ସେଆର କରନ୍ତୁ

ହୋମିଓପାଥିର ପ୍ରକୃତ ସଙ୍କଟ

ହୋମିଓପାଥିର ପ୍ରକୃତ ସଙ୍କଟ ର ସୂଚନା

ଉପକ୍ରମ

ଆଜିକୁ  ୨୧୪ ବର୍ଷ  ତଳେ  ଯେଉଁ  ବିପ୍ଳବୀ  ଚିକିତ୍ସକଙ୍କର  ଜନ୍ମଲାଭ  ହୋଇଥିଲା, ସେହି  ମହାପୁରୁଷ  ଡାକ୍ତର  ଖ୍ରୀଷ୍ଟିୟାନ  ଫ୍ରେଡେରିକ   ସାମୁଏଲ  ହ୍ୟାନିମାନଙ୍କ  ୨୧୪ ତମ  ପୂଣ୍ୟ  ଜନ୍ମତିଥିରେ  ଆଜି  ଯେ  ଉତ୍କଳୀୟ  ହୋମିଓ  ଛାତ୍ର  ସଂସଦ  ତରଫରୁ ଏ ସଭା  ଆହ୍ଵାନ କରାହୋଇଛି, ସେଥିରେ  ମୋତେ  କିଛି  କହିବାର  ସୁଯୋଗ ଏ  ସଭାର ଉଦ୍ୟୋକ୍ତାମାନେ  ଦେଇଛନ୍ତି, ସେଥିପାଇଁ  ମୁଁ  ନିଜକୁ  ବିଶେଷ  ଭାଗ୍ୟବାନ  ମନେ  କରୁଛି   ।

ଏହି  ମହାତ୍ମାଙ୍କର  ଜନ୍ମ  ତାରିଖ  ନେଇ  ଅନେକ  ପ୍ରକାର  ମତାମତ  ଅଛି   । କେହି  କେହି  ୧୭୫୫ ମସିହାର  ଏପ୍ରିଲ  ୯ ତାରିଖ  କହିଲାବେଳେ  କେହି  କେହି  ଏପ୍ରିଲ  ୧୦ ତାରିଖ  କହନ୍ତି  ଓ  ଡାକ୍ତର  C.A Baldwinଙ୍କ କେତେକ  ଏପ୍ରିଲ  ୧୯ ତାରିଖ  ବୋଲି  ମଧ୍ୟ  କହିଥାନ୍ତି   । ସେ  ଯାହା  ହେଉନା  କାହିଁକି   ବର୍ତ୍ତମାନ   ଏପ୍ରିଲ  ୧୦ ତାରିଖ  ହିଁ  ସର୍ବସମ୍ମତଭାବରେ   ତାଙ୍କର  ଜନ୍ମଦିନ  ବୋଲି   ଗ୍ରହଣୀୟ  ହୋଇଛି  କହିଲେ  ଅତ୍ୟୁକ୍ତି   ହେବ  ନାହିଁ   ।

ଏହା  ଏକ  ଗତାନୁଗତିକ  ଧାରା  ଯେ, କୌଣସି  ମହାତ୍ମାଙ୍କର  ଜନ୍ମତିଥି  ପାଳନ  କରିବାକୁ  ଗଲେ  କେବଳ  ତାଙ୍କରି  କେତେକ  ଯଶଗାନ  କରି  କେତେକ  ମୂହୁର୍ତ୍ତ  ଆତ୍ମପ୍ରସାଦ  ଲାଭ  କରିବା  ଛଡା  ମୁଁ  ବରଂ  ତାଙ୍କର  ତଥାକଥିତ  ଭକ୍ତ   ସମାଜର  ଆତ୍ମସମୀକ୍ଷା  କରିବା  ଉଚିତ   ବୋଲି  ମନେକରେ   ।

ଏହି  ମହାପୁରୁଷଙ୍କ  ଜନ୍ମର  ୨୪ ବର୍ଷ  ପରେ  ପୃଥିବୀ  ବକ୍ଷରେ  ହୋମିଓପାଥି  ସୁପ୍ରତିଷ୍ଠିତ  ହୁଏ  ଧାରାବାହିକ   ନିୟମର  ଗଣ୍ଡି  ଦେଇ  ୧୭୭୯ ମସିହାରେ, ପ୍ରଚଳିତ  ଚିକିତ୍ସା  ପଦ୍ଧତିରେ  ବିତଶ୍ରଦ୍ଧ   ଡାକ୍ତର  ହ୍ୟାନିମାନଙ୍କର ଜୀବିକା  ନିର୍ବାହ  ନିମିତ୍ତ  ଏକ  ଉପଜୀବିକା  ମଧ୍ୟଦେଇ, ଏକ  ବୈପ୍ଳବିକ  ଚିନ୍ତାର  ମାଧ୍ୟମରେ   । ହୋମିଓପାଥି  ଚିକିତ୍ସା  ଶାସ୍ତ୍ରସମ୍ମତଭାବରେ  ଏ ପୃଥିବୀପୃଷ୍ଠରେ  ପ୍ରଚଳିତ   ହେବାର  ମୋଟ  ସମୟ   ହେଉଛି  ଦୁଇ  ଶତାବ୍ଦୀରୁ  ମାତ୍ର  ଏକ  ଦଶକ  ବର୍ଷ  କମ୍   । ଏହି  ଦୁଇଶହ  ବର୍ଷ  ଧରି  ଯେ  ନୀତିନିୟମ  ସେହି  ବିପ୍ଳବୀ  ଚିକିତ୍ସକ  ଆମରି  ସମ୍ମୁଖରେ  ରଖିଯାଇଛନ୍ତି, ଯାହାଙ୍କ  ନାମକୁ  ସମ୍ବଳ  କରି  ଆଜି  ଏ  ଦେଶର  ଲକ୍ଷାଧିକଲୋକ  ଜୀବିକା  ନିର୍ବାହ  କରୁଛନ୍ତି, ସେହି  ହୋମିଓ  ଭେକଧାରୀ  ଚିକିତ୍ସକବୃନ୍ଦ   ସେହିସବୁ  ନୀତି   ଓ  ନିୟମକୁ  କେତେଦୂର  କାର୍ଯ୍ୟକାରୀ   କରୁଛନ୍ତି  ତାଙ୍କ  ଚିକିତ୍ସକ  ଜୀବନରେ,  ସେହି  ଆଡକୁ  ସାମାନ୍ୟ  ଦୃଷ୍ଟିପାତ  କରି  ଏହି  ଚିକିତ୍ସାର  ଭବିଷ୍ୟତ  ନିର୍ଦ୍ଧାରଣ  କରିବାର  ଦାୟିତ୍ଵ  ଆଜି  ଏହି  ମହାନ୍  ଦିବସରେ  ଆସିଛି  ଆପଣମାନଙ୍କ  ପରି  ଉଦୀୟମାନ  ଛାତ୍ରସମାଜ  ଉପରେ   ।

ଦୁଇଶହ  ବର୍ଷ  ଭିତରେ   ତଥାକଥିତ  ଆଧୁନିକ  ଚିକିତ୍ସା  ଶାସ୍ତ୍ରର  ବହୁ  ଅଗ୍ରଗତି  ହୋଇଛି    । ଜୀବତତ୍ତ୍ଵ, ଶରୀରତତ୍ତ୍ଵ, ଜୀବାଣୁତତ୍ତ୍ଵ,  ନିଦାନତତ୍ତ୍ଵ,  ଶଲ୍ୟ  ଚିକିତ୍ସା,  ସାମାଜିକ  ସ୍ୱାସ୍ଥ୍ୟ  ଇତ୍ୟାଦି  ପ୍ରତ୍ୟକ  କ୍ଷେତ୍ରରେ  ଅଦ୍ଭୁତ ଅଦ୍ଭୁତ   ନୂତନତା   ଜନସାଧାରଣଙ୍କ  ଆଗରେ  ପ୍ରତ୍ୟକ  ଦିନ  ଛାୟାଛବି  ଭଳି  ପଣ୍ଡିତପୁଙ୍ଗବମାନେ  ଉପସ୍ଥାପିତ  କରୁଛନ୍ତି   । କିନ୍ତୁ  ଜଣେ  ନିଷ୍ଠାପର  ଅନୁସନ୍ଧିତ୍ସୁ  ହୋମିଓ  ଛାତ୍ରଙ୍କ  ନିକଟରେ ଏହାର  ନୂତନତ୍ଵ  କିଛି  ଅଛି କି ? ସେହି ପୂଣ୍ୟଶ୍ଳୋକ   ଚିକିତ୍ସକଙ୍କର  ଅମର  କୃତୀ  ‘ଅର୍ଗାନନ୍  ଅଫ୍ ମେଡ଼ିସିନ’ କୁ  ତନ୍ନତନ୍ନ  କରି  ନୂତନ  ଜ୍ଞାନ  ଲୋକରେ  ଅଧ୍ୟୟନ  କଲେ ଏହାର  ସ୍ପଷ୍ଟିକରଣ  ଆପଣମାନେ  ପାଇବେ  । କେବଳ  ଦରକାର  ଆଧୁନିକ  ବୈଜ୍ଞାନିକ  ଚିନ୍ତାଧାରା  ସହିତ ‘ଅର୍ଗାନନ୍ ଅଫ୍  ମେଡ଼ିସିନ’  ଚିନ୍ତାଧାରାର  ସମନ୍ଵୟ  ଆଣିବା   ।

ସମୟ  ଥିଲା  ଦିନେ  ହ୍ୟାନିମାନଙ୍କର  ଶକ୍ତିକରଣ  ପ୍ରକ୍ରିୟା  ବିପକ୍ଷବାଦୀଙ୍କ  ପାଇଁ  ଏକ  ପ୍ରଧାନ  ପରିହାସ  କରିବାର   ବିଷୟବସ୍ତୁ   ହୋଇ  ରହିଥିଲା,  କିନ୍ତୁ  ବିଜ୍ଞାନ  ତା’ର  ମୂଲ୍ୟାୟନ  କରିଛି   । Arndt  Schluzeଙ୍କ  ମତ  ତା’ର  ପ୍ରମାଣ   । ବଏଡଙ୍କ  ଇମାନୋମିଟର  ତା’ର  ଚାକ୍ଷୁଷ  ପ୍ରମାଣ  ମଧ୍ୟ  ଦେଲା  ।

ଦ୍ଵିତୀୟ  ସମାଲୋଚନାର   ବିଷୟବସ୍ତୁ  ଥିଲା  ହ୍ୟାନିମାନଙ୍କର  theory  of vital  force  ହ୍ୟାନିମାନ  ଯେଉଁ  ମର୍ମରେ  ଏହି  ଜୀବନୀଶକ୍ତିର  ପ୍ରୟୋଗ  କରିଥିଲେ   ତାହା  ଜଡବାଦୀ  ଦୃଷ୍ଟିକୋଣରୁ  ବିଚାରକୁ  ଆଣିଲେ  ଯଦିଓ  ଏକ  ଉଦ୍ଭଟ,  ଏକ  ବିକୃତ  ଚିନ୍ତାପ୍ରସୂତ  ବୋଲି  କେତେକ  ମନେ  କରନ୍ତି, ତଥାପି  ବିରୁଦ୍ଧବାଦୀମାନଙ୍କ  ମଧ୍ୟରୁ  ଅନେକ, ବର୍ତ୍ତମାନ  ପରମାଣୁ  ସଂକ୍ରାନ୍ତୀୟ  ପଦାର୍ଥ   ବିଜ୍ଞାନର  ନବତମ   ତଥ୍ୟକୁ  ପର୍ଯ୍ୟାଲୋଚନା  କରି  ଏହାର  ଯାଥାର୍ଥ୍ୟ  ଉପଲବ୍ଧି  କରିବାକୁ  ଚେଷ୍ଟା  କରୁଛନ୍ତି   । ଏହା  ଆଜି  ପଦାର୍ଥବିଦ୍ୟା   ସ୍ଵିକୃତ  ।

ରୋଗର  କାରଣ

ରୋଗର  କାରଣ  ଯେ  କେବଳ  ସର୍ବଦା  ଜଡ  ପଦାର୍ଥ  ନୁହେଁ,  ଏକଥା  ଆଧୁନିକ  ଚିକିତ୍ସା  ବିଜ୍ଞାନର  Psychosomatic  disease  theory  ସ୍ଵୀକାର  କରୁଛି   । ଉପରନ୍ତୁ, ହ୍ୟାନିମାନ   ଯେ  ଜୀବାଣୁ  ରୋଗର   କାରଣ  ନୁହେଁ  ଏକଥା  କହିଛନ୍ତି  ବୋଲି  ଯୁକ୍ତି  କରିବାର  କୌଣସି  କାରଣ  ନାହିଁ  । ବରଂ  ହ୍ୟାନିମାନ  ହିଁ  ତାଙ୍କର  ଅସାଧାରଣ  ଚିନ୍ତା  ଶକ୍ତିରୁ  ଏକ ଅଦୃଶ୍ୟ  ଜୀବାଣୁ  ହିଁ  କଲେରା  ରୋଗର   କାରଣ  ବୋଲି   କୋଥେନରେ   ୧୮୩୧  ମସିହାରେ  ପ୍ରଥମେ  କହିଥିଲେ    । ଏହି  ଘଟଣାର  ବହୁପୂର୍ବରୁ   ୧୮୧୦ ସାଲରେ   ହ୍ୟାନିମାନ  ଅର୍ଗାନନ୍  ଅଫ୍ ମେଡ଼ିସିନର  ପ୍ରଥମ  ପ୍ରକାଶନା  କରନ୍ତି  ଓ  ଏହି  ସମୟ  ଭିତରେ  ଏହାର  ୪ଟି  ସଂସ୍କରଣ  ହୋଇଯାଇଥିଲା   । କାରଣ  ୧୮୩୩  ମସିହାରେ  ୫ମ  ସଂସ୍କରଣ  ପ୍ରକାଶିତ  ଉଏ   । ସୁତରାଂ  ହ୍ୟାନିମାନ  ଜୀବାଣୁ  ରୋଗର  କାରଣ  ନୁହେଁ  ବୋଲି  କହିଛନ୍ତି, ଏକଥା  କହିବାର  ତାତ୍ପର୍ଯ୍ୟ   କିଛି  ନାହିଁ    । ହ୍ୟାନିମାନ  ରୋଗୀ  ଚିକିତ୍ସା  କାଳରେ  Tolle   causam  ବା  କାରଣ  ହଟାଇବାର  ଅନାବଶ୍ୟକତାର   ସମ୍ପର୍କରେ  ଯେ  ଯୁକ୍ତି  କରିଛନ୍ତି  ତାହାକୁ  ହିଁ   ବିକୃତଭାବରେ  ପ୍ରୟୋଗ  କରାହେଉଛି   । ୧୮୮୩ ରେ  କକ୍  ସାହେବ   cholera  vibrioର  ଆବିଷ୍କାର  କରନ୍ତି   ହ୍ୟାନିମାନଙ୍କ  ମୃତ୍ୟୁର   ୪୦ ବର୍ଷ  ପରେ    । ହ୍ୟାନିମାନ  ୧୮୪୩  ଜୁଲାଇ  ୨ରେ   ଇହଲୀଳା  ସାଙ୍ଗ  କରିଥିଲେ   । ସେହି  ଦୃଷ୍ଟିରୁ   ଆଜିକାର  ଜୀବାଣୁ  ତତ୍ତ୍ଵର  ଜନକ  ବୋଲି  ହ୍ୟାନିମାନଙ୍କୁ  କହିଲେ  ବିଶେଷ  କିଛି   ଅତ୍ୟୁକ୍ତି  ହେବ  ନାହିଁ   । ଏ  ସବୁର  ଯେ  ବିଭ୍ରାନ୍ତିକର   ଚିନ୍ତା  ଆମ  ମନରେ  ଆସେ  ତା’ର  କାରଣ  ହେଉଛି  ରୋଗ  ସକଳର   ଯେ   ବିଭାଗୀକରଣ   ସେ  ତାଙ୍କ   ଅର୍ଗାନନ୍  ଅଫ  ମେଡ଼ିସିନରେ   କରିଯାଇ  ଅଛନ୍ତି  ତାକୁ   ବିଶ୍ଳେଷଣ   କଲେ  ପ୍ରତୀୟମାନ   ହୁଏ  ଯେ   ଆମେ   ଚିର  ରୋଗ ସାଇଟ  ଅଚିର  ବା ତରୁଣା   ରୋଗର   ଯେଉଁ   ପ୍ରଭେଦ  ସେ  କରିଛନ୍ତି   ତାହା  ସେହି   ଦୃଷ୍ଟିକୋଣରୁ   ବିଚାର  କରୁ ନ ଥାଇ   । ସରଜିକାଳ  କେସ୍  ସମ୍ପର୍କରେ   ମଧ୍ୟ  ତାଙ୍କର  ସ୍ପଷ୍ଟ  ମତାମତ  ରହିଛି  । ସେ  କେବେହେଲେ  ସମ୍ପୂର୍ଣ୍ଣ  ଅସ୍ତ୍ରଚିକିତ୍ସାସମ୍ବନ୍ଧୀୟ  ରୋଗକୁ  dynamic  medicine  ଦେଇ  ଭଲ  କରିବାର  ନିର୍ଦ୍ଦେଶ  ଦେଇ  ନାହାନ୍ତି  । ସେ ସୂତ୍ର ୩ ଓ ୪ର  ନିର୍ଦ୍ଦେଶ  କ’ଣ  ଯଥେଷ୍ଟ  ନୁହେଁ  ଏହା  ସପକ୍ଷରେ  ?  “if the  physician  clearly  perceives  what  is to be cured  in  disease, (knowldedge   of  disease  indication )” . “He is  likewise  the  preserver  of  health  if  he knows the  things  that  derange  health and  cause disease  and  how  to  remove  them  from  persons  in  health ” କୁ   ସମ୍ୟକ  ଭାବରେ  ବିଶ୍ଳେଷଣ  କରନ୍ତୁ, ଆପଣମାନେ  pure  surgical  case  ସମ୍ପର୍କରେ   ମୁଁ  ଯେଉଁ   ମନ୍ତବ୍ୟ  ଦେଲି   ତା’ର  ପ୍ରମାଣ   ମିଳିବ  କି  ନାହିଁ  । ଉପରନ୍ତୁ, ସୂତ୍ର  73ରେ   ଅଚିର  ରୋଗ   ସମ୍ପର୍କରେ   ଯେଉଁ  କାରଣମାନ  ବୟାନ  କରାଯାଇଛି  ତାହା  ଆପଣମାନଙ୍କର  ତଥାକଥିତ  Epidemiology,  bacteriology ଓ Immunology ର  ତଥ୍ୟ  ତଥା  ସିଦ୍ଧାନ୍ତ  ସକଳର  ବିନ୍ଦୁମାତ୍ର  ବିରୁଦ୍ଧାଚରଣ   କରେ  କି ? ଅଥଚ, ଏହା  ଏହିସବୁ  logy ର  ଆବିଷ୍କାରର  ବହୁ  ପୂର୍ବରୁ  ପରିଷ୍କାର  ଭାବରେ ଦୁନିଆର  ସମସ୍ତ  ଜ୍ଞାନୀଗୁଣୀଙ୍କ  ସମ୍ମୁଖରେ  ଉପସ୍ଥାପିତ  ହୋଇଛି   । ସେଥିରେ  ବର୍ଣ୍ଣିତ  injurious  agents  କ’ଣ   ହୋଇପାରେ ? ଅସ୍ତ୍ରଚିକିତ୍ସା  ସମ୍ପର୍କିତ  ହ୍ୟାନିମାନଙ୍କର  କିଭଳି  ଯୁକ୍ତିସଙ୍ଗତ  କଥା  ତାହା  ଅର୍ଗାନନ୍ ର  ୧୮୬  ସୂତ୍ରରୁ  ଜଣାଯାଏ  । ସେହି  ବିରାଟ  ସୂତ୍ରର  ସଂକ୍ଷିପ୍ତ  ବିବରଣ  ଡାକ୍ତର  ସି: ଏ: ବଲଡଉଇନଙ୍କ  ଲେଖାରୁ  ପଢି   ଶୁଣାଉଛି   ।

“Surgery  must  be employed to repair  and  correct  the  results  of  mechanical  injuries, malformations  and  irreparable  pathology.  The  systemic involvement  excited  by  the  local  affections  of recent  origin, due to  injury, is to be  subdued  by  the  internal  administration  of the  indicated  remedy…..”

ଜୀବର  ଜୀବନ  ରକ୍ଷାପାଇଁ  immunologyର  ଯେ  ସମସ୍ତ  ପଦ୍ଧତି  ତାହାକି  ସେହି  ମହାତ୍ମାଙ୍କର  ନିର୍ଦ୍ଦେଶିତ  ମତାମତ  ଛଡା  ଅନ୍ୟ  କିଛି   ? ଅର୍ଗାନନ୍  ୬ଷ୍ଠ  ସଂସ୍କରଣର  ୬୩  ନମ୍ବର   ପାଦଟୀକାରେ   ବସନ୍ତରୋଗ   ଟୀକା  ସମ୍ପର୍କରେ  କହିବାକୁ  ଯାଇ  ସେ  କହିଛନ୍ତି  “The  benefit  which mankind  received  from  cowpox vaccination  by  which  the   vaccinated   individual  is  protected  against  future  smallpox infection …… both  cowpox  and  small  pox  are….. similar . ” Attenuation  of  bacteria ଓ standardisation of  vaccine ର  ଯେ  ଅନ୍ତର୍ନିହିତ    ମର୍ମ  ସେଥିପ୍ରତି   ଆମ  ଶକ୍ତିକରଣ  ଅହବା  ହୋମିଓପାଥିର   ନୀତିଗତ  ତଫାତ୍  କେଉଁଠି  ?  ଅର୍ଗାନନ୍ ର  ମୁଖବନ୍ଧର  ୩୨  ନମ୍ବର  ପାଦଟୀକା (୬ଷ୍ଠ  ସଂସ୍କରଣ) ରେ   ଆଇସୋପାଥିକୁ  ସମାଲୋଚନା  କରିବାକୁ  ଯାଇ  ହ୍ୟାନିମାନଙ୍କ  ବକ୍ତବ୍ୟ   ମୁଁ  ଏଠାରେ  ଉଦ୍ଧାର  କରୁଛି  । ଯଦିଓ  ହ୍ୟାନିମାନ  ଡାକ୍ତର  ଲକସଙ୍କ  ଆଇସୋପାଥି   ପ୍ରତି  ଖୁବ୍  ବୈମାତୃକ  ଓ  ଖାମଖେୟାଲି, ତଥାପି  potentiated  disease  produst  ବା  attenuated  bacteria, ଯାହାକି  ଆଇସୋପାଥିରେ  ବ୍ୟବହୃତ  ହୁଏ  ତାଙ୍କ  ମତାମତ   ସହିତ  ପ୍ରାୟ  ଏକ  ମେଳ ଏହା  କହିବା  ବାହୁଲ୍ୟମାତ୍ର   । ସେ  କହିଛନ୍ତି  “In  like  manner  a hand  scalded with  boiling  water  would  not  be  cured  isopathically  by  the  application  of  boiling  water, but  only  by  somewhat  lower temperature. As  for example, by  holding it in  a  vessel containing a fluid  heated  to   which  becomes  very  minute  less  hot, and  finally   desends to the  temperature  of  the  room  where  upon  the  scalded part  is  restored homeopathically . ” ମୁଁ  ଆଶାକରେ   ଏହି  ପାଦଟୀକା  ଆମୂଳଶେଷ   ସମସ୍ତ  ଛାତ୍ରଙ୍କର  ଏକ  ସ୍ଵାଧୀନ, ଅପକ୍ଷପାତ  ଭାବରେ  ଅପଢିବା  ଅତ୍ୟନ୍ତ   ଆବଶ୍ୟକ   । ହ୍ୟାନିମାନଙ୍କ  ପ୍ରଦତ୍ତ  ମୂଳନୀତିକୁ   ଧରି  ସମସ୍ତପ୍ରକାର  ମତର  ଉର୍ଦ୍ଧ୍ଵରେ  ରହି  ଆମକୁ  ଏ  ଶାସ୍ତ୍ରର  ଅଧ୍ୟୟନ  କରିବାକୁ  ପଡିବ   ।

ଯେଉଁଠି  ବିପକ୍ଷବାଦୀଙ୍କର  ଆଜିର   କାର୍ଯ୍ୟକଳାପ  ଓ  ଚିନ୍ତାଧାରା   ଆଜିକୁ  ଦେଢଶହ  ବର୍ଷ  ଆଗେ  ମହାପୁରୁଷ   ହ୍ୟାନିମାନଙ୍କ  କଥିତ  ସିଦ୍ଧାନ୍ତ  ସହିତ  ପ୍ରାୟ  ମେଳ  ହୋଇ  ଆସୁଛି,  ସେ  କ୍ଷେତ୍ରରେ   ପ୍ରଶ୍ନହେଉଛି  ହୋମିଓପାଥିର  ଉନ୍ନତିର  ବାଧା  କେଉଁଠି   ?

ବନ୍ଧୁଗଣ, ଏଇଠି  ମୁଁ  ଆପଣମାନଙ୍କୁ  ନିଜ  ଘର   ଭିତରକୁ  ଫେରି  ଚାହିଁବାକୁ  କହୁଛି   । ହ୍ୟାନିମାନ  ମଧ୍ୟ  ଠିକ୍ ଏହି  କଥା  ତାଙ୍କ   ଅର୍ଗାନନ୍  ଅଫ୍  ମେଡ଼ିସିନରେ  ଉଲ୍ଲେଖ   କରିଛନ୍ତି  (୫ମ  ସଂସ୍କରଣ  ୧୪୯ ପାଦଟୀକା)  । ଘରଢିଙ୍କି  କୁମ୍ଭୀର   ହେଲେ  ଯେ  ଅବସ୍ଥା  ହେବାର  କଥା  ଠିକ୍  ସେହିକଥା  ହିଁ  ଘଟୁଛି   । ଏ  କୁମ୍ଭୀର   କିନ୍ତୁ  ଦୁଇ  ପ୍ରକାରର (୧) ଘଡିଆଲ, (୨) ଥଣ୍ଟିଆ   ।

ଯେଉଁଠି  ବିପକ୍ଷବାଦୀମାନେ   ଧୀର  ମନ୍ଥର  ଗତିରେ   ଆମ  ରାସ୍ତାକୁ  ପାଦ  ବଢାଇବାକୁ  ଆସୁଛନ୍ତି,  ଶେଠୀ  ଘଡିଆଳ ଦଳ  ଅର୍ଗାନ  ଅଫ୍  ମେଡ଼ିସିନର  revision, ଚାହାନ୍ତି, ସେମାନେ   ଇଞ୍ଜେକ୍ସନ  ଚାହାନ୍ତି,  ସେମାନେ  ଚାହାନ୍ତି  ହୋମିଓପାଥିକ   ଔଷଧର   ବହୁ  ଔଷଧ  ସମ୍ମିଶ୍ରଣ   କରିବା   ବିଦ୍ୟା   । ଏକ  ସଙ୍ଗେ  ବହୁ  ଔଷଧର  ପ୍ରୟୋଗ, ପେମେଣ୍ଟ  । ମୋଟକଥା  ହୋମିଓପାଥିର  ଆଧୁନିକୀକରଣ   । ଆରେ   ବାବୁ   ଆଧୁନିକୀକରଣ   କ’ଣ  ହେଲା ? ବହୁ  ଔଷଧ  ସମ୍ମିଶ୍ରଣ କରିବା  ବିଦ୍ୟା  ତ  ହୋମିଓପାଥିର  ବହୁ  ଆଗରୁ   ରହିଛି  । ଏଲୋପାଥି  ଔଷଧ  ତିଆରିର  ମୂଳ  ତତ୍ତ୍ଵ  ହେଲା :

(1)  Basis – the  ingredient  with  which  it is  hoped  to  effect  a cure. (2) Adjuvent – the  second  component  represented  by  a  drug  introduced  to  aid  the  action  of  the  basis, so  that  it  may  produce its  effects   more  quickly. (3) Corretive -  the  3 rd  component  designed   to  correct  some  undesirable  property of  the  basis, so  that  it  may be administered  safely. (4) Vehicle – in  which  the  whole  items  of  medicines  is  served  for  the  patient .

ଏ  ଧରଣର  ଔଷଧ  ପ୍ରୟୋଗର   କାରଣ  ହେଉଛି, ପ୍ରଥମ   ମୂଳ  ଔଷଧର   କାର୍ଯ୍ୟକାରିତା  ସମ୍ପର୍କରେ  ସନ୍ଦିହାନ  ଥିବାରୁ  ଅନ୍ୟ  ଏକ  ଔଷଧ  ଦ୍ଵାରା  ତା’ର  କାର୍ଯ୍ୟକାରିତାକୁ  ଠେଲି  ଏକପାଦ  ଆଗେଇ   ନେବା ଓ ଆଉ  ଏକ  ଔଷଧ  ଦେଇ  ତା’ର  କାର୍ଯ୍ୟକାରିତାକୁ  ଟାଣି  ଅଧ ପାଦେ   ପଛେଇ   ଦେଇ  ଠିକଣା  ଜାଗାରେ, ଖାପରେ  ପକାଇ  ଦେବା   । ଅଦ୍ଭୁତ  ଏ  ଅନୁମାନସିଦ୍ଧ   କାର୍ଯ୍ୟ   ।

କିନ୍ତୁ  ହୋମିଓପାଥିରେ  ଏହାର  ଆବଶ୍ୟକତା  କେତେ  ଦୂର  ? ଆମେ  ତ  ଜାଣୁ  ଯେଉଁ  ଔଷଧ  ପ୍ରୟୋଗ କରୁଛୁ  ତାହାର  କାର୍ଯ୍ୟକାରୀ  କ୍ଷମତା  କେତେ   । ପୁନଶ୍ଚ  ରୋଗ  ଅବସ୍ଥାରେ  ଏକ  ନିର୍ଦ୍ଧିଷ୍ଟ  ରୋଗଶକ୍ତି  ପ୍ରତି  ରୋଗୀର  ପ୍ରବଣତା  ଉପରେ   ଆମ ଔଷଧର  ନିର୍ବାଚନ   । ଆମ  ଔଷଧତ  ଡ୍ରଗ  ହିସାବରେ  ବ୍ୟବହାର  ହୁଏନା, ହୁଏ  ରେମେଡି  ହିସାବରେ, ରୋଗୀର   ସ୍ପେସିଫିକ  ଔଷଧ  ଭାବରେ    । ଔଷଧ  କେତେଦୂର  କାମ  କିଭଳି  ଭାବରେ  କଲା ତା  ଉପରେ  ନିର୍ଭର  କରି   ଆମର  ଦ୍ଵିତୀୟ   ବ୍ୟବସ୍ଥାପତ୍ର   ହୁଏ   । ତେଣୁ  ଏ  ଔଷଧ  କାମ  ନ କଲେ  ଏଟା  ଦେଇ  ତା  କ୍ଷମତାକୁ  ବଢାଇ  ଦିଅ  । ବେଶି  ଗୁଣ୍ଡାମୀ  କଲେ  ପୁଲିସ  ଔଷଧ  ଦେଇ  ଥଣ୍ଡା  କରିଦିଅ  । ଏହା  କିପରି   ଏକ  ନୀତିଗତ  ପ୍ରଶ୍ନ  ହୋଇପାରେ  ଯେଉଁଠି   ଔଷଧର  କାର୍ଯ୍ୟକାରୀ  କ୍ଷମତା  ସମ୍ପର୍କରେ  ଆମେ  ସଂପୂର୍ଣ୍ଣ  ୱ୍ୟାକିବହାଲ  ? ରୋଗୀ  ଓ  ଭେଷଜର  ସମ୍ପର୍କ   କ’ଣ ଯାନ୍ତ୍ରିକ   ?

ହ୍ୟାନିମାନ  କିନ୍ତୁ  ଏହି  ଘଡିଆଳ  ଦଳଙ୍କର  ଏକ  ସୁନ୍ଦର  ନାମକରଣ  କରିଛନ୍ତି   । ସେ  ଏମାନଙ୍କୁ   ନକର  ବଦଳରେ  ସଙ୍କର   କହିଛନ୍ତି   । ସଙ୍କରମାନେ  କିନ୍ତୁ  ନୀଳକଣ୍ଠ  ମହାଦେବ  ଶଙ୍କର  ନୁହନ୍ତି, ଯେ  କି  ସମସ୍ତ  ହାଳାହଳକୁ  ଧରାକ୍ଲେଶ  ନିବାରଣ  ପାଇଁ  ଆକଣ୍ଠ  ପାନ  କରି  ହଜମ  କରିଥିଲେ   । ଭଗବାନ  ଶ୍ରୀକୃଷ୍ଣଙ୍କର  ଗୀତାବର୍ଣ୍ଣିତ  ବର୍ଣ୍ଣସଙ୍କର  ଏମାନେ   । ସଙ୍କରଜାତୀୟ  ଏହି  ଦଳର  ପ୍ରାଦୁର୍ଭାବ  ବା  ଉତ୍ପାତ  ସେହି  ହ୍ୟାନିମାନଙ୍କ   ଜୀବଦ୍ଦଶାରୁ  ହୋଇ  ଆସୁଛି   ।

ହ୍ୟାନିମାନଙ୍କ  ବର୍ଣ୍ଣସଙ୍କର   ବର୍ଣ୍ଣନା  ଖୁବ୍ ଯଥାର୍ଥ   । କାରଣ   ବର୍ଣ୍ଣସଙ୍କର  ବିବରଣ  ଦେବାକୁ  ଯାଇ  ‘ମନ’ ଲେଖିଛନ୍ତି :

“ବ୍ୟଭିଚାରଣେ  ବର୍ଣ୍ଣାନାମ, ଅବେଦ୍ୟୋ – ବେଦନେନଚ

ସ୍ଵ  କର୍ମଣାଚ  ତ୍ୟାଗେନ  ଜାୟନ୍ତେ  ବର୍ଣ୍ଣସଙ୍କରାଃ”  ।

ଅର୍ଥାତ୍  ବର୍ଣ୍ଣର   ବ୍ୟଭିଚାର  (ଅଧମ  ବର୍ଣ୍ଣର   ପୁରୁଷ  ସହିତ  ଉତ୍ତମ  ବର୍ଣ୍ଣର  କନ୍ୟାର  ବିବାହ), ଅବେଦ୍ୟୋ  ବେଦନ [ମାତାର   ସପିଣ୍ଡା, ପିତାର   ସଗୋତ୍ରା ଓ  ସମାନ  ପ୍ରବରା  (ଗୋତ୍ର) କନ୍ୟାର  ବେଦନା  ବା  ବିବାହ] ଓ  ସ୍ଵକର୍ମତ୍ୟାଗ  (ବର୍ଣ୍ଣାନୁଯାୟୀ  ଶାସ୍ତ୍ରୋକ୍ତ  ଯେ  କର୍ମ  ତାହାର  ତ୍ୟାଗ),  ଏହି  ତ୍ରିବିଧ  ପ୍ରକାରରେ  ବର୍ଣ୍ଣସଙ୍କର  ଉତ୍ପନ୍ନ  ହୁଏ   ।  (ମନୁ  ସଂହିତା  ୧୦/୨୪)

ମନୁଙ୍କର  ଏ  ବିବରଣ  ଯଥାର୍ଥ, କାରଣ  କୋମଳ  ଚିକିତ୍ସା  ହୋମିଓପାଥି  ନାରୀ  ସଦୃଶ,  Drastic  treatment  ଏଲୋପାଥି, ପୁରୁଷ  ସଦୃଶ  । ଏହି  ଦୁଇଟିର   ସମ୍ମିଶ୍ରଣ   ତଥା  ହୋମିଓପାଥି  ନାମରେ   ଏଲୋପାଥି   କରିବା  ସବୁ  ବର୍ଣ୍ଣସଙ୍କର  କାମ   । ତେଣୁ  ଏହାର  ଫଳ  “ସଙ୍କରୋ  ନରକୋୟେବ  କୁଳାଘ୍ନାନାଂ  କୁଳସ୍ୟଚ, ପତନ୍ତି  ପିତୋରା  ହ୍ୟୋସାଂ  ଲୁପ୍ତ  ପିଣ୍ଡୋଦକ  କ୍ରିୟାଃ ” ଆମ  ହୋମିଓପାଥି  ସମାଜକୁ   ଭୋଗ  କରିବାକୁ  ହେବ  ନାହିଁ  ତ  କିଏ  କରିବ   ?

ଦ୍ଵିତୀୟ  ପ୍ରକାରର   କୁମ୍ଭୀର  ଥଣ୍ଟିଆଙ୍କ  ଉତ୍ପାତ   କିନ୍ତୁ  ଯଦିଓ  ସେତେଟା  ଅଣ  ହୋମିଓପାଥିକ  ନୁହେଁ   ତଥାପି   ସେମାନେ  ହୋମିଓପାଥିର  ନୀତି  ନିୟମକୁ   ଏତେ  କଠୋର  ଭାବରେ   ଧରି  ବସିଛନ୍ତି  ଯେ  ସେଥିରେ  ହୋମିଓପାଥି   ଏକବାର  ଅଣନିଃଶ୍ଵାସୀ   ହୋଇପଡୁଛି   । ଯଦି  ସେହି  ମରହଟ୍ଟୀ  ଧାରଣାସବୁକୁ   ଆଡେଇ  ନୂତନ  ବିଜ୍ଞାନସମ୍ମତ  ଧାରାରେ  ଅର୍ଗାନନ୍  ସୂତ୍ରକୁ  ବିଶ୍ଳେଷଣ  କରିବାକୁ  କେହି  ଯାଏ  ତେବେ  ସର୍ବନାଶ    । ହିନ୍ଦୁ  ହୋଇଥିଲେ  ଗୋହତ୍ୟା  ବା  ବ୍ରହ୍ମହତ୍ୟା  ଦୋଷରେ  ଲିପ୍ତହେଲେ  ଯାହା  ଅବସ୍ଥା  ହୁଅନ୍ତା ସେଇଆ   । ଅସ୍ତ୍ରଚିକିତ୍ସା  ନା  ଶୁଣିଲେ  ନାକସିଟିକା – ରାମ  ରାମ  ସେ  କ’ଣ  ? ହୋମିଓପାଥି, ଅସ୍ତ୍ରଚିକିତ୍ସା : ହେ  ଭଗବାନ  ଏ କି  କଥା  ?  Similimum  ମାନେ  ଔଷଧ  ଓ  ଶକ୍ତି  ଦୁଇଟିର  ଯଥାର୍ଥ  ପ୍ରୟୋଗ, ଏଟାକୁ  ବୁଝାଇବାକୁ  ଯାଇ  ଯଦି  କେହି  ରେଡିଓର  ଟ୍ୟୁନିଙ୍ଗ  କଥା  କୁହେ   ତେବେ  ତ  ସତ୍ୟାନାଶ, ଏ  କ’ଣ  dynamic  theory  ସହିତ  ଏକ  ବାସ୍ତବ  ବସ୍ତୁର   ତୁଳନା  : Dehidration  ଅବସ୍ଥା, ଜଳୀୟଅଂଶ   ପୂରଣ   କରିବା  କଥା : ଶ୍ଵାସରୋଧ  ଅବସ୍ଥା, ଅକ୍ସିଜେନ  ଦିଅ -  ଏ ମା’ : ସେ  କ’ଣ   ? ହୋମିଓପାଥିର  ୧୨ଟା ବଜାଇବେ  ଏମାନେ  (୬୭ର  ପାଦଟୀକା  ସେମାନେ  ଦେଖନ୍ତୁ) । Anatomy , Physiology, Practice  of medicine (which includes Etiology, Pathology, Preventive $  Social  medicine) ଏସବୁ   ହୋମିଓପାଥିକ   ଚିକିତ୍ସାର  କି  ମର୍ମରେ   ଆସିବ   ?

ସୂତ୍ର  ୩ରେ  ଚିକିତ୍ସକର  ଯେ  ଗୁଣାଗୁଣ  ଅର୍ଗାନନ୍  ନିର୍ଣ୍ଣୟ  କରିଛନ୍ତି  ସେଥିରେ  ଗୋଟିଏ  କଥା  ଅଛି  ରୋଗ  ବିଷୟରେ  ଜ୍ଞାନ   । ଅବଶ୍ୟ  ଆମ  ମତରେ  ରୋଗ  ମାନେ  ହେଉଛି  ଏକ  ଅସୁସ୍ଥ  ମାନବର  ଅବସ୍ଥା  । ଯଦି  ଆମେ  ସୁସ୍ଥ  ମଣିଷକୁ  ନ ଚିହ୍ନୁ  ତେବେ  ତେବେ  ଅସୁସ୍ଥକୁ   ଜାଣିବୁ   କିପରି  ? ସୁସ୍ଥକୁ   ଜାଣିବାକୁ  ହେଲେ  ତା’ର  ଶାରୀରିକ  ଗଠନ  ଓ  ବିଭିନ୍ନ   ଅଙ୍ଗପ୍ରତ୍ୟଙ୍ଗର  କାର୍ଯ୍ୟକାରିତା  ସମ୍ବନ୍ଧରେ  ନ ଜାଣିଲେ  ସେ  ଜାଣିବା  ବା  ସେ  ମଣିଷଟିକୁ  ଚିହ୍ନିବା  କ’ଣ  ସମ୍ପୂର୍ଣ୍ଣ  ହେବ  ?

ତା’ପରେ  ସେଥିରେ  ସେ  ଆଉ  ଗୋଟିଏ  ଜ୍ଞାନର  କଥା  କହିଛନ୍ତି – knowledge of the obstacles  to  cure.  ଆପଣମାନେ   ସମସ୍ତେ  ଚିକିତ୍ସା  ଶାସ୍ତ୍ରର   ଛାତ୍ର,  ତେଣୁ   ସାଧାରଣ  ଲୋକଙ୍କୁ  ଯେପରି   ବୁଝାଇବାକୁ  ହୁଏ  ତାହାର  ପ୍ରୟୋଜନୀୟତା  ଏଠାରେ  ନାହିଁ   । ପ୍ରାକ୍ଟିସ  ଅଫ୍  ମେଡ଼ିସିନ୍  ଇତ୍ୟାଦିରେ  ଜ୍ଞାନ  ନ  ଥିଲେ  ଆପଣମାନେ  ହ୍ୟାନିମାନ  ଯେ  ମର୍ମରେ  obstacles  to  cure ର ବୟାନ  କରିଛନ୍ତି, ତା’ର  ଉଚିତ  କାର୍ଯ୍ୟଉପଯୋଗୀ  ଉପକାରିତା  ପାଇବେ  କି ? ପ୍ରତିବନ୍ଧକ  ଦୁଇ  ପ୍ରକାରର : ମୌଳିକ  ଓ  ପୋଷକ  । ଏସବୁ  ଜ୍ଞାନର  ଅଭାବ  ଥିଲେ  maintaining  obstacleଟା   ଜାଣିବେ  କିପରି  ? ରୋଗର  କାରଣ  ସମ୍ପର୍କରେ  ହ୍ୟାନିମାନ  ୩ଟି  କାରଣ   କହିଛନ୍ତି : fundamental (ମୌଳିକ), exciting (ଉତ୍ତେଜକ) ଓ  maintaining (ପୋଷକ)  । ଏସବୁ   ଜ୍ଞାନର   ଅଭାବରେ  ଆପଣ  exciting ଓ  maintaining  cause  ସମ୍ପର୍କରେ   ଅବହିତ   ହେବେ କିପରି ? ମୋର  ତ  ମନେହୁଏ   ହ୍ୟାନିମାନଙ୍କ  କ୍ରନିକ୍  ଡିଜିଜ୍ ରେ  ବିଭିନ୍ନ fundamental  causeର  ପ୍ରକାଶ  ସମ୍ପର୍କରେ   ଯେଉଁ  ବିବରଣ  ଦିଆ  ଅଛି  ସେଥିରେ  ସେସବୁ  ଶାସ୍ତ୍ରଜ୍ଞାନର  ପ୍ରୟୋଜନୀୟତା  ନିତାନ୍ତ   ଆବଶ୍ୟକ  ତାହା  ବୁଝିବାକୁ   ହେଲେ   ।

ତାପରେ  ଗୋଟାଏ  କାର୍ଯ୍ୟାପୋଯୋଗୀ  ନଜିର : ଗୋଟାଏ  ପ୍ରସବ  ବେଦନାଗ୍ରସ୍ତ  ଘଟଣା ; ଶୂଳ  ବେଦନା  ସହିତ  କମ୍ପ, ଖୁବ୍  ଘୋଡେଇ  ହେବାକୁ  ଚାହିଁଛୁ, ମନେ  କରୁଛି  ବୋଧହୁଏ  ପ୍ରଚୁର  ଘୋଡେଇ  ହେଲେ  ସେ  ପ୍ରସବ  ଯନ୍ତ୍ରଣା  ବେଶ୍  ସହ୍ୟକରି  ପାରିବ,  ଆକ୍ଷେପିକ  ବେଦନା, ପ୍ରତ୍ୟକ  ବେଦନା  ସହିତ  ତଳି  ପେଟ  ଓ  ପିଚାରେ  a sense  of  bearing  down  ଓ  ତାକୁ  କମାଇବାକୁ  ସେ  ବାରମ୍ବାର  ଦୁଇ  ଜଙ୍ଘ  ଯାକି  ରଖୁଛି , ମଳଦ୍ଵାରରେ  ଏକ  ଗୋଲାକାର  ବସ୍ତୁ  ରହିଛି  ଏପରି  ମନେ  କରୁଛି – କହିବାକୁ  ଗଲେ  ମୋଟାମୋଟି  ସିପିଆର  ପୂର୍ଣ୍ଣ  ଚିତ୍ର – Platy  pelloid  type  of pelvis (flat  pervis)  ମଧ୍ୟ  ରହିଛି  ଯାହାକି  ସିପିଆର  ଏକ  ଅଦ୍ଭୁତ  ଶାରୀରିକ  ଗଠନ  ।  ଏ  କ୍ଷେତ୍ରରେ   ଧାତ୍ରୀ  ବିଦ୍ୟାର  ଜ୍ଞାନ  ନ ଥିଲେ  ଖାଲି  ସିପିଆ  ଦେଇ  କୌଣସି  ଫଳ   ହେବ  କି  ?

ଏହି  ଯେ  ଗୁଣ୍ଡାମୀମତବାଦ  ଏ  ସବୁ  କୋଉଠିକା  କଥା  ? ହ୍ୟାନିମାନ  ଏସବୁ  ଶିଖିବାକୁ  ମନା  କରିଛନ୍ତି  ? ଦଳେ  ନ୍ୟସ୍ତସ୍ଵାର୍ଥ  ହିନ୍ଦୁ  ମଧ୍ୟଯୁଗରୁ  ନିଜ  କର୍ମଣିଆ  ପଣିଆକୁ  ବଜାୟ  ରଖିବା  ପାଇଁ  ହିନ୍ଦୁଶାସ୍ତ୍ରର  କଦର୍ଥ  କରି  ଧର୍ମର  ଯେପରି  ସତ୍ୟାନାଶ  କରିଛନ୍ତି  ଏ  ଦଳ  ହୋମିଓପାଥିର  ବାରଟା  ବଜାଇବେ  ହ୍ୟାନିମାନଙ୍କ  ନାମରେ   ।

ଏହାଛଡା  ଆଉ  ଏକ  ଶ୍ରେଣୀୟ  ଅଛନ୍ତି, ସେମାନେ  ହେଉଛନ୍ତି  ଏକ  ତୃତୀୟ  ଶ୍ରେଣୀର  ଦଲାଲ  । ଯେ  କି  ହୋମିଓ  ଶାସ୍ତ୍ରରେ, ଅଧିକନ୍ତୁ  ଚିକିତ୍ସା  ଶାସ୍ତ୍ରରେ  କିଛି  ନ ଜାଣି  ନିଜକୁ  ପଣ୍ଡିତ  ବୋଲି  ଦେଖାଇ  ହୋମିଓପାଥିକ  ସମାଜର  ନେତୃତ୍ଵ  କରିବାକୁ  ଆସିଛନ୍ତି  ଓ  ଶସ୍ତାରେ  ଆନ୍ତର୍ଜାତିକ  ଖ୍ୟାତି  କିଣିବାକୁ  ବସିଛନ୍ତି  ସାଧାରଣ   ଗ୍ରାମୀୟ  ହୋମିଓପାଥିଙ୍କର   ଅଜ୍ଞତାର   ସୁଯୋଗ  ନେଇ   । ଏମାନେ  ମଧ୍ୟ  ସେହି  କୁମ୍ଭୀର  ଗୋଷ୍ଠୀର    । କାରଣ  କୁମ୍ଭୀର  ଭଳି  ଯେଉଁ  ମୁଖରେ  ସେମାନେ  ଆହାର  କରନ୍ତି  ସେହି  ମୁଖରେ  ସେମାନେ  ମଳ  ତ୍ୟାଗ  କରନ୍ତି : ଏକ  ପକ୍ଷରେ  ହୋମିଓପାଥି  ପାଇଁ  ଅଶ୍ରୁମୋଚନ  କରନ୍ତି – ଇଂରାଜୀରେ  ଯାହାକୁ  Crocodile  tear  ବା  କୁମ୍ଭୀରାଶ୍ରୁ  କୁହନ୍ତି  ଓ  ଅନ୍ୟ  ପକ୍ଷରେ  ବିପକ୍ଷବାଦୀଙ୍କର  ହୋମିଓପାଥିର  ନିନ୍ଦାକୁ  ସମର୍ଥନ  କରି  ଏହା ଏକ  ବିଜ୍ଞାନସମ୍ମତ  ଶାସ୍ତ୍ର  ନୁହେଁ  ବୋଲି  ବୟାନ  କରନ୍ତି   । ଏକ  ପକ୍ଷରେ  ଘରୋଇ  ସ୍ଵଚେଷ୍ଟା  ଚିକିତ୍ସକଙ୍କ  ନିକଟରେ  କଲେଜ  ପଢୁଆ  ହୋମିଓପାଥିଙ୍କ  ବିରୁଦ୍ଧରେ   ମତାମତ  ସୃଷ୍ଟି  କରନ୍ତି  ଓ  ଅନ୍ୟ  ପକ୍ଷରେ  କଲେଜ  ପଢୁଆ  ହୋମିଓପାଥିଙ୍କ  ନିକଟରେ  ସ୍ଵଚେଷ୍ଟାମାନଙ୍କ  ବିରୁଦ୍ଧରେ  କହି  ଗୃହଯୁଦ୍ଧ  ସୃଷ୍ଟି  କରନ୍ତି  ଓ  ବୁଡିବୁଡି  ବିରୁଦ୍ଧାବାଦୀଙ୍କୁ  ଆଣି  ହୋମିଓପାଥିର  ଉନ୍ନତି  ନାମରେ  ଘରେ  ପୁରାନ୍ତି   ।  ଏଇ  ଯେ  ଜୟଚନ୍ଦ୍ର, ମିର୍ ଜାଫେର  ଓ  ଶିଖିମନାଇର  ଦଳ ; ଏକ  ଭୟଙ୍କର   ଗୋଷ୍ଠୀ  ବର୍ତ୍ତମାନର  ପରିସ୍ଥିତିରେ  ମୁଣ୍ଡଟେକି  ଉଠୁଛି   । ମୁଁ  ଜାଣେ   ଆପଣମାନେ  ସମସ୍ତେ  ଏହି  ସ୍ଵଚେଷ୍ଟା   ହୋମିଓପାଥିଙ୍କୁ  ଯଥେଷ୍ଟ  ସମ୍ମାନ  କରନ୍ତି   । ସେମାନଙ୍କର  ଦାନ  ହୋମିଓପାଥିର  ବଞ୍ଚିବା  ପାଇଁ  କମ  ନୁହେଁ   ଏକଥା  ଆପଣମାନେ   କେହି  ଅସ୍ଵୀକାର  କରନ୍ତି  ନାହିଁ   । ଆଜି  ଡାକ୍ତର  ରାଜେନ୍ଦ୍ର  ଦତ୍ତଙ୍କ  ଭଳି  ସ୍ଵଚେଷ୍ଟା   ହୋମିଓପାଥି  ନ ଥିଲେ  ଡାକ୍ତର  ମହେନ୍ଦ୍ର  ଲାଲ  ସରକାରଙ୍କ   ଭଳି  ଏକ ଦୁର୍ଦ୍ଦାନ୍ତ ଏଲୋପାଥିଙ୍କର   ମତ  ପରିବର୍ତ୍ତନ  ଘଟି  ନଥାନ୍ତା  ଓ  ହୋମିଓପାଥିର  ସମ୍ମାନ  ଏତେ  ଉନ୍ନତ  ହୋଇ ନ ଥାନ୍ତା  ଏ  ଦେଶରେ   । ସେହି  ସ୍ଵଚେଷ୍ଟାମାନଙ୍କର   ଚେଷ୍ଟା ନ ଥିଲେ  ଆଜି  ଆପଣମାନଙ୍କର   ହୋମିଓପାଥିକ  କଲେଜରେ  ଅଧ୍ୟୟନ   କରିବାର  ସୌଭାଗ୍ୟ  ଘଟିଥାନ୍ତା  କି  ନାହିଁ  ସନ୍ଧେହ   । ହୋମିଓପାଥିକୁ  ବଞ୍ଚାଇ  ରଖିବାର  ଦାୟିତ୍ଵ  ନେଇଛନ୍ତି  ଏହି  ସ୍ଵଚେଷ୍ଟା  ହୋମିଓପାଥିମାନେ   । ସେଥିପାଇଁ  ସେମାନଙ୍କର  ନ୍ୟାଯ୍ୟ  ସମ୍ମାନ  ଦେବାକୁ  କେହି  ପଶ୍ଚତପଦ   ନୁହେଁ   । କିନ୍ତୁ  ଏହି  ଶିଖିମନାଇ  ଦଳ ନିଜର  ସ୍ଵାର୍ଥଲାଭ  ପାଇଁ  ଆଜି  ଆମ  ଘରେ  ବିଭେଦର  ଅନଳ  ଜାଳୁଛନ୍ତି   ।

ତେଣୁ  ଏ  ବନ୍ଧୁଗଣ : ଆପଣମାନେ  ଛାତ୍ର, ଆପଣମାନଙ୍କର  ଲକ୍ଷ୍ୟ  ହେବା  ଉଚିତ  ଏକ  rational  ଏବଂ out and out   scientific  outlook  ନେଇ   ହୋମିଓ  ଶାସ୍ତ୍ରର  ପର୍ଯ୍ୟାଲୋଚନା  କରିବା, ଆଉ ଏହି  ଘଡିଆଳ ଓ  ଥଣ୍ଟିଆ  କୁମ୍ଭୀର  ତଥା  ଶିଖିମନାଇର   ଦଳଙ୍କୁ  ଦୃଢଭାବରେ  ଦମନ  କରିବାର  ଶପଥ  ନେବା  ହୋମିଓପାଥିକ  ସମାଜର  ଉନ୍ନତି  ପାଇଁ   । ଏହି  ଯେ  ଭୟଙ୍କର  ୩ଟି  ଶତ୍ରୁ,  ତାଙ୍କୁ  ପରାଜିତ  କରିବାକୁ  ହେଲେ  ଆପଣମାନଙ୍କ  ଭଳି  ଶିକ୍ଷିତ, ଉଦୀୟମାନ  ଯୁବକଙ୍କର  ପ୍ରୟୋଜନ  ବର୍ତ୍ତମାନ   । କିନ୍ତୁ  ସାବଧାନ  । ଭୟ, ମିଠା  କଥା  ଓ  ପ୍ରଲୋଭନରେ  ଯେପରି  ଆପଣମାନେ   ପଥ  ନ  ହୁଡନ୍ତି ; ଯଦି  କେବଳ  ଏହି  କେତୋଟି  କଥା  ଆମେ   ଆଜି  ଦିନରେ  ଚିନ୍ତା  କରିପାରୁ  ତେବେ  ସେହି  ମହାମାନବଙ୍କର  ଉଚିତ  ସମ୍ମାନ  ଆମେ  ଦେଇପାରିଲୁ  ବୋଲି  ମନେ  କରିବା   । ସଂଖ୍ୟାରେ  ଲଘୁ  ହେଲେ   ମଧ୍ୟ  ବୀରା  ଜନନୀର   ଏହି  ମୁଷ୍ଟିମେୟ  ହୋମିଓପାଥିକ  ଛାତ୍ରଙ୍କର   ଉଦ୍ଦେଶ୍ୟ   ମହୀୟାନ, ସେମାନଙ୍କ  ମନୋବଳ  ଗରୀୟାନ   । ଭାଇମାନେ   ମନେ  ରଖନ୍ତୁ “ଏକଶ୍ଚନ୍ଦ୍ର  ତମୋହନ୍ତି  ନଚତାରା  ଗଣରପି”  ।

ସଂଗୃହୀତ – ଡାକ୍ତର କମଳାକାନ୍ତ କର

3.42857142857
ତାରକା ଚିହ୍ନ ଉପରେ କ୍ଲିକ କରି ପୃଷ୍ଟାଟିକୁ ମୂଲ୍ୟାଙ୍କନ କରନ୍ତୁ
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top