ହୋମ / ସ୍ଵାସ୍ଥ୍ୟ / ରୋଗ / ମେଦବହୁଳ ସର୍ବନାଶ
ସେଆର କରନ୍ତୁ

ମେଦବହୁଳ ସର୍ବନାଶ

ମେଦବହୁଳତା ଆମ ସ୍ଵାସ୍ଥ୍ୟ ପାଇଁ ଖୁବ୍ ହାନିକାରକ ହୋଇଥିବା ବେଳେ ଆବଶ୍ୟକତାଠାରୁ ଅଧିକ ତୈଳ ଏବଂ କ୍ୟାଲୋରୀଯୁକ୍ତ ଫାଷ୍ଟଫୁଡ଼୍ ଖାଇବା ଏହାର ମୁଖ୍ୟ କାରଣ ।

ମେଦବହୁଳ ସର୍ବନାଶ

ଖାଇ ଶୋଇଲେ ବଢ଼ଇ ଆୟୁ, ଖାଇ ଚାଲିଲେ ବଢ଼ଇ ବାୟା ଖାଇ ବସିଲେ ବଢ଼ଇ ପେଟ, ଖାଇ ଖାଇଲେ ଯମର ଭେଟ । ପ୍ରାଚୀନ "ଖନାବଚନର ଏହି ଦୁଇଟି ଧାଡ଼ି ଆଜି ସମୟରେ ଯୁଗୋପଯୋଗୀ ଓ ପ୍ରାସଙ୍ଗିକ ମଧ୍ୟ । ମେଦବହୁଳତା ଆମ ସ୍ଵାସ୍ଥ୍ୟ ପାଇଁ ଖୁବ୍ ହାନିକାରକ ହୋଇଥିବା ବେଳେ ଆବଶ୍ୟକତାଠାରୁ ଅଧିକ ତୈଳ ଏବଂ କ୍ୟାଲୋରୀଯୁକ୍ତ ଫାଷ୍ଟଫୁଡ଼୍ ଖାଇବା ଏହାର ମୁଖ୍ୟ କାରଣ । ମେଦବହୁଳତା କାରଣରୁ ହୃଦ୍‌ଜନିତ ସମସ୍ୟା, ଆଣ୍ଠୁଗଣ୍ଠି ସମସ୍ୟା, ପିଠି ଯନ୍ତ୍ରଣା ଦେଖାଯିବାର ଆଶଙ୍କା ରହିଛି । ନିକଟରେ ଏସୀୟ ବିଶେଷଜ୍ଞଙ୍କ ଦ୍ଵାରା  ହୋଇଥିବା ଏକ ସର୍ବେକ୍ଷଣରୁ ଜଣାପଡ଼ିଛି ଯେ ଅଧିକାଂଶ ମହିଳା ପିଲାଙ୍କୁ ପୁଷ୍ଟିକର ଖାଦ୍ୟ କମ୍ ଦେଇ ଫାଷ୍ଟଫୁଡ଼ୁ ଜାତୀୟ ଖାଦ୍ୟ ଅଧିକ ଦେଇଥାଆନ୍ତି । ମୃଦୁପାନୀୟ ଓ ବିଭିନ୍ନ ପ୍ରକାର ନିଶାଯୁକ୍ତ ପାନୀୟ ମଧ୍ୟ ମେଦବହୁଳତାର ଗୁରୁତ୍ଵପୂର୍ଣ୍ଣ କାରଣ । ସେହିପରି ବର୍ତ୍ତମାନ ହାତପାଆନ୍ତାରେ ସୂଚନା ପ୍ରଯୁକ୍ତିର ସମସ୍ତ ଅତ୍ୟାଧୁନିକ ସୁବିଧାସୁଯୋଗ ଉପଲବ୍ଧ ହେଉଥିବାରୁ ସାଧାରଣରେ ଯୋଗ, ପ୍ରାଣାୟମ ଓ ଉପଯୁକ୍ତ ବିଶ୍ରାମକୁ ଅଧିକାଂଶ ଗୁରୁତ୍ଵ ପ୍ରଦାନ କରୁନାହାନ୍ତି । ଘଣ୍ଟାଘଣ୍ଟା ଧରି ମୋବାଇଲ, ଇଣ୍ଟରନେଟ, କମ୍ପ୍ୟୁଟର ସାମ୍ନାରେ ବସି ରହିବା ଦ୍ଵାରା ଜଣେ ଖାଇଥିବା ଖାଦ୍ୟ ହଜମ ହୋଇପାରୁନାହିଁ।

ମେଦବହୁଳତା ସହ ଶରୀରର ସବୁଠାରୁ ଗୁରୁତ୍ଵପୂର୍ଣ୍ଣ କୁହାଯାଉଥିବା  ଲିଭର ବା ଯକୃତର ସମ୍ପର୍କ ରହିଛି। ଖାଦ୍ୟ ପେଟ ଭିତରକୁ ଗଲାପରେ ଏହା ଲିଭର ସଂସ୍ପର୍ଶରେ ଆସି ପାଚନ ପ୍ରକ୍ରିୟାକୁ ତ୍ଵରାନିତ କରିଥାଏ । ମେଦବହୁଳତା ହେଲେ ଲିଭର ଭିତରେ ଚର୍ବି ଜମିଯାଏ । ଏହି ଚର୍ବି ଧୀରେ ଧୀରେ ଲିଭରର କୋଷକୁ ଆକ୍ରାନ୍ତ କରି ଏକ ପ୍ରଦାହ ସୃଷ୍ଟି କରେ । ପ୍ରଥମ ଅବସ୍ଥାରେ ଏହାକୁ ଫ୍ୟାଟି ଲିଭର ଓ ଦ୍ଵିତୀୟ ଅବସ୍ଥାରେ ନାସ୍ ବୋଲି କୁହନ୍ତି । ଧୀରେ ଧୀରେ ଲିଭର ଭିତରେ ସୂତ୍ରତନ୍ତୁମୟତା ବଢ଼ିଯାଇ ଫାଇବ୍ରୋସିସ୍ ହୁଏ । ଏହା ଲିଭରରେ ମୋଟା କ୍ଷତ ଦାଗ ସୃଷ୍ଟି କରେ ଓ ଛୋଟଛୋଟ ଗ୍ରନ୍ଥି ହୋଇ ଫୁଲିଯାଏ, ଯାହାକୁ ଲିଭର ସିରୋସିସ୍ କୁହନ୍ତି । ଏହା ବଢ଼ିଲେ ଲିଭର କ୍ୟାନସରରେ ରୂପାନ୍ତରିତ ହୁଏ । ମେଦବହୁଳତା ଯୋଗୁଁ ୭୦% କ୍ଷେତ୍ରରେ ଫ୍ୟାଟିଲିଭର ହୁଏ ଓ ୧୫ରୁ ୨୦% କ୍ଷେତ୍ରରେ ତାହା ଲିଭର ସିରୋସିସର ରୂପ ନିଏ । ଏହା ବ୍ୟତୀତ ଡାଇବେଟିସ୍, ଗଣ୍ଠିବାତ ରୋଗ, ଉଚ୍ଚରକ୍ତଚାପ, ହୃଦ୍‌ରୋଗ ଓ ଶ୍ରାସଜନିତ ସମସ୍ୟା ଦେଖାଦିଏ । ଶରୀରରେ ୟୁରିକ୍ ଏସିଡୁର ମାତ୍ରା ବୃଦ୍ଧି ପାଇ ଗଣ୍ଠିବାତ ମଧ୍ୟ ହୁଏ । ଧୀରେ ଧୀରେ ଏହା ବୃକକ୍‌କୁ ଆକ୍ରାନ୍ତ କରେ ଓ ମସ୍ତିଷ୍କରେ ରକ୍ତପ୍ରବାହ କମିଯାଏ । ବେଳେବେଳେ ପାରାଲିସିସ୍ ମଧ୍ୟ ହୁଏ । କେତେକ କ୍ଷେତ୍ରରେ ମେଦବହୁଳତା ପରିବାରର ଜିନ୍ ସଂକ୍ରାନ୍ତ ବଂଶାନୁକ୍ରମିକ ଭାବେ ଜଣକୁ ହୋଇଥାଏ, କିନ୍ତୁ ଏହାର ସମ୍ଭାବନା କମ୍।

ମେଦବହୁଳତା ନିରାକରଣ ପାଇଁ ପ୍ରତିଦିନ ନିୟମିତ ବ୍ୟାୟାମ, ପ୍ରାଣାୟାମ ଓ ଯୋଗ କରିବା ସହିତ ଖାଦ୍ୟପେୟର କଟକଣା କରିବା ଉଚିତ । ସୁଷମ ଖାଦ୍ୟ ସହ ସବୁଜ ଓ ତଟକା ପନିପରିବା, ଫଳକୁ ନିଜ ଖାଦ୍ୟ ତାଲିକାରେ ଗୁରୁତ୍ଵ ଦେବା ଜରୁରୀ । ଫାଷ୍ଟଫୁଡ, ଫ୍ରିଜର ଥଣ୍ଡାଖାଦ୍ୟ, ଚକୋଲେଟ, ମିଠା, ମାଦକଦ୍ରବ୍ୟ ଓ ଥଣ୍ଡା ପାନୀୟ ଠାରୁ ଯେତେ ସମ୍ଭବ ଦୂରେଇ ରହିବା ଭଲ । ଏପରିକି ଅତ୍ୟଧୁକ ଅଣ୍ଡା, ମାଛ, ମାଂସ, ଘିଅ, ଲହୁଣି, ତୈଳଜାତୀୟ ଖାଦ୍ୟ ଆଦି ଖାଇବା ନିଷେଧ । ଯୁଗାବତାର ପୁରୁଷୋତ୍ତମ ଶ୍ରୀଶ୍ରୀ ଠାକୁର ଅନୁକୂଳଚନ୍ଦ୍ର ନିରାମିଷ ଖାଦ୍ୟ ପ୍ରସଙ୍ଗରେ କହିଛନ୍ତି- ମାଛ, ମାଂସ ଖାଇବ ନାହିଁ, ପିଆଜ, ରସୁଣ ମାଦକ ଛାତ୍ର । ଆମିଷରେ ବିଧାନ ଉତ୍ତେଜିତ ଅଯଥା ହୁଏ ଜର୍ଜରିତ ।

ଛାତ୍ରଛାତ୍ରୀମାନଙ୍କ ନିକଟରେ ଏହି ରୋଗ ଦେଖାଦେଲେ

ସେମାନଙ୍କର ସ୍ମରଣଶକ୍ତି ହ୍ରାସ ହୁଏ । ତେଣୁ ସେମାନେ ନିଯମିତ ଶିକ୍ଷାଧାୟନ, ଖେଳକସରତ, ଯୋଗ, ପ୍ରାଣାୟାମ ଓ ଧ୍ୟାନ କରିବା ଉଚିତ । କଠିନ ପରିଶ୍ରମ ହିଁ ମେଦବହୁଳତାରୁ ରକ୍ଷା ପାଇବାର ଶ୍ରେଷ୍ଠ ମାଧ୍ୟମ । ଏ ସଂକ୍ରାନ୍ତ ସଚେତନତା ଲାଗି ଜାତୀୟ ଅନ୍ତର୍ଜାତୀୟ ସ୍ତରରେ ପ୍ରତିବର୍ଷ ନଭେମ୍ବର ୨୮ ତାରିଖ ବିଶ୍ଵ ମେଦବହୁଳତା ଦିବସ ରୂପେ ପାଳନ କରାଯାଉଛି ।

ଆଧାର: ପ୍ରଫେସର ଡାକ୍ତର, ଉମେଶ ଚନ୍ଦ୍ର ପାତ୍ର ବିଭାଗୀୟ ମୁଖ୍ୟ,  କଟକ

 

3.11764705882
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top