অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଫିପଟି ମିଲିସିମାଲ୍ ପୋଟେନ୍ ସି

ପଚାଶ  ସହସ୍ରତମ  ଶକ୍ତି  ଔଷଧ

ହୋମିଓପାଥି  ଔଷଧ  ନାନାପ୍ରକାରର  ପୋଟେନାସୀ  ବା  ଶକ୍ତି  ହିସାବରେ  ମିଳେ  । ଏହାର  କାରଣ, ହୋମିଓପାଥିର  ବିଶେଷ  ଔଷଧପ୍ରସ୍ତୁତି  ପ୍ରଣାଳୀରେ  ପ୍ରତ୍ୟକ  ଔଷଧକୁ  ସୁରାସାର, ଦୁଗ୍ଧ  ଶର୍କରା ବା  ପରିଶ୍ରୁତ  ଜଳ ମାଧ୍ୟମରେ  ଔଷଧର  ପରିମାଣକୁ  କ୍ରମାନ୍ଵୟରେ  ଏକ  ଗାଣିତିକ  ଧାରାରେ, ପର୍ଯ୍ୟାୟ  କ୍ରମରେ  କମାଇ – ମୂଳଔଷଧକୁ  ତରଳିକରଣ  କରି, ଏକ ନିର୍ଦ୍ଧିଷ୍ଟ  ନିୟମରେ  ତାହାକୁ   ଘର୍ଷଣ  ବା  ଆଲୋଡନ  ଦ୍ଵାରା  ତିଆରି  କରାଯାଇଥାଏ   । ଏହି  ପଦ୍ଧତିରେ   ଔଷଧ  ତିଆରିକୁ   ଶକ୍ତିକରଣ   କୁହାଯାଇଥାଏ   । ଏହା  ଏକ  ସାଧାରଣ  ତରଳିକରଣ  ନୁହେଁ, ଏବଂ  ଗାଣିତିକ  ଧାରା  ଅନୁସାରେ  ଏହା  ଭିନ୍ନଭିନ୍ନ  ଅନୁପାତରେ   କରାଯାଇଥାଏ   । ଏହି  ପ୍ରକ୍ରିୟାରେ  ମୂଳ  ଭେଷଜ  ଶକ୍ତିର  କ୍ରମ  ବିକାଶ  ଘଟିଥାଏ ଓ ମୂଳ  ଭେଷଜ  ଦ୍ରବ୍ୟର  ବିଷକ୍ରିୟା  ଔଷଧୀୟ  ଗୁଣରେ  ପରିଣତ  ହୋଇଥାଏ   । ତେଣୁ  ହୋମିଓପାଥି  ଔଷଧକୁ  ଡାଇଲ୍ୟୁସନ  କୁହାନଯାଇ  ପୋଟେନସି  କୁହାଯାଇଥାଏ   । ଏ  ସମ୍ପର୍କରେ, ଏହି  ପୁସ୍ତକର  “ପୋଟେନସି  ଓ  ଡାଇଲୁସନ ” ଶୀର୍ଷକ  ପ୍ରବନ୍ଧରେ  ସବିଶେଷ  ଆଲୋଚନା  କରା  ହୋଇ ଅଛି   ।

ଅର୍ଗାନନ୍  ଅଫ୍ ମେଡ଼ିସିନ

ହ୍ୟାନିମାନ  ତାଙ୍କର  ଅମରକୃତି  “ଅର୍ଗାନନ୍  ଅଫ୍ ମେଡ଼ିସିନ”  ପୁସ୍ତକରେ, ଏକ  ଆଦର୍ଶ   ଚିକିତ୍ସାର  ମୂଳକଥା  “ରୋଗୀକୁ  ଆରୋଗ୍ୟ  କରିବାରେ” ଯେ  ଲକ୍ଷ, ତାକୁ  ହାସଲ  କରିବା  ପାଇଁ  ଯେଉଁ  ତିନୋଟି  ମାପକାଠି   ସମ୍ପର୍କରେ  ଉଲ୍ଲେଖ   ରଖିଛନ୍ତି  ସେ  ସବୁ  ହେଲା : -

  1. ଯେତେ  ଶୀଘ୍ର  ସମ୍ଭବ  ରୋଗୀ  ଆରୋଗ୍ୟ   ହେବା  ଉଚିତ୍ ;
  2. ଚିକିତ୍ସା  ମାର୍ଗଟି  ଅତ୍ୟନ୍ତ  ନିରୁପଦ୍ରବ   ବା  ଆରାମପ୍ରଦ  ହେବା  ଆବଶ୍ୟକ, ଏବଂ  ପରିଶେଷରେ
  3. ଏହି  ଆରୋଗ୍ୟ  ସ୍ଥାୟୀ  ନିରାମୟରେ  ପରିଣତ   ହେବା  ବାଞ୍ଛନୀୟ   ।

ଏହି  ଆଦର୍ଶକୁ   ଆଖି  ଆଗରେ  ରାଖୀ  ଚିକିତ୍ସା  କରିବାକୁ  ହେଲେ  ଜଣେ  ଚିକିତ୍ସକଙ୍କର  ଯେଉଁ  କେତୋଟି  ବିଷୟରେ  ଜ୍ଞାନ  ରହିବା  ଦରକାର, ସେଗୁଡିକ  ହେଲା – (କ) ନିର୍ଦ୍ଧିଷ୍ଟ  ରୋଗୀକ୍ଷେତ୍ରରେ  କେଉଁସବୁ  କଥାକୁ  ବିଚାରକୁ   ନେଇ  ଚିକିତ୍ସା  କରିବାକୁ  ହେବ  ତା’ର  ଜ୍ଞାନ, (ଖ) ରୋଗ  ଆରୋଗ୍ୟକାରୀ  ଦ୍ରବ୍ୟ  ସବୁର   ରୋଗୀର  କେଉଁ  କେଉଁ  କ୍ଷେତ୍ରରେ, କ’ଣ  ସବୁ  ଭଲ  କରିବାର   କ୍ଷମତା  ରହିଛି  ସେ  ସମ୍ବନ୍ଧରେ  ଜ୍ଞାନ ; (ଗ)  ସେହି  ଦ୍ରବ୍ୟମାନଙ୍କୁ   ରୋଗୀର  ଯନ୍ତ୍ରଣାକୁ  ଅଧିକ  ବଢାଇ  ନଦେବାଭଳି  ଅବସ୍ଥାରେ   ପରିଣତ   କରି  ବ୍ୟବହାର  ଉପଯୋଗୀ  ଅବସ୍ଥାକୁ  ଆଣିବାଭଳି  ପ୍ରସ୍ତୁତିକରଣର   ଜ୍ଞାନ, (ଘ) ତାହାକୁ  କି  ଭଳି  ଭାବରେ, କେତେ  ସମୟ  ବ୍ୟବଧାନରେ  ପ୍ରୟୋଗ   କରାଯିବା  ଉଚିତ,  ତାହାର  ଜ୍ଞାନ ଓ  (ଙ) ଯଦି  ଉପଯୁକ୍ତ  ଭାବରେ  ବ୍ୟବସ୍ଥା   କରାଯାଇଥିବା  ଔଷଧ  କାର୍ଯ୍ୟ  ନ କରୁଛି, ତାହାହେଲେ  ସେଥିରେ  ପ୍ରତିବନ୍ଧକ   ସୃଷ୍ଟି   କରୁଥିବାର  କାରଣ  ସବୁ  କ’ଣ  ହୋଇପାରେ  ସେ  ସବୁରେ  ଜ୍ଞାନ  ।

ସୁତରାଂ, ଏହି  ଚିକିତ୍ସା  କାର୍ଯ୍ୟ  ପାଇଁ  ଯେଉଁ  ମୁଖ୍ୟ  ଆୟୁଧ, ରୋଗୀ  ଆରୋଗ୍ୟ  କରିବାର  ଦ୍ରବ୍ୟ ; ଯାହାକୁ  କି  ଆମେ  ଭେଷଜ  ବା  ଔଷଧ  ବୋଲି କହିଥାଉ ; ତାହାର  ପ୍ରସ୍ତୁତିପ୍ରଣାଳୀ  ଓ ପ୍ରୟୋଗର  ଧାରା  ସବୁଠାରୁ  ବଡ  ଦରକାରୀ  ଜ୍ଞାନ   । ରୋଗ  ସମ୍ପର୍କରେ  ଯେତେ  ଜ୍ଞାନ  ଥିଲେ  ମଧ୍ୟ  ଉପଯୁକ୍ତ  ଭାବରେ  ପ୍ରସ୍ତୁତ  ଔଷଧ  ଓ  ତାହାର  ବ୍ୟବହାର  ବିଧି  ନ ଜାଣିଲେ  ଆରୋଗ୍ୟ  କାର୍ଯ୍ୟ  କଦାଚ  ସମ୍ଭବ  ନୁହେଁ   ।

ହୋମିଓପାଥିରେ  ଔଷଧ  ପ୍ରୟୋଗର  ନୀତି  “ସାଦୃଶେ  ସଦୃଶ  ବିଧାନ”  । ଏଥିରେ  ନିର୍ଦ୍ଧିଷ୍ଟ  ଔଷଧକୁ  ସ୍ଥୂଳ ବା  ଅଧିକ  ପରିମାଣରେ  ବ୍ୟବହାର  କଲେ  ମୂଳରୋଗର  ପ୍ରକୋପ  ନିଶ୍ଚିତଭାବରେ  ଯେ  ବଢିଯିବ  ଏହା  କହିବା  ନିଷ୍ପ୍ରୟୋଜନ   । ତେଣୁ, ଔଷଧକୁ  ସୁକ୍ଷ୍ନୀକରଣ  ବା  ତରଳିକରଣ  କରିବାର  ଯଥାର୍ଥତା  ରହିଛି   । ନଚେତ୍, ଆଦର୍ଶ  ଚିକିତ୍ସା  ଯେ  ନିରୁପଦ୍ରବ  ହେବାର  କଥା  ତାହା  ସମ୍ଭବ  ହେବ  ନାହିଁ  । ଏଥିପାଇଁ,  ହ୍ୟାନିମାନ  ହୋମିଓପାଥି  ସଂହିତାର ୨୭୦ ନମ୍ବର  କାରିକାରେ, ୫ମ  ସଂସ୍କରଣ  ପର୍ଯ୍ୟନ୍ତ  ଯେଉଁ  ପ୍ରସ୍ତୁତି  ପ୍ରଣାଳୀ  ସ୍ଥିର  କରିଥିଲେ  ତାହା  ଶତତମିକ  ବା  Centesimal  ଶକ୍ତିକରଣ  ପଦ୍ଧତି  ବୋଲି  ଖ୍ୟାତ   । ଏଥିରେ  ପ୍ରତ୍ୟକ   ଶକ୍ତିର  ଔଷଧରେ  ତାହାର  ପୂର୍ବକ୍ରମର   ଔଷଧର   ଭେଷଜ  ଭାଗ  ଏକଶତାଂଶ  ରହିଥାଏ   । ଠିକ୍  ସେହିଭଳି   ଯୁକ୍ତରାଷ୍ଟ୍ର  ଆମେରିକାର  ପ୍ରସିଦ୍ଧ  ଡାକ୍ତର, ହୋମିଓପାଥି  ଚିକିତ୍ସା ବିଜ୍ଞାନର  ଅନ୍ଯତମ  ପୁରୋଧା  ଡା : କନ୍ ଷ୍ଟାନ୍ ଟାଇନ  ହେରିଂ  ଦଶତମିକ  ପ୍ରଣାଳୀ  ବା  Decimal scale  of  potency  ସୃଷ୍ଟି  କରିଥିଲେ, ଯେଉଁଥିରେ  କି  ପ୍ରତ୍ୟକ  ଶକ୍ତିର   ଔଷଧରେ, ତା’ର  ପୂର୍ବ  ଶକ୍ତିର  ଔଷଧରେ  ଥିବା  ଭେଷଜ  ଅଂଶର  ଏକ  ଦଶମାଂଶ  ମାତ୍ର  ଥାଏ   । ଔଷଧର   ଅଂଶ  ବା  ପରିମାଣକୁ  ହିସାବକୁ  ନେଲେ, ଶତତମିକର  ପ୍ରଥମ  ଶକ୍ତି  ଦଶତମୀକର  ଦ୍ଵିତୀୟ  ଶକ୍ତି  ସହିତ, ଦ୍ଵିତୀୟ  ଶତତମିକ  ଶକ୍ତି  ସହିତ  ୪ର୍ଥ  ଦଶତମିକ, ତୃତୀୟ  ସହିତ  ଷଷ୍ଠର, ଏହି  ପ୍ରକାରେ  ତୁଳନୀୟ  । ହେରିଂଙ୍କ  ମତରେ  ଏକ  ନିର୍ଦ୍ଧିଷ୍ଟ  ଗାଣିତିକ  ଧାରାର  ଶକ୍ତିକ୍ରମ  ହାସଲ  ପାଇଁ  ଶତତମିକ  କ୍ରମ  ସହିତ  ତୁଳନାକଲେ  ଦଶତମିକ  ଶକ୍ତିର  ଦ୍ଵିତୀୟ  ଶକ୍ତିରେ  ଘର୍ଷଣ / ଆଲୋଡନ  ଇତ୍ୟାଦି  ଅକତି  କରଣର   ପ୍ରକ୍ରିୟା  ଶତତମିକର  ପ୍ରଥମ  ଶକ୍ତି  ଅପେକ୍ଷା  ଅଧିକ  ହୋଇଥାଏ   । ପ୍ରଥମ  ଶତତମିକ  ଶକ୍ତି  ପ୍ରସ୍ତୁତ  କାଳରେ  ଏହି  ଶକ୍ତିକରଣ  ପ୍ରକ୍ରିୟା  ଥରେ  ବ୍ୟବହାର   କରାଯାଉଥିବା  ବେଳେ, ଏହାର  ସମାନ୍ତରାଳ  ଦ୍ଵିତୀୟ  ଦଶତମିକ  ଶକ୍ତିରେ  ଦୁଇଥର   ଏହି  ପ୍ରକ୍ରିୟାର  ବ୍ୟବସ୍ଥା  ହୋଇଥାଏ  । ପ୍ରଥମ  ଶତତମିକ   ଶକ୍ତି  ପ୍ରସ୍ତୁତ  କାଳରେ  ଏହି  ଶକ୍ତିକରଣ  ପ୍ରକ୍ରିୟା  ଥରେ  ବ୍ୟବହାର  କରାଯାଉଥିବା  ବେଳେ, ଏହାର  ସମାନ୍ତରାଳ  ଦ୍ଵିତୀୟ  ଦଶତମିକ  ଶକ୍ତିରେ  ଦୁଇଥର  ଏହି  ପ୍ରକ୍ରିୟାର  ବ୍ୟବସ୍ଥା  ହୋଇଥାଏ  । ତେଣୁ  ସ୍ଵାଭାବିକ  ଭାବରେ  ପ୍ରଥମ  ଶତତମିକ  ଶକ୍ତି  ଅପେକ୍ଷା  ଦ୍ଵିତୀୟ  ଦଶତମିକ  ଶକ୍ତି  ଓ  ଏହିକ୍ରମର  ଅନ୍ୟାନ୍ୟ  ଶକ୍ତିର  ଔଷଧଗୁଡିକ   ତୁଳନାତ୍ମକ  ଭାବରେ  ଅଧିକ  କ୍ରିୟାଶୀଳ  ହେବା  କଥା   । ଘଟଣାଟି  ପ୍ରକୃତରେ  କ’ଣ, ତାହା  ସେହିଭଳି  ଭାବରେ  ପରୀକ୍ଷା, ନିରୀକ୍ଷା, ଗବେଷଣାତ୍ମକ  ଢଙ୍ଗରେ   ଅଦ୍ୟାବଧି  ହୋଇନାହିଁ, ଏବଂ  ଗତାନୁଗତିକ  ଢଙ୍ଗରେ, ହ୍ୟାନିମାନ  ଯେହେତୁ  ହୋମିଓପାଥିର  ଜନ୍ମଦାତା, ତେଣୁ  ତାଙ୍କ  ନିର୍ଦ୍ଧିଷ୍ଟ  ଶତତମିକ  ଶକ୍ତି  ତାଙ୍କ  ଜୀବଦ୍ଦଶାରେ  ପ୍ରକାଶିତ  ‘ଅର୍ଗାନନ୍’ ର  ପଞ୍ଚମ  ସଂସ୍କରଣ  ପର୍ଯ୍ୟନ୍ତ  ଉଲ୍ଲେଖ  ରହିଥିବାରୁ, ତାହାର  ବ୍ୟବହାର  ବହୁଳ  । ପଚାଶ  ସହସ୍ରତମ  ବା  ଫିପଟି  ମିଲିସିମାଲ  ଔଷଧ  ପ୍ରସ୍ତୁତି  ପ୍ରଣାଳୀ  ହ୍ୟାନିମାନଙ୍କ  ମରଣୋତ୍ତର  ‘ଅର୍ଗାନନ୍’  ର  ଷଷ୍ଠ  ସଂସ୍କରଣରେ  ପ୍ରକାଶିତ  ସର୍ବଶେଷ  ପ୍ରସ୍ତୁତି  ପ୍ରଣାଳୀ  ହୋଇଥିବାରୁ, ଏବଂ  ଏହାର  ପ୍ରସ୍ତୁତିକାଳୀନ  ଘର୍ଷଣ  ଓ  ଆଲୋଡନ  ବହୁ  ବେଶି  ପ୍ରୟୋଗ  ହେଉଥିବାରୁ, ଏହା  ଚିକିତ୍ସା  ବ୍ୟବସାୟୀଙ୍କୁ  ନିକଟରେ  ବିଶ୍ଵାସଭାଜନ  ହୋଇପାରି  ନାହିଁ, ତେଣୁ  ସେତେ  ଜନପ୍ରିୟ ଅଦ୍ୟାବଧି  ହୋଇ  ପାରି ନାହିଁ   ।

ଅର୍ଗାନନ୍ ଷଷ୍ଠ  ସଂସ୍କରଣ, ହ୍ୟାନିମାନଙ୍କ  ମୃତ୍ୟୁର ୭୮  ବର୍ଷପରେ  (ମୃତ୍ୟୁ  ୧୮୪୩ ଓ ୬ଷ୍ଠ  ସଂସ୍କରଣ  ୧୯୨୧) ଏବଂ  ପଞ୍ଚମ  ସଂସ୍କରଣର  ୯୨  ବର୍ଷ (୫ମ  ୧୮୨୯  ଓ  ୬ଷ୍ଠ  ୧୯୨୧)  ପରେ  ପ୍ରକାଶିତ  ହୋଇଥିବାରୁ; ପୁନଶ୍ଚ  ୬ଷ୍ଠ  ସଂସ୍କରଣର  ପାଣ୍ଠୁଲିପି, ୫ମ  ସଂସ୍କରଣ  ପ୍ରକାଶିତ   ହେବାର  ପାଞ୍ଚବର୍ଷ  ମଧ୍ୟରେ  ୧୮୩୩ ମସିହାରେ  ସମ୍ପୂର୍ଣ୍ଣ  ହୋଇଥିଲେ  ମଧ୍ୟ, ଆଠ  ବର୍ଷମଧ୍ୟରେ  ହ୍ୟାନିମାନଙ୍କ  ସ୍ଵର୍ଗପ୍ରାପ୍ତି (୧୮୪୧)  ଭିତରେ  ପ୍ରକାଶିତ  ହୋଇ  ପାରିନଥିଲା   । ତେଣୁ  ୬ଷ୍ଠ  ସଂସ୍କରଣର  ଏହି  ଅସ୍ଵାଭାବିକ  ବିଳମ୍ବ, ଏହା  ପ୍ରକୃତରେ  ହ୍ୟାନିମାନଙ୍କ  କୃତି  ବୋଲି  ବିଚାର  କରିବାକୁ  ହୋମିଓପାଥି  ସମାଜ  ଦ୍ଵିଧା  ବୋଧ  କଲେ   । ଏହି  ଦ୍ଵିଧାବୋଧର  ଅନ୍ୟ  ଏକ  କାରଣ  ମଧ୍ୟ  ରହିଛି  ଏବଂ  ତାହା  ହେଉଛି  ପଞ୍ଚମ  ସଂସ୍କରଣରେ  ଔଷଧର  ପୁନଃ  ପୁନଃ  ପ୍ରୟୋଗ  ସମ୍ପର୍କରେ  ଯେଉଁ  ଧାରାରେ  ନିର୍ଦ୍ଦେଶ  ରହିଅଛି, ସେଥିରେ  ହଠାତ୍  ୬ଷ୍ଠ  ସଂସ୍କରଣରେ  ଔଷଧର  ପ୍ରସ୍ତୁତି  ପ୍ରଣାଳୀ  ଠାରୁ  ଆରମ୍ଭ  କରି  ତା’ର  ପ୍ରୟୋଗ  ବିଧିରେ  ଏତେ  ବଡ  ପାର୍ଥକ୍ୟକୁ  ପ୍ରକୃତରେ  ତାହା  ହ୍ୟାନିମାନଙ୍କ  ନିର୍ଦ୍ଦେଶିତ  ବୋଲି   ଗ୍ରହଣ  କରି  ନେଇ  ତା’ର  ପରୀକ୍ଷା  ରୋଗୀ  କ୍ଷେତ୍ରରେ  କରିବାର  ଦାୟିତ୍ଵ  ନେବାକୁ   ନାମକରା  ଡାକ୍ତରମାନେ  ପ୍ରସ୍ତୁତ  ହେଲେ  ନାହିଁ  ।

ପରିଶେଷରେ  ଏହି  ଶକ୍ତିର  ଜଟିଳ  ପ୍ରସ୍ତୁତି  ପ୍ରଣାଳୀକୁ  ବ୍ୟବସାୟୀକ  ଦୃଷ୍ଟିକୋଣରୁ  ତିଆରି  କରି  ବଜାରକୁ  ଛାଡିବାର  ସଂଶୟ  ଭରା  ଦାୟିତ୍ଵ  ନେବାକୁ   ହୋମିଓପାଠ୍ୟ  ଔଷଧ  ପ୍ରସ୍ତୁତକାରୀ  ସହଜରେ  ଆଗେଇ  ଆସିଲେ  ନାହିଁ   । ଏଥିପାଇଁ  ୧୯୨୧  ମସିହାରୁ  ଏହା  ଲୋକଲଚନକୁ  ଆସିଥିଲେ  ମଧ୍ୟ, ସର୍ବସାଧାରଣରେ  ବ୍ୟବହାର   ସୁଲଭ  ହେଲା  ନାହିଁ   । ତଥାପି  “ପ୍ରଥମେ  ପରୀକ୍ଷାକର  ଓ  ତାହା  ପରେ  ପର୍ଯ୍ୟବେକ୍ଷଣରେ  ହିଁ  ସ୍ଥିରକର  ଗ୍ରହଣ   ଯୋଗ୍ୟ  କି  ନୁହେଁ ” ହ୍ୟାନିମାନଙ୍କର   ଏହି  ଶାଶ୍ଵତ  ଉପଦେଶ  ପାଳନ  କରିବାକୁ  ଅନେକ  ଦ୍ଵିଧା  ମଧ୍ୟରେ  ସମୟ  ଅତିକ୍ରମ  କରିଗଲା   ।

ପ୍ରଶ୍ନ  ଉଠେ, ଏଭଳି  ଏକ  ପ୍ରଣାଳୀକୁ  ହଠାତ୍  ହ୍ୟାନିମାନ  ଆବିଷ୍କାର  କରିବାର  ଆବଶ୍ୟକତା  କ’ଣ  ଥିଲା  ? ୧୮୨୯  ମସିହାଠାରୁ  ଅର୍ଗାନନ୍ ର  ୫ମ  ସଂସ୍କରଣର  ୨୪୯ କାରିକାରେ  ଓ  ତାହାର  ପାଦଟୀକାରେ  ଏକମାତ୍ର  ପାନ  ଦେଇ  ଦୀର୍ଘଦିନ   ଅପେକ୍ଷା  କରିବାର   ବ୍ୟବସ୍ଥାର  ବଦଳରେ   ରୋଗର  ଭୋଗକାଳକୁ   ସୀମିତ  କରି  ସେହି  ଭୋଗ  କାଳକୁ  କମାଇ  ବାକୁ  ହେଲେ   ଔଷଧର  ପୁନଃ ପୁନଃ  ପ୍ରୟୋଗର  ଆବଶ୍ୟକତା  ସମ୍ପର୍କରେ   ଦୃଢଭାବରେ  କହିଥିଲେ  ମଧ୍ୟ, ତାହାର  ବ୍ୟବହାରର  ସମ୍ପୂର୍ଣ୍ଣ  ସଦୁପଯୋଗ  କେହି  ମଧ୍ୟ  କରୁନାହାନ୍ତି  । କରୁଥିଲେ  ମଧ୍ୟ  ତାହାର  ବ୍ୟବହାର  ପାଇଁ  ସଠିକ  ନୀତି  ନିର୍ଦ୍ଧାରଣ  ନ ହୋଇ, ଅନୁମାନ  ଉପରେ  ଔଷଧର  ପୁନଃ  ପ୍ରୟୋଗ  ହେଉଥିବା  କାରଣରୁ  ସୁଫଳ  ଅପେକ୍ଷା  କୁଫଳ  ହିଁ  ବେଶି  ହେଲା  । ହୁଏତ  ରୋଗ, କ୍ଷେତ୍ର  ବିଶେଷରେ, ଔଷଧର  ସାଦୃଶ୍ୟ  ହେତୁ, ଅତ୍ୟଧିକ  ବୃଦ୍ଧି  ପାଇଲା, ନଚେତ  ବାରମ୍ବାର  ପ୍ରୟୋଗ  ହେତୁ  ରୋଗୀର  ଔଷଧ  ପ୍ରତି  ପ୍ରତିକ୍ରିୟା  ଆଦୌ  ରହିଲା  ନାହିଁ  । କହିବା  ବାହୁଲ୍ୟ  ଯେ  ୫ମ  ସଂସ୍କରଣର   ପୂର୍ବରୁ  ହ୍ୟାନିମାନ  ଏକମାତ୍ର  ଔଷଧର  ଗୋଟିଏ  ମାତ୍ର  ପାନ  ପ୍ରୟୋଗ  କରି  ରୋଗୀ  ଉପରେ  ତାହାର  କ୍ରିୟାକୁ  ପର୍ଯ୍ୟବେକ୍ଷଣ  କରି, ଏହି  କ୍ରିୟା ନ ସାରିବା  ପର୍ଯ୍ୟନ୍ତ  ପୁନଃ   ପ୍ରୟୋଗ  ପାଇଁ  ଅପେକ୍ଷା  କରିବାକୁ  ଯେଉଁ  ନିର୍ଦ୍ଦେଶ  ଦେଇଥିଲେ, ୫ମ  ସଂସ୍କରଣ  ୨୪୯ କାରିକାରେ  ପାଦଟୀକାରେ  ଏହାକୁ  ନାକଚ  କରି  ଔଷଧ  ପୁନଃପୁନଃ  ପ୍ରୟୋଗ  ପାଇଁ   ଉପଦେଶ  ଦେଇଛନ୍ତି   । ମାତ୍ର  ଏହି  ଶତତମିକ   ଶକ୍ତିର  ଔଷଧ, ଏଭଳି  ପୁନଃ  ପ୍ରୟୋଗ  ଦ୍ଵାରା  ଇପସିତ  ସ୍ୱଳ୍ପ  ସମୟ  ମଧ୍ୟରେ  ଆରୋଗ୍ଯ  କରିବା  ହୁଏତ  ସଫଳ  ନହେବାରୁ, ଏବଂ  ନିଶ୍ଚିତ  ଭାବରେ   ରୋଗ  ବୃଦ୍ଧି  ଘଟୁଥିବା  କାରଣରୁ, ସେ  ୫ମ  ସଂସ୍କରଣ  ପ୍ରକାଶନ  ପରେପରେ  ହିଁ  ଔଷଧକୁ  ଆହୁରି  ସୁକ୍ଷ୍ମୀକରଣ  କରି  ଶକ୍ତି  ବୃଦ୍ଧିର  ବାଟ  ଖୋଜୁଥିଲେ, ଏବଂ  ପୁନଃ  ପ୍ରୟୋଗର  ଧାରାକୁ   ମଧ୍ୟ  ବଦଳାଇବାର  ପ୍ରଚେଷ୍ଟା  କରୁଥିଲେ   । ଏହାର  କାରଣ  ନିଶ୍ଚିତ  ଭାବରେ  ଏହା ଯେ, ଔଷଧ  ରୋଗୀ  କ୍ଷେତ୍ରରେ  ପ୍ରୟୋଗ  ସଙ୍ଗେ  ସଙ୍ଗେ  ଔଷଧର   କ୍ରିୟା ହେଲା  କି ନହେଲା  ଜାଣିବା  ସର୍ବଦା  ସମ୍ଭବପର  ନୁହେଁ, ଅତ୍ୟନ୍ତ  ତିକ୍ଷ୍ନ  ପର୍ଯ୍ୟବେକ୍ଷଣ  ପରେ  ମଧ୍ୟ  । ଯଦିବା  ଏହାର  କ୍ରିୟା  ଜଣାଯାଏ,  ତାହା କେତେଦିନ  ଧରି  କାର୍ଯ୍ୟ  କରୁଛି, ବା  ବାରମ୍ବାର  ପ୍ରୟୋଗଦ୍ଵାରା  ତାହାର   ସାମୁହିକ  ବର୍ଦ୍ଧିଷ୍ଣୁ  ଫଳ  ଦ୍ଵାରା  କୌଣସି  କ୍ଷତି  ଘଟିବାର  ସମ୍ଭାବନା  କିଛି  ଅଛି  କି  ନାହିଁ   ଏ  ସବୁ  ସମ୍ପର୍କରେ  ହ୍ୟାନିମାନଙ୍କୁ   ଆହୁରି   ନିବିଡ  ଭାବରେ   ଚିନ୍ତା  କରିବାକୁ   ହୋଇଥିଲା, ଏହି  ଚିକିତ୍ସା  ପଦ୍ଧତିର  ଆବିଷ୍କର୍ତ୍ତା  ଭାବରେ  । ଏ  କଥା  ସେ  ଅତି  ସ୍ପଷ୍ଟ   ଭାବରେ  ୫ମ   ସଂସ୍କରଣ  ପରେ  ୬ଷ୍ଠ  ସଂସ୍କରଣ  ପାଇଁ  ଯେଉଁ  ୪ -୫ ବର୍ଷର  ବ୍ୟବଧାନ, ସେ  ସମୟରେ  ପର୍ଯ୍ୟବେକ୍ଷଣ   କରି, ଏହି  “ନବତମ  ପରିବର୍ତ୍ତିତ  ଅଥଚ  ତ୍ରୁଟିହୀନ”  ବ୍ୟବସ୍ଥା  ଗ୍ରହଣ  କରିଛନ୍ତି  ବୋଲି   ସେହି  କାରିକାରେ  ପାଦଟୀକାରେ  ଉଲ୍ଲେଖ  କରିଛନ୍ତି   । କେବଳ  ସେତିକି  ନୁହେଁ, ରୋଗୀର  ସମ୍ବେଦନଶୀଳତା  ଏକ  ନିର୍ଦ୍ଧିଷ୍ଟ  ଶକ୍ତିର  ଔଷଧର  ବାରମ୍ବାର  ପ୍ରୟୋଗ   ଫଳରେ  କି  ଅବସ୍ଥାକୁ  ପରିବର୍ତ୍ତିତ  ହୁଏ, ସେ  ବିଷୟରେ  ମଧ୍ୟ  ସେ  ଅନୁଧ୍ୟାନ  କଲାପରେ  ପର୍ଯ୍ୟାଲୋଚନା  କରିଛନ୍ତି  ତାଙ୍କ  ଅଭିଜ୍ଞତାର  ଭିତ୍ତିଭୂମି  ଉପରେ   । ଏହି  ନୂତନ  ବ୍ୟବସ୍ଥାଟି  କେବଳ  ପୁନଃ  ପ୍ରୟୋଗ  ସମ୍ପର୍କରେ  ନୁହେଁ, ଔଷଧ  ପ୍ରସ୍ତୁତି  ସମ୍ପର୍କରେ  ମଧ୍ୟ  ନିର୍ଦ୍ଧିଷ୍ଟ  । ‘ଅର୍ଗାନନ୍’  ର  ଏହି  ଯଭୟ  ସଂସ୍କରଣର  କାରିକା  ଗୁଡିକ  ସେ   ସବୁର   ପାଦଟୀକା ସହିତ  ଅଧ୍ୟୟନ  କଲେ  ଏ ନିର୍ଦ୍ଦେଶଗୁଡିକ  ଯେ  ନିରାଟ  ବ୍ୟବହାରିକ   ଅଭିଜ୍ଞାତା  ଓ  ନିଖୁଣ  ପର୍ଯ୍ୟବେକ୍ଷଣ  ନ  ହୋଇ, କେବଳ  ଏକ  ଖେୟାଲି ପ୍ରସଙ୍ଗ, ଏହା  କେହି  ମଧ୍ୟ  ଧାରଣା   କରିବା  ସମ୍ଭବ  ନୁହେଁ  ।

ଏହି  ନୂତନ  ବ୍ୟବସ୍ଥାର  ପ୍ରସ୍ତୁତି  ପ୍ରକ୍ରିୟାରେ  ଏକ  ପର୍ଯ୍ୟାୟର  ଔଷଧ  ଅପେକ୍ଷା  ତା’ର  ପର  କ୍ରମର  ଔଷଧରେ  ପ୍ରକୃତ  ଭେଷଜ  ଦ୍ରବ୍ୟର  ପରିମାଣ  ପଚାଶହଜାର  ଅଂଶରୁ ଏକ  ଅଂଶ  ମାତ୍ର । ଏଥିପାଇଁ ଏହି  ପ୍ରଣାଳୀରେ ପ୍ରସ୍ତୁତ  ଔଷଧକୁ  ୫୦ ସହସ୍ରତମିକ   ଔଷଧ  ବା  fifty millesimal potency   ବୋଲି  କୁହାଯାଇଥାଏ   । ଏହାର  ପ୍ରସ୍ତୁତ  ପ୍ରଣାଳୀ, ତାହା  ଏକ  ଅସାଧାରଣ  ଅଭିଜ୍ଞତା  ଓ  ଭୂୟୋଦର୍ଶନର  ଫଳ  ବୋଲି  ମାନିବାକୁ  ଜଣେ  ବାଧ୍ୟ, ଏହି  ଭାବରେ  ଶକ୍ତିକୃତ  ଔଷଧର  ବ୍ୟବହାରିକ  ଫଳାଫଳର  ଅଭିଜ୍ଞତାରୁ   । ପଦାର୍ଥ  ବିଜ୍ଞାନୀ  ମାନଙ୍କ  ମଧ୍ୟରୁ  ଯେଉଁମାନେ  ଦ୍ରବ୍ୟର  ଅଣୁ ପରମାଣୁ  ଆଦି  ଅଂଶ  ବିଶେଷ  ମାନଙ୍କ  ବିଷୟରେ  ଅଧ୍ୟୟନ  ଓ  ଗବେଷଣା  କରୁଅଛନ୍ତି, ମୋର  ମନେହୁଏ, ସେହି  ମାନେହିଁ  ଏହାର  ରହସ୍ୟ  ସମ୍ପର୍କରେ  କିଛି  ଆଲୋକପାତ  କରି  ପାରିବେ  । ସ୍ଥୂଳ  ଦୃଷ୍ଟିରେ  ଦ୍ରବ୍ୟର  କୌଣସି  ବିଜ୍ଞାନ ସମ୍ମତ (?)  ଅଂଶ ଏଥି  ମଧ୍ୟରେ  ନାହିଁ  ବୋଲି ଏହି  ଶକ୍ତିକୃତ  ଔଷଧରେ  ଭେଷଜ  ଗୁଣ  ନାହିଁ  କହିବା  ବୋଧହୁଏ  ଯୁକ୍ତିଯୁକ୍ତ କଥା  ନୁହେଁ  । କାରଣ, କ୍ରିୟା  ଓ  ପ୍ରତିକ୍ରିୟା  ମୂଳରେ  ନିଶ୍ଚିତ  ଭାବରେ  କୌଣସି  ‘କାରଣ’ ନିହିତ  ଥାଏ  ଏବଂ  ସେହି  କାରଣ  ଯେ  ସବୁବେଳେ  ସହଜ  ଲବ୍ଧ  ଏବଂ  ଆଧୁନିକ  ବିଜ୍ଞାନର  ଉଦ୍ଭାବିତ  କଳ  କୌଶଳ  ଦ୍ଵାରା  ଧରା  ପଡିବା  ଉଚିତ,  ଏହାର  କୌଣସି  ମାନେ  ନାହିଁ   । କାରଣ, ଆଧୁନିକ  ବିଜ୍ଞାନ  ଓ ବିଶେଷକରି   ପଦାର୍ଥ  ବିଜ୍ଞାନ  ବର୍ତ୍ତମାନ  ପର୍ଯ୍ୟନ୍ତ  ସ୍ଵୟଂ   ସମ୍ପୂର୍ଣ୍ଣ   ନୁହେଁ  । ସୃଷ୍ଟିର  ସମସ୍ତ  ଆଣିବା  ପାଇଁ  ବିଜ୍ଞାନ  ଆଦ୍ୟାବଧି  ସକ୍ଷମ  ହୋଇନାହିଁ   । ଏହି  ପଚାଶ  ଶତତମିକ  ଔଷଧ  ପ୍ରୟୋଗଫଳରେ  ଯେତେବେଳେ  କୌଣସି  ପ୍ରତିକ୍ରିୟା  ସୃଷ୍ଟି  ହେଉଥିବା  ସ୍ପଷ୍ଟ, ସେତେବେଳେ  ଏହି  ଔଷଧ  ମଧ୍ୟରେ  ଯେ  ସୂକ୍ଷ୍ମଭାବରେ  ଏକ  କାରଣ  ଲୁକ୍କାୟିତ   ଅଛି  ଏହା  ଯୁକ୍ତିଯୁକ୍ତ   ।

ଷଷ୍ଠ  ସଂସ୍କରଣର  ୨୭୦  ନମ୍ବର  କାରିକାରେ  ଏହାର  ପ୍ରସ୍ତୁତି  ପ୍ରଣାଳୀ  ସମ୍ପର୍କରେ  ବିଶଦ  ଭାବରେ  ବର୍ଣ୍ଣନା କରା  ଯାଇଅଛି   । ସେଥିରୁ   ଯାହା  ଜଣାଯାଏ, ଏହାର  ପୂର୍ବ  ସଂସ୍କରଣ  ମାନଙ୍କରେ  ବର୍ଣ୍ଣିତ  ଶକ୍ତିକରଣ  ପ୍ରକ୍ରିୟାର  ୩ୟ  ଶକ୍ତି  ପର୍ଯ୍ୟନ୍ତ ବିଚୂର୍ଣ୍ଣୀକରଣ   ପଦ୍ଧତିରେ  ଔଷଧ  ତିଆରି  କରିବାକୁ  ହେବ   । ଏହି  ୩ୟ  ଶକ୍ତିର   ଔଷଧରୁ  ଏକଗ୍ରେନ  ଓଜନର  ଦ୍ରବ୍ୟକୁ  ୫୦୦ ଟୋପା, ୧:୪ ଅନୁପାତରେ  ମିଶାଯାଇଥିବା  ସୁରାସାର  ଓ  ପରିଶ୍ରୁତ  ଜଳ  ମିଶ୍ରିତ   ଦ୍ରବଣରେ  ମିଳାଇ ; ଏହି  ୫୦ ସହସ୍ରତମିକ   ଔଷଧର  ପ୍ରଥମ  ମୂଳ  ବା  ପିଣ୍ଡ  ଔଷଧ  ତିଆରି  କରାଯାଇଥାଏ  । ଏହି  ପିଣ୍ଡ  ଅର୍କରୁ  ଏକ  ବୁନ୍ଦା  ଔଷଧରେ  ୫୦୦ କ୍ଷୁଦ୍ର  ଚିନିଗୁଳି  ଭିଜିଲାଭଳି   ଗୁଳିକୁ  ଭିଯାଇ   ସେଥିରୁ  ଗୋଟିଏ  ଗୁଳି  ନେଇ, ଗୋଟିଏ  ଛୋଟ  ଶିଶିରେ  ରଖି, ଟୋପାଏ  ପରିଶ୍ରୁତ  ଜଳରେ  ମିଳାଇଲା   ପରେ  ୧୦୦ ଟୋପା  ସୁରାସାର  ମିଶାନ୍ତୁ  ଓ  ଶିଶିଟିକୁ  ୧୦୦ ଥର  ଆଲୋଡନ  ବା  ସଙ୍ଘାତ  କରନ୍ତୁ  ।ଏହାପରେ  ଏହି  ଦ୍ରବଣଟି   ହେବ  ଏହି  ଶକ୍ତିକରଣ  ପଦ୍ଧତିରେ  ପ୍ରସୂତ  ଦ୍ଵିତୀୟ  ଶକ୍ତିର  ଔଷଧ  ବା  0/2 ବା  M/2 ପୋଟେନସି  । ଠିକ୍  ସେହିଭଳି  ପଦ୍ଧତିରେ  ପୂର୍ବୋକ୍ତ  ମାପର  ଚିନିଗୁଳିକୁ   ଏହି  ଶକ୍ତିର  ଔଷଧରେ  ଭିଯାଇ  ସେଥିରୁ  ଗୋଟିଏ  ଗୁଳି  ନେଇ  ଗୋଟିଏ  ଶିଶିରେ  ରଖି  ଏକ  ଟୋପା  ପରିଶ୍ରୁତ  ଜଳରେ  ମିଳାଇ  ୧୦୦ ଟୋପା  ସୁରାସାରରେ  ମିଶାଇ  ୧୦୦ ଥର  ଝାଙ୍କିବା  ପରେ  0/3  ହୁଏ   । ଏହି  କ୍ରମରେ  ଉତ୍ତରୋତ୍ତର  ଶକ୍ତି  ତିଆରି  ହୋଇଥାଏ, ଏବଂ  ଏହି  ଅର୍କରେ  ପୂର୍ବୋକ୍ତ  ଚିନିଗୁଳିକୁ  ଭିଯାଇ, ଶୁଖାଇ, ଏହି  କ୍ରମର  ଔଷଧ  ଭାବରେ, ବ୍ୟବହାର  ପାଇଁ  ଯୋଗାଇ  ଦିଆଯାଇଥାଏ  ।

ଯେହେତୁ  ମୂଳ  ପିଣ୍ଡ  ଔଷଧର  ଏଭଳି  ଗୋଟିଏ  ସୂକ୍ଷ୍ମ  ଗୁଳିରେ   ଥିବା  ଔଷଧୀୟ  ଅଂଶ  ପୂର୍ବ  ଔଷଧର  ୧/୫୦୦  ଭାଗ  ରହିଥାଏ, ଏଥିରେ  ୧୦୦ ଭାଗ  ସୁରାସାର  ମିଶାଇବା  ପରେ  ଏହାର  ଶକ୍ତି  ବା  ଔଷଧୀୟ  ଅଂଶ  ପୂର୍ବ  ଶକ୍ତିଠାରୁ  ୫୦୦ X ୧୦୦ = ୫୦,୦୦୦  ଅଂଶ  ଉଣା  ହୋଇଥାଏ  । ତେଣୁ, ଏହାକୁ  ପଚାଶ  ସହସ୍ରତମିକ  ଶକ୍ତିର  ଔଷଧ  ବୋଲି  କୁହାଯାଇଥାଏ   ।

ଅଭିଜ୍ଞତାରୁ  ଯାହା  ଜଣାଯାଏ, ଏହି  ପ୍ରକ୍ରିୟାରେ ପ୍ରସ୍ତୁତ  ଔଷଧୀୟ  ଦ୍ରବ୍ୟର  ଭେଷଜଶକ୍ତି  ବହୁଗୁଣରେ  ବୃଦ୍ଧି  ପାଇଥାଏ  । ତେଣୁ  ଏହାକୁ  ବ୍ୟବହାରିକ  କ୍ଷେତ୍ରରେ,  ବିଶେଷକରି  ରୋଗଭୋଗ  କାଳକୁ  ଯଥେଷ୍ଟ  ଭାବରେ  କମାଇବା  ପାଇଁ  ଏହାର  ପୁନଃ  ପୁନଃ ପ୍ରୟୋଗକୁ  ଆଖି  ଆଗରେ  ରଖି, ଏହାର  ପ୍ରୟୋଗାତ୍ମକ  ଧାରାରେ  ଯେଉଁ  ନୂତନ  ପଦ୍ଧତି  ଅବଲମ୍ବନ  କରିବାର  କଥା  ତାହା  ପ୍ରାଞ୍ଜଳ  ଭାବରେ  ‘ଅର୍ଗାନନ୍’  ପୁସ୍ତକର  ୨୪୬ କାରିକାଠାରୁ  ୨୪୮  କାରିକା  ଓ  ସେସବୁର   ପାଦଟୀକାରେ  ଉଲ୍ଲେଖ  ରହିଛି  ଏହି  କାରିବା  ଓ  ତାହାର  ପାଦଟୀକାମାନଙ୍କୁ  ସେହି  କାରଣରୁ  ଠିକ୍ ସେହିଭଳି  ଏଠାରେ  ଉଲ୍ଲେଖ  କରାଯିବା  ବିଧେୟ   ।

୨୪୬ : ଚିକିତ୍ସା  କାଳରେ, କ୍ରମୋନ୍ନତି  ସୂଚକ  ତଥା  ପ୍ରତ୍ୟକ୍ଷ   ଭାବରେ  ବର୍ଦ୍ଧନଶୀଳ  ଉପଶମ  ଯେତେ   ସମୟ  ଧରି  ଚାଲିଥିବ, ସେତେବେଳେ  ପର୍ଯ୍ୟନ୍ତ  ଔଷଧର  ପୁନଃପ୍ରୟୋଗ  ନିଷିଦ୍ଧ; କାରଣ, ପ୍ରଯୁକ୍ତ  ଔଷଧ  ଯାହାକିଛି  ମଙ୍ଗଳକର  କାର୍ଯ୍ୟ  ଆରମ୍ଭ   କରିଥାଏ  ତାହା  ଦ୍ରୁତତର  ଭାବରେ  ରୋଗୀକୁ   ସମ୍ପୂର୍ଣ୍ଣ   ନିରାମୟ  କରିବା  ଦିଗରେ  ତାହାର  କାର୍ଯ୍ୟ  ଜାରି  ରଖିଥାଏ   । ନୂତନ  କ୍ଷଣସ୍ଥାୟୀ  ଆଶୁରୋଗ  ମାନଙ୍କ ଠାରେ  ପ୍ରାୟତଃ  ଏହାହିଁ  ଘଟିଥାଏ   । ମାତ୍ର  ଅପେକ୍ଷାକୃତ  ଦୀର୍ଘସ୍ଥାୟୀ  ରୋଗ  କ୍ଷେତ୍ରରେ, ଉପଯୁକ୍ତ  ଭାବରେ  ନିର୍ବାଚିତ  ସଦୃଶଲକ୍ଷଣ  ସମ୍ପନ୍ନ  ଔଷଧର  ଗୋଟିଏ  ମାତ୍ରା   ଧୀର  ମନ୍ଥର  ଭାବରେ  ଉପକାର  ଘଟାଇ, ସ୍ଵାଭାବିକ  ଭାବରେ  ୪୦,୫୦,୬୦ ବା  ୧୦୦ ଦିନରେ  ସମ୍ପୂର୍ଣ୍ଣ  ଭାବରେ  ନିଜର  ସମ୍ପାଦନା  କରିଥାଏ   । ଏହା  ଅବଶ୍ୟ  କ୍ଵଚିତ  ଦୃଷ୍ଟି  ଗୋଚର  ହୋଇଥାଏ   । ହେଲେ  ମଧ୍ୟ, ଏହା  ନିଶ୍ଚିତ  ଭାବରେ  ଉଭୟ  ରୋଗୀ  ଓ  ଚିକିତ୍ସକଙ୍କ  ପକ୍ଷରେ  ଗୁରୁତ୍ଵପୂର୍ଣ୍ଣ  ଯେ, ଯଦି  ସମ୍ଭବହୁଏ  ଏହି  ସମୟକୁ  ଅଧା, ଏକ  ଚତୁର୍ଥାଂଶ  ବା ତାହାଠାରୁ  ଆହୁରି  ଉଣା  କରାଯାଇ,  ଆରୋଗ୍ୟ  ପ୍ରକ୍ରିୟାକୁ  ଅଧିକ  ଦ୍ରୁତତାର  କରାଯାଇ  ପାରନ୍ତା   । ବର୍ତ୍ତମାନ  ପର୍ଯ୍ୟନ୍ତ   ମୋର  ଯାହା  ଅଭିଜ୍ଞତା, ଏବଂ  ସମ୍ପ୍ରତି, ବାରମ୍ବାର  ନିଜସ୍ଵ  ପ୍ରତ୍ୟକ୍ଷ  ଭୂୟୋଦର୍ଶନରୁ  ମୁଁ  ଯାହା  ଶିକ୍ଷାଲାଭ   କରିଛି,  ସେଥିରେ, ନିମ୍ନଲିଖିତ  ସର୍ତ୍ତମାନଙ୍କୁ  ପାଳନକଲେ  ତାହା  ଯେ  ନିଶ୍ଚିତ  ଭାବରେ  ଓ  ଖୁସିରେ  ଉପଲବ୍ଧ  ହୋଇପାରିବ  ଏହା  କହିବା  ବାହୁଲ୍ୟ  ମାତ୍ର   । ଏହି  ସର୍ତ୍ତ  ଗୁଡିକ  ହେଲା  : ୧ – ଯତ୍ନସହକାରେ  ନିର୍ବାଚିତ  ଔଷଧଟି   ସର୍ବତୋଭାବେ  ସଦୃଶତମ  ହେବା  ଉଚିତ, ୨ – ଯଦି  ଏହି  ଔଷଧଟି  ଅତିମାତ୍ରାରେ  ଶକ୍ତିକୃତ  ହୋଇଥିବ, ତାହାକୁ  ଜଳରେ  ମିଶାଇ, ନିଜର  ଅଭିଜ୍ଞତାରୁ  ଶିକ୍ଷା  ଲାଭ  କରିଥିବା  ସ୍ୱଳ୍ପମାତ୍ରାରେ, ଆରୋଗ୍ୟକାର୍ଯ୍ୟକୁ   ତ୍ୱରାନ୍ୱିତ   କରିବାପାଇଁ   ନିର୍ଦ୍ଧିଷ୍ଟ  ସମୟର  ବ୍ୟବଧାନରେ  ପୁନଃ  ପ୍ରୟୋଗ  କରିବା, ଅବଶ୍ୟ – ୩, ଏହି  ପୁନଃ  ପ୍ରୟୋଗର ପ୍ରତ୍ୟକ  ମାତ୍ରାର  ଶକ୍ତି  ତାହାର  ପୂର୍ବମାତ୍ରା  ଅପେକ୍ଷା  କିଛି  ପରିମାଣରେ  ପରିବର୍ତ୍ତିତ  ହୋଇଥିବା  ଆବଶ୍ୟକ, ଯଦ୍ୱାରାକି  ଜୀବନୀଶକ୍ତିର  ମୂଳାଧାର  ଏହି  ସଦୃଶତମ  ଔଷଧୀୟ  ରୋଗପ୍ରତି  ତାହାର  ପ୍ରତିକ୍ରିୟା  ଅସାଧାରଣ ଓ  ଅବାଞ୍ଛିତ  ଭାବରେ  ଉଜ୍ଜୀବିତ  ହୋଇ  ବିଦ୍ରୋହ  କରି  ନ ଉଠେ, ଯାହାକି  ସାଧାରଣତଃ  ଅମରିବର୍ତ୍ତିତ   ମାତ୍ରାରେ  ଔଷଧର  ପୁନଃ  ପ୍ରୟୋଗ  ହେତୁ  ଘଟିଥାଏ   ।

୨୪୭ – ଆରୋଗ୍ୟ  କାର୍ଯ୍ୟ  ଯେପରି  ବିଳମ୍ବିତ  ନ ହୁଏ, ସେଥିପାଇଁ  ଅଳ୍ପ  ସମୟର  ବ୍ୟବଧାନରେ  ଔଷଧକୁ  ପୁନଃ  ପୁନଃ  ପ୍ରୟୋଗ  କରିବା  କଥା  ଦୂରେ  ଥାଉ, ଅପରିବର୍ତ୍ତିତ  ଅନୁପାତ  ଥରେ  ବି  ଅଧିକ  ପ୍ରୟୋଗ  କରିବା  କାର୍ଯ୍ୟର  କଥା  ନୁହେଁ  । କାରଣ, ଜୀବନୀ  ଶକ୍ତିର  ଆଧାର  ଏଭଳି  ଅପରିବର୍ତ୍ତିତ  ମାତ୍ରାକୁ  ବିନା  ବାଧାରେ  ଗ୍ରହଣ  କରେ  ନାହିଁ  । ରୋଗର  ସଦୃଶ  ଲକ୍ଷଣ, ଯାହାକି  ଆରୋଗ୍ୟ   ହେବାର  କଥା, ସେ  ସବୁ  ସମେତ  ଔଷଧଜ ଅନ୍ୟାନ୍ୟ  ଲାକ୍ଷା  ଅବୁ  ରୋଗୀ  ଶରୀରରେ  ପ୍ରକାଶିତ  ହୁଏ  । ଯେହେତୁ  ଔଷଧର  ପୂର୍ବ  ମାତ୍ରାଟି, ଜୀବନୀଶକ୍ତିର  ମୂଳାଧାରା  ମଧ୍ୟରେ  ଇପସିତ   ପରିବର୍ତ୍ତନ  କରି  ସାରିଥାଏ, ପରବର୍ତ୍ତୀ  ଅନୁପାତଟି,  ତାହା  ମଧ୍ୟରେ  ସେହି  ପୂର୍ବାବସ୍ଥା  ଆଉ  ଖୋଜି  ପାଏ  ନାହିଁ  । ଅପରିବର୍ତ୍ତିତ   ଭାବରେ  ଔଷଧକୁ  ପୁନଃ  ପ୍ରୟୋଗ  କଲେ, ରୋଗୀ  ଅନ୍ୟ  ଭାବରେ, ବାସ୍ତବିକ  ପୂର୍ବାପେକ୍ଷା  ଅଧିକ  ଅସୁସ୍ଥ  ହୋଇପାରେ  । କାରଣ, ପ୍ରଯୁକ୍ତ  ଔଷଧରେ  ଯେଉଁସବୁ  ଲକ୍ଷଣ  ପ୍ରାଥମିକ  ରୋଗ  ଲକ୍ଷଣର  ସଦୃଶ  ନୁହେଁ, କେବଳ  ସେହି  ସବୁ  ହିଁ  ରହିଥାଏ   । ସୁତରାଂ  ଆରୋଗ୍ୟ  ନେଇ  ଆଉ  କୌଣସି  ଅଗ୍ରଗତି  ହୁଏ  ନାହିଁ  ଏବଂ  ରୋଗାବସ୍ଥାରେ  ବୃଦ୍ଧି  ଘଟିଥାଏ   । ମାତ୍ର  ପରବର୍ତ୍ତୀ  ମାତ୍ରାସବୁ  ଯଦି  ସାମାନ୍ୟ  ପରିବର୍ତ୍ତିତ  ହୁଏ, ଅର୍ଥାତ୍  କିଞ୍ଚିତ  ଉଚ୍ଚତର   ଶକ୍ତିରେ  ପରିଣତ  ହୁଏ  ତାହାହେଲେ  ଜୀବନୀଶକ୍ତିର  ମୂଳାଧାର  ସେହି  ଔଷଧ  ଦ୍ଵାରା  ସହଜରେ  ପ୍ରଭାବିତ  ହୁଏ  ଏବଂ  (ପ୍ରକୃତ  ରୋଗର  ଅନୁଭୂତି  ହ୍ରାସ  ପାଇବା  ହେତୁ) ଆରୋଗ୍ୟ  କାର୍ଯ୍ୟଟି  ପ୍ରକୃତ  ପକ୍ଷେ  ଦ୍ରୁତତର  ହୁଏ  ।

୨୪୮ : ଏହି  ଉଦ୍ଦେଶ୍ୟରେ  ଆମେ  ଔଷଧକୁ  ପାଣିରେ  ମିଳାଇ  ୮,୧୦ ବା  ୧୨ ଥର  ଦୃଢ  ଭାବରେ  ଝାଙ୍କି, ନୂତନ  ଉଚ୍ଚତର  ଶକ୍ତିରେ   ପରିଣତ  କରୁ, ଏବଂ  ସେଥିରୁ  ଏକ  ବା ଏକାଧିକ  ଚା – ଚାମୁଚ  ଅନୁପାତରେ  ବହୁଦିନ  ଧରି, ଦୀର୍ଘସ୍ଥାୟୀ ରୋଗରେ  ପ୍ରତ୍ୟହ  ବା  ଏକ  ଦିନ  ଅନ୍ତରରେ ; ନୂତନ  ତଥା  କ୍ଷଣସ୍ଥାୟୀ  ତରୁଣ  ରୋଗରେ  ଦୁଇରୁ  ଛ ଘଣ୍ଟା  ଅନ୍ତରରେ,  ଅଥବା  ଅଧିକ  ପ୍ରୟୋଜନ  କ୍ଷେତ୍ରରେ,  ଅବସ୍ଥାନୁସାରେ,  ପ୍ରତ୍ୟକ  ଘଣ୍ଟା  ବା  ଆହୁରି   ଶୀଘ୍ର  ଶୀଘ୍ର  ପ୍ରୟୋଗ  କରିଥାଉ  । ଏଇଭଳି  ଦୀର୍ଘସ୍ଥାୟୀ  ପୁରାତନ  ରୋଗମାନଙ୍କର  ପ୍ରତ୍ୟକ  ସୁନିର୍ବାଚିତ  ସଦୃଶ  ଔଷଧ ; ଏପରିକି  ଯାହାର  କ୍ରିୟା  ବହୁଦିନ  ସ୍ଥାୟୀ, ସେ  ସବୁକୁ  ମଧ୍ୟ, ପ୍ରତ୍ୟହ  ମାସାଧିକ କାଳ  ପୁନଃ  ପୁନଃ   ପ୍ରୟୋଗ  କରାଯାଇ  ପାରେ  ଏବଂ  ସେଥିରେ  ବେଶ୍  ସାଫଲ୍ୟ   ଲାଭ  ହୋଇଥାଏ   । ଯଦି  ମିଶ୍ରଣ   ଶେଷ  ହୋଇଯାଏ   ଏବଂ  ସେହି  ଔଷଧର  ଲକ୍ଷଣ  ତଥାପି  ରହିଥାଏ, ତାହାହେଲେ  ଉକ୍ତ  ଔଷଧର  ଉପର  ଶକ୍ତିର  ଗୋଟିଏ  ଅଣୁବଟିକାକୁ   ମିଶ୍ରଣ  କରି, ଯେ  ପର୍ଯ୍ୟନ୍ତ  ରୋଗୀ  କ୍ରମଶଃ   ଉନ୍ନତି  ଲାଭ  କରୁଥିବ  ଏବଂ  ଜୀବନରେ  କେବେ  ହେଲେ  ଅନୁଭୂତ  ହୋଇ  ନ ଥିବା  ଏଭଳି  କୌଣସି  ଲକ୍ଷଣ  ପ୍ରକାଶ  ପାଉ   ନଥିବ, ସେ  ପର୍ଯ୍ୟନ୍ତ  ସେହି  ମିଶ୍ରଣକୁ  ହିଁ  ରୋଗୀକୁ  ଦେବାକୁ  ହେବ  । ଯଦି  ରୋଗର  ଅବଶିଷ୍ଟ  ଅଂଶ  କିଛି  ପରିବର୍ତ୍ତିତ  ଲକ୍ଷଣ  ସମଷ୍ଟି  ନେଇ  ଦେଖାଦିଏ, ତାହାହଲେ  ପୂର୍ବ  ଔଷଧ  ପରିବର୍ତ୍ତେ  ଆଉ  ଏକ  ଅଧିକତର  ସଦୃଶ  ଔଷଧ  ନିର୍ବାଚିତ  କରି  ପୂର୍ବ  ପ୍ରକାରେ  ପୁନଃ  ପୁନଃ  ପ୍ରୟୋଗ  କରିବାକୁ  ହେବ  । କିନ୍ତୁ, ମନେରଖିବାକୁ  ହେବ  ଯେ, ଏହି  ମିଶ୍ରଣର  ପ୍ରତ୍ୟକମାତ୍ରାର  ଶକ୍ତି  ଯେପରି  ସଜୋର  ଝାଙ୍କି  ଦିଆ ହୋଇ  କିଛି  ପରିବର୍ତ୍ତିତ  ଓ  ପରିବର୍ଦ୍ଧିତ   ହୁଏ  । ଅନ୍ୟପକ୍ଷରେ  ମଧ୍ୟ  ଦେଖା  ଯାଏ  ଯେ, ସୁଚାରୁରୂପେ  ସ୍ଥିରୀକୃତ  ସଦୃଶ  ଔଷଧଟିର ପୁନଃ  ପ୍ରୟୋଗ  ସମୟରେ, ଦୀର୍ଘସ୍ଥାୟୀ  ରୋଗର  ଚିକିତ୍ସା  ଶେଷ  ପର୍ଯ୍ୟାୟରେ  ତଥାକଥିତ  ସଦୃଶ  ବିଧାନ  ମତରେ  ରୋଗବୃଦ୍ଧି  ଘଟିଥାଏ, ଯେତେବେଳେ  କି  ରୋଗର  ଅବଶିଷ୍ଟାନ୍ସ, ପୁନରାୟ  କିଛିଟା   ବଢିଗଲା  ଭଳି  ମନେ  ହୁଏ (ମୂଳ  ରୋଗର   ସଦୃଶ  ଔଷଧଜ  ବ୍ୟାଧିହିଁ   ସେତେବେଳେ  କ୍ରମାଗତ  ଭାବରେ  ପରିସ୍ପୁଟ  ହେଉଥାଏ)  । ସେ  କ୍ଷେତ୍ରରେ  ଔଷଧର  ମାତ୍ରା  ଆହୁରି  କ୍ଷୁଦ୍ରତର  କରିବାକୁ  ହେବ  ବା  ସମ୍ପୂର୍ଣ୍ଣ  ବନ୍ଦ  କରିଦେବାକୁ  ହେବ, ଏବଂ  ଏହି  ରୋଗାରୋଗ୍ୟ  ପାଇଁ  ଆଉ  ଔଷଧର  ପ୍ରୟୋଜନ  ଅଛି  କି  ନାହିଁ  ତାକୁ  ସମୀକ୍ଷା  କରିବାକୁ   ପଡିବ   । ପ୍ରକାଶିତ  ଲକ୍ଷଣ  ସମୂହ, ସଦୃଶ  ଲକ୍ଷଣ  ସମ୍ପନ୍ନ  ଔଷଧର  ଆଧିକ୍ୟ  ହେତୁ, ସ୍ଵତଃ  ଅନ୍ତର୍ହିତ  ହୋଇଯିବ  ଏବଂ  ସେଠାରେ  ଜଟିଳତାଶୂନ୍ୟ  ସ୍ୱାସ୍ଥ୍ୟ  ବିରାଜମାନ  ରହିବ  । ଯଦିବା  ଗୋଟିଏ  ଛୋଟ  ଏକଡ୍ରାମ  ଶିଶିରେ  ସୁରାସାର  ମିଶ୍ରିତ   ଜଳ  ନେଇ  ସେଥିରେ  ଗୋଟିଏମାତ୍ର  ଔଷଧର  ଗୁଳିମିଶାଇ  ଓ  ଝାଙ୍କି  ଦେଇ  ତାକୁ  ଦୁଇ, ତିନି  ବା  ଚାରିଦିନ  ଅନ୍ତରରେ  ଆଘ୍ରାଣ  କରିବାର  ବ୍ୟବସ୍ଥା  କରାହୁଏ, ତାହାହେଲେ  ମଧ୍ୟ  ପ୍ରତ୍ୟକଥର  ଆଘ୍ରାଣ  ପୂର୍ବରୁ  ଆଠରୁ  ଦଶଥର  ଭଲଭାବରେ  ଝାଙ୍କି  ନେବାକୁ  ହେବ   ।

ହ୍ୟାନିମାନ  ଯେତେ  ସରଳ  ଭାବରେ  ଓ  ପରିଷ୍ଟାର  ଭାବରେ  ଏହି  ଔଷଧର  ପ୍ରସ୍ତୁତି  ଓ  ପ୍ରୟୋଗ  ସମ୍ପର୍କରେ  ତାଙ୍କର  ‘ଅର୍ଗାନନ୍’  ପୁସ୍ତକର  ୬ଷ୍ଠ  ସଂସ୍କରଣରେ  ବର୍ଣ୍ଣନା   କରିଛନ୍ତି, ବୋଧହୁଏ  ଏହି  ମିଲିସିମାଲ  ଶକ୍ତିର  ଔଷଧର  ବ୍ୟବହାର  ପାଇଁ  ଅଧିକ  ସରଳ  ଭାବରେ  ବୁଝାଇ  ହେବକି  ନାହିଁ  ସନ୍ଦେହ   । ସେ  ଯାହା  ହେଉନା  କାହିଁକି   ଏହି  ବିଧିରେ  ଔଷଧ  ପ୍ରୟୋଗ  ଦ୍ଵାରା  ଯାହାସବୁ  ଉପକାର  ଚିକିତ୍ସା  କ୍ଷେତ୍ରରେ  ମିଳିଥାଏ  ତାହା  ହେଉଛି :

  1. ଔଷଧର  ପୁନଃ  ପ୍ରୟୋଗର  କାରଣରୁ  ଜଣେ  ଚିକିତ୍ସକ, ରୋଗୀ  ସମ୍ପର୍କରେ  ତାଙ୍କର  ପର୍ଯ୍ୟବେକ୍ଷଣ  ନିମନ୍ତେ  ଯଥେଷ୍ଟ  ସଚେତନ  ଓ  ସଚେଷ୍ଟ   ହୁଅନ୍ତି   ।
  2. ଶତତମିକ  ଔଷଧର  ପୁନଃ  ପ୍ରୟୋଗର  ଯଥେଷ୍ଟ  କଟକଣା  ସାଧାରଣ  ଭାବରେ  ଏ  ପଦ୍ଧତିରେ  ରଖାଯାଇ  ନାହିଁ   । ଫଳରେ  ପୁନଃ  ପ୍ରୟୋଗର  ଏହି  ନୂତନ  ଧାରାରୁ  ଔଷଧର  ଔଷଧର  ପର୍ଯ୍ୟବେକ୍ଷଣ  ପାଇଁ  ଅନିର୍ଦ୍ଧିଷ୍ଟ  କାଳ  ଅପେକ୍ଷା  କରିବାକୁ  ପଡେନାହିଁ  । ଏହି  କାରଣରୁ, ନିର୍ବାଚିତ   ଔଷଧର  ସଠିକତା  ସମ୍ବନ୍ଧରେ  ସ୍ୱଳ୍ପକାଳ  ମଧ୍ୟରେ  ଚିକିତ୍ସକ  ଜାଣିପାରନ୍ତି  ଓ  ଦରକାର  ମୁତାବିକ  ଯେ  କୌଣସି  ସମୟରେ, କାଳ  ବିଳମ୍ବ  ନକରି  ନୂତନ  ଔଷଧ  ନିର୍ବାଚନ  କରନ୍ତି  ।
  3. ଔଷଧ  ସେବନ ପର  ଅବସ୍ଥାରେ  ରୋଗୀର  ଅବାଞ୍ଛିତ  ପ୍ରତିକ୍ରିୟାକୁ  ଏହା  ଦ୍ଵାରା  ରୋକାଯାଇପାରେ   ।
  4. ରୋଗୀର  ସମ୍ବେଦନଶୀଳତା  ଓ ତତଜନିତ  ରୋଗବୃଦ୍ଧିକୁ  ଯଥା  ଶୀଘ୍ର  ଔଷଧର  ପରିବର୍ତ୍ତିତ  ଅନୁପାତ  ଦ୍ଵାରା  ଅକ୍ତିଆର  କରାଯାଇ   ପାରେ   ।
  5. ପୁନଃ  ପୁନଃ  ପ୍ରୟୋଗ  ହେତୁ  ରୋଗୀଙ୍କର  ରୋଗଭୋଗକାଳକୁ  ସଙ୍କୁଚିତ  ଓ  ସ୍ୱଳ୍ପତର  କରାଯାଏ   ।
  6. ରୋଗୀଙ୍କର  ଔଷଧ  ସେବନ  କରିବା  ତଥା  ତାହାର  କ୍ରିୟା  ସମ୍ପର୍କରେ  ଆତ୍ମା  ବିଶ୍ଵାସ  ତଥା  ଆତ୍ମସନ୍ତୋଷ  ଜାଗ୍ରତ  ହୁଏ   ।
  7. ଶକ୍ତି ଓ ମାତ୍ରାର  ପ୍ରୟୋଗ  ସମ୍ପର୍କିତ  ସମସ୍ୟାକୁ  ଏହାଦ୍ଵାରା  ଅମାଧାନ  କରାଯାଇ  ପାରେ  । କାରଣ  ୬,୨୦୦,୧୦୦୦  ବା  ତଦୁର୍ଦ୍ଧ୍ଵ  କେଉଁ  ଶକ୍ତିର  ଆବଶ୍ୟକତା,  ଏ  ସମ୍ପର୍କରେ  କୌଣସି  ଦ୍ଵନ୍ଦର  ସମ୍ମୁଖୀନ  ହେବାକୁ  ପଡେ  ନାହିଁ  । ଏହି  ପଦ୍ଧତିର  କ୍ରମ  ବର୍ଦ୍ଧିଷ୍ଣୁ  ନୀତିରେ  ନିମ୍ନତରରୁ  ଧୀରେ  ଧୀରେ, ଅଥଚ  କ୍ଷିପ୍ର  ପଦକ୍ଷେପରେ  ଉଚ୍ଚତମ  ଶକ୍ତି  ପର୍ଯ୍ୟନ୍ତ  ସ୍ୱଳ୍ପ  ସମୟ  ମଧ୍ୟରେ  ଜଣେ  ଔଷଧ  ପ୍ରୟୋଗ  କରିପାରିବେ  ସାଦୃଶ୍ୟତମ  ସୁନିର୍ବାଚିତ  ଔଷଧକୁ, ଯାହାକି   ଶତତମିକ  ଔଷଧର  ପ୍ରୟୋଗ  କ୍ଷେତ୍ରରେ  ଆଦୌ  ସମ୍ଭବପର  ନୁହେଁ   ।
  8. ମଣିଷ  ଭୁଲ  କରିବା  ସ୍ଵାଭାବିକ   । ଔଷଧ  ନିର୍ବାଚନରେ  ଯେ  ଭୁଲ  ନ ହେବ  ଏ  କଥା  ଏକ  ଅସମ୍ଭବ  ଘଟଣା   । ତେଣୁ  ଏହି  ଭୁଲକୁ  କେବଳ  ପର୍ଯ୍ୟବେକ୍ଷଣ   ଦ୍ଵାରାହିଁ  ଜାଣିବା  ସମ୍ଭବ  ।  ଔଷଧର  କ୍ରିୟା  ପ୍ରକାଶ  ନ ପାଇଲେ  ଏହା  ଜାଣିବା  ଯେହେତୁ  ସମ୍ଭବ  ନୁହେଁ, କ୍ରିୟା  ପ୍ରକାଶନକୁ  ଦ୍ରୁତତର  କରିବା  ହିଁ  ଏହାର  ଏକମାତ୍ର  ସମାଧାନ  ପନ୍ଥା   । ଏହି  କ୍ରିୟାକୁ  ଦ୍ରୁତତର  କରିବା  କେବଳ  ଏହି  ପଦ୍ଧତିରେ   ଔଷଧ   ସେବନ  କରାଇବାରେ  ହିଁ  ସମ୍ଭବ   ।
ଏହି  ପଦ୍ଧତି  ଆଶୁରୋଗ  ଏବଂ  ଦୀର୍ଘସ୍ଥାୟୀ   ରୋଗ  ଉଭୟ  କ୍ଷେତ୍ରରେ, ସମାନଭାବରେ, ଆରୋଗ୍ୟର  ସମୟ  ସୀମାକୁ  ଯଥେଷ୍ଟ   ଊଣା   କରିଥାଏ  ।

ସଂଗୃହୀତ – ଡାକ୍ତର କମଳାକାନ୍ତ କର

Last Modified : 1/28/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate