ହୋମ / ସ୍ଵାସ୍ଥ୍ୟ / ରୋଗ / କର୍କଟ ରୋଗ ଜାତ ହେବାର କାରଣ (ବାରମ୍ବାର ଉଠୁଥିବା ପ୍ରଶ୍ନାବଳୀ)
ସେଆର କରନ୍ତୁ

କର୍କଟ ରୋଗ ଜାତ ହେବାର କାରଣ (ବାରମ୍ବାର ଉଠୁଥିବା ପ୍ରଶ୍ନାବଳୀ)

କର୍କଟ ରୋଗ ଜାତ ହେବାର କାରଣ ର ଉତ୍ତର

କର୍କଟ  ରୋଗ ହା  ଜାତ  ହେବାର  କାରଣ  କଅଣ  ?

ସବୁ  ରୋଗପରି  କର୍କଟ  ରୋଗ  ମଧ୍ୟ  ସମସ୍ତଙ୍କୁ  ହୁଏ  ନାହିଁ । ଯେଉଁମାନଙ୍କଠାରେ   ଏହି  ରୋଗ  ଜାତ ହୁଏ , ସେମାନଙ୍କଠାରେ  ଏହା  ଜାତ  ହେବାର  କାରଣ  କଅଣ  ?

ଉତ୍ତର : ପ୍ରଥମରୁ  ଏହା  ଜାଣି  ରଖିବା  ଉଚିତ  ଯେ  କର୍କଟ  ରୋଗ  କାହିଁକି  ହୁଏ , ସେ  ବିଷୟରେ  ଆମକୁ  ଅଳ୍ପ  କିଛି କିଛି ଜଣା   । ଅଧିକାଂଶ  କ୍ଷେତ୍ରରେ  ବା  ଅଧିକାଂଶ  ରୋଗୀଙ୍କଠାରେ  ରୋଗର  କାରଣ  ନିର୍ଣ୍ଣୟ  କରିବା  ସମ୍ଭବ  ହୁଏ  ନାହିଁ   । ଅର୍ଥାତ୍  ରୋଗର  କାରଣ  ବିଷୟରେ   ଆମକୁ  ବିଶେଷ  କିଛି  ଜଣାନାହିଁ   । ତେଣୁ  କେତୋଟି  ସମ୍ଭାବ୍ୟ  କାରଣ  ବିଷୟରେ   ହିଁ  ଏଠାରେ   ସୂଚନା  ଦିଆଯିବ   ।

ଏହା  ମଧ୍ୟ  ଜାଣି  ରଖିବା  ଆବଶ୍ୟକ  ଯେ  କୌଣସି  ଏକ  ନିର୍ଦ୍ଧିଷ୍ଟ  ରୋଗକୁ  କର୍କଟ  ରୋଗ  ବୋଲି  କୁହାଯାଏ  ନାହିଁ   । କେତେକ  ସମାନ  ଚରିତ୍ର  ବା  ବ୍ୟବହାର  ପ୍ରଦର୍ଶନ  କରୁଥିବା  ରୋଗଗୁଡିକୁ  କର୍କଟ  ରୋଗ  ଗୋଷ୍ଠୀର  ଅନ୍ତର୍ଭୁକ୍ତ  କରାଯାଇଥାଏ  ।

ତେବେ  କର୍କଟ  ରୋଗ  ସୃଷ୍ଟିର  ବିଭିନ୍ନ  କାରଣ  ବିଷୟରେ  ଜାଣିବାପୂର୍ବରୁ  ଯେଉଁ  ଯେଉଁ  କାରକ  ବା  ବିଭାବ  ରୋଗସୃଷ୍ଟି  ପାଇଁ  ଅନୁକୂଳ  ବାତାବରଣ  ଯୋଗାଇଦିଏ  ସେ  ସମ୍ପର୍କରେ  ପ୍ରଥମେ  ଧାରଣା  କରିନେବା  ବାଞ୍ଛନୀୟ   ।

ତାହାହେଲେ , କେଉଁ କେଉଁ କାରକ  ରୋଗ  ସୃଷ୍ଟି  ପାଇଁ  ଅନୁକୂଳ  ?

ବୟସ

କର୍କଟ  ରୋଗ  ସବୁ  ସମୟରେ  ଜାତ  ହୋଇପାରେ  । ଏପରି  କୌଣସି  ବୟସ  ନାହିଁ , ଯେଉଁ  ବୟସରେ  ରୋଗ  ଆଦ୍ୟୋ ଜାତ  ହୁଏ  ନାହିଁ   । ବାଲ୍ୟାବସ୍ଥାରେଠାରୁ  ଆରମ୍ଭ  କରି  ପ୍ରୌଢାବସ୍ଥା  ପର୍ଯ୍ୟନ୍ତ  ଏହି  ରୋଗ   ଦେଖାଯାଏ  । କିନ୍ତୁ  କେଉଁପ୍ରକାର  କର୍କଟ  ରୋଗ  କେଉଁ  ବୟସରେ  ହୋଇଥାଏ , ତାହା  ପ୍ରାୟତଃ  ନିର୍ଦ୍ଧାରିତ   । ତେବେ  ସାଧାରଣ   ଭାବରେ   ଦେଖିଲେ  ୫୦ ବର୍ଷ  ବୟସ  ପରେ  ରୋଗ  ଜାତ  ହେବାରେ  ସମ୍ଭାବନା   ଅଧିକ    ।

୧୫  ବର୍ଷ  ବୟସରୁ  କମ୍  ପିଲାଙ୍କଠାରେ  ରକ୍ତ  କର୍କଟ  ରୋଗ , ରେଟିନୋବ୍ଲାଷ୍ଟୋମା  ନାମକ   ଚକ୍ଷୁ   କର୍କଟ  ରୋଗ , ନ୍ୟୁରୋବ୍ଲାଷ୍ଟୋମା  ନାମକ  ସ୍ନାୟୁ  କର୍କଟ  ରୋଗ , ଉଇମସ୍  ଟ୍ୟୁମର  ନାମକ  ବୃକକ୍  କର୍କଟ  ରୋଗ , ଅଷ୍ଟିଓସାର୍କୋମା  ନାମକ  ଅସ୍ଥି  କର୍କଟ  ରୋଗ  ଅତି  ସାଧାରଣ   ।

୩୦ ବର୍ଷ  ପରେ  ବୟସ  ପାଖାପାଖିରେ  ପହଞ୍ଚିଗଲା  ପରେ  ମହିଳାମାନଙ୍କଠାରେ  ସ୍ତନ  କର୍କଟ  ରୋଗ , ସର୍ଭିକ୍ସ  କର୍କଟ ରୋଗ , ଯୋନି ଓ  ଡିମ୍ବାଶୟ  କର୍କଟ  ରୋଗର  ଆଶଙ୍କା  ବଢିଯାଏ  ।

କର୍କଟ  ରୋଗ  ସୃଷ୍ଟିକାରୀ  ଉପାଦାନ  ଗୁଡିକ  ସଂସ୍ପର୍ଶରେ  ବହୁ  ବର୍ଷଧରି   ଆସିବା  ଫଳରେ  ଅଧିକାଂଶ  କର୍କଟ  ରୋଗ  ବୟସ୍କ  ବ୍ୟକ୍ତିଙ୍କଠାରେ  ପ୍ରକାଶ  ପାଇବା   ସ୍ଵାଭାବିକ   ।

ଲିଙ୍ଗ

ରୋଗୀର  ଳିଙ୍ଗ  ମଧ୍ୟ  ରୋଗସୃଷ୍ଟିକୁ  ପ୍ରଭାବିତ   କରିଥାଏ   । ମହିଳାମାନଙ୍କଠାରେ  ଅଣ୍ଡକୋଷ  ଓ  ପ୍ରୋଷ୍ଟେଟ୍ ଗ୍ରନ୍ଥି  ନ ଥିବାରୁ  ସେମାନେ   ଏହି  ରୋଗରୁ  ମୁକ୍ତ  । ସେହିପରି  ପୁରୁଷମାନେ  ମଧ୍ୟ  ସର୍ଭିକ୍ସ , ଗର୍ଭାଶୟ , ଡିମ୍ବାଶୟ , ଯୋନି  କର୍କଟ  ରୋଗ  ଭୋଗିବାର  ପ୍ରଶ୍ନ  ଉଠେନି   । କିନ୍ତୁ  ପୁରୁଷମାନେ   କାଁ ଭାଁ  ସ୍ତନ  କର୍କଟ  ରୋଗରେ  ଆକ୍ରାନ୍ତ  ହେଉଥିଲେ  ମଧ୍ୟ  ମହିଳାମାନଙ୍କ  କ୍ଷେତ୍ରରେ  ଏହା  ଅତି  ସାଧାରଣ  ଅବସ୍ଥା  ଧାରଣ  କରିବାକୁ  ବସିଲାଣି   । ତେବେ  ମହିଳାମାନଙ୍କ  ତୁଳନାରେ  ପୁରୁଷମାନଙ୍କଠାରେ  ଫୁସ୍ ଫୁସ୍  ଓ  ଖାଦ୍ୟବାହୀନଳୀ  କର୍କଟ  ରୋଗର  ହାର  ବେଶି   ।

ବଂଶାନୁକ୍ରମିକ

କର୍କଟ  ରୋଗ  ସୃଷ୍ଟିରେ  ବଂଶାନୁକ୍ରମର  ପ୍ରଭାବକୁ  ଅସ୍ଵୀକାର   କରାଯାଇପାରୁ  ନାହିଁ   । କୁହାଯାଏ  ଯେ ନେପୋଲିୟନ  ପାକସ୍ଥଳୀ  କର୍କଟ  ରୋଗରେ  ମୃତ୍ୟୁବରଣ  କରିଥିଲେ   । ତାଙ୍କ  ଅଜା , ବାପା , ଭାଇମାନେ  ଓ  ଭଉଣୀମାନେ  ମଧ୍ୟ  କୁଆଡେ  ଏହି  ରୋଗରେ  ଆକ୍ରାନ୍ତ  ହୋଇଥିଲେ   । କୌଣସି  ପିତାମାତାଙ୍କର  ଗୋଟିଏ  ଶିଶୁ  ସନ୍ତାନ  ରେଟିନୋବ୍ଲାଷ୍ଟୋମା   ନାମକ  ଚକ୍ଷୁ  କର୍କଟ  ରୋଗରେ  ଆକ୍ରାନ୍ତ   ହୋଇଥିଲେ , ଅନ୍ୟ  ସନ୍ତାନମାନେ   ମଧ୍ୟ  ଏହି  ରୋଗର  ଶିକାର  ହୋଇପଡୁଥିବାରୁ  ଦେଖାଯାଏ । ଅଷ୍ଟିଓସାର୍କୋମା  ନାମକ  ଅସ୍ଥିକର୍କଟ  ରୋଗ  ଯାଆଁଳାମାନଙ୍କଠାରେ  ପରିଲକ୍ଷିତ  ହେଉଛି  । ମାଆର  ସ୍ତନ  କର୍କଟ  ରୋଗ  ହୋଇଥିଲେ   କନ୍ୟାମାନେ  ଏହି  ରୋଗରେ  ପଡିବାର  ଆଶଙ୍କା  ରହେ   ।

ସାମାଜିକ – ଅର୍ଥନୈତିକ  ଅବସ୍ଥା

ଆର୍ଥିକ  ଅବସ୍ଥା , ତାହା  ସ୍ଵଛଳ  ହେଉ  କି  ହେଉ ଅସ୍ଵଛଳ , କର୍କଟ  ରୋଗକୁ  ମଧ୍ୟ  ପ୍ରଭାବିତ   କରିଥାଏ  ।

ପ୍ରାକୃତିକ  ରୋଗ  ପ୍ରତିରୋଧକ  ଶକ୍ତିର  ଅଭାବ

ସୁସ୍ଥକୋଷ  କର୍କଟକୋଷକୁ  ରୂପାନ୍ତରିତ  ହୋଇଯିବାରେ  କିଛି  ଅସ୍ଵାଭାବିକତା  ନାହିଁ   । କିନ୍ତୁ  ଏପରି  ପରିବର୍ତ୍ତନ  ସଂଘଟିତ  ହେବାମାତ୍ରେ   ଶରୀରର   ପ୍ରାକୃତିକ  ରୋଗ  ପ୍ରତିରୋଧକ  ଶକ୍ତି  ତୁରନ୍ତ  ତପ୍ତର  ହୋଇଉଠି  ସେହି  କର୍କଟକୋଷଗୁଡିକୁ  ଧ୍ଵଂସ  କରିଦିଏ   । ତେଣୁ  କର୍କଟକୋଷ  ଗୁଡିକ  ବିଭାଜିତ  ହୋଇ  ବଂଶବୃଦ୍ଧି  କରିବା  ନିମନ୍ତେ  ସୁଯୋଗ   ପାଆନ୍ତି  ନାହିଁ   ।

କିନ୍ତୁ   କର୍କଟ  ରୋଗ  ସୃଷ୍ଟିକାରୀର  ଉପାଦାନଗୁଡିକର  ସଂସ୍ପର୍ଶରେ  ବାରମ୍ବାର   ଆସୁଥିବା  ବ୍ୟକ୍ତିମାନଙ୍କଠାରେ  ସୁସ୍ଥକୋଷ   କର୍କଟକୋଷକୁ   ରୂପାନ୍ତରିତ   ହେବାର  ଧାରା  ଅପେକ୍ଷାକୃତ  ସୁଗମ    । ତେଣୁ  କେତେକ  କର୍କଟକୋଷ   ପ୍ରତିରୋଧକ   ଶକ୍ତିର  କବଳରୁ   ଖସିଯାଇ  ରୋଗର  ପ୍ରସାର   କରେଇ  ଥାଆନ୍ତି   ।

ତାହାଛଡା  ପ୍ରତିରୋଧକ  ଶକ୍ତି  ହ୍ରାସ   ପାଇଗଲେ   ତାହା   ସଫଳତାର  ସହ  କର୍କଟ  କୋଷଗୁଡିକୁ  କାବୁ   କରିପାରେ  ନାହିଁ   । ଫଳରେ   ରୋଗବୃଦ୍ଧି   ପ୍ରୋତ୍ସାହନ   ପାଇଥାଏ   ।

ଅନ୍ୟ  ରୋଗର  କୁପ୍ରଭାବ

ଏପରି  କେତେକ   ରୋଗ  ଅଛି , ଯେଉଁ  ରୋଗରେ  ବ୍ୟକ୍ତି  ଆକ୍ରାନ୍ତ   ହୋଇପଡିଥିଲେ   ତାହାଠାରେ  କର୍କଟ  ରୋଗ  ଜାତ  ହେବାର  ସମ୍ଭାବନା  ଅଧିକ   । ଉଦାହରଣ  ସ୍ୱରୂପ , ଯକୃତ  ସିରୋସିସ୍  ରୋଗ   ଭୋଗୁଥିବା  ରୋଗୀଠାରେ  ଯକୃତ  କର୍କଟ  ରୋଗ , ପାକସ୍ଥଳୀ   ପ୍ରଦାହ ରୋଗୀଠାରେ  ପାକସ୍ଥଳୀ  କର୍କଟ  ରୋଗ ଏବଂ  ପାଟି  ଓ  ଯୌନାଙ୍ଗରେ  ଧଳାଛଉ  ଜାତ  ହୋଇଥିଲେ  ସେଠାରେ  କର୍କଟ  ରୋଗ  ଜାତ  ହେବାର  ଆଶଙ୍କା  ରହିଛି   । ସେହିପରି  ଚର୍ମରେ  କଳା  ଭାତୁଡି  ଥିଲେ  ମଧ୍ୟ  ମେଲାନୋମା   ନାମକ  ଚର୍ମ  କର୍କଟ  ରୋଗରେ  ପରିଣତ  ହୋଇପାରେ   ।

ମନସ୍ତାତ୍ତ୍ଵିକ  କାରକ

ଦୀର୍ଘକାଳଧରି   ଉତ୍କଣ୍ଠା , ଅସ୍ଵାଭାବିକ  ମାନସିକ  ଚାପ  ତଥା   ମାନସିକ  ଉତ୍ତେଜନା  ଭିତରେ   କାଳ  କାଟିବାପାଇଁ   ବାଧ୍ୟ  ହୋଇଥିଲେ   ତାହା  କର୍କଟ  ରୋଗ  କରିପାରେ  ବୋଲି  କେହି  କେହି  ଦାବି  କରୁଛନ୍ତି   । ତେବେ  ଏହା  ବିବାଦୀୟ ଓ ସର୍ବସମ୍ମତ  ନୁହେଁ    ।

ବୃତ୍ତି

ବ୍ୟକ୍ତିର  ବୃତ୍ତି  ବା  ବ୍ୟବସାୟ  ମଧ୍ୟ  କର୍କଟ  ରୋଗ  ସୃଷ୍ଟିକୁ  ପ୍ରଭାବିତ  କରିଥାଏ   । ଖଣିଖାଦାନ  ଓ  ବିଭିନ୍ନ କାରଖାନାରେ  କାମ  କରୁଥିବା   ବ୍ୟକ୍ତିମାନେ  କେତେକ  ନିର୍ଦ୍ଧିଷ୍ଟ  ଅଙ୍ଗର  କର୍କଟ  ରୋଗଦ୍ୱାରା  ଆକ୍ରାନ୍ତ  ହେଉଥିବା  ଜଣାପଡିଛି   । କେଉଁ  ଖଣିଖାଦାନ  ତଥା  କାରଖାନାରେ   କାମକରୁଥିବା   ଲୋକେ   କେଉଁପ୍ରକାର  କର୍କଟ  ରୋଗ  ଭୋଗିବାର  ଆଶଙ୍କା  ରହିଛି , ତାହା  ତଳେ  ଉଲ୍ଲେଖ   କରାଯାଇଛି   ।

କାଚ  କାରଖାନା , ମୃଣ୍ମୟ  ଶିଳ୍ପ                              - ନାସାପଥ

ଆସ୍ ବେଷ୍ଟସ୍  କାରଖାନା                                     - ଫୁସ୍ ଫୁସ୍

କୋଇଲା  ଖଣି , ରଙ୍ଗ  କାରଖାନା ,

ପିଚୁ  କାରଖାନା  ଓ  ରବର  କାରଖାନା                     - ମୂତ୍ରାଶୟ

ରେଡିୟମ୍  ଡାୟଲ  ତିଆରି  କାରଖାନା                     - ଅସ୍ଥି

ବାଷ୍ପଚାଳିତ  ଇଞ୍ଜିନ୍  ଓ  ଭାଟିରେ  କାମ 

କରୁଥିବା  କାରିଗର , ଖରାତରାରେ  କାମ

କରୁଥିବା  ଚାଷିମୂଲିଆ , ଏକ୍ସ – ରେ ଟେକ୍ ନିସିଆନ   - ଚର୍ମ

ପ୍ଲାଷ୍ଟିକ୍  କାରଖାନା , ଜୋତା କାରଖାନା ,

ଢଳେଇ  କାରଖାନା                                           - ଯକୃତ

ଭୂତାଣୁ  ସଂକ୍ରମଣ

କେତେକ  ପ୍ରକାର  ଭୂତାଣୁ  ଦ୍ଵାରା  ସଂକ୍ରମିତ  ହେଲେ  ମଧ୍ୟ  କେତେକ  ନିର୍ଦ୍ଧିଷ୍ଟ  ଅଙ୍ଗର  କର୍କଟ  ରୋଗ  ପ୍ରୋତ୍ସାହନ  ପାଇଯାଏ  । କେଉଁ  ଭୂତାଣୁ  ସଂକ୍ରମଣ  କେଉଁ  କର୍କଟ  ରୋଗ  କରିବାର  ସମ୍ଭାବନା  ଅଛି , ତାର  ସୂଚନା  ନିମ୍ନରେ  ପ୍ରଦତ୍ତ  ହୋଇଛି  ।

ହ୍ୟୁମାନ  ଇମ୍ୟୁନୋଡେଫିସିଏନ୍ ସି  ଭାଇରସ୍  ବା  ଏଡସ୍  ରୋଗ  କରାଉଥିବା  ଏଚ. ଆଇ. ଭି.  –  ଚର୍ମ ଓ ଅନ୍ୟାନ୍ୟ  ସ୍ଥାନରେ  ସୃଷ୍ଟି କରୁଥିବା  କର୍କଟ  ରୋଗ  (କାପୋସି  ସାର୍କୋମା)

ଯକୃତ  ପ୍ରଦାହ  ସୃଷ୍ଟି  କରୁଥିବା  ହେପାଟାଇଟିସ୍ – B ଭୂତାଣୁ  - ଯକୃତ  କର୍କଟ  ରୋଗ 

ହ୍ୟୁମାନ୍  ପାପିଲୋମା  ଭାଇରସ୍  - ଚର୍ମ , ଯୋନି , ସର୍ଭିକ୍ସ , ସ୍ଵରପେଟିକା  କର୍କଟ   ରୋଗ   ।

ଏପ୍ ଷ୍ଟେନ   ବାର୍  ଭାଇରସ୍  - ଲିମ୍ଫୋମା  (ବର୍କିଟସ) , ନାସା – ଗ୍ରସନୀ  କର୍କଟ  ରୋଗ 

ବିଦାହୀ / ଜ୍ଵାଳା

ଶରୀରର  କୌଣସି  ସ୍ଥାନ  ଦୀର୍ଘକାଳଧରି  ଆଘାତପ୍ରାପ୍ତ  ହୋଇ  ଚାଲିଥିଲେ , ସେଠାରେ  କର୍କଟ  ରୋଗ  ଜାତ  ହେବାର  ଆଶଙ୍କା   ବୃଦ୍ଧିପାଏ  । ଉଦାହରଣସ୍ୱରୂପ , ବାହାଡାଦାନ୍ତ  ଓ  କୃତ୍ରିମ  ଦାନ୍ତ  ଯୋଗୁ   ଗାଲ  କିମ୍ବା  ମାଢିରେ  କିମ୍ବା  ଜିଭରେ  ବାରମ୍ବାରର  ଆଘାତ  ଲାଗିବାରୁ  ବା  ତାହା  ବାରମ୍ବାର  ଘର୍ଷଣର  ସମ୍ମୁଖୀନ  ହେଉଥିବାରୁ , ସେଠାରେ  କର୍କଟ  ରୋଗ  ପ୍ରକାଶ  ପାଇପାରେ   । ସେହିପରି  ପିତ୍ତକୋଷରେ  ପଥର  ଥିଲେ  ପିତ୍ତକୋଷ  କର୍କଟ  ରୋଗ , ବାରମ୍ବାର  ଯୌନମିଳନଯୋଗୁ  ସର୍ଭିକ୍ସ  କର୍କଟ  ରୋଗ  ଏବଂ  ବହୁ  ସନ୍ତାନର  ଜନନୀଙ୍କଠାରେ  ସର୍ଭିକ୍ସ  କର୍କଟ  ରୋଗ  ଜାତ  ହେବାର  ସମ୍ଭାବନା  ବେଶି   । ବାରମ୍ବାର  ତାପର  ସଂସ୍ପର୍ଶରେ  ଆସୁଥିବାରୁ  କାଶ୍ମୀରମାନଙ୍କ  ତଳିପେଟ  ଚର୍ମରେ   କାଙ୍ଗ୍ରି  କ୍ୟାନସର  ଜାତ  ହୁଏ  ।

ହର୍ ମୋନ୍

ହର୍ ମୋନ୍  ମଧ୍ୟ  କର୍କଟ  ରୋଗ  ସୃଷ୍ଟିକୁ  ସୁଗମ  କରିଦେଉଥିବାରୁ  ଜଣାପଡିଛି   । ବିଶେଷ  କରି  ମହିଳାମାନଙ୍କଠାରେ   ସ୍ତନ  କର୍କଟ  ରୋଗ  ସୃଷ୍ଟିରେ   ଏହାର  ଭୂମିକା   ସୁସ୍ପଷ୍ଟ   । ବିବାହ  କରି  ନଥିବା  ମହିଳା , ବନ୍ଧ୍ୟା  ଅଧିକ  ବୟସରେ   ପ୍ରଥମ  ସନ୍ତାନର  ଜନନୀ , ଅଳ୍ପବୟସରେ   ଋତୁଚକ୍ର   ଆରମ୍ଭ  ହୋଇ  ଅଧିକ  ବୟସରେ  ଋତୁଚକ୍ରର  ସ୍ଵାଭାବିକ  ଅନ୍ତ  ଏବଂ  ସ୍ତନ୍ୟପାନ  କରାଇନଥିବା  ମାଆ – ଏହିଭଳି  ମହିଳାଙ୍କଠାରେ  ସ୍ତନକର୍କଟ  ଜାତ  ହେବାର  ସମ୍ଭାବନା  ଅଧିକ  । ଏହିସବୁ  କ୍ରିୟା  ହର୍ ମୋନ୍  କ୍ଷରଣ  ସହ  ଜଡିତ   । ସେହିପରି  ହର୍ ମୋନ୍  କ୍ଷରଣରେ  ଅସନ୍ତୁଳନ  ଯୋଗୁ  ପୁରୁଷମାନଙ୍କ  ଠାରେ  ପ୍ରୋଷ୍ଟେଟ୍ ନ୍ଥି କର୍କଟ ରୋଗ  ଜାତ  ହୋଇପାରେ  ।

ଭୌତିକ  କାରକ

ଭୌତିକ  କାରକଗୁଡିକ  ମଧ୍ୟରେ  ତେଜଷ୍କ୍ରିୟ  ବିକିରଣକୁ  ଏହି  ରୋଗ  ସୃଷ୍ଟିପାଇଁ  ବେଶି  ଦାୟୀ  କରାଯାଉଛି  । ଏହାର  ପ୍ରତ୍ୟକ୍ଷ  ପ୍ରମାଣ  ମଧ୍ୟ  ମିଳୁଛି   । ଏକ୍ସ – ରେ , ଗାମା ରେ , ଆଲଫା  କଣିକା , ନିଉଟ୍ରନ , ପ୍ରୋଟନ୍  ଇତ୍ୟାଦି  ପ୍ରତ୍ୟୋକେ  ଏକ  ଏକ  ଖଳନାୟକ   । ଜାପାନର   ହିରୋସୀମା ଓ ନାଗାସାକିରେ  ପରମାଣୁ   ବୋମା  ବିସ୍ଫୋରଣ ଓ  ୟୁକ୍ରେନର  ଚେର୍ନୋବିଲଠାରେ   ପରମାଣୁ  ଶକ୍ତିକେନ୍ଦ୍ରରେ  ଆକସ୍ମିକ  ଦୁର୍ଘଟଣା  ଯୋଗୁ  ସେହି  ଅଞ୍ଚଳରେ  ରହୁଥିବା  ଅଧିବାସୀ  ଅଧିକ  ସଂଖ୍ୟାରେ  କର୍କଟ  ରୋଗାକ୍ରାନ୍ତ  ହୋଇପଡିଛନ୍ତି   ।

ସେହିପରି  ପରିବେଶ  ପ୍ରଦୂଷଣ  ଯୋଗୁ  ବାୟୁମଣ୍ଡଳର  ଓଜନ  ସ୍ତରରେ  ଗର୍ତ୍ତ  ହେବା  ଫଳରେ   ସୂର୍ଯ୍ୟକିରଣରେ  ଥିବା  ଅଲ୍ -  ଟ୍ରାଭାୟୋଲେଟ  ରଶ୍ମୀ  ବିନା  ବାଧାରେ  ଭୂପୃଷ୍ଠରେ  ପହଞ୍ଚିଯାଉଥିବାରୁ  ଚର୍ମ  କର୍କଟ  ରୋଗ  ଓ ଅନ୍ୟାନ୍ୟ  ପ୍ରକାର  କର୍କଟ  ରୋଗର   ହାର  ବୃଦ୍ଧି  ପାଇଲାଣି    ।

ଏକ୍ସ – ରେ  ଟେକନିସିଆନ  ମାନେ  ଏକ୍ସ – ରେ ସଂସ୍ପର୍ଶରେ  ଆସିବାକୁ  ବାଧ୍ୟ  ହେଉଥିବାରୁ   ସେମାନେ  ମଧ୍ୟ  ଏହାର  କୁପରିଣତି  ଭୋଗୁଛନ୍ତି   ।

ଧୂମପାନ

କର୍କଟ  ରୋଗ  ଜାତ  କରାଇବାରେ ତମାଖୁ   ହେଉଛି  ପହିଲା  ନମ୍ବର  ଆତତାୟୀ   । ବିଡି , ସିଗାରେଟ , ପିକା  ଇତ୍ୟାଦି  ଟାଣିବା   ସହ  ଫୁସ୍ ଫୁସ୍  କର୍କଟ  ରୋଗ  ଜାତ  ଜାତ  ହେବାର  ପ୍ରତ୍ୟକ୍ଷ  ସଂପର୍କ   ରହିଛି   । ଧୂମପାନ   କରୁନଥିବା  ବ୍ୟକ୍ତି  ମଧ୍ୟ  ଶୁଙ୍ଘିବା  ପାଇଁ  ବାଧ୍ୟହେଲେ   ରୋଗର  ଶିକାର  ହୋଇପଡେ  । ତମାଖୁ  ରହିଥିବାରୁ  ଗୁଣ୍ଡି , ଖଇନି , ଦୋକତା , ଗୁଟକା , ଗୁଡାଖୁ  ବ୍ୟବହାର   କରୁଥିବା  ଲୋକେ  ମୁଖଗହ୍ଵର   ରୋଗର  ସହଜ  ଶିକାର    ।

ରାସାୟନିକ  ଉପାଦାନ

କର୍କଟ  ରୋଗ  ସୃଷ୍ଟିକାରୀ  ରାସାୟନିକ   ଉପାଦାନଗୁଡ଼ିକର  ରାସାୟନିକ  କାର୍ସିନୋଜେନ  ବୋଲି  କହନ୍ତି  । କର୍କଟ  ରୋଗ  ସୃଷ୍ଟିକାରୀ  ଏହି  ଉପାଦାନଗୁଡ଼ିକର  ସଂଖ୍ୟା  ଯଥେଷ୍ଟ  ବେଶି   । ପିଚୁ , କୋଲଟାର ବା  ଆଲ୍ କାତାରା , ପାରଦ , ଆନିଲିନ୍  ରଙ୍ଗ , ଆସ୍ ବେଷ୍ଟେସ , ବେଞ୍ଜିନ  ଉପାଦାନ , ବେଞ୍ଜିଡିନ , ନାଫଥାଇଲାମିନ୍ , ନାଇଟ୍ରୋସାମିନ୍ , ଆର୍ସେନିକ , କାଡମିୟମ , କ୍ରୋମିୟମ , ଭିନାଇଲ୍  କ୍ଳୋରାଇଡ , କାର୍ବନ  ଟେଟ୍ରୋକ୍ଳୋରାଇଡ  ଏବଂ  କ୍ଳୋରାମ୍ ବ୍ୟୁସିଲ୍  ଓ  ସାଇକ୍ଲୋଫସଫାମାଇଡ  ଭଳି  ଔଷଧ  କର୍କଟ  ରୋଗ  ସୃଷ୍ଟିକାରୀ  ଉପାଦାନ  ରୂପେ  କୁଖ୍ୟାତ   ।   

ଆଧାର – ଡା. ନିତ୍ୟାନନ୍ଦ ସ୍ଵାଇଁ , ଲାୟନ ମିନତୀ ବେହେରା କ୍ୟାନସର ଫାଉଣ୍ଡେସନ ଟ୍ରଷ୍ଟ

4.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top