ସେଆର କରନ୍ତୁ

ନିରାପଦ ମାତୃତ୍ଵ

ନିରାପଦ ମାତୃତ୍ଵ ବିଷୟରେ ସୂଚନା

ମାତୃତ୍ଵ

ମାତୃତ୍ଵ ପ୍ରଭୁଙ୍କର ଏକ  ସାର୍ଥକ ସୃଷ୍ଟି, ଏକ ସୁନ୍ଦର ସ୍ଵପ୍ନ  । ସେ ସ୍ଵପ୍ନ ସାକାର ହୁଏ, ଯେତେବେଳେ ମା’ର କୋଳ ପୂର୍ଣ୍ଣ କରି ଏକ ସୁସ୍ଥ ଶିଶୁଟିଏ ଜନ୍ମ ନିଏ  । ତେବେ ମାତୃତ୍ଵର ଏ ପଥ ସବୁବେଳେ ନିରାପଦ ନୁହେଁ   । ଟିକିଏ ଅସାବଧାନତାରେ ଗର୍ଭ ଓ ପ୍ରସବଜନିତ ଜଟିଳତା ସହ ମା’ ଓ ଶିଶୁର ଜୀବନ ବିପଦାପନ୍ନ ହୋଇଥାଏ   ।

ନିଜ ସନ୍ତାନକୁ ଜନ୍ମଦେବା ଏକ ନାରୀ ଜୀବନରେ ସବୁଠୁ ଖୁସିର, ମୂହୁର୍ତ୍ତ  । ହେଲେ ଦୁଃଖର ବିଷୟ ଯେ, ଅନେକ ଏହି ସୁଖରୁ ବଞ୍ଚିତ ହୋଇଥାନ୍ତି  । କାରଣ ବର୍ତ୍ତମାନ ଏକବିଂଶ ଶତାବ୍ଦୀରେ ମଧ୍ୟ ପ୍ରତ୍ୟକ ମିନିଟ୍ ରେ ପୃଥିବୀର କୌଣସି ନା କୌଣସି ସ୍ଥାନରେ ନିଶ୍ଚିତ ଭାବରେ ଗୋଟିଏ ମହିଳା ଗର୍ଭଜନିତ ତଥା ପ୍ରସବଜନିତ କାରଣରୁ ମୃତ୍ୟୁବରଣ କରୁଛନ୍ତି  । ସେ କୈଶୋର ବା ଆଦ୍ୟଯୌବନରେ ପାଦଦେଇଥିବା ବାଳିକା ବଧୂଟିଏ ହୋଇପାରେ ଯିଏ କି ମାନସିକ ବା ଶାରୀରିକ ସ୍ତରରେ ଶିଶୁଟିକୁ ଜନ୍ମ ଦେବା ପାଇଁ ଆପ୍ରାଣ ଉଦ୍ୟମ କରିଥାଏ  କିମ୍ବା ସେ ଗୋଟିଏ ବୟସ୍କା ମହିଳା ହୋଇଥାଇପାରେ ଯିଏ କି ଅନେକ ସନ୍ତାନ ଥିବା ଏକ ବଡ ପରିବାରକୁ  ଚଳାଇବାକୁ ଅକ୍ଲାନ୍ତ ପରିଶ୍ରମ କରିଥାଏ ତେଣୁ ଗୋପନୀୟ ଭାବରେ ନିଜର ଅବାଞ୍ଛିତ ଗର୍ଭନଷ୍ଟ କରିଥାଏ  । ମହିଳାମାନେ ଡାକ୍ତର ଓ ଚିକିତ୍ସା ତଥା ରକ୍ତ ଓ ଔଷଧ ଅଭାବରୁ ମୃତ୍ୟୁମୁଖରେ ପଡିଥାନ୍ତି  । ଗୋଟିଏ ମା’ର ମୃତ୍ୟୁ ଏକ ପରିବାରର କ୍ଷତି ନୁହେଁ, ଏହା ଏକ ସାମାଜିକ କ୍ଷତି, ଏହା ସାରା ଦେଶର କ୍ଷତି  ।

ମେଟରନାଲ୍ ମୋର୍ଟାଲିଟି

ପ୍ରତ୍ୟକ ମାତୃ ମୃତ୍ୟୁ ବା’ ମେଟରନାଲ୍ ମୋର୍ଟାଲିଟି ସହ ପ୍ରାୟ ୧୫ ଜଣ ମହିଳା ଦୁର୍ବଳ ଓ ରୁଗଣ ସ୍ୱାସ୍ଥ୍ୟ ସହ ବଞ୍ଚି ରହନ୍ତି ଏବଂ ଏଥିପାଇଁ ପରିବାରରୁ ବିତାଡିତ ମଧ୍ୟ ହୋଇଥାନ୍ତି  । ତେଣୁ ବିଶ୍ଵ ସ୍ୱାସ୍ଥ୍ୟ ସଂସ୍ଥାର ଏକ ସମ୍ମିଳନୀରେ ଡ.ମାଲକମ୍ ପଟମ୍ କହିଥିଲେ ଯେ, ପୃଥିବୀରେ ମାତୃ ମୃତ୍ୟୁ  ଏଭଳି ଭାବରେ ଭାବରେ ଘଟୁଛି ଯେପରି ଏକ ବିରାଟ ଜେଟ୍ ବିମାନ ପ୍ରତି ଚାରି ଘଣ୍ଟାରେ ଭୟାବହ ଦୁର୍ଘଟଣାର ଶିକାର ହେଉଛି ଏବଂ ତା’ ଭିତରେ ବସିଥିବା ପ୍ରାୟ ୨୫୦ମହିଳା ଯାତ୍ରୀ  ଏକ ସଙ୍ଗରେ ମୃତ୍ୟୁମୁଖରେ ପଡ଼ୁଛନ୍ତି  । ସାରା ବିଶ୍ଵରେ ପ୍ରତିବର୍ଷ ମାତୃ ମୃତ୍ୟୁସଂଖ୍ୟା ୬ ଲକ୍ଷ ।  ଏହା ମଧ୍ୟରୁ ୯୯ ଭାଗ ମୃତ୍ୟୁ ପ୍ରାୟ ବିକାଶୋନ୍ମୁଖୀ ଦେଶରେ ଘଟିଥାଏ  । ସାରା ବିଶ୍ଵର ଶତକଡା ୪୬ ଭାଗ ମାତୃ ମୃତ୍ୟୁ କେବଳ ଭାରତ, ପାକିସ୍ତାନ ଏବଂ ବାଂଲାଦେଶରେ ହୋଇଥାଏ  ।

ଦୃତ ଗତିରେ ମାତୃ ମୃତ୍ୟୁ ହାରକୁ ରୋକିବା ପାଇଁ ବିଶ୍ଵ ସ୍ୱାସ୍ଥ୍ୟ ସଂସ୍ଥା ୧୯୮୭ ମସିହାରେ ନାଇରୋବି କେନିଆଠାରେ ନିରାପଦ ମାତୃତ୍ଵର କେତେକ ପଦକ୍ଷେପ ଗ୍ରହଣ କରିବା ପାଇଁ ନିଷ୍ପତ୍ତି ନେଲେ  । ଏହାର ଉଦ୍ଦେଶ୍ୟ ଥିଲା ଝିଅ ଓ ମା’ ମାନଙ୍କର ଜୀବନଜାପାନ ଶୈଳୀକୁ ସ୍ୱାସ୍ଥ୍ୟ ଓ ସାମାଜିକ ସ୍ତରରେ ଅଭିବୃଦ୍ଧି କରିବା  । ପ୍ରଗତିବାଦୀ ରାଷ୍ଟ୍ରଗୁଡିକରେ ୨୨ ଜଣ ପ୍ରତି ଏକ ଲକ୍ଷ ହେବା ବେଳେ ପ୍ରଗତିଶୀଳ ରାଷ୍ଟ୍ରଗୁଡିକରେ ଏହାର ମାତ୍ରା ୨୦ ଜଣ ଅଧିକ ଏବଂ ୨୦୨୦ ସୁଦ୍ଧା ମାତୃମୃତ୍ୟୁ ହାର ଶତକଡା ୮୦ ଭାଗ ଓ ଶିଶୁମୃତ୍ୟୁହାର ଶତକଡା ୪୦ ଭାଗ କମାଇବା ପାଇଁ ସ୍ଥିର କରଯାଇଥିଲା  । ଏହି ନିରାପଦ ମାତୃତ୍ଵର ପ୍ରଥମ ଯତ୍ନ ମା’ ଗର୍ଭରେ ଥିବା କନ୍ୟା ଶିଶୁ ଠାରୁ ହିଁ ଆରମ୍ଭ ହୋଇଥାଏ  ।

ମାତୃ ମୃତ୍ୟୁର କାରଣ

ମାତୃ ମୃତ୍ୟୁର ପ୍ରତ୍ୟକ୍ଷ କାରଣଗୁଡିକ ହେଲା : ଶତକଡା ୭୫ ଅବାଞ୍ଛିତ ଓ ଦୂଷିତ ଗର୍ଭପାତ, ୧୩ ପ୍ରତିଶତ ଆସ୍ଥାନିକ (ଡିମ୍ବବାହୀ ନଳୀରେ) ଗର୍ଭପାତ, ୭ ପ୍ରତିଶତ ଗର୍ଭପାତ ପୂର୍ବରୁ ଓ ପରେ ରକ୍ତସ୍ରାବ, ୨୫ ପ୍ରତିଶତ ବ୍ୟାହାତ ଗର୍ଭପାତ, ୮ ଭାଗ ଦୂଷିତ, ୧୫ ପ୍ରତିଶତ ସୂତିକାଜ୍ଵର  ।

ପରୋକ୍ଷ କାରଣଗୁଡିକ ହେଉଛି

୨୫  ପ୍ରତିଶତ ରକ୍ତହୀନତା, ହୃଦବକ୍ଷରୋଗ, ମଧୁମେହ ରୋଗ, ଥାଇରଏଡ ରୋଗ, କାମଳ ରୋଗ ଓ ମ୍ୟାଲେରିଆ  ।

କେଉଁ କାରଣ ଯୋଗୁ ଏହା ହୋଇଥାଏ

ବୟସ-୧୫ ବର୍ଷରୁ କମ୍ କିମ୍ବା ୩୫ ବର୍ଷରୁ ଅଧିକ, ଅଳ୍ପ ବ୍ୟବଧାନରେ ବାରମ୍ବାର ଗର୍ଭଧାରଣ ଓ ଅଧିକ ସନ୍ତାନ ଜନ୍ମ କରିଥିବା ମା’, ଦାରିଦ୍ର୍ୟ, ଅର୍ଥ ଓ ଶିକ୍ଷା ଅଭାବ, ଗର୍ଭାବସ୍ଥାରେ ଯତ୍ନ ଓ ଗର୍ଭପାତ ପରେ ଯତ୍ନର ଅଭାବ, ଅବାଞ୍ଛିତ ଗର୍ଭପାତ  । ଆବଶ୍ୟକତାଠାରୁ କମ୍ ପରିମାଣରେ ସେବା ଓ ଯେତେ ସେବା ମିଳୁଛି ସେଗୁଡିକ ଠିକ୍ ଭାବରେ ଉପଯୋଗ ନ ହେବା, ରାସ୍ତାଘାଟର ସୁବିଧା ଓ ରେଫେରାଲ୍ ସୁବିଧାର ଅଭାବ ଏବଂ ପୁଅଝିଅ ମଧ୍ୟରେ ସାମାଜିକ ପ୍ରଭେଦ  । ମାତୃମୃତ୍ୟୁର ପ୍ରଥମ ଓ ପ୍ରଧାନ କାରଣ  ହେଉଛି ମହିଳାମାନଙ୍କର ଶୋଚନୀୟ ସାମାଜିକ ସ୍ଥିତି  । ଏହାଛଡା ଲିଙ୍ଗଭେଦ ଓ ଲିଙ୍ଗଗତ ବୈଷମ୍ୟ ମଧ୍ୟ ମାତୃମୃତ୍ୟୁର ଅନ୍ୟ ଏକ କାରଣ  । ସେମାନେ ନିରକ୍ଷର  ହୋଇଥିବାରୁ ଉପାର୍ଜନକ୍ଷମା ହୋଇପାରନ୍ତି ନାହିଁ ଏବଂ ସମ୍ବଳହୀନା ହୋଇଥାନ୍ତି, ସେମାନେ ପ୍ରାଥମିକ ସ୍ତରରେ ଶିକ୍ଷାଦାନରୁ ମଧ୍ୟ ବଞ୍ଚିତ ହୋଇଥାନ୍ତି  । ଏହାଛଡା ସେମାନେ ଘରକାମ ସହ ପ୍ରଚୁର କାମ କରି କ୍ଲାନ୍ତ ହୋଇପଡନ୍ତି  । ଘରେ ସବା ଶେଷରେ ଖାଆନ୍ତି ଏବଂ ସବୁଠାରୁ କମ୍ ଖାଆନ୍ତି  । କେବଳ ସେତିକି ନୁହେଁ, ପ୍ରସୂତିକାଳୀନ କୌଣସି ପରୀକ୍ଷା ବା ସାହାଯ୍ୟ ନେଇପାରନ୍ତି ନାହିଁ, ସୁଷମ ଖାଦ୍ୟ ଖାଆନ୍ତି ନାହିଁ କିମ୍ବା ଡାକ୍ତରଖାନାରେ ପ୍ରସବ କଥା ତ’ ଦୂରର କଥା ବିଶେଷଜ୍ଞ, ଅଭିଜ୍ଞ ଚିକିତ୍ସକ ବା ତାଲିମପ୍ରାପ୍ତ ଅଭିଜ୍ଞ ଧାଈ ବା ସେବିକାଙ୍କର ସାହାଯ୍ୟ ନେଇପାରନ୍ତି ନାହିଁ  ।

ବିରାପଦ ମାତୃତ୍ଵର ଗୁରୁତ୍ଵ

ଗର୍ଭାବସ୍ଥାରେ ପ୍ରଥମ ସୋପାନରୁ ମା’ର ଯତ୍ନ ନିଆଗଲେ ମା’ ମାନେ ନିଶ୍ଚିତ ମୃତ୍ୟୁମୁଖରୁ ବଞ୍ଚିଯାଇପାରିବେ  । ଏଥିପାଇଁ ପରିବାର ତଥା ଗାଁ ଗହଳିରେ ସଚେତନତା ସୃଷ୍ଟି ସର୍ବଦା ଜରୁରୀ  । ମହିଳାମାନଙ୍କ ପାଇଁ ଖାଦ୍ୟ ଓ ଶିକ୍ଷାର ମାନ ବଢାଇବାକୁ ହେଲେ ସମାଜରେ ତାଙ୍କର ସ୍ଥିତିର ଉନ୍ନତି କରିବା ଉଚିତ  । ତେଣୁ ଏକ ବିଂଶ ଶତାବ୍ଦୀରେ ନିରାପଦ ମାତୃତ୍ଵ ଓ ସୁସ୍ଥ ଶିଶୁ ପାଇଁ ପଦକ୍ଷେପ ଗୁଡିକ ହେଲା ଆମ ଦେଶରେ “ଏମର୍ଜେନ୍ସି ଅବଷ୍ଟ୍ରେଟିକ ସର୍ଭିସ୍” ତ୍ୱରାନ୍ୱିତ କରିବା  । ଏହାଛଡା ନାରୀ ଶିକ୍ଷାର ଅଗ୍ରଗତି, ନାରୀମାନଙ୍କ ପାଇଁ ଉପଯୁକ୍ତ କର୍ମସଂସ୍ଥାନ ଦେବା ଜରୁରୀ ପରିବାର ନିୟନ୍ତ୍ରଣର ବିଭିନ୍ନ ଉପାୟମାନ ରେଡିଓ, ଟେଲିଭିଜନ ଓ ଖବରକାଗଜ ଜରିଆରେ ଗ୍ରାମାଞ୍ଚଳରେ ପରିବେଷଣ କରିବା ଉଚିତ  । ବିକାଶଶୀଳ ଦେଶ ଭଳି ଆମ ଭାରତ ବର୍ଷରେ ମଧ୍ୟ ଅନେକ ନାରୀ ସଫଳତାର ଶୀର୍ଷତମ ସ୍ଥାନରେ ପହଞ୍ଚିଛନ୍ତି  । ତେଣୁ ଏକ ଆତ୍ମତୃପ୍ତିର ସ୍ମିତହାସ୍ୟ ସହ ମା; ଓ ସୁସ୍ଥ ଶିଶୁର ପରିକଳ୍ପନା ହିଁ ଆମକୁ ଆମର ଲକ୍ଷ୍ୟସ୍ଥଳରେ ପହଞ୍ଚାଇ ଦେବ  ।

ସଂଗୃହିତ – ଡ. ସରୋଜିନୀ ଷଡଙ୍ଗୀ

3.11320754717
ତାରକା ଚିହ୍ନ ଉପରେ କ୍ଲିକ କରି ପୃଷ୍ଟାଟିକୁ ମୂଲ୍ୟାଙ୍କନ କରନ୍ତୁ
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top