ହୋମ / ସ୍ଵାସ୍ଥ୍ୟ / ମହିଳା ସ୍ଵାସ୍ଥ୍ୟ / ଗର୍ଭାବସ୍ଥାରେ ଡାଇବେଟିସ୍
ସେଆର କରନ୍ତୁ

ଗର୍ଭାବସ୍ଥାରେ ଡାଇବେଟିସ୍

ଗର୍ଭାବସ୍ଥାରେ ସମୟରେ ଡାଇବେଟିସ୍ ହେଲେ କିପରି ଚିହ୍ନଟ କରିବେ ସେ ସମ୍ବନ୍ଧିତ ସୂଚନା ।

ଗର୍ଭାବସ୍ଥାରେ ଡାଇବେଟିସ୍ କ’ଣ ?

ଡାଇବେଟିସ୍ ହେଉଛି ଉଚ୍ଚ ରକ୍ତ ଶର୍କରା ସ୍ତର (ହାଇ ବ୍ଲଡ୍ ସୁଗାର ଲେବୁଲ୍)ରେ ବିଶୃଙ୍ଖଳା। ଗର୍ଭାବସ୍ଥାରେଡାଇବେଟିସ୍ ହେଉଛି ଏହାର ଏକ ପ୍ରକାର। ଜଣେ ମହିଳା ଗର୍ଭବତୀ ହେଲା ପରେ ହିଁ ପ୍ରଥମ ଥର ପାଇଁ ତାଙ୍କ ଠାରେ ଏହି ପ୍ରକାର ଡାଇବେଟିସ୍ ଚିହ୍ନଟ କରାଯାଇଥାଏ। ସାଧାରଣତଃ ଗର୍ଭାବସ୍ଥାର ଦ୍ୱିତୀୟ ତ୍ରୟମାସରେ ମହିଳାମାନଙ୍କଠାରେ ଏହି ପ୍ରକାରର ଡାଇବେଟିସ୍ ଚିହ୍ନଟ କରାଯାଇଥାଏ। ଆମେ ଖାଉଥିବା ଖାଦ୍ୟରୁ ଶରୀର ଭିତରେ ତିଆରି ହୁଏ ଗ୍ଲୁକୋଜ୍। ସେହିଭଳି ପାନକ୍ରିଅସ (ଅଗ୍ନାଶୟ ଗ୍ରନ୍ଥି)ରୁ ଇନସ୍ୟୁଲିନ୍ ନାମକ ଏକ ହରମୋନ୍ କ୍ଷରଣ ହୋଇଥାଏ। ଏହି ଇନସ୍ୟୁଲିନ୍ ଗ୍ଲୁକୋଜକୁ ଶରୀରର କୋଷଗୁଡ଼ିକ ଭିତରକୁ ନେଇ ଯାଆନ୍ତି ଓ ସେଗୁଡ଼ିକୁ କାର୍ଯ୍ୟକ୍ଷମ କରାଇ ଥାଆନ୍ତି। ଫଳରେ ଶରୀରକୁ ଶକ୍ତି ମିଳିଥାଏ। ଯଦି କୌଣସି କାରଣରୁ ଶରୀରରୁ ଆବଶ୍ୟକ ଇନସ୍ୟୁଲିନ୍ କ୍ଷରଣ ହେବ ନାହିଁ ଅବା କୋଷଗୁଡ଼ିକ ଠିକ୍ ଭାବେ କାର୍ଯ୍ୟ କରିବେ ନାହିଁ ତା’ହେଲେ ଗ୍ଲୁକୋଜ୍ କୋଷଗୁଡ଼ିକ ଭିତରକୁ ପ୍ରବାହିତ ହେବ ନାହିଁ ଏବଂ ଏହା ରକ୍ତରେ ହିଁ ରହିଯିବ। ଗର୍ଭାବସ୍ଥାରେ ପ୍ଲାସେଣ୍ଟା ବା ଫୁଲ ହରମୋନ୍ ତିଆରି କରିଥାଏ। ସେହି ହରମୋନ୍ ଗର୍ଭବତୀ ମହିଳାଙ୍କ ଶରୀରରେ ଇନସ୍ୟୁଲିନର ପ୍ରଭାବକୁ ହ୍ରାସ କରି ଦିଏ। ତେଣୁ ଜଣେ ଗର୍ଭବତୀ ମହିଳା ତିନି ଗୁଣା ଇନସ୍ୟୁଲିନ୍ ଆବଶ୍ୟକ କରି ଥାଆନ୍ତି। ଗର୍ଭାବସ୍ଥାରେ ଯେତେବେଳେ ପାନକ୍ରିଅସ୍ ଆବଶ୍ୟକ ଇନସ୍ୟୁଲିନ୍ ପ୍ରସ୍ତୁତ କରିପାରେ ନାହିଁ ସେତେବେଳେ ରକ୍ତରେ ଶର୍କରାର ସ୍ତର ବଢ଼ିଯାଏ। ଫଳରେ ଗର୍ଭବତୀ ମହିଳା ଡାଇବେଟିସର ଶିକାର ହୁଅନ୍ତି ଓ ଏହାକୁ କୁହାଯାଏ ଗର୍ଭାବସ୍ଥାରେ ଡାଇବେଟିସ୍।

ଗର୍ଭାବସ୍ଥାରେ ଡାଇବେଟିସରେ ପୀଡ଼ିତ ଅଧିକାଂଶ ମହିଳା (ଯେଉଁମାନଙ୍କ ଠାରେ ଗର୍ଭବତୀ ହେବାର ୨୦ ରୁ ୨୪ ସପ୍ତାହ ପରେ ଡାଇବେଟିସ୍ ଚିହ୍ନଟ କରାଯାଇଥାଏ) ଶିଶୁ ଜନ୍ମ କଲା ପରେ ଓ ଶରୀରରୁ ପ୍ଲାସେଣ୍ଟା ବା ଫୁଲ ବାହାରିଗଲା ପରେ ଏଥିରୁ ମୁକ୍ତି ପାଇଥାଆନ୍ତି। କିନ୍ତୁ ଯେଉଁ ମହିଳାମାନଙ୍କଠାରେ ଗର୍ଭବତୀ ହେବାର ୨୦ ସପ୍ତାହ ମଧ୍ୟରେ ‘ଗର୍ଭାବସ୍ଥାରେ ଡାଇବେଟିସ୍’ ଚିହ୍ନଟ କରାଯାଇଥାଏ ସେମାନେ ପ୍ରସବ ପରେ ମଧ୍ୟ ଏହି ରୋଗରେ ପୀଡ଼ିତ ହୁଅନ୍ତି। ଗର୍ଭାବସ୍ଥାରେ ଡାଇବେଟିସରେ ପୀଡ଼ିତ ହୋଇଥିବା ମହିଳାମାନେ ଭବିଷ୍ୟତରେ ଗର୍ଭବତୀ ହେଲେ ପୁଣି ଥରେ ଏଥିରେ ପୀଡ଼ିତ ହେବାର ସମ୍ଭାବନା ଖୁବ୍ ଅଧିକ। ସେହିପରି ଯେଉଁ ମହିଳାମାନେ ଗର୍ଭାବସ୍ଥାରେ ଡାଇବେଟିସର ପୀଡ଼ିତ ହୋଇଥାଆନ୍ତି ସେମାନେ ୧୦ ରୁ ୨୦ ବର୍ଷ ପରେ ପୁଣି ଡାଇବେଟିସର ଶିକାର ହେବାର ସମ୍ଭାବନା ରହିଥାଏ।

ଡାଇବେଟିସର ଚିହ୍ନଟ କରିବେ କେମିତି

ସାଧାରଣତଃ ‘ଗର୍ଭାବସ୍ଥାରେ ଡାଇବେଟିସ’ର କୌଣସି ଲକ୍ଷଣ ଦେଖାଯାଏ ନାହିଁ। ତେଣୁ ଗର୍ଭାବସ୍ଥାର ୨୪ ରୁ ୨୮ ସପ୍ତାହ ମଧ୍ୟରେ ସମସ୍ତ ମହିଳା ଏକ ଗ୍ଲୁକୋଜ-ସ୍କ୍ରିନିଂ ଟେଷ୍ଟ୍ କରାଇ ନେବା ଉଚିତ୍। ତେବେ ଡାଇବେଟିସରେ ପୀଡ଼ିତ ହୋଇଥିବା ନେଇ କୌଣସି କାରଣରୁ ସନ୍ଦେହ ଉପୁଜିଲେ ଡାକ୍ତରଙ୍କ ସହିତ ପରାମର୍ଶ କରି ପ୍ରଥମ ପର୍ଯ୍ୟାୟରେ ଏହି ଟେଷ୍ଟ କରାଇ ନେବା ଉଚିତ୍। ଯଦି ଏହାର ଫଳାଫଳ ନେଗେଟିଭ୍ ଆସିବ, ତା’ହେଲେ ୨୪ ରୁ ୨୮ ସପ୍ତାହ ମଧ୍ୟରେ ପୁଣି ଥରେ ଗ୍ଲୁକୋଜ୍-ସ୍କ୍ରିନିଂ ଟେଷ୍ଟ କରାଇ ନେବା ଉଚିତ୍। ଏହି ଟେଷ୍ଟରେ ଯଦି ମହିଳା ‘ଗର୍ଭାବସ୍ଥାରେ ଡାଇବେଟିସ୍’ରେ ପୀଡ଼ିତ ଅଛନ୍ତି ବୋଲି ଜଣାପଡ଼େ ତା’ହେଲେ ତାଙ୍କର ଗ୍ଲୁକୋଜ ଟଲେରାନ୍ସ ଟେଷ୍ଟ୍ ବା ଜିଟିଟି କରାଯାଇଥାଏ। କୌଣସି ଗର୍ଭବତୀ ମହିଳାଙ୍କ ଶରୀରେ ଶର୍କରାର ସ୍ତର ଖୁବ ଅଧିକ ହୋଇଯାଇଥିଲେ ତାଙ୍କଠାରେ ଡାଇବେଟିସର ଲକ୍ଷଣଗୁଡ଼ିକ ଦେଖାଯାଇଥାଏ। ଏଭଳି କ୍ଷେତ୍ରରେ ଗର୍ଭବତୀ ମହିଳାମାନଙ୍କୁ ବାରମ୍ବାର ଶୋଷ ଓ ପରିସ୍ରା ଲାଗିବ। ସେମାନେ ହାଲିଆ ଅନୁଭବ କରିବେ, ଆଖିକୁ ଝାପସା ଦେଖାଯିବ, ବ୍ଲାଡର, ମୂତ୍ରନଳୀ ଓ ଚର୍ମରେ ଇନଫେକ୍ସନ ଦେଖାଯିବ।

‘ଗର୍ଭାବସ୍ଥାରେ ଡାଇବେଟିସ୍’ରେ କେଉଁ  ସବୁ ବିପଦ ?

  • ମା’ ପେଟରେ ପିଲା ଅଧିକ ବଡ଼ ହୋଇଯାଏ ଓ ପ୍ରସବ ସମୟରେ ସମସ୍ୟା ଦେଖାଯାଇଥାଏ। ମା’ ଶରୀର ଅତିରିକ୍ତ ଗ୍ଲୁକୋଜ ପ୍ଲାସେଣ୍ଟା ବା ଫୁଲ ଦେଇ ଛୁଆର ଶରୀର ମଧ୍ୟକୁ ପ୍ରବେଶ କରିଥାଏ ଏବଂ ଶିଶୁର ପାନକ୍ରିଅସରୁ ଅତ୍ୟଧିକ ଇନସ୍ୟୁଲିନ୍ କ୍ଷରଣ କରାଇବାକୁ ଉସୁକାଇ ଥାଏ। ଅତିରିକ୍ତ ଶର୍କରା ଓ ଇନସ୍ୟୁଲିନ୍ ଯୋଗୁଁ ଛୁଆର ଓଜନ ବଢ଼ିଯାଏ। ବିଶେଷକରି ଶିଶୁର ଉପରଭାଗର ଓଜନ ଅଧିକ ହୋଇଯାଏ। ପିଲାର ଓଜନ ଅଧିକ ହୋଇଗଲେ (୪ କେଜିରୁ ଅଧିକ ହୋଇଗଲେ) ପ୍ରସବ ବେଳେ ତା’ର କାନ୍ଧ ବାର୍ଥ କେନାଲରେ ଲାଖି ଯିବାର ଭୟ ରହିଛି। ସେମିତି ହେଲେ ଛୁଆ ଶରୀରରେ କ୍ଷତ ହୋଇପାରେ, ତା’ ହାଡ଼ରେ ଫ୍ରାକଚର୍ ବି ହୋଇପାରେ। ଖାଲି ସେତିକି ନୁହେଁ, ଏଥିଯୋଗୁ ବାର୍ଥ କେନାଲରେ ମଧ୍ୟ କ୍ଷତି ହୋଇପାରେ ଓ ପ୍ରସବ ପାଇଁ ଅସ୍ତ୍ରୋପଚାରର ଆବଶ୍ୟକତା ପଡ଼ିଥାଏ।
  • ଗର୍ଭାବସ୍ଥାର ପ୍ରଥମ ଦୁଇ ମାସ ମଧ୍ୟରେ ରକ୍ତରେ ଶର୍କରା ଅଂଶ ନିୟନ୍ତ୍ରଣରେ ନ ରହିଲେ ଛୁଆ ଶରୀରରେ ଜନ୍ମଜନିତ ତ୍ରୁଟି ପରିଲକ୍ଷିତ ହୋଇଥାଏ। ଗର୍ଭାବସ୍ଥାରେ ଡାଇବେଟିସ ନିୟନ୍ତ୍ରଣାଧୀନ ନ ରହିଲେ ନବଜାତ ଶିଶୁ ଜଣ୍ଡିସରେ ପୀଡ଼ିତ ହେବାର ସମ୍ଭାବନା ଅଧିକ ଥାଏ। ସେହିପରି ନିଶ୍ୱାସପ୍ରଶ୍ୱାସରେ ବି ଅସୁବିଧା ହୁଏ। ଜନ୍ମ ପରେ ଛୁଆର ରକ୍ତରେ ଗ୍ଲୁକୋଜର ପରିମାଣ ବହୁତ କମି ଯାଇପାରେ ବା ଛୁଆ ହାଇପୋଗ୍ଲିସେମିଆରେ ପୀଡ଼ିତ ହୋଇପାରେ। ମା’ପେଟରେ ଥିବା ବେଳେ ଶିଶୁର ପାନକ୍ରିଅସ୍ ବହୁତ ପରିମାଣରେ ଇନସ୍ୟୁଲିନ୍ କ୍ଷରଣ କରିଥାଏ। ମା’ର ରକ୍ତରେ ଗ୍ଲୁକୋଜର ସ୍ତର ଅଧିକ ରହିଲେ ପେଟରେ ଥିବା ଶିଶୁର ପାନକ୍ରିଅସରୁ ଇନସ୍ୟୁଲିନ୍ କ୍ଷରଣର ମାତ୍ରା ବଢ଼ିଯାଏ ଓ ପ୍ରସବ ପରେ ମଧ୍ୟ ଏହା ଜାରି ରହେ। ମା’ଠାରୁ ଶିଶୁର ଶରୀରକୁ ଗ୍ଲୁକୋଜର ପ୍ରବାହ ବନ୍ଦ ହୋଇଗଲେ ବି ବିପଦ ଥାଏ। ସେତେବେଳେ ଶିଶୁର ପାନକ୍ରିଅସରୁ କ୍ଷରଣ ହେଉଥିବା ମାତ୍ରାଧିକ ଇନସ୍ୟୁଲିନ୍ ତା’ ନିଜ ଶରୀରର ଗ୍ଲୁକୋଜର ସ୍ତରକୁ ଖୁବ୍ କମ୍ କରି ଦିଏ। ଏହା ଦ୍ୱାରା ଶିଶୁ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟାରେ ପଡ଼ିଯାଏ। ସେ କୋମାକୁ ଚାଲି ଯାଇପାରେ ଅବା ତା‘ର ବ୍ରେନ୍ ଡ୍ୟାମେଜ୍ ହୋଇଯାଇ ପାରେ।
  • ଶିଶୁ ପଲିସିଥେମିଆ (ରକ୍ତରେ ଲୋହିତ ରକ୍ତ କଣିକା ବଢ଼ିଯିବା) ଓ ହାଇପୋକ୍ୟାଲସେମିଆ (ରକ୍ତରେ କମ୍ କ୍ୟାଲସିୟମ)ରେ ପୀଡ଼ିତ ହେବାର ଆଶଙ୍କା ଥାଏ। ଛୁଆର ହୃଦ୍ ସ୍ପନ୍ଦନ ମଧ୍ୟ ପ୍ରଭାବିତ ହୋଇଥାଏ।

ଚିକିତ୍ସା

  • ଗର୍ଭାବସ୍ଥାରେ ଡାଇବେଟିସକୁ ପ୍ରତିରୋଧ କରିବା ତଥା ଏହାର ଚିକିତ୍ସା ପାଇଁ ସୁସ୍ଥ ଓ ସନ୍ତୁଳିତ ଖାଦ୍ୟ ନିୟମିତ ଖାଇବା ଆବଶ୍ୟକ। ଖାଦ୍ୟରେ ଶ୍ୱେତସାର, ପୃଷ୍ଟିସାର ଓ ସ୍ନେହସାରର ମାତ୍ରା ସନ୍ତୁଳିତ ରହିବା ଦରକାର। ଏଥିପାଇଁ ଜଣେ ପଞ୍ଜୀକୃତ ଡାଏଟିସିଆନଙ୍କ ପରାମର୍ଶ ନେବା ଉଚିତ୍।
  • ଦିନ ଭିତରେ ତିନୋଟି ଛୋଟ୍ ମିଲ୍ ଖାଇବା ଉଚିତ୍। ସେହିପରି ଦୁଇରୁ ଚାରି ଥର ସ୍ନାକ୍ସ ଖାଇବା ଉଚିତ୍। ରକ୍ତରେ ଶର୍କରାର ସ୍ତରକୁ ସ୍ୱାଭାବିକ ରଖିବା ପାଇଁ ଚକଲେଟ୍, ମିଠା, କେକ୍ ଓ ଥଣ୍ଡାପାନୀୟ ଆଦିରୁ ନିଜକୁ ଦୂରେଇ ରଖିବା ଉଚିତ୍।
  • ଗର୍ଭାବସ୍ଥାରେ ଡାଇବେଟିସରେ ପୀଡ଼ିତ ମହିଳାମାନେ ପ୍ରତିଦିନ ଅଧାଘଣ୍ଟା ଲେଖାଏଁ ଏରୋବିକ୍ ଆକ୍ଟିଭିଟି ଯେପରିକି ଚାଲିବା ଅବା ପହଁରିଲେ ଶର୍କରା ସ୍ତର ସ୍ୱାଭାବିକ ରଖିବାରେ ବେଶ ସହାୟକ ହୋଇଥାଏ।
  • ପ୍ରତିଦିନ ରକ୍ତରେ ଗ୍ଲୁକୋଜର ପରିମାଣକୁ ଯତ୍ନର ସହିତ ପରୀକ୍ଷା କରାଇବା ଉଚିତ୍। ଯଦି ସନ୍ତୁଳିତ ଖାଦ୍ୟ ଓ ବ୍ୟାୟାମ ସତ୍ତ୍ୱେ ଶରୀର ଶର୍କରା ଅଂଶ ସ୍ୱାଭାବିକ ନରହିଲେ ଇନସ୍ୟୁଲିନ୍ ଟ୍ରିଟମେଣ୍ଟ୍ ନେବା ଦରକାର। ଆଜିକାଲି ଡାକ୍ତରମାନେ କିଛି ଓରାଲ୍ ମେଡିସିନ୍ ସେବନ କରିବାକୁ ପରାମର୍ଶ ଦେଉଛନ୍ତି। କିନ୍ତୁ ଇନସ୍ୟୁଲିନ୍ ହେଉଛି ସବୁଠୁ ଭଲ ଓ ସୁରକ୍ଷିତ ଉପଲବ୍ଧ ବିକଳ୍ପ।

ପରୀକ୍ଷା

ଡାଇବେଟିସର ମାତ୍ରା ଅନୁସାରେ ଗର୍ଭାବସ୍ଥାର ଶେଷ ଦୁଇ ବା ତିନି ମାସ ଛୁଆର ଗତିବିଧି ଉପରେ ନଜର ରଖିବା ଜରୁରୀ। ଯଦି ଅନୁଭବ ହୁଏ ଯେ ପେଟ ଭିତରେ ଛୁଆଟି କମ୍ ଚଳଚଞ୍ଚଳ ରହିଛି ତା’ହେଲେ ଟିକେ ଅଧିକ ଯତ୍ନ ଆବଶ୍ୟକ।  ଯଦି ମା’ର ଶର୍କରା ସ୍ତର ନିୟନ୍ତ୍ରଣରେ ନଥିବ ତା’ହେଲେ ୩୨ ସପ୍ତାହ ପରଠାରୁ ଛୁଆର ହୃଦ ସ୍ପନ୍ଦନ ଉପରେ ନଜର ରଖିବାକୁ ହେବ। ଏହା ସହିତ ଶିଶୁର ଗ୍ରୋଥ୍ ଉପରେ ନଜର ରଖିବା ପାଇଁ ନିୟମିତ ବ୍ୟବଧାନରେ ଅଲଟ୍ରାସାଉଣ୍ଡ୍ କରିବାକୁ ପଡ଼ିବ। ଯଦି ମା’ର ଗର୍ଭାବସ୍ଥାରେ ଡାଇବେଟିସ୍ ନିୟନ୍ତ୍ରଣାଧୀନ ଥିବ ତା’ହେଲେ ୪୦ ସପ୍ତାହ ପର୍ଯ୍ୟନ୍ତ କୌଣସି ପ୍ରକାର ଅତିରିକ୍ତ ଟେଷ୍ଟର ଆବଶ୍ୟକତା ନାହିଁ। ପ୍ରସବ ତାରିଖ ପାଖେଇ ଆସିବା ସହିତ ଆଉ ଏକ ଅଲଟ୍ରାସାଉଣ୍ଡ ଆବଶ୍ୟକ ହୋଇପାରେ। ଏହା ଦ୍ୱାରା ମା’ର ପେଟ ଭିତରେ ଛୁଆର ଆକାର ସଂପର୍କରେ ଜାଣି ହେବ। ସେହି ଅନୁଯାୟୀ ନିର୍ଦ୍ଧାରିତ ତାରିଖ ପୂର୍ବରୁ ଅସ୍ତ୍ରୋପଚାର କରି ଛୁଆକୁ ପ୍ରସବ କରାଇବା ଆବଶ୍ୟକ ରହିଛି କି ନାହିଁ ତାହା ଜାଣି ହେବ।

ପ୍ରସବ ପରେବି ଡାଇବେଟିସ୍ ଜାରି ରହିବ କି ?

ଅଧିକାଂଶ ମହିଳାଙ୍କ କ୍ଷେତ୍ରରେ ଦେଖାଯାଇଛି ଯେ ପ୍ରସବ ପରେ ଆଉ ସେମାନେ ଡାଇବେଟିସରେ ପୀଡ଼ିତ ହୁଅନ୍ତି ନାହିଁ।  କିନ୍ତୁ ତିନି ଭାଗରୁ ଏକ ଭାଗ ମହିଳାଙ୍କଠାରେ ପ୍ରସବ ପରେ ମଧ୍ୟ ଡାଇବେଟିସ୍ ରହିବ। ଏଣୁ ପ୍ରସବର ୬ ରୁ ୧୨ ସପ୍ତାହ ପରେ ଗ୍ଲୁକୋଜ ଟେଷ୍ଟ୍ କରାଇ ନେବା ଦରକାର। ସେମାନେ ପ୍ରତିବର୍ଷ ମଧ୍ୟ ଏହି ପରୀକ୍ଷା କରି ପାରନ୍ତି।

ଆଧାର - ଓଡ଼ିଶା ରିପୋଟର

3.5
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top