ସେଆର କରନ୍ତୁ

ସ୍ତନ କର୍କଟ

ନାରୀର ସ୍ତନ ଶରୀରର ଏକ ଗୁରୁତ୍ଵପୂର୍ଣ୍ଣ ପ୍ରତ୍ୟଙ୍ଗ ହୋଇଥିବାରୁ ଏହାର ଯତ୍ନ ନେବା ନିହାତି ବାଞ୍ଛନୀୟ ।

ଉପକ୍ରମ

ମଣିଷ ଓ ଅନ୍ୟ ପ୍ରତ୍ୟେକ ସ୍ତନ୍ୟପାୟୀ ପ୍ରାଣୀଙ୍କର ସ୍ତନ ନିଜ ଶିଶୁକୁ କ୍ଷୀରପାନ କରାଇବା ପାଇଁ ଉଦ୍ଦିଷ୍ଟ । କିନ୍ତୁ ମଣିଷ କ୍ଷେତ୍ରରେ ଏହାର କିଛି ବ୍ୟତିକ୍ରମ ରହିଛି । ନାରୀର ସ୍ତନ ମୁଖ୍ୟତଃ ଶିଶୁକୁ କ୍ଷୀରପାନ କରାଇବା ପାଇଁ ଉଦ୍ଦିଷ୍ଟ ହେଲେ ହେଁ ଏହା ନାରୀର ସୌନ୍ଦର୍ଯ୍ୟ ବୃଦ୍ଧି, ଯୌନ ଆକର୍ଷଣ, ଯୌନ ଉତ୍ତେଜନା ଓ ଯୌନ ପରିତୃପ୍ତିରେ ମଧ୍ୟ ବିଶେଷ ଭାବରେ ସାହାଯ୍ୟ କରେ । ଏଣୁ ନାରୀର ସ୍ତନ ଶରୀରର ଏକ ଗୁରୁତ୍ଵପୂର୍ଣ୍ଣ ପ୍ରତ୍ୟଙ୍ଗ ହୋଇଥିବାରୁ ଏହାର ଯତ୍ନ ନେବା ନିହାତି ବାଞ୍ଛନୀୟ ।

ଜନ୍ମଠାରୁ ହିଁ ନାରୀର ସ୍ତନ ତା’ର ରୂପ ନେଇଥାଏ । ଏହା ଧୀରେ ଧୀରେ ବୃଦ୍ଧିପ୍ରାପ୍ତ ହୁଏ । ତେବେ ପ୍ରଥମ ମାସିକ ଋତୁସ୍ରାବ ଆରମ୍ଭ ହେବାର କିଛିଦିନ ପୂର୍ବରୁ ସ୍ତନାଗ୍ର (nipple) ଓ ସ୍ତନାଗ୍ରର ଚତୁଃପାର୍ଶ୍ଵ(areola)ର ଆକାର ବଦଳିବାକୁ ଆରମ୍ଭ କରେ । ନାରୀ ଦେହରୁ ବାହାରୁଥିବା ହର୍ ମୋନ୍ ଦ୍ଵାରା ହିଁ ଏହା  ସମ୍ଭବ ହୁଏ ।

ବର୍ତ୍ତମାନ ଆଧୁନିକ ଯୁଗରେ ସ୍ତ୍ରୀ ଲୋକମାନଙ୍କ ପାଇଁ ସ୍ତନ କର୍କଟ ଏକ ସାଧାରଣ ରୋଗ । ପ୍ରାକ୍ ସୂଚନା ମିଳିଲେ ଏହି ରୋଗ ସମ୍ପୁର୍ଣ୍ଣରୂପେ ଆରୋଗ୍ୟଲାଭ ହୋଇ ପାରେ । ସ୍ତନରେ କର୍କଟ ରୋଗର ଆଭାସ ପାଇଲେ ଯେକୌଣସି ମହିଳା ଭୟଭୀତ ହେବା ସ୍ଵାଭାବିକ । କାରଣ ଏହି ରୋଗ ରୋଗୀ ସହ ତା’ର ପରିବାରକୁ ମଧ୍ୟ ଅନ୍ତର୍ଦହନ ପୀଡରେ ପୀଡିତ କରିଥାଏ । ଏଣୁ ପରିବାରର କେହି ସ୍ତନ କର୍କଟ ରୋଗରେ ପୀଡିତ ହେଲେ ରୋଗୀ ନିଜେ ଏବଂ ତା’ର ପରିବାର ବର୍ଗ ଏହି ରୋଗ ବିଷୟରେ ସମ୍ୟକ ଜ୍ଞାନ ଆହରଣ କରିବା ନିତାନ୍ତ ଜରୁରୀ । ନ ହେଲେ ଏହା ସମସ୍ତଙ୍କ ମନରେ ଭୟ ଓ ଭ୍ରାନ୍ତ ଧାରଣା ସୃଷ୍ଟି କରିବ । ଏଇଥି ପାଇଁ ଆମକୁ କ୍ୟାନସର ବା କର୍କଟ ରୋଗକୁ ସମ୍ପୂର୍ଣ୍ଣରୂପେ ଆରୋଗ୍ୟ କରିବା ସହ ମନରେ ଉପୁଜୁଥିବା ଭ୍ରାନ୍ତ ଓ ଭ୍ରମ ଧାରଣାକୁ ଦୂର କରିବାକୁ ହେବ । ଏବେ ଆଧୁନିକ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ ଆମକୁ କର୍କଟ ରୋଗ ଆରୋଗ୍ୟ ପାଇଁ ବହୁ ତଥ୍ୟ ଯୋଗାଇ ଦେଇଛି । ଗତ ଦୁଇ ଦଶନ୍ଧି ଧରି ଉପରୋକ୍ତ ଚିକିତ୍ସା ପ୍ରଣାଳୀ ଦ୍ଵାରା ବହୁ କର୍କଟ ରୋଗୀ ଆରୋଗ୍ୟଲାଭ କରିଛନ୍ତି; ମାତ୍ର ଦୁର୍ଭାଗ୍ୟ ଯେ ସ୍ତନ କର୍କଟ ରୋଗ ଉପରେ ଚିକିତ୍ସକମାନେ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ହାସଲ କରିପାରିନାହାଁନ୍ତି । ଏହି ରୋଗ ବିଷୟରେ ପ୍ରକୃତ ତଥ୍ୟ ଆହରଣ, ବିଭିନ୍ନ ଚିକିତ୍ସା ବିଧି, ସମୟାନୁବର୍ତ୍ତିତା ଓ ପାର୍ଶ୍ଵ ପ୍ରତିକ୍ରିୟା ଇତ୍ୟାଦି ରୋଗର ସମ୍ପୂର୍ଣ୍ଣ ନିରାକରଣ ପାଇଁ ପ୍ରତିବନ୍ଧକ ସୃଷ୍ଟି କରୁଛି ।

ସାଧାରଣତଃ ଚିକିତ୍ସକମାନଙ୍କର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ଭିତରୁ ସମୟ ବାହାର କରି ରୋଗୀର ବ୍ୟଥା, ଯନ୍ତ୍ରଣା ଉପଶମ କରିବା ପାଇଁ ଖୁବ୍ କମ୍ ସମୟ ପାଇଥାଆନ୍ତି । ଏଣୁ ଏହି ପୁସ୍ତକରେ ଲିଖିତ ବିଷୟବସ୍ତୁ ସ୍ତନ କର୍କଟ ରୋଗର ଲକ୍ଷଣ, ଚିକିତ୍ସା, ପରବର୍ତ୍ତୀ ଆଚରଣ ବିଧି, ରୋଗୀକୁ କର୍କଟମୁକ୍ତ କରି ସୁଖମୟ ଜୀବନଯାପନ କରିବା ପାଇଁ ଉଦ୍ଦିଷ୍ଟ ।

ନାରୀର ସାଧାରଣ ସ୍ତନ ବିଭିନ୍ନ ଭାଗରେ ବିଭକ୍ତ । ଯାହାକୁ ଲୋବ୍ୟୁଲସ୍(Lobules) କୁହାଯାଏ । ଏହି ଲୋବ୍ୟୁଲସ୍ ଗୁଡିକ ସମଷ୍ଟିଗତ ଭାବେ  ସ୍ତନର ଉପରିଭାଗକୁ ମସୃଣ କରିଥାନ୍ତି । ଲୋବ୍ୟୁଲସ୍ ନିର୍ଗତ ଲସା କ୍ଷୀର ଇତ୍ୟାଦି ସ୍ତନର ଅଗ୍ରଭାଗ (nipple) ଦେଇ ନିର୍ଗତ ହୁଏ । ସମୟେ ସମୟେ ଉଭୟ ସ୍ତନ ମଧ୍ୟରେ ସାଧାରଣ ବ୍ୟତିକ୍ରମରେ ଉପୁଜିଥିବା ପ୍ରତିକ୍ରିୟା ଦ୍ଵାରା ଛୋଟ ଛୋଟ ଚାଉଳ ଦାନା ପରି ଅନୁଭୂତ ହୁଏ । ଏହି ପ୍ରତିକ୍ରିୟା ଯନ୍ତ୍ରଣା ସହିତ କିମ୍ବା ଯନ୍ତ୍ରଣାବିହୀନ ହୋଇଥାଏ । କିନ୍ତୁ ସମୟାନୁକ୍ରମେ ଏହା ଆପେ ଆପେ ଉଭେଇଯାଏ । ଏଣୁ ଏଥିରେ ଭୟ କରିବାର କିଛି  କାରଣ ନାହିଁ । ସ୍ତନର ଆକାର ଓ ପରିପୁଷ୍ଟତା ନାରୀର ମାସିକ ଧର୍ମ ଅନୁସାରେ ପରିବର୍ତ୍ତନ  ହୁଏ । ମାସିକ ଧର୍ମ (ଋତୁସ୍ରାବ ) ସମୟରେ ସାଧାରଣ ସ୍ତନରେ ସ୍ପର୍ଶକାତରତା ଓ ଆକାରରେ ପରିବର୍ତ୍ତନ ସହ ମହମସଦୃଶ ଲାସା ନିର୍ଗତ ହେବା ସ୍ଵାଭାବିକ । ବୟସ ବୃଦ୍ଧି ସଙ୍ଗେ ସଙ୍ଗେ ସ୍ତନର ଉପରିଭାଗ ଚର୍ମ କୁଞ୍ଚିତ ହୋଇଥାଏ । ଲାସା ନିର୍ଗତ ସମୟ ପୂର୍ବରୁ କିମ୍ବା ପରେ ବହୁ ନାରୀଙ୍କ ସ୍ତନ ଭିତରେ ଗୋଟାଳି(Lump)ଭଳି ଅନୁଭୂତ ହୁଏ । ଏହାକୁ ଆଦୌ ଅବହେଳା କରିବା ଉଚିତ୍ ନୁହେଁ । କାଖ ତଳେ ଥିବା ଗ୍ରନ୍ଥିକୁ ଏହାର ପ୍ରଭାବିତ କରିପାରେ । ଏହି ପ୍ରଭାବରେ କର୍କଟ କୋଷ ଗୁଡିକ କାଖ ତଳେଥିବା ଗ୍ରନ୍ଥିରେ ଆବଦ୍ଧ ହୋଇ ବର୍ଦ୍ଧିତ ହେଲେ ସ୍ତନ କର୍କଟ ରୋଗ ହୋଇଛି ବୋଲି ପୂରା ଜଣାପଡେ ।

ମଣିଷ ଶରୀର ସହସ୍ର ସହସ୍ର କୋଟି କ୍ଷୁଦ୍ର ‘କୋଷ’ ରେ ପରିପୂର୍ଣ୍ଣ । ସାଧାରଣଭାବେ ମଣିଷ ଶରୀରରେ ପ୍ରତ୍ୟେକ ଦିନ ଯେତିକି କୋଷ ନଷ୍ଟ ହୁଅନ୍ତି ସେତିକି କୋଷ ଆପେ ଆପେ ସୃଷ୍ଟି ହୋଇଥାଆନ୍ତି । କୌଣସି କାରଣରୁ ଏହି ପ୍ରକ୍ରିୟାରେ ବାଧା ସୃଷ୍ଟିହେଲେ ଶରୀରର ଯେକୌଣସି ଜାଗାରେ ଅର୍ବୃଦ ବା ଟିଉମର ସୃଷ୍ଟି ହୁଏ । ଏହି ଟିଉମର(Lump) ସାଧାରଣ କିମ୍ବା ଘାତକ ହୋଇପାରେ । ସାଧାରଣ ଟିଉମର ଶରୀର ଅନ୍ୟ ଅଙ୍ଗ ପ୍ରତ୍ୟଙ୍ଗକୁ ବ୍ୟାପେ ନାହିଁ ; ମାତ୍ର ଘାତକ ଟିଉମର (malignant tumor) ଯାହାର ନାମ କ୍ୟାନସର ଶରୀରର ଅନ୍ୟ ଅଂଶକୁ କଙ୍କଡା ଭଳି ମାଡିଯାଏ । ଏହି ପ୍ରକ୍ରିୟାଦ୍ଵାରା କ୍ଷତିଗ୍ରସ୍ତ ହୋଇଥିବା କୋଷଗୁଡିକ ଗୋଟିକରୁ ଶରୀରର ଅନ୍ୟ ଜାଗାରେ ପହଞ୍ଚି ଶରୀରର ରୋଗ ନିରୋଧକ କୋଷଗୁଡିକୁ ମାରିବା ଦ୍ଵାରା ରୋଗ ନିରୋଧକ ଶକ୍ତି ହ୍ରାସ କରାଏ ଏବଂ ସେଠାରେ ଖୋସା ତିଆରି କରି ଏକାଧିକ ଟିଉମର ବା  ଅର୍ବୃଦ (metastasis) ସୃଷ୍ଟି କରିଥାନ୍ତି । ଏହି ଲସିକା ଗ୍ରନ୍ଥି ବା ରକ୍ତ ଶୀରା ଭିତରେ ଦୂର ଜାଗାକୁ ଯାଏ ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଟିଉମର ଗୋଟିଏ ଲାଟିନ୍ ଶବ୍ଦ । ଯାହାର ଅର୍ଥ ଆବୁ । ସ୍ତନରେ ଯେକୌଣସି ବୟସରେ ଟିଉମର ବା ଆବୁ ହୋଇପାରେ । ଏଣୁ ପ୍ରତ୍ୟେକ ମହିଳା ସ୍ତନର ଯତ୍ନ ନେବା ଉଚିତ । ବିଶେଷତଃ ୩୦ ବର୍ଷରୁ ଊର୍ଦ୍ଧ୍ଵ ମହିଳାମାନେ ସ୍ତନର ଯତ୍ନ ସମ୍ବନ୍ଧୀୟ ଚିକିତ୍ସା ବିଧି ନିଜର ଚିକିତ୍ସକଙ୍କ ଠାରୁ ବୁଝିନେବା ଉଚିତ୍ । ସ୍ତନ ଭିତରେ ଯେକୌଣସି ସମୟରେ ଯଦି ମାଂସପେଶୀ ଗୋଟାଳି ପରି ଟାଣ ଅନୁଭୂତ ହୁଏ, ତାକୁ ନା ଅବହେଳା କରନ୍ତୁ ନା ଭୟଭୀତ ହୁଅନ୍ତୁ । ଏ ବିଷୟରେ ଆପଣଙ୍କର ନିକଟତମ ବାନ୍ଧବୀ କିମ୍ବା ଆପଣଙ୍କର ଚିକିତ୍ସକଙ୍କୁ ଜଣାନ୍ତୁ ।

ସର୍ଭେକ୍ଷଣରୁ ଜଣାଯାଏ, ପ୍ରତି ୧୦ଟି ଟିଉମରରୁ ଗୋଟିଏ ମାତ୍ର କର୍କଟ ରୋଗାକ୍ରାନ୍ତ ହୋଇଥାଏ । ଏହା ମଧ୍ୟ ହୋଇପାରେ, ଉକ୍ତ ଗୋଟାଳିଟି କ୍ୟାନସର ନ ହୋଇପାରେ । ଏଣୁ ଭୟଭୀତ ହେବା ଉଚିତ୍ ନୁହେଁ।

ସ୍ତନ କର୍କଟ ରୋଗୀ ସହ ବସବାସ  କରିବା କିମ୍ବା ତା’ ସହ ମିଶି କାର୍ଯ୍ୟ କରିବା ଦ୍ଵାରା ଏହି ରୋଗ ଅନ୍ୟ ଲୋକର ଶରୀରକୁ ପ୍ରବେଶ  କରେ ନାହିଁ ।

କର୍କଟ ରୋଗ ଶରୀରର ଯେକୌଣସି ଅଙ୍ଗରେ ହୋଇପାରେ । ସାଧାରଣତଃ ଶରୀରର ନିମ୍ନଲିଖିତ ଅଙ୍ଗଗୁଡିକରେ କର୍କଟ ରୋଗ ହେବାର ଅଧିକ ସମ୍ଭାବନା ଥାଏ ।

  1. ମୁଖ ଗହ୍ଵର
  2. ଗଳା (neck)
  3. ଫୁସ୍ ଫୁସ୍ (lungs)
  4. ଯକୃତ (lever)
  5. ଜରାୟୁ ମୁଖ
  6. ଖାଦ୍ୟବାହୀ ନଳୀ (gastrointestinal)
  7. ଲିଙ୍ଗ/ଯୋନି (genitourinary)
  8. ଅସ୍ଥି (bone)
  9. ନରମ ଗ୍ରନ୍ଥି (soft tissue)
  10. ଅସ୍ଥି ଓ ରକ୍ତ ।

କାରଣ

ସ୍ତନ କର୍କଟ ରୋଗର ଉତ୍ପତ୍ତି ବିଷୟରେ ଏପର୍ଯ୍ୟନ୍ତ ପୂର୍ଣ୍ଣାଙ୍ଗ ତଥ୍ୟ ମିଳିପାରି ନାହିଁ  । କିନ୍ତୁ ନିମ୍ନଲିଖିତ ଉଦାହରଣ ଦ୍ଵାରା ପ୍ରଭାବିତ ମହିଳାମାନଙ୍କ ପାଇଁ ଏହା ଉଦ୍ ବେଗର କାରଣ ଅଟେ ।

  1. ଯେଉଁ ମହିଳାମାନଙ୍କର ପୂର୍ବଜମାନଙ୍କର ଯଥା ମାଆ, ଜେଜେମାଆ,ଭଉଣୀମାନେ ସ୍ତନ କର୍କଟ ରୋଗରେ ପୀଡିତ ଥାଆନ୍ତି ।
  2. ଯେଉଁ ମହିଳାମାନଙ୍କର ଗୋଟିଏ ସ୍ତନରେ କର୍କଟ ରୋଗ ହୋଇଥାଏ ।
  3. ଯେଉଁ ମହିଳାମାନଙ୍କର ବିଳମ୍ବରେ ସନ୍ତାନ ପ୍ରସବ ହୁଏ ।
  4. ଯେଉଁ ମହିଳାମାନେ ନିଃସନ୍ତାନ ଥାଆନ୍ତି ।
  5. ଯେଉଁମାନଙ୍କର ମାସିକ ଧର୍ମ କମ୍ ବୟସରୁ ଆରମ୍ଭ ହୁଏ ।
  6. ଯେଉଁମାନଙ୍କର ବିଳମ୍ବରେ ଋତୁସ୍ରାବ ବନ୍ଦ ହୋଇଯାଏ ।

ଏତଦ୍ ବ୍ୟତୀତ ଗର୍ଭ ନିରୋଧକ ବଟିକା  ଖାଇବା ଦ୍ଵାରା ସ୍ତନ କର୍କଟ ରୋଗ ହେବାର ଏପର୍ଯ୍ୟନ୍ତ କୌଣସି ନିଜର ନାହିଁ । ଯେଉଁ ମହିଳାମାନେ ନିଜର ସନ୍ତାନମାନଙ୍କୁ ଏକ ବର୍ଷରୁ ଊର୍ଦ୍ଧ୍ଵ ନିଜର ସ୍ତନ୍ୟପାନ କରାନ୍ତି, ସେମାନଙ୍କର ସ୍ତନ କର୍କଟ ରୋଗ ହେବାର ଆଶଙ୍କା କମ୍ ଥାଏ । ଅତ୍ୟଧିକ ମୋଟା  ସ୍ତ୍ରୀ ଲୋକମାନଙ୍କର ଋତୁସ୍ରାବ ବନ୍ଦ ହେବାପରେ ସ୍ତନ କର୍କଟ ରୋଗ ହେବାର ସମ୍ଭାବନା  ମଧ୍ୟ ଥାଏ ।

ସ୍ତନ ସାଧାରଣତଃ ହାତକୁ ନରମ ଲାଗିଥାଏ; ମାତ୍ର ସ୍ତନ ଭିତରେ ଗୋଟାଳି ପରି ବା ଟାଣ ଅନୁଭବ କରିବା ସ୍ତନ କର୍କଟ ରୋଗର ପ୍ରାକ୍ ସୂଚନା । ସ୍ତନ କର୍କଟ ରୋଗ ଯନ୍ତ୍ରଣାବିହୀନ । ବିଶେଷ ଭାବରେ ନିମ୍ନଲିଖିତ ଅନୁଭବ ଗୁଡିକ ସ୍ତନ କର୍କଟ ରୋଗର ଲକ୍ଷଣ ।

  • ଯନ୍ତ୍ରଣାବିହୀନ ହାତକୁ ଟାଣ ଲାଗୁଥିବା ଗ୍ରନ୍ଥି ବା ଗୋଟାଳି ।
  • ସ୍ତନର କୌଣସି ଅଂଶ ଫୁଲିବା ।
  • ସ୍ତନର ଉପରିଭାଗର ମସୃଣତା କମିଯିବା ।
  • ସ୍ତନର ଅଗ୍ରଭାଗ ଯାହାକୁ ସ୍ତନର ଭୁଣ୍ଡି ବୋଲି କହୁ, ସେଥିରେ ଘାଆ ହେବା, ସେଥିରୁ ଲାସା ନିର୍ଗତ ହେବା ଓ ପରିଶେଷରେ ରକ୍ତ ବାହାରିବା ।
  • କାଖତଳର ଗ୍ରନ୍ଥି ବିନା ଯନ୍ତ୍ରଣାରେ ଫୁଲିବା ସ୍ତନ କର୍କଟ ରୋଗର ଶେଷ ପର୍ଯ୍ୟାୟ ।

ନିରୂପଣ

କୌଣସି ମହିଳା ସ୍ତନ ଭିତରେ ଗୋଟାଳି ପରି ଟାଣ ଅନୁଭବ କରି ଚିକିତ୍ସା ନିମିତ୍ତ ଡାକ୍ତରଙ୍କ ପାଖକୁ ଗଲେ ପ୍ରଥମେ ଡାକ୍ତର, ସ୍ତନକୁ ଭଲଭାବେ ପରୀକ୍ଷା କରନ୍ତି । ପ୍ରଥମତଃ ଏହା କ୍ୟାନସର କି ନୁହେଁ, ଡାକ୍ତରଙ୍କ ପକ୍ଷରେ କହିବା କଷ୍ଟସାଧ୍ୟ କଥା । ଏଣୁ ବିଭିନ୍ନ ପଦ୍ଧତି ପ୍ରୟୋଗ କରି ଗ୍ରନ୍ଥି(Lump)କୁ ପରୀକ୍ଷା କରନ୍ତି । ଲକ୍ଷଣରୁ ଅନୁମାନ କରାଯାଇପାରେ । ସେଗୁଡିକ ହେଲା-

ସୂକ୍ଷ୍ମ ଛୁଞ୍ଚି ଦ୍ଵାରା ଗୋଟାଳିରୁ ରକ୍ତ ନେଇ ପରୀକ୍ଷା କରିବା ବା Fine Needle Aspiration Cytology (FNAC) ପଦ୍ଧତି ଅନୁସାରେ ସୂକ୍ଷ୍ମ ଛୁଞ୍ଚି ଦ୍ଵାରା ଗୋଟାଳିରୁ କେତେକ ରୋଗାକ୍ରାନ୍ତ କୋଷନେଇ ତାହାକୁ ଅଣୁବୀକ୍ଷଣ ଯନ୍ତ୍ର ସାହାଯ୍ୟରେ ପରୀକ୍ଷା କରାଯାଏ ।

Biopsy ଏ ପଦ୍ଧତିରେ ଆକ୍ରାନ୍ତ ସ୍ଥାନରେ ଇଞ୍ଜେକ୍ସନ ଦେଇ ଗୋଦରା କରାଯାଏ । ତା’ ପରେ ସେଠାରୁ ଅପେକ୍ଷାକୃତ ମୋଟା ଛୁଞ୍ଚି ସାହାଯ୍ୟରେ ମାଂସ ନେଇ ପରୀକ୍ଷା କରାଯାଏ । ଏଥିପାଇଁ ସ୍ତନର ଏକ କ୍ଷୁଦ୍ର ଅଂଶକୁ କାଟି ଏକ ଛିଦ୍ର କରିବାକୁ ପଡିଥାଏ । ଏହି ପଦ୍ଧତିଦ୍ଵାରା ସଠିକ୍ ବିବରଣୀ ନ ମିଳିଲେ ଅପରେସନ କରି ପୂରା ଗୋଟାଳି (Lump)ଟିକୁ ବାହାର କରାଯାଇ ପରୀକ୍ଷା କରାଯାଏ । ସେତେବେଳେ ରୋଗୀକୁ ନିଶ୍ଚେତକ ଇଂଜେକ୍ସନ୍ ଦେଇ ଅଚେତ୍ କରାଯାଇଥାଏ । ଏତବ୍ୟତିତ ସ୍ତନ କର୍କଟ ରୋଗର ଚିକିତ୍ସା ପାଇଁ ଡାକ୍ତର, ରୋଗୀ ଓ ତାଙ୍କର ନିକଟ ସମ୍ପର୍କୀୟଙ୍କ ସହିତ ଚିକିତ୍ସା ପଦ୍ଧତି, ଔଷଧ ସେବନ ଏବଂ ଅପରେସନ ପରବର୍ତ୍ତୀ ଯତ୍ନ ବିଷୟରେ  ଆଲୋଚନା କରି ସ୍ଥିର କରନ୍ତି ।

Mammography  ସ୍ତନ କର୍କଟ ନିରୂପଣ କରିବା ପାଇଁ ଏହା ଏକ ସ୍ଵତନ୍ତ୍ର ପଦ୍ଧତି । ଏହି ପରୀକ୍ଷା ଦ୍ଵାରା କର୍କଟ ରୋଗରେ କୌଣସି ଅନିୟମିତତା କିମ୍ବା ରୋଗଟି ଅନ୍ୟ ସ୍ତନକୁ ବ୍ୟାପିଛି କି ନାହିଁ  ଜାଣି ହୋଇଯାଏ । ଏହି ପରୀକ୍ଷା ପାଇଁ ସ୍ତନ ଦୁଇଟିକୁ ସାମାନ୍ୟଭାବେ ଚାପି ରଖି କାଖ x-ray କରାଯାଏ । ଏହା କଲାବେଳେ ରୋଗୀ ସାମାନ୍ୟ କଷ୍ଟ ଅନୁଭବ କରିଥାଏ । ଆବଶ୍ୟକ ସ୍ଥଳେ mammography ସହ ସ୍ତନର sonography ମଧ୍ୟ କରାଯାଏ । ପରିଶେଷରେ ଚିକିତ୍ସକ ଚାହିଁଲେ ରୋଗୀକୁ ଅଚେତ କରି ଗୋଟାଳି ବା ଟିଉମରକୁ ସମ୍ପୂର୍ଣ୍ଣ ବାହାର କରି ନିଦାନ ବିଭାଗକୁ ପରୀକ୍ଷା ପାଇଁ ପଠାଇଥାନ୍ତି । ଏହାକୁ Frozen section examination କୁହାଯାଏ । ରିପୋର୍ଟ  ପାଇଲା ପରେ ପୂରା ଅପରେସନ୍ କରାଯାଏ ।

ରୋଗ ନିରୂପଣ ପାଇଁ ଆବଶ୍ୟକ ପଡିଲେ ଚିକିତ୍ସକ ଛାଡି x-ray, ତଳିପେଟର sonography, Bone scan ପରି ପରୀକ୍ଷା କରିପାରନ୍ତି । ଏହାଦ୍ୱାରା କର୍କଟ ରୋଗ ଅନ୍ୟ ଅଙ୍ଗପ୍ରତ୍ୟଙ୍ଗକୁ ବ୍ୟାପିଛି କି ନାହିଁ ତାହା ଜଣାପଡେ।

ସ୍ତନ କର୍କଟ ରୋଗ ଚାରି ଭାଗରେ ବିଭକ୍ତ । କିନ୍ତୁ ଚିକିତ୍ସା ପାଇଁ ନିମ୍ନଲିଖିତ ତିନୋଟି ଭାଗ ବ୍ୟବହୃତ ହୁଏ ।

  1. ପ୍ରାକ୍ କାଳୀନ ସ୍ତନ କର୍କଟ :
  2. ଏହି ଅବସ୍ଥାରେ ସ୍ତନରେ ଗୋଟାଳି (Lump)ର ଅନୁଭବ ଓ କାଖତଳେ ଗ୍ରନ୍ଥିର ଫୁଲିବା ଅନୁଭୂତ ହୁଏ । ଏହି ସମୟରେ ଚିକିତ୍ସା କାଲେ ସ୍ତନ କର୍କଟ ରୋଗକୁ ଆରୋଗ୍ୟ କରିବା ଓ ସ୍ତନକୁ ସୁରକ୍ଷା କରିବା ସହଜସାଧ୍ୟ ହୋଇଥାଏ। ଅପରେସନ (Surgery) ଦ୍ଵାରା ଏହି ଚିକିତ୍ସା କରାଯାଏ । ଏହାପରେ ହରମୋନଥେରାପି, କେମୋଥେରାପି ଓ ରେଡିଓଥେରାପି ମଧ୍ୟ ଦରକାର ପଡିପାରେ ।

  3. ସୀମିତ ପରିସୀମା ଭିତରେ ବର୍ଦ୍ଧିତ ସ୍ତନ କର୍କଟ : (Localy Advanced Breast Cancer)
  4. ଯେଉଁଠାରେ ସ୍ତନ କର୍କଟ ରୋଗ ଉଗ୍ର ଆକାର ଧାରଣ କରିଥାଏ; ମାତ୍ର ଏହା ସ୍ତନ ମଧ୍ୟରେ ସୀମିତ ଥାଏ, ଏହାର ଚିକିତ୍ସା ପାଇଁ ଚିକିତ୍ସକ କେମୋଥେରାପି ବ୍ୟବହାର କରି ପରେ ଶଲ୍ୟ ଚିକିତ୍ସା (ଅପରେସନ୍) କରିଥାନ୍ତି । ହରମୋନଥେରାପି ଏବଂ ରେଡିଓଥେରାପି ଏ କ୍ଷେତ୍ରରେ ଅପରିହାର୍ଯ୍ୟ ।

  5. ମେଟାଷ୍ଟାଟିକ୍ ସ୍ତନ କର୍କଟ ରୋଗ (Metastatic Breast Cancer)
  6. ଏ ଅବସ୍ଥାରେ କର୍କଟ ରୋଗ ସ୍ତନ ବାହାରେ ଅନ୍ୟ ଅଙ୍ଗକୁ ଆକ୍ରାନ୍ତ କରିଥାଏ ଓ ଏଭଳି କର୍କଟ ରୋଗ ସମ୍ପୂର୍ଣ୍ଣ  ରୂପେ ଆରୋଗ୍ୟ ହେବା ସମ୍ଭବ ନ ହେଲେ ମଧ୍ୟ ଏହାକୁ ବହୁଦିନ ପର୍ଯ୍ୟନ୍ତ ନିୟନ୍ତ୍ରଣ କରାଯାଇପାରେ । ଚିକିତ୍ସା ପରେ ରୋଗୀ  ସାଧାରଣ ଜୀବନ ଯାପନ କରିବା ପାଇଁ ପଥ ପରିଷ୍କାର ହୋଇଯାଏ । ଏଥିରେ ଚିକିତ୍ସା ପଦ୍ଧତିରେ ହରମୋନଥେରାପି, କେମୋଥେରାପି ଓ ରେଡିଓଥେରାପି ମଧ୍ୟ କରାଯାଏ; ମାତ୍ର ଶଲ୍ୟ ଚିକିତ୍ସା (ଅପରେସନ୍) ଦ୍ଵାରା ରୋଗୀକୁ ଆରୋଗ୍ୟ କରିବା ସମ୍ଭବପର ହୁଏ ନାହିଁ ।

ସ୍ତନ କର୍କଟ ରୋଗର ବିଭିନ୍ନ ଚିକିତ୍ସା ପ୍ରଣାଳୀ

ସ୍ତନ କର୍କଟ ରୋଗର ଚିକିତ୍ସା ପୂର୍ବରୁ ଚିକିତ୍ସକଙ୍କୁ ସାବଧାନତାର ସହ ରୋଗର ବ୍ୟାପକତା, ସ୍ଥିତି ଓ ଉପଯୁକ୍ତ ଚିକିତ୍ସା ପ୍ରଣାଳୀ ଏବଂ ରୋଗୀର ମତାମତକୁ ଗୁରୁତ୍ଵ ଦେଇଥାଆନ୍ତି । ଏଣୁ ଏକାପ୍ରକାର ସ୍ତନ  କର୍କଟ ରୋଗରେ ପୀଡିତ ଦୁଇଟି ରୋଗୀଙ୍କୁ ଚିକିତ୍ସକ ଭିନ୍ନ ଭିନ୍ନ ପ୍ରଣାଳୀରେ ଚିକିତ୍ସା କରିପାରନ୍ତି । ସଂପ୍ରତି ଆରମ୍ଭ ଏହି ଚିକିତ୍ସା ପ୍ରଣାଳୀ ମଧ୍ୟରୁ ନିମ୍ନଲିଖିତ ଚାରୋଟି ଚିକିତ୍ସା ପ୍ରଣାଳୀ ବିଷୟରେ ଆଲୋଚନା କରିବା । ଏହି ଚାରୋଟି ପ୍ରଣାଳୀ ରୋଗୀକୁ ସମ୍ପୂର୍ଣ୍ଣ ଆରୋଗ୍ୟ କରିବା ସଙ୍ଗେ ସଙ୍ଗେ ପରବର୍ତ୍ତୀ ଜୀବନରେ ସୁଖ ସ୍ଵାଚ୍ଛନ୍ଦ ଦେବା ପାଇଁ ଉଦ୍ଦିଷ୍ଟ ।

  1. ଶଲ୍ୟ ଚିକିତ୍ସା
  2. ରେଡିଓଥେରାପି
  3. ହରମୋନଥେରାପି
  4. କେମୋଥେରାପି

ଉପରୋକ୍ତ ପ୍ରଣାଳୀ ଗୁଡିକ ପ୍ରୟୋଗଦ୍ଵାରା ଯେ ଶରୀରକୁ କର୍କଟ ରୋଗ ପୂରାପୂରିଭାବେ ନିରାକରଣ ହୋଇପାରିବ, ଏକଥା କହିବା ଅସମ୍ଭବ; ମାତ୍ର ଏହାଦ୍ୱାରା ବହୁକ୍ଷେତ୍ରରେ କର୍କଟ ରୋଗକୁ ନିୟନ୍ତ୍ରଣାଧୀନ କରି ରୋଗୀର ପରବର୍ତ୍ତୀ ଜୀବନକୁ ସରଳ ଓ ଆରାମଦାୟକ କରିବାରେ ସାହାଯ୍ୟ କରୁଛି । ଅନ୍ୟ ରୋଗ ବ୍ୟତିରେକ କର୍କଟ ରୋଗ ବିଶେଷ ଭାବରେ ରୋଗର ସ୍ଥିତି,ବୟସ, ନିଦାନ ଏବଂ ଆର୍ଥିକ ସ୍ଵଚ୍ଛଳତା ଉପରେ ନିର୍ଭର କରେ । ଚିକିତ୍ସା ପୂର୍ବରୁ ପ୍ରତ୍ୟେକ ରୋଗୀ, ଶଲ୍ୟ ଚିକିତ୍ସା କେମୋଥେରାପି କିମ୍ବା ରେଡିୟଥେରାପି ବିଷୟରେ ନିଜର ଚିକିତ୍ସକ କିମ୍ବା ତାଲିମପ୍ରାପ୍ତ ନର୍ସମାନଙ୍କଠାରୁ  ବିଶେଷ ବିବରଣୀ ଜାଣିରଖିବା ଉଚିତ । ମନରେ ଯେକୌଣସି ସନ୍ଦେହ ଉପୁଜିଲେ ନିଜଆଡୁ ରୋଗୀ, ନିଜର ଚିକିତ୍ସକଙ୍କଠାରୁ ସନ୍ଦେହ ଦୂର କରିବା ଉଚିତ୍ ।

ପୂର୍ବରୁ ଏପର୍ଯ୍ୟନ୍ତ ଯେତେ କର୍କଟ ରୋଗୀଙ୍କୁ ଚିକିତ୍ସା କରାଯାଇଛି, ସମସ୍ତେ ସଂପୂର୍ଣ୍ଣ ଆରୋଗ୍ୟଲାଭ କରିନାହାନ୍ତି । ଏଣୁ ଅହୋରାତ୍ର ଚିକିତ୍ସକ, ଚିକିତ୍ସାବିଜ୍ଞାନୀ, ରସାୟନବିତ୍ , କର୍କଟବିତ୍ ,ନିଦନାବିଭାଗ, କର୍କଟ ରୋଗର ସଂପୂର୍ଣ୍ଣ ନିରାକରଣ ପାଇଁ ଗବେଷଣାରତ । ଆଜିର କର୍କଟ ରୋଗର ଚିକିତ୍ସା ପ୍ରଣାଳୀ, ତାହା ବିଗତ ଦିନର କର୍କଟ ରୋଗୀଙ୍କ ଉପରେ ହୋଇଥିବା ଗବେଷଣାର ଫଳ । ଏଣୁ କର୍କଟ ରୋଗୀକୁ ଚିକିତ୍ସା କଲାବେଳେ ଚିକିତ୍ସକଙ୍କ ମନରେ ସ୍ଵତଃପ୍ରବୃତ୍ତ ଗବେଷଣା କରିବାର ଇଚ୍ଛା ପ୍ରକଟିତ ହୋଇଥାଏ । ଏଥିପାଇଁ କିନ୍ତୁ ରୋଗୀର ସହମତି ଆବଶ୍ୟକ । ରୋଗୀ ବିଚାରବନ୍ତ ହୋଇ ଚିକିତ୍ସକଙ୍କୁ ତାଙ୍କ ଶରୀରରେ ଥିବା କର୍କଟ ରୋଗ ଉପରେ ଗବେଷଣା କରିବା ପାଇଁ ଅନୁମତି ଦେବା ପୂର୍ବରୁ, ଗବେଷଣାର ପଦ୍ଧତି,ତା’ର ପାର୍ଶ୍ଵ ପ୍ରତିକ୍ରିୟା ଓ ଭବିଷ୍ୟତ ପ୍ରତିକ୍ରିୟା ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ଚିକିତ୍ସକଙ୍କଠାରୁ ବୁଝିବା ଉଚିତ୍ । ଏହି ସହମତି ଦ୍ଵାରା ଗବେଷଣାଲବ୍ଧ ଜ୍ଞାନରୁ ଭବିଷ୍ୟତ କର୍କଟ ରୋଗୀମାନଙ୍କର ଚିକିତ୍ସା ପଦ୍ଧତି ସରଳ ଓ ସୁଗମ ହୋଇଥାଏ । ଏଣୁ ଏହା ଏକ ଜନମଙ୍ଗଳ କାର୍ଯ୍ୟ ।

ଶଲ୍ୟ ଚିକିତ୍ସା

ସ୍ତନ କର୍କଟ ରୋଗର ଶଲ୍ୟ ଚିକିତ୍ସା

ଆଧୁନିକ ଯୁଗରେ ସ୍ତନ କର୍କଟ  ରୋଗର ନିରାକରଣ ପାଇଁ ଶଲ୍ୟ ଚିକିତ୍ସା ବା ଅପରେସନର ପ୍ରାଧାନ୍ୟ ବହୁତ ବେଶି । ଶଲ୍ୟ ଚିକିତ୍ସା ଦ୍ଵାରା ସ୍ତନକୁ ସୁରକ୍ଷାକରି ତା’ ଭିତରେ ଥିବା କର୍କଟ ଖୋସା କିମ୍ବା ଆକ୍ରାନ୍ତ ସ୍ତନଟିକୁ ସମ୍ପୂର୍ଣ୍ଣ କାଟି ବାହାର କରିଦେବା ପଦ୍ଧତି ଅନୁସରଣ କରାଯାଏ ।

ସ୍ତନ ସୁରକ୍ଷା ପଦ୍ଧତି : (Breast Conservation Therapy )

ଏହି ଅପରେସନ ଦ୍ଵାରା ସ୍ତନ ଭିତରେ ଥିବା କର୍କଟ ଖୋସାକୁ କାଟି ବାହାର କରିଦେଲାବେଳେ ଏଥି ସହିତ କାଖ ତଳେ ଥିବା କର୍କଟ ଲାସାଗ୍ରନ୍ଥିକୁ ମଧ୍ୟ କାଟି ବାହାର କରିଦିଆଯାଏ । କର୍କଟ ଖୋସାଟି ଯେତେ ଛୋଟ ଥିବ, ସ୍ତନରେ ଅସ୍ତ୍ରୋପଚାର କରିବା ଚିକିତ୍ସକଙ୍କ ପାଇଁ ସେତେ ସୁବିଧାଜନକ । ମାତ୍ର ଏହି ପଦ୍ଧତି ପରେ ସ୍ତନ ଉପରେ ରେଡିଓଥେରାପି ଚିକିତ୍ସା ବାଧ୍ୟତାମୂଳକ ଅଟେ । ସେଥିପାଇଁ ରୋଗୀକୁ ହସ୍ପିଟାଲରେ ଅତିକମ୍ରେ ଛଅ ସପ୍ତାହ ରହିବାକୁ ପଡେ । ଆଜିକାଲି ଏ ପଦ୍ଧତି ଦ୍ଵାରା ସ୍ତନର ସୌନ୍ଦର୍ଯ୍ୟ ରକ୍ଷା କରି ହେଉଛି ।

Modified Radical Mastectomy (MRM)

ଏହି ପଦ୍ଧତି ଦ୍ଵାରା ଆକ୍ରାନ୍ତ ସ୍ତନ ସହିତ କାଖତଳେ ଥିବା କର୍କଟ ଲାସାଗ୍ରନ୍ଥିକୁ ସମ୍ପୂର୍ଣ୍ଣ କାଟି ବାହାର କରିଦିଆଯାଏ । ଏଥିପାଇଁ ରୋଗୀ ବ୍ୟସ୍ତ ବା ବିବ୍ରତ ହେବା ଆଦୌ ଉଚିତ ନୁହେଁ । କାରଣ ଗୋଟିଏ ସ୍ତନର ମୂଲ୍ୟ, ରୋଗୀର ଜୀବନ ପାଖରେ ବହୁତ ନଗଣ୍ୟ । ତଥାପି ଯଦି ରୋଗୀ ଆକ୍ରାନ୍ତ ସ୍ତନର ସମ୍ପୂର୍ଣ୍ଣ ଛେଦନ ନ ଚାହାନ୍ତି, ତାହେଲେ ଚିକିତ୍ସକଙ୍କ ଠାରୁ କେମୋଥେରାପି ବିଷୟ କିମ୍ବା ସ୍ତନକୁ ଆଂଶିକ କାଟି ବାହାର କରିବା ପାଇଁ ପରାମର୍ଶ ଲୋଡିପାରନ୍ତି । କର୍କଟ ରୋଗରେ ପ୍ରତ୍ୟେକ ଶଲ୍ୟ ଚିକିତ୍ସା ପରେ ରେଡିଓଥେରାପି ଅତ୍ୟାବଶ୍ୟକ ହେଲେହେଁ ସ୍ତନର ସଂପୂର୍ଣ୍ଣ ଛେଦନ ପରେ ଏହା ଦରକାର ପଡିନପାରେ ।

ନାରୀର ସୌନ୍ଦର୍ଯ୍ୟ ରକ୍ଷା ଓ ସାମାଜିକ ଗ୍ରହଣୀୟ ଉପଚାର ପାଇଁ ଛେଦିତ ସ୍ତନ ସ୍ଥାନରେ ବିଭିନ୍ନ ପ୍ରକାର ପ୍ଲାଷ୍ଟିକ ସର୍ଜରୀ ପଦ୍ଧତି ଦ୍ଵାରା ନୂତନ ସ୍ତନ ଆରୋପଣ କରାଯାଇପାରେ । ନୂତନ ସ୍ତନ ପାଇଁ ଦରକାର ପଡୁଥିବା ମାଂସପେଶୀ ଗୁଡିକୁ ଅପେରସନ ଦ୍ଵାରା ରୋଗୀର ପଶ୍ଚାତ୍ଭାଗ ବା ତଳପେଟରୁ ଆଣିବାକୁ ପଡିଥାଏ । ଏହି ଅପରେସନ ପାଇଁ ପ୍ରାୟ ପାଞ୍ଚ ଛଅ ଘଣ୍ଟା ପର୍ଯ୍ୟନ୍ତ ସମୟ ଲାଗେ । ରୋଗୀକୁ ଏଥିପାଇଁ ହସ୍ପିଟାଲରେ ଅତିକମ୍ରେ ୩ ସପ୍ତାହ ରହିବାକୁ ପଡିଥାଏ । ଦୂର ଜାଗାରୁ tissue transfer ଦ୍ଵାରା ମଧ୍ୟ reconstruction କରାଯାଉଛି ।

ଏହି ପଦ୍ଧତି ଛାଡି Silicon Prosthesis ପଦ୍ଧତି ଦ୍ଵାରା ମଧ୍ୟ ସ୍ତନ ପ୍ରତ୍ୟାରୋପଣ କରାଯାଇପାରେ । ଲଜ୍ଜା ପରିତ୍ୟାଗ କରି ଚିକିତ୍ସକଙ୍କ ସହ ରୋଗୀ ଏ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବା ବାଞ୍ଛନୀୟ ।

ବାହ୍ୟ ଉପକରଣକୁ ସ୍ତନ ପ୍ରସ୍ତୁତି

ବାହାର ଉପକରଣ ଦ୍ଵାରା ମଧ୍ୟ ସ୍ତନ ତିଆରି କରାଯାଇପାରେ । ଏହା ଛାତି ଉପରେ ବାହାରୁ ବ୍ୟବହାର କରାଯାଇପାରେ । ଏହା ବ୍ରା ସହିତ ସଂଲଗ୍ନ ହୋଇଥିବାରୁ ରୋଗୀକୁ ପିନ୍ଧିବା ସହଜ ହୋଇଥାଏ । ତା’ ଛଡା ଏକ ସ୍ଵତନ୍ତ୍ର ତନ୍ତୁ ଦ୍ଵାରା ସ୍ତନ ପ୍ରସ୍ତୁତ ହୋଇ ଅପରେସନ ଦ୍ଵାରା ଚମ ତଳେ ଏହାକୁ ରୋପଣ କରାଯିବା ମଧ୍ୟ ସମ୍ଭବ । ଏହାର ଏକମାତ୍ର ଅସୁବିଧା ହେଉଛି ଏହା ବ୍ୟୟସାପେକ୍ଷ ଏବଂ ଅନ୍ୟ ସ୍ତନ ସହିତ ଆକାରରେ ମିଶି ନ ପାରେ ।

ସ୍ତନ ସୁରକ୍ଷା, ସ୍ତନ ଛେଦନ ଅପେକ୍ଷା ନିଶ୍ଚିତ ଭାବେ ଏକ ଉତ୍ତମ ପଦକ୍ଷେପ, ଯଦି ଏହି ଚିକିତ୍ସା ପରେ କ୍ରମାଗତ ଭାବେ ଓ ନିର୍ଦ୍ଦିଷ୍ଟ ଭାବେ ଆକ୍ରାନ୍ତ ସ୍ତନ ଉପରେ ରେଡିଓଥେରାପି କରାଯାଏ । କାରଣ, ଶଲ୍ୟ ଚିକିତ୍ସା ପରେ ମଧ୍ୟ ପାଞ୍ଚରୁ ସାତ ପ୍ରତିଶତ କ୍ଷେତ୍ରରେ ସ୍ତନ କର୍କଟ ପୁନର୍ଜୀବିତ ହେବାର ସମ୍ଭାବନା ଅଛି ।

ଆଧୁନିକ ବୈଜ୍ଞାନିକ ଯୁଗର ଚିକିତ୍ସା ପଦ୍ଧତି, ନିଶ୍ଚେତନ ପ୍ରୟୋଗଦ୍ଵାରା କର୍କଟ ଶଲ୍ୟ ଚିକିତ୍ସା ପ୍ରାୟ ଯନ୍ତ୍ରଣାବିହୀନ ହୋଇପାରିଛି  । ରୋଗୀକୁ ଅପରେସନର ଦିନକ ପୂର୍ବରୁ ହସ୍ପିଟାଲରେ ଭର୍ତ୍ତି କରାଯାଏ । ତା’ପରେ ଷ୍ଟ୍ରେଚର  ସାହାଯ୍ୟରେ ଅଧଘଣ୍ଟାଏ ପୂର୍ବରୁ ଅପରେସନ ଗୃହକୁ ନିଆଯାଏ । ସେଠାରେ ରୋଗୀକୁ ପ୍ରଥମେ ଔଷଧ ଦ୍ଵାରା ବିମୋହିତ କରାଯାଏ । ନିଶା ଇଞ୍ଜେକ୍କସନ ଦିଆଯାଇ ଅଚେତ କରାଯାଏ । ଏଣୁ ଅପରେସନ୍  ବେଳେ ରୋଗୀକୁ କୌଣସି ଯନ୍ତ୍ରଣା ହୁଏ ନାହିଁ ।

ଅପରେସନର ପରିବର୍ତ୍ତୀ ଅବସ୍ଥା

ସ୍ତନ କର୍କଟ ରୋଗର ଅପରେସନ ହେବାର ମାତ୍ର କିଛି ଘଣ୍ଟା ପରେ ଅପରେସନ ଗୃହକୁ ୱାର୍ଡକୁ ନିଆଯାଏ ଏବଂ ରୋଗୀକୁ ଶିରା ମାଧ୍ୟମରେ ସାଲାଇନ୍ ଦିଆଯାଏ । ଏହି ସମୟରେ ରୋଗୀ କିଛି ସମୟ ପାଇଁ ତନ୍ଦ୍ରାଳୁ ହୋଇପଡେ ଓ ବାନ୍ତି ଅନୁଭବ କରେ । ଅପରେସନର ଛଅ ଘଣ୍ଟାପରେ ପାଟିବାଟେ ଖାଦ୍ୟ ଦେବା ଆରମ୍ଭ ହୁଏ । ଅପରେସନ ଜନିତ ଯନ୍ତ୍ରଣା ଗୁଡିକୁ ଉପଶମ ପାଇଁ ଉପଯୁକ୍ତ ଯନ୍ତ୍ରଣାନାଶକ ଔଷଧ ଦିଆଯାଏ । ଏତବ୍ୟତିତ ଅପରେସନ ସ୍ଥାନରେ ଏକ ନଳୀ ଦିଆଯାଇଥାଏ, ଯଦ୍ୱାରା ସେଇ ବାଟଦେଇ ସେଠାରେ ଜମୁଥିବା ରକ୍ତ ଓ ଅନ୍ୟାନ୍ୟ ତେଜ୍ୟ ଜଳୀୟ ପଦାର୍ଥ ବାହାରି ଆସେ । ଅପରେସନଜନିତ ଯେକୌଣସି ଯନ୍ତ୍ରଣା ଓ ସମସ୍ୟା ସମ୍ପର୍କରେ ଚିକିତ୍ସକଙ୍କ ସହ ପରାମର୍ଶ କରିବା ଉଚିତ୍ ।

ଅପରେସନ୍ର  ଦିନକ ପରେ

ଅପରେସନର ପରଦିନ ସାଲାଇନ୍ (Fluid) ବନ୍ଦ କରିଦିଆଯାଏ ଓ ରୋଗୀକୁ ସାଧାରଣ ଖାଦ୍ୟ ଦିଆଯିବା ସଙ୍ଗେ ସଙ୍ଗେ ଚଲାବୁଲା କରିବାକୁ କୁହାଯାଏ । କିଛିଦିନ ପରେ ରୋଗୀକୁ କିଛି ନିର୍ଦ୍ଧାରିତ ବ୍ୟାୟାମ କରିବାକୁ ପଡିଥାଏ । ଚିକିତ୍ସକଙ୍କ ପରାମର୍ଶ କ୍ରମେ ଏହି ବ୍ୟାୟାମ କରିବାକୁ ପଡିଥାଏ  । ବ୍ୟାୟାମ ନ କଲେ  ଅପରେସନ ହୋଇଥିବା ପାଖର ବାହୁ ସବୁଦିନ ପାଇଁ ଅଚଳ ହୋଇଯାଇପାରେ । ଏହି ବ୍ୟାୟାମ ଗୁଡିକ ଟିକେ ଯନ୍ତ୍ରଣାଦାୟକ ହେଲେ ମଧ୍ୟ ଏହାକୁ ବନ୍ଦ କରିବା ଉଚିତ ନୁହେଁ । ବ୍ୟାୟାମ ଚାଲୁ ରଖିଲେ ଦିନେ ଦୁଇଦିନ ମଧ୍ୟରେ ଯନ୍ତ୍ରଣା ଉପଶମ ହୋଇଥାଏ ।

ଅପରେସନଜନିତ କେଉଁ ଯନ୍ତ୍ରଣା ମାସେ କାଳ ରହିପାରେ

ସ୍ତନ କର୍କଟ ରୋଗର ଅପରେସନ ଦ୍ଵାରା ରୋଗୀର କାଖ ତଳ ଏବଂ ବାହୁରେ  ଝିମ୍ ଝିମ୍ ହେବା କିମ୍ବା ଅସ୍ଵାଭାବିକ  ସ୍ପର୍ଶକାତରତା ରୋଗୀ ଅନୁଭବ କରିପାରେ । କିନ୍ତୁ  ଏହାକୁ ଧ୍ୟାନ ଦିଅନ୍ତୁ ନାହିଁ  । ଏହା କାଖତଳର ଲସିକା ଗ୍ରନ୍ଥି ଏବଂ ଏଥିସହିତ ସଂଲଗ୍ନ ସ୍ନାୟୁଗୁଡିକ ଅପରେସନବେଳେ କଟା ହେବା ଯୋଗୁ ଅନୁଭୂତ ହୋଇଥାଏ । ମାତ୍ର ଏହି ଯନ୍ତ୍ରଣା ପନ୍ଦର ଦିନ ଠାରୁ ଆରମ୍ଭ କରି ମାସେ ଦୁଇମାସ ପର୍ଯ୍ୟନ୍ତ ରହେ ।

ଡାକ୍ତରଖାନାରୁ ଛାଡ ପାଇବା ପରେ ପ୍ରଥମତଃ ଚିକିତ୍ସକଙ୍କ ଦ୍ଵାରା ନିର୍ଦ୍ଧାରିତ ଔଷଧ ନିୟମିତ ସେବନ କରିବା ଉଚିତ୍ । ଡାକ୍ତରଖାନାରୁ ଦୁଇ ଦିନି ପରେ ଆସିବାବେଳେ ଅପରେସନ ଜାଗାରେ ଲଗାଯାଇଥିବା ନଳୀଟି କଢାଯାଇ  ନଥାଏ । ଏଣୁ ସେଇ ନଳୀବାଟ ଦେଇ   କ୍ଷତ ସ୍ଥାନରେ ଥିବା ତେଜ୍ୟ ଜଳୀୟ ବସ୍ତୁକୁ ବାହାର କରିବା ପଦ୍ଧତି ନିଜର ଡାକ୍ତରଙ୍କଠାରୁ ରୋଗୀ ଶିଖିଥିବା ଆବଶ୍ୟକ । ଯଦ୍ୱାରା ଏହି କାର୍ଯ୍ୟଟି ସେ ଘରେ ଥାଇ ନିଜେ କରିପାରିବେ । ସମୟେ ସମୟେ ଏହି ଟିଉବ୍ଟି ରୁଦ୍ଧ ହୋଇଯାଏ କିମ୍ବା ଲିକ୍ ହେବାର ସମ୍ଭାବନା ଥାଏ । ଯାହାଫଳରେ ତେଜ୍ୟ ବସ୍ତୁ ଗୁଡିକ ଆପେ ଆପେ ବାହାରି ଆସେ । ଏହାହେଲେ ରୋଗୀ ତୁରନ୍ତ ଡାକ୍ତରଖାନା ଆସି ଡାକ୍ତରଙ୍କ ଦୃଷ୍ଟି ଆକର୍ଷଣ କରି ତାକୁ ଠିକ୍ କରିବା ଆବଶ୍ୟକ । ଯେପରି ନଳୀଟି ବାହାରି ନ ଯାଏ ସେଥିପ୍ରତି  ଅଧିକ ଯତ୍ନବାନ ହେବେ । ଘରେ ମଧ୍ୟ ଚିକିତ୍ସକଙ୍କ ପରାମର୍ଶ ଅନୁଯାୟୀ ନିୟମିତ ବ୍ୟାୟାମ କରିବା ନିତାନ୍ତ ଜରୁରୀ । ଅପରେସନ ଜାଗା ଯେପରି ଓଦା ନ ହୁଏ, ସେଥିପ୍ରତି ରୋଗୀ ଖୁବ୍ ଯତ୍ନବାନ ହେବା ଦରକାର । ଏଣୁ ନର୍ସଙ୍କଠାରୁ ନିଜର ଗାଧୋଇବା ପଦ୍ଧତି ବୁଝିନେବା ମଧ୍ୟ ଆବଶ୍ୟକ । ଏତବ୍ୟତିତ ଚିକିତ୍ସକଙ୍କୁ ପୂର୍ବରୁ ସ୍ଥିରୀକୃତ ସମୟରେ ଦେଖାକରିବା ନିତାନ୍ତ ଜରୁରୀ । ଅପରେସନର ଦୁଇ ସପ୍ତାହ ପରେ ଏଥିରେ ଲାଗିଥିବା ବ୍ୟାଣ୍ଡେଜ୍ ଓ ଟିଉବ୍ ବାହାର କରିଦିଆଯାଏ । ଏହାର ମାସକ ପର୍ଯ୍ୟନ୍ତ ଅପରେସନ ଜଗାରୁ ଲସା ନିର୍ଗତ ହୋଇପାରେ । ହେଲେ ଏହା କ୍ଷତିକାରକ ନୁହେଁ । କିନ୍ତୁ ଏହାକୁ ସିରିଞ୍ ଓ ଛୁଞ୍ଚି ଦ୍ଵାରା ଶୀଘ୍ର ବାହାର କରିବା ବିଧେୟ । ଏହି କାର୍ଯ୍ୟ କେବଳ ଚିକିତ୍ସକଙ୍କ ଦ୍ଵାରା କରାଇବା ଉଚିତ୍ । ଏହି ବାହାରୁଥିବା ଲସାକୁ ସେରୋମା(Seroma) କୁହାଯାଏ । ସେରୋମା ବାହାରିଲେ ଏହାକୁ କର୍କଟ ରୋଗର ପୁନଃଉତ୍ପତ୍ତି ହେଲା ବୋଲି ଭ୍ରାନ୍ତଧାରଣା ଆଣିବେ ନାହିଁ । ମାତ୍ର ବ୍ୟାୟାମ ଚାଲୁରଖିବେ । ସିଲାଇ ଖୋଲା ପର୍ଯ୍ୟନ୍ତ ଡାକ୍ତରଖାନାରେ ରହିଲେ ଆହୁରି ଭଲ।

ହରମୋନ୍ଥେରାପି

ସାଧାରଣତଃ ଅପରେସନରେ ୨/୩ ସପ୍ତାହ ପରେ ଯେତେବେଳେ ସିଲେଇ ଖୋଲାଯାଇ ନିଦାନ ବିଭାଗର ଚୁଡାନ୍ତ ରିପୋର୍ଟ (Pathological final report ) ମିଳିଯାଏ, ସେତେବେଳେ ଚିକିତ୍ସକ ହରମୋନ୍ଥେରାପି କିମ୍ବା ରେଡିଓଥେରାପିର ଚିକିତ୍ସା ବିଷୟରେ ନିଷ୍ପତ୍ତି ନିଅନ୍ତି ।

ହରମୋନ୍ଥେରାପି କଣ ?

ହରମୋନ୍ଥେରାପି ପାଇଁ ଯେଉଁ ଔଷଧ ବ୍ୟବହାର କରାଯାଏ, ତା’ର ନାମ ଟାମୋକ୍ସିଫେନ୍ (Tamoxifen)। ଏହା ଏକ ଅତ୍ୟନ୍ତ ନିରାପଦ ଔଷଧ । ଏହାକୁ ଦିନରେ ୨୦ ମିଲିଗ୍ରାମ(20 mg.)କରି ପ୍ରତିଦିନ ଖିଆଯାଇଥାଏ । ଚିକିତ୍ସକ ରୋଗୀକୁ ଏହି ଔଷଧ ୫ ବର୍ଷ ଖାଇବା ପାଇଁ ପରାମର୍ଶ ଦେଇଥାନ୍ତି । ଏହି ଔଷଧ ସେବନ ଦ୍ଵାରା ରୋଗୀ ଶରୀରରେ ଉଷ୍ମତା ଅନୁଭବ କରିପାରନ୍ତି । ସମୟେ ସମୟେ ଏହାର ପ୍ରଭାବରେ ଯୋନିରୁ ରକ୍ତସ୍ରାବ ହୋଇଥାଏ । ଏହାହେଲେ ତୁରନ୍ତ ଚିକିତ୍ସକଙ୍କୁ ଜଣାଇବା ଉଚିତ୍ । ଆଜିକାଲି ଆହୁରି ଉଚ୍ଚମାନର ଔଷଧ (aromatase inhibitors) ବାହାରିଲାଣି । ବେଳେବେଳେ ରୋଗୀଙ୍କୁ ଦିଆଯାଉଛି । ER, PR, her ର new test କରାଯାଇ ହରମୋନ୍ ଚିକିତ୍ସା କରାଯାଏ ।

କେମୋଥେରାପି

କେମୋଥେରାପି କଣ ?

କର୍କଟ ରୋଗକୁ ଔଷଧ ଦ୍ଵାରା ଚିକିତ୍ସା କରିବା ପଦ୍ଧତିକୁ କେମୋଥେରାପି କୁହାଯାଏ । ଏହା ସାଧାରଣତଃ ଇଞ୍ଜେକ୍ସନ । ଏହାକୁ ଶରୀରରେ ପ୍ରୟୋଗ କରିବାର ବିଧି ଅତ୍ୟନ୍ତ କଠିନ ହୋଇଥିବାରୁ ଚିକିତ୍ସକ, ରୋଗୀକୁ ଏହି ଔଷଧ କିପରି ଓ କେତେବେଳେ ନେବ, ତାହା ପୂର୍ବରୁ ସୂଚନା ଦେଇଥାନ୍ତି । ରୋଗୀ, ଏହି ଔଷଧ ନେବାର ସମୟ, ମାତ୍ରା ଏବଂ ବ୍ୟବଧାନ, ଚିକିତ୍ସକଙ୍କ ଠାରୁ ସ୍ପଷ୍ଟଭାବେ ବୁଝିନେବା ଉଚିତ୍ । ବେଳେ ବେଳେ କେମୋଥେରାପି ଅତ୍ୟନ୍ତ ଖର୍ଚ୍ଚବହୁଳ ହୋଇଥାଏ । ଯେଉଁମାନେ ଏହି ଔଷଧ କିଣିବା ପାଇଁ ସକ୍ଷମ ନୁହଁନ୍ତି, ସେମାନଙ୍କୁ ଦେଶରେ ଥିବା ବହୁ ସମାଜସେବୀ ସଂସ୍ଥା ସ୍ୱଳ୍ପ ମୂଲ୍ୟରେ ଏହି ଔଷଧ ଯୋଗାଇ ଦେଇଥାଆନ୍ତି । ଏହି କ୍ଷେତ୍ରରେ ସମାଜସେବୀ ସଂସ୍ଥାମାନଙ୍କ ପାଖକୁ ଡାକ୍ତରଙ୍କ ସୁପାରିଶ ଦରକାର ପଡେ ।

କେମୋଥେରାପି ଦ୍ଵାରା ପାର୍ଶ୍ଵପ୍ରତିକ୍ରିୟା

କେମୋଥେରାପି ପ୍ରୟୋଗ ଦ୍ଵାରା ରୋଗୀର ପାର୍ଶ୍ଵ ପ୍ରତିକ୍ରିୟା (side effect) ଭିନ୍ନ ଭିନ୍ନ ରୋଗୀଙ୍କର ଭିନ୍ନ ଭିନ୍ନ ଦେଖାଯାଏ । ଏହା ନିରାନନ୍ଦ ପ୍ରତିକ୍ରିୟା ସୃଷ୍ଟି କରିପାରେ । କେତେକ ରୋଗୀଙ୍କୁ ବାନ୍ତି ଓ ଅଇ ଦେଖାଇବା, ତରଳ ଝାଡା ହେବା, ଦୁର୍ବଳ ଅନୁଭବ କରିବା ଏବଂ ତଳିପେଟରେ ଦରଜ ଇତ୍ୟାଦି ଅନୁଭବ କରିଥାଆନ୍ତି । ମାତ୍ର ଏହି ଲକ୍ଷଣଗୁଡିକ ସାତ ଦିନ ମଧ୍ୟରେ ଚାଲିଯାଇଥାଏ । ଦରକାର ପଡିଲେ ଏହି ଲକ୍ଷଣଗୁଡିକର ଚିକିତ୍ସା ପାଇଁ ଚିକିତ୍ସକ ଔଷଧ ଦେଇଥାଆନ୍ତି । ଏତବ୍ୟତିତ ରୋଗୀର ମୁଣ୍ଡରୁ ଚୂଳ ଉପୁଡିଯାଏ । ମାତ୍ର କେମୋଥେରାପି ପଦ୍ଧତି ସଂପୂର୍ଣ୍ଣ ହେଲାପରେ ପୁଣି ଚୂଳ ଉଠିଯାଏ । ଆହୁରି ମଧ୍ୟ ରୋଗୀର ପରିସ୍ରା ଗାଢ ହଳଦିଆ କିମ୍ବା ଲାଲ ହୋଇଥାଏ ଏବଂ ନଖଗୁଡିକ ନୀଳ କିମ୍ବା କଳା ବର୍ଣ୍ଣ ହୋଇଯାଇପାରେ । ଏଥିପାଇଁ ରୋଗୀ ଭୟଭୀତ ହେବା ଉଚିତ ନୁହେଁ ।

କେମୋଥେରାପି ପୂର୍ବରୁ  ଚିକିତ୍ସକ, ରୋଗୀର ରକ୍ତରେ ଥିବା ହେମୋଗ୍ଲୋବିନ ଓ ଶ୍ଵେତ ରକ୍ତ କଣିକା (white blood cell)କୁ ପରୀକ୍ଷା କରିଥାଆନ୍ତି । କାରଣ କେମୋଥେରାପି ଦ୍ଵାରା ଏହି ଉଭୟ ରକ୍ତ କଣିକା କମିଯାଆନ୍ତି । ଯଦି ସବୁ ଠିକ୍ ଥାଏ କେମୋଥେରାପି ପଦ୍ଧତି ଚାଲୁ ରଖାଯାଏ । ତଥାପି ରୋଗୀର ଅବସ୍ଥା ଦେଖି ଚିକିତ୍ସକ କେମୋଥେରାପି ଇଞ୍ଜେକ୍ସନକୁ କିଛି ଦିନ ପାଇଁ ବନ୍ଦ ରଖିଥାଆନ୍ତି ।

କେମୋଥେରାପି ସମୟରେ ନିମ୍ନଲିଖିତ ସାବଧାନତା ଅବଲମ୍ବନ କରିବା ଉଚିତ୍

ମୁଖଗହ୍ଵର ଯତ୍ନ ଦାନ୍ତଗୁଡିକୁ ନରମ ବ୍ରସ୍ ରେ  ସାବଧାନତା ସହ ଘଷିବା ଉଚିତ୍ । ଏହା ସହିତ ଆଣ୍ଟିସେପ୍ଟିକ୍ ପାଟି ସଫା କରିବା ଔଷଧ ବ୍ୟବହାର କରିବା ଉଚିତ୍ । ମୁଖ ଗହ୍ଵର ଶୁଷ୍କ ଜଣାଗଲେ ଅଧିକ ପାଣି ପିଇବା ଉଚିତ୍ । ଯଦି ନ  କମେ ଚିକିତ୍ସକଙ୍କ ପରାମର୍ଶ ନେବା ଦରକାର ।

ଜ୍ଵର ସମୟରେ କେମୋଥେରାପି ନେବା ଦ୍ଵାରା ରୋଗୀର ଶରୀର ସଂକ୍ରମଣ (Infection)ହେବାର ସମ୍ଭାବନା ଥାଏ । ଯଦି ରୋଗୀ ଅତ୍ୟଧିକ ଜ୍ଵରରେ ପୀଡିତ ହୁଏ, ସଙ୍ଗେ ସଙ୍ଗେ ଚିକିତ୍ସକଙ୍କ ପରାମର୍ଶ ନେବା ଉଚିତ୍ । ସେତେବେଳେ ରୋଗୀକୁ ଡାକ୍ତରଖାନାରେ ରଖି ଆଣ୍ଟିବାଇଓଟିକ୍ ଇଞ୍ଜେକ୍ସନ୍ ଦେଇ ଚିକିତ୍ସା କରାଯାଏ । ଏହି ସମୟରେ ଜ୍ଵର କ୍ଷତିକାରକ ସଙ୍କେତ ହୋଇଥିବାରୁ ଏହାକୁ ଶୀଘ୍ର ନିୟନ୍ତ୍ରଣାଧୀନ କରିବା ଉଚିତ୍ । ନିମ୍ନଲିଖିତ ବିଷୟ ପ୍ରତି ରୋଗୀ ବିଶେଷକରି ଧ୍ୟାନ ଦେବା ଉଚିତ୍ ।

କେମୋଥେରାପି ସମୟରେ  ସାବଧାନତା : -

  1. ଘରେ ରନ୍ଧା ହୋଇଥିବା ଖାଦ୍ୟ ଖାଆନ୍ତୁ ।
  2. ଫଳଜାତୀୟ ଖାଦ୍ୟ ଖାଇବା ପୂର୍ବରୁ ଭଲଭାବେ ଧୋଇ ପରିଷ୍କାର କରି ଖାଆନ୍ତୁ ।
  3. ସିଝା କିମ୍ବା ବିଶୋଧିତ ପାଣି ପିଅନ୍ତୁ ।
  4. ଖାଇବା ପୂର୍ବରୁ ଭଲ ଭାବରେ ହାତ ମୁହଁ ପରିଷ୍କାର କରି ଖାଆନ୍ତୁ ।
  5. ନରମ ବ୍ରସ୍ ବ୍ୟବହାର କରି ଦାନ୍ତ ଓ ପାଟିରେ ଯତ୍ନ ନିଅନ୍ତୁ ।
  6. ଆଙ୍ଗୁଳିର ନଖ ବଢାନ୍ତୁ ନାହିଁ ଓ କାଟିଲାବେଳେ ସାବଧାନତା ଅବଲମ୍ବନ କରନ୍ତୁ ।
  7. ଲୋକଗହଳିକୁ ଯାଆନ୍ତୁ ନାହିଁ । ତଦ୍ୱାରା ରୋଗୀ ସଂକ୍ରମିତ ହେବାର ଆଶଙ୍କା ଦୂର ହୋଇଥାଏ ।
  8. ଦେହକୁ ଅଯଥା ଅପରିଷ୍କାର ଲୋମ ଯଥା କାଖ ସନ୍ଧି, ଜଙ୍ଘ ସନ୍ଧି ଇତ୍ୟାଦି ସଫା କରିବା ପାଇଁ ବ୍ଲେଡ୍ ବଦଳରେ ଲୋସନ୍ ବ୍ୟବହାର କରନ୍ତୁ ।
  9. ଚର୍ମକୁ ନ ବାଧିଲାପରି ସରଳ ସ୍ନାନ ପଦ୍ଧତି ଅନୁସରଣ କରନ୍ତୁ ।
  10. ଦେହରେ କୌଣସି ଜାଗାରେ ବଥ ବା ବ୍ରଣ ହେଲେ ତାକୁ ଛିଡାନ୍ତୁ ନାହିଁ  ।

କର୍କଟ ରୋଗ ଚିକିତ୍ସା ସମୟରେ ଖାଦ୍ୟ ଉତ୍ତମ  ସ୍ୱାସ୍ଥ୍ୟ ପାଇଁ ଉତ୍ତମ ଖାଦ୍ୟ ଖାଆନ୍ତୁ । କର୍କଟ ରୋଗୀ ଖାଦ୍ୟ ଖାଇବା ସମୟରେ ବାନ୍ତି ଅନୁଭବ କଲେ, ଖାଇବାର ବ୍ୟବଧାନ କମାଇ ଅଳ୍ପ ଅଳ୍ପ କରି ବେଶିଥର ଖାଇବା ଉଚିତ୍ । ତନ୍ମଧ୍ୟରେ ତରଳ ଖାଦ୍ୟର ପରିମାଣ ଅଧିକ ହେବା ବାଞ୍ଛନୀୟ । ଯଦି ଚିକିତ୍ସକ କୌଣସି ନିର୍ଦ୍ଦିଷ୍ଟ ଖାଦ୍ୟ ନିର୍ଦ୍ଧାରିତ କରି ନଥାନ୍ତି ତାହାହେଲେ ଅଧିକ ପରିମାଣରେ ଫଳ, ଅଣ୍ଡା, କଞ୍ଚା ମଟର ଦାନା, ମାଛ, ମାଂସ ଏବଂ କ୍ଷୀର ଇତ୍ୟାଦି ଖାଇପାରନ୍ତି । ଖାଦ୍ୟ ଖାଇବା ପୂର୍ବରୁ କିଛି ସମୟ ଚାଲିଲେ ରୋଗୀର କ୍ଷୁଧା ଓ ଖାଦ୍ୟ ରୁଚି ବଢିଥାଏ । ଏପରି କୌଣସି ଖାଦ୍ୟ ଯାହା ଅରୁଚିକର ବୋଧହେବ, ତାହାକୁ କ୍ଷୀର କିମ୍ବା ଫଳରସ ସହିତ ଖାଇବେ । ରୋଗୀ ପାଇଁ ମଦ୍ୟପାନ ସମ୍ପୂର୍ଣ୍ଣ ନିଷେଧ ।

କେମୋଥେରାପି ସମୟରେ ମାସିକ ଋତୁସ୍ରାବ

କେମୋଥେରାପି ସମୟରେ ମାସିକ ଋତୁସ୍ରାବ ବନ୍ଦ ହୋଇଗଲେ କିମ୍ବା ଅନିୟମିତ ହେଲେ ଭୟ କରନ୍ତୁ ନାହିଁ । କାରଣ କେମୋଥେରାପିରେ ଥିବା ଉପାଦାନଗୁଡିକ ବସ୍ତୁତଃ ମାସିକ ଋତୁସ୍ରାବକୁ ପ୍ରଭାବିତ କରିଥାଆନ୍ତି । ଅଳ୍ପବୟସ୍କା ସ୍ତ୍ରୀଲୋକମାନଙ୍କର ପ୍ରାୟ କିଛି ମାସ ପରେ ପୁଣି ଋତୁସ୍ରାବ ନିୟମିତ ହୋଇଥାଏ । ମାତ୍ର ବୟସ୍କା ଲୋକମାନଙ୍କ କ୍ଷେତ୍ରରେ ସାମାନ୍ୟ ବ୍ୟତିକ୍ରମ ଦେଖାଦେଇପାରେ  ।

କେମୋଥେରାପି ଦ୍ଵାରା କେଶ ଉପୁଡିବା

କେମୋଥେରାପି ନେବା ସମୟରେ କେଶ ଉପୁଡିବା ଏକ ସାଧାରଣ ପ୍ରତିକ୍ରିୟା ହୋଇଥିବା ବେଳେ ସବୁ ରୋଗୀଙ୍କ କ୍ଷେତ୍ରରେ ଏହା ହୋଇନପାରେ । ମାତ୍ର କେଶ ଉପୁଡି ଗଲେ ମଧ୍ୟ ଚିକିତ୍ସାର ସମାପ୍ତି ପରେ ଏହା ପୁଣି ଉଠିଥାଏ । ଏହି କେଶର ପରିଚର୍ଯ୍ୟା ପାଇଁ କମ୍ ପ୍ରତିକ୍ରିୟାଶୀଳ (mild sampo) ସାମ୍ପୋ ଓ ନରମ ପାନିଆ ବ୍ୟବହାର କରିବା ଉଚିତ୍ । କେଶ ଉପୁଡୁଥିବା ସମୟରେ ନକଲି ପରଚୂଳା (wig) ବ୍ୟବହାର କଲେ ନିଜର ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ଷ୍ଟାଇଲ୍କୁ  ରକ୍ଷାକରାଯାଇପାରେ ।

କେମୋଥେରାପି ସମୟରେ  ଦୈନଦିନ କାର୍ଯ୍ୟ

ସାଧାରଣତଃ ବହୁ ରୋଗୀ କେମୋଥେରାପି ସମୟରେ ମଧ୍ୟ ନିଜର ଦୈନଦିନ କାର୍ଯ୍ୟ ସୁରୁଖୁରୁରେ କରିପାରନ୍ତି । ଏହା ରୋଗୀର ସାମର୍ଥ୍ୟ ଓ ଜୀବନଚର୍ଯ୍ୟା ଉପରେ ନିର୍ଭର କରେ । ରୋଗୀ ନିଜେ ବାସକରୁଥିବା ସହରରେ ଏହି ଚିକିତ୍ସା କରିପାରନ୍ତି । ଯଦି ସେଠାରେ ଅଭିଜ୍ଞ ଚିକିତ୍ସକଙ୍କର ଉପଲବ୍ଧି ନହୁଏ ଏଥିପାଇଁ ରୋଗୀକୁ ମୂଳ ଚିକିତ୍ସା କରୁଥିବା ଚିକିତ୍ସକଙ୍କ ପାଖରୁ ଏକ ପରାମର୍ଶ ପତ୍ର (prescription) ଆଣିବାକୁ ପଡିଥାଏ । କାରଣ ରୋଗୀର ରୋଗ ବିଷୟରେ ବିଶଦ ଭାବେ ସେ ହିଁ ଜାଣିଥାଆନ୍ତି । ପ୍ରଥମ କେମୋଥେରାପି ସମୟରେ ତା’ର ମାତ୍ରା ଓ ପାର୍ଶ୍ଵ ପ୍ରତିକ୍ରିୟା ସମ୍ପର୍କରେ ରୋଗୀ ନିଜେ ସଚେତନ ରହିବା ଆବଶ୍ୟକ । ରକ୍ତ ପରୀକ୍ଷାର ସଠିକ୍ ଫଳାଫଳ ନିର୍ଣ୍ଣୟ ପରେ ହିଁ ରୋଗୀକୁ କେମୋଥେରାପି ଦିଆଯାଏ  ।

କେମୋଥେରାପିର ସମୟ ବ୍ୟବଧାନ

କେମୋଥେରାପିର ସମୟ ବ୍ୟବଧାନ, କର୍କଟ ରୋଗୀର ସ୍ଥିତି ଏବଂ ଦିଆଯାଉଥିବା ଔଷଧ ପରେ ନିର୍ଭର କରେ । ସାଧାରଣତଃ କେମୋଥେରାପି ପ୍ରତି ତିନି ବା ଚାରି ସପ୍ତାହରେ କରାଯାଏ । ଯଦି CMF କେମୋଥେରାପି ନିଆଯାଉଥାଏ, ତେବେ ଆଠଦିନ ଅନ୍ତରରେ ତିନି ସପ୍ତାହ ମଧ୍ୟରେ ଦୁଇଟି ଇଞ୍ଜେକ୍ସନ୍ ନେବା ଉଚିତ୍ । ମାତ୍ର କେତେକ ରୋଗୀଙ୍କୁ ଅନ୍ୟ ବ୍ୟବସ୍ଥା ଅନୁଯାୟୀ କେମୋଥେରାପି ଦିଆଯାଇଥାଏ । ଯାହାର ନାମ CAF । ଏହି ବ୍ୟବସ୍ଥା ଅନୁଯାୟୀ କେମୋଥେରାପି ତିନି ସପ୍ତାହ ଅନ୍ତରରେ କେବଳ ଥରେ ଦିଆଯାଇଥାଏ । ଯାହାର ପ୍ରତିକ୍ରିୟାରେ କେଶ ଗୁଡିକ ଅସ୍ଥାୟୀଭାବେ ସମ୍ପୂର୍ଣ୍ଣ ଉପୁଡିଯାଇଥାଏ । ଏହି ପଦ୍ଧତିରେ ଚିକିତ୍ସକଙ୍କ ଦ୍ଵାରା ନିର୍ଦ୍ଧାରିତ କେମୋ ଠିକ୍ ସମୟରେ ନେବା ନିତାନ୍ତ ଜରୁରୀ । ଯଦି ରୋଗୀ କୌଣସି କାରଣରୁ ଏଥିରେ ବ୍ୟତିକ୍ରମ କରେ ସଙ୍ଗେ ସଙ୍ଗେ ଚିକିତ୍ସକଙ୍କ ସହ ପରାମର୍ଶ କରିବା ଉଚିତ୍ ।

କେମୋଥେରାପିବେଳେ ଅନ୍ୟ ରୋଗ ପାଇଁ ଔଷଧ ବ୍ୟବହାର

କେମୋଥେରାପି ସମୟରେ ଅନ୍ୟକୌଣସି ରୋଗ ପାଇଁ ଚିକିତ୍ସକଙ୍କ ସହ ପରାମର୍ଶ କରି ସାଧାରଣ ଔଷଧ ଖାଇହେବ ।

କର୍କଟ ରୋଗରେ ଆକ୍ରାନ୍ତ ସ୍ଥାନରେ ସ୍ଵତନ୍ତ୍ର ରଶ୍ମିକୁ ପ୍ରବେଶ କରାଇ କର୍କଟ ରୋଗସୃଷ୍ଟିକାରୀ କୋଷ ଗୁଡିକୁ ସମ୍ପୂର୍ଣ୍ଣ ନଷ୍ଟକରବା ପ୍ରଣାଳୀକୁ ରେଡିଏସନ୍ ଥେରାପି ବା ରଶ୍ମି ଚିକିତ୍ସା କୁହାଯାଏ । ଏହି ପଦ୍ଧତି ଦ୍ଵାରା ରୋଗୀର ସଂକ୍ରମିତ ସ୍ଥାନରେ ମେସିନ୍ ସାହାଯ୍ୟରେ ଏକ ସ୍ଵତନ୍ତ୍ର ରଶ୍ମି ପକାଯାଏ । ଚିକିତ୍ସାପାଇଁ ରୋଗୀକୁ ଏକ ସ୍ଵତନ୍ତ୍ର ଧରଣର ନିର୍ମିତ କୋଠରୀରେ ରଖାଯାଏ । ତା’ ପାଖରେ କୌଣସି ଆତ୍ଜୀୟ ସ୍ଵଜନ ଏପରିକି ନିଜର ଚିକିତ୍ସକ ମଧ୍ୟ ରୁହନ୍ତି ନାହିଁ । ମାତ୍ର ଚିକିତ୍ସକ ପାର୍ଶ୍ଵବର୍ତ୍ତୀ କୋଠରୀରେ  ଥାଇ ରୋଗୀକୁ ଟି.ଭି. ରେ ଦେଖି ଚିକିତ୍ସା କରିଥାନ୍ତି । ଏହି ପାର୍ଶ୍ଵବର୍ତ୍ତୀ କୋଠରୀଟି ରୋଗୀରହିବା କୋଠରୀଠାରୁ କାଚଦ୍ଵାରା ଅଲଗା କରାଯାଇଥାଏ । ଯଦ୍ୱାରା ଚିକିତ୍ସକ ଚିକିତ୍ସା ସମୟରେ ରୋଗୀକୁ ଦେଖି ପାରନ୍ତି । ଏହି ଚିକିତ୍ସା ପ୍ରତିଦିନ ପ୍ରାୟ ତିନି/ଚାରି ମିନିଟ୍ ଧରି ଚାଲିଥାଏ । ଯେଉଁ ସବୁ ସ୍ତନ କର୍କଟ ରୋଗୀମାନଙ୍କର ସ୍ତନକୁ ସମ୍ପୂର୍ଣ୍ଣ ଉଚ୍ଛେଦ କରାଯାଇଥାଏ, ସେମାନଙ୍କ ପାଇଁ ଏ ଚିକିତ୍ସା ପ୍ରାୟ ଛଅ ସାତ ସପ୍ତାହ ପର୍ଯ୍ୟନ୍ତ ଦରକାର ପଡିଥାଏ । ସମୟେ ସମୟେ ସମ୍ପୂର୍ଣ୍ଣ ସ୍ତନ ଉଚ୍ଛେଦ ହୋଇଥବା ରୋଗୀ ପାଇଁ ରେଡିଏସନ୍ ଥେରାପି ଆବଶ୍ୟକ ହୋଇନଥାଏ । ପୁନର୍ବାର ଦ୍ଵିତୀୟ ଥର ପାଇଁ ଯଦି ଏ ରୋଗ ଦେଖାଯାଏ ତେବେ ରେଡିଏସନ୍ ଥେରାପିର ଦରକାର ପଡିଥାଏ । କାଖରେ ଗୁଳାପାଇଁ ଏହା ନିହାତି ଦରକାର ।

ରେଡିଏସନ୍

ରେଡିଏସନ୍ ଥେରାପିର ବିଧି ବ୍ୟବସ୍ଥା

ସାଧାରଣତଃ ରେଡିଏସନ୍ ଥେରାପି ସପ୍ତାହରେ ପାଞ୍ଚ ଥର କରି ଛଅ ସପ୍ତାହ ପର୍ଯ୍ୟନ୍ତ ଚାଲିଥାଏ । ରୋଗୀକୁ ଶନିବାର ଓ ରବିବାର ଦୁଇଟି ଦିନ ବିଶ୍ରାମ ଦିଆଯାଏ । ଏଇଥି ପାଇଁ  ରୋଗୀକୁ ପ୍ରତିସପ୍ତାହରେ ପାଞ୍ଚଦିନ ଚିକିତ୍ସିତ ହେବା ବାଧ୍ୟତାମୂଳକ ଅଟେ । ସର୍ବୋପରି ଏହି ଚିକିତ୍ସା ସକାଳ ଆଠଟାରୁ ସନ୍ଧ୍ୟା ପାଞ୍ଚଟା ତିରିଶ ଭିତରେ ହୋଇଥାଏ । ଏହି ଚିକିତ୍ସା ସମୟରେ ରୋଗୀକୁ କିଛି ମିନିଟ୍ ପାଇଁ ଚିକିତ୍ସିତ ହେଉଥିବା କୋଠରୀରେ ଏକୁଟିଆ ରହିବାକୁ ପଡିଥାଏ । ସେଥିପାଇଁ ରୋଗୀ ଆଦୌ ଭୟଭୀତ ହେବାର କାରଣ ନାହିଁ । ରେଡିଏସନ୍ ଥେରାପି ପରେ ପରେ ରୋଗୀ ସ୍ତନ ଉପରେ ସ୍ପର୍ଶଜନିତ ଭିନ୍ନ ଅନୁଭବ କରିଥାଆନ୍ତି ଓ ସ୍ତନଟି କଳା ପଡିଯାଇଥାଏ । ଏହାଛଡା ରୋଗୀ ବାନ୍ତି ଓ ଦୁର୍ବଳତା ଅନୁଭବ କରିପାରେ ।

ରେଡିଏସନ୍ ଥେରାପିର କାର୍ଯ୍ୟକାରିତା

ରେଡିଏସନ୍ ରଶ୍ମିଦ୍ଵାରା କର୍କଟ ରୋଗଗ୍ରସ୍ତ କୋଷ ଗୁଡିକ ନଷ୍ଟହେବା ସହିତ ସେମାନଙ୍କ ସଂଖ୍ୟା ବହୁପରିମାଣରେ କମିଯାଏ । ଏଠାରେ କୁହାଯାଇପାରେ ଯେ ଶରୀରରେ ଥିବା ଯେକୌଣସି ସାଧାରଣ କୋଷ ଗୁଡିକରେ ଏହି ସ୍ଵତନ୍ତ୍ର ରଶ୍ମିକୁ ସହନ କରିବା ଶକ୍ତି ଥାଏ । ତଥାପି ଏହାଦ୍ୱାରା କ୍ଷତିଗ୍ରସ୍ତ ହେଉଥିବା ସାଧାରଣ କୋଷଗୁଡିକ ଖୁବ୍ କମ୍ ଦିନରେ ପୂର୍ବାବସ୍ଥାକୁ ଫେରିଆସନ୍ତି । ସେଇଥିପାଇଁ ରେଡିଏସନ୍ ଚିକିତ୍ସା ପାଞ୍ଚରୁ ସାତ ସପ୍ତାହ ପର୍ଯ୍ୟନ୍ତ ସୀମିତ ରଖାଯାଏ ।

ରେଡିଏସନ୍ ଥେରାପିର ଯୋଜନା

ରେଡିଏସନ୍  ଚିକିତ୍ସକ ରୋଗୀକୁ ଭଲଭାବରେ ପରୀକ୍ଷା ନିରୀକ୍ଷା କରି ରେଡିଏସନ୍ ପଦ୍ଧତି, ପାର୍ଶ୍ଵପ୍ରତିକ୍ରିୟା, ସମୟ, ବ୍ୟବଧାନ ଓ ଉପକାରିତା ବିଷୟରେ ପ୍ରାଞ୍ଜଳଭାବେ ବୁଝାଇଥାନ୍ତି । ଚିକିତ୍ସା ଆରମ୍ଭ ପୂର୍ବରୁ ସଂକ୍ରମିତ ସ୍ଥାନ ଠାରୁ ଅଧିକ କେତେ ସ୍ଥାନରେ ରେଡିଏସନ୍  ପ୍ରୟୋଗ କରାଯିବ, ତାହା ମପାଚୁପା ହୋଇ ସ୍ଥିର କରାଯାଏ । ଏହାର ଉଦ୍ଦେଶ୍ୟ କମ୍ପ୍ୟୁଟରାଇଜଡ୍ ଚିକିତ୍ସା ପଦ୍ଧତି ଦ୍ଵାରା ସଂକ୍ରମିତ କୋଷ ଗୁଡିକୁ ଯଥାସମ୍ଭବ ନଷ୍ଟ କରିବା ସହିତ ଭଲଥିବା କୋଷଗୁଡିକୁ ସୁରକ୍ଷା ପ୍ରଦାନ କରିବା ଜଣାପଡିଥାଏ । ଏହି ଚିକିତ୍ସାରେ ବ୍ୟବହାର ହେଉଥିବା ଯନ୍ତ୍ରପାତି ଗୁଡିକ ପୂରାପୂରି ସିଲ୍ କରାଯାଇଥାଏ । ଯାହାଦ୍ୱାରା  ଏହାର ପ୍ରଭାବ, ଚିକିତ୍ସକ, ନର୍ସ କିମ୍ବା ରୋଗୀର ସମ୍ପର୍କୀୟମାନଙ୍କ ଉପରେ ପଡିପାରେ ନାହିଁ  । ଏହି ଚିକିତ୍ସା ପଦ୍ଧତି ସମ୍ପୂର୍ଣ୍ଣ ଯନ୍ତ୍ରଣାବିହୀନ । ଚିକିତ୍ସା ପରେ ରୋଗୀ, ଅନ୍ୟମାନଙ୍କ ସହିତ ମିଶିବା ପାଇଁ ବାରଣ ନଥାଏ । ଚିକିତ୍ସକ ପ୍ରତି ସପ୍ତାହରେ ରୋଗୀକୁ ପରୀକ୍ଷା କରି ଚିକିତ୍ସାର ଅଗ୍ରଗତି ଓ ପାର୍ଶ୍ଵପ୍ରତିକ୍ରିୟା ବିଷୟରେ ଅନୁଧ୍ୟାନ କରିଥାନ୍ତି ।

ରେଡିଏସନ୍ ଥେରାପି ସମୟରେ ସାବଧାନତା

ରେଡିଏସନ୍ ଥେରାପି ଦ୍ଵାରା କିଛିଟା ଚର୍ମରୋଗକୁ ଉପେକ୍ଷା କରାଯାଇପାରେନା । ପ୍ରାରମ୍ଭିକଭାବେ ରୋଗୀର ଚର୍ମରେ ଉଷୁମ ରହିବା, ଲାଲ ପଡିବା, କୁଣ୍ଡେଇ ହେବା, ସ୍ପର୍ଶକାତରତା ଇତ୍ୟାଦି ହୋଇଥାଏ । ତା’ପରେ ଏହାର ରଙ୍ଗ କଳା ପଡିଯାଏ । କେତେକ  ରୋଗୀଙ୍କ ପକ୍ଷରେ ଚର୍ମ ଶୁଖିଲା ଓ କଠିନ ହୋଇଯାଏ । ସମୟେ ସମୟେ ଚର୍ମରୁ କାତି ଛାଡିଥାଏ । ରେଡିଏସନ୍ ଚିକିତ୍ସାରେ ଥିବା ସମୟରେ ରୋଗୀ ସମ୍ପୂର୍ଣ୍ଣ ଗାଧୋଇ ପାରିବେ; କିନ୍ତୁ ସାବୁନ୍, ତେଲ, କ୍ରିମ୍ ବା ଅନ୍ୟ କୌଣସି ପ୍ରସାଧାନ ସମାଗ୍ରୀ ବ୍ୟବହାର କରିବେ ନାହିଁ । ଗାଧୋଇବା ସମୟରେ ଆକ୍ରାନ୍ତ ଚର୍ମକୁ ଘଷିବା ଉଚିତ୍ ନୁହେଁ । ଚିକିତ୍ସା ସମୟରେ ଢିଲା ବ୍ଲାଉଜ୍ ଓ ଢିଲା ବ୍ରା ପିନ୍ଧିବା ଉଚିତ୍। ରେଡିଏସନ୍ ଥେରାପି ଚିକିତ୍ସା ଚାଲୁ ରହିଥିବା ବେଳେ ସ୍ତନ ଭିତରେ ଥିବା ମାଂସପେଶୀ ଗୁଡିକ କଠିନ ଓ ସ୍ଥାଣୁ ହୋଇଯାଏ । ଏହା ମାସ ମାସ ଧରି ଏପରିକି କେତେକବର୍ଷ ପର୍ଯ୍ୟନ୍ତ ମଧ୍ୟ ଏହି ଅବସ୍ଥାରେ ରହିଯାଏ ।

ସ୍ତନକର୍କଟ ରୋଗୀ ପ୍ରତ୍ୟେକ କାଶ, ଜ୍ଵର, ବିନ୍ଧାବିନ୍ଧି, ଦୁର୍ବଳତା ଇତ୍ୟାଦି ଭୋଗିବା କର୍କଟରୋଗର ପୁନଃପ୍ରକାଶର ଲକ୍ଷଣ ନୁହେଁ । କର୍କଟ ରୋଗର ଥରେ ଠିକ୍ ଭାବେ  ଚିକିତ୍ସା କଲେ ଭଲ ହେଲାପରେ ଜଣେ ସାଧାରଣ ମଣିଷ ପରି ଜୀବନଯାପନ କରିଥାଏ। ଏଣୁ ପ୍ରତ୍ୟେକ ସ୍ୱାସ୍ଥ୍ୟ ସମସ୍ୟାକୁ କର୍କଟ ରୋଗ ସହ ଯୋଡିବା ବାଞ୍ଛନୀୟ ନୁହେଁ । ସାଧାରଣ ଜୀବନରେ ରୋଗୀ ଜ୍ଵର, ଥଣ୍ଡା, ମୁଣ୍ଡବିନ୍ଧା ପ୍ରଭୃତି ରୋଗରେ ଆକ୍ରାନ୍ତ ହୋଇଥାଏ । ଏହି ରୋଗଗୁଡିକୁ ସାଧାରଣ ଚିକିତ୍ସକମାନଙ୍କ ଦ୍ଵାରା ଚିକିତ୍ସା କରାଇ ନେବେ ।

ଚିକିତ୍ସା ସମୟରେ ଦୈନଦିନ ଶରୀରଚର୍ଯ୍ୟା

ରୋଗୀ ସାଧାରଣଭାବରେ କେଶ ପ୍ରସାଧାନ, ଗାଧେଇବା, ଚାଲିବା, ଗାଡି ଚଳାଇବା, ବଗିଚା କାମ କରିବା, ଘର ସଫା କରିବା, ବାସନ ମାଜିବା ଓ ଲୁଗା କାଚିବା ପରି ଅଳ୍ପ ପରିଶ୍ରମ କାମ କରିପାରେ । କିନ୍ତୁ ସାବଧାନ ! ସଂକ୍ରମିତ ପାଖ ହାତଦ୍ଵାରା କୌଣସି ଓଜନଦାର କାମ କରିବା ଆଦୌ ଉଚିତ ନୁହେଁ ।

ସ୍ତନ କର୍କଟ ଚିକିତ୍ସା ସମୟରେ ଯୌନ ସଂପର୍କ

ରେଡିଏସନ୍ ଥେରାପି ସମୟରେ ଯୌନ ସଂପର୍କ ଉପଭୋଗ କରିବା ବା ଗର୍ଭଧାରଣ କରିବାରେ ପ୍ରତିବନ୍ଧକ ନାହିଁ । କେମୋଥେରାପି ସମୟରେ ସାଧାରଣତଃ ସ୍ତ୍ରୀଲୋକମାନଙ୍କର ସମ୍ଭୋଗ ଇଚ୍ଛା ପ୍ରବଳ ହୋଇଥାଏ । କେତେକ ମହିଳା ସେମାନଙ୍କର ପୁରୁଷମାନଙ୍କ ସହିତ ନିରୋଳା ମୁହୂର୍ତ୍ତ ପାଇଁ ବ୍ୟାକୁଳ ହୁଅନ୍ତି ଓ ଆଉ କେତେକ ଦୁର୍ବଳତାବଶତଃ ଏଥିରୁ ବିରତ ହେବା ପାଇଁ ଇଚ୍ଛା ପ୍ରକଟ କରିଥାଆନ୍ତି। କେତେକ ସ୍ଥାନରେ ପୁରୁଷ, କେମୋଥେରାପି ନେଉଥିବା ସ୍ତ୍ରୀ ସହିତ ଯୌନ ସମ୍ପର୍କ ରହିବା ପାଇଁ ଭୟ କରିଥାଆନ୍ତି । ସେ ଭାବନ୍ତି ଏହା କାଳେ ସ୍ତ୍ରୀ ଠାରୁ ସଂକ୍ରମିତ ହୋଇପାରେ । ଏହାର ଅନ୍ୟ କାରଣଗୁଡିକ ହେଲା ସ୍ତ୍ରୀର ରୂପ ରଙ୍ଗର ପରିବର୍ତ୍ତନ, ଅତ୍ୟଧିକ ଖର୍ଚ୍ଚର ବୋଝ ଓ ନିଜ ଭବିଷ୍ୟତକୁ  ନେଇ ଚିନ୍ତାଗ୍ରସ୍ତ ଅବସାଦ । କେମୋଥେରାପି ସମୟରେ ଚିକିତ୍ସିତ ମହିଳାମାନଙ୍କର ମାସିକ ଋତୁସ୍ରାବ ସଂପୂର୍ଣ୍ଣ ବନ୍ଦ ହୋଇଯାଇପାରେ । ଏବ୍ୟତିତ ରୋଗୀର ଯୋନିରୁ ଉଷୁମ ତରଳ ପଦାର୍ଥ ନିର୍ଗତ କିମ୍ବା ଯୋନି ଶୁଖିଗଲା ପରି ଅନୁଭବ କରିପାରନ୍ତି । ଏହି ସମୟରେ ଯୌନକ୍ରିୟା ଅସୁଖକର ବୋଧ ହୁଏ । ଏଥିପାଇଁ ଯୋନି ମଧ୍ୟରେ ଜଳମିଶ୍ରିତ ପିଛିଳ ପଦାର୍ଥ ପ୍ରୟୋଗ କଲେ ସ୍ତ୍ରୀ ସମ୍ଭୋଗରେ ଆନନ୍ଦ ମିଳିଥାଏ ।

ସ୍ତ୍ରୀ ସମ୍ଭୋଗଦ୍ଵାରା କର୍କଟ ରୋଗ ସଂକ୍ରମିତ ହେବାର ଆଶଙ୍କା, ପୁରୁଷକୁ ଭୟଭୀତ କରାଇଥାଏ । ମାତ୍ର ସ୍ଵାମୀ ସ୍ତ୍ରୀ ଭିତରେ ଉତ୍ତମବୁଝାମଣା ରଖି ଆନନ୍ଦ ଉପଭୋଗ କରିବାର ଉପାୟ ସ୍ଥିର ହେବା ଉଚିତ୍ । ପୁରୁଷ ଓ ସ୍ତ୍ରୀ ଅନୁଭବ କରିବା ଉଚିତ୍ ଯେ ଯୌନକ୍ରୀଡା, ଉପଭୋଗର ଏକମାତ୍ର ଉପାୟ ନୁହେଁ । ପରସ୍ପର ପ୍ରତି ନିଜର ଶ୍ରଦ୍ଧା ପ୍ରକଟ କରିବା ପାଇଁ ଚୁମ୍ବନ, ସ୍ପର୍ଶ, କୋଳାଗ୍ରତ କରିବା ଇତ୍ୟାଦି ପଦ୍ଧତି ଅବଲମ୍ବନ କରାଯାଇପାରେ ।

ସ୍ତନକର୍କଟ ରୋଗୀ ଗର୍ଭଧାରଣ କରିପାରିବ କି ?

ନା । କେମୋଥେରାପି ସମୟରେ ଗର୍ଭଧାରଣ କରିବାର ଇଚ୍ଛାକୁ ପ୍ରତିହତ କରିବା ଉଚିତ୍ । କାରଣ ଏହାଦ୍ୱାରା ଗର୍ଭସ୍ଥ ସନ୍ତାନ ବିକଳାଙ୍ଗ ହୋଇଯାଇପାରିବେ । ଏଥିପାଇଁ ଯୌନକ୍ରିୟା ସମୟରେ ପୁରୁଷକୁ କଣ୍ଡୋମ କିମ୍ବା ଆଇ.ୟୁ।ସି.ଡି. ବ୍ୟବହାର ପାଇଁ ପରାମର୍ଶ ଦିଆଯାଇଥାଏ ।

ଗର୍ଭବତୀ ଥିବା ସମୟରେ ସ୍ତନ କର୍କଟ ରୋଗ ଜଣାପଡିଲେ

କୌଣସି ମହିଳା ଗର୍ଭବତୀ ଥିବା ସମୟରେ ଯଦି ତାଙ୍କର ସ୍ତନ କର୍କଟ ରୋଗ ଥିବାର ଜଣାପଡେ, ସଙ୍ଗେ ସଙ୍ଗେ ଚିକିତ୍ସକଙ୍କ ପରାମର୍ଶ ନେବା ଜରୁରୀ । ଏଥିରେ ରୋଗୀ  କଠିନ ଅପ୍ରୀତିକର ନିଷ୍ପତ୍ତି ନେବାକୁ ପଡିଥାଏ । ଚିକିତ୍ସକ, ଗର୍ଭପାତ କରିବାକୁ ମଧ୍ୟ ଉପଦେଶ ଦେଇପାରନ୍ତି କିମ୍ବା ଗର୍ଭଧାରଣ ଥାଇ ସ୍ତନ କର୍କଟର ସ୍ଵତନ୍ତ୍ର ଚିକିତ୍ସା କରାଇପାରନ୍ତି । ଏହା ରୋଗର ସ୍ଥିତି, ସୀମା ଓ ଗମ୍ଭୀରତା ଉପରେ ନିର୍ଭର କରେ ।

ସ୍ତନକର୍କଟ ରୋଗୀ ଚିକିତ୍ସାର କେତେଦିନ ପରେ ଗର୍ଭଧାରଣ କରିବ

ଏହା ସତ୍ୟ ଯେ, ସ୍ତନ କର୍କଟ ରୋଗୀ କେମୋଥେରାପି ଓ ରେଡିଏସନ୍ ଥେରାପି ଇତ୍ୟାଦି ସମସ୍ତ ଚିକିତ୍ସା ସମ୍ପୂର୍ଣ୍ଣ କରି ସୁସ୍ଥ ହେବାପରେ ଗର୍ଭଧାରଣ କଥା ଚିନ୍ତା କରିବା ଉଚିତ । ଚିକିତ୍ସକଙ୍କଠାର ଯେ ରୋଗର ପୁନରାବୃତ୍ତି ହେବାର   ଆଶଙ୍କା ନାହିଁ ।  ସାଧାରଣତଃ ୫ ବର୍ଷ ଅପେକ୍ଷା କରିବା ଉଚିତ୍ ।

ସ୍ତନ କର୍କଟ ରୋଗୀ ଚିକିତ୍ସା ପରେ ପ୍ରାୟ ତିନି ମାସ କିମ୍ବା ଛଅ ମାସ ଅନ୍ତରରେ ନିୟମିତ ଭାବେ ଚିକିତ୍ସକଙ୍କ ପରାମର୍ଶ ନେବା ପାଇଁ ହୋଇଥାଏ । ସାଧାରଣତଃ ପ୍ରଥମ ତିନି ବର୍ଷ ପର୍ଯ୍ୟନ୍ତ ରୋଗୀକୁ ଛଅ ମାସ ବ୍ୟବଧାନରେ ଡକାଯାଇଥାଏ । ତା’ ପରେ ସେ ସମୟ ବ୍ୟବଧାନ ବର୍ଷକ ପର୍ଯ୍ୟନ୍ତ ହୋଇଥାଏ । ଏହା ମୁଖ୍ୟ କାରଣ ହେଲା ଚିକିତ୍ସକ ସେହି ସମୟରେ ରୋଗୀ ସମ୍ପୂର୍ଣ୍ଣ କର୍କଟ ରୋଗୀମୁକ୍ତ ହେବା ବିଷୟରେ ନିରୀକ୍ଷଣ କରିଥାଆନ୍ତି ।

ପରବର୍ତ୍ତୀ ସମୟରେ ରୋଗୀ ନିମ୍ନଲିଖିତ ବିଷୟ ପ୍ରତି ଧ୍ୟାନଦେବା ଉଚିତ୍

  1. ଅସ୍ତ୍ରୋପ୍ରଚାର ହୋଇଥିବା ସ୍ଥାନରେ କୌଣସି ଟାଣୁଆ ମାଂସପେଶୀ ପୁନଃଜୀବିତ ହେଉଛି କି
  2. ବହୁଦିନ ଧରି କାଶ ଲାଗି ରହୁଛି କି
  3. ସମୟେ ସମୟେ ନିଃଶ୍ଵାସ ନେବାରେ କଷ୍ଟ ହେଉଛି କି
  4. ପିଠି ହାଡ, କାନ୍ଧ କିମ୍ବା ଜଙ୍ଘର ଅସ୍ଥିରେ ଯନ୍ତ୍ରଣା ହେଉଛି କି
  5. ବେକତଳେ ଥିବା ଗ୍ରନ୍ଥିଗୁଡିକ ବଢିଯାଉଛି କି
  6. ଅସ୍ତ୍ରୋପଚାର ନ ହୋଇଥିବା ଅନ୍ୟ ସ୍ତନଟିରେ ଗୋଟାଳିଆ ମାଂସପେଶୀ ଅନୁଭବ କରୁଛନ୍ତି କି
  7. ଲଗାତାରଭାବରେ ବାହୁ ଫୁଲିବା ଅନୁଭବ କରୁଛନ୍ତି

ବାହୁ ନ ଫୁଲିବା ପାଇଁ ସାବଧାନତା ଅସ୍ତ୍ରୋପଚାର ହୋଇଥିବା ସ୍ତନର ପାଖ ବାହୁ କିଛି ଦିନ ମଧ୍ୟରେ ଫୁଲିବା ଆରମ୍ଭ କରେ । ଏହାକୁ ଲିମ୍ଫିଓଡେମା (Lymphoedema)  କୁହାଯାଏ । ଫୁଲା ଯଦି ଅଧିକ ହୁଏ ଶୀଘ୍ର ଚିକିତ୍ସକଙ୍କୁ ସାକ୍ଷାତ କରନ୍ତୁ । କାରଣ ବାହୁ ଫୁଲିବା କ୍ଷତ ସ୍ଥାନରେ ସଂକ୍ରମଣର ସୂଚନା ଦେଇଥାଏ । ଏଣୁ ରୋଗୀ ବାହୁରେ ଯେପରି କୌଣସି କ୍ଷତ ସୃଷ୍ଟି ନହୁଏ, ଏ ବିଷୟରେ ସ୍ଵତନ୍ତ୍ର ଧ୍ୟାନ ଦେବା ସହ ସଚେତନ ହେବା ଉଚିତ୍ ।

ରୋଗୀ ନିଶ୍ଚିତ କରିବେ :

  1. ଅସ୍ତ୍ରୋପଚାର ହୋଇଥିବା ସ୍ତନ ପାଖ ବାହୁ ଉପରେ କଟିଯିବା, ପୋଡିଯିବା ଓ ଅନ୍ୟ କୌଣସି କାରଣରୁ ଯେପରି କ୍ଷତ ସୃଷ୍ଟି ନହୁଏ । ସେଥିପାଇଁ ଉପଯୁକ୍ତ ସତର୍କତା ଅବଲମ୍ବନ ।
  2. କୌଣସି ଇଞ୍ଜେକ୍ସନ ନେବାକୁ ଦରକାର ପଡିଲେ ଅନ୍ୟ ବାହୁଟିରେ ନିଅନ୍ତୁ ।
  3. କଷ (ଟାଇଟ୍) ହେଉଥିବା ଗହଣା ସେ ବାହୁରେ ପିନ୍ଧନ୍ତୁ ନାହିଁ ।
  4. ବାହାରକୁ ଯିବାବେଳେ ପୂରାହାତ ବ୍ଲାଉଜ୍ ପିନ୍ଧି ଯାଆନ୍ତୁ । ଏବେ ଇଲାଷ୍ଟିକ୍ ଡ୍ରେସ୍ ମିଳୁଛି ।
  5. ଲୁଗା ସଫା କରିବା କିମ୍ବା ବଗିଚା କାମ କରିବାକୁ ହେଲେ ହାତରେ ଗ୍ଳୋଭସ୍ ପିନ୍ଧନ୍ତୁ ।
  6. Chiropod ରକ୍ଷା ଅଭ୍ୟାସ କରନ୍ତୁ ।
  7. ଏ ସବୁ ସାବଧାନତା ସତ୍ତ୍ୱେ ଏ ବାହୁଟି କ୍ଷତିଗ୍ରସ୍ତ ହେଲେ ଚିକିତ୍ସକଙ୍କ ସହ ତୁରନ୍ତ ପରାମର୍ଶ କରନ୍ତୁ ।

ଶରୀରରେ ଥରେ କର୍କଟ ରୋଗର ଲକ୍ଷଣ ଦେଖାଗଲେ ଏହା ରୋଗୀର ଶାରୀରିକ, ମାନସିକ ଓ ପାରିବାରିକ ଜୀବନ ପ୍ରତି ପ୍ରତିକୂଳ ପ୍ରଭାବ ପକାଇଥାଏ । କିନ୍ତୁ କର୍କଟ ରୋଗ ହେଲେ ଯେ ଜୀବନର ଅନ୍ତ ହୋଇଗଲା କିମ୍ବା ଜୀବନକୁ ସବୁଦିନ ପାଇଁ ସୁଖ ସ୍ଵାଚ୍ଛନ୍ଦ ଉଭେଇଗଲା, ଏପରି ଆଦୌ ଭାବିବା ଉଚିତ୍ ନୁହେଁ । ଯଦି କର୍କଟ ରୋଗ ପ୍ରାରମ୍ଭରେ ଧରାପଡିଯାଏ, ତାହାହେଲେ ରୋଗୀ ନିଶ୍ଚିତଭାବେ ଆରୋଗ୍ୟଲାଭ କରିପାରେ । ଯଦି ରୋଗର ସ୍ଥିତି ଓ ଭୟାବହତା ଅଧିକ ହୋଇଥାଏ, ଏହା ସଂପୂର୍ଣ୍ଣ ଆରୋଗ୍ୟ ନହେଲେ ମଧ୍ୟ ଆଧୁନିକ ଚିକିତ୍ସା ପ୍ରଣାଳୀ ପ୍ରୟୋଗ କରାଯାଇ ଏହାକୁ ବହୁପରିମାଣରେ ଓ ବହୁ ବର୍ଷ ପର୍ଯ୍ୟନ୍ତ ନିୟନ୍ତ୍ରଣାଧୀନ କରାଯାଇପାରେ । ଥରେ ରୋଗୀ କର୍କଟ ରୋଗ ଦ୍ଵାରା ଆକ୍ରାନ୍ତ ବୋଲି ଜାଣିବାପରେ ସ୍ଵଭାବତଃ ତା’ର ଶାରୀରିକ ଓ ମାନସିକଭାବେ ସେ କ୍ରୋଧ, ଭାବବିହ୍ଵଳତା, ଭୟ, ବିବଶତା, ନିରୁତ୍ସାହିତ ଭାବ ଓ ବଞ୍ଚିବା ପାଇଁ ବିମୁଖ ହୋଇଯାଏ । ମାତ୍ର ଏପରି ଦୁଃଶ୍ଚିନ୍ତାଗ୍ରସ୍ତ ଭାବକୁ ପରିତ୍ୟାଗ କରି ରୋଗ ବିଷୟରେ ରୋଗୀ ତା’ର ଅନ୍ତରଙ୍ଗ ବନ୍ଧୁ ଓ ସମ୍ପର୍କଙ୍କ ସହ ଆଲୋଚନା କରିବା ଉଚିତ୍ । କର୍କଟ ରୋଗୀ ଯେତେ ସକରାତ୍ଜକ ଓ ଦୃଢ ମନୋବଳ ପୋଷଣ କରିବ ତା’ର ଚିକିତ୍ସାର ଫଳାଫଳ ତା’ ପାଇଁ ସେତେ ଫଳପ୍ରଦ ଓ ସହଜ ହେବ । ଏଣୁ ଭୟଭୀତ ନ ହୋଇ ଉପଯୁକ୍ତ ଚିକିତ୍ସା ପଥେ ରୋଗୀ ଆଗେଇ ଯିବା ଉଚିତ୍ ।

ସ୍ତନ କର୍କଟ ରୋଗରେ ପୀଡିତ ମହିଳାଙ୍କ ପକ୍ଷରେ ତାଙ୍କର ଅନ୍ୟ ସସ୍ତନରେ କର୍କଟ ରୋଗର ସମ୍ଭାବନାକୁ ଏଡାଇ ଦିଆଯାଇ ନପାରେ । ଏଣୁ ଅନ୍ୟ ସ୍ତନଟିର ଟାଣୁଆ ମାଂସପେଶୀଟିଏ ସୃଷ୍ଟି ହେଉଛି କି ନାହିଁ, ତା’ ଉପରେ ତୀକ୍ଷ୍ନ ଦୃଷ୍ଟି ରଖିବା ସହିତ ନିଜେ ପରୀକ୍ଷା କରିନେବା ନିଜର କର୍ତ୍ତବ୍ୟ ବୋଲି ଭାବିବା ଉଚିତ୍ । ସାଧାରଣତଃ  ୩୦ ବର୍ଷରୁ ଊର୍ଦ୍ଧ୍ଵ ବୟସ୍କ ମହିଳାମାନେ ନିଜେ ନିଜର ସ୍ତନକୁ ନିୟମିତଭାବେ ପରୀକ୍ଷା କରିନେବା ଉଚିତ୍ । ମାସିକ ଋତୁସ୍ରାବର ଗୋଟିଏ ସପ୍ତାହ ପରେ ଏହି ପରୀକ୍ଷା ପ୍ରତ୍ୟେକ ମାସର ପ୍ରଥମ ସପ୍ତାହରେ କରିବେ । ପରୀକ୍ଷାର ଉପାୟ ଗୁଡିକ ହେଲା

  1. ବଡ ଦର୍ପଣ ଆଗରେ ଉନ୍ମୁକ୍ତ ବକ୍ଷକୁ ଦେଖାଇ ଦୁଇ ବାହୁକୁ ସାଧାରଣଭାବେ ଶରୀର ସହିତ ଚାପିରଖି ଠିଆ ହୁଅନ୍ତୁ । ସାବଧାନତା ସହ ନିଜର ଦୁଇ ସ୍ତନକୁ ନିରୀକ୍ଷକ କରନ୍ତୁ । ଯଦି ସେଥିରେ କିଛି ଫୁଲା, ଦାଗ, ସ୍ତନ ଅଗ୍ରଭାଗରେ (ଚୁଚକ ) ରେ କିଛି ପରିବର୍ତ୍ତନ ଅଛି କି ନାହିଁ  ଲକ୍ଷ୍ୟ କରନ୍ତୁ । ଦୁଇ ହାତରେ ସ୍ତନକୁ ଟେକି ତଳପେଟ ମଧ୍ୟ ସେହିପରି ପରୀକ୍ଷା କରିନିଅନ୍ତୁ । ତା’ ଛଡା ଦୁଇହାତରେ ଅଣ୍ଟା ଉପରକୁ ଚାପ ଦେଇ ସ୍ତନରେ ଯନ୍ତ୍ରଣା ହେଉଛି କି ନାହିଁ  ଦେଖନ୍ତୁ ।
  2. କାଖ ତଲେବ କିଛି ଅସ୍ଵାଭାବିକ ଫୁଲା ଅଛି କି ନାହିଁ ପରୀକ୍ଷା କରି  ନିଅନ୍ତୁ । ସ୍ତନ ଭୁଣ୍ଡିରୁ ରକ୍ତ, କ୍ଷୀର ବା ଅନ୍ୟକୌଣସି ପଦାର୍ଥ ବାହାରୁଛି କି ନାହିଁ ଦେଖନ୍ତୁ ।
  3. ବିଛଣା ଉପରେ ଚିତ୍ ହୋଇ ଶୁଅନ୍ତୁ । ଯେଉଁ ପାଖ ସ୍ତନଟିକୁ ପରୀକ୍ଷା କରିବାକୁ ଚାହୁଁଛନ୍ତି, ସେହି ପାଖ ପିଠି ତଳେ ମୋଡା ହୋଇଥିବା ତଉଲିଆ ଓ ତକିଆଦେଇ ସ୍ତନ ମଧ୍ୟରେ ଅନ୍ୟ ହାତ ପାପୁଲି ଦ୍ଵାରା ଟାଣୁଆ ଗୋଟାଳିଆ ମାଂସପେଶୀ ଅଛି କି ନାହିଁ ପରୀକ୍ଷା କରନ୍ତୁ । ଏହି ପ୍ରକ୍ରିୟା ଦ୍ଵାରା ଅନ୍ୟ ସ୍ତନଟି ମଧ୍ୟ ପରୀକ୍ଷା କରନ୍ତୁ ।
  4. ହାତର ମାତ୍ର ଦୁଇଟି ଆଙ୍ଗୁଳି ଦ୍ଵାରା ବୁଲେଇ ବୁଲେଇ ସ୍ତନ ଆରମ୍ଭ ପାଖରୁ ଉପରକୁ ଦୁଇ ଆଙ୍ଗୁଳି ପର୍ଯ୍ୟନ୍ତ ଚାପଦେଇ ପରୀକ୍ଷା କରି ଦେଖନ୍ତୁ ଟାଣୁଆ ମାଂସପେଶୀ ଅଛି କି ନାହିଁ ।
  5. କାଖ ଭିତରେ ଆଙ୍ଗୁଠି ଦେଇ କୌଣସି ଗୁଳା, ପିଛୁଳି ବା ଗୋଡି ଭଳି ଗେଟା ପାଇଁ ପରୀକ୍ଷା କରନ୍ତୁ ।
  6. ଖଟ ଉପରେ ଆଉଜି ବସି କରି ମଧ୍ୟ ଉପରୋକ୍ତ ପ୍ରଣାଳୀରେ ପରୀକ୍ଷା କରନ୍ତୁ ।

ସ୍ତନ କର୍କଟ ରୋଗ ଅପରେସନ୍ ପରେ ବ୍ୟାୟାମ

ସ୍ତନ କର୍କଟରୋଗ ଅପରେସନ ପରେ ବାହୁ ବ୍ୟାୟାମ ନିହାତି ଜରୁରୀ । ଏହା ରୋଗୀକୁ ତା’ର କାନ୍ଧ ଏବଂ ହାତ ଗୁଡିକର ସୁଚାରୁ ଚଳପ୍ରଚଳ ପାଇଁ ସାହାଯ୍ୟ କରେ । ଏହା କରାନଗଲେ ହାତ ଗଣ୍ଠି, କବ୍ଜା ଆଦି stiff ହୋଇଯାଏ । ପ୍ରତିଦିନ ନିର୍ଦ୍ଧାରିତ ସମୟରେ ଏହି ବ୍ୟାୟାମ ଚାଲୁ ରହିବା ଉଚିତ୍ । ଏହି ବ୍ୟାୟାମ ଅପରେସନର ଦୁଇ ତିନି ଦିନଠାରୁ ଆରମ୍ଭ ହୁଏ ।

  • ଲୁଗାପଟା, ବାସନ କୁସନ ସଫା କଲାବେଳେ ଗ୍ଳୋଭସ୍ ବ୍ୟବହାର କରିବେ ।
  • ହାତରେ ଯେପରି କୌଣସି ପ୍ରକାରର କ୍ଷତ ସୃଷ୍ଟି ନହୁଏ ସେଥିପ୍ରତି ସ୍ଵତନ୍ତ୍ର ଦୃଷ୍ଟି ଦିଅନ୍ତୁ ।
  • ଲୁଗାପଟା ସିଲେଇବେଳେ ଟିପରକ୍ଷାକାରୀ ଖୋପ ପିନ୍ଧାନ୍ତୁ ।
  • ଢିଲା ପୋଷାକ ଯଥା ଢିଲା ବ୍ଲାଉଜ୍, ବ୍ରା  ଆଦି ପିନ୍ଧାନ୍ତୁ ।
  • ମଶା, ମାଛି, ଡାଆଁସ ଆଦି କୀଟ ପତଙ୍ଗଠାରୁ ଦୂରରେ ରୁହନ୍ତୁ ଓ ସେଥିପାଇଁ ସତର୍କତା ଅବଲମ୍ବନ କରନ୍ତୁ ।
  • ଅପରେସନ ହୋଇଥିବା ସ୍ତନ ପାଖ ହାତରେ କୌଣସି ପ୍ରକାର ଇଞ୍ଜେକ୍ସନ୍ ନିଅନ୍ତୁ ନାହିଁ ।
  • ସଂପୃକ୍ତ ହାତକୁ ପରୀକ୍ଷା ପାଇଁ ମଧ୍ୟ ରକ୍ତ ବାହାର କରିବେ ନାହିଁ ।
  • ସେହି ହାତରେ ରକ୍ତଚାପ ମଧ୍ୟ ମାପିବେ ନାହିଁ ।
  • ସେହି ହାତର ନାଖ ଛିଡାଇବେ ନାହିଁ । ନଖ କାଟିଲାବେଳେ ମଧ୍ୟ ସତର୍କତା ଅବଲମ୍ବନ କରନ୍ତୁ ।
  • ଆକ୍ରାନ୍ତ ହାତରେ ଟାଇଟ୍ ପୋଷାକ କିମ୍ବା ଟାଇଟ୍ ବା ଚିପା ଗହଣା ପିନ୍ଧନ୍ତୁ ନାହିଁ ।
  • ସେହି ହାତକୁ ଅଧିକ ତାପର ନିକଟବର୍ତ୍ତୀ କରାନ୍ତୁ ନାହିଁ ।
  • ନିଜର ଦୈନିକ ଖାଇବା, ପିଇବା ପ୍ରଭୃତି ଅଭ୍ୟାସରେ ଅସୁବିଧା – ରକ୍ତ ହୀନତା, ଭୋକ ମରିଯିବା ।
  • କୌଣସି ଘା’ ଭଲ ନହେବା ।
  • ସ୍ତ୍ରୀ ଲୋକମାନଙ୍କର ଅହେତୁକ ଋତୁ ସ୍ରାବ ବା ରକ୍ତ ସ୍ରାବ ।
  • ତନରେ ଫୁଲା ବା ଗୋଟା ।
  • ବଦହଜମୀ, ଦୁର୍ବଳତା, ଝାଡାରେ ରକ୍ତ ।
  • କଳାଯାଇ ବୁନ୍ଦା ବଢିବ ବା ନୂଆ ହୋଇ ଦେଖାଦେବା ।
  • ବହୁତ ଦିନର କାଶ, କଫ, ଖାଇବାରେ କଷ୍ଟ,ସ୍ଵର ବସିଯିବା ଇତ୍ୟାଦି ।

ମନେ ରଖନ୍ତୁ

  • ତମାଖୁ ଅଭ୍ୟାସ ସ୍ୱାସ୍ଥ୍ୟପକ୍ଷରେ କ୍ଷତିକାରକ  ।
  • ତମାଖୁ ବ୍ୟବହାର ଠାରୁ ଦୂରରେ ରଖନ୍ତୁ ।
  • ଏ ବଦଭ୍ୟାସ ଆରମ୍ଭ କରନ୍ତୁ ନାହିଁ  ।
  • ନିଜ ପିଲାଙ୍କୁ ଏ ବଦଭ୍ୟାସଠାରୁ ଦୂରରେ ରଖନ୍ତୁ ।
  • ଧୂମପାନ ଛାଡିବା ପାଇଁ ଆଜିକାଲି ବଟିକା ଔଷଧ ମିଳୁଛି । ଡାକ୍ତରଙ୍କ ସାହାଯ୍ୟରେ ନିଅନ୍ତୁ।

ଆଧାର - ବ୍ରେସ୍ଟ କେୟାର ସେନ୍ଟର,ପଣ୍ଡା ମେଡିକାଲ ସେନ୍ଟର

3.25
ଆଫ୍ରୀନ ଜଫର Feb 26, 2016 01:11 PM

ଏହି ଇନଫରର୍ମେଶନ ଦ୍ଵାରା ଆମେ ସ୍ତନକର୍କଟ ବିଷୟରେ ସତର୍କ ହୋଇପାରୁଛନ୍ତି

ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top