ହୋମ / ସ୍ଵାସ୍ଥ୍ୟ / ମହିଳା ସ୍ଵାସ୍ଥ୍ୟ / ରକ୍ତହୀନତା ଓ ମହିଳା
ସେଆର କରନ୍ତୁ

ରକ୍ତହୀନତା ଓ ମହିଳା

ରକ୍ତହୀନତା ରୋଗର ପ୍ରଥମରୁ ଚିକିସ୍ଥା କରାଯାଇ ନପାରିଲେ ମଣିଷ ମୃତ୍ୟୁମୁଖକୁ ଟାଣି ହୋଇଯିବାର ସମ୍ଭାବନା ରହିଛି ।

ରକ୍ତହୀନତା

ସାଧାରଣତଃ ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳର ମହିଳାମାନେ ଅଧିକ ସଂଖ୍ୟାରେ ରକ୍ତହୀନତାର ଶିକାର ହୋଇଥାନ୍ତି । ତେବେ ଏହି ରକ୍ତହୀନତା ରୋଗର ପ୍ରଥମରୁ ଚିକିସ୍ଥା କରାଯାଇ ନପାରିଲେ ମଣିଷ ମୃତ୍ୟୁମୁଖକୁ ଟାଣି ହୋଇଯିବାର ସମ୍ଭାବନା ରହିଛି । ଏଥିପାଇଁ ବେଳହୁଁ ସତର୍କତା ଅବଲମ୍ବନ କରିବାର ଯଥାର୍ଥତା ରହିଛି । ତେବେ ରକ୍ତହୀନତା କ’ଣ ଏବଂ ଏହି ରୋଗର ଉପଚାର ସମ୍ପର୍କରେ ଆସନ୍ତୁ ଜାଣିବା ।

ଇଂରାଜୀରେ ଗୋଟିଏ ପ୍ରବାଦ ରହିଛି ପ୍ରିଭେନଶନ, ଇଜ୍ ବେଟର ଦ୍ୟାନ କିଓର । ତା’ର ଭାବାର୍ଥ ହେଲା ଚିକିତ୍ସା ଦ୍ଵାରା ରୋଗ ମୁକ୍ତ ହେବା ଅପେକ୍ଷା ରୋଗ ନିବାରଣ କରିବା ଭଲ । ଶିକ୍ଷିତା ନାରୀ ସ୍ଵାସ୍ଥ୍ୟ ପ୍ରତି ସଚେତନ ହୋଇ ବିଭିନ୍ନ ସ୍ଵାସ୍ଥ୍ୟଧର୍ମୀ ପତ୍ରିକା ପଢ଼ି ତଦନୁସାରେ ନିଜ ସ୍ୱାସ୍ଥ୍ୟର ଯତ୍ନ ନେବା

ବେଶ୍ ଜାଣିପାରୁଛି । ଗ୍ରାମାଞ୍ଚଳରେ ଅଶିକ୍ଷିତ ତଥା ନିରକ୍ଷର ମହିଳାମାନେ ଅଜ୍ଞତାର ବଶବର୍ତ୍ତୀ ହୋଇ ସ୍ଵାସ୍ଥ୍ୟ ପ୍ରତି ଧ୍ୟାନ ଦେଉନାହାନ୍ତି । ପୁଷ୍ଟିକର ଖାଦ୍ୟ ଅଭାବରେ ଅନେକ ଗ୍ରାମ୍ୟ ମହିଳା ରକ୍ତହୀନତାର ଶିକାର ହୋଇ ଅକାଳରେ ପ୍ରାଣ ହରାଉଛନ୍ତି । ଓଡ଼ିଶାରେ ରକ୍ତହୀନତାର ମୃତ୍ୟୁହାର ସର୍ବାଧିକ ବୋଲି ଅନୁସନ୍ଧାନରୁ ଜଣାପଡ଼ିଛି । ଏଣୁ ଏହା ଏକ ଉଦବେଗର ବିଷୟ ଭାବେ ଦେଖାଦେଇଛି ।

ଲକ୍ଷଣ

ଶରୀରରେ ରକ୍ତର ପରିମାଣ କମ୍ ହେଲେ ନିମ୍ନଲିଖୁତ ଲକ୍ଷଣମାନ ପ୍ରକାଶ ପାଇଥାଏ । ଏଥିପ୍ରତି ଯତ୍ନବାନ ହେବାର ଆବଶ୍ୟକତା ରହିଛି ।

  • ରକ୍ତହୀନତାରେ ବ୍ୟକ୍ତି ଅଧିକ ଦୁର୍ବଳ ଅନୁଭବ କରେ । ସାମାନ୍ୟ ପରିଶ୍ରମ କଲେ ତାକୁ ଥକ୍କା ଲାଗେ । ଆଳସ୍ୟ ଏବଂ ନିରୁସାହ ସର୍ବଦା ଲାଗିରହେ । କୌଣସି କାମରେ ମନ ଲାଗେନି ।
  • ରୋଗୀ ସବୁବେଳେ ବିଛଣାରେ ପଡ଼ିରହିବାକୁ ପସନ୍ଦ କରେ । ଭୋକ ଲାଗେ ନାହିଁ କିମ୍ବା କମ୍ ଭୋକ ହୁଏ । ଖାଦ୍ୟ ଭଲଭାବେ ଜୀର୍ଣ୍ଣ ହୁଏନାହିଁ ।
  • ପେଟ ସବୁବେଳେ ଓଜନିଆ ଲାଗେ । କୋଷ୍ଠକାଠିନ୍ୟ ଲାଗି ରହେ ।
  • ରକ୍ତହୀନତା ହେତୁ ବ୍ୟକ୍ତିକୁ ଚିଡ଼ିଚିଡ଼ା ଲାଗେ । ତା’ର ସ୍ମରଣ ଶକ୍ତି ମଧ କମିଯାଏ
  • ଶରୀର ହଳଦିଆ ଦେଖାଯାଏ । ମୁଣ୍ଡ ବୁଲାଏ, ଆଖି ଆଗରେ ଝାପସା ଦେଖାଯାଏ ।
  • ରକ୍ତଚାପ କମ ହୋଇଯିବାର ଲକ୍ଷଣ ମଧ୍ୟ ପରିଲକ୍ଷିତ ହୁଏ ।
  • ରୋଗ ବୃଦ୍ଧି ପାଇବା ଅବସ୍ଥାରେ ଓଠ, ଜିଭ, ନଖ ଆଦି ଧଳା ଦେଖାଯାଏ ।
  • ଶରୀରରେ ତଥା ଗୋଡ଼ ହାତରେ ଯନ୍ତ୍ରଣା ଲାଗିରହେ । ଏହାଦ୍ଵାରା ମାସିକ ଋତୁସ୍ରାବ ମଧ୍ୟ କମିଯାଏ । ଏମିତି ପରିସ୍ଥିତିରେ ଗର୍ଭଧାରଣ କଲେ ଶିଶୁ ଦୁର୍ବଳ ହୋଇପଡ଼େ ।

    ଶରୀରରେ ରକ୍ତ କମିଯିବାର କାରଣ

ରକ୍ତସ୍ରାବ

ଖଣ୍ଡିଆ ହେଲେ, କଟିଗଲେ,ଅପରେସନ୍ କିମ୍ବା ଅନ୍ୟ କୌଣସି କାରଣରୁ ଶରୀରରୁ ଯେବେ ଅଧିକ ରକ୍ତ ନିର୍ଗତ ହୁଏ, ତେବେ ଶରୀରରେ ରକ୍ତହୀନତା ଦେଖାଦିଏ ।

ଅନ୍ତଃକୃମିର କାରଣ

ଗ୍ରାମ୍ୟ ମହିଳାମାନେ ଖାଲି ପାଦରେ ସବୁବେଳେ ଆତଯାତ ହୁଅନ୍ତି । ପାଦରେ କୃମି ପେଟକୁ ଯାଇ ରକ୍ତଶୋଷଣ କଲେ ରକ୍ତହୀନତା  ଦେଖାଦିଏ । ସେହିପରି ଏମିତି କେତୋଟି ରୋଗ ଅଛି ଯାହା ଦ୍ଵାରା ଶରୀରୁ ରକ୍ତ ବାହାରି ଯାଏ । ମଳକଣ୍ଟକ, ଆମାଶୟ, ବ୍ରଣ ଆଦି ।

କୁପୋଷଣ

ପୂର୍ଣ୍ଣଭାବେ ପୌଷ୍ଟିକ ଖାଦ୍ୟ ନ ମିଳିବା, ଖାଦ୍ୟରେ ସବୁଜ ପନିପରିବାର ଅଭାବ, ଫଳ ଓ କ୍ଷୀରର ଆବଶ୍ୟକତାକୁ ପୂରଣ କରି ନପାରିଲେ ରକ୍ତାଳ୍ପତା ହୁଏ । ଏହାବ୍ୟତୀତ ଆଣ୍ଟିବାୟୋଟିକ ଔଷଧ ସେବନର ଆଧିକ୍ୟ ହେତୁ ଲାଲ ରକ୍ତକଣିକା ତିଆରି ପାଇଁ ଅସୁବିଧା ଉପୁଜେ । ଭୋଜ୍ୟ ପଦାର୍ଥ ଭିତରୁ ଲୌହ ଭିଟାମିନ୍ସ ଆଦିର ଅଭାବରେ ମଧ୍ୟ ରକ୍ତହୀନତା ଦେଖାଦିଏ । ପୂର୍ଣ୍ଣ ଭାବେ ବିକଶିତ ହୋଇ ନଥିବା ଶରୀରକୁ ଗର୍ଭଧାରଣର ବୋଝ, ମାସିକ ଋତୁସ୍ରାବରେ ଅତ୍ୟଧିକ ରକ୍ତକ୍ଷରଣ, ବାରମ୍ବାର ଗର୍ଭଧାରଣ ମଧ୍ୟ ଅନ୍ୟ ସବୁ କାରଣ ବୋଲି ଜଣାପଡ଼ିଛି ।

ରକ୍ତହୀନତାଜନିତ ରୋଗ

ଯଦି ସମୟ ଆଗରୁ ରକ୍ତହୀନତା ପ୍ରତି ଧାନ ଦିଆ ନ ଯାଏ ଅଥବା ଠିକ୍ ସମୟରେ ଚିକିତ୍ସା ନ କଲେ ଅନେକ ପ୍ରକାର ରୋଗ ବଢ଼ି ଚାଲେ । ଶରୀର ହଳଦିଆ ହୋଇପଡ଼େ, ଏବଂ ରୋଗୀ ଶକ୍ତିହୀନ ହୋଇ ବିଛଣାରେ ପଡ଼ିରହେ । କାମଳ ଓ ଜଳୋଦର ରୋଗ ମଧ୍ୟ ଗ୍ରାସ କରେ । ଏହା ବେଳେ ବେଳେ ଏମିତି ବିକଟାଳ ରୂପ ଧାରଣ କରେ ଯେ ରୋଗୀ ମୃତ୍ୟୁମୁଖରେ ପଡ଼େ । ଗର୍ଭାବସ୍ଥାରେ ରକ୍ତହୀନତା ମା’ ଓ ଶିଶୁ ଦୁହିଁଙ୍କ ସ୍ଵାସ୍ଥ୍ୟ ଉଦବେଗଜନକ ହୋଇପଡ଼େ । ଏଣୁ ରକ୍ତହୀନତାକୁ ସାମାନ୍ୟ ରୋଗ ନ ଭାବି ତୁରନ୍ତ ଏହାର ଚିକିତ୍ସା କରାଇନେବା ଉଚିତ ।

ରକ୍ତହୀନତାର ଚିକିସ୍ଥା

ଏହା ଦୂର କରିବା ପାଇଁ ଡାକ୍ତରଙ୍କ ପରାମର୍ଶରେ ଲୌହ ଏବଂ ଭିଟାମିନଯୁକ୍ତ ଖାଦ୍ୟ ପରିପୂର୍ଣ୍ଣ ଭାବରେ ଗ୍ରହଣ କରିବା ଉଚିତ । ଖାଦ୍ୟରେ ସବୁଜ ପନିପରିବା, ବିଭିନ୍ନ ପ୍ରକାର ଶାଗ, ଯଥା – ପାଳଙ୍ଗ, ଖଡ଼ାଶାଗ, ଧନିଆପତ୍ର, ଫଳ ଭିତରେ କଦଳୀ, ସେଓ, ଅଙ୍ଗୁର, ଅଁଳା, ଗାଜର, ଟମାଟୋ, ଅମୃତଭଣ୍ଡା ଓ କ୍ଷୀର ମଧ୍ୟ ପ୍ରଚୁର ମାତ୍ରାରେ ଗ୍ରହଣ କରିବା ଜରୁରୀ । ଚୋକଡ଼ ମିଶ୍ରିତ ରୁଟି, ବଗଡ଼ା ଭାତ ଖାଇବା ବିଧେୟ । ସକାଳେ ସନ୍ଧ୍ୟାରେ ଖୋଲାପବନ ସେବନ କରିବା ଭଲ । ଡାକ୍ତରଙ୍କ ପରାମର୍ଶରେ ଔଷଧ ସେବନ କଲେ ଆଗକୁ ଭୟ ରହିବ ନାହିଁ । ଶରୀର ସାମାନ୍ୟ କ୍ଲାନ୍ତି ଅନୁଭବ କଲେ, ତୁରନ୍ତ ଡ଼ାକ୍ତରଙ୍କ ପରାମର୍ଶ କରିବା ଆବଶ୍ୟକ । କାରଣ ରକ୍ତହୀନତା ଯୋଗୁଁ ଶରୀର ଶକ୍ତି ନପାଇ ଅବଶ ହୋଇପଡ଼େ ।

ସଂଗୃହିତ: ଡାକ୍ତର କାନ୍ତି ନାୟକ, ସିଟି ହସପିଟାଲ, କଟକ

2.5
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top