ହୋମ / ସ୍ଵାସ୍ଥ୍ୟ / ରୋଗ / ମେଦବହୁଳତା ପାଇଁ ବାରିଆଟ୍ରିକ୍ ସର୍ଜରୀ ଏକ ବରଦାନ
ସେଆର କରନ୍ତୁ

ମେଦବହୁଳତା ପାଇଁ ବାରିଆଟ୍ରିକ୍ ସର୍ଜରୀ ଏକ ବରଦାନ

ମେଦବହୁଳତା ପାଇଁ ବାରିଆଟ୍ରିକ୍ ସର୍ଜରୀ ଏକ ବରଦାନ ସେ ସମ୍ବନ୍ଧରେ କିଛି ପ୍ରଶ୍ନ ଓ ଉତ୍ତର ।

ପ୍ରଶ୍ନ : ମେଦବହୁଳତା ଏବଂ ବାରିଆଟ୍ରିକ ସର୍ଜରୀ ସମ୍ପର୍କରେ କ’ଣ କହିବେ ?

ଉତ୍ତର : ମେଦବହୁଳତା ବା ମେଦପ୍ରବଣତା ଏବେ ମହାମାରୀ ରୂପେ ଉଭା ହୋଇ ପାଶ୍ଚାତ୍ୟ ଏବଂ ଏସୀୟ ଦେଶର ବେଶୀ ଦେଖାଯାଉଛି  । ଏହା ବିଭିନ୍ନ ପ୍ରକାର ଶାରୀରିକ ସମସ୍ୟା ସୃଷ୍ଟି କରିବା ସହିତ ଶରୀରର ମେଟାବଲିକ୍ ପ୍ରକ୍ରିୟା ହରମୋନ୍ କ୍ଷରଣକୁ ପ୍ରଭାବିତ କରେ ଏବଂ ବିଭିନ ମାନସିକ ସମସ୍ୟା ମଧ୍ୟ ସୃଷ୍ଟି କରିଥାଏ  । ଏଥିରେ ଆକ୍ରାନ୍ତ ବ୍ୟକ୍ତି ଚାଲବୁଲ କରିବା ସହ ସିଧା ହୋଇ ଶୋଇବା, ଶ୍ଵାସକ୍ରିୟା ଆଦିରେ ସମସ୍ୟା ଭୋଗିଥାନ୍ତି ଯାହାକୁ ଆମେ  ଓଏସ୍ ଏ ବା ଅବଷ୍ଟ୍ରକ୍ଟିଭ ସ୍ଲିପ୍ ଆପ୍ନିଆ ବୋଲି କହିଥାଉ  । ଏପରିକି କେତେକଙ୍କୁ ଶ୍ଵାସକ୍ରିୟା  ଲାଗି ଅମ୍ଳଜାନ ଦେବାକୁ ହୋଇଥାଏ  । ମେଦ ଜମିବା ଫଳରେ ଡାଇବେଟିସ୍, ରକ୍ତଚାପ, କୋଲେଷ୍ଟରଲ ବଢିବା, ହୃଦ୍ଘାତ ହେବା, ଏପରିକି ପକ୍ଷାଘାତ ମଧ୍ୟ ହୋଇପାରେ  । ଆଡିପୋସାଇଟ ବା ଚର୍ବି ଜୀବକୋଷରେ ଚର୍ବି ଜମି ଇନସୁଲିନ କ୍ଷରଣ ପ୍ରତିରୋଧ ହେବାରୁ ଡାଇବେଟିସ ନିୟନ୍ତ୍ରଣ କରାଯାଇପାରେନି  । ସେଥିପାଇଁ ବାରିଆଟ୍ରିକ ସର୍ଜରୀ ଦ୍ଵାରା ମେଦବାହୁଲତା ସହିତ ଡାଇବେଟିସ ଏବଂ ଅନ୍ୟ ଆନୁଷଙ୍ଗିକ ସମସ୍ତ ସମସ୍ୟାର  ନିରାକରଣ ଏପରିକି ସ୍ଥାୟୀ ପ୍ରତିକାର ମଧ୍ୟ କରାଯାଇପାରେ  । ୧୯୯୧ରେ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍ ହେଲ୍ଥ ଏହି ସର୍ଜରୀକୁ ମଧୁମେହର ଅସ୍ତ୍ରୋପ୍ରଚାର ଜନିତ ଭାବେ ଦର୍ଶାଇଛି  । ବାରିଆଟ୍ରିକ ସର୍ଜରୀ ୭-୮ ପ୍ରକାର  । ପ୍ରତ୍ୟକ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ସମସ୍ୟାକୁ ଦୃଷ୍ଟିରେ ରଖି ଆମେ ଅସ୍ତ୍ରୋପ୍ରଚାର ପ୍ରକାର ସ୍ଥିର କରୁ  । ଖାଦ୍ୟଗ୍ରହଣରେ ଅନିୟମିତତା, ଅବ୍ୟବସ୍ଥିତ ଜୀବନଶୈଳୀ, ବ୍ୟାୟାମ ନକରିବା, ନିଶାସେବନ, ମାନସିକ ଦୁଶ୍ଚିନ୍ତା, ଆଧୁନିକ ଜୀବନର କର୍ମଜଞ୍ଜାଳ, ଚିନ୍ତା, କ୍ରୋନିକ ଡିପ୍ରେସନ ଆଡି ହରମୋନ୍ କ୍ଷରଣକୁ ଅନିୟମିତ କରିଦିଏ  । ଏହା ମେଦବହୁଳତାର ପ୍ରମୁଖ କାରଣ  । ଅନେକ ସମୟରେ ଅବସାଦ ଭିତରେ ରହି ମଣିଷ ଅଧିକ ଖାଇଦିଏ  । ପୁଣି ପିଟୁୟଟାରୀ ଗ୍ରନ୍ଥିରୁ ଅତ୍ୟଧିକ ହରମୋନ କ୍ଷରଣ ମଧ୍ୟ ମୋଟା ହେବାର କାରଣ  । ମେଦବହୁଳତା ଯୋଗୁ ଗୋଡରେ ସାଇକିଆଟରୀକ ରୋଗୀଙ୍କ ମାମଲା ଟିକେ ଜଟିଳ  । କାରଣ ସେମାନେ ଆମ ପରାମର୍ଶକୁ ଠିକ୍ ଭାବେ ଗ୍ରହଣ କରିପାରନ୍ତି ନାହିଁ  ।

ପ୍ରଶ୍ନ : ଲୋକଟି ବେଶ୍ ହୃଷ୍ଟପୃଷ୍ଟ, କିନ୍ତୁ ତା’ର ଭିଟାମିନ ଅଭାବ ରହୁଛି  । କାରଣ କ’ଣ ?

ଉତ୍ତର : ଖାଦ୍ୟପେୟରେ ସନ୍ତୁଳନ ନରହିଲେ ଭିଟାମିନ ଅଭାବ ହୁଏ ଏବଂ ମେଦ ବୃଦ୍ଧି ହୋଇଚାଲେ  । ଥଣ୍ଡା, ଷ୍ଟିରଏଡ ଓ ଗର୍ଭନିରୋଧକ ବଟିକା ଆଡି ନେଉଥିବା କାରଣରୁ ବି ଲୋକେ ଫୁଲିଯାଆନ୍ତି  । ପୁଣି କ୍ରମାଗତ ଭାବେ ବସିରହିବା କାମରେ ଶରୀର ମୋଟା ହୋଇପାରେ  । ଏସବୁ ସ୍ଥଳେ ପ୍ରାଥମିକ କାରଣ ଠାବ କରି ଆମେ ଚିକିତ୍ସା କରୁ  । ବସିରହିବା କାମରେ କାମରେ ମଝିରେ ମଝିରେ ଉଠି ଷ୍ଟ୍ରେଚିଂ କରିବା ଦରକାର  । ମଧ୍ୟାହ୍ନଭୋଜନ ହାଲ୍କା ହେବା ଜରୁରୀ  ।

ପ୍ରଶ୍ନ : ଅସ୍ତ୍ରୋପ୍ରଚାର ପରେ ରୋଗୀଙ୍କୁ କିଛି ସମସ୍ୟାର ସାମ୍ନା କରିବାକୁ ହୁଏ  କି ?

ଉତ୍ତର : ଏଥିରେ ଲାପ୍ରୋସ୍କୋପିକ ପଦ୍ଧତି ବ୍ୟବହାର ହେବାରୁ ବଡ କ୍ଷତ ହୁଏନାହିଁ  । ଅସ୍ତ୍ରୋପ୍ରଚାର ପରେ ରୋଗୀର ଖାଦ୍ୟ ପରିମାଣ କମିଯାଏ  । ଯଦି ବା ଅଧିକ ଖାଆନ୍ତି ଖାଦ୍ୟରୁ ବେଶି ପୋଷକ ତତ୍ତ୍ଵ ରକ୍ତରେ ନମିଶିବା ପାଇଁ ଅନ୍ତନାଳୀରେ ବାଇପାସ୍ କରି ସେଗୁଡିକ ମଳ ଆକାରରେ ଶରୀରରୁ ବାହାରିଯିବା ବ୍ୟବସ୍ଥା କରାଯାଏ  । ରୋଗୀଙ୍କ ଅଭ୍ୟାସ ଦୃଷ୍ଟି ରଖି ପ୍ରଥମେ ତାଙ୍କୁ ନିଜେ ନିଜର ଓଜନ କମାଇବା ଲାଗି ପରାମର୍ଶ ଦିଆଯାଏ  । ଏଥିରେ ସଫଳ ନହେଲେ ବାରିଆଟ୍ରିକ ସର୍ଜରୀ କରାଯାଏ  । ସର୍ଜରୀରେ ବ୍ୟକ୍ତି ସୌନ୍ଧର୍ଯ୍ୟ ଫେରିପାଇଲେ ମଧ୍ୟ ଏହା ଆଦୌ କସ୍ମେଟିକ ସର୍ଜରୀ ନୁହେଁ  । ଏହା ମେଦବହୁଳତାଜନିତ ବହୁ  ଜଟିଳ ସମସ୍ୟାର ଉପଚାର  । ବିଏମ୍ ଆଇ (ବଡି ମାସ୍ ଇଣ୍ଡେଜ)ରେ ଯଦି ଅତ୍ୟଧିକ ଓଜନ ଦେଖାଯାଏ  ଏବଂ ଏହା ସହିତ ଡାଇବେଟିସ୍, କୋଲେଷ୍ଟେରଲ, ଶ୍ଵାସକ୍ରିୟାରେ ସମସ୍ୟା ଭାବେ ଜିଇଆର୍ଡି (ଗ୍ୟାଷ୍ଟ୍ରୋ ଇସୋଫାଗିଆଲ ରିଫ୍ଲକ୍ସ ଡିଜିଜ୍) ଆଦିରେ ବ୍ୟକ୍ତି ଆକ୍ରାନ୍ତ ଥିଲେ ସମାଧାନର ବାଟ ଭାବେ ବାରିଆଟ୍ରିକ ସର୍ଜରୀକୁ ଗ୍ରହଣ କରାଯାଏ  ।

ପ୍ରଶ୍ନ : ବାନ୍ତି କିମ୍ବା ହଜମ ସଂକ୍ରାନ୍ତ କୌଣସି ସମସ୍ୟା ?

ଉତ୍ତର : ଅସ୍ତ୍ରୋପ୍ରଚାର ପରେ ବାନ୍ତି ହୁଏନି  । ଟୀ ମେଦବହୁଳତା କାରଣରୁ ରିଫ୍ଲକ୍ସ ସମସ୍ୟା ଥିଲେ ଅଳ୍ପ ବାନ୍ତି ହୋଇପାରେ ଯାହା ଠିକ୍ ହୋଇଯାଏ  । ବେଳେବେଳେ ଜଣଜଣଙ୍କର ପତଳା ଝାଡା ହୋଇଥାଏ ଏବଂ କିଛି ଔଷଧ ସେବନରେ ଏହା ଭଲ ହୋଇଯାଏ  । ପୁଣି ଏ କ୍ଷେତ୍ରରେ ରେଷ୍ଟ୍ରିକ୍ଟିଭ ଏବଂ ମେଟାବଲିକ୍ ପାର୍ଟ ଦୁଇଟିକୁ ଆମେ ଅନୁଧ୍ୟାନରେ ରଖୁ  । ଅପରେସନରେ ପାକସ୍ଥଳୀର ୭୫% ଅଂଶ ବାହାର କରିଦେଉ  । ତେଣୁ ଗ୍ରେହଲିନ କ୍ଷରଣ କମ୍ ହୋଇ ମଣିଷକୁ ଅଳ୍ପ ଖାଦ୍ୟରେ ସନ୍ତୁଷ୍ଟ କରିପାରେ  । ଏହି ରେଷ୍ଟ୍ରିକ୍ଟିଭ ଉପାୟରେ ଖାଦ୍ୟ ନିୟନ୍ତ୍ରଣ କରିହୋଇଯାଏ  । ମେଟାବଲିକ୍ ପାର୍ଟରେ ଶରୀରକୁ ଯାଉଥିବା ଅତିରିକ୍ତ ପୁଷ୍ଟି ରୋକାଯାଏ  । ରୋଗୀଙ୍କୁ ପୁଷ୍ଟିସାର ଏବଂ ପୋଷକ ତତ୍ତ୍ଵଯୁକ୍ତ ଖାଦ୍ୟ ଦିଆଯାଏ  । କାର୍ବୋହାଇଡ୍ରେଟ୍ସ  ଏବଂ ତୈଳାକ୍ତ ଖାଦ୍ୟ ମନା  । ଯେଉଁମାନେ ଖାଇବା ଇଚ୍ଛା କୌଣସି ପ୍ରକାରେ ନିୟନ୍ତ୍ରଣ କରିପାରୁନାହାନ୍ତି, ସେମାନଙ୍କ କ୍ଷେତ୍ରରେ ବାଇପାସ୍ କରାଯାଏ  । ଏହି ସର୍ଜରୀ ଦ୍ଵାରା କମ୍ ବୟସର ମହିଳାଙ୍କର ଋତୁସ୍ରାବ ଅନିୟମିତତା, ଗର୍ଭାଶୟ ସମସ୍ୟା, ଅବସାଦ ଆଦିର ଉପଶମ ହୋଇପାରୁଛି  ।

ପ୍ରଶ୍ନ : ବାରିଆଟ୍ରିକ ପରେ ଆଉ କିଛି ଅସ୍ତ୍ରୋପ୍ରଚାର ଆବଶ୍ୟକ ହୁଏ କି ?

ଉତ୍ତର : ଚର୍ବିଅଂଶ କମିଗଲେ ଅତିରିକ୍ତ ଚରମ ଲୋଚାକୋଚା ହୋଇଯିବ  । ତେଣୁ ପରବର୍ତ୍ତୀ ସମୟରେ ଯେଉଁମାନେ ଇଚ୍ଛା କରନ୍ତି, ବେକ, ପେଟ ଆଦିରେ କସ୍ମେଟିକ ସର୍ଜରୀ କରାଇବାକୁ ହୁଏ  । କମ୍ ବୟସର ରୋଗୀ (ଆଡୋଲେସେଣ୍ଟ ଓବେସିଟି) ଙ୍କ କ୍ଷେତ୍ରରେ ଏହା ଆବଶ୍ୟକ ହୁଏନାହିଁ  । କାରଣ, ଧୀରେ ଧୀରେ ସେମାନଙ୍କ ଚର୍ମ ଠିକ୍ ଅବସ୍ଥାକୁ ଫେରିପାରେ  । ବାଇପାସ୍ ସର୍ଜରୀ ହେଲେ କେଶ ଝଡିପାରେ  । କିନ୍ତୁ ଠିକ୍ ତତ୍ତ୍ଵାବଧାନରେ ରହିଲେ ଏହା ହୁଏନାହିଁ  । ଅବଶ୍ୟ ବଂଶଗତ ସମସ୍ୟା ଅଲଗା।

ପ୍ରଶ୍ନ : ମେଦବହୁଳତା ଆକ୍ରାନ୍ତ ରୋଗୀଙ୍କୁ କ’ଣ ପରାମର୍ଶ ଦେବେ ?

ଉତ୍ତର : ମେଦବହୁଳତା ବ ଓବେସିଟି ଏକ ରୋଗ ଏବଂ ଏହା ବିଶ୍ଵସ୍ତରରେ ଏପରି ବ୍ୟାପିଛି ଯେ ଏହାକୁ ଗ୍ଲୋବେସିଟି ବୋଲି କୁହାଗଲାଣି  । ନିୟମିତ ବ୍ୟାୟାମ ଓ ସନ୍ତୁଳିତ ଖାଦ୍ୟ ସହାୟତାରେ ମେଦବହୁଳତା ଦୂରେଇପାରିବେ  । ଏହାର ମୂଳୋତ୍ପାଟନ ଲାଗି ସାମାଜିକ ସଚେତନତା ନିହାତି ଆବଶ୍ୟକ  ।  ମୋଟା ଶିଶୁ ବଦଳରେ ସୁସ୍ଥ ଶିଶୁ ଗଢିବା ପାଇଁ ପିତାମାତା ଯତ୍ନବାନ ହେବା ଉଚିତ  । ବାରିଆଟ୍ରିକ ସର୍ଜରୀ ଆବଶ୍ୟକ ଏବଂ ଆବଶ୍ୟକସ୍ଥଳେ ସ୍ଥାୟୀ ଉପକୃତ ହୋଇପାରିବେ  ।

ସଂଗୃହିତ – ଡା. ନୟନ ରଞ୍ଜନ ନନ୍ଦ , ଲହରିକା ପଟ୍ଟନାୟକ

3.02040816327
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top