ହୋମ / ସ୍ଵାସ୍ଥ୍ୟ / ହୋମିଓପ୍ୟାଥି / ହୋମିଓପ୍ୟାଥି ବିବିଧ ପ୍ରସଙ୍ଗ / ଦର୍ଶନ ବିଭାଗ / ଶିଶୁରୋଗୀ ଚିକିତ୍ସାରେ ମାନସିକ ଲକ୍ଷଣର ଗୁରୁତ୍ଵ
ସେଆର କରନ୍ତୁ

ଶିଶୁରୋଗୀ ଚିକିତ୍ସାରେ ମାନସିକ ଲକ୍ଷଣର ଗୁରୁତ୍ଵ

ଶିଶୁରୋଗୀ ଚିକିତ୍ସାରେ ମାନସିକ ଲକ୍ଷଣର ଗୁରୁତ୍ଵ ର ସୂଚନା

ଉପକ୍ରମ

ଏହା  କହିବା  ବାହୁଲ୍ୟମାତ୍ର  ଯେ  ହୋମିଓପାଥି  ପ୍ରଥମରୁ  ଶେଷ  ପର୍ଯ୍ୟନ୍ତ  ଏକ  “ବ୍ୟକ୍ତିଗତ  ବୈଶିଷ୍ଟ୍ୟ  ପରିଚାୟକ” କଳା   । ଆମ୍ଭମାନଙ୍କୁ  ବିଭିନ୍ନ  ଭେଷଜ  ଓ  ରୋଗୀଙ୍କ  କ୍ଷେତ୍ରରେ  ଏହି  ବୈଶିଷ୍ଟ୍ୟଗତ  ପୃଥକୀକରଣ  କରିବାକୁ  ସର୍ବଦା  ପଡିଥାଏ  ଏକ  ପ୍ରକୃତ  ହୋମିଓପାଥିକ  ଚିକିତ୍ସା  ପାଇଁ   । ରୋଗର  ନାମ ଆମର   ରୋଗୀ  ବିବରଣ  ସଂଗ୍ରହ  କ୍ଷେତ୍ରରେ  କୌଣସି  ପ୍ରକାରର  ମୂଲ୍ୟ  ଦିଏ  ନାହିଁ  । ସୁତରାଂ ଏହି  ଗୁରୁତ୍ଵପୂର୍ଣ୍ଣ  ଓ  ଜଟିଳ  କାର୍ଯ୍ୟ  ସମ୍ପାଦନ  କରିବା ପାଇଁ ଏକ  ସୁସଙ୍ଗତ  ରୋଗୀଲିପିର  ପ୍ରୟୋଜନୀୟତା  ଚିକିତ୍ସା  କ୍ଷେତ୍ରରେ  ସମସ୍ତେ  ସର୍ବ  ସମୟରେ  ଅନୁଭବ  ତଥା  ଦରକାର  କରିଥାନ୍ତି   ।

କିନ୍ତୁ, ଏହି  ରୋଗୀ  ଲିପିର  ଆବଶ୍ୟକତା  ଆମ  ହୋମିଓପାଥିଙ୍କ  ନିକଟରେ ଏକ  ବିଶେଷ  ଦୃଷ୍ଟିକୋଣରୁ  ବିଚାର  କରାଯାଇଥାଏ   । ଏହାଦ୍ଵାରା   ଆମେ  ରୋଗୀର  ବିଭିନ୍ନ  ଲକ୍ଷଣ  ସମସ୍ତକୁ  ଏକ ସୁସଂଗଠିତ  ଧାରାରେ   ସଜ୍ଜିତ  କରି  ନିର୍ଦ୍ଧିଷ୍ଟ  ରୋଗୀର  ଏକ  ବୈଶିଷ୍ଟ୍ୟଗତ  ନିଜତ୍ଵକୁ  ଅନୁଭବ  କରୁ  ଏବଂ  ସେହି  ପୀଡିତ  ବ୍ୟକ୍ତିକୁ   ଏକ  ସ୍ଵୟଂସମ୍ପୂର୍ଣ୍ଣ   ରୋଗୀ  ହିସାବରେ  ଗ୍ରହଣ  କରିଥାଉ    । ଆମ୍ଭମାନଙ୍କ   ମତରେ   ରୋଗ  ହେଉଛି  କେତେଗୁଡ଼ିଏ   ଅସ୍ଵାଭାବିକ  ଲକ୍ଷଣର  ସମଷ୍ଟି, ଯାହାକି  କୌଣସି  ଏକ  ବାହ୍ୟ  ଶତ୍ରୁଧର୍ମୀ   ଶକ୍ତିଦ୍ଵାରା  ଶରୀରର  ସର୍ବକ୍ଷେତ୍ରରେ  ସମାନଭାବରେ  ସ୍ଥିତ   ଜୀବନୀଶକ୍ତିର  ସୁଷ୍ଠୁ  ପ୍ରବାହରେ   ବାଧାପ୍ରାପ୍ତ  ହୋଇ  ବିକାଶ  ଲାଭ  କରିଥାଏ    ।

ତାହାହେଲେ   ପ୍ରକୃତ  ପକ୍ଷରେ  କହିବାକୁ  ଗଲେ  ଆମେ  କୌଣସି  ଏକ  ରୋଗକୁ  ଚିକିତ୍ସା  କରିବାକୁ  ନ ଯାଇ  ସାମଗ୍ରିକଭାବରେ  ଉକ୍ତ  ଏକ  ବିଶିଷ୍ଟ  ରୋଗବାହକ  ଦେହୀକୁ  ତଥା  ରୋଗୀକୁ  ଚିକିତ୍ସା  କରିଥାଉ  ।

ସୁତରାଂ, ରହି  ରୋଗୀକୁ   ଚିକିତ୍ସା  କରିବାପାଇଁ   ଯେଉଁ  ରୋଗୀଲିପି  ଆମେ  ପ୍ରସ୍ତୁତ  କରୁ  ଚିକିତ୍ସାର  ମାର୍ଗ  ଧାର୍ଯ୍ୟ  କରିବା  ନିମନ୍ତେ, ତାହା  ରୋଗୀ  ନିକଟରୁ  ବା  ତା’ର  ପାର୍ଶ୍ଵଚରଙ୍କ  ନିକଟରୁ   ସଂଗ୍ରହ  କରିଥିବା  ତଥ୍ୟଛଡା  ଅନ୍ୟକିଛି  ନୁହେଁ   । ସେହି  ତଥ୍ୟ  ହେଉଛି  ରୋଗୀକର୍ତ୍ତୃକ  ପ୍ରକାଶିତ  ବିଭିନ୍ନ  ଲକ୍ଷଣ   । କାରଣ, ଲକ୍ଷଣ  ହେଉଛି   । “ଦେହୀର  ଶରୀର  ମଧ୍ୟରେ  ଭେଷଜ  କ୍ରିୟା  ଅଥବା  କୌଣସି  ଶତ୍ରୁଧର୍ମୀ   କାରଣ  ହେତୁ  ଘଟୁଥିବା  ଗୋଳଯୋଗର  ବହିଃପ୍ରକାଶ ”  । ତେଣୁ  ଏହି  ଲକ୍ଷଣସକଳ  କେତେକାଂଶରେ  ଅପରର  ଦୃଷ୍ଟିଗୋଚର  ତଥା  ଅନୁଭୂତିର  ସୀମା  ପର୍ଯ୍ୟାପ୍ତଭୁକ୍ତ  ହୁଏ  ଓ  କେତାକାଂଶରେ  ଅପରର   ଦୃଷ୍ଟି  ଓ  ଅନୁଭୂତିର  ଅନ୍ତରାଳରେ  ରହି  କେବଳ  ରୋଗୀଦ୍ଵାରା  ହିଁ   ଅନୁଭୂତ  ହୁଏ   ।  ପ୍ରଥମ  ପ୍ରକାରର  ଲକ୍ଷଣ  ସକଳକୁ  ପରିଜ୍ଞାତ  ଲକ୍ଷଣ ବା  ପ୍ରତିଫଳିତ  ଲକ୍ଷଣ ଓ  ଦ୍ଵିତୀୟ  ପ୍ରକାରର  ଲକ୍ଷଣ  ସକଳକୁ  ଅଥବା  ଆତ୍ମିକ  ଲକ୍ଷଣ ବୋଲାଯାଏ   ।

ଔଷଧ  ନିର୍ବାଚନ  ପାଇଁ, ବୈଶିଷ୍ଟ୍ୟଗତ  ପୃଥକୀକରଣ  ପାଇଁ  ଏହି  ଲକ୍ଷଣ  ସକଳକୁ  ପୁନରାୟ  ଦୁଇଭାଗରେ  ବିଭକ୍ତ  କରିବାର  ଆବଶ୍ୟକତା  ହୋଇଛି   । (୧) ଗୋଟିଏ  ହେଉଛି  (General) ଅଥବା  ସାର୍ବଦୈହିକ  ଲକ୍ଷଣ – ଯେଉଁ  ଲକ୍ଷଣସକଳ  ରୋଗୀର   ସାମଗ୍ରିକ  ବ୍ୟକ୍ତିତ୍ଵର  ପରିଚାୟକ   । ଯଥା : ମୁଁ  ତୃଷାର୍ତ୍ତ, ମୁଁ  ଆଦୌ  ଥଣ୍ଡା  ସହ୍ୟ   କରିପାରେନା, ମୋଟେ  ସବୁବେଳେ  କାନ୍ଦମାଡୁଛି  ଇତ୍ୟାଦି   । ଏଠାରେ  ତୃଷା, ଶୀତକାତରତା  ଓ କାନ୍ଦଲାଗିବା  ସମଗ୍ର  ରୋଗୀର  ପରିଚାୟକ   ଲକ୍ଷଣ   । ରୋଗୀର  କୌଣସି  ନିର୍ଦ୍ଧିଷ୍ଟ  ଅଂଶ  ବା  ଅଙ୍ଗପ୍ରତି  ଏହି  ଲକ୍ଷଣଗୁଡିକ  ପ୍ରଯୁଜ୍ୟ  ନୁହେଁ   । ଏହି  ସାର୍ବଦୈହିକ  ଲକ୍ଷଣ, ମାନସିକ ମଧ୍ୟ  ହୋଇପାରେ, କାୟିକ ମଧ୍ୟ  ହୋଇପାରେ   ।

ମାନସିକ, ସାର୍ବଦୈହିକ  ଲକ୍ଷଣ

ସ୍ନେହ, ଘୃଣା, ସଙ୍ଗସୁଖ, ବାଚାଳତା, ଭୟ, ସ୍ମୃତି, ପ୍ରଳାପ, ଭ୍ରମ  ଦର୍ଶନ, ସ୍ଵପ୍ନ  ଇତ୍ୟାଦି   ।

କାୟିକ  ସାର୍ବଦୈହିକ  ଲକ୍ଷଣ

ବିଭିନ୍ନ  ପ୍ରକାରର  ଅନୁଭୂତି, ଖାଦ୍ୟ ପ୍ରତି  ଇଚ୍ଛା  ଅନିଚ୍ଛା, ଶୀତତାପ  ପ୍ରତି  ଶରୀରର  ପ୍ରଭାବାନ୍ଵିତତା  ଇତ୍ୟାଦି    ।

(୨) ବର୍ତ୍ତମାନ, ଦ୍ଵିତୀୟଟି  ହେଉଛି  Particular symptoms  ଅଥବା  ଆଙ୍ଗିକ  ଲକ୍ଷଣ, ଯାହାକି  ଶରୀରର  ନିର୍ଦ୍ଧିଷ୍ଟ  ଅଙ୍ଗର  ପୀଡାସମ୍ବନ୍ଧୀୟ  ଅଟେ   । ଯଥା : ମୋର  ପେଟରେ  ଅସହ୍ୟ  ଜ୍ଵଳା, ମୋର  ମୁଣ୍ଡବିନ୍ଧା  ଫଟାଇ  ଦେଉଛି, ଇତ୍ୟାଦି   ।

ଏହା  ସମସ୍ତ  ଲକ୍ଷଣ  ପୁନଶ୍ଚ ସାଧାରଣ  ଲକ୍ଷଣ ମଧ୍ୟ  ହୋଇପାରେ, ଅସାଧାରଣ  ଲକ୍ଷଣ ମଧ୍ୟ  ହୋଇପାରେ  । ଯଥା : ଜ୍ଵାଳା ଶୀତଳ  ପ୍ରଲେପରେ  ଉପଶମ  ଲାଭ  କରିବା  ଏକ  ସାଧାରଣ  ଲକ୍ଷଣ, କିନ୍ତୁ  ଏହି ଜ୍ଵାଳା  ଯଦି  ଉତ୍ତାପ  ପ୍ରୟୋଗରେ  ଉପଶମ  ହୁଏ  ତାହା  ଅସାଧାରଣ  ପଦବାଚ୍ୟ   ହୁଏ   । ବାସ୍ତବରେ  ଅସାଧାରଣ  ଲକ୍ଷଣ  ସକଳ  ହେଉଛି  ସେସବୁ  ଲକ୍ଷଣ  ଯାହାକି  ସାଧାରଣ  ଜ୍ଞାନ  ତଥା  ବିବେଚନା  ଦ୍ଵାରା  ବ୍ୟାଖ୍ୟା  କରାଯାଇପାରେ  ନାହିଁ   ।

କିନ୍ତୁ  କଥା  ହେଉଛି, ଏକ  ଶିଶୁ  ରୋଗୀ  କ୍ଷେତ୍ରରେ  ଆତ୍ମିକ  ଲକ୍ଷଣ  ପାଇବାର  ସମ୍ଭାବନା  ଖୁବ୍ କମ୍  । କେବଳ  ପରିଜ୍ଞାତ  ଲକ୍ଷଣସକଳ  ଉପରେ  ହିଁ  ଆମକୁ  ସମ୍ପୂର୍ଣ୍ଣ  ନିର୍ଭର  କରିବାକୁ  ପଡିବ, ଯଦିଓ  ଆତ୍ମିକ  ଲକ୍ଷଣ  ଓ  ପରିଜ୍ଞାତ  ଲକ୍ଷଣ  ମଧ୍ୟରେ  ସର୍ବଦା  ଆତ୍ମିକ  ଲକ୍ଷଣ  ମାନ  ଉଚ୍ଚରେ  - ଯେହେତୁ  ତାହା  ସବୁ  ସମୟରେ  ପ୍ରକୃତ  ରୋଗୀ  ଚରିତ୍ରର  ପ୍ରତିନିଧିତ୍ଵ  କରିଥାଏ, ଫଳରେ  ଔଷଧ  ନିର୍ବାଚନ  ପାଇଁ  ସର୍ବଶ୍ରେଷ୍ଠ   ।

ବର୍ତ୍ତମାନ  ଅନ୍ୟ  ଏକ  ଦିଗରୁ  ବିଚାର  କରାଯାଉ   । କୌଣସି  ନିର୍ଦ୍ଧିଷ୍ଟ  ଲକ୍ଷଣ  ଠିକଣା  ଔଷଧ  ନିର୍ବାଚନ  ପାଇଁ  ଉପଯୁକ୍ତ   ହେବାକୁ  ହେଲେ  ତାକୁ  ନିମ୍ନଲିଖିତ  ୪ଟି  ସର୍ତ୍ତ  ପୂରଣ  କରିବାକୁ  ହୁଏ   । (୧) ପ୍ରକାଶର  ସ୍ଥାନ (୨) ଅନୁଭୂତି (୩) ହ୍ରାସ ବୃଦ୍ଧି ଓ (୪) ଆନୁସଙ୍ଗିକ  ଲକ୍ଷଣ    । କିନ୍ତୁ, ଏ  ଦିଗରେ   ମଧ୍ୟ  ଶିଶୁରୋଗୀ  ପକ୍ଷରେ  ନିର୍ଦ୍ଧିଷ୍ଟ  ଲକ୍ଷଣର  ସଂପୂର୍ଣ୍ଣତା  ଆଣିବା   ସମ୍ଭାବନା  କମ  । ତଥାପି  ଆନୁଷଙ୍ଗିକ  ଲକ୍ଷଣ  ଭାବରେ  ଆମକୁ  କେତେଗୁଡିଏ  ଲକ୍ଷଣ  ଅବଶ୍ୟ  ମିଳିବ   । ତାହାହେଲେ  ବର୍ତ୍ତମାନ  ଦେଖାଯାଉ  ଏ  ଆନୁଷଙ୍ଗିକ  ଲକ୍ଷଣସବୁ  କ’ଣ  ଓ  ତାହାର  ଗୁରୁତ୍ଵ  କେତେ  ଏବଂ  ତାହା  କେତେଦୂର  ଆମକୁ  ଏ  କ୍ଷେତ୍ରରେ   ସାହାଯ୍ୟ   କରିପାରିବ   ।

ଆନୁସଙ୍ଗିକ  ଲକ୍ଷଣ

ଆନୁସଙ୍ଗିକ  ଲକ୍ଷଣ ହେଉଛି  ଏପରି  କେତେକ  ଲକ୍ଷଣ  ଯାହାକି  ମୁଖ୍ୟ  ଲକ୍ଷଣ  ସହିତ  ଯଦିଓ  ଦେଖା  ଦେଇଥାଏ  ତଥାପି  ତାହା  ସହିତ  ନିଦାନଗତ  ସମ୍ପର୍କ   କିଛି  ନ ଥାଏ, ମାତ୍ର  ନିର୍ଦ୍ଧିଷ୍ଟ  ରୋଗୀ  କ୍ଷେତ୍ରରେ   ଏହାର  ଯଥେଷ୍ଟ  ସମ୍ପର୍କ  ଥାଏ  ଏବଂ  ସେସବୁ  ଶରୀରତତ୍ତ୍ଵ  ବା  ନିଦାନତତ୍ତ୍ଵ  ଦୃଷ୍ଟିରୁ  କୌଣସି  ପ୍ରକାର  ବ୍ୟାଖ୍ୟା   କରିବା  ସମ୍ଭବ  ନୁହେଁ   । ସୁତରାଂ  ଏହିସବୁ  ଲକ୍ଷଣ  ରୋଗୀକୁ   ବ୍ୟକ୍ତିବାଚକ  କରେ   । ଡାକ୍ତର  ରବର୍ଟଙ୍କ  ଭାଷାରେ  “The  concomitant  symptom  is to  the  totality  what  the  condition  of  aggravation  or  amelioration  is to the  single symptom.  It is  the  differentiating  factor ”  ଅର୍ଥାତ୍,  କୌଣସି  ଏକ  ଲକ୍ଷଣ  ପ୍ରତି  ହ୍ରାସ  ଇ  ବୃଦ୍ଧିର   ଅବସ୍ଥା  ଯାହା  ବୁଝାଏ, ସାମଗ୍ରିକ  ଲକ୍ଷଣ   ପ୍ରତି  ଆନୁସଙ୍ଗିକ   ଲକ୍ଷଣ  ଠିକ୍  ତାହା  ହେଉଛି  ଏକ  ପୃଥକୀକାରକ   ବିଶେଷ  ଲକ୍ଷଣ   ।

ସୁତରାଂ, ପରିଶେଷରେ  ଶିଶୁରୋଗୀ   ଚିକିତ୍ସା  ପାଇଁ  ଆମକୁ  ପ୍ରଥମତଃ  ପରିଜ୍ଞାତ  ଲକ୍ଷଣ ଓ  ତା’ପରେ  ଆନୁସଙ୍ଗିକ  ଲକ୍ଷଣ  ଉପରେ  ମୂଳତଃ  ନିର୍ଭର  କରିବାକୁ  ହିନ  ପଡିବ   ।

ତାହାହେଲେ  ବର୍ତ୍ତମାନ  ଏହିସବୁ  ଦୃଷ୍ଟିରୁ  ଏକ  ଶିଶୁରୋଗୀ  ନିକଟରୁ  ଆମକୁ  ଯେଉଁ  ସବୁ  ଲକ୍ଷଣ  ମିଳିବ  ସେସବୁକୁ  ଆମେ  ନିମ୍ନ  ପ୍ରକାରେ, ପାଞ୍ଚଟି  ବିଭାଗରେ  ଭାଗ  କରିପାରୁ :

(୧) ମାନସିକ (୨) କାୟିକ : ସାର୍ବଦୈହିକ (୩) ଅସାଧାରଣ, ଆଶ୍ଚର୍ଯ୍ୟଜନକ  ତଥା  ଦୁର୍ଲଭ (୪)  ଆଙ୍ଗିକ (୫) ସାଧାରଣ

ଯେଉଁ  କ୍ରମରେ  ଏହି  ଲକ୍ଷଣସକଳକୁ  ଉଲ୍ଲେଖ  କରାହେଲା, ତାହାର  ମୂଲ୍ୟାୟନ  ରୋଗୀ  କ୍ଷେତ୍ରରେ  ସେହି  କ୍ରମରେ   । ତେଣୁ  ମାନସିକ  ଲକ୍ଷଣର  ମୂଲ୍ୟ  ସର୍ବୋପରି   ।

ମାନସିକ  ଲକ୍ଷଣର  ଗୁରୁତ୍ଵ  ସମ୍ପର୍କରେ   ଡାକ୍ତର  ହ୍ୟାନିମାନ  ହୋମିଓ  ଚିକିତ୍ସା  ଭଣ୍ଡାରର  ଚାବିକାଠି ସ୍ୱରୂପ, ତାଙ୍କ  ଲିଖିତ  ଅର୍ଗାନନ୍  ଅଫ୍  ମେଡ଼ିସିନ  ଗ୍ରନ୍ଥର  ୨୧୧ ରୁ  ୨୧୩ ସୂତ୍ର  ପର୍ଯ୍ୟନ୍ତ   ଅଂଶରେ  ଯାହା  ଉଲ୍ଲେଖ  କରିଛନ୍ତି   ତାହା ଅବଶ୍ୟ  ପ୍ରଣିଧାନଯୋଗ୍ୟ   ।

ସୂତ୍ର ୨୧୧ : “ଏହା  ଏପରି  ନିରାଟ  ସତ୍ୟ  ଯେ, ମୁଖ୍ୟତଃ  ରୋଗୀର  ପ୍ରକୃତି  ହିନ  ଅନେକ  ସମୟରେ  ହୋମିଓପାଥିକ  ଔଷଧ   ନିର୍ବାଚନର  ନିର୍ଦ୍ଦେଶ   ପ୍ରଦାନ  କରେ   । କାରଣ, ନିଶ୍ଚିତଭାବରେ  ଗୋଟିଏ  ପରିଚାୟକ  ଲକ୍ଷଣ  ବୋଲି  ତାହା  ଯଥାର୍ଥ  ପର୍ଯ୍ୟବେକ୍ଷଣକାରୀ  ଚିକିତ୍ସକ  ନିକଟରେ  ସର୍ବାପେକ୍ଷା  କମ୍  ଲୁକାୟିତ  ରହିପାରେ  ।”

ସୂତ୍ର ୨୧୨ : “ବ୍ୟାଧି  ନିରାମୟକାରୀ  ବସ୍ତୁସମୂହର  ସୃଷ୍ଟିକର୍ତ୍ତା   ବ୍ୟାଧିସମୂହର  ପ୍ରକୃତି  ଓ  ମନର  ଯେ  ପରିବର୍ତ୍ତନ, ଏହି  ପ୍ରଧାନ  ବିଷୟ  ପ୍ରତି  ବିଶେଷ  ମର୍ଯ୍ୟାଦା  ଦାନ   କରିଛନ୍ତି  । କାରଣ, ଜଗତରେ  ଏଭଳି  କୌଣସି  ଶକ୍ତିଶାଳୀ  ଭେଷଜ  ନାହିଁ ଯାହାକି  ପରୀକ୍ଷାକାରୀ  ସୁସ୍ଥ  ବ୍ୟକ୍ତିର  ପ୍ରକୃତି  ଓ  ମନରେ   ଉଲ୍ଲେଖଯୋଗ୍ୟ   ପରିବର୍ତ୍ତନ  ସାଧନ  କରି ନ ପାରେ  । ପ୍ରତ୍ୟକଟି  ଭେଷଜ  ଦ୍ରବ୍ୟ  ବିଭିନ୍ନ  ପ୍ରଣାଳୀରେ   ତାହା  କରିଥା’ନ୍ତି    ।”

ସୂତ୍ର ୨୧୩: “ଅତଏବ, ଆମେ  କେତେବେଳେ  ହେଲେ  ମଧ୍ୟ  ପ୍ରକୃତିର  ଅନୁଗାମୀ  ହୋଇ, ଅର୍ଥାତ୍  ହୋମିଓପାଥିକ   ମତରେ   ଆରୋଗ୍ୟସାଧନ  କରିବାକୁ  ସମର୍ଥ  ହୋଇପାରିବା  ନାହିଁ  ଯଦି  ଆମେ  ପ୍ରତ୍ୟକଟି  ରୋଗୀ  କ୍ଷେତ୍ରରେ,  ଏପରିକି   ଆଶୁ  ରୋଗ  କ୍ଷେତ୍ରରେ   ମଧ୍ୟ  ଅନ୍ୟାନ୍ୟ  ଲକ୍ଷଣ  ସହିତ  ମନ  ଓ  ପ୍ରକୃତିର  ପରିବର୍ତ୍ତନସମ୍ପର୍କିତ  ଲକ୍ଷଣ  ପର୍ଯ୍ୟବେକ୍ଷଣ  ନ କରୁ  ଏବଂ  ଯଦି  ଆମେ  ରୋଗୀର  ଆରୋଗ୍ୟକଳ୍ପେ  ଔଷଧାବଳି   ମଧ୍ୟରୁ  ଏଭଳି  ଏକ  ରୋଗ  ଉତ୍ପାଦିକା  ଶକ୍ତି  ନିର୍ବାଚନ  ନ କରୁ  ଯାହା  ରୋଗର  ଅନ୍ୟାନ୍ୟ  ଲକ୍ଷଣ  ସହିତ  ସଦୃଶ  ହେବା  ସଙ୍ଗେ  ସଙ୍ଗେ  ପ୍ରକୃତି  ଓ  ମନର  ଠିକ୍  ଅନୁରୂପ  ଅବସ୍ଥା  ଉତ୍ପନ୍ନ  କରିପାରେ   ।”

ଏହି  ୨୧୩ ସୂତ୍ରର  ପାଦଟୀକାରେ  ହ୍ୟାନିମାନ  ପୁଣି  ଲେଖୁଛନ୍ତି, ‘ଜେଭଳି  ଏକୋନାଇଟ  ଦ୍ରୁତ  କିମ୍ବା  ସ୍ଥାୟୀଭାବରେ  କେତେବଳେ  ମଧ୍ୟ  ନିସ୍ତବ୍ଧ, ଶାନ୍ତ  ଓ  ସମତାଯୁକ୍ତ  ରୋଗୀର  ଆରୋଗ୍ୟ  ସାଧନ  କରିପାରେ  ନାହିଁ  ଏବଂ  ଯେପରି  ଠିକ୍  ସମାନ  ଭାବରେ  ନକ୍ସଭୋମିକା  ମୃଦୁ  ଓ  ଶ୍ଳୋଷ୍ମାଯୁକ୍ତ   ପ୍ରକୃତି  କ୍ଷେତ୍ରରେ, ପଲସେଟିଲା  ସୁଖୀ, ସ୍ଫୃର୍ତ୍ତୀଯୁକ୍ତ  ଏବଂ  ଜିଦଖୋର  ପ୍ରକୃତି  କ୍ଷେତ୍ରରେ   ଏବଂ  ଇଗ୍ନେସିୟା  ଅନୁତ୍ତେଜନୀୟ  ପ୍ରକୃତିରେ   ମଧ୍ୟ  ଯେଉଁଠି   ଭୟପ୍ରବଣତା  କିମ୍ବା  ବିରକ୍ତିଭାବ  ନ ଥାଏ  ସେଠାରେ  କାର୍ଯ୍ୟକାରୀ  ହୁଏ  ନାହିଁ  ।

ପୁନଶ୍ଚ, ଶିଶୁମାନଙ୍କର  ମାନସିକ  ଲକ୍ଷଣ  ଆମ  ନିକଟରେ  ଏତେ  ଗୁରୁତ୍ଵପୂର୍ଣ୍ଣ  ତାହା  ଅନ୍ୟ  ଏକ  ଦୃଷ୍ଟିକୋଣରୁ  ମଧ୍ୟ  ତାତ୍ପର୍ଯ୍ୟପୂର୍ଣ୍ଣ   । ତାହା  ହେଉଛି  ଶିଶୁର  ମାନସିକ  ବୃତ୍ତି   ସେତେଟା  ଉନ୍ନତ  ନ  ହୋଇଥିବାରୁ  ତା’ର  ବର୍ତ୍ତମାନର  ଜଟିଳ  ଇ  କୁଟିଳ  ସମୟ  ମଧ୍ୟରେ  ନିଜର  ମାନସିକ  ଅବସ୍ଥା  ଓ  ଚିନ୍ତା  ଇତ୍ୟାଦିକୁ  ଲୋକଲୋଚନକୁ   ଏଡାଇ  ରଖିବାର  ବା  ଛାପି  ଦେବାର  ପ୍ରବୃତ୍ତି   ଆସି ନ ଥାଏ  (ଯାହାକି  ପ୍ରାୟ  ବୟସ୍କଙ୍କ  ନିକଟରେ   ଆମେ  ସର୍ବଦା  ଦେଖିବାକୁ  ପାଇଥାଉ, ଫଳରେ  ସେମାନଙ୍କ  ନିକଟରୁ  ପ୍ରାପ୍ତ  ମାନସିକ  ଲକ୍ଷଣ  ସର୍ବଦା  ସଠିକ  ମାର୍ଗଦର୍ଶକ  ହୁଏ  ନାହିଁ – ଅନେକ  ସମୟରେ  ଭୁଲ  ବାଟରେ  ପରିଚାଳିତ  କରାଇଥାଏ )  । ପରିଷ୍କାର  ଭାବରେ  ଆମର  ତୀକ୍ଷ୍ମ  ଦୃଷ୍ଟି  ସମ୍ମୁଖରେ  ଧରାପଡେ   । ତେଣୁ  ଏହି  ପରିଷ୍କାର  ସୁଦ୍ଧ ମାନସିକ  ଲକ୍ଷଣ  ସକଳ  ଏକ ନିର୍ଭୁଲ  ଔଷଧ  ନିର୍ବାଚନରେ  ଆମକୁ  ବହୁଳ  ଭାବରେ  ସାହାଯ୍ୟ  କରେ   ।

ବର୍ତ୍ତମାନ  ଦୁନିଆର   କୃତ୍ରିମତା  ଭିତରେ  ‘ସୋରା’ ତା’ର  ଅନ୍ୟ  ଦୁଇଟି  ଗୋଡାଣିଆ  “ସିଫିଲିସ” ଓ “ସାଇକୋସିସ” ଦୋଷ  ସହିତ  ପ୍ରତ୍ୟକଟି  ମନୁଷ୍ୟକୁ   ଏଭଳି  ଗ୍ରାସ  କରିଛି  ଯେ ଆମେ  ସମସ୍ତେ  ଏକ  ପ୍ରକାର  ମାନସିକ  କୁଷ୍ଠରୋଗ  ଭୋଗୁଛେ   । କେବଳ  ଧ୍ଵଂସର  ପ୍ରବୃତ୍ତି, ହିଂସା, ଅଭିମାନ  ଇତ୍ୟାଦିରେ  ସଢି  ସମାଜକୁ  ଏକ  ଧ୍ଵଂସର  ଦିଗରେ  ଆଗେଇ ନେଉଛେ  । ଏହିଭଳି  ଆମପରି  କେତେଗୁଡିଏ  ଲୋକଙ୍କର  ସନ୍ତାନମାନେ   କିଭଳି  ଉନ୍ନତ  ମାନସିକମାନର  ହୋଇପାରିବେ  ତାହା  ସମସ୍ତଙ୍କର  ଚିନ୍ତା  କରିବାର  କଥା   । ଯଦି  ଏହିଭଳି  ଅବନତ  ମାନସିକ  ଅବସ୍ଥା  ଶିଶୁ  ଅବସ୍ଥାରୁ  ବିନା  ବାଧାରେ  ବଢିବାକୁ  ଛାଡି  ଦିଆଯାଏ, ତାହାହେଲେ  ଆମେ  ଭବିଷ୍ୟତର  ସମାଜରେ  କେବଳ  କେତେଗୁଡିଏ  ଡକାୟତ, ଅସାମାଜିକ, ବ୍ୟଭିଚାରୀଙ୍କୁ  ହିଁ ରଖିଯିବୁ   । ଏଥିପାଇଁ  ଆମ  ସମସ୍ତଙ୍କର  ଦାୟିତ୍ଵ  ସମାନ  ଭାବରେ  ରହିଛି   । ଯଦି  ଏହିସବୁ  ମାନସିକ  ଲକ୍ଷଣ  ପ୍ରତି  ଗୁରୁତ୍ଵ  ଦେଇ  ଆମେ  ଏହି  ଦୃଷ୍ଟି  କୋଣରୁ  ଗୋଟିଏ  ଶିଶୁକୁ  ଚିକିତ୍ସା  କରୁ, ତାହାହେଲେ  ତା’କୁ  ତଥା  ସମାଜକୁ  ଏ  ଅଧୋଗତିରୁ  ନିଶ୍ଚୟ   ରକ୍ଷାକରିବାକୁ  ସମର୍ଥ   ହେବୁ   । ଏହା  ମୋର  ଧାରଣା  ଓ  ଦୃଢ  ବିଶ୍ଵାସ   । ଭେଷଜ  ଶକ୍ତି ଦ୍ଵାରା  ଯେତେବେଳେ  ମନୁଷ୍ୟ  ଠାରେ  ଏଭଳି  ମାନସିକ  ପରିବର୍ତ୍ତନ  ଅଣାଯାଇପାରେ, ସେତେବେଳେ  କେବଳ  ହୋମିଓପାଥିକ  ମତରେ  ଚିକିତ୍ସା  ଦ୍ଵାରା  ହିଁ  ଆମେ  ସମାଜକୁ  ଏକ  ଆସନ୍ନ  ଅଧୋଗତିରୁ  ଅବଶ୍ୟ   ରକ୍ଷା  କରିପାରିବୁ   । “ As  we perceive the  nature  of  sickness  in a drug image so must  we perceive the  nature  of  sickness in  human being to  be  healed. ”  “ଭେଷଜ  ପ୍ରତିଛବିରେ  ଆମେ  ଯେଉଁ  ପ୍ରକାରର  ଅସୁସ୍ଥତା  ପର୍ଯ୍ୟବେକ୍ଷଣ   କରୁ, ଚିକିତ୍ସତ  ହେବାକୁ  ଥିବା  ବ୍ୟକ୍ତିବିଶେଷଙ୍କ  ଠାରେ  ଆମେ  ନିଶ୍ଚିତଭାବରେ  ସେହି  ପ୍ରକାରର  ଅସୁସ୍ଥତା  ଲକ୍ଷ  କରିଥାଉ  । ”   ତେଣୁ  ମନୁଷ୍ୟର  ଚରିତ୍ର   ପରିବର୍ତ୍ତନ  କରିବାକୁ  ସମର୍ଥ  କେବଳ  ହୋମିଓପାଥି, ଯଦି  ଠିକଣା  ସମୟରେ, ଲକ୍ଷଣ  ଚାପା  ଦେବାର  ପ୍ରବୃତ୍ତି   ଜାତ  ହେବା  ପୂର୍ବରୁ  ଚିକିତ୍ସା  କରାଯାଏ   । କାରଣ  ଜଣେ  ହୋମିଓପାଥି  ତାଙ୍କ  ଔଷଧର  କ୍ରିୟା  ସମ୍ପର୍କରେ  ସମ୍ପୂର୍ଣ୍ଣ  ଅବହିତ   । ସୁସ୍ଥ  ମନୁଷ୍ୟଠାରେ  ପ୍ରୟୋଗ  କରାହୋଇ  ଔଷଧୀୟ  କ୍ଷମତାର  ସମସ୍ତ   ତଥ୍ୟ  ତାଙ୍କ  ନିକଟରେ   ପରିଜ୍ଞାତ  । ସୁତରାଂ  ଅନ୍ଧ  ପରି  ବାଡି  ବୁଲାଇ  ଚିକିତ୍ସା  କରିବାର  ପ୍ରଶ୍ନ  ଉଠେ  ନାହିଁ  ତାଙ୍କଠାରେ    ।

ଅନ୍ୟ  କୌଣସି  ପୀଡାର  ଅବର୍ତ୍ତମାନରେ  ମଧ୍ୟ  କେବଳ  ମାନସିକ  ଲକ୍ଷଣ  ଉପରେ  ନିର୍ଭର  କରି  ଯଦି  ପ୍ରଥମରୁ  ହୋମିଓ  ମତରେ  ଚିକିତ୍ସା  କରାଯାଏ, ତାହାହେଲେ  ଭବିଷ୍ୟତରେ  ଯେଉଁ  ଶିଶୁମାନେ  ବୋବା, ମାନସିକ  ଖର୍ବତା  ତଥା  ପରିଶେଷରେ  ପଙ୍ଗୁ  ହୋଇ  କରୁଣଭାବରେ  କାଳାତିପାତ  କରନ୍ତି  ସେଥିରୁ  ରକ୍ଷା  ପାଇପାରନ୍ତେ   । ତଥାକଥିତ  ହେତୁ  ଯେଉଁମାନେ  ଧୀରେ  ଧୀରେ  ଅକର୍ମଣ୍ୟ  ହୋଇ  କାଳାତିପାତ  କରନ୍ତି, ପରିବାରର  ବୋଝ  ତଥା  ସମାଜର   ଅବହେଳାର  ପାତ୍ର  ହୋଇଉଠନ୍ତି, ମୂଳରୁ  ଏହି  ମତର  ଚିକିତ୍ସାରେ  ଶିଶୁ   ଅବସ୍ଥାରୁ   ରହିଲେ, ନିଶ୍ଚୟ  ଅଚିରେ  ସାମଗ୍ରିକ  ପୃଷ୍ଟିସାଧନ  ଲାଭ  କରିପାରନ୍ତେ  ଓ  ସେମାନଙ୍କର  କରୁଣ  ଜୀବନର  କଷ୍ଟ  ଆଉ  କାହାକୁ  ଭୋଗ  କରିବାକୁ  ପଡନ୍ତା  ନାହିଁ   । ବିଭିନ୍ନ  ପ୍ରଖ୍ୟାତ  ଡାକ୍ତରମାନଙ୍କର  ବହୁଳ  ଅଭିଜ୍ଞତାରୁ  ମୋର  ଏହି  ମତାମତ  ଦେବାର  ସାହସ  ଏଠାରେ   ହୋଇଛି  ଏହା  କୌଣସି  ଖେୟାଲି  କଥା  ନୁହେଁ  । କେବଳ  ସରକାରୀ  ପୃଷ୍ଠପୋଷକତା   ଅଭାବରୁ  ଏହାର  ପରିସଂଖ୍ୟାନ  ସରକାରୀ  ନଥିରେ  ନ ଥିବାରୁ  ଆମର  ସମସ୍ତ  ଚିତ୍କାର,  ଘଟଣାର  ସତ୍ୟତା, ଉପହାସରେ  ପରିଣତ  ହେଉଛି   ।

ଖୁବ୍ ସୁଖର  କଥା, ଏହି  କଟକ  ନଗରିରେ  ଏକ  “ଆନ୍ତର୍ଜାତିକ  ଶିଶୁ  ଚିକିତ୍ସାଳୟ ” ପ୍ରତିଷ୍ଠା  ଦିଗରେ  ଆମ  ସରକାର  ବିଶେଷ  ଧ୍ୟାନ  ଦେଉଥିବା  ଦୃଷ୍ଟିରୁ  ମୁଁ  ଆଶାକରେ  ଯଦି  ସେଠାରେ  ଏକ  ହୋମିଓପାଠିକ  wing  ସ୍ଵୟଂସମ୍ପୂର୍ଣ୍ଣ  ଭାବରେ  ଚାଲିବାକୁ  ସରକାରୀ  ବ୍ୟବସ୍ଥା  ହୁଅନ୍ତା, ତାହାହେଲେ, ବିଶ୍ଵାସ  ଏ  କ୍ଷେତ୍ରରେ  ହୋମିଓପାଥିର  ଶ୍ରେଷ୍ଠତ୍ଵ  ଯେ  ଆବଶ୍ୟ  ପ୍ରତିପାଦିତ  ହୁଅନ୍ତା, ଏଥିରେ  ତିଳେ  ହେଲେ  ସନ୍ଦେହ  ନାହିଁ   । କିନ୍ତୁ  ହୋମିଓପାଥିର  ଅସାରତା  ଓ  ବୈଜ୍ଞାନିକତା   ସମ୍ପର୍କରେ  ଶତମୁଖରେ  ଯେପରି  ଆମର  ଯେଉଁ  ବନ୍ଧୁମାନେ  ନାଗରା  ପିଟନ୍ତି, ତା’ର  ସାରବତ୍ତା  ପ୍ରମାଣ  ପାଇଁ  ଆମର  ଏ  ଆସ୍ଫାଳନ  ତଥା  ଆହ୍ଵାନକୁ   ସେହିଭଳି   ଶତମୁଖରେ  ସରକାରଙ୍କ   ନିକଟରେ  ପ୍ରସ୍ତାବ  କରି  ସେହି  ବନ୍ଧୁମାନେ  ଏ  ବ୍ୟବସ୍ଥା   କରିଦେଇ   ପାରିବେ  କି  ପ୍ରକୃତରେ  ଏ  ସମାଜର  କଲ୍ୟାଣ  କଥା  ଚିନ୍ତା  କରି, କେତେକ  ନିରୀହ, ଅକର୍ମଣ୍ୟ  ମନୁଷ୍ୟର  କରୁଣତା  ପ୍ରତି  ସହାନୁଭୁତି  ଦେଖାଇ  ?

ବର୍ତ୍ତମାନ  ଏଇ  ଅରଣ୍ୟ  ଦେଖାଇ  ରୋଦନରୁ  ପ୍ରକୃତିସ୍ଥ  ହୋଇ   ଆମର  ଅସଲ  ବିଷୟବସ୍ତୁ  ଆଡକୁ  ଫେରିଯିବା   । ତାହାହେଲେ, ଉପରୋକ୍ତ  ଆଲୋଚନାରୁ  ଆମେ  ଦେଖିପାରୁଚେ, କେତେକ  ପରିଜ୍ଞାତ  ବା  ପ୍ରତିଫଳିତ   କାୟିକ  ଲକ୍ଷଣ  ସହିତ  ଆନୁସଙ୍ଗିକ, ପ୍ରତିଫଳିତ  ବା  ପରିଜ୍ଞାତ  ମାନସିକ  ଲକ୍ଷଣ, ଶିଶୁରୋଗୀ  ଚିକିତ୍ସା  ମାର୍ଗରେ   ଯେ  ଆମକୁ   ଠିକଣା  ଲକ୍ଷ୍ୟରେ  ପହଞ୍ଚାଇ  ଦେବ  ଏହା  ନିଃସନ୍ଦେହ   । ମାନସିକ  ଲକ୍ଷଣ  ଯଦିଓ  ସାଧାରଣ  ହୋମିଓ  ଚିକିତ୍ସକଙ୍କ  ନିକଟରେ  ନିଶ୍ଚୟ   ମୁଲ୍ୟବାନ  ଏହାର  ଗୁରୁତ୍ଵ   କିନ୍ତୁ  ଶିଶୁରୋଗୀ  ଚିକିତ୍ସକଙ୍କ  ନିକଟରେ  ସର୍ବୋପରି   ।

ଆମର  ପରିପୂର୍ଣ୍ଣ  ଲକ୍ଷଣକୋଷରେ, ମାନସିକ  ଲକ୍ଷଣ  ଉପରେ  ନିର୍ଭର  କରି  ନିର୍ଭୁଲ  ଔଷଧ  ନିର୍ବାଚନ  ପାଇଁ  ବହୁ  ଭେଷଜ  ରହିଛି    । ଅଧ୍ୟୟନ, ମନନ  ଓ  ଅଭିଜ୍ଞତା   ଦୃଷ୍ଟିରୁ  ତା’ର  ଫଳଲାଭ  ଅଳ୍ପବହୁତେ  ସବୁରି  ଚିକିତ୍ସା  ଜୀବନରେ   ଘଟୁଅଛି    । ମୁଁ  ଏଥିସହିତ  ମାତ୍ର  କେତେଗୋଟି  ଔଷଧ  ସମ୍ପର୍କରେ  ଆଲୋଚନା  କରି  ମୋର  ବକ୍ତବ୍ୟ  ଶେଷ  କରିବି   । ଏହି  ସମସ୍ତ  ଔଷଧର   ଯେଉଁସବୁ  ମାନସିକ  ଲକ୍ଷଣ  ମୁଁ  ଉଲ୍ଲେଖ  କରୁଛି, ତା’ର  ଉଦ୍ଦେଶ୍ୟ  ହେଲା  ଅନ୍ୟାନ୍ୟ  ଧାତୁଗତ  ଓ  ଆଙ୍ଗିକ  ଲକ୍ଷଣ  ସହିତ ଏହି  ମାନସିକ  ଲକ୍ଷଣ  ବର୍ତ୍ତମାନ  ରହିଲେ  ଔଷଧର  କ୍ରିୟା  ଯେ  ନିଶ୍ଚିତଭାବରେ  ଫଳଦାନ  କରିବ  ଏହା  ନିଃସନ୍ଦେହ   । ଏହାଦ୍ଵାରା  ଉକ୍ତ  ଲକ୍ଷଣସକଳର  ମଣିକାଞ୍ଚଳ   ସଂଯୋଗ  ଘଟେ    ।

ଧାତୁଗତ  ଔଷଧ

ବାରାଇଟ  କାର୍ବ : ଭୟ – କୌଣସି  ଅପରିଚିତ  ଲୋକ  ଆସିଲେ  ଲୁଚେ, କୌଣସି  ପ୍ରକାରରେ  ହେଲେ  ମଧ୍ୟ  ସାମନାକୁ ଆସେ  ନାହିଁ   । ନିଜ  ବୟସ  ତୁଳନାରେ ଛୋଟ  ପିଲାଙ୍କ  ସହିତ  ମିଳାମିଶା  କରେ  ସମବୟିସୀଙ୍କ  ସହିତ  ନ ମିଶି ; ମାନସିକ  ବିକାଶର  ଖର୍ବତା ; କିନ୍ତୁ  କାଳକେରିଆ  କାର୍ବ ଶିଶୁର  ଭୟ  ଏକୁଟିଆ  ରହିପାରେ   । ଯେତେବେଳେ  ପର୍ଯ୍ୟନ୍ତ  ପାଖରେ  କେହି  ଥିବେ, ସେ  ବସି  ଖେଳିବ, କିନ୍ତୁ  ଏକୁଟିଆ  ହେଲେ  ହିଁ  ଭୟରେ   ଚିତ୍କାର  କରି  ଉଠେ, ବିଶେଷ  କରି  ସନ୍ଧ୍ୟା  ସମୟରେ   । ସେ  ଖୁବ୍  ବୁଦ୍ଧିମାନ  ଅଥଚ  ଅଳସ  ପ୍ରକୃତିର   । କେହି  ପ୍ରଶ୍ନ  କଲେ  ତା’ର  ଉତ୍ତର  ଜାଣିଥିଲେ  ମଧ୍ୟ  କହେ  ନାହିଁ  “ଯଦି  ଭୁଲ ହୋଇଯାଏ  ଓ  ସମସ୍ତେ  ହସି  ପକାନ୍ତି – ତେବେ  ଏହାଠୁ  ବଳି  ଅପମାନକର  କ’ଣ  ହୋଇପାରେ  ”  ? ଏହି  କାରଣରୁ  ମଧ୍ୟ  ସେ  ଅନ୍ୟାନ୍ୟ  ପିଲାଙ୍କ  ସହିତ  ଖେଳେ  ନାହିଁ, କାଳେ  ତା’ର  ଖେଳିବା  ପ୍ରଣାଳୀକୁ  ସମସ୍ତେ  ପରିହାସ  କରନ୍ତି  : ବୋରାକସ୍ ଶିଶୁର ଭୟ  କିନ୍ତୁ  ଅନ୍ୟ  ପ୍ରକାରର   । ସାମାନ୍ୟ  ଶବ୍ଦ  ଯଦି  ତା  ଅଜାଣତାରେ ହୁଏ  ସେ  ଚମକି  ପଡେ   । ଖଟ  ଉପରେ   କୋଳରୁ  ନେଇ  ଶୁଆଇବା  ବେଳେ  ଅଥବା  ଦୋଳିରେ   ଝୁଲାଇବା   ସମୟରେ  ଯେତେବେଳେ  ଶିଶୁ  ନୁଆଇଁ  ହୋଇଯାଏ – ଭୟରେ  ଚମକି  ପଡେ  । ଏପରିକି  ବଡ  ବଡ  ପିଲାମାନେ  କୌଣସି  ଜାଗାକୁ   ଚଢିଲା  ବେଳେ  ବେଶ୍  ପାରନ୍ତି, ମାତ୍ର  ଓହ୍ଲାଇବାବେଳେ  ଭୟରେ  ଚିତ୍କାର  କରନ୍ତି  ଓ  ତାକୁ ଧରି  ଓହ୍ଲାଇ  ନ  ଦେବା  ପର୍ଯ୍ୟନ୍ତ  ସେ  ଭୟରେ  କମ୍ପୁଥାଏ   । ସାଇଲିସିଆର  ଶିଶୁ  କିନ୍ତୁ  ଅନ୍ୟ  ପ୍ରକାରର   । ରାତିରେ  ଶିଶୁ  ଉଠିପଡି  ବସେ  ଓ  ଚାରିଆଡକୁ  ଚାହିଁ  ପୁଣି  ଶୋଇପଡେ  । ବଡ  ପିଲାମାନେ  ଲଜ୍ଜାଶୀଳତାବଶତଃ  ସାମନାକୁ  ବାହାରି  କିଛି  କହିବାର  ସାହସ  କରନ୍ତି  ନାହିଁ  । ମାତ୍ର, ପାଖକୁ  ଡାକି  କିଛି  ସମୟ  ବସାଇବା  ପରେ  ତା’ର  ବୁଦ୍ଧିମତାର  ପରିଚୟ  ଦେଇଥାଏ   । ଲାଇକୋପୋଡିୟମ ପିଲା  କିନ୍ତୁ  ସେତେ  ଲଜ୍ଜାଶୀଳ  ନୁହେଁ  ବରଂ  ଖୁବ୍  ପରିବାର  ପଣିଆ  ଦେଖାଏ  । ମାତ୍ର, ପାଖକୁ  ଡାକି  କିଛି  ପ୍ରଶ୍ନ  କଲେ  ଅଥମତ  ଖାଏ    । କିନ୍ତୁ  ତା’ର  ବକ୍ତବ୍ୟ  ଆରମ୍ଭ  କଲେ  ବେଶ୍  ଅନର୍ଗଳ   ଭାବରେ  ନିଜର  ଚାତୁରୀ  ଦେଖାଏ   । ଖୁବ୍ ଧୀମାନ  ଶିଶୁ, କିନ୍ତୁ  ଭୀଷଣ  ରାଗୀ  ଓ ବଦ୍ ମେଜାଜର   । ଶୋଇକରି  ଉଠିବା  ପରେ  ସେ  ଖୁବ୍  ଉତ୍ତେଜିତ  ଥାଏ, ଏପରିକି  ଛୋଟ  ଶିଶୁ  ମଧ୍ୟ  ପାଖରେ  ଯିଏ  ଥାଏ  ତାକୁ  ବିଧା  ଗୋଇଠା  ମାରି  ନୟାନ୍ତ  କରିପକାଏ  ସାମାନ୍ୟ  ଆଦର  କରିବାକୁ  ଯିବାରେ   । କୋଳଛୁଆ  ଦିନସାରା  ଖିଟ୍, ଖିଟ୍,  କନ୍ଦାକଟା, ମାତ୍ର  ରାତିସାରା  ବେଶ୍  ଆରାମରେ  ଶୁଏ  । ସୋରିନାମ  କିନ୍ତୁ  ଏହାର  ଠିକ୍  ବିପରୀତ   । ଶିଶୁ  ଦିନସାରା  ବେଶ୍  ଖେଳା  ଖେଳି  କରେ  ଏବଂ  ଶୁଏ, ରାତିହେଲେ  ସମସ୍ତ  ପ୍ରକାରର  ଝଂଝଟ, ଅଶାନ୍ତି, ଆଦୌ   ଶୁଏ  ନାହିଁ, ଖାଲି  କେଁ  କେଁ କେଁ   । କଷ୍ଟିକମ  ଶିଶୁର  କାନ୍ଦ  କିନ୍ତୁ  ପର  ଦୁଃଖକାତରତା  ହେତୁ  । ଅନ୍ୟ  ପିଲାର   କାନ୍ଦ  ଦେଖିଲେ  ବା  ଅନ୍ୟପିଲା  ମାଡ  ଖାଇବା  ଦେଖିଲେ  ସେ  ନିଜ  କାନ୍ଦକୁ  ସମ୍ଭାଳି  ପାରେ  ନାହିଁ  । ଏ ଶିଶୁ  ମଧ୍ୟ  ଭୟପାଏ  ସନ୍ଧ୍ୟାବେଳେ  ଏବଂ ଏ  ଭୟ  ଆଶଙ୍କାଜନିତ   । କାଳେ  କ;ଣ  ଗୋଟାଏ  ଘଟିଯିବ କି ? ତେଣୁ  ଏକା  ରହିପାରେନା  । ନେଟ୍ରାମ  ମିଉରର କାନ୍ଦ  କିନ୍ତୁ  କ୍ରୋଧଜନିତ  । ଏତେ  ରାଗିଯାଏ  ଯେ  ସେ  ତାକୁ  ଚାପିବାକୁ  ଯାଇ  କାନ୍ଦି  ପକାଏ ଓ କେହି  ସାନ୍ତ୍ଵନା  ଦେବାକୁ  ଗଲେ  ତା ଉପରେ  ଆହୁରି  ବେଶି  କ୍ରୋଧାନ୍ଵିତ  ହୋଇଉଠେ   । ଏହାର  ଭୟ  ବେଶ୍ ମଜାର   । ଚୋର  ଡକାୟତର  ଭୟ  । ରାତିରେ  ମଝିରେ  ମଝିରେ  ଉଠି  ତା  ବାପା  ମା’ଙ୍କୁ  ଉଠାଇ  ନିଏ  ଦରଜା  ବନ୍ଦ  ହୋଇଛି  କି ନାହିଁ  ଠିକ୍  ଭାବରେ, ନଚେତ  ଚୋରା  କାଳେ  ପଶିଯିବ  । ଲାକେସିସ  ଶିଶୁ   ପର  ଦୁଖଃକାତର   ହେବା  ପରିବର୍ତ୍ତେ  ପରଶ୍ରୀକାତର  ଅଟେ   । ବଡ  ହିଂସିକୁଟିଆ   । ସବୁବେଳେ  ସାଙ୍ଗ  ପିଲାମାନଙ୍କ  ଉପରେ  କିପରି   ପ୍ରତିଶୋଧ  ନେବା  ତା’ରି  ବାଟ   ଖୁଜୁଥାଏ    । କିଏ  ଭଲ  ଜାମା  ଖଣ୍ଡେ  ପିନ୍ଧି  ଆସିଲେ  ତାକୁ  ମଇଳା  କରିଦେବ   ବା  ସୁବିଧା  ପାଇଲେ  ଚିରି  ଦେବ  । ଆଉ  ତା’ ପାଟିରେ, ଯେମିତି   ଖଇଫୁଟୁଛି – ଖାଲି  ଏ  କଥାରୁ  ସେ  କଥା, ସେକଥାରୁ  ଅନ୍ୟକଥା  ଅନବରତ   ବକି ଚାଲିଥିବ  । କିନ୍ତୁ  ବାପରେ  ବାପ୍  ତା’ର  କି  ଭୟ  : ସବୁବେଳେ  ଖାଲି  ସାପ ଭୟ -  ରାତିରେ  ସାପ  ସ୍ଵପ୍ନ  ଦେଖି   ଚିତ୍କାର   କରି  ବାପା  ମା’ଙ୍କୁ  କୁଣ୍ଡାଇ  ପକାଇବ   । ମାତ୍ର, ସ୍ନେହପ୍ରବଣ, ଆଦରପ୍ରିୟ, ସବୁବେଳେ  ଆସି  ପାଖରେ  ପଶିବ,  ଆଉଁସି  ଦେଲେ  ଖୁବ୍  ଖୁସି, ମେଧାବୀ  ପିଲା – କି  ସୁନ୍ଦର  ଜମା  ଲାଜରା  ନୁହେଁ  । ହେଲେ, ଅନ୍ଧାର   ମେଘା  ଗର୍ଜନ  ବା  ବିଜୁଳି  ମାରିଲେ   ଏକାବେଳେ   ଭୟରେ  ଜଡସଡ  ହୋଇ   ପାଖ  ଲୋକକୁ  ଆଖିବୁଜି  ଜଡାଇ   ଧରିବ  ।  ଫସଫରସ  ହେଉଛି  ସେ   । ଟିଉବାରକ୍ୟୁଲମ  ମଧ୍ୟ  ହାସ୍ୟମୁଖର, ଚଞ୍ଚଳ  ପ୍ରକୃତି, ସଙ୍ଗୀତପ୍ରିୟ, ଖୁବ୍ ପରିଷ୍କାର  ପରିଚ୍ଛନ୍ନ, ହେଲେ  ବାବା  କୁକୁଡ଼ା  କଥା  ତା’ ପାଖରେ  ଉଠେଇବ  ନାହିଁ   । କୁକୁଡ଼ା  ଦେଖିଲେ  ତା’ର  ‘ଦୁଇ’   । ସଲଫର  ମଧ୍ୟ  ସଙ୍ଗୀତ  ପ୍ରିୟ, ସଙ୍ଗୀତ   ପ୍ରିୟମାନେ   ନିଜେ  ତ  ସଙ୍ଗୀତଜ୍ଞ    । ସବୁ  ସମୟରେ  ତା  ମୁହଁରେ  ଗୀତ  । ନିଦରୁ  ଉଠି  ଗୀତ ଗାଇ ଗାଇ ବାହାରିଯାଏ   । ହେଲେ  ଏଭଳି  ଅପରିଷ୍କାର  ପ୍ରକୃତି  ନା  କୋଉଠି  ହେଲେ  ନ ଥିବ  । ନାକରୁ  ବଳକା   କାଢି  ଖାଇବ, ଯେଉଁଠି  ନାହିଁ  ସେଇଠି  ବସିପଡି   ଯାହା  ପାଇଲେ  ଆନନ୍ଦରେ   ବସି  ଖାଇବ  ବା  ଖେଳିବ   । ମୁଣ୍ଡ  ନୁଖୁରା  କରି  ବୁଲୁଥିବ  । ଆଉ  ବେଳେ  ବେଳେ  କ’ଣ  ସବୁ  ଅଦ୍ଭୁତ  କଥା  ଚିନ୍ତା  କରୁଥିବ  ଓ  ସବୁ  ବିଷୟରେ  କାରଣ  ଖୋଜି  ବୁଲୁଥିବ ; କୌଣସି  ପ୍ରକାରର  ଉତ୍ତର  ତାକୁ  ସନ୍ତୁଷ୍ଟ  କରିପାରିବ  ନାହିଁ   । ସେ  ଯେପରି  ଆହୁରି  କିଛି  ଚାହେଁ   । ଥାଇରଏଡିନମ୍ କିନ୍ତୁ  ଏକ  ଅଦ୍ଭୁତ  ପିଲା   । ତାର  ମାନସିକ  ଓ  ଶାରୀରିକ  ଅଭିବୃଦ୍ଧିରେ  କୌଣସି  ସମାନତା  ରକ୍ଷାହୋଇ  ନ ଥାଏ – ବିଶେଷ  କରି   ଶିଶୁର  ଶାରୀରିକ  ଅଭିବୃଦ୍ଧି  ସୂଚାରୁରୂପେ   ହୋଇଥିଲେ  ମଧ୍ୟ  ମାନସିକ  ବୃତ୍ତିର   ବିକାଶ  ସମାନ   ତାଳରେ  ହୁଏ  ନାହିଁ  ବା  ଠିକ୍  ଓଲଟା  ମଧ୍ୟ  ଘଟିଥାଏ   । ଏ ପିଲାମାନେ  ତଥାକଥିତ   allergy ସର୍ବଦା  ଭୋଗ  କରୁଥାନ୍ତି  । ଅଥବା  ସେଭଳି  ପିତା ମାତାଙ୍କର   ସନ୍ତାନ  ହୋଇଥାନ୍ତି   ।

ମୋର  ଧାରଣା  ଥାଇରଏଡିନମ୍ ର  ଉଚିତ  ପ୍ରୟୋଗରେ  ଅନେକ  ଅନେକ  ଅକର୍ମଣ୍ୟ  ଶିଶୁଙ୍କୁ  ମଣିଷ  କରିବାର  ସୁବିଧା  ଆମେ  କରିପାରିବା   ।

ସର୍ବଦା  ମାନସିକ  ଉତ୍ତେଜନାରେ  ରହିଥିବା  ବଦ୍ ମେଜାଜର  ଜିଦଖୋର  ପିଲା  ଯାହାର  କି ପ୍ରାୟ  କାଚ  ଖସିପଡେ, ଧଇଁ  ହୁଏ  ଅଥବା  gland  ଫୁଲେ  ସେ  କ୍ଷେତ୍ରରେ   Dysentery  Compound  ଅପୂର୍ବ  କାର୍ଯ୍ୟକାରିତା  ପ୍ରଦର୍ଶନ   କରେ   । ବିଶେଷ  କରି  ସେଭଳି  ଶିଶୁ  ଯଦି  Amoebiasis  ଭୋଗୁଥିବା  ପିତା  ମାତାଙ୍କର  ସନ୍ତାନ ହୋଇଥାଏ  ତେବେ  ତ  ଆଉ  କଥା  ନାହିଁ  । ହେଲେ ଏହାର  ଲକ୍ଷଣ  ଅବଶ୍ୟ  ରହିବାର  କଥା   ।

ଏହା  ତ  ଗଲା  ବା  ଧାତୁଗତ  ରୋଗ  ଉପରେ  ମାନସିକ  ଲକ୍ଷଣର  ଗୁରୁତ୍ଵ  ଥିବା  କେତେକ  ଔଷଧ  ସମ୍ପର୍କରେ  ଆଲୋଚନା  ବର୍ତ୍ତମାନ  Acute  ରୋଗରେ  କିପରି  ମାନସିକ  ଲକ୍ଷଣ  ଉପରେ  ଔଷଧ  ବିବେଚନା  କରାଯାଇପାରେ, ତା’ର  ଉଦାହରଣ  ମୁଁ  ଉପସ୍ଥାପନ  କରୁଛି   । ଅବଶ୍ୟ  ସମୟର  ସ୍ୱଳ୍ପତା   ଦୃଷ୍ଟିରୁ   ମାତ୍ର   କେତୋଟି   ନିତ୍ୟ  ବ୍ୟବହାର୍ଯ୍ୟ  ଔଷଧ  ସମ୍ପର୍କରେ  ହିଁ କହି  ମୋର  ବକ୍ତବ୍ୟ  ସାଙ୍ଗ  କରିବି   ।

ଡାକ୍ତର, ରୋଗୀଘରକୁ  ପିଲାର  ଭୀଷଣ  ପାଇଖାନା  ହେତୁ  ଡାକରା  ପାଇ  ଯାଇ  ଦେଖନ୍ତି  ସେ ତା’ର  ମା’ କୋଳରେ  ଅଛି   । ଡାକ୍ତର  ଯାଇ  ତାକୁ  ଅନେଇ  ଡାକିଲେ  କିରେ  ମୁନ୍ନା : ବା, ଆସ୍ତେ  ତାର  ନାଡି  ଦେଖିବାକୁ  ହାତଟି   ଛୁଇଁଲେ – ଆରେ  ବାବା  : ବର୍ତ୍ତମାନ  ନିଅ  ସମ୍ଭାଳ – ଚିତ୍କାର  କରି  ମୁସ୍କିଲ, ତା’ର  ମା  ଯେତିକି  ବୁଝାଇବାକୁ  ଯାଉଛି  ସେ   ତତୋଧିକ  ଚିକାର  କରୁଛି, ସ୍ତନ୍ୟ  ଦାନ  କଲେ  ମଧ୍ୟ  ଖାଉନି  । ଆଉ  ଜିଭ  ଦେଖିବାକୁ  ତର   ନାହିଁ  । ଡାକ୍ତରବାବୁ  ତା  ବାପାକୁ  ଡାକି  ବାହାରିଲେ  । ଆରେ  ବାବୁ  ଡାକ୍ତର  ଯିବା  ସଙ୍ଗେ  ସଙ୍ଗେ  ପିଲା  ଚୁପ୍  । ଡାକ୍ତରଙ୍କର  କିନ୍ତୁ  Prescription  ହୋଇଯାଇଛି  ଏଣ୍ଟିମକ୍ରୁଡ   । ଆଉ  ଗୋଟିଏ  ପିଲା  ଖାଲି  କାନ୍ଦୁଛି,  କିଛି  କାରଣ  ନାହିଁ, କାନ୍ଧ  ଉପରେ  ପକାଇ  ବୁଲିଲେ   ଟିକେ  ଚୁପ୍, ପୁଣି  ଯେଉଁ  କଥାକୁ  ସେଇ  କଥା   । ବାପା, ମା, ବୁଢୀମା, ନାନୀ,  ଜେଜେ  ସମସ୍ତେ  ବ୍ୟସ୍ତ  ୟା  କୋଳରେ  ଟିକେ ତ ତା କୋଳରେ  ଟିକେ   । ଡାକ୍ତର ବାବୁ  ଦେଖି  ହସିଲେ – ବ୍ୟାଗ ଖୋଲି  ବାହାର  କଲେ – କାମୋମିଲା ୟେ  । ପୁଣି  କ’ଣ : ଡାକ୍ତର  ତ  ମହା  ଫେସାଦରେ  ପଡିଲେ  । ଭଡାଘରରର  ସେ  କୋଣରେ  ବୁଢୀମା  ତା’ ଛୋଟ ନାତିକୁ  ଗୋଡରେ  ବସାଇ  ଦେଇ  ଝୁଲରେ  ହାତୀ  ଝୁଲ – ଏ ମା : ସେ କି ଜୋରରେ : ଏଡେ  ଟିକେ  ପିଲା  କିପରି  ସମ୍ଭାଳିଛି : ପଚାରିବାରୁ  ବୁଢୀମା  କହିଲେ  ନାଇଁରେ  ପୁଅ : ନିଉଛୁଣାଟା, ସବୁବେଳେ  କେଁ  କେଁ – ଝୁଲା  ଟିକେ  ବନ୍ଦ  କରି  ଦେଲେ  ନାକ  ରଗଡି  ଛାଟିପିଟି  ହୋଇ  କାନ୍ଦ  ଆରମ୍ଭ  କରିଦେବ   । ସିନା ବୋଧହୁଏ :  ସେ  ଆଡକୁ  ଚାହିଁ, ଗୋଟେ  ନାକ  କାନ୍ଦୁରୀ  ବସିଛି  । ସାବଧାନ : କିଛି  ପଚାରିବେ  ନାହିଁ  ଟି – ସାଙ୍ଗେ  ସାଙ୍ଗେ   ଆଖିରୁ  ନୋତକ  ଖସାଇ  ପକାଇବ   । ହେଲେ  କ’ଣ  ହେଲା  ଭାରି  ଧୀର  ସ୍ଥିର, ଟିକିଏ  ମାତ୍ର  ଆଶ୍ଵାସନା  ଦେଲେ  ଚୁପ୍ ଚାପ୍, ମୁହଁରେ  ପୁଣି  ହସ, ଯାହା  କହିବ  ଶୁଣିବ, କରିବ  : ସତେ  ନା କି  ? ପଲସେଟିଲା ନିଶ୍ଚୟ  ।

ଆଜ୍ଞା  ଡାକ୍ତର  ବାବୁ : ଆମ  ଘରଆଡେ  ଟିକେ  ଯିବେ  ନାହିଁ  ? ପିଲା  ଦୁଇଟାକୁ   ଖୁବ୍ ଜ୍ଵର  ଆରେ  ବାବା  ଦୁଇଟିଯାକ  ଚୁପ୍ ଚାପ୍  ପଡି  ରହିଛନ୍ତି : ହେଲେ  ବାବୁ  ଗୋଟିଏ  ଗୋଟିଏ  ନା  ମଝିରେ  ଚମକୁଛି – ଆଉ  ବେଳେ  ବୀଲେ  ଖୁବ୍  ଚିତ୍କାର  କରୁଛି – “ ଏଇ  ସେ  କାଳିଆ ଭାଲୁଆ  କୁକୁରଟା  ଆଇଲାଣି ”  । ପାଣି  ପିଇବାକୁ   ଦେଲେ  ଚାମୁଚ  କାମୁଡି   ଧରୁଛି, ମଝିରେ  ମଝିରେ  କାଳିଆ  ଭୂତର  ପ୍ରଳାପ  ମଧ୍ୟ  କରୁଛି   । ବେଶ୍ ତ  ବେଲାଡୋନା   କେଇତା  ପାନ  ଦେଇ  ଦିଅନ୍ତୁ  ନା, ପାଖରେ  ତ  ଔଷଧ  ଅଛି    । ଆଉ  ଏଇଟିକୁ  ? ତାର  କ’ଣ  ହେଉଛି  ? ଆରେ  ବିଳିବିଳଉଛି  ନା  କ’ଣ  ? କ’ଣ  ବାବୁ  ଘରକୁ  ଯିବୁ  ? ହଉ  ହଉ  । ବ୍ୟସ୍ତ ହ ନା  । ଦେଖି ହାତଟା, ନାଡି  ଦେଖିବା- ‘ଯାଃ ସବୁବେଳେ  ବିରକ୍ତ  କରୁଛନ୍ତି  ଏମାନେ ; ଯେତେ  କହିଲି  ମୋ  ସାଙ୍ଗରେ  ଲାଗେନା  ।’ ଆଚ୍ଛା  ବାବା  ବ୍ୟସ୍ତ  ହ, ନା,  କେହି  ଆଉ  ତୋ  ସାଙ୍ଗରେ  ଲାଗିବେନି  । ହଁ  ଶୁଣୁଛନ୍ତି : ବ୍ରାଓନିଆରୁ   ୟାକୁ  ଦେବେ   । ବୁଝିଲେ ? ମୁଁ  ଆସୁଛି   । ନମସ୍ତେ   ।

ସଂଗୃହୀତ – ଡାକ୍ତର କମଳାକାନ୍ତ  କର

 

3.05882352941
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top