ହୋମ / ସ୍ଵାସ୍ଥ୍ୟ / ରୋଗ / ଫାଇଲେରିଆ
ସେଆର କରନ୍ତୁ

ଫାଇଲେରିଆ

ଏହି ପୋର୍ଟାଲରେ ଫାଇଲେରିଆ ରୋଗ ତାର ଗୁଣ, ଚିହ୍ନ, ଲକ୍ଷଣ, ବିକାରୀ ଶରୀର କ୍ରିୟା, ସଂକ୍ରମଣ, ପ୍ରତିଷେଧକ, ଚିକିତ୍ସା, ଔଷଧ ସମ୍ବନ୍ଧରେ ସୂଚନା ଦିଆ ଯାଇଛି ।

ଉପକ୍ରମ

ଫାଇଲେରିଆ ବା ଲସିକା ଶ୍ଲୀପଦ ଜ୍ଵର ମୁଖ୍ୟତଃ ଉଚେରିଆ ବ।ଙ୍କ୍ରୋଫ୍ଟି, ବ୍ରୁଜିଆ ମାଲାୟି, ଏବଂ ବୃଜିଆ ଟିମୋରି ଇତ୍ୟାଦି ଅଣୁ କୀଟଙ୍କ ଦ୍ଵାରା ବ୍ୟାପିଥାଏ ।

ରୋଗର ବିଶେଷତା

ଏହା ଶତକଡା ୯୦ଭାଗ ଉଚେରିଆ ବ।ଙ୍କ୍ରୋଫ୍ଟି ଦ୍ଵାରା ବ୍ୟାପ୍ତ ହୋଇଥାଏ । ଉଭୟ ପୁରୁଷ ଏବଂ ସ୍ତ୍ରୀକୀଟାଣୁ ଲସିକା ଗ୍ରନ୍ଥି ଓ ତନ୍ତ୍ରରେ ଗୁଚ୍ଛ ବାନ୍ଧି ରହିଥାନ୍ତି, ଯାହାଦ୍ଵାରା କି ଲସିକା ପରିବହନରେ ବାଧା ଶୃଷ୍ଟି ହୋଇଥାଏ ଓ ସ୍ଥାନ ଅନୁଯାୟୀ ଶରୀରର ଅଙ୍ଗପ୍ରତ୍ୟଙ୍ଗ ଫୁଲିଥାଏ । ପୁରୁଷ କୀଟର ଦୈର୍ଘ୍ୟ ୩-୪ ସେଣ୍ଟିମିଟର ହୋଇଥିବା ବେଳେ ସ୍ତ୍ରୀକୀଟ ର ଦୈର୍ଘ୍ୟ ୮-୧୦ ସେଣ୍ଟିମିଟର ହୋଇଥାଏ । ବ୍ୟକ୍ତିରୁ ବ୍ୟକ୍ତି ପର୍ଯ୍ୟନ୍ତ ଏହା ମଶା କାମୁଡିବା ଦ୍ଵାରା ବ୍ୟାପ୍ତ ହୋଇଥାଏ । ୨୦୦୫ ମସିହାରେ ଏକ ପରିସଙ୍ଖ୍ୟାନ ତଥ୍ୟ ଅନୁଯାୟୀ ଲସିକା ଶ୍ଲୀପଦ ପ୍ରଭାବିତ ଚିହ୍ନଟ ସ୍ଥାୟୀ ଜିଲ୍ଲା ଗୁଡିକ ହେଲେ ଅନୁଗୁଳ, ବାଲେଶ୍ଵର, ବୌଦ, କଟକ, ଦେବଗଡ, ଢେଙ୍କାନାଳ, ଗଜପତି, ଗଞ୍ଜାମ, ଯାଜପୁର, ଝାରସୁଗୁଡା, ଖୋର୍ଦ୍ଧା, ନୟାଗଡ, ପୁରୀ । ପ୍ରଥମେ ବିଶ୍ଵାସ କରାଯାଉଥିଲା ଯେ ପଶ୍ଚିମ ଓଡ଼ିଶା ଏହି ରୋଗଦ୍ବାରା ଏତେଟା ପ୍ରଭାବିତ ନୁହେଁ, କିନ୍ତୁ ୨୦୦୭-୨୦୦୯ ମସିହାରେ ଏକ ଗଣନା ଦ୍ଵାରା ଚମକପ୍ରଦ ତଥ୍ୟ ହସ୍ତଗତ ହୋଇଥିଲା । ଏହି ତଥ୍ୟ ଅନୁସାରେ ଇମ୍ୟୁନୋକ୍ରୋମାଟୋଗ୍ରାଫି ଟେଷ୍ଟ (ICT) ରିପୋର୍ଟ ଅନୁଯାୟୀ ସମଗ୍ର ଗଣନା ସଂଖ୍ୟା ରୁ ବିଭିନ୍ନ ଜିଲ୍ଲାରେ ସଂକ୍ରମଣ ଯୁକ୍ତIତ୍ମକ ବ୍ୟକ୍ତିଙ୍କ ସଂଖ୍ୟା ହେଲା –

ଅଞ୍ଚଳଶତକଡ଼ା ହାର
ସମ୍ବଲପୁର ୩୨.୨%
ବଲାଙ୍ଗିର ୨୬.୭ %
ବରଗଡ଼ ୧୫.୩%
କେଉଁଝର ୧୫.୬%
କନ୍ଧମାଳ ୧୫.୫%
ସମଗ୍ର ପଶ୍ଚିମ ଓଡ଼ିଶା ୨୦.୯%

୧୯୯୮-୧୯୯୯ ମସିହାରେ ଜାତୀୟ ପରିବାର ସ୍ୱାସ୍ଥ୍ୟ ପରିସଙ୍ଖ୍ୟାନ ବିଭାଗ ର ଏକ ଆକଳନ ଅନୁଯାୟୀ ସ୍ତ୍ରୀଲୋକ ମାନେ ଏହାଦ୍ବାରା ଅଧିକ ସଂକ୍ରମିତ । ଏବେ ଏହା ଏକ ପ୍ରମାଣିତ ତଥ୍ୟ ଯେ;-ଲସିକା ଶ୍ଲୀପଦ କେବଳ ଉପକୂଳ ଓଡ଼ିଶାରେ ସୀମିତ ନୁହେଁ । ମଶା ଦ୍ଵାରା ସଂକ୍ରମିତ ଏହି ରୋଗର ଚଞ୍ଚୁ କବଳରେ ସମଗ୍ର ଓଡ଼ିଶା I ଅନ୍ୟାନ୍ୟ ଭୌଗଳିକ ସ୍ଥାନ – ଲସିକା ଶ୍ଲୀପଦ ପୃଥିବୀରେ ବହୁ ସ୍ଥାନରେ ନିଜର କାୟା ବିସ୍ତାର କରିଥାଏ । ଏହା ଆଫ୍ରିକା, ଦକ୍ଷିଣପୂର୍ବ ଏସିଆ, ପ୍ରଶାନ୍ତାମହାସାଗରୀୟ ଦ୍ଵୀପ ସମୂହ, ଦକ୍ଷିଣ ଆମେରିକା, ଭାରତ ଆଦି ଦେଶରେ ଦେଖାଯାଇଥାଏ । କେବଳ ଭାରତରେ ୪୫କୋଟି ଲୋକ ଏହି ରୋଗ ଦ୍ଵାରା ସଂକ୍ରମିତ ଓ ତନ୍ମଧ୍ୟରୁ ୨.୬୪କୋଟି ଲୋକ ଓଡ଼ିଶାରେ ଆକ୍ରାନ୍ତ।

ଲକ୍ଷଣ

ଏହି କୀଟାଣୁ ଦ୍ଵାରା ଆକ୍ରାନ୍ତ ଅଧିକାଂଶ ବ୍ୟକ୍ତିଙ୍କ ଦେହରେ କୌଣସି ପ୍ରକାର ପ୍ରାରମ୍ଭିକ ଲକ୍ଷଣ ଦେଖା ଦେଇନପାରେ । ଅନେକ ଆକ୍ରାନ୍ତ ବ୍ୟକ୍ତି ଏହାର କୌଣସି ଲକ୍ଷଣ ବା ବିକୃତି ଅନେକ ଦିନ ଯାଏଁ ଜାଣି ପାରନ୍ତି ନାହିଁ । ସାଧାରଣ ଜ୍ଵର ପରି ଏହି ରୋଗରେ ବାନ୍ତି, ଉଚ୍ଚତାପ, ଅଙ୍ଗ ପ୍ରତ୍ୟଙ୍ଗ ପୀଡା ଆଦି ଲକ୍ଷଣ ପ୍ରକାଶ ହୋଇନପାରେ । କେବଳ ଅନେକ ଦିନ ଆକ୍ରାନ୍ତ ପରେ କ୍ଵଚିତ ବ୍ୟକ୍ତିଙ୍କ ଠାରେ ଲସିକା ଗ୍ରନ୍ଥି ପ୍ରଦାହ ଓ ଶୋଥ ଦେଖା ଯାଇପାରେ ।

ଏହାର ଦୁଇଟି ପ୍ରମୁଖ ଲକ୍ଷଣ ହେଲା; ଚର୍ମ କଠିଣ ଏବଂ ମୋଟା ହୋଇ ଫୁଲିଯିବା ଏବଂ ହସ୍ତ, ଅଙ୍ଗୁଳି, ଗୋଡ, ପାଦ, ସ୍ତନ୍ୟ, ଯନନାଙ୍ଗ ଆଦି ଫୁଲି ଯିବା । ଏହି ଦୁଇଟି ସ୍ଵତନ୍ତ୍ର ଚିହ୍ନଟ ଯୁକ୍ତ ଲକ୍ଷଣରୁ ଏହି ରୋଗକୁ ଚିହ୍ନିହୁଏ । ବାରମ୍ବାର ଜ୍ଵର, ଦେହ କଂପିବା ଏବଂ ଥରିବା, ଶିତେଇବା, ମୁଣ୍ଡ ବିନ୍ଧିବା, ବାନ୍ତିହେବା, ତୀବ୍ର ଜ୍ଵର, ମାଂସପେଶୀ ପୀଡା ଓ ମୋଡି ହେବ। ଇତ୍ୟାଦି ଲକ୍ଷଣ ଦେଖାଯିବା ଦ୍ଵାରା ତୁରନ୍ତ ଡାକ୍ତରୀ ପରାମର୍ଶ ଦ୍ଵାରା ଏହି ରୋଗକୁ ବେଳ ଆଗରୁ ଚିହ୍ନଟ କରାଯାଇ ପାରେ ।

ଜଟିଳତା

ପୁରୁଣା ହେବ। ଦ୍ଵାରା ଏହି ରୋଗରେ ବିଭିନ୍ନ ଜଟିଳତା ଦେଖା ଦେଇଥାଏ ଯଥା: ହସ୍ତିପାଦ, ବୃକ୍କକ ନଷ୍ଟ, ଯନନାଙ୍ଗ ଫୁଲିବା, ହାତ ଗୋଡ ଅତ୍ୟଧିକ ଫୁଲିଯିବା । ଏହାଛଡା ସ୍ଥାୟୀ ଅଙ୍ଗ ବିକୃତି ହୋଇ ଅକର୍ମଣ୍ୟ ହେବାର ସମ୍ଭାବନା ମଧ୍ୟ ଥାଏ । ଯେହେତୁ ଆମ ଲସିକା ତନ୍ତ୍ର ଶରୀରର ରୋଗ ପ୍ରତିରୋଧ କ୍ଷମତା ସହିତ ଜଡିତ ଥାଏ ଏହି ତନ୍ତ୍ରରେ ବିକୃତି ଯୋଗୁଁ ଏହା ସ୍ଵାଭାବିକ ଭାବେ କାର୍ଯ୍ୟ କରିବାର କ୍ଷମତା ହରାଇଥାଏ ଏବଂ ଆକ୍ରାନ୍ତ ବ୍ୟକ୍ତିକୁ ବାରମ୍ବାର ଜର, ଥଣ୍ଡା, କାସ ଇତ୍ୟାଦି ଲାଗି ରହିଥାଏ । ଲସିକା ଗ୍ରନ୍ଥି ଗୁଡିକ ଅବରୋଧ ହେବ। ଦ୍ଵାରା ବିଭିନ୍ନ ସ୍ଥାନରେ ଫୁଲା ଦେଖାଯାଇଥାଏ । ପୁରୁଷମାନଙ୍କ କ୍ଷେତ୍ରରେ ଅଣ୍ଡକୋଷ ଅତ୍ୟନ୍ତ ବିକୃତ ଭାବେ ଫୁଲି ଯାଇ ଥାଏ ।

ଚିହ୍ନଟ

ଏହି କୀଟାଣୁ କେବଳ ରାତ୍ରି ସମୟରେ ସଂକ୍ରମିତ ରୋଗୀର ରକ୍ତରେ କ୍ରିୟାଶୀଳ ଥାଏ ଓ ଏହି ସମୟରେ ରକ୍ତ ସଂଗ୍ରହ କରି ଅଣୁବୀକ୍ଷଣ ଯନ୍ତ୍ରରେ ଜିମ୍ସା ରଞ୍ଜକ ଦ୍ଵାରା ଦେଖି ଓ ଚିହ୍ନଟ କରି ହୁଏ । ଏହାକୁ ଚିହ୍ନଟ କରିବାର ଅନ୍ୟ ଉପାୟ ହେଲା ରକ୍ତରେ ଆଣ୍ଟିଫାଇଲେରିଆଲ IgG4 ର ଉପସ୍ଥିତି ।

ଲସିକା ଶ୍ଲୀପଦ କୀଟାଣୁ ଜୀବନ ଚକ୍ର

ଏହା ସ୍ତ୍ରୀ –ଏଇଡିଶ୍ ଏଇଜିପଟି ମଶା ଓ କ୍ୟୁଲେକ୍ସ ଫେଟିଜେଂସ୍ ସଙ୍କ୍ରମଣକାରି କୀଟାଣୁ ଲାର୍ଭା ମଶା କାମୁଡିବା ଦ୍ଵାରା ମଣିଷ ଶରୀର ରକ୍ତସ୍ରୋତକୁ ଆସିଥାଏ । ଏହି ଲାର୍ଭା ଲସିକା ଗ୍ରନ୍ଥି ଓ ତନ୍ତ୍ରକୁ ପ୍ରତିସରଣ କରିଥାଏ । ଏହି ଲସିକା ତନ୍ତ୍ର ରେ ଲାର୍ଭା ବୟସ୍କ କୀଟାଣୁରେ ପରିବର୍ତ୍ତିତ ହୋଇଥାଏ ଓ ବହୁ ବର୍ଷ ପର୍ଯ୍ୟନ୍ତ ବଞ୍ଚିଥାଏ । ଏହି ସ୍ତରରେ ସ୍ତ୍ରୀ –କୀଟାଣୁ ମାଇକ୍ରୋ-ଫାଇଲାରୀ (microfilariae) ଉତ୍ପନ୍ନ କରିଥାଏ, ଯାହା ରକ୍ତରେ ପ୍ରତିସରିତ ହେଉଥାଏ । ଏହି ସଂକ୍ରମିତ ରକ୍ତ ବିଶିଷ୍ଟ ମଣିଷକୁ, ମଶା କାମୁଡିବା ଦ୍ଵାରା ଏହା ପୁନଃ ଜୀବନ ଚକ୍ର କ୍ରମରେ ମଶାର ଶରୀରକୁ ପ୍ରତିସରିତ ହୋଇଥାଏ ।ମଶା ଦେହରେ ଏହି କୀଟାଣୁ ୧-୩ ସପ୍ତାହ ଅବଧି ମଧ୍ୟରେ ସଂକ୍ରମଣକ୍ଷମ ଫାଇଲାରିଫର୍ମ ଲାର୍ଭାରେ (filariform- third-stage larvae) ପରିଣତ ହୋଇଥାଏ । ଚକ୍ରର ପୁନଃ ଅ।ବୃତ୍ତି ସ୍ୱରୂପ କୀଟାଣୁବାହୀ ମଶା, କୌଣସି ମଣିଷ ଶରୀରରୁ ରକ୍ତ ଶୋଷିଲା ବେଳେ, ଏହି ସଂକ୍ରମଣକ୍ଷମ ଫାଇଲାରିଫର୍ମ ଲାର୍ଭା ଗୁଡିକୁ ମଣିଷ ରକ୍ତ ସ୍ରୋତରେ ଛାଡିଦେଇ ଥାଏ ।

ଜୀବନ ଚକ୍ର ବିଭିନ୍ନ ସୋପାନ ଏବଂ ଲକ୍ଷଣ

  • ପ୍ରଥମ ସୋପାନ: ଜର୍ଜିଆ ବିଶ୍ୱବିଦ୍ୟାଳୟ ଅଣୁଜୀବ ବିଜ୍ଞାନ ବିଭାଗର ଗବେଷଣା ସନ୍ଦର୍ଭିୟ ପ୍ରକାଶନ ଅନୁସାରେ ବୟସ୍କ ସ୍ତ୍ରୀ-କୀଟାଣୁ ଲସିକା ଗ୍ରନ୍ଥିରେ ଲାର୍ଭା ଉତ୍ପନ୍ନ କରିବା ସହ ଏହି ଲାର୍ଭା ଗୁଡିକ ରକ୍ତସଞ୍ଚାଳନ ତନ୍ତ୍ର ମଧ୍ୟରେ ପ୍ରବେଶ କରିଥାନ୍ତି । ଏହି ଲାର୍ଭା ଗୁଡିକ ଏକ ଝିଲ୍ଲୀ (sheath) ଦ୍ଵାରା ଆବୃତ୍ତ ହୋଇଥାନ୍ତି ଯାହାକି ମଣିଷ ଶରୀର ରୋଗ ପ୍ରତିରୋଧ ବ୍ୟବସ୍ଥା (Immune system) ଦାଉରୁ ରକ୍ଷା କରିଥାଏ । ଲାର୍ଭା ଗୁଡିକ ମଣିଷ ଫୁଫ୍ଫୁସ ର ପ୍ରତିଶିରା, ପ୍ରତିଧମନୀରେ ଦିବା କାଳରେ ରହିଥାନ୍ତି I ରାତ୍ର ସମୟରେ ଏଗୁଡିକ ବେକ, ଗ୍ରୀବା, ପାଦ ଓ ଗୋଡ ନିମ୍ନ ଭାଗ, ଉଦର, ହସ୍ତ ଓ ପାପୁଲି ଇତ୍ୟାଦି ଅଙ୍ଗଗୁଡିକର ପରିଶରିୟ ରକ୍ତ ପ୍ରବାହରେ ବିଚରଣ କରୁଥାନ୍ତି । ରାତ୍ର ୧୦ଘଟିକାରୁ ୨ଘଟିକା ମଧ୍ୟରେ ଏମାନଙ୍କ ସଂଖ୍ୟା ଖୁବ ବଢିଥାଏ ।
  • ଦ୍ଵିତୀୟ ସୋପାନ:ମଣିଷକୁ ମଶା କାମୁଡିବା ଦ୍ଵାରା ମଣିଷ ରକ୍ତ ପ୍ରଣାଳୀରୁ ମଶା ପାକସ୍ଥଳୀକୁ ଏହି ଲାର୍ଭାଗୁଡିକ ସ୍ଥାନାନ୍ତରିତ ହୋଇଥାନ୍ତି । ଏହିଠାରେ ସେମାନେ ଆବୃତ୍ତ ଝିଲ୍ଲୀକୁ ପରିତ୍ୟକ୍ତ କରିଥାନ୍ତି । ମଶାର ପIଚନ ତନ୍ତ୍ରରୁ ବକ୍ଷ ଭାଗକୁ ସ୍ଥାନାନ୍ତରିତ ହୋଇ ସେଠାରେ ଅନ୍ୟାନ୍ୟ ମାଂସପେଶୀରେ ବାସ କରିଥାନ୍ତି, ଏହିଠାରେ ଏକରୁ ତିନି ସପ୍ତାହ ବର୍ଦ୍ଧନଶୀଳ ଅବସ୍ଥା ପରେ ମଶାର ମୁଖ ପ୍ରାନ୍ତକୁ ପ୍ରତିସରିତ ହୋଇଥାନ୍ତି ।
  • ତୃତୀୟ ସୋପାନ: ଏକ ସଂକ୍ରମିତ ମଶା ମଣିଷକୁ କାମୁଡିବା ଦ୍ଵାରା ଉକ୍ତ ମଣିଷ ରକ୍ତସଞ୍ଚIଳନ ତନ୍ତ୍ରରେ ଏହି ଲାର୍ଭା ଗୁଡିକ ପ୍ରବେଶ କରିଥାନ୍ତି ଓ ଲସିକା ପରିବହନ ତନ୍ତ୍ର ଓ ଗ୍ରନ୍ଥିସମୂହରେ ଆସ୍ଥାନ ବିସ୍ତାର କରି ୩ ରୁ ୧୨ମାସ ମଧ୍ୟରେ ବୟସ୍କ କୀଟାଣୁରେ ପରିବର୍ତ୍ତିତ ହୋଇଥାନ୍ତି ।
  • ଚତୁର୍ଥ ସୋପାନ: ଲସିକା ତନ୍ତ୍ରରେ ପ୍ରଜନନ ପରେ ସ୍ତ୍ରୀ-କୀଟାଣୁ ଅନେକ ଲାର୍ଭା ଉତ୍ପାଦନ କରିଥାଏ ଓ ଏହି ପରାଶ୍ରୟୀ କୀଟାଣୁ ଗୁଡିକ ଅବ୍ୟକ୍ତ ଓ ବିନା ଲକ୍ଷଣରେ ୧ବର୍ଷ ପର୍ଯ୍ୟନ୍ତ ରହିଥାଏ ଓ ଚିକିତ୍ସା ଅଭାବରେ ଏହା ମଣିଷ ଶରୀରରେ ୧୦ବର୍ଷ ପର୍ଯ୍ୟନ୍ତ ବଞ୍ଚିପାରେ ।

ଚିକିତ୍ସା ବ୍ୟବସ୍ଥା

ଡାଇଥାଇଲ କାର୍ବାମାଜାଇ, ଆଇଭରମେକ୍ଟିନ ଓ ଆଲ୍ବେଣ୍ଡାଜୋଲ ଏକସଙ୍ଗେ ଦିଆଯାଏ କୀଟାଣୁ ଅନୁପ୍ରବେଶ ଓ ସଂକ୍ରମଣକୁ ପ୍ରତିରୋଧ କରିବା ପାଇଁ I କେବଳ ଡାଇଥାଇଲ କାର୍ବାମାଜାଇନ କିମ୍ବା ଆଇଭରମେକ୍ଟିନ ବୟସ୍କ କୀଟାଣୁକୁ ମIରିଥାଏ ଓ ଆଲ୍ବେଣ୍ଡାଜୋଲ ଲIର୍ଭାଗୁଡିକୁ ମାରିଥାଏ । ଆୟୁର୍ବେଦ ଚିକିତ୍ସା-ଭାରତୀୟ ଚିକିତ୍ସା ପଦ୍ଧତିରେ ଏହି ରୋଗ ପାଇଁ ଅନେକ ଔଷଧି ବ୍ୟବସ୍ଥା ରହିଛି। ରସୌଷଧିରେ–ନିତ୍ୟାନନ୍ଦ ରସ, ଶ୍ଲୀପଦାରି ରସ, ଶୁଦ୍ଧ ଗନ୍ଧକ, ପୁନର୍ନଭା ମଣ୍ଡୁର ରସ ଇତ୍ୟାଦି ଏବଂ ଉଦ୍ଭିଦଜ ଔଷଧିରେ –ପଞ୍ଚକୋଲ ଚୂର୍ଣ୍ଣ,ବୃଦ୍ଧଦାରୁକ ସମଚୁର୍ଣ୍ଣ ଏବଂ ତ୍ରିଫଳା ଗୁଗ୍ଗୁଳ, କଞ୍ଚନାର ଗୁଗ୍ଗୁଳ ତଥା ଗୋମୁତ୍ରର ପ୍ରୟୋଗ ମଧ୍ୟ କରାଯାଇଥାଏ ।

3.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top