ହୋମ / ସ୍ଵାସ୍ଥ୍ୟ / ରୋଗ / ଯକୃତ ର ସୁରକ୍ଷା
ସେଆର କରନ୍ତୁ

ଯକୃତ ର ସୁରକ୍ଷା

ଯକୃତ ଗୋଟେ ଅତି ଜରୁରୀ ଯନ୍ତ୍ର ଏହାକୁ ସ୍ଵସ୍ଥ ରଖିବା ଜରୁରୀ

ଯକୃତ ଗୋଟେ ଅତି ଜରୁରୀ ଯନ୍ତ୍ର

ଶରୀର ରେ ଥିବା ହୃତପିଣ୍ଡ, ଫୁସଫୁସ ,ବୃକକ ମସ୍ତିଷ୍କ ପରି ଯକୃତ ଗୋଟେ ଅତି ଜରୁରୀ ଯନ୍ତ୍ର । ଏହା ଉପର ପେଟ ର ଡାହାଣ ପଟେ ଥାଏ । ଆମେ ଯାହା ଖାଉ ପିଉ ସେ ଭାତ ଡାଲି ତରକାରୀ ହେଉ ବା ମଦ, ଔଷଧ ହେଉ ସବୁ ଅନ୍ତନାଳୀ ରୁ ରସ ଆକାରରେ ରକ୍ତ ରେ ମିଶି ସିଧା ଯକୃତ କୁ ଯାଏ । ଶରୀର ର ଯାବତୀୟ ପରିଶ୍ରମ ପାଇଁ ମାଂସ ପେଶୀ ର ପ୍ରୋଟିନ, ରକ୍ତ, ରକ୍ତ ର ଜମାଟ ବାନ୍ଧିବା ଶକ୍ତି, ଚର୍ବି ଜାତୀୟ ଖାଦ୍ୟ ହଜମ ପାଇଁ bile, ଶରୀରରେ ପ୍ରବେଶ କରୁଥିବା ଜୀବାଣୁ ଓ ଭୂତାଣୁ ମାନଙ୍କ ବିରୁଦ୍ଧ ରେ ସଂଗ୍ରାମ କରିବା ପ୍ରତି ରୋଧ ଶକ୍ତି, ଯକୃତ ରେ ତିଆରି ହୋଇଥାଏ। ତେଣୁ ଏହା ଶକ୍ତି ର ଗନ୍ତାଘର । ଏହା ଶରୀର ର ହଠାତ ଦରକାର ବେଳେ ସାଙ୍ଗେ ସାଙ୍ଗେ ଶକ୍ତି ଯୋଗାଇ ଦେଇ ମନୁଷ୍ୟ କୁ ମୃତ୍ୟୁ ମୁଖରୁ ରକ୍ଷା କରିଥାଏ । ଶରୀର ରେ ପ୍ରବେଶ କରୁଥିବା ବିଷ, ଔଷଧ, ମଦ ଇତ୍ୟାଦି କୁଛାଣି ତାର ବିଷ କ୍ରିୟା ନଷ୍ଟ କରେ । କିନ୍ତୁ ଯକୃତକୁ ଅତ୍ୟଧିକ କାମ କରିବାକୁ ପଡିଲେ ଏହାର କୋଷ କ୍ରମେ ନଷ୍ଟ ହୋଇଯାଏ । ଏହି ରାସାୟନିକ କାରଖାନା ଥରେ ଖରାପ ହେଲେ ଆଉ ସଜାଡି ହୋଇ ପାରେ ନାହିଁ । ନିରୋଗୀ ଓ ଦୀର୍ଘ ଜୀବନ ପାଇଁ ତାର ସୁରକ୍ଷା ସର୍ବାଦୌ କର୍ତ୍ତବ୍ୟ ।

କାମଳ (Jaundice)

ସାଧାରଣତଃ ଲୋହିତ ରକ୍ତ କଣିକା (R.B.C) ନଷ୍ଟ ହେଲାପରେ ରାସାୟନିକ ପ୍ରକ୍ରିୟା ରେ Bilirubin ସେଥିରୁ ତିଆରି ହୋଇ ଯକୃତ ର ପିତକୋଷ ରେ Bile ଆକାର ରେ ଜମା ହୋଇଥାଏ । Bile ଗ୍ରହଣୀ (Duodenum)ବାଟେ ଅନ୍ତନାଳୀ ରେ ପ୍ରବେଶ କରି ଚର୍ବି ଜାତୀୟ ଖାଦ୍ୟ ହଜମ କରିବାରେ ସାହାଯ୍ୟ କରେ । ଯେତେବେଳେ Bilirubin ରକ୍ତ ରେ ନିର୍ଦ୍ଧିଷ୍ଟ ପରିମାଣ ରୁ ଅଧିକ ହୋଇ ଯାଏ ସେତେବେଳେ ନଖ, ଆଖି ଧଳା ଅଂଶ, ଚମଡା ଓ ପରିସ୍ରା ହଳଦିଆ ଦେଖାଯାଏ । ଏହା କୁ କାମଳ କୁହାଯାଏ । ଏହା ଅନ୍ୟ ରୋଗ ର ଲକ୍ଷଣ ମାତ୍ର ।

କାମଳ ର କାରଣ: ଯକୃତ ର ଅସୁସ୍ଥତା ।

୧) ଭୂତାଣୁ ଦ୍ଵାରା – ୫ ପ୍ରକାର ହେପାଟାଇଟସ ଭୂତାଣୁ ଙ୍କ ମଧ୍ୟ ଏ ଭୂତାଣୁ ବିଶେଷ ବ୍ୟାପୃତ । ଦୂଷିତ ଖାଦ୍ୟ, ପାନୀୟ, କଞ୍ଚା ପରିବ-ଫଳ, ଭଲଭାବରେ ରୋଷେଇ ହୋଇ ନ ଥିବା ଖାଦ୍ୟ ,ରୋଗୀ ଦ୍ଵାରା ଖାଦ୍ୟ ପରିବେଷଣ, ରୋଗୀ ସହିତ ଅତ୍ୟଧିକ ମିଳାମିଶା ଦ୍ଵାରା ଏହି ଭୂତାଣୁ ସୁସ୍ଥ ଶରୀର ରେ ପ୍ରବେଶ କରିଥାଏ । ଏହା ପିଲାଙ୍କ ଅପେକ୍ଷା ଯୁବା ଓ ବୟସ୍କ ମନକୁ ବେଶି ଆକ୍ରମଣ କରେ। ଏହି ରୋଗ ରେ ୯୫%ରୋଗୀ ଭଲ ହୋଇ ଯାନ୍ତି। ଖୁବ କମ ରୋଗୀଙ୍କୁ ଡାକ୍ତରଖାନାରେ ରଖି ଚିକିତ୍ସା କରାଯାଏ । ମୃତ୍ୟୁ ସଂଖ୍ୟା ବହୁତ କମ ।

ଲକ୍ଷଣ:

ଅଳ୍ପ ପରିଶ୍ରମ ରେ ହାଲିଆ ହେବା, ଭୋକ ନ ହେବା, ଦେହ ହାତ ଦରଜ ହେବା, କେତେବେଳେ କିମିତି ପତଳା ଝାଡା ଓ ବାନ୍ତି ହୋଇଯିବା, ଆଖି, ଚମଡା, ପରିସ୍ରା ହଳଦିଆ ରଙ୍ଗ ଦେଖାଯିବା ଇତ୍ୟାଦି ।ସ୍ୱାସ୍ଥ୍ୟ ସଚେତନାର ଅଭାବ ଓ ନିମ୍ନ ମାନର ପରିମଳ ବ୍ୟବସ୍ଥା ଭୂତାଣୁ ଙ୍କ ସଂକ୍ରମଣ ରେ ସାହାଯ୍ୟ କରିଥାଏ ।

ଚିକିତ୍ସା

ବିଶ୍ରାମ, ପୁଷ୍ଟି କର ଖାଦ୍ୟ, ପ୍ରଚୁର B Complex, ଭିଟାମିନ, ଆଖୁରସ, ଗ୍ଳୁକୋଜ, ସର୍ବତ ଇତ୍ୟାଦି ଦିଆଯାଏ।

୨)ମଦ୍ୟପାନ ର କୁ ପ୍ରଭାବ ଲିଭର ସିରୋସିସ

ଆଧୁନିକ ସଭ୍ୟତା ରେ ମଦ୍ୟପାନ ଅଭିଜାତ୍ୟ ର ଚିହ୍ନ ରୂପେ ସାଧାରଣ କଥା ରେ ପରିଣତ ହେଲାଣି । ପ୍ରଥମେ ପ୍ରଥମେ ସାଙ୍ଗ ସାଥିରେ ଖୁସି ବାସି ରେ ଅଳ୍ପ ଅଳ୍ପ ବ୍ୟବହାର କରୁ କରୁ ତାହା ଅଭ୍ୟାସ ରେ ପରିଣତ ହୁଏ । ଅନେକ ଦୁଃଖ କଷ୍ଟ ଭୁଲିବାକୁ, ପରିଶ୍ରମ ର କ୍ଳାନ୍ତି ମେଣ୍ଟାଇବାକୁ ଅକାଳେ ସକାଳେ ପିଉ ପିଉ ଅଭ୍ୟାସ ରେ ପଡିଯାଆନ୍ତି । ସେତେବେଳେ ମଣିଷ ମଦ ର କବଳିତ ହୋଇଯାଏ । ତାକୁ ଆଉ ଛାଡି ପାରେ ନାହିଁ । ଏହି ଅଭ୍ୟାସ ବର୍ଷ ବର୍ଷ ଧରି ଚାଲି ରହିଲେ, ଖାଲି ପେଟ ରେ ମଦ ପିଇଲେ, କିମ୍ବା ଦୂଷିତ ମଦ ପିଇଲେ (ଯାହାକି ଖଟି ଖିଆ ଙ୍କ ଭାଗ୍ୟ ରେ ଯୁଟିଥାଏ )। ଯକୃତ ର କୋଷ ମାନେ ମଦ ର ବିଷ କ୍ରିୟା କୁ ନଷ୍ଟ ନ କରିପାରି ନିଜେ ନଷ୍ଟ ହୋଇଯାଆନ୍ତି। ଏହାକୁ ଲିଭର ସିରୋସିସ କୁହାଯାଏ । ଏହା ପୁରୁଣା ହେଲେ ଜଳୋଦରୀ (ପେଟରେ ପାଣି ଜମିବା), ଶେଷରେ ଯକୃତ କ୍ୟାନସର ହୋଇ ରୋଗୀ ଅକାଳ ରେ ମୃତ୍ୟୁ ମୁଖରେ ପଡେ ।

ଲକ୍ଷଣ

ରୋଗୀ ଦିନ କୁ ଦିନ ଦୁର୍ବଳ ହୋଇଯାଏ । ଓଜନ କମିଯାଏ । ମାନସିକ କଷ୍ଟ ବଢି ଯାଇ ବେଶୀବେଶୀ ମଦ ପିଏ । ରକ୍ତ ହୀନତା ଦେଖାଯାଏ । ପାକସ୍ଥଳୀ ଓ ଖାଦ୍ୟନଳୀ ର ରକ୍ତନାଳୀ ଫୁଲି, ଫାଟି ରକ୍ତ ବାନ୍ତି ହୁଏ ଓ ମଳଦ୍ଵାର ରକ୍ତନାଳୀ ଫୁଲି ରକ୍ତ ଝାଡା ହୁଏ, କମଳ ରୋଗ ଲାଗିରହେ । ଶେଷରେ ଯକୃତ ର କାର୍ଯ୍ୟ ଅକ୍ଷମତା ହେତୁ ଚେତାହୀନ ଅବସ୍ଥା ରେ ମୃତ୍ୟୁ ମୁଖରେ ପଡେ ।

ଚିକିତ୍ସା

ମଦ ଛାଡିବାରେ ରୋଗୀ ର ଦାୟିତ୍ଵ ସହିତ ପରିବାର ର ସଦିଛା ଥିବା ଦରକାର। ମଦ୍ୟପ ତାର ମଦ୍ୟପ ବନ୍ଧୁ ଓ ସେ ପରିବେଶ କୁ ଛାଡିବାକୁ ପ୍ରଥମେ ଚେଷ୍ଟା କରିବା ଏବଂ ମଦ ର କୁ ପ୍ରଭାବ ବିଷୟ ରେ ତା ନିଜର ହୃଦବୋଧ ହେବା ଦରକାର । ପରିବାର ଲୋକ ମାନଙ୍କ ସଦିଛା ସହିତ ଡାକ୍ତର ଙ୍କ ପରାମର୍ଶ ତାଙ୍କୁ ମଦ ଛାଡିବାରେ ସାହାଯ୍ୟ କରିବ । ଖାଦ୍ୟ ରେ ବେଶୀ ପ୍ରୋଟିନ (ମାଛ, ମାଂସ, ଦୁଧ ଅଣ୍ଡା) ଜାତୀୟ ଖାଦ୍ୟ ଦିଆଯିବା, କାମଳ ନ ଥିଲେ ଚର୍ବି ଜାତୀୟ ଖାଦ୍ୟ ଶହେ ଗ୍ରାମ ଦିନ କୁ ଦିଆଯିବ। ଭିଟାମିନ ବି କମ୍ପ୍ଲେକ୍ସ ପ୍ରଚୁର ପରିମାଣ ରେ ଦିଆଯିବ।

୩)ଦୂଷିତ ରକ୍ତ ଗ୍ରହଣ:

କାମଳ ରୋଗୀ ର ରକ୍ତ, ଅସମତା ରକ୍ତ ଗ୍ରୁପ ରକ୍ତ (ସାଧାରଣତଃ ଏକା ଗ୍ରୁପ ରକ୍ତ ରୋଗୀଙ୍କୁ ଦିଆଯାଏ) ରକ୍ତ ଗ୍ରହିତା ନେଲେ କାମଳ ରୋଗ ଦେଖାଯାଏ । କ )ବହୁ ଦିନ ଧରି ପୀଡିତ ମେଲେରିଆ ଓ ନାଳରକ୍ତ ରୋଗୀଙ୍କ ଠାରେ କାମଳ ରୋଗ ଦେଖାଯାଏ । ତେଣୁ ଏ ସବୁ ରୋଗ ରେ ଉପଯୁକ୍ତ ଚିକିତ୍ସା କରିବା ଦରକାର । ଖ )ଅତ୍ୟଧିକ ଲୋହିତ ରକ୍ତ କଣିକା (R.B.C) ନଷ୍ଟ ହେଲେ ।

୧॰ ନବ ଜାତ ଶିଶୁ ର ଜନ୍ମ ର ୩ ରୁ୫ ଦିନ ଭିତରେ ବହୁତ RBCନଷ୍ଟ ହୋଇଯାନ୍ତି ଓ କାମଳ ରୋଗ ଦେଖାଯାଏ । ଏହା ଆପେ ଆପେ ଭଲ ହୋଇଯାଏ । ଚିକିତ୍ସା କରିବା ଦରକାର ପଡେନି । କିନ୍ତୁ ମାର RH ଗ୍ରୁପ ରକ୍ତ ର ଅସମତା ଥିଲେ ନବଜାତ ଶିଶୁର ୨୪ ଘଣ୍ଟା ମଧ୍ୟ ରେ ଭୟଙ୍କର କାମଳ ରୋଗ ଦେଖାଯାଏ । ତେଣୁ ଗର୍ଭବତୀ ମହିଳାଙ୍କର ଗର୍ଭାବସ୍ଥାରେ RH ଓ Blood Group Test ହେବା ନିହାତି ଆବଶ୍ୟକ ।

୨॰ସିକଲସେଲ ଓ ଥାଲାସେମିଆ ରୋଗ ରେ ଅପ୍ରାକୃତିକ –ହେମଗ୍ଲୋବିନ ଯୋଗୁଁ RBC ନଷ୍ଟ ହୋଇ ଯାଇ ରକ୍ତ ହୀନତା ଓ କାମଳ ରୋଗ ହୋଇଯାଏ ।

ଗ ) ପୀତ୍ତବାହି ନାଲୀଗୋଡି ଦ୍ଵାରା ଅବରୋଧ ହେଲେ ।

ପିତ୍ତକୋଷ ରେ ପିତ୍ତ (Bile) ସଞ୍ଚିତ ହୋଇଥାଏ । ଚର୍ବିଜାତିୟ ଖାଦ୍ୟ ହଜମପାଇଁ ପିତ୍ତାବାହୀ ନଳୀ ଦ୍ଵାରା ଗ୍ରହଣୀ ବାଟେ ଏହା ଅନ୍ତନାଳୀ ରେ ପ୍ରବେଶ କରେ । ପିତ୍ତରେ ବେଶୀ ପରିମାଣ ଜଳୀୟ ଅଂଶ, କୋଲେଷ୍ଟେରୋଲ ପତ୍ତିକ ଲବଣ ଓ ଅମ୍ଳ ଥାଏ । ଏମାନଙ୍କର ଅସମତା ହେଲେ ତାହା ଟାଣ ହୋଇ ପଥର ପାଲଟିଯାଏ । ଏହାକୁ Gallstone କହନ୍ତି । ସାଧାରଣତଃ ଯେଉଁମାନେ ଅତ୍ୟଧିକ ତେଲ, ଘିଅ, ଚର୍ବି ଜାତୀୟ ଖାଦ୍ୟ ଖାଆନ୍ତି ସେମାନେ ଏହି ରୋଗ ରେ ପୀଡିତ ହୁଅନ୍ତି । ଏହି ପଥର ପିତ୍ତକୋଷ ରେ ବା ପିତ୍ତାବାହି ନଳୀ ରେ ରହି ପିତ୍ତ ସ୍ରାବ ରେ ବାଧା ଦିଅନ୍ତି। ରୋଗୀ ଡାହାଣ ପଟ ପିଞ୍ଜରା ତଳେ, ପିଠି ଓ ଖୁଆ ରେ ବିଶେଷ କଷ୍ଟ ଅନୁଭବ କରେ। ବେଳେ ବେଳେ ଯନ୍ତ୍ରଣା ରେ ଛଟ ପଟ ହୋଇ ଗଡେ। ବାନ୍ତି ବାନ୍ତି ଲାଗେ। ସାମାନ୍ୟ ଜର ବେଳେ ବେଳେ କାମଳ ଦେଖାଯାଏ । ଏହା ମଝିରେ କେତେଦିନ ଭଲ ହୋଇଗଲେ ମଧ୍ୟ ପୁଣି ହୁଏ । ଏହା ପାଇଁ ଅସ୍ତ୍ର ଚିକିତ୍ସା ଦ୍ଵାରା ପେଟ ରୁ ପଥର କାଢି ଦେଲେ କାମଳ ଓ ଯନ୍ତ୍ରଣା କାମିଯାଏ ।

ଆଧାର

ଡାଃ ପଦ୍ମନାଭ ମିଶ୍

3.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top