ହୋମ / ସମାଜ କଲ୍ୟାଣ / ଓଡିଶା ର ସଂସ୍କୃତି / ଓଡ଼ିଶାର ନୃତ୍ୟ ଓ ସଙ୍ଗୀତ
ସେଆର କରନ୍ତୁ

ଓଡ଼ିଶାର ନୃତ୍ୟ ଓ ସଙ୍ଗୀତ

ଓଡିଶାର ନୃତ୍ୟ ଓ ସଙ୍ଗୀତ ର ତଥ୍ୟ

ଓଡ଼ିଶୀ

ଭାରତରେ ପ୍ରଚଳିତ ଶାସ୍ତ୍ରୀୟ ନୃତ୍ୟମାନଙ୍କ ମଧ୍ୟରୁ ଓଡ଼ିଶୀ ନୃତ୍ୟ ଅନ୍ୟତମ । ଏହାର ପରମ୍ପରା ଅତି ପ୍ରାଚୀନ । ଖାରବେଳଙ୍କ ସମୟରେ ଖୋତିତ ରାଣୀଗୁମ୍ଫା,ସ୍ଵର୍ଗପୁରୀ ଓ ମଞ୍ଚପୁରୀ ଗୁମ୍ଫାର ଗାତ୍ରରେ ଦେଖିବାକୁ ମିଳୁଥିବା ନର୍ତ୍ତକୀମାନଙ୍କର ପ୍ରତିମା ତଥା ହାତୀଗୁମ୍ଫା ଅଭିଲେଖରେ ବର୍ଣ୍ଣିତ ନୃତ୍ୟ ଓଡ଼ିଶୀନୃତ୍ୟର ପ୍ରାଚୀନତା ପ୍ରତିପାଦନ କରେ । ଭରତଙ୍କ ନାଟ୍ୟଶାସ୍ତ୍ରରେ ଉଲ୍ଲିଖିତ କଳିଙ୍ଗ ନୃତ୍ୟ ଶୈଳୀ ଓଡ଼ିଶୀ ନୃତ୍ୟର ସ୍ଵାତନ୍ତ୍ରତା ପ୍ରମାଣିତ କରେ । ଭୁବନେଶ୍ଵରର ପର୍ଶୁରାମେଶ୍ଵର ମନ୍ଦିର,ବୈତାଳ ମନ୍ଦିର,ଶିଶିରେଶ୍ଵର ମନ୍ଦିର, ମାର୍କଣ୍ଡେଶ୍ଵର ମନ୍ଦିର,ମୁକ୍ତେଶ୍ଵର ମନ୍ଦିର, ରାଜରାଣୀ ମନ୍ଦିର,ଲିଙ୍ଗରାଜ ମନ୍ଦିର, ମେଘେଶ୍ଵର ମନ୍ଦିର ପ୍ରଭୃତି, ପୁରୀର ଜଗନ୍ନାଥ ମନ୍ଦିର ଏବଂ କୋଣାର୍କ ସୂର୍ଯ୍ୟମନ୍ଦିରରବର୍ହିଭାଗରେ ଖୋଦିତ ନର୍ତ୍ତକୀ ଓ ନାୟିକାମାନଙ୍କର ଅଙ୍ଗଭଙ୍ଗୀ ଓ ମୁଦ୍ରାରୁ ଓଡ଼ିଶୀ ନୃତ୍ୟର ପରମ୍ପରା ସମୃଦ୍ଧ ହୋଇଥିବା ଜଣାଯାଏ । ପରବର୍ତ୍ତୀ କାଳରେ ଏହି ନୃତ୍ୟ ଦେବଦାସୀ ନୃତ୍ୟ (ମାହାରୀ) ଓ ଗୋଟିପୁଅମାନଙ୍କ ଦ୍ଵାରା ପରିବେଷିତ ହୋଇ ଆସୁଥିଲା । ଆମଦେଶ ସ୍ଵାଧୀନ ହେବା ପରେ ଏହି ନୃତ୍ୟ ପରମ୍ପରାର ପୁନରୁଦ୍ଧାର କରାଯାଇ ଓଡ଼ିଶୀ ନାମରେ ନାମିତ କରାଗଲା ଓ ଏହା ଶାସ୍ତ୍ରୀୟ ନୃତ୍ୟର ମର୍ଯ୍ୟାଦା ଲାଭ କଲା । ଏହି ଉଦ୍ୟମରେ ସାର୍ଥକତା ଲାଭକରିଥିବା ବ୍ୟକ୍ତିମାନକ ମଧ୍ୟରୁ କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ, ନୃତ୍ୟଗୁରୁ ପଙ୍କଜଚରଣ ଦାସ, ଦେବପ୍ରସାଦ ଦାସ ଓ କେଳୁଚରଣ ମହାପାତ୍ର ଅନ୍ୟତମ ।

ଓଡ଼ିଶୀ ଭାରତର ଆଠଟି ଶାସ୍ତ୍ରୀୟ ନାଟ ଭିତରୁ ଗୋଟିଏ । ଏହା ଓଡ଼ିଶାରୁ ଜନ୍ମ ଲାଭ କରିଛି । ପୁରାତନ ତତ୍ଵ ଅନୁସାରେ ଏହା ଭାରତର ଜୀବନ୍ତ ନୃତ୍ୟକଳା ଭିତରୁ ଗୋଟିଏ । ଭାରତୀୟ ନୃତ୍ୟକଳାର ପୋଥି ନାଟ୍ୟ ଶାସ୍ତ୍ରଏହାକୁ ଓଡ୍ର-ମାଗଧି ବୋଲି କହେ । ପ୍ରଥମ ଖ୍ରୀଷ୍ଟପୂର୍ବ ବେଳକୁ ଭୁବନେଶ୍ୱରର ଖଣ୍ଡଗିରି ଓ ଉଦୟଗିରି ଠାରେ ଓଡ଼ିଶୀ ଏକ ଉନ୍ନତ ନୃତ୍ୟକଳାରେ ପରିଣତ ହୋଇସାରିଥିଲା ଯାହା ସେ କେତେ ପୁରୁଣା ସେକଥା ପ୍ରମାଣ କରେ । ପରାଧୀନ ଭାରତରେ ଫିରିଙ୍ଗିମାନଙ୍କ ଦେଇ ଏହା କିଛି ପରିମାଣରେ ଦବିଯାଇଥିଲେ ହେଁ ସ୍ଵାଧୀନତା ପରେ ଓଡ଼ିଶୀ ପୁଣି ତାର ଆଗର ଗୌରବ ଫେରିପାଇଥିଲା ।

ଏହାର ତ୍ରିଭଙ୍ଗୀ ଠାଣି ବା ଦେହର ତିନୋଟି ଅଙ୍ଗ- ମୁଣ୍ଡ, ଛାତି ଓ ଅଣ୍ଟାର ସ୍ଵାଧୀନ ଗତି ଏହାକୁ ବାକି ଭାରତୀୟ ନାଟ ଠାରୁ ପୁରାପୁରି ନିଆରା କରି ଗଢ଼ିତୋଳିଛି ।ଆଉ ମୌଳିକ ଚଉକୋଣ ନାଚକୁ ଚଉକା କୁହାଯାଏ ।

ବୈଶିଷ୍ଟ

ଓଡ଼ିଶୀନୃତ୍ୟର ବୈଶିଷ୍ଟ ହେଲା ଅଙ୍ଗଭଙ୍ଗୀ ଓ ଲାଳିତ୍ୟ ଓ ଏହାର ପାଞ୍ଚଗୋଟି ପର୍ଯ୍ୟାୟ ହେଲା : ମଙ୍ଗଳାଚରଣ,ବଟୁ,ପଲ୍ଲବୀ,ଅଭିନୟ ଓ ମୋକ୍ଷ । ନୃତ୍ୟ ଆରମ୍ଭରେ ନର୍ତ୍ତକୀ ଶ୍ରୀଜଗନ୍ନାଥଙ୍କୁ ପୁଷ୍ପାଞ୍ଜଳୀ ଦ୍ଵାରା ପ୍ରଣାମ ନିବେଦନ କରେ ଓ ଶେଷରେ ମୋକ୍ଷ ଲାଭ କାମନା କରି ପ୍ରଣତି ଜଣାଏ । ଏହି ନୃତ୍ୟରେ ପଖଉଜ,ବେହେଲା,ଗିନି,ଝାଞ୍ଜ,ବଂଶୀ ଇତ୍ୟାଦି ବାଦ୍ୟଯନ୍ତ୍ର ବ୍ୟବହାର କରାଯାଏ । ଆଜି ଓଡ଼ିଶୀ ନୃତ୍ୟ ସମଗ୍ର ଭାରତ ବର୍ଷ ଓ ପୃଥିବୀରେ ବିଶେଷଭାବେ ଆଦୃତ ହୋଇପାରିଛି ।

ଆରମ୍ଭ ଓ ଇତିହାସ

ଜଗନ୍ନାଥ ମନ୍ଦିର ନୀତିରେ ଓଡ଼ିଶୀ

ଖାରବେଳଙ୍କ ସମୟରେ ଅଙ୍କାଯାଇଥିବା ଉଦୟଗିରିର ମଞ୍ଚପୁରି ଗୁମ୍ଫାରେ ସବୁଠୁ ପୁରୁଣା ଓଡ଼ିଶୀ ନାଚର ଛବି ଦେଖିବାକୁ ମିଳିଥାଏ । ନାରୀମାନଙ୍କ ବାଦ୍ୟଯନ୍ତ୍ର ବାଜଣା ସହ ଓଡ଼ିଶୀ ନର୍ତ୍ତକୀମାନଙ୍କର ନାଚକୁ ଖାରବେଳ ଉପଭୋଗ କରୁଥିଲେ । ତେଣୁ ଆରମ୍ଭରେ ଏହା ଧର୍ମ ସହ ଯୋଡ଼ା ନଥିଲା, ପରେ ଏହା ମନ୍ଦିର ଚଳଣିରେ ଯୋଡ଼ିହେଲା । ଜଗନ୍ନାଥ ମନ୍ଦିରରୁ ପ୍ରଥମେ ଆରମ୍ଭ କରି ତା ପରେ ବାକି ଶିବ ଓ ବିଷ୍ନୁ ମନ୍ଦିରମାନଙ୍କରେ ଆରମ୍ଭ ହେଲା । ଗୋଟିଏ ପୁରୁଣା ପୋଥି ଦେବଦାସୀମାନେ ଜୈନ ଓ ବୌଦ୍ଧ ସଙ୍ଘମାନଙ୍କରେ ନାଚିବାର ପ୍ରମାଣ ଦିଏ । ଓଡ଼ିଶୀ, ପ୍ରଥମେ ମନ୍ଦିରମାନଙ୍କରେ 'ମାହାରି' ମାନେ ନିଜ ଜୀବନ ଭଗବାନଙ୍କ ପାଖରେ ଅର୍ପଣ କରିବାର ଚଳଣି ଆରମ୍ଭ କରିଥିଲେ ଯାହା ଓଡ଼ିଶାର ମନ୍ଦିର କାନ୍ଥରେ ଥିବା ମୂର୍ତ୍ତୀରୁ ଜଣାପଡ଼େ । ଖ୍ରୀଷ୍ଟପୂର୍ବ ଦ୍ଵିତୀୟର ଓଡ଼ିଶୀର ଇତିହାସ ଉଦୟଗିରିର ରାଣୀଗୁମ୍ଫାରୁ ମିଳିଥିବା ପୋଥିରୁ ଜଣାଯାଏ । ତେଣୁ ଇତିହାସ, ରିତିନୀତି ଓ ଚଳଣିକୁ ଆଖିରେ ରଖି ଓଡ଼ିଶୀକୁ ସବୁଠୁ ପୁରୁଣା ଶାସ୍ତ୍ରୀୟ ନାଚର ମାନ୍ୟତା ଦିଆଯାଏ । ନାଟ୍ୟ ଶାସ୍ତ୍ରରେ ବି ଓଡ୍ର ମାଗଧିକୁ ଗୁରୁତ୍ତ୍ଵ ଦିଆଯାଇଛି ଆଉ ଓଡ୍ର ଓଡ଼ିଶାକୁ ହିଁ ସୂଚାଏ ।

ମନ୍ଦିର ଇତିହାସ

ଖ୍ରୀଷ୍ଟପୂର୍ବ ୨ୟ ଶତାବ୍ଦୀରେ ତିଆରି ଭୁବନେଶ୍ୱରରେ ଥିବା ଖଣ୍ଡଗିରି ଓ ଉଦୟଗିରି ସେତେବେଳର ସମ୍ରାଟ ଖାରବେଳଙ୍କ ଦ୍ଵାରା ତିଆରି କରାଯାଇଥିଲା । ଗବେଷକମାନେ କହନ୍ତି ଗୁମ୍ଫାରେ ଅଙ୍କାଯାଇଥିବା ହେତୁ ଓ ଅନେକ ସେହିଭଳି ପୁରୁଣା ପ୍ରମାଣ ମିଳୁଥିବାରୁ ଓଡ଼ିଶୀ ସବୁଠୁ ବେଶି ପୁରୁଣା ନୃତ୍ୟକଳା । କୋଣାର୍କ ଓ ବ୍ରହ୍ମେଶ୍ଵର ମନ୍ଦିର କାନ୍ଥରେ ଅଙ୍କା ଚିତ୍ରରେ ବି ନାଚୁଥିବା ଓଡ଼ିଶୀ ନର୍ତ୍ତକ ଓ ନର୍ତ୍ତକୀ ଦେଖିବାକୁ ମିଳନ୍ତି । ଷଷ୍ଠ-ନବମ ଶତାବ୍ଦୀରେ ତିଆରି ହୋଇଥିବା ବୌଦ୍ଧ କୀର୍ତ୍ତି, ଯାଜପୁରରରତ୍ନଗିରିରେ ଥିବା ପାହାଡ଼ରେ ଏବେକାର ଓଡ଼ିଶୀ ସହ ସମାନତା ଥିବା ନାଚ ଉପରେ ଅଙ୍କାଯାଇଥିବା ଚିତ୍ର ଦେଖିବାକୁ ମିଳେ । ହିରାପୁରର ଚଉଷଠି ଯୋଗିନି ମନ୍ଦିର ଭଳି ତନ୍ତ୍ର ମନ୍ଦିରମାନଙ୍କରେ ଥିବା ଯୋଗିନିମାନେ ଯେଉଁ ମୁଦ୍ରାରେ ଅଛନ୍ତି ସେସବୁ ଏବେକାର ଓଡ଼ିଶୀର ଇତିହାସ ଜାଣିବାରେ ସାହାଯ୍ୟ କରେ । ଓଡ଼ିଶୀ, ଓଡ଼ିଶାର ଶିବ, ବିଷ୍ଣୁ ଓ ବାକି ମନ୍ଦିର (କୋଣାର୍କରସୁର୍ଯ୍ୟ ମନ୍ଦିର)ରେ ଥିବା ଅଗଣିତ ମୂର୍ତ୍ତିରେ ଦେଖିବାକୁ ମିଳେ ।

ଶିକ୍ଷାରେ

୨୦୧୫ ଠାରୁ ଭୁବନେଶ୍ଵରର ଭାରତୀୟ ବୈଷୟିକ ଅନୁଷ୍ଠାନର ବିଟେକ ପାଠ୍ୟକ୍ରମରେ ଓଡ଼ିଶୀ ସାମିଲ ହୋଇଛି । ଏହା କୌଣସି ଶାସ୍ତ୍ରୀୟ ନାଚକୁ ପାଟଃଯକ୍ରମ କରିବାରେ ପ୍ରଥମ ବୈଷୟିକ ଅନୁଷ୍ଠାନ ।

କରମା ନାଚ

ଏହା କରମ ଦେବତୀ (କରମଶୁଣି) ଙ୍କ ପୂଜା ପାଇଁ କରା ଯାଇ ଥାଏ । ଭାଦ୍ରବ ଶୁକ୍ଲ ଏକାଦଶୀରେ ଏହା ଆରମ୍ଭ ହୋଇ କିଛି ଦିନ ପର୍ଯ୍ୟନ୍ତ ଚାଲି ଥାଏ । ଏହି ନୃତ୍ୟ ଓଡ଼ିଶାର ସମ୍ବଲପୁର, ମୟୂରଭଞ୍ଜ, ଢେଙ୍କାନାଳ ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ଦେଖା ଯାଏ । ପୂଜା ଦିନ ଦୁଇ ଜଣ ଯୁବତୀ କନ୍ୟା “କରମା” ଗଛର ଡାଳକୁ ଆଣି ଦେବତାଙ୍କ ଆସ୍ଥାନ ରେ ରଖି ଥାନ୍ତି । ଏହି କରମା ଡାଳକୁ “କରମଶୁଣି “ ଦେବୀ ହିସାବ ରେ ପୂଜା କରା ଯାଏ । ଏହା ସହିତ ଅଙ୍କୁରିତ ଗଜା, ଘାସ ଫୁଲ ଏବଂ ଦେଶୀ ମଦ୍ୟ ମଧ୍ୟ ଦେବତୀଙ୍କୁ ଅର୍ପଣ କରା ଯାଏ । ପୂଜା ପରେ ଯୁବକ ଯୁବତୀମାନେ ମାଦଳର ତାଳେ ତାଳେ ନୃତ୍ୟ କରି ଥାନ୍ତି । ପ୍ରାୟତଃ ଏହି ନାଚରେ ଗୋଡ଼ ଏବଂ ପାଦର ବ୍ୟବହାର ଅଧିକ ହୁଏ । ଅଣ୍ଟା ରେ ହାତ ଛନ୍ଦା ଛନ୍ଦି ହୋଇ ଆଦିବାସୀ ଯୁବକ ଯୁବତୀମାନେ ନାଚ ଆରମ୍ଭ କରି ଥାନ୍ତି । ନୃତ୍ୟ ଆରମ୍ଭ ଯଦିଓ ମନ୍ଥର ଗତି ରେ ଆରମ୍ଭ ହୁଏ, ଧୀରେ ଧୀରେ ନାଚର ଗତି ମାଦଳ ର ଶବ୍ଦ ଠାରୁ ମଧ୍ୟ ଦ୍ରୁତତର ହୁଏ । ଏହି ନୃତ୍ୟ ଗ୍ରାମ ଦେବତୀ ଙ୍କ ଆସ୍ଥାନ ନିକଟ ରେ ହୋଇ ଥାଏ ଏବଂ ସାରା ରାତି ଏହି ନାଚ ଚାଲି ଥାଏ ।

ଖଞ୍ଜଣି

ଖଞ୍ଜଣି ଏକ ପାରମ୍ପାରିକ ଓଡ଼ିଆ ବାଦ୍ୟଯନ୍ତ୍ର । ଖଞ୍ଜଣି ବଜାଇ ମୁଖ୍ୟତଃ ଭଜନ ଓ ଲୋକଗୀତ ପରିବେଷଣ କରାଯାଏ ।[୨]

ଖଞ୍ଜଣି, ଏକ ଏକମୁହାଁ ବାଦ୍ୟଯନ୍ତ୍ର । ତିନି-ଚାରି ଆଙ୍ଗୁଳି ଚଉଡା ଗୋଲାକାର କାଠ ବା ମାଟି ବଳୟର ଗୋଟିଏ ପାଖରେ ଚମଡା ଛାଉଣି କରି ଏହି ବାଦ୍ୟଯନ୍ତ୍ରକୁ ତିଆରି କରାଯାଇଥାଏ । ଅପର ପାଖଟି ଖୋଲା ଥାଏ । ଖଞ୍ଜଣିକୁ ବାମ ହାତରେ ଧରି ଡାହାଣ ହାତ ଆଙ୍ଗୁଳିଦ୍ଵାରା ବଜାଯାଏ । ଖଞ୍ଜଣିରେ ଛୋଟ ଛୋଟ ଏକାଧିକ ଝାଞ୍ଜ ଖଞ୍ଜାଯାଇଥାଏ । ଖଞ୍ଜଣି ବାଜିଲେ, ଝାଞ୍ଜ ବାଜେ ।[୩] ଖଞ୍ଜଣି ବଜାଇବା ପ୍ରକ୍ରିୟାକୁ "ଖଞ୍ଜଣି ମାଡ଼" ବୋଲି କୁହାଯାଏ ।

ଓଡ଼ିଶାର ଗ୍ରାମାଞ୍ଚଳରେ ଥିବା ଲୋକମାନେ ଭାଗବତ ଟୁଙ୍ଗୀମାନଙ୍କରେ ଖଞ୍ଜଣି ବଜେଇ ଭଜନ ଗାଇ ଭଗବାନଙ୍କୁ ସ୍ମରଣ କରିଥାନ୍ତି । ଆଜିକାଲି ଭାଗବତ ଟୁଙ୍ଗୀ କମିବା ସହ, ଖଞ୍ଜଣିର ଆଦୃତି ମଧ୍ୟ କମିବାକୁ ଲାଗିଛି । ତେବେ ବୈଷ୍ନବ ଓ ମହିମା ଧର୍ମାବଲମ୍ବୀମାନଙ୍କ ମଧ୍ୟରେ ଖଞ୍ଜଣିର ପ୍ରସାର ଏବେ ମଧ୍ୟ ରହିଛି । ଖଞ୍ଜଣି ଓଡ଼ିଶା ବ୍ୟତିତ ମଧ୍ୟ-ପ୍ରାଚ୍ୟ, କୁର୍ଦିସ୍ତାନ, ଇରାନ, ଆର୍ମେନିୟା, ତୁର୍କି, ପାକିସ୍ତାନ, ଆଫଗାନିସ୍ତାନ ଓ କେନ୍ଦ୍ର-ଏସିଅ ଦେଶମାନଙ୍କରେ ମଧ୍ୟ ବ୍ୟବହାର କରାଯାଏ । ଏସବୁ ଅଞ୍ଚଳରେ ଏହି ଖଞ୍ଜଣି ଜାତୀୟ ବାଦ୍ୟଯନ୍ତ୍ର ଡାପ, ଡାଫ, ଡଫଲୀ, ଟାଫ, ଡେଫ ଆଦି ନାମରେ ପରିଚିତ ।

ଚଇତି ଘୋଡ଼ା ନାଚ

ଚଇତି ଘୋଡ଼ା ନାଚ (ଘୋଡ଼ା ନାଚ ନାମରେ ମଧ୍ୟ ଜଣା) ଓଡ଼ିଶାର ଏକ ପାରମ୍ପରିକ ଲୋକନୃତ୍ୟ । ଏହା ମୁଖ୍ୟତଃ ଓଡ଼ିଶାର ଉପକୂଳ ଅଞ୍ଚଳରେ କେଉଟମାନଙ୍କ ଦ୍ୱାରା ଆରମ୍ଭ ହୋଇ ସେହି ଅଞ୍ଚଳମାନଙ୍କରେ ଚୈତ୍ର ମାସ ପୂର୍ଣ୍ଣିମା ତିଥିରେ ପରିବେଷିତ ହୋଇଥାଏ । କେଉଟମାନେ ବାଉଁଶ ବତାରେ ଘୋଡ଼ାର ପାଦହୀନ ଦେହ ଓ ବେକ ଆକାରର ଗୋଟିଏ ଥାଟ ତିଆରି କରି ତା ଉପରେ ଲୁଗା ଆଦି ଘୋଡ଼ାନ୍ତି ଓ ବେକ ଉପରେ ଘୋଡ଼ାମୁହଁ ପରି ଚିତ୍ରିତ ମୁଖାଟିଏ ଲଗାନ୍ତି ଉକ୍ତ ଚଇତିଘୋଡ଼ାର ପିଠିରେ ଗୋଟିଏ କଣା ଥାଏ ସେହି କଣାବାଟେ ମନୁଷ୍ୟ ଅଣ୍ଟା ପର୍ଯ୍ୟନ୍ତ ପଶି କରି ଭୂମିରେ ଠିଆହୁଏ ଓ ଘୋଡ଼ାରୂପର ଆଗରୁ ଓ ପଛରୁ ଡ଼ୋରି ଲଟକା ଯାଏ ମନୁଷ୍ୟର ଅଣ୍ଟାଠାରୁ ନିମ୍ନ ଅଂଶ ଘୋଡ଼ା ଭିତରେ ଲୁଚି ଥାଏ ଓ ଅଣ୍ଟା ଠାରୁ ଉପର ଅଂଶ ଘୋଡ଼ା ଭିତରେ ବସିବା ପରି ଅନୁମିତ ହୁଏ । ଏ ବ୍ୟକ୍ତି ନାଚିବା ସଙ୍ଗେ ସଙ୍ଗେ ଘୋଡ଼ା ମଧ୍ୟ ନାଚେ ଘୋଡ଼ାର ମୁହଁଆଡ଼େ ଲଗାମପରି କନାଡ଼ୋରି ବନ୍ଧା ହୋଇଥାଏ ଉକ୍ତ ଡ଼ୋରିକୁ ନାଚିବାବାଲା ଧରି ଘୋଡ଼ାର ଲଗାମ ଧରିବାର ଅଭିନୟ କରେ କେଉଟମାନେ ଏହି ପର୍ବ ଉପଲକ୍ଷରେ ଚଢ଼େଇବା ଓ ଚଢ଼ଉଣୀ ବେଶ ହୋଇ ନାଚନ୍ତି ଓ ଗୀତ ବୋଲନ୍ତି । ଘୋଡ଼ାନାଚରେ ଜଣେ ଲେଖାଏଁ ଗାୟକ, ପାଳିଆ, ଢୋଲକିଆ, ମହୁରିଆ, ରାଉତ, ରାଉତାଣୀ ଥାଆନ୍ତି । ଗାୟକ ବିଷୟବସ୍ତୁ ଗାଉଥିବା ବେଳେ ପାଳିଆ ପାଳିଧରେ, ଢୋଲକିଆ ବାଜା ବଜାଏ ଓ ରାଉତ ସଜ୍ଜିତ କାଠଘୋଡ଼ା ଚଢ଼ି ରାଉତାଣୀ ସହ ନୃତ୍ୟ କରୁଥାଏ । ମା’ ବାସେଳୀଙ୍କ ବନ୍ଦନାରୁ ଆରମ୍ଭ ହୁଏ ଘୋଡ଼ାନାଚ, ପରେ ରାଧାକୃଷ୍ଣଙ୍କ ଲୀଳା, ଶିବପାର୍ବତୀଙ୍କକାହାଣୀକୁ ଗୀତ ଓ ନୃତ୍ୟ ମାଧ୍ୟମରେ ପରିବେଷଣ କରାଯାଏ । ଏଥିପାଇଁ କୌଣସି ନିର୍ଦ୍ଧିଷ୍ଟ ବହି ନଥାଏ କୈବର୍ତ୍ତ ଗୀତା, କୈବର୍ତ୍ତ ପୁରାଣ ଓ କୈବର୍ତ୍ତ ସଂହିତାରୁ ବିଷୟବସ୍ତୁ ଉଦ୍ଧାର କରି ଗାୟକ ସେଗୁଡ଼ିକୁ ପାରମ୍ପରିକ ସ୍ଵରରେ ପଡ଼ିବା ଭଳି ଶବ୍ଦ ସଂଯୋଜନା କରି ସ୍ଵର ଦେଇଥାନ୍ତି ।

ପୌରାଣିକ କିମ୍ବଦନ୍ତୀ

ପୌରାଣିକ ମତେ ସତ୍ୟଯୁଗରେ ପୃଥିବୀ ଜଳାର୍ଣ୍ଣବ ହୋଇଥିଲା । କଳ୍ପବଟ ଛଡ଼ା ଆଉସବୁ ଜଳ ମଧ୍ୟରେ ବୁଡ଼ିରହିଥିଲା । କଳ୍ପବଟରେ ଅନନ୍ତ ଶୟନରେ ଥିବା ବିଷ୍ଣୁ ନିଜ କର୍ଣ୍ଣମୂଳ ମଳିରୁ ପୁରୁଷ ତିଆରି କଲେ । ପାଣି ଭିତରେ ଥିବା ରାଘବ ମତ୍ସ୍ୟ ସେହି ପୁରୁଷକୁ ଗିଳିଦେଲା । ଚୈତ୍ର ପୂର୍ଣ୍ଣିମା ଦିନ ବିଷ୍ଣୁଙ୍କ ନିଦ୍ରାଭଙ୍ଗ ହେବାପରେ ସେ ରାଘବ ମତ୍ସ୍ୟକୁ ହତ୍ୟାକରି ପୁରୁଷକୁ ଉଦ୍ଧାର କଲେ ଓ ସେ ପୁରୁଷ କୈବର୍ତ୍ତ ନାମରେ ନାମିତ ହେଲା । ପୃଥିବୀ ପୂର୍ବ ଅବସ୍ଥାକୁ ଫେରିଲା । ବିଷ୍ଣୁ କୈବର୍ତ୍ତକୁ ଘୋଡ଼ା ଦେଇ ତାର ଆରାଧ୍ୟ ଦେବୀ ବାସେଳୀ ଠାକୁରାଣୀଙ୍କୁ ଆରାଧନା କରି ସୁଖରେ ବଞ୍ଚିବାକୁ କହିଲେ । ସେବେଠାରୁ କୈବର୍ତ୍ତ ମାଛ ମାରିଲା ଓ ଚୈତ୍ର ପୂର୍ଣ୍ଣିମାରେ ବାସେଳୀଙ୍କୁ ପୂଜା କରି ତାଙ୍କ ପାଖରେ ଘୋଡ଼ା ନାଚ କଲା । ଏହିଦିନ କୈବର୍ତ୍ତମାନେ ନୂଆବସ୍ତ୍ର ପିନ୍ଧିବା ସହ ଡ଼ଙ୍ଗା ଓ ଜାଲ ପୂଜା କରିଥାନ୍ତି ।

ଅନ୍ୟ ଏକ ମତ ଅନୁସାର ରାମଚନ୍ଦ୍ର ବନବାସ କରିବାକୁ ଯିବା ସମୟରେ ତାଙ୍କୁ ଯେଉଁ ଧୀବର ବା ଦାସରାଜ ଡଙ୍ଗାରେ ବସାଇ ସରଯୁନଦୀକୁ ପାର କରାଇଥିଲା, ରାମଚନ୍ଦ୍ର ତାକୁ ଗୋଟିଏ ଘୋଡ଼ା ପୁରସ୍କାର ରୂପେ ଦେଇଥିଲେ; ସେହି ଦିନରୁ କେଉଟମାନେ ଘୋଡ଼ାର ରୂପ ନିର୍ମାଣ କରି ପୂଜା କରି ଆସୁଅଛନ୍ତି ।

ଚଢ଼େଇଆ ନାଚ

ଚଢ଼େଇଆ ନାଟ ବା ଚଢ଼େଇଆ ନାଚ ଏକ ପାରମ୍ପାରିକ ଓଡ଼ିଆ ଗୀତ-ନାଟ/ନୃତ୍ୟ କଳା । ଏହି ନୃତ୍ୟକଳାଟି ଦଣ୍ଡ ନାଚର ଏକ ପ୍ରକାରଭେଦ ଓ ମୟୂରଭଞ୍ଜ ଛଉ ନାଚ ସହିତ ଏହାର ବହୁ ସମାନତା ପରିଲେକ୍ଷିତ କରାଯାଏ । ଏହା ବିଶେଷକରି ଭଦ୍ରକ, ବାଲେଶ୍ଵର ଓ ମୟୂରଭଞ୍ଜର ଗ୍ରାମାଞ୍ଚଳରେ ପରିବେଷଣ କରାଯାଏ । ଏଥିରେ ଜଣେ ପୁରୁଷ ଓ ଜଣେ ମହିଳା ଯୋଡ଼ି ହୋଇ ନାଚିଥାନ୍ତି । ନର୍ତ୍ତକଙ୍କୁ ଚଢ଼େଇଆ ଓ ନର୍ତ୍ତକୀଙ୍କୁ ଚଢ଼େଇଆଣୀ କୁହାଯାଇଥାଏ । ଏକ ବାଦନ ଦଳ ଗୀତ ବୋଲିଥାନ୍ତି ଯାହାର ତାଳେ ତାଳେ ଚଢ଼େଇଆ ଓ ଚଢ଼େଇଆଣୀ ଅଭିନୟ କରି ନାଚିଥାନ୍ତି । ନାଚ ମାଧ୍ୟମରେ ମଉସା ଓ ଚୌକିଆ ହାସ୍ୟ ଅଭିନୟକରି ଲୋକଙ୍କର ମନୋରଞ୍ଜନ କରିଥାନ୍ତି । ନାଚରେ ହାରମୋନିୟମ, ଢୋ଼ଲ ଓ କୁବୁଜି ଆଦି ବାଦ୍ୟଯନ୍ତ୍ରର ବ୍ୟବହାର କରାଯାଇଥାଏ । ପ୍ରୋସ୍ଚାହନର ଅଭାବ ତଥା ନୂତନ ପିଢିଙ୍କର ଅନାଗ୍ରହ ଏହି ଲୋକନୃତ୍ୟକୁ ବିଲୁପ୍ତପ୍ରାୟ ଅବସ୍ଥାକୁ ଆଣିସାରିଲାଣି ।

ଇତିହାସ

ଚଢ଼େଇଆ ହେଉଛନ୍ତି କେଳା ଓ ଶବର । ସେମାନେ ବଣ ଜଙ୍ଗଲରୁ ଚଢ଼େଇ ଧରି ବିକିବା, ସାପ ଧରି ଗାଁ ଗଣ୍ଡାରେ ସାପ ଖେଳାଇ ଜୀବନ ଚଳାଇଥାନ୍ତି । କେଳୁଣି ବା ଶବରୁଣି ଗାଁ ରେ ବୁଲି ଚିତା କୁଟାଇଥାନ୍ତି । ସେମାନଙ୍କର ଜୀବନ ଜୀବିକା ଚଳଣି ଓ ପରମ୍ପରାକୁ ନେଇ ଚଢ଼େଇଆ ନାଟର ଆରମ୍ଭ ।

ଛଉ ନାଚ

ଛଉ ନାଚ (ଛଉ ନାଟ) ଏକ ଯୁଦ୍ଧଭିତ୍ତିକ ଭାରତୀୟ ନାଟ ଯାହା ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାରୁ ଜନ୍ମଲାଭ କରିଛି ।

ପ୍ରକାର

ଛଉ ନାଚରେ ବ୍ୟବହୃତ ହେଉଥିବା ଖଣ୍ଡା ଓ ଢାଲ ।

ଏହା ମୁଖ୍ୟତଃ ତିନି ପ୍ରକାରର:

•          ମୟୂରଭଞ୍ଜ ଛଉ

ଏହା ମୟୂରଭଞ୍ଜରୁ ଜନ୍ମଲାଭ କରିଛି । ଏଥିରେ ନାଟ ସାଙ୍ଗରେ ତୁରୀ, ମାଦଳ ଓ ଅନ୍ୟାନ୍ୟ ବାଦ୍ୟଜନ୍ତ୍ରର ବାଦନ କରି ନାଚ ମାଧ୍ୟମରେ ଯୁଦ୍ଧର ବର୍ଣ୍ଣନା କରାଯାଇଥାଏ ।

•          ସଢ଼େଇକଳା ଛଉ

ଏହା ପୁରାତନ ଓଡ଼ିଶା ଓ ଏବେକାର ଝାଡ଼ଖଣ୍ଡର ସଢ଼େଇକଳାରେ ଦେଖିବାକୁ ମିଳେ ।

•          ପୁରୁଲିଆ ଛଉ

ଏହା ପଶ୍ଚିମବଙ୍ଗର ପୁରୁଲିଆ ଠାରେ ଦେଖିବାକୁ ମିଳେ

ଛଉ ଶବ୍ଦର ଜନ୍ମ

ଓଡ଼ିଆ ଭାଷାର ପ୍ରଖ୍ୟାତ ସାହିତ୍ୟିକ ଓ ଗବେଷକ ସୀତାକାନ୍ତ ମହାପାତ୍ରଙ୍କ ଅନୁସାରେ "ଛଉ" ଶବ୍ଦ ଓଡ଼ିଆ ଶବ୍ଦ "ଛାଉଣି"ରୁ ଆସିଅଛି ଯାହାର ଅର୍ଥ ସେନାଛାଉଣି ଓ ଏହା ରାଜାରାଜୁଡ଼ା ସମୟର ସେନାମାନଙ୍କ ଯୁଦ୍ଧ କଳାରୁ ଜନ୍ମ ନେଇଛି।

ଛଉ ନୃତ୍ୟରେ ପୁରସ୍କାରପ୍ରାପ୍ତ ବ୍ୟକ୍ତି ଗଣ

ପଦ୍ମଶ୍ରୀ ପୁରସ୍କାର

1.         ପଣ୍ଡିତ ଗୋପାଳ ପ୍ରସାଦ ଦୁବେ (୨୦୧୧)(ଝାରଖଣ୍ଡ)

2.         ମକର ଧ୍ବଜ ଦାରୋଗା (୨୦୧୧) (ଝାଡ଼ଖଣ୍ଡ)

ସଂଗୀତ ନାଟକ ଏକାଡେମୀ ପୁରସ୍କାର

1.         ସୁଧେନ୍ଦ୍ର ନାରାୟଣ ସିଂଦେଓ (୧୯୬୩) (ଷଢେଈକଳା ଛଉ)

2.         ଅନନ୍ତ ଚରଣ ସାଈ (୧୯୭୧)(ମୟୂରଭଞ ଛଉ)

3.         କୃଷ୍ଣ ଚନ୍ଦ୍ର ନାୟକ (୧୯୭୫) (ମୟୂରଭଞ ଛଉ)

4.         କେଦାରନାଥ ସାହୁ (୧୯୮୧) (ଷଢେଈକଳା ଛଉ)

5.         ଗମ୍ଭୀର ସିଂ ମୁରା (୧୯୮୨) (ପୁରୁଲିଆ ଛଉ)

6.         ମଦନ ମୋହନ ଲେଂକା (୧୯୮୭)(ମୟୂରଭଞ ଛଉ)

7.         ଶ୍ରୀ ହରି ନାୟକ (୧୯୮୮)(ମୟୂରଭଞ ଛଉ)

8.         ବିକ୍ରମ କୁମ୍ଭକାର (୧୯୯୦) (ମୟୂରଭଞ ଛଉ)

9.         ଚନ୍ଦ୍ର୍ ଶେଖର ଭଞ(୧୯୯୧)(ମୟୂରଭଞ ଛଉ)

10.       ଶଶଧର ଆଚାର୍ଯ୍ୟ (୨୦୦୪) (ଷଢେଇକଳା ଛଉ)[୩]

ଦାଶକାଠିଆ

ଦାଶକାଠିଆ ଏକ ପାରମ୍ପାରିକ ଓଡ଼ିଆ ସଙ୍ଗୀତ-ନାଟ କଳା । ଏହା ଗଞ୍ଜାମ ସମେତ ଓଡ଼ିଶାର ଅନେକ ଜିଲ୍ଲାରେ ଅଭିନୀତ ହୋଇଥାଏ ।

ଏହା ଆଗକାଳରେ ମନୋରଞ୍ଜନ ଏକ ମୁଖ୍ୟ ମାଧ୍ୟମ ଥିଲା । ଏଠିରେ ଏକ କାଠ ଯୋଡ଼ାକୁ ନିଜ ନିଜ ସହିତ ବଜାଇ ଏକ ନିଆରା ଶବ୍ଦ ତିଆରି କରାଯାଇଥାଏ, ପାଳିଆ ଓ ଗାହାଣ ଏହାକୁ ବ୍ୟବହାର କରି ଗୀତ ଓ ଅଭିନୟ ମାଧମରେ ଏକ ପୁରାଣ ବର୍ଣ୍ଣନାକୁ ପରିବେଷଣ କରିଥାନ୍ତି ।

ଶବ୍ଦାର୍ଥ

'ଦାସ'ର ଅର୍ଥ ହେଉଛି ସେବକ ଓ 'କାଠିଆ' ଅର୍ଥ ହେଉଛି କାଠରେ ତିଆରି ଯୋଡ଼ା ଯାହା ଗାହାଣ ଓ ପାଳିଆଙ୍କ ଦେଇ ବଜାଯାଇଥାଏ । ଏଥିରେ ଗାହାଣ ଓ ପାଳିଆ ନିଜକୁ ଭଗବାନ ଶିବଙ୍କ ଦାସ ଭାବରେ ଗ୍ରହଣ କରି ତାଙ୍କର ବନ୍ଦନାପୂର୍ବକ ଗୀତ ଗାନ କରି ଅଭିନୟ ମାଧ୍ୟମରେ ଦାସକାଠିଆ ପରିବେଷଣ କରିଥାନ୍ତି ।

ପରିବେଷଣ

ଏହା ମୁଖ୍ୟତଃ ଶିବଙ୍କ ବନ୍ଦନା-ଗୀତନାଟ ହୋଇଥିଲେ ମଧ୍ୟ ଏଥିରେ କାଳୀ, ଗଣେଶ ଆଦି ଦେବଦେବୀଙ୍କ ବନ୍ଦନା ମଧ୍ୟ ଏଥିରେ ସ୍ଥାନ ପାଇଥାଏ । ଏହି ପରିବେଷଣ ବେଳରେ ଗାହାଣ ଓ ପାଳିଆ ନାନାଦି ଲଘୁ ପରିହାସ ଛଳରେ ଅନେକ ଜାଣିବା କଥା କହିଥାନ୍ତି । ପରିବେଷଣ ସମୟରେ ହାତରେ ଥିବା ଯୋଡ଼ା କାଠିଆକୁ ବଜାଇ ଗୀତ ବୋଲାଯାଇଥାଏ ଓ ଅଭିନୟ କରାଯାଇଥାଏ । ଏଥିରେ ପ୍ରଧାନତଃ ପୌରାଣିକ କାହାଣୀ ସ୍ଥାନ ପାଉଥିଲେ ହେଁ ଅଧୁନା ଦୂରଦର୍ଶନ ଓ ଆକାଶବାଣୀରେ ପ୍ରସାରିତ ହେଉଥିବା ନାନାଦି ଜନ ସଚେତନତା ଓ ସ୍ଵାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମରେ ସ୍ଵାସ୍ଥ୍ୟ ସଚେତନତାକୁ ନେଇ ଦାସକାଠିଆ ପରିବେଷଣ କରାଯାଉଛି ।

ଅଧୁନାତନ ସ୍ଥିତି

ପାଲା ଓ ଦାଶକାଠିଆ ସାଧାରଣ ଓ ସରକାରୀ ପ୍ରୋତ୍ସାହନ ଅଭାବରୁ ଧିରେ ଧିରେ ଲୋପ ପାଇବାକୁ ବସୁଛି, ଏଥି ନିମନ୍ତେ ଧିରେ ଧିରେ ସରକାରୀ ଓ ବେସରକାରୀ ସ୍ତରରେ ଧିରେ ଧିରେ ଅଣ ଲାଭକାରୀ ଓ ଅଣ ସରକାରୀ ସଙ୍ଗଠନ ଜରିଆରେ ଏହାର ପୁନରୁଦ୍ଧାର ପାଇଁ ଉଦ୍ୟମ କରାଯାଉଅଛି ।

ଧୁଡୁକି

ଧୁଡୁକି, ଓଡ଼ିଶାର ଏକ ପାରମ୍ପାରିକ ଲୋକକଳା । ଧୁଡୁକିଆ ଶବର(ମୁଣ୍ଡପୋତା କେଳା) ସମ୍ପ୍ରଦାୟର ଲୋକେ ଏହି ବାଜା ବଜେଇ, ଲୋକମାନଙ୍କର ମନୋରଞ୍ଜନ କରନ୍ତି । ଧୁଡୁକି ବଜେଇ, ଏମାନେ ଉପେନ୍ଦ୍ର ଭଞ୍ଜଙ୍କ କାବ୍ୟକବିତା, ରାଧାକୃଷ୍ଣଙ୍କ ପ୍ରେମ କାହାଣୀ, ବିଭିନ୍ନ ଗ୍ରନ୍ଥ ଉପନିଷେଦର କଥା ବୋଲି ଶୁଣେଇଥାନ୍ତି । ଢେଙ୍କାନାଳ, ନୟାଗଡ଼, ଯାଜପୁର ଆଦି ଅଞ୍ଚଳରେ ଏହି କଳାକାରମାନେ ଦେଖାଯାଆନ୍ତି ।

ଧୁଡୁକି, ଏକ ସମ୍ପୂର୍ଣ୍ଣ ସ୍ଵଦେଶୀ ବାଦ୍ୟଯନ୍ତ୍ର ଓ ବଜେଇବା ଲୋକେ ନିଜେ ଏହାକୁ ତିଆରି କରିଥାନ୍ତି । କାଠର ଏକ ନଳର ଗୋଟିଏ ପାର୍ଶ୍ଵରେ ଏକପ୍ରକାର ଚମଡାର ଆବରଣ ପକାଯାଇ, ତାହାର ମଧ୍ୟଭାଗରେ ଏକ ପ୍ଲାଷ୍ଟିକ ବା ଧାତୁ ନିର୍ମିତ ଡୋରି ବନ୍ଧାଯାଇଥାଏ । ଡୋରିର ଅନ୍ୟ ପ୍ରାନ୍ତରେ ଏକ ଦଣ୍ଡ ବନ୍ଧାଯାଇଥାଏ । କାଖରେ ଧୁଡୁକିର ନଳରଖି, ପାପୁଲିରେ ଦଣ୍ଡକୁ ଭିଡିଧରିବା ସହ, ଅନ୍ୟ ହାତର ଚାରି ଆଙ୍ଗୁଠି ସାହାଯ୍ୟରେ ଡୋରିକୁ ଟାଣି ଏହାକୁ ବଜାଯାଏ । ଏହାର ଧ୍ଵନୀକୁ ଆହୁରି ସୁନ୍ଦର କରିବା ପାଇଁ, ଦଣ୍ଡରେ ଘୁଙ୍ଗୁର ମଧ୍ୟ ବନ୍ଧାଯାଇଥାଏ । ଧୁଡୁକିର ତାଳେ ତାଳେ, ଘୁଙ୍ଗୁରର ଶବ୍ଦ ବେଶ ମଧୁର ଧ୍ଵନୀ ସୃଷ୍ଟିକରିଥାଏ ।

ପାଲା

ପାଲା ଓଡ଼ିଶାର ଏକ ପାରମ୍ପାରିକ, ପୁରାତନ ଓ ବିଦଗ୍ଧ ଓଡ଼ିଆ ଗୀତି-ଲୋକନାଟ୍ୟ । ପାଲା ସାଧାରଣତଃ ୬ଜଣ ବ୍ୟକ୍ତିଙ୍କୁ ନେଇଅନୁଷ୍ଠିତ ହୋଇଥାଏ । ଜଣେ ଗାୟକ, ଜଣେ ବାୟକ, ଜଣେ ଶ୍ରୀପାଳିଆ ଓ ୩ ଜଣ ପାଳିଆଙ୍କୁ ନେଇ ପାଲା ଅନୁଷ୍ଠିତ ହୋଇଥାଏ ।

ଇତିହାସ

ଓଡ଼ିଶାର ଏହି ସ୍ୱତନ୍ତ୍ର କଳା ଦିନେ ଘରେ ଘରେ ପରିଚିତ ଥିଲା । ବିଶେଷ କରି ବାଦୀପାଲା ଦେଖିବାକୁ ଲୋକେ ବହୁତ ପସନ୍ଦ କରୁଥିଲେ । ଯେଉଁ ସମୟରେ ମନୋରଞ୍ଜନ କରିବା ପାଇଁ ବିଶେଷ ସୁବିଧା ନଥିଲା ସେହି ସମୟରେ ପାଲା ଲୋକଙ୍କୁ ମନୋରଞ୍ଜନ କରିବା ସହ ସାହିତ୍ୟ, ସଂସ୍କୃତି ଓ କଳା ପ୍ରତି ପରିଚିତ କରାଉଥିଲା । ଏହି ପାଲା ମାଧ୍ୟମରେ ଓଡ଼ିଶାରେ ଭାଷା ଆନ୍ଦୋଳନ ଘରେଘରେ ପହଞ୍ଚି ପାରିଥିଲା । ସେହିପରି ସ୍ୱାଧୀନତା ଆନ୍ଦୋଳନ ସମୟରେ ମଧ୍ୟ ପାଲାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା ।

ବିଶେଷତା

ପାଲା ହିନ୍ଦୁ ଓ ମୁସଲମାନ ଧର୍ମ ମଧ୍ୟରେ ସମନ୍ୱୟ ରଖିଥାଏ । ଏଥିରେ ଉଭୟ ସତ୍ୟ ନାରାୟଣ ଏବଂ ପୀର ବାବାଙ୍କୁ ପୂଜା କରାଯାଇଥାଏ, ତେଣୁ ପାଲାକୁ ସତ୍ୟପୀର ପୂଜା ବୋଲି ମଧ୍ୟ କୁହାଯାଏ ।

ଷୋଳ ପାଲା

ବଙ୍ଗ ଦେଶରେ ଏ ଯୁଗରେ ରଚିତ ଏବଂ ବଙ୍ଗ ଦେଶରୁ ଓଡ଼ିଶାକୁ ଆନୀତ ଦରଖଣ୍ଡିଆ ବଙ୍ଗୋତ୍କଳ ଭାଷାରେ ବଙ୍ଗ ଭାଷାନଭିଜ୍ଞ ଓଡ଼ିଆଙ୍କଦ୍ୱରା ପୋଥି ଧରି ବୋଲାୟିବା (ପୋଥିପୂଚ୍ଛା) ଓ ନୃତ୍ୟଗୀତାଦି ସହିତ ବୋଲାୟିବା (ଠିଆପୂଜା) ପଦ୍ଯା୍ୟତ୍ମକ ୧୬ଟି ଗଳ୍ପ ବା ପାଲା । ଆଧୁନିକ ବଙ୍ଗୀୟମାନେ ସତ୍ୟ ନାରାୟଣ ବ୍ରତର ୪ ଗୋଟି କଥା ସ୍ଥାନରେ ୧୬ ଗୋଟି କଥା ସୃଷ୍ଟି କରିଅଛନ୍ତି ସେହି ୧୬ ଟି କଥା ମଧ୍ୟରୁ ଉକ୍ତ ୪ ଗୋଟି ପୁରାଣରେ ଅଛିୟ ୧୨ ଗୋଟି ନାହିଁ ସେମାନଙ୍କର ନାମ ନିମ୍ନରେ ଦିଆଗଲା ଏ ସବୁ କବିକର୍ଣ୍ଣଙ୍କ କପୋଳକଳ୍ପିତ ରଚନା; ଏବଂ ପୀର, କୋରାନ, ଦରିଆ, ବାଦସାହା ଆଦି କେତେକ ଫାରସୀ ଶବ୍ଦର ପ୍ରଯୋଗ ଏ ସବୁ କଥାରେ ଅଛି ଏହାଙ୍କ ଦେଖାଦେଖି ବଙ୍ଗଳାରେ ଭୃଗୁରାମ ନାମକ ଜଣେ କବି ଓ ଓଡ଼ିଶାର କେତେକ ବ୍ୟକ୍ତି ବଙ୍ଗଳା ଛାନ୍ଦରେ ମଧ୍ୟ ପାଲା ରଚନା କରିଅଛନ୍ତି ସାଧାରଣତଃ କବକର୍ଣ୍ଣଙ୍କ ସରଚିତ ନିମ୍ନଲିଖିତ ୧୬ ଟି ଗଳ୍ପାତ୍ମକ ୟକୁ ଷୋଳ ପାଲା ବୋଲାଯାଏ ୟଥା:

1.         ଜନ୍ମପାଲା: ଏକ ବାଦାଶାହକନ୍ଯା୍ୟଙ୍କ ଗର୍ଭରେ ସତ୍ୟପୀରଙ୍କର, ଅବତାର ମୃତ ବାଳକର ପୂନର୍ଜୀବନଲାଭ

2.         ପଦ୍ନଲୋଚନ ପାଲା: ପଦ୍ମ ଲୋଚନ ନାମକ ଏକ ଅପୁତ୍ରକ ରାଜାଙ୍କର ସତ୍ୟନାରାୟଣଙ୍କ କୃପାରୁ ପୁତ୍ର: ଲାଭ

3.         ମର୍ଦ୍ଦଗାନି ଜନ୍ମ ପାଲା: ଅଭି୍ୟ ସୁତ ଅପୁତ୍ରକ ପରୀକ୍ଷିତ ରାଜାଙ୍କର ଫାକୀରବେଶଧାରୀ ସତ୍ୟପୀରଙ୍କ କୃପାରୁ ପୁତ୍ରଲାଭ

4.         ମର୍ଦ୍ଦଗାଜି ବିଭା ପାଲା: ଗଜେନ୍ଦ୍ର ନାମକ ରାଜାଙ୍କର ଏକ ମାତ୍ର ପୁତ୍ର ମର୍ଦ୍ଦଗାଜିର ବିଦେଶ ଗମନ ଓ ବିବାହ

5.         ବିଦ୍ଯା୍ୟଧର ପାଲା: ଭୈରବ ଦେଶର ନୃସିଂହ ରାଜାଙ୍କ ଗଳ୍ପ

6.         ମଦନସୁନ୍ଦର ପାଲା: ରତ୍ନାକର ନାମକ ରାଜାଙ୍କର ଓ ଦୁଇଟି ବଣିକ ସାନନ୍ଦ ଓ ବିନୋଦଙ୍କ ସାନ ଭାଇ ମଦନ         ସୁନ୍ଦରତ ଗଳ୍ପ

7.         ସଦାନନ୍ଦ ସୌଦାଗର ପାଲା ବା ଧନୀ ସୌଦାଗର ପାଲା: ଉକ୍ତ ମନନ୍ଦ ସୁନ୍ଦରର ଗଳ୍ପ

8.         ଶ୍ୱେତ ବସନ୍ତ ପାଲା: ନୀଳଧ୍ବଜ ରାଜାଙ୍କ ପୁତ୍ର ଶ୍ୱେତ ବସନ୍ତର ଗଳ୍ପ ବା ଫାସିଆରା ବା ମନୋହର ଫାସିଆରା ପାଲା: ଏକ ଡକାଇତ ହସ୍ତରୁ ରାଜପୁତ୍ରର ପ୍ରାଣରକ୍ଷା

9.         ଶବ୍ଦର ଗୁଡ଼ିଆ ପାଲା: କାଞ୍ଚିନପୁର ବାସୀ ଶଙ୍କର ନାମକ ଜଣେ ନାସ୍ତିକ ଗୁଡ଼ିଆର ଓ ତାହାର ଛଅ ପୁତ୍ରଙ୍କର ଗଳ୍ପ

10.       ଦୁର୍ଜନସିଂହ ପାଲା ବା ଚନ୍ଦ୍ରାଜିତ୍ ପାଲା: ଅମ୍ବିକା ନଗରର ଦୁର୍ଜନ ନାମକ ନାସ୍ତିକ ରାଜାଙ୍କର ଗଳ୍ପ

11.       ହାରାଚାନ୍ଦ ପାଲା: ମାଣିକ ସହରର ଅପୁତ୍ରକ ରାଜା ସନାତନର ଗଳ୍ପ

12.       ହରି ଅର୍ଜୁନ ପାଲା: ସନାତନ ନାମକ ଜଣେ ଅପୁତ୍ରିକ ରାଜା ଓ ତାଙ୍କର ଦୁଇରାଣୀଙ୍କ ଗଳ୍ପ ମୃତ କୁମାରର ପୁନ ର୍ଜୀବନ ଲାଭ ବା ଉଗ୍ରତାରା ପାଲା

13.       କାଠୁରିଆ ପାଲା: ସତ୍ୟ ନାରାୟଣ ପୂଜକ ଗୋଟିଏ ଗରିବ ବ୍ରାହ୍ମଣ କୃଷ୍ଣଦାସର ପୂଜା ଦେଖି ଜଣେ କାଠୁରିଆର ଉକ୍ତବ୍ରତ ପାଳନ ଓ ବିଭବଲାଭ

14.       ଲକ୍ଷ୍ମଣକୁମାର ପାଲା: ବିନାଯକ ଦେଶର ଶିଲପ ରାଜାଙ୍କ ଗଳ୍ପ

15.       ଅଭିନ୍ନମଦନ ପାଲା ବା ଚନ୍ଦ୍ରାଜିତ ପାଲା: ବୀରସିଂହ ନାମକ ଜଣେ ରାଜାଙ୍କ ଗଳ୍ପ

16.       ସ୍ଵର୍ଗାରୋଗଣ ପାଲା: ବରୁଣ ସହରର ରାଜା ପଦ୍ମଲୋଚନଙ୍କ ଗଳ୍ପ (ଏଥିରେ କବିକର୍ଣ୍ଣ ବିରଚିତ ୧୬ଟି ପାଲାର ନାମ ଦିଆଯାଇ ଅଛି

ସତ୍ୟନାରାୟଣ ପାଲା

ସତ୍ୟନାରାୟଣଙ୍କ ମାହାତ୍ମ୍ୟ ବର୍ଣ୍ଣନାପୂର୍ବକ ୧୬ ଗୋଟି ପାଲା ବା ଗଳ୍ପକୁ ଗୀତ ଦ୍ବାଦ୍ୱରା ବର୍ଣ୍ଣନ । ଓଡ଼ିଶାରେ ବୋଲା ଯାଉଥିବା 'ପାଲା' ମାନ 'କବିକର୍ଣ୍ଣ' ବିରଚିତ ବଙ୍ଗଳା ପାଞ୍ଚାଳ ଛନ୍ଦରେ ରଚିତ ବଙ୍ଗଳା ଗୀତର ବିକୃତି ମାତ୍ର ସଂ. ପାଳି, ଓ ପାଳି ବଂ. ପାଲା ଶବ୍ଦର ଅର୍ଥ ପର୍ୟଯାଯ ବା କ୍ରମ ପାଲାଶବ୍ଦ ବଙ୍ଗଳା ଭାଷାରୁ ଆନୀତ ଜଣେ 'ଗାୟକ' ଗୀତ ବୋଲନ୍ତି ଓ ତାଙ୍କ ସଙ୍ଗେ ଆଉ ଜଣେ ବା୍ୟ ବଜାନ୍ତି ଓ କେତେ ଗୁଡ଼ିଏ ଲୋକ ପାଳି ଧରନ୍ତି ବୋଲି ଏହାର ନାମ ପାଲା ହୋଇଅଛି 'ଗାୟକ' ଗୀତ ବୋଲନ୍ତ 'ବାୟକ' ମୃଦଙ୍ଗ ବଜାନ୍ତି ଗାୟକ ଏକୁଟିଆ ଗୀତର ପ୍ରସଙ୍ଗରେ ଗଲେ ତାଙ୍କୁ ସାହାୟ୍ୟ କରିବାକୁ କିମ୍ବା ଗୀତର ପ୍ରସଙ୍ଗରେ କଥୋପକଥନଛଳରେଗାୟକଙ୍କୁ ଉତ୍ତର ଦେବାକୁ ଗାୟକଙ୍କ ସଙ୍ଗେ 'ଶିରୀ ପାଳିଆ' ବା 'ଡାହାଣ ପାଳିଆ' ବା 'ଶ୍ରୀ ପାଳିଆ' ଥାଆନ୍ତି ଗାୟକଙ୍କତ ଡାହାଣ ହାତରେ 'ମନ୍ଦିରା' ବା ଗିନି ବନ୍ଧା ହୋଇଥାଏ ଓ କାଖରେ ଚଅଁର ମୁଠାଥାଏ । ଅନେଶ୍ରୀପାଳିଆ ଝାଞ୍ଜ ଧରିଥାଆନ୍ତି କିନ୍ତୁ ଗାୟକ ଗୀତ ବୋଲିବା ବେଳେ ଶ୍ରୀପାଳିଆ ଝାଞ୍ଜ ବଜାନ୍ତି ନାହିଁ ପାଳିଆମାନେ ପାଳି ଧରିବା ବେଳେ ଶ୍ରୀପାଳିଆ ଅନ୍ୟ ପାଳିଆମାନଙ୍କ ସହିତ ଝାଞ୍ଜ ବଜାନ୍ତି ଓ ବାୟକ ଗାୟକଙ୍କ ସଙ୍ଗେ ଓ ପାଳିଆଙ୍କ ସଙ୍ଗେ ମୃଦଙ୍ଗ ବଜାନ୍ତି । ଗୋଟିଏ ପାଲାଦଳ ଦୁଇଟି ପଞ୍ଝାରେ ବିଭକ୍ତ ଗାୟକଙ୍କ ବୋଲିବା ଗୀତର ପାଳି ଧରିବାକୁ 2 ଜଣ 'ପାଳିଆ' ଆଥାନ୍ତି ଗାୟକଙ୍କ ଗୀତର ଶେଷାଂଶ ବା ଢୁଆ ବା ଘୋଷାକୁ ଏମାନେ ବୋଲନ୍ତି ଓ ଝାଞ୍ଜ ବଜାଇଥାନ୍ତି । ପାଲାବାଲାମାନେ ନାନାପ୍ରକାର ବେଶରେ (ଅର୍ଥାତ୍ ମୁଣ୍ଡରେ ପଗଡ଼ି, ଦେହରେ ଚପ୍କନ୍ ପରି ବଡ଼ କୁର୍ତ୍ତା ଅଣ୍ଟାରେ ଘାଗରା ଓ ଗୋଡ଼ରେ ବଳା ବା ଘାଙ୍ଗୁର ପିନ୍ଧି ନାଚିଥାନ୍ତି । ପୁସ୍ତକ ସାହା୍ୟଯରେ ୟେଉଁ ପାଲା ବୋଲାଯାଏ ଓ ପୂଜା କରାଯାଏ ତାକୁ ପୋଥିପାଲା ବା ପୋଥିପୂଜା ବୋଲାଯାଏ । ପୁସ୍ତକର ବିନା ସାହା୍ୟଯରେ ଗାୟକ ଓ ନର୍ତ୍ତକମାନେ ବାଜା ବଜାଇ ଯାହାକୁ ବୋଲି ଅଭିନଯ କରନ୍ତି ତାକୁ ଠିଆପୂଜା ବା ଠିଆପାଲା ବୋଲାଯାଏ । ଏକ ଦଳ ପାଲାବାଲା ପାଲା ଅଭିନଯ କଲେ ତାକୁ 'ଗୋଟିକିଆ ପାଲା' କହନ୍ତି । ଦୁଇଦଳ ପ୍ରଦ୍ୱନ୍ଦୀ ହୋଇ ପାଲା ଅଭିନଯ କଲେ ତାକୁ 'ଜାଉଁଳି ପାଲା' ବା ' ଜାଉଳି ପୂଜା' କହନ୍ତି ଏକାଧିକ ଦଳ ପ୍ରତିଦ୍ଵନ୍ଦୀ ହୋଇ ପାଲା କଲେ ତାକୁ 'ବାଦୀ ପାଲା' ବହା 'ଲଢ଼େଇ ପାଲା' ବୋଲାଯାଏ । ପାଲା ଅଭିନୟକାରୀମାନଙ୍କ ମଧ୍ୟରେ ଜଣେ 'ଗାୟକ', ଜଣେ 'ଗାୟକ', ଜଣେ 'ଶିରପାଳିଆ' ଓ ଦୁଇ ବା ୩ ଜଣ 'ପାଳିଆ' ଥାଆନ୍ତି । କବିକର୍ଣ୍ଣଙ୍କ ରଚିତ 'ପାଲା'ମାନଙ୍କ ଭାଷା ବଙ୍ଗଳା ଓ ଉକ୍ତ ଭାଷାରେ ଫାରସୀ ଶବ୍ଦର ବହୁଳତା (ୟଥା: ବାଦସା, ଉବୀର, କାଲାମ, ମୋଲାକାତ, ସଲାମ, ହକିକତ, ଦିଲଖୋସ ଓ ହାସିଲ ୟଦି ଶବ୍ଦ) ଦେଖାଯାଏ ଓ ବେଳେ ବେଳେ ଫାରସୀ ଭାଷାରେ ବାକ୍ଯ୍ୟମଧ୍ୟ ଦେଖାଯାଏ କବିକର୍ଣ୍ଣଙ୍କ ବିରଚିତ ପାଲା ବଙ୍ଗାଳା ଓ ଉର୍ଦ୍ଦୁ ଭାଷାର 'ଖେଚାଡ଼ି'; ତାହା ପୁଣି ବଙ୍ଗଳା ଅନଭିଜ୍ଞ ଓଡ଼ିଆଙ୍କ ମୁହଁରେ ବଙ୍ଗଳା, ଉର୍ଦ୍ଦୁ ଓ ଓଡ଼ିଆ ମିଶା 'ପଲାଉ' ହୁଏ ତହିଁରୁ କେତେକଗୁଡ଼ିଏ ଧାଡ଼ିର ଉଦାହରଣ ନିମ୍ନରେ ଲିଖିତ:

ଶୁନ ସର୍ବେ ବିରାଦରେ ପୀରେର କାଲାମ୍ ନିଯତ ହାସଲ୍ ହୁଏ,

ଫତେ ହୁଏ କାମ୍ ଇଯାର୍ ପିଯାର୍ ଭାଇ ସକଲେ ଶୁନତ ୟେଉଁ ରୂପେ ଶ୍ୱେତ ବସନ୍ତ ପାଲା ହକିକତ ହରି ହରି ବୋଲ ଦିଅ ସବୁ ସଭଜନ ବିପତ୍ତି ପଡ଼ିଲେ ରଖେ ସତ୍ୟ ନାରାୟନ

ଯାର ଘରେ ହୁଏ ପୂଜା ସାହେବେର ନାମ୍ ବଢ଼ାଏ ଦୌଲତ ତାର ଫତେ କରେ କାମ ଶ୍ରୀ କବି ବର୍ଣ୍ଣେତେ ଗାଏ ନାରାୟଣରେ ପାୟ ହରି ହରି ବୋଲ ସର୍ବେ ପାଲା ହଇଲ ସାୟ

ସାଧାରଣତଃ 'ପାଲା ଗୀତ' ପ୍ରତ୍ୟେକ 1୪ ଅକ୍ଷର ୟୁକ୍ତ ଦୁଇଟି ଧାଡ଼ିରେ ରଚିତ, କିନ୍ତୁ ମଝିରେ ମଝିରେ ଏକାଦାଣ୍ଡିଆ (monotony) ଭାଙ୍ଗିବା ପାଇଁ:

"ରଜନୀର ଅବଶେଷେ ଗ୍ରାମର

ଭିତରେ ପଶେ ଚନ୍ଦ୍ର ହାସ ରାଜାର କୁମାର"

୮ ଅକ୍ଷରିଆ ୨ ପାଦ ଓ ୧ ଅକ୍ଷରିଆ ଏକପାଦ ୟୁକ୍ତ 'ତ୍ରିପଦୀ' ଦ୍ୱଯ ସମ୍ବଳିତ ଗୀତ ମଧ୍ୟ ବୋଲାଯାଏ । ଗଳ୍ପର ପ୍ରସଙ୍ଗ ଓ ଅବସର କ୍ରମେ ପାଇଲାମାନେ ଏଥିରେ ଯମକ, ଅନୁପ୍ରାସ, ବ୍ୟାଘ୍ରଗତି, ମେଷ ୟୁଦ୍ଧ ଅବନା ଆଦି ଶବ୍ଦ ଅବରସ୍ ପୂର୍ଣ୍ଣ ପ୍ରାଚୀନ ସଙ୍ଗୀତ, ଚଉପଦୀ, ଡାହିକା, ଭଜନ, ବନ୍ଦନା ଆଦି ଲଗାଇ 'ପାଲାକୁ' ଜମକ୍ କରନ୍ତି ଓ କେତେକ ଗାୟକଙ୍କର ଅଭିଧାନ, ଅଳଙ୍କାର କାବ୍ୟନାଟକ, ଚମ୍ପୁ ଆଦିରେ ଅସାଧାରଣ ପାଣ୍ଡିତ୍ୟ ଦେଖାଯାଏ ଓ କେତେକଙ୍କଠାରେ ଆଶୁକବିତ୍ଵ ମଧ୍ୟ ଲକ୍ଷିତ ହୁଏ ।

ଓଡ଼ିଶାରେ ଖ୍ରୀଷ୍ଟ ଧର୍ମାମ୍ବଲମ୍ବି ଭାଇମାନଙ୍କ ଦ୍ୱାରା ମଧ୍ୟ ପାଲା ପରିବେଷଣ କରାଯାଉଅଛି, ଏହା ମଧ୍ୟ ଓଡ଼ିଶାର ପୁର ପଲ୍ଲିରେ ଆଦ୍ରୁତ, ଓଡ଼ିଶାର କଟକ ପୁରି ଖୋର୍ଧା କେନ୍ଦ୍ରାପଡା ଆଦି ଜିଲ୍ଲାରେ ବହୁ ନାମକାରୀ ଗାୟକମାନେ ଅଲ ଇଣ୍ଡିଆ ରେଡିଓ ଓ ଦୁରଦର୍ଶନରେ ପାଲା ପରିବେଷଣ କରି ଓଡ଼ିଶାର ସାହିତ୍ୟ, ସଂସ୍କୃତି ଓ କଳାକୁ ଘରେ ଘରେ ପରିଚିତ କରାଇଅଛନ୍ତି

ସଖୀ କଣ୍ଢେଇ ନାଚ

ସଖୀକଣ୍ଢେଇ ନାଚ (ଅନ୍ୟନାମ: ସଖୀ ନାଚ, କଣ୍ଢେଇ ନାଚ) ଓଡ଼ିଶାର ଏକ ପାରମ୍ପାରିକ ନାଚ । ଏହା କେନ୍ଦ୍ରାପଡ଼ା ଜିଲ୍ଲାରୁ ଆରମ୍ଭ ହୋଇଥିାଲା । କ୍ରମଶଃ ଏହି ନାଚ ଆଗ ଭଳି ଗ୍ରାମାଞ୍ଚଳ କିମ୍ବା ସହରରେ ଆଉ ଦେଖିବାକୁ ମିଳୁନାହିଁ। ବର୍ତ୍ତମାନ କେବଳ କେନ୍ଦ୍ରାପଡ଼ା ଜିଲ୍ଲାରେ ମନ୍ତ୍ରୀପଡ଼ା ସଖୀ କଣ୍ଢେଇ ନାଚ ଦଳ ଦେଖିବାକୁ ମିଳନ୍ତି। ଏକ ସୁସଜ୍ଜିତ ମଞ୍ଚ ଉପରେ କଣ୍ଢେଇ ନାଚ ପ୍ରଦର୍ଶିତ କରାଯାଏ । ସାଧାରଣ ମଣିଷଙ୍କ ଭଳି କଣ୍ଢେଇମାନଙ୍କୁ ନାନାଦି ବେଶଭୂଷା କରି  ତାର ଦ୍ୱାରା ସଂଯୋଗ କରାଯାଇଥାଏ । ଗୀତର ତାଳେ ତାଳେ କଣ୍ଢେଇମାନଙ୍କର ନୃତ୍ୟ ଓ ବିଭିନ୍ନ ଅଙ୍ଗଭଙ୍ଗୀ ପ୍ରଦର୍ଶିତ କରିବା ପାଇଁ, ନାଚ ଦଳର ଜଣେ ସଦସ୍ୟ ଦ୍ୱାରା କଣ୍ଢେଇଗୁଡ଼ିକୁ ସଂଯୋଗ କରାଯାଇଥିବା ତାରକୁ ଧରି ପରଦାର ନେପଥ୍ୟରେ ନିୟନ୍ତ୍ରିତ କରିଥାନ୍ତି। ସଖୀ କଣ୍ଢେଇ ନାଚ ଦଳରେ ଅତି କମ୍ ରେ ୭ଜଣ କଳାକାର ଆବଶ୍ୟକ । ତିନିଜଣ କଣ୍ଢେଇ ନଚାଉଥିବାବେଳେ ଜଣେ ହାରମୋନିୟମ ବଜାନ୍ତି । ଏହାଛଡ଼ା ଜଣେ ଢୋଲକି ଓ ଜଣେ ଗିନି ବଜାନ୍ତି । ବିଭିନ୍ନ ପ୍ରସଙ୍ଗ ଉପରେ ବାଦ୍ୟଯନ୍ତ୍ର ଓ ସଂଗୀତ ସହ ତାଳ ଦେଇ ସଖୀକଣ୍ଢେଇ ନାଚ ହୁଏ । ନାଚ ମଧ୍ୟରୁ ବଂଶୀଚୋରି, ବାଟଛାଡ଼ ନାଗର, ଦ୍ରୌପଦୀ ବସ୍ତ୍ରହରଣ, ନାବକେଳି, ରାଧୀକା ଓ ଦୂତୀ, ଲଳିତା ଓ ଦୂତୀ, ଶବର ଶବରୁଣୀ ନାଚ ଅଧିକ ହୁଏ । ନାଚର ପ୍ରସଙ୍ଗ ଉପରେ ଜଣେ ମଧୁର କଣ୍ଠରେ ଗୀତ ବୋଲି ଦର୍ଶକଙ୍କୁ ଆମୋଦିତ କରନ୍ତି । ଏକ ଘଣ୍ଟା ମଧ୍ୟରେ ୮ରୁ ୧୦ ପ୍ରକାରର ନାଚ ପ୍ରଦର୍ଶିତ କରାଯାଏ । ପ୍ରଚାର ଓ ପ୍ରସାର ଅଭାବରୁ ତାର ଦ୍ୱାରା ସଖୀ କଣ୍ଢେଇ ନାଚ ସମ୍ପୂର୍ଣ୍ଣ ଲୋପ ପାଇ ଯାଇଛି । କିନ୍ତୁ ଜିଲ୍ଲାର ସଦର ମହକୁମାଠାରୁ ପ୍ରାୟ ୧୦ କିଲୋମିଟର ଦୂରରେ ଥିବା ଡେରାବିଶି ବ୍ଳକ ଅନ୍ତର୍ଗତ କୁରୁଜଙ୍ଗା ପଞ୍ଚାୟତର ମନ୍ତ୍ରୀପଡ଼ା ଗ୍ରାମର କେଳା ବସ୍ତିରେ ଏହି ନାଚର ଅସ୍ତିତ୍ୱ ରହିଛି । ପୂର୍ବରୁ ତାର ସାହାଯ୍ୟରେ ସଖୀ କଣ୍ଢେଇ ନଚା ଯାଉଥିଲା । ସେ ପ୍ରଥା ବନ୍ଦ ହୋଇଯିବାରୁ ଏବେ କାଠ କଣ୍ଢେଇକୁ ବେଶ ପୋଷାକରେ ସଜାଇ ହାତରେ ନଚାଉଛନ୍ତି । ବିଭିନ୍ନ ସମୟରେ ଘରୋଇ ସାଂସ୍କୃତିକ ସଙ୍ଗଠନ ଉଦ୍ୟମରେ ଏମାନେ ଭୁବନେଶ୍ୱର, ଦିଲ୍ଲୀ, ମୁମ୍ବାଇ, କଲିକତା ଯାଆନ୍ତି ।

ସମ୍ବଲପୁରୀ ନାଚ

ସମ୍ବଲପୁରୀ ନାଚ ମୁଖ୍ୟତ ଓଡ଼ିଶାର ପଶ୍ଚିମାଞ୍ଚଳରେ ଆଦୃତ ଏକ ଲୋକ ନୃତ୍ୟ । ସେହି ଅଞ୍ଚଳରେ ବାସ କରୁଥିବା ଆଦିବାସୀ ତଥା ଅନ୍ୟ ସମ୍ପ୍ରଦାୟର ଲୋକମାନେ ପୂଜା ପାର୍ବଣ ଓ ଅନ୍ୟ ମେଳା ମଉଛବରେ ଏହି ନାଚ କରିଥାନ୍ତି । ବିଶେଷ ଭାବେ ଏହି ନାଚ ଶୈଳୀରେ ଦେହ ଓ ମୁଖର ବିଭିନ୍ନ ଭଙ୍ଗୀ ଉପରେ ଗୁରୁତ୍ୱ ଦିଆ ହୋଇଥାଏ । ଜଙ୍ଗଲରେ ବସବାସ କରୁଥିବା ଆଦିବାସୀମାନେ ସାଧାରଣତ ଜହ୍ନରାତିରେ ମୁକ୍ତଭାବେ ଏହା ପ୍ରଦର୍ଶନ କରିଥାନ୍ତି ।

ଆଧାର: ସଂସ୍କୃତିକ ବିଭାଗ, ଓଡିଶା ସରକାର

 

3.06896551724
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top