অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ମହିଳା ଓ ଧୂମପାନ

ଉପକ୍ରମ

ରୁପରେ, ଗୁଣରେ,  ଐଶ୍ଵର୍ଯ୍ୟରେ ଓ ମାଧୁଆର୍ଯ୍ୟ ନାରୀ ଈଶ୍ଵରଙ୍କ ସର୍ବୋତ୍ତମ ସୃଷ୍ଟି । ତେବେ ଏସବୁ ଲାଳିତ୍ୟକୁ ହୃଦୟରେ ଓ ଶରୀରରେ ଚିରସ୍ଥାୟୀ କରିବାକୁ ଲୋଡ଼ା ହୋଇଥାଏ କଠୋର ସଂଯମ ! ଟିକିଏ ଟିକିଏ ବଦଭ୍ୟାସରେ ଏସବୁ ଦୁର୍ଲଭ ଐଶ୍ଵର୍ଯ୍ୟକୁ ହରାଇ ବସିଥାଏ। ନାରୀ, ଯାହା ତାକୁ ରୋଗାକ୍ରାନ୍ତ କରିଦେଇ ମୃତ୍ୟୁମୁଖରେ ପକାଇଥାଏ । ମହିଳାମାନଙ୍କର ସେଇସବୁ ବଦଭ୍ୟାସ ଭିତରୁ ମୁଖ୍ୟ ହେଉଛି ଧୂମପାନ ।

ବଦଳୁଥିବା ଜୀବନଶୈଳୀ

ଦିନକୁ ଦିନ ବଦଳୁଥିବା ସମୟ ସହିତ ବଦଳୁଛି ମଣିଷର ଜୀବନଶୈଳୀ । ପୁରାତନ କାଳରେ ଗୃହ ଅଭ୍ୟନ୍ତରର ଅସୂର୍ଜ୍ୟାଂପଶ୍ୟା ନାରୀ ବର୍ତ୍ତମାନ ନା କେବଳ ଶିକ୍ଷିତା ହେଲେଣି ବରଂ କର୍ମକ୍ଷେତ୍ରରେ ମଧ୍ୟ ପୁରୁଷଙ୍କ ସହ ସମତାଳରେ ଅବା ଅଧିକ, ଆଗକୁ ବଢିସାରିଲେଣି । ତେବେ ଜୀବନଶୈଳୀ ପରିବର୍ତ୍ତନ ସେମାନଙ୍କ ପାଇଁ ଯଦିଓ ସ୍ଵାଗତଯୋଗ୍ୟ ହେଲେ ଏହା ସହିତ ସେମାନେ ଆପଣେଇ ନେଉଥିବା ବଦଭ୍ୟାସ ଯେପରିକି ନିଶା ସେବନ ଓ ଧୂମପାନ ସେମାନଙ୍କ ସ୍ଵାସ୍ଥ୍ୟ ପ୍ରତି   ହାନିକାରକ ।

ଧୂମପାନରେ ପ୍ରାୟ ୪୦୦୦ ପ୍ରକାରର ରାସାୟନିକ ପଦାର୍ଥ ଥାଏ, ବିଶେଷଭାବରେ ନିକୋଟିନ୍ ଓ ବିଭିନ୍ନ ପ୍ରକାରର କ୍ୟାନସର ରୋଗ ସୃଷ୍ଟିକାରୀ କାରସିନୋଜେନ୍’ , ଯାହା ଶରୀରର ବିଶେଷ କ୍ଷତି କରିଥାଏ, ଯଥା

ହୃଦରୋଗ, ଫୁସଫୁସ କର୍କଟ ଏବଂ ମସ୍ତିଷ୍କାଘାତ । ଏହା ଛଡ଼ା ମହିଳାମାନେ ଧୂମପାନ କଲେ ସେମାନଙ୍କର ଅନ୍ୟାନ୍ୟ ଅଂଶରେ ମଧ୍ୟ ବିଶେଷ କ୍ଷତି ହୋଇଥାଏ । କିଶୋରୀ ଏବଂ ଅଳ୍ପ ବୟସ୍କା: କିଶୋରୀ ବୟସରେ ଧୂମପାନ କଲେ ମାସିକ ଋତୁସ୍ରାବର ଆରମ୍ଭ ବିଳମ୍ବରେ ହୋଇଥାଏ, ଅନିୟମିତ ରତ ସାବ ଶରୀର ବୃଦ୍ଧିରେ ବ୍ୟାହତ ଏବଂ ଅନିୟମିତ ଓଭୁଲେଶନ୍ ବା ଡିମ୍ବ ନିର୍ଗତ ।

ଧୂମପାନ ର କ୍ଷତି

କିଶୋରୀ ବୟସରେ ଧୂମପାନ କଲେ। ଫୁସ୍‌ଫୁସ୍ ପ୍ରସାରିତ ହୋଇ ନ ପାରି ସଂକ୍ରମଣ ହୋଇଥାଏ । ଏହି ଝିଅମାନେ ବିବାହ ପରେ ମଧ୍ୟ ଶୀଘ୍ର ଗର୍ଭଧାରଣ କରିପାରନ୍ତି ନାହିଁ । ତେଣୁ ତାଙ୍କର ପ୍ରାଥମିକ, ବନ୍ଧ୍ୟାଦୋଷ ହୋଇଥାଏ । ଗର୍ଭଧାରଣ କଲାପରେ ସେମାନଙ୍କର ବାରମ୍ବାର ଗର୍ଭନଷ୍ଟ ହେବାର ଆଶଙ୍କା ବଢିଯାଏ । ଅପରିଣତ ପ୍ରସବ ହୋଇଥାଏ, ତଥା ଅପରିଣତ ଶିଶୁ ଜନ୍ମ ମଧ୍ୟ ହୋଇଥାଏ । ଟବାକୋରେ ଥିବା ନିକୋଟିନ୍ ସେବନ ଯୋଗୁ ଜରାୟୁକୁ ରକ୍ତ ଯୋଗାଉଥିବା ଧମନୀ ଅଣଓସାରିଆ ହୋଇଯାଏ । ତେଣୁ ଶିଶୁଟି ଗର୍ଭରେ ବଢି ପାରେ ନାହିଁ ଏବଂ ଗର୍ଭରେ ଶିଶୁର ମୃତ୍ୟୁ ବି ହୋଇଥାଏ । ଅପରପକ୍ଷରେ ଶିଶୁର ବିକଳାଙ୍ଗ ହେବାର ମଧ୍ୟ ଆଶଙ୍କା ଥାଏ । ପ୍ରସବ ସମୟରେ ଜରାୟୁର ଅସ୍ଵାଭାବିକ ସଂକୋଚନ ଓ ପ୍ରସାରଣ ହେତୁ, ସ୍ଵାଭାବିକ ପ୍ରସବ (ନର୍ମାଲ୍ ଡେଲିଭରି) ହୋଇ ନ ପାରି ସିଜରିଆନ୍ ସେକ୍‌ଶନ୍ ହୋଇଥାଏ । ଏହି କ୍ଷତ ଶୁଖିବାକୁ ଡେରି ହୋଇଥାଏ । ଏହାଛଡ଼ା ସଦ୍ୟ ପ୍ରସୂତିମାନେ ମଧ୍ୟ ଶିଶୁକୁ ଠିକ୍ ଭାବରେ ସ୍ତନ୍ୟପାନ କରାଇପାରି ନ ଥାନ୍ତି । ଶିଶୁ ଜନ୍ମପରେ ଶିଶୁକୁ କାଶ, ଶ୍ଵାସ, ଆଲର୍ଜି ଓ କ୍ରନିକ୍ ଛାତି ରୋଗ ହୋଇଥାଏ ।

ବୟସ୍; ଧୂମପାନ ଯୋଗୁ ବୟସ୍ ମହିଳାଙ୍କର ଆଣ୍ଠୁ, ଗଣ୍ଠି ବାତ ଏବଂ ରିୟୁମାଟଏଡ୍ ଆର୍ଥ୍ରାଇଟିସ୍ ବେଶି ହୁଏ । ଏମାନଙ୍କୁ ବେଶି ଚକ୍ଷୁପରଳ ବା କାଟ୍ରାକ୍ଟ ହୋଇଥାଏ । ଅଧିକ ଧୂମପାନ କରିବା ଦ୍ଵାରା ପାକସ୍ଥଳୀରେ ଘା’ ହୋଇଥାଏ ଏହି ମହିଳାମାନଙ୍କର କୌଣସି ଅପରେଶନ ହେଲେ ଶୀଘ୍ର କ୍ଷତର ଜଟିଳତା ଦେଖାଯାଏ ।

ଋତୁସ୍ରାବ ବିରତି ପରେ: ଯେଉଁ ମହିଳାମାନେ ମାସିକ ଋତୁସ୍ରାବର ବିରତିପରେ ଧୂମପାନ କରୁଥାନ୍ତି, ସେମାନେ ମାନସିକ ଅବସାଦ ଭୋଗିଥାନ୍ତି । ଏହା ଛଡା ପୁରୁଷମାନଙ୍କ ଭଳି ଏମାନେ ମଧ୍ୟ କାଶ, କ୍ରନିକ୍ ରେସ୍ପିରେଟୋରି ଡିଜିଜ୍, ଶ୍ଵାସ ହୃଦ ରୋଗ ଓ ଫୁସ୍ ଫୁସ୍ କର୍କଟ ରୋଗ ଭୋଗିଥାନ୍ତି । ମାସିକ ଋତୁସ୍ରାବ ପରେ ହେଉଥିବା ଜଟିଳତା ଏମାନଙ୍କର ଅଧିକ ପରିମାଣରେ ହୋଇଥାଏ, ଯଥା ଦେହରୁ ଝାଳ ବୋହିବା, ରାତିରେ ନିଦ ଭାଙ୍ଗିଯିବା, ମୂତ୍ର ସଂକ୍ରମଣ ଆଦି । ଏମାନଙ୍କର ହାଡ଼ ପୋରିଆ ରୋଗ ଖୁବ୍‌ଶୀଘ୍ର ହୋଇ ମନକୁ ମନ, ହାତ ଓ ଗୋଡ଼ ହାଡ଼ ଭାଙ୍ଗିଯାଏ ଓ ସେମାନେ ଅକର୍ମଣ୍ୟ ହୋଇପଡ଼ନ୍ତି । ଖଇନି ଓ ଧୂମପାନ ବ୍ୟବହାର କରୁଥିବା ମହିଳାଙ୍କର ଦୁର୍ବଳ ସ୍ଵାସ୍ଥ୍ୟ ସହ ଓଠ କଳା ପଡ଼ିଯାଏ, ମୁହଁର ଲାବଣ୍ୟ ଓ ଐଶ୍ଵର୍ଯ୍ୟ କମିଯାଏ । ସ୍ୱାସ୍ଥ୍ୟ ହାନି, ସୌନ୍ଦର୍ଯ୍ୟହାନି ସହ ମାନସିକ ଅବସାଦ ଆଦିର ଜଟିଳତା ବଢିଯାଏ । ଅନେକେ ଧୂମପାନକୁ ଏକ ଫ୍ୟାଶନ ଭାବେ ଆଦରି ନିଅନ୍ତି ତ ଆଉ କେତେକଙ୍କ ମନରେ ଏକ ଧାରଣା ଥାଏ ଯେ, ଜୀବନର ଦୁଃଖକୁ ସିଗାରେଟ୍ ଭଳି ଫୁଙ୍କି ଉଡ଼ାଇଦେବା ଖୁବ୍ ସହଜ । ହେଲେ ଅପରପକ୍ଷେ ସିଗାରେଟ୍ ଟି  ଜଳି ଜଳି ଲିଭି ଯାଇ ମୁଠାଏ ପାଉଁଶରେ ପରିଣତ ହେବାଭଳି ସେମାନଙ୍କ ଜୀବନ ମଧ୍ୟ ନିଃଶେଷ ହୋଇଯାଏ । ତେଣୁ ନିଜକୁ, ପରିବାରକୁ ଏବଂ ସର୍ବୋପରି ସମାଜକୁ ସୁସ୍ଥ ରଖବା ଲାଗି ଧୂମପାନଠାରୁ ଦୂରେଇ ରହିବା ଆବଶ୍ୟକ ।

ସଂଗୃହିତ:– ସରୋଜିନୀ ଷଡଙ୍ଗୀ, ସ୍ତ୍ରୀରୋଗ ଓ  ପ୍ରସୂତି ବିଶେଷଜ୍ଞ, ଲିଙ୍କ ରୋଡ, କଟକ,

Last Modified : 12/31/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate