ହୋମ / ସ୍ଵାସ୍ଥ୍ୟ / ମହିଳା ସ୍ଵାସ୍ଥ୍ୟ / ଋତୁସ୍ରାବରେ ସମସ୍ୟା
ସେଆର କରନ୍ତୁ

ଋତୁସ୍ରାବରେ ସମସ୍ୟା

ମାସିକ ଋତୁସ୍ରାବ ନାରୀ ଶରୀରର ଏକ ସ୍ଵାଭାବିକ ପ୍ରକ୍ରିୟା । ନାରୀ ଶରୀରରେ ଅନିୟମିତତା ଦେଖାଯିବା ଯୋଗୁଁ ସେମାନେ କେତେକ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି ।

ମାସିକ ଋତୁସ୍ରାବ

ମାସିକ ଋତୁସ୍ରାବ ନାରୀ ଶରୀରର ଏକ ସ୍ଵାଭାବିକ ପ୍ରକ୍ରିୟା । କେତେକଙ୍କ ଠାରେ ଏହାର ଅନିୟମିତତା ଦେଖାଯିବା ଯୋଗୁଁ ସେମାନେ କେତେକ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ଋତୁସ୍ରାବ ସମୟରେ ତଳିପେଟରେ ପୀଡ଼ା, ଅଧିକ ରକ୍ତସ୍ରାବ ତଥା ଯୌନାଙ୍ଗରୁ ଅସ୍ଵାଭାବିକ ସ୍ରାବ ଆଦି ଅନେକ ସମସ୍ୟା ଦେଖୁବାକୁ ମିଳେ । ଏହାର ଠିକ ସମୟରେ ଚିକିତ୍ସା ନିହାତି ଆବଶ୍ୟକ । ସାଧାରଣତଃ ଏଗାରରୁ ଚଉଦ ବର୍ଷ ବୟସ ମଧ୍ୟରେ ମାସିକ ଋତୁସ୍ରାବ ଆରମ୍ଭ ହୋଇଥାଏ ।

ଗର୍ଭାବସ୍ଥା ଏବଂ ସ୍ତନ୍ୟପାନ କରାଉଥିବା ଅବସ୍ଥାକୁ ଛାଡ଼ିଦେଲେ ଏହା ପ୍ରାୟ ନିଶ୍ଚିତ ସମୟରେ ହୋଇଥାଏ । ମାସିକ ଋତୁସ୍ରାବ ପ୍ରତି ୨୮ ଦିନରେ ଥରେ ହୁଏ । ଏହି ଚକ୍ରର ସମୟ ସମସ୍ତଙ୍କ ଠାରେ ସମାନ ହୋଇ ନଥାଏ । ତେଣୁ ଏହାର ୨୨ ରୁ ୩୫ ଦିନ ପର୍ଯ୍ୟନ୍ତ ଧରାଯାଇଥାଏ । ପ୍ରାୟତଃ ୧୦ ରୁ ୨୦ ଭାଗ ମହିଳାଙ୍କ ଠାରେ ଋତୁସ୍ରାବ ଜନିତ ସମସ୍ୟା ଦେଖାଯାଏ । ଏହି ସମସ୍ୟାକୁ ଚିକିତ୍ସା ଦ୍ଵାରା ଦୂର କରାଯାଇପାରେ । ମାତ୍ର ଅବହେଳା କଲେ ଏହା ଗୁରୁତ୍ଵର ହୋଇଥାଏ ।

ଚିକିତ୍ସା

ପ୍ରାୟ ୩୦ ଭାଗ କିଶୋରୀ ମାସିକ ଋତୁସ୍ରାବ ସମୟରେ ତଳି ପେଟରେ ପୀଡ଼ା ଅନୁଭବ କରନ୍ତି; ଯାହା ବର୍ଷ ବର୍ଷ ଲାଗିରହେ । ୨୦ ବର୍ଷ ହେବା ପରେ ବା ବିବାହ ପରେ ଏହା ଆପେ ଆପେ ଠିକ ହୋଇଯାଏ । ଅନେକ କ୍ଷେତ୍ରରେ ତଳି ପେଟର ବେଦନା ଅସହ୍ୟ ହୋଇଥାଏ । ଏହି କ୍ଷେତ୍ରରେ ନିୟମିତ ଔଷଧ ସେବନ କରିବାକୁ ପଡ଼ିଥାଏ ।

କିଶୋରୀ ଅବସ୍ଥାରେ ଅନ୍ୟ ଏକ ସମସ୍ୟା ହେଲା ସ୍ରାବ ଆରମ୍ଭ ହେବାର ବର୍ଷେ ଦୁଇ ବର୍ଷ ପର୍ଯ୍ୟନ୍ତ ଅତ୍ୟଧିକ ଋତୁସ୍ରାବ ହେବା । ଏହା ବଂଶଗତ ମଧ୍ୟ ହୋଇପାରେ । ଏପରି କ୍ଷେତ୍ରରେ ଚିକିତ୍ସକଙ୍କ ସହ ଯୋଗାଯୋଗ କରିବା ଉଚିତ୍ । ଏଥିପାଇଁ ସ୍ୱାସ୍ଥ୍ୟପରୀକ୍ଷା କରିବା  ସହିତ ଅଲଟ୍ରାସାଉଣ୍ଡ ମଧ୍ୟ କରିବାକୁ ପଡିଥାଏ ।

ତିନିରୁ ଛଅ ମାସ ପର୍ଯ୍ୟନ୍ତ ହରମୋନ ବଟିକା ଖାଇବା ଦ୍ଵାରା ଏହି ସମସ୍ୟା ଠିକ ହୋଇଥାଏ । ଚିକିତ୍ସାରେ ଅବହେଳା କଲେ ରୋଗୀ ରକ୍ତହୀନତାର ଶିକାର ହୁଏ । କେତେକ ଅବିବାହିତ ଝିଅଙ୍କ କ୍ଷେତ୍ରରେ ମାସିକ ସ୍ରାବ ୪୫ କିମ୍ବା ୬୦ ଦିନରେ ହୋଇଥାଏ । କେବେ କେବେ ୩-୪ ମାସ ବିଳମ୍ବରେ ମଧ୍ୟ ସ୍ରାବ ହୁଏ । ଏପରି ସମସ୍ୟା କିଛି ବର୍ଷ ଲାଗି ରହେ ଓ ବିବାହ ପରେ ଠିକ ହୋଇଯାଏ । ଏହା ଡିମ୍ବାଶୟରେ ଶୋଥ ହେବା କାରଣରୁ ହୋଇଥାଏ । ଡାକ୍ତରୀ ଭାଷାରେ ଏହାକୁ ପଲିସିଷ୍ଟିକ ଓଭାରୀ କୁହାଯାଏ । ଏହାର ନିଦାନ ରକ୍ତ ପରୀକ୍ଷା ତଥା ଅଲଟ୍ରାସାଉଣ୍ଡ ଦ୍ଵାରା କରାଯାଏ । ଏହାର ଚିକିତ୍ସା ପାଇଁ ୬ରୁ ୯ ମାସ ଯାଏ ନିୟମିତ ଔଷଧ ଖାଇବାକୁ ପଡ଼େ । ସମୟେ ସମୟେ ଔଷଧ ଖାଇବା ସତ୍ତେ ଏହା ଠିକ ହୁଏ ନାହିଁ । ତେଣୁ ବିବାହ ପରେ ମାଆ ହେବାର ସମସ୍ୟା ଉପୁଜିବ ବୋଲି ଅନେକ ଚିନ୍ତିତ ହୋଇପଡ଼ନ୍ତି । କିନ୍ତୁ ଏଥିରେ  ଚିନ୍ତା କରିବାର କୌଣସି କାରଣ ନାହିଁ । ବାହାଘର ପରେ ଏହା ଠିକ, ନହେଲେ ମଧ୍ୟ ଚିକିତ୍ସା ଦ୍ଵାରା ଗର୍ଭଧାରଣ ସମ୍ଭବ ହୋଇଥାଏ ଓ ଥରେ ଗର୍ଭବତୀ ହେବା ପରେ ଏହି ସମସ୍ୟା ଆଉ ରହେନାହିଁ ।

ସଂଗୃହିତ - ଡାକ୍ତର ମଧୁସ୍ତିତା ପ୍ରଧାନ, ସହକାରୀ ପ୍ରଫେସର, ସ୍ତ୍ରୀ ଓ ପ୍ରସ୍ତୁତି ବିଭାଗ,କଟକ

2.5
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top