ସେଆର କରନ୍ତୁ

ହୋମିଓପାଥି ଚିକିତ୍ସା (ପ୍ରଶ୍ନୋତ୍ତର)

ହୋମିଓପାଥି ଚିକିତ୍ସା (ପ୍ରଶ୍ନୋତ୍ତର) ର ସୂଚନା


ହୋମିଓପାଥି  ଚିକିତ୍ସାର  ପଦ୍ଧତି  କ’ଣ  ?

ଉତ୍ତର : ଔଷଧ  ପ୍ରୟୋଗ  ଦ୍ଵାରା  ରୋଗ  ଚିକିତ୍ସା  କରିବାର  ଏହା  ଏକ  ବିଶେଷ  ପଦ୍ଧତି  । ପ୍ରତ୍ୟକ  ଔଷଧ – ପଦାର୍ଥ  ମଣିଷ  ଶରୀରର  କିଛି  ନା  କିଛି  କ୍ରିୟା  ପ୍ରକାଶ  କରୁଥିବାରୁ  ସେହି  କ୍ରିୟାର  ପରିପ୍ରେକ୍ଷୀରେ   ରୋଗ  ଚିକିତ୍ସାର  ନାନାବିଧି  ନିୟମ  କରାହୋଇଛି   । ହୋମିଓପାଥି  ବା ସଦୃଶବିଧାନ  ମତରେ  ଯେଉଁ  ଭେଷଜ  ଦ୍ରବ୍ୟର  ପ୍ରୟୋଗ  ଦ୍ଵାରା  ମଣିଷର  ସୁସ୍ଥାବସ୍ଥାରେ  ଯେଉଁସବୁ  ଲକ୍ଷଣସକଳ   ପ୍ରକାଶ  ହୋଇଥାଏ, ରୋଗାବସ୍ଥାରେ  ଅନୁରୂପ   ଲକ୍ଷଣସକଳ  ଥିଲେ  ଉକ୍ତ  ଭେଷଜ  ଦ୍ରବ୍ୟ  ଆରୋଗ୍ୟ  କରିପାରିବ   । ଯଥା : ଏଲୋସୋକୋଟ୍ରିନା, ପୋଡୋଫାଇଲମ  ଇତ୍ୟାଦି  ପ୍ରୟୋଗଦ୍ଵାରା  ଭଲ  ମଣିଷର  ଉଦାରମୟ  ହୋଇଥାଏ, ତେଣୁ  ଉଦାରମୟରେ  ଏହି  ଔଷଧସବୁ  ହୋମିଓପାଥି  ମତରେ  ପ୍ରୟୋଗ  କରାଯାଏ   ।

ଏ  ଚିକିତ୍ସା  ପଦ୍ଧତିରେ  ବିଶେଷ  ସୁବିଧା  କ’ଣ  ?

ଉତ୍ତର : ଏହାଦ୍ଵାରା  ଔଷଧର  ଶରୀର  ଉପରେ  କୌଣସି  ଅସ୍ଵାଭାବିକ  ପ୍ରତିକ୍ରିୟା  ହୁଏ  ନାହିଁ   । ଯେଉଁ  ପ୍ରତିକ୍ରିୟା  ହେବାର  କଥା  ତାହା  ହିଁ  ସୁସ୍ଥାବସ୍ଥାର  ଲକ୍ଷଣ  । ଏହା  ବ୍ୟତୀତ  ସଦୃଶବିଧାନ  ମତରେ  ଔଷଧ  ପ୍ରୟୋଗ   ହେଉଥିବା  ହେତୁ   ଔଷଧର  ମାତ୍ରା  ଅତ୍ୟନ୍ତ  ସୂକ୍ଷ୍ମ  ହେବାକୁ  ବାଧ୍ୟ  ଏବଂ  ପୁନରାବୃତ୍ତିର  ମଧ୍ୟ   ଆବଶ୍ୟକତା  କମ୍  ହେଉଥିବାରୁ   ଔଷଧର  ମୂଲ୍ୟ  ସ୍ଵଭାବତଃ  ସ୍ୱଳ୍ପ   । ପୁନଶ୍ଚ  ସଦୃଶବିଧାନ  ମତରେ  ଔଷଧ  ପ୍ରୟୋଗ  ହେଉଥିବାରୁ  କେବଳ  ଗୋଟିଏ  ମାତ୍ର  ଔଷଧ  ପ୍ରୟୋଗର  ଆବଶ୍ୟକତା  ଥାଏ  ତେଣୁ  ରୋଗୀ  ଶରୀରରେ  ଏକାଧିକ  ଔଷଧର  ବହୁମୂଖୀ  ପ୍ରତିକ୍ରିୟାର  ସମ୍ଭାବନା  ମଧ୍ୟ  ଏଡାଇ  ଦିଆଯାଇପାରେ   ।

ଏ  ପଦ୍ଧତିରେ  ପ୍ରତିଶୋଧକ  ବ୍ୟବସ୍ଥା   ହୋଇପାରିବ  କି ?

ଉତ୍ତର : ନିଶ୍ଚୟ । ଏପରିକି  ବହୁ  ନୂତନ, ଅଚିହ୍ନା  ରୋଗ   ଯେତେବେଳେ   ବହୁ  ବ୍ୟାପକଭାବରେ   ଜନମାନସରେ  ଆଲୋଡନ  ସୃଷ୍ଟିକରେ, ହୋମିଓପାଥି  ଅକ୍ଳେଶରେ  ତା’ପାଇଁ  ପରତିଷେଧକ  ବ୍ୟବସ୍ଥା  କରିପାରେ   । କେତେକ  ରୋଗାକ୍ରାନ୍ତ  ଲୋକଙ୍କର  ଲକ୍ଷଣ  ସକଳକୁ  ଏକତ୍ର  କରି  ସେସବୁ  ସହିତ   ସାଦୃଶ୍ୟ  ଥିବା   କୌଣସି  ଏକ  ଔଷଧ  ହୋମିଓପାଥି  ମେଟେରିଆ  ମେଡିକାରୁ  ବାଛି  ବ୍ୟବସ୍ଥା  କଲେ  ତାହା  ଉଭୟ  ଆରୋଗ୍ୟକାରୀ  ଓ  ପ୍ରତିଷେଧକ  ଔଷଧ  ହିସାବରେ  କାର୍ଯ୍ୟ  କରିବ  । ଏହା  ବ୍ୟତୀତ  ନାନା  ଜଣାଶୁଣା  ରୋଗମାନଙ୍କ  ପାଇଁ  ମଧ୍ୟ  ପରୀକ୍ଷିତ  ଔଷଧ  ସବୁ  ରହିଛି   ।  ଯଥା :

ମିଳିମିଳା : ମରବିଲିନମ୍, ମାଲେନ୍ଦ୍ରିନାମ୍, ପଲସେଟିଲା  ଇତ୍ୟାଦି   ।

ହାଡଫୁଟି :  ମାଲେନ୍ଦ୍ରିନାମ୍, ଭେରୀଓଲିନାମ୍,  ରସଟକ୍ସ  ଇତ୍ୟାଦି    ।

ଗାଲୁଆ : ପାରୋଟିଡିନାମ୍, ପାଇଲୋକାରପିନ୍   ।

ଟାଇଫଏଡ : ବ୍ୟାପ୍ଟିସିଆ   ।

ହୁପିଂ  କାଶ : ପାରଟୁସିନ  ।

ପୋଲିଓ  : ଲାଥିରସ  ସାଟାଇଭା   ।

ଡିଫଥେରିଆ  : ଡିଫଥେରିଆ, ଇତ୍ୟାଦି  ଇତ୍ୟାଦି   ।

ତଥାପି  ତାହାର  ପ୍ରତିଷେଧକ  ବ୍ୟବସ୍ଥାରେ  ଏକ  ନିୟମ  ପାଳନ  କରିବାର  କଥା   । ପାନେ  ଅବା  ଦୁଇପାନ  ଔଷଧ  ଦେଇ  ରୋଗ  ହେବ  ନାହିଁ   ବୋଲି  କହିବା  ଠିକ୍  ନୁହେଁ   । ଲକ୍ଷ୍ୟ  ହେଲା  ଔଷଧ  ପ୍ରୟୋଗ  କରି  ଶରୀର  ମଧ୍ୟରେ  ଏକ  କୃତ୍ରିମ   ରୋଗାବସ୍ଥା   ସୃଷ୍ଟି  କଲେ  ହିଁ  ପ୍ରାକୃତିକ   ସଦୃଶ  ରୋଗ   ଆକ୍ରମଣ  କରିବ  ନାହିଁ   । ତେଣୁ  କୌଣସି  ବହୁ  ବ୍ୟାପକ  ରୋଗ  ଜନପଦରେ   ବିସ୍ତାର  ଲାଭ  କଲାବେଳେ  ତଥାକଥିତ  ସୁସ୍ଥ  ଲୋକଙ୍କୁ  ମୁହୁର୍ମୁହୁଃ  ଏହି  ଔଷଧ   ପ୍ରୟୋଗ   କରି  ଏକ  ପ୍ରତିକ୍ରିୟା  ସୃଷ୍ଟି  କରିବାକୁ  ପଡିବ ଏବଂ  ପ୍ରତ୍ୟକ  ଲୋକଠାରେ  ଔଷଧର  ପ୍ରତିକ୍ତିୟା  ସୃଷ୍ଟି  ହେଲେ   ଔଷଧ  ବନ୍ଦ   କରିବାକୁ   ହେବ  ଏବଂ  ସେତେବେଳେ  ହିଁ  ଉକ୍ତ  ଲୋକ  ରୋଗାକ୍ରମଣକୁ   ନିଶ୍ଚିତଭାବରେ  ପ୍ରତିରୋଧ  କରିପାରିବ   ବୋଲି  ନିଧାର୍ଯ୍ୟ  ଭାବରେ   କହିହେବ  । କେଉଁ  ଲୋକକୁ  କେତେପାନ  ଔଷଧ  ଲାଗିବ  ତାହା  କେବଳ  ବ୍ୟକ୍ତିଗତ   ସମ୍ବେଦନଶୀଳତା   ଉପରେ  ନିର୍ଭର  କରେ   ।

ଏଇ  ଔଷଧ  ଘରେ  ରଖି  ଜଣେ  ଗୃହିଣୀ  ଘରୋଇଭାବରେ   ଚିକିତ୍ସା  କରିପାରିବେ  କି ?

ଉତ୍ତର  : ନିଜଘରେ, ବିଶେଷକରି  ଅବେଳରେ  ସାମାନ୍ୟ  ଅସୁସ୍ଥତାକୁ  ଦୂରେଇବା  ପାଇଁ  ଗୃହିଣୀମାନେ  ଏହାକୁ  ସ୍ଵଚ୍ଛନ୍ଦରେ  ବ୍ୟବହାର  କରିପାରିବେ  ଓ ପଡୋଶୀମାନଙ୍କର  ଉପକାରରେ  ମଧ୍ୟ  ଆସିପାରିବେ  । ମନେ  କରନ୍ତୁ  ଶୀତଦିନ  ସନ୍ଧ୍ୟାବେଳେ   ଏକ  ଦମ୍ପତି  କୋଳରେ  ଛୋଟ  ଛୁଆକୁ  ଧରି  ସ୍କୁଟର  ଚଳାଇ  ସେକେଣ୍ଡ  ସୋ  ସିନେମା  ଦେଖି  ଫେରିଲେ   । ଥଣ୍ଡା  ପବନ  ବାଜି  ହଠାତ୍ ରାତିଅଧରେ ଛୁଆକୁ  ଖଇ  ଫୁଟିଲା  ଭଳି  ଜ୍ଵର, କାନ୍ଦିପାରୁନି, ଭୀଷଣ  ବ୍ୟସ୍ତ  ହେଉଛି; ପାଖରେ  ଯଦି  ଏକୋନାଇଟ  ଥାଏ  ସେଥିରୁ  କେତୋଟି  ପାନ  ଦେଲେ  ଅଳ୍ପ  ସମୟ  ମଧ୍ୟ   ପିଲାଟି  ଆରାମ  ପାଇଯିବ  । ସେଇଭଳି  ବାପା, ମା’ଙ୍କ  କଥା  ନ ମନି  ବର୍ଷାରେ  ଭିଜି  ପୁଅ  ଜ୍ଵରରେ  ପଡିଲା – ହଠାତ୍  କିଛି  ନାହିଁ – ରସଟକ୍ସ  କେତେପାନ  ଦେଇ  ଉପଶମ  କରାଇ ହେବ   । ଏହିଭଳି  ଅନେକ  । ଦାନ୍ତ  ଉଠିବା  ସମୟରେ  କାମୋମିଲା ; ମିଳିମିଳା  ସମୟରେ  ପଲସେଟିଲା,  ସ୍କୁଇଲା ; ଶ୍ଵାସନଳୀର  ପ୍ରଦାହ  ପାଇଁ  ଇପିକାକ, ଏଣ୍ଟିମଟାର୍ଟ  ଏଭଳି  ବହୁ  ଔଷଧ   ଅବେଳରେ  ମା’ ମାନଙ୍କୁ   ତାଙ୍କ  ପିଲାଙ୍କୁ  ଆରାମ  ଦେବାରେ  ଯେ  କେତେ  ନିର୍ଭରଯୋଗ୍ୟ  ଏହା  କଳ୍ପନା  କରାଯାଇପାରେନା   । ପିଲାଟି  ବାପାଙ୍କୁ  ଦେଖି  ଖୁସିରେ  ଦୌଡି  ଦୌଡି  ଆସୁଛି  କାନ୍ଥରେ  ପିଟି  ହୋଇଗଲା – ଆର୍ଣ୍ଣିକା  ଦେଇଦେବା – ଓଃ କି  ଆରାମ । ସତରେ,  ଅଭିଜ୍ଞତା  ନ  ଥିଲେ  ବିଶ୍ଵାସ  କରି  ହେବନି   ।

କିଛି  ଔଷଧ  କୁହନ୍ତୁ  ଯାହା  ଘରେ  ରଖିହେବ   ।

ଉତ୍ତର : ଏକୋନାଇଟ, ରସଟକ୍ସ, ବ୍ରାଇଓନିୟା, ଆର୍ଣ୍ଣିକା, ପଲସେତିଲା, ନକ୍ସଭୋମିକା, ଏଣ୍ଟିମଟାର୍ଟ, ଇଥୁଜା, ବେଲାଡୋନା, ଜେଲ ସେମିୟମ, ଇଉପେଟୋରିଆମ, ହାଇପେରିକମ୍, ଏଲିୟମସେପା, ଇଉଫ୍ରେସିଆ, ହିପାରସଲ୍ଫ, ସ୍ପାଞ୍ଜିଆ, ମର୍କସଲ, ସଲଫର  ଇତ୍ୟାଦି  ଇତ୍ୟାଦି   ।

ଏଥିରେ  ରୋଗ  ବଢେ  ବୋଲି  ଲୋକ  ଭୟ  କରନ୍ତି – ଏହା  ସତ୍ୟ  କି ?

ଉତ୍ତର : ସଦୃଶବିଧାନ   ଯେତେବେଳେ  ଏହି  ଔଷଧ  ପ୍ରୟୋଗରେ   ନୀତି, ତେଣୁ  ସ୍ଵାଭାବିକତାର   ଔଷଧ  ବ୍ୟବହାର   ପରେ  ରୋଗ  ବଢିବାରେ  ସମ୍ଭାବନାକୁ  ବିଶ୍ଵାସ  କରିବା  ସ୍ଵାଭାବିକ   । ମାତ୍ର, ଚିକିତ୍ସାକାଳରେ  ଔଷଧ  ମାତ୍ରାକୁ  ଏତେ  ସୂକ୍ଷ୍ମଭାବରେ  ପ୍ରୟୋଗ  କରାଯାଏ  ଓ  ଏହାର  ପୁନରାବୃତ୍ତିକୁ  ଏଭଳି  ଜଗିରଖି  କରିବାକୁ  ହୁଏ  ଯେ  ରୋଗ  ବୃଦ୍ଧିର  ଅବକାଶ  ନ  ଥାଏ   କେବଳ  ଚର୍ମରୋଗକୁ   ଛାଡିଦେଲେ   । ଅଜ୍ଞତା  ଦୋଷରୁ  ଅନେକ   ସମୟରେ  ଭୁଲ୍ ଔଷଧ  ପ୍ରୟୋଗ  ହେତୁ  ଔଷଧ  କାମ ନ କରୁଥିଲେ  ରୋଗର  ସ୍ଵାଭାବିକ   ଗତିକୁ  ମଧ୍ୟ  ଅନେକ  ସମୟରେ  ଭ୍ରମବଶତଃ  ହୋମିଓପାଥି  ଔଷଧ  ପାଇଁ  ବଢିଲା   ବୋଲି   କୁହାଯାଇଥାଏ  ଏବଂ  ଅନେକ  ସମୟରେ  ଭୁଲ  ବ୍ୟବସ୍ଥା  ଯୋଗୁଁ  ଔଷଧର  ବାରମ୍ବାର  ପ୍ରୟୋଗ   ଫଳରେ  ମଧ୍ୟ  ରୋଗ  ବଢିଯାଏ   । ଆଉ  କେତେକ   କ୍ଷେତ୍ରରେ   ରୋଗୀର  ସମ୍ବେଦନଶୀଳତାକୁ  ଠିକ୍ ଭାବରେ  ନ ଉଠାଇ  ଅତି  ଉଚ୍ଚଶକ୍ତିର  ଔଷଧ  ପ୍ରୟୋଗ  କଲେ  ମଧ୍ୟ  ରୋଗ  ଲକ୍ଷଣର  ବୃଦ୍ଧି  ଘଟିଥାଏ   । ତେଣୁ  ଏ  ସବୁକୁ  ବନ୍ଦ  କରିବାକୁ  ହେଲେ  ହୋମିଓପାଥିର  ଦର୍ଶନ  ଉପରେ  ଗଭୀର  ଅଧ୍ୟୟନ  ତଥା  ଅଭିଜ୍ଞ  ଚିକିତ୍ସକଙ୍କର  ପରାମର୍ଶ  ଓ  ସାହାଚର୍ଯ୍ୟର  ଆବଶ୍ୟକତା  ରହିଛି  ନଚେତ୍, ଅଳ୍ପବିଦ୍ୟା  ଭୟଙ୍କରୀ  ହୋଇ  ରୋଗୀ, ଡାକ୍ତର   ତଥା  ସର୍ବୋପରି  ହୋମିଓପାଥି   ବିଜ୍ଞାନର  ସର୍ବନାଶ  ଘଟିବ   । “ଧୀର  ପାଣି  ପଥର  କାଟେ”  ନ୍ୟାୟରେ  ଔଷଧ  ପ୍ରୟୋଗରେ  ରୋଗ  ବଢିବାର  ଅବକାଶ  ନ  ଥାଏ  ।

ପ୍ରଶ୍ନ : ଏକା  ସାଙ୍ଗରେ  ହୋମିଓପାଥି  ଓ ଏଲୋପାଥି  ଚାଲିପାରିବ କି ?

ଉତ୍ତର : ଯେହେତୁ  ହୋମିଓପାଥି  ଓ  ଏଲୋପାଥି  ଉଭୟ  ଔଷଧର  ବ୍ୟବହାର  ପଦ୍ଧତି  ବିପରୀତମୁଖୀ  ତେଣୁ  ଏକ  ସଙ୍ଗରେ  ଉଭୟ  ଔଷଧ  ପ୍ରୟୋଗ  କରିବା  ଉଚିତ  ନୁହେଁ   ।

ଏଲୋପାଥିର   ଗୁଣ  ନଷ୍ଟ  କରି  ହୋମିଓପାଥି  ଦିଆଯାଏ  କି ?

ଉତ୍ତର  : ଏଲୋପାଥି  ପରେ  ତା’ର  ଗୁଣ  ନଷ୍ଟ  କରି  ହିଁ  ସର୍ବଦା  ହୋମିଓପାଥି  ଔଷଧ  ଦେବା  ଯୁକ୍ତି  ସବୁବେଳେ  ଠିକ୍  ନୁହେଁ   । କାରଣ,  ଉପସ୍ଥିତ  ଲକ୍ଷଣସକଳ  ହିଁ  କୌଣସି  ହୋମିଓପାଥି  ଔଷଧର  ନିର୍ଦ୍ଦେଶ  କରିଥାଏ   । ତେଣୁ  ଯଦି  କୌଣସି  ଔଷଧ  ନିର୍ଦ୍ଧିଷ୍ଟ  ହେଉଥାଏ  ତାହାହେଲେ  ମଝିରେ  ଅନ୍ୟ  ଏକ  ଗୁଣ  ନଷ୍ଟକାରୀ  ଔଷଧ  ପ୍ରୟୋଗ  କରିବାର  ଆବଶ୍ୟକତା   କିଛି  ନାହିଁ   ।

କଞ୍ଚା  ପିଆଜ, ରସୁଣ, ହେଙ୍ଗୁ  ଇତ୍ୟାଦି  ଖାଇବାକୁ  ମନା  କରାଯାଏ – କାରଣ  କ’ଣ  ?

ଉତ୍ତର  : ଆପଣ  ବୋଧହୁଏ  ହୋମିଓପାଥି  ଔଷଧ  ସେବନକାଳରେ  ଖାଦ୍ୟ  ପଦାର୍ଥର  ବାରଣ  ସମ୍ପର୍କରେ  ପ୍ରଶ୍ନ  କରୁଛନ୍ତି   । ପ୍ରକୃତପକ୍ଷରେ   ବୈଜ୍ଞାନିକ  ଦୃଷ୍ଟିକୋଣରୁ  ଦୁଇଟି   ଖାଦ୍ୟ   ବ୍ୟବସ୍ଥା  ହେବା  ଦରକାର   ।

  • ଯେଉଁ  ଔଷଧ  ବ୍ୟବହାର  କରାହେଉଛି  ତା’ର  ଗୁଣନଷ୍ଟକାରୀ  ଦ୍ରବ୍ୟ  ଯେପରି  ଖାଦ୍ୟପଦଦାର୍ଥରେ  ନ  ଥାଏ   । ଯେପରି  ନକ୍ସଭୋମିକା  ଖାଉଥିବା  ରୋଗୀ  କଫି  କିମ୍ବା  ମଦ୍ୟପାନ  କରିବ ନାହିଁ   । ଏଲୋଜ  ଦେବା  ସମୟରେ  ସୋରିଷମିଶା  ପଦାର୍ଥ  ଖାଇବେ  ନାହିଁ  - ଇତ୍ୟାଦି   ।
  • ପ୍ରୟୋଗ  ହେଉଥିବା  ଔଷଧ  ସହିତ  କୌଣସି  ଖାଦ୍ୟପଦାର୍ଥର  ଦ୍ଵନ୍ଦାତ୍ମକ   ବା  ଶତ୍ରୁଧର୍ମୀ  ସମ୍ପର୍କ  ନ  ଥିବ, ଯଥା : ପଲସେଟିଲା  ଖାଉଥିବା  ଅବସ୍ଥାରେ  ରୋଗୀକୁ  ଚର୍ବିଜାତୀୟ  ଖାଦ୍ୟ  ଦେବା  ଉଚିତ  ନୁହେଁ   । ଥୁଜା  ଖାଉଥିବା  ରୋଗୀକୁ  ପିଆଜ  ଓ  ଚା’ ଦେବା  ଅନୁଚିତ   ।

ଏହା  ବ୍ୟତୀତ, ଆପଣ  ଯେଉଁ  ପଦାର୍ଥସବୁର  ନାମକରଣ  କଲେ  ସେ  ସବୁ  ଖୁବ୍ ଉତ୍କଟ ଓ  କଟୁ  ସ୍ଵାଦ ଓ  ଗନ୍ଧଯୁକ୍ତ   । ତେଣୁ  ସେସବୁ  ପଦାର୍ଥର  ବ୍ୟବହାର  ହୋମିଓପାଥି  ଔଷଧ  ବ୍ୟବହାରର  ଠିକ୍  ପୂର୍ବରୁ  ବା  ପରେ  ହେବା  ଉଚିତ  ନୁହେଁ   । ଏହାଦ୍ଵାରା  ହୋମିଓପାଥି  ଔଷଧର  ପ୍ରଭାବ  ଶରୀର  ଉପରେ  ମୋଟେ  ପଡିପାରେନା   । ଯେହେତୁ  ହୋମିଓପାଥି  ଔଷଧର  ଗୁଣ  ସ୍ନାୟୁ  ମାର୍ଗରେ  କାର୍ଯ୍ୟ  କରୁଥାଏ, ଦୁର୍ବଳ  ପ୍ରଭାବର  ଅନୁଭୂତି  ଉକ୍ତ  ସ୍ନାୟୁର  ରହେ  ନାହିଁ   । ସୁତରାଂ  ଅତ୍ୟନ୍ତ  କଟୁ, ତିକ୍ତ  ସ୍ଵାଦଥିବା   ପଦାର୍ଥ   ଔଷଧ  ସେବନର  ଠିକ୍  ପୂର୍ବରୁ   ବା  ପରେ  ଖାଇଲେ   ସ୍ନାୟୁର  ଅନୁଭୂତି   ଔଷଧ  ପ୍ରତି  ରହେ  ନାହିଁ   । ତେଣୁ  ଔଷଧର  କାର୍ଯ୍ୟକାରିତା  ଠିକ୍  ଭାବରେ  ହୁଏ  ନାହିଁ   । ମିଠା  ଖାଇବା  ପରେ  ଚା’ପାନର  ସ୍ଵାଦ  ନ  ଥାଏ   । ଖୁବ୍  ରାଗ  ଖାଇଦେଲେ  ତା’ପରେ  ଖାଦ୍ୟର  ସ୍ଵାଦ  ଆସ୍ଵାଦନ  କରିହୁଏନା   । ଏହିଭଳି   ବହୁ  ଉଦାହରଣ   ଆମେ  ଆମର  ଦୈନନ୍ଦିନ  କାର୍ଯ୍ୟ  ମଧ୍ୟରେ  ପାଇଥାଉ   ।

ଅସ୍ତ୍ରଚିକିତ୍ସା  ଏଥିରେ  ଅଛି  କି ?

ଉତ୍ତର : ଏ ପ୍ରଶ୍ନ  ଅନେକ  ପଚାରନ୍ତି   । ଯେଉଁ  ଚିକିତ୍ସା  ଅସ୍ତ୍ର  ସାହାଯ୍ୟରେ  ହୁଏ  ତାହା  ଅସ୍ତ୍ରଚିକିତ୍ସା  । ଯେହେତୁ  ହୋମିଓପାଥି  ଚିକିତ୍ସା  ଏକ  ଭେଷଜ   ହିକିତ୍ସା  ପଦ୍ଧତି, ଏଥିରେ   ଅସ୍ତ୍ରଚିକିତ୍ସା  ରହିବାର  ପ୍ରଶ୍ନ  ଉଠିବା  ଅଳିକ  । ଯେଉଁସବୁ  ରୋଗ  ଚିକିତ୍ସାରେ   ଅସ୍ତ୍ର  ପ୍ରୟୋଗ  ଅନିବାର୍ଯ୍ୟ  ସେଥିରେ   ଭେଷଜ  ପ୍ରୟୋଗର  ଆବଶ୍ୟକତା   ନାହିଁ   । ତେଣୁ  ତାହା  କେବଳ  ସେ  ବିଷୟରେ  ବ୍ୟୁତ୍ପତ୍ତି  ଲାଭ  କରିଥିବା  ଲୋକେ  ହିଁ  କରିବେ  ଏବଂ  ତାହା  ଶଲ୍ୟଚିକିତ୍ସକ  ବା  ମାନେ  ହିଁ  କରିବେ   । ଭେଷଜବିତ  ବା  Physician  ମାନଙ୍କର  ପରିସୀମା  ମଧ୍ୟରେ  ତାହା  ନାହିଁ   । ଦାନ୍ତ  ପୋକ  ଖାଇ  ନଷ୍ଟ  ହେଲା, ଓପାଡିବାକୁ  ହେବ   । କୌଣସି  ଏକ  ବିରାଟ  ଅର୍ବୁଦ  ଔଷଧ  ଜରିଆରେ  କମିବା  ସମୟସାପେକ୍ଷ  ଓ  ତାହାପାଇଁ  ରୋଗୀ  ଅଧିକଦିନ   କସ  ଭୋଗ  କରିବେ, ତାକୁ  ଅସ୍ତ୍ର  ସାହାଯ୍ୟରେ  ବାହାର  କରିବା  ଦରକାର   । ପେଟମରା  ରୋଗର  ପାକସ୍ଥଳୀରେ  କ୍ଷତ  ଖୁବ୍  ଗଭୀର  ଏବଂ  ଯେ  କୌଣସି  ମୂହୁର୍ତ୍ତରେ  ଛିଦ୍ର  ହୋଇଯିବାର   ସମ୍ଭାବନା  ବା  ହଠାତ୍ ଛିଦ୍ର  ହୋଇଯାଇଛି  ତାକୁ  ସଙ୍ଗେ  ସଙ୍ଗେ  ଅସ୍ତ୍ରଚିକିତ୍ସା  ଦ୍ଵାରା  ଅବସ୍ଥା  ସମ୍ଭାଳିବା  କଥା   । ଏହା  ଏକ  ସମ୍ପୂର୍ଣ୍ଣ  ଭିନ୍ନ  ଚିକିତ୍ସାପଦ୍ଧତି  ଓ  ହୋମିଓପାଥି  ସହିତ  ଏହାର  ସମ୍ପର୍କ   କେବଳ   ପରିପୂରକ  ।

ଏଥିରେ  ରୋଗ  ଚିକିତ୍ସା  ନ କରି  ରୋଗୀ  ଚିକିତ୍ସା  କରାଯାଏ, ଏହାର  ତାତ୍ପର୍ଯ୍ୟ  କ’ଣ  ?

ଉତ୍ତର : ରୋଗ  କହିଲେ  ଆମେ  ନିର୍ଦ୍ଧିଷ୍ଟ  ଏକ  ନାମକରଣ   ହୋଇଥିବା  ଲକ୍ଷଣଗୁଚ୍ଛକୁ   ବୁଝୁ   । ନାମକରଣ ନ ହେବା  ପର୍ଯ୍ୟନ୍ତ  ଏହା  ଏକ  ନିର୍ଦ୍ଧିଷ୍ଟପର୍ଯ୍ୟାୟର   ରୋଗବୋଲି  କୁହାଯାଇ  ପାରେନା  ଏବଂ  ଏହା  ଦରକାର  ହୁଏ  ଔଷଧ  ବ୍ୟବସ୍ଥା  ପାଇଁ  ସାଧାରଣ  ଚିକିତ୍ସା  ପଦ୍ଧତିରେ   । ଏକ  ଜ୍ଵର  ରୋଗୀର  ଟାଇଫଏଡ, ମ୍ୟାଲେରିଆ, ସର୍ଦ୍ଦିଜ୍ଵର, ବାତଜ୍ଵର  ଏଭଳି  ନାମକରଣ  ନ  ହେଲେ, ତା’ପାଇଁ  ନିର୍ଦ୍ଧିଷ୍ଟ  ଔଷଧ  ପ୍ରୟୋଗ  କରିବା  ସାଧାରଣ   ଚିକିତ୍ସା  ପଦ୍ଧତିରେ   ଦୁଃସାଧ୍ୟ   । ମାତ୍ର  ହୋମିଓପାଥିରେ  ଏହାର  ଆବଶ୍ୟକତା  ନାହିଁ   । ଏଥିରେ  ରୋଗୀର  ସାମୁହିକ   ଲକ୍ଷଣସକଳ  ଉପରେ  ନିର୍ଭର  କରି  ଲକ୍ଷଣ  ମେଳକରେ   ଔଷଧ  ବ୍ୟବସ୍ଥା  ହୁଏ   । ଟାଇଫଏଡ  ହୋଇଥିଲେ  ମଧ୍ୟ  ବିଭିନ୍ନ  ଲୋକଙ୍କୁ  ଲକ୍ଷଣ  ଭେଦରେ  ବ୍ରାଇଓନିଆଠାରୁ  ଜିନକମ୍  ପର୍ଯ୍ୟନ୍ତ  ଯେ  କୌଣସି  ଔଷଧ  ଲାଗିପାରେ  ଏବଂ  ଏପରିକି  ବିଭିନ୍ନ  ରୋଗପାଇଁ  ମଧ୍ୟ  ଲକ୍ଷଣ  ସାମଞ୍ଜସ୍ୟରେ  ସେଇ  ଏକା  ଔଷଧ   ବ୍ୟବହାର  ହୋଇପାରେ   । ଯଥା : ଆନ୍ତ୍ରିକ  ଜ୍ଵର  ପାଇଁ  ମଧ୍ୟ  ବ୍ରାୟୋନିୟା   ଲାଗିବ, ଉଦରାମୟ  ପାଇଁ  ମଧ୍ୟ  ଏହା  ସମାନ  ଭାବରେ  ପ୍ରୟୋଗ  କରାଯାଇ  ପାରିବ  । ରୋଗଭିତ୍ତିରେ  ହୋମିଓପାଥିର  ଔଷଧ  ବ୍ୟବହାର  ହୁଏ  ନାହିଁ, ରୋଗୀଭିତ୍ତିରେ  ହୋଇଥାଏ   । ତେଣୁ  ଏଭଳି  ଦୋହାର   ପ୍ରଚଳନ   ରହିଛି   ।

ସଂଗୃହୀତ – ଡାକ୍ତର କମଳାକାନ୍ତ  କର

3.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top