ହୋମ / ସ୍ଵାସ୍ଥ୍ୟ / ରୋଗ / ଉଚ୍ଚ ରକ୍ତଚାପ
ସେଆର କରନ୍ତୁ

ଉଚ୍ଚ ରକ୍ତଚାପ

ଉଚ୍ଚ ରକ୍ତ ଚାପ ଏକ ପ୍ରାଣଘାତି ରୋଗ ଏଥି ପାଇଁ ପ୍ରତିକାର ବ୍ୟବସ୍ଥା ସହ ସାବଧାନତା ଅବଲମ୍ବନ ନକଲେ ବ୍ୟକ୍ତି ମୃତ୍ୟ ମୁଖରେ ପଡିବାର ଆଶଙ୍କା ଥାଏ।

ଉପକ୍ରମ

ଅନିୟମିତା ଜୀବନଶୈଳୀ ବ୍ୟାୟାମର ଅଭାବ ଓ ଅତ୍ୟଧିକ ମାନସିକ ଚାପ ଯୋଗୁଁ ଉଚ୍ଚ ରକ୍ତ ଚାପ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଏହି ସମସ୍ୟାକୁ ଦୂର କରିବା ପାଇଁ ପ୍ରତିବର୍ଷ ମେ ୧୭ ତାରିଖରେ ପାଳନ ହେଉଛି ବିଶ୍ଵ ଉଚ୍ଚ ରକ୍ତଚାପ ଦିବସ ।

ଏହାକୁ ନେଇ ବିଶେଷ ପ୍ରସଙ୍ଗ ‘ନିରବ ଘାତକ ଉଚ୍ଚ ରକ୍ତଚାପ'

ଭାରତରେ ବୃଦ୍ଧି ପାଉଛି ଉଚ୍ଚ ରକ୍ତଚାପ ( ହାଇପରଟେନସନ୍ ) ରୋଗୀଙ୍କୁ ସଂଖ୍ୟା ପରିବର୍ତ୍ତନଶୀଳ ଜୀବନଶୈଳୀ ଯୋଗୁଁ ଏହି ସମସ୍ୟା ବୃଦ୍ଧି ପାଉଛି । ଗବେଷକଙ୍କ କହିବାନୁସାରେ ୨୦୨୦ ବେଳକୁ ଭାରତରେ ଏକ ତୃତୀୟାଂଶ ଲୋକ ଉଚ୍ଚ ରକ୍ତଚାପ ଶିକାର ହେବା । ୨୦୧୬ ରେ ହୋଇଥିବା ଏକ ଗଣନାରୁ ଜଣାପଡିଛି ସହରାଞ୍ଚଳରେ ୨୦ ରୁ ୪୦ ପ୍ରତିଶତ ଲୋକ ଉଚ୍ଚ ରକ୍ତଚାପ ଶିକାର ହୋଇଥିବାବେଳେ ଗ୍ରାମାଞ୍ଚଳରେ ୧୨ରୁ ୧୭ ପ୍ରତିଶତ ଲୋକ ଉଚ୍ଚ ରକ୍ତଚାପ ଶିକାର ହୋଇଛନ୍ତି । ଭାରତରେ ବର୍ଷକୁ ପ୍ରାୟ ୧.୫ ମିଲିୟନ୍ ଲୋକ ଉଚ୍ଚ ରକ୍ତଚାପ ଯୋଗୁଁ ମୃତ୍ୟୁମୁଖରେ ପଡିଥାନ୍ତି । ବିଶ୍ଵସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ ବିଶ୍ଵରେ ବର୍ଷକୁ ୧୨.୮ ପ୍ରତିଶତ ଲୋକ ବିଭିନ୍ନ କାରଣରୁ ମୃତ୍ୟୁ ମୁଖରେ ପଡିଥିବାବେଳେ ୭.୫ ମିଲିୟନ ଲୋକ କେବଳ ଉଚ୍ଚ ରକ୍ତଚାପ ଯୋଗୁଁ ମୃତ୍ୟୁ ମୁଖରେ ପଡିଥାନ୍ତି । ସାଧାରଣତଃ ଉଚ୍ଚ ରକ୍ତଚାପ ବ୍ୟକ୍ତିକୁ ୪୦ ବର୍ଷ ଟପିଲେ ପରେ ଦେଖାଯାଏ । ହେଲେ ଆଜିକାଲି ୨୦-୩୦ ବର୍ଷ ବୟସର ବ୍ୟକ୍ତି, ବିଶେଷ କରି କଲେଜ ଛାତ୍ରମାନଙ୍କଠାରେ ଦେଖାଯାଉଛି । ଏଭଳି ଉଚ୍ଚ ରକ୍ତଚାପ ଜନିତ ରୋଗୀଙ୍କ ସଂଖ୍ୟା ବଢିବାର କାରଣ କ’ଣ ହୋଇପାରେ ।

କାରଣ

  • ଅସ୍ଵାସ୍ଥ୍ୟକର ଖାଦ୍ୟ
  • ବ୍ୟସ୍ତବହୁଳ ଜୀବନସୌଲ ଯୋଗୁଁ ବ୍ୟକ୍ତି ସର୍ବଦା ଫାଷ୍ଟପୁଡ୍, ଜଙ୍କଫୁଡ୍, ଓ ବାହାର ତିଆରି ହେଉଥିବା ତେଲ ମଶାଲ ଖାଦ୍ୟ ଖାଉଛି । ଯାହାକି ଉଚ୍ଚ ରକ୍ତଚାପ ବୃଦ୍ଧିର ମୁଖ୍ୟ କାରଣ । ଏହାଦ୍ଵାରା ରକ୍ତବାହୀ ନଳୀରେ କୋଲେଷ୍ଟେରଲ ବୃଦ୍ଧି ହୋଇ ନଳୀ ପଥକୁ ସରୁ କରିଦେଉଛି । ଫଳରେ ଉଚ୍ଚ ରକ୍ତଚାପ ସମସ୍ୟା ବୃଦ୍ଧି ପାଉଛି ।

  • ଶାରୀରିକ ପରିଶ୍ରମର ଅଭାବ
  • ଆଜିକାଲିର ଲୋକମାନେ ଶାରୀରିକ ପରିଶ୍ରମ ବ୍ୟତୀତ ମାନସିକ ପରିଶ୍ରମ କରିବାକୁ ପସନ୍ଦ କରୁଛନ୍ତି । ଅଧିକ ଟଙ୍କା ଲୋଭ ହିଁ ବ୍ୟକ୍ତିକୁ ଶାରୀରିକ ପରିଶ୍ରମଠାରୁ ଦୂରେଇ ରଖୁଛି । ସମୟ ଅଭାବରୁ ମଧ୍ୟ ବ୍ୟକ୍ତି ବ୍ୟାୟାମ କରୁନାହାନ୍ତି । ଏହାଦ୍ଵାରା ଶରୀରରେ ମେଦଜମା ହେଉଛି । ଯାହାକି ଉଚ୍ଚ ରକ୍ତଚାପ ମୁଖ୍ୟ କାରଣ।

  • ଅଧିକ ଲୁଣ ଖାଇବା
  • ଉଚ୍ଚ ରକ୍ତଚାପ ମୁଖ୍ୟ କାରଣ ହେଉଛି ଲୁଣ । ଆଡେଡ୍ ଲୁଣ ଅର୍ଥାତ୍ ଖାଦ୍ୟପ୍ରସ୍ତୁତ ପରେ ଅଧିକ ଲୁଣ ଛିଞ୍ଚି ଖାଇବା ଦ୍ଵାରା ହିଁ ରକ୍ତଚାପ ବୃଦ୍ଧି ହୋଇଥାଏ । ଏଣୁ ଯେତେ ସମ୍ଭବ ଲୁଣ କମ୍ ଖାଇବା ଦରକାର । ଜଣେ ଦିନକୁ ମାତ୍ର ୫ ଗ୍ରାମ୍ ଲୁଣ ଖାଇବା ଦରକାର ।

  • ଦୁଃଚିନ୍ତା କରିବା
  • ଉଚ୍ଚ ରକ୍ତଚାପ ବୃଦ୍ଧି ପାଇଁ ଚିନ୍ତା ହେଉଛି ଅନ୍ୟତମ ଏକ ମୁଖ୍ୟ କାରଣ । ଆବଶ୍ୟକତାଠାରୁ ଅଧିକ କାମ କରିବାର ନିଶା,ଅଧିକ ଧନ ଅର୍ଜନ କରିବାର ପ୍ରୟାସ ହିଁ ମଣିଷକୁ ଚିନ୍ତାରେ ପକାଉଛି । ଚିନ୍ତାରେ ରହିବା ଯୋଗୁଁ ବ୍ୟକ୍ତିଠାରେ ଉଚ୍ଚ ରକ୍ତଚାପ ବୃଦ୍ଧି ପାଏ ।

  • ନିଶାସେବନ କରିବା
  • ଯୁବପିଢି ତମାଖୁ ତଥ୍ୟ ଗୁଟୁକା, ବିଡି ସିଗାରେଟ୍ ଆଦି ଓ ଆଲକୋହଳ ଯୁକ୍ତ ପାନୀୟ ଗ୍ରହଣ କରିବା ଯୋଗୁଁ ଶୀରା ପ୍ରଶିରା ଦୁର୍ବଳ ହୋଇଯାଉଛି । ଏହାଦ୍ଵାରା ରକ୍ତଠିକ୍ ଭାବରେ ସଞ୍ଚାଳନ ହୋଇପାରେ ନାହିଁ । ଫଳରେ ଉଚ୍ଚ ରକ୍ତଚାପ ସମସ୍ୟା ଦେଖାଯାଉଛି ।

  • ହର୍ମୋନ ନିର୍ଗତରେ ଅନିୟମତତା
  • ହର୍ମୋନରେ ଅସନ୍ତୁଳନ ଦେଖାଦେଲେ ମଧ୍ୟ ଉଚ୍ଚ ରକ୍ତଚାପ ବୃଦ୍ଧି ହୋଇଥାଏ । ବେଳେବେଳେ ବୟସ୍କମାନଙ୍କ କ୍ଷେତ୍ରରେ ହର୍ମୋନ ଅନିୟମିତତା ଉଚ୍ଚ ରକ୍ତଚାପ କାରଣ ହୋଇଥାଏ ।

  • ଗର୍ଭନିରୋଧକ ବଟିକା ଖାଇବା
  • ଗର୍ଭନିରୋଧକ ବଟିକା ଓ ପେନ୍ କିଲର ଖାଇବା ଦ୍ଵାରା ମଧ୍ୟ ଉଚ୍ଚ ରକ୍ତଚାପ ସମସ୍ୟା ଦେଖାଯାଏ । ଏହି ବଟିକା ଦ୍ଵାରା ରକ୍ତ ଜମାଟ ବାନ୍ଧେ । ଏହାଦ୍ଵାରା ରକ୍ତ ସଂଞ୍ଚାଳନ ସୁଚାର ରୂପେ ନ ହୋଇପାରିବା ଯୋଗୁଁ ମଧ୍ୟ ଉଚ୍ଚ ରକ୍ତଚାପ ସମସ୍ୟା ଦେଖାଯାଏ ।

  • ଗାଢ ନିଦ୍ରା ନଯିବା
  • ଗାଢ ନିଦ୍ରା ନ ହେଲେ ମଧ୍ୟ ଉଚ୍ଚ ରକ୍ତଚାପ ଦେଖାଯାଏ । ଦିନକୁ ୮ ଘଣ୍ଟା ଗାଢ ନିଦ୍ରାରେ ଶୋଇବା ଦରକାର । ଯଦି ଏଥିରେ ଅନିୟମିତତା ଦେଖାଯାଏ, ବ୍ୟକ୍ତି ଉପଯୁକ୍ତ ମାତ୍ରାରେ ଶୋଇ ନପାରେ, ଚିନ୍ତାରେ ରହେ ଓ ତା’ ଠାରେ ଉଚ୍ଚ ରକ୍ତଚାପ ସମସ୍ୟା ବୃଦ୍ଧି ପାଏ ।

ଲକ୍ଷଣ

  • ମୁଣ୍ଡବ୍ୟଥା
  • ମୁଣ୍ଡବୁଲାଇବା
  • ଦୃଷ୍ଟିଶକ୍ତି ହ୍ରାସ
  • ଚିଡିଚିଡା ଲାଗିବା
  • ବାନ୍ତି ଲାଗିବା ଓ ବାନ୍ତି ହେବା
  • ଚାଲିବ ସମୟରେ ଧଇଁସଇଁ ଲାଗିବା
  • ପାଦ ଫୁଲଲିବା

ପ୍ରଭାବ

ଉଚ୍ଚ ରକ୍ତଚାପ ବୃଦ୍ଧି ଯୋଗୁଁ ଶରୀରର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ ପ୍ରଭାବିତ ହୁଏ । ବ୍ରେନ୍, ହୃତପିଣ୍ଡ କିଡନୀ ଓ ଆଖିବିଶେଷ ପ୍ରଭାବିତହୋଇଥାଏ । ସମୟ ସମୟ ଉଚ୍ଚ ରକ୍ତଚାପ ଜୀବନ ନେଇଥାଏ । ହେଲେ ସବୁ ସମୟରେ ମଣିଷ ଜାଣିପାରେ ନାହିଁ ଯେ ସେ ଉଚ୍ଚ ରକ୍ତଚାପ ଶିକାର ହୋଇଛି । ବିନା ଚିକିତ୍ସାରେ ଏହା ଦୀର୍ଘଦିନ ଧରି ରହିବା ଯୋଗୁଁ ବ୍ରେନ୍ ଷ୍ଟୋକ୍, ହୃଦଘାତ କିଡନୀ ଫେଲ୍ୟୁୟର ଓ ରେଟିନା ଦୁର୍ବଳ ହୋଇଥାଏ । ଏହି ଅଙ୍ଗଗୁଡିକ କିପରି ପ୍ରଭାବିତ ହୁଏ ।

  1. ମସ୍ତିଷ୍କ

    ଉଚ୍ଚ ରକ୍ତଚାପ ବୃଦ୍ଧି ଦୁଇ ପ୍ରକାର ବ୍ରେନ୍ ଷ୍ଟ୍ରୋକ୍ ହୋଇଥାଏ । ଇସଚେମିକ୍ ଷ୍ଟ୍ରୋକ୍ ଓ ହେମୋରେଜିକ୍ ଷ୍ଟ୍ରୋକ୍ । ବ୍ରେନ୍ କୁ ସଂଯୋଗ ହୋଇଥିବା ରକ୍ତବାହୀ ନଳୀରେ ଜମାଟ ବାନ୍ଧିବା ବ୍ରେନ୍ କୁ ରକ୍ତ ସଞ୍ଚାଳନ ଫ୍ଲୋ କମିଯାଏ । ବ୍ରେନ୍ କୁ ସଂଯୋଗ ରକ୍ତବାହୀ ନଳୀରେ କୋଲେଷ୍ଟରଲର ମାତ୍ରା ବୃଦ୍ଧି ପାଇଲେ, ଇସଚେମିକ୍ ଷ୍ଟ୍ରୋକ୍ ହୁଏ । ବ୍ରେନ୍ ଷ୍ଟ୍ରୋକର ପ୍ରାୟ ୮୦ ପ୍ରତିଶତ ଇସଚେମିକ୍ ଷ୍ଟ୍ରୋକ ହୋଇଥାଏ । ରକ୍ତଚାପ ଅତ୍ୟଧିକ ବୃଦ୍ଧି ପାଇଲେ ବ୍ରେନ୍ କୁ ସଂଯୋଗ ହୋଇଥିବା ନଳୀ ଫାଟିଗଲେ ହେମୋରେଜିକ୍ ଷ୍ଟ୍ରୋକ ହୋଇଥାଏ ।

  2. ଚକ୍ଷୁ

    ଦେଖିବାରେ ଆଖି ସହ ସଂଯୋଗ ରେଟିନା ସହାୟକ ହୋଇଥାଏ । ଉଚ୍ଚ ରକ୍ତଚାପ ଯୋଗୁଁ ରେଟିନା ସହିତ ସଂଯୋଗ ଥିବା ରକ୍ତବାହୀ ନଳୀ ଦୁର୍ବଳ ହୋଇଥାଏ । ଏହାଦ୍ଵାରା ରେଟିନା ଉତ୍ତମ ଭାବେ ରକ୍ତ ସଞ୍ଚାଳନ ହୋଇପାରେ ନାହିଁ । ଫଳରେ ଦୃଷ୍ଟିଶକ୍ତି ହ୍ରାସ ପାଏ । ବ୍ୟକ୍ତିକୁ ଝାପସା ଝାପସା ଦେଖାଯାଏ ।

  3. କିଡନୀ

    ଦୀର୍ଘଦିନ ଧରି ଉଚ୍ଚ ରକ୍ତଚାପ ଲାଗି ରହିଲେ କିଡନୀ ପ୍ରଭାବିତ ହୋଇଥାଏ । କିଡନୀ ରକ୍ତକୁ ଛାଣି ପରିଷ୍କାର କରିଥାଏ । ଆମ ଶରୀରରୁ ଅପରିଷ୍କାର ଦ୍ରବ୍ୟ ବାହାରକୁ ବାହାର କରିଥାଏ । ହେଲେ ଉଚ୍ଚ ରକ୍ତଚାପ ଯୋଗୁଁ ଅଧିକ ରକ୍ତ କିଡନୀ ପ୍ରଭାବିତ ହୋଇଥାଏ । ଏହାଦ୍ଵାରା କିଡନୀ ଉପରେ ଚାପ ପଡେ । ଯାହାଦ୍ଵାରା କିଡନୀ ଦୁର୍ବଳ ହୋଇଯାଏ । ଦୀର୍ଘଦିନ ଧରି ଉଚ୍ଚ ରକ୍ତଚାପ ରହିଲେ କିଡନୀ ଅକାମୀ ହୋଇଥାଏ ।

  4. ହୃତପିଣ୍ଡ

    ଉଚ୍ଚ ରକ୍ତଚାପ ବିଶେଷ ପ୍ରଭାବ ହୃତପିଣ୍ଡ ଉପରେ ପଡେ । ରକ୍ତଚାପ ଉଚ୍ଚ ହେଲେ ହୃତସ୍ପନ୍ଦନ ଯୋଗୁଁ ହୃତପିଣ୍ଡର ମାଂସପେଶୀ ଦୁର୍ବଳ ହୋଇଯାଏ । ରକ୍ତଚାପ ବଢିବ ପରେ ରକ୍ତବାହୀନଳୀ ସରୁ ହୋଇଯାଏ । ଫଳରେ ହୃତପିଣ୍ଡକୁ ରକ୍ତ ସ୍ରାବ କମିଯାଏ କିମ୍ବା ବନ୍ଦ ହୋଇଯାଏ । ଏହାଦ୍ଵାରା ହୃଦଘାତ ହୁଏ ।

ନିବାରଣ

  • ଉଚ୍ଚ ରକ୍ତଚାପରୁ ରକ୍ଷା ପାଇବା ପାଇଁ ପ୍ରଥମେ ଖାଦ୍ୟ ପେୟରେ ନିୟନ୍ତ୍ରଣ ରହିବା ଦରକାର । ଯେତେସମ୍ଭବ ଲୁଣ କମ୍ ଖାଇବା ଦରକାର । ଦିନକୁ ମାତ୍ର ୫ ଗ୍ରାମ ଲୁଣ ଖାଆନ୍ତୁ । ଏହାଠାରୁ ଅଧିକ ଖାଇବା ଅସୁବିଧା । ତେଲମସଲା, ଫାଷ୍ଟଫୁଡ୍ ଓ ଜଙ୍କଫୁଡ୍ ପରି ଖାଦ୍ୟଠାରୁ ଦୂରେଇ ରହନ୍ତୁ । ସବୁଜ ପନିପରିବା ଓ ତଟକା ଖାଦ୍ୟ ଖାଆନ୍ତୁ ।
  • ପରିବର୍ତ୍ତନ ଜୀବନଶୈଳୀ ଯୋଗୁଁ ବର୍ତ୍ତମାନ ୪୦ ବର୍ଷ ପୂର୍ବରୁ ଉଚ୍ଚ ରକ୍ତଚାପ ସମସ୍ୟା ଦେଖାଯାଉଛି । ଏଣୁ ୩୫-୪୦ ବର୍ଷ ପରେ ସମସ୍ତେ ବର୍ଷକୁ ଥରେ ରକ୍ତଚାପ ହୋଇଥିଲେ, ତାହା ହଠାତ୍ ଜଣାପଡେ ନାହିଁ । ବଂଶରେ କାହାର ଉଚ୍ଚ ରକ୍ତଚାପ ଥିଲେ ଡାଇବେଟିସ୍ କିମ୍ବା ବ୍ରେନ୍ ଷ୍ଟ୍ରୋକ୍ ହୋଇଥିଲେ ୬ ମାସରେ ଥରେ ରକ୍ତଚାପ ପରୀକ୍ଷା କରିବା ଦରକାର ଏଥିପ୍ରତି ଅଧିକ ସଚେତନ ହେବା ଉଚିତ୍ ।
  • ପ୍ରତିଦିନ ବ୍ୟାୟାମ ଓ ଯୋଗୁଁ କରନ୍ତୁ । ଏହାଦ୍ଵାରା ଶରୀରର ଅଙ୍ଗପ୍ରତ୍ୟଙ୍ଗ ସକ୍ରିୟ ରହେ । ଏହାଦ୍ଵାରା ମେଦବୃଦ୍ଧି ହୁଏ କି ଉଚ୍ଚ ରକ୍ତଚାପ ମଧ୍ୟ ହୁଏ ନାହିଁ ।
  • ତମାଖୁ ଓ ଅନ୍ୟାନ୍ୟ ନିଶାଦ୍ରବ୍ୟଠାରୁ ଦୁରେଇ ରହନ୍ତୁ । ବିଶେଷ କରି ଧୂମପାନଠାରୁ ଦୂରେଇ ରହିବା ଦରକାର । କାରଣ ଏହା ଶୀରାପ୍ରଶୀରାକୁ ସଙ୍କୁଚିତ କରିଦିଏ । ଯାହାଦ୍ଵାରା ଉଚ୍ଚ ରକ୍ତଚାପର ଆଶଙ୍କା ବଢିଯାଏ ।
  • ଉଚ୍ଚ ରକ୍ତଚାପ ଶିକାର ହୋଇଥିବା ବ୍ୟକ୍ତି ନିୟମିତ ଭାବରେ ଔଷଧ ଖାଇବା ଦରକାର । ଦିନେ ବି ବନ୍ଦ କରିବା ଉଚିତ୍ ନୁହେଁ । ବି.ପି ମେଡ଼ିସିନ୍ ଗୋଟିଏ ଦିନ ବନ୍ଦ ହେଲେ ବି ବ୍ରେନ୍ ଷ୍ଟ୍ରୋକ୍, ହୃତଘାତ ହେବାର ଆଶଙ୍କା ବଢିଯାଏ । ଏଣୁ ରୋଗୀ ଭୁଲ୍ ରେ ବି ଔଷଧ ବନ୍ଦ କରିବା ଉଚିତ୍ ନୁହେଁ ।
  • ଚିନ୍ତା, ଅତ୍ୟଧିକ କାମଠାରୁ ଦୂରରେ ରହି ଉପଯୁକ୍ତ ପରିମାଣ ତଥା ୬-୮ ଘଣ୍ଟାଗାଢ ନିଦ୍ରାରେ ଶୁଅନ୍ତୁ ।
  • ଉଚ୍ଚ ରକ୍ତଚାପ ଶିକାର ହୋଇଥିବା ବ୍ୟକ୍ତି ୨-୩ ମାସରେ ନିୟମିତ ଭାବରେ ଡାକ୍ତରଙ୍କ ପରାମର୍ଶ ନେବା ଦରକାର । କାରଣ ଔଷଧ ଡୋଜ୍ ପରିବର୍ତ୍ତନ କରିବାକୁ ପଡିପାରେ ।

ଡାକ୍ତର କ’ଣ କହନ୍ତି

ଧୂମପାନଠାରୁ ଦୂରେଇ ରହନ୍ତୁ – ଡାକ୍ତର ଅନୁପ କୁମାର ବୁଦ୍ଧିଆ

ବିଭିନ୍ନ କାରଣରୁ ଉଚ୍ଚ ରକ୍ତଚାପ ସମସ୍ୟା ବୃଦ୍ଧି ହେଉଛି । ସେଥି ମଧ୍ୟରୁ ଧୂମପାନ ଅନ୍ୟତମ । ସିଗାରେଟ୍, ବିଡିରେ ରହିଛି ଅନେକ ବିଷାକ୍ତ କେମିକାଲ୍ । ଯାହା ଧୂଆଁ ମାଧ୍ୟମରେ ଶରୀର ମଧ୍ୟକୁ ପ୍ରବେଶ କରେ । ଏହାର ପ୍ରଭାବରେ ଶୀରା ପ୍ରଶୀର ଦୁର୍ବଳ ହୋଇ ସରୁ ହୋଇଯାଏ । ଫଳରେ ରକ୍ତଚାପ ବୃଦ୍ଧି ହୁଏ । ଯାହାକି ବ୍ରେନ ହୃତପିଣ୍ଡ କିଡନୀ ଓ ଆଖି ଉପରେ ବିଶେଷ ପ୍ରଭାବ ପକାଏ । ବିଶେଷ କରି ଧୂମପାନ କରୁଥିବା ବ୍ୟକ୍ତିଠାରେ ଉଚ୍ଚ ରକ୍ତଚାପ ସମସ୍ୟା ବେଶି ଦେଖାଯାଏ । ଏଣୁ ଧୂମପାନଠାରୁ ଦୂରେଇ ରହିବା ଦରକାର । ପ୍ରତିଦିନ ୩୦ ମିନିଟ୍ ରୁ ଅଧିକ ସମୟ ବ୍ୟାୟମ ଓ ଯୋଗ କରନ୍ତୁ । ଉଚ୍ଚ ରକ୍ତଚାପ ଶିକାର ବ୍ୟକ୍ତି ନିୟମିତ ଔଷଧ ସେବନ ସହ ପ୍ରତି ୨-୩ ମାସରେ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ୍ ।

ମାନସିକ ଚିନ୍ତାକୁ ଦୁରାନ୍ତୁ - ଡାକ୍ତର ଜିତେନ୍ଦ୍ର ପଟ୍ଟନାୟକ

ଦୁଃଶ୍ଚିନ୍ତା ଓ ମାନସିକ ଅଶାନ୍ତି ହିଁ ଉଚ୍ଚ ରକ୍ତଚାପ ବୃଦ୍ଧିର ଏକ ମୁଖ୍ୟ କାରଣ । ଆଜିକାଲି ଲୋକମାନେ ଅର୍ଥ ଲୋଭରେ ନିଜର ପରିବାରଠାରୁଅଧିକ କାମ କରୁଛନ୍ତି । ଯାହା ତାଙ୍କୁ ମସ୍ତିଷ୍କ ଉପରେ ଚାପ ପକାଉଛି । ସେମାନେ ଚିନ୍ତାରେ ରହୁଛନ୍ତି । ଏହାଦ୍ଵାରା ଉଚ୍ଚ ରକ୍ତଚାପର ଶିକାର ହେଉଛନ୍ତି । ଏଣୁ ପାରିପାର୍ଶ୍ଵକ ଚିନ୍ତାଗ୍ରସ୍ତରୁ ଦୂରେଇ ରହି ବ୍ୟାୟାମ, ଯୋଗ ଓ ମର୍ଣ୍ଣିଂୱାର୍କକୁ ଦିନଚର୍ଯ୍ୟାରେ ସାମିଲ କରିବା ଦରକାର । ଏହାଦ୍ଵାରା ଶାରୀରିକ କ୍ରିୟାକଳାପ ସକ୍ରିୟ ରହିବ । ରକ୍ତ ସଞ୍ଚାଳନ ଉତ୍ତମ ଭାବେ ହୋଇପାରିବ । ବୟସ ୪୦ ଟପିଲେ ରକ୍ତଚାପ ପରୀକ୍ଷା କରିବା ଦରକାର । ବିଶେଷକ କରି ତେଲ, ଘିଅ ଚର୍ବିଜାତୀୟ, ଜଙ୍କଫୁଡ୍, ଫାଷ୍ଟଫୁଡ୍ ଓ ଅଧିକ ଲୁଣ ଜାତୀୟ ଖାଦ୍ୟଠାରୁ ଦୂରେଇ ରହନ୍ତୁ । ଏହାଦ୍ଵାରା ଉଚ୍ଚ ରକ୍ତଚାପ ନିୟନ୍ତ୍ରଣରେ ରହିପାରିବ ।

ଅଧିକ ଲୁଣ କ୍ଷତିକାରକ – ବିନୋଦ ପାତ୍ର

ରକ୍ତଚାପ ବୃଦ୍ଧିର ମୁଖ୍ୟ କାରଣ ହେଉଛି ଲୁଣ । ଅଧିକ ଲୁଣ ଖାଇବା ଦ୍ଵାରା ହିଁ ବ୍ୟକ୍ତି ଉଚ୍ଚ ରକ୍ତଚାପ ଶିକାର ହେବାର ଆଶଙ୍କା ବଢିଯାଏ । ଯେତେସମ୍ଭବ ଲୁଣ ଖାଇବା କମ୍ କରିବା ଉଚିତ୍ । ଦିନକୁ ଜଣେ ମାତ୍ର ୫ ଗ୍ରାମଲୁଣ ଖାଇପାରିବେ । ଏହାଠାରୁ କମ୍ ଖାଇଲେ ମଧ୍ୟ ଭଲ । ଖାଦ୍ୟକୁ ସ୍ଵାଦିଷ୍ଟ କରିବା ପାଇଁ ଲୁଣ ଖାଇଥାନ୍ତି ଲୋକ, ନଚେତ୍ ଲୁଣ ଆମ ସ୍ୱାସ୍ଥ୍ୟର କୌଣସି ଉପକାରରେ ଆସେ ନାହିଁ । ସେହିପରି ଅଧିକ ଲୁଣ ମିଶିଥିବା ଖାଦ୍ୟ ଯେପରି ମୁଢି, ମିକ୍ସଶ୍ଚର, ତେଲଛଣା ଖାଦ୍ୟ, ଚିପ୍ସ ଆଦିଠାରୁଦୂରେଇ ରହିବା ଭଲ । ଆଜିକାଲି କଲେଜ ପିଲାଙ୍କଠାରୁ ଉଚ୍ଚ ରକ୍ତଚାପ ସମସ୍ୟା ଅଧିକ ଦେଖାଯାଉଛି । କାରଣ ପରିବର୍ତ୍ତନ ଜୀବନଶୈଳୀ ହିଁ ଏଥିପାଇଁ ଦାୟୀ । ମାନସିକ ଚିନ୍ତା, ନିଶା ତଥା ଧୂମପାନ, ମଦ୍ୟପାନ ଓ ତମାଖୁ, ଲୁଣ, କମ୍ ଶାରୀରିକ ପରିଶ୍ରମ ଓ ଅସ୍ଵାସ୍ଥ୍ୟକର ଖାଦ୍ୟ ଏହି ୫ ଟି କାରଣ ହିଁ ମୁଖ୍ୟତଃ ଉଚ୍ଚ ରକ୍ତଚାପ ପାଇଁ ଦାୟୀ ।

ନିୟମିତ ରକ୍ତଚାପ ପରୀକ୍ଷା କରନ୍ତୁ – ଡାକ୍ତର ମେନକା ଝା

ବ୍ରେନ୍ ଷ୍ଟ୍ରୋକ୍ ନିଜକୁ ରକ୍ଷା କରିବାକୁ ହେଲେ ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣରେ ରଖିବା ଦରକାର । ଏଥିପାଇଁ ଓଜନକୁ ନିୟନ୍ତ୍ରଣରେ ରଖିବାକୁ ପଡିବ । ପ୍ରତିଦିନ ବ୍ୟାୟାମ କରିବା ଜରୁରି । ୫୦ରୁ ୫୫ ବର୍ଷ ବୟସର ବ୍ୟକ୍ତି ନିୟମିତ ଭାବରେ ରକ୍ତଚାପ ପରୀକ୍ଷା କରିବା ଦରକାର । ଏହାଦ୍ଵାରା ହିଁ ରକ୍ତଚାପ ନିୟନ୍ତ୍ରଣରେ ରହିପାରିବ । ଯଦି ରକ୍ତଚାପ ନିୟନ୍ତ୍ରଣରେ ନରହେ, ତେବେ ଏହାର ପ୍ରଥମ ପ୍ରଭାବ ପଡିବ ବ୍ରେନ ଉପରେ । ଉଚ୍ଚ ରକ୍ତଚାପ ପ୍ରଭାବରେ ମସ୍ତିଷ୍କକୁ ସଂଯୋଗ ହୋଇଥିବା ରକ୍ତବାହୀ ନଳୀ ଫାଟିଯାଏ । ଯାହାଦ୍ଵାରା ବ୍ରେନରେ ଷ୍ଟ୍ରୋକ୍ ହୋଇଥାଏ । ଏଣୁ ନିୟମିତ ଭାବରେ ଡାକ୍ତରଙ୍କ ପରାମର୍ଶରେ ରହି ଉଚ୍ଚ ରକ୍ତଚାପ କୁ ନିୟନ୍ତ୍ରଣରେ ରଖିବା ଦରକାର ।

ଆଧାର:ପ୍ରମେୟ

3.6
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top