ସେଆର କରନ୍ତୁ

ହ୍ୟାନିମାନଙ୍କ ମତରେ ବର୍ଣ୍ଣସଙ୍କର

ହ୍ୟାନିମାନଙ୍କ ମତରେ ବର୍ଣ୍ଣସଙ୍କର ର ସୂଚନା

ଅର୍ଥାତ୍

“ବ୍ୟଭିଚାରେଣ  ବର୍ଣ୍ଣାନାମ, ଅବେଦ୍ୟୋ – ବେଦନେନଚ

ସ୍ଵକର୍ମଣାଚ   ତ୍ୟାଗେନ  ଜାୟନ୍ତେ  ବର୍ଣ୍ଣସଙ୍କରାଃ  ।

ବର୍ଣ୍ଣର  ବ୍ୟଭିଚାର  (ଅଧମ  ବର୍ଣ୍ଣର  ପୁରୁଷ  ସହିତ  ଉତ୍ତମ  ବର୍ଣ୍ଣର  କନ୍ୟାର  ବିବାହ),  ଅବେଦ୍ୟୋ  ବେଦନ(ମାତାର  ସପିଣ୍ଡା, ପିତାର  ସଗୋତ୍ରା ଓ  ସମାନ  ପ୍ରବରା  କନ୍ୟାର  ବେଦନ  ବା  ବିବାହ) ଓ  ସ୍ଵକର୍ମତ୍ୟାଗ  (ବର୍ଣ୍ଣାନୁଯାୟୀ  ଶାସ୍ତ୍ରୋକ୍ତ  ଯେ  କର୍ମ  ତାହାର  ତ୍ୟାଗ) ଏହି  ତ୍ରିବିଧ  ପ୍ରକାରର  ବର୍ଣ୍ଣସଙ୍କରର  ଉତ୍ପତ୍ତି  ହୁଏ   ।

ମନୁଙ୍କର  ବର୍ଣ୍ଣିତ  ବର୍ଣ୍ଣସଙ୍କର  ସମ୍ପର୍କିତ  ଏ  ବିଭାଗୀକରଣ   ପାଠକଲେ  ସ୍ଵଭାବତଃ   ଜଣେ  ହୋମିଓପାଥିଙ୍କର, ହୋମିଓପାଥିର  ପ୍ରତିଷ୍ଠାତା  ଡାକ୍ତର  ହ୍ୟାନିମାନଙ୍କ  ଲିଖିତ  “ଅର୍ଗାନନ୍  ଅଫ୍ ମେଡ଼ିସିନ୍ ” ଗ୍ରନ୍ଥର  ୫ମ  ସଂସ୍କରଣର  ୧୪୯ ସୂତ୍ର (୬ଷ୍ଠ ସଂସ୍କରଣ   ୧୪୮ ସୂତ୍ର) ର  ପାଦଟୀକା  ପ୍ରତି  ଦ୍ରୁଷ୍ଟି  ଆକର୍ଷିତ  ହୋଇଥାଏ   ।

“କିନ୍ତୁ  ପ୍ରକୃତ  ରୋଗାବସ୍ଥାରେ  ସର୍ବତୋଭାବେ  ଉପଯୁକ୍ତ  ସଦୃଶ   ଔଷଧର  ବିଚାର  ଓ  ନିର୍ବାଚନ   କରିବା  ଆୟାସପୂର୍ଣ୍ଣ  କାର୍ଯ୍ୟ  ଏବଂ  ସମୟ  ସମୟରେ  ଏହା  ଏଭଳି  ଶ୍ରମସାଧ୍ୟ  ହୁଏ ଯେ, ଏହି  କାର୍ଯ୍ୟକୁ  ଲାଘବ   କରିବା  ନିମନ୍ତେ  ଅତି  ଉପାଦେୟ  ଗ୍ରନ୍ଥସକଳ  ଥିବା  ସତ୍ତ୍ୱେ   ମୂଳ  ଉପାଦାନସମୂହକୁ  ଅଧ୍ୟୟନ   କରିବା  ସଙ୍ଗେ  ସଙ୍ଗେ  ଯଥେଷ୍ଟ  ସତର୍କତା  ଏବଂ  ଯଥାର୍ଥ  ବିଚକ୍ଷଣତା  ଅବଲମ୍ବନ  କରିବାର  ପ୍ରୟୋଜନ  ହୁଏ, ଯାହାର  ସର୍ବୋତ୍ତମ  ପୁରସ୍କାର  ନିହିତ  ଥାଏ  ବିଶ୍ଵସ୍ତ  ଭାବରେ  କର୍ତ୍ତବ୍ୟ  ସମ୍ପାଦନ  କରିବାର  ସଚେତନତାର  ମଧ୍ୟରେ  । କିପରି  ଏହି  ଆୟାସସାଧ୍ୟ, ଯତ୍ନସାପେକ୍ଷ  କାର୍ଯ୍ୟ, ଯାହାକି  ଉତ୍କୃଷ୍ଟ   ରୋଗାରୋଗ୍ୟ   ନିମନ୍ତେ  ଏକମାତ୍ର  ସଙ୍ଗତ  ବିଧି, ନୂତନ  ବର୍ଣ୍ଣସଙ୍କର  ଜାତୀୟ  ଭଦ୍ରଲୋକଙ୍କ  ସୁବିଧା  ପାଇଁ   ଉପଯୋଗୀ  ହୋଇପାରିବ, ଯେଉଁମାନେ  କି  ବହୁ   ସମ୍ମାନଷ୍ପଦ   ହୋମିଓପାଥି   ପଦବୀ  ଦ୍ଵାରା  ନିଜକୁ  ଗୌରାବାନ୍ଵିତ  କରନ୍ତି  ଓ  ବହ୍ୟାଡମ୍ବର  ସକାଶେ   ଯେନକେନ  ପ୍ରକାରେଣ  ହୋମିଓପାଥି   ଔଷଧର  ଆକାର  ସଦୃଶ  ବ୍ୟବସ୍ଥାପନା  କରନ୍ତି  ଏବଂ  ଯେଉଁମାନେ  ଯଦି  ସେହି  ଠିକଣା  ଭାବରେ  ବ୍ୟବସ୍ଥାପନା  ନ  ହୋଇଥିବା  ଔଷଧ  ଅବିଳମ୍ବେ   ଉପସମ  ଦେବାକୁ   ଅକ୍ଷମ  ହୁଏ,  ମନୁଷ୍ୟର  ସେହି  ଅତ୍ୟନ୍ତ  ପ୍ରୟୋଜନୀୟ  ଓ ଗୁରୁତର  କାର୍ଯ୍ୟ ସମ୍ପାଦନ  କରିବା  ପାଇଁ  ସେମାନଙ୍କର  ଅକ୍ଷମଣୀୟ  ଆଳସ୍ୟ  ଓ  ଅବହେଳା  ପ୍ରତି  ଦୋଷାରୋପ  ନ କରି  ହୋମିଓପାଥି  ନାମରେ  କାଲଙ୍କା  ବୋଳନ୍ତି  ସମ୍ପୂର୍ଣ୍ଣ  ତ୍ରୁଟିପୂର୍ଣ୍ଣ  ବା ଅସମ୍ପୂର୍ଣ୍ଣ   ଚିକିତ୍ସାପଦ୍ଧତି  ବୋଲି  (ବୋଧହୁଏ  ପ୍ରତ୍ୟକ  ପୀଡାପାଇଁ  ବିନା  ପରିଶ୍ରମରେ  ଉପଯୁକ୍ତ  ହୋମିଓପାଥିକ  ଔଷଧ  ତାଙ୍କ  ହାତପଇଠ  ହୁଅନ୍ତା – ରୂପକଥା  ବର୍ଣ୍ଣିତ  ଉଡନ୍ତା  ପାରାବତର  କବାବ ବ୍ୟାଦିତ  ମୁଖର  ଗହ୍ଵର  ମଧ୍ୟରେ  ସ୍ଵେଚ୍ଛାକୃତ  ଭାବେ  ଢୁକି  ପଡିଲା  ଭଳି) ..........”

ଡାକ୍ତର  ହ୍ୟାନିମାନଙ୍କ  ଏତାଦୃଶ୍ୟ  ମନ୍ତବ୍ୟରୁ  ଏହା  ପ୍ରତୀୟମାନ  ହୁଏ ଯେ, ଯେଉଁମାନେ  ହୋମିଓପାଥିର  ଭେକ  ଧାରଣା  କରି  ହୋମିଓପାଥିର  ନୀତିନିୟମକୁ  ଜଳାଞ୍ଜଳୀ  ଦେଇ  ନିଜର  ସୁବିଧାନୁସାରେ  ଚିକିତ୍ସା  କରନ୍ତି  ସେମାନେ  ବର୍ଣ୍ଣସଙ୍କର  ଜାତୀୟ   । ମନୁସଂହିତାରେ  ମଧ୍ୟ  ସେହିକଥା  ଉଲ୍ଲେଖ   ଅଛି   ।

“ସ୍ଵକର୍ମଣାଚ  ତ୍ୟାଗେନ  ଜାୟନ୍ତେ  ବର୍ଣ୍ଣସଙ୍କରାଃ”

ବର୍ତ୍ତମାନ  ପ୍ରକୃତ  ହୋମିଓପାଥି  ବୋଇଲେ  କ’ଣ  ବୁଝାଏ  ସେଇଟା   ଟିକିଏ   ପରିଷ୍କାର  ହୋଇଯିବା  ଉଚିତ   । ତାହାହେଲେ  ଉଚ୍ଚ  ଆସନରେ  ବସିଥିବା  ହୋମିଓପାଥିର  ଗୌରବାନ୍ଵିତ   ପଦବୀମଣ୍ଡିତ   ବର୍ଣ୍ଣସଙ୍କରଙ୍କୁ  ଚିହ୍ନିବା  ସରଲା  ଓ  ସୁବିଧା  ହେବ   । କାରଣ –

“କରଇ  ନରକଗାମୀ, ଲୁପ୍ତକରି  ପିଣ୍ଡୋଦକ

ସଙ୍କର, କୁଳଘ୍ନଙ୍କର  କୁଳସହ  ପିତୃଲୋକ”

କରେ  କୁଳଘାତୀଙ୍କର  ଏ  ବର୍ଣ୍ଣସଙ୍କର  ପାପ

ସନାତନ  କୁଳଧର୍ମ,  ଜାତିଧର୍ମ  ଅପଳାପ

ଶୁଣିଛି  ମୁଁ  ଜନାର୍ଦ୍ଦନ : କୁଳଧର୍ମ  ହେଲେ  ନାଶ

ମାନବ  ଭାଗ୍ୟରେ  ଘଟେ  ନିୟତ  ନରକ  ବାସ   ।

ହୋମିଓପାଥି  କ’ଣ  ଜାଣିବାକୁ  ହେଲେ  ପ୍ରଥମେ  ହୋମିଓପାଥି  କ’ଣ  ବୁଝିବାକୁ  ହେବ, କାରଣ  ଯେ  ହୋମିଓପାଥି  କରନ୍ତି  ସେ  ହୋମିଓପାଥି  ବା  ହୋମିଓପାଥି  ଚିକିତ୍ସକ  ।

ଶାଦ୍ଦିକ  ଅର୍ଥ  ହିସାବରେ  ବୁଝିବାକୁ  ହେଲେ ହୋମିଓପାଥି  ଦୁଇଟି  ଗ୍ରୀକ  ଶବ୍ଦର  ଏକ  ଯୁଗ୍ମଶବ୍ଦ  Homoeos (ହୋମିଓସ୍) ମାନେ  Similar (ସଦୃଶ), ଏବଂ Pathos (ପାଥସ୍)  ମାନେ  Suffering (ପୀଡା)  । ଅର୍ଥାତ୍  ରୋଗୀର  ପୀଡା  ସଦୃଶ  ପୀଡା   ଉତ୍ପନ୍ନ  କରିପାରୁଥିବା  ଭେଷଜର  ପ୍ରୟୋଗ  ରୋଗୀ  କ୍ଷେତ୍ରରେ  ହେବାର  ବିଧାନ   ।

ଅପାତଦୃଷ୍ଟିରେ  ହୋମିଓପାଥିର  ସଂକ୍ଷେପ  ସଂଜ୍ଞା  ଏହା  ହେଲେ  ମଧ୍ୟ  ପ୍ରକୃତ  ହ୍ୟାନିମାନ  ନିର୍ଦ୍ଦେଶିତ  ହୋମିଓପାଥି  ବିଷୟ  ବିଚାରକୁ  ଆଣିଲେ  ଏହାର  ବ୍ୟବହାରିକ  ବିଧି  ଅନେକଗୁଡିଏ  ମୌଳିକ  ବିଚାର  ଉପରେ  ନିର୍ଭର  କରେ   । ଏହି  ସମସ୍ତ  ବିଧିବିଧାନକୁ  ବାଦ  ଦେଲେ  ନୀତି  ଦୃଷ୍ଟିରୁ  ହ୍ୟାନିମାନଙ୍କ  ପ୍ରତିଷ୍ଠିତ  ହୋମିଓପାଥିର  ବିଚାର  କରିବାର  କୌଣସି  ମାନେ  ହେବ  ନାହିଁ   । ତାହା  ହୁଏତ  କୌଣସି  ବିଶିଷ୍ଟ  ଚିକିତ୍ସକଙ୍କର  ଏକ  ନୂତନ  ଆବିଷ୍କାର  ହୋଇପାରେ   ।

ଯେଉଁ  କେତେଗୁଡିଏ   ମୌଳିକ  ବିଚାର  ଉପରେ  ଏହି  ଚିକିତ୍ସା  ପଦ୍ଧତିର  ପ୍ରୟୋଗାତ୍ମକ  ନାମ  ହୋମିଓପାଥି  ହେଲା,  ସେହି  ବିଚାରସବୁକୁ  ହ୍ୟାନିମାନ  ସାହେବ,  ତାଙ୍କ  ରଚିତ  “ Organon of Medicine ”  ଗ୍ରନ୍ଥରେ  ସୁବ୍ୟବସ୍ଥିତ   ଭାବରେ, ସୁରୁଚିପୂର୍ଣ୍ଣ  ଭାଷାରେ  ସୂତ୍ରବଦ୍ଧ  କରିଛନ୍ତି   । ୧୮୧୦ ମସିହାରେ  ଅର୍ଗାନନ୍ ର  ପ୍ରଥମ  ସଂସ୍କରଣରୁ  ଆରମ୍ଭକରି  ୧୯୨୧ ମସିହାରେ   ପ୍ରକାଶିତ  ଆର୍ଗନ୍ ର  ୬ଷ୍ଠ  ସଂସ୍କରଣ   ପର୍ଯ୍ୟନ୍ତ  ହୋଇଥିବା  ପ୍ରତ୍ୟକଟି  ସଂସ୍କରଣକୁ  ଅନୁଧ୍ୟାନ  କଲେ, ହୋମିଓପାଥିର  ପ୍ରୋୟୋଗାତ୍ମକ  କଳାର  ନୂତନ  ଉନ୍ନତ  ପରିଶୁଦ୍ଧ  ବ୍ୟବସ୍ଥା  ଛଡା  ମୌଳିକ  ତତ୍ତ୍ଵଗତ   ବିଚାରରେ  ଅପରିବର୍ତ୍ତନତା  ହିଁ  ପରିଲକ୍ଷିତ   ହୁଏ   । (୬ଷ୍ଠ  ସଂସ୍କରଣରେ  ମଧ୍ୟ  ଯାହାର  ମୌଳିକ  ଚିନ୍ତାର   ପରିବର୍ତ୍ତନ  ହୋଇ ନ  ଥିଲା, ହ୍ୟାନିମାନ  ଆଜି  ବଞ୍ଚିଗଲେ  Organon କୁ  ଆଧୁନିକୀକରଣ  କରିଥା’ନ୍ତେ   ବୋଲି  ଅନେକ  ତର୍କ  କରିଥା’ନ୍ତି   । ଏହାର  ମୌଳିକ  ବିଚାର ହେଲା ସାତୋଟି  :

ସଦୃଶେ  ସଦୃଶ  ବିଧାନ

“ଜୀବ  ଶରୀରସ୍ଥ  ଏକ  ଦୁର୍ବଳ  ରୋଗ  ଅଧିକତର   ବଳବାନ  ଅନ୍ୟ  ଏକ  ରୋଗର  ସଂକ୍ରମଣ   ଦ୍ଵାରା   ସ୍ଥାୟୀଭାବରେ  ବିଲୁପ୍ତ   ହୁଏ, ଯଦି  ଶେଷୋକ୍ତ  ରୋଗଟି  ର  ଅଭିବ୍ୟକ୍ତି  ପ୍ରଥମୋକ୍ତ  ରୋଗର   ଅଭିବ୍ୟକ୍ତି  ସହିତ  ଅତ୍ୟନ୍ତ  ସଦୃଶ   ହୁଏ ”  । କୌଣସି  ଭେଷଜ  ସୁସ୍ଥ  ଶରୀରରେ  ଯେଉଁଭଳି  ରୋଗାଭିବ୍ୟକ୍ତି  ପ୍ରକାଶ  କରିପାରେ  ସେହି  ଭେଷଜ  ଅସୁସ୍ଥ  ଶରୀରରେ  ସଦୃଶ  ରୋଗାଭିବ୍ୟକ୍ତିକୁ  ବିଲୁପ୍ତ  କରିବାକୁ  ସକ୍ଷମ  । ଏ କ୍ଷେତ୍ରରେ ଏହା  ମନେରଖିବା  ଉଚିତ  ଯେ, ଭେଷଜ  ଶକ୍ତି  ସର୍ବଦା  ରୋଗ  ଶକ୍ତିଠାରୁ  ବଳବାନ, କାରଣ  ପ୍ରତ୍ୟକ  ଭେଷଜ  ପ୍ରତ୍ୟକ  ଜୀବ ଦେହରେ ତାହାର  କ୍ରିୟା  ପ୍ରକାଶ  କରିବାକୁ  ସକ୍ଷମ – ଔଷଧର  ମାତ୍ରା  ଓ  ପୁନଃ  ପ୍ରୟୋଗର  ଧାରାରେ  ହୁଏତ  ଊଣାଅଧିକେ  ପରିବର୍ତ୍ତନ  ଲୋଡା  ହୋଇପାରେ, ମାତ୍ର  ପ୍ରତ୍ୟକ  ରୋଗ  ଶକ୍ତି  ପ୍ରତ୍ୟକ  ଜୀବ  ଶରୀରରେ  ନିଜର ଅଭିବ୍ୟକ୍ତି  ପ୍ରକାଶ  କରିବାକୁ  ସକ୍ଷମ  ହୁଏ  ନାହିଁ, ଏହା  ଯେ  କୌଣସି  ମହାମାରୀର  ଦୃଷ୍ଟାନ୍ତରୁ  ପ୍ରତୀୟମାନ   ।

କ୍ରିୟାଶକ୍ତିର  ସ୍ଵିକୃତି

କ୍ରିୟାଶକ୍ତିର  ସ୍ଵିକୃତି – ଯିବାର  ସୁସ୍ଥାବସ୍ଥାର  କ୍ରିୟାକଳାପ  ଓ  ରୋଗାବସ୍ଥାର  କ୍ରିୟାକଳାପ  ଦେଖିଲେ  ମନେହୁଏ  କୌଣସି  ଏକ  ଶକ୍ତିର  ଅବିରତ   ପ୍ରବାହ  ଶରୀର   ମଧ୍ୟରେ  ଘଟୁଛି, ଯାହାର  ଆବର୍ତ୍ତମାନରେ  ଜୀବଦେହ  ଜଡ  ବସ୍ତୁରେ  ପରିଣତ  ହୁଏ   । ସୁସ୍ଥ  ଶରୀରରେ  ଏହି ଶକ୍ତିର  ପ୍ରବାହକୁ  “ଜୀବନୀ  ଶକ୍ତି” ଓ  ରୋଗାବସ୍ତାରେ  ପ୍ରବାହିତ  ଶକ୍ତିକୁ  “ରୋଗ ଶକ୍ତି ” କୁହାଯାଏ   । ଏହି  ରୋଗ  ଶକ୍ତି  ଦୁଇ  ପ୍ରକାରର, ପ୍ରାକୃତିକ  ଓ  କୃତ୍ରିମ   । ପ୍ରାକୃତିକ  ରୋଗ  ଶକ୍ତିକୁ  “ରୋଗ ଶକ୍ତି” ଓ  କୃତ୍ରିମ ରୋଗ  ଶକ୍ତିକୁ  “ଭେଷଜ  ଶକ୍ତି” କୁହାଯାଏ, କାରଣ  ଏହି  କୃତ୍ରିମ  ରୋଗ  ସୃଷ୍ଟି  କରିବାର  ଶକ୍ତି  ଭେଷଜର  ପ୍ରୟୋଗ  ଫଳରୁ  ଆମେ  ଜାଣୁ   ।

ଏହି  ପ୍ରତ୍ୟକ  ପ୍ରସଙ୍ଗକୁ  ବିଶଦଭାବରେ  ଆଲୋଚନା  କରିବାର  ସ୍ଥାନ  ଓ କାଳ  ଏହା  ନ  ଥିବାରୁ  କ୍ଷାନ୍ତ  ରହିବାକୁ  ପଡୁଛି ; ସମୟ  ଓ  ସୁବିଧା  ହେଲେ  ବାରାନ୍ତରରେ  ଆଲୋଚନା  କରିବାର  ବାସନା  ରହିଲା, କାରଣ  ଏହି  ବିଷୟ  କେବଳ  ଏକ  ସ୍ଵତନ୍ତ୍ର  ପ୍ରବନ୍ଧ  ଉପଯୋଗୀ   ।

ସେ  ଯାହା  ହେଉନା  କାହିଁକି, ଉପରିଲିଖିତ  ଦୁଇଟିଯାକ  ତତ୍ତ୍ଵକୁ  ସମ୍ୟକଭାବରେ  ଗ୍ରହଣ  କଲେ  ରୋଗୀ  ଚିକିତ୍ସା  କ୍ଷେତ୍ରରେ  ରୋଗୀର  ବିଭିନ୍ନ   ପୀଡାଦାୟକ  ଲକ୍ଷଣ  ସକଳକୁ  ପୃଥକ  ପୃଥକ  ରୋଗଭାବରେ  ଗ୍ରହଣ  କରିବାର  ଚିନ୍ତା  ମନ  ମଧ୍ୟକୁ  ଆସେ  ନାହିଁ  ଏବଂ  ଡାକ୍ତର  ହ୍ୟାନିମାନ  ଯେଉଁ  ମର୍ମରେ  “ଚିକିତ୍ସକର  ସର୍ବଶ୍ରେଷ୍ଠ  ଓ  ଏକମାତ୍ର   ଉଦ୍ଦେଶ୍ୟ  ହେଉଛି  ରୋଗୀକୁ  ସୁସ୍ଥ  କରିବାରେ, ଯାହାକୁ  କି  ପ୍ରକୃତ  ଅର୍ଥରେ  ନିରାମୟ  କୁହାଯାଏ”  ଏହି  ମହାନ  ଆଦର୍ଶଗତ  ଦୋହା  ମଧ୍ୟରେ  “ ରୋଗୀ ” ପଦର  ଅବତାରଣା  କରିଛନ୍ତି, ତା’ର   ବ୍ୟବହାରିକ  ଗୁରୁତ୍ଵ  ଆମେ  ଉପଲବ୍ଧି  କରୁ  । ସୁତରାଂ  ରୋଗୀର  ସମସ୍ତ  ପୀଡାଦାୟକ  ଲକ୍ଷଣ  ଏକ   କ୍ରିୟା  ଶକ୍ତିର  ଗୋଳଯୋଗରୁ, ଅନ୍ୟ  ଏକ  ରୋଗଶକ୍ତି  ଦ୍ଵାରା  ଯେ  ଉତ୍ପନ୍ନ  ତାହା  ଠିକଣା  ଭାବରେ  ବୁଝି, ସାମଗ୍ରିକ  ଭାବରେ, ପ୍ରଥମ  ବିଚାର  ଅନୁସାରେ  ବ୍ୟବସ୍ଥାପନ  କରିବା ହିଁ  ହୋମିଓପାଥିର  ବିଚାରସମ୍ମତ  ।

ଭେଷଜ  ଗୁଣ  ପରୀକ୍ଷା

ରୋଗ  ଆରୋଗ୍ୟ  ନିମନ୍ତେ  ଭେଷଜର  ପ୍ରୟୋଗ  ହୋଇଥାଏ, କାରଣ  ଭେଷଜର  ଜୀବ  ଶରୀରରେ  କିଛି  ପରିବର୍ତ୍ତନ  ଆଣିପାରିବା  ଭଳି  ଶକ୍ତି  ଥାଏ, ସୁତରାଂ  ଯେଉଁ  ଜୀବକୁ  ରୋଗମୁକ୍ତ  କରିବା  ନିମନ୍ତେ  ଭେଷଜ  ପ୍ରୟୋଗ  ହୋଇଥାଏ, ସେହି  ଜୀବ  ଉପରେ  ଔଷଧର  ପ୍ରକୃତ  କ୍ରିୟା  କ’ଣ  ଏବଂ  ତାହା  କିପରି  ଆଣିପାରେ  ଏହା  ଜାଣିବା  ଠାରୁ  ଅଧିକ  ସଙ୍ଗତ  ଚିନ୍ତା  କ’ଣ  ହୋଇପାରେ ?  ତେଣୁ  ରୋଗୀ  ଶରୀରରେ  ତା’ର  କ୍ରିୟା  ଅନୁଧ୍ୟାନ  କରିବା  ସବୁଠାରୁ  ବଳି  ଯୁକ୍ତିସୁଦ୍ଧ  ପନ୍ଥା   ।କୌଣସି  ମନୁଷ୍ୟ, ନିର୍ଦ୍ଧିଷ୍ଟ  ନିର୍ଦ୍ଧିଷ୍ଟ  କେତେକ  ଜୈବ – ରାସାୟନିକ  ପଦାର୍ଥସମ୍ପର୍କିତ   ବିଷୟ  ବ୍ୟତୀତ  କୌଣସି  ମନୁଷ୍ୟତର  ପ୍ରାଣୀ, ବିଶେଷ  କରି  ପ୍ରୟୋଗଶାଳା – ଜୀବ  ସହିତ  ସମାନ  ହୋଇ  ନ ପାରେ   । ତେଣୁକରି  ଡା : ଆଲବର୍ଟ  ଭନ୍  ହେଲର ଙ୍କର  ସୁସ୍ଥ  ମନୁଷ୍ୟ  ଉପରେ  ଔଷଧ  ପରୀକ୍ଷାର  ମତକୁ  ଯୁକ୍ତିସଙ୍ଗତ  ମନେକରି, ଡା : ହ୍ୟାନିମାନ  କାର୍ଯ୍ୟତଃ  ବ୍ୟବହାର  କଲେ   । ସୁତରାଂ  ହୋମିଓପାଥିର  ମୁଖ୍ୟ  ବ୍ୟବହାରିକ  ବିଚାର (୧ ନମ୍ବର) କୁ  କାର୍ଯ୍ୟରେ  ପରିଣତ   କରିବାକୁ  ଗଲେ  ଆମକୁ  କେବଳ  ସେହିସବୁ  ଔଷଧର  ବ୍ୟବହାର  କରିବାକୁ  ହେବ  ଯାହାର   ସୁସ୍ଥ  ଶରୀରରେ  ନିର୍ଦ୍ଧିଷ୍ଟ ପ୍ରକାରର  ପୀଡା  ସୃଷ୍ଟିକାରୀ  ଶକ୍ତି  ସମ୍ପର୍କରେ  ଆମେ  ଅବହିତ   ।

ଏକମାତ୍ର  ଔଷଧର  ପ୍ରୟୋଗ

ସୃଷ୍ଟି  ମଧ୍ୟରେ  କୌଣସି  ଦୁଇଟି  ଭିନ୍ନ  ପଦାର୍ଥ  ଏକାବେଳେ  ସବୁଗୁଣରେ  ଅଭିନ୍ନ  ନୁହେଁ   । ପ୍ରତ୍ୟକଙ୍କର  ନିର୍ଦ୍ଧିଷ୍ଟ  ବ୍ୟକ୍ତିଗତ  ବୈଶିଷ୍ଟ୍ୟ  ବା  ବ୍ୟକ୍ତିତ୍ଵ   ବିଦ୍ୟମାନ   । ସୁତରାଂ  ପ୍ରତ୍ୟକଟି  ବିଶେଷ  ପଦାର୍ଥର  କ୍ରିୟାମଧ୍ୟ  ବିଶେଷ  ପ୍ରକାରର  ଓ  ଅପରଠାରୁ   ଭିନ୍ନ   । ଏହି  ଦୃଷ୍ଟିରୁ  ପ୍ରତ୍ୟକ  ଔଷଧ  ପରୀକ୍ଷା  କାଳରେ  ପୃଥକ୍ ଭାବରେ  ନିଜର  ବ୍ୟକ୍ତିତ୍ଵର   ପରିଚାୟକ  ଲକ୍ଷଣ  ପ୍ରକାଶ  କରିଥାଏ   । ତେଣୁ  ଏକାଧିକ  ଔଷଧ  ଯୌଗିକ   ଭାବରେ  ସୁସ୍ଥ  ଶରୀରରେ  ପରୀକ୍ଷା  ନ  ହେବା  ପର୍ଯ୍ୟନ୍ତ  ରୋଗୀ  କ୍ଷେତ୍ରରେ   ପ୍ରୟୋଗ  ଅଯୌକ୍ତିକ  ଓ  ହୋମିଓପାଥି  ନୀତିବିରୁଦ୍ଧ   ।

ଯେହେତୁ  ଏକକ  ଭାବରେ  ଔଷଧର  ଗୁଣାଗଣ  ବ୍ୟକ୍ତିବିଶେଷଙ୍କ  ଏକକତ୍ଵ  ଉପରେ  ପରୀକ୍ଷା  କରାହୋଇ  ନିର୍ଦ୍ଧାରଣ  କରାହୋଇଥାଏ, ସେହି  ହେତୁ  ରୋଗୀ  କ୍ଷେତ୍ରରେ  ମଧ୍ୟ  ଏକକ  ଭାବରେ, ଏକ   ବ୍ୟକ୍ତିବିଶେଷଭାବରେ, ଔଷଧ  ସହିତ  ସାଦୃଶ୍ୟ  ବିବେଚନା   କରାଗଲେ, ତାହା  ସଦୃଶବିଧାନ  ହୋଇ  ହୋମିଓପାଥିର  ଲକ୍ଷ  ଓ  ଉଦ୍ଦେଶ୍ୟ  ପୂରଣ  କରିପାରିବ  ଓ ଅର୍ଗାନନ୍ ର  ପ୍ରଥମ  ସୂତ୍ରରେ  ଥିବା  “ରୋଗୀ” ର  ଆଦର୍ଶଗତ  ବୈଶିଷ୍ଟ୍ୟପୂର୍ଣ୍ଣ  ଏକକତ୍ଵକୁ  ପରିପୂରଣ  କରିବ   ।

ଉପଲିଖିତ  ୪ଟି  ବିଚାରକୁ  ଅନୁଧ୍ୟାନ  କଲେ  ଏହି  ସିଦ୍ଧାନ୍ତରେ  ଉପନୀତ  ହେବାକୁ  ହୁଏ ଯେ, ହୋମିଓପାଥି  ଏକ  ବ୍ୟକ୍ତିଗତ  ବୈଶିଷ୍ଟ୍ୟପରିଚାୟକ  କଳା : ରୋଗୀ  ଓ  ଭେଷଜର  ଏକକତ୍ଵକୁ  ସ୍ପଷ୍ଟଭାବରେ  ସ୍ଵୀକାର   କରି  ସଦୃଶତମ  ସମ୍ପର୍କ  ପ୍ରତିଷ୍ଠା  କରିବାର   ବିଧାନ  । ସୁତରାଂ  କୌଣସି  ରୋଗୀ  ମଧ୍ୟରେ  ଥିବା  ଏକକ  ଜୀବନୀଶକ୍ତି  ଏକକ  ରୋଗଶକ୍ତି  ଦ୍ଵାରା  ପରାଭୂତ  ହୋଇଥିବା  ଦୃଷ୍ଟିରୁ  ଏକ  ସମୟରେ  ବିଭିନ୍ନ  ପୀଡା, ଯଥା : କାନପଚା, ମୁଣ୍ଡବ୍ୟଥା, ଆଖିଧରା, କାଶ ଯଦି ଜାତ  କରାଉଥାଏ, ତେବେ  ପ୍ରକୃତ  ସଦୃଶବିଧାନନୁସାରେ  କୌଣସି  ଭେଷଜ  ଏକକ  ଭାବରେ  ଉକ୍ତ  ସମସ୍ତ  ପ୍ରକାରର  ପୀଡା  ଉତ୍ପାଦନକ୍ଷମ  ହୋଇଥିଲେ  ପ୍ରୟୋଗ  କରିବାର  କଥା  ପ୍ରକୃତ  ନିରାମୟ  ଉଦ୍ଦେଶ୍ୟରେ   । ତାହା  ନ  ହେଲେ  ହୋମିଓପାଥି  ନାମରେ  କାନପଚା  ପାଇଁ  ear drop  ମୁଣ୍ଡବ୍ୟଥା  ପାଇଁ  ପ୍ରଲେପ,  ଆଖିଧରା ଓ  ରୋଗୀପାଇଁ  ପୁଡିଆ  ବ୍ୟବସ୍ଥାପନା  ଏକ  ଅଳୀକ  ବ୍ୟବସ୍ଥା   । ରୋଗ ଓ  ଭେଷଜର  ସମ୍ପର୍କ  ନ ବୁଝି, ଯେହେତୁ  କେତେକ  କ୍ଷେତ୍ରରେ   କେତେକ  ନିର୍ଦ୍ଧିଷ୍ଟ  ଔଷଧ  କେତେକ  ନିର୍ଦ୍ଧିଷ୍ଟ  ପୀଡା  ଲକ୍ଷଣ  ଦୂରୀଭୂତ   କରିଥିବାରୁ  ବାତରୋଗ,  କାଶରେ  ରକ୍ତ  ଉଠି  ଉପସମ  ହେଲେ  Ledum, ଦହିଭଳି  ଖଣ୍ଡ  ଖଣ୍ଡ  ବାନ୍ତି  ପିଲା  କରୁଥିଲେ  Aethusa  ଅପେକ୍ଷା  ଶ୍ରେଷ୍ଠ Valeriana ,  ଆକ୍ଷେପଯୁକ୍ତ  ଉଚ୍ଚ  ଉକ୍ତଚାପ ପାଇଁ  Ipecac  ଶ୍ରେଷ୍ଠ  ଔଷଧ,  ଏହା  ବୟାନ  କରିବା  ହୋମିଓ  ନୀତିସମ୍ପର୍କିତ   ନୁହେଁ   । ଏ  ସମସ୍ତ  ଔଷଧ  ନିର୍ଦ୍ଧିଷ୍ଟ  ରୋଗୀର  ଏକତ୍ଵ  ବ୍ୟଞ୍ଜକ  ବ୍ୟକ୍ତିତ୍ଵ  ସହିତ  ସଦୃଶତମ  ନ ହୋଇଥିଲେ  ହୋମିଓପାଥି  ମତରେ  ନିରାମୟତା  ଆଣି  ନ ପାରେ   ।

ଡାକ୍ତର  ହ୍ୟାନିମାନ  ସ୍ଵୟଂ  ତାଙ୍କ  “Organon  of Medicine”  ଗ୍ରନ୍ଥର  ୭୩ ନମ୍ବର  ସୂତ୍ରର  ପାଦଟୀକାରେ   ଲେଖିଛନ୍ତି  “ସାଧାରଣପନ୍ଥୀ  ଚିକିତ୍ସକଗଣ  (ଯେଉଁମାନେ  ଏହି  ପ୍ରକାର  ଜ୍ଵରର  କେତୋଟି  ନାମ  ଠିକ୍ କରି  ରଖିଛନ୍ତି   ଯାହା  ବ୍ୟତୀତ   ଶକ୍ତିମୟୀ  ପ୍ରକୃତିଦେବୀ  ଅନ୍ୟ  କୌଣସି  ଜ୍ଵର  ସୃଷ୍ଟି  କରିବାକୁ  ସାହାସ  ହିଁ  କରିପାରିବେ  ନାହିଁ,  ସତେଯେପରି   ତାଙ୍କ  ଦ୍ଵାରା  ସ୍ଥିରୀକୃତ   କେତେଗୁଡିଏ   ପଦ୍ଧତି  ଅନୁସାରେ  ଏହି  ରୋଗସମୂହ  ଚିକିତ୍ସା  କରିବା  ପାଇଁ  ତାଙ୍କର  ଅନୁମୋଦନ  ଅଛି ) ଯେପରି  ପୂର୍ବ   ସିଦ୍ଧାନ୍ତମତେ  ଚିକିତ୍ସାର  ବ୍ୟବସ୍ଥା  କରିଥାନ୍ତି, ହୋମିଓପାଥିକ   ଚିକିତ୍ସକଗଣ  ସେହି  ପଥ  ଅନୁସରଣ  କରି  ପିତ୍ତଜ୍ଵର, ଟାଇଫାସଜ୍ଵର, ଦୂଷିତଜ୍ଵର,  ସ୍ନାୟବିକ  ଜ୍ଵର, ଶୈଷ୍ମିକ  ଜ୍ଵର  ପ୍ରଭୃତି  ଜ୍ଵରର  ବିଭିନ୍ନ  ନାମ  ସ୍ଵୀକାର  କରନ୍ତି  ନାହିଁ   । ସେମାନେ  ସେସବୁ  ପ୍ରତ୍ୟକଟିର  ଚିକିତ୍ସା  ସ୍ଵିକୀୟ  ବୈଶିଷ୍ଟ୍ୟ  ଅନୁସାରେ   କରିଥାନ୍ତି ”  ।

ଭେଷଜ ଶକ୍ତିକରଣ

ସୃଷ୍ଟିର  ପ୍ରତ୍ୟକ  ବସ୍ତୁ, ଜୈବ  ଅଥବା  ଅଜୈବ,  ଅପର  ଉପରେ  ନିଜର  ପ୍ରଭାବ  ଊଣାଅଧିକେ  ପକାଇଥାଏ  । ତେଣୁ  ଯେଉଁ  ପଦାର୍ଥସକଳକୁ  ଔଷଧ  ହିସାବରେ  ବ୍ୟବହାର  କରାଯିବ, ସେସବୁ  ଦ୍ରବ୍ୟର  ସେହି  ପ୍ରଭାବକୁ  ଉପଯୁକ୍ତ  ଭାବରେ  ରୋଗୀ  କ୍ଷେତ୍ରରେ  ବିନିଯୋଗ  ପାଇଁ  ତାର  ଆକାର  ଓ  ପ୍ରକାରକୁ  ନିର୍ଦ୍ଧାରଣ  ବା  ପ୍ରମିତକରଣ   କରିବା  ଆବଶ୍ୟକ   । ସଜ୍ଞାନରେ  ହେଉ  ଅଥବା   ଅଜ୍ଞାନରେ  ହେଉ, କୌଣସି  ବିଷକ୍ରିୟାସମ୍ପନ୍ନ  ପଦାର୍ଥ  ବା  ନିଷ୍କ୍ରିୟ  ପଦାର୍ଥକୁ   ମଧ୍ୟ  ବିନା  ଅନୁପାତରେ, ବିଷକ୍ରିୟାକୁ  ହ୍ରାସ  ନ କରି  ଅଥବା  ନିଷ୍କ୍ରିୟତାକୁ  ସକ୍ରିୟ ନ କରି  କେହି  ବ୍ୟବହାର   କରିବାକୁ  ବିବେକର  ସହିତ  ଅନୁମୋଦନ  କରିବେ  ନାହିଁ  । ସୁତରାଂ  ଏକ  ନିର୍ଦ୍ଧିଷ୍ଟ  ଗାଣିତିକ  ଧାରାରେ, ବିଶେଷ  ପ୍ରକ୍ରିୟାରେ, ଆଶୋଧିତ  ନିଷ୍କ୍ରିୟ  ବା  ବିଷାକ୍ତ  ଦ୍ରବ୍ୟକୁ   ଦ୍ରବଣୀୟ, ଶରୀରରେ  କାର୍ଯ୍ୟକ୍ଷମ  ଏବଂ  ଭେଷଜ   ଗୁଣାତ୍ମକ  ତଥା  ନିର୍ଦ୍ଦୋଷ  କରାଯାଏ   । ଏହି  ବିଶେଷ  ପ୍ରକ୍ରିୟାକୁ  ଶକ୍ତିକରଣ  କୁହାଯାଏ   । ଏହାଦ୍ଵାରା  ଭେଷଜର  ଗୁଣାତ୍ମକକ୍ରିୟା   ବିକଶିତ, ଉନ୍ନତ ଓ  ନିର୍ଦ୍ଦୋଷ  ହୋଇଥାଏ   ।

ସୁତରାଂ  ପ୍ରତ୍ୟକ  ଔଷଧ  ହୋମିଓପାଥି  ମତରେ  ବ୍ୟବହାର   ଉପଯୋଗୀ  ହେବାକୁ  ହେଲେ  ଏହି  ବିଶେଷ  ପ୍ରଣାଳୀରେ  ପ୍ରସ୍ତୁତ  ହୋଇଥିବା  ଉଚିତ, ସୁସ୍ଥ  ମାନବଶରୀର  ଉପରେ  ପରୀକ୍ଷିତ  ହେବା  ସଙ୍ଗେ  ସଙ୍ଗେ   ।

ସ୍ୱଳ୍ପ  ମାତ୍ରା

କୌଣସି  ଲୋକ  ରୋଗଗ୍ରସ୍ଥ  ହେବାର  ଅର୍ଥ, ସେ  ସେହି  ନିର୍ଦ୍ଧିଷ୍ଟ  ରୋଗାକ୍ରମଣ  ପାଇଁ  ବିଶେଷ ଭାବରେ  ପ୍ରବଣତାଯୁକ୍ତ   । ଏହା  ଯେକୌଣସି  ମହାମାରୀରୁ  ଉପଲବ୍ଧି  କରାଯାଇପାରେ   । ସୁତରାଂ ରୋଗାବସ୍ଥାରେ  ରୋଗୀର  ସେହି  ନିର୍ଦ୍ଧିଷ୍ଟ   ପ୍ରକାରର   ପୀଡା  ସୃଷ୍ଟି  କରିପାରିବାର   ଶକ୍ତିପ୍ରତି  ପ୍ରବଣତା  ଯଥେଷ୍ଟ  ବେଶି  ଥାଏ   । ତେଣୁ  ରୋଗ  ଲକ୍ଷଣ  ସଦୃଶ  ସୃଷ୍ଟି  କଲାଭଳି  ଭେଷଜ  ପ୍ରତି  ମଧ୍ୟ  ସେ  ପ୍ରବଣତା  ଯଥେଷ୍ଟ   । ଏ  କ୍ଷେତ୍ରରେ  ନିର୍ଦ୍ଧିଷ୍ଟ  ସଦୃଶ  ଔଷଧର  ପରିମାଣ  ଯଦି  ସ୍ୱଳ୍ପ  ନ ହୁଏ  ତାହାହେଲେ  ତାର  ପରିଣାମ  ଯେ  କ’ଣ  ହେବ   ଏହା  ନିମ୍ନତମ  ବିଚାରବୁଦ୍ଧିରେ  ମଧ୍ୟ  ଅନୁମାନ   କରାଯାଇପାରେ   । ଯେହେତୁ  ରୋଗୀର   ପ୍ରବଣତା   ଯଥେଷ୍ଟ  ପରିମାଣରେ   ଥାଏ, ସାମାନ୍ୟତମ  ମାତ୍ରାର  ଔଷଧ  ତତ୍ କ୍ଷଣାତ  ପ୍ରତିକ୍ରିୟା  ସୃଷ୍ଟି  କରିବାକୁ  ସକ୍ଷମ  ହୁଏ  ଓ  ତାହା  ସଦୃଶ  ବିଧାନ ମତେ  କାର୍ଯ୍ୟ  ହାସଲ  ପାଇଁ  ଯଥେଷ୍ଟ  ହୁଏ   । ଏବଂ  ଯେହେତୁ  ଔଷଧ  ଖୁବ୍ ସ୍ୱଳ୍ପ  ମାତ୍ରାରେ  ପ୍ରୟୋଗ  ହୁଏ, ଔଷଧର  କ୍ରିୟା  ମଧ୍ୟ  ସେହି  ଦୃଷ୍ଟିରୁ  କ୍ଷଣସ୍ଥାୟୀ  ହୁଏ   । ଫଳରେ  ଔଷଧ  ଶରୀର  ମଧ୍ୟରେ  ଯେଉଁ  ପ୍ରତିକ୍ରିୟା  ସୃଷ୍ଟିକରେ  ରୋଗଶକ୍ତି  ବିରୁଦ୍ଧରେ, କେବଳ  ସେଇଟା  ହିଁ  ରହି  ରୋଗ  ନିରାମୟ  କରେ   । ତେଣୁ  ସଦୃଶ  ବିଧାନ  ମତରେ  ଚିକିତ୍ସା  ପାଇଁ  ସ୍ୱଳ୍ପମାତ୍ର  ପ୍ରୟୋଗ  ନିତାନ୍ତ  ଅପରିହାର୍ଯ୍ୟ   ।

ପୁରାତନ  ରୋଗ – କଳୁଷର  ବିଚାର

ଏହି  ବିଚାର  ଅବଶ୍ୟ  ହୋମିଓପାଥି  ଚିକିତ୍ସା  ପଦ୍ଧତିର  ସର୍ବଶେଷ  ବ୍ୟବହାରିକ   ମୌଳିକ  ବିଚାର  ଓ  ପରବର୍ତ୍ତୀକାଳରେ  ଚିକିତ୍ସାରେ  ଅକୃତକାର୍ଯ୍ୟଜନିତ  ଗବେଷଣାସମ୍ଭୁତ  ।

ଜୀବନୀ  ଶକ୍ତିର  ଶତ୍ରୁଧର୍ମୀ  ବଳଶାଳୀ  କେତେକ   ଶକ୍ତି  ଯେତେବେଳେ   ଜୀବଶରୀରରେ  ପ୍ରବେଶ  କରେ, ତାହା  ଶରୀର  ମଧ୍ୟରେ  ପ୍ରଚ୍ଛନ୍ନ  ଭାବରେ  ରହି  ଯିବାକୁ  ରୋଗ  ପ୍ରବଣ  କରେ  ଏବଂ  କାର୍ଯ୍ୟତଃ  ପୁରାତନ  ବା  ଚିରରୋଗ  ସୃଷ୍ଟି  କରେ    । ଏହି  ଶତ୍ରୁଧର୍ମୀ  ଶକ୍ତିର  ବର୍ତ୍ତମାନରେ  ଜୀବ  ଯଦିଓ  ଅପାତ  ଦୃଷ୍ଟିରେ ସଦୃଶ  ଔଷଧ  ଦ୍ଵାରା  କେତେକ  ତରୁଣ  ପୀଡାରୁ  ଆରୋଗ୍ୟ ଲାଭ  କରେ, ପୁନଃପୁନଃ  ରୋଗ  ଭୋଗର  ପ୍ରବଣତା  ତାହା  ନିକଟରେ   କିନ୍ତୁ  ରହିଥାଏ   । ଏହି  ଘଟଣା  କେତେକ  ପର୍ଯ୍ୟବେକ୍ଷଣ  ତଥା  ଉପାଦନରୁ  ସ୍ଥିରୀକୃତ   । ଏହାର  ତାତ୍ତ୍ଵିକ  ଗୁରୁତ୍ଵ  ଯାହା  ଥାଉନା  କାହିଁକି, ଚିକିତ୍ସା  କ୍ଷେତ୍ରରେ  ପ୍ରୟୋଗାତ୍ମକ  ଗୁରୁତ୍ଵ  ଯେ  ଯଥେଷ୍ଟ  ବେଶି  ଏହା  କହିବା  ବାହୁଲ୍ୟମାତ୍ର   । କାରଣ  ହେଉଛି : (୧) ଆମେ  ଦେଖୁ  ଯେ  କେତେକ  କ୍ଷେତ୍ରରେ  ବିଧିବଦ୍ଧ  ଆରୋଗ୍ୟକାଳୀନ  ସ୍ଵାସ୍ଥ୍ୟୋନ୍ନତି ସମୟରେ  ହଠାତ୍  ରୋଗର  ବିକୃତି  ଓ ଜଟିଳତା  ପ୍ରକାଶ  ପାଏ   ଯାହାର  କୌଣସି  କାରଣ  ସିଧାସଳଖ  ବୁଝିବା  ସମ୍ଭବ  ହୁଏ  ନାହିଁ, (୨)  ଆପାତ   ଦୃଷ୍ଟିର  ସଦୃଶବିଧାନ  ନିୟମାନୁସାରେ   ନିର୍ଦ୍ଦେଶିତ  ଔଷଧ  ଯେ  କାର୍ଯ୍ୟ  କରିବାର  କଥା  ତାହା  ହୁଏ  ନାହିଁ   । ତେଣୁକରି  ଏହାର ପୃଷ୍ଠ  ଦେଶରେ  ବିଘ୍ନ  ଘଟାଉଥିବା   କୌଣସି  କାରଣ  ବା  କଳୁଷର  ବର୍ତ୍ତମାନତା  ସମ୍ଭବ  ବୋଲି  ବିଚାର  କରିବା  ଯଥାର୍ଥ ; ଏବଂ  ସେହି  ଦୃଷ୍ଟିରୁ  ଏହି  ଦୋଷକୁ  ପୁରାତନ  ଦୋଷ  ବା  ମୌଳିକ  କାରଣ  ଭାବରେ  ଅଧ୍ୟୟନ   ତଥା  ବିଚାର  କରିବାର  ପ୍ରୟୋଜନ  ହୁଏ   । ଡାକ୍ତର  ହ୍ୟାନିମାନ  ତଥା  ତାଙ୍କ  ପରବର୍ତ୍ତୀ  ସୂରୀମାନେ  ଯେଉଁ  ପୁରାତନ  କଳୁଷର   ପରିଚୟ  ପ୍ରଦାନ  କରିଛନ୍ତି  ଜଟିଳ  ଓ  ପୁରାତନ  ରୋଗ  ଚିକିତ୍ସା  କାଳରେ, ସେହି  ଜ୍ଞାନର  ଉପଯୋଗ  ହେଉଛି  ସଦୃଶବିଧାନର   ସର୍ବଶେଷ ଓ ସର୍ବଶ୍ରେଷ୍ଠ   ବିଚାର   ।

ଏହିସବୁ  ଦୃଷ୍ଟିରୁ  ହୋମିଓପାଥି  କ’ଣ  ବୋଲି  ଜାଣିବାକୁ  ହେଲେ  ଉଲ୍ଲିଖିତ  ସାତୋଟି  ବିଚାରର   ଉଚିତ  ଅଧ୍ୟୟନ  କରିବାର  ଆବଶ୍ୟକତା  ରହିଛି, ଏବଂ  ଏହି  ସମସ୍ତ  ନୀତିକୁ  ବିଚାର   କରି ଯେଉଁ  ବ୍ୟକ୍ତି  ଚିକିତ୍ସା  କାର୍ଯ୍ୟରେ  ବ୍ରତୀ  କେବଳ  ତାଙ୍କୁ  ହିଁ  ପ୍ରକୃତ  ହୋମିଓପାଥି  ବୋଲି  ଜ୍ଞାନ  କରିବାକୁ  ପଡିବ   । ଏହି  ନୀତିର  କିୟଦଂଶ  ବ୍ୟବହାରରେ  ହୋମିଓପାଥି  ହୁଏନା  ଅଥବା  ଭିନ୍ନ  ଭାବରେ  କହିବାକୁ  ଗଲେ   ହୋମିଓପାଥିର  ମୌଳିକ  ବିଚାରସକଳର  ଆଂଶିକ  ବ୍ୟବହାର  କରି  କେହି  ନିଜକୁ  ଦୃଢସ୍ଵରରେ  ହୋମିଓପାଥି  କହି ନ ପାରନ୍ତି   । ତେଣୁ  ହୋମିଓପାଥିର  ପ୍ରକୃତ  ସଂଜ୍ଞା  ହେଉଛି :

“ହୋମିଓପାଥି  ଚିକିତ୍ସକ  ହେଉଛନ୍ତି  ସେହି  ଚିକିତ୍ସକ  ଯେ  ସଦୃଶେ  ସଦୃଶ  ବିଧାନ ନୀତି  ଅନୁସାରେ, ରୋଗୀର  ଏକକତ୍ଵକୁ  ବିଚାରକୁ  ନେଇ, ସୁସ୍ଥ  ମାନବ  ଶରୀରରେ  ପୂର୍ବରୁ  ପରୀକ୍ଷିତ  ଶକ୍ତିକୃତ  ଭେଷଜକୁ  ଏକକ  ଭାବରେ  ସ୍ୱଳ୍ପମାତ୍ରାରେ  ପ୍ରୟୋଗ  କରନ୍ତି  ତଥା  ପୁରାତନ  ଓ  ଜଟିଳ  ରୋଗ  ଚିକିତ୍ସାକାଳରେ  ‘ପୁରାତନ  ରୋଗକଳୁଷ’  ବିଚାରରେ   ସଦୃଶତମ  ଔଷଧ  ନିର୍ବାଚନ  କରନ୍ତି ”  ଅନ୍ୟଥା, ସେ  ହୋମିଓପାଥି  ସମାଜରେ  ବର୍ଣ୍ଣସଙ୍କର   ଜାତୀୟ   ।

ସଂଗୃହୀତ – ଡାକ୍ତର କମଳାକାନ୍ତ କର

2.91666666667
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top