ସେଆର କରନ୍ତୁ

ହ୍ୟାନିମାନ ସ୍ମରଣେ

ହ୍ୟାନିମାନ ସ୍ମରଣେ ୨୪୦ ତମ ଜନ୍ମଦିବସ ଉପଲକ୍ଷେ

ଉପକ୍ରମ

ଉନବିଂଶ  ଶତାବ୍ଦୀରେ, ଚିକିତ୍ସା  ଜଗତର  ତଦାନୀନ୍ତନ  ସର୍ବଶ୍ରେଷ୍ଠ  ପର୍ଯ୍ୟାଲୋଚକ , ସମାଲୋଚକ  ତଥା  ତାର୍ଦ୍ଦିକ, ହ୍ୟୁଫଲାଣ୍ଡ  ସାହେବ,  ସେ  ସମୟର ଯେଉଁ  ଚିକିତ୍ସକଙ୍କ   ସମ୍ପର୍କରେ  ମନ୍ତବ୍ୟ  ଦେଇ  କହିଥିଲେ : “ସେ  ଜଣେ  ବହୁ  ଅଭିଜ୍ଞତା  ଓ  ଦୂରଦୃଷ୍ଟି  ଦ୍ଵାରା  ପରିପୁଷ୍ଟ  ଚିକିତ୍ସକ” , ଆଜି  ତାଙ୍କରି  ଜନ୍ମତିଥି   । ଏକବିଂଶ   ଶତାବ୍ଦୀର  ଦ୍ଵାରଦେଶରେ  ଠିଆହୋଇ  ଚିକିତ୍ସା  ବିଜ୍ଞାନର  ଶ୍ରେଷ୍ଠ  ପଣ୍ଡିତମାନେ   ଯେଉଁ  ‘ଆୟୋଟ୍ରୋଜେନିକ  ଡିଜିଜ ’ , ‘ଔଷଧଜ  ରୋଗ’ ବା  ‘ଚିକିତ୍ସକକୃତ  ରୋଗ’ କଥା  କହୁଛନ୍ତି  ଏବଂ  ଯେଉଁ  କାରଣରୁ  ଏକ  ବିକଳ୍ପ – ଚିକିତ୍ସା – ପଦ୍ଧତି  ପାଇଁ  ଆଜି  ଜଗତ  ଆତୁରରେ  ଚିତ୍କାର  କରୁଅଛୁ, ପ୍ରାୟ  ଦେଢଶହ  ବର୍ଷପୂର୍ବେ, ସେହି  ଅଭିଜ୍ଞ, ଦୂରଦୃଷ୍ଟିସମ୍ପନ୍ନ   ଚିକିତ୍ସକ   କହିଥିଲେ  : “ଗୋଟିଏ   ବ୍ୟବସ୍ଥାପତ୍ର  ମଧ୍ୟରେ, ଏହିପରି   କେତେଗୁଡିଏ  ଅଜଣା  ବସ୍ତୁକୁ   ଇଚ୍ଛାକୃତଭାବରେ   ମିଶାଇ, ସେ  ସବୁର  ପ୍ରତିକ୍ରିୟାସମୂହକୁ  ଆହୁରି  ଅଧିକ  ଦୁର୍ବୋଧ  କରାଯାଏ  ଏବଂ  ଦୀର୍ଘକାଳଧରି  ସେସବୁର   ପ୍ରୟୋଗ   ଫଳରେ ଶରୀର  ମଧ୍ୟରେ  ନୂତନ  ଓ ପ୍ରାୟତଃ  ଦୁଃସାଧ୍ୟ  ଔଷଧଜ  ରୋଗସମୂହକୁ   ସୃଷ୍ଟି  କରାହୁଏ   ।” ଔଷଧ  ପ୍ରୟୋଗ  ଦ୍ଵାରା  ଏହିଭଳି  ଏକ ଜଟିଳ  ପରିସ୍ଥିତିରୁ  ଆର୍ତ୍ତ  ଜନତାକୁ  ‘ସ୍ୱଳ୍ପ  ସମୟ  ମଧ୍ୟରେ,  ଅତ୍ୟନ୍ତ  ନିର୍ଭର   ଯୋଗ୍ୟ  ଓ ବିନା  ପ୍ରତିକ୍ରିୟା   ସୃଷ୍ଟି  କରୁଥିବା  ଉପାୟରେ,  ସମ୍ପୂର୍ଣ୍ଣଭାବରେ  ଆରୋଗ୍ୟ  କରିବା’  ପାଇଁ  ଚିକିତ୍ସା  ପଦ୍ଧତିର  ଆବିଷ୍କାର  ଯିଏ  କରିଥିଲେ , ସେ  ହେଉଛନ୍ତି   ସେହି  ମାନବବାଦୀ, କାଳଜୟୀ  ଚିକିତ୍ସକ  ଡାକ୍ତର  ଖ୍ରୀଷ୍ଟିୟାନ  ଫ୍ରେଡେରିକ  ସାମୁଏଲ   ହ୍ୟାନିମାନ  ଏବଂ  ତାଙ୍କ  ଆବିଷ୍କୃତ  ସେହି  ନୂତନ  ଚିକିତ୍ସା  ପଦ୍ଧତି  ହେଉଛି  ହୋମିଓପାଥି   । ଆଜି  ତାଙ୍କରି  ଆଦର୍ଶରେ  ଅନୁପ୍ରାଣିତ   ହୋଇଥିବା  ପୃଥିବୀର  ସମସ୍ତ  ଚିକିତ୍ସକ  ଓ  ଏହି  ଅତୁଳନୀୟ  ଆବିଷ୍କାର  ଫଳରୁ  ଆରୋଗ୍ୟ  ଲାଭ  କରିଥିବା, ଅଗଣିତ   ରୋଗାର୍ତ୍ତୀ  ନିଜ  ନିଜ   ଅନ୍ତରର  କୃତଜ୍ଞତା, ଶ୍ରଦ୍ଧା  ଓ  ପ୍ରଣତୀ  ଜଣାଉଛନ୍ତି  ତାଙ୍କର  ଏହି  ଦୁଇଶତ  ଚାଳିଶତମ  ଜନ୍ମଦିବସରେ    ।

୧୭୫୫  ଖ୍ରୀଷ୍ଟାବ୍ଦ  ଏପ୍ରିଲ  ଦଶ  ତାରିଖରେ  ଜର୍ମାନୀର  ମିସେନ  ସହରର  ଏକ  ଦରିଦ୍ର  ଚିତ୍ରକର  ପରିବାରରେ  ପିତା  ଗଡଫ୍ରେଡ   ହ୍ୟାନିମାନ  ଓ  ମାତା  ଜୋହାନ୍ନା  ଖ୍ରୀଷ୍ଟିୟାନଙ୍କ   ଠାରୁ  ଜନ୍ମଗ୍ରହଣ  କରିଥିବା  ଶିଶୁ, ନିଜର  ଅଧ୍ୟବସାୟ  ଓ  ଦୂରଦୃଷ୍ଟି  ଫଳରେ   ଚିକିତ୍ସାଜଗତରେ  ଜଣେ  ଯୁଗପ୍ରବର୍ତ୍ତକଭାବରେ   ପରିଗଣିତ   । ବିନା  ପ୍ରତିକ୍ରିୟା  ଏବଂ  ସ୍ୱଳ୍ପ  ଖର୍ଚ୍ଚରେ  ନିରାମୟ  କରିପାରୁଥିବା, ହୋମିଓପାଥି  ଚିକିତ୍ସା  ପଦ୍ଧତି  ତଥା  ଔଷଧର  ଆବିଷ୍କାର୍ତ୍ତାଭାବରେ  କେବଳ  ନୁହେଁ, ଚିକିତ୍ସା  ବିଜ୍ଞାନରେ  ‘ଜୀବାଣୁ  ବିଜ୍ଞାନ’ ଓ  ‘ବିଶୋଧନ  ପ୍ରକ୍ରିୟା’ ର  ମାର୍ଗଦର୍ଶକ   ଭାବରେ  ମଧ୍ୟ  ସେ  ଅଗ୍ରଗଣ୍ୟ   ।

ଏସିୟାଟିକ  କଲେରା

୧୮୩୧  ମସିହାରେ  ‘ଏସିୟାଟିକ  କଲେରା’ ଯେତେବେଳେ  ପ୍ରଥମେ  ୟୁରୋପରେ  ପ୍ରବେଶ  କରି  ମହାମାରୀ  ରୂପରେ  ପ୍ରକାଶ  ପାଇଥିଲା, ସେତେବେଳେ  କଲେରାସମ୍ପର୍କିତ  ତାଙ୍କର  ନିବନ୍ଧମାନଙ୍କରେ  ସେ  କହିଥିଲେ  ଯେ, ‘ଜାହାଜର  ଡେକ୍ ରେ  ଥିବା  ଦୂଷିତ  ଜଳ  ସହିତ  ଏସୀୟ  ଦେଶମାନଙ୍କଠାରୁ  ସଂକ୍ରମିତ  ହୋଇ  ଆସିଥିବା, ଅତିକ୍ଷୁଦ୍ର  କୀଟାଣୁମାନଙ୍କ ଦ୍ଵାରା  ଏହି  ରୋଗର  ଜନ୍ମ’ ଏବଂ  ଏହି  ପ୍ରାଣହାନିକର  କ୍ଷୁଦ୍ରାତିକ୍ଷୁଦ୍ର   ଜୀବଗୁଡିକ  କର୍ପୁର  ବାଷ୍ପରେ  ଅଥବା  ଅଶୀଡିଗ୍ରୀର  ଉଚ୍ଚତାପରେ  ରୋଗୀର   ଶଯ୍ୟା  ଓ  ବସ୍ତ୍ରର  ବିଶୋଧନରେ  ନଷ୍ଟ  ହୋଇ  ଯାଆନ୍ତି   । ଏହା  ଦ୍ଵାରା ସେହି  କ୍ଷୁଦ୍ରାତିକ୍ଷୁଦ୍ର   ଜୀବାଣୁମାନେ  ଯେ  ରୋଗମାନଙ୍କ  ଧାରକ  ଓ  ବାହାକ  ତାହା  ବିଧିବଦ୍ଧ ‘ଜୀବାଣୁ – ବିଜ୍ଞାନ  ପ୍ରବର୍ତ୍ତନର  ପ୍ରାୟ  ବିଂଶତିବର୍ଷ  ପୂର୍ବରୁ  ହିଁ  ହ୍ୟାନିମାନ   ନିର୍ଦ୍ଧାରଣ  କରିଯାଇଛନ୍ତି  । କଲେରା  ଜୀବାଣୁର  ଆବିଷ୍କାର  ଏହାର  ପଚାଶ  ବର୍ଷ  ପରେ  ୧୮୮୩ ମସିହାରେ  ହିଁ  ହୋଇଥିଲା  ବିଶୋଧନସମ୍ପର୍କିତ  କାର୍ଯ୍ୟ  ଯଦି  ଲିଷ୍ଟରଙ୍କଠାରୁ  ଧରିବାକୁ  ହେବ, ତାହା  ହୋଇଥିଲା  ୧୮୬୭ରୁ   । ଲୁଇପାସଚରଙ୍କ  କାର୍ଯ୍ୟ  ତ  ଆହୁରି  ପରେ   ।

ପୁନଶ୍ଚ, ଭେଷଜର  ରୋଗ  ଆରୋଗ୍ୟକାରୀ  ଶକ୍ତି  କେବଳ  ତାହାର  ସୁସ୍ଥ  ଶରୀର  ମଧ୍ୟରେ  କେତେକ  କ୍ରିୟା  ଓ  ପ୍ରତିକ୍ରିୟା  ସୃଷ୍ଟି  କରିପାରୁଥିବା  ଗୁଣ  ଉପରେ  ହିଁ  ନିର୍ଭର  କରେ  ଏବଂ  ସେଥିପାଇଁ  ଏହାର  ପ୍ରୟୋଗ  ପୂର୍ବରୁ  ସେ  ସବୁର  ଶକ୍ତିକୁ  ପରୀକ୍ଷା  କରିନେଇ  ସେ  ସବୁର  ସଠିକ  ଧାରଣା  କରିନେବା  ଜଣେ  ଚିକିତ୍ସକର  କର୍ତ୍ତବ୍ୟ  ବୋଲି  ସେ  ହିଁ  ପ୍ରଥମେ  ଯୁକ୍ତିସମ୍ମତଭାବରେ  ପ୍ରବର୍ତ୍ତନ  କରିଥିଲେ   । ସେହି  କାରଣରୁ  ହିଁ  ପ୍ରତ୍ୟକ  ଭେଷଜ  ପଦାର୍ଥକୁ  ମନୁଷ୍ୟ  ଉପରେ   ପ୍ରୟୋଗ  କରିବା  ପାଇଁ , ତାକୁ  ବିଶୁଦ୍ଧ  କରି  ତାହାର  ବିଷକ୍ରିୟାକୁ  ନଷ୍ଟକରି, ସ୍ୱଳ୍ପତମ  ପ୍ରତିକ୍ରିୟା  ସୃଷ୍ଟି  କରୁଥିବା  ଅବସ୍ଥାକୁ  ଆଣିବାପାଇଁ, ଏକ  ବିଶେଷ  ଔଷଧ  ପ୍ରସ୍ତୁତି  ପ୍ରଣାଳୀର  ବ୍ୟବସ୍ଥା  କରି  ଯୁଗାନ୍ତର  ସୃଷ୍ଟି  କରିଥିଲେ  ସେ   ।

ଡା : ହ୍ୟାନିମାନ  ଥିଲେ  ଜଣେ  ଅତ୍ୟନ୍ତ  ବାସ୍ତବ ଅଭିଜ୍ଞତାର  ମଣିଷ  । କଠିନ  ଅଧ୍ୟବସାୟ ଓ ଇଶ୍ଵରଙ୍କ  ଉପରେ  ଥିଲା  ତାଙ୍କର  ପ୍ରଗାଢ  ଆସ୍ଥା   । ସେ  ଅତ୍ୟନ୍ତ  ସ୍ପଷ୍ଟ  ବାକ୍ୟରେ  ତାଙ୍କର  ଅମର  କୃତିମାନଙ୍କରେ  ଉଲ୍ଲେଖ  କରିଯାଇ  ଅଛନ୍ତି :  “ମୁଁ  ପାଠକମାନଙ୍କୁ  ସାବଧାନ  କରାଇଦେବା  ଉଚିତ ମନେକରୁଅଛୁ  ଯେ, ଆଳସ୍ୟ, ଆରମପ୍ରିୟତା  ଓ  ଅନମନୀୟତା, ସତ୍ୟର  ଯଜ୍ଞବେଦିକାରେ   ଫଳପ୍ରଦ  ସେବା  ପାଇଁ  ବାଧା  ସୃଷ୍ଟି  କରିଥାଏ   । କେବଳ  ବଦ୍ଧଧାରଣାରୁ  ନିବୃତ୍ତି  ଓ  ଅବିଶ୍ରାନ୍ତ  ଉତ୍ସାହ, ସମସ୍ତ   ମାନବିକ  କାର୍ଯ୍ୟ  ମଧ୍ୟରେ  ପବିତ୍ରତମ  ‘ପ୍ରକୃତ  ଚିକିତ୍ସା  କାର୍ଯ୍ୟ’ ରେ  ବ୍ରତୀ  ହେବା  ପାଇଁ  ତ୍ୱରାନ୍ୱିତ  କରିଥାଏ   । ଯେଉଁ  ଚିକିତ୍ସକ  ଏହି  ଭାବନା  ନେଇ  ତାଙ୍କର  କାର୍ଯ୍ୟରେ  ବ୍ରତୀ  ଓ  ଯାହାଙ୍କର  ମାନାସୃଷ୍ଟିକୁ  ରକ୍ଷା  କରିବାରେ  ସେ  ସାହାଯ୍ୟ  କରନ୍ତି  ତଥା  ଯାହାଙ୍କର  ଆଶୀର୍ବାଦ  ଦ୍ଵାରା  ସେ  ଧନ୍ୟ, ସେହି  ପରମକାରୁଣିକଙ୍କଠାରେ  ସେ  ସାକ୍ଷାତରେ  ଯୁକ୍ତ  ହୋଇଥା’ନ୍ତି  ।”

ଚିକିତ୍ସକମାନଙ୍କୁ  ଉପଦେଶ  ଦେଇ  ସେ  ପୁଣି  ଲେଖିଛନ୍ତି : “ଇଶ୍ଵରଙ୍କ  ପ୍ରତିନିଧିରୂପେ  ପୃଥିବୀରେ  ଛିଡାହୋଇ, ମାନଜାତିର  ମଙ୍ଗଳକାରୀ  ହେବାଭଳି  ମହତ୍ତର  ଉଦ୍ଦେଶ୍ୟ   ଘେନି  ତୁମ୍ଭେ  ଚିକିତ୍ସକ  ହେବାର  ଅଭିଳାଷ  ରଖିଥିଲେ, ଉତ୍ତମ  ମନୁଷ୍ୟ  ହେବାର  ଆକାଂକ୍ଷା  ଥିଲେ, ତୁମ୍ଭେ   ସାମାନ୍ୟ  କେତେକଙ୍କ  ମଧ୍ୟରେ  ମଧ୍ୟ  ଜଣେ  ବାସ୍ତବ  ସୁଖୀ  ଓ  ଆନନ୍ଦିତ  ବ୍ୟକ୍ତି  ହେବ  । ତୁମ୍ଭଲାଗି  ମୁଁ  ଏହା  ହିଁ  ଇଚ୍ଛା  କରୁଛି, ଆଶା  କରୁଛି  ।” “ଉତ୍ତମ  ବ୍ୟକ୍ତି  ହିଁ  ନିଶ୍ଚିତ  ଭାବରେ  ଐଶ୍ଵରୀୟ  ସହାୟତା  ଲାଭ  କରିପାରେ   । ତାଙ୍କ  ବିନା  ଆମହେ  କିଛି  କଇପାରିବା  ନାହିଁ  । ତାଙ୍କଠାରୁ  ସବୁ  ଆସେ  ଏବଂ  ସେ  ସବୁ  ସାହାଯ୍ୟରେ  ତାଙ୍କରି  ପ୍ରିୟ  ମନୁଷ୍ୟ  ପରିବାରର  ଆରୋଗ୍ୟ  ସାଧିତ  ହୁଏ  ।”

କାର୍ଯ୍ୟତଃ “ସର୍ବେ  ଭବନ୍ତୁ  ସୁଖୀନଃ, ସର୍ବେସନ୍ତୁ  ନିରାମୟା  । ସର୍ବେ  ଭଦ୍ରାଣି  ପଶ୍ୟନ୍ତୁ, ମା  କଶ୍ଚିତ  ଦୁଃଖଭାକ୍  ଭବେତ” , ପ୍ରାଚ୍ୟର  ଏହି  ମହନୀୟ  ଆଶୀର୍ବଚନକୁ  ମହାତ୍ମା  ହ୍ୟାନିମାନ  ସାକାର  କରିଯାଇଛନ୍ତି   । ତାହାର  ବ୍ୟବହାରିକ  ଉପଯୋଗ  କରିଯାଇ  ଅଛନ୍ତି   ।

ଏହିଭଳି  ଏକ  ମହାନ  ମାନବବାଦୀ  ଚିକିତ୍ସକ  ତଥା  ଦାର୍ଶନିକଙ୍କ  ଜନ୍ମଦିବସରେ  ତାଙ୍କର  ଏହି  ଆଦର୍ଶବାଣୀ  ଓ କର୍ମ  ଯଦି  ଆମ୍ଭମାନଙ୍କର  ଧ୍ୟେୟ  ହୁଏ, ତାହାହେଲେ  ହିଁ   ତାଙ୍କ  ପ୍ରତି  ଆମ୍ଭମାନଙ୍କର  ଯଥେଷ୍ଟ  ସମ୍ମାନ  ପ୍ରଦର୍ଶନ  ହୋଇପାରିବ   ।

ସଂଗୃହୀତ – ଡାକ୍ତର କମଳାକାନ୍ତ କର

3.28571428571
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top