অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ମେଟେରିଆ ମେଡିକା -ଭାଗ ୪

କୋନିୟମ

ଗ୍ରନ୍ଥି  ଆକ୍ରାନ୍ତକାରୀ  ଓ  ପକ୍ଷାଘାତ  ସୃଷ୍ଟିକାରୀ   ଔଷଧମାନଙ୍କ  ମଧ୍ୟରେ  ଏହା  ଏକ  ପ୍ରମୁଖ  ଔଷଧ   । ଆଘାତର  ଫଳସ୍ୱରୂପ   ଯେ  କୌଣସି  ଗ୍ରନ୍ଥି  ଫୁଲି   ଟାଣ   ହୋଇଯାଇଥିଲେ  ଏହା  ଖୁବ୍  ଫଳପ୍ରଦ  । ପ୍ରତ୍ୟକ  ମାସିକ  ଋତୁ  ପୂର୍ବରୁ  ଓ  ସମୟରେ  ସ୍ତନଦ୍ୱୟ  ଫୁଲି  ଟାଣ  ହୋଇ  ଦରଜ  ହୋଇଯାଉଥିଲେ  ଏବଂ  ତାହା  ମଧ୍ୟରେ   ଗୁଲିଭଳି   ଟାଣ  ଫୁଲା  ଥିଲେ  ଏହା  ସ୍ତ୍ରୀଲୋକମାନଙ୍କର  ପ୍ରତ୍ୟକ  ପ୍ରକାରର  ରୋଗ  ଭଲ  କରିଥାଏ   ।

ମୁଣ୍ଡଭ୍ରମ  ହେବା  ଏହାର  ଅନ୍ୟ   ଏକ  ପରିଚାୟକ  ଲକ୍ଷଣ   । ବିଶେଷ  କରି  ଶୋଇଥିବା   ଅବସ୍ଥାରେ  କଡଲେଉଟାଇବା  ସମୟରେ  ଭ୍ରମ  ବା  ମୁଣ୍ଡ  ଘୂରେଇବା  ଏହାର  କ୍ରିୟା   ।

ପକ୍ଷାଘାତ, ବିଶେଷକରି  ‘ମୋଟର - ନ୍ୟୁରନ’  ରୋଗରେ,  ପକ୍ଷାଘାତ  ନିମ୍ନାଙ୍ଗରୁ  ଆରମ୍ଭହୋଇ  ଉପର  ଦିଗକୁ  ଗତି  କରୁଥିଲେ,  ଏହାଦ୍ଵାରା  ସୁଫଳ  ମିଳିବାର  ଯଥେଷ୍ଟ  ସମ୍ଭାବନା   ।

କ୍ୟୁପ୍ରେମ  ମେଟ

ଆକ୍ଷେପଯୁକ୍ତ   ଯେ  କୌଣସି  ରୋଗରେ  ଏହା  କାର୍ଯ୍ୟକାରୀ   । ଏହାର  ଆକ୍ଷେପ  ହାତ  ବା  ଗୋଡର   ବୁଢାଆଙ୍ଗୁଳିରୁ  ଉଠି  ସମସ୍ତ  ଶରୀରକୁ   ପ୍ରସାରିତ  ହୋଇଥାଏ   । ହାତମୁଠା  ପଡିଯାଏ,  ମୁହଁ  ନୀଳ  ପଡିଯାଇ  ରୋଗୀର  ଆଖି  ଉପରକୁ   ଖୋସି  ହୋଇଯାଏ,  “ଶିବନେତ୍ର”  ଭଳି   । କାଶ, ମୃଗୀ,  ଉଦରାମୟ  ଯାହାବା  ହେଉ, ଉପଯୁକ୍ତ  ଲକ୍ଷଣସବୁ  ଥିଲେ   ଏହାକୁ  ଭୁଲିବାର  ନୁହେଁ   ।

ଡାଇଓସ୍କୋରିଆ

ଏହା  ଶୂଳ  ରୋଗର  ଅନ୍ୟତମ  ପ୍ରଧାନ  ଔଷଧ   । ପେଟର  ନିର୍ଦ୍ଧିଷ୍ଟ  କୌଣସି  ଅଂଶରୁ  ବ୍ୟଥା  ସୃଷ୍ଟିହୋଇ  ସମସ୍ତ  ପେଟରେ  ସଂଚରିତ  ହୋଇଥାଏ   । ଏଅଗି  କେବଳ  ଭିଡିମୋଡି  ହୋଇ  ପଛଆଡକୁ  ବାଙ୍କି  ଯାଉଥିବେ  ଏବଂ  କେବଳ  ଏହି  ଅବସ୍ଥାରେ  ହିଁ  ସେ  ଉପଶମ  ପାଉଥିବେ  । ପେଟ  ଭିତରେ  ଯେ  କୌଣସି   ଯନ୍ତ୍ରବିଶେଷର  ଏତାଦୃଶ୍ୟ  ଯନ୍ତ୍ରଣା  ପାଇଁ  ଏହା  ତୁରନ୍ତ  ଉପଶମଦାୟୀ  ଔଷଧ   । ଅଧାଆଙ୍ଗୁଳି   ହେଉହେଉ  ଏହା  ପ୍ରୟୋଗ  କଲେ   ରୋଗ  ମୂଳରୁ  ହିଁ  ଭଲ  ହୋଇ  ଯାଇଥାଏ   । ଏହା  ଖୁବ୍  ପରୀକ୍ଷିତ   ।

ଡ୍ରୋସରା

ପ୍ରକୃତ  ହୁପିଂ  କାଶ  ପାଇଁ  ଏହା  ଅବ୍ୟର୍ଥ   ବୋଲି  କୁହାଯାଇଥାଏ   । ହୁପିଂ କାଶ   ପରେ  ଯଦି  ରୋଗୀ  ବାରମ୍ବାର  ଅସୁସ୍ଥ   ହେଉଥାଏ,  ଶ୍ଵାସନଳୀର  ପ୍ରଦାହ  ଜନିତ  ପୀଡାରେ,  ତାହାହେଲେ  ଅନ୍ୟ  ଯେ  କୌଣସି  ଔଷଧ  ଅପେକ୍ଷା  ଏହା  ପ୍ରଥମେ  ବିଚାର୍ଯ୍ୟ   ହୁଏ   ।

ଡଲକାମେରା

ହଠାତ୍  ପାଗ  ପରିବର୍ତ୍ତନ,  ବିଶେଷକରି  ଉତ୍ତାପର  ପରିବର୍ତ୍ତନରେ  ଯେଉଁସବୁ   ରୋଗ  ଦେଖାଦିଏ   ସେ  ସବୁପାଇଁ   ଏହା  ପ୍ରଥମ  ଶ୍ରେଣୀର  ଔଷଧ   । ଶରୀରର  ଯେ  କୌଣସି  ଯନ୍ତ୍ରବିଶେଷର  ଶୈଷ୍ମିକ  ଝିଲ୍ଲିର  ପ୍ରଦାହ   ଉପଯୁକ୍ତ  ପରିସ୍ଥିତିରେ  ହୋଇଥିଲେ   ଏହା  ଅବ୍ୟର୍ଥ   ।  ସାଧାରଣ  ଶର୍ଦ୍ଦିରୁ   ଆରମ୍ଭକରି,  କାଶ,  ଶ୍ଵାସ,  ନାଳଝାଡା,  ମୂତ୍ରକୃଚ୍ଛତା,  ଯାହାବା   ହେଉନା  କାହିଁକି  ଏହା  ନିଶ୍ଚିତ  ଉପକାର  କରେ   । ସ୍ତ୍ରୀଲୋକମାନଙ୍କ  ଋତୁକାଳ  ପୂର୍ବରୁ  ମୁହଁରେ  ବ୍ରଣ  ଅବା  ସେଭଳି   କିଛି  ଉଦ୍ଭେଦ  ସୃଷ୍ଟି  କରିବା  ଏହାର  ଏକ  ପ୍ରମୁଖ  ଲକ୍ଷଣ   ।

ୟୁପାଟୋରିୟମ  ପର୍ଫ

ସବିରାମ,  ଅବିରାମ,  ଭାଇରାଲ,  ଇନଫ୍ଲୁଏଞ୍ଜା,  ଯେ  କୌଣସି  ଜ୍ଵରରେ  ଏହାର  ଲକ୍ଷଣଗୁଡିକ  ଏତେ  ପରିଷ୍କାର  ଯେ,  ଏହାର  ପ୍ରୟୋଗରେ  ନିଶ୍ଚିତ  ଆରୋଗ୍ୟ   ହୋଇଥାଏ   । ହାଡଭିତରେ   ଶୂଳେଇ  ହୋଇ  ବ୍ୟଥା  କରୁଥିଲେ  ଓ  ସାଂଘାତିକ  ଛେଚିକୁଟି   ହେଉଥିଲେ  ଏହାକୁ   ସ୍ଵାଭାବିକଭାବରେ  ମନେପକାଇବେ  ।

ଜ୍ଵର  ସହିତ  ପିତ୍ତବାନ୍ତି,  ସବିରାମ  ଜ୍ଵରରେ  ଏହାପାଇଁ  ଏକ  ନିର୍ଣ୍ଣାୟକ  ଲକ୍ଷଣ  ଯଦି  ଉପଯୁକ୍ତ  ବ୍ୟଥା  ରହିଥାଏ   ।

ୟୁଫ୍ରେସିଆ

ଚକ୍ଷୁରୋଗ  ଓ  ତରୁଣ  ଶର୍ଦ୍ଦିରେ  ଏହା  ଯେପରି  ଏକ  ନିଶ୍ଚିତ  ଆରୋଗ୍ୟକାରୀ  ଔଷଧ   । ଏହାର  ଲକ୍ଷଣ  ହେଲା,  ଆଖିରୁ  ଅନବରତ  ପାଣିଗଡି   ଆଖି  ଲାଲ  ପଡିଯାଉଥିବ  ଓ  ପୋଡୁଥିବ   । ମନେ  ରଖିବାର  କଥା  ଏଲିୟାମସିପାରେ  ନାକପୋଡି  ପାଣି  ଗଡୁଥିବ  ଓ ଏଥିରେ  ଆଖିପୋଡି  ପାଣି  ବୋହୁଥିବ   । ଛିଙ୍କ  ଉଭୟରେ  ଥିଲେ  ମଧ୍ୟ  ଏଲିୟମସିପାରେ  ମାତ୍ରା  ଅଧିକ  ।

ଫେରମଫସ୍

ରକ୍ତହୀନତା  ତଥା  ରକ୍ତସ୍ରାବର  ଏହା  ଏକ  ମୁଖ୍ୟ  ଔଷଧ  ହୋଇଥିଲେ  ମଧ୍ୟ  ସଚରାଚର  ପ୍ରଦାହଜନିତ  ଜ୍ଵରରେ  ସଦାସର୍ବଦା  ବ୍ୟବହୃତ  ହୁଏ   । କୌଣସି  ମନ୍ଥର   ଗତିର  ପ୍ରଦାହଯୁକ୍ତ  ରୋଗ,  ବିଶେଷକରି  ଶ୍ଵାସଯନ୍ତ୍ରର  ହୋଇଥିଲେ  ଓ  ତତସହିତ  ଅତି  ମୃଦୁ  ବା  ମାଧ୍ୟମ  ଧରଣର   ଜ୍ଵର  ରହିଥିଲେ  ହିଁ  ଏହା  ସୁଫଳ  ଦେଇଥାଏ   । ରକ୍ତସ୍ରାବରେ,  କ୍ଷତ  ସ୍ଥାନରେ  3X ଶକ୍ତିର  ବିଚୂର୍ଣ୍ଣକୁ  ମଡାଇ  ପଟ୍ଟି  ବାନ୍ଧିଦେଲେ   ରକ୍ତସ୍ରାବ   ତୁରନ୍ତ  ବନ୍ଦ  ହୋଇଥାଏ   ।

ଜେଲସେମିୟମ

ଜ୍ଵର  ଓ  ସ୍ନାୟୁଗତ  ଦୁର୍ବଳତାଜନିତ  ଯାବତୀୟ   ରୋଗରେ  ଏହା  ପ୍ରୟୋଜନ  ହୁଏ  । ଅବସନ୍ନତା,  ନିଦ୍ରାଳୁତା,  ଆଖିପତାର  ଭାରୀବୋଧ,  ଭ୍ରମ,  ଶରୀରର  କମ୍ପନ (ଜିଭ  ଦେଖିବାକୁ  ଚାହିଁଲେ  ରୋଗୀ  ତାହା  ବାହାର  କରି ପାରେନା  ଠାରିବା  ହେତୁ), ଦିହ  ମୁଣ୍ଡ  ଭାରୀ  ଭାରୀ  ଲାଗିବା,  ତୃଷ୍ଣା  ହୀନତା  ଓ  ଶୀତକାତରତା  ଏହାର  ପ୍ରମୁଖ   ଲକ୍ଷଣ  । ଏସବୁ  ରହିବ  ହିଁ  ରହିବ,  ଯାହା  କିଛିବି   ରୋଗ  ହେଉନା  କାହିଁକି   । ବିଳମ୍ବିତ   ପ୍ରସବ ଏହି  ଅବସନ୍ନତା  ପାଇଁ  ହେଉଥିଲେ  ମଧ୍ୟ  ଜେଲସେମିୟମ  ବ୍ୟବହାର  କରାଯାଇପାରେ   । ପ୍ରତ୍ୟକ  ଶୂଳ  ସହିତ  ଅବସନ୍ନତା  ଓ  ନିଦ୍ରାଭାବ  ଏହାର  ପରିଚାୟକ  ଲକ୍ଷଣ  । ମୁଣ୍ଡବ୍ୟଥା  ହେବା  ଆଗରୁ   ଆଖିକୁ  ଦେଖା  ନ ଯିବା  ଓ  ଖୋଲା  ପରିସ୍ରାରେ   ମୁଣ୍ଡବ୍ୟଥା  କମିଯିବା, ଏହାକୁ  ନିର୍ଦ୍ଧିଷ୍ଟଭାବରେ  ପ୍ରୟୋଗ  କରିବାପାଇଁ  ନିର୍ଦ୍ଦେଶ  ଦେଇଥାଏ   ।

ଗ୍ଲୋନୋୟନ

ଆର୍କାଘାତ  ଓ  ଉଚ୍ଚ  ରକ୍ତଚାପଜନିତ  ଉପସର୍ଗ  ପାଇଁ  ଏହାର  ବ୍ୟବହାର  ସର୍ବାଧିକ   । ଅସହ୍ୟ  ମୁଣ୍ଡବ୍ୟଥା  ଏହାର  ମୁଖ୍ୟଲକ୍ଷଣ   । ବେକଷଣ୍ଢାରୁ  ବ୍ୟଥା  ବାହାରି  ମୁଣ୍ଡଉପରକୁ  ଉଠି  ଖୁବ୍  ଜୋରରେ  ଧକଧକ୍  କରିବା  ହେଉଛି  ଏହାର  ଲକ୍ଷଣ   । ରୋଗୀ  ମନେକରେ  ମୁଣ୍ଡର  ଖପୁରୀ  ସେତେଯେପରି  ଫାଟି  ଉଡିଯିବ  । ସାମାନ୍ୟତମ  ହଲଚଲ  ମଧ୍ୟ  ସେ  ସହିପାରେନା  ।

ଗ୍ରାଫାଇଟସ

ପୃଥୁଳକାୟ,  ଶୀତକାତର  ଓ  ଧାତୁଗତ  କୋଷ୍ଠକାଠିନ୍ୟର   ରୋଗୀ,  ସର୍ବଦା  ନାନା  ପ୍ରକାରର  ଚର୍ମରୋଗ  ଭୋଗୁଥିଲେ, ଏହାର  ଉପଯୋଗ  କରିବେ  ଯେ  କୌଣସି  ରୋଗ  ହେଲେ  ମଧ୍ୟ   । ତଥାପି, ଚର୍ମରୋଗ, ବିଶେଷକରି  ବିଇଞ୍ଚି, ଜୀର୍ଣ୍ଣଶୂଳ, ପ୍ରଦର   ଓ   ରଜନିବୃତ୍ତି ସମୟର  ପୀଡାରେ   ଏହା  ପ୍ରାୟ  କାମରେ   ଲାଗେ  । ଚମଡା   ମୋଟା  ହୋଇ   ଫାଟିବା,  ଯାଦୁ ଓ  ବିଇଞ୍ଚି  ହୋଇ  ସେଥିରୁ  ମହୁଭଳି   ଅଠାଳିଆ  ଓ  ଦୁର୍ଗନ୍ଧଯୁକ୍ତ  ସ୍ରାବ  ବାହାରିବା,  ଗ୍ରାଫାଇଟସ  ଚର୍ମରୋଗର  ଲକ୍ଷଣ   । ଆଙ୍ଗୁଠି  ଟିପ,  ସ୍ତନବୃନ୍ତ,  ମଳଦ୍ଵାର,  ପ୍ରସବଦ୍ଵାର  ଫାଟି   ପୀଡା   ସୃଷ୍ଟିକରିବା   ଏହାର  ଧର୍ମ  ତେଣୁ  ଏ  ସବୁ  ଲକ୍ଷଣ  ଏହାର  ପରିଚାୟକ  ଅଟେ   । ଏହାର  କୋଷ୍ଠକାଠିନ୍ୟରେ  ଝାଡା   ଗୁଳିଗୁଳିହୋଇ   ଲାଳ  ଗୁଡାଇ  ରହିଥାଏ  । ମାସିକ  ଋତୁର   ଅବ୍ୟବହିତ   ପୂର୍ବରୁ  ଓ  ପରେ  ପ୍ରବଳ  ଶ୍ଵେତପ୍ରଦର  ଦିନରାତି   ବୋହୁଥିଲେ  ଏହା  ଉପକାରୀ   । ଏ  ସ୍ତ୍ରୀଲୋକମାନଙ୍କର  ଋତୁସ୍ରାବ   ଅତ୍ୟନ୍ତ  ସ୍ୱଳ୍ପ  ଓ  ବାଧକ   । ଜୀର୍ଣ୍ଣଶୂଳ  ରୋଗରେ  କିଛି  ଖାଦ୍ୟ  ଖାଇବାପରେ,  ବିଶେଷକରି  ଗରମ  କ୍ଷୀର  ପାନ ପରେ   ଆରାମ  ମିଳିବା  ଏକ  ବିଶେଷ  ଲକ୍ଷଣ   ।

ସଂଗୃହୀତ – ଡାକ୍ତର କମଳାକାନ୍ତ କର

Last Modified : 12/9/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate