অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଯୌନକ୍ରିୟାର ସମସ୍ୟା

ଯୌନକ୍ରିୟା ପ୍ରତି ବିମୁଖତା

ଏହି ପ୍ରକାର ସମସ୍ୟାର  କେତେକ ଶାରୀରିକ ଅସୁସ୍ଥତା, ହତାସ ଭାବ ଏବଂ ଯୌନ ସମ୍ବଦ୍ଧଜନିତ ସମସ୍ୟା ଇତ୍ୟାଦି ମୁଖ୍ୟ କାରଣ ହୋଇଥାଆନ୍ତି ।

ମହିଳାମାନଙ୍କର କ୍ଷେତ୍ରରେ :ଯୌନତ୍ଵ ସମ୍ବର୍ଦ୍ଧିୟ ଜଟିଳତାଗୁଡିକୁ ନାରୀମାନେ ପୁରୁଷଙ୍କ ଭଳି ସିଧାସଳଖ କହିବା ପ୍ରାୟ କମ୍ କ୍ଷେତ୍ରରେ ଦେଖାଯାଏ । ଉକ୍ତ ଯୌନ ସମସ୍ୟା ସମୁଖିନା ନାରୀ ପ୍ରାୟତଃ ନିସ୍ତେଜ, ଉଦାସୀନ ଏବଂ ଯୌନକ୍ରିୟା ପ୍ରତି ବିମୁଖ ଥାଆନ୍ତି । ସାଧାରଣ ମତରେ ଯୌନ ଉଦ୍ଦୀପନା ନଥିବା କିମ୍ବା ଯୌନକ୍ରିୟା ପାଇଁ ବିମୁଖ ନାରୀ ଚୁପ୍ ଚାପ ଥାଆନ୍ତି ଏବଂ ପୁରୁଷଙ୍କୁ ବିରକ୍ତ ଭାବ ପ୍ରକାଶ କରିଥାଆନ୍ତି । କେତେକ ଅନୂଧ୍ୟାନରୁ ଜଣାଯାଏ ଯୌନକ୍ରିୟା ପ୍ରତି ଉଦାସୀନ ଥିବା ନାରୀମାନେ ଖୁବ୍ କମ୍ ସମୟରେ ସଂଭୋଗ ସୁଖ ଅନୁଭୋଗ କରିଥାଆନ୍ତି । ଜଟିଳତାଗୁଡିକୁ ନିମ୍ନଭାବେ ପୃଥକ କରାଯାଇପାରେ ।

ଯୌନକ୍ରିୟା ପାଇଁ ଅନାସକ୍ତି :

ପ୍ରାଥମିକ ସମସ୍ୟା: କୌଣସି ବି ଯୌନ ସାଥିଙ୍କଠାରୁ ମହିଳା ସଂଭୋଗ ସୁଖ ପାଇ ନାହାନ୍ତି ।

ଆନୁସଙ୍ଗିକ ସମସ୍ୟା: ଏହି ପ୍ରକାର ସମସ୍ୟାରେ କୌଣସି ବି ସମୟରେ ମହିଳା ଯୌନକ୍ରିୟା ପାଇଁ ଇଚ୍ଛା ହେଲେ ବା ଅନ୍ୟ କୌଣସି  ଯୌନ ସାଥିଙ୍କ ସହିତ ଯୌନ କ୍ରିୟାକଲେ ମଧ୍ୟ ଉଦ୍ଦୀପନା ଚରମ ସୀମାରେ ପହଞ୍ଚି ପାରେ ନାହିଁ । ଏ ପ୍ରକାର ସମସ୍ୟା ପାଇଁ ବିଭନ୍ନ ଜଟିଳତା (କାରଣ) ଗୁଡିକ ହେଲା –

  • ଯୋନିରେ ସମ୍ପୂର୍ଣ୍ଣ ଭାବେ ଲିଙ୍ଗ ପ୍ରବେଶ କରିନଥାଏ ।
  • ଅନେକ କ୍ଷେତ୍ରରେ ମହିଳାମାନେ ଚାହିଁଥାଆନ୍ତି ଯେ, ପୁରୁଷଜଣଙ୍କ ତାଙ୍କ ଯୌନ ଉଦ୍ଦୀପନା ଜାଗ୍ରତ କରନ୍ତୁ । ଆଉ କେତେକ କ୍ଷେତ୍ରରେ ମହିଳାମାନେ ଅନେକ ବଳିଷ୍ଟ ପୁରୁଷଙ୍କୁ ପସନ୍ଦ କରିଥାଆନ୍ତି ।
  • କେତେକ ମହିଳା ବିନା ସଂଭୋଗରେ ଗର୍ଭବତୀ ହେବେ ବୋଲି ଆଶା କରିଥାଆନ୍ତି ।
  • ସଂଭୋଗ ଯନ୍ତ୍ରଣା ଅନେକଙ୍କ ପକ୍ଷରେ ସାଧାରଣ କଥା । ଶୁଷ୍କ ଯୋନି, ଯନ୍ତ୍ରଣା ଏବଂ ସଂକୁଚିତ ଯୋନିପଥ ସେମାନଙ୍କ ପାଇଁ କଷ୍ଟ ଦାୟକ ବୋଲି ସେମାନେ କହିଥାଆନ୍ତି ।

ଯୋନି ଦ୍ଵାରା ଆବଶ୍ୟକତାମତେ  ପ୍ରସାରିତ ନ ହେବା ଏବଂ ଏଥିପାଇଁ କଷ୍ଟ ହେବା ମଧ୍ୟ କେତେକ କହିଥାଆନ୍ତି । ପୂର୍ବ ଯୌନକ୍ରିୟା ବେଳେ କିଛି ଭୟ କିମ୍ବା ଏଥିପାଇଁ ଲଜ୍ୟା ଏବଂ ଦୋଷୀ ମନୋଭାବ ଘୋଷଣା ମଧ୍ୟ ଏହାର କାରଣ ହୋଇପାରେ । ଏପରିକି ମହିଳାଜଣକ ପୁରୁଷଙ୍କ ଉପରେ କ୍ରୋଧାନ୍ନିତ ଥିଲେ ବି ଏହା ଘଟିପାରେ । ଆହୁରି ମଧ୍ୟ ଯୋନିଦ୍ଵାର ପ୍ରସାରିତ ହେବାଟା ମହିଳାଙ୍କୁ ଜଣା ନ ପଡି ପାରେ ।

ସଂଭୋଗ ସୁଖ ଅନୁଭବ କରିବାରେ ଅସୁବିଧା

ପ୍ରାଥମିକ ସମାସ୍ୟା: ହୁଏତ ମହିଳାଜଣଙ୍କ କେବେ ବି ଏହି ପ୍ରକାର ସୁଖକୁ ଅନୁଭବ କରିନାହାନ୍ତି । ସେ ଭଲ ପାଇବା ବା ସଂଭୋଗ କରିବା ଇତ୍ୟାଦି ସାଧାରଣ ଭାବେ ନେଉଛନ୍ତି କିନ୍ତୁ ଆହାର ଚରମ ସୀମାରେ ପହଞ୍ଚି ପାରିନାହାନ୍ତି ।

ଆନୁସଙ୍ଗିକ ସମାସ୍ୟା : ଏହା ତିନି ପ୍ରକାରର ।

  • ଯୋନି ସଂଭୋଗ ଦ୍ଵାରା ସଂଭୋଗ ସୁଖପ୍ରାପ୍ତି
  • ହସ୍ତମୈଥୁନ ଦ୍ଵାରା ସଂଭୋଗ ସୁଖପ୍ରାପ୍ତି
  • କେବେ କେବେ ଯୌନ କ୍ରିୟା ହେତୁ ସଂଭୋଗ ସୁଖପ୍ରାପ୍ତି

ଅନେକ କ୍ଷେତ୍ରରେ ଯୌନସାଥିଙ୍କ ସହାୟତା ନେଇ ହସ୍ତମୈଥୁନ  ଦ୍ଵାରା ମହିଳାମାନେ ସଂଭୋଗ ସୁଖ ମଧ୍ୟ ପାଇଥାଆନ୍ତି । ଆଉ କେତେକ କ୍ଷେତ୍ରରେ ମହିଳାମାନେ ସ୍ଵତନ୍ତ୍ର ପରିସ୍ଥିତିରେ ସଂଭୋଗ ସୁଖ ପାଇଥାଆନ୍ତି ଏବଂ ଉକ୍ତ ପରିସ୍ଥିତି ନ ଥିଲେ ସେମାନେ ସଂଭୋଗ ସୁଖ ପାଇ ନଥାଆନ୍ତି ।

ଏହିପରି ଭାବେ ସଂଭୋଗ ସୁଖ ଅନୁଭବ ନ କରିପାରିବାର କାରଣ ଅନେକ ହୋଇପାରେ । ପ୍ରତ୍ୟେକଙ୍କ କ୍ଷେତ୍ରରେ ଏହା ଉଭୟ ମାନସିକତା ଏବଂ ଶାରୀରିକ କାରଣ ସମୂହରୁ ହୋଇଥାଏ । କିନ୍ତୁ କାହା କ୍ଷେତ୍ରରେ କେଉନ୍ତିର ପ୍ରଭାବ କେତେ ତାହା ଉପଯୁକ୍ତ ନିଦାନରୁ ହିଁ  ଜଣାପଡେ । ଅଜ୍ଞାନ, ଭୟ, ଉଦ୍ ବେଗ, ଲଜ୍ୟା  ଏବଂ ଡୋଶୀଭାବ ମଧ୍ୟ ଏଗୁଡିକର କାରଣ ହୋଇଥାଏ ।

ଉଭୟ ପୁରୁଷ ଓ ମହିଳାଙ୍କ କ୍ଷେତ୍ରରେ ନିଜ ନିଜର ଯୌନତୃଷ୍ଣା ମେଣ୍ଟିବାରେ ଉପୁଜୁଥିବା ସମାସ୍ୟା  ପରସ୍ପର ମଧ୍ୟରେ ଆପୋଷ ଯୋଗାଯୋଗ ତଥା ବୁଝାମଣାର ଅଭାବରୁ ମଧ୍ୟ ହୋଇଥାଏ ତେଣୁ ପରସ୍ପରକୁ ବୁଝିବା ଭଳି ପରିସ୍ଥିତି ସୃଷ୍ଟି ହେବା ସହିତ ଉଭୟଙ୍କୁ ଏ ସମ୍ପର୍କିତ ଶିକ୍ଷାର ଆବଶ୍ୟକତା ଥାଏ ।

ଆଉ ଏକ କଥା ହେଲା ମାନସିକ ଶିକ୍ଷା । ଛୋଟବେଳରୁ କେହିବି ଏହି ଶିକ୍ଷା ପାଇ ନଥାନ୍ତି କିମ୍ବା ଆନୁଷ୍ଠାନିକ ଭାବେ ଯୌନ ଶିକ୍ଷା ଦେବାର କୌଣସି ସୁବିଧା ନାହିଁ । ତେଣୁ ପିଲାମାନେ ତାଙ୍କର ପରିବେଶରୁ ବିଭିନ୍ନ ଧାରଣା ସହ ଅନେକ ଭ୍ରାନ୍ତ ଧାରଣା ନେଇଥାଆନ୍ତି । ଏହା ଫଳରେ ଯୌନତ୍ଵ ସମ୍ବର୍ଦ୍ଧିୟ ଉପଯୁକ୍ତ ତଥ୍ୟରୁ ସେମାନେ ବଞ୍ଚିତ ଥାଆନ୍ତି  ଏବଂ କୌଣସି ଏକ ସମସ୍ୟା ପାଇଁ ଅନେକ ଅସୁବିଧାର ଶିକାର ହୁଅନ୍ତି ।

ମନେରଖନ୍ତୁ: ଯୌନସ୍ୱାସ୍ଥ୍ୟର ଅନେକ ପ୍ରକାରର ଜଟିଳତା ଦେଖାଯାଇପାରେ । ଏଥିପାଇଁ  ବ୍ୟସ୍ତ ନ ହୋଇ ବିଶେଷଜ୍ଞଙ୍କ ପାଖକୁ ଯାଆନ୍ତୁ ଏବଂ ତାଙ୍କ ପରାମର୍ଶ ନିଅନ୍ତୁ । ଯୌନ ସଞ୍ଚାରିତ ରୋଗ ବା ଏସ୍. ଟି. ଡି.: ମୁଖତଃ ଯୌନକ୍ରିୟା ହେତୁ ଏହି ରୋଗଗୁଡିକ ବ୍ୟାପୁଥିବାରୁ ଏହାକୁ ଯୌନ ସଞ୍ଚାରିତ ରୋଗ ବୋଲି କୁହାଯାଏ । କିନ୍ତୁ ଏହା ଅନ୍ୟ ମାଧ୍ୟମ ଯଥା ରୋଗୀର ରକ୍ତ ଅନ୍ୟ ଜଣେ ସୁସ୍ଥ ଲୋକର ରକ୍ତରେ ମିଶିଲେ ମଧ୍ୟ ହୋଇଥାଏ ।

ତେବେ ସାଧାରଣରେ ଦେଖାଯାଉଥିବା ଯୌନ ସଞ୍ଚାରିତ ରୋଗଗୁଡିକ ହେଲା:

  • ଗନେରିଆ
  • ଲିମ୍ପୋଗ୍ରାନୁଲୋମା ଭୋନେରିଅମ,
  • ସିଫିଲିସ୍,
  • ହର୍ପିସ
  • ଭାଜିନାଇଟିସ୍
  • କୁଣ୍ଡିଆ
  • ଏଡସ୍,
  • ପେଡିଜୁଲୋସିସ୍
  • ସାନକ୍ରଏଡ୍,
  • କ୍ଲାମାଇଡିଆ

ଏସ୍.ଟି.ଡି. ର  କାରଣ:

  • ସଂକ୍ରମିତ ଲୋକ ସହିତ ଯୌନ ସମ୍ପର୍କ ରଖିବା
  • ଏହି ସମ୍ପର୍କ ମୌଖିକ, ମଳଦ୍ଵାର ଜନିତ ଏବଂ ଲିଙ୍ଗ ଓ ଯୋନି ସଂପର୍କକୁ ନେଇ ହୋଇପାରେ
  • ସଂକ୍ରାମିତ ଲୋକଠାରୁ ରକ୍ତ ନେବା କିମ୍ବା କୌଣସି ଉପାୟରେ ତା’ ର ରକ୍ତ ସୁସ୍ଥ ଲୋକର ରକ୍ତରେ ମିଶିବା

କେଉଁମାନେ ବିଶେଷ ଭୋଗନ୍ତି : ବେଶ୍ୟା, ଡ୍ରାଇଭର, ସମଲିଙ୍ଗି ଯୌନକ୍ରିୟା କରୁଥିବା ବ୍ୟକ୍ତି ଏବଂ ଅନେକ ଲୋକଙ୍କ ସହିତ ଯୌନ ସମ୍ପର୍କ ରଖୁଥିବା ପୁରୁଷ ବା ମହିଳା ।

ଲକ୍ଷଣ (ଉଭୟ ପୁରୁଷ ଓ ମହିଳାଙ୍କ ପାଇଁ ):

  • ଅଧିକ ଥର ପରିସ୍ରା ଲାଗିବା ଏବଂ ପରିସ୍ରା କରିବା ସମୟରେ ପୋଡାଜଳା ହେବା,
  • ଜନନାଙ୍ଗରେ ଘା’, ଯନ୍ତ୍ରଣା ବା ବିନା ଯନ୍ତ୍ରଣାରେ କୋଳ ସନ୍ଧାର ଗ୍ରନ୍ଥି ଫୁଲିବା,
  • ଜନନାଙ୍ଗ କୁଣ୍ଡାଇ ହେବା ଏବଂ ପୋଡାଜଳା କରିବା,
  • ଜନନାଙ୍ଗରେ ଆବୁ,
  • ପାଟିରେ ଘା’,
  • ମୁଣ୍ଡବିନ୍ଧା, ମାନ୍ଦା ଲାଗିବା, ବାନ୍ତି, ଜ୍ଵର,
  • ଯୌନସ୍ରାବ ଭିନ୍ନ ଭିନ୍ନ ରଙ୍ଗ ଯଥା, ନୀଳ, ଧୂସର ଓ ଦହିଭଳି ହୋଇ ଗନ୍ଧ ହେବା,
  • ତଳିପେଟରେ ଯନ୍ତ୍ରଣା,
  • ସହବାସ ସମୟରେ କଷ୍ଟ ହେବା ।

କେତେକ ଯୌନରୋଗ ଯଥା ସିଫିଲସ୍  ଲକ୍ଷଣ ଭଲ ଭାବରେ ଜଣା ନପଡିଲେ ମଧ୍ୟ ଏହା ଅନେକ କ୍ଷତି ଘଟାଇଥାଏ । ଯାହାକି ପୁରୁଷମାନଙ୍କଠାରେ ହୃଦ୍ ରୋଗ ଓ ପକ୍ଷାଘାତ ଏବଂ ସ୍ତ୍ରୀ ମାନଙ୍କରେ ଗର୍ଭପାତ, ମୃତ ପିଲାଜନ୍ମ, ସଅଳ ଶିଶୁମୃତ୍ୟୁ ଏବଂ ନବଜାତ ଶିଶୁର ଆଖି ସଂକ୍ରମଣ ଦେଖାଯାଏ ।

ଏଡସ୍, /ଏଚ. ଆଇ. ଭି. :

ଏଚ. ଆଇ. ଭି ହେଉଛି ଏକ ଭୂତାଣୁର ନାମ । ଏହାର ସଂକ୍ରମଣ ଯୋଗେ ଏଡସ୍ ରୋଗ ହୋଇଥାଏ । କେତେକ କ୍ଷେତ୍ରରେ ସଂକ୍ରମଣ ଥାଇ ମଧ୍ୟ ରୋଗ ଦେଖାଦେଇ ନ ଥାଏ । ଅନ୍ୟ ଯୌନରୋଗ ଭଳି ଏଡସ୍ ମଧ୍ୟ ସମାନ କାରଣରୁ ବ୍ୟାପିଥାଏ । ଅନ୍ୟାନ୍ୟ ଯୌନରୋଗ ମଧ୍ୟ ଏଡସ୍ ହେବାରେ ସାହାଯ୍ୟ କରିଥାଏ ।

ଏଡସ୍  ର ବିପଦ :

  • ଏହା ଆଦୌ ଭଲ ହୁଏ ନାହିଁ  ।
  • ଏଥି ପାଇଁ କୌଣସି ଚିକିତ୍ସା ନାହିଁ ।
  • ଏହାର ପ୍ରତିଷେଧକ ବ୍ୟବସ୍ଥା ନାହିଁ ।
  • ଏଡସ୍   ରୋଗ ହେଲେ ମୃତ୍ୟୁ ସୁନିଶ୍ଚିତ ।
  • ଏହି ରୋଗ ପରିବାର ଓ ସାମାଜିକ ସ୍ଥିତିକୁ ଦୁର୍ବଳ କରିଦିଏ ।
  • ଶରୀରର ବିଭିନ୍ନ ଅଂଶରେ ଲସିକାଗ୍ରନ୍ଥି ଫୁଲିବା ।
  • ଯକ୍ଷ୍ମା ଭଳି ସଂକ୍ରାମକ ରୋଗର ଆକ୍ରମଣ
  • କାସ ଇତ୍ୟାଦି ଲକ୍ଷଣ ଲାଗି ରହିବା
  • ଏକ ମାସରୁ  ଅଧିକା ସମୟ ଜ୍ଵର ଲାଗିରହିବା, କୌଣସି ଚିକିତ୍ସା  ଜ୍ଵର ନ କମିବା
  • ଏକ ମାସରୁ ଅଧିକ ସମୟ ତରଳ ଝାଡା ହେବା
  • ଶରୀରର ଓଜନ ଶତକଡା ୨୦ ଭାଗ କମିଯିବା
  • ମୁଖଗହ୍ଵର  ଓ ଗଳାର ସଂକ୍ରମଣ ।

ନିମ୍ନଲିଖିତ ପରିସ୍ଥିତିରେ ଏଡସ୍   ହୁଏ ନାହିଁ :

ସାଧାରଣ ସାମାଜିକ ସମ୍ପର୍କ –

  • ଛୁଇଁବା, କରମର୍ଦନ, କଥାବାର୍ତ୍ତା,ଏକାଠି ଖାଇବା ଓ ଖେଳିବା ଦ୍ଵାରା
  • ଏକା ସ୍ଥାନରେ କାମ କରିବା ଦ୍ଵାରା
  • ଏକାଠି ପଢିବା ଦ୍ଵାରା
  • ଗାଧୁଆଘର ଓ ପାଇଖାନାର ସମୂହ ବ୍ୟବହାର କରିବା ଦ୍ଵାରା
  • ମଶା କାମୁଡିବା ଦ୍ଵାରା

ଏଡସ୍ ରୋଗରୁ ନିଜକୁ ରକ୍ଷା କରିବା ପାଇଁ କ’ଣ କରିବେ ?

  • ଯୌନ ଆଚରଣରେ  ନିୟନ୍ତ୍ରଣ
  • ବିବାହ ବହିର୍ଭୂତ ଯୌନ ସମ୍ପର୍କ ନ ରଖିବା
  • ଅସୁରକ୍ଷିତ ଯୌନ ସମ୍ପର୍କଠାରୁ ନିଜକୁ ଦୂରେଇ ରଖିବା
  • ରକ୍ତ ନେବା ଆଗରୁ ତାହାକୁ ପରୀକ୍ଷା କରାଇବା  (ଏଚ. ଆଇ. ଭି ପାଇଁ )
  • ସଂକ୍ରମିତ ଛୁଞ୍ଚି ଓ ସିରିଞ୍ ବ୍ୟବହାର ନ କରିବା
  • ସମୂହ ବ୍ଲେଡରେ କ୍ଷୌର ନହେବା ।

ପ୍ରଜନନ ମାର୍ଗ ସଂକ୍ରମଣ କ’ ଣ ?

ପ୍ରଜନନ ଅଙ୍ଗଗୁଡିକରେ ହେଉଥିବା ସଂକ୍ରମଣକୁ ସାଧାରଣତଃ ପ୍ରଜନନ ମାର୍ଗ ସଂକ୍ରମଣ ବା ଆର୍. ଟି . ଆଇ ବୋଲି କୁହାଯାଇଥାଏ । ମହିଳା ଓ ପୁରୁଷଙ୍କ କ୍ଷେତ୍ରରେ ଭିନ୍ନ ଭିନ୍ନ ପ୍ରକାରର ଲକ୍ଷଣ ସହ ଅନେକ ପ୍ରକାରର ସଂକ୍ରମଣ ହୋଇଥାଏ । ପ୍ରଜନନ ମାର୍ଗ ଦେହରେ ପ୍ରବେଶ କରୁଥିବା ବିଭିନ୍ନ ପ୍ରକାରର ଜୀବାଣୁ ଦ୍ଵାରା ଏହି ସବୁ ସଂକ୍ରମଣ ହୋଇଥାଏ ।

ପ୍ରଜନନ ମାର୍ଗଦେଇ କେତେକ ସ୍ରାବ ବାହାରକୁ ଆସେ । ଏହା ଧଳାରଙ୍ଗର ଗନ୍ଧହୀନ ଏବଂ କେତେକାଂଶରେ ଚିକଣ । ଡିମ୍ବାଣୁକ୍ଷରଣ, ଯୌନ ଉତ୍ତେଜନା, ଗର୍ଭଧାରଣ  ଏବଂ ମାନସିକ ଚାପ ହେତୁ ଏହି ସ୍ରାବର  ମାତ୍ରା ବୃଦ୍ଧିପାଏ । ଏହା ଅତ୍ୟନ୍ତ ପ୍ରାକୃତିକ । ଏହି ସ୍ରାବ ଅମ୍ଳଗୂଣ ବିଶିଷ୍ଟ ହୋଇଥିବାରୁ ବିପଦ ସୃଷ୍ଟିକାରୀ ଜୀବାଣୁଗୁଡିକ ନଷ୍ଟ ହୋଇଥାଆନ୍ତି । ଫଳରେ ପ୍ରଜନନ ଅଙ୍ଗଗୁଡିକ ସୁରକ୍ଷିତ ହୋଇଥାଆନ୍ତି ।

ପ୍ରଜନନ ମାର୍ଗ ସଂକ୍ରମଣ ପୁରୁଷଙ୍କ ଅପେକ୍ଷା ମହିଳାଙ୍କ ନିକଟରେ ଅଧିକ ଦେଖାଯାଏ କାହିଁକି ?

ପୁରୁଷର ପ୍ରଜନନ ମାର୍ଗ ସାଧାରଣତଃ ଲାମ୍ବା ଓ ସାରୁ ହୋଇଥାଏ । ବାହାରକୁ ବାହାରିଥିବା ଦ୍ଵାରରେ ଅତି ସୂକ୍ଷ୍ମ ଛିଦ୍ରତିଏ ରହିଥାଏ । ତେଣୁ ପୁରୁଷ ପ୍ରଜନନ ଅଙ୍ଗଗୁଡିକରେ ସଂକ୍ରମଣର ମାତ୍ରା ଅପେକ୍ଷାକୃତ କମ ହୋଇଥାଏ । କିନ୍ତୁ ମହିଳାମାଙ୍କ କ୍ଷେତ୍ରରେ ପ୍ରଜନନ ମାର୍ଗଟି ପ୍ରଶସ୍ତ ହୋଇଥାଏ । ଫଳରେ ମାସିକ ଋତୁସ୍ରାବ, ସନ୍ତାନଜନ୍ମ, ଗର୍ଭପାତ ଏବଂ ପରିବାର ନିୟନ୍ତ୍ରଣର ଉପାଞ ଯଥା – କପରଟିର ବ୍ୟବହାର ପ୍ରଭୃତି କାରଣରୁ ସଂକ୍ରମଣର ଆଶଙ୍କା ଅଧିକ ରହିଥାଏ ।

ପ୍ରଜନନ ମାର୍ଗ ସଂକ୍ରମଣର ଲକ୍ଷଣ:

ଅଧିକାଂଶ ସମୟରେ ପ୍ରଜନନ ମାର୍ଗ ସଂକ୍ରମଣର କୌଣସି ଲକ୍ଷଣ ଦେଖା ଦେଇନଥାଏ । ଏଭଳି ପ୍ରାୟ ୩୦ ପ୍ରତିଶତ ମହିଳାଙ୍କଠାରେ  ସଂକ୍ରମଣର କୌଣସି ଲକ୍ଷଣ ଦେଖାଯାଏ ନାହିଁ ।

କେତେକ ଲକ୍ଷଣ ଦେଖାଯାଏ ସେଗୁଡିକ ନିମ୍ନ ପ୍ରକାରର :

  • ଯୌନାଙ୍ଗ ଏବଂ ଏହାର ଚାରିପାଖ ଲାଲ ପଡିଯିବା, କୁଣ୍ଡାଇ ହେବା ଓ ପୋଡାଜଳା ଅନୁଭୂତ ହେବା ।
  • ଯୌନାଙ୍ଗ ଫୁଲିଯିବା, ଯୌନାଙ୍ଗରେ ଘା’ ବା କ୍ଷତ ହେବା ଏବଂ ଯୋନି କିମ୍ବା ଲିଙ୍ଗରୁ ନିର୍ଗତ ସ୍ରାବ ଭୀଷଣ ଦୁର୍ଗନ୍ଧଯୁକ୍ତ ହେବା ।
  • ସଂକ୍ରମଣର ମାତ୍ରା ହଠାତ କିଛିଦିନ ହ୍ରାସ ପାଇ ପୁଣିଥରେ ବୃଦ୍ଧି ପାଇବା ।
  • ସହବାସ ସମୟରେ ତଳିପେଟରେ ଯନ୍ତ୍ରଣା କିମ୍ବା ପିଠି ପଟରେ ବିନ୍ଧା ବା ଯନ୍ତ୍ରଣା ହେବା ।
  • ପରିସ୍ରା କରିବା ସମୟରେ ଯନ୍ତ୍ରଣା କିମ୍ବା ଯୌନାଙ୍ଗରେ ପୋଡାଜଳା ହେବା ।

ଉପରୋକ୍ତ ଅସୁବିଧା ଗୁଡିକର ଚିକିତ୍ସା କ’ଣ କଲେ ପରବର୍ତ୍ତୀ ପର୍ଯ୍ୟାୟରେ ପରିସ୍ଥିତି ଜଟିଳ ରୂପ ଧାରଣ କରିଥାଏ । ଉଦାହରଣ ସ୍ୱରୂପ -

ବନ୍ଧ୍ୟାତ୍ଵ :

  • ଜରାୟୁ ବାହାରେ କିମ୍ବା ଡିମ୍ବବାହୀ ନଳୀରେ ଭ୍ରୁଣର ବିକାଶ ।
  • ମୃତ ଶିଶୁ ଜନ୍ମ କିମ୍ବା ଗର୍ଭପାତ, କମ୍ ଓଜନ ବିଶିଷ୍ଟ ଶିଶୁ ଜନ୍ମ କିମ୍ବା ଜନ୍ମଗତ ତ୍ରୁଟି ହେତୁ ଶିଶୁ ମସ୍ତିସ୍କ ଅସମ୍ପୂର୍ଣ୍ଣ ଏବଂ ଶିଶୁ ସମ୍ପୂର୍ଣ୍ଣ ଅନ୍ଧଭାବରେ ଜନ୍ମଗ୍ରହଣ କରିବାର ଆଶଙ୍କା ।

ଜରାୟୁ ଦ୍ଵାରରେ କର୍କଟ :

  • ପ୍ରଥମରୁ ସଂକ୍ରମଣ ଏବଂ ଘା’ ହୋଇଥିଲେ କେତେକ ଯୌନ ସଞ୍ଚାରିତ ରୋଗ (ଏସ୍.ଟି.ଡି.) ଏବଂ ଏଚ. ଆଇ. ଭି /ଏଡସ୍ ପ୍ରଭୃତି ସଂକ୍ରମଣର ସମ୍ଭାବନା ଅଧିକ ଥାଏ ।
  • ପରିବାର ନିୟନ୍ତ୍ରଣର କେତେକ ଉପାୟ ଯଥା ଆଇ. ୟୁ. ଡି ର  ବର୍ଜନ ।

ପ୍ରଜନନ ମାର୍ଗ ସଂକ୍ରମଣ କେଉଁ ସବୁ କାରଣରୁ ହୋଇଥାଏ ?

  • ପ୍ରଜନନ ମାର୍ଗରେ ଥିବା କେତେକ ଜୀବାଣୁ ବୃଦ୍ଧି ହେତୁ ଏବଂ ଏହି ମାର୍ଗ ଦେଇ ଜୀବାଣୁ ପ୍ରବେଶ କରୁଥିବା ହେତୁ ।
  • ସବୁ ସମୟରେ ବିଶେଷତଃ ମଳତ୍ୟାଗ କରିବା ପରେ ଯୌନାଙ୍ଗ ଏବଂ ଏହାର ଚାରିପଟ ପରିଷ୍କାର ଭାବରେ ନ ଧୋଇବା ହେତୁ ।
  • ଯୌନ ସଞ୍ଛାରିତ ରୋଗୀଙ୍କ ସହିତ କ୍ରମାଗତ ସହବାସ କରିବା ହେତୁ ।
  • କମ ବାସର ବାଳିକା ସହ ବଳପୂର୍ବକ ସହବାସ କରିବା ଦ୍ଵାରା ଅନେକ ସମୟରେ ସେମାଙ୍କ ଯୋନିଦ୍ଵାର ଫାଟିଯାଏ । ଫଳରେ ସେଭଳି ପରିସ୍ଥିତିରେ ସଂକ୍ରମଣର ଆଶଙ୍କା ଅପେକ୍ଷାକୃତ ବେଶୀ ।
  • ଅନେକ ସମୟ ପର୍ଯ୍ୟନ୍ତ ଅପରିଷ୍କାର ବା ଓଦା ଅନ୍ତବସ୍ତ୍ର ବ୍ୟବହାର କରିବା ହେତୁ ।
  • ବାରମ୍ବାର ଗର୍ଭପାତ ଓ ସନ୍ତାନ ପ୍ରସବ କିମ୍ବା ସନ୍ତାନ ପ୍ରସାବ ସମୟରେ କ୍ଷତ ସୃଷ୍ଟି ହେବା ହେତୁ ।
  • ଏକାଧିକ ଯୌନ ସମ୍ପର୍କ, ଧର୍ଷଣ କିମ୍ବା ସନ୍ତାନ ପ୍ରସବ ସମୟରେ କ୍ଷତ ହେବା ହେତୁ ।
  • ଶିଶୁଜନ୍ମ, ଗର୍ଭପାତ କିମ୍ବା ଆଇ.ୟୁ. ଡି, ରୋପଣ ନିମନ୍ତେ ତଳି ପେଟରେ ନିମ୍ନଭାଗର ପରୀକ୍ଷା ବେଳେ ଅପରିଷ୍କାର ହାତ ଏବଂ ଅଶୋଧିତ ଉପକରଣ ବ୍ୟବହାର କରରିବା ହେତୁ ।
  • ଯୋନିରେ ଜୀବାଣୁଗୁଡିକ ନଷ୍ଟ କରିଦେବା ପାଇଁ ଦୀର୍ଘଦିନ ଧରି ଔଷଧ କିମ୍ବା ଆଣ୍ଟିବାୟୋଟିକ୍ ବ୍ୟବହାର କରିବା ଯୋଗୁଁ ପରବର୍ତ୍ତୀ ସମୟରେ ଶିଉଳି ଜାତୀୟ  ସଂକ୍ରମଣ ବା ଛତୁ ସଂକ୍ରମଣ ହେବାର ମଧ୍ୟ ଆଶଙ୍କା ବୃଦ୍ଧି ପାଇଥାଏ ।

ପ୍ରଜନନ ମାର୍ଗ ସଂକ୍ରମଣ କିପରି ରୋକାଯାଇପାରିବ ?

  • ଆପଣଙ୍କଠାରେ ଯଦି ଉପୋରୋକ୍ତ କୌଣସି ଲକ୍ଷଣ ଦେଖାଦିଏ ତେବେ ଆପଣଙ୍କ ବନ୍ଧୁ କିମ୍ବା କୌଣସି ସ୍ୱାସ୍ଥ୍ୟକର୍ମୀଙ୍କ ନିକଟରେ ପ୍ରକାଶ କରିବାକୁ ସଙ୍କୋଚବୋଧ କରନ୍ତୁ ନାହିଁ । ଏହାକୁ ଲୁଚାଇଲେ ଆପଣଙ୍କ ସମସ୍ୟା ଦୂର ହେବା ପରିବର୍ତ୍ତେ ଦ୍ଵିଗୁଣିତ ହେବ ।
  • ଦିନକୁ ଅନ୍ତତଃ ଥରେ ଗାଧୋଇବା ସମୟରେ ଯୌନାଙ୍ଗକୁ ଭଲଭାବରେ ପରିଷ୍କାର କରି ଧୁଅନ୍ତୁ । ମଳତ୍ୟାଗ କରିବା   ପରେ ବିଭିନ୍ନ ପ୍ରକାର ସଂକ୍ରମଣ ଏଡାଇବା ପାଇଁ ଭଲଭାବରେ ଆଗପଛ ସାବୁନରେ ପରିଷ୍କାର କରନ୍ତୁ ।
  • ଋତୁସ୍ରାବ ସମୟରେ ପରିଷ୍କାର ଲୁଗା ବ୍ୟବହାର କରନ୍ତୁ। ବ୍ୟବହାର କରୁଥିବା ଲୁଗାକୁ ଦିନରେ ଅନ୍ତତଃ ଦୁଇଥର ବଡଳାନ୍ତୁ ।
  • ଏହି ସମୟରେ ବ୍ୟବହାର କରୁଥିବା ଲୁଗା କିମ୍ବା ଅନ୍ତବସ୍ତ୍ରଗୁଡିକୁ ଭଲଭାବରେ ଧୋଇ ଖରା ଖୁଆନ୍ତୁ । କାରଣ ଏହି ସବୁ ଜିନିଷରେ ଥିବା ଜୀବାଣୁଗୁଡିକ ସୂର୍ଯ୍ୟରଶ୍ମିରେ ନଷ୍ଟ ହୋଇଥାଆନ୍ତି ।
  • ରାତିରେ କିଛି ନିମପତ୍ର ପାଣିରେ ଭିଯାଇ ତହିଁ ପରଦିନ ସକାଳେ ଉକ୍ତ ପାଣିରେ ବ୍ୟବହାର କରୁଥିବା କପଡା ଧୋଇ ଖରାରେ ଶୁଖାନ୍ତୁ । ଋତୁସ୍ରାବର ସମୟ  ସରିବା ପରେ ବ୍ୟବହାର କରିଥିବା ଲୁଗାଗୁଡିକୁ ପରିଷ୍କାର କରି ଧୋଇ ଏବଂ ଶୁଖାଇ ଏହାକୁ ଏକ ସୁରକ୍ଷିତ ସ୍ଥାନରେ କିଛି ନିମପତ୍ର ଭର୍ତି କରି ରଖନ୍ତୁ ।
  • ସହବାସ ପୂର୍ବରୁ ଏବଂ ପରେ ଭଲଭାବରେ ଯୌନାଙ୍ଗ ଧୋଇ ପରିଷ୍କାର କରନ୍ତୁ । ଆପଣଙ୍କ ସାଥୀକୁ ମଧ୍ୟ ଏହା କରିବାକୁ ପରାମର୍ଶ ଦିଅନ୍ତୁ  ।
  • ଯଦି ସମ୍ପୃକ୍ତ ପୁରୁଷ କିମ୍ବା ମହିଳାଙ୍କର ପ୍ରଜନନ ମାର୍ଗରେ କୌଣସି ସଂକ୍ରମଣ ହୋଇଥାଏ ତେବେ ସହବାସ ସମୟରେ କଣ୍ଡୋମ ବ୍ୟବହାର କରନ୍ତୁ । ସହବାସ ସମୟରେ ଆପଣଙ୍କ ସାଥୀକୁ ଯଦି କଷ୍ଟ ବା ଯନ୍ତ୍ରଣା ହୋଇଥାଏ ତେବେ ଏଥିରୁ ନିବୃତ୍ତ ରୁହନ୍ତୁ ଏବଂ ଏକାଧିକ ଯୌନସଙ୍ଗୀ ବର୍ଜନ କରନ୍ତୁ ।
  • ଯଦି ସଂକ୍ରମଣର ମାତ୍ରା ଅଧିକ ହୋଇ ଥାଏ ତେବେ ଡାକ୍ତର କିମ୍ବା ନିକଟବର୍ତ୍ତୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପରୀକ୍ଷା କରି ନିଅନ୍ତୁ ।
  • ତଳିପେଟରେ ନିମ୍ନ ଭାଗରେ ପରୀକ୍ଷା ବା ପେଲେଭିକ୍ ପରୀକ୍ଷା, ପ୍ରସବ ସମୟ ପୂର୍ବରୁ ଗର୍ଭପାତ, ପରିବାର ନିୟନ୍ତ୍ରଣ ନିମନ୍ତେ କପରଟିର ବ୍ୟବହାର ଓ ସ୍ତ୍ରୀ ବନ୍ଧ୍ୟାକରଣବେଳେ ବ୍ୟବହାର ହୋଇଥିବା ସରଞ୍ଜାମ ବା ଉପକରଣ ତଥା ଦସ୍ତାନା ବା ଗ୍ଲୋଭସ୍ ଗୁଡିକ ବିଶୋଧିତ ହୋଇଛି ବୋଲି ଦୃଢ ନିଶ୍ଚିତ ହୁଅନ୍ତୁ ।

ସ୍ଵାସ୍ଥ୍ୟକର୍ମୀ କ’ଣ କରିବା ଆବଶ୍ୟକ ?

ପ୍ରଜନନ ମାର୍ଗ ସଂକ୍ରମଣ ବା ଏ ସମ୍ପର୍କୀୟ ତଥ୍ୟ ସଂଗ୍ରହ କରି ଏହାର କାରଣ ଓ ପ୍ରତିକାର ସମ୍ବଦ୍ଧରେ ସମ୍ପୂର୍ଣ୍ଣ ଜ୍ଞାନ ଆହରଣ କରିବା ଆବଶ୍ୟକ ।

ବିଶେଷ କରି ମହିଳାମାନେ ନିଜ ନିଜର ସ୍ୱାସ୍ଥ୍ୟ ସମସ୍ୟା ସମ୍ପର୍କରେ ଯେପରି ଖୋଲାଖୋଲି ଭାବେ ଆଲୋଚନା କରିବେ ସେଥିପାଇଁ ସେମାନଙ୍କୁ ରାଜି କରାଇବାକୁ ପଡିବ ।  ସେମାନଙ୍କର ସମସ୍ୟା ଜନିତ ତଥ୍ୟ ବିଶ୍ବାସର ସହିତ ଗୋପନ ରଖାଯାଇଛି ବୋଲି ସେମାଙ୍କୁ କୁହନ୍ତୁ । ପ୍ରଜନନ ମାର୍ଗ ସଂକ୍ରମଣ କିପରି ପ୍ରତିରୋଧ କରାଯାଇପାରିବ, ତାହା ଲୋକମାନଙ୍କୁ ବୁଝାନ୍ତୁ ।

ନିଜେ ପରିଷ୍କାର ପରିଚ୍ଛନ ରହିବା, ମହିଳାମାନେ ଋତୁସ୍ରାବ ସମୟରେ ପରିଷ୍କାର ରହିବା ଏବଂ ସ୍ୱାସ୍ଥ୍ୟକର ଯୌନ ଜୀବନ ଜାପାନ କରିବା ନିମନ୍ତେ ଲୋକମାନଙ୍କୁ ଅବଗତ କରାନ୍ତୁ ।

ଯଦି ଚେର ମୂଳି ଔଷଧ କାମ କରୁଛି ତେବେ ଏହାର ବ୍ୟବହାର ପାଇଁ ଲୋକଙ୍କୁ ଜଣାନ୍ତୁ ।

  • ଏଡସ୍ ସମେତ ଅନ୍ୟ ଯୌନରୋଗ ହୋଇଛି ବୋଲି ଜାଣିବା ପାଇଁ କ’ ଣ କରିବେ ?
  • ଏଥିପାଇଁ ବିଶେଷଜ୍ଞଙ୍କୁ ପଚାରି ଆବଶ୍ୟକୀୟ ପରୀକ୍ଷା କରାନ୍ତୁ ।
  • ଲାଜ ନକରି ସମସ୍ତ ଘଟନା ପ୍ରକାଶ କରାନ୍ତୁ ।
  • ଡାକ୍ତରଙ୍କ ପରାମର୍ଶ ମାନି ଚଳନ୍ତୁ ।

କିଶୋରୀ ଏବଂ ଗର୍ଭନିରୋଧକ:

କିଶୋରଅବସ୍ଥାରେ ଅନେକ ପ୍ରକାର ଜଟିଳ ଘଟଣା ଯଥା: ବାହାଘର, ପ୍ରଥମ ଯୌନ ସଂଭୋଗ ତଥା ପିତୃତ୍ଵ / ମାତୃତ୍ଵ ଲାଭ ଇତ୍ୟାଦି କରିଥାଆନ୍ତି । କେତେକ ସ୍ଥାନ ବିଶେଷରେ କିଶୋର କିଶୋରୀମାନେ ବିବାହ ପୂର୍ବରୁ ଯୌନ ସମ୍ପର୍କ ସ୍ଥାପନ କରିଥାଆନ୍ତି । ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିବାକୁ ଗଲେ କିଶୋର କିଶୋରୀମାନେ ସମାଜରେ ସବୁଠାରୁ ନିରୋଗ ତଥା ହୃଷ୍ଟପୃଷ୍ଟ ଥାଆନ୍ତି । ସେମାନେ ବାଲ୍ୟାବାସ୍ଥା ଓ ପ୍ରାକ୍ କିଶୋରାବସ୍ଥାର ରୋଗ ଇତ୍ୟାଦିରୁ ରକ୍ଷା ପାଇଥାଆନ୍ତି  ଓ ସେମାନଙ୍କର ମୃତ୍ୟୁହାର ଅନ୍ୟ ବର୍ଗ ଅପେକ୍ଷା ସବୁଠାରୁ କମ୍ ଥାଏ । କିନ୍ତୁ ଯୌନ କ୍ରିୟା ଓ ଗର୍ଭଧାରଣ  ଭଳି କ୍ରିୟାକଳାପ ସେମାନଙ୍କର ସବୁଠାରୁ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ରୂପେ ଦେଖାଦିଏ । ତାଦ୍ଵାରା  ଖାଲି ସେମାନଙ୍କର ସ୍ୱାସ୍ଥ୍ୟଗତ ଅବନତି ଘଟେ ତା’ ନୁହେଁ, ବରଂ ସେମାନଙ୍କର ସାମାଜିକ, ଅର୍ଥନୈତିକ ଓ ମାନସିକ ସ୍ତରରେ ଦୀର୍ଘମିଆଡି ପ୍ରଭାବ ପକାଏ ।

ଯେଉଁସବୁ ପ୍ରଜନନ ସ୍ୱାସ୍ଥ୍ୟ ସମ୍ବର୍ଦ୍ଧିୟ  ବିପଦ ସବୁ ଯୁବପିଢି ସାମ୍ନା କରନ୍ତି, ସେଗୁଡିକ ହେଲା:

  • ଯୌନ ସଂକ୍ରମିତ ରୋଗମାନେ, ଯାହା ଏଚ୍.ଆଇ. ଭି. ପରେ ଏଡ଼ସ୍ ର ରୂପ ନିଏ ।
  • ଯୌନ ହିଂସା ଓ ବ୍ୟଭିଚାର (ଧର୍ଷଣ,ଯୌନ ନିର୍ଯ୍ୟାତନା ଓ ଯୌନ ବିକ୍ରି ) ।
  • ଖୁବ ଚଞ୍ଚଳ ଗର୍ଭଧାରଣ ।
  • ଅବାଞ୍ଛିତ ଗର୍ଭଧାରଣ, ଯାହା ପରବର୍ତ୍ତୀ ସମୟରେ ଅସୁରକ୍ଷିତ ଗର୍ଭପାତ ଓ ଜଟିଳତା ବୃଦ୍ଧି କରେ  ।

ଏସବୁ ବ୍ୟତୀତ, କିଶୋର/କିଶୋରୀ ବାପା ମା’ ହୋଇଯାଆନ୍ତି । ଫଳରେ ଅଧାରୁ ପାଠ ଛାଡିବା, ସ୍ୱଳ୍ପ ରୋଜଗାର, ପୃଷ୍ଟିହୀନତା, ଓ ଅନ୍ୟାନ୍ୟ ସାମାଜିକ ଓ ଅର୍ଥନୈତିକ ପରିସ୍ଥିତିର ଜାଲରେ ଗୁଡେଇ ହୋଇଯାଆନ୍ତି । ସାରା ବିଶ୍ଵରେ, ବିଶେଷ କରି ଆମ ଦେଶ ତଥା ରାଜ୍ୟରେ ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ ଯେଉଁ ସବୁ ପରିବର୍ତ୍ତନ ଦେଖାଦେଉଛି, ତାହା ଯୁବ ବାପା ମା' ମାନଙ୍କ ଉପରେ ଦୀର୍ଘ ଓ ବହୁଦିନ ପର୍ଯ୍ୟନ୍ତ ପ୍ରଭାବ ପକାଇଥାଏ ।

ଯେଉଁ ମାନେ ଯୌନ ସକ୍ରିୟ ଥାଇ ମଧ୍ୟ ଗର୍ଭଧାରଣ  ଚାହାନ୍ତି ନାହିଁ ବା କୌଣସି ଗର୍ଭନିରୋଧକ ବ୍ୟବହାର କରନ୍ତି ନାହିଁ ତାକୁ ଗର୍ଭନିରୋଧର ଅପୁରଣ ଆବଶ୍ୟକତା କୁହନ୍ତି । ସାଧାରଣତଃ ଗର୍ଭନିରୋଧକର ଅପୁରଣ ଆବଶ୍ୟକତା ବିବାହିତ ମହିଳାମାନଙ୍କ ଉପରେ କେନ୍ଦ୍ରୀଭୂତ ଥିଲା ବେଳେ ସମାଜର ଅନ୍ୟ ଏକ ପ୍ରମୁଖ ଯୁବବର୍ଗ ଏଥିରେ ସାମିଲ ହୋଇନଥାଏ । ସେହି ଯୁବ ଗୋଷ୍ଠୀର ପ୍ରଜନନ ସ୍ୱାସ୍ଥ୍ୟସେବା ଓ ଗର୍ଭନିରୋଧକ ସାମଗ୍ରୀର ଆବଶ୍ୟକତା ପୂରଣ ହୋଇନଥାଏ । ତା' ମାନେ ନୁହେଁ ଯେ ସବୁ ଯୌନ ସକ୍ରିୟ ଓ ଅଣ ବିବହାହିତ ମହିଳାମାନେ ଖାଲି ଗର୍ଭଧାରଣ ଏଡେଇବାକୁ ଚାହାନ୍ତି । ବରଂ ଏଥିରୁ ସ୍ପଷ୍ଟଯେ  ସେମାନଙ୍କର ପ୍ରଜନନ ସ୍ଵାସ୍ଥ୍ୟର ଆବଶ୍ୟକତା ପୂରଣ ହୋଇନଥାଏ । ଏଗୁଡିକ ସାଧାରଣତଃ ସେମାନଙ୍କଠାରେ ଦେଖା ଦେଊଥିବା ଯୌନ ସଂକ୍ରମିତ ରୋଗ,ବିବାହ ପୂର୍ବ ଗର୍ଭଧାରଣ, ଅବାଞ୍ଛିତ ଗର୍ଭଧାରଣ ତଥା ଅସୁରକ୍ଷିତ ଗର୍ଭପାତ ଦ୍ଵାରା ମାତୃ ଓ ଶିଶୁ ମୃତ୍ୟୁହାର ଅଧିକ ହୋଇଥାଏ ।

ଗର୍ଭନିରୋଧକ ପସନ୍ଦ: ଏପରି କ୍ଷେତ୍ରରେ ଯଦି ସେମାନେ ଯୌନସକ୍ରି, ସେମାନଙ୍କୁ ଅବାଞ୍ଛିତ ଗର୍ଭଧାରଣ ଓ ଅସୁରକ୍ଷିତ ଗର୍ଭପାତରୁ ରକ୍ଷା ପାଇବା ପାଇଁ ଫଳପ୍ରଦ ଗର୍ଭନିରୋଧକ ବ୍ୟବହାର କରିବା ନିହାତି ଜରୁରୀ । କେତେକ ଯୌନ ସକ୍ରିୟ ଯୁବକଯୁବତୀ  ଏକାଧିକ ସାଥିଙ୍କ ସହ ଯୌନ ସମ୍ପର୍କ ସ୍ଥାପନ କରନ୍ତି । ସେମାନେ ଯୌନ ସଂକ୍ରମିତ ରୋଗଠାରୁ ଦୂରେଇ ରହିବା ପାଇଁ କଣ୍ଡମ ବ୍ୟବହାର କରିବା ନିହାତି ଜରୁରୀ । ଯୁବ ଗୋଷ୍ଠୀର ଆବଶ୍ୟକତା ଏଥି  ସକାଶେ ଅନେକ ପରିମାଣରେ ଅଧିକ ହୋଇପାରେ ଯାହାକୁ ପରିବାର କଲ୍ୟାଣ ସେବା ପ୍ରଦାନକାରୀମାନେ ନିର୍ଦ୍ଧିଷ୍ଟ ରୂପେ ହୃଦୟଙ୍ଗମ କରିବା ଦରକାର ।

ମନେରଖନ୍ତୁ: ଅସୁରକ୍ଷିତ ଯୌନକ୍ରିୟାର ଫଳସ୍ଵରୂପ କେତେକ କିଶୋରୀ ଗର୍ଭ ଧାରଣ କରିଥାନ୍ତି । ସମାଜର ଦ୍ରୁଷ୍ଟିଭଙ୍ଗିରୁ ରକ୍ଷା ପାଇବା ପାଇଁ ଅଶିକ୍ଷିତ ଡାକ୍ତରଙ୍କ ଦ୍ଵାରା ଗର୍ଭପାତ କରାଇଥାଆନ୍ତି । ଫଳରେ ଅନେକ ଜଟିଳତାର ଶିକାର ହେବା ସହିତ ମୃତ୍ୟୁବାରଣ ମଧ୍ୟ  କରିଥାଆନ୍ତି  । ତେଣୁ ସୁରକ୍ଷିତ ଗର୍ଭପାତ ପାଇଁ ଅଭିଞ ଡାକ୍ତରଙ୍କ ପାଖରେ ଏବଂ ଚିକିତ୍ସାଳୟରେ  ବା ସ୍ଵୀକୃତିପ୍ରାପ୍ତ କରାନ୍ତୁ । ବାରମ୍ବାର ଗର୍ଭପାତ ହେତୁ ବନ୍ଧ୍ୟାତ୍ଵ  ସହିତ ଅନ୍ୟାନ୍ୟ ଜଟିଳତା ଦେଖାଦେଇପାରେ ।

କୈଶୋର ଅବସ୍ଥାରେ ପୌଷ୍ଟିକ ଆବଶ୍ୟକତା

ଆମ ଦେଶ ତଥା ରାଜ୍ୟର ଅନେକ ଲୋକ ଦାରିଦ୍ର୍ୟ ସୀମାରେଖା ତଳେ ବାସ କରୁଛନ୍ତି । ଏହା ସାଙ୍ଗକୁ ସ୍ଵାସ୍ଥ୍ୟଶିକ୍ଷାର ପ୍ରସାର ବର୍ତ୍ତମାନ ପରିପେକ୍ଷୀରେ ପର୍ଯ୍ୟାପ୍ତ ନୁହେଁ । ତେଣୁ ଜଣେ ବ୍ୟକ୍ତିର ବିଭିନ୍ନ ବୟସରେ ବିଶେଷ କରି କୈଶୋର ଅବସ୍ଥାରେ ସ୍ୱାସ୍ଥ୍ୟଗତ ଆବଶ୍ୟକତା ଯଥା ପୃଷ୍ଟି, ବ୍ୟାୟାମ, ପରିଚ୍ଛନ୍ନତା ଏବଂ ସ୍ୱାସ୍ଥ୍ୟରକ୍ଷାର ଆବଶ୍ୟକତା ରହିଛି । ଉକ୍ତ ସମସ୍ତ ଆବଶ୍ୟକତା ମଧ୍ୟରୁ ପୁଷ୍ଟିଗତ ଆବଶ୍ୟକତାର ଗୁରୁତ୍ଵ ଅନେକ । ଏହି ସମୟରେ ଉପଯୁକ୍ତ ପୃଷ୍ଟିର ଅଭାବରୁ କିଶୋର କିଶୋରୀମାନଙ୍କର ଅନେକ ପ୍ରକାର ଅସୁବିଧା ଦେଖାଦିଏ । ସେଗୁଡିକ ହେଲା - ଶରୀରର ବିକାଶରେ ବାଧା, ରକ୍ତହୀନତା ଏବଂ ବୌଦ୍ଧିକ ବିକାଶ ।

କାରଣ:

  • ଦାରିଦ୍ର୍ୟ
  • ଲିଙ୍ଗଭେଦ ବୈଷମ୍ୟ
  • ନିଜ ସ୍ୱାସ୍ଥ୍ୟ ପ୍ରତି ଯଥେଷ୍ଟ ସଚେତନତାର ଅଭାବ
  • ପୃଷ୍ଟିହୀନତା
  • କୃମି ସଂକ୍ରମଣ
  • ପରିଚ୍ଛନ୍ନତା ଓ ବିଶୁଦ୍ଧ ପାନୀୟ ଜଳର ଅଭାବ ।

ପଦକ୍ଷେପ

କିଶୋର କିଶୋରୀମାନଙ୍କର ପୃଷ୍ଟିଗତ ଆବଶ୍ୟକତା ଏବଂ ଅଭ୍ୟାସରେ ଉନ୍ନତି ଘଟାଇବା ପାଇଁ କେତୋଟି ପଦକ୍ଷେପ:

ବିଦ୍ୟାଳୟରେ ପୃଷ୍ଟି ଏବଂ ସ୍ଵାସ୍ଥ୍ୟଶିକ୍ଷାର ପ୍ରଚଳନ

ବିଦ୍ୟାଳୟ ବାହାରେ ଥିବା କିଶୋର କିଶୋରୀମାନଙ୍କ ପାଇଁ ପୃଷ୍ଟି ଏବଂ ସ୍ୱାସ୍ଥ୍ୟଶିକ୍ଷାର ବ୍ୟବସ୍ଥା

  • ବାଡିବଗିଚାରେ ପନିପରିବା ଚାଷ ପାଇଁ ପ୍ରୋତ୍ସାହନ
  • ଲୌହସାର ବିଶିଷ୍ଟ ଖାଦ୍ୟ  ଖାଇବା ପାଇଁ ପରାମର୍ଶ
  • ଝିଅମାନେ ୧୮ ବର୍ଷ ପରେ ଓ ପୁଅମାନେ ୨୨ ବର୍ଷ ପରେ ବିବାହ
  • ବୈବାହୀକ ଜୀବନ ସମ୍ପର୍କରେ ଶିକ୍ଷା
  • କୃମି ନିରାକରଣ ପାଇଁ ଔଷଧର ବଣ୍ଟନ ଓ ବ୍ୟବହାର

କୈଶୋର ଓ କ୍ଷୁଧାହୀନତା

କୈଶୋର ଅବସ୍ଥାରେ କ୍ଷୁଧାହୀନତା ଏକ ସାଧାରଣ ସମାସ୍ୟା । ଏହି ସମସ୍ୟାର ଅନେକ କାରଣ ଅଛି । ଯଥା  -ଇଚ୍ଛା କରି ବାନ୍ତିକରିବା ପାଇଁ ଚେଷ୍ଟା କରିବା ଏହା ଗୋଟିଏ ମାନସିକ ଅସ୍ଥିରତା ଯାହା ପାଇଁ ଜଣେ କିଶୋର ବା କିଶୋରୀ ବାନ୍ତି କରି ଦୁର୍ବଳତାକୁ ନିମନ୍ତ୍ରଣ କରିଥାଏ ।

ଖାଦ୍ୟ ଖାଇବାର ଲାଳସାକୁ ସେମାନେ ନିୟନ୍ତ୍ରଣ କରିପାରନ୍ତିନି । ଯାହା ପାଇଁ ସେମାନେ ଅତ୍ୟଧିକ ପରିମାଣରେ ସୁସ୍ଵାଦୁ ଖାଦ୍ୟ ଖାଇ ବାନ୍ତି କରନ୍ତି । ଆଉ କିଛିଦିନ ଉପବାସ କରନ୍ତି । ଏହି କିଶୋର କିଶୋରୀ ମାନେ ଭାବନ୍ତି ସେମାନେ ମୋଟା ହେବାରୁ ବହୁ ଅସୁନ୍ଦର ଦେଖାଯାଉଛନ୍ତି । ତେଣୁ ନିଜର କ୍ଷତି କରିବାରେ ଏହି ପ୍ରକୃତି ତାଙ୍କୁ ସାହାଯ୍ୟ କରିଥାଏ । ଯଦିଓ ସେମାନେ ସାଙ୍ଗସାଥିମାନ ଙ୍କୁ ନିଜର ପତଳା ଶରୀର ପାଇଁ ଆଚମ୍ବିତ କରିପାରିଥାଆନ୍ତି, ତଥାପି ଏହା ଗୋଟିଏ ଶାରୀରିକ କ୍ଷୟକ୍ଷତିର ବଳିଷ୍ଟ କାରଣ ହୋଇଥାଏ । ଅଧିକାଂଶ ବାଳିକା ଏବଂ କମ୍ ସଂଖ୍ୟାରେ ବାଳକମାନେ ଏହି ମାନସିକ ରୋଗରେ ଆକ୍ରାନ୍ତ ହୋଇଥାଆନ୍ତି ।

ମାନସିକ ଚାପ ହେତୁ କ୍ଷୁଧାହୀନତା

ଏହି କ୍ଷୁଧାହୀନତା ମାନସିକ ସ୍ତରରେ ଚାପର କାରଣ ଯୋଗୁଁ ହୋଇଥାଏ । ଯାହାଦ୍ୱାରା କି ଜଣେ କିଶୋର ବା କିଶୋରୀ  ଭୋକରେ ରହିଥାଏ । ଏପରିକି ବେଳେବେଳେ କ୍ଷୁଧାହୀନତା ମୃତ୍ୟୁର କାରଣ ହୋଇଥାଏ । ସେ ଖାଦ୍ୟ ଖାଇବା ପାଇଁ ବାରଣ କଲେ ଏବଂ ଖାଦ୍ୟର ଚିନ୍ତାଠୁ ଦୂରେଇ ରହିଥାଏ ସେମାନେ ନିଜକୁ ଅଧିକ ମୋଟା ବୋଲି ଭାବନ୍ତି ଏବଂ ମୋଟା ହେବା ପାଇଁ ଖାଦ୍ୟ ହିଁ ଏକମାତ୍ର କାରଣ ବୋଲି ଧରିନିୟନ୍ତି । କିଶୋର କିଶୋରୀ ବାହ୍ୟଚାପ ଯୋଗୁଁ ଯଥା ପାଠପଢାର ଚାପ ବା ପାରିବାରିକ କାରଣ ଯୋଗୁଁ ଖାଦ୍ୟ ଖାଇବାରୁ ନିବୃତ୍ତ ରହିବାକୁ ଗୋଟିଏ ଅଭ୍ୟାସରେ ପରିଣତ କର ଏ ରୋଗକୁ ନିମନ୍ତ୍ରଣ  କରିଥାଆନ୍ତି । ଅନେକ ସମୟରେ ଯୁଦ୍ଧକାଳୀନ ପରିସ୍ଥିତିରେ ଭବିଷ୍ୟତର ଖାଦ୍ୟାଭାବକୁ ଆଖିଆଗରେ ରଖୀ ସେମାନେ ଖାଦ୍ୟ ଖାଇବାରୁ ନିବୃତ୍ତ ରହନ୍ତି । ଦୁଃଖର ବିଷୟ ଯେ,ବିଦେଶରେ ମଧ୍ୟ ଅନେକ କିଶୋର କିଶୋରୀ ମୋଟା ହେବାରୁ ଦୂରେଇରହିବା ପାଇଁ ଖାଦ୍ୟ ଖାଆନ୍ତି ନାହିଁ । କିନ୍ତୁ କିଶୋର କିଶୋରୀମାନେ ମେଦ ବହୁଳତାରୁ ଦୂରରେ ରହିବାକୁ ହେଲେ ଉପଯୁକ୍ତ ବ୍ୟାୟାମ କରିବା, ନିର୍ମଳ ବାୟୁ ମଣ୍ଡଳରେ ବହୁଦୂର ପର୍ଯ୍ୟନ୍ତ ଭ୍ରମଣ କରିବା, ପହଁରିବା, ପାହାଡ ଚଢିବାରେ ନିଜକୁ ନିୟୋଜିତ କାଲେ, ସନ୍ତୁଳନ ଆହାର, ନିୟମିତ ଖାଦ୍ୟ ଦ୍ଵାରା ନିଜର ଶରୀରକୁ ପ୍ରକୃତ ସୌନ୍ଦର୍ଯ୍ୟ ଦେଇପାରିବେ ।

ଯୌନସ୍ୱାସ୍ଥ୍ୟରେ ମନୋବିଜ୍ଞାନ ଓ ସାମାଜିକ ଦୃଷ୍ଟିକୋଣ:

ପୂର୍ବରୁ ହୋଇଥିବା ଆଲୋଚନା ଅନୁଯାୟୀ ନିଜର ଯୌନଚାରର ପରିପକ୍ଵତାରେ ଅନେକଙ୍କର କିଛି ବାଧା ସୃଷ୍ଟି ହୋଇଥାଏ । ବିଶେଷକରି ଯୌନକ୍ରିୟାରେ ବିଭିନ୍ନ ଅସୁବିଧା, ଅସନ୍ତୋଷ ମାନସିକ ଅଶାନ୍ତି ମଧ୍ୟ ଆଣିଥାଏ । ଏ କ୍ଷେତ୍ରରେ ଦେଖାଯାଏ ସ୍ତ୍ରୀ ପୁରୁଷ ପରସ୍ପରକୁ ଦୋଷାରୋପ କରିବା । ସନ୍ତାନ ସନ୍ତତି ନ ହେବାରୁ ଅନେକ ଅଶାନ୍ତିରେ ମଧ୍ୟ ଦିନ କାଟିଥାନ୍ତି। କିନ୍ତୁ ଏ ସବୁ କ୍ଷେତ୍ରରେ ପ୍ରକୃତ କାରଣ ମଧ୍ୟ ସେମାନେ ଜାଣିବାକୁ ଚେଷ୍ଟା କରିନଥାନ୍ତି । ଯଦିଓ କରନ୍ତି ତେବେ ଏଣୁ ତେଣୁ କଥାରେ ଅଧିକ ପ୍ରଭାଭିତ ହୋଇଥାନ୍ତି । ତେଣୁ ଯୌନାଚାର ଏବଂ ଯୌନସ୍ଵାସ୍ଥ୍ୟର ଶିକ୍ଷା କୈଶୋର ସମୟରୁ ଜଣାଇଥିଲେ ପରବର୍ତ୍ତୀ ସାଂସାରିକ ଜୀବନରେ ଏ ସମ୍ପର୍କୀୟ ଅସୁବିଧାର ଉତ୍ତମ ପରିଚାଳନା କରିହୁଏ ।

ଯଦି ଆମେ ପୋଷାକ ପରିଚ୍ଛଦ କଥା ଚିନ୍ତା କରିବା, ଆଜିର ସମାଜରେ କିଶୋର କିଶୋରୀମାନଙ୍କ ପକ୍ଷରେ ଏହା ବିତର୍କର ବିଷୟ । ଆଧୁନିକତା ବା ସ୍ରୋତାଭିମୁଖୀ ହେବାର ଦ୍ଵାହି ଦେଇ ଏବଂ ଚଳଚିତ୍ର ଇତ୍ୟାଦିରେ ପ୍ରଭାବିତ ହୋଇ ବିଭିନ୍ନ ପ୍ରକାର ପୋଷାକ ପିନ୍ଧିଥାନ୍ତି । ଅନ୍ୟ ପକ୍ଷ୍ୟରେ ପୋଷାକ ପିନ୍ଧି ଅନ୍ୟକୁ ଆକର୍ଷିତ କରିବାର ଉଦ୍ଦେଶ୍ୟ ମଧ୍ୟ ନିହିତ ଥାଏ । ଏହା ଅନେକ ସମୟରେ ବିଭିନ୍ନ ଯୌନ ଅତ୍ୟାଚାର ବା ଯୌନ ବ୍ୟଭିଚାରକୁ ସୁଯୋଗ ମଧ୍ୟ ହୋଇଥାଏ । ତେବେ ପୋଷାକ ପରିଚ୍ଛଦ ସମ୍ପୂର୍ଣ୍ଣ ଇଚ୍ଛାଧିନ ବୋଲି ଅନେକ ଯୁକ୍ତି ବାଢିବା ବେଳେ ପୋଷାକ ହିଁ ଅନେକ ବିଭ୍ରାଟର କାରଣ ଏହା ଅନେକଙ୍କ ମତରୁ ଜଣାପଡିଥାଏ । ବିଶେଷ କରି ଚିପା ପୋଷାକ, ଅଙ୍ଗ ପ୍ରତ୍ୟଙ୍ଗ ଦେଖାଯାଉଥିବା ଭଳି ପୋଷାକ ଇତ୍ୟାଦି ବ୍ୟବହାର କରିବା ମଧ୍ୟ ବେଳେ ବେଳେ ବିକୃତ୍ତ ମାନସିକତାର ପରିଚୟ ହୋଇଥାଏ । ମୂଳକଥା ହେଉଛି ସାଂସ୍କୃତିକ ଦିଗରୁ ଆମେ ଏକ ପ୍ରକାର ବିଚ୍ୟୁତି ବୋଲି ଏହି ପରିଚୟ ଦେବା ଗୌରବର ବିଷୟ ନୁହେଁ । ତେଣୁ ପୋଷାକ ପରିଚ୍ଛଦ ଆଧୁନିକ ହେଲେ ମଧ୍ୟ ଶାଳୀନତା ଓ ଚଳନିଗତ ସଂସ୍କାର ନିହାତି ଆବଶ୍ୟକ । କହିବା କଥା ଏହାକି ପ୍ରତ୍ୟେକ କିଶୋର କିଶୋରୀ ସାମାଜିକ ଦୃଷ୍ଟିଭଙ୍ଗୀକୁ ମଧ୍ୟ ଜାଣିବା ଦରକାର ।

ଅନେକ ମନୋବିଜ୍ଞାନ ଏବଂ ସମାଜବିଜ୍ଞାନଙ୍କ ମତରେ ନିଜର ଅନୁଭବ ଗତ ବିକୃତି ହେତୁ ଅଘଟଣ ମାନ ଘଟିଥାଏ ।ଯୌନ ଉଦ୍ଦୀପନାର ଫଳସ୍ୱରୂପ ଅନେକ କିଶୋର କିଶୋରୀ ପରସ୍ପର ବ୍ୟବହାର୍ଜ୍ୟ ବସ୍ତୁପ୍ରତି ଆଗ୍ରହ ପ୍ରକାଶ କରିଥାନ୍ତି । କେତେକ କ୍ଷେତ୍ରରେ ଦେଖାଯାଏ ପୁଅମାନେ ଝିଅମାନଙ୍କ ପିନ୍ଧାଲୁଗା ଓ ଅନ୍ତଃବସ୍ତ୍ରକୁ ଉଠାଇ ନେଇଥାନ୍ତି । କଦର୍ଯ୍ୟ ବ୍ୟବହାର ସ୍ୱରୂପ ଏଥିରେ କିଛି ଲଗାଇଦେଲେ ଝିଅର କ୍ଷତି ହେବ ଏବଂ ସେଥିରୁ ପୁଅଟି ଆନନ୍ଦ ପାଇବ ଇତ୍ୟାଦି ମଧ୍ୟ ଦେଖିବାକୁ ମିଳିଥାଏ । ଯଦିଓ ଏହା ସମାଜ ବିରୋଧୀ କାର୍ଯ୍ୟରୂପେ ପରିଣତ ହୁଏ, ତଥାପି ଏପରି ନହେବା ପାଇଁ ପଦକ୍ଷେପ ନିଆଯିବା କମ୍ ଦେଖିବାକୁ ମିଳେ ।

ଆଧୁନିକ ଗଣମାଧ୍ୟମ ବ୍ୟବସ୍ଥା ମଧ୍ୟ କୈଶୋର ଯୌନପ୍ରବୃତ୍ତିକୁ ଅନେକାଂଶରେ ପ୍ରଭାବିତ କରୁଛି । ଉଦାହରଣ ସ୍ୱରୂପ ଇଣ୍ଟରନେଟ୍ ରେ ନଗ୍ନ ଛବି ଦେଖିବା ଏବଂ ଚାଟିଂ ନାମରେ କେବଳ ଯୌନପ୍ରବୃତ୍ତିର ପରିପ୍ରକାଶ କରିବା ସହର ମାନଙ୍କରେ ଦେଖାଦେଉଛି । ଆଧୁନିକ ଉଦ୍ଭାବନର ଅପବ୍ୟବହାର କରିବା ସହିତ ଜଣେ ଅନ୍ୟ ଜଣକୁ ଭୁଲ ବାଟରେ ନେଇଯିବା ଦେଖାଯାଉଛି । କଳଚଞ୍ଚଳ ମତିଗତି ହେତୁ ଏପରି ହେବା ଦେଖାଯାଉଛି । ଏପରିକି ମୋବାଇଲ୍ ଫୋନ୍ ଅପବ୍ୟବହାରର ଉଦାହରଣ ଅନେକ ।

ଏକ ଗୁରୁତ୍ଵପୂର୍ଣ କଥା ହେଲା, ଉପଯୁକ୍ତ ଯୌନ ଆଚରଣ ଶିକ୍ଷା ନ ପାଇ ଥିବାରୁ ଅନେକ କିଶୋର କିଶୋରୀ ନିଜକୁ ସମଭୋଗପ୍ରିୟ କରିଦେଇଥାନ୍ତି, ଏହାର କାରଣ ସହର ମଫସଲ ଉଭୟଙ୍କ ଠାରେ ଦେଖିବାକୁ ମିଳେ । କୌଣସି କାର୍ଯ୍ୟ ବାହାନାରେ ଖସିଯାଇ ସେମାନେ ଏପରି ଭୁଲ କରିବସନ୍ତି । ଏଥିରୁ ଅନେକ ବିଚ୍ଛେଦ, ମୃତ୍ୟୁ, ଝଗଡା ଏବଂ ଶେଷରେ ପରିବାର ଓ ଗୋଷ୍ଠୀର ମନସ୍ତାପ ଆସିଥାଏ ।

ଆଉ ଏକ ପ୍ରତିବନ୍ଧକ ହେଉଛି ଯୌନଶିକ୍ଷା ଦେବାରେ ସାମାଜିକ ଏବଂ ପରିବାରର ରୁଗଣ ମମୋଭାବ । କିଶୋର କିଶୋରୀ ମାନଙ୍କୁ ପାରିବାରିକ ଏବଂ ସାମାଜିକ ଆଚରଣ ଶିକ୍ଷା ଦେବାରେ ପିତାମାତା ଆଗଭର ନଥାନ୍ତି । ତେଣୁ ପ୍ରତମତଃ ପିତାମାତାଙ୍କୁ ଏ ବିଷୟରେ ବୁଝାଇବାକୁ ହେବ ।

ଅନ୍ୟ ପ୍ରଭାବକାରୀ କର୍ମ ଯଥା – ଗୋଷ୍ଠୀନେତା, ଶିକ୍ଷକ ଏବଂ ମହିଳା ଓ ଯୁବମଣ୍ଡଳରେ ସାମାଜିକ ଚଳଣି ଶିକ୍ଷା ଦେବା ବାଞ୍ଛନୀୟ । ଏହାଦ୍ଵାରା କିଶୋର କିଶୋରୀଙ୍କର ଆଚାରଣଗତ ସୁଦ୍ଧି ଆସିପାରିବ ।  ଆଚାରଣଗତ ସୁଦ୍ଧିରେ ଅଭ୍ୟସ୍ତ ହୋଇଥିବା କିଶୋର କିଶୋରୀମାନେ ଅନ୍ୟ ସାଥିମାନଙ୍କୁ ଏହି ଶିକ୍ଷା ଦେଇ ପାରିବେ । ଫଳରେ ଏହା ଏକ ବିରାଟ ପରିବର୍ତ୍ତନ ଆଣିପାରିବ ।

ଆଧାର - ଓଡିଶା ଭଲ୍ୟୁନଟାରୀ ହେଲଥ ଆସୋସିଏସନ, ଭୁବନେଶ୍ଵର

Last Modified : 6/23/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate