ସେଆର କରନ୍ତୁ

କଣନଖା

କଣନଖା ହେଉଛି ହାତ ଓ ଗୋଡ ନଖର ଏକ ଅତି ସାଧାରଣ ରୋଗ ।

କଣନଖା

କଣନଖା ପାଇଁ ବୟସ ଓ ଳିଙ୍ଗଭେଦରେ କୌଣସି ତାରତମ୍ୟ ନ ଥାଏ । ଅର୍ଥାତ୍ ପୁରୁଷ ସ୍ତ୍ରୀ ନିର୍ବିଶେଷରେ ପିଲାଠାରୁ ବୁଢା ପର୍ଯ୍ୟନ୍ତ ଯେ କେହି ଲୋକ ଏହା ଭୋଗିଥାନ୍ତି । ଦୀର୍ଘକାଲୀ କଣନଖା ସାଧାରଣତଃ ରଜକ ଗୋଷ୍ଠୀର ଲୋକ,ଘରେ ପାଣିକାମ କରୁଥିବା ମହିଳା ଓ ବିଳବାଡିର ପାଣି କାଦୁଅରେ କାମ କରୁଥିବା ଲୋକମାନକଙ୍କଠାରେ ଅଧିକ ଦେଖାଯାଏ ।

କଣନଖା ହେଉଛି ହାତ ଓ ଗୋଡ ନଖର ଏକ ଅତି ସାଧାରଣ ରୋଗ । ବାହାରକୁ ସାମାନ୍ୟ ଜଣାପଡ଼ୁଥିଲେ ମଧ୍ୟ ବେଳେ ବେଳେ ଏହା ଖୁବ୍ ଯନ୍ତ୍ରଣା ଦେଇଥାଏ ଓ ଏଥିପାଇଁ ରୋଗୀ ଖୁବ୍ ଅସ୍ଵସ୍ତି ବୋଧ କରିଥାଏ ।

ଆମ ହାତ ଓ ଗୋଡର ପ୍ରତି ଆଙ୍ଗୁଠିର ଅଗ୍ର ଭାଗରେ ନଖ ରହିଥାଏ । ଏହୀ ଚର୍ମର ଏକ ରୂପାନ୍ତରିତ ଅଂଶ ଏବଂ ଏକ କଠିନ ତନ୍ତୁ ଭଳି ଆଙ୍ଗୁଠି ଅଗରେ ରହିଥାଏ । ଆଙ୍ଗୁଠିର ଯେଉଁ ଅଂଶ ଉପରେ ଏହା ରହିଥାଏ, ତାହାକୁ ନଖର ଶଯ୍ୟ ବା ନେଲବେଡ ବୋଲି କୁହାଯାଏ ।

କଠିନ ଅଂଶଟି ଦୁଇ ପଟକୁ ବାଙ୍କିଯାଇ ଆଙ୍ଗୁଠିର ଦୁଇ ପାଖରେ ଦୁଇଟି ଧାର ବା ଖାଲୁଆ ଅଂଶ ସୃଷ୍ଟି କରିଥାଏ । ନଖର ମୂଳଟି ଆଙ୍ଗୁଠିର ଯେଉଁ ସ୍ଥାନରୁ ବାହାରିଥାଏ, ଡାକ୍ତରୀ ଭାଷାରେ ତାହାକୁ ଏପୋନାଇକିଅମ ବୋଲି କୁହାଯାଏ । ସାଧାରଣତଃ ଏହି ଏପେନାଇଜିଅମ ଅଞ୍ଚଳରୁ ହିଁ କଣନଖାର ସଂକ୍ରମଣ ଆରମ୍ଭ ହୋଇଥାଏ ଏବଂ ଆସ୍ତେ ଆସ୍ତେ ନଖର ଗୋଟିଏ ପାଖକୁ କିମ୍ବା ଦୁଇ ପାଖକୁ ପ୍ରସାରିତ ହୋଇଥାଏ ।

କାରଣ-କଣନଖା ହେଉଛି ଏକ ଜୀବାଣୁଜାତ ରୋଗ । ସାଧାରଣତଃ ଷ୍ଟାଫାଇଲୋକୋକସ ଅରିଅସ ନାମକ ଜୀବାଣୁ ହିଁ ଏହି ରୋଗର କାରଣ ହୋଇଥାଏ । ତେବେ ଅଧିକ ଦିନର ହୋଇଗଲେ  ଏହା ବେଳେ ବେଳେ  କେତେକ ଜାତୀୟ କବକ ବା ଫଙ୍ଗସ ଦ୍ଵାରା ମଧ୍ୟ ସଂକ୍ରମିତ ହୋଇଥାଏ ।

ପ୍ରକାର ଭେଦ- କଣନଖା ସାଧାରଣତଃ ଦୁଇ ପ୍ରକାରର ରୂପ ନେଇଥାଏ । ଗୋଟିଏ ହେଲା ଉତ୍କଟ ରୂପ ଓ ଅନ୍ୟଟି ହେଲା ଦୀର୍ଘକାଳୀ ରୂପ । ଦୀର୍ଘକାଳୀ ରୂପ ଯେ ସବୁବେଳେ ଉତ୍କଟ ରୂପର ଆରମ୍ଭ ହେବ, ଏଥିରେ କୌଣସି ନିର୍ଦ୍ଦିଷ୍ଟତା ନାହିଁ । ଉତ୍କଟ ରୂପରେ ପ୍ରକଟିତ ନ ହୋଇ ମଧ୍ୟ ଏହା ଦୀର୍ଘଦିନ ଧରି ଲାଗି ରହିପାରେ । ତେବେ ଏହାର ଉତ୍କଟ ରୂପ ହିଁ ଅଧିକ ଯନ୍ତ୍ରଣାଦାୟକ ହୋଇଥାଏ ।

କାହାକୁ ହୁଏ

କଣନଖା ପାଇଁ ବୟସ ଓ ଲିଙ୍ଗଭେଦରେ କୌଣସି ତାରତମ୍ୟ ନ ଥାଏ । ଅର୍ଥାତ୍ ପୁରୁଷ ସ୍ତ୍ରୀ ନିର୍ବିଶେଷରେ ପିଲାଠାରୁ ବୁଢା ପର୍ଯ୍ୟନ୍ତ ଯେ କେହି ଲୋକ ଏହା ଭୋଗିଥାନ୍ତି । ଦୀର୍ଘକାଳୀ କଣନଖା ସାଧାରଣତଃ ରଜକ ଗୋଷ୍ଠୀର ଲୋକ, ଘରେ ପାଣିକାମ କରୁଥିବା ମହିଳା ଓ ବିଲବାଡିର ପାଣି କାଦୁଅରେ କାମ କରୁଥିବା  ଲୋକମାନଙ୍କଠାରେ ଅଧିକ ଦେଖାଯାଏ । ଯେଉଁ ମହିଳାମାନେ ଅତି ଉଚ୍ଚ ହିଲ ଥିବା  ଜୋତା ବା ଚପଲ ମାଡନ୍ତି, ତାଙ୍କ ପାଦ ନଖରେ। ଏହା ପ୍ରାୟ ଦେଖାଯାଇଥାଏ ।

କାହିଁକି ହୁଏ

ଏହାର କାରଣ ଅନେକ ହୋଇଥିଲେ ହେଁ ତ୍ରୁଟିପୂର୍ଣ୍ଣ ନଖ କାଟିବା ପ୍ରଣାଳୀ ଯୋଗୁ ହ ମୁଖ୍ୟତଃ କଣନଖା ହୋଇଥାଏ । ଯେଉଁମାନେ ନଖର ଅଗ୍ରଭାଗକୁ ଅର୍ଦ୍ଧଚନ୍ଦ୍ରକାର ଭଳି କାଟନ୍ତି ଓ ଦୁଇ ପାଖକୁ ବେଶି କାଟିଦେଇ ଖାଲୁଆ ଅଂଶକୁ ଉନ୍ମୁକ୍ତ କରିଦିଅନ୍ତି, ସାଧାରଣତଃ ସେହିମାନଙ୍କଠାରେ କଣନଖା ଦେଖାଯାଇଥାଏ । ନଖ ନ କାଟିଲେ ନଖ ବଢିଯାଇ ଚର୍ମର କୋମଳ ଅଂଶକୁ ଆଘାତ କରିବା ଫଳରେ ଏହା ହୋଇଥାଏ । ପୁଣି କୌଣସି କାରଣରୁ ନଖର ଦୁଇ ପାର୍ଶ୍ଵ ଅଂଶ ଭିତର ପଟକୁ ବଢି ଚାଲିଲେ ମଧ୍ୟ ଏପରି ହୋଇଥାଏ । ଏହି ଅବସ୍ଥାକୁ ଇନ୍‌ଟ୍ରୋଇଙ୍ଗ ନେଲସ ବୋଲି କୁହାଯାଇଥାଏ । ତା' ଛଡା ନଖ କାଟିବା ବେଳେ ଦୂଷିତ ନେଲ, କଟର, ବ୍ଲେଡ ବା ନହୁରୁଣି ବ୍ୟବହାର କଲେ, ଖୁବ୍ ଚିପା ଜୋତା, ମୋଜା, ଗ୍ଲୋଭାସ ଇତ୍ୟାଦି ପିନ୍ଧିଲେ, ଗୋଡ ନଖ ଉପରେ କୌଣସି କାରଣରୁ ଅଧିକ ଚାପ ପଡିଲେ ଅଥବା ନଖ ସନ୍ଧିରେ ବାଲି, ମାଟି, ଅସନା ଇତ୍ୟାଦି ପଶିଗଲେ ସହଜରେ କଣନଖା ହୋଇଥାଏ । ଶସ୍ତା ତଥା ଅପମିଶ୍ରିତ ନେଲପଲିସି, ନେଲା ଚିମୁଭର ଓ ଅଳତା ଦ୍ଵାରା ମଧ୍ୟ ବେଳେ ବେଳେ କଣନଖା ହେବାର ସମ୍ଭାବନା ରହିଥାଏ ।

କ'ଣ ହୁଏ

ପ୍ରଥମେ ନଖର ଏପୋନାଇକିଅମ ଅଞ୍ଚଳ ଓ ଦୁଇପାଖ ଖାଲୁଆ ଅଂଶ ନାଲିପଡି ଫୁଲିଯାଏ । ପ୍ରଥମ ଅବସ୍ଥାରେ ଏହା ହାତକୁ ଉଷୁମ ଲାଗେ । ତା' ପରେ ଏଥିରେ ପୂଯ ହୋଇଗଲେ କପ କପ ହୋଇ ଖୁବ୍ ଯନ୍ତ୍ରଣାଦିଏ । ଆସ୍ତେ ଆସ୍ତେ ନଖ ଚାରିପଟ ଯାକ ପୂଯ ଖେଳେଇ ହୋଇଯାଏ ଓ ବେଳେ ବେଳେ ନଖ ଶଯ୍ୟାକୁ ମଧ୍ୟ ପ୍ରସାରିତ ହୋଇଯାଏ । ସେତେବେଳେ ଏହା ଦୁଧସର ଭଳି ଧଳା ରଙ୍ଗର ଦେଖାଯାଏ । କୌଣସି ଅବସ୍ଥାରେ ମଧ୍ୟ ପୂଯ ଅନ୍ତଃଚର୍ମ ତଳକୁ ଯାଏ ନାହିଁ। ଏପରି ଅବସ୍ଥାରେ ଚିକିତ୍ସା ନ କଲେ ଶତକଡା ୪୦ ଭାଗ କ୍ଷେତ୍ରରେ ଏହା ମନକୁ ମନ ଫାଟିଯାଇ ପୂଯ ବାହାରିଯାଏ ଓ ନଖ କୋଣରୁ ପୂଯ-ରକ୍ତ ମିଶା ଲସା ବାହାରିବାକୁ ଆରମ୍ଭ କରେ । ତା’ ସହିତ ଯନ୍ତ୍ରଣା ମଧ୍ୟ ଲାଗିରହେ । ଦୀର୍ଘଦିନ ପୂଯ ବହିଚାଲିଲେ ସୁଡୋମୋନୋସ ନାମକ ଜୀବାଣୁ ଦ୍ଵାରା ଏହା ସଂକ୍ରମିତ ହୋଇଯାଏ । ଏହା ଫଳରେ ପୂଯ ନୀଳରଙ୍ଗ ଧାରଣ କରେ ଓ ଖୁବ୍ ଦୁର୍ଗନ୍ଧ ହୁଏ । ଦୀର୍ଘକାଳୀ କଣନଖା ବେଳେ ବେଳେ ହାତର ପାଣିଖିଆ ସହିତ ଭ୍ରମ ସୃଷ୍ଟି କରିଥାଏ ।

ଚିକିତ୍ସା-କଣନଖା ଚିକିତ୍ସାରେ କୌଣସି ଆଣ୍ଟିବାୟୋଟିକ୍ସ ବିଶେଷ ଫଳପ୍ରଦ ହୁଏ ନାହିଁ । ତେବେ ପ୍ରାଥମିକ ଅବସ୍ଥାରେ ସଲଫାପେନିଶିଳୀନ, ଆମ୍ପିସିଲିନ, ସିପ୍ରୋ ଫ୍ଲକସାସିନ, ଅଫ୍ଲକସାସିନ, ଆଜିଥ୍ରୋମାଇସିନ, ସିଫେକ୍ମିମ ଜାତୀୟ ଔଷଧ ବ୍ୟବହାର

କରାଯାଇପାରେ । ଦୀର୍ଘକାଳୀ କଣନଖା ଯଦି କବକ ଦ୍ଵାରା ସଂକ୍ରମିତ ହୋଇଥାଏ। ତେବେ ନିଷ୍ଟାଟିନ, ମିକୋନାଜୋଲ, କେଟୋକେନାଜୋଲ କିମ୍ବା କୋଟ୍ରାଇମେଜୋଲ ଭଳି କବଜ ନିରୋଧୀ ଔଷଧ ମଧ୍ୟ ବ୍ୟବହାର କରାଯାଇପାରେ । ଟିଙ୍କଚର ଆୟୋଡିନ କିମ୍ବା ସ୍ଵିଇଟ ଓ ବ୍ରଡୋସୋଲ ମିଶ୍ରିତ ଦ୍ରବଣରେ ସଫା କଲେ କିଛିଟା ସୁଫଳ ମିଳିଥାଏ । ଯନ୍ତ୍ରଣା ଉପଶମ ପାଇଁ ଆସପିରିନ, ପାରାସେଟାମଲ, ଡାଇକ୍ଳୋଫେନାକ, ଆସିକୋଫ୍ଲେନାକ, ଟ୍ରାମାଦଳ କିମ୍ବା ଆଇବୁପ୍ରୁଫେନ ପରି ପୀଡା ନାଶକ ଔଷଧ ଖାଇବା ଆବଶ୍ୟକ । କିଛି ଭିଟାମିନ ଜାତୀୟ ଔଷଧ, ବିଶେଷକରି ଭିଟାମିନ ସି ଖିଆଯାଇପାରେ । ନଖକୁ ଯଥାସମ୍ଭବ ଶୁଷ୍କ ରଖିବା  ଆବଶ୍ୟକ ହୋଇଥାଏ । କେତେକ ସ୍ଥଳରେ ଗାମାରଶ୍ମି ସାହାଯ୍ୟରେ ବି ଏହାର ଚିକିତ୍ସା କରାଯାଇଥାଏ । ତେବେ ଅସ୍ତ୍ରୋପଚାର ହିଁ ଏହି ରୋଗର ସର୍ବୋତ୍କୃଷ୍ଟ ଚିକିତ୍ସା ।

ଅସ୍ତ୍ରୋପଚାର- ସ୍ଥାନିକ ନିଶ୍ଚେତକ ସାହାଯ୍ୟରେ ଏହି ଅସ୍ତ୍ରୋପଚାର କରାଯାଇଥାଏ । ଏଥିର ପ୍ରଥମେ ଏପୋନାଇକିଅମକୁ ନଖର ଶଯ୍ୟାଠାରୁ ଅଲଗା କରି ପୂଯ ବାହାର କରାଯାଏ । ପରେ ନଖର ଦୁଇପଟକୁ ଏହି ଅସ୍ତ୍ରୋପଚାରକୁ ସମ୍ପ୍ରସାରିତ କରା ଯାଏ । ସମସ୍ତ ପୂଯ, ମୃତ ତନ୍ତୁ ଓ ଆବର୍ଜନା ବାହାର କରିଦେବା ପରେ ବଢିଯାଇଥିବା ନଖକୁ କାଟି ଦିଆଯାଏ । ତା' ପରେ ବ୍ୟାଣ୍ଡେଜ ବାନ୍ଧି ଦିଆଯାଏ । ଆବଶ୍ୟକ ପଡିଲେ ନଖର କିଛି ଅଂଶ କିମ୍ବା ସମ୍ପୁର୍ଣ୍ଣ ନଖକୁ ମଧ୍ୟ କାଟି ବାହାର କରିଦିଆଯାଏ । ଅସ୍ତ୍ରୋପଚାର ପରେ କିଛି ଆଣ୍ଟିବାୟୋଟିକ୍ସ, ପୀଡା ନାଶକ ଔଷଧ, ଭିଟାମିନସ ଓ ବିଶ୍ରାମ ଦ୍ଵାରା ରୋଗୀ ୮-୧୦ ଦିନ ଭିତରେ ସମ୍ପୂର୍ଣ୍ଣ ଭଲ ହୋଇଯାଏ ।

ନିରାକରଣ

ପ୍ରତିଷେଧକ-କଣନଖା ନ ହେବା ପାଇଁ ନଖକୁ ନିୟମିତ ଠିକ୍ ଭାବରେ କାଟିବା ଦରକାର । ନଖକୁ ଅଯଥା ବଢାଇବା ଉଚିତ ନୁହେଁ । ନଖ ସନ୍ଧିରେ ଯେମିତି କୌଣସି ଧୂଳି, ମଳି ନ ରହେ, ସେଥୁପ୍ରତି ଦୃଷ୍ଟିଦେବା ଆବଶ୍ୟକ । ନଖକୁ ଅଧିକ ସମୟ ଓଦା ଆଖିବା ଉଚିତ ନୁହେଁ। ଅଧିକ ସମୟ ପାଣିରେ କାମ କରିବାକୁ ପଡ଼ୁଥିଲେ ହାତରେ ରବର ଗ୍ଳୋଭସ ପିନ୍ଧିବା ଦରକାର । ହାତ, ପାଦରୁ ଅଧିକ ଝାଳ ବାହାରୁଥିଲେ ବାରମ୍ବାର ତାହାକୁ ପୋଛି ଡଷ୍ଟିଙ୍ଗ, ପାଉଡର ଛିଞ୍ଚିବା ଆବଶ୍ୟକ । ଅତି ଚିପା ଜୋତା, ମୋଜା କିମ୍ବା ଗ୍ଳୋଭସ ପିନ୍ଧିବା ଅନୁଚିତ । ଜୋତା ମାଡି ଚାଲିବା ବେଳେ ଗୋଡର ଗୋଟିଏ ଆଙ୍ଗୁଠି ଉପରେ ଆଉ ଗୋଟିଏ ଆଙ୍ଗୁଠି ଯେମିତି ଚଢି ନ ଯାଏ, ସେଥିପ୍ରତି ଦୃଷ୍ଟିଦେବା ଦରକାର । ମହିଳାମାନେ ଅତି ଉଚ୍ଚ ହିଲ୍ ଥିବା ଜୋତା କିମ୍ବା ଚପଲ ମାଡିବା ଉଚିତ ନୁହେଁ ।

ଏହି ସାମାନ୍ୟ କେତୋଟି ବିଷୟ ପ୍ରତି ଧ୍ୟାନ ଦେଲେ କଣନଖା ହେବାର ପ୍ରାୟତଃ ସମ୍ଭାବନା ରହେ ନାହିଁ । ତଥାପି ଯଦି ଏହା ହେବାର ସାମାନ୍ୟତମ ସୂଚନା ମିଳେ। ତୁରନ୍ତ ଡାକ୍ତରୀ ପରାମର୍ଶ କରି ଉପଯୁକ୍ତ ଚିକିତ୍ସାର ବ୍ୟବସ୍ଥା କରିବା ବାଞ୍ଛନୀୟ ।

ସଂଗୃହିତ: ଡା.ସଚ୍ଚିଦାନନ୍ଦ ଶତପଥୀ, କଟକ

2.85714285714
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top