অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ସୁସ୍ଥ ମାନସିକତା : ସଶକ୍ତ ନାରୀ

ସାମାଜିକ ଏବଂ ରାଜନୈତିକ ଅଧିକାର

୧୯୦୮ ମାର୍ଚ୍ଚ ୮ ତାରିଖ । ନ୍ୟୁୟର୍କ ରାଜରାସ୍ତାରେ  ହଜାର ହଜାର ମହିଳାଙ୍କର ବିପୁଳ ସମାଗମ । କୌଣସି ଉତ୍ସବ ପାଳନ  କରିବା ପାଇଁ ଏହି ଐତିହାସିକ ସମାଗମ ହୋଇ ନଥିଲା । ନାରୀର ସାମାଜିକ ଏବଂ ରାଜନୈତିକ ଅଧିକାର ରହିବା ସହିତ ସେମାନଙ୍କୁ  ଭୋଟଦେବାର ଅଧିକାର ପ୍ରଦାନ କରିବା ଏବଂ ଦୈନିକ ୧୬ ଘଣ୍ଟା ପରିବର୍ତ୍ତେ ୮ ଘଣ୍ଟା ଶ୍ରମ କରିବା ପାଇଁ ଆଇନ ପ୍ରଣୟନ କରିବାର ଦାବିନେଇ ଗଢି ଉଠିଥିବା ଏହି ମହିଳା ସମାବେଶ ଉପରେ ପୋଲିସର ଅମାନୁଷିକ ଗୁଳିବର୍ଷଣ ‘ନ୍ୟୁୟର୍କ ରାଜରାସ୍ତାକୁ ରକ୍ତ ରଞ୍ଜିତ କରିଦେଲା । ଏହାର ପରିବର୍ତ୍ତୀ ବର୍ଷ ଅର୍ଥାତ୍ ୧୯୦୯ ମସିହାରେ ମହିଳାମାନେ ନିଜର ଅଧିକାର ପାଇବା ପାଇଁ ଲଢେଇ ଜୋରଦାର କରିଥିଲେ ।

୧୯୧୦ ମସିହାରେ କୋପେନ୍ହାଗେନଠାରେ  ଅନୁଷ୍ଠିତ ଅନ୍ତର୍ଜାତୀୟ ସମାଜବାଦୀ ମହିଳା ସଂଗଠନର ଦ୍ଵିତୀୟ ବାର୍ଷିକ ସମ୍ମେଳନରେ ଜର୍ମାନ ନାରୀ ଆନ୍ଦୋଳନର ପ୍ରମୁଖ ଲଜୁଆ ନେତ୍ରୀ କ୍ଲାରା ଜେତ୍କନ୍ ସର୍ବପ୍ରଥମେ ମାର୍ଚ୍ଚ ୮ ତାରିଖକୁ ଅନ୍ତର୍ଜାତୀୟ ମହିଳା ଦିବସ ଭାବେ ପାଳନ କରିବାକୁ ଘୋଷଣା କରିଥିଲେ । ଏହି ଆହ୍ଵାନ ସହିତ ପାଦ ମିଳାଇ ସର୍ବପ୍ରଥମେ ଜର୍ମାନ, ଅଷ୍ଟ୍ରେଲିଆ,ଡେନ୍ ମାର୍କ ଏବଂ ସୁଇଜରଲାଣ୍ଡ ୧୯୧୧ ମସିହାରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରିଥିଲେ । ମିଳିତ ଜାତିସଂଘର ନିଷ୍ପତ୍ତିକ୍ରମେ ୧୯୭୫ ମାର୍ଚ୍ଚ ୮ ତାରିଖରୁ ବିଧିବଦ୍ଧ ଭାବେ ପ୍ରତିବର୍ଷ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରାହୋଇ ଆସୁଛି ।

ମହିଳାଙ୍କ ସୁରକ୍ଷା

ଜନୈକା ପ୍ରସିଦ୍ଧ ବ୍ରିଟିଶ ଲେଖିକା କେରୀ ବ୍ରୋନ୍ ୧୯୯୦ରେ ପ୍ରକାଶିତ ତାଙ୍କ ପ୍ରସିଦ୍ଧ ପୁସ୍ତକ ‘The Essential Teachings of Hinduism’ରେ ଉଲ୍ଲେଖ କରିଛନ୍ତି ।  ଅର୍ଥାତ୍ ଯେପରି ସମ୍ରାଟଙ୍କ ମୁକୁଟଙ୍କ ମୂଲ୍ୟବାନ୍ ରତ୍ନକୁ ଆଦୌ ଅସୁରକ୍ଷିତ ରଖାଯାଏ ନାହିଁ ସେପରି ଜଣେ ମହିଳାକୁ ଆଦୌ ଅସୁରକ୍ଷିତ ଭାବରେ ରଖାଯିବା ଉଚିତ ନୁହେଁ । ବାସ୍ତବ କ୍ଷେତ୍ରରେ ପୁରୁଷପ୍ରଧାନ ସମାଜରେ ମହିଳାମାନଙ୍କୁ ଏଯାବତ୍ ଅସୁରକ୍ଷିତ ଏବଂ ଅବହେଳିତ ଅବସ୍ଥାରେ ରଖାଯାଇଛି । ତାଲିବାନମାନଙ୍କର ନାଲିଆଖିରେ ଶିକାର ହୋଇ ପାକିସ୍ତାନ, ଆପଗାନିସ୍ତାନ ପରି ରାଷ୍ଟ୍ରମାନଙ୍କର ମହିଳାମାନେ ଉଚ୍ଚଶିକ୍ଷା ଲାଭ କରିବାକୁ ବଞ୍ଚିତ ହେଉଛନ୍ତି ।

ସାମ୍ପ୍ରତିକ ଅବସ୍ଥାରେ ଭାରତୀୟ ନାରୀମାନେ ଅନେକାଂଶରେ ଅବହେଳିତ ଏବଂ ନିର୍ଯାତିତ ହେଉଥିବା ପରିଲକ୍ଷିତ ହେଉଛି । ପ୍ରାଚୀନ ଭାରତରେ ସେମାନଙ୍କୁ ଉପଯୁକ୍ତ ମର୍ଯ୍ୟାଦା ଦେଖାଯାଉଥିଲା । ଏପରିକି କନ୍ୟା ସନ୍ତାନର ଜନ୍ମଦାତା ନିଜର କନ୍ୟାକୁ ମା’ ବୋଲି ସମ୍ବୋଧିତ କରିଥାନ୍ତି । କନ୍ୟା ସନ୍ତାନର ଗୁରୁତ୍ଵକୁ ପ୍ରତିପାଦିତ କରିବାକୁ ଯାଇ ମହର୍ଷି ଦୟାନନ୍ଦ ସରସ୍ଵତୀ  କୁହନ୍ତି,ଭାରତବର୍ଷର ଧର୍ମ ତାହାର ପୁତ୍ରଙ୍କ ଦ୍ଵାରା ନୁହେଁ ବରଂ ତାହାର ସୁପୁତ୍ରୀଙ୍କ ଦ୍ଵାରା ନିରୂପିତ ହୋଇଛି । ନାରୀମାନେ ବିଭିନ୍ନ କ୍ଷେତ୍ରରେ ପାରିଦର୍ଶିତା ପ୍ରଦର୍ଶିତ କରି ବିଶ୍ଵ ଇତିହାସରେ ସେମାନଙ୍କ ନାମକୁ ସ୍ଵର୍ଣ୍ଣାକ୍ଷରରେ ଲିପିବଦ୍ଧ କରାଇଛନ୍ତି । ଏମାନଙ୍କ ମଧ୍ୟରେ ଫ୍ଲୋରେନ୍ସ ନାଇଟିଙ୍ଗେଲ୍, ଭଲେଣ୍ଟିନା ତେରେସ୍କୋଭା, ମଦର ଟେରେସା, ଇନ୍ଦିରା ଗାନ୍ଧୀ, ମାର୍ଗାରେଟ ଥାଚର, ଶିରିମୋଭୋ ବନ୍ଦରନାୟକେ, ସ୍ୟୁ କି ପ୍ରମୁଖ ଅନ୍ୟତମ ।

ଭାରତ ଇତିହାସରେ ନାରୀ

ଭାରତର ସ୍ଵାଧୀନତା ନିମନ୍ତେ ବିଭିନ୍ନ ସମୟରେ ବୀରତ୍ଵର ସହିତ ସଂଗ୍ରାମ ଚଳାଇଥିବା ମହାୟସୀ ମହିଳାଙ୍କ ମଧ୍ୟରେ କିଟୁର (ବର୍ତ୍ତମାନର  କର୍ଣ୍ଣାଟକ ) ରାଣୀ ଚିନ୍ନାମା, ଝାନ୍ସୀ ରାଣୀ ଲକ୍ଷ୍ମୀବାଈଙ୍କ ନାମ ମାନସପଟରେ ଝଲସିଉଠେ । ମହାତ୍ମା ଗାନ୍ଧୀଙ୍କ ଆହ୍ଵାନକ୍ରମେ ଯେଉଁ ବୀରା ରମଣୀମାନେ ସ୍ଵାଧୀନତା ସଂଗ୍ରାମରେ ଝାସ ଦେଇଥିଲେ ସେମାନଙ୍କ ମଧ୍ୟରେ କସ୍ତୁରବା ଗାନ୍ଧୀ, ସରୋଜିନୀ ନାଇଡୁ, ଅରୁଣା ଆସଫ ଅଲ୍ଲୀ ଏବଂ ଓଡିଶାର ରମାଦେବୀ, ମାଳତୀ ଚୌଧୁରୀ, ସରଳା ଦେବୀ,ଅନ୍ନପୂର୍ଣ୍ଣା ମହାରଣା ପ୍ରମୁଖ ଅନ୍ୟତମ । ବାଙ୍କା ରାଣୀ ଶୁକଦେଇ ଜଣେ ବୀରା ରମଣୀ ଭାବେ ଓଡିଆ ଜାତି ନିକଟରେ ପ୍ରାତଃସ୍ମରଣୀୟ । ଓଡିଶାର ଏକମାତ୍ର ମହିଳା ,ମୁଖ୍ୟମନ୍ତ୍ରୀ ଭାବେ ସୁଲେଖିବା ଶ୍ରୀମତୀ ନନ୍ଦିନୀ ଶତପଥୀ ନିଜର ପାରଦର୍ଶିତା ପ୍ରଦର୍ଶନ କରିଯାଇଛନ୍ତି, ଉଭୟ ପ୍ରଶାସନ ଓ ସାହିତ୍ୟରେ । ୧୮୮୬ ମସିହାରେ ଦେଶର ପ୍ରଥମ ମହିଳା ଡାକ୍ତର ଭାବେ କାଦମ୍ବିନୀ ଗାଙ୍ଗୁଲି ଇତିହାସ ରଚନା କରିଥିବା ବେଳେ ଭାରତର ପ୍ରଥମ ମହିଳା ଫଟୋ ଜର୍ଣ୍ଣାଲିଷ୍ଟ ହୋମାଇ ୧୯୩୦ ମସିହାରେ ଫଟୋଗ୍ରାଫି ସାମ୍ବାଦିକତାକୁ ନିଜର ପେସା ଭାବେ ଗ୍ରହଣ କରିଥିଲେ । ୧୯୫୩ରେ ଶ୍ରୀମତୀ ବିଜୟଲକ୍ଷ୍ମୀ ପଣ୍ଡିତ ଜାତିସଂଘ ସାଧାରଣ ପରିଷଦର ପ୍ରଥମ ମହିଳା ଅଧ୍ୟକ୍ଷା ହେବାର ଗୌରବ ଲାଭ କରିଥିଲେ ।

୧୯୮୪ ମେ ୨୨ ତାରିଖରେ ଭାରତର ପ୍ରଥମ ମହିଳା ପର୍ବତାରୋହୀ ଭାବେ ବିଚ୍ଛେନ୍ଦ୍ରିପାଲ  ଏଭରେଷ୍ଟ ଶୃଙ୍ଖ ଆରୋହଣ କରିଥିଲେ । ଭାରତର ପ୍ରଥମ ମହିଳା ମହାକାଶଚାରୀ କଳ୍ପନା ଚାୱଲା, ପ୍ରଥମ ମହିଳା ଆଇପିଏସ୍ ଅଫିସର କିରଣ ଦେବୀ, ପ୍ରଥମ ମହିଳା ଗ୍ରାଣ୍ଡସ୍ଲାମ ଟାଇଟଲ ହାସଲକାରୀ ସାନିଆ ମିର୍ଜା ପ୍ରମୁଖ ଆମ ଦେଶର ଜଣେ ଜଣେ ଗୌରବମୟ ତାରକା । ବିଭିନ୍ନ କ୍ଷେତ୍ରରେ ମହିଳାମାନେ ପୁରୁଷମାନଙ୍କ ଠାରୁ  ଆଗରେ ରହିଥିଲେ ମଧ୍ୟ ଏଭଳି ଗୌରବ ଲାଭ କରୁଥିବା ମହିଳାଙ୍କ ସଂଖ୍ୟା ଅତ୍ୟନ୍ତ ନଗଣ୍ୟ । ସମ୍ବିଧାନରେ ନାରୀ ପୁରୁଷ ମଧ୍ୟରେ ପ୍ରଭେଦ ନ ଥିବା କଥା କୁହାଯାଉଥିଲେ ମଧ୍ୟ ବାସ୍ତବ କ୍ଷେତ୍ରରେ ଏଥିରେ ଭିନ୍ନତା ପରିଲକ୍ଷିତ ହେଉଛି । ମହିଲାମାନଙ୍କ ର ସ୍ଵାର୍ଥରକ୍ଷା ନିମନ୍ତେ ଅନେକ ଆଇନ ପ୍ରଣୟନ କରାଯାଇଥିଲେ ମଧ୍ୟ ଏହି ଆଇନ ସବୁ’କାଗଜବାଘ ଭଳି କାର୍ଯ୍ୟତଃ ପ୍ରତୀତ ହେଉଛି ।

ସମାଜ ଆଧୁନିକତାର ଦିଶାରେ ଦ୍ରୁତ ଇଂଲଣ୍ଡରେ ୧୯୭୦ରେ ସମାନ ଦରମା ଆଇନ ପ୍ରଣୀତ ହେଲା । ଭାରତବର୍ଷରେ ୧୯୭୫ ସେପ୍ଟେମ୍ବର ୨୬ ତାରିଖ ଦିନ ଭାରତର ରାଷ୍ଟ୍ରପତି ସମାନ ମଜୁରି ଅଧ୍ୟାଦେଶ ଜାରି କଲେ ଏବଂ ଏହି ଅଧ୍ୟାଦେଶ ସଂସଦରେ ଗୃହୀତ ହୋଇ ୧୯୭୬ ଫେବୃୟାରୀ ୧୧ ତାରିଖରେ ଆଇନରେ ପରିଣତ ହେଲା । ନାରୀ ଜାତିର ମଙ୍ଗଲ ଏବଂ ସ୍ଵାର୍ଥରକ୍ଷା ନିମନ୍ତେ ଅନେକ ପ୍ରଗତିଶୀଳ ଆଇନ ପ୍ରଣୟନ କରାଯାଉଥିଲେ ମଧ୍ୟ ଆଗେଇ ଚାଲିଥିବା ବେଳେ ପୁରୁଷ ତୁଳନାରେ ନାରୀଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ୧୯୦୧ ଜନଗଣନାରେ  ଓଡିଶାରେ ପ୍ରତି ୧ ହଜାର ପୁରୁଷ ଅନୁପାତରେ ମହିଳାଙ୍କ ସଂଖ୍ୟା ୧ ହଜାର ୩୭ ଥିଲା । ୧୯୨୧ ଜନଗଣନାରେ ୧ ହଜାର ପୁରୁଷ ଅନୁପାତରେ ମହିଳାଙ୍କ ସଂଖ୍ୟା ୧ ହଜାର ୮୬ ଥିଲା । କିନ୍ତୁ ୧୯୯୧ ଜନଗଣନାରେ ପ୍ରତି ୧ ହଜାର ପୁରୁଷରେ ମହିଳାଙ୍କ ସଂଖ୍ୟା ୯୭୧କୁ ହ୍ରାସ ପାଇଥିଲା । ୨୦୦୧ ଜନଗଣନାରେ ଓଡିଶାରେ ପ୍ରତି ୧ହଜାର ପୁରୁଷଙ୍କ ତୁଳନାରେ ମହିଳାଙ୍କ ସଂଖ୍ୟା ଥିଲା ୯୫୩ ଏବଂ ୨୦୧୧ ଜନଗଣନାରେ ପ୍ରତି ୧ ହଜାର ପୁରୁଷ ତୁଳନାରେ ମହିଳାଙ୍କ ସଂଖ୍ୟା ଥିଲା ୯୪୧। ପୁରୁଷ ସଂଖ୍ୟା ତୁଳନାରେ ମହିଳାଙ୍କ ସଂଖ୍ୟା ହ୍ରାସ ପାଉଥିବାରୁ ସମାଜ ଚିନ୍ତକମାନେ ଗଭୀର ଉଦ୍ ବେଗ ପ୍ରକାଶ କରିଛନ୍ତି । କାରଣ ଏହା ଦ୍ଵାରା ସାମାଜିକ ଅସନ୍ତୁଳିତା ସୃଷ୍ଟିହେବ । ତେଣୁ କନ୍ୟାଭୃଣ ହତ୍ୟା ପ୍ରତିରୋଧ କରିବା ପାଇଁ ମାତ ଗର୍ଭର ଲିଙ୍ଗ ନିରୂପଣକୁ ବେଆଇନ ଘୋଷଣା କରାଯାଇଛି ।

ନାରୀମାନଙ୍କୁ ପୁରୁଷମାନଙ୍କ ସହିତ ସମାନ କାମ ପାଇଁ ସମାନ ମଜୁରି ପ୍ରଦାନ କରିବା ନିମନ୍ତେ ୧୯୫୧ ଜୁନ୍ ୨୯ ତାରିଖ ଦିନ ଅନ୍ତର୍ଜାତୀୟ ଶ୍ରମ ସଙ୍ଗଠନର ସାଧାରଣ ଅଧିବେଶନରେ ଏକ ପ୍ରସ୍ତାବ ଗୃହୀତ ହୋଇଥିଲା । ପୁରୁଷପ୍ରଧାନ ସମାଜରେ ପୁତ୍ରମାନଙ୍କ ସହିତ କନ୍ୟମାନଙ୍କୁ ସମାନ ଚକ୍ଷୁରେ ଦେଖିବା ଏବଂ ସେମାନଙ୍କୁ ସମାନ ସୁବିଧା ସୁଯୋଗ ଯୋଗାଇ ଦେବାର ମାନସିକତା ନ ରହିଲେ ନାରୀ ସୁରକ୍ଷା ନାମରେ ଯେତେ ଚିତ୍କାର କଲେ ମଧ୍ୟ ଏହା ନିରର୍ଥକ ହୋଇପଡିବ । ନାରୀକୁ ସଶକ୍ତ କରିବା ପାଇଁ ଆମକୁ ନାରୀ ପ୍ରତି ଥିବା ଆମ ମାନସିକତାକୁ ବଦଳାଇବାକୁ ପଡିବ ।

ଆଧାର – ଦୈନିକ ଧରିତ୍ରୀ

Last Modified : 2/20/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate