অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ମେଟେରିଆ ମେଡିକା -ଭାଗ ୬

ପାଇରୋଜେନ

ପଚା,  ଦୁର୍ଗନ୍ଧ  ପରିବେଶରୁ  ଜାତ,  ରକ୍ତପ୍ରଦୂଷଣ  ଓ ପୂଜ   ରୋଗମାନଙ୍କରେ  ଯଦି  ଶରୀରର  ଉତ୍ତାପ   ଅତ୍ୟଧିକ  ବଢିଯାଉଥିବ ,  ଜିଭ  ଗାଢ  ଲାଲ୍  ବର୍ଣ୍ଣର  ଦେଖାଯାଉଥିବ ; ଜ୍ଵର  ଓ  ନାଡିର  ଗତିରେ  ସାମଞ୍ଜସ୍ୟ  ନ ଥିବ ;  ସର୍ବାଙ୍ଗରେ  ପୀଡା  ଓ  ଦରଜ  ଲାଗି ରହିଥିବ ; ଯେତେ  ନରମ  ଶଯ୍ୟା  ହେଲେ  ମଧ୍ୟ  ପୀଡାଦାୟକ  ହେଉଥିବ ; ଶରୀରର  ସମସ୍ତ  ସ୍ରାବ  ଦୁର୍ଗନ୍ଧଯୁକ୍ତ  ହୋଇଥିବ ; ଜ୍ଵର  ବୃଦ୍ଧି  ସମୟରେ   ବାରମ୍ବାର  ଓ  ବହୁପରିମାଣର   ପରିସ୍ରା  ହେଉଥିବ,  ତାହାହେଲେ  ଏହା  ଏକ  ଉତ୍ତମ  ଔଷଧ   ।

ରସଟକ୍ସ

ବର୍ଷାଦିନିଆ  ରୋଗ,  ବର୍ଷାରେ  ଭିଜିବା  ହେତୁ  ଅଥବା  ଅବେଳରେ,  ଅଜାଗାରେ,  ଅଦିନିଆ  ଗାଢୁଆ  ପାଧୁଆ  ପରେ  କୌଣସି  ରୋଗ,  ବିଶେଷକରି,  ଶର୍ଦ୍ଦି,  ଜ୍ଵର,  ଗଣ୍ଠିବାତ,  ଆମାଶୟ  ଆଦି  ହେଉଥିଲେ  ଏହା  ଆବଶ୍ୟକ  ହୁଏ   । ଏହାର  କ୍ରିୟା  ମାଂସପେଶୀ  ଉପରେ  ହେଉଥିବାରୁ,  ସମସ୍ତ  ଶରୀରର  ମାଂସପେଶୀମାନଙ୍କର  ବ୍ୟଥା   ହୋଇ  ଛେଚିକୁଟି  ହୁଏ  ଓ  ରୋଗୀ  ଖାଲି   ଭିଡିମୋଡି  ହୋଇ  ଅଳସ ଭାଙ୍ଗିଲାଭଳି   ହେଉଥାଏ   । ବିଛଣାରେ   ପଡିଥିଲେ   ଖାଲି   ଏପଟ  ସେପଟ   ଗଡେଇ  ତଡେଇ  ହେଉଥାଏ   । ବା  ବାରମ୍ବାର  ଉଠି  ଘରସାରା  ବୁଲୁଥାଏ,  ସତେ   ଯେପରି   ବିଶ୍ରାମରେ  ଏହାର  ସମସ୍ତ  କଷ୍ଟ  ବଢିଥାଏ   । ଅବଶ୍ୟ  ରସଟକ୍ସର  ବୃଦ୍ଧି  ସଂଚଳନର   ପ୍ରାରମ୍ଭରେ   । ତେଣୁକରି   ସକାଳୁ  ଉଠିବାପରେ  କିଛି  ସମୟ  ଏହାର  ଶାରୀରିକ ପୀଡା  ବହୁତ  ବେଶି   ହୁଏ  ଓ  ଚଲାବୁଲା  କରିବାର  କିଛି  ସମୟପରେ  ଉପଶମ   ଅନୁଭବ  କରେ   । ଏପରିକି   ପୁନର୍ବାର   ଶୋଇବା  ବା  ବିଶ୍ରାମ  ନେବା   ପର୍ଯ୍ୟନ୍ତ  ତା’ର  କୌଣସି  ଅସୁବିଧା  ହୁଏ   ନାହିଁ   । ଏହାର  ଜିଭ  ଅଗ  ଓ  ଧାର  ବେଶ୍  ଲାଲ୍  ଦେଖାଯାଏ   । ଜିଭ   ମଝିଟି  ମାଟିଆ  ରଙ୍ଗର   ପ୍ରଲେପ   ଥିଲାଭଳି   ମନେହୁଏ  ।

ଦେହ  ଘୋଳାବିନ୍ଧା   ଏହାର  ଅତ୍ୟନ୍ତ  ସହଚର   ଲକ୍ଷଣ  ହୋଇଥିଲେ  ମଧ୍ୟ,  ସବିରାମ   ଜ୍ଵରରେ  ଏହାର  ଦୁଇଟି  ନିର୍ଣ୍ଣାୟକ  ଲକ୍ଷଣ  ହେଉଛି,  ଜ୍ଵର  ଆସିବା  ପୂର୍ବରୁ  ଶୀତ  ବା  କମ୍ପ   ସହିତ  କାଶ  ହେବା  ଓ  ଜ୍ଵର  ସମୟରେ  ଅଗିଆବାତ  ବାହାରିବା   । ଏହାର  କାଶ  ବହୁତ  କଷ୍ଟକର  ଓ  ତଣ୍ଟି ଛିଣ୍ଡିଗଲା  ଭଳି  ଲାଗେ   । କଫରେ  ରକ୍ତର  ସ୍ଵାଦ  ରହିଥାଏ  ରକ୍ତ  ପଡୁ  ବା  ନ ପଡୁ   ।ଏହାର  ରୋଗୀ   ଥଣ୍ଡାପବନ  ଆଦୌ  ସହିପାରେନା  । ହିପାରସଲ୍ଫ  ଭଳି   ଶରୀରର  କୌଣସି  ଅଂଶରେ  ପବନ  ବାଜିଲାମାତ୍ରେ   କାଶ  ହୋଇଥାଏ   । ଦୀର୍ଘସ୍ଥାୟୀ   ଜ୍ଵରରେ,  ସବିରାମ  ହେଉ  ବା  ଅବିରାମ  ହେଉ,  ଜ୍ଵର   ଅଧିକ  ଥିଲାବେଳେ  ରୋଗୀ  ନିଜର  ଧନ୍ଦା, ନଈ  ପହଁରିବା,  ଗାଧୋଇବା,  ମାଛଧରିବା  ଇତ୍ୟାଦି  ବିଷୟରେ  ବାଉଳି  ହୁଏ  ବା  ସ୍ଵପ୍ନ  ଦେଖେ   । ରୋଗ  ଯାହା  ବା  ହେଉନା  କାହିଁକି,  ଘୋଳାବିନ୍ଧା,  ଶାରୀରିକ  ଅସ୍ଥିରତା   ଓ  ଲାଲ୍  ଜିହ୍ଵାଗ୍ର  ଏହାର  ନିର୍ଣ୍ଣାୟକ   ଲକ୍ଷଣ   ।

ସାବାଇନ

ସ୍ତ୍ରୀଲୋକମାନଙ୍କର,  ଅତିରଜ,  ବାଧକ  ଯନ୍ତ୍ରଣା  ଓ  ଗର୍ଭସ୍ରାବରେ  ଏହା  ପ୍ରାୟ  ପ୍ରୟୋଜନରେ  ଆସେ  । କଟି  ଓ  ତ୍ରିକାସ୍ଥିରୁ  ଜନନେନ୍ଦ୍ରିୟ  ପର୍ଯ୍ୟନ୍ତ  ଟାଣି  ଧରିଲାପରି   ବେଦନା  ଓ  ତତ  ସଙ୍ଗେ  ସଙ୍ଗେ  ଛେଲା  ଛେଲା  ରକ୍ତସ୍ରାବ,  ଏହାର  ପରିଚାୟକ   ଲକ୍ଷଣ   । ତୃତୀୟ  ମାସରେ  ଗର୍ଭସ୍ରାବ  ହେବାର  ପ୍ରବଣତା   ଏହାଦ୍ଵାରା   ଦୂରୀଭୂତ  ହୁଏ   ।  ଏହାର   ଚାରିତ୍ରିକ  ଲକ୍ଷଣ  ହେଉଛି  ସଙ୍ଗୀତ  ଶ୍ରବଣରେ  ବିରକ୍ତି  ଓ  କ୍ରନ୍ଦନ   ।

ସାମ୍ବୁକସ୍

ଏହାର  ବ୍ୟବହାର  ଖୁବ୍  ସ୍ୱଳ୍ପ  ହେଲେ  ମଧ୍ୟ,  ରାତିଅଧିଆ  ଆପଦ  କାଳରେ  ଏହାର   ଆବଶ୍ୟକତା  ଢେର  । ଶିଶୁମାନଙ୍କର  ହଠାତ୍  ଶର୍ଦ୍ଦିହେଲେ   ଅଧରାତିକୁ  ନାକ  ଚୁଣ୍ଟିହୋଇ  ଆବାକାବା  ହୋଇ  ଉଠିପଡିଲେ  ଓ  ଉଠିବା  ସଙ୍ଗେ  ସଙ୍ଗେ  ଦେହ  ଓ  କପାଳରୁ  ଝାଳ  ଗମଗମ୍  ହୋଇ  ବୋହିପଡୁଥିଲେ,  ଏହାର  ପ୍ରୟୋଗରେ  ସେ  ତତକ୍ଷଣାତ  ଉପଶମ   ଅନୁଭବ  କରେ   ହୃଦରୋଗୀର  ଏତାଦ୍ଦୃସ  ଲକ୍ଷଣରେ  ମଧ୍ୟ  ଏହା  ଖୁବ୍  ଉପଯୋଗୀ   । ଅବଶ୍ୟ   ବୁକୁଭିତରେ  ହୃଦ୍ ଯନ୍ତ୍ରକୁ   ଜାବୁଡି   ଧରିଲାଭଳି  ଅନୁଭୂତି  ସହିତ  ଏଭଳି  ଝାଳ  ବୋହିଯାଉଥିଲେ  କାକ୍ଟସ  ସଙ୍ଗେ  ସଙ୍ଗେ  ଜୀବନ  ରକ୍ଷାକାରୀ  ଭାବରେ  ସାହାଯ୍ୟ   କରିଥାଏ   । ସାମ୍ବୁକସ୍   କିନ୍ତୁ  ହଠାତ୍  ନାକ  ବନ୍ଦ  ହୋଇଯିବା    ଲକ୍ଷଣରେ  ପ୍ରୟୋଗ  ହୋଇଥାଏ   ।

ସାଙ୍ଗୁନେରିଆ

ସ୍ନାୟୁଶୂଳ   ପାଇଁ  ଏହା  ଏକ  ନିତ୍ୟବ୍ୟବହାର୍ଯ୍ୟ  ଔଷଧ   । ଡାହାଣ  ପାଖର  ସ୍ନାୟୁଶୂଳ   ପାଇଁ  ଏହା  ବେଶି  ଦରକାର  ହୁଏ   । ସାଧାରଣତଃ  ଅଧାକପାଳି  ରୋଗରେ   ଏହା  ଏକ  ପ୍ରମୁଖ  ଔଷଧ   । ମୁଣ୍ଡବ୍ୟଥା  ସକାଳୁ  ସନ୍ଧ୍ୟାପର୍ଯ୍ୟନ୍ତ  ହେଉଥିବ ; ବ୍ୟଥା  ବେକଷଣ୍ଢାରୁ   ଆରମ୍ଭ  ହୋଇ  ଧୀରେ  ଧୀରେ  ମୁଣ୍ଡ  ଉପରଦେଇ  ଡାହାଣ  ଆଖିର   ଉପରକୁ  ଯାଇ  ରହୁଥିବ ;  ମୁଣ୍ଡବ୍ୟଥା  ସହିତ  ଅଇ  ଉଠାଉଥିବ  ବା  ବାନ୍ତି  ହେଉଥିବ,  ତାହାହେଲେ  ଏହା   ଅବଶ୍ୟ  ଆରୋଗ୍ୟକାରୀ   । ସେହିଭଳି   ଡାହାଣ  କାନ୍ଧ,  ଖୁଆ  ବିନ୍ଧା   ହେଉଥିବ  ଓ  ହାତଟେକିବା  କଷ୍ଟକର   ହେଉଥିଲେ  ଏହା  ଅନେକ  ସମୟରେ  ପ୍ରାଥମିକ  ଅବସ୍ଥାରେ  ଆରୋଗ୍ୟ  କରିଥାଏ   । ଏହାଛଡା,  ପୁରୁଣା  କାଶ,  ଯେଉଁଥିରେ  କି  ଦୁର୍ଗନ୍ଧ  କଫ  ବାହାରୁଥିବ  ଓ  କାଶିବା  ସମୟରେ  ମୁହଁ  ଲାଲ୍  ପଡିଯାଉଥିବ,  ତାହାହେଲେ  ଏହା  କାମରେ  ଲାଗିବ   । ଏ  କ୍ଷେତ୍ରରେ  ମଧ୍ୟ  ଡାହାଣପଟ  ଫୁସଫୁସ୍  ଓ  ଛାତି   ଆକ୍ରାନ୍ତ   ହୋଇଥାଏ   ।

ସାଇଲିସିଆ

ଏହା  ଏକ  ଗଭୀର  କ୍ରିୟାକାରୀ  ଧାତୁଗତ  ଔଷଧ  ।  କ୍ୟାଲକେରିଆ  ଜାତୀୟ  ଔଷଧଭଳି  ପୋଷକ  ଦୋଷଯୁକ୍ତ  ଉପସର୍ଗମାନଙ୍କରେ  ଏହାର  ବିଶେଷ  ପ୍ରୟୋଜନ  ହୁଏ  । ଏହା  ଶିଶୁମାନଙ୍କ  ‘ପୁଅରୋଗ’ ର  ଏକ  ପ୍ରଧାନ  ଔଷଧ   । ଶିଶୁଟିର   ମୁଣ୍ଡ  ଓ  ପେଟ   ଶରୀରର  ଅନ୍ୟାନ୍ୟ   ଅଙ୍ଗ  ତୁଳନାରେ  ବେଶ୍  ବଡ  । ହାତ  ଓ  ପାଦରୁ   ବେଶି  ଝାଳ  ବୋହୁଥିବ  । ଶର୍ଦ୍ଦି  ଓ ପୂଜପ୍ରବଣ  ଶିଶୁ  ତଥା  ବଡ  ମଣିଷଙ୍କର   ପୌଷ୍ଟିକ  କାରଣରୁ   ଶୀର୍ଣ୍ଣତା   ଓ  ନାନାପ୍ରକାରର  ରୋଗମାନଙ୍କ  ପାଇଁ  ଏହାର  ବ୍ୟବହାର  ଫଳପ୍ରଦ  ଭାବରେ  ହୁଏ   । ସାମାନ୍ୟ   ଖଣ୍ଡିଆରେ  ପୂଜ  ହେବା,  କାନପଚା  ଓ  ନାଳୀ  ଘା’  ରେ   ଏହାର  ଉପଯୁକ୍ତ  ପ୍ରୟୋଗଫଳରେ   ପୂଜ  ଶୁଖିଯାଇଥାଏ   । ବାରାଇଟାକାର୍ବ   ଭଳି  ଏ  ରୋଗୀର   ପାଦରୁ   ବହୁତ  ଦୁର୍ଗନ୍ଧଯୁକ୍ତ  ଝାଳ  ବହେ   ଓ  ଏହା  କୌଣସି  ପ୍ରକାରେ   ବନ୍ଦ  ହୋଇଗଲେ   ନାନା  ଉପସର୍ଗ  ବାହାରେ   ।

ଯେଉଁ  କୋଷ୍ଠକାଠିନ୍ୟରେ   ଝାଡା  ବହୁ  ସମୟ  କୁନ୍ଥାଇଲେ  ମଧ୍ୟ  ବାହାରିପାରୁ  ନ ଥିବ,  ବରଂ  ଅଧେ  ବାହାରି  ପୁଣି  ଖସି  ଯାଉଥିବ  ତାହାହେଲେ  ଏହାର  ଉଚ୍ଚଶକ୍ତି  ସେଭଳି  କୋଷ୍ଠକାଠିନ୍ୟ  ଭଲ  କରିଥାଏ  ।

ଥଣ୍ଡାପବନ  ଓ  ଅମାବାସ୍ୟା  ସମୟରେ  ରୋଗଲକ୍ଷଣର  ବୃଦ୍ଧି  ଘଟୁଥିଲେ  ଏହା  ବେଶ୍  ଉପକାର  ଦେଖାଏ   । ସାଇଲିସିଆ   ରୋଗୀ  ମୁଣ୍ଡରେ  ଆଦୌ   ଥଣ୍ଡା  ସହିପାରେ  ନାହିଁ,  ଫଳରେ  ତାହାକୁ  ସେ  ସର୍ବଦା   ଆବୃତ  କରି  ରଖିବା  ଚାହେଁ  ।

ଏହାର  ପୂଜ  ସୃଷ୍ଟି  କରିବାର  ଶକ୍ତି  ଏପରି  ଯେ,  ଦେହରେ  କୌଣସି  ବାହ୍ୟ   ପଦାର୍ଥ,  କଣ୍ଟା  ଇତ୍ୟାଦି  ରହିଥିଲେ,  ଏହା  ପୂଜ  ସୃଷ୍ଟିକରି  ବାହାର   କରିଦେଇଥାଏ   । ତେଣୁ  ହାଡଭଙ୍ଗାରେ  ନେଲିଂ  ହୋଇଥିଲେ  ବା  ହୃଦରୋଗୀ  କ୍ଷେତ୍ରରେ   ପେଶ୍ ମେକାର   ଲାଗିଥିଲେ  ଏହାର  ଉଚ୍ଚଶକ୍ତି  ବ୍ୟବହାର   ନିଷେଧ   ।

ସ୍ପାଇଜେଲିଆ

ସାଙ୍ଗୁନେରିଆ  ଭଳି  ସ୍ନାୟୁଶୂଳ  ବ୍ୟଥା  ବାମପଟରେ   ଦେଖାଯାଉଥିଲେ  ଏହା  କାର୍ଯ୍ୟକାରୀ   । ଅଧାକପାଳି  ଠିକ୍  ସାଙ୍ଗୁନେରିଆ  ଭଳି,  କିଣୁ  ବାମପଟ   । ବାମପଟ  ଛାତିର  ବ୍ୟଥା  ବାମହାତ  ଦେଇ  ଆଙ୍ଗୁଠି  ପର୍ଯ୍ୟନ୍ତ  ଗତି  କରୁଥିଲେ   ଓ  କପାଳରେ  ଝାଳ   ଦେଖାଦେଉଥିଲେ, ହୃଦରୋଗରେ   ଏହା  ତତକ୍ଷଣାତ  ବ୍ୟବହାର  କରିବାର  କଥା  ଜୀବନ  ରକ୍ଷାପାଇଁ   । ଅବଶ୍ୟ  ଛାତିଭିତରେ   ହୃତପିଣ୍ଡକୁ   ଖୁବ୍   ଜୋରରେ  କେହି  ଛାପି   ଧରିଲାଭଳି   ଅନୁଭବ  କରି  ଦମ୍  ବନ୍ଦ   ହୋଇଗଲାଭଳି  ମନେକଲେ   କାକ୍ଟସ   ଦେବାକୁ   ଆଦୌ   ବିଳମ୍ବ   କରିବେ  ନାହିଁ  । ଦୃଦରୋଗୀମାନେ  କିନ୍ତୁ  ବ୍ୟଥା  ସହିତ, ହୃଦସ୍ପନ୍ଦନ   ଖୁବ୍  ବଢିଯାଏ   ଓ  ସମ୍ପୂର୍ଣ୍ଣ   ଛାତିଟା   ଥରିଉଠେ  ପ୍ରତ୍ୟକ   ସ୍ପନ୍ଦନ   ସହିତ   । ବେଳେ  ବେଳେ  ଛାତିର  ସ୍ପନ୍ଦନ  ମଧ୍ୟ  ବାହାରକୁ , ଛାତିର  ଅଳ୍ପଦୂର  ପର୍ଯ୍ୟନ୍ତ   ଖାଲି  କାନକୁ  ଶୁଣାଯାଇଥାଏ   । ସାମାନ୍ୟ  ହଲଚଲ   ଓ  ଚଲାବୁଲାରେ  ଏହାର  ବ୍ୟଥା  ବଢିଯାଏ  ଓ  ବ୍ରାୟୋନିଆ  ଭଳି  ଚୁପ  ଚାପ୍   ପଡିରହେ   । ଏହାର  ଉପସର୍ଗ   ସବୁ  ‘ସୂର୍ଯ୍ୟାବର୍ତ୍ତକ’ – ଅର୍ଥାତ୍ ଦିନବେଳେ   ସୂର୍ଯ୍ୟଙ୍କବଢିବା  ଓ  କମିବା  ସହିତ  ଯେପରି  ଏହାର  ଉପସର୍ଗ  ସବୁର  ବୃଦ୍ଧି  ହ୍ରାସର  ସମ୍ପର୍କ    ।

ସଂଗୃହୀତ – ଡାକ୍ତର କମଳାକାନ୍ତ କର

Last Modified : 1/28/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate