ହୋମ / ସମାଜ କଲ୍ୟାଣ / ମହିଳା ଓ ଶିଶୁ ବିକାଶ / ଗ୍ରାମାଞ୍ଚଳରେ ମହିଳା ଓ ଶିଶୁମାନଙ୍କ ବିକାଶ (ଡୋକ୍ରା)
ସେଆର କରନ୍ତୁ

ଗ୍ରାମାଞ୍ଚଳରେ ମହିଳା ଓ ଶିଶୁମାନଙ୍କ ବିକାଶ (ଡୋକ୍ରା)

ଗ୍ରାମାଞ୍ଚଳରେ ମହିଳା ଓ ଶିଶୁମାନଙ୍କ ବିକାଶ (ଡୋକ୍ରା) ସମନ୍ଵିତ ଗ୍ରାମ ବିକାଶ କାର୍ଯ୍ୟକ୍ରମ (ଆଇ.ଆର.ଡି.ପି.) ର ଏକ ଅଙ୍ଗ ।

ଗ୍ରାମାଞ୍ଚଳରେ  ମହିଳା  ଓ  ଶିଶୁମାନଙ୍କ  ବିକାଶ  (ଡୋକ୍ରା) ସମନ୍ଵିତ  ଗ୍ରାମ   ବିକାଶ   କାର୍ଯ୍ୟକ୍ରମ (ଆଇ.ଆର.ଡି.ପି.) ର  ଏକ  ଅଙ୍ଗ । ଗ୍ରାମାଞ୍ଚଳରେ  ଦାରିଦ୍ର୍ୟ  ମହିଳାମାନଙ୍କୁ   ସହାୟତା   ଦେବା  ନିମନ୍ତେ   ଏହା   ପରିକଳ୍ପିତ  । ଗୋଷ୍ଠୀ   ଭିତ୍ତିରେ  ଆୟ – ଉପାର୍ଜନକ୍ଷମ  କାର୍ଯ୍ୟକଳାପ   ହାତକୁ   ନେବା   ନିମନ୍ତେ   ଏହା   ଉପାୟ  ଯୋଗାଇଥାଏ । ଗୋଷ୍ଠୀ  ମଧ୍ୟରେ   ଥିବା   ମହିଳାମାନଙ୍କ  ଜୀବନର  ଗୁଣାତ୍ମକ   ଉନ୍ନତି  ଘଟାଇବା   ଲାଗି   ସମପର୍ଯ୍ୟାୟରେ  ଅନ୍ୟାନ୍ୟ  ସେବାର  ଉପଯୋଗ   ଲାଗି   ମଧ୍ୟ   ଡୋକ୍ରା ସାହାଯ୍ୟ କରିଥାଏ । ଶିଶୁମାନଙ୍କ  ଯତ୍ନକୁ   ଅଧିକ  ଉନ୍ନତ   କରିବା  ପାଇଁ   ବେଶି  ଉପାର୍ଜନ  ଓ  ସମଧର୍ମୀ ଅନ୍ୟାନ୍ୟ  ସେବାଗୁଡିକର   ଉପଯୋଗ   ମହିଳାମାନଙ୍କ   ପକ୍ଷରେ   ସହାୟକ   ହେବା ଆଶା  କରାଯାଏ  ।

ଏହି  କାର୍ଯ୍ୟକ୍ରମରେ   ମହିଳା  ଓ  ଶିଶୁମାନଙ୍କ   ବିକାଶ   ଉପରେ  ଗୁରୁତ୍ଵ   ଦିଆଯାଇଥାଏ   । ଆମ  ଦେଶର  ଶତକଡା  ପଞ୍ଚସ୍ତରୀ  ଭାଗ  ଲୋକ  ଗାଁ  ଗହଳିରେ  ବାସ   କରନ୍ତି   । ଏମାନଙ୍କ  ମଧ୍ୟରୁ  ମହିଳା  ଓ  ଶିଶୁମାନେ   ଶତକଡା  ଷାଠିଏ   । ଦାରିଦ୍ର୍ୟ  ସୀମାରେଖା   ତଳେ  ରହିଥିବା  ପରିବାରଗୁଡିକର   ମହିଳା  ଓ  ଶିଶୁମାନଙ୍କର  ନିମନ୍ତେ   ଏହି  କାର୍ଯ୍ୟକ୍ରମ  ପରିକଳ୍ପିତ   ।

ଗ୍ରାମାଞ୍ଚଳର  ଦାରିଦ୍ର୍ୟ  ମହିଳାମାନେ  ନିଜକୁ  ଗୋଷ୍ଠୀ   ମଧ୍ୟରେ  ସଙ୍ଗଠିତ   କରିବା  ଉଚିତ   । ସେମାନେ  ସ୍ଵପ୍ରଚେଷ୍ଟାରେ  ଓ  ସାମ୍ବାଦିକଭାବେ   ସମାଜର  ପ୍ରଚେଷ୍ଟାରେ   ବିକାଶର   ସୁଫଳଗୁଡିକ   ଗ୍ରହଣ  କରିବା  ଉଚିତ   । ଏହି  କାରଣରୁ   ଜଣେ  ମହିଳାଙ୍କ  ଅପେକ୍ଷା  ଅନେକ  ମହିଳାଙ୍କ  ଓ  ଜଣେ  ଶିଶୁ  ଅପେକ୍ଷା   ଅନେକ   ବିକାଶ   ଉପରେ   ଗୁରୁତ୍ଵ   ଆରୋପ   କରାଯାଇଅଛି    ।

ଡୋକ୍ରା  ଯୋଜନାରେ  ମହିଳାମାନଙ୍କୁ   ଗୁରୁତ୍ଵ   ଦିଆଯାଇଅଛି   । ମାହିଲାମାନଙ୍କ  ମର୍ଯ୍ୟାଦାରେ  ସର୍ବାଙ୍ଗୀନ   ଉନ୍ନତି   ଏହି  ଲକ୍ଷ୍ୟର   କେନ୍ଦ୍ରବିନ୍ଦୁ  ।

ମହିଳାମାନଙ୍କ   ବିଭିନ୍ନ   ଭୂମିକା  ସହ  ସମ୍ପର୍କିତ   ହୋଇ  ସେମାନଙ୍କ  ସାମର୍ଥ୍ୟ  ଓ  ବୁଝିବା  ଶକ୍ତିର  ଇନ୍ନତି   ଘଟାଇଲେ  ସେମାନଙ୍କର   ମର୍ଯ୍ୟାଦା  ଏକ  ଉଚ୍ଚତର   ପର୍ଯ୍ୟାୟରେ  ପର୍ଯ୍ୟବେସିତ  ହେବ   ।

ମାତାପିତାଙ୍କର   ଉନ୍ନତିର   ପରିଣତି   ସ୍ୱରୂପ ପରୋକ୍ଷ   ଭାବେ   ଶିଶୁମାନଙ୍କର  କ୍ରମୋନ୍ନତି  ପରିଲକ୍ଷିତ ହେବ । ଶିଶୁମାନଙ୍କ  ଯତ୍ନ, ତତ୍ପରତା, ସଚେତନତା, ଉତ୍ସାହ କର୍ମପନ୍ଥା  ମାଧ୍ୟମରେ   ଶିଶୁମାନଙ୍କର   ବିକାଶ  ସାଧିତ   ହେବ । ଅତଏବ, ମହିଳାମାନଙ୍କର   ଗୁରୁତ୍ଵ   ଅନସ୍ଵୀକାର୍ଯ୍ୟ  ।

ଏହି  କାର୍ଯ୍ୟକ୍ରମ  ଦାରିଦ୍ର୍ୟମାନଙ୍କ   ପାଇଁ  ଉଦ୍ଦିଷ୍ଟ   । ସରକାରୀ ଭାବେ  ସ୍ଵୀକୃତ   ଦାରିଦ୍ର୍ୟ  ସୀମାରେଖା  ତଳେ   ଥିବା  ପରିବାରକୁ   ଦାରିଦ୍ର୍ୟ  କୁହାଯିବ । ଏହି   ପରିବାର  ଗୁଡିକ  ଗ୍ରାମ   ସଭା  ଦ୍ଵାରା  ଚିହ୍ନଟ  ହୋଇଥିବେ । ଏହି  ତାଲିକାଗୁଡିକ  ଗ୍ରାମ  ପଞ୍ଚାୟତ, ବ୍ଲକ  ବା  ଜିଲ୍ଲା   କାର୍ଯ୍ୟାଳୟରେ  ମିଳିପାରିବ   । ପରିବାରଗୁଡିକର  ଆୟର   ଅଟକଳ   କରାହୋଇ  ଏହି   ତାଲିକା   ପ୍ରସ୍ତୁତ  ହୋଇଥାଏ   । ଯେଉଁ  ପରିବାରଗୁଡିକ  ଏହି  ତାଲିକାର  ଅନ୍ତର୍ଭୁକ୍ତ   ସେଗୁଡିକୁ   ଚୟନିତ   ପରିବାର  ବା  ମନୋନୀତ   ପରିବାର  କୁହାଯାଇଥାଏ   ।

ବିକାଶ  ପ୍ରକ୍ରିୟା  କୌଣସି  ବାହ୍ୟ  ଶକ୍ତି  ଦ୍ଵାରା   କାହାର   ଉପରେ  ଲଦି   ଦିଆଯାଏ  ନାହିଁ  । ନିଜର  ସର୍ବବିଧ   ଉନ୍ନତି  ସାଧନ  ନିମନ୍ତେ  ଆବଶ୍ୟକୀୟ  ସମ୍ବଳର   ଅଧିକାରୀ  ହେବା  ଉଦ୍ଦେଶ୍ୟରେ  ନିର୍ଦ୍ଧିଷ୍ଟ   ଜନସାଧାରଣଙ୍କୁ  ପ୍ରସ୍ତୁତ  କରିବାକୁ   ହୁଏ   । ବିକାଶ  ଜନଗଣଙ୍କର   ସ୍ଵପ୍ରଚେଷ୍ଟାରେ   ରୂପାୟିତ  ହୋଇଥାଏ   ।

ଡୋକ୍ରା  କାର୍ଯ୍ୟକ୍ରମର   ଲକ୍ଷ୍ୟ

ରାଷ୍ଟ୍ରରେ  ଅସଂଖ୍ୟ   ଜନହିତକର   ପ୍ରକଳ୍ପର  ପରିକଳ୍ପନା   କରାଯାଇଛି   ପ୍ରପୀଡିତ   ବ୍ୟକ୍ତିମାନଙ୍କର  ବିକାଶ  ନିମନ୍ତେ  ଅପରିମିତ   ଅର୍ଥ  ବ୍ୟୟ  ହୋଇଅଛି   । କିନ୍ତୁ  ବାସ୍ତବ  କ୍ଷେତ୍ରରେ  ସମ୍ବଳର  ସଦୁପଯୋଗ  ସୁଦୂର   ପରାହତ   ହୋଇଥିବା   ପରିଲକ୍ଷିତ   ହୋଇଅଛି   । ଦାରିଦ୍ର୍ୟ  ବ୍ୟକ୍ତିଗଣ  ଏବଂ  ସର୍ବୋପରି   ଦୁର୍ବଳ   ଶ୍ରେଣୀର  ମହିଳା  ଏବଂ  ଶିଶୁଗଣ   ସର୍ବାଧିକ   ଦୁର୍ଦ୍ଦଶାର  ଶିକାର  ହେଉଅଛନ୍ତି   । ମହିଳାମାନେ  ସେମାନଙ୍କର   ଉପକାର  ନିମନ୍ତେ  ପ୍ରସ୍ତୁତ   ଯୋଜନା, ଆଇନକାନୁନ, ପରିକଳ୍ପନା  ପ୍ରଭୃତି   ବୁଝିପାରିବେ   ଏବଂ   ନିଜର  ସର୍ବବିଧ  ମଙ୍ଗଳ   ସାଧନ   ନିମନ୍ତେ  ଏହି  ସମ୍ବଳଗୁଡିକର  ସଫଳ  ନିୟୋଜନରେ  ନିଜର  ସାମର୍ଥ୍ୟ  ଓ  କର୍ମଦକ୍ଷତାର  ପରାକାଷ୍ଠା   ପ୍ରମାଣିତ   କରିପାରିବେ   । ଏହି  ସୂକ୍ଷ୍ମ  ତତ୍ତ୍ଵ  ଭିତ୍ତିରେ  ଡୋକ୍ରାର   ବିଭିନ୍ନ  ଅଙ୍ଗ   ବିସ୍ତାରିତ   । ଆୟ   ଉତ୍ପାଦକ   ସମ୍ବଳ  ଓ  ପରିକଳ୍ପନାର  ସୁଯୋଗ  ଗ୍ରହଣ  କରି  ନିଜ  ଆୟ   ବୃଦ୍ଧି   ଘଟାଇବା  ସେମାନଙ୍କର   ଉଦ୍ୟମର  ମୂଳସୂତ୍ର  ହେବ   ।

ଡୋକ୍ରା କାର୍ଯ୍ୟକ୍ରମର ମୂଳ ବୈଶିଷ୍ଟ୍ୟ

ଡୋକ୍ରା  ଏକ  କଲ୍ୟାଣର   ଯୋଜନା  ହେବା  ସହିତ  ବିଭିନ୍ନ  ପ୍ରକାର   ସେବା  ଓ   ସୁବିଧାରୁ   ଉପକାର  ଲାଭ   କରିବା   ନିମନ୍ତେ   ସୁଯୋଗ   ପ୍ରଦାନ   କରିଥାଏ   । ସ୍ଥାନୀୟ  ଆବଶ୍ୟକତାକୁ   ଭିତ୍ତିକରି  ପ୍ରତ୍ୟକ   ଗ୍ରାମଗୋଷ୍ଠୀ   ନିମନ୍ତେ   ନିର୍ଦ୍ଧିଷ୍ଟ  କାର୍ଯ୍ୟକ୍ରମର   ପନ୍ଥା   ନିର୍ଦ୍ଧାରିତ  ହୁଏ   । ତେଣୁ  ସମଗ୍ର  ଦେଶରେ  ଡୋକ୍ରା  କାର୍ଯ୍ୟକ୍ରମର  ସମ୍ପାଦନ  ପ୍ରଣାଳୀ   ପୃଥକ୍  ହେବା  ସ୍ଵାଭାବିକ   ।

ସ୍ଥାନୀୟ  ଆବଶ୍ୟକତା   ଭିତ୍ତିରେ   ଏକ  ନମନୀୟ   କାର୍ଯ୍ୟକ୍ରମ   ରୂପେ   ଡୋକ୍ରା  ବିଦିତ  । ଗ୍ରାମ  ସ୍ତରରେ   କାର୍ଯ୍ୟକାରୀ   ହେଉଥିବା  ଯୋଜନା  ଓ  ସମ୍ପାଦନ   ପ୍ରଣାଳୀ  ଉଭୟ  ବିକ୍ରେନ୍ଦ୍ରିତ   ହେବା  ବାଞ୍ଛନୀୟ   । ଏହି  ବିକେନ୍ଦ୍ରୀକାରଣ   ନୀତି   ଡୋକ୍ରା   କାର୍ଯ୍ୟକ୍ରମର  ମୂଳମନ୍ତ୍ର   ।ଯୋଜନା  ଓ  ସମ୍ପାଦନର  ଦାୟିତ୍ଵ   ଉଭୟ   ଯଥାସମ୍ଭବ   ଗୋଷ୍ଠୀ   ନିମନ୍ତେ   ନିକଟ  ସମ୍ପର୍କିତ  ହେବା  ଉଚିତ   ।

ବିକେନ୍ଦ୍ରୀକରଣରୁ  ମୂଳସୂତ୍ର   ଭାବେ  ଅଂଶ  ଗ୍ରହଣ   ନୀତି  ଉପରେ   ଡୋକ୍ରା  ଗୁରୁତ୍ଵ  ଆରୋପ  କରିଥାଏ   । ଯୋଜନା  ପ୍ରସ୍ତୁତିଠାରୁ  ଏହାର ସମ୍ପାଦନ  ପ୍ରକ୍ରିୟା  ଓ  ପରିଶେଷରେ  ମୂଲ୍ୟାଙ୍କନ  ସ୍ତର  ପର୍ଯ୍ୟନ୍ତ  ମହିଳାମାନଙ୍କ  ଅଂଶ  ଗ୍ରହଣ  ପ୍ରକ୍ରିୟା   ପ୍ରୋତ୍ସାହିତ  ହେବା  ବିଧେୟ   । ମହିଳା  ଗୋଷ୍ଠୀ  କେଉଁ   କାର୍ଯ୍ୟରେ   ଦାୟିତ୍ଵ   ନେବେ   ତାହା   ସେମାନେ  ନିଜେ   ସ୍ଥିର  କରିବା   ବାଞ୍ଛନୀୟ   । ସାଧାରଣତଃ   ଗ୍ରାମାଞ୍ଚଳର   ଲୋକମାନଙ୍କ  ପ୍ରତ୍ଯକ୍ଷ   ଅଂଶ   ଗ୍ରହଣ  ବ୍ୟତୀତ  ସରକାର  ଏକ  ଗ୍ରାମ   ଗୋଶୀ   ସେବାର  ସଙ୍ଗଠନ   କଲେ  ସେମାନେ  ଏହାର  ସମ୍ପୂର୍ଣ୍ଣ  ଉପଯୋଗ  ଅଥବା  ରକ୍ଷଣାବେକ୍ଷଣ   ନିମନ୍ତେ   ଦାୟୀ   ରହିବା   ଅନୁଭବ   କରନ୍ତି  ନାହିଁ   । ସେହି  କାରଣରୁ   ଗୋଷ୍ଠୀରେ   ଥିବା   ମହିଳାମାନେ   କେଉଁ   କାର୍ଯ୍ୟକ୍ରମ   ଆବଶ୍ୟକ   କରୁଛନ୍ତି  ଓ  ସେମାନଙ୍କ   ଗାଁରେ  ଏହା  କିପରି  କାର୍ଯ୍ୟକାରୀ   ହେବ  ତାହା   ସେମାନେ   ନିଜେ  ସ୍ଥିର   କରିବେ   ଏବଂ   ତାହାହିଁ   ହେଉଛି   ଡୋକ୍ରା  କାର୍ଯ୍ୟକ୍ରମର  ଆଭିମୁଖ୍ୟ   ।

ସର୍ବାଧିକ  ଫଳପ୍ରଦ  ହେବା  ପାଇଁ  ଡୋକ୍ରା   କାର୍ଯ୍ୟକ୍ରମ   ପ୍ରଣାଳୀବଦ୍ଧ  ଭାବେ   ସମ୍ପାଦିତ   ହେବ   ଅର୍ଥାତ୍  ପ୍ରତ୍ୟକ   କାର୍ଯ୍ୟର  ଯୋଜନା  ଉତ୍ତମ  ରୂପେ   ପ୍ରସ୍ତୁତ  ହେବ   । ଗୋଷ୍ଠୀଗୁଡିକ  ବଳଶାଳୀ  ହୋଇଉଠୁଥିବା   ସଙ୍ଗେ  ସଙ୍ଗେ   କାର୍ଯ୍ୟକ୍ରମ   ଗୁଡିକ  ସଫଳ   ଦିଗରେ  ଗତି  କରିବ   ।

ଡୋକ୍ରା  ନିମନ୍ତେ  ସମସ୍ୟା  ସମାଧାନମୂଳକ  ତତ୍ତ୍ଵାବଧାନ  ଆବଶ୍ୟକ । ସମସ୍ୟା   ସମ୍ପର୍କରେ   ଆଲୋଚନା   ହୋଇ  ତତ୍ତ୍ଵାବଧାନର  ଧାରା   ନିର୍ଣ୍ଣିତ  ହେବ ।

ଡୋକ୍ରାର   ଅନ୍ୟ  ଏକ  ବୈଶିଷ୍ଟ୍ୟ  ହେଲା  ଏହାର  କାର୍ଯ୍ୟକ୍ରମ  ଓ  ପ୍ରଗତିର  କ୍ରମାଗତ   ମୂଲ୍ୟାଙ୍କନ । ଏହା  ଫଳରେ  ସେବା  ଓ  ସୁଫଳ   ସହଜରେ  ମିଳିପାରିଥାଏ   ।

ଡୋକ୍ରାର   ଲକ୍ଷ୍ୟ   ଦୀର୍ଘକାଳ   ପ୍ରସାରୀ  । ତେଣୁ  କାର୍ଯ୍ୟକ୍ରମର  ଫଳଗୁଡିକ  ପର୍ଯ୍ୟାୟକ୍ରମେ ସୁଫଳ ମିଳିଥାଏ ।

ଡୋକ୍ରା  ଗୋଷ୍ଠୀଗୁଡିକୁ  ଆର୍ଥିକ ଆବଶ୍ୟକତା

ଆଇ.ଆର.ଡି.ପି.  ଯୋଜନାରେ  ସଦସ୍ୟମାନେ  ବ୍ୟକ୍ତିଗତ  ଋଣ  ପାଇବାକୁ   ହକ୍ ଦାର   ହୋଇଥିଲାବେଳେ  ଡୋକ୍ରା  ଗୋଷ୍ଠୀ   ଚଳନ୍ତି  ପାଣ୍ଠି   ରୂପେ   ଟ ୧୫,୦୦୦ ର   ଅନୁଦାନ   ପାଇଥାଏ   । ଏହି  ଟଙ୍କା  ଜିଲ୍ଲା  ଜିଲ୍ଲା  ଗ୍ରାମ୍ୟ  ଉନୟନ  ସଂସ୍ଥାର  ସଭାପତି  (ପ୍ରକଳ୍ପ  ଅଧିକାରୀ) ଙ୍କ   ଦ୍ଵାରା  ବ୍ଲକ ଉନ୍ନୟନ   ଅଧିକାରୀଙ୍କୁ  ଦିଆଯାଇଥାଏ  । ବି.ଡି.ଓ  ଏହି  ଅର୍ଥ   ଗୋଷ୍ଠୀଙ୍କୁ   ଦିଅନ୍ତି  । ଏହି  ଚଳନ୍ତି   ପାଣ୍ଠି  ଉଦ୍ଦେଶ୍ୟରେ  ବ୍ୟୟ  କରିବା  ପାଇଁ  ଡୋକ୍ରା  ଗୋଷ୍ଠୀଙ୍କୁ ଦିଆଯାଇଥାଏ  ।

  1. କଞ୍ଚାମାଲ  କ୍ରୟ  ଓ  ହାଟ   ବଜାର  ଖର୍ଚ୍ଚ  ।
  2. ଗୋଷ୍ଠୀ  ସଙ୍ଗଠନକୁ   ପାରିତୋଷିକ   ।
  3. ଅର୍ଥ  ଉପାର୍ଜନକ୍ଷମ  ଓ  ଗୋଷ୍ଠୀର   ଅନ୍ୟ  କାର୍ଯ୍ୟକଳାପ  ପାଇଁ  ପ୍ରାରମ୍ଭିକ   ସହାୟତା   ।
  4. ଶିଶୁମାନଙ୍କ  ଜାତ  କାର୍ଯ୍ୟକଳାପ  ପାଇଁ  ଖର୍ଚ୍ଚ   ।
  5. ଗୋଷ୍ଠୀର  ସଦସ୍ୟମାନେ  ବ୍ୟାଙ୍କ   ପ୍ରଭୃତି  ଦେଖିବାପାଇଁ   ଗସ୍ତ  ଖର୍ଚ୍ଚ   ।  ଏତତ୍ ବ୍ୟତୀତ   ଗୋଷ୍ଠୀର   ସଙ୍ଗଠନଙ୍କ  ଗସ୍ତ  ଖର୍ଚ୍ଚ   ।

ଅର୍ଥନୈତିକ  କାର୍ଯ୍ୟକ୍ରମ

ପ୍ରତ୍ୟକ ଗୋଷ୍ଠୀ  ସାମୁହିକଭାବେ  କେଉଁ  କେଉଁ  କାର୍ଯ୍ୟକ୍ରମ  ସମ୍ପାଦନ  କରିବାକୁ  ଚାହାନ୍ତି  ପ୍ରଥମେ  ନିଧାର୍ଯ୍ୟ  ହୁଏ । ମହିଳାମାନଙ୍କ   କର୍ମ  କୌଶଳ, କଞ୍ଚାମାଲ ସୁଲଭତା , ସାମୁହିକ  ଉତ୍ପାଦନର   ସମ୍ଭାବନା, ବିକ୍ରିର  ସୁବିଧା, ଲାଭପ୍ରଦାତା, ଚଳନ୍ତି  ପାଣ୍ଠିର  ବିନିଯୋଗ, ପ୍ରଭୃତି  ବିଷୟକୁ  ବିଚାରକୁ  ନେଇ  ଏହି  କାର୍ଯ୍ୟକ୍ରମ  ନିଧାର୍ଯ୍ୟ   ହୁଏ  । ଗୋଟିଏ  ନିର୍ଦ୍ଧିଷ୍ଟ  ଅଞ୍ଚଳ  ବିଭିନ୍ନ  ଡୋକ୍ରା  ଗୋଷ୍ଠୀ   ଦ୍ଵାରା  ଉପଯୋଗୀ   ବିବେଚିତ  ଭିନ୍ନ  ଭିନ୍ନ  ଅର୍ଥନୈତିକ  କାର୍ଯ୍ୟକ୍ରମର   ଏକ  ତାଲିକା  ପ୍ରସ୍ତୁତ   ହୁଏ   । ତାଲିକାରେ  ଥିବା   ଅର୍ଥ  ଉପାର୍ଜନକ୍ଷମ  କାର୍ଯ୍ୟକ୍ରମରୁ  ପ୍ରତ୍ୟକ  ନିମନ୍ତେ   ଅଭିଜ୍ଞ  ଲୋକଙ୍କ  ସହଯୋଗାଯୋଗ  ସ୍ଥାପନ  କରି  ଏକ  କେନ୍ଦ୍ରୀୟ  ମିଟିଂରେ  ବିଭିନ୍ନ  ସ୍ଥାନର  ବିଭିନ୍ନ  ଗୋଷ୍ଠୀର   ସଦସ୍ୟମାନଙ୍କୁ   ଏକତ୍ରିତ   କରାଯାଏ  ଏବଂ  ଉକ୍ତ   ଅଭିଜ୍ଞ  ବ୍ୟକ୍ତିଗଣ  ପ୍ରସ୍ତାବିତ   କାର୍ଯ୍ୟକ୍ରମର  ପୁଙ୍ଖାନୁପୁଙ୍ଖ   ବିଶ୍ଳେଷଣକରି  ସଦସ୍ୟମାନଙ୍କୁ  ଅର୍ଥନୈତିକ  କାର୍ଯ୍ୟକ୍ରମ   ସମ୍ପର୍କରେ   ଅବଗତ   କରାନ୍ତି   ।  ତତ୍ପରେ  ବିଭିନ୍ନ  ଗୋଷ୍ଠୀର   ସଦସ୍ୟମାନେ  ନିଜ  ନିଜ   ଗୋଷ୍ଠୀକୁ  ଫେରିଯାଇ   ନିଜ  ଗୋଷ୍ଠୀ   ନିମନ୍ତେ  ଉପଯୋଗୀ  କୌଣସି  ଏକ  କାର୍ଯ୍ୟକ୍ରମର  ଆପେକ୍ଷିକ   ସମ୍ଭାବନା  ସମ୍ପର୍କରେ  ଆଲୋଚନା  କରନ୍ତି   । ଏହି  କେନ୍ଦ୍ରୀୟ   ମିଟିଂରେ   ଆଲୋଚିତ   କାର୍ଯ୍ୟକ୍ରମ   ମଧ୍ୟରୁ   କେଉଁଟି   ସେମାନଙ୍କ   ପକ୍ଷରେ  ସମ୍ଭବ, ତାହା  ବ୍ଲକ   କର୍ମକର୍ତ୍ତାଙ୍କ   ସହାୟତାରେ  ସ୍ଥିରୀକୃତ   ହୁଏ   ।

କର୍ମ   କୌଶଳ   ହାସଲ   ପାଇଁ   ତାଲିମ  ଦେବା  ଆଗରୁ, କାର୍ଯ୍ୟକଳାପ   ନିଶ୍ଚିତ   ଭାବେ  ଆରମ୍ଭ  କରିବା   ନିଷ୍ପତ୍ତି  ନେବା   ପୂର୍ବରୁ   ଜିନିଷର   ବିକ୍ରି   ସମ୍ପର୍କରେ  ଆଲୋଚନା  ହେବ  ଓ  ପୂର୍ଣ୍ଣରୂପେ   କଳନା   କରାଯିବ   ।

ମହିଳାମାନଙ୍କ   ସହିତ  କଞ୍ଚାମାଳ   ସମ୍ପର୍କରେ  ଆଲୋଚନା  ହେବ   । ଏହା  କେଉଁଠୁ  ଆସିବା, କିଏ  ଯୋଗାଇଦେବ  ତାହାର  ବିଶଦ  ବିବରଣୀ  ସଦସ୍ୟମାନେ  ଜାଣିବା  ଉଚିତ   । ସେହି  ରୂପେ  ମହିଳାମାନେ  ଜିନିଷର  ଦର  ହିସାବ  କରିବେ  ।  ତାହା  ହେଲେ  ଆବଶ୍ୟକ   ହେଉଥିବା   ଉତ୍ପାଦନର   ସ୍ତର, କେତେ  ଶ୍ରମମୂଲ୍ୟ   ଦିଆଯିବ, କେତେ  ଲାଭ   ମିଳିପାରିବ   ପ୍ରଭୃତି  ସମ୍ପର୍କରେ   ସେମାନଙ୍କ   ବାସ୍ତବ  ଧାରଣା  ଜାତ   ହେବ   ।

ଏହା  ସାଙ୍ଗକୁ  ଅର୍ଥ  ଯୋଗାଣ  ବ୍ୟବସ୍ଥା, ଚଳନ୍ତି   ପାଣ୍ଠିର   ବ୍ୟବହାର, ଆଇ.ଆର.ଡି.ପି.  ଋଣର   ଉପଯୋଗ   ପ୍ରଭୃତି  ସମ୍ପର୍କରେ   ଚିନ୍ତା   କରାଯିବ   ଓ  ଏହି  ସ୍ତରରେ  ଠିକ  ଭାବେ  ହିସାବ  କରାହେବ   । ଚଳନ୍ତି  ପାଣ୍ଠି  ଆବଶ୍ୟକତା   ମେଣ୍ଟାଇବାରେ  ବିଫଳ  ହେଲେ  ଅର୍ଥ   ଯୋଗାଣର   ଅନ୍ୟାନ୍ୟ   ଉତ୍ସ  ଅର୍ଥାତ୍  ବ୍ୟାଙ୍କ  ଋଣ   ଆଣିବା  ସମ୍ପର୍କରେ   ବ୍ୟବସ୍ଥା   ହେବ   ।

ଥରେ  ଏକ  ଉପଯୁକ୍ତ   କାର୍ଯ୍ୟକ୍ରମ  ସ୍ଥିରୀକୃତ  ହେଲାପରେ   କର୍ମକୌଶଳ  ଓ  ପରିଚାଳନାର  ତାଲିମ  ବ୍ୟବସ୍ଥା  କରାଯିବ   ଓ  ଏହା  ଆରମ୍ଭ  ହେବ   ।ସରକାରୀ   ଓ  ବେସରକାରୀ   ସ୍ତରରେ   ମିଳୁଥିବା   ତାଲିମ   ବ୍ୟବସ୍ଥାର  ସଦୁପଯୋଗ   କରିବାକୁ  ହେବ   । ତାଲିମ  ସମୟରେ  ମହିଳାମାନେ  ସେମାନଙ୍କ  ମନୋନୀତ  କର୍ମପନ୍ଥାର  ତାତ୍ପର୍ଯ୍ୟ  ସମ୍ପର୍କରେ   ଅଧିକ  ବିଶ୍ଳେଷଣକରି   ଟିକିନିଖି   ମୂଲ୍ୟ – ନିର୍ଣ୍ଣୟ, କଞ୍ଚାମାଲ  ଯୋଗାଣ  ଓ  ବଜାରରେ   ବିକ୍ରି   ସମ୍ପର୍କରେ  ବ୍ୟବସ୍ଥା  ଗ୍ରହଣ  କରିପାରିବେ   ।

ତାଲିମ  କାର୍ଯ୍ୟକ୍ରମର  ପରିସମାପ୍ତି  ପରେ  ଉତ୍ପାଦବ  ଅଥବା  ଅର୍ଥ  ଉପାର୍ଜନକ୍ଷମ  କାର୍ଯ୍ୟକଳାପ   ଆରମ୍ଭ  ହେବ   । ଉତ୍ପାଦନ  ଆରମ୍ଭ  ହେବା   ପାଇଁ  ଚଳନ୍ତି   ପାଣ୍ଠିକୁ   କଞ୍ଚାମାଲ  ଅନ୍ୟାନ୍ୟ  ଆବଶ୍ୟକ  ଯନ୍ତ୍ରପାତି   କିଣା  ହେବାଲାଗି  ଅର୍ଥ  ଆସିବ  । ମୂଲ୍ୟ  ନିର୍ଣ୍ଣୟ   ଓ  ସମସ୍ୟା  ସମାଧାନ  କାର୍ଯ୍ୟକଳାପ   ଚାଲୁ   ରହିବ   । ଦେଖା  ଦେଉଥିବା  ସମସ୍ୟାଗୁଡିକ  ଗ୍ରାମ  ସେବିକା, ଏ.ପି.ଓ. , ବି.ଡି.ଓ.  ପ୍ରକଳ୍ପ  ଅଧିକାରୀ  ଡି.ଆର.ଡି.ଏ.  ଙ୍କ  ଦ୍ଵାରା  ବିଭିନ ସ୍ତରରେ  ବିଭିନ୍ନ  ସମୟରେ  ସମାହିତ  ହୋଇଥାଏ   ।

ଅର୍ଥ  ଉପାର୍ଜନକ୍ଷମ   କର୍ମ  ପନ୍ଥାର   ଯୋଜନା  ସ୍ତର  ହିଁ  ବଜାରରେ   ଜିନିଷ  ବିକ୍ରି   ବିଷୟରେ  ଚିନ୍ତା  କରିବାର  ବେଳ  । ଅର୍ଥାତ୍ , ପ୍ରାରମ୍ଭରୁହିଁ  ବଜାରରେ   ଜିନିଷ  ବିକ୍ରି   ବିଷୟରେ  ନିଶ୍ଚିତ   ହେବାକୁ   ହୁଏ   । ଉତ୍ପାଦିତ  ଦ୍ରବ୍ଯ  ନିମନ୍ତେ   ଯଦି  ବଜାର  ନାହିଁ,  ତାହାଲେ  ଉକ୍ତ  କାର୍ଯ୍ୟକ୍ରମ   ହାତକୁ  ନେବାକୁ   ସମ୍ପୂର୍ଣ୍ଣ   ଅନୁଚିତ  । ସହକାରୀ   ପ୍ରକଳ୍ପ   ଅଧିକାରୀ, ପ୍ରକଳ୍ପ  ନିର୍ଦ୍ଦେଶକ, ଡି.ଆର.ଡି.ଏ.  ଓ  ପ୍ରବେଶ   ସ୍ତରୀୟ  ସରକାରୀ   ବିଭାଗଗୁଡିକ  ସମସ୍ତଙ୍କର  ଏହି  ଜିନିଷ  ବିକ୍ରି   ପ୍ରକ୍ରିୟାରେ   ସାହାଯ୍ୟ   ଦେବାର  ଦାୟିତ୍ଵ   ଅଛି   ।

ଡୋକ୍ରା  ଗୋଷ୍ଠୀ  ଦ୍ଵାରା  ପ୍ରସ୍ତୁତ   ଦ୍ରବ୍ୟଗୁଡିକ   ବ୍ୟବହାର  କରୁଥିବା  ଅନ୍ୟାନ୍ୟ  ସରମାରୀ   ବିଭାଗ  ସହ  ଜିଲ୍ଲା  ସ୍ତରରେ  ଡି.ଆର.ଡି.ଏ. ସମନ୍ଵୟ  ସ୍ଥାପନ   କରନ୍ତି   । ରାଜ୍ୟ  କ୍ଷୁଦ୍ରଶିଳ୍ପ  ନିଗମ, ହସ୍ତତନ୍ତ  ନିଗମ,  ଖଦି  ଓ  ଗ୍ରାମ୍ୟ   ଶିଳ୍ପ   ପରିଷଦ, ରେଶମ  ଶିଳ୍ପ  ପରିଷଦ, ନଡିଆ   କତା  ପରିଷଦ  ପ୍ରଭୃତି   ବିଭିନ୍ନ  ରାଜ୍ୟସ୍ତରୀୟ  ଓ  କେନ୍ଦ୍ରୀୟ  ଉନ୍ନୟନ   ସଂସ୍ଥା   ସହ  ଡି.ଆର.ଡି.ଏ. ମଧ୍ୟ   ସଂଯୋଗ   ସ୍ଥାପନ   କରିବା   ଉଚିତ   । ଜିଲ୍ଲା  ସ୍ତରରେ   ଜିଲ୍ଲା  ଯୋଗାଣ ଓ  ବିକ୍ରୟ  ସମିତି  (ଡି.ଏସ୍.ଏମ.ଏସ୍)  ସ୍ଥାପନ   ହୋଇଥାଏ   । ଡୋକ୍ରା  ଗୋଷ୍ଠୀଗୁଡିକ  ସେମାନଙ୍କ   ଚଳନ୍ତି   ପାଣ୍ଠିର   କିଛି  ଅଂଶ   ଏଭଳି  ସମିତିର  ଆର୍ଥିକ  ସମବଳକୁ   ବଢାଇବା   ନିମନ୍ତେ   ଦେଇ  ପାରନ୍ତି   ।

ରାଜ୍ୟ  ସ୍ତରୀୟ   ଗ୍ରାମ୍ୟ   ଉନ୍ନୟନ  ବିଭାଗ / ମହିଳା  ବିକାଶ  ବିଭାଗର  ସଚିବମାନେ   ବିକ୍ରୟ   ପ୍ରକ୍ରିୟାର  ସଂଯୋଜନା   କରିବେ   । ଏଥିରେ  ଅର୍ଥ  ବିଭାଗର   ମଧ୍ୟସ୍ଥତା   ଆବଶ୍ୟକ   ହୋଇପାରେ   । ତଦ୍ୱାରା  ଡୋକ୍ରା   ଗୋଷ୍ଠୀକୁ   କିଛି  ସ୍ଵତନ୍ତ୍ର   ସୁବିଧା, ଯଥା – ଏକକ  ଟେଣ୍ଡର   ପ୍ରଥା, ଦ୍ରବ୍ୟ   ମୂଲ୍ୟର   ଅଗ୍ରାଧିକାର  ପ୍ରଭୃତି   ମିଳିପାରିବ   । ଏହି  ମଧ୍ୟସ୍ଥତା  ଫଳରେ  ବିଭିନ୍ନ  ସରକାରୀ  ପ୍ରକଳ୍ପକୁ   ଡୋକ୍ରା  ଗୋଷ୍ଠୀ  ଦ୍ଵାରା   ଉତ୍ପନ୍ନ   ଜିନିଷ  ଯୋଗାଣ  ମଧ୍ୟ  ହୋଇପାରିବ   । ଉତ୍ପାଦିତ  ଦ୍ରବ୍ୟ  ନିମନ୍ତେ   ସ୍ଵତନ୍ତ୍ର   ସହାୟତା   ଦେବା   ଉଦ୍ଦେଶ୍ୟରେ  ଗଠିତ  ଓ  ରାଜ୍ୟ  ଓ  କେନ୍ଦ୍ର  ସରକାରଙ୍କ  ଉନ୍ନୟନମୂଳକ  ଅନୁଷ୍ଠାନ  ଯଥା  କେ.ଭି.ଆଇ.ବି.  ହସ୍ତତନ୍ତ   ନିଗମ  ଏନ.ସି.ସି.ଏଫ୍. ନାପେନ  ଆପେନା,  ଏମ୍.ପି.ଇ.ଡି.ଏ.  ରେଶମ   ପରିଷଦ  ପ୍ରଭୃତିର   ମଧ୍ୟସ୍ଥତା  ମଧ୍ୟ   ନିଆଯାଇପାରେ   । ବିଭିନ୍ନ  ଯାତ୍ରା, ଉତ୍ସବ,  ମେଳାରେ  ଡୋକ୍ରା  ଗୋଷ୍ଠୀ   ଦ୍ଵାରା  ଉତ୍ପନ୍ନ   ଜିନିଷର   ବିକ୍ରି   ନିମନ୍ତେ   ବ୍ୟବସ୍ଥା   ଗ୍ରହଣ  କରାଯାଇପାରେ   ।

ଭାରତ  ସରକାରଙ୍କ   ଦ୍ଵାରା  ଗ୍ରାମ୍ୟ  ପ୍ରଯୁକ୍ତି  କୌଶଳ  ନିମନ୍ତେ   ଲୋକ  କର୍ମପନ୍ଥା   ବିକାଶ  ପରିଷଦ  ଗଠିତ   ହୋଇଅଛି   । ଏହା  ଆଇ.ଆର.ଡି.ପି.  ଓ ଡୋକ୍ରା   ଗୋଷ୍ଠୀ   ଦ୍ଵାରା  ପ୍ରସ୍ତୁତ  ଦ୍ରବ୍ୟାଦିର  ବିକ୍ରୟ  ବ୍ୟବସ୍ଥା  ନିମନ୍ତେ   କେନ୍ଦ୍ରୀୟ   ସଂସ୍ଥା  ସ୍ୱରୂପ   କାର୍ଯ୍ୟ  କରିଥାଏ   । ଦେଖାଯାଇଛି   ଯେ  ସଫଳ  ଡୋକ୍ରା   ଗୋଷ୍ଠୀ   ନିୟମିତ   ସ୍ଥାନୀୟ  ଚାହିଦା  ଥିବା  ଏକ  କାର୍ଯ୍ୟକ୍ରମ   ବାଛନ୍ତି   । ସେମାନେ  ନିଜ  ଜିନିଷ  ବିକ୍ରି  ନିମନ୍ତେ   ବାହାରର  ସଂସ୍ଥା / ବିଭାଗ / ପ୍ରତିନିଧିଙ୍କ   ଦୟା   ଉପରେ  ନିର୍ଭର  କରନ୍ତି   ନାହିଁ   ।

ଅର୍ଥନୈତିକ   କାର୍ଯ୍ୟକ୍ରମ   ନିମନ୍ତେ   ତାଲିମ

ଯୋଜନା  ପ୍ରକ୍ରିୟାର  ସମାପ୍ତି   ପରେ   ତାଲିମ   ବ୍ୟବସ୍ଥା   କରିବାର  ଉପଯୁକ୍ତ   ସମୟ  ଆସେ । ଏହି  କ୍ଷେତ୍ରରେ  ଦୁଇ  ପ୍ରକାର  ତାଲିମ   ଆବଶ୍ୟକ   ।

  1. କର୍ମ  କୌଶଳ  ତାଲିମ
  2. ପରିଚାଳନା  ତାଲିମ

କର୍ମକୌଶଳ   ତାଲିମ

ଅର୍ଥ  ଉପାର୍ଜନକ୍ଷମ   କାର୍ଯ୍ୟକ୍ରମ   ଗ୍ରହଣ   ନିମନ୍ତେ   ଆବଶ୍ୟକ   କର୍ମକୌଶଳ  ଶିକ୍ଷା  ଏଥିରେ  ଅନ୍ତର୍ଭୁକ୍ତ   । ଏହି  ତାଲିମର  ଫଳସ୍ୱରୂପ  କର୍ମୀଙ୍କ  କର୍ମକୌଶଳ  ବୃଦ୍ଧି   ପାଇପାରେ   । ଉଦାହରଣସ୍ୱରୂପ  ପାରମ୍ପରିକ  ଗାଲିଚା  ବୁଣାଳୀମାନଙ୍କ   ନିମନ୍ତେ  ଅଧିକ  ଜଟିଳ  ନକ୍ସା  ବାଛିବା   କିମ୍ବା  ନୂଆରଙ୍ଗ  ବା  ରଙ୍ଗ  ଲଗାଇବା  ପ୍ରଣାଳୀ   ବିଷୟରେ  ଶିକ୍ଷା  ଦେବା  କିମ୍ବା   ଦେଶୀ  କୁକୁଡା  ପଲ  ପୋଷି   କିଭଳି   ସର୍ବାଧିକ   ଲାଭ   ପାଇବା  ସମ୍ଭବ   । ସେ  ସମ୍ପର୍କରେ   ପ୍ରଚଳିତ  କାର୍ଯ୍ୟଧାରାର  ଉନ୍ନତି  ଘଟାଇବା  ତାଲିମର   ଲକ୍ଷ   ହୋଇପାରେ   । ମହିଳା  ଗୋଷ୍ଠୀଙ୍କ  ପାଇଁ  ପୂରାପୂରି   ନୂତନ  କୌଣସି   ଏକ  କାର୍ଯ୍ୟକ୍ରମର   କର୍ମକୌଶଳ  ଶିକ୍ଷା   ନେବାପାଇଁ   ତାଲିମ   ଆବଶ୍ୟକ   ହୋଇପାରେ   ।

ଏହି  କର୍ମକୌଶଳ  ତାଲିମ   ପାଇଁ  ଆଇ.ଆର.ଡି.ପି. ର  ଏକ   ଉପ – ପରିକଳ୍ପନା  ‘ ଟ୍ରାଇସେମ ’ ରୁ  ମିଳିପାରିବ  । ଶିଳ୍ପ  ତାଲିମ  ପ୍ରତିଷ୍ଠାନ, ପଲିଟେକନିକ୍ ବା  ବହୁ   ବୃତ୍ତି   ତାଲିମ  ପ୍ରତିଷ୍ଠାନ  ତଥା  ସ୍ଵେଚ୍ଛାସେବୀ  ସଂସ୍ଥାଦ୍ଵାରା  କର୍ମକୌଶଳ   ତାଲିମ   ପ୍ରଦାନ   କରାଯାଇପାରିବ   । କୁଶଳୀ   କାରିଗର   ଏବଂ   ସ୍ଵତନ୍ତ୍ର  ଭାବେ   ପ୍ରତିଷ୍ଠିତ  ହୋଇଥିବା  ‘ ତାଲିମ – ଉତ୍ପାଦନ  କେନ୍ଦ୍ର ’ ଦ୍ଵାରା  ଏହି  ତାଲିମ   ମଧ୍ୟ   ଦିଆଯିବ   ।

ତାଲିମ  ନିମନ୍ତେ   ନିର୍ଦ୍ଧାରିତ  ସମୟ  କର୍ମକୌଶଳ  ଶିକ୍ଷା  ଓ  ପରିଚାଳନା   ତାଲିମରେ   ଦକ୍ଷତା  ହାସଲ   ପାଇଁ  ଯଥେଷ୍ଟ  ଦୀର୍ଘ  ହେବା  ଏକାନ୍ତ  ଆବଶ୍ୟକ   । ଛ’ ମାସରୁ  ଅଧିକ   କାଳ  ନିମନ୍ତେ  ବଢାଇ   ଦେଇପାରନ୍ତି   । ତାଲିମ   କାର୍ଯ୍ୟକାଳ   ମଧ୍ୟରେ  ଶିକ୍ଷାର୍ଥୀମାନଙ୍କୁ   ସହାୟତା   ଦେବା   ନିମନ୍ତେ   ବୃଦ୍ଧି, କଞ୍ଚାମାଲର  ମୂଲ୍ୟ, ଯନ୍ତ୍ରପାତି   ପେଡି  ପ୍ରଭୃତି  ଦେବାର  ବ୍ୟବସ୍ଥା  ଅଛି   ।

ପରିଚାଳନା   ତାଲିମ

ଅର୍ଥନୈତିକ  କାର୍ଯ୍ୟକ୍ରମର   ସଫଳତାଲାଗି   କର୍ମକୌଶଳ   ତାଲିମ   ଭଳି   ପରିଚାଳନା  ତାଲିମ  ମଧ୍ୟ  ପ୍ରଧାନ   । ଆବଶ୍ୟକ  ପରିଚାଳନା   କୌଶଳରେ   ନିମ୍ନ  ବିଷୟଗୁଡିକ   ଅନ୍ତର୍ଭୁକ୍ତ   ।

  • ଯୋଜନା  ପ୍ରସ୍ତୁତି
  • ନିଷ୍ପତ୍ତି  ଗ୍ରହଣ
  • ଯୋଗାଯୋଗ  ସ୍ଥାପନ
  • ବଜାର  ବ୍ୟବସ୍ଥା  ସମ୍ପର୍କରେ  ଗବେଷଣା
  • ବ୍ୟାଙ୍କ ଓ  ସମବାୟ  ଉନ୍ନତି
  • ହିସାବପତ୍ର  ରଖିବା   ।

ହିସାବ ପତ୍ର  ରଖିବା  କୌଶଳରେ  ସାକ୍ଷରତା  ଗଣିତଜ୍ଞାନ, ଜମାଖର୍ଚ୍ଚ  ବହି  ଲେଖିବାର  ସାମର୍ଥ୍ୟ , ଜମା  ଖର୍ଚ୍ଚର  ଖତିଆନ  ଲେଖିବା, ଟଙ୍କା  ପଇସା  ଦେବାର  ହିସାବ  ଏବଂ  ଭାଉଚର  ରଖିବା   ଅନ୍ତର୍ଭୁକ୍ତ   । ଏହା  ସାଙ୍ଗକୁ   ସେମାନେ  ହିସାବପତ୍ର   ତନଖି, ବିକ୍ରିକରି, ଟେଣ୍ଡରର  ବିଜ୍ଞପ୍ତି  ଓ  ଅନ୍ୟାନ୍ୟ   ଆବଶ୍ୟକ   ବିଷୟ  ଜାଣିଥିବେ   ।

ଋଣ / ଅର୍ଥଲଗାଣ  କାର୍ଯ୍ୟକଳାପ   ପାଇଁ   ତାଲିମ

ମୂଳତଃ   ତିନିପ୍ରକାର  ଋଣଦାୟୀ   ସଂସ୍ଥାରୁ   ମହିଳାମାନେ   ଋଣ  ପାଇପାରିବେ :

  • ବ୍ୟାଙ୍କ
  • ଚଳନ୍ତିପାଣ୍ଠି
  • ସଞ୍ଚୟ  ଓ  ଋଣ   ସମିତି

ଗାଁ  ଗହଳର  ଦାରିଦ୍ର୍ୟ   ଲୋକମାନେ  ଏହି  ସମସ୍ତ  ଋଣଦାୟୀ  ସଂସ୍ଥାସହ   କିଭଳି   ସମ୍ପର୍କ   ସ୍ଥାପନ   କରିପାରିବେ   ସେ  ବିଷୟରେ  ତାଲିମ   ପାଇବା   ଆବଶ୍ୟକ  । ପ୍ରତ୍ୟକର   ଉଦ୍ଦେଶ୍ୟ  ଓ   ସେଗୁଡିକ  କିଭଳି  କାର୍ଯ୍ୟ  କରନ୍ତି  ଏ  ସମ୍ପର୍କରେ  ବୁଝିବା  ଦରକାର  । ପ୍ରକୃତରେ ସଞ୍ଚୟ  ଓ ଋଣ  ସମିତିର କାର୍ଯ୍ୟକାରିତା   ପାଇଁ  ମହିଳାମାନେ   ନିଜେ   ନିୟମ  ପ୍ରସ୍ତୁତ   କରନ୍ତି   ।

ଆଇ.ଆର.ଡି.ପି. ଭଳି  ଡୋକ୍ରା ମଧ୍ୟ   ଏକ  ଦାରିଦ୍ର୍ୟ  ନିବାରକ  କାର୍ଯ୍ୟକ୍ରମ  । ପ୍ରତ୍ୟକ  ଡୋକ୍ରା  ଗୋଷ୍ଠୀର   ଜୀବନରେ  କୌଣସି   ଏକ  ସ୍ତରରେ   ଅର୍ଥନୈତିକ   କାର୍ଯ୍ୟକଳାପ  ଓ  ଅର୍ଥ   ଉପାର୍ଜନକ୍ଷମ   ଉଦ୍ୟୋଗ   ଗୃହୀତ   ହେବ   । ସେମାନେ  ସମ୍ଭବତଃ   ଋଣ   ଆବଶ୍ୟକ  କରିବେ   ଏବଂ  ଆଇ.ଆର.ଡି.ପି.  ର  ଅଙ୍ଗ ସ୍ୱରୂପ   ସରକାର  ପ୍ରକଳ୍ପ  ବ୍ୟୟର   କେତେକାଂଶ  ରିହାତି   ସ୍ୱରୂପ   ଦେବେ   । ଅର୍ଥ  ବିନିଯୋଗ  ଓ  କାମଚଳା  ମୂଳଧନର   ସର୍ବାଧିକ  ଅଂଶ   ବ୍ୟାଙ୍କଗୁଡିକରୁ   ମିଳିପାରିବ   ।

ଗ୍ରାମାଞ୍ଚଳରେ  ଦାରିଦ୍ର୍ୟ  ମହିଳାମାନେ   ବ୍ୟାଙ୍କରୁ  ଋଣ   ପାଇଥିବାରେ   ଭୋଗୁଥିବା   କେତେକ  ଅସୁବିଧା  ଦୂର   କରିବା  ନିମନ୍ତେ   ରାଷ୍ଟ୍ରୀୟ  କୃଷି  ଓ  ଗ୍ରାମୀଣ  ବିକାଶ  ପରିଷଦ   ଡୋକ୍ରା  ଅଧୀନରେ  ଥିବା  ଅଣ – ଆନୁଷ୍ଠାନିକ   ଗୋଷ୍ଠୀକୁ   ଋଣ   ଦେବା   ଉଦ୍ଦେଶ୍ୟରେ   କେତେକ   ପଦ୍ଧତିଗତ  ଆବଶ୍ୟକତା  ଓ  ହିସାବପତ୍ରର   ଦଲିଲ   ପ୍ରସ୍ତୁତ  ପାଇଁ   ସାଧାରଣ   ମାନଦଣ୍ଡ  ପ୍ରସୂତ   କରିଛନ୍ତି   । ସମବାୟ  ଅନୁଷ୍ଠାନ, ସମିତି, କମ୍ପାନୀ  ପ୍ରଭୃତି   ଭାବେ   ପଞ୍ଜୀକୃତ   ହୋଇନଥିବା   ଗୋଷ୍ଠୀ   ସାଧାରଣତଃ  ଅଣ – ଆନୁଷ୍ଠାନିକ   । ପଦ୍ଧତିଗତ    ଆବଶ୍ୟକତା   ଏବଂ   ହିସାବପତ୍ର   ରଖିବା  ପାଇଁ  ଆବଶ୍ୟକ  ଫର୍ମ  ଓ  ରେକର୍ଡ   ଏବଂ  ଦଲିଲ   ପତ୍ର   ବିହିନ୍ନ  ଅଞ୍ଚଳରେ   ଡୋକ୍ରା  ଗୋଷ୍ଠୀ  ବ୍ୟବହୃତ   ହେବା   ନିମନ୍ତେ   ମିଳୁଅଛି   ।

ଆଇ.ଆର.ଡି.ପି.  ଅଧିନରେ   ମନୋନୀତ  ପରିବାରଗୁଡିକର  ମହିଳାମାନେ   ବ୍ୟାଙ୍କ  ଋଣ  ନେଇ  ତାହା  ଆୟଭିତ୍ତିକ   କର୍ମପନ୍ଥାରେ   ବିନିଯୋଗ   କରିଥିଲେ   ଋଣ  ପାଇପାରିବେ   । ଶତକଡା  ୫୦, ୩୩ ଓ  ୨୫୦  ହାରରେ   ଏହି  ରିହାତି  ଅନୁସୂଚିତ  ଜାତି / ଉପଜାତିର   ଲୋକମାନଙ୍କୁ   ନିଅଣ୍ଟିଆ  କୃଷି- ଆୟଭିତ୍ତିକ  ଓ  ଅଳ୍ପ  କୃଷି  ଆୟଭିତ୍ତିକ  ପରିବାରକୁ   ମିଳିଥାଏ   । ଚିହ୍ନଟ   ହୋଇଥିବା   ପରିବାରକୁ   ରିହାତି   ଦେବା  ନିମନ୍ତେ   ମିଳୁଥିବା  ଚଳନ୍ତି  ପାଣ୍ଠି, ସଞ୍ଚୟ  ଓ  ଋଣ  ଗୋଷ୍ଠୀକୁ   ମିଳୁଥିବା   ସମାନୁପାତିକ   ଦାନର  ଏହା   ପରିପୂରକ   ହେବ   ।

କାମଚଳା  ମୂଳଧନ  ପାଇଁ   ଅଳ୍ପ  ଋଣ

ଅଳ୍ପ  ଅର୍ଥ  ବିନିଯୋଗ  କରି  ଗଠିତ  ସଂସ୍ଥା  ପାଇଁ  ଋଣ  ସମ୍ପର୍କ  ଛଡା ଟ.୧,୦୦୦ /- ଅର୍ଥ  ସାହାଯ୍ୟ  ମିଳିପାରିବ । ଏଥିଲାଗି ଗୋଟିଏ ବିଷୟର  ପ୍ରସ୍ତାବ ପ୍ରସ୍ତୁତ  କରି  ବି.ଡି.ଓ. ,ଏପିଓ ଓ ଡି.ଆର.ଡି.ଏ. ଙ୍କ  ନିକଟକୁ ପଠାଯାଇପାରେ ।

ବ୍ୟାଙ୍କଗୁଡିକ  ଅନ୍ୟ   ବ୍ୟାଙ୍କ  ସହିତ  ଋଣ  ଓ  ସଞ୍ଚୟ  ବ୍ୟାପାରରେ   ବୁଝାମଣା  କରିବା  ପୂର୍ବ  ଅପେକ୍ଷା  ଏବେ  ଅଧିକ  ସମ୍ଭବ  ହୋଇପାରିଛି   ।

ଚଳନ୍ତି  ପାଣ୍ଠି

ଡୋକ୍ରା  ଅଧିନରେ  ଥିବା  ପ୍ରତ୍ୟକ   ମହିଳା   ଗୋଷ୍ଠୀ  ଟ. ୧୫,୦୦୦/-  ଏକ   ଥୋକ  ଅନୁଦାନ  ଅନୁଦାନ  ପାଇବାକୁ   ହକଦାର   । ଏହି  ଅନୁଦାନର  ପ୍ରଧାନ  ସମ୍ବଳ  ଏକେ  ଚଳନ୍ତି  ପାଣ୍ଠି  ରୂପେ   ବ୍ୟବହୃତ   ହେବା  ନିମନ୍ତେ   ଉଦ୍ଦିଷ୍ଟ   । ଏହି  ପାଣ୍ଠିକୁ   କଞ୍ଚାମାଲ  କିଣା ଓ  ଅନ୍ୟାନ୍ୟ   ଉତ୍ପାଦନଭିତ୍ତିକ   ବ୍ୟୟ   ହୋଇପାରିବ   ।

ଏହି  ପାଣ୍ଠିରୁ   ଶିଶୁମାନଙ୍କ  ଯତ୍ନପାଇଁ   ଜିନିଷ  ଓ ଗୋଷ୍ଠୀ  ନିମନ୍ତେ   କିଛି  ଉପକରଣ  ଯଥା  ବସିବା   ପାଇଁ  ଦରି   ମଶିଣା , ଗୋଷ୍ଠୀର   ଖାତାପତ୍ର , ଅନ୍ୟାନ୍ୟ   ଦଲିଲ  ଓ  ହିସାବପତ୍ର ରଖିବା  ପାଇଁ   ଏକ  ଇସ୍ପାତ  ଟ୍ରଙ୍କ   ମଧ୍ୟ   କିଣା  ହୋଇପାରେ   । ଏହି  ପାଣ୍ଠି  ମହିଳାମାନଙ୍କ   ପାଣ୍ଠି  । ସରକାର  ଏହାକୁ   ଯୋଗାଇଥିଲେ   ମଧ୍ୟ   ଏହି  ଅର୍ଥ   ମହିଳାମାନଙ୍କର   । ତେବେ   ଏହି  ପାଣ୍ଠି   ବହୁବର୍ଷ   ପର୍ଯ୍ୟନ୍ତ   ଅତୁଟ   ରହି   ଗ୍ରାମାଞ୍ଚଳର  ମହିଳାମାନଙ୍କୁ   ସାହାଯ୍ୟ   ଓ   ସେମାନଙ୍କ  ଆର୍ଥିକ  ସ୍ଥିତିରେ   ଉନ୍ନତି   ବିଧାନ  ଯେପରି   କରିପାରେ  ତାହା  ଦେଖିବା  ଗୋଷ୍ଠୀର   ଦାୟିତ୍ଵ   ।

ପ୍ରାଥମିକ  ଅବସ୍ଥାରେ   ଗ୍ରାମ  ସେବିକା  ଓ  ଗୋଷ୍ଠୀ  ନେତ୍ରୀ  ଉଭୟ  ମିଳିତ  ଭାବେ   ଚେକ  ଓ  ଟଙ୍କା  ଉଠାଣ   ଫର୍ମରେ  ଦସ୍ତଖସ୍ତ   କରିବା  ହେଉଛି   ସାଧାରଣ  ବୁଝାମଣା  । କିଛିକାଳ  ପରେ  ଗୋଷ୍ଠୀ  ଅଭିଜ୍ଞ  ଓ  ପୋଖତ  ହେଲେ   ମହିଳା  ଗୋଷ୍ଠୀର  ସଦସ୍ୟମାନଙ୍କ   ମଧ୍ୟରୁ   ଦୁଇଜଣ  ଏହି  ଦାୟିତ୍ଵ   ଗ୍ରହଣ   କରିବେ   । ଗ୍ରାମସେବିକା  କ୍ରମଶଃ   ଏହି  ଦାୟିତ୍ଵରୁ   ଅପସରି   ଯିବେ   । ବିଭିନ୍ନ  ଗୋଷ୍ଠୀ  ନିଜ  ପାଣ୍ଠି  ସଂଗ୍ରହ  କରି  ନିଜ  କାର୍ଯ୍ୟକଳାପର  ପରିସର  ବଢାଇବା  ମଧ୍ୟ  ଅନୁମୋଦନ   ଯୋଗ୍ୟ   ।

ସଞ୍ଚୟ  ଓ  ଋଣ  ସମିତି

ଚଳନ୍ତି   ପାଣ୍ଠି   ଗୋଷ୍ଠୀର  ସଭ୍ୟମାନଙ୍କୁ  ଉତ୍ପାଦନକ୍ଷମା   ବ୍ୟାପାର   ପାଇଁ  ଋଣ   ଦେବା  ନିମନ୍ତେ   ଉଦ୍ଦିଷ୍ଟ   । ଏତତ୍ ବ୍ୟତୀତ   ସଭ୍ୟମାନଙ୍କ  ପାଇଁ   ଗୋଟିଏ  ଏଉନ  ଓ  ସଞ୍ଚୟ   ସମିତିର   ଆବଶ୍ୟକତା   ରହିଛି   ।

ସଞ୍ଚୟ   ସମିତି  ସଞ୍ଚୟକୁ   ବଢାଏ  । ତା’ ସଙ୍ଗେ  ସଙ୍ଗେ  ଉପାର୍ଜନ  ଓ ଖର୍ଚ୍ଚ  ମଧ୍ୟ  ବଢେ   । ଜୀବନ  ବିକାଶ  ନିମନ୍ତେ   ଏହା  ଏକ  ଆବଶ୍ୟକ   ଅଭ୍ୟାସ   । ଏହି  ସମିତିରୁ   ଉପଭୋଗମୂଳକ   ଋଣ  ଦିଆଯାଇପାରେ   । ଏହି  ଋଣ  ସଭ୍ୟଙ୍କର  ଖାଦ୍ୟଦ୍ରବ୍ୟ, ଔଷଧପତ୍ର , ଶିକ୍ଷା  ଇତ୍ୟାଦି  ବ୍ୟକ୍ତିଗତ, ପାରିବାରିକ  ଆବଶ୍ୟକତା   ମେଣ୍ଟାଇବାରେ  ସହାୟକ   ହୋଇଥାଏ  । ଡୋକ୍ରା  ଗୋଷ୍ଠୀ  ବର୍ଦ୍ଧିତ   ହେଲେ  ଆଇ.ଆର.ଡି.ପି.  ତାଲିକା  ଭୁକ୍ତ  ହୋଇ  ନଥିବା  ଦାରିଦ୍ର୍ୟ   ମହିଳାମାନଙ୍କୁ   ନିଜ  ପରିସରଭୁକ୍ତ  କରିପାରେ   । ଏହି  ସଞ୍ଚୟ   ସମିତି  ଏକ  ବଳିଷ୍ଠ , ପ୍ରସାରିତ  ମହିଳା  ଗୋଷ୍ଠୀ   ଗଠନରେ  ଯୋଗସୂତ୍ର   ହୋଇପାରେ   ।

ସଞ୍ଚୟ  ସମିତି   ଡୋକ୍ରା  ମହିଳା  ଗୋଷ୍ଠୀର   ଏକ  ପ୍ରକଳ୍ପ   ହୋଇପାରେ   । ମହିଳାମାନେ   ମାସିକ  କିମ୍ବା  ସପ୍ତାହରେ  ଦୁଇଥର  ନିଜ  ଅର୍ଥ   ଦାନ   କରି   ଏହାକୁ   ଗଠନ   କରନ୍ତି   । ସମିତିରୁ  ଋଣ  ପାଇବାକୁ   ହେଲେ   କେଉଁ   କେଉଁ   କାର୍ଯ୍ୟକଳାପ   ଉପଯୋଗୀ   ସେ  ସମ୍ପର୍କରେ   ମହିଳାମାନେ  ନିୟମ   କରିଥାନ୍ତି   ।

ସଞ୍ଚୟ ଓ ଋଣ  ସମିତି  ଡୋକ୍ରା  ଗୋଷ୍ଠୀର  ଏକ  ପ୍ରଧାନ  କାର୍ଯ୍ୟକଳାପ  ହୋଇପାରେ   । ଏହା  ଗୋଷ୍ଠୀ  ମଧ୍ୟରେ   ପାରସ୍ପରିକ   ଆଦାନ  ପ୍ରଦାନ  ପ୍ରକ୍ରିୟାରେ   ଉନ୍ନତି   ଘଟାଇବ  ।

ଡୋକ୍ରାରେ  ସ୍ୱାସ୍ଥ୍ୟ   ପ୍ରସଙ୍ଗ

ଲୋକମାନଙ୍କର  ସ୍ୱାସ୍ଥ୍ୟ  ଉନ୍ନତି   ଉପରେ  ମଧ୍ୟ  ଏହି  ପ୍ରକଳ୍ପରେ  ଗୁରୁତ୍ଵ  ଦିଆଯାଇଛି । ଲୋକମାନଙ୍କର   ସ୍ୱାସ୍ଥ୍ୟର  ଉନ୍ନତି  ଘଟିଲେ   ପରିବାରର  ଅର୍ଥନୈତିକ  ପରିସ୍ଥିତି  ମଧ୍ୟ ପ୍ରଭାବିତ   ହେବ । ଉଦାହରଣସ୍ୱରୂପ   ଜଣେ   ଲୋକ  ଅସୁସ୍ଥ  ହେଲେ  ପରିବାରର  ସକଳ  ଆବଶ୍ୟକତା  ମେଣ୍ଟାଇବାକୁ  ଅସମର୍ଥ  ହେବ । ତାହାର  ଦେହ  ଖରାପ   ହେଲେ  ସେ  ଖୁବ୍ କମ୍  କାମ   କରିବ  ବା  ଜମା  କାମ  କରିପାରିବ   ନାହିଁ । ସେ  ଅଳ୍ପ  ଖାଦ୍ୟଦ୍ରବ୍ୟ   ଉତ୍ପାଦନ  କରିବ   କିମ୍ବା  ଖାଦ୍ୟଦ୍ରବ୍ୟ  କିଣିବାଲାଗି   ତା’ର  ଅର୍ଜନ   ମଧ୍ୟ  ଅଳ୍ପ  ହେବ   । ପରିବାର  ଯଥେଷ୍ଟ   ଖାଦ୍ୟ  ଖାଇବାକୁ   ନପାଇଲେ   ପରିବାରର  ଲୋକମାନେ  ଅସୁସ୍ଥ  ହେବାର  ଆଶଙ୍କା   ବେଶି   । ଅଙ୍ଗନବାଡି  କର୍ମୀ, ସହାୟକ  ସେବିକା  ଡୋକ୍ରା  ସମ୍ବନ୍ଧୀୟ  ଗ୍ରାମସେବିକା  ମହିଳାମାନଙ୍କ  ମଧ୍ୟରେ  ସେମାନଙ୍କ  ପିଲାମାନେ  କାହିଁକି  ବାରମ୍ବାର  ଅସୁସ୍ଥ   ହୁଅନ୍ତି   ସେ   ବିଷୟରେ  ସଚେତନତା  ସଞ୍ଚାର  କରନ୍ତି   । ସ୍ୱାସ୍ଥ୍ୟ  ସମସ୍ୟା  ବ୍ୟାପାରରେ  ଅଂଶ  ଗ୍ରହଣ  ମୂଳକ   ଯୋଜନାର  ପଦ୍ଧତି   ଓ  ସୁସ୍ଥ   ଜୀବନଯାପନ ନିମନ୍ତେ  ସେମାନେ  ଗ୍ରହଣ  କରିବା  କର୍ମପନ୍ଥା  ବିଷୟରେ  ସେମାନଙ୍କୁ   ବାଟ  ଦେଖାଇ  ଦିଆଯାଏ ।

ରୋଗ   ପ୍ରତିରୋଧ  ନିମନ୍ତେ   ମହିଳାମାନଙ୍କୁ  ଶିକ୍ଷିତା   କରି  ସେମାନଙ୍କର   ରୋଗ  ସମ୍ପର୍କୀୟ  ବିପଦର   ସମ୍ଭାବନାକୁ   କମାଇ   ଦେଇହୁଏ   । ରୋଗମୁକ୍ତ  ଏକ  ଜରୁରୀ   ଆବଶ୍ୟକତା   । ତଥାପି   ଏହା  ଏକ  ସାମୟିକ   ବ୍ୟାପାର   । କିନ୍ତୁ   ରୋଗ  ପ୍ରତିରୋଧ   ଯଥାର୍ଥରେ  ଏକ  ସ୍ଥାୟୀ   ରୋଗମୁକ୍ତିର   କାରଣ   ହୋଇପାରେ

ନିମ୍ନୋକ୍ତ  ପଦକ୍ଷେପମାନ  ସ୍ୱାସ୍ଥ୍ୟସେବା  ଯୋଗାଇ   ଦେବାରେ  ସହାୟକ   ହୋଇଥାଏ   ।

  1. ଅଣ  ଆନୁଷ୍ଠାନିକ  ସର୍ବେକ୍ଷଣ  ଓ  ଗୋଷ୍ଠୀଗୁସୀକର  ମହିଳା  ଓ  ଶିଶୁମାନଙ୍କର   ସ୍ୱାସ୍ଥ୍ୟ  ସମ୍ପର୍କିତ  ସାଧାରଣ  ସମସ୍ୟା   ସମ୍ପର୍କରେ   ତଥ୍ୟ   ସଂଗ୍ରହ  ଓ  ସେମାନେ   ଲାଭ   କରିଥିବା  ସମାଧାନ   ବା  ଚିକିତ୍ସା  ସମ୍ପର୍କରେ   ଆଲୋଚନା   ।
  2. ରୋଗ  ନିବାରକ  ପଦ୍ଧତି  ଏବଂ  ଶସ୍ତା ଓ  ସହଜରେ   କାର୍ଯ୍ୟକାରୀ  ହେବା  ଭଳି   ଉପାୟ  ସମ୍ପର୍କରେ   ମହିଳାମାନଙ୍କ  ସହିତ  ଆଲୋଚନା   । ସଚିତ୍ର   ଉପାଦାନ, ସହଜ  ପ୍ରାଚୀରପତ୍ର  ଏବଂ  ଅଙ୍କନ  କଳାର   ସହାୟତା   ଏହାର  ପ୍ରଚାର  ପାଇଁ   ଅତ୍ୟନ୍ତ   ଉପାଦେୟ   ହୋଇଥାଏ   ।
  3. ସ୍ୱାସ୍ଥ୍ୟକେନ୍ଦ୍ର , ସହାୟକ  ନର୍ସ ଓ  ଧାଈ  ଏବଂ  ଔଷଧାଳୟ ଗୁଡିକର   ଅବସ୍ଥିତି  ଓ  ସୁବିଧା  ସମ୍ପର୍କରେ  ତଥ୍ୟ   ସଂଗ୍ରହ   କରି  ଗୋଷ୍ଠୀଗୁଡିକୁ  ଜଣାଇ  ଦିଆଯାଏ  । ଗ୍ରାମାଞ୍ଚଳର ଦାରିଦ୍ର୍ୟ  ଲୋକମାନଙ୍କ  ପ୍ରତି   ସହାନୁଭୁତିଶୀଳ   ଚିକିତ୍ସକଙ୍କୁ   ଚିହ୍ନଟ  କରି  ମାସିକ  ମିଟିଂରେ   ସେମାନଙ୍କୁ  ସମ୍ପୃକ୍ତ  କରାଯାଏ   ।

ମହିଳା  ଓ  ଆଇନକାନୁନ

ଆମ  ଦେଶର   ବିପୁଳ  ସଂଖ୍ୟକ  ମହିଳା  ବିଶେଷତଃ  ଗ୍ରାମାଞ୍ଚଳର  ମହିଳାମାନେ   ସେମାନଙ୍କ  ସମସ୍ୟା  ସମ୍ପର୍କିତ   ଆଇନ  କାନୁନ  ଓ  ବିଧି  ସମ୍ମତ  ପଦ୍ଧତି, ସମ୍ପର୍କରେ   ଅଜ୍ଞ  । ଯଥାର୍ଥରେ  ଆଇ  ସମ୍ପର୍କିତ   ଜ୍ଞାନ ଓ  ଏହାର  ପ୍ରୟୋଗ  ପଦ୍ଧତି  ବହୁ  କ୍ଷେତ୍ରରେ  ମହିଳାମାନଙ୍କ    ବିପକ୍ଷରେ   ବ୍ୟବହୃତ   ହୋଇଅଛି   । ଏହି  ଜ୍ଞାନ  ଓ  ପ୍ରୟୋଗ  ପଦ୍ଧତି  ସମ୍ପର୍କରେ  ମୁଷ୍ଟିମେୟ   ଲୋକଙ୍କର   ଏକଚାଟିଆ  ଅଧିକାର  ଯୋଗୁଁ   ମହିଳାମାନଙ୍କ   ସମ୍ପତ୍ତି , ଆୟ, ସାମାଜିକ   ସମ୍ପର୍କ   ଏପରିକି   ସମ୍ମାନ   ମଧ୍ୟ   ଅପବ୍ୟବହାର  ଓ ଶୋଷଣର   ଶିକାର   ହେବାର  ପ୍ରମାଣ  ମିଳିଥାଏ   । ଭଲ  ଓକିଲ   ଅଥବା   ଆଇନଗତ  ପରାମର୍ଶ   ପାଇବା  ଓ  ଏହାର  ବ୍ୟୟ   ବହନ  କରିବା , ଆଇନ  ପ୍ରକ୍ରିୟାର   ଜଟିଳତା, କୋର୍ଟ  କଚେରୀ ଓ ପୋଲିସ  ନାମରେ  ଲୋକଙ୍କ  ଆତଙ୍କ   ଏ  ସମସ୍ତ  ଦାରିଦ୍ର୍ୟ  ଲୋକ ଓ  ନ୍ୟାୟ  ଏ ଉଭୟ  ମଧ୍ୟରେ  ବ୍ୟବଧାନ  ସୃଷ୍ଟି   କରିଥାଏ  ।

ମହିଳାମାନଙ୍କ   ଅଧିକାର  ସମ୍ପର୍କରେ  କେତେକ  ପ୍ରଧାନ   ଆଇନ  ସହିତ  ପରିଚିତ କରାଇଦେବା  ଏବଂ ଦାରିଦ୍ର୍ୟ   ମହିଳାମାନଙ୍କୁ   ସେମାନଙ୍କ  ସାଧାରଣ  ଆଇନ   ଘଟିତ  ସମସ୍ୟା  ସମ୍ପର୍କରେ  ପରାମର୍ଶ  ଦେବା  ନିମନ୍ତେ  ଡୋକ୍ରାରେ   ପରିକଳ୍ପନା   କରାଯାଇଛି   । ମହିଳାମାନଙ୍କ   ଜୀବନର  କେତେକ  ନିର୍ଦ୍ଧିଷ୍ଟ  ଘଟଣାରେ  ଆଉ କେତେ  ପରିମାଣରେ  ସେମାନଙ୍କୁ   ସୁରକ୍ଷା   ଦେଇପାରିବ  ମହିଳାମାନେ   ତାହା  ଜାଣିବା   ଉଚିତ   । ନିଃସନ୍ଦେହ   ଭାବରେ  ଆଇନ   ଏକ   ବ୍ୟାପକ  ଓ  ଜଟିଳ  ବିଦ୍ୟା   । ସେଥିପାଇଁ   ଏହାର  ମୌଳିକ  ସିଦ୍ଧାନ୍ତ  ସହ  ଅନ୍ତତଃ   ଡୋକ୍ରା  ଗୋଷ୍ଠୀ  ପରିଚିତ   ହେବା   ଆବଶ୍ୟକ   ।

ବିଶାଳ  ଭୌଗଳିକ   ବିସ୍ତାର  ଓ  ସାଂସ୍କୃତିକ  ବୈଷମ୍ୟଥିବା   ଭାରତବର୍ଷ   ଭଳି   ଦେଶର   ଯେକୌଣସି  ସମାଜରେ  ଲିଙ୍ଗ, ଶ୍ରେଣୀ, ଜାତି  ଓ  ଅନ୍ୟାନ୍ୟ  ସାମାଜିକ  ଅର୍ଥନୈତିକ  ପାର୍ଥକ୍ୟ  ଥିବା  ସତ୍ତ୍ୱେ  ଦେଶର  ସମସ୍ତ  ଅଧିବାସୀଙ୍କୁ   ସମ୍ବିଧାନ  ସ୍ଵାଧୀନତା  ଓ  ସମାନତାର  ନିର୍ଭରତା   ପ୍ରଦାନ  କରୁଛି   । ତଥାପି  ପୁରୁଷ  ଓ  ମହିଳାମାନଙ୍କ   ସ୍ଥିତିର  ଅସମାନତା କେବଳ  ସମାଜରେ  ବା  ଅର୍ଥନୀତିରେ  ନୁହେଁ , ଆଇନରେ  ମଧ୍ୟ  ରହି  ଏହି  ଆଦର୍ଶ   ପ୍ରତିହତ   ହେଉଛି   ।

ମହିଳାମାନେ  କ୍ଵଚିତ  ସେମାନଙ୍କ   ଅଧିକାର  ସାବ୍ୟସ୍ତ  କରିଥାନ୍ତି, କାରଣ  ପୁରୁଷମାନେ   ଓ  ସମାଜ  ସେମାନଙ୍କ  ଶିକ୍ଷା, ବିବାହ, କର୍ମପନ୍ଥା  ପିଲାପିଲି  ପ୍ରଭୃତି   ସମ୍ପର୍କରେ  ପ୍ରାୟ  ସମସ୍ତ  ସିଦ୍ଧାନ୍ତ  ଗ୍ରହଣ  କରିଆସିଛନ୍ତି   । ହଜାର  ହଜାର  ବର୍ଷ  ଧରି  ସକଳ  ଧର୍ମ  ଗୃହସ୍ଥଳୀ  ମଧ୍ୟରେ  ଚିରସ୍ଥାୟୀ  ଭାବେ   ଅସମାନତା  ପ୍ରବିଷ୍ଟ  କରାଇଛନ୍ତି   । ପୁରୁଷମାନେ  ମହିଳାମାନଙ୍କ  ଅପେକ୍ଷା  ଉତ୍କୃଷ୍ଟ, ଫଳତଃ  ଗୃହସ୍ଥଳୀରେ  ସ୍ଵାଭାବିକ  ମୁଖ୍ୟ  ଏହା  ସେମାନେ  ପ୍ରକାଶ୍ୟରେ   ଘୋଷଣା  ବା ପରୋକ୍ଷରେ   ପ୍ରକାଶ  କରିଛନ୍ତି   । ଧର୍ମୀୟ  ସ୍ଵାଧୀନତା  ସମ୍ପର୍କରେ  ମୌଳିକ  ଅଧିକାର, ମହିଳାମାନଙ୍କୁ   ପରିବାର  ମଧ୍ୟରେ  ସମ୍ପତ୍ତି, ବିବାହ  ବିଚ୍ଛେଦ  ପୋଷ୍ୟପୁତ୍ର / କନ୍ୟା  ଗ୍ରହଣ   ପ୍ରଭୃତି   ବ୍ୟାପାରରେ   ସମାନ   ଅଧିକାରରୁ   ବଞ୍ଚିତ   କରିଅଛି   । ଏହାର  କାରଣ   ସେମାନେ   ଜନ୍ମଗ୍ରହଣ   କରିଥିବା  ସମ୍ପ୍ରଦାୟର  ବ୍ୟକ୍ତିଗତ   ଆଇନ  ଦ୍ଵାରା  ପରିଚାଳିତ  ହୁଅନ୍ତି   । ଫଳତଃ  ଜଣେ   ହିନ୍ଦୁ   ମହିଳା  ହିନ୍ଦୁ  ଆଇନ  ଦ୍ଵାରା, ମୁସଲମାନ  ମହିଳା  ମୁସଲମାନ   ଆଇନ  ଦ୍ଵାରା   ଚାଳିତ  ହୋଇଥାନ୍ତି   । ‘ ବ୍ୟକ୍ତିଗତ  ଆଇନ ’ ବିଭିନ୍ନ  ଧର୍ମ  ସମ୍ପ୍ରଦାୟର  ପାରିବାରିକ   ଜୀବନର  ସକଳ   ବିଭାଗକୁ   ନିୟନ୍ତ୍ରଣ  କରୁଥିବା  ବିଧିସମ୍ମତ   । ଚଳଣିର  ଏକ  ଆଇନସମ୍ମତ   ରୂପ  ଛଡା  ଆଉ   କିଛି  ନୁହେଁ  । ସମସ୍ତ  ଧର୍ମ   ମହିଳାମାନଙ୍କ   ଅଧିକାର ଓ  ମର୍ଯ୍ୟାଦା  ସମ୍ପର୍କରେ   ଏକ  ନେତିମୂଳକ   ବିଭାଗ   ପୋଷଣ  କରିଥାନ୍ତି   । ଏହି  ପକ୍ଷପତିତା   ଧାର୍ମିକ  ଚଳଣି   ଉପରେ  ନିର୍ଭରଶୀଳ   ଆଇନର   ରୂପ   ଗ୍ରହଣ  କରି  ଅନୁମୋଦିତ  ଓ  ଦୀର୍ଘକାଳ   ସ୍ଥାୟୀ   ସ୍ଵିକୃତି   ଲାଭ   କରିଛି   ।

ବିବାହ  ଆଇନ, ବିବାହ  ବିଚ୍ଛେଦ  ଓ  ଭରଣପୋଷଣ  ଆଇନ , ମହିଳାମାନଙ୍କର  ସମ୍ପତ୍ତି  ଅଧିକାର  ଆଇନ  ମହିଳାମାନଙ୍କ ସମ୍ପତ୍ତି   ଅଧିକାର  ଆଇନ  ମହିଳାମାନଙ୍କ  ପ୍ରତି  ଧର୍ଷଣ  ବଳାତ୍କାର   ସମ୍ପର୍କିତ  ଆଇନ,  ମହିଳାମାନଙ୍କ   ପାଇଁ  ଶ୍ରମ   ଆଇନ, ମାଗଣା   ଆଇନ  ସହାୟତା  ଇତ୍ୟାଦି   ସମ୍ପର୍କରେ   ମହିଳାମାନଙ୍କୁ   ଡୋକ୍ରା  ମାଧ୍ୟମରେ  ପରିଚିତ  କରାଇଦେବାର  ପରିକଳ୍ପନା  କରାଯାଇଅଛି   ।

ପଞ୍ଚାୟତରାଜ  ଓ  ମହିଳା  ସମ୍ପ୍ରଦାୟର  ଭୂମିକା  ସମ୍ପର୍କରେ   ମଧ୍ୟ   ସେମାନଙ୍କୁ   ଜ୍ଞାନ   ଦିଆଯିବା  ପାଇଁ  ପଦକ୍ଷେପ  ନେବା  ଉଚିତ   ।

ମହିଳାମାନଙ୍କ  ଅଧିକାର  ଓ  ନିରାପତ୍ତା   ରକ୍ଷା  ନିମନ୍ତେ   ଭାରତର  ଆଇନ   କାନୁନରେ   ବହୁ   ବ୍ୟବସ୍ଥା  ଅଛି, କିନ୍ତୁ   ମହିଳାମାନେ   ସେଗୁଡିକ  ବ୍ୟବହାର  କରିନାହାନ୍ତି   ।  ମହିଳାମାନଙ୍କୁ   ଆଇନକାନୁନ, ପୋଲିସପ୍ରଥା,   କୋର୍ଟ  କଚେରୀ  ବ୍ୟବସ୍ଥା  ବୁଝିବା   ନିମନ୍ତେ   ସେଗୁଡିକର  ସୁବିଧା   ନେବାଲାଗି   ଡୋକ୍ରା   ମାଧ୍ୟମରେ  ଜ୍ଞାନ  ବିତରଣ   କରିବା   ବାଞ୍ଛନୀୟ   । ଦାରିଦ୍ର୍ୟମାନଙ୍କୁ   ଶୋଷଣ  ଓ  ସେମାନଙ୍କ  ଉପରେ   ଅତ୍ୟାଚାର   କରୁଥିବା  ଶକ୍ତିଗୁଡିକର  ଏକ  ନ୍ୟସ୍ତ  ସ୍ଵାର୍ଥ   ରହିଛି   । ସେମାନେ  ଗ୍ରାମାଞ୍ଚଳରେ  ଦାରିଦ୍ର୍ୟ   ମହିଳାମାନଙ୍କୁ  ଜ୍ଞାନଠାରୁ   ଓ  ନ୍ୟାୟ  ନିମନ୍ତେ   ଏହି  ସଂସ୍ଥାଗୁଡିକର  ସହାୟତା  ନେବାଠାରୁ  ଦୂରରେ  ରଖିବାକୁ   ଚାହାନ୍ତି   । ଡୋକ୍ରା  ଗୋଷ୍ଠୀର   ସଦସ୍ୟମାନେ   ନ୍ୟାୟ   ହାସଲ   ନିମନ୍ତେ   ସଚେତନ  ଓ  ସକ୍ରିୟ  କର୍ମୀ  ହେବା   ଆଶା  ପୋଷଣ  କରାଯାଏ   ।

ମହିଳାମାନଙ୍କୁ  ଶୋଷଣ  କରୁଥିବା, ଗାଳି ବା  ଧମକ  ଦେଇ  ସେମାନଙ୍କ  ଅନିଷ୍ଟ  ଘଟାଇବାକୁ  ଡରାଉଥିବା  ଶକ୍ତିଗୁଡିକ   ବିରୋଧରେ   ସଂଗ୍ରାମ   କରିବାକୁ  ହେଲେ  ଆଇନ, ନ୍ୟାୟାଳୟ  ଓ  ପୋଲିସ  ପଦ୍ଧତିର  ଜ୍ଞାନ  ବହୁ  ଭାବରେ  ସହାୟକ  ଫଳରେ   ଘଟିବାକୁ   ଯାଉଥିବା   ଦୁଃସ୍ଥିତିରୁ  ରକ୍ଷା  ମିଳିପାରିବ   । ମହିଳା  ଗୋଷ୍ଠୀଙ୍କ  ମନରେ  ଯଦି  ଏହି  ଧାରଣା  ଜାତ  ହୁଏ, ସେମାନେ   ଏକ  ମୋକଦ୍ଦମା   କରିପାରିବେ, ଭାରତୀୟ  ଦଣ୍ଡବିଧି  ସଂହିତାର   ବିଭିନ୍ନ  ଧାରା   ଅନୁଯାୟୀ  ସେମାନେ  ପୁଲିସ  ପାଖରେ  ମୋକଦ୍ଦମାର  ଏତଲା   ମଧ୍ୟ  ଦେଇପାରିବେ   । ଏହି  ଜ୍ଞାନ  ସେମାନଙ୍କ   ମଧ୍ୟରେ  ପ୍ରସାର  କରିବାକୁ  ହେବ   ।

ଡୋକ୍ରା   ଗୋଷ୍ଠୀର  ଶିକ୍ଷାଗତ  ଓ  ତଥ୍ୟମୂଳକ   ଆବଶ୍ୟକତା

ସଙ୍ଗଠିତ  ଓ  ସଚେତନ  ଗ୍ରାମାଞ୍ଚଳର  ଦାରିଦ୍ର୍ୟ  ମହିଳାମାନେ  ସେମାନଙ୍କ  ସ୍ଥିତିରେ   ପରିବର୍ତ୍ତନ  ଆଣିପାରିବେ । ସଙ୍ଗଠିତ ଓ  ଅସଚେତନ   ଗ୍ରାମାଞ୍ଚଳର  ଦାରିଦ୍ର୍ୟ  ମହିଳାମାନେ  ସେମାନଙ୍କ  ସ୍ଥିତିରେ  ପରିବର୍ତ୍ତନ  ଆଣିବା  ନିମନ୍ତେ   ବିଶେଷ  କିଛ  କାରିପାରିବେ   ନାହିଁ । ଅସଙ୍ଗଠିତ  କିନ୍ତୁ  ସଚେତନ  ମହିଳାମାନଙ୍କ  ନିମନ୍ତେ   ବିଶେଷ  କିଛି  ଘଟିବ   ନାହିଁ ।

ଡୋକ୍ରା  ଶକ୍ତିଶାଳୀ  ମହିଳା  ଗୋଷ୍ଠୀ  ସଂଗଠନ  କରିପାରିଥିବ - ସଚେତନତା  ହେଉଛି  ଶିକ୍ଷାଗତ  ଉପାଦାନ ।

କର୍ମ କୌଶଳ  ତାଲିମ, ସାକ୍ଷରତା  / ଗଣିତ  ଜ୍ଞାନ  ତାଲିମ, ସ୍ୱାସ୍ଥ୍ୟ  ତାଲିମ, ଆଇନ  କାନୁନ  ତାଲିମ  ଏ  ସମସ୍ତ  ମଧ୍ୟ  ଶିକ୍ଷା ।

ଗ୍ରାମାଞ୍ଚଳର  ଦାରିଦ୍ର୍ୟ   ମହିଳାମାନଙ୍କ   ନିମନ୍ତେ   ହୋଇଥିବା  ଶିକ୍ଷାଗତ  କାର୍ଯ୍ୟକ୍ରମ  ଓ  ପରିକଳ୍ପନାର  ସୁଯୋଗ  ନେବାକୁ  ଏହାର  ସଦସ୍ୟମାନଙ୍କୁ  ସାହାଯ୍ୟ  କରିବାକୁ  ଡୋକ୍ରା  ଗୋଷ୍ଠୀ  ସମର୍ଥ   ହେବ   । ଏହା  ସହିତ  କେତେକ  ଶିକ୍ଷାଗତ  କାର୍ଯ୍ୟକ୍ରମ  ଓ  ବିଷୟରେ   ଯୋଜନା   କରାହେବ   ।

ସାକ୍ଷରତା

ସାକ୍ଷରତା  କାର୍ଯ୍ୟକ୍ରମ   ମହିଳାମାନଙ୍କ   ସାକ୍ଷରତା  ଅର୍ଜନ  ଲାଗି  ସର୍ବଦା  କିଛି  ସ୍ଵତନ୍ତ୍ର  ବ୍ୟବସ୍ଥା  କରିଥାଏ   । କେତେକ  ସ୍ଥାନରେ  ‘ ଜଣେ  ଜଣକୁ ପଢାଅ ’  ବ୍ୟବସ୍ଥାକୁ  ସହାୟତା  ଦେଇ   ପ୍ରାଥମିକ  ପଢା  ସାମଗ୍ରୀ  ଓ  ଜଣେ  ‘ସ୍ଵେଚ୍ଛାସେବୀ  ଅନୁଦେଷ୍ଟା ’  ମଧ୍ୟ   ଯୋଗାଇ  ଦିଆଯାଏ   । ଗାଁରେ  ଅନୁଷ୍ଠିତ  ହେଉଥିବା  ସାକ୍ଷରତା   ଶ୍ରେଣୀ  ସବୁବେଳେ  ମହିଳାମାନଙ୍କ  ନିମନ୍ତେ   ଖୋଲା   । ଡୋକ୍ରା  ଗୋଷ୍ଠୀର  ମହିଳାମାନେ  କମ୍  କିମ୍ବା  ଅଧିକ  ସଂଖ୍ୟାରେ  ସେଥିରେ  ଯୋଗ  ଦେଇପାରିବେ   । ଜିଲ୍ଲାର  ପ୍ରୌଢ  ଶିକ୍ଷା  ଅଧିକାରୀଙ୍କୁ   ସାକ୍ଷାତ   କରି  ଡୋକ୍ରା  ଗୋଷ୍ଠୀର  ମହିଳାମାନଙ୍କ  ନିମନ୍ତେ   ସାକ୍ଷରତା  ଶିକ୍ଷା  କାର୍ଯ୍ୟକ୍ରମ   ପାଇଁ  ସମ୍ବଳ  ଓ  ଶିକ୍ଷଣ  ସାମଗ୍ରୀ  ଅଣାଯାଇପାରେ   ।

ମହିଳା  ଗୋଷ୍ଠୀର   ନେତ୍ରୀମାନଙ୍କ  ନିମନ୍ତେ  କେତେକ  ରାଜ୍ୟରେ  ସାକ୍ଷରତାକୁ  ବିକ୍ଷିପ୍ତ  ସଂକ୍ଷିପ୍ତ  କାର୍ଯ୍ୟକ୍ରମ   ପରୀକ୍ଷାମୂଳକଭାବେ   ଚାଲୁ  କରାଯାଇଛି   । ଏଗୁଡିକ   ଆବାସିକ  ପାଠ୍ୟକ୍ରମ, ପ୍ରଥମେ  ୧୦ ଦିନ, ତାପରେ  ୭ଦିନ  ଓ  ତାପରେ  ୫ଦିନ   । ଏହା  ପ୍ରାୟ  ଛ’ ମାସ  ପର୍ଯ୍ୟନ୍ତ  ଚାଲିପାରିବ   । ଏଗୁଡିକ  କୃଷି  ଓ  ଆଇନ  ସମ୍ପର୍କିତ  ଜ୍ଞାନ   ହାସଲ  ପାଇଁ  ବ୍ୟବହାରିକ  ସାକ୍ଷରତା  ନୁହେଁ   । ଏହା  ନିଛକ  ଲେଖାପଢା  ଓ  ଗଣିତ  ପାଠ୍ୟକ୍ରମ  । ମହିଳା   ଗୋଷ୍ଠୀ   ବ୍ୟବହାରିକ   ସମସ୍ୟା   ସମ୍ପର୍କରେ  ପରେ  ଆଲୋଚନା   କରିପାରିବେ ଏହି  ଧାରଣା  ଉପରେ  ଏଭଳି  ଗଣିତ  ଶିକ୍ଷା  ନିର୍ଭରଶୀଳ   । ଗୋଷ୍ଠୀର   ନେତ୍ରୀଙ୍କଠାରୁ   ସଦସ୍ୟମାନଙ୍କ   ନିକଟକୁ  ସାକ୍ଷରତା  ସଞ୍ଚରି   ଯିବା  ଆଶା  କରାଯାଏ  । ଏହା  ମହିଳା  ସଦସ୍ୟମାନଙ୍କୁ   ଶୋଷଣ  ଓ  ପରନିର୍ଭରତାରୁ   ରକ୍ଷା  କରିପାରିବ   ।

ଗୋଷ୍ଠୀ   ନେତ୍ରୀମାନଙ୍କ  ତାଲିମ

ଡୋକ୍ରା  ଗୋଷ୍ଠୀର  ନେତ୍ରୀମାନେ  ଥରକୁ  ଥର  ଗାଁ  ବାହାରକୁ  ମାସିକିଆ  ମିଟିଂ  ଓ  ଗୋଷ୍ଠୀ  ନେତ୍ରୀଙ୍କ   ତାଲିମ   କାର୍ଯ୍ୟକ୍ରମରେ  ଯୋଗ  ଦେବା  ନିମନ୍ତେ   ଯିବେ   । ଏହି  ତାଲିମ   ସେମାନଙ୍କୁ   ମହିଳା  ସଭ୍ୟାମାନଙ୍କ  ସହାୟକ  ପରିକଳ୍ପନା, ସମ୍ବଳ, କାର୍ଯ୍ୟକ୍ରମ  ସମ୍ପର୍କରେ   ଅବହିତ  କରାଇବେ   ।

ଆଇ.ସି.ଡ. ଏସ୍.  ର  ତତ୍ତ୍ଵାବଧାରକ  ଓ  ଏ.ଏନ୍.ଏସ୍   ଡୋକ୍ରା  ଗୋଷ୍ଠୀ  ସହ  ସମ୍ପର୍କ   ସ୍ଥାପନ   କରି  ସ୍ୱାସ୍ଥ୍ୟ  ସଚେତନତା, ନୂତନ   ତଥ୍ୟ  ଓ  ଜ୍ଞାନରେ  ପରିପୁଷ୍ଟ   କରାନ୍ତି   ।

କୃଷି  ସଂପ୍ରସାରଣ  କଲେଜ ଓ  କୃଷି  ବିଜ୍ଞାନ   କେନ୍ଦ୍ରଗୁଡିକରେ  କୃଷି, ପଶୁପାଳନ, ବଗିଚା  ତିଆରି  ଗୃହ  ବିଜ୍ଞାନ  ତାଲିମ  କାର୍ଯ୍ୟକ୍ରମ   ଗୁଡିକ   ଅନୁଷ୍ଠିତ   ହୋଇଥାଏ   । ବେସରକାରୀ   ଅନୁଷ୍ଠାନଗୁଡିକ  ମଧ୍ୟ  ବହୁ  ସମୟରେ   ବିଭିନ୍ନ  ଧରଣର  ସଚେତନତା   ଶିବିର ଓ ଆଇନ  ସଚେତନତା  ଶିବିର  ପରିଚାଳନା  କରିଥାନ୍ତି   ।

ଡୋକ୍ରା  ମହିଳା  ଗୋଷ୍ଠୀର  ମିଟିଂ

ଡୋକ୍ରା  ଗୋଷ୍ଠୀ  ନିଜ  ଲାଗି  ପ୍ରସ୍ତୁତ  କରୁଥିବା  ଶିକ୍ଷାଗତ  କାର୍ଯ୍ୟକ୍ରମ   ଉପରେ  ହିଁ   ଏହାର  ସର୍ବାଧିକ  ନିୟନ୍ତ୍ରଣ   ଥାଏ   । ଡୋକ୍ରା  ଗୋଷ୍ଠୀର  ସଦସ୍ୟମାନେ  ଜାଣିବାକୁ   ଚାହୁଁଥିବା  ବିଷୟଗୁଡିକର  ଏକ  ତାଲିକା  ପ୍ରସ୍ତୁତ  କରିପାରନ୍ତି   । ବିଶେଷଜ୍ଞ  ସହାୟକମାନଙ୍କୁ  ଆମନ୍ତ୍ରଣ  କରି  ଜାଣିବାକୁ  ଚାହୁଁଥିବା  ବିଷୟଗୁଡିକ  ସେମାନଙ୍କ  ସାହାଯ୍ୟରେ   ବୁଝି   ସେମାନେ  କାର୍ଯ୍ୟ  ଆରମ୍ଭ  କରିବା  ଉଚିତ୍  । ରାଜସ୍ୱ  ବିଭାଗ  କର୍ମଚାରୀ ଏ.ଏନ୍.ଏସ୍., ବି.ଡି.ଓ., ଓକିଲ, ସରପଞ୍ଚ  ବା  ପ୍ରଧାନ, ବ୍ୟାଙ୍କ ଅଧିକାରୀ, ଏପିଓ ଜାତି/ ସମ୍ପ୍ରଦାୟର   ପାରମ୍ପରିକ   ନେତା, ବେସରକାରୀ  ଅନୁଷ୍ଠାନର  କ୍ଷେତ୍ରୀୟ   କର୍ମୀ, ଅନ୍ୟାନ୍ୟ  ମହିଳା  ଗୋଷ୍ଠୀ, ଯୋଗାଣ ନିରୀକ୍ଷକ, ମାଜିଷ୍ଟ୍ରେଟ, ପାରମ୍ପରିକ  ସ୍ୱାସ୍ଥ୍ୟ  ଚିକିତ୍ସକ, ପୋଲିସ , ଥାନାଦାର  କିମ୍ବା   ସବଇନ୍ସିପେକ୍ଟର , ବନବିଭାଗ  ରେଞ୍ଜର, ବ୍ଲକର  ଶିକ୍ଷା  ଅଧିକାରୀ , ବ୍ଲକ  ସମ୍ପ୍ରସାରଣ  ପ୍ରଶିକ୍ଷକ, ପଶୁପାଳନ  କଂପାଉଣ୍ଡର, ଆଇଡିସିଏସ୍  ପର୍ଯ୍ୟବେକ୍ଷକ, ଉଦ୍ୟାନ  ବିଭାଗ  ଅଧିକାରୀ, ବ୍ଲକର  ଶିଳ୍ପ  କର୍ମଚାରୀ   ପ୍ରଭୃତି   କର୍ମକର୍ତ୍ତା/ ବ୍ୟକ୍ତି  ବିଶେଷଙ୍କ  ସହାୟତାରେ  ଡୋକ୍ରା   ଗୋଷ୍ଠୀ  ନିଜର  ଜ୍ଞାନର  ପରିସୀମା   ବୃଦ୍ଧି   କରାଇପାରିବେ   ।

ବିଭିନ୍ନ  ରାଜନୈତିକ  ମିଟିଂ, ଧର୍ମୀୟ  ଆଲୋଚନା, ସମସ୍ୟାଭିତ୍ତିକ  ସଭା  ବା  ଗଣସମାବେଶ  ପ୍ରଭୃତି   ମଜୁରୀ, ମରୁଡି, ପରିବେଶ  ସମ୍ପର୍କରେ   ହୋଇଥାଏ   ।ସେଗୁଡିକ   ଡୋକ୍ରା  ଗୋଷ୍ଠୀ  ପାଇଁ  ତଥ୍ୟପ୍ରଦ   ।

ଖବରକାଗଜ , ପୁସ୍ତିକା, ମହିଳା  ବିକାଶଭିତ୍ତିକ  ପତ୍ରପତ୍ରିକା   ମହିଳା  ସଙ୍ଗଠନ , କେନ୍ଦ୍ର, ବିଶ୍ଵବିଦ୍ୟାଳୟର  ମହିଳା  ଶିକ୍ଷା  ବିଭାଗ , ଗୃହବିଜ୍ଞାନ  କଲେଜ, ରାଜ୍ୟସ୍ତରୀୟ  ମହିଳା  କାର୍ଯ୍ୟକ୍ରମର  ବିଭିନ୍ନ   କାର୍ଯ୍ୟାଳୟରେ  ବିଭିନ୍ନ  ସମୟରେ   ମିଳିଥାଏ   । ଏଗୁଡିକ  ଖୁବ୍  କମ୍  ମୂଲ୍ୟ   କିମ୍ବା  ବିନାମୂଲ୍ୟରେ   ମିଳେ   । ଏହା  ଡୋକ୍ରା  ଗୋଷ୍ଠୀର  ଶିକ୍ଷାଗତ   ଅଭିଯାନରେ  ସହାୟକ   ହୋଇଥାଏ   ।

ବେତାର, ଦୂରଦର୍ଶନ,  ଶିକ୍ଷାଗତ  ପରିଭ୍ରମଣ, ଗୋଷ୍ଠୀ  ସଦସ୍ୟମାନଙ୍କ  ତାଲିମ  କାର୍ଯ୍ୟକ୍ରମ, ସାକ୍ଷରତା   ପୁନରାବୃତ୍ତି  ପାଠ୍ୟକ୍ରମ  ପ୍ରଭୃତି  ମହିଳାମାନଙ୍କୁ  ଶିକ୍ଷାର  ଉଚ୍ଚତର  ସୋପାନରେ  ପହଞ୍ଚାଇଥାଏ   ।

ବିଦ୍ୟାଳୟ, ଅଣ – ଆନୁଷ୍ଠାନିକ  ଶିକ୍ଷା  କାର୍ଯ୍ୟକ୍ରମ, ଆଇସିଡିଏମସ୍  ପ୍ରଭୃତି   ମାଧ୍ୟମରେ  ଶିଶୁ  ଶିକ୍ଷାର   ପ୍ରସାର  ଘଟିଥାଏ   ।

ମହିଳାମାନେ  ସ୍ଵଭାବତଃ  ନିଜ  ପିଲାଙ୍କ  ଯତ୍ନ   ନେଇଥାନ୍ତି   । ସେମାନେ  ସ୍କୁଲ, ଅଣ – ଆନୁଷ୍ଠାନିକ  ଶିକ୍ଷା,  ଆଇସିଡିଏମସ୍ ପ୍ରକଳ୍ପକୁ  ତତ୍ତ୍ଵାବଧାନ  ଓ  ସାହାଯ୍ୟ   ନିମନ୍ତେ  ହେଉଥିବା   ସମସ୍ତ  ପରିକଳ୍ପନା , କାର୍ଯ୍ୟକ୍ରମ, ଆଇନ ଓ  ବ୍ୟବସ୍ଥା  ସେମାନଙ୍କ  ନିକଟରେ  ପହଞ୍ଚିବା   ଉଚିତ୍   । ମହିଳା  ଗୋଷ୍ଠୀ   ଏହା  ତତ୍ତ୍ଵାବଧାନ  କରିବେ  ଏବଂ  ଏହାହିଁ  ଡୋକ୍ରା  ଗୋଷ୍ଠୀର  ସ୍ଵିକୃତ   ଆଦର୍ଶ   ।

ଆଧାର - ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଓ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ

3.05882352941
Pratap Jena Jan 31, 2018 07:16 PM

ଡୋକ୍ରା ମହିଳା ଓ ସେହି ଗୋଷ୍ଟି ବିଷୟରେ ଖୁବ ଭଲ ସୂଚନା ଦିଆଯାଇଛି

ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top