ହୋମ / ସମାଜ କଲ୍ୟାଣ / ଅନୁସୂଚିତ ଜନଜାତି କଲ୍ୟାଣ / ଅନୁସୂଚିତ ଜନଜାତି ଓ ଅନ୍ୟାନ୍ୟ ପାରମ୍ପରିକ ବନବାସୀଙ୍କ (ଜଙ୍ଗଲ ଅଧିକାର ସ୍ଵୀକୃତି) ଆଇନ, ୨୦୦୬ (ଗୋଷ୍ଠୀଗତ ଅଧିକାର ଉପରେ ବାରମ୍ବାର ପଚରାଯାଉଥିବା ପ୍ରଶ୍ନ ସମୂହ )
ସେଆର କରନ୍ତୁ

ଅନୁସୂଚିତ ଜନଜାତି ଓ ଅନ୍ୟାନ୍ୟ ପାରମ୍ପରିକ ବନବାସୀଙ୍କ (ଜଙ୍ଗଲ ଅଧିକାର ସ୍ଵୀକୃତି) ଆଇନ, ୨୦୦୬ (ଗୋଷ୍ଠୀଗତ ଅଧିକାର ଉପରେ ବାରମ୍ବାର ପଚରାଯାଉଥିବା ପ୍ରଶ୍ନ ସମୂହ )

ଅନୁସୂଚିତ ଜନଜାତି ଓ ଅନ୍ୟାନ୍ୟ ପାରମ୍ପରିକ ବନବାସୀଙ୍କ (ଜଙ୍ଗଲ ଅଧିକାର ସ୍ଵୀକୃତି) ଆଇନ, ୨୦୦୬ (ଗୋଷ୍ଠୀଗତ ଅଧିକାର ଉପରେ ବାରମ୍ବାର ପଚରାଯାଉଥିବା ପ୍ରଶ୍ନ ସମୂହ ) ସୂଚନା ।

ଆଇନ୍  ଅଧିନରେ  ଗୋଷ୍ଠୀ  ଜଙ୍ଗଲ  ଅଧିକାର/ସମ୍ବଳ ପାଇଁ   କ’ଣ  ବ୍ୟବସ୍ଥା  ରହିଛି ?

ଅନୁସୂଚିତ  ଜନଜାତି  ଏବଂ  ଅନ୍ୟାନ୍ୟ  ପାରମ୍ପରିକ  ବନବାସୀମାନଙ୍କ  (ଜଙ୍ଗଲ  ଅଧିକାର ସ୍ଵିକୃତି) ଆଇନ୍- ୨୦୦୬ର   ଧାରା ୩(୧)ରେ  ସମସ୍ତ  ପ୍ରକାରର  ଜଙ୍ଗଲ   ଜମି  ଉପରେ   ପାରମ୍ପରିକ  ଭାବରେ  ନିର୍ଭର  କରି  ଆସୁଥିବା  ଅନୁସୂଚିତ  ଜନଜାତି  ଏବଂ  ଅନ୍ୟାନ୍ୟ  ପାରମ୍ପରିକ  ବନବାସୀମାନଙ୍କର  ଉଭୟ  ବ୍ୟକ୍ତିଗତ  ଏବଂ  ଗୋଷ୍ଠୀଗତ  ଅଧିକାର  ସମ୍ପର୍କରେ  ଉଲ୍ଲେଖ   କରାଯାଇଛି   । ତନ୍ମଧ୍ୟରୁ  ଗୋଷ୍ଠୀଗତ  ଜଙ୍ଗଲ  ଅଧିକାର  ଉପରେ  ଥିବା  ପ୍ରାସଙ୍ଗିକ  ବ୍ୟବସ୍ଥାଗୁଡିକ  ନିମ୍ନରେ   ଉଲ୍ଲେଖ   କରାଯାଇଛି   ।

  • ଧାରା -୩ (୧) (ଖ) ରେ  ପୂର୍ବର  ରାଜାରାଜୁଡା  କିମ୍ବା  ଜମିଦାରୀ  କିମ୍ବା  ସେହି  ପ୍ରକାରର  ଆନ୍ତରୀଣ   ଶାସନ  କାଳରେ   ନିସ୍ତାର  କିମ୍ବା  ସେହିଭଳି  ଯେକୌଣସି   ନାମରେ   ଗୋଷ୍ଠୀଭିତ୍ତିକ  ଅଧିକାର  ସମ୍ବନ୍ଧରେ  ଉଲ୍ଲେଖ   କରାଯାଇଛି   । ନିସ୍ତାର  ଅଧିକାର  ସୁରକ୍ଷିତ  କରିଥାଏ ସ୍ଥାନୀୟ  ଗୋଷ୍ଠୀମାନଙ୍କର  ଜଙ୍ଗଲ  ଉପରେ  ଥିବା   ପ୍ରଥାନୁମୋଦିତ  ଅଧିକାର  ଅବା  ପାରମ୍ପରିକ  ପ୍ରବେଶଧିକାର  ଯାହାକି  ବିଭିନ୍ନ  ଶାସନ  କାଳରେ  ସ୍ଵିକୃତି   ପ୍ରଦାନ  କରାଯାଇଥିଲା   । ନିସ୍ତାରି  ଦାବି  ଅର୍ଥ   ଜଙ୍ଗଲ  ସମ୍ବଳ  ଯଥା  କାଠ, ଜାଳେଣୀ  କାଠ  ଗୋମହିଷାଦିଚାରଣଭୂମି  ଲଘୁବନଜାତଦ୍ରବ୍ୟ   କିମ୍ବା  ଅନ୍ୟ  କୌଣସି  ନିର୍ଦ୍ଧିଷ୍ଟ  ସମ୍ବଳର   ବ୍ୟବହାର  ଉପରେ  ଭୋଗାଧିକାର  ଯାହାକି  ଦାବି  ପତ୍ରରେ  ଉଲ୍ଲେଖ   କରାଯାଇଛି  ।
  • ଧାରା – ୩(୧)(ଗ) ରେ  ପାରମ୍ପରିକ  ଭାବେ  ନିଜ  ମଧ୍ୟରେ  କିମ୍ବା  ବାହାର  ସୀମାରୁ  ସଂଗ୍ରହ  ହୋଇ  ଆସୁଥିବା  ଲଘୁ ବନଜାତ  ଦ୍ରବ୍ୟର  ମାଲିକାନା, ସଂଗ୍ରହ, ବ୍ୟବହାର  ଏବଂ  ବିକ୍ରୟ  ନିମନ୍ତେ  ଅଧିକାର  ଦିଆଯାଇଛି  । ପୁନଶ୍ଚ  ନିୟମ ୨ (ଘ) ରେ  “ ଲଘୁବନଜାତ  ଦ୍ରବ୍ୟର  ବିକ୍ରୟ ” କହିଲେ, ଆଇନ୍ ର  ଧାରା  ୩ର  ଉପଧାରା (୧)ର  ଖଣ୍ଡ  (ଗ) ଅଧୀନରେ  ଜୀବନ  ଜୀବିକା  ପାଇଁ  ସ୍ଥାନୀୟ  ସ୍ତରରେ  ପ୍ରକ୍ରିୟାକରଣ, ମୂଲ୍ୟ  ସଂଯୋଗୀକରଣ, ଜଙ୍ଗଲ  ମଧ୍ୟରେ  ଶଗଡ  ଗାଡି, ସାଇକେଲ ଓ ମୁଣ୍ଡଭାର  ମାଧ୍ୟମରେ  ଉତ୍ପାଦିତ  ଦ୍ରବ୍ୟର   ପରିବହନ  କିମ୍ବା  ଜୀବନଜୀବିକା   ପାଇଁ   ଗୋଷ୍ଠୀ  କିମ୍ବା  ସଂଗ୍ରହକାରୀ  ଦ୍ଵାରା  ବ୍ୟବହାର  ସମ୍ପର୍କରେ   ଦ୍ରବ୍ୟର   ପରିବହନ  କିମ୍ବା  ଜୀବନଜୀବିକା  ପାଇଁ  ଗୋଷ୍ଠୀ  କିମ୍ବା  ସଂଗ୍ରହକାରୀ  ଦ୍ଵାରା  ବ୍ୟବହାର  ସମ୍ପର୍କରେ  ଉଲ୍ଲେଖ କରାଯାଇଛି   । ଆଇନ୍ ର   ଧାରା – ୨ (୧) ରେ  ‘ଲଘୁ  ବନଜାତ  ଦ୍ରବ୍ୟ’ ଅର୍ଥାତ୍  ବୃକ୍ଷଜାତ  ସମସ୍ତ  ଅଣକାଷ୍ଠ ବନଜାତା  ଦ୍ରବ୍ୟ   ଯେଉଁଥିରେ  ବାଉଁଶ, ଝାଟି, ଛୋଟ  ଗଛର  ଡାଳ, ବେତ, ଟସର, କୋଷା, ମହୁ, ମହମ, ଲାକ୍ଷା,ଅ କେନ୍ଦୁପତ୍ର, ଔଷଧୀୟ  ବୃକ୍ଷଲତା, ମୂଳ, ଚେରମୂଳି, କନ୍ଦ  ଆଦି  ଅନ୍ତର୍ଭୁକ୍ତ  ଅଟେ   ।
  • ଧାରା – ୩ (୧) (ଘ) ରେ  “ ଅନ୍ୟାନ୍ୟ  ଗୋଷ୍ଠୀଗତ  ଅଧିକାର  ମଧ୍ୟରେ  ମାଛ ଏବଂ  ଅନ୍ୟାନ୍ୟ  ଜଳଜାତ  ଦ୍ରବ୍ୟ, ଚାରଣ (ଉଭୟ  ସ୍ଥାୟୀ  କିମ୍ବା  ଭ୍ରାମ୍ୟମାଣ) ଏବଂ  ଯାଯାବର  କିମ୍ବା  ମେଷପାଳକ  ଗୋଷ୍ଠୀମାନଙ୍କର   ପାରମ୍ପରିକ  ଋତୁଭିତ୍ତିକ  ସମ୍ବଳ  ଉପରେ   ବ୍ୟବହାର  ଓ  ହକ୍ ଜନିତ  ଗୋଷ୍ଠୀଗତ  ଅଧିକାର  ବିଷୟରେ  ଉଲ୍ଲେଖ  କରାଯାଇଛି  । ଏହି  ବ୍ୟବସ୍ଥାରେ  ଦାବୀ  କରାଯାଇପାରିବା  ଅଧିକାର  ଗୁଡିକ  ମଧ୍ୟରେ (୧) ପାରିବାରିକ, ଚାଷକାର୍ଯ୍ୟ  ଗାଈ ମହିଷାଦି, ମାଛ  ଏବଂ  ଅନ୍ୟାନ୍ୟ  ପାରମ୍ପରିକ  ବ୍ୟବହାର  ନିମନ୍ତେ  ଜଳର  ବ୍ୟବହାର,  (୨) ଜଙ୍ଗଲରେ  ଗୋମହିଷାଦିଙ୍କ  ଚାରଣ, (୩) ଯାଯାବର  କିମ୍ବା  ମେଷପାଳକ  ଗୋଷ୍ଠୀମାନଙ୍କର  ପାରମ୍ପରିକ  ଋତୁଗୁଡିକ  ସମ୍ବଳ  ଉପରେ  ବ୍ୟବହାର   ଆଦି  ଅନ୍ତର୍ଭୁକ୍ତ  ଅଟେ   ।
  • ଆଇନ୍ ର   ଧାରା – ୩(୧) (ଙ)ରେ  ଆଦିମ  ଜନଜାତି  ଏବଂ  ପ୍ରାକ୍ କୃଷିଜୀବି  ସମ୍ପ୍ରଦାୟମାନଙ୍କର  ପ୍ରାକୃତିକ  ବାସସ୍ଥଳୀ  ଏବଂ  ବସତି  ଉପରେ  ଗୋଷ୍ଠୀଗତ  ଅଧିକାର  ପ୍ରଦାନ  କରାଯାଇଛି  । ଆଇନ୍ ର  ଧାରା ୨(ଜ) ରେ  ବର୍ଣ୍ଣିତ ‘ ବସତି ’ ଅର୍ଥାତ୍  ଆଦିମ  ଜନଜାତି ଏବଂ  ପ୍ରାକ୍ କୃଶକ  ସମ୍ପ୍ରଦାୟଏବଂ  ଅନ୍ୟାନ୍ୟ  ବନବାସୀ  ଜନଜାତିଙ୍କର  ସଂରକ୍ଷତି  ଜଙ୍ଗଲ  ଓ ରକ୍ଷିତ  ଜଙ୍ଗଲ  ମଧ୍ୟରେ  ଥିବା  ପାରମ୍ପରିକ  ପ୍ରାକୃତିକ  ବାସସ୍ଥଳୀ  କିମ୍ବା  ସେହି  ପ୍ରକାରର  ବସତି  ଅନ୍ତର୍ଭୁକ୍ତ  ଅଟେ  । ପ୍ରାକୃତିକ  ବାସସ୍ଥଳୀ  ଏକ  ଭୌଗଳିକ  ଭୂଦୃଶ୍ୟ/ଭୂଖଣ୍ଡ  ଯାହାକି  ଉକ୍ତ  ଅଞ୍ଚଳରେ  ବସବାସ  କରୁଥିବା  ଆଦିମ  ଜନଜାତି  ଏବଂ  ଅନ୍ୟାନ୍ୟ  ବନବାସୀ  ଜନଜାତିମାନଙ୍କର  ଜୀବନଶୈଳୀ  ଏବଂ  ସଂସ୍କୃତି  ସହ  ଅଙ୍ଗାଅଙ୍ଗୀ  ଭାବେ  ଜଡିତ   ରହିଛି   । ଓଡିଶାରେ  ବସବାସ  କରୁଥିବା  ୧୩ ପ୍ରକାରର  ଆଦିମ  ଜନଜାତିମାନଙ୍କର  ପୃଥକ୍  ଗୋଷ୍ଠୀଗତ   ପ୍ରାକୃତିକ   ବାସସ୍ଥଳୀ  ରହିଛି, ଯାହାକି   ସାଂସ୍କୃତିକ  ଓ  ବିଶେଷ  କ୍ଷେତ୍ରଭାବେ  ସେମାନଙ୍କର  ଦ୍ଵାରା   ବ୍ୟବହୃତ  ହୋଇଥାଏ   । ଆଦିମ  ଆଦିବାସୀମାନଙ୍କର  ପ୍ରାକୃତିକ   ବାସସ୍ଥଳୀ  ଉପରେ  ପ୍ରଦାନ   କରାଯାଉଥିବା  ସତ୍ଵପତ୍ର। ସ୍ଵିକୃତିପତ୍ରରେ   ବାସସ୍ଥଳୀର  ଏକ   ମାନଚିତ୍ର   ସଂଲଗ୍ନ   କରାଯିବା  ଆବଶ୍ୟକ   । ସମ୍ପୃକ୍ତ  ଅଞ୍ଚଳରେ  ବସବାସ   କରୁଥିବା  ଆଦିମ   ଜନଜାତିଙ୍କର  ପ୍ରଥାନୁମୋଦିତ  ଅଧିକାର  ସହ  ପ୍ରାକୃତିକ  ବାସସ୍ଥଳୀକୁ  ଚିହ୍ନଟ  କରିପାରୁଥିବା  ଭଳି  ସୁସ୍ପଷ୍ଟ  ସୀମା  ଉକ୍ତ  ମାନଚିତ୍ରରେ  ସ୍ଥାନିତ  ହେବା  ଆବଶ୍ୟକ ।
  • ଧାରା – ୩ (୧) (ଝ) ରେ  “ ଚିରସ୍ଥାୟୀ  ଉପଯୋଗ  ନିମନ୍ତେ  ପାରମ୍ପରିକ  ଭାବେ  ସୁରକ୍ଷା  ଏବଂ  ସଂରକ୍ଷଣ  କରି  ଆସୁଥିବା  କୌଣସି  ଗୋଷ୍ଠୀ  ଜଙ୍ଗଲ  ସମ୍ବଳର  ସୁରକ୍ଷା, ପୁନଃଜନନ, ସଂରକ୍ଷଣ  କିମ୍ବା  ପରିଚାଳନାର  ଅଧିକାର  ପ୍ରଦାନ  କରାଯାଇଛି   । ଆଇନ୍ ର  ଧାରା – ୨ (କ) ରେ “ଗୋଷ୍ଠୀ  ଜଙ୍ଗଲ  ସମ୍ବଳ” ଅର୍ଥାତ୍  ଗ୍ରାମର  ପାରମ୍ପରିକ  କିମ୍ବା  ପ୍ରଥାନୁମୋଦିତ  ସୀମା  ମଧ୍ୟରେ  ଥିବା  ପାରମ୍ପରିକ  ଜଙ୍ଗଲ  ଜମି  କିମ୍ବା  ମେଷପାଳକ  ସମ୍ପ୍ରଦାୟଙ୍କ  ଦ୍ଵାରା   ବ୍ୟବହୃତ   ହେଉଥିବା  ଋତୁଭିତ୍ତିକ  ଭୂଖଣ୍ଡ, ଯେଉଁଥିରେ  କି  ସେମାନଙ୍କର  ପାରମ୍ପରିକ  ପ୍ରବେଶାଧିକାର ଥିଲା  । ଏଠାରେ  ଜଙ୍ଗଲ  ଜମି  କିମ୍ବା  ଋତୁଭିତ୍ତିକ  ଭୂଖଣ୍ଡ  ମଧ୍ୟରେ  ସଂରକ୍ଷିତ  ଜଙ୍ଗଲ, ରକ୍ଷିତ  ଜଙ୍ଗଲ, ଅଭୟାରଣ୍ୟ  ଏବଂ  ଜାତୀୟ  ଉଦ୍ୟାନ  ଆଦି  ଅନ୍ତର୍ଭୁକ୍ତ   ଅଟେ   ।
  • ଧାରା -୩(୧) (ଟ) ରେ  “ ଜୈବ  ବିବିଧତା  ଏବଂ  ବୌଦ୍ଧିକ  ସମ୍ପତ୍ତିର  ଗୋଷ୍ଠୀଗତ  ଅଧିକାର ଏବଂ  ଜୈବି  ବିବିଧତା  ଓ  ସାଂସ୍କୃତିକ  ବିବିଧତା  ସମ୍ପର୍କିତ  ପାରମ୍ପରିକ  ଜ୍ଞାନକୌଶଳ   ଉପରେ  ଅଧିକାର  ପ୍ରଦାନ  କରାଯାଇଛି ” । ଗୋଷ୍ଠୀଗତ  ଅଧିକାର  ଏବଂ  ଜୈବ ବିବିଧତା  ଓ  ସାଂସ୍କୃତିକ  ବିବିଧତା  ସମ୍ପର୍କିତ  ପାରମ୍ପରିକ  ଜ୍ଞାନକୌଶଳ  ମଧ୍ୟରେ  ମଞ୍ଜି, ଔଷଧୀୟ  ବୃକ୍ଷ ଏବଂ  ତାହାର  ବ୍ୟବହାର, କୃଷିଭିତ୍ତିକ  ଯାଇବାବିବିଧତା  (ଚାଷ  କରାଯାଉଥିବା  ଏବଂ  ଚାଷ  କରାଯାଉନଥିବା  ଖାଦ୍ଯ ଏବଂ  ଶସ୍ୟ), ଉଦ୍ଭିଦ  ଏବଂ  ଜୀବନ  ଉପରେ  ଜ୍ଞାନ ଏବଂ ସ୍ଵଦେଶୀ  ସଂରକ୍ଷଣ  ପ୍ରଣାଳୀ  ଏବଂ ପ୍ରଥା, ଗୋଷ୍ଠୀମାନଙ୍କର  ଜୈବବିବିଧତା   ସମ୍ବନ୍ଧୀୟ  ସାଂସ୍କୃତିକ  ଦିଗ  ଯଥା  କାରୁକାର୍ଯ୍ୟ  ଏବଂ  ଅନ୍ୟାନ୍ୟ  କାର୍ଯ୍ୟପନ୍ଥା  ଆଦି  ଅନ୍ତର୍ଭୁକ୍ତ  ଅଟେ   ।
  • ଧାରା – ୩ (୧) (ଠ)ରେ  “ବନବାସୀ  ଅନୁସୂଚିତ  ଜନଜାତି  ଏବଂ  ଅନ୍ୟାନ୍ୟ  ପାରମ୍ପରିକ  ବନବାସୀମାନଙ୍କ  ଦ୍ଵାରା  ପାରମ୍ପରିକ  ଭାବେ  ପ୍ରଥାନୁମୋଦିତ  ଅଧିକାର  ଯାହା (କ) ରୁ (ଟ) ଉପଧାରା  ପର୍ଯ୍ୟନ୍ତ  ବର୍ଣ୍ଣିତ  ହୋଇନାହିଁ  । କିନ୍ତୁ  କୌଣସି  ପ୍ରଜାତିର   ବନ୍ୟପ୍ରାଣୀଙ୍କୁ  ଶିକାର  କରିବା, ଫାଶ  ବସାଇବା   କିମ୍ବା  ସେମାନଙ୍କ  ଶରୀରର   କୌଣସି  ଅଂଶକୁ  କାଢି  ନେବା  ନିମନ୍ତେ  ଅଧିକାର  ଏହାର  ଅନ୍ତର୍ଭୁକ୍ତ  ନୁହେଁ   ।” ଏଥିରେ   ଜଙ୍ଗଲ  ଅଧିକାର  ଆଇନ୍ ର  ଗୋଷ୍ଠୀଗତ  ଅଧିକାର  ପରିସର  ମଧ୍ୟରେ  ସ୍ଥାନିତ  ଗୋଷ୍ଠୀମାନେ  ସମ୍ବଳ  ଉପରେ  ବ୍ୟବହାର  କରିଆସୁଛନ୍ତି   । ଉଦାହରଣସ୍ୱରୂପ : ପ୍ରାକ୍  କୃଷି  ପଦ୍ଧତି, ଘର  ଲିପିବା ନିମନ୍ତେ ଜଙ୍ଗଲରୁ  ସଂଗ୍ରହ  କରୁଥିବା  ମାଟି, ଜଙ୍ଗଲ  ମଧ୍ୟରେ  ପୂଜାସ୍ଥଳୀ  ଏବଂ  ପବିତ୍ର ସ୍ଥଳୀ/ଅଞ୍ଚଳ  ଯଥା  ସାରନା, ଜାହିରା, ମାରଙ୍ଗବୁର୍, ଲିଲିଙ୍ଗବୁରୁ  ଏବଂ  ସେହିଭଳି, ଜଙ୍ଗଲରାସ୍ତାର  ବ୍ୟବହାର  ଓ  ଇତ୍ୟାଦି  ଉକ୍ତ  ଅଧିକାର  ପରିସର  ମଧ୍ୟରେ  ଅନ୍ତର୍ଭୁକ୍ତ  ଅଟେ   ।

ଗୋଷ୍ଠୀ  ଜଙ୍ଗଲ  ଅଧିକାରାର ଦାବୀ  ଦାଖଲ, ନିର୍ଦ୍ଧାରଣ  ଏବଂ  ଯାଞ୍ଚର  ପ୍ରକ୍ରିୟାଗୁଡିକ କ’ଣ  କ’ଣ ?

ଜଙ୍ଗଲ  ଧିକାର  ଆଇନ୍ ର  ଧାରା  ୬ରେ  ଗ୍ରାମସଭାକୁ  ଗୋଷ୍ଠୀ  ଜଙ୍ଗଲ  ଅଧିକାରର  ପ୍ରକାର ଓ ବିସ୍ତାର  ନିର୍ଦ୍ଧାରଣ  ପ୍ରକ୍ରିୟା  ଆରମ୍ଭ  କରିବା  ନିମନ୍ତେ  ଅଧିକାର  ପ୍ରଦାନ  କରାଯାଇଛି   । ନିୟମ  ୧୧ (୪) ଅନୁଯାୟୀ, ଜଙ୍ଗଲ ଅଧିକାର  କମିଟି  ଗ୍ରାମସଭା  ତରଫରୁ  ଗୋଷ୍ଠୀ  ଜଙ୍ଗଲ  ଅଧିକାର  ସମ୍ପର୍କିତ  ଦାବୀଗୁଡିକୁ  ପ୍ରଦତ୍ତ   ଦାବୀପତ୍ର  ‘ଖ’ରେ  ପ୍ରସ୍ତୁତ  କରିବ   । ନିମ୍ନଲିଖିତ  ପଦକ୍ଷେପଗୁଡିକୁ  ଅନୁସରଣ  କରିବାର  ଆବଶ୍ୟକତା  ରହିଛି   ।

  • ଗୋଷ୍ଠୀ  ଜଙ୍ଗଲ  ଅଧିକାରର  ନିର୍ଦ୍ଧାରଣ : -
  • ନିୟମ ୧୧ (ଖ) ଅନୁଯାୟୀ  ଜଙ୍ଗଲ  ଅଧିକାର  କମିଟି  ଗୋଷ୍ଠୀ  ଜଙ୍ଗଲ  ସମ୍ବଳ  ନିର୍ଦ୍ଧାରଣ  ପ୍ରକ୍ରିୟା  ନିମନ୍ତେ  ଗୋଟିଏ  ତାରିଖ  ଧାର୍ଯ୍ୟ  କରିବ  । ଜଙ୍ଗଲ  ଅଧିକାର  କମିଟି  ଗ୍ରାମସଭାକୁ   ସେମାନଙ୍କର  ଗୋଷ୍ଠୀ  ଜଙ୍ଗଲ   ସମ୍ବଳର  ମାନଚିତ୍ର   ପ୍ରସ୍ତୁତିକରଣ  ଏବଂ  ସ୍ଵୀକୃତ  ଭୂଚିହ୍ନ  ଅଞ୍ଚଳକୁ  ଚିତ୍ରଣ   କରିବା   ଦିଗରେ  ସାହାଯ୍ୟ  କରିବ  । ନିୟମ (୪) ୨ ଅନୁସାରେ  ଆଦିମ  ଆଦିବାସୀ  ସମୁଦାୟ, ପ୍ରାକ୍  କୃଷିଜୀବି  ଗୋଷ୍ଠୀ  ଏବଂ  ମହିଳାମାନଙ୍କର  ଏହି  ପ୍ରକ୍ରିୟାରେ  ପର୍ଯ୍ୟାୟ  ପରିମାଣରେ  ଉପସ୍ଥିତିକୁ   ସୁନିଶ୍ଚିତତା  କରାଯିବା  ଅତ୍ୟନ୍ତ  ଆବଶ୍ୟକ  ଅଟେ   ।

  • ଯାଞ୍ଚ  ପ୍ରକ୍ରିୟା
  • ନିୟମ  ୧୨ ଅନୁଯାୟୀ, ଜଙ୍ଗଲ  ଅଧିକାର  କମିଟି  ବନ  ବିଭାଗକୁ  ସୁଚିତ  କରିବା  ପରେ  ପୂର୍ବ  ନିର୍ଦ୍ଧାରିତ  ତାରିଖରେ  ସ୍ଥାନ  ପରିଦର୍ଶନ  କରି  କ୍ଷେତ୍ରସ୍ଥଳରେ  ଦାବୀର  ସ୍ୱରୂପ ଓ  ବିସ୍ତାର  ଯାଞ୍ଚ  କରିବା  ସହ  କ୍ଷେତ୍ରସ୍ଥଳରେ   ଥିବା  ପ୍ରମାଣକୁ  ନଥିଭୁକ୍ତ  କରିବ  । ଜଙ୍ଗଲ  ଅଧିକାର  କମିଟି  ଗୋଷ୍ଠୀମାନଙ୍କ  ଦ୍ଵାରା  ଦାଖଲ  ହୋଇଥିବା  ଦାବୀ  ପତ୍ରକୁ  ଆଧାର   କରି  ପ୍ରତ୍ୟକ  ଦାବୀକୃତ  ଅଞ୍ଚଳକୁ  ସୁସ୍ପଷ୍ଟ  ଚିହ୍ନ  ସହ  ମାନଚିତ୍ରରେ  ଚିତ୍ରଣ  କରିବ  ।

  • ଯାଞ୍ଚ  ବିବରଣୀ  ପ୍ରସ୍ତୁତ : -
  • ଯାଞ୍ଚ  ପରେ ସମ୍ପୃକ୍ତ  ଜଙ୍ଗଲ  ଅଧିକାର  ମାନଚିତ୍ର  ଏବଂ  ପ୍ରମାଣ  ସହିତ  ଏକ  ଯାଞ୍ଚ  ବିବରଣୀ  ପ୍ରସ୍ତୁତ  କରିବ   ।

  • ଚୂଡାନ୍ତ  ଅନୁମୋଦନ  ନିମନ୍ତେ  ଗ୍ରାମସଭା  ଆହ୍ଵାନ : -
  • ନିୟମ ୧୧ (୨) (ଙ) ଅନୁଯାୟୀ, ଜଙ୍ଗଲ  ଅଧିକାର  କମିଟି  ଦାବୀର  ସ୍ୱରୂପ ଓ  ବିସ୍ତାର  ସମ୍ବନ୍ଧୀୟ  ସିଦ୍ଧାନ୍ତ  ଗ୍ରାମସଭା  ସମ୍ମୁଖରେ  ବିଚାର  ନିମନ୍ତେ  ଉପସ୍ଥାପନ  କରିବ  । ପୁନଶ୍ଚ  ନିୟମ ୧୧ (୫) ଅନୁସାରେ, ଜଙ୍ଗଲ  ଅଧିକାର  କମିଟିର  ସିଦ୍ଧାନ୍ତ  ଉପରେ  ଗ୍ରାମସଭା   ବିଚାର  କରି  ଗୃହୀତ  କରିବ  ଏବଂ  ସେ  ସମ୍ପର୍କିତ  ବିବରଣୀ  ପ୍ରସ୍ତୁତ  କରି  ଉପଖଣ୍ଡସ୍ତରୀୟ  କମିଟିକୁ   ପ୍ରେରଣ  କରିବ   । ଯାହାବି  ହେଉ, ନିୟମ ୪ (ଗ) ଅନୁଯାୟୀ  ବିଭାଗୀୟ  କର୍ତ୍ତୃପକ୍ଷ  ଏବଂ  ଆଗ୍ରହୀ  ବ୍ୟକ୍ତି  ବିଶେଷମାନଙ୍କୁ  ଯଥୋଚିତ  ସୁବିଧା  ସୁଯୋଗ   ପ୍ରଦାନ  କରି   ଦାବୀପତ୍ରକୁ  ଉପଖଣ୍ଡସ୍ତରୀୟ  କମିଟି  ନିକଟକୁ  ପ୍ରେରଣ  କରିବ    ।

    ଯଦି  କୌଣସି  ଗାଁର  ଗୋଷ୍ଠୀ  ବନସମ୍ବଳ  ଅନ୍ୟ  ଗାଁର  ସୀମା  ମଧ୍ୟରେ  ଅଛି  ଅବା  କୌଣସି  ଜଙ୍ଗଲ  ସମ୍ବଳକୁ  ଏକାଧିକ  ଗାଁର ଲୋକମାନେ  ବ୍ୟବହାର   କରୁଛନ୍ତି  ଅବା  କୌଣସି  ଗାଁର  ପାରମ୍ପରିକ  ସୀମା ସରହଦ  ଅନ୍ୟ  ଗାଁର  ସୀମାକୁ  ଅତିକ୍ରମ  କରୁଛି  ଅବା  ଜଙ୍ଗଲ  ସମ୍ବଳ  ଅବା  ସୀମାକୁ   ନେଇ  ବାଦବିବାଦ  ରହିଛି । ସେଠାରେ  ଗୋଷ୍ଠୀ  ଜଙ୍ଗଲ  ଅଧିକାରର  ନିର୍ଣ୍ଣୟ  ପ୍ରକ୍ରିୟା  କିପରି  ରହିଛି  ?

    ଯଦି  କୌଣସି  ଗାଁର  ଗୋଷ୍ଠୀ  ବନ  ସମ୍ବଳ  ଅନ୍ୟ  ଗାଁର   ସୀମା  ମଧ୍ୟରେ  ଅଛି  ଅବା  କୌଣସି  ଜଙ୍ଗଲ  ସମ୍ବଳକୁ  ଏକାଧିକ  ଗାଁର  ଲୋକମାନେ  ବ୍ୟବହାର  କରୁଛନ୍ତି  ଅବା  ସୀମା  ସରହଦକୁ   ନେଇ  ବାଦବିବାଦ  ଅବା   କନ୍ଦଳ  ରହିଛି, ସେ  କ୍ଷେତ୍ରରେ  ଗୋଷ୍ଠୀ  ଜଙ୍ଗଲ  ଅଧିକାରର  ନିର୍ଣ୍ଣୟ  ପ୍ରକ୍ରିୟା   ଯାହାକି  ପ୍ରଶ୍ନ  ୨ରେ  ଉଲ୍ଲେଖ  କରାଯାଇଛି, ତତ୍ ସହିତ  ନିମ୍ନଲିଖିତ   କେତୋଟି  ଅତିରିକ୍ତ  ପଦକ୍ଷେପ  ଅନୁସରଣ  କରିବାକୁ  ପଡିବ   ।

    • ପାର୍ଶ୍ଵବର୍ତ୍ତୀ  ଗ୍ରାମସଭା  ଏବଂ  ଉପଖଣ୍ଡସ୍ତରୀୟ   କମିଟିକୁ  ସୂଚନା  ପ୍ରଦାନ :-
    • ନିୟମ  ୧୧ (୧) (ଖ) ଅନୁଯାୟୀ  ଏକାଧିକ  ଗ୍ରାମ  ବ୍ୟବହାର  କରୁଥିବା  ଅଞ୍ଚଳ  କ୍ଷେତ୍ରରେ, ଗୋଷ୍ଠୀ  ଜଙ୍ଗଲ  ସମ୍ବଳ  ଉପରେ  ଅଧିକାର  ନିର୍ଦ୍ଧାରଣ   ପ୍ରକ୍ରିୟା  ଆରମ୍ଭ  କରିବା  ପୂର୍ବରୁ  ସମ୍ପୃକ୍ତ  ଗ୍ରାମସଭା, ତାହାର  ପାର୍ଶ୍ଵବର୍ତ୍ତୀ  ଗ୍ରାମସଭା  ଏବଂ  ଉପଖଣ୍ଡସ୍ତରୀୟ  କମିଟିକୁ  ସୁଚିତା  କରିବ  ।

    • ଦାବୀର  ବିଚାର ଏବଂ  ବାଦବିବାଦର  ସମାଧାନ  ନିମନ୍ତେ  ଗ୍ରାମସଭାମାନଙ୍କର   ଯୁଗ୍ମ  ବୈଠକ : -
    • ନିୟମ ୧୨(୩) ଅନୁଯାୟୀ, ଯଦି  କୌଣସି  ଗାଁର   ପାରମ୍ପରିକ   ସୀମା  ସରହଦକୁ  ନେଇ  ବାଦବିବାଦ   ରହିଥାଏ  କିମ୍ବା  ଗୋଟିଏ  ଜଙ୍ଗଲକୁ  ଏକାଧିକ  ଗ୍ରାମର  ଅଧିବାସୀମାନେ  ବ୍ୟବହାର  କରୁଥାନ୍ତି ଓ  ତାହାକୁ   ନେଇ  ବାଦବିବାଦ  ରହିଥାଏ  । ତେବେ  ସେ  କ୍ଷେତ୍ରରେ  ସମ୍ପୃକ୍ତ   ଗ୍ରାମଗୁଡିକର  ଜଙ୍ଗଲ  ଅଧିକାର  କମିଟିର  ସଦସ୍ୟମାନେ  ଏକାଠି  ହୋଇ   ଦାବୀ  ଉପଭୋଗର  ସ୍ୱରୂପକୁ  ଚିହ୍ନଟ   କରିବେ  ଏବଂ  ମିଳିତ   ଭାବେ  ସମାଧାନ   କରିବେ  ଏବଂ  ନିର୍ଣ୍ଣିତ  ଫଳାଫଳକୁ  ନିଜ  ନିଜ  ଗ୍ରାମର  ଗ୍ରାମସଭାରେ  ଲିଖିତ  ଭାବେ  ଉପସ୍ଥାପନ  କରିବେ   ।

    • ଯଦି  ଗ୍ରାମସଭା  ଦ୍ଵାରା  ବାଦବିବାଦର  ସମାଧାନ  ନ ହୋଇପାରେ  : -
    • ଏହି  କ୍ଷେତ୍ରରେ, ନିୟମ ୧୨ (୩) ଅନୁସାରେ, ସମ୍ପୃକ୍ତ  ଗ୍ରାମସଭା  ଉକ୍ତ  ସମସ୍ୟାର   ବିଚାରାର୍ଥେ  ଉପଖଣ୍ଡସ୍ତରୀୟ  କମିଟିକୁ   ପଠାଇଦେବେ   ।

    ଗୋଷ୍ଠୀ  ଜଙ୍ଗଲ  ଅଧିକାର  ନିର୍ଣ୍ଣୟ   ପ୍ରକ୍ରିୟାରେ  ଉପଖଣ୍ଡସ୍ତରୀୟ  କମିଟି ଏବଂ  ଜିଲ୍ଲାସ୍ତରୀୟ  କମିଟିମାନଙ୍କର  କ’ଣ ଭୂମିକା  ରହିଛି  ?

    ନିୟମ ୬ ଅନୁଯାୟୀ, ଉପଖଣ୍ଡସ୍ତରୀୟ  କମିଟି  ନିମ୍ନଲିଖିତ   କାର୍ଯ୍ୟଗୁଡିକ   କରିବା  ଉଚିତ୍ :

    • ଗୋଷ୍ଠୀ  ଅଧିକାର  ଉପରେ  ସଚେତନତା  ସୃଷ୍ଟି   କରିବା   ।
    • ଗ୍ରାମସଭା  ଦ୍ଵାରା  କରାଯାଇଥିବା  ଦାବୀ  ନିର୍ଦ୍ଧାରଣ, ନିର୍ଣ୍ଣୟ  ଓ  ଯାଞ୍ଚ  ନିମନ୍ତେ  ଆବଶ୍ୟକୀୟ  ନଥିପତ୍ର  ପ୍ରମାଣପତ୍ର   ଏବଂ  ସହାୟତ  ଦଳ  ଯୋଗାଇଦେବା  ।
    • ଯଦି  ଗ୍ରାମସଭା  ତରଫରୁ  ବାଦବିବାଦ  ସଂକ୍ରାନ୍ତୀୟ  କୌଣସି  ସମସ୍ୟା   ଉତ୍ ଥାପନ  ହୋଇଥାଏ, ତେବେ  ତା’ର  ସମାଧାନ  କରିବା   ।

    ନିୟମ ୮ ଅନୁଯାୟୀ, ଜିଲ୍ଲାସ୍ତରୀୟ  କମିଟି  ନିମ୍ନଲିଖିତ  ବିଷୟ  ପ୍ରତି  ଦୃଷ୍ଟିଦେବା  ଅତ୍ୟନ୍ତ  ଆବଶ୍ୟକ  ଅଟେ : -

    • ଗୋଷ୍ଠୀ  ଜଙ୍ଗଲ   ଅଧିକାର  ଉପରେ  ଗୋଷ୍ଠୀମାନେ  ସଚେତନ   ହୋଇଛନ୍ତି  କି  ନାହିଁ   ।
    • ଗୋଷ୍ଠୀଗତ  ବାଦୀ  ନିର୍ଦ୍ଧାରଣ  ନିମନ୍ତେ  ଆବଶ୍ୟକୀୟ  ସହାୟତା  ଗ୍ରାମସଭା  ଏବଂ  ଜଙ୍ଗଲ  ଅଧିକାର  କମିଟିକୁ   ଯୋଗାଇ  ଦିଆଯାଇଛି  କି  ନାହିଁ   ।
    • ବିଶେଷକରି  ଆଦିମ  ଜନଜାତି, ଗୋମହିଷାଦି  ଚାରଣଶୀଳ  ଗୋଷ୍ଠୀ, ଯାଯାବର  ସମ୍ପ୍ରଦାୟକମାନଙ୍କର  ଗୋଷ୍ଠୀ  ଜଙ୍ଗଲ  ଅଧିକାର  ସମ୍ପର୍କିତ  ଦାବୀ  ନିର୍ଣ୍ଣୟ  କରିବା  ସମୟରେ  କ୍ଷମତାପ୍ରାପ୍ତ  ଅନୁଷ୍ଠାନ/ଅଧିକାରୀମାନେ   ସେମାନଙ୍କର  ପ୍ରତିନିଧିତ୍ଵକୁ   ଯଥାବିଧି  ଭାବରେ  ବିଚାର  କରିଛନ୍ତି  କି  ନାହିଁ   ।

    ପୁନଶ୍ଚ  ଭିଡିଓ  କନ୍ ଫରେନ୍ ସିଂରେ   ବେସରକାରୀ  ସଂସ୍ଥା, ସାମାଜିକ  ସଂଗଠନ, ସ୍ଥାନୀୟ  ଯୁବଗୋଷ୍ଠୀ   ଇତ୍ୟାଦିକୁ   ଗୋଷ୍ଠୀ  ଜଙ୍ଗଲ  ଅଧିକାର  ନିର୍ଦ୍ଧାରଣ  ପ୍ରକ୍ରିୟା  ସମ୍ବନ୍ଧୀୟ  ପ୍ରଶିକ୍ଷଣ  ଦେବା  ନିମନ୍ତେ  ସାମିଲ   କରିବା  ପାଇଁ  ସ୍ପଷ୍ଟ   କରାଯାଇଛି  ଏବଂ ଏଥିପାଇଁ   ପରିଚ୍ଛେଦ  ୨୭୫(୧) ରେ  ଥିବା  ଅର୍ଥକୁ  ବିନିଯୋଗ   କରାଯାଇପାରିବ   ।

    ଗୋଷ୍ଠୀ  ଅଧିକାର  ଦାବୀ  ନିମନ୍ତେ  ଅଞ୍ଚଳ  ନିମନ୍ତେ  କୌଣସି  ପରିସୀମା  ରହିଛି  କି ?

    ନାଁ, ଗୋଷ୍ଠୀଗତ  ଦାବୀ  ନିମନ୍ତେ  କୌଣସି  ନିର୍ଦ୍ଧାରିତ  ପରିସୀମା  ନାହିଁ  । ଜଙ୍ଗଲ  ଅଧିକାର  ଆଇନ୍ ର  ଧାରା  ୪ (୬) ରେ  ବର୍ଣ୍ଣିତ  ୪ ହେକ୍ଟର  ସୀମା, କେବଳ  ଧାରା  ୩(୧) (କ) ଅଧୀନରେ   କରାଯାଇଥିବା  ଦାବୀ  ନିମନ୍ତେ  ପ୍ରଯୁଜ୍ୟ  ଅଟେ   । ଅନ୍ୟ  କୌଣସି  ଅଧିକାର  ପାଇଁ  ଏହି  ସୀମା  ଲାଗୁ  ହେବ  ନାହିଁ   ।

    ଗୋଷ୍ଠୀଗତ  ଜଙ୍ଗଲ  ଅଧିକାର  ଦାବୀ  ନିମନ୍ତେ  କ’ଣ  କ’ଣ  ପ୍ରମାଣପତ୍ରର  ଆବଶ୍ୟକତା  ରହିଛି  ଏବଂ  ସେଗୁଡିକୁ  କିଏ  ଯୋଗାଇଦେବେ ?

    ନିୟମ ୧୩(୧) ଅନୁଯାୟୀ, ଜଙ୍ଗଲ  ଅଧିକାର  ସ୍ଵିକୃତି ଏବଂ ପ୍ରଦାନ  ନିମନ୍ତେ  ନିମ୍ନଲିଖିତ  ପ୍ରମାଣ ଗ୍ରହଣଯୋଗ ଅଟେ : -

    • ସର୍ବସାଧାରଣ  ସଂକ୍ରାନ୍ତ  ଦଲିଲ, ସରକାରୀ  ନଥି  ଯଥା : ଭୌଗଳିକ  ସୂଚୀପତ୍ର  ଜନଗଣନା, ସର୍ବେକ୍ଷଣ  ଏବଂ  ବନ୍ଦୋବସ୍ତ  ନଥିପତ୍ର, ମାନଚିତ୍ରାବଳୀ  ଉପଗ୍ରହ  ପ୍ରେରିତ  ଚିତ୍ରସମୂହ, କାର୍ଯ୍ୟକାରୀ  ଯୋଜନାବଳୀ, ପରିଚାଳନା  ଯୋଜନା, ଏକକ ଯୋଜନା, ଜଙ୍ଗଲ  ଅନୁସନ୍ଧାନ  ମୂଳକ  ନଥିପତ୍ର ଓ  ରିପୋର୍ଟ, ଜଙ୍ଗଲ  ସମ୍ପର୍କିତ   ଅନ୍ୟାନ୍ୟ  ନଥିପତ୍ର, ନଥିଭୁକ୍ତ  ଅଧିକାର  ଗୁଡିକ  ଯଥା : ଜମିପଟ୍ଟା  ଓ  ଲିଜ୍ ସରକାରଙ୍କ  ଦ୍ଵାରା  ଗଠିତ  ଆୟୋଗ  ଓ  କମିଟିଗୁଡିକର  ରିପୋର୍ଟ, ସରକାରୀ  ଆଦେଶ ଓ  ନିର୍ଦ୍ଦେଶାନାମା, ବିଜ୍ଞପ୍ତି, ଆଦେଶପତ୍ର ଓ  ଆନୁଷ୍ଠାନିକ  ପ୍ରସ୍ତାବ   ।
    • ଭାରତ  ସରକାରଙ୍କ  ନୃତତ୍ତ୍ଵ  ବିଭାଗ  ଭଳି  ଖ୍ୟାତି  ସମ୍ପନ୍ନ   ଅନୁଷ୍ଠାନ  ଭଳି  ଅନୁଷ୍ଠାନଗୁଡିକ  ଦ୍ଵାରା  କରାଯାଇଥିବା  ଗବେଷଣାତ୍ମକ  ଅଧ୍ୟୟନ,କୌଣସି  ଜଙ୍ଗଲ  ଅଧିକାରର  ଦୃଷ୍ଟାନ୍ତ  ମୂଳକ  ଉପଯୋଗ  ସମ୍ବଳିତ  ପ୍ରଥା  ପରମ୍ପରା  ଏବଂ  ପାରମ୍ପରିକ  ଆଇନ୍ ସହ  ଜଡିତ  ଥିବା  ଘଟଣାବଳୀର  ଦଲିଲକରଣ   ।
    • ତତ୍ କାଳୀନ  ରାଜତନ୍ତ୍ର  ଅଧିନସ୍ଥ  ରାଜ୍ୟ  କିମ୍ବା   ପ୍ରଦେଶ  କିମ୍ବା   ତଦନୁରୂପେ  ମଧ୍ୟସ୍ଥ  କାର୍ଯ୍ୟରେ  ନିୟୋଜିତ  ବ୍ୟକ୍ତିବିଶେଷଙ୍କଠାରୁ   ପାଇଥିବା   ଅନୁମୋଦନ, ରିହାତି, ବିଶେଷ ସୁବିଧା, ନଥିଭୁକ୍ତ  ଅଧିକାର,  ମାନଚିତ୍ର  ସମେତ  ଅନ୍ୟ  କୌଣସି  ନଥିପତ୍ର   ।
    • ପୁରୁଣାକାଳିଆ  ପାରମ୍ପରିକ  ଢାଞ୍ଚାକୁ  ପ୍ରତିପାଦିତ   କରୁଥିବା  ସ୍ମାରକ  ଯଥା : କୂପ  ଶ୍ମଶାନ, ପୂଜାପାର୍ବଣ  ସ୍ଥଳୀ   ।

    ନିୟମ  ୧୩(୨) ଅନୁଯାୟୀ, ଗୋଷ୍ଠୀଗତ  ଜଙ୍ଗଲ  ଅଧିକାର   ନିମନ୍ତେ   ନିମ୍ନଲିଖିତ   ପ୍ରମାଣ  ଗ୍ରହଣଯୋଗ୍ୟ  ଅଟେ : -

    • ଗୋଷ୍ଠୀଗତ  ଅଧିକାର  ଯଥା “ ନିସ୍ତାର ” ବା  ସେହିଭଳି  ନାମରେ  ନାମିତ  ଅନ୍ୟ  କିଛି  ?
    • ପାରମ୍ପରିକ  ଗୋଚର  ଜମି, ମୂଳ ଓ  କନ୍ଦା  ସଂଗ୍ରହ  ପାଇଁ  ଜମି, ଗୋଖାଦ୍ୟ, ଯୋଗ୍ୟ  ବନ୍ୟଫଳ ଏବଂ  ଅନ୍ୟାନ୍ୟ  ଲଘୁ  ବନଜାତ  ଦ୍ରବ୍ୟ, ମାଛଧରା  ସ୍ଥଳୀ, ଜଳସେଚନ  ପ୍ରଣାଳୀ, ମନୁଷ୍ୟ  ଓ  ପ୍ରାଣୀମାନଙ୍କ  ବ୍ୟବହାର   ନିମନ୍ତେ  ଜଳର  ଉତ୍ସ   ଓ  ବୈଦ୍ୟମାନଙ୍କର  ଔଷଧୀୟ  ବୃକ୍ଷ  ସଂଗ୍ରହ  ସ୍ଥଳୀ  ।
    • ଆଞ୍ଚଳିକ  ଗୋଷ୍ଠୀ  ଦ୍ଵାରା  ନିର୍ମିତ   ଢାଞ୍ଚାଗୁଡିକର  ଅବଶିଷ୍ଠାଂଶ, ପବିତ୍ର  ବୃକ୍ଷ  ସମୂହ, ତୋଟା  ଏବଂ  ପୁଷ୍କରିଣୀ  କିମ୍ବା   ନଦୀ  ଅଞ୍ଚଳ, ଶ୍ମଶାନଘାଟ  ବା  କବରସ୍ଥଳୀ   ।

    ସୂଚନା, ନଥିପତ୍ର  ବା  ଦଲିଲ୍  କିଏ  ପ୍ରଦାନ  କରିବ  ?

    ନିୟମ ୧୨ (୪) ଅନୁଯାୟୀ, ଯଦି  କୌଣସି  ସମ୍ପୃକ୍ତ  ଅଧିକାରୀ, ଗ୍ରାମସଭା  କିମ୍ବା  ଜଙ୍ଗଲ  ଅଧିକାର  କମିଟି  ତରଫରୁ  ସେମାନଙ୍କୁ  ତଥ୍ୟ, ସୂଚନା  ଏବଂ  ନଥିପତ୍ର  ଯୋଗାଇଦେବା  ନିମନ୍ତେ   ଲିଖିତ  ଅନୁରୋଧ  ପାଆନ୍ତି   । ତେବେ  ଉକ୍ତ  ଅଧିକାରୀ  ଗ୍ରାମସଭା  କିମ୍ବା  ଜଙ୍ଗଲ  ଅଧିକାର  କମିଟିକୁ  ଏକ  ପ୍ରମାଣକୃତ  ନକଲ ପ୍ରଦାନ  କରିବେ  ଏବଂ  ଆବଶ୍ୟକସ୍ଥଳେ  ସେମାନେ   କୌଣସି  କ୍ଷମତାପ୍ରାପ୍ତ   ଅଧିକାରଙ୍କୁ  ପଠାଇ  ଗ୍ରାମସଭା  କିମ୍ବା  ଜଙ୍ଗଲ  ଅଧିକାର  କମିଟିର  ସନ୍ଦେହକୁ  ଦୂର  କରିବାରେ  ସହାୟକ  ପ୍ରଦାନ   କରିବେ   ।

    ପୁନଶ୍ଚ  ଏହି  ବିଭାଗ  ଦ୍ଵାରା  ତା’ ୨୬.୧୨.୨୦୦୯ ରିଖରେ   ପ୍ରେରିତ  ପତ୍ର  (ସଂଖ୍ୟା ୪୫୬୫୯) ର  ଅନୁଚ୍ଛେଦ ୪ରେ  ସୁଚିତ  କରାଯାଇଛି  ଯେ, ସଂରକ୍ଷିତ  ଜଙ୍ଗଲ  ନିମନ୍ତେ  ପ୍ରସ୍ତୁତ  କାର୍ଯ୍ୟକାରୀ  ଯୋଜନାବଳୀରେ  ଉଭୟ   ବ୍ୟକ୍ତିଗତ  ଏବଂ  ଗୋଷ୍ଠୀଗତ   ଅଧିକାର  ବିଷୟରେ  ତଥ୍ୟ  ପ୍ରଦାନ  କରାଯାଇଛି   । ଏତଦ୍ ବ୍ୟତୀତ  ସଂରକ୍ଷିତ  ଜଙ୍ଗଲ  ଘୋଷଣା  ପତ୍ରରେ   ମଧ୍ୟ  ଗୋଷ୍ଠୀଗତ  ଅଧିକାର  ସମ୍ପର୍କରେ  ସୂଚନା  ପ୍ରଦାନ  କରାଯାଇଛି   । ଏହି  ସମସ୍ତ  ନଥିପତ୍ର   ନିଜନିଜ  ଜିଲ୍ଲାରେ  ଥିବା  ବନଖଣ୍ଡ  ଅଧିକାରୀଙ୍କ  ନିକଟରେ  ଉପଲବ୍ଧ  ଅଟେ  । ଏହାକୁ  ଗ୍ରାମସଭା, ଉପଖଣ୍ଡସ୍ତରୀୟ   କମିଟି  ଏବଂ ଜିଲାସ୍ତରୀୟ  କମିଟିକୁ   ଯୋଗାଇଦେବା  ଦରକାର   ।

    ସଂରକ୍ଷିତ ଜଙ୍ଗଲ, ପ୍ରସ୍ତାବିତ  ସଂରକ୍ଷିତ ଜଙ୍ଗଲ, ସୁରକ୍ଷିତ  ଅଞ୍ଚଳ  ଯେପରିକି  ଅଭୟାରଣ୍ୟ ଏବଂ ଜାତୀୟ ଉଦ୍ୟାନରେ  ଗୋଷ୍ଠୀଗତ  ଜଙ୍ଗଲ  ଅଧିକାରକୁ  ସ୍ଵିକୃତି  ପ୍ରଦାନ  କରାଯାଇପାରିବ  କି ?

    ହଁ, ଆଇନ୍ ର  ଧାରା – ୨ (କ) ଅନୁଯାୟୀ, ‘ ଗୋଷ୍ଠୀ  ଜଙ୍ଗଲ  ସମ୍ବଳ ’ ଅର୍ଥାତ୍ ଗ୍ରାମର  ପାରମପରିକ  କିମ୍ବା  ପ୍ରଥାନୁମୋଦିତ   ସୀମା  ମଧ୍ୟରେ  ଥିବା  ପାରମ୍ପରିକ  ଜଙ୍ଗଲ  ଜମି  ଏବଂ  ମେଷପାଳକ  ସମ୍ପ୍ରଦାୟଙ୍କ  କ୍ଷେତ୍ରରେ  ସେମାନଙ୍କ  ଦ୍ଵାରା  ବ୍ୟବହୃତ  ହେଉଥିବା  ଋତୁଭିତ୍ତିକ  ଭୂଖଣ୍ଡ/ଯଥା  ସୁରକ୍ଷିତ  ଜଙ୍ଗଲ, ସଂରକ୍ଷିତ  ଜଙ୍ଗଲ  ଏବଂ  ସୁରକ୍ଷିତ  ଅଞ୍ଚଳ  ଯେପରିକି  ଅଭୟାରଣ୍ୟ  ଏବଂ  ଜାତୀୟ  ଉଦ୍ୟାନ, ଯେଉଁଥିରେ  ଲୋକମାନଙ୍କର  ପାରମ୍ପରିକ  ବ୍ୟବହାର  କରିବାର  ଅଧିକାର  ରହିଛି   ।

    ଗୋଷ୍ଠୀଗତ  ଅଧିକାର  ଏବଂ  ଉନ୍ନୟନମୂଳକ  ସୁବିଧା  ମଧ୍ୟରେ  ପାର୍ଥକ୍ୟ  କ’ଣ ?

    ଆଇନ୍ ର  ଧାରା – ୩(୧) ଅଧିନରେ  ବିଭିନ୍ନ  ପ୍ରକାରର   ଗୋଷ୍ଠୀ  ଜଙ୍ଗଲ  ଅଧିକାର  ବିଶେଷ  କରି  ଜଙ୍ଗଲ  ସମ୍ବଳ  ଉପରେ  ଗୋଷ୍ଠୀମାନଙ୍କର  ପ୍ରବେଶ  ଏବଂ  ବ୍ୟବହାର  ଅଧିକାର  ସମ୍ପର୍କରେ  ଦର୍ଶାଯାଇଥିବା  ବେଳେ  ଧାରା – ୩ (୨) ରେ  ମୁଖ୍ୟତଃ  ଭାବେ  ସରକାରୀ  ଉନ୍ନୟନମୂଳକ   ସୁବିଧାଦୁଯୋଗର  କାର୍ଯ୍ୟକାରୀ   ଯଥା – ବିଦ୍ୟାଳୟ, ଡାକ୍ତରଖାନା, ଅଙ୍ଗନୱାଡି, ପାନୀୟ  ଜଳଯୋଗାଣ, ରାସ୍ତା  ଇତ୍ୟାଦି  ପାଇଁ  ଜଙ୍ଗଲ  ଜମିକୁ  ପରିବର୍ତ୍ତନ  କରାଯାଇପାରିବାର   ପ୍ରାବଧାନ  ରହିଛି   । ଆଦିବାସୀ  ବ୍ୟାପାର  ମନ୍ତ୍ରଣାଳୟ  ତରଫରୁ  ୧୮.୦୫.୨୦୦୯ ତାରିଖରେ  ଏକ  ସ୍ଵତନ୍ତ୍ର  ମାର୍ଗଦରସିକା  ଜାରି  କରିଛନ୍ତି   । ଯେଉଁଥିରେ  ଉନ୍ନତିମୂଳକ  କାର୍ଯ୍ୟ  ନିମନ୍ତେ  ଜଙ୍ଗଲ  ଜମିର  ପରିବର୍ତ୍ତନ  ବିଷୟରେ   ଉଲ୍ଲେଖ  କରାଯାଇଅଛି   ।

    ଆଧାର - ସି. ଏସ୍. ଡି, ଓଡ଼ିଶା

    3.06451612903
    ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

    ( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

    Enter the word
    ନେବିଗତିଓଂ
    Back to top