অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ମେଟେରିଆ ମେଡିକା -ଭାଗ ୨

ଆର୍ଜେଣ୍ଟମ  ନାଇଟ୍ରିକମ

ଆଖିଧରା, ଉଦରାମୟ – ବିଶେଷକରି  ପିଲାଙ୍କର  ଝାଡା  ରୋଗରେ, ଏହାର  ବ୍ୟବହାର  ବହୁତ  ହୁଏ  । ଆଖି  ଲାଲ  ହୋଇ  ଫୁଲିଥିବ  ଓ  ମେଞ୍ଚା  ମେଞ୍ଚା  ଲେଞ୍ଜରାରେ  ଆଖିପତା  ଯୋଡି  ହୋଇ  ଯାଉଥିବ,  ତାହାହେଲେ  ଏହାର ବ୍ୟବହାର  ସଙ୍ଗେ  ସଙ୍ଗେ  କରିବାର  କଥା   । ସେହିପରି  ବହୁତଚିନି ଓ  ମିଠାଖାଉଥିବା  ଛୁଆର  ସବୁଜ  ଝାଡା  ବା  ହଳଦିଆ  ଝାଡା  ହୋଇ  ସାଗୁଆ  ପଡିଯାଉଥିଲେ, ଏହା  ପ୍ରାୟ  ଅବ୍ୟର୍ଥ  । ଖାଇବା,  ପିଇବା  ସଙ୍ଗେ  ସଙ୍ଗେ  ଝାଡା  ହେଉଥିଲେ  ଓ  ପେଟରେ  ଖୁବ  ବାୟୁ  ସଞ୍ଚାର  ହେଉଥିଲେ  ଏହା  ଛଡା  ଅନ୍ୟ  କିଛି  ଭଲ  ଔଷଧ   ଆଉ  ହୋଇ  ନ ପାରେ   । ବଡମାନଙ୍କର  ମାନସିକ  ଉଦ୍ଦେଗ  ବା  ଛାନିଆଁ  ପାଇଁ  ମଧ୍ୟ  ଏହା  ଭାବିବାର  କଥା   । ଛାନିଆଁରେ ଝାଡା  ପରିସ୍ରା   ଲାଗିବା  ଲକ୍ଷଣ  ଏହାର  ଏକ  ବଡ  ନିର୍ଦ୍ଦେଶକ  ଲକ୍ଷଣ   ।

ଆର୍ଣ୍ଣିକା  ମଣ୍ଟାନା

ଆଘାତ  ଓ  ଆଘାତଜନିତ   ନାନାପ୍ରକାରର ପୀଡା   ପାଇଁ  ପ୍ରାଥମିକ  ଔଷଧ   । ଯେ  କୌଣସି  ରୋଗରେ   ମଧ୍ୟ  ମାଡ  ହେଲାଭଳି   ଦେହର  ବ୍ୟଥା  ବା  ରକ୍ତ   ଜମାଟବାନ୍ଧି  କାଲଚିଆ  ଦାଗ,  ସ୍ପର୍ଶକାତରତା,  ଦୁର୍ଗନ୍ଧ  ଝାଡା  ଏହାର ପରିଚାୟକ   ଲକ୍ଷଣ   । ପୂୟଜ ଜ୍ଵର  ଓ  ଟାଇଫଏଡ  ଜ୍ଵରରେ   ଏହି  ଲକ୍ଷଣ  ଥିବା  ସହିତ  ଅଘୋର  ଭାବ  ରହିଥିଲେ  ବେଶ୍  ଉପକାରୀ  । ଅଘୋର  ଅବସ୍ଥାରେ   କୌଣସି  ପ୍ରଶ୍ନର   ଉତ୍ତର  ଦେବା   ସଙ୍ଗେ  ସଙ୍ଗେ   ଏହାର  ରୋଗୀ  ନିଦ୍ରାଚ୍ଛନ୍ନତା   ଭିତରକୁ   ଚାଲିଯାଏ   । ଆଘାତଜନିତ  ବା  ପୂୟଜ   ରୋଗର   ରକ୍ତସ୍ରାବରେ   ମଧ୍ୟ  ଏହା  ଅତୀବ  ପ୍ରୟୋଜନୀୟ    । କଳାଶିରାରୁ   ବହିଲାଭଳି   କଳାକଳା   ରକ୍ତ  ବୋହୁଥିଲେ  ଏହା  ବେଶି  ଭଲ  କାମ  କରିଥାଏ   । ଖରାଦିନିଆ  ଛୋଟ  ଛୋଟ  ବାରମୂଳିଆରେ  ଏହା  ଅବ୍ୟର୍ଥ   ଫଳ  ଦେଇଥାଏ   । ବଥ  ନ ପାଚି  କଇଥିଆ  ପଡିଯାଇଥିଲେ  ଏହାକୁ  ପ୍ରଥମେ  ଚିନ୍ତା  କରିବେ  ।

ଆର୍ଶେନିକ   ଆଲବ

ଯେ  କୌଣସି  ରୋଗରେ  ଅତିଶୟ  ଦୁର୍ବଳତା  ସହିତ  ଅସ୍ଥିରତା  ରହିଥିବ ; ସବୁ  ବେଳେ  ଅଳ୍ପ  ଅଳ୍ପ  ଅଥଚ ବାରମ୍ବାର  ପାଣି  ପିଇବା  ପାଇଁ  ଚାହୁଁଥିବ ; ଦେହ  ଭିତରେ  ଜଳାପୋଡା  ହେଉଥିବ, ଅଥଚ  ଘୋଡିହୋଇ  ରହିବାକୁ   ଅଥବା   ଗରମଦ୍ଵାରା  ଉପଶମ  ଅନୁଭବ  କରୁଥିବ ; ଠିକ୍  ମଧ୍ୟାହ୍ନ  ବା  ମଧ୍ୟରାତ୍ରିକୁ  ସମସ୍ତ  ଉପସର୍ଗର  ବୃଦ୍ଧି  ଘଟୁଥିବ ; ଶରୀରର  ସମସ୍ତ  ସ୍ରାବରେ  ଦୁର୍ଗନ୍ଧ  ରହିଥିବ ; ପାଣି  ପିଇବା  ସଙ୍ଗେ  ସଙ୍ଗେ  ପେଟରେ  ପଡୁ  ନ ପଡୁଣୁ  ବାନ୍ତି  ହୋଇ  ଯାଉଥିବ, ଏ  ସବୁ  ଲକ୍ଷଣ  ରହିଥିଲେ, କି ତରୁଣ  କି  ପୁରାତନ,  ସବୁ  ରୋଗରେ  ଆର୍ଶେନିକ  ହିଁ  ପ୍ରୟୋଜନ   ହେବ   । ପୁରାତନ  ସାଂଘାତିକ  ରୋଗରେ   ଅବଶ୍ୟ  ତୃଷାହୀନତା  ବେଶି  ଲକ୍ଷ୍ୟ  କରାଯାଏ  ଓ  ସେ  ଆଉ  ଭଲ  ହୋଇପାରିବ   ନାହିନ   ଭାବି  ମୃତ୍ୟୁକୁ  ଭୟ  କରୁଥାଏ  ।

ବ୍ୟାପଟିସିଆ

ଧୀର , ମନ୍ଥର  ତଥା   ଧାରାବାହିକଭାବରେ   ରୋଗଲକ୍ଷଣ  ସବୁର  ବୃଦ୍ଧି  ଘଟୁଥିଲେ  ଓ  ତତସହିତ   ଦୁର୍ଗନ୍ଧ   ମଳମୂତ୍ର   ତ୍ୟାଗ  କରୁଥିଲେ  ଏବଂ  ଦେହହାତ  ଭାରୀ  ଭାରୀ   ଲାଗି  ଦରଜ  ହୋଇ  ରୋଗୀ  ଅଘୋର  ଅବସ୍ଥା  ଆଡକୁ  ଗତି  କରୁଥିଲେ  ଏହା  ଏକ  ମହୌଷଧି  । ଆର୍ଣ୍ଣିକା  ଭଳି  ଅଘୋର  ଅବସ୍ଥାରେ  ଏହାର  ମଧ୍ୟ  ପ୍ରୟୋଜନ  ହୁଏ  ମାତ୍ର  ଏହାର  ରୋଗୀ  କୌଣସି  ପ୍ରଶ୍ନର   ଉତ୍ତର  ଦେଉ  ହିଁ  ମଝିରେ  ତନ୍ଦ୍ରାଚ୍ଛନ  ହୋଇପଡେ  । ଏହାର  ଶାରୀରିକ  ଅବସାଦ  ବହୁତ  ବେଶି   । ତେଣୁ  ଟାଇଫଏଡ  ରୋଗର   ଅଘୋର   ଅବସ୍ଥାରେ  ଏହା  ଏକ  ବିଶେଷ   ପ୍ରୟୋଜନୀୟ  ଔଷଧ  । ରକ୍ତ  ଦୂଷଣ  ବ  ପଚନ  କ୍ରିୟା   କରାଇବାରେ  ଏହା  ଅଦ୍ଵିତୀୟ   । ତେଣୁ  ତୁଣ୍ଡ  ଘା’  ଠାରୁ  ଆରମ୍ଭ  କରି  ଏହାର  ଶ୍ଵାସ  ପ୍ରଶ୍ଵାସ, ଝାଳ,  ମଳମୂତ୍ର  ସବୁ  ଦୁର୍ଗନ୍ଧଯୁକ୍ତ   ।

ବାରାଇଟ  କାର୍ବ

ବୋକା, ଲାଜକୁଳା, ବାଙ୍ଗରା,  ଗ୍ରନ୍ଥିର  ବିବୃଦ୍ଧି – ବିଶେଷକରି  ଟନସିଲ୍ ର  ବିବୃଦ୍ଧି,  ଶର୍ଦ୍ଦିପ୍ରବଣ,  ଝାଳୁଆ  ପିଲାଙ୍କ   ପାଇଁ  ଏହା  ଏକ  ମହୌଷଧି   । ଟନସିଲ୍  ଦୋଷରୁ   ହେଉ  ବା  ଗଳଗଣ୍ଡ   ପାଇଁ  ହେଉ,  ଯଦି  ପିଲାର  ସ୍ମୃତିଶକ୍ତି   କମିଯାଇ  ପିଲା  ବୋକା  ବୋକା  ହୋଇଯାଉଥିବ  ଓ  ପାଦରୁ   ବେଶି  ଦୁର୍ଗନ୍ଧଯୁକ୍ତ  କ୍ଷୟକାରୀ   ଝାଳ  ବୋହୁଥିବ, ତେବେ  ତା’ର  ଚାରିତ୍ରିକ   ପରିବର୍ତ୍ତନ   ନିଶ୍ଚିତଭାବରେ   ଆଣିପାରିଲା   ଭଳି  ଏହା  ଏକ  ଶକ୍ତିଶାଳୀ  ଔଷଧ   ।

ବେଲାଡୋନା

ଏକୋନାଇଟ  ଭଳି  ତରୁଣ   ରୋଗ  ଚିକିତ୍ସା  ପାଇଁ  ଏହା  ଏକ  ଅମୂଲ୍ୟ  ଔଷଧ  । ଜ୍ଵାଳା,  ଅତିଶୟ  ଉତ୍ତାପ,  ପ୍ରଦାହ,  ଲାଲ୍ ବର୍ଣ୍ଣ  ଓ  ପ୍ରଳାପ  ସହିତ  ପ୍ରଖର  ଓ  ପ୍ରବଳ   ଗତିରେ  ଦେଖାଯାଉଥିବା  ଯାବତୀୟ  ରୋଗପାଇଁ  ଏହା  ପ୍ରଯୁଜ୍ୟ  । ଏହାର  ଲକ୍ଷଣଗୁଡିକ  ଆକ୍ଷେପପ୍ରଧାନ   ।  ତୁହାକୁତୁହା  ଆସୁଥିବା  ଓ  ହଠାତ୍  ଆସି  ହଠାତ୍  ଛାଡି  ଯାଉଥିବା  ରୋଗ  ଲକ୍ଷଣର  ହା  ପ୍ରମୁଖ  ଔଷଧ   । ଅବିରାମ  ବା  ଧାରାବାହିକତା   ଏଥିରେ  ଦେଖିବାକୁ  ମିଳେ  ନାହିଁ  । ସବୁ  କ୍ଷେତ୍ରରେ  ମୁଣ୍ଡବ୍ୟଥା  ପ୍ରାୟ  ଲାଗି   ରହିଥାଏ   । ସତେ  ଯେପରି  ଶରୀରର   ରକ୍ତସବୁ  ମୁଣ୍ଡକୁ  ଉଠିଯାଏ  । ବେକ  କଡ  ଦେଇ  ମୁଣ୍ଡକୁ  ରକ୍ତ   ସଂଚାରିତ  କରୁଥିବା  ଧମନିଗୁଡିକ   ଧପ ଧପ   କରୁଥାଏ   । ରୋଗୀର   ମୁହଁ   ଲାଲ୍  ଦେଖାଯାଏ   । ଧମନି ଉପରେ  ଏହାର   କ୍ରିୟା  ଅଧିକ  ହେଉଥିବାରୁ  ରୋଗଗ୍ରସ୍ତ  ଅଂଶଟି   ସର୍ବଦା  ଗାଢ  ଲାଲ୍ ରଙ୍ଗ  ଦେଖାଯିବ  । ଗାଢ  ରକ୍ତସ୍ରାବ  ହେବା,  ଉତ୍ତାପ  ବେଶି  ବଢିଯିବା   ଓ  ଏହାର  ବ୍ୟଥା  ଧପଧପ୍ କାରୀ   ହେବା  ଅତ୍ୟନ୍ତ  ସ୍ଵାଭାବିକ   । ତେଣୁ  ବେଲାଡୋନାର   ଚାରିତ୍ରିକ   ଲକ୍ଷଣ  ଏସବୁ   । କେଶ  କାଟିବା  ପରେ  ପ୍ରାୟ  ମୁଣ୍ଡବ୍ୟଥା  ହେଉଥିଲେ  ତାହା  ନେଲାଡୋନାରେ  ହିଁ  ସବୁଦିନ  ପାଇଁ  ଭଲ  ହୋଇଯାଇ  ଥାଏ  । ବେଲାଡୋନା  ମୁଣ୍ଡକୁ   ରକ୍ତ  ସଞ୍ଚାଳନ  ଅଧିକ  କରାଉଥିବାରୁ   ଭୟାନକ  ମୁଣ୍ଡବ୍ୟଥା ; ପ୍ରଳାପୋନ୍ମୋଦ  ଓ  ନାନା  ପ୍ରକାରର  ମାନସିକ  ଭ୍ରାନ୍ତି  ଏହାର  ଚିର  ସାଥି   ।

ବୋରାକ୍ସ

ଶିଶୁମାନଙ୍କର  ତୁଣ୍ଡଘା’ର  ଏହା  ଏକ  ଅମୂଲ୍ୟ  ଔଷଧ   । ଜିଭରେ,  କଳରେ,  ଛତୁ  ଫୁଟିଲାଭଳି  ଉଦ୍ଭେଦମାନ  ଦେଖାଯାଏ   । ପାଟି  ଭିତର   ବହୁତ  ଗରମ   ଜଣାପଡେ  ଓ  ତାକୁ  ପୋଛିଦେଲେ  ସେ  ସ୍ଥାନରୁ  ରକ୍ତ  ବୁହେ  ଓ  ଖୁବ୍  ପୀଡା  କରେ  । ବଡା  ଦୋଷରୁ   ମୁଣ୍ଡରେ  ଜଟା  ବାନ୍ଧି  ଯାଉଥିଲେ  ମଧ୍ୟ  ଏହା  ଖୁବ୍  ଭଲ  କାମ  କରେ   । ଏ  ପିଲାମାନେ   ଜମା   ଝୁଲିବାକୁ   ବା  ଦୋଳି   ଖେଳିବାକୁ   ଭଲ  ପାଆନ୍ତି  ନାହିଁ  । ଶିଡିରେ   ଚଢିଲାବେଳକୁ   ଚଢିଯିବେ   କିନ୍ତୁ  ଓହ୍ଲାଇ   ପାରନ୍ତି  ନାହିଁ  । ନିମ୍ନଗତିରେ  ଏମାନଙ୍କର   ଖୁବ୍  ଭୟ   । ସ୍ତ୍ରୀଲୋକମାନଙ୍କର   ବାଧକ  ଯନ୍ତ୍ରଣାରେ  ଯଦି  ଋତୁସ୍ରାବ   ସହିତ  ଶୈଷ୍ମିକ   ପରଦା  ନିର୍ଗତ   ହେଉଥିବ  ଓ  ଶ୍ଵେତପ୍ରଦରରେ   ଗରମ  ପାଣି  ସହିତ  ଧଳା  ଧଳା  ଜାଲି  ଭଳି  ପରଦା  ନିର୍ଗତ  ହେଉଥିବ   ତାହାହେଲେ  ଏହା  ଖୁବ୍  ଦରକାରୀ   ।

ବ୍ରାୟୋନିଆ

ଏହା  ଏକ  ନିତ୍ୟ  ବ୍ୟବହାର୍ଯ୍ୟ,  ତରୁଣ  ତଥା  ଦୀର୍ଘସ୍ଥାୟୀ  ରୋଗମାନଙ୍କର  ଔଷଧ   । ଶୈଷ୍ମିକ  ଝିଲ୍ଲୀ  ପରଦାର  ଶୁଷ୍କତା, କୋଷ୍ଠକାଠିନ୍ୟ,  ଅତ୍ୟଧିକ  ତୃଷା,  ସଞ୍ଚାଳନରେ  ପ୍ରତ୍ୟକ  କଷ୍ଟର   ବୃଦ୍ଧି  ଓ  ଶୁଖିଲା  ଜିଭରେ   ହଳଦିଆ  ମଇଳା   ଜମାହେବା,  ଏହାର  ଚାରିତ୍ରିକ   ଲକ୍ଷଣ   ।

ରୋଗୀ  ସ୍ଵପ୍ନରେ  ଅଥବା  ପ୍ରବଳ  ଜ୍ଵରର  ପ୍ରଳାପରେ   ଯଦି  ନିଜର  ନିତ୍ୟକର୍ମ,  ବ୍ୟବସାୟ  ବା  ଘରକୁ  ଯିବାପାଇଁ   ଇଚ୍ଛା   କରୁଥିବ,  ତାହାହେଲେ   ଏହା  ଛଡା  ଅନ୍ୟ  ଔଷଧ  ଲାଗିବାର   ସମ୍ଭାବନା  ନାହିଁ  ।

ବାତ  ବ୍ୟଥାରେ  ମଧ୍ୟ  ଏହା  ଏକ  ପ୍ରମୁଖ  ଔଷଧ   । ସାମାନ୍ୟ  ସଞ୍ଚାଳନରେ   ବ୍ୟଥା ;  ଛୁଞ୍ଚିମାରିଲାଭଳି  ବ୍ୟଥାର  ପ୍ରକୃତି   ଓ ଚାପରେ   ଉପଶମ,  ଏହାର  ନିର୍ଦ୍ଦେଶକ   ଲକ୍ଷଣ  ଏ  କ୍ଷେତ୍ରରେ   ।

କ୍ୟାଲକେରିଆ  କାର୍ବ

ବାରାଇଟା କାର୍ବ  ଭଳି  ଏହା  ଏକ  ଧାତୁଗତ   ଔଷଧ   । ଏହାର  ରୋଗୀ   ଦେଖିବାକୁ   ପୃଥୁଳ  ଅଥଚ   କୋମଳ, ଶିଥିଳ  ମାଂସପେଶୀର   । ଶରୀର  ଅପେକ୍ଷା  ମୁଣ୍ଡ  ଓ  ପେଟ   ବଡ  । କ୍ୟାଲସିୟମ   ଅଭାବ  ଓ  ଅନ୍ୟାନ୍ୟ   ପୋଷଣଗତ  ତ୍ରୁଟିଜନିତ  ପୀଡାରେ, ବିଶେଷକରି  ବିଳମ୍ବରେ  ଦାନ୍ତ  ଉଠିବା ; ଡେରିରେ  ଚାଲିବା ; ଧଳା  ଅମ୍ଳ  ଗନ୍ଧଯୁକ୍ତ  ଝାଡା  ହେବା ; ଶର୍ଦ୍ଦି  ଲାଗି  ରହିବା ; ବହୁତ  ଝାଳ,  ଖାସ୍  କରି   ମୁଣ୍ଡରୁ  ବାହାରିବା ;  ପିଲାର   ଦୁକୁଦୁକୁ   ବହୁତ  ଦିନ  ପର୍ଯ୍ୟନ୍ତ  ପୂରଣ  ନ ହେବା   ଇତ୍ୟାଦି   ଲକ୍ଷଣ  ଏହାର  ପରିଚାୟକ   । ମାନସିକ   ଲକ୍ଷଣ  ଭିତରେ   ସବୁଥିକୁ   ଭୟ  ;  ସମବୟସ୍କ   ସମକଚ୍ଛ   ହୋଇପାରୁ  ନ ଥିବା    ନେଇ   ମନର   ଦୁର୍ବଳତା   ଓ  ବିଷର୍ଣ୍ଣତା   ହେଉଛି  ପ୍ରଧାନ   । ଏହାର  ରୋଗୀ  ଏତେ ବେଶି   ଝାଳ  ସତ୍ତ୍ୱେ   ଶୀତକାତର   ।  ଝିଅମାନଙ୍କର  ଖୁବ୍  କମ୍  ବ୍ୟବଧାନରେ   ବହୁତ  ଋତୁସ୍ରାବ   ହେଉଥିଲେ  ଓ  ସେ  ସମୟରେ  ପାଦଗୁଡିକ    ଖୁବ୍ ଥଣ୍ଡା  ଲାଗୁଥିବାର  ଲକ୍ଷଣ  ଥିଲେ , ମୋଟା  ଝିଅ  ବା  ସ୍ତ୍ରୀଲୋକମାନଙ୍କ   ପାଇଁ  ଏହା  ବହୁତ   ଉପକାରୀ  ଔଷଧ   । ଏହାର   ରୋଗୀ  ଖୁବ୍  ଥଣ୍ଡା  ଖାଇବାକୁ  ଭଲ  ପାଏ   । ବିଶେଷ  କରି  ସିଝା  ଅଣ୍ଡା   ।

କ୍ୟାଲକାରିଆ  ଫସ୍

ଉପଯୁକ୍ତ   ଔଷଧ  ପରି ଏହା  ମଧ୍ୟ  ଏକ  ଧାତୁ  ସଂଶୋଧନକାରୀ  ଔଷଧ   । ମାତ୍ର  ଏହାର  ରୋଗୀ  ଶୀର୍ଣ୍ଣକାୟ,  ଯଦିଓ  ଏହାର  ପେଟ  ବଡ   । ପୋଷଣ  ଅଭାବରୁ   ଅସ୍ଥି’ର   କୋମଳତା,  ଚାଲିବା  ଓ  ଦାନ୍ତ  ଉଠିବାରେ  ବିଳମ୍ବ   ମଧ୍ୟ  ଏହାର  ମୁଖ୍ୟ  ଲକ୍ଷଣ   । ଏ  ରୋଗୀମାନେ  ମଧ୍ୟ  ଶୀତକାତର  । ଶିଶୁମାନଙ୍କର   ‘ପୁଅରୋଗ’ ରେ  ଏହା  ବେଶ୍  ଉପକାରୀ, ଯଦିଓ  ସବୁଜ  ଝାଡା  ହେଉଥାଏ   । ଖୁବ୍  ଶୀଘ୍ର  ଡେଙ୍ଗା  ହୋଇଯାଉଥିବା   ଝିଅମାନଙ୍କର  “ଶ୍ଵେତପ୍ରଦର” ଓ  ଅଣ୍ଟାବ୍ୟଥାରେ  ଏହା  ଭଲ  କାମ  କରେ   । ହାଡ  ଭାଙ୍ଗିଥିଲେ  ଶୀଘ୍ର   ଯୋଡି  ହେବାପାଇଁ   ଏହାର  ବ୍ୟବହାର  ଅତ୍ୟନ୍ତ  ଆବଶ୍ୟକ   । ଏହି  ରୋଗୀର  ମୁଣ୍ଡରୁ  ମଧ୍ୟ  ଝାଳ  ବହୁତ  ବାହାରେ   । ଏମାନେ  ମଧ୍ୟ  ଶର୍ଦ୍ଦିପ୍ରବଣ   ।

ସଂଗୃହୀତ – ଡାକ୍ତର କମଳାକାନ୍ତ କର

Last Modified : 1/28/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate