ସେଆର କରନ୍ତୁ

ଓଡ଼ିଆ ଲୋକ ନୃତ୍ୟ

ଓଡ଼ିଶାର ଲୋକନୃତ୍ୟ ଓଡ଼ିଶାର କଳା ଓ ସଂସ୍କୃତିର ପରିଚାୟକ । ସେ ସମ୍ବନ୍ଧରେ ଆଲୋଚନା କରାଯାଇଛି ।

ଓଡ଼ିଶାର ଲୋକନୃତ୍ୟ ଓଡ଼ିଶାର କଳା ଓ ସଂସ୍କୃତିର ପରିଚାୟକ । ଓଡ଼ିଆ ଜୀବନ ଶୈଳୀ ଏବଂ ପ୍ରଥା ସହିତ ଏହି ନୃତ୍ୟ ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ଓଡ଼ିଶାର ଲୋକ ନୃତ୍ୟ ଜନମାନସର ପରିବର୍ତ୍ତନ ସହ ତାଳ ଦେଇ ଏହାର ରୂପରେ ବହୁବିଧ ପରିବର୍ତ୍ତନ ଆଣିପାରିଛି । ମୁଖ୍ୟତଃ ଧର୍ମଚାର, ମନୋରଞ୍ଜନ, ଶ୍ରମ ଅପନୋଦନ, ସାମାଜିକ ସଂସ୍କାର ଆଦି ବହୁବିଧ ଉଦ୍ଦେଶ୍ୟକୁ ନେଇ ଲୋକନୃତ୍ୟର ସୃଷ୍ଟି ହୋଇଛି । ଗ୍ରାମବହୁଳ ଓଡ଼ିଶାରେ ଦୈନନ୍ଦିନ ଜୀବନରେ ଟିକେ ଆନନ୍ଦ ଉପଭୋଗ କରିବାକୁ ଅନୁଷ୍ଠିତ କରାଯାଏ ଯାତ୍ରା ଓ ମହୋତ୍ସବମାନ । ଓଡ଼ିଶାର ପ୍ରତ୍ୟେକ ପର୍ବପର୍ବାଣୀ ସହ ବିଭିନ୍ନ ଲୋକନୃତ୍ୟର ପ୍ରଚଳନ ରହିଛି । ଏହିସବୁ ନୃତ୍ୟ ମୁଖ୍ୟତଃ ଖୋଲା ଆକାଶତଳେ ପରିବେଷଣ କରାଯାଇଥାଏ । ପ୍ରତ୍ୟେକ ଲୋକନୃତ୍ୟରେ ଓଡ଼ିଶାର ପାରମ୍ପରିକ ସଂଗୀତ ଓ ବହୁଲୋକପ୍ରିୟ ଢଗଢମାଳି ଆଦିର ବ୍ୟବହାର ହୋଇଥାଏ । ଏହାସହିତ ପାରମ୍ପରିକ ବାଦ୍ୟର ବ୍ୟବହାର କରାଯାଇଥାଏ ।

ସଖୀ କଣ୍ଢେଇ ନାଚ

ସଖୀକଣ୍ଢେଇ ନାଚ (ଅନ୍ୟନାମ: ସଖୀ ନାଚ, କଣ୍ଢେଇ ନାଚ) ଓଡ଼ିଶାର ଏକ ପାରମ୍ପାରିକ ନାଚ । ଏହା କେନ୍ଦ୍ରାପଡ଼ା ଜିଲ୍ଲାରୁ ଆରମ୍ଭ ହୋଇ‌ଥିଲା । କ୍ରମଶଃ ଏହି ନାଚ ଆଗ ଭଳି ଗ୍ରାମାଞ୍ଚଳ କିମ୍ବା ସହରରେ ଆଉ ଦେଖିବାକୁ ମିଳୁନାହିଁ । ବର୍ତ୍ତମାନ କେବଳ କେନ୍ଦ୍ରାପଡ଼ା ଜିଲ୍ଲାରେ ମନ୍ତ୍ରୀପଡ଼ା ସଖୀ କଣ୍ଢେଇ ନାଚ ଦଳ ଦେଖିବାକୁ ମିଳନ୍ତି । ଏକ ସୁସଜ୍ଜିତ ମଞ୍ଚ ଉପରେ କଣ୍ଢେଇ ନାଚ ପ୍ରଦର୍ଶିତ କରାଯାଏ । ସାଧାରଣ ମଣିଷଙ୍କ ଭଳି କଣ୍ଢେଇମାନଙ୍କୁ ନାନାଦି ବେଶଭୂଷା କରି ତାର ଦ୍ୱାରା ସଂଯୋଗ କରାଯାଇଥାଏ । ଗୀତର ତାଳେ ତାଳେ କଣ୍ଢେଇମାନଙ୍କର ନୃତ୍ୟ ଓ ବିଭିନ୍ନ ଅଙ୍ଗଭଙ୍ଗୀ ପ୍ରଦର୍ଶିତ କରିବା ପାଇଁ, ନାଚ ଦଳର ଜଣେ ସଦସ୍ୟ ଦ୍ୱାରା କଣ୍ଢେଇଗୁଡ଼ିକୁ ସଂଯୋଗ କରାଯାଇଥିବା ତାରକୁ ଧରି ପରଦାର ନେପଥ୍ୟରେ ନିୟନ୍ତ୍ରିତ କରିଥାନ୍ତି । ସଖୀ କଣ୍ଢେଇ ନାଚ ଦଳରେ ଅତି କମ୍‌ରେ ୭ଜଣ କଳାକାର ଆବଶ୍ୟକ । ତିନିଜଣ କଣ୍ଢେଇ ନଚାଉଥିବାବେଳେ ଜଣେ ହାରମୋନିୟମ ବଜାନ୍ତି । ଏହାଛଡ଼ା ଜଣେ ଢୋଲକି ଓ ଜଣେ ଗିନି ବଜାନ୍ତି । ବିଭିନ୍ନ ପ୍ରସଙ୍ଗ ଉପରେ ବାଦ୍ୟଯନ୍ତ୍ର ଓ ସଂଗୀତ ସହ ତାଳ ଦେଇ ସଖୀକଣ୍ଢେଇ ନାଚ ହୁଏ । ନାଚ ମଧ୍ୟରୁ ବଂଶୀଚୋରି, ବାଟଛାଡ଼ ନାଗର, ଦ୍ରୌପଦୀ ବସ୍ତ୍ରହରଣ, ନାବକେଳି, ରାଧୀକା ଓ ଦୂତୀ, ଲଳିତା ଓ ଦୂତୀ, ଶବର ଶବରୁଣୀ ନାଚ ଅଧିକ ହୁଏ । ନାଚର ପ୍ରସଙ୍ଗ ଉପରେ ଜଣେ ମଧୁର କଣ୍ଠରେ ଗୀତ ବୋଲି ଦର୍ଶକଙ୍କୁ ଆମୋଦିତ କରନ୍ତି । ଏକ ଘଣ୍ଟା ମଧ୍ୟରେ ୮ରୁ ୧୦ ପ୍ରକାରର ନାଚ ପ୍ରଦର୍ଶିତ କରାଯାଏ । ପ୍ରଚାର ଓ ପ୍ରସାର ଅଭାବରୁ ତାର ଦ୍ୱାରା ସଖୀ କଣ୍ଢେଇ ନାଚ ସମ୍ପୂର୍ଣ୍ଣ ଲୋପ ପାଇ ଯାଇଛି । କିନ୍ତୁ ଜିଲ୍ଲାର ସଦର ମହକୁମାଠାରୁ ପ୍ରାୟ ୧୦ କିଲୋମିଟର ଦୂରରେ ଥିବା ଡେରାବିଶି ବ୍ଳକ ଅନ୍ତର୍ଗତ କୁରୁଜଙ୍ଗା ପଞ୍ଚାୟତର ମନ୍ତ୍ରୀପଡ଼ା ଗ୍ରାମର କେଳା ବସ୍ତିରେ ଏହି ନାଚର ଅସ୍ତିତ୍ୱ ରହିଛି । ପୂର୍ବରୁ ତାର ସାହାଯ୍ୟରେ ସଖୀ କଣ୍ଢେଇ ନଚା ଯାଉଥିଲା । ସେ ପ୍ରଥା ବନ୍ଦ ହୋଇଯିବାରୁ ଏବେ କାଠ କଣ୍ଢେଇକୁ ବେଶ ପୋଷାକରେ ସଜାଇ ହାତରେ ନଚାଉଛନ୍ତି । ବିଭିନ୍ନ ସମୟରେ ଘରୋଇ ସାଂସ୍କୃତିକ ସଙ୍ଗଠନ ଉଦ୍ୟମରେ ଏମାନେ ଭୁବନେଶ୍ୱର, ଦିଲ୍ଲୀ, ମୁମ୍ବାଇ, କଲିକତା ଯାଆନ୍ତି ।

ଦଣ୍ଡ ନାଚ

ଦଣ୍ଡନାଚ ଓଡ଼ିଶାର ଏକ ପ୍ରାଚୀନ ଓ ପାରମ୍ପରିକ ନାଚ । ଏହା ଗଞ୍ଜାମ ଜିଲ୍ଲାର ଏକ ଲୋକ ପର୍ବ। ଏହା ଗ୍ରାମାଞ୍ଚଳରେ ଏହା କାମନା ଦଣ୍ଡ ଭାବେ ପରିଚିତ। ଏହି ନୃତ୍ୟ ଧର୍ମିୟ ଧାରଣା ଏବଂ ଈଶ୍ଵର ବିଶ୍ଵାସ ଉପରେ ପ୍ରତିଷ୍ଠିତ । ନାଟକର ସୃଷ୍ଟି କେବେ ଓ କିଭଳି ହେଲା ତାହା ରହସ୍ୟମୟ । ତେବେ ଆଧୁନିକ ନାଟକ ସୃଷ୍ଟିର ବହୁ ପୂର୍ବରୁ ଲୋକନାଟକ ଗୁଡିକ ସୃଷ୍ଟି ହୋଇଥିବା ବିଷୟକୁ ଅସ୍ଵୀକାର କରାଯାଇ ନପାରେ । କାରଣ ବେଦ, ଭରତମୁନିଙ୍କ ନାଟ୍ୟଶାସ୍ତ୍ର,ବୌଦ୍ଧ ନିକାୟ,ପାଣିନି,କୃଶାଶ୍ଵ ଓ ବିଭିନ୍ନ ପୌରାଣିକ ଗ୍ରନ୍ଥରୁ ଲୋକନାଚକ ସମ୍ପର୍କରେ ସଂକେତ ମିଳିଥାଏ । ଲୋକନାଟକ ଗୁଡିକର ବର୍ହିଲକ୍ଷ ଓ ଅନ୍ତର୍ଲକ୍ଷ ହେଉଛି ଶିକ୍ଷା ପ୍ରଦାନ । ଜନଜୀବନର କାହାଣୀକୁ ବା ଲୋକବୃତ୍ତକୁ ବିଶ୍ୱସ୍ତ ଭାବେ ଉପସ୍ଥାପନ କରିବା ଲୋକନାଟକର ଅନ୍ୟ ଏକ ଲକ୍ଷ । ନାଟକ ହେଉଛି ଦୃଶ୍ୟକାବ୍ୟ ଓ କାବ୍ୟମାନଙ୍କ ମଧ୍ୟରେ ଶ୍ରେଷ୍ଠ । ନାଟକର ସ୍ରଷ୍ଟା ନାଟ୍ୟ ଶିଳ୍ପିର ମାୟାଜାଲ ବିସ୍ତାର କରି ଦର୍ଶକର ଚିତ୍ତ ବିନୋଦନ ସହିତ ସତ୍ୟ, ଶିବ ଓ ମଙ୍ଗଳର ଜୟଗାନପାଇଁ ଆହ୍ୱାନ ଦେଇଥାନ୍ତି । ଲୋକ ନାଟକର ସୃଷ୍ଟି ଉତ୍ସ ସମ୍ପର୍କରେ କେତେଗୁଡିଏ ତଥ୍ୟ ଅଛି । ସେଗୁଡିକ ହେଲା :୧-ପ୍ରକୃତି ପ୍ରଭାବ, ୨-ଧର୍ମ ଟିନ୍ତନ, ୩-କୃଷି ସଭ୍ୟତା, ୪-ସାମରିକ ପରମ୍ପରା, ୫- କାରୁକଳା, ୬-ଆଦିବାସୀ ଓ ଓଡ଼ିଶୀ ନୃତ୍ୟ । ବୈଦିକ ଯୁଗରେ ଲୋକ ନାଟକର ଉବ୍ଦଭ ହୋଇଥିଲେ ମଧ୍ୟ ଏବେ ଏଗୁଡିକ ଲୋକ ସମାଜରେ ମୁମୂର୍ଷ ଅବସ୍ଥାରେ କେବଳ ବଞ୍ଚିରହିଛନ୍ତି । ଏଗୁଡିକର ପୁନରୁଦ୍ଧାର ପାଇଁ ଏବେ ଅବଶ୍ୟ ସମଗ୍ର ବିଶ୍ୱ ଚଳଚଞ୍ଚଳ ହୋଇପଡ଼ିଛି । ସମଗ୍ର ବିଶ୍ୱରେ ବିଭିନ୍ନ ପ୍ରକାର ଲୋକନାଟକ ପ୍ରଚଳିତ । ଚୀନ୍, ଆମେରିକା, ଲୋହିତ ଭାରତୀୟ,ଆଫ୍ରିକାର ଆଦିବାସୀ, ୟୁରୋପର ଅନୁନ୍ନତ ଅଞ୍ଚଳ ତଥା ଭାରତର ବିଭିନ୍ନ ପ୍ରଦେଶରେ ଭଳି ଭଳି ଲୋକନାଟ୍ୟର ପ୍ରଚଳନ ଦେଖିବାକୁ ମିଳେ । ସେହିଭଳି ଓଡ଼ିଶାରେ ମଧ୍ୟ ବିଭିନ୍ନ ଲୋକନାଟକ ମଧ୍ୟରୁ ଦଣ୍ଡନାଟ ଏକ ପ୍ରଭାବଶାଳୀ ଶାଖା ।

ଚଇତିଘୋଡା ନାଚ

ଚଇତି ଘୋଡ଼ା ନାଚ (ଘୋଡ଼ା ନାଚ ନାମରେ ମଧ୍ୟ ଜଣା) ଓଡ଼ିଶାର ଏକ ପାରମ୍ପରିକ ଲୋକନୃତ୍ୟ । ଏହା ମୁଖ୍ୟତଃ ଓଡ଼ିଶାର ଉପକୂଳ ଅଞ୍ଚଳରେ କେଉଟମାନଙ୍କ ଦ୍ୱାରା ଆରମ୍ଭ ହୋଇ ସେହି ଅଞ୍ଚଳମାନଙ୍କରେ ଚୈତ୍ର ମାସ ପୂର୍ଣ୍ଣିମା ତିଥିରେ ପରିବେଷିତ ହୋଇଥାଏ ।କେଉଟମାନେ ବାଉଁଶ ବତାରେ ଘୋଡ଼ାର ପାଦହୀନ ଦେହ ଓ ବେକ ଆକାରର ଗୋଟିଏ ଥାଟ ତିଆରି କରି ତା ଉପରେ ଲୁଗା ଆଦି ଘୋଡ଼ାନ୍ତି ଓ ବେକ ଉପରେ ଘୋଡ଼ାମୁହଁ ପରି ଚିତ୍ରିତ ମୁଖାଟିଏ ଲଗାନ୍ତି ଉକ୍ତ ଚଇତିଘୋଡ଼ାର ପିଠିରେ ଗୋଟିଏ କଣା ଥାଏ ସେହି କଣାବାଟେ ମନୁଷ୍ୟ ଅଣ୍ଟା ପର୍ଯ୍ୟନ୍ତ ପଶି କରି ଭୂମିରେ ଠିଆହୁଏ ଓ ଘୋଡ଼ାରୂପର ଆଗରୁ ଓ ପଛରୁ ଡ଼ୋରି ଲଟକା ଯାଏ ମନୁଷ୍ୟର ଅଣ୍ଟାଠାରୁ ନିମ୍ନ ଅଂଶ ଘୋଡ଼ା ଭିତରେ ଲୁଚି ଥାଏ ଓ ଅଣ୍ଟା ଠାରୁ ଉପର ଅଂଶ ଘୋଡ଼ା ଭିତରେ ବସିବା ପରି ଅନୁମିତ ହୁଏ । ଏ ବ୍ୟକ୍ତି ନାଚିବା ସଙ୍ଗେ ସଙ୍ଗେ ଘୋଡ଼ା ମଧ୍ୟ ନାଚେ ଘୋଡ଼ାର ମୁହଁଆଡ଼େ ଲଗାମପରି କନାଡ଼ୋରି ବନ୍ଧା ହୋଇଥାଏ ଉକ୍ତ ଡ଼ୋରିକୁ ନାଚିବାବାଲା ଧରି ଘୋଡ଼ାର ଲଗାମ ଧରିବାର ଅଭିନୟ କରେ କେଉଟମାନେ ଏହି ପର୍ବ ଉପଲକ୍ଷରେ ଚଢ଼େଇବା ଓ ଚଢ଼ଉଣୀ ବେଶ ହୋଇ ନାଚନ୍ତି ଓ ଗୀତ ବୋଲନ୍ତି । ଘୋଡ଼ାନାଚରେ ଜଣେ ଲେଖାଏଁ ଗାୟକ, ପାଳିଆ, ଢୋଲକିଆ, ମହୁରିଆ, ରାଉତ, ରାଉତାଣୀ ଥାଆନ୍ତି । ଗାୟକ ବିଷୟବସ୍ତୁ ଗାଉଥିବା ବେଳେ ପାଳିଆ ପାଳିଧରେ, ଢୋଲକିଆ ବାଜା ବଜାଏ ଓ ରାଉତ ସଜ୍ଜିତ କାଠଘୋଡ଼ା ଚଢ଼ି ରାଉତାଣୀ ସହ ନୃତ୍ୟ କରୁଥାଏ । ମା’ ବାସେଳୀଙ୍କ ବନ୍ଦନାରୁ ଆରମ୍ଭ ହୁଏ ଘୋଡ଼ାନାଚ, ପରେ ରାଧାକୃଷ୍ଣଙ୍କ ଲୀଳା, ଶିବପାର୍ବତୀଙ୍କ କାହାଣୀକୁ ଗୀତ ଓ ନୃତ୍ୟ ମାଧ୍ୟମରେ ପରିବେଷଣ କରାଯାଏ । ଏଥିପାଇଁ କୌଣସି ନିର୍ଦ୍ଧିଷ୍ଟ ବହି ନଥାଏ । କୈବର୍ତ୍ତ ଗୀତା, କୈବର୍ତ୍ତ ପୁରାଣ ଓ କୈବର୍ତ୍ତ ସଂହିତାରୁ ବିଷୟବସ୍ତୁ ଉଦ୍ଧାର କରି ଗାୟକ ସେଗୁଡ଼ିକୁ ପାରମ୍ପରିକ ସ୍ଵରରେ ପଡ଼ିବା ଭଳି ଶବ୍ଦ ସଂଯୋଜନା କରି ସ୍ଵର ଦେଇଥାନ୍ତି ।

ଛଉ ନାଚ

ଛଉ ନାଚ (ଛଉ ନାଟ) ଏକ ଯୁଦ୍ଧଭିତ୍ତିକ ଭାରତୀୟ ନାଟ ଯାହା ଓଡ଼ିଶାରମୟୂରଭଞ୍ଜ ଜିଲ୍ଲାରୁ ଜନ୍ମଲାଭ କରିଛି ।ଏହା ମୁଖ୍ୟତଃ ତିନି ପ୍ରକାରର:

  • ମୟୂରଭଞ୍ଜ ଛଉ
  • ଏହା ମୟୂରଭଞ୍ଜରୁ ଜନ୍ମଲାଭ କରିଛି । ଏଥିରେ ନାଟ ସାଙ୍ଗରେ ତୁରୀ, ମାଦଳ ଓ ଅନ୍ୟାନ୍ୟ ବାଦ୍ୟୟନ୍ତ୍ରର ବାଦନ କରି ନାଚ ମାଧ୍ୟମରେ ଯୁଦ୍ଧର ବର୍ଣ୍ଣନା କରାଯାଇଥାଏ ।

  • ସଢ଼େଇକଳା ଛଉ
  • ଏହା ପୁରାତନ ଓଡ଼ିଶା ଓ ଏବେକାର ଝାଡ଼ଖଣ୍ଡର ସଢ଼େଇକଳାରେ ଦେଖିବାକୁ ମିଳେ ।

  • ପୁରୁଲିଆ ଛଉ

ଏହା ପଶ୍ଚିମବଙ୍ଗର ପୁରୁଲିଆ ଠାରେ ଦେଖିବାକୁ ମିଳେ। ଓଡ଼ିଆ ଭାଷାର ପ୍ରଖ୍ୟାତ ସାହିତ୍ୟିକ ଓ ଗବେଷକ ସୀତାକାନ୍ତ ମହାପାତ୍ରଙ୍କ ଅନୁସାରେ "ଛଉ" ଶବ୍ଦ ଓଡ଼ିଆ ଶବ୍ଦ "ଛାଉଣି"ରୁ ଆସିଅଛି ଯାହାର ଅର୍ଥ ସେନାଛାଉଣି ଓ ଏହା ରାଜାରାଜୁଡ଼ା ସମୟର ସେନାମାନଙ୍କ ଯୁଦ୍ଧ କଳାରୁ ଜନ୍ମ ନେଇଛି । ଛଉନାଚ ଚୈତ୍ର ମାସର ଶେଷ ଭାଗରେ ଅନୁଷ୍ଠିତ ହୁଏ । କୃଷିଭିତ୍ତିକ ସଭ୍ୟତାର ଏହା ପ୍ରଥମ ପର୍ବ । ପ୍ରାୟ ସବୁ ଲୋକନୃତ୍ୟ ପରି ଛଉରେ ମଧ୍ୟ ପ୍ରଥମେ ଆରାଧ୍ୟ ଦେବାଦେବୀଙ୍କୁ ପୂଜା କରାଯାଏ । ପରେ ରଙ୍ଗ ବାଜା ବାଜେ । ମଞ୍ଚ ଉପରକୁ ଆସନ୍ତି ନଟ-ନଟୀ, ନାଟକ ବିଷୟରେ ସୂଚନା ଦିଅନ୍ତି । ହସ୍ତ ପଦ ଚାଳନାର ବିଭିନ୍ନ କୌଶଳ ହିଁ ଏହା ଦ୍ୱାରା ଶିକ୍ଷା କରାଯାଏ । ଛଉନାଚ ମୁଖ୍ୟତଃ ମୂକାଭିନୟ । ବଚିକ ଅଭିନୟ ନାହିଁ କହିଲେ ଚଳେ। କଳାକାର ମାନେ ଗୀତ ଗାଇବା ପରିବର୍ତ୍ତେ ନେପଥ୍ୟରୁ ଅନ୍ୟ କଳାକାର ଗୀତ ଗାଇଥାନ୍ତି ଓ ତାହାକୁ ଅନୁସରଣ କରି ଅଭିନେତା ଅଭିନୟ କଳା ଚାଲୁରଖିଥାଏ । ବର୍ତ୍ତମାନ 'ଛଉନାଚ' ଶାସ୍ତ୍ରୀୟ ନୃତ୍ୟର ମର୍ଯ୍ୟାଦା ଲାଭ କରିଛି।

କରମା ନାଚ

ଏହା କରମ ଦେବତୀ (କରମଶୁଣି) ଙ୍କ ପୂଜା ପାଇଁ କରା ଯାଇ ଥାଏ । ଭାଦ୍ରବ ଶୁକ୍ଲ ଏକାଦଶୀରେ ଏହା ଆରମ୍ଭ ହୋଇ କିଛି ଦିନ ପର୍ଯ୍ୟନ୍ତ ଚାଲି ଥାଏ । ଏହି ନୃତ୍ୟ ଓଡ଼ିଶାର ସମ୍ବଲପୁର, ମୟୂରଭଞ୍ଜ, ଢେଙ୍କାନାଳ ଏବଂ ସୁନ୍ଦରଗଡ଼ ଜିଲ୍ଲାରେଦେଖା ଯାଏ । ପୂଜା ଦିନ ଦୁଇ ଜଣ ଯୁବତୀ କନ୍ୟା “କରମା” ଗଛର ଡାଳକୁ ଆଣି ଦେବତାଙ୍କ ଆସ୍ଥାନରେ ରଖି ଥାନ୍ତି । ଏହି କରମା ଡାଳକୁ “କରମଶୁଣି “ ଦେବୀ ହିସାବ ରେ ପୂଜା କରା ଯାଏ । ଏହା ସହିତ ଅଙ୍କୁରିତ ଗଜା, ଘାସ ଫୁଲ ଏବଂ ଦେଶୀ ମଦ୍ୟ ମଧ୍ୟ ଦେବତୀଙ୍କୁ ଅର୍ପଣ କରାଯାଏ । ପୂଜା ପରେ ଯୁବକ ଯୁବତୀମାନେ ମାଦଳର ତାଳେ ତାଳେ ନୃତ୍ୟ କରି ଥାନ୍ତି । ପ୍ରାୟତଃ ଏହି ନାଚରେ ଗୋଡ଼ ଏବଂ ପାଦର ବ୍ୟବହାର ଅଧିକ ହୁଏ । ଅଣ୍ଟା ରେ ହାତ ଛନ୍ଦା ଛନ୍ଦି ହୋଇ ଆଦିବାସୀ ଯୁବକ ଯୁବତୀମାନେ ନାଚ ଆରମ୍ଭ କରି ଥାନ୍ତି । ନୃତ୍ୟ ଆରମ୍ଭ ଯଦିଓ ମନ୍ଥର ଗତି ରେ ଆରମ୍ଭ ହୁଏ, ଧୀରେ ଧୀରେ ନାଚର ଗତି ମାଦଳର ଶବ୍ଦ ଠାରୁ ମଧ୍ୟ ଦ୍ରୁତତର ହୁଏ । ଏହି ନୃତ୍ୟ ଗ୍ରାମ ଦେବତୀଙ୍କ ଆସ୍ଥାନ ନିକଟରେ ହୋଇ ଥାଏ ଏବଂ ସାରା ରାତି ଏହି ନାଚ ଚାଲି ଥାଏ ।

ଘୁମୁରା ନାଚ

ଘୁମୁରା ନାଚ, ଓଡ଼ିଶାର, କଳାହାଣ୍ଡି ଓ ସୁନ୍ଦରଗଡ଼ ଜିଲ୍ଲାର ଏକ ଲୋକପ୍ରିୟ ନାଟ । ଘୁମୁରା ହେଉଛି ମତିନିର୍ମିତ ହାଣ୍ଡି ଆକୃତି ପଦାର୍ଥ ଉପରେ ଗୋଧିଚର୍ମ ଦ୍ୱାରା ଆବୃତ କରାଯାଇଥିବା ବାଦ୍ୟଯନ୍ତ୍ର ବିଶେଷ । ଏହାକୁ ବ୍ୟବହାର କରାଯାଇ ଯେଉଁ ନୃତ୍ୟ କରାଯାଏ ତାହାକୁ "ଘୁମୁରା ନାଚ" କୁହାଯାଏ । ପୁରୁଷ ମାନେ ମୁଖ୍ୟତଃ ଏହାର ନୃତ୍ୟ କରି କରମା ଗୋଟିଏ ଗୋଟିଏ ଦଳରେ ସାତ ଆଠ ଜଣ କଳାକାର ରହିଥାନ୍ତି । ପାଇକଚ୍ଚା ଉପରେ ପାଟଲୁଗା ପିନ୍ଧି ତା ଉପରେ ଚିତ୍ରବିଚିତ୍ର ଛିଟର ଏକ କପଡ଼ା ଗୁଡ଼ାଇ ଦିଆଯାଏ । ମୟୁର ପୁଛର ମୁକୁଟ ପିନ୍ଧି ନୃତ୍ୟକାରୀ ନୃତ୍ୟ କରିଥାନ୍ତି । ପ୍ରଥମେ ବାଦ୍ୟ ବଜାଇ ନୃତ୍ୟ କରି ବୃତ୍ତାକାରରେ ବୁଲନ୍ତି । ଦେବଦେବୀଙ୍କ ବନ୍ଦନା ପରେ ବାଦ୍ୟର ତାଳରେ ବେଳ ଅନୁସାରେ ପାଦପକାଇ ନୃତ୍ୟ କରନ୍ତି।

ଡାଲଖାଇ

ଡାଲଖାଇ ପଶ୍ଚିମ ଓଡ଼ିଶାର ଏକ ଲୋକ ପ୍ରିୟ ନୃତ୍ୟ । ଡାଲଖାଇ ବ୍ରତ ଧାରିଣୀ ମାନେ ବଣ ଭିତରେ ଗଛର ଡାଳରେ ରହୁଥିବା ମଙ୍ଗଳା ବା ଦୁର୍ଗାଙ୍କୁ ସନ୍ତୁଷ୍ଟ କରିବା ପାଇଁ 'ଡାଲଖାଇ' ନୃତ୍ୟ କରିଥାନ୍ତି । ଆଶ୍ୱିନ ମାସର ମହାଷ୍ଟମୀଠାରୁ ଆରମ୍ଭ ହୋଇ ଦଶହରା ଦିନ ପର୍ଯ୍ୟନ୍ତ ତିନିଦିନ ଧରି ଏହାର ଆୟୋଜନ ହୋଇଥାଏ । ଅଷ୍ଟମୀ ଦିନ ସନ୍ଧ୍ୟାରେ ଦୁର୍ଗାଙ୍କର ପୂଜାର୍ଚ୍ଚନା କରାଯାଏ। ଅଷ୍ଟମୀ, ନବମୀ ଓ ଦଶମୀ ତିନିଦିନ ଧରି ଆଦିବାସୀ ତରୁଣୀ ଦଳବଦ୍ଧ ଭାବେ ନୃତ୍ୟ ପରିବେଷଣ କରନ୍ତି । ଯୁବକମାନେ ମାଦଳ, ଢୋଲ, ମହୁରୀ, ତମକି ଆଦି ବଜାନ୍ତି । ହାତ ଛନ୍ଦାଛନ୍ଦି ହୋଇ ଆଗକୁ ଓ ପଛକୁ ଢଳି ତରୁଣୀମାନେ ନିଜର କଳା କୁଶଳତା ପ୍ରଦର୍ଶନ କରନ୍ତି । ପୋଷାକ ମଧ୍ୟ ନୃତ୍ୟ ଅନୁକୂଳ ମନେହୁଏ । ସମ୍ବଲପୁରୀ ଶାଢ଼ୀ ଉପରେ ଏକ ରଙ୍ଗୀନ ଫୁଲପକା ଗାମୁଛା ପଡିଥାଏ । ମୁଣ୍ଡରେ ଖୋଷା ଓ ସେଥିରେ ବିଭିନ୍ନ ପ୍ରକାର ଫୁଲ ଓ ପତ୍ର ଖଞ୍ଜା ହୋଇଥାଏ । ବର୍ତ୍ତମାନ ଏହି ଡାଲଖାଇ ନାଚ ଅରଣ୍ୟର ଦେହଳୀ ଅତିକ୍ରମ କରି ନଗର ସଭ୍ୟତାକୁ ଧୀରେ ଧୀରେ ପ୍ରଭାବିତ କରିବାକୁ ଆରମ୍ଭ କଲାଣି ।

ପାଲା

ପାଲା ଓଡ଼ିଶାର ଏକ ପାରମ୍ପରିକ, ପୁରାତନ ଓ ବିଦଗ୍ଧ ଓଡ଼ିଆ ଗୀତି-ଲୋକନାଟ୍ୟ । ପାଲା ସାଧାରଣତଃ ୬ଜଣ ବ୍ୟକ୍ତିଙ୍କୁ ନେଇ ଅନୁଷ୍ଠିତ ହୋଇଥାଏ । ଜଣେ ଗାୟକ, ଜଣେ ବାୟକ, ଜଣେ ଶ୍ରୀପାଳିଆ ଓ ୩ ଜଣ ପାଳିଆଙ୍କୁ ନେଇ ପାଲା ଅନୁଷ୍ଠିତ ହୋଇଥାଏ।

ଚଢେଇଆ ନାଚ

ଚଢ଼େଇଆ ନାଟ ବା ଚଢ଼େଇଆ ନାଚ ଏକ ପାରମ୍ପାରିକ ଓଡ଼ିଆ ଗୀତ-ନାଟ/ନୃତ୍ୟ କଳା । ଏହି ନୃତ୍ୟକଳାଟି ଦଣ୍ଡ ନାଚର ଏକ ପ୍ରକାରଭେଦ ଓ ମୟୂରଭଞ୍ଜ ଛଉ ନାଚ ସହିତ ଏହାର ବହୁ ସମାନତା ପରିଲେକ୍ଷିତ କରାଯାଏ । ଏହା ବିଶେଷକରି ଭଦ୍ରକ, ବାଲେଶ୍ଵର ଓ ମୟୂରଭଞ୍ଜର ଗ୍ରାମାଞ୍ଚଳରେ ପରିବେଷଣ କରାଯାଏ । ଏଥିରେ ଜଣେ ପୁରୁଷ ଓ ଜଣେ ମହିଳା ଯୋଡ଼ି ହୋଇ ନାଚିଥାନ୍ତି । ନର୍ତ୍ତକଙ୍କୁ ଚଢ଼େଇଆ ଓ ନର୍ତ୍ତକୀଙ୍କୁ ଚଢ଼େଇଆଣୀ କୁହାଯାଇଥାଏ । ଏକ ବାଦନ ଦଳ ଗୀତ ବୋଲିଥାନ୍ତି ଯାହାର ତାଳେ ତାଳେ ଚଢ଼େଇଆ ଓ ଚଢ଼େଇଆଣୀ ଅଭିନୟ କରି ନାଚିଥାନ୍ତି । ନାଚ ମାଧ୍ୟମରେ ମଉସା ଓ ଚୌକିଆ ହାସ୍ୟ ଅଭିନୟକରି ଲୋକଙ୍କର ମନୋରଞ୍ଜନ କରିଥାନ୍ତି । ନାଚରେ ହାରମୋନିୟମ, ଢୋ଼ଲ ଓ କୁବୁଜି ଆଦି ବାଦ୍ୟଯନ୍ତ୍ରର ବ୍ୟବହାର କରାଯାଇଥାଏ । ପ୍ରୋତ୍ସାହନର ଅଭାବ ତଥା ନୂତନ ପିଢ଼ିଙ୍କର ଅନାଗ୍ରହ ଏହି ଲୋକନୃତ୍ୟକୁ ବିଲୁପ୍ତପ୍ରାୟ ଅବସ୍ଥାକୁ ଆଣିସାରିଲାଣି।

ତାମସା

ତାମସା ଏକ ପାରମ୍ପରିକ ଓଡ଼ିଆ ଗୀତ-ନାଟ କଳା । ଏଥିରେ ଜଣେ ପୁରୁଷ ଓ ଜଣେ ମହିଳା ଯୋଡ଼ି ହୋଇ ନାଚିଥାନ୍ତି । ଏକ ବାଦନ ଦଳ ଗୀତ ବୋଲିଥାନ୍ତି ଯାହାର ତାଳେ ତାଳେ କଳାକାରମାନେ ଅଭିନୟ କରି ନାଚିଥାନ୍ତି । "ତାମସା"କୁ କେତେକ ନାଟକ ଅର୍ଥରେ ଓ ଆଉ କେତେକ କ୍ରୀଡା ଅର୍ଥରେ ବ୍ୟବହାର କରନ୍ତି । ବଂଶୀବଲ୍ଲଭ ଗୋସ୍ୱାମୀ ଯୋଗୀ ତାମସା, ଫକୀର ତାମସା, ରାଧାକୃଷ୍ଣ ତାମସା ରଚନା କରିଥିଲେ । ଏଥିରେ ବିଭିନ୍ନ ବାଦ୍ୟ ସଂଯୋଜିତ କରାଯାଇଛି।

ଗୋଟିପୁଅ ନାଚ

ଗୋଟିପୁଅ ଭାରତର ଓଡ଼ିଶାର ଶାସ୍ତ୍ରୀୟ ନାଟ ଭିତରୁ ଗୋଟିଏ । ଏହା ଓଡ଼ିଶାର ପୁରୀ ଜିଲ୍ଲାରୁ ଜନ୍ମ ଲାଭ କରିଛି । ଓଡ଼ିଆରେ "ଗୋଟି"ର ଅର୍ଥ ଜଣେ ଓ ଏହି ନାଟ ଜଣେ ପୁଅ ଦେଇ କରାଯାଉଥିବାରୁ ଏହାର ଏପରି ନାମକରଣ ହୋଇଥିବାର ବିଶ୍ଵାସ କରାଯାଇଥାଏ ।

ଯେତେବେଳେ ଧିରେ ଧିରେ ମାହାରୀ ନାଟର ପ୍ରଭାବ ଧୀରେ ଧୀରେ କମି କମି ଆସିଲା ସେତେବେଳେ ପୁଅମାନେ ଝିଅମାନଙ୍କ ଲୁଗାରେ ସଜ୍ଜିତ ହୋଇ ଅଳଙ୍କାର ଆଦି ପିନ୍ଧି ନାଚିବାର ଏହି ଚଳଣି ଜନ୍ମ ନେଲା । ଆଧୁନିକ ଓଡ଼ିଶୀ ନାଟର ଏହା ମୂଳରୂପ । ଅନେକ ମହାନ ଓଡ଼ିଶୀ ନାଟଗୁରୁମାନେ ଆରମ୍ଭରେ ଏହି ନାଟକଳାରେ ଶିକ୍ଷାଲାଭ କରିଥିଲେ ।

ଦାସକାଠିଆ

ଦାସକାଠିଆ ଏକ ପାରମ୍ପରିକ ଓଡ଼ିଆ ସଙ୍ଗୀତ-ନାଟ କଳା । ଏହା ଗଞ୍ଜାମ ସମେତ ଓଡ଼ିଶାର ଅନେକ ଜିଲ୍ଲାରେ ଅଭିନୀତ ହୋଇଥାଏ । ଏହା ଆଗକାଳରେ ମନୋରଞ୍ଜନର ଏକ ମୁଖ୍ୟ ମାଧ୍ୟମ ଥିଲା । ଏଥିରେ ଏକ କାଠ ଯୋଡ଼ାକୁ ପରଷ୍ପର ସହିତ ପିଟିଲେ ଏକ ନିଆରା ଶବ୍ଦ ସୃଷ୍ଟି ହୋଇଥାଏ, ପାଳିଆ ଓ ଗାହାଣ ଏହାକୁ ବ୍ୟବହାର କରି ଗୀତ ଓ ଅଭିନୟ ମାଧମରେ ଏକ ପୁରାଣ ବର୍ଣ୍ଣନାକୁ ପରିବେଷଣ କରିଥାନ୍ତି । "ଦାସକାଠିଆ" ରାମାୟଣ ଯୁଗରୁ ଆରମ୍ଭ ବୋଲି କେତେକ ମତବ୍ୟକ୍ତ କରନ୍ତି । ପାଲା ଭଳି ଏଥିରେ ବନ୍ଦନା, ଶ୍ଳୋକ, କଥା ବର୍ଣ୍ଣନା ଆଦି ରହିଥାଏ । ଆଲୋଚକ ସଚ୍ଚିଦାନନ୍ଦ ମିଶ୍ରଙ୍କ ଭାଷା ଦାସକାଠିଆର ବୈଷ୍ଣବ ଭାବ ସେଥିରେ ବୀର ରସର ପ୍ରାଧାନ୍ୟ, ହିନ୍ଦୁ ରାଜୁଡ଼ା ବେଶଭୂଷା, ସାରଳା ଦାସଙ୍କର ରଚନାକୁ ଆଶ୍ରୟ, ପୋଥିରେ ପ୍ରାଚୀନତା ଆଦି କୃଷ୍ଣ ପାଲା ଅପେକ୍ଷା ଏହା ପ୍ରାଚୀନ କଳା ବୋଲି ନିରୂପଣ କରିବାକୁ ହେଉଛି।

ରସରକେଲି

ପଶ୍ଚିମ ଓଡ଼ିଶାର ଅତିପ୍ରିୟ ଲୋକ ନୃତ୍ୟ କୁହାଯାଏ। ଏଥିରେ ବୋଲି ଯାଉଥିବା ଗୀତର ସାମୟିକ ଶବ୍ଦ ଓ ଅର୍ଥର ସମ୍ପୃକ୍ତକୁ ଉପେକ୍ଷା କରାଯାଇ ଭାଗବତ କ୍ରମ ରହେ ନାହିଁ। କାରଣ ଏହା ନିଷ୍କ ଗ୍ରାମ୍ୟ ଜୀବନର ସ୍ୱତଃସ୍ପୃତ ପରିପ୍ରକାଶ ଓ ଅକୃତିମ ଭାବର ଓ ଉଦ୍ଦାମ ଅଭିବ୍ୟକ୍ତ।

ରାସଲୀଳା ନୃତ୍ୟ

ଜନପ୍ରିୟ ଲୋକ ନାଟକ ହିସାବରେ ଓଡ଼ିଆ ଲୀଳା ର ସ୍ଥାନ ଖୁବ୍ ଉଚ୍ଚରେ। ପରଂବ୍ରହ୍ମ ଭଗବାନଙ୍କ ବିଭିନ୍ନ ଅବତାର ଅଲୌକିକ ଘଟଣା କୁ ଉପଜିବ୍ୟ କରି ଯେଉଁ ଲାଳିତ୍ୟପୂର୍ଣ୍ଣ ସଙ୍ଗୀତମୟ ତଥା ରସମୟ ଅଭିନୟୋପଯୋଗୀ ରଚନା ସୃଷ୍ଟି ହୁଏ ତାହା ଲୀଳା ନାମରେ ଅଭିହିତ। ଲୀଳା ଗୁଡିକ ଛନ୍ଦ ଯୁକ୍ତ କାବ୍ୟ ବା ଗୀତ ଗୁଣ ରୂପେ ଗ୍ରହଣ କରାଯାଏ। ମୁଖ୍ୟତଃ ୨ ଆରାଧ୍ୟ ଦେବତା କୃଷ୍ଣ ଏବଂ ରାମଙ୍କ କୌତୁକ ପୂର୍ଣ୍ଣ ଜୀବନବୃତ୍ତାନ୍ତ ଭିତ୍ତି କରି ଓଡ଼ିଆ ଲୀଳା ସମୃଦ୍ଧ। ଲୀଳା (ରାଧାପ୍ରେମ ଲୀଳା, ରାମ ଲୀଳା, କୃଷ୍ଣ ଲୀଳା, ଗୋପ ଲୀଳା, ଭରତ ଲୀଳା) ଆଦି ପ୍ରମ୍ମୁଖ।

ନାଗାନାଚ

ନାଗା ନାଚ ଓଡ଼ିଶାର ଏକ ପାରମ୍ପାରିକ ଲୋକନୃତ୍ୟ ଏହା ପୁରୀ ଅଞ୍ଚଳରୁ ଆରମ୍ଭ ହୋଇ ବିଭିନ୍ନ ସ୍ଥାନରେ ପରିବେଷିତ ହେଉଛି । ଏଥିରେ ଥିବା ବିଷୟବସ୍ତୁ ଓଡ଼ିଶାରେ ଜଣାଶୁଣା ବିଭିନ୍ନ ନାଗା ପରମ୍ପରାକୁ ନେଇ ପର୍ଯ୍ୟବସିତ । ଓଡ଼ିଶାର ଆଉ ଏକ ପାରମ୍ପାରିକ ନାଚ ପାଇକ ନାଚ ଭଳି ନାଗା ନାଚ ଏକ ମୁକ ନାଚ । ଏଥିରେ କେବଳ ବିଭିନ୍ନ ବାଦ୍ୟ ଓ ପ୍ରଚ୍ଛଦ ଯନ୍ତ୍ରସଙ୍ଗୀତ ଥାଏ । ଏହାର ସଙ୍ଗୀତରେ ବ୍ୟବହୃତ ବାଦ୍ୟ ଯନ୍ତ୍ରସବୁ ହେଲା ମାଦଳ, ଧୁମସା ଓ ପଖଉଜ । ବିଭିନ୍ନ ପର୍ବ ପାଳନ ବେଳେ ପୁରୀରେ ଏହା ଦେଖିବାକୁ ମିଳିଥାଏ । ସାଧାରଣତଃ ଯୁବବର୍ଗର ନର୍ତ୍ତକମାନେ ଏଥିରେ ବିଭିନ୍ନ ଭାରୀ ଓ ଚିତ୍ରିତ ପୋଷାକ ପିନ୍ଧି ନାଚିଥାନ୍ତି । ନର୍ତ୍ତକମାନେ ମଥାରେ ବିଶାଳ ଅଳଙ୍କାର ଖଚିତ ମୁକୁଟ ପିନ୍ଧିଥାନ୍ତି । ସେମାନଙ୍କ ପୋଷାକରେ ବାଉଁଶ-ତିଆରି ଡେଣା ଲାଗିଥାଏ । ସେମାନେ ନାଚିଲା ବେଳେ ଡେଣାଯୋଡ଼ିକ ଦୁଇପଟକୁ ଦୋହଲି ପଡ଼େ । ବାଜାବାଦକମାନଙ୍କ ବାଜା ତାଳରେ ତାଳଦେଇ ନର୍ତ୍ତକମାନେ ଆଗକୁ ବଢ଼ିଥାନ୍ତି । ରାଜ୍ୟ ଓ ରାଜ୍ୟ ବାହାରେ ବିଭିନ୍ନ ସରକାରୀ ଓ ବେସରକାରୀ ଉତ୍ସବ ପାଳନ ବେଳେ ଓଡ଼ିଶାର ଅନ୍ୟାନ୍ୟ ନାଚ ସହିତ ନାଗା ନାଚ ମଧ୍ୟ ଦେଖିବାକୁ ମିଳିଥାଏ । ନାଗା ନାଟରେ ବିଭିନ୍ନ ବୀର ବାଦ୍ୟ ବାଦନ ସହିତ ବୀର ବେଶରେ ସଜ୍ଜିତ ନର୍ତ୍ତକଗଣ ନୃତ୍ୟରେ ବିଭିନ୍ନ ସମର-ସମ୍ବନ୍ଧିତ ବିଷୟବସ୍ତୁ ଦେଖାଇଥାନ୍ତି । ଚାରିରୁ ଆଠ ଜଣ ଲୋକଙ୍କୁ ନେଇ ଗଠିତ ଏକ ଦଳ ଏହି ନାଚ ପରିବେଷଣ କରିଥାନ୍ତି । ନାଗା ନାଚର ନାମକରଣ ଯାଯାବର ନାଗା ଜାତିରୁ ହୋଇଥିବା ଜଣାଯାଏ । ଓଡ଼ିଶା କଳିଙ୍ଗ ଭୁଖଣ୍ଡର ଏକ ଅଂଶ ଥିଲା । କଳିଙ୍ଗ ଦକ୍ଷିଣପୂର୍ବ ଏସିଆ ଛଡ଼ା ଆଧୁନିକ ଭାରତର ଉତ୍ତରରୁ ପୂର୍ବଦେଇ ଦକ୍ଷିଣ ଯାଏ ବ୍ୟାପିଥିବା ବେଳେ ଏଠାରେ ବାସ କରୁଥିବା ନାଗା ଜନଜାତିଙ୍କ ଏହି ନାଚ କ୍ରମେ ଓଡ଼ିଶା ଭିତରେ ହିଁ ରହିଯାଇଥିଲା।

ସମ୍ବଲପୁରୀ ନୃତ୍ୟ

ସମ୍ବଲପୁରୀ ନାଚ ମୁଖ୍ୟତ ଓଡ଼ିଶାର ପଶ୍ଚିମାଞ୍ଚଳରେ ଆଦୃତ ଏକ ଲୋକ ନୃତ୍ୟ । ସେହି ଅଞ୍ଚଳରେ ବାସ କରୁଥିବା ଆଦିବାସୀ ତଥା ଅନ୍ୟ ସମ୍ପ୍ରଦାୟର ଲୋକମାନେ ପୂଜା ପାର୍ବଣ ଓ ଅନ୍ୟ ମେଳା ମଉଛବରେ ଏହି ନାଚ କରିଥାନ୍ତି । ବିଶେଷ ଭାବେ ଏହି ନାଚ ଶୈଳୀରେ ଦେହ ଓ ମୁଖର ବିଭିନ୍ନ ଭଙ୍ଗୀ ଉପରେ ଗୁରୁତ୍ୱ ଦିଆ ହୋଇଥାଏ । ଜଙ୍ଗଲରେ ବସବାସ କରୁଥିବା ଆଦିବାସୀମାନେ ସାଧାରଣତ ଜହ୍ନରାତିରେ ମୁକ୍ତଭାବେ ଏହା ପ୍ରଦର୍ଶନ କରିଥାନ୍ତି ।

ଆହୁରି ଲୋକନାଟ

ଓଡ଼ିଶାରେ ପରମ୍ପରା କ୍ରମେ ପ୍ରଚଳିତ ହୋଇ ଆସିଥିବା ଲୋକନାଟ ଗୁଡ଼ିକ ତଳେ ବର୍ଣ୍ଣନା କରାଗଲା:

ଆଦିବାସୀ ନାଚ

  • ଦେଶିଆ ନାଚ
  • ଗଦବା ନାଚ
  • କନ୍ଧ ନାଚ
  • କୋୟା ନାଚ
  • ଓଁରା ନାଚ
  • ସଉରା ନାଚ
  • ପରଜା ନାଚ

ଆଞ୍ଚଳିକ ନାଟ ଓ ସଙ୍ଗୀତ

  • କରମା
  • କଣ୍ଢେଇ ନାଚ
  • କାଠି କଣ୍ଢେଇ
  • କେନ୍ଦରା ଗୀତ
  • ଖଞ୍ଜଣି ଭଜନ
  • ଗୋଟିପୁଅ ନାଟ :ପୁରୀ ଜିଲ୍ଲା
  • ଘୁମ୍ରା ନାଚ,ଘୁମୁରା ନାଚ
  • ଚୁଟ୍କୁଚୁଟା
  • ଚଇତି ଘୋଡ଼ା ନାଚ : କଟକ ଓ ଢେଙ୍କାନାଳ ଜିଲ୍ଲା
  • ଚକୁଳିଆ ପଣ୍ଡା
  • ଚଢ଼େଇଆ ନାଚ : ବାଲେଶ୍ଵର ଜିଲ୍ଲା
  • ଛଉ ନାଚ : ମୟୂରଭଞ୍ଜ ଜିଲ୍ଲା
  • ଝୁମର : ମୟୂରଭଞ୍ଜ ଜିଲ୍ଲା
  • ଡାଲଖାଇ ନାଚ
  • ଢଣ କୋଇଲା : ଗଞ୍ଜାମ ଜିଲ୍ଲା
  • ଢୁମ୍ପା ସଙ୍ଗୀତ : ନୟାଗଡ଼ ଓ ଗଞ୍ଜାମ ଜିଲ୍ଲା
  • ତାମସା (ତାମସା,ମୋଗଲ ତାମସା):ଭଦ୍ରକ ଜିଲ୍ଲା
  • ଦଣ୍ଡନାଟ
  • ଦାସକାଠିଆ
  • ଧନୁଯାତ୍ରା:ବରଗଡ଼
  • ଧୁଡୁକି ନାଚ
  • ନାଚନିଆଁ
  • ପଶୁନୃତ୍ୟ
  • ପାଟୁଆ ଯାତ୍ରା
  • ପାଟୁଆ ନାଚ
  • ପାଲା
  • ଯୋଡ଼ି ଶଙ୍ଖ ନୃତ୍ୟ:ଗଞ୍ଜାମ ଜିଲ୍ଲା
  • ରଣପା
  • ରାବଣ ଛାୟା
  • ସଖୀନାଟ
  • ସୁଆଙ୍ଗ
    • ଲକ୍ଷ୍ମୀ ପୁରାଣ ସୁଆଙ୍ଗ
    • ବିଲଙ୍କା ରାମାୟଣ ସୁଆଙ୍ଗ
    • ଗଣ୍ଡାବଧ ସୁଆଙ୍ଗ
    • ଚନ୍ଦ୍ରାବତୀ ସୁଆଙ୍ଗ
    • ଉଷାବତୀ ହରଣ ସୁଆଙ୍ଗ
    • ଦକ୍ଷ ଯଜ୍ଞ ସୁଆଙ୍ଗ
  • ସଙ୍କୀର୍ତ୍ତନ
  • ହରିକଥା:ଗଞ୍ଜାମ ଜିଲ୍ଲା
  • ଲଉଡ଼ି ନାଚ
  • ଲଙ୍କାପୋଡ଼ି:ଦଶପଲ୍ଲା
  • ଲୀଳା

ଆଧାର – ସଂସ୍କୃତିକ ଇତିହାସ, ଓଡ଼ିଶା

3.2
Pratap Jena Jan 31, 2018 07:08 PM

ଓଡ଼ିଶାର ଲୋକନୃତ୍ୟ ବିଷୟରେ ସୁନ୍ଦର ଭାବରେ ସୂଚନା ଦିଆଯାଇଛି

ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top