ହୋମ / ସ୍ଵାସ୍ଥ୍ୟ / ରୋଗ / ଜଣ୍ଡିସ୍
ସେଆର କରନ୍ତୁ

ଜଣ୍ଡିସ୍

ଜଣ୍ଡିସ୍ ରୋଗର କାରଣ ଲକ୍ଷଣ ଏବଂ ନିରାକରଣ ସମ୍ବନ୍ଧରେ ଏହିଠାରେ ବିବରଣୀ ପ୍ରଦାନ କରାଯାଇଛି ।

ଉପକ୍ରମ

ଚର୍ମ, କଞ୍ଜଙ୍କ୍‌ଟାଇଭା ଓ ଅନ୍ୟାନ୍ୟ ଝିଲ୍ଲୀମାନଙ୍କରେ ଅତ୍ୟଧିକ ରକ୍ତ-ବିଲିରୁବିନ ବର୍ଣ୍ଣକ ଜମିଯିବା କାରଣରୁ ହଳଦିଆ ଦେଖାଯିବା ଯୋଗୁ ଏହି ନାମ ଦିଆଯାଇଥାଏ । ଓଡ଼ିଆରେ ଏହାକୁ କାମଳ ବା ହଳଦିଆ କାମଳ ରୋଗ କୁହାଯାଏ । ରକ୍ତରେ ଅତ୍ୟଧିକ ବିଲିରୁବିନ ସ୍ତର ଥିଲେ ଏକ୍ସଟ୍ରାସେଲ୍ୟୁଲାର ତରଳ ପଦାର୍ଥରେ ମଧ୍ୟ ବିଲିରୁବିନ ଅଧିକ ହୁଏ । ପ୍ଲାଜ୍ମାରେ ବିଲିରୁବିନ ସ୍ତର ସାଧାରଣତଃ ୧.୨ ମି.ଗ୍ରା./ଡି.ଏଲ. ଥାଏ । ୩ ମି.ଗ୍ରା.ରୁ ଅଧିକ ଗାଢ଼ ହେଲେ ଜଣ୍ଡିସ୍ ହୁଏ । ଜଣ୍ଡିସ ଶବ୍ଦ ଫରାସୀ ଶବ୍ଦ ରୁ ନିଅଯାଇଛି ଯାହାର ଅର୍ଥ ହଳଦିଆ ।

ଯକୃତ ରୋଗରେ ଯଥା ହେପାଟାଇଟିସ ବା ଯକୃତ କର୍କଟ ରୋଗରେ ଜଣ୍ଡିସ୍ ହୁଏ । ଲେପ୍ଟୋସ୍ପାଇରୋସିସ୍ ରୋଗରେ କିମ୍ବା ଗଲ୍-ସ୍ଟୋନ ଓ ଅଗ୍ନାଶୟ କର୍କଟ ରୋଗ ହୋଇ ବିଲିଆରି ଡକ୍ଟ ଅବରୋଧ ହେଲେ ମଧ୍ୟ ଜଣ୍ଡିସ୍ ହୁଏ । ଅସାଧାରଣ ଭାବେ ଏହା ଜନ୍ମରୁ ଥାଏ ।

ପାପୁଲି ଓ ପାଦ ତଳ ଚର୍ମ ହଳଦିଆ ହୋଇ ଯଦି କଞ୍ଜଙ୍କଟାଇଭା ଓ ଅନ୍ୟାନ୍ୟ ଝିଲ୍ଲୀ ହଳଦିଆ ନ ହୋଇଥାଏ ତେବେ କ୍ୟାରୋଟିନେମିଆ ରୋଗ ନିର୍ଣ୍ଣୟ କରାଯାଏ ଯାହା ବିପଦଶୂନ୍ୟ ରୋଗ ଅଟେ ।

ଚିହ୍ନ ଓ ଲକ୍ଷଣ

ଚର୍ମ, ମ୍ୟୁକସ ଝିଲ୍ଲୀ ଓ କଞ୍ଜଙ୍କଟାଇଭା ବା ଆଖିର ଧଳା ଦେଖାଯାଉଥିବା ଅଂଶ ହଳଦିଆ ରଙ୍ଗ‌ଯୁକ୍ତ ହେବା ଏହି ରୋଗର ମୂଖ୍ୟ ଲକ୍ଷଣ । ରକ୍ତରେ ବିଲିରୁବିନ ସ୍ତର ବଢ଼ିଲେ ସର୍ବପ୍ରଥମେ କଞ୍ଜଙ୍କଟାଇଭା ହଳଦିଆ ଦେଖାଯାଏ । ଆଖିର ଧଳା ଅଂଶ ହଳଦିଆ ଦେଖାଗଲେ ମଧ୍ୟ ପ୍ରକୃତରେ ତାହା ହଳଦିଆ ହୁଏନି, ତାହାର ଆବରଣ ଯାହାର ନାମ କଞ୍ଜଙ୍କଟାଇଭା ତାହା ହଳଦିଆ ହୁଏ । ଇକ୍ଟେରସ ଶବ୍ଦକୁ ଭୁଲରେ ଜଣ୍ଡିସ ଆଖ୍ୟା ଦେଲେ ମଧ୍ୟ ଏହି ଶବ୍ଦଟି ଜଣ୍ଡିସ ଶବ୍ଦର ପ୍ରତିଶବ୍ଦ । ହଳଦିଆ ରଙ୍ଗ ଦେଖାଯିବା ବ୍ୟତୀତ ଏହି ରୋଗୀଙ୍କର ଝାଡ଼ା ରଙ୍ଗ ଫିକା ହୁଏ, ପରିସ୍ରା ଗାଢ଼ ହୁଏ ଓ ଚମ କୁଣ୍ଡେଇ ହୁଏ । ବିଭିନ୍ନ ରୋଗ ଯୋଗୁ ଏହି ଲକ୍ଷଣ ପ୍ରକାଶ ପାଉଥିବାର ମୂଖ୍ୟ ରୋଗ ଅନୁସାରେ କେତେକ ଲକ୍ଷଣ ଦେଖାଯାଏ । ଏହି ଲକ୍ଷଣ ଗୁଡ଼ିକ: ଅଇ ଓ ବାନ୍ତି, ପେଟରେ ଯନ୍ତ୍ରଣା, ଜ୍ୱର, ଦୁର୍ବଳତା, ମୁଣ୍ଡ ବିନ୍ଧା, ଗୋଡ଼ ଓ ପେଟ ଫୁଲିବା, ବିପର୍ଯ୍ୟସ୍ତ ମନ ଦଶା ଦେଖାଯାଏ । ସଦ୍ୟଜାତ ଶିଶୁଙ୍କର ମୁଣ୍ଡରୁ ଦେହକୁ ରଙ୍ଗ ମାଡ଼ିଯାଏ ଓ ତାପରେ ହାତ ଓ ପାଦକୁ ଯାଏ । ସେମାନଙ୍କର ଖାଇବା କମିଯାଏ, ଆଳସ୍ୟ ଦେଖାଯାଏ, ମାଂସପେଶି ଟୋନ ପରିବର୍ତ୍ତୀତ ହୁଏ, ଉଚ୍ଚ ସ୍ୱରରେ କାନ୍ଦନ୍ତି ଓ ବାତ ମାରେ ।

ଭେଦାତ୍ମକ ରୋଗ ନିର୍ଣ୍ଣୟବିଲିରୁବିନ ମେଟାବୋଲିଜ୍ନ ଗୋଳମାଳ ଯୋଗୁ ଜଣ୍ଡିସ୍ ହୁଏ । ଏହି ଗୋଳମାଳ ତିନି ସ୍ଥାନରେ ହୋଇପାରେ । ଯକୃତ ପୂର୍ବରୁ, ଯକୃତରେ ଓ ଯକୃତ ପରେ । ଶ୍ରେଣୀ ସଂଜ୍ଞା ଯକୃତ ପୂର୍ବ/ ରକ୍ତ ନଷ୍ଟକାରୀ ଯକୃତ ପୂର୍ବରୁ ଏହା ସଂଘଟିତ ହୁଏ । ଯକୃତସମ୍ପର୍କୀୟ/ ଯକୃତ କୋଷ ସମ୍ୱନ୍ଧୀୟ ପାଥୋଲୋଜି ଯକୃତରେ ଥାଏ ।

ଶ୍ରେଣୀଶ୍ରେଣୀ
ଯକୃତ ପୂର୍ବ/ ରକ୍ତ ନଷ୍ଟକାରୀ ଯକୃତ ପୂର୍ବରୁ ଏହା ସଂଘଟିତ ହୁଏ ।
ଯକୃତସମ୍ପର୍କୀୟ/ ଯକୃତ କୋଷ ସମ୍ୱନ୍ଧୀୟ ପାଥୋଲୋଜି ଯକୃତରେ ଥାଏ ।
ଯକୃତ ପରବର୍ତ୍ତୀ/ କୋଲେସ୍ଟାଟିକ ଯକୃତରେ ବିଲିରୁବିନ କଞ୍ଜୁଗେସନ ପରେ ହୁଏ ।

ଯକୃତ ପରବର୍ତ୍ତୀ

କୋଲେସ୍ଟାଟିକ ଯକୃତରେ ବିଲିରୁବିନ କଞ୍ଜୁଗେସନ ପରେ ହୁଏ । ଯକୃତ ପୂର୍ବ ରକ୍ତରେ ଥିବା ଲୋହିତ ରକ୍ତ କଣିକା(ଲୋ.ର.କ.) କୌଣସି ରୋଗଦ୍ୱାରା ନଷ୍ଟ ହେଲେ ଯକୃତ ପୂର୍ବ କାମଳ ହୁଏ । ଲୋ.ର.କ. ନଷ୍ଟ ହେଲେ ଏଥିରେ ଥିବା ହେମ ପିଗମେଣ୍ଟ ଭାଙ୍ଗିଯାଇ ଅନ‌-କଞ୍ଜୁଗେଟେଡ ବିଲିରୁବିନ ବାହାରେ । ଅତ୍ୟଧିକ ବିଲିରୁବିନ ବାହାରିଲେ ରକ୍ତରୁ ବାହାରିଯାଇ ବିଭିନ୍ନ ତନ୍ତୁରେ ଜମିଯାଏ ଓ ହଳଦିଆ ଦେଖାଯାଏ । ଗ୍ରୀଷ୍ମ‌ପ୍ରଧାନ ଦେଶମାନଙ୍କରେ ମ୍ୟାଲେରିଆ ରୋଗରେ ଏହି ପ୍ରକାର ଜଣ୍ଡିସ ହୁଏ । କେତେକ ଜେନେଟିକ ରୋଗ ଯଥା ସିକିଲ ସେଲ ଆନିମିଆ, ସ୍ଫେରୋସାଇଟୋସିସ, ଥାଲାସେମିଆ ଓ ଦେହରେ ଗ୍ଲୁକୋଜ ୬-ଫସଫେଟ ଡିହାଇଡ୍ରୋଜେନେଜ ଅଭାବରେ ଏହିଭଳି ଲୋ.ର.କ. ନଷ୍ଟ ହୋଇ ଜଣ୍ଡିସ ହୁଏ । ଗିଲବର୍ଟ ସିଣ୍ଡ୍ରୋମ ଓ କ୍ରଗଲର ନାଜ୍ଜର ସିଣ୍ଡ୍ରୋମ ଟାଇପ ୧ ଓ ୨ ରୋଗରେ ଜେନେଟିକ ଅବ୍ୟବସ୍ଥା ଜୋଗୁ ବିଲିରୁବିନ ମେଟାବୋଲିଜ୍ମ ସଠିକ ହୋଇ ନପାରି ଜଣ୍ଡିସ ହୁଏ ।

ଅତ୍ୟଧିକ ବିଲିରୁବିନ ପ୍ରସ୍ତୁତ ଯୋଗୁ ପାରିସ୍ରାରେ ୟୁରୋବିଲିନିଜେନ ଅଧିକ ରହେ । ଅନ‌କଞ୍ଜୁଗେଟେଡ ବିଲିରୁବିନ ଜଳରେ ଅଦ୍ରବଣୀୟ ହେତୁ ପରିସ୍ରାରେ ବିଲିରୁବିନ ମିଳେନାହିଁ । ପରିସ୍ରା-ୟୁରୋବିଲିନୋଜେନ ସ‌ହ ବିଲିରୁବିନ ପରିସ୍ରାରେ ନଥିଲେ ହେମୋଲାଇଟିକ ଆନିମିଆ ରୋଗ ନିର୍ଣ୍ଣୟ କରାଯାଏ । ଲାବୋରେଟରି ତ‌ଥ୍ୟ:

  • ପରିସ୍ରା: ବିଲିରୁବିନ ଥାଏ, ଯୁରୋବିଲିନୋଜେନ >୨ୟୁନିଟ ।
  • ସେରମ: ଅଧିକ ଅନ‌କଞ୍ଜୁଗେଟେଡ ବିଲିରୁବିନ ।
  • ଅନ‌କଞ୍ଜୁଗେଟେଡ ବିଲିରୁବିନ ସ‌ହ କେର୍ନିକ୍ଟେରସ ରୋଗ ଦେଖାଯାଏ, କାରଣ ରକ୍ତ-ମସ୍ତିଷ୍କ ପରମିଏବିଲିଟି ଅଧିକ ଥାଏ ।

ଯକୃତଜୀବକୋଷ ସମ୍ବନ୍ଧୀୟ

ଆକ୍ୟୁଟ କିମ୍ବା କ୍ରନିକ ହେପାଟାଇଟିସ, ହେପାଟୋଟକ୍ସିସିଟି, ସିରୋସିସ୍, ଔଷଧଦ୍ୱାରା ହେପାଟାଇଟିସ ଓ ମଦ୍ୟପାୟୀ (ଆଲକୋହୋଲିକ) ଯକୃତ ରୋଗମାନ‌ଙ୍କଦ୍ୱାରା ଏହି ପ୍ରକାର ଜଣ୍ଡିସ ହୁଏ । ଜୀବକୋଷ ନଷ୍ଟ ହୋଇଯିବା ଯୋଗୁ ଯକୃତଦ୍ୱାରା ବିଲିରୁବିନ ମେଟାବୋଲିଜ୍ଣ ହୋଇପାରେ ନାହିଁ । ତେଣୁ ଅନ‌କଞ୍ଜୁଗେଟେଡ ବିଲିରୁବିନ ରକ୍ତରେ ଜମିରହେ । ପ୍ରାଥମିକ ବିଲିଆରି ସିରୋସିସ୍ ରୋଗରେ କଞ୍ଜୁଗେଟେଡ ବିଲିରୁବିନ ବାଇଲ ବା ପିତ୍ତ ମଧ୍ୟକୁ ଏକ୍ସକ୍ରିଟ ହୋଇପାରେ ନାହିଁ । ଯକୃତର କାର୍ଯ୍ୟ କ୍ଷମତା ଦୁଇ ମାସ ପର୍ଯ୍ୟନ୍ତ ସମ୍ପୁର୍ଣ୍ଣ ହୋଇ ନ ଥିବାରୁ ଅନେକ ଶିଶୁମାନ‌ଙ୍କୁ ନବଜାତ ଜଣ୍ଡିସ ହୁଏ । ମୂଷା ଜ୍ୱର ରୋଗରେ ମଧ୍ୟ ଜଣ୍ଡିସ ହୁଏ । ଯକୃତଜୀବକୋଷ ସମ୍ବନ୍ଧୀୟ ଜଣ୍ଡିସ ରୋଗରେ ପ୍ରୟତଃ କୋଲେସ୍ଟାସିସ ଥାଏ । ଯକୃତ ରୋଗର କାରଣ ଅନୁସାରେ ନିମ୍ନଲିଖିତ ଲାବୋରେଟୋରି ତ‌ଥ୍ୟ ମିଳେ ।

  • ପରିସ୍ରା: କଞ୍ଜୁଗେଟେଡ ବିଲିରୁବିନ ଥାଏ, ୟୁରୋବିଲିରୁବିନ >୨ୟୁନିଟ, କିନ୍ତୁ ଶିଶୁମାନ‌ଙ୍କର ପରିବର୍ତ୍ତନ ହୁଏ । କେର୍ନିକ୍ଟେରସ ରୋଗରେ କଞ୍ଜୁଗେଟେଡ ବିଲିରୁବିନ ଅଧିକ ହୁଏ ନାହିଁ ।
  • ପ୍ଲାଜ୍ମା ପ୍ରୋଟିନରେ ଯଥାବିଧି ପରିବର୍ତ୍ତନ ହୁଏ ।
  • ପ୍ଲାଜ୍ମା ଆଲବୁମିନ ସ୍ତର କମ୍ ରହେ କିନ୍ତୁ ଅଧିକ ଆଣ୍ଟିବଡି ତିଆରି ଯୋଗୁ ଗ୍ଲୋବ୍ୟୁଲିନ ସ୍ତର ଅଧିକ ହୁଏ ।

ଜୀବକୋଷଦ୍ୱାରା ଅନ୍‌କଞ୍ଜୁଗେଟେଡ ବିଲିରୁବିନ ଅପ୍‌ଟେକଠାରୁ ଆରମ୍ଭ କରି ବିଲିଆରି କାନାଲିକୁଲି ଭିତରେ କଞ୍ଜୁଗେଟେଡ ବିଲିରୁବିନ ନିଷ୍କାସନ ପର୍ଯ୍ୟନ୍ତ ଯେ କୌଣସି ସ୍ଥାନରେ ରୋଗ ହୋଇ କାମଳ ହୋଇପାରେ । ପ୍ରଦାହ ହୋଇ ଜୀବକୋଷ ଫୁଲି ଗଲେ ଇଣ୍ଟ୍ରାହେପାଟିକ ବିଲିଆରି ଟ୍ରି ଭିତରେ ମେକାନିକାଲ ଅବରୋଧ ହୁଏ । ବିଲିରୁବିନ ତିଆରିର ପ୍ରତ୍ୟେକ ସ୍ତରରେ ବାଧା ସୃଷ୍ଟି ହୁଏ । ଏହାର ନିଷ୍କାସନ କିନ୍ତୁ ପ୍ରଭାବିତ ହୁଏ, ଫଳରେ ରକ୍ତରେ ହାଇପର୍‌ବିଲିରୁବିନେମିଆ ହୁଏ । ଅନ୍‌କଞ୍ଜୁଗେଟେଡ ବିଲିରୁବିନ ତ‌ଥାପି ଯକୃତକୋଷ ମଧ୍ୟକୁ ପ୍ରବେଶ କରି କଞ୍ଜୁଗେଟେଡ ହୁଏ । ଏହା ପୁନଶ୍ଚ ରକ୍ତକୁ ଫେରିଆସେ, କାରଣ ବାଇଲ କାନାଲିକୁଲି ଫାଟିଯାଇଥାଏ ଓ ଲିମ୍ଫ ମଧ୍ୟକୁ ଚାଲିଯାଏ । ଏହିପରି ଅଧିକାଂଶ ପ୍ଲାଜ୍ମା ବିଲିରୁବିନ କଞ୍ଜୁଗେଟେଡ ହୁଏ ଓ ଅନ୍‌କଞ୍ଜୁଗେଟେଡ ବିଲିରୁବିନ ଅନ୍ତନଳୀ ମଧ୍ୟକୁ ଯାଇ ନ ପାରିବାଦ୍ୱାରା ୟୁରୋବିଲିନୋଜେନ ହୋଇ ନ ପାରି ପରିସ୍ରା ଗାଢ଼ ହୁଏ ।

ପୋଷ୍ଟ-ହେପାଟିକ

ଏହି ଜଣ୍ଡିସକୁ ଅବରୋଧକାରୀ ଜଣ୍ଡିସ ବା ଇଂରାଜୀରେ ଅବ୍‌ଷ୍ଟ୍ରକ୍ଟିଭ ଜଣ୍ଡିସ କୁହାଯାଏ । କୌଣସି କାରଣରୁ ବିଲିଆରି ସିସ୍ଟମରେ ଥିବା ବାଇଲ ଡ୍ରେନ ହେବା ବନ୍ଦ ହୋଇଯାଏ । ଏହାର ମୂଖ୍ୟ କାରଣ ହେଉଛି କମନ ବାଇଲ ଡକ୍ଟରେ ଗଲ୍‌ସ୍ଟୋନ ବା ପଥର ରହିବା ଓ ଅଗ୍ନାଶୟ ମୁଣ୍ଡରେ କର୍କଟ ରୋଗ ହେବା । କମନ ବାଇଲ ଡକ୍ଟରେ ଲିଭର ଫ୍ଲ୍ୟୁକ ନାମକ କେତେକ ପରଜୀବୀ ରହି ସେହି ନଳୀକୁ ଅବରୋଧ କରନ୍ତି । ଅନ୍ୟାନ୍ୟ ରୋଗ ମଧ୍ୟରେ ବାଇଲ ଡକ୍ଟରେ ସ୍ଟ୍ରିକଚର, ବିଲିଆରି ଆଟ୍ରେସିଆ, କୋଲାଞ୍ଜିଓକାର୍ସିନୋମା, ପାଙ୍କ୍ରିଆଟାଇଟିସ, କୋଲେସ୍ଟାସିସ ଅଫ ପ୍ରେଗନାନ୍ସି ଓ ପାଙ୍କ୍ରିଆଟାଇଟିକ ସୁଡୋସିସ୍ଟ । ମିରିଜ୍ଜି ସିଣ୍ଡ୍ରୋମ ଯୋଗୁ କ୍ୱଚିତ ଏହି ରୋଗ ହୁଏ ।

ବାଇଲ ଡକ୍ଟ ସମ୍ପୁର୍ଣ୍ଣ ଅବରୋଧ ହେଲେ ପରିସ୍ରାରେ ଯୁରୋବିଲିନୋଜେନ ମିଳେନି କାରଣ ବିଲିରୁବିନ ଅନ୍ତନଳୀଏ ପରିବର୍ତ୍ତୀତ ହୋଇ ୟୁରୋବିଲିନୋଜେନ ହୁଏ ଯାହା ସାଅଧାଅରଣ ରକ୍ତ ସଞ୍ଚାଳନରେ ପ୍ରବେଶ କରେ।ତେଣୁ ପରିସ୍ରାରେ କଞ୍ଜୁଗେଟେଡ ବିଲିରୁବିନ ଥାଇ ୟୁରୋବିଲିନୋଜେନ ନ ଥିଲେ ଅବ୍‌ସ୍ଟ୍ରକ୍ଟିଭ ଜଣ୍ଡିସ ଥିବା ଜଣାଯାଏ ।

ଫିକା ଝାଡ଼ା ହେଉଥିଲେ ଓ ପରିସ୍ରା ଗାଢ଼ ହେଉଥିଲେ ଏହି ପ୍ରକାର ଜଣ୍ଡିସ ନିର୍ଣ୍ଣ‌ୟ କରାଯାଏ, କାରଣ ଝାଡ଼ାର ରଙ୍ଗ ବାଇଲ ଯୋଗୁ ହୁଏ । ଅନ୍ୟ ଦିଗରେ ଅନ୍ୟ କେତେକ ପ୍ରକାର ଜଣ୍ଡିସରେ ମଧ୍ୟ ଏକା ଭଳି ଝାଡ଼ା ଓ ପରିସ୍ରା ହେଉଥିବରୁ ଏହା ଏକ ସଠିକ ନିର୍ଣ୍ଣୟାତ୍ମକ ପନ୍ଥା ଭାବରେ ଗ୍ରହଣ କରାଯାଏ ନାହିଁ । ରୋଗୀର ସେରମ କୋଲେସ୍ଟେରଲ ମାତ୍ରା ବଢ଼ିଯାଏ ଓ ବାଇଲ ସଲ୍ଟ ଜମିଯିବା ଯୋଗୁ କୁଣ୍ଡେଇ ହୁଏ ।

କୌଣସି ଗୋଟିଏ ପ୍ରକାର ପରୀକ୍ଷାଦ୍ୱାରା ବିଭିନ୍ନ ପ୍ରକାର ଜଣ୍ଡିସ ଚିହ୍ନା ପଡ଼େନାହିଁ । କେତେକ ଲିଭର ଫଙ୍କସନ ଟେସ୍ଟ ଏହି ନିମନ୍ତେ ଆବଶ୍ୟକ ହୁଏ ।

ନିର୍ଣୟାତ୍ମକ ପରୀକ୍ଷା ଟେବୁଲ

କାର୍ଯ୍ୟକାରୀ ପରୀକ୍ଷା ପ୍ରିହେପାଟିକ ଜଣ୍ଡିସ ହେପାଟିକ ଜଣ୍ଡିସ ପୋଷ୍ଟ ହେପାଟିକ ଜଣ୍ଡିସ
ମୋଟ ବିଲିରୁବିନ ସାଧାରଣ/ ଅଧିକ ଅଧିକ
କଞ୍ଜୁଗେଟେଡ ବିଲିରୁବିନ ସାଧାରଣ ଅଧିକ ଅଧିକ
ଅଣକଞ୍ଜୁଗେଟେଡ ବିଲିରୁବିନ ସାଧାରଣ/ ଅଧିକ ଅଧିକ ସାଧାରଣ
ଯୁରୋବିଲିନୋଜେନ ସାଧାରଣ/ ଅଧିକ କମିଯାଏ ବଢିଥାଏ/ ନ ଥାଏ
ପରିସ୍ରା ରଙ୍ଗ ସାଧାରଣ ଗାଢ (ଯୁରୋବିଲିନୋଜେନ+ କଞ୍ଜୁଗେଟେଡ ବିଲିରୁବିନ) ଗାଢ(କଞ୍ଜୁଗେଟେଡ ବିଲିରୁବିନ )
ଝାଡା ରଙ୍ଗ ସାଧାରଣ ସାଧାରଣ / ଫିକା ଫିକା
ଆଲକାଲାଇନ ଫସଫାଟେଜ ସ୍ତର ସାଧାରଣ ଅଧିକ
ଆଲାନିନ ଟ୍ରାଂସଫରେଜ ଓ ଆସପାରଟେଟ ଟ୍ରାନ୍ସଫରେଜ ସ୍ତର ଅଧିକ
ପରିସ୍ରାରେ କଞ୍ଜୁଗେଟେଡ ବିଲିରୁବିନ ଏଥିରେ ନାହିଁ ଅଛି
ବର୍ଦ୍ଧିତ ପ୍ଳିହା ଅଛି ଅଛି ନାହିଁ

ନିଓନାଟାଲ ଜଣ୍ଡିସ

ନିଓନାଟାଲ ଜଣ୍ଡିସ ବା ଶିଶୁ ଜଣ୍ଡିସ ଏକ ବିପଦଶୂନ୍ୟ ରୋଗ । ଜନ୍ମ ହେବାର ଦ୍ୱିତୀୟ ଦିନ ଏହାଦେଖାଯାଏ, ସାଧାରଣ ପ୍ରସବ ହୋଇଥିଲେ ୮ ଦିନ ରହେ, ପ୍ରିମାଚ୍ୟୁର ବା ନିର୍ଦ୍ଦିଷ୍ଟ ସମୟ ପୂର୍ବରୁ ପ୍ରସବ premature birth ହୋଇଥିଲେ ୧୪ ଦିନ ପର୍ଯ୍ୟନ୍ତ ରହେ । ବିଭିନ୍ନ ରୋଗ ଯଥା ଫିଜିଓଲୋଜିକ ଜଣ୍ଡିସ, ଫର୍ମୁଲା ସପ୍ଲିମେଣ୍ଟେସନ ଜଣ୍ଡିସ, ହେରେଡିଟାରି ସ୍ଫେରୋସାଇଟିସିସ, ଗ୍ଲୁକୋଜ-୬-ଫସ‌୍‌ଫେଟ ଡେହାଇଡ୍ରୋଜେନେଜ ଅଭାବ, ପାଇରୁଭେଟ କାଇନେଜ ଅଭାବ, ରକ୍ତରେ ଥିବା ଗ୍ରୁପ ଏ.ବି.ଓ./ ଆର‌ଏଚ ଟାଇପ ଅଟୋଆଣ୍ଟିବଡି ଓ ଇନଫାଣ୍ଟାଇଲ ପିକ୍ନୋସାଇଟୋସିସ ଏହି ଜଣ୍ଡିସ ରୋଗ ସୃଷ୍ଟି କରାନ୍ତି । କୌଣସି ଚିକିତ୍ସା ନ କଲେ ମଧ୍ୟ ବିଲିରୁବିନ ସ୍ତର ଖସିଆସେ । ଯଦି ଅଧିକ ରହେ, ମସ୍ତିଷ୍କ ନଷ୍ଟକାରୀ କେର୍ନିକ୍ଟେରସ ରୋଗ ଥାଇପାରେ ଓ ଏହା କିଛି ପରିମାଣରେ ପଙ୍ଗୁ କରିଦେଇପାରେ । ଏହି ରୋଗ ଅଧୁନା ଅଧିକ ଦେଖାଯାଉଛି ଓ ଏହା ବାହାରେ ବେଶି ସମୟ ନ ରହିବାଦ୍ୱାରା ହେଉଛି । ଏଥି ନିମନ୍ତେ ଫୋଟୋଥେରାପି ଚିକିତ୍ସା କରାଯାଉଛି । ସୂର୍ଯ୍ୟ-ସ୍ନାନ ଏହାର ଉତ୍ତମ ଚିକିତ୍ସା ଓ ଏହା ଦ୍ୱାରା ଅଲ୍ଟ୍ରାଭାୟୋଲେଟ ରଶ୍ମୀ ଦେହରେ ପଡ଼ି ଭିଟାମିନ ଡି ପ୍ରସ୍ତୁତ ହୁଏ । ଝାଡ଼ା ଓ ପରିସ୍ରାଦ୍ୱାରା ବିଲିରୁବିନ କମିଯାଏ, ଏଣୁ ବେଶିଥର ଓ ଉତ୍ତମ ଖାଦ୍ୟ ଖୁଆଇବା ଆବଶ୍ୟକ ।

ବିକାରୀଶରୀର କ୍ରିୟା

ବିଲିରୁବିନ ମେଟାବୋଲିଜ୍ନ ପ୍ରକ୍ରିୟା ପଥରେ ଅନେକ ପାଥୋଲୋଜିକାଲ(ରୋଗ ସୃଷ୍ଟିକାରୀ) ପ୍ରକ୍ରିୟାମାନଙ୍କର ଜଣ୍ଡିସ ଏକ ଲକ୍ଷଣ, ନିଜେ ଏକ ରୋଗ ନୁହେଁ ।

ଲୋହିତ ରକ୍ତ କଣିକା ନିଜର ଜୀବନ‌କାଳ(୧୨୦ ଦିନ) ସମାପ୍ତ କରିସାରିଲେ ବା କୌଣସି କାରଣରୁ ନଷ୍ଟ ହେଲେ ତାହାର କୋଷ ପରଦା(cell membrane) ଭଙ୍ଗୁର ହୋଇ ଫାଟିଯାଏ । ପ୍ରତ୍ୟେକ ଲୋହିତ ରକ୍ତ କଣିକା ଗତି କରେ ଏକ ରେଟିକ୍ୟୁଲୋଏଣ୍ଡୋଥେଲିଆଲ ସିସ୍ଟମ ମଧ୍ୟରେ ଓ ଏହି ସମୟର ସେହି ପରଦା ଫାଟିଯାଏ । ଫଳରେ ଏହା ମଧ୍ୟରେ ଥିବା ହେମୋଗ୍ଲୋବିନ ରକ୍ତରେ ମିଶିଯାଏ । ମାକ୍ରୋଫେଜ ଏହି ହେମୋଗ୍ଲୋବିନ‌କୁ ଗ୍ରହଣ କରି ହେମ୍ ଓ ଗ୍ଲୋବିନ ନାମକ ଦୁଇ ଭାଗରେ ବିଭକ୍ତ କରିଦିଏ । ଗ୍ଲୋବିନ ଏକ ପ୍ରୋଟିନ ଯାହା ଭାଙ୍ଗିଯାଇ ଆମିନୋଏସିଡ୍‌ରେ ପରିଣତ ହୁଏ; ଏହାର ଜଣ୍ଡିସ ପରିଣତ କରିବାରେ କୌଣସି ଭୂମିକା ନ ଥାଏ । ହେମ ମୋଲିକ୍ୟୁଲ ପ୍ରଥମେ ହେମ ଅକ୍ସିଜେନେଜଦ୍ୱାରା ଅକ୍ସିଡେସନ ହୋଇ ବିଲିଭର୍ଡିନ (ଶାଗୁଆ ପିଗମେଣ୍ଟ), ଲୌହ ଓ କାର୍ବନମୋନୋକ୍ସାଇଡରେ ପରିଣତ ହୁଏ । ତାପରେ ଦ୍ୱିତୀୟ ସ୍ଟେପରେ ସାଇଟୋସୋଲିକ ଏଞ୍ଜାଇମ ବିଲିଭର୍ଡିନ ରିଡକ୍ଟେଜଦ୍ୱାରା ରିଡ୍ୟୁସ ହୋଇ ଟେଟ୍ରାପାଇରଲ ବିଲିରୁବିନ ପିଗମେଣ୍ଟରେ ପରିଣତ ହୁଏ । ଏହି ବିଲିରୁବିନ ଏକ ମୁକ୍ତ(free) ପରୋକ୍ଷ ଅନ‌କଞ୍ଜୁଗେଟେଡ୍ ବିଲିରୁବିନ । ପ୍ରତ୍ୟେକ ଦିନ ଦେହରେ ପ୍ରାୟ ୪ ମି.ଗ୍ରା. ବିଲିରୁବିନ ତିଆରି ହୁଏ ।[୧୫] ଅଧିକାଂଶ (୮୦%) ବିଲିରୁବିନ ମୃତ ଲୋହିତ ରକ୍ତ କଣିକାରୁ ତିଆରି ହୁଏ । ବଳକା ୨୦% ଅନ୍ୟ ହେମ ଉତ୍ସରୁ ଆସେ ଯଥା ଅନିୟନ୍ତ୍ରିତ ଏରିଥ୍ରୋପଏସିନ ଅନ୍ୟ ହେମ ଥିବା ପ୍ରୋଟିନ ଯେପରିକି ମାୟୋଗ୍ଲୋବିନ ଓ ସାଇଟୋକ୍ରୋମ ।

ଯକୃତୀୟ ଘଟଣାକ୍ରମ

ଅଦ୍ରବଣୀୟ ଅନ୍‌କଞ୍ଜୁଗେଟେଡ଼ ବିଲିରୁବିନ ରକ୍ତରେ ସେରମ୍ ଆଲ୍‌ବୁମିନ ସ‌ହ ମିଶି ଯକୃତ ମଧ୍ୟରେ ଗତି କରେ । ଏଠରେ ଏହା ଯୁଡିପି-ଗ୍ଲୁକୁରୋନିଲ ଟ୍ରାନ୍ସଫରେଜ ଏଞ୍ଜାଇମଦ୍ୱାରା ଗ୍ଲୁକୁରୋନିକ ଏସିଡ ସ‌ହ ମିଶି କଞ୍ଜୁଗେଟେଡ଼ ବିଲିରୁବିନରେ ପରିଣତ ହୁଏ ଓ ଏହା ଜଳରେ ଦ୍ରବଣୀୟ ଅଟେ ।

ଯକୃତରୁ ଏହି କଞ୍ଜୁଗେଟେଡ଼ ବିଲିରୁବିନ ବାହାରି ବିଲିଆରି ଓ ସିସ୍ଟିକ ଡକ୍ଟ ମଧ୍ୟରେ ଯାଇ ଅନ୍ତନଳୀରେ ପ‌ହ‌ଞ୍ଚେ । ଅନ୍ତନଳୀରେ ଥିବା ବୀବାଣୁ ଏହି ବିଲିରୁବିନ‌କୁ ଅକ୍ସିଡାଇଜ କରି ସ୍ଟର୍କୋବିଲିନୋଜେନରେ ପରିଣତ କରନ୍ତି ଯାହା ସ୍ଟର୍କୋବିଲିନରେ ପରିଣତ ହୋଇ ମଳରେ ବାହାରିଯାଏ ବା ଅନ୍ତନଳୀକୋଷମାନଙ୍କଦ୍ୱାରା ପୁନଃ ଶୋଷିତ ହୋଇ ରକ୍ତରେ ସଞ୍ଚାଳିତ ହୋଇ କିଡ୍‌ନି/ବୃକ୍‌କରେ ପ‌ହ‌ଞ୍ଚି ୟୁରୋବିଲିନରେ ପରିଣତ ହୁଏ ଓ ପରିସ୍ରାରେ ବାହାରିଯାଏ । ଏହି ସ୍ଟର୍କୋବିଲିନ ଓ ୟୁରୋବିଲିନର ରଙ୍ଗ ଯୋଗୁ ଝାଡ଼ା ଓ ପରିସ୍ରାର ରଙ୍ଗ ଦେଖାଯାଏ ।

ନିର୍ଣ୍ଣୟାତ୍ମକ ଉପଗମନ

କେତେକ ଅସ୍ଥି ରୋଗ ଓ ହୃତ୍‌ପିଣ୍ଡ ରୋଗରେ ଏ.ଏଲ.ପି. ବା ଆଲାନିନ ଟ୍ରାନ୍ସଆମିନେଜ ଓ ଆମିନୋଟ୍ରାଅନ୍ସଫରେଜ ଏଞ୍ଜାଇମ ବଢ଼ିଯାଏ । ଯକୃତ ରୋଗରେ ଜି.ଜି.ଟି. ସ୍ତର ଅଧିକ ରହେ । ଦ୍ୱିତୀୟରେ ବିଲିଆରି ଓ ଯକୃତ ରୋଗ ପୃଥକ କରିବାକୁ ପଡ଼େ । ଯଦି ଏ.ଏଲ.ପି. ସ୍ତର (୧୦-୪୫ IU/L) ଓ ଜିଜିଟି (୧୮-୮୫) ସ୍ତର ଆନୁପାତିକ ଭାବେ, ଏ.ଏସ.ଟି. ସ୍ତର (୧୨-୩୮ IU/L) ଓ ଏ.ଏଲ.ଟି. (୧୦-୪୫ IU/L) ସ୍ତର ବଢ଼େ ତାହାହେଲେ ଏହା ବିଲିଆରି କାରଣ ଯୋଗୁ ହେବା ଜଣାଯାଏ । ଏ.ଏସ.ଟି. ଓ ଏ.ଏଲ.ଟି. ସ୍ତର ଏ.ଏଲ.ପି. ଓ ଜି.ଜି.ଟି. ଅପେକ୍ଷା ଅଧିକ ରହେ ତାହେଲେ ଯକୃତ ସମ୍ବନ୍ଧୀୟ କାରଣ ଥାଏ । କେବଳ ଭାଇରାଲ ହେପାଟାଇଟିସ ଓ ହେପାଟୋଟକ୍ସିକ ରୋଗ ଛାଡ଼ିଦେଲେ ଯକୃତ ରୋଗରେ ଏ.ଏଲ୍.ଟି ସ୍ତର ଅପେକ୍ଷା ଏ.ଏସ.ଟି. ସ୍ତର ଅଧିକ ରହେ । ଆଲକୋହୋଲିକ ରୋଗରେ ଏ.ଏଲ୍.ଟି ସ୍ତର ସାଧାରଣ ରହେ । ଏ.ଏଲ୍.ଟି ସ୍ତର ଅଧିକ ଥିଲେ ହେପାଟାଇଟିସ ନିର୍ଣ୍ଣୟ କରାଯାଏ ।ଉଭାୟ ଏ.ଏଲ୍.ଟି ସ୍ତର ଓ ଏ.ଏସ.ଟି. ସ୍ତର ଶୀଘ୍ର କମିଗଲେ ନେକ୍ରୋସିସ ହେବା ଜଣାଯାଏ । ଆଲ୍‌ବୁମୁନ ସ୍ତର କମିଲେ କ୍ରନିକ ରୋଗ ଥିବା ଜଣାଯାଏ ଓ ଏହା ହେପାଟାଇତିସ ଓ କୋଲେସ୍ଟାସିସ ରୋଗରେ ସାଧାରଣ ରହେ ।

ଜଟିଳତା

ଜଣ୍ଡିସ ହେବା ପରେ କେତେକ କ୍ଷେତ୍ରରେ ଏହା ଜଟିଳ ହୋଇ ଅନ୍ୟ କେତେକ ରୋଗକୁ ପ୍ରଶ୍ରୟ ଦିଏ । ସେଗୁଡ଼ିକର ନାମ କୋଲାଞ୍ଜାଇଟିସ, ବିଲିଆରି ସିରୋସିସ, ପାଙ୍କ୍ରିଆଟାଇଟିସ୍, କୋଆଗୁଲୋପାଥି, ଯକୃତ ଓ ମୁତ୍ର‌ଯନ୍ତ୍ର ଫେଲ ହେବା । ଏହା ସ‌ହ ମୂଳ ରୋଗମାନଙ୍କର ଜଟିଳତା ମଧ୍ୟ ଦେଖାଯାଏ । ଜଣ୍ଡସ ରୋଗ ନିର୍ଣ୍ଣୟ କରିବା ପଦ୍ଧତି ଯୋଗୁ କେତେକ ଜଟିଳତା ଦେଖାଯାଏ । କୋଲିଡକୋଲିଥିଆସିସ ଯୋଗୁ ସାର୍କୋ ଟ୍ରାଏଡ, ଓ ରେନୋଲ୍ଡ ପେଣ୍ଟାଡ ରୋଗ ହୁଏ । ଇ.ଆର.ସି.ପି. ଯୋଗୁ ମଧ୍ୟ ଜଟିଳତା ଦେଖାଯାଇପାରେ । କୋଆଗୁଲୋପାଥି, ତରଳ ପଦାର୍ଥ/ ଏଲେକ୍ଟ୍ରୋଲାଇଟ, ଆଣ୍ଟିବାୟୋଟିକ ଓ ବିଲିଆରି ଡ୍ରେନ କରି ଏହାର ଚିକିତ୍ସା କରାଯାଏ ।

ଉତ୍ସ "Definition of Icterus". MedicineNet.com. 2011. Retrieved 3 February 2013.

3.8
Sagarika Bardhan Mar 05, 2016 12:59 PM

ଏହି ବାର୍ତ୍ତା ବହୁତ ସାହାଯ୍ୟ ଯୋଗ୍ୟ ଓ ଦରକାର ମଧ୍ୟ ଯାହା ଦ୍ଵାରା ଆମେ ଜଣ୍ଡିସ ବିଷୟରେ ଜାଣିବା ସହିତ ତାହା ପ୍ରତିକାର ପାଇଁ ସାହାଯ୍ୟ କରିବ ।

ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top