପ୍ରକାଶ  ନହେଲେ  ସଂଘର୍ଷର  ଅବସାନ  ହୋଇନପାରେ   । ତେଣୁ  ସଂଘର୍ଷର  ବର୍ତ୍ତମାନତାରେ  ଦେହୀ  କେବେହେଲେ  ବ୍ୟାଧିମୁକ୍ତ  ହୋଇ  ପାରିବନାହିଁ   ।

()

ସର୍ବଦା  ସଦଭ୍ୟାସରେ  ରତ ରହ   । ନୀଚ  କାର୍ଯ୍ୟ  କରି  ଆତ୍ମାର  ଅଧୋଗତି  ପଥରେ  ଅଗ୍ରସର  ହୁଅ  ନାହିଁ  । ମନକୁ  ଅବିଚଳିତ  ଭାବରେ  ସର୍ବଦା  ସତ୍  ମାର୍ଗରେ  ନିୟୋଜିତ    କଲେ   ତାହା  ମଧ୍ୟରେ  କୁ – ଚିନ୍ତାର  ଆଭାସ  ମଧ୍ୟ  ବସାବାନ୍ଧି  ରହିପାରିବ  ନାହିଁ   ।  ‘ବଳ  ବଳ ବ୍ରହ୍ମ  ବଳ’  ଇତ୍ୟାଦି  ଶାସ୍ତ୍ର  ବାକ୍ୟ  ଅନେକ  ଦେଖିବାକୁ  ମିଳେ  । ଏହାର  ତାତ୍ପର୍ଯ୍ୟ  ହେଉଛି  :

ମନୋସ୍ତରର  ଯାବତୀୟ  ଭାବ  ସ୍ଵତଃ   ନିକ୍ଷିପ୍ତ  ହୋଇ  ବାହ୍ୟ  ଶରୀରରେ  ପ୍ରତିଫଳିତ   ହୋଇଥାଏ   । ବସ୍ତୁତଃ  ମନହିଁ  ବାହ୍ୟ   ଶରୀରକୁ  ଗଠନ  କରିଥାଏ   । ତେଣୁ  ମନ  ଯଦି  ନିର୍ମଳ  ଚିନ୍ତାଧାରାରେ  ନିବିଷ୍ଟ  ରହେ  ତାହା  ହେଲେ  ଶରୀର  ନିର୍ମଳ  ସ୍ଵଭାବରେ  ରହିବ  । ଯଦି, ମନ  ମଧ୍ୟରେ  ମାଧୁରୀ  ରହେ, ତେବେ  ବାହାର  ଶରୀରରେ  ସୁନ୍ଦରତା  ଅବଶ୍ୟମ୍ଭାବୀ   । ମନ  ମଧ୍ୟରେ  କ୍ରୁରତା  ଥିଲେ  ତାହା  ବାହ୍ୟସ୍ତରରେ  ଜୀବ  ଆରୀରକୁ  ଭୀଷଣାକାର  କରିବ  ।

ଜଣେ  ଶୁଦ୍ଧ, ପୂତ, ନିରଳସ, ନିଷ୍କପଟ, ସାଧୁ  ପୁରୁଷଙ୍କର  ଦର୍ଶନରେ  ମନ  ମଧ୍ୟରେ  ପବିତ୍ରଭାବ  ସ୍ଵତଃ  ଜାଗ୍ରତ  ହୋଇଥାଏ   । କିନ୍ତୁ  ଜଣେ  କ୍ରୂର  ନିଷ୍ଠୁର  ଜହ୍ଲାଦକୁ  ଦେଖିଲେ  ମନ  ମଧ୍ୟରେ   ଘୃଣାଭାବର  ଉଦ୍ରେକ  ହୁଏ  - ଯଦିଚ  ସେମାନଙ୍କର  ଗୁଣାଗୁଣା  ସମ୍ପର୍କରେ   ଆଗରୁ  ଜଣେ  ଅଜ୍ଞ   । କେବଳ  ବାହ୍ୟକାରରୁ   ମନ  ମଧ୍ୟରେ  ଉକ୍ତଭାବ  ସେମାନଙ୍କ  ପ୍ରତି  ଜାଗ୍ରତ  ହୋଇଥାଏ   । ତେବେ  ସେମାନଙ୍କର  ମନ  ମଧ୍ୟସ୍ଥ   ଗୋପନ  ସ୍ଵଭାବ  ଅପର  ବ୍ୟକ୍ତି  ଜଣକ  କିପରି  ଅବହିତ  ହେଲେ   ? ତାହା  କେବଳ  ସେମାନଙ୍କର  ବାହ୍ୟଶରୀର  ଗଠନ  ଭଙ୍ଗିରୁ   । ମନୁଷ୍ୟର  ମନ  ଯେପରି  ତାହାର  ଶରୀର  ଗଠନ  ମଧ୍ୟ  ସେହିପରି  ହେବ  ।

ଜଣେ  ଯେତେବେଳେ  ସେହି  ପୁରୁଷ  ଦ୍ୱୟଙ୍କୁ  ଦର୍ଶନ  କରନ୍ତି, ସେତେବେଳେ  ସେମାନଙ୍କର  ଦୋଷ ଗୁଣ  ସମ୍ପର୍କରେ  ପ୍ରଥମେ  କିଏ  ଅନୁଭବ  କରେ ? ମନ  ବା  ଚିତ୍ ଶକ୍ତି   । ତାହାହେଲେ  ଏ  ମନ  କିପରି  ଅନୁଭବ  କରିପାରିଲା  ? କାରଣ, ତାହା  ସ୍ଵାଧୀନ   । ଯେହେତୁ  ତାହା  ସ୍ଵାଧୀନ, ସେ  ସଚରାଚର  ସର୍ବସ୍ଥଳରେ ପ୍ରକାଶକୁ  ଆସେ   । ଉଲ୍ଲିଖିତ  ପୁରୁଷଦ୍ୱୟଙ୍କ  ମନ, ତାଙ୍କର  ଶରୀରର  ବହିର୍ଦ୍ଦେଶରେ  ପ୍ରକାଶିତ   । ପୁନଶ୍ଚ   ଦର୍ଶକଙ୍କ  ମନ  ମଧ୍ୟ  ତାଙ୍କ  ବାହ୍ୟ  ଶରୀରର  ପ୍ରକାଶିତ   । ସେଥିପାଇଁ  ଦର୍ଶକର  ମନ, ସେ  ପୁରୁଷ  ଦ୍ୱୟଙ୍କ  ମନର  ପରିଚୟ  ବେଶ୍  ଗ୍ରହଣ  କରି  ପାରିଲା   ।

ଏହି   ସତ୍ୟ  ଉପରେହିଁ  ପାଶ୍ଚାତ୍ୟ  ମନଷିମାନେ  ମଧ୍ୟ  “Face  is the  index  of  mind ” ‘ମୁଖମଣ୍ଡଳ, ମାନସ  ପଟ୍ଟର  ସୂଚୀ’  ବୋଲି  ଘୋଷଣା   କରିଅଛନ୍ତି   । ଆମ  ଦେଶର   ପୂତ  ପ୍ରାଣ  ଋଷି  ଓ  ତପସ୍ଵୀ  ମାନଙ୍କର   ଏଡେ  କମନୀୟ  କାନ୍ତି  କେଉଁ  ହେତୁ  ଥିଲା  ? କେବଳ  ଅନ୍ତରର   ପବିତ୍ରତା   ଫଳରୁ ହିଁ  ସେମାନେ  ବାହାରକୁ  ଅନିନ୍ଦ୍ୟ  ସୁନ୍ଦର, ଦେବୋପମ   ଦେଖାଯାଉ  ଥିଲେ   । ସ୍ଵାମୀ  ବିବେକାନନ୍ଦ, ସ୍ଵାମୀ  ଶିବାନନ୍ଦ  ଏହି  ସତ୍ୟର  ସାକ୍ଷାତ  ଦୃଷ୍ଟାନ୍ତ   ।

ଶ୍ରୀମଭଗବତ  ଗୀତାର  ଷୋଡଶାଧ୍ୟାୟରେ  ଭଗବାନ  ଅର୍ଜ୍ଜୁନଙ୍କ  ପ୍ରତି  ଉପଦେଶର  ସମାପ୍ତିରେ   ମନ୍ତବ୍ୟ  କରିଛନ୍ତି   ।

“ତ୍ରିବିଧଂ   ନରକସ୍ୟୋଦ  ଦ୍ଵାରଂ  ନାଶନମାତ୍ମନଃ

କାମକ୍ରୋଧ  ସ୍ତଥାଲୋଭ  ସ୍ତସ୍ମାଦେତତ୍  ତ୍ରୟଂତ୍ୟଜେତ ।

ଏତର୍ବିମୁକ୍ତ  କୌନ୍ତେୟ ତମୋଦ୍ଵାଦ୍ଵାର  ସ୍ତ୍ରିଭିର୍ନରଃ

ଆଚରତ୍ୟାତ୍ମତଃ ଶ୍ରେୟ  ସ୍ତତୋଯାତି  ପରାଂଗତିମ୍  ।

ଯ  ଶାସ୍ତ୍ରବିଧିମୁତ୍ସୃଜ୍ୟ  ବର୍ତ୍ତତେ  କାମକାରତଃ

ନ ସ ସିଦ୍ଧିମବାପ୍ନୋତି ନ ସୁଖ ନପରାଂଗତିମ୍   ।

ତସ୍ମାଚ୍ଛାସ୍ତ୍ର  ପ୍ରମାଣତେ  କାର୍ଯ୍ୟାକାର୍ଯ୍ୟ  ବ୍ୟବସ୍ଥିତୌ

ଜ୍ଞାତ୍ଵା  ଶାସ୍ତ୍ର   ବିଧାନୋକ୍ତ କର୍ମ  କର୍ତ୍ତୁମିହାର୍ହସି  ।

ସେହି  ଗୀତାକାର   ମହାପୁରୁଷ   ଏହି  ଶ୍ଳୋକ  ଚତୁଷ୍ଟୟ  ମଧ୍ୟରେ  ଆଧୁନିକ  ମାନବର  ସମସ୍ତ  ରୋଗଶୋକର   କାରଣ  ନିର୍ଦ୍ଦେଶ  କରିବା  ସଙ୍ଗେ  ସଙ୍ଗେ  ତା’ର  ନିରାକରଣ  ପଥର   ଇଙ୍ଗିତ   ମଧ୍ୟ   ଦେଇଅଛନ୍ତି   ।

କିନ୍ତୁ  ଆଧୁନିକ  ମାନବର  ନିଜ  ସଂସ୍କୃତି  ବିରୋଧୀ  ଯେ  ଚାଲିଚଳନ, ଶିକ୍ଷାଦୀକ୍ଷା, କୁସଙ୍ଗ, କୁଶିକ୍ଷା  ଓ  କୁମନ  ହେତୁ  ଘଟିଛି,  ସେଇଥିରେ  ହିଁ  ତାହାର  ମାନସିକ  ଅଧୋଗତି  ଆସିଛି   । ତାହାର  ସେହି  ପ୍ରାପ୍ତ  ଚିନ୍ତାଧାରାକୁ  ସ୍ଵାଧୀନ  ଓ  ପରିଶୁଦ୍ଧ  ମତବାଦ  ବୋଲି   ମନେ  କରିଅଛି, ତେଣୁ  ସେସବୁ  କେତେଦୂର  ତାହାର  ଭୌଗଳିକ  ଓ  ସାଂସ୍କୃତିକ   ପରିସ୍ଥିତି   ଉପରେ   ପର୍ଯ୍ୟବେସିତ, ବିଚାର  କରିବାକୁ  ଅକ୍ଷମ    । ଏତାଦୃଶ୍ୟ  ପ୍ରାପ୍ତ  ଚିନ୍ତାଧାରାହିଁ  ତାହାର  ସ୍ଵକୀୟ   ମତବାଦ  ବା  ମନକୁ  ଅଧିକରୁ  ଅଧିକତର  ପରାଧୀନ  କରୁଛି   । ଜଳଟିରୁ   ଜଟିଳତର  ବ୍ୟାଧି  ଆଡକୁ  ମନୁଷ୍ୟ   ସମାଜ  ଧାତିବ  ଏବଂ  ଦେଶର  ଐତିହ୍ୟ  ବା  ପରମ୍ପରା  ଧ୍ଵଂସର  ଦ୍ଵାର  ଦେଶରେ  ଉପନୀତ  ।

ଏ  ସବୁକୁ  ଆମ୍ଭମାନଙ୍କ  ବିଚାରକୁ  ଆଣିବାକୁ  ହେବ  ଓ  ତାହାରୁ  ଉପରେ   ନିର୍ଭର  କରି  ଆମ୍ଭର  ଦୈନନ୍ଦିନ  ଜୀବନ  ଯାପନ  ପ୍ରଣାଳୀକୁ  ପରିବର୍ତ୍ତନ  କରିବାକୁ  ହେବ   । ଏହି ସାମାନ୍ୟ  ମାନସିକ  ବିଚ୍ୟୁତିରୁ  ଦେଶର  ଧନ  ଜୀବନ  ଯେ  କିଭଳି   ବିପନ୍ନ   ତାହା  ସମସ୍ତଙ୍କୁ  ହୃଦୟଙ୍ଗମ   ଶାସ୍ତ୍ରୀୟ  କରିବାକୁ  ହେବ   ।

ତେଣୁ, ଯେ  ପର୍ଯ୍ୟନ୍ତ  ଏହି  ସ୍ଵାଧୀନ  ନିର୍ମଳ  ମନକୁ  ନିଜ  ଗତି  ପଥରେ   ଦୂଷିତ   ହେବାକୁ  ନଦେବା, ସେପର୍ଯ୍ୟନ୍ତ  ଆମ୍ଭମାନଙ୍କର  ଶରୀର  ନିର୍ମଳ  ତଥା  ରୋଗମୁକ୍ତ  ରହିବ   ।କିନ୍ତୁ  ଯେଉଁଦିନ  ଏହି  ମନକୁ  ପରାଧୀନତାର  ବେଦି  ପିନ୍ଧାଇ   କୁଚିନ୍ତା  ମଧ୍ୟରେ  ଡୁବାଇ ରଖିବା, ତାହାର  ମଳିନତା  ସେହିଦିନ  ଆସିବ ଓ  ଆମ୍ଭର  ଶରୀର  ଉପରେ  ତା’ର  କୁ – ପ୍ରଭାବ  ମଧ୍ୟ  ସେହିଦିନଠାରୁ  ପଡିବ   । କାମ, କ୍ରୋଧ  ଓ  ଲୋଭ  କେବଳ ଦୂଷିତ  ମନରୁହିଁ   ସୃଷ୍ଟି   । ନିର୍ମଳ  ଦର୍ପଣଟି  ଯେଉଁଦିନ  ଅପରିଷ୍କାର  ବା  ଖଣ୍ଡିତ  ହୁଏ , ବିକୃତ  ପ୍ରତିବିମ୍ବ  ସେହି  ଦିନଠାରୁ  ହିଁ  ସୃଷ୍ଟି  ହୁଏ  ।

ମନ  ଚଞ୍ଚଳ  ହେଲେ  ମନର  ସ୍ଵାଧୀନତା  ରହେ  ନାହିଁ   । ମନକୁ  ସ୍ଥିର  ରଖିବାର  କଥା, ସେହିଥିରେହିଁ  ତାହାର  ଆନନ୍ଦ   । ମନ, ଯେ’କି  ଜୀବାତ୍ମାର  ପରିଚାୟକ, ତାହା  କେବଳ  ଆତ୍ମା  ପରିହିଁ  ସ୍ଥିର, ସମାଧି  ପ୍ରାୟ  ହେବା  ଉଚିତ   । ସେଥିରେ  ବ୍ୟକ୍ତିକ୍ରମ  ହେଲେ  ତାହା  ରୋଗାକ୍ରାନ୍ତ  ହୁଏ, ଯେପରି  ନିୟମାବର୍ତ୍ତିତାର  ବ୍ୟତିକ୍ରମରେ  ମାନବ  ଶରୀର  ରୋଗାକ୍ରାନ୍ତ  ହୋଇଥାଏ   । ଏହି  ସତ୍ୟ  ସର୍ବଦା  ସବୁ  କ୍ଷେତ୍ରରେ  ନିର୍ଦ୍ଧିଷ୍ଟ   ।

‘ମନର  ସ୍ଵାଧୀନତା  ସ୍ଥିରତାରେ’ ଏ  ମନ୍ତବ୍ୟ  ହୁଏତ  ଅନେକଙ୍କ  ନିକଟରେ  ମତଦୋୟର  କାରଣ  ହୋଇପାରେ  । ତେଣୁ  ପ୍ରକୃତ  ସ୍ଵାଧୀନତା   । ‘ଚଞ୍ଚଳତା’ ରେ  ନା  ‘ସ୍ଥିରତା’ରେ  - ସେ  ବିଷୟରେ  ସମ୍ୟକ  ଆଲୋଚନା  ଆବଶ୍ୟକ  ଏ  କ୍ଷେତ୍ରରେ   ।

ପୁରୁଷ  ଓ  ପ୍ରକୃତି, ଏ  ଦୁଇଟିକୁ ଯଦି  ବିଚାରକୁ  ଆଣିବା  ତେବେ ପରଂବ୍ରହ୍ମ  ପୁରୁଷଙ୍କ  ଦ୍ଵାରାହିଁ   ପ୍ରକୃତି  ଚାଳିତ  ଓ  ପ୍ରକୃତିରେ  ପରଂବ୍ରହ୍ମଙ୍କର  ସତ୍ତା  ନିରବଚ୍ଛିନ୍ନ  ଭାବରେ  ଜଡିତ  ମନ  ହେତୁହିଁ  ସୃଷ୍ଟି   । “ସଈକ୍ଷତଲୋକାନ୍ନ  ସୃଜୈ”, ଐ : ଉ : ୧।୧।୧ “ତଡୈକ୍ଷତ  ବହୁସ୍ୟା  ପ୍ରଜାୟେୟ” ,  (ଛା:ଉ: ୬।୨।୩) । ତେଣୁ   ଏ ମନ  ପ୍ରକୃତିରେ  ମଧ୍ୟ  ଅଛି  ଓ  ପରଂବ୍ରହ୍ମରେ  ମଧ୍ୟ  ଅଛି   । “ଜ୍ୟୋତିରୁପକ୍ରମାତୁ  ତଥା  ହ୍ୟାଧୀୟୁତ  ଏକ,” (ବେ: ଦ: ୧।୪।୯) “କ୍ଷରଂ  ପ୍ରଧାନମୃତାକ୍ଷରଂ  ହରଃ  କ୍ଷରାତ୍ମାନାବିଶତେବେବ  ଏକଃ ” ଶ୍ଵେ:ଉ: ୧।୧୦ “ଭୋକ୍ତା  ଭୋଗ୍ୟ  ପ୍ରେରିତାରଂଚ ମତ୍ଵାସର୍ବଂପ୍ରୋକ୍ତ  ତ୍ରିବିଧବ୍ରହ୍ମମେତତ୍ ” ଶ୍ଵ:ଉ: ୧.୧୨   । କିନ୍ତୁ  ପ୍ରକୃତିର   ମନ  ଚଞ୍ଚଳ  ଓ  ପରମ  ପୁରୁଷଙ୍କର  ମନ  ସ୍ଥିର   । ମାତ୍ର  ଉଭୟ  ପ୍ରକୃତି  ଓ  ପୁରୁଷର  ମୌଳିକ  ସୂକ୍ଷ୍ମ   ଉପାଦାନ  ଏକ  ଏବଂ  ତାହା  ପରମବ୍ରହ୍ମ  ଅଂଶ  ବିଶେଷ   ।

“ଏତସ୍ମାଜ୍ଜାୟତେ  ପ୍ରାଣୋମନଃ   ସର୍ବେନ୍ଦ୍ରିୟାଣିଚ

ଖବାୟୁର୍ଜ୍ୟୋତିରାପଃ  ପୃଥିବୀ   ବିଶ୍ଵସ୍ୟ  ଧାରିଣୀ” ।(ମୁ:ଉ:୨।୧।୩)

“ଯାବଦବିକାରଂ  ତୁ  ବିଭାଗୋଲୋକବତ୍” (ବେ:ଦ: ୨।୩।୭)

ବସ୍ତୁତଃ  ମନ, ଯାହାର  ମୌଳିକ  ଉପାଦାନ  ପରଂବ୍ରହ୍ମରହିଁ  ଆଭାସ  ମାତ୍ର, ତାହା  ନିଶ୍ଚୟ  ସ୍ଥିର   । ସୁତରାଂ  ମୌଳିକ  ଭାବରେ  ମନ  ସର୍ବଦା  ସ୍ଥିର  ରହିବାର   କଥା  । ପ୍ରକୃତ  ନିର୍ମଳ, ସ୍ଵାଧୀନ  ଅବସ୍ଥାରେ  ମନ  କେବଳ   ସ୍ଥିରହିଁ   ରହିବ   । ସୃଷ୍ଟି  ପ୍ରକ୍ରିୟା  ଓ  ଜନ୍ମଜନ୍ମାନ୍ତରୀଣ  କର୍ମରାଶି  ଦ୍ଵାରାହିଁ  ଜୀବର  ମନ ଚଞ୍ଚଳ   ହୋଇଅଛି, ତାହା  ବୋଲି   ଯେ  ପ୍ରକୃତ  ମନ  ଚଞ୍ଚଳ  ଏକଥା  ନୁହେଁ  ।

ପୁନଶ୍ଚ  ଯଦି  ମୂଳ  ମନ  ଚଞ୍ଚଳ  ବା  ତାହାର  ମୌଳିକ  ଉପାଦାନ  ଚଞ୍ଚଳ  ତାହାହେଲେ  ନାନା  ସାଧନାରେ  ମଧ୍ୟ  ତାହା  ସ୍ଥିର  ହୋଇ  ପାରନ୍ତା  ନାହିଁ   । ଯେ  ଉପାଦାନର  ସ୍ଥିତି  ମୂଳରୁ  ନାହିଁ   ତାହାର  ପ୍ରାପ୍ତି  କେଉଁଆଡୁ   ଆସିପାରେ   । ଯେ  ହେତୁ  ମନ  ପ୍ରଥମତଃ  ସ୍ଥିର  ଏବଂ  ଅବସ୍ଥା  ଚକ୍ରରେ  ତାହା  ଚଞ୍ଚଳ  ହେଉଥାଏ,  ସାଧନା  ଦ୍ଵାରା  ପୁନର୍ବାର  ସ୍ଥିର   ଅବସ୍ଥାକୁ  ଅଣାଯାଇ  ପାରୁଛି   । ଯେଉଁ  ଉପାଦାନର  ଧର୍ମ  ଯାହା  ତାହା  ବ୍ୟତିରେକ  ଠିକ୍  ସେହି  ଉପାଦାନରୁ  ଅନ୍ୟ  କିଛି ସମ୍ପୂର୍ଣ୍ଣ  ବିପରୀତ ଗୁଣ  କିପରି  ଆଶା  କରାଯାଇ  ପାରିବ  ଯେ  ପର୍ଯ୍ୟନ୍ତ  ସେଥିରେ  ଆଉ  କିଛି  ଯୋଗ  କରା ନ ହୋଇଛି  ।

ଏ  ସଂକ୍ରାନ୍ତରେ  ଗୀତାର  କୃଷ୍ଣାର୍ଜ୍ଜୁନ  ସମ୍ବାଦର  ଷଷ୍ଠ  ଅଧ୍ୟାୟ ବିଶେଷ  ଧ୍ୟାନ   ଯୋଗ୍ୟ   ।ଅର୍ଜ୍ଜୁନ  ସତେ  ଯେପରି  ଏହି  ସ୍ଫୁଟନିକ   ଯୁଗର  ସ୍ଖଳିତମାନବର  ଚିନ୍ତାଧାରା  ତଥା  ମନକୁ  ସେଠାରେ  ପ୍ରତିଫଳିତ  କରାଇ  ଉପଦେଶାଭିଳାଷୀ  ହୋଇ  ବସିଛନ୍ତି  ଉଦ୍ଧାର  ନିମନ୍ତେ : -

“ଚଞ୍ଚଳ  ହି ମନଃ  କୃଷ୍ଣ  ପ୍ରମାଥିବଳବଦ୍ଧୃଢମ

ତସ୍ୟାହଂ  ନିଗ୍ରହମନ୍ୟୋ  ବାୟୋରିବସୁଦୁଷ୍କରମ୍  ।

ତଦୁତ୍ତରରେ   ଜଗତଗୁରୁ  କୃଷ୍ଣଚନ୍ଦ୍ର  କହୁଛନ୍ତି  ।

“ଅସଶୟଂ  ମାହାବାହୋ  ମନୋଦୁର୍ନିଗ୍ରହ  ଚଳମ୍

ଅଭ୍ୟସେନତୁ  କୌନ୍ତେୟ  ବୈରାଗ୍ୟୋଣଚ   ଗୃହ୍ୟତେ

“ଅଶଯତାତ୍ମନା   ଯୋଗେ  ଦୃସ୍ପ୍ରାପ୍ୟଇତିମେମତି

ବଶ୍ୟାତ୍ମନାତୁ  ଯତତୋ  ଶକ୍ୟୋବାପ୍ତୁ  ମୁପାୟତଃ ”

ବିଶାଳ  ସମୁଦ୍ରର  ତଟ  ଦେଶର  ଲହଡିର  ଚଞ୍ଚଳତାରୁ  ସମୁଦ୍ରକୁ  ଅସ୍ଥିରବୋଲି  କହିପାରିବା  କି ? ସେହିପରି  ବିଶାଳ  ବ୍ରହ୍ମାଣ୍ଡର  ତଟ  ଦେଶରେ   ଥିବା  ମାନବର  ମନ  ଅସ୍ଥିର  ହେଲେ  ମଧ୍ୟ  ଅସଲ  ମନ  ଅସ୍ଥିର  ନୁହେଁ   । ତାହା  ସେହି  ବ୍ରହ୍ମର  ଅଂଶ  ବିଶେଷ   । ତେଣୁ  ସ୍ଥିର, ଅଚଞ୍ଚଳ  ଓ  ନିର୍ବିକାର   ।

ଗୋଟିଏ  ସଦ୍ୟଜାତ  ଶିଶୁର  ମନ  ସ୍ଥିର, ଅଚଞ୍ଚଳ   । ତାହା  କେବଳ  ପରିପାର୍ଶ୍ଵିକ  ଅବସ୍ଥା  ଚକ୍ରରେ  ବେଳୁବେଳ  ଅସ୍ଥିର  ହୋଇଥାଏ   । ତେଣୁ  ମୂଳମନ  କିପରି  ସ୍ଥିର  ନୁହେଁ   ? ସୁତରାଂ  ଏହି  ନିର୍ମଳ  ମନକୁ  ଯଦି  ସ୍ଵାଧୀନ  ନିର୍ମଳ  ଭାବରେ  ଛାଡି  ଦିଆଯିବ  ତେବେ   କିପରି   ଅସ୍ଥିର  ହୋଇପାରିବ  ଯଦି  ତାହା  ନିଜ  ଗତି  ପଥରେ  ଦୂଷିତ  ନହୁଏ   । କେବଳ  ଏହି  ଚଞ୍ଚଳ  ମନକୁ  ତା’ର  ମୌଳିକ  ସ୍ଥିର  ଅବସ୍ଥାକୁହିଁ  ଆଣିବାର  କଥା, ଏବଂ  ସେହିଥିରେହିଁ  ତାହା, ତଥା  ଜୀବ  ଶରୀର  ନିରୋଗ   ହେବ   । କାରଣ  ‘ସମ  ସମଂ  ସମୟତେ’  “Smilia  similibus curanter”  ।

ଶରୀରର  ସ୍ଵାସ୍ଥ୍ୟାସ୍ୱାସ୍ଥ୍ୟ  ମନକୁ  ନିମିତ୍ତ   କରିଥାଏ   । ସର୍ବଦା  ସମସ୍ତଙ୍କର  ସ୍ୱାସ୍ଥ୍ୟହିଁ  କାମ୍ୟ  । ତେଣୁ  ଅସ୍ୱାସ୍ଥ୍ୟର  ମୂଳ  ଯେଉଁଠାରେ, ଯଦି  ସେଠାରେ  କୁଠାରାଘାଟ  କରାଯାଏ,  ତେବେ  ସମସ୍ତ  ଅମଙ୍ଗଳର  ମୂଳ  ନାଶ  ହେବ   । କେବଳ  ବୃକ୍ଷର  ଶାଖା  ପ୍ରଶାଖା  ଚ୍ଛେଦନରେ  ଆକାରଗତ  ବୃଦ୍ଧିହିଁ  ଲାଭ  ହୁଏ   । ସେଥି   ନିମନ୍ତେ  ଏ  କ୍ଷେତ୍ରରେ  ମନକୁହିଁ  ସଜାଡିବାକୁ   ହେବ   ।

ପୂର୍ବତନ  ସମୟରେ  ଆମ୍ଭମାନଙ୍କର  ଏତାଦୃଶ  ମନୋଦୃଷ୍ଟି  ହୋଇନଥିଲା, ତେଣୁ  ଶସ୍ତ୍ରାନୁସାରେ  ସକଳ  କାର୍ଯ୍ୟର  ଅନୁଷ୍ଠାନ  ହେଉଥିଲା  ଏବଂ  ତାହା  ନେଇ  ଆମ୍ଭ  ଜୀବନୋପଯୋଗୀ  ଶସ୍ୟଧାନ୍ୟାଦିର  ଅଭାବ  ଘଟୁନଥିଲା  ଓ  ଦେଶରେ  ଏତେ  ପ୍ରକାର  ଆଧିବ୍ୟାଧିର  ମଧ୍ୟ  ଆବିର୍ଭାବ  ନ  ଥିଲା   । ବର୍ତ୍ତମାନ  ଶାସ୍ତ୍ରାଦି  ପ୍ରତି  ସମ୍ମାନ  ନାହିଁ, ବସ୍ତୁବାଦୀ  ଦୁନିଆରେ   ସୂକ୍ଷ୍ମାତିସୂକ୍ଷ୍ମ  ଆଧ୍ୟାତ୍ମିକ  ତତ୍ତ୍ଵର   ମୂଲ୍ୟବୋଧ   ନାହିଁ, ତେଣୁ  ତାହାର  ଅନୁରୂପ  ଫଳଲାଭ  ହେଉଅଛି  । ଯାହା  ପ୍ରକୃତ  ବ୍ୟାଧିର   କାରଣ, ତାହାର  ନିରାକରଣ  ନ କରି  ପରମ  ମଙ୍ଗଳମୟ, ପରମ  କାରୁଣିକ  ଭଗବାନଙ୍କର  ଅନନ୍ତ  ସୃଷ୍ଟି  ମଧ୍ୟରୁ   ଏକ  ପ୍ରକାର  କୀଟ, ମଶକ  ଆଦିହିଁ  ସର୍ବ  ରୋଗର  କାରଣ  ଜ୍ଞାନକରି  ସେମାନଙ୍କର  ସର୍ବନାଶର  ଚେଷ୍ଟା  କରି  ପରିବାର  ନିୟନ୍ତ୍ରଣ   ବ୍ୟବସ୍ଥା  କରିବାର  ଯୁକ୍ତି  ଯେତିକି  ହାସ୍ୟାସ୍ପଦ  ସେତିକି  ଏକାର୍ଯ୍ୟ   ମାନବ  ସମାଜ  ପକ୍ଷରେ  ଗର୍ହିତ   ।

“ନଜାୟତେ ମ୍ରିୟତେବା  କଦାଚି-

ନ୍ନାୟଂଭୂତ୍ଵାଭବିତା  ବା ନ  ଭୂୟଃ

ଅଜୋ  ନିତ୍ୟ  ଶାଶ୍ଵତୋୟଂ ପୁରାଣୋ

ନହନ୍ୟତେ  ହନ୍ୟମାନେ  ଶରୀରେ’ –

“ବାସାସୀ  ଜୀର୍ଣ୍ଣାନି ଯଥା  ବିହାୟ

ନବାନି  ଗୃହଣାତି  ନରୋପରାଣି

ତଥା  ଶରୀରାଣି  ବିହାୟ ଜୀର୍ଣ୍ଣା –

ନ୍ୟନ୍ୟାନି  ସଯାତି  ନବାନିଦେହୀ’

ଏହା  ଯଦି  ସତ୍ୟ, ଆତ୍ମା  ଯଦି  ଅବନାଶୀ  ତାହାହେଲେ  ସଂପୂର୍ଣ୍ଣ  ଜୀବଜଗତର  ଗାଣିତିକ  ପରିମାଣରେ  ହ୍ରାସ  ବୃଦ୍ଧି  ନାହିଁ  । ତେଣୁ  ଗୋଟିକର  ହ୍ରାସ  ବା  ଅବଲୁପ୍ତିରେ  ଅନ୍ୟ  ଏକ  ନୂତନ  ଯାତି  ବା  ପ୍ରଜାତିର  ସୃଷ୍ଟି  ନହେବ  କିପରି  ?

ନାନାପ୍ରକାର   ବୁଦ୍ଧି – ବିକଳ୍ପ  ହେତୁ  ଏ  ଯେଉଁ  ହିଂସାଉପରେ  ପର୍ଯ୍ୟବେସିତ  ନାନା  ରୋଗପାଇଁ  ନାନାବିଧି  ରତିଷେଧକ  ଉଦ୍ଭାବନ, ଏହା  କେବଳ  ଅଯଥା  ମାନସିକ  ଓ  ଶାରୀରିକ  ଶକ୍ତିର  ଅପଚୟ  ବ୍ୟତିରେକ  ଅନ୍ୟକିଛି   ନୁହେଁ   । ବରଂ, ଯଦି  ସେତିକି  ଶକ୍ତିର  ନିୟୋଜନରେ  ଓ  ସମାନ  ସାମୁହିକ  ପ୍ରଚେଷ୍ଟାବଳରେ  ଲୋକଙ୍କର  ମାନସିକ  ପରିବର୍ତ୍ତନ, ଆଧ୍ୟାତ୍ମିକ  ଦ୍ରୁଷ୍ଟି  କୋଣରୁ  ଅଣାଯାଆନ୍ତା  ତାହାହେଲେ  ସମସ୍ତରୋଗର  ପ୍ରତିଷେଧକ  ପାଇଁ  ଯଥେଷ୍ଟ  ହୁଅନ୍ତା, ଏବଂ  ମାନବ – ଶରୀର  ମଧ୍ୟରେ  ଏତାଦୃଶ  ରୋଗର  ସୃଷ୍ଟି  ହୁଅନ୍ତା  ନାହିଁ   ।

“ରାତ୍ରି  ର୍ଗମିଷ୍ୟତି  ଭବିଷ୍ୟତି  ସୁପ୍ରଭାତଂ

ଭାସ୍ଵାନୁ  ଦେଷ୍ୟତି  ହସିଷ୍ୟତି  ପଙ୍କଜଶ୍ରୀ

ଇତିଥ  ବିଚିନ୍ତୟତି  କୋଶଗତେ  ଦ୍ଵିରେଫ

ହାହନ୍ତହନ୍ତ  ନଳିନୀଂ  ଗଜଉଜ୍ଜାହାର ”

ଏଇଟାହିଁ  ଆଧୁନିକ  ମାନବର  କାର୍ଯ୍ୟାନ୍ତ  କଲ୍ପନା  ଓ  ତାହାର  ଫଳାଫଳ  । ସେଥିପାଇଁ  ନିଜର  କାର୍ଯ୍ୟରେ  ପରର  ଅନିଷ୍ଟକରି  ଭବିଷ୍ୟତରେ  ମୁକ୍ତି  ପାଇବାର  ସ୍ଵପ୍ନ  ଦେଖିଲେ  କିଛି ଲାଭହୁଏ  ନାହିଁ  । ମୁକ୍ତି  ପାଇବାର  ଇଚ୍ଛାଥିଲେ   ପରର  ମଙ୍ଗଳକର,  ମନକୁ  ନିର୍ମଳ  କର   ।

(୩)

“ଯେନ  ରୂପଂରସ  ଶବ୍ଦାନ  ସ୍ପର୍ଶାଂଶ୍ଚ  ମୈଥୁନାନ

ଏତେନୈବ  ବିଜାନାତି  କିମାତ୍ର  ପରିଶିଷ୍ୟତେ  ଏତଦ୍ ବୈତତ୍  ॥ (କ:ଉ: ୨।୧।୩)

ଆତ୍ମା  କ’ଣ  ବୁଝାଇବାକୁ  ଯାଇ, ସମାଧାନରେ  ଗୁରୁଦେବ  ସଙ୍କରାଚାର୍ଯ୍ୟ  କହିଛନ୍ତି  “ଯାହା  ଦ୍ଵାରା  ଲୋକେ  ଦେହାଦି – ବିଷୟକୁ  ଜାଣିବାକୁ  କ୍ଷମ, ତାହାକୁ  ଆତ୍ମା  ବୋଲାଯାଏ ” ।

ଦେହ  ବା  ଶରୀର  ଯେତେବେଳେ  ସୁସ୍ଥଥାଏ  ସେତେବେଳେ  ଦେହୀ  ନିଜର  ଶରୀରର  ସୁସ୍ଥତା  ହିଁ  ଅନୁଭବ  କରେ  । ତାହାର  ଅର୍ଥ  ନିଜ  ଶରୀରର  ଅଙ୍ଗ  ପ୍ରତ୍ୟଙ୍ଗ  ସମ୍ପର୍କରେ, କେବଳ  ସେମାନଙ୍କର  ଉପସ୍ଥିତି  ଅନୁଭବ  କରିବା  ବ୍ୟତିରେକ  ସେ  ସମ୍ପର୍କରେ  କିଛି  ଲକ୍ଷ  କରି  ପାରେ  ନାହିଁ  ଯେ  ପର୍ଯ୍ୟନ୍ତ  କୌଣସି  ଅଂଶ  ବ୍ୟାଧିଗ୍ରସ୍ତ  ନ ହୋଇଛି  । ବ୍ୟକ୍ତିଗତ  ବ୍ୟାଧିଗ୍ରସ୍ତ  ଶରୀରକୁ  ଅନୁଭବ  କରେ  ଆତ୍ମା  ବା  ଚେତନା  ଶକ୍ତି   ।

ପୁନଶ୍ଚ, ‘ଜୀବନ’ କ’ଣ   ? “ଦେହସ୍ଥ  ଆତ୍ମାହିଁ   ଜୀବନ”  ।

“ଅସ୍ୟବିସ୍ର  ସମାନସ୍ୟ  ଶରୀରସ୍ଥସ୍ୟ  ଦେହୀନଃ

ଦେହାନ୍ଦ୍ୱିମୁଚ୍ୟ  ମାନସ୍ୟ  କିମତ୍ର ପରିଶିଷ୍ୟତେ, ଏତଦ୍ ବୈତତ୍” (କ:ଉ:୨।୨।୪)

କାରଣ,

“ନ  ପ୍ରାଣେନନାପାନେନ  ମର୍ତ୍ତୋ  ଜୀବତି  କଶ୍ଚନ

ଇତରେଣ  ତୁ  ଜୀବନ୍ତି  ଯସ୍ମିନ୍ନେତାବୁପାଶ୍ରିତୌ (କ:ଉ:୨।୨।୫)

ଶରୀରସ୍ଥ  କୌଣସି  ଅଙ୍ଗର  ଜୀବନୀଶକ୍ତି  ବ୍ୟାହତ  ହେଲେ  ସେ  ଅଙ୍ଗଟି  ବ୍ୟାଧିଗ୍ରସ୍ତ  ବୋଲି  ବୁଝାଇଥାଏ   । କାରଣ, ଶରୀରର  ପ୍ରତ୍ୟକ  ଅଙ୍ଗ  ପ୍ରତ୍ୟଙ୍ଗରେ  ଜୀବନୀଶକ୍ତି  ବା  ଆତ୍ମା  ସମାନ   ଭାବରେ  ବିରାଜିତ  ।

“କୋୟମାତ୍ମେତି  ବୟମୁପାସ୍ମାହେ  ।

କତରଃ  ସ ଆତ୍ମା  ଯେନବା  ପଶ୍ୟତି  ଯେନବା

ଶୃଣୋତି  ଯେନବା  ଗନ୍ଧାନାଜିଘ୍ରତି, ଯେନବା

ବାଚଂ  ବ୍ୟାକରୋତି, ଯେନବା  ସ୍ଵାଦୁଚାସ୍ଵାଦୁ  ବିଜାନାତି”, (ଐ :ଉ:୩।୧।୧)

ପୁଣି  ସେ  ଆତ୍ମା “ମନସାହ୍ୟୋବ   ପଶ୍ୟତି, ମନସା  ଶୃଣୋତି, ହୃଦୟେନହି  ରୂପାଣି  ଜାନାତି” (ବୃ:ଉ: ୧।୫।୩)

ଏବଂ  “ଯୋବୈ  ପ୍ରାଣଃ  ସପ୍ରଜ୍ଞା, ଯୋବୈପ୍ରଜ୍ଞା  ସ  ପ୍ରାଣଃ” (କୌଷି : ୩।୩) କାରଣ  “ଏତଂ  ପ୍ରାଣମୟ ମାତ୍ମାନଂ ଉପସଂକ୍ରାମତି  । ଏତଂ  ମନୋ  ମୟମାତ୍ମାନଂ  ଉପସଂକ୍ରାମତି ” (ତୈ:ଉ: ୨।୮।୫)

ତା’ପରେ  ଏ  ଆତ୍ମା ସବୁକିଛି   ହୋଇପାରେ   । ସେ  ସ୍ଥିର  ପୁଣି  ଅସ୍ଥିର, ସେ  ତତ୍ ପୁଣି  ଅସତ୍, ସେ  ସାକାର  ପୁଣି  ନିରାକାର, ତେଣୁ  ତାହା  ପ୍ରତ୍ୟକ  ରୂପବାନ  ବସ୍ତୁର  ଅନୁରୂପ  ହୋଇପାରେ   ।

“ଅଗ୍ନିର୍ଯଥକୋ  ଭୁବନଂ  ପ୍ରବିଷ୍ଟୋ

ରୂପଂ ରୂପଂ  ପ୍ରତିରୂପୋ   ବଭୂବୋ

ଏକସ୍ତଥା  ସର୍ବଭୁତାନ୍ତରାତ୍ମା

ରୂପଂରୂପଂପ୍ରତି  ରୂପୋବହିଶ୍ଚ-୯-

ବାୟୁର୍ଯଥକୋଭୁବନଂ  ଫରବିଷ୍ଟୋ

ରୂପଂରୂପଂପ୍ରତି ରୂପୋବଭୂବୋ

ଏକସ୍ତଥା  ସର୍ବଭୁତାନ୍ତରାତ୍ମା

ରୂପଂରୂପଂ  ପ୍ରତିରୂପୋ  ବହିଶ୍ଚ -୧୦- (କ:ଉ: ୨।୨)

ସୁତରାଂ  ଏଭଳି  ଯେଉଁ  ମନ  ବା  ଚେତନା, ଯାହାଦ୍ଵାରା  କି  ବିଶ୍ଵ ବ୍ରହ୍ମାଣ୍ଡର  ଯାବତୀୟ  ଦ୍ରବ୍ୟର  ସୃଷ୍ଟି,  ସ୍ଥିତି  ଓ  ଲୟାଦି  କାର୍ଯ୍ୟ   ସମ୍ପାଦନ ତଥା  ଅନୁଭୂତ  ହୋଇଥାଏ, ତାହା  ଏକ ଶକ୍ତି, ଯାହାକୁ କି  ଜୀବନୀଶକ୍ତି  ବୋଲି  ନାମକରଣ  କରାଯାଇ  ପାରେ  ।

ବୈଦୁତିକ   ଶକ୍ତି, ଚୁମ୍ବକଶକ୍ତି, ମାଧ୍ୟାକର୍ଷଣ  ଶକ୍ତି  ବା  ପରମାଣୁ  ଶକ୍ତିର  ପୃଥକ  ପୃଥକ  କାର୍ଯ୍ୟମାନଙ୍କୁ  ନିରୀକ୍ଷଣ  କଲେ  ମନେହୁଏ   ସମସ୍ତେ  ଏକ  ସ୍ଵୟଂ  ସମ୍ପୂର୍ଣ୍ଣ  ଶକ୍ତି   । ଏକରୁ  ଅନ୍ୟଟି ଭିନ୍ନ   । ମାତ୍ର  ସୂକ୍ଷ୍ମ  ତାତ୍ତ୍ଵିକ – ବିଚାରରେ  ସେ  ସବୁକୁ  ଚିନ୍ତାକଲେ  ଏ  ଧ୍ରୁବ  ସତ୍ୟରେ  ଆମ୍ଭେମାନେ  ନିଶ୍ଚୟ  ନିପତିତ  ହେବା  ଯେ  ସେସବୁ  ଏକ  ଆଦ୍ୟଶକ୍ତି  ବା  ପରାଶକ୍ତିରୂହିଁ  ଉତ୍ପନ୍ନ   । ସକଳ  ଶକ୍ତିର  ଉତ୍ସ  ଏକ   ।

“କରି  କରାଉ  ଥାଏ  ମୁହିଁ

ମୋ  ବିନୁ  ଅନ୍ୟ  ଗତିନାହିଁ ”

“ସଇକ୍ଷତ  ବହୁସ୍ୟା  ପ୍ରାଯାୟୟ”,  “ମନର  ମୂଳେ  ଏ  ଜଗତ”  ଇତ୍ୟାଦି   ।

ମନେ  କରାଯାଉ  ଏକ  ଲୁହାର  ଶିକୁଳି   । ସେ  ଶିକୁଳିର  ପ୍ରତ୍ୟକ  କଡା  ଗୋଟିଏ  ଗୋଟିଏ  ସ୍ଵୟଂ  ସମ୍ପୂର୍ଣ୍ଣ  କଡା   । ମାତ୍ର  ଗୋଟିଏ   କଡାରେ ଗୋଟିଏ  ଶିକୁଳିର  ସୃଷ୍ଟି  ହୋଇ  ପାରେନାହିଁ   । ଗୋଟିଏ   କଡା  ଅନ୍ୟ  କଡା   ଉପରେ  ନିର୍ଭର  କରେ, ଏବଂ  ଅନ୍ୟଟି  ଅନ୍ୟ  ଉପରେ  ଏବଂ  ସମସ୍ତେ  ଏକ  ମୂଳ  ଉପରେ  ନିର୍ଭର  କରନ୍ତି  । ଏହି  ସୃଷ୍ଟିରେ  ସମସ୍ତ  ଶକ୍ତି  ନିଜନିଜ  ପରିଧି  ମଧ୍ୟରେ  ପୂର୍ଣ୍ଣତ୍ଵ  ପାଇଥିଲେ  ମଧ୍ୟ  ଅନ୍ୟଶକ୍ତି   ଉପରେ  ନିଜର  ବିକାଶ  ପାଇ  ମଧ୍ୟ  ଅନୁମାନ   ସିଦ୍ଧାନ୍ତ  । ଅନୁମାନ  ସିଦ୍ଧାନ୍ତ  ବ୍ୟତିରେକ  ଅନ୍ୟପ୍ରକାର  ସିଦ୍ଧାନ୍ତ  କଦାଚ  ସମ୍ଭବ  ନୁହେଁ  ଏ  ମାନବ  ପକ୍ଷରେ  ଆଧ୍ୟାତ୍ନୀକ  ବଳ  ବା  ସାଧନା  ବିନା   ।

ସେ  ଯାହା  ହେଉନା  କାହିଁକି, ଏହି  “ଆଦ୍ୟଶକ୍ତି” , “ସକଳଘଟେ  ନାରାୟଣ”  ନ୍ୟାୟରେ  ପ୍ରତ୍ୟକ  ଅଣୁ  ପରମାଣୁରେ  ଓତଃପ୍ରୋତ  ଭାବରେ  ଜଡିତ   । ଏହି  ଶକ୍ତି  ଯେପରି  ଜଡ  ଦେହରେ,  ସେହିପରି  ପ୍ରାଣୀ  ଦେହରେ  ମଧ୍ୟ  ବିଦ୍ୟମାନ   । ମାତ୍ର  ଏହି  ଶକ୍ତିର  ପୂର୍ଣ୍ଣ  ଅଭିବ୍ୟକ୍ତି  ଜୀବ, ପରିଶେଷରେ  ମାନବ  ଶରୀରରେ  ହୁଏ, କାରଣ  ତାହା  ସମସ୍ତ  ଇନ୍ଦ୍ରିୟମାନଙ୍କର  ଧାରଣ  କର୍ତ୍ତା   । ପ୍ରାଣୀ  ଦେହରେ  ଏହିଶକ୍ତି  ‘ପ୍ରାଣ’ ନାମରେ  ଖ୍ୟାତ,  । ‘ଏତଂ  ପ୍ରାଣମୟମାତ୍ମାନଂ  ଉପସଂକ୍ରାମତି’,   । ତେଣୁ  ଏହି  ପ୍ରାଣ  ବା  ଜୀବନୀଶକ୍ତି  ସେହି  ଆଦ୍ୟଶକ୍ତିର  କେବଳ  କ୍ରମ  ବିକାଶ  ମାତ୍ର   ।

ଏକ  କ୍ଷୁଦ୍ର  ବଟବୀଜରୁ ଏକ  ପ୍ରକାଣ୍ଡ  ବଟ  ବୃକ୍ଷର  ଉତ୍ପତ୍ତି – ଜୀବନୀ  ଶକ୍ତିର  କାର୍ଯ୍ୟ  । ଏବଂ ଏହି  ଜୀବନୀଶକ୍ତି  କ୍ଷୁଦ୍ର  ବୀଜରୁ  ପ୍ରକାଣ୍ଡ ବୃକ୍ଷର  ସମସ୍ତ   ଅଂଶରେ  ସମାନ  ଭାବରେ  ବିଦ୍ୟମାନ   । ଏଥିରୁ  ଲକ୍ଷ  କରିବାର  କଥାଯେ  ଏହି  ଶକ୍ତିର  ମଧ୍ୟ  ଏକ  ପ୍ରବାହ  ଅଛି   । ଏବଂ ଏହି  ପ୍ରବାହ  “କେନ୍ଦ୍ରରୁ  ପରିଧି” ଆଡକୁ  ବା  ଭିତରୁ  ବାହାର  ଆଡକୁ   । ଏହିଟାହିଁ ସୃଷ୍ଟି  ପ୍ରକ୍ରିୟା   ।

ବିବର୍ତ୍ତନବାଦ  ଦୃଷ୍ଟି  କୋଣରୁ  ଦେଖିଲେ  ମଧ୍ୟ  କ୍ଷୁଦ୍ର  ଏକକୋଷୀ  ‘ଏମିବା’ର  କ୍ରମବିକାଶରୁହିଁ  ଏହି  ଜୀବ  ଜଗତର  ସୃଷ୍ଟି  । ସୂକ୍ଷ୍ମରୁ  ସ୍ଥୂଳାକାରକୁ   ବା  କେନ୍ଦ୍ରରୁ  ପରିଧି  ଆଡକୁ  ଗତିକରିବା  ହେଉଛି  ସୃଷ୍ଟିର   ନିୟମ   ।

ଚିକିତ୍ସା ଶାସ୍ତ୍ରରେ  ଏହି  ନିୟମ  ଅନୁଧ୍ୟାନର  କଥା   । କାରଣ  ସେହି  ସୂତ୍ର  ଅନୁଯାୟୀ   ରୋଗର   ବିକାଶ   ସାଧନ  ମଧ୍ୟ  ହୋଇଥାଏ   । ସୁଖ୍ମାଂଶରୁ  ସ୍ଥୂଳାଂଶକୁ, ଭିତରୁ  ବାହାରକୁ  ବା  କେନ୍ଦ୍ରରୁ  ପରିଧି  ଆଡକୁ  ଜୀବନୀ  ଶକ୍ତିର  ଏତାଦୃଶ ପ୍ରବାହକୁ  “ଜୀବନ  ସ୍ରୋତ” କୁହାଯାଏ  ।

ଶରୀରର  ନିତ୍ୟ  କ୍ଷୟ  ପୂରଣ, ପୁଷ୍ଟିକାର୍ଯ୍ୟ  ବା  ବର୍ଦ୍ଧନାଦି  ଯାବତୀୟ  ବ୍ୟାପାର  ଏହି  ଜୀବନ  ସ୍ରୋତ  ଦ୍ଵାରାହିଁ  ‘କେନ୍ଦ୍ରରୁ  ପରିଧି’ ନ୍ୟାୟରେ  ସଂଘଟିତ  ହୁଏ   ।

ସୁତରାଂ  ରୋଗୀ  ଚିକିତ୍ସା  ସମୟରେ  ଚିକିତ୍ସକର  ଏହି  ସତ୍ୟ  ପ୍ରତି  ଦୃଷ୍ଟି  ରଖିବା  ସର୍ବାଦୌ   କର୍ତ୍ତବ୍ୟ   । ପ୍ରକୃତିର  ନିୟମ  ସହିତ  ତାଳଦେଇ  ସମାନ୍ତରାଳ  ଗତିରେ  ଆମ୍ଭମାନଙ୍କର  ଅଗ୍ରସର  ହେବାର କଥା  । ତାହାହେଲେ  ଆଶୁ ଫଳଲାଭର  ଆନନ୍ଦ  ମିଳିପାରିବ   ଶରୀରସ୍ଥ  ରୋଗର  ଶୀଘ୍ର  ପରିଷ୍କୃତି  ହୋଇ   । ଚିକିତ୍ସା  ନାମରେ  ରୋଗକୁ   ଯଦି  ଅନ୍ତର୍ମୁଖୀ  କରାଯାଏ, ତାହା  ହେଲେ  ନାନାଦି  ଦୁର୍ଲକ୍ଷଣ  ଜାତହେବା  ସ୍ଵାଭାବିକ

ମନେ  କରାଯାଉ  ଏକ  ଜଳାଧାର  । କୌଣସି  କାରଣ  ବଶତଃ  ଜଳାଧାରର  ଏକ  ସ୍ଥାନରେ  ଆବର୍ତ୍ତନ   ସୃଷ୍ଟିହେଲା, ଫଳରେ  ସେ  ସ୍ଥାନରେ  ଅନେକ  ତରଙ୍ଗମାଳାର  ସୃଷ୍ଟିହୋଇ   ଜଳାଧାରର  ତଟଦେଶ  ଆଡକୁ  ଧାବମାନ   ହେଲା   କେନ୍ଦ୍ରରୁ  ପରିଧି  ଆଡକୁ  ଓ  କାର୍ଯ୍ୟତଃ  ସମସ୍ତ  ଜଳାଧାରରେ  ଅସ୍ଥିରତା  ସୃଷ୍ଟି  ହେଲା   । ବର୍ତ୍ତମାନ  ଆମେ  ସେହି  ଜଳାଧାରକୁ  ପୁନର୍ବାର  ସ୍ଥିର  କରିବାକୁ  ଯାଇ  କେନ୍ଦ୍ରରୁ  ପରିଧିଆଡକୁ  ଧାବମାନ  ତରଙ୍ଗ  ରାଶିକୁ   ଯଦି  ପୁନର୍ବାର  ତଟଦେଶରୁ   ବଳପୂର୍ବକ   ଅନ୍ତର୍ଦ୍ଦେଶକୁ  ତଡିବା, ତେବେ  ଜଳାଧାରର  ଅବସ୍ଥା  କ’ଣ  ହେବ  ? ଏବଂ  ଯଦି  ଗୋଳ  ଯୋଗ  ବିକାଶ  ପାଉଥିବା  ସ୍ଥାନରେ  କୌଣସି  ଏକ  ଶକ୍ତିଦ୍ଵାରା  ଗୋଳଯୋଗର   କାରଣକୁ  ବନ୍ଦକରି  ଦିଆଯାଇ  ଅଧିକ  ଗୋଳଯୋଗ  ସୃଷ୍ଟି  ହେବାକୁ  ନଦେବା   ଏବଂ  ତତ୍ପନ୍ନ  ତରଙ୍ଗ  ସକଳକୁ  ଯଥାଶୀଘ୍ର  ଅବ୍ୟାହତ  ଭାବରେ  ତଟଦେଶକୁ  ଚାଲିଯିବାରେ  ସାହାଯ୍ୟ  କରିବା  ତେବେ  ଜଳାଧାରର  ଅବସ୍ଥା  କ’ଣ   ହେବ   ? କେଉଁଥିରେ  ଶୀଘ୍ର ଓ  ସ୍ଥାୟୀଭାବରେ  ଜଳାଧାରରେ  ସ୍ଥିରତା  ଅଣାଯାଇ  ପାରିବ  ?

ତରଙ୍ଗର  ଉତ୍ପତ୍ତିରୁ  ହିଁ  ଗୋଳଯୋଗର  ସ୍ଥାନ  ନିରୂପଣ  ସମ୍ଭବ  । ଏବଂ  ଏହା  ଫଳରେ  ଗୋଳଯୋଗର  କାରଣକୁ  ନଷ୍ଟ  କରାଯାଇପାରିବ   । ତାହା  ନ କରି  ଲକ୍ଷଣ  ସଦ୍ଦୃଶ  ଯେ  ତରଙ୍ଗମାଳ, ସେଗୁଡିକୁ  ଯଦି  ଛାପି  ଦିଆଯାଇପାରେ  ବ୍ୟବସ୍ଥାଗ୍ରହଣ  କରାଯାଏ  ତେବେ  ସେ  ଗୁଡିକ  ଅନ୍ତର୍ମୁଖୀ  ହୋଇ  କାରଣସ୍ଥଳ  ଅପ୍ରକାଶ୍ୟ  ରଖିବ, ଯେହେତୁ  ଏହା  ଦ୍ଵାରା  ଗୋଳଯୋଗ  ଜଳାଧାରରେ  ସର୍ବବ୍ୟାପି  ହୋଇ  ଉଠିବ   ।

ଯଥା  ଏହି  ଜଳତ୍ନଧାର  ତଥା  ମାନବ  ଶରୀର, ତେଣୁ  ପ୍ରକୃତ  ଚିକିତ୍ସା  ସୂତ୍ର  ହେଉଛି   ।

“ସମଃ  ସମଂ  ସମୟତେ” – “Similia  Similibus  curentur ”

(୪)

“ଶାନ୍ତ  ଶିବମଦ୍ଵତମ” ଏ  ଯେଉଁ  ମହନୀୟ  ନିରୋଗଭାବ  କେଉଁ  ଅଶୁଭ  ଲଗ୍ନରେ  କେଜାଣି  ଅହମତତ୍ଵ  ଦ୍ଵାରା  ନିପୀଡିତ  ହୋଇ  ଏ  ପୁତପ୍ରାଣପୂର୍ଣ୍ଣ   ଭୂମିକୁ  କଳଙ୍କିତ  କଳା  ତାହାର  ହିସାବ  କିଏବା  କରି  କହିବ  । “କ୍ରିୟାକାରକ  ଫଳ  ଭେଦ  ବୁଦ୍ଧିଃ, ଅବିଦ୍ୟୟା  ଆତ୍ମନି  ନିତ୍ୟ  ପ୍ରବୃତ୍ତ  ମମକର୍ମ  ଅହଂକର୍ତ୍ତା, ଅମୁଷ୍ପ  ଫଳାୟ  ଇଦକର୍ମ  କରିଷ୍ୟାମି, ଇତ  ଇୟମ୍  ଅବିଦ୍ୟା  ଅନାଦି  କାଳ  ପ୍ରବୃତ୍ତ   ।”

ଶଙ୍କରାଚାର୍ଯ୍ୟ  କହିଲେ :

“ଆତ୍ମାରେ  କ୍ରିୟା, କାରକ ଓ  ଫଳ ବିଷୟକ  ଭେଦବୃଦ୍ଧି  ଅବିଦ୍ୟାକାରଣରୁ   ସବୁଦିନକୁ  ପ୍ରବୃତ୍ତି  ହୋଇ  ଆସିଛି  । କର୍ମ  ମୋର  ଅଟେ, ମୁଁ  ତାର  କର୍ତ୍ତା  ମୁଁ  ଅମୁକ  ଫଳ  ନିମନ୍ତେ  ଏକର୍ମ   କରୁଅଛୁ, ଏ  ଯେଉଁ  ଅବିଦ୍ୟା  ଅନାଦି  କାଳରୁ  ପ୍ରବୃତ୍ତ  ହୋଇ  ଆସୁଛି   ।”

କିନ୍ତୁ  ସେ  ଯାହା  ହେଉନା  କାହିଁକି, ସେହି  ଦିନ  ଠାରୁ  ଯେ  ଆମର  କର୍ମ, କର୍ମଫଳ, ସୁଖ  ଦୁଃଖ  ଓ  ରୋଗ  ଶୋକାଦିର  ଅୟମାରମ୍ଭ  ହୋଇଅଛି  ତାହା  କହିବା  ବାହୁଲ୍ୟ  ମାତ୍ର  ।

ମାନବ  ତଥା  ମାନବ  ଶରୀରର  ବ୍ୟାଧି  ସେହି  ସମୟରୁ  ଜାତ   । ବ୍ୟାଧି  ଏକ  ଦୁଃଖ  ମାତ୍ର  । “ପୁରୁଷସ୍ୟ  ଦୁଃଖ  ସମ୍ବନ୍ଧ”  ଏବଂ  ପ୍ରତ୍ୟକ  ଦୁଃଖ ହିଁ  ଆମ୍ଭ  କୃତ  କର୍ମର  ଫଳ   । କର୍ମ  ସ୍ରୋତା, ଏବଂ  ବ୍ୟାଧିସ୍ରୋତ, ଏବଂ  ସଙ୍ଗେହିଁ  ଉତ୍ପନ୍ନ   ଓ  ଉଭୟ  ସମାନ୍ତରାଳ  ଭାବେ  ଗତି  କରନ୍ତି   ।

ସଂଚିତ  ହେଉଛି  ପୂର୍ବଜନ୍ମ  କର୍ମ  ମାନଙ୍କର  ଅବଶିଷ୍ଟାନ୍ସ  ଯାହା  ଏ ଜନ୍ମକୁ  ଗଚ୍ଛିତ  ହୋଇଥାଏ   । ଯେଉଁ  ବାସନା  ସକଳ  ନବ୍ୟ  ପାପପୂଣ୍ୟ  କର୍ମ  ପାଇଁ  ହେତୁ  ହୁଏ  ତାହା  ସଂଚିତ, ଏବଂ  ଯାହା  କେବଳ  ସୁଖ  ଦୁଃଖ  ଭୋଗ  କରାଇବା ନିମନ୍ତେ  ହୋଇଥାଏ  ତାହା  ପ୍ରାରବ୍ଧ   । ଏବଂ, ନିଜ  ଇଚ୍ଛାରେ  ଯେଉଁ  ଭଲମନ୍ଦ  କାର୍ଯ୍ୟ  ଜୀବନ  ସମୟ  ମଧ୍ୟ  କରାଯାଏ  ତାହା  କ୍ରିୟମାଣ   ।

ସେ  ଯାହା  ହେଉନା  କାହିଁକି, ସମସ୍ତ  କର୍ମର  ଫଳ  ଏହି  ଜୀବନକୁ, ପକ୍ଷାନ୍ତରେ  ତା’ର  ଶରୀରକୁ  ହିଁ  ଭୋଗ କରିବାକୁ  ହୋଇଥାଏ   । କାରଣ, ମହର୍ଷି  ନ୍ୟୁଟନଙ୍କ   ଭାଷାରେ   କହିବାକୁ  ଗଲେ  “To  each  and  every  action there  is  an  equal  and  opposit  reaction ”   । “ପ୍ରତ୍ୟକ  କର୍ମର   ଠିକ୍  ସମାନ  ଓ  ବିପରୀତ   ପ୍ରତିଘାତ  ନିଶ୍ଚୟ  ଅଛି ”  । ଗୋଟିଏ  କାନ୍ଥକୁ   ଯଦି  ବିଧାଏ   ମାରିବାକୁ  ହୁଏ  ତାହା  ହେଲେ  ସେକାନ୍ଥ  ମଧ୍ୟ  ବିଧାଏ  ଓଲଟି   ମାରିବ  । ଯଦି  ନମାରନ୍ତା   ତେବେ  କାନ୍ଥକୁ  ବିଧାଏ   ମାରିଲା  ପରେ  ହାତରେ  ଦରଜ  ଲାଗନ୍ତା   କାହିଁକି   ।

ତେଣୁ  ପ୍ରତ୍ୟକ  କର୍ମର  ଏକ  କର୍ମଫଳ  ନିଶ୍ଚୟ  ଅଛି  ଏବଂ  ତାହା  କର୍ତ୍ତାକୁ  ଭୋଗ  କରିବାକୁ  ହିଁ  ହୁଏ  । ମନୁଷ୍ୟର  ଶରୀରପୀଡା  ତାହାର  ଅସତ୍  କର୍ମର  ପ୍ରତିଫଳ   । ମନୁଷ୍ୟର  ଏ ଅସତ୍ କର୍ମ  ତାହାର  ଅଜ୍ଞାନ  ବା  ଅବିଦ୍ୟା  ହେତୁ  ହିଁ  ଘଟିଥାଏ   ।

“ଅନ୍ଧତମଃ  ପ୍ରବିଶନ୍ତିଯେବିଦ୍ୟାମୁପାସତେ”

“ଯେଉଁମାନେ   ଅବିଦ୍ୟାର  ଉପାସନା  କରନ୍ତି

ସେମାନେ  ଅନ୍ଧକାରରେ  ପ୍ରବେଶ  କରନ୍ତି ”

ପ୍ରକୃତିର  ଦୁଇଟି  ସ୍ୱରୂପ – ବିଦ୍ୟାତ୍ମକ ଓ  ଅବିଦ୍ୟାତ୍ମକ   । ଏହି  ଅବିଦ୍ୟା  ବା  ଅଜ୍ଞାନରୁ  ଉତ୍ପନ୍ନ  ଅହଂକାର, ଅସାନ୍ତି  ଆଦି  ଦୋଷ  ମାନଙ୍କର  ବଶହୋଇ  ମନୁଷ୍ୟ  ପାପକାର୍ଯ୍ୟରେ  ପ୍ରବୃତ୍ତ  ହୁଏ   । ସଂସାରରେ  ଅବିଦ୍ୟାଦି  ପାଞ୍ଚକ୍ଲେଶ  ମହର୍ଷି  ପାତଞ୍ଚଳି  ମଧ୍ୟ  ଦର୍ଶାଇ  ଅଛନ୍ତି   ।

“ଅବିଦ୍ୟାସ୍ମିତାରୋଗ ଦ୍ଵେଷାଭିନିବେଶାଃକ୍ଲେଶାଃ” (ଯେ:ସା: ୩)

“ଅବିଦ୍ୟା, ଅସ୍ମିତା, ରାଗ, ଦ୍ଵେଷ  ଓ  ଅଭିନିବେଶ   ଏହି  ପାଞ୍ଚଟିକୁ  କ୍ଲେଶ  କୁହାଯାଏ”  ।

ଏହି  ଅବିଦ୍ୟା  ହେତୁ  ହିଁ  ଜୀବର  ସମସ୍ତ  କ୍ଲେଶର  ଜନ୍ମ  ।

ଶ୍ରୀମଭଗବତ  ଗୀତାରେ  ମଧ୍ୟ

୧- ଅଜ୍ଞାନେନାବୃତଂ  ଜ୍ଞାନଂ  ତେନମୁହ୍ୟନ୍ତିଜନ୍ତବଃ  ୫।୧୫

୨- ତ୍ରିବିଧ  ନରକସ୍ୟୋଦ  ଦ୍ଵାରଂ  ନାଶନମାତ୍ମନଃ

କାମଃ  କ୍ରୋଧ  ସ୍ତଥା  ଲୋଭସ୍ତସ୍ମାଦେତ୍ତ୍ରେୟଂ  ତ୍ୟଜେତ  ୧୬।୨୧

୩- ପୁରୁଷ  ପ୍ରକୃତି  ସ୍ଥୋହି  ଭୁଙ୍ କ୍ତେ  ପ୍ରକୃତି  ଜାନ୍  ଗୁଣାନ

କାରଣ  ଗୁଣ  ସଙ୍ଗୋସ୍ୟ  ସଦସଦ୍ୟୋନି   ଜନ୍ମସୁ   ୧୩।୨୧  ବୋଲି  କୁହାଯାଇଅଛି   ।

ମାତ୍ର   ବ୍ୟାଧିର  ଏହି  ସତ୍ୟକୁ  ନିରୀକ୍ଷଣ   କରିବାର  ମନୋବଳ  ଅଭାବରୁ  ନାନା  ରୋଗର  କାରଣ  ସ୍ୱରୂପ  ନାନା  ଜୀବାଣୁର   ବର୍ତ୍ତମାନତା  ହୋଇଛି  ଆଜି  ଯୁଗର   ବିଶେଷଜ୍ଞାନର  ପରିଚାୟକ   । ମାତ୍ର  ଅତି  ତୀକ୍ଷଣ  ଦୃଷ୍ଟିରେ  ଏସବୁକ  ବିଚାର  କଲେ  ସେ  ତଥ୍ୟର  ସତ୍ୟାସତ୍ୟତାର  କେତେଦୂର  ଯଥାର୍ଥତା   ଅଛି  ବେଶ୍  ଜଣାପଡେ   । କାରଣ, ଅବିଦ୍ୟା  ଦ୍ଵାରା  ମନ  ଅସଂଯତ   ହୁଏ, ଫଳରେ   କୌଣସି  ଶୂଭ  କାର୍ଯ୍ୟ  ପାଇଁ  ହୃଦୟରେ  ସଦ୍  ବଳର  ଅଭାବ  ଘଟେ   ।

“ଅସଂଯତାତ୍ମନା  ଯୋଗେ  ଦୁସ୍ପ୍ରାପଇତିମେ  ମତିଃ”  ଗୀତା ୬-୩୬

ବସନ୍ତ  ବା  ବିସୂଚିକା  ବ୍ୟାଧିର  ଭୟଙ୍କର   ପ୍ରସାର  ସମୟରେ   ଏ  ଦୃଷ୍ଟାନ୍ତ  ଅତ୍ୟନ୍ତ  ବିରଳ  ନୁହେଁ  ଯେ, ଏକ  ଏକ  ପରିବାରରେ   ଅଧିକାଂଶ  ଲୋକ  ରୋଗଗ୍ରସ୍ତ  ଥିବା  ସମୟରେ, ସେମାନଙ୍କର  ମଳମୂତ୍ର  ପୂଜ  ସହିତ  ନାନାଭାବରେ  ମିଶୁଥିବା   କେତେକ  ଲୋକ  ମଧ୍ୟ  ନିରୋଗ  ରହିଥା’ନ୍ତି   ।

ଏହାର  କାରଣ  Vitality ବା  ଜୀବନୀଶକ୍ତି  ବୋଲି  କୁହାଯାଇଥାଏ   । ଏହି  ଜୀବନୀଶକ୍ତି  କ’ଣ  ଓ  ନିର୍ଦ୍ଧିଷ୍ଟ  କେତେକଙ୍କ  ନିକଟରେ  ତାହା  କାହିଁକି  ଏତେ  ଦୁର୍ବଳ  ତାହାର  କାରଣ  ସମ୍ପର୍କରେ  ଆଜିର   ବିଜ୍ଞାନୀମାନେ  ଯୁକ୍ତି  କରିବାକୁ  ଯଥେଷ୍ଟ   ବିଷୟ  ବସ୍ତୁ  ରଖି  ନାହାନ୍ତି   ।

ବାସ୍ତବରେ  କିନ୍ତୁ  ବ୍ୟାଧିପ୍ରବାହ  ପ୍ରକୃତ  ପ୍ରସ୍ତାବରେ  ମାନବର  କର୍ମ  ପ୍ରବାହ  ସହିତ  ଏକିଭୂତ   ।

ନିଜର  କର୍ମଦୋଷରୁ  କୁପଥଗାମୀ   ହୋଇ  କୌଣସି  ବ୍ୟକ୍ତି  ଦୂଷିତ  ମେହ  ରୋଗରେ  ଆକ୍ରାନ୍ତ  ହେଲେ   । ତା’ପରେ  ଆକ୍ରାନ୍ତ  ବ୍ୟକ୍ତି  କେତେକ  ଅସଦୃଶ  ଔଷଧର   ପ୍ରକ୍ଷେପଣ   ଦ୍ଵାରା  ସେଥିରୁ  ଆରୋଗ୍ୟ  ହୋଇ  ପୁନର୍ବାର  ବାତ  ରୋଗଗ୍ରସ୍ତ   ହେଲେ, ଏବଂ  ପୁନର୍ବାର  ଉକ୍ତ  ଅସମ   ଚିକିତ୍ସା  ଦ୍ଵାରା  ସେଥିରୁ  କ୍ଷାନ୍ତ  ହୋଇ  ପକ୍ଷାଘାତ, ହୃଦରୋଗ  ଇତ୍ୟାଦି  ଇତ୍ୟାଦିରେ  ଆକ୍ରାନ୍ତ  ହେବାର  ଦୃଷ୍ଟାନ୍ତ   ନିଜ  କର୍ମଫଳ  ବ୍ୟତୀତ   ଆଉ  କ’ଣ  ହୋଇପାରେ   । ଏବଂ, ଏସବୁ  କେବଳ  ତାହାର  ମାନସିକ  ଚଞ୍ଚଳତା  ହେତୁ  ଯେଉଁ  କର୍ମ ଫଳରେ   ବା  ଯେଉଁ  ପାପ  କାର୍ଯ୍ୟରୁ  ଏ  ଯେଉଁ  ବ୍ୟାଧି  ତାହା  କିପରିବା   ସାମାନ୍ୟ  କେତୋଟି  ମାତ୍ର  ଟଙ୍କାରେ , ଏତେ  ଅଳ୍ପ  ସମୟ  ମଧ୍ୟରେ  ବିନା  ଭୋଗରେ  ଆରୋଗ୍ୟ   ହୋଇଯିବ  ।

“ଆପଣା  କଲା  କର୍ମମାନ

ଆଗୁ  ହୋଇବ  ସାବଧାନ ”

ପୂର୍ବରୁ  ଯଥେଷ୍ଟ  ବିଚାର  ବୁଦ୍ଧିର  ନ୍ୟୁନତା  ଫଳରେ  ଯେତେ  ସବୁ  ପ୍ରତିକୂଳ  ଫଳାଫଳ  ଭୋଗ  କରିବାକୁ  ହୋଇଥାଏ   ।

ଉପସ୍ଥିତ  କ୍ଷେତ୍ରରେ  ଉକ୍ତ  ବ୍ୟକ୍ତିର  ‘କର୍ମଫଳ  ସ୍ରୋତ’  ପ୍ରବାହମାନ  ଥିବାରୁ  ସେ  ସବୁ ପୀଡାର  ତିରୋଧାନ  ଆଦୌ  ସମ୍ଭବହେଉ  ନାହିଁ, ବରଂ  ତାହା  ଅନ୍ତର୍ମୁଖୀ  ହୋଇ  ଶରୀରର  ଅତ୍ୟନ୍ତ   ମୁଲ୍ୟବାନ  ଯତ୍ନ  ସକଳକୁ   ଆକ୍ରାନ୍ତକରୁଛି  । ସେହିବ୍ୟାଧିର   ଅନ୍ତର୍ମୁଖୀତ୍ଵ ମଧ୍ୟ  ମନୁଷ୍ୟର  କର୍ମଦୋଷଜ  ଅସମ  ବା  ଅସଦୃଶ  ଚିକିତ୍ସା   ।

ସେହି  ବ୍ୟାଧିସ୍ରୋତକୁ  ପୁନର୍ବାର  ବହିର୍ମୁଖୀ  କରାଇ  ମାନସିକ  ପରିବର୍ତ୍ତନ  ନ  ଆଣିଲେ   ପ୍ରକୃତ  ରୋଗର  ତିରୋଭାବ  ଉକ୍ତ  ରୋଗୀ  ନିକଟରେ  ହେବା  ସମ୍ଭବ  ନୁହେଁ  । ଏହି  କାରଣରୁ ହିଁ  ଆର୍ଯ୍ୟଋଷିମାନେ  ପ୍ରାୟଶ୍ଚିତ୍ତର  ଶାସ୍ତ୍ର  ବିଧାନ କରିଅଛନ୍ତି   । ପ୍ରାୟଶ୍ଚିତର  ଅର୍ଥନୁହେଁ   କ୍ଲେଶ  ବା  ଦଣ୍ଡଦେବା   । ତାହା  ହେଉଛି  ମାନସିକ  ଅନୁଶୋଚନା  ଓ  ତାହା  ନେଇ  ପାପକର୍ମରୁ  ନିଜକୁ  ସବୁଦିନ  ପାଇଁ  ଅଲଗା  କରିନେବା   । ବର୍ତ୍ତମାନର  ସାମୟିକ  କଷ୍ଟ  ଅପନୋଦନକାରୀ  ଭେଷଜ   ସକଳ  ଦ୍ଵାରା  ମନୁଷ୍ୟରମନ  ଅଧିକ  ଚଞ୍ଚଳ   । ସେ  ତା’ର  କୃତ  ପାପକର୍ମକୁ  ଲୁଚାଇବାକୁ   ଚେଷ୍ଟାକରି  ସାମାନ୍ୟ   ଗୋଟିଏ  ଦୁଇଟି  ପ୍ରକ୍ଷେପ  ଦ୍ଵାରା  ଉପସ୍ଥିତ  କଷ୍ଟ  ସକଳକୁ  ତିରୋହିତ  କରି  ପୁନର୍ବାର  ପୂର୍ବପାପ  କର୍ମରେ  ଲିପ୍ତ  ରହୁଛି  । ଫଳରେ  ତାହାର  କୃତ  କର୍ମର   ପ୍ରକୃତ  ଭୋଗକୁ  ଅନୁଭବ  ସେ  କରିପାରୁ  ନାହିଁ   । ତେଣୁ  ମାନସିକ  ସ୍ତରରେ ତା’ର  ପରିବର୍ତ୍ତନ  ଆସିବା  ସମ୍ଭବ  ଘଟୁନାହିଁ, ଯଦି  ଓ  ସେ  ଗୋଟିକ  ପରେ  ଗୋଟିଏ  ବ୍ୟାଧିଭୋଗ  କରୁଛି  । ମାତ୍ର, ପରବର୍ତ୍ତୀବ୍ୟାଧି  ଗୁଡିକ  ଯଦିଓ  ପ୍ରଥମଟିର  ପର୍ଯ୍ୟାୟଭୁକ୍ତ  ବା  ଆନୁସଙ୍ଗିକ  ତଥାପି  ତାହା  ପ୍ରଥମଟିର  ଚାପା  ଦେବା  କର୍ମର  ଫଳ   ।

ଏଥିପାଇଁ  ସେହି  ସ୍ରାବ  ବା  ପ୍ରଥମ  ରୋଗାବସ୍ଥାକୁ  ପୁନରାବିର୍ଭାବ  କରାଇବାକୁ  ହେବ  ଫଳରେ  ତାହା  ଦ୍ଵାରା  ରୋଗୀ  ମନରେ  ଚେତନା  ଜାଗ୍ରତ  ହେବ  । ସେ ହୃଦୟଙ୍ଗମ   କରିବ  ଯେ  ତା’ର  କୃତ  ପାପକର୍ମ  ହେତୁ  ରୋଗର  ଅର୍ଜନ   । ଏଥି  ନିମନ୍ତେ  ସଦୃଶ  ବିଧାନର  ଆବଶ୍ୟକତା   । ସଦୃଶ  ବିଧାନ  ଦ୍ଵାରା  ଏହା  ପ୍ରମାଣିତ  ହୁଏ ଯେ  ଅସଦୃଶ  ଚିକିତ୍ସା  ଦ୍ଵାରା  ପ୍ରକୃତ  ରୋଗର  ନିରାକରଣ  ନହୋଇ  ତାହା  କେବଳ  ରୂପ ଓ  ସ୍ଥାନ  ପରିବର୍ତ୍ତନ  କରିଥାଏ   । ସେହି  ହେତୁରୁ  ଏହା  ମଧ୍ୟ  ପ୍ରମାଣିତ  ହୋଇଥାଏ  ଯେ  ନିଜର  ପାପକର୍ମରୁ  ହିଁ  ଏତାଦୃଶ  ନାନାପ୍ରକାର  ବିଷମ  ବ୍ୟାଧିର  ଆବିର୍ଭାବ  ଘଟିଥାଏ   । ଫଳତଃ  ରୋଗୀର  ଅନୁଶୋଚନା  ଆସେ  ଓ  ମାନସିକ  ପରିବର୍ତ୍ତନ  ଘଟି  ରୋଗର  ଅବସାନ  ଘଟେ   ।

ସଂଗୃହୀତ – ଡାକ୍ତର କମଳାକାନ୍ତ କର

3.17647058824
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top