ହୋମ / ସ୍ଵାସ୍ଥ୍ୟ / ମହିଳା ସ୍ଵାସ୍ଥ୍ୟ / ଗର୍ଭାଶୟରେ ଟ୍ୟୁମର
ସେଆର କରନ୍ତୁ

ଗର୍ଭାଶୟରେ ଟ୍ୟୁମର

ମହିଳାମାନଙ୍କ ଗର୍ଭାଶୟ ଭିତରେ ଅବା ବାହାରେ ମାଂସପିଣ୍ଡୁଳା ବଢ଼ିବାକୁ କୁହାଯାଏ ଗର୍ଭାଶୟରେ ଟ୍ୟୁମର୍।

ଗର୍ଭାଶୟରେ ଟ୍ୟୁମର ହେବାର କାରଣ

ମହିଳାମାନଙ୍କ ଗର୍ଭାଶୟ ଭିତରେ ଅବା ବାହାରେ ମାଂସପିଣ୍ଡୁଳା ବଢ଼ିବାକୁ କୁହାଯାଏ ଗର୍ଭାଶୟରେ ଟ୍ୟୁମର୍।ଏହା ନ-ନକ୍ୟାନସରିୟସ୍ ଅର୍ଥାତ୍ କ୍ୟାନସର ନୁହେଁ। ଏହି ମାଂସପିଣ୍ଡୁଳା ସାଧାରଣ ଗର୍ଭାଶୟ ମାଂସପେଶୀ କୋଷଗୁଡ଼ିକରୁ ବିକଶିତ ହୋଇଥାଏ। ଅସ୍ୱାଭାବିକ ଭାବେ ଏହି ମାଂସପିଣ୍ଡୁଳା ବଢ଼ିଥାଏ। କୋଷଗୁଡ଼ିକ ବଢ଼ି ବଢ଼ି ଟ୍ୟୁମରରେ ପରିଣତ ହୋଇଥାଏ ଯାହାକି କ୍ଷତିକାରକ ନୁହେଁ।

ଗର୍ଭାଶୟରେ ଟ୍ୟୁମର ଏକ ସାଧାରଣ କଥା। ଅନେକ ମହିଳା ଜୀବନକାଳରେ କେବେ ନା କେବେ ଏଥିରେ ପୀଡ଼ିତ ହୋଇଥାଆନ୍ତି। ଅଧିକାଂଶ ମହିଳାଙ୍କଠାରେ ହେଉଥିବା ଗର୍ଭାଶୟ ଟ୍ୟୁମର ବହୁତ ଛୋଟ। ସେଗୁଡ଼ିକ କୌଣସି କ୍ଷତି ପହଞ୍ଚାନ୍ତି ନାହିଁ। ଏପରିକି ଅନେକ କ୍ଷେତ୍ରରେ ମହିଳାମାନେ ଜାଣିପାରନ୍ତି ନାହିଁ ଯେ ସେମାନଙ୍କ ଗଭାୟଶୟରେ ଟ୍ୟୁମର ହୋଇଛି।

ଗର୍ଭାଶୟରେ ଟ୍ୟୁମର କାହିଁକି ହୁଏ, ତାହା କାହାରିକୁ ଜଣାନାହିଁ। ତେବେ ଏହି ଟ୍ୟୁମରଗୁଡ଼ିକର ବୃଦ୍ଧି ଏସଟ୍ରୋଜେନ୍ ନାମକ ଏକ ହରମୋନ୍ ଯୋଗୁ ହୋଇଥାଏ ଯାହାକି କେବଳ ମହିଳାମାନଙ୍କ ଶରୀରରେ ଥାଏ। ଝିଅଟିଏ ଯୌବନ ଅବସ୍ଥାରେ ନପହଞ୍ଚିଲା ପର୍ଯ୍ୟନ୍ତ ଗର୍ଭାଶୟ ଟ୍ୟୁମରରେ ପୀଡ଼ିତ ହୁଏ ନାହିଁ। ଏପରିକି ଯୌବନ ପ୍ରାପ୍ତି ପରେ ମଧ୍ୟ ଏଥିରେ ଶିକାର ହୁଏ ନାହିଁ। ସାଧାରଣତଃ ୩୦ ବର୍ଷ ପରେ ଯାଇ ମହିଳାମାନେ ଗର୍ଭାଶୟ ଟ୍ୟୁମରରେ ପୀଡ଼ିତ ହୁଅନ୍ତି। ତେବେ ମେନୋପଜ୍ ବା ମହିଳାମାନଙ୍କର ରଜଃ ନିବୃତ୍ତ ପରେ ଗର୍ଭାଶୟରେ ହୋଇଥିବା ଟ୍ୟୁମର ଆପେ ଆପେ ମିଳାଇ ଯାଏ। କାରଣ ମହିଳାମାନେ ଋତୁ ବିରତ ହେବା ପରେ ଏସଟ୍ରୋଜେନ୍ ହରମୋନର ସ୍ତର ହ୍ରାସ ପାଇଯାଏ।

  • ଯେଉଁ ମହିଳାମାନଙ୍କର ମାସିକ ଋତୁସ୍ରାବ ୧୦ ବର୍ଷରୁ କମ୍ ବୟସରେ ଆରମ୍ଭ ହୋଇଯାଇଥାଏ ସେମାନେ ଗର୍ଭାଶୟ ଟ୍ୟୁମରରେ ପୀଡ଼ିତ ହେବାର ଅଧିକ ସମ୍ଭାବନା ରହିଥାଏ।
  • ଯେଉଁ ମହିଳାମାନଙ୍କ ମା’ ଓ ଭଉଣୀମାନେ ଗର୍ଭାଶୟ ଟ୍ୟୁମରରେ ପୀଡ଼ିତ ହୋଇଥାଆନ୍ତି, ସେମାନଙ୍କଠାରେ ଗର୍ଭାଶୟ ଟ୍ୟୁମର ହେବାର ସମ୍ଭାବନା ରହିଥାଏ।
  • ଯେଉଁ ମହିଳାମାନେ ମା’ ହୋଇ ସାରିଛନ୍ତି ସେମାନଙ୍କ ଗର୍ଭାଶୟରେ ଟ୍ୟୁମର ହେବା ସମ୍ଭାବନା କମ୍।
  • ଗର୍ଭନିରୋଧିକ ବଟିକା ଖାଇଥିବା ମହିଳାମାନଙ୍କ କ୍ଷେତ୍ରରେ ଗର୍ଭାଶୟରେ ଟ୍ୟୁମର ହେବା ସମ୍ଭାବନା କମ୍।

ଟ୍ୟୁମରର ପ୍ରକାର

ସମସ୍ତ ପ୍ରକାରର ଗର୍ଭାଶୟ ଟ୍ୟୁମରଗୁଡ଼ିକର ସୃଷ୍ଟି ପ୍ରକ୍ରିୟା ସମାନ। ଏସବୁ ଅସ୍ୱାଭାବିକ ଗର୍ଭାଶୟ କୋଷରୁ ମାଂସପିଣ୍ଡୁଳା ଆକାରରେ ବଢ଼ି ଥାଆନ୍ତି। ତେବେ ଗର୍ଭାଶୟରେ ଟ୍ୟୁମରଗୁଡ଼ିକର ବୃଦ୍ଧିକୁ ନେଇ ସେଗୁଡ଼ିକୁ ଶ୍ରେଣୀଭୁକ୍ତ କରାଯାଇଛି।

  • ମାୟୋମେଟ୍ରିଆଲ ଟ୍ୟୁମରଗୁଡ଼ିକ ଗର୍ଭାଶୟର ମସକୁଲାର ୱାଲ୍ ବା ମାଂସପେଶୀ ଆସ୍ତରଣ ଉପରେ ବିକଶିତ ହୋଇଥାଏ। ଏହି ପ୍ରକାର ଟ୍ୟୁମର ବହୁଳ ଭାବେ ଦେଖାଯାଏ।
  • ସବମୁକୋସାଲ୍ ଟ୍ୟୁମର ଗର୍ଭାଶୟର ଆଭ୍ୟନ୍ତରୀଣ ପୃଷ୍ଠଭୂମିର ସାମାନ୍ୟ ତଳେ ବିକଶିତ ହୋଇଥାଅନ୍ତି। ଏହା ଦ୍ୱାରା ପ୍ରବଳ ରକ୍ତସ୍ରାବ ହୋଇଥାଏ।
  • ସବସେରୋସାଲ୍ ଟ୍ୟୁମର ଗର୍ଭାଶୟର ବାହାର ଆସ୍ତରଣରେ ହୋଇଥାଏ।
  • ପେଡୁନକୁଲେଟେଡ୍ ଟ୍ୟୁମର ସାଧାରଣତଃ ଗର୍ଭାଶୟ ବାହାରେ ବଢ଼ିଥାଏ।
  • ଗର୍ଭାଶୟରେ ହେଉଥିବା ଟ୍ୟୁମରଗୁଡ଼ିକର ଆକାର ବିଭିନ୍ନ ପ୍ରକାରର ହୋଇଥାଏ। ଅତି କ୍ଷୁଦ୍ରରୁ (ଯେଉଁଗୁଡ଼ିକୁ ମାଇକ୍ରୋସ୍କୋପିକ୍ ବୋଲି କୁହାଯାଏ) ୬ ରୁ ୭ ଇଞ୍ଚ୍ ପର୍ଯ୍ୟନ୍ତ ହୋଇଥାଆନ୍ତି ଏହି ଟ୍ୟୁମରଗୁଡ଼ିକ।

ଲକ୍ଷଣ

  • ଅଧିକାଂଶ କ୍ଷେତ୍ରରେ ଗର୍ଭାଶୟରେ ଟ୍ୟୁମରର ଆଦୌ କୌଣସି ଲକ୍ଷଣ ପରିଲକ୍ଷିତ ହୁଏ ନାହିଁ। ତେଣୁ ଅଧିକାଂଶ ମହିଳା ଜାଣିପାରନ୍ତି ନାହିଁ ଯେ ସେମାନଙ୍କ ଗର୍ଭାଶୟରେ ଟ୍ୟୁମର ହୋଇଛି। ଲକ୍ଷଣଗୁଡ଼ିକ ଟ୍ୟୁମରଗୁଡ଼ିକର ସଂଖ୍ୟା, ଆକାର ଓ ପ୍ରକାର ଉପରେ ନିର୍ଭର କରେ।
  • ତେବେ ଯେଉଁ କେତେକ ଲକ୍ଷଣ ମହିଳାମାନେ ଅନୁଭବ କରିପାରନ୍ତି, ସେଗୁଡ଼ିକ ମଧ୍ୟରେ ରହିଛି-
  • ମାସିକ ଋତୁସ୍ରାବ ସମୟ ଦୀର୍ଘ ହେବା ( ୭ ଦିନ ଅବା ତା’ଠାରୁ ଅଧିକ)
  • ମାସିକ ଋତୁସ୍ରାବ ସମୟରେ ମାତ୍ରାଧିକ ରକ୍ତସ୍ରାବ ହେବା
  • ପେଟ ପୂରିଲା ପୂରିଲା ଲାଗିବା
  • ପେଲଭିସ୍ ବା ତଳିପେଟରେ ଯନ୍ତ୍ରଣା
  • କୋଷ୍ଠକାଠିନ୍ୟ
  • ଯୌନସଂପର୍କ ବେଳେ କଷ୍ଟ ଅନୁଭବ କରିବା
  • କେତେକ ବିଶେଷଜ୍ଞ ବିଶ୍ୱାସ କରନ୍ତି ଯେ କିଛି ଗର୍ଭାଶୟ ଟ୍ୟୁମର ବେଳେ ବେଳେ ପ୍ରଜନନ ଏବଂ ଗର୍ଭବତୀ ହେବାରେ ବାଧା ଦିଅନ୍ତି। ତେବେ ଏହା ଅତି ବିରଳ।

ଚିହ୍ନଟ

  • ମଧ୍ୟମ ଏବଂ ବଡ଼ ଆକାରର ଗର୍ଭାଶୟ ଟ୍ୟୁମରଗୁଡ଼ିକୁ ଡାକ୍ତର ସହଜରେ ଜାଣିପାରନ୍ତି। ସାଧାରଣ ତଳି ପେଟ ପରୀକ୍ଷା ବେଳେ ଡାକ୍ତର ଏସଂପର୍କରେ ଜାଣିପାରନ୍ତି। ତେବେ ଗର୍ଭାଶୟରେ ଟ୍ୟୁମର ହେଇଥିବା ନେଇ ସ୍ପଷ୍ଟ କରିବା ପାଇଁ ଅଲଟ୍ରାସାଉଣ୍ଡ୍, ଏମଆରଆଇ ଓ ହିଷ୍ଟେରୋସ୍କୋପି ଆଦି କରାଯାଇଥାଏ।
  • ତେବେ ଗର୍ଭାଶୟରେ ଟ୍ୟୁମର ଚିହ୍ନଟ ପାଇଁ ସବୁ ମହିଳା କ୍ଷେତ୍ରରେ ଏହି ପରୀକ୍ଷାଗୁଡ଼ିକ ଲାଗୁ ହୋଇ ନ ଥାଏ। ଅଧିକାଂଶ ମହିଳାଙ୍କ କ୍ଷେତ୍ରରେ କେବଳ ତଳି ପେଟ ଯାଞ୍ଚ୍ ବା ଏକ ଅଲଟ୍ରାସାଉଣ୍ଡ୍ ଯଥେଷ୍ଟ ହୋଇଥାଏ।

ଗର୍ଭାଶୟରେ ଟ୍ୟୁମରର ଚିକିତ୍ସା

  • ଅଧିକାଂଶ ଗର୍ଭାଶୟ ଟ୍ୟୁମର ଚିକିତ୍ସା ଆବଶ୍ୟକ କରନ୍ତି ନାହିଁ। କାରଣ ସେଗୁଡ଼ିକ ଅନ୍ୟ କୌଣସି ରୋଗର ଲକ୍ଷଣ ହୁଅନ୍ତି ନାହିଁ କି ଶରୀରକୁ ହାନି ପହଞ୍ଚାନ୍ତି ନାହିଁ। ସମସ୍ୟା ସୃଷ୍ଟି କରୁଥିବା ଗର୍ଭାଶୟ ଟ୍ୟୁମରଗୁଡ଼ିକୁ ଔଷଧ ଅବା ଅସ୍ତ୍ରୋପଚାର କରି ଚିକିତ୍ସା କରାଯାଏ।
  • ଯେଉଁ ମହିଳାମାନେ ଅସ୍ତ୍ରୋପଚାର ପାଇଁ ଫିଟ୍ ନ ଥାଆନ୍ତି ସେମାନଙ୍କୁ ଔଷଧ ଖାଇବାକୁ ଦିଆଯାଏ ଓ ଟ୍ୟୁମର ଉପରେ ନିୟମିତ ନଜର ରଖାଯାଏ। ପୁଣି ଯେଉଁ ମହିଳାମାନେ ମେନୋପଜ୍ ବୟସ ପାଖାପାଖି ପହଞ୍ଚି ଯାଇଥାଆନ୍ତି ସେମାନଙ୍କଠାରେ ମଧ୍ୟ ଅସ୍ତ୍ରୋପଚାର କରାଯାଏ ନାହିଁ।
  • ସେହିଭଳି ବୟସ ଓ ପ୍ରଜନନ ଆଗ୍ରହକୁ ଦେଖି ଗର୍ଭାଶୟ ଟ୍ୟୁମର ପୀଡ଼ିତାଙ୍କ ଅସ୍ତ୍ରୋପଚାର କରାଯାଏ।

ଆଧାର - ଓଡ଼ିଶା ରିପୋର୍ଟ ବିୟୁରୋ

3.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top