ସେଆର କରନ୍ତୁ

କଉଡ଼ି

କଉଡ଼ି ବା କପର୍ଦ୍ଦକ ହେଉଛି ସାମୁଦ୍ରିକ ଜୀବର ଶକ୍ତ କୋଷ ବିଶେଷ।

କଉଡ଼ି

କଉଡ଼ି ବା କପର୍ଦ୍ଦକ (ସଂସ୍କୃତ) ହେଉଛି ସାମୁଦ୍ରିକ ଜୀବର ଶକ୍ତ କୋଷ ବିଶେଷ। ଏହା 'ଧନ' ଓ 'ମୂଲ୍ୟ' କୁ ମଧ୍ୟ ସୂଚାଇଥାଏ। ହିନ୍ଦୀରେ କୌଡ଼ୀ कौड़ी , ଉର୍ଦୁରେ کوڑی (kauri), ମରାଠୀରେ (କବଡୀ) कवडी kavadi ଓ ଇଂରାଜୀରେ Cowry ବୋଲି କୁହାଯାଏ।

ପ୍ରକାର

ଗଣ୍ଠି କଉଡ଼ି, ସାଧା କଉଡ଼ି, ବେଙ୍ଗୀ କଉଡ଼ି, ଚିତ୍ର କଉଡ଼ି ଭେଦରେ ବିବିଧ ପ୍ରକାରର କଉଡ଼ି ରହିଛି। ସେଥି ମଧ୍ୟରୁ ଚିତ୍ର କଉଡ଼ି ଅଧିକ ମସୃଣ ଓ ସୁନ୍ଦର।

ଅର୍ଥନୀତି

ପ୍ରାଚୀନ କାଳରେ ଏହା ଦେଶ ବିଦେଶରେ ମୁଦ୍ରା ରୂପେ ବ୍ୟବହୃତ ହେଉଥିଲା। ଓଡ଼ିଶାର କେଶରୀ ବଂଶର ରାଜାମାନଙ୍କ ରାଜତ୍ୱ କାଳରେ ଏବଂ ତା ପୂର୍ବରୁ ମୁଦ୍ରାରୂପେ କଉଡ଼ିର ପ୍ରଚଳନ ରହିଥିଲା। ଭାରତ ମହାସାଗରରୁ କଉଡ଼ି ସଂଗ୍ରହ କରା ଯାଉଥିଲା ସାଧାରଣ ପ୍ରଜାମାନେ କର ସ୍ୱରୂପ କଉଡ଼ି ଦେଉଥିଲେ ଓ ରାଜ ଭଣ୍ଡାରରେ କଉଡ଼ି ଗଚ୍ଛିତ ହୋଇ ରହୁଥିଲା।

୧୮୪୫ ମସିହାର ଏକ ପ୍ରତିକୃତି, ଯେଉଁଥିରେ ଜଣେ ଆରବ ବଣିକଦ୍ୱାରା କଉଡ଼ିକୁ ପଇସା ହିସାବରେ ବ୍ୟବହାର କରିବାର ପ୍ରଦର୍ଶିତ ହୋଇଛି।

ଗୋଟିଏ କଉଡ଼ିକୁ ଏକ କଡ଼ା, ୪ଟି ବା ୪ କଡ଼ାକୁ ଏକ ଗଣ୍ଡା, ୫ କଡ଼ାକୁ ଅର୍ଦ୍ଧଦାମୁଡ଼ି, ୧୦ କଡ଼ାକୁ ଦାମୁଡ଼ି, ୫ ଗଣ୍ଡାକୁ ବୋଡ଼ି ବା ଛଦାମ, ୨୦ ଗଣ୍ଡାକୁ ପଣ ଓ ଷୋଳ ପଣକୁ କାହାଣ ଭାବରେ ପୂର୍ବରୁ ଗଣା ଯାଉଥିଲା। ପୂର୍ବକାଳରେ ସମ୍ପନ୍ନ ଗୃହସ୍ଥମାନେ ଚୋର ଭୟରୁ ରକ୍ଷା ପାଇବାକୁ କଉଡ଼ିକୁ ମାଠିଆରେ ଭରି ମାଟିତଳେ ପୋତି ରଖୁଥିଲେ। ଆଜି କାଲି ବି କୂଅ ପୋଖରୀ ଖୋଳିବା ବେଳେ କଉଡ଼ିଭରା କଳସୀ ମିଳିବାର ଦୃଷ୍ଟାନ୍ତ ରହିଛି।

ପୁରାତନ କାଳରେ ହାଟ ବଜାରରେ କଉଡ଼ିର ଦୋକାନ ରହୁଥିଲା। ପଇସାକୁ ପଣେ (କୋଡ଼ିଏ ଗଣ୍ଡା ବା ୮୦ ଗୋଟି) କଉଡ଼ି ମିଳୁଥିଲା। ଇଂରେଜ ଶାସନ ବେଳକୁ କଉଡ଼ିର ବ୍ୟବହାର କ୍ରମଶଃ କମି ଅଧଲା, ପାହୁଲାର ପ୍ରଚଳନ ଆସି ଯାଇଥିଲା ଓ ପରବର୍ତ୍ତୀ କାଳରେ ମୁଦ୍ରା ହିସାବରେ କଉଡ଼ିର ପ୍ରଚଳନ ବନ୍ଦ ହୋଇଗଲା।

ପରମ୍ପରା

ପୁରା କାଳରେ ବିଭିନ୍ନ ପ୍ରକାରର ଓଡ଼ିଆ ଅଳଂକାରରେ ମଧ୍ୟ କଉଡ଼ିର ପ୍ରଚଳନ ରହିଥିଲା। ସ୍ତ୍ରୀଲୋକମାନେ ଝୁମ୍ପା, ହାତଫୁଲି ଆଦି ଅଳଂକାରରେ କଉଡ଼ି ଲଗାଇ ପିନ୍ଧୁଥିଲେ। ଓଡ଼ିଶାରେ ଆଗରୁ ବ୍ୟବହାର କରା ଯାଉଥିବା ଝାଡ଼, ପେଡ଼ି, ଶିକା ଆଦିରେ ଏବଂ ଗାଈ ବଳଦଙ୍କ ତୁଣ୍ଡୀରେ କଉଡ଼ି ଲଗାଇ ତାକୁ ସୁନ୍ଦର କରା ଯାଉଥିଲା।

ମାର୍ଗଶିର ମାସ ଓ ମାଘ ମାସରେ ଉତ୍କଳୀୟ ପରିବାରରେ ହେଉଥିବା ଧାନମାଣିକା ଓଷା ଓ ଲକ୍ଷ୍ମୀ ପୂଜାରେ ଗୃହିଣୀମାନେ ଲକ୍ଷ୍ମୀ ଦେବୀଙ୍କ ସହିତ କଉଡ଼ିର ମଧ୍ୟ ପୂଜା କରିଥାନ୍ତି। କଉଡ଼ିରେ ଲକ୍ଷ୍ମୀ ଦେବୀଙ୍କର ଆଖି ତିଆରି କରିଥାନ୍ତି। ନବଜାତ ପିଲାର ଷଠୀଘରେ ସ୍ତ୍ରୀଲୋକମାନେ କଉଡ଼ି ଓ ମାଟି ସାହାଯ୍ୟରେ କାନ୍ଥରେ ଷଠୀ ଦେବୀଙ୍କର ନାନା ପ୍ରକାରର ଆକୃତି ଆଙ୍କି ଥାଆନ୍ତି।

କେରଳର ଜ୍ୟୋତିଷୀଙ୍କ ଦ୍ୱାରା କଉଡ଼ିକୁ ଏକ ଆଧ୍ୟାତ୍ମିକ ଉପକରଣ ହିସାବରେ ବ୍ୟବହାର କରାଯାଏ।

କଉଡ଼ିକୁ ସ୍ତ୍ରୀତ୍ୱ, ଉର୍ବରତା, ଜନ୍ମ ଓ ଧନର ପ୍ରତୀକ ରୂପେ ପରଗଣିତ କରାଯାଏ। କଉଡ଼ିର ତଳ ପାଖକୁ ଯୋନି ବା ଆଖିର ପ୍ରତୀକ ରୂପେ ମଧ୍ୟ ମାନିଥାନ୍ତି।

ଜୁଆଖେଳିବାର କଉଡ଼ି

ରଜସଂକ୍ରାନ୍ତିରେ ଗାଁରେ ଲୋକେ କଉଡ଼ିରେ ଖେଳିଥାନ୍ତି। ବାହାଘର ସମୟରେ ବରକନ୍ୟାଙ୍କ ଭିତରେ କଉଡ଼ି ଖେଳହୋଇଥାଏ। କାଚ କଉଡ଼ି ଖେଳ ନାମରେ ଆଉ ଏକ ଖେଳ ମଧ୍ୟ ରହିଅଛି।

ସଧବା ସ୍ତ୍ରୀର ମୃତ୍ୟୁ ହେଲେ ତା ସ୍ୱାମୀ ଶବ ଗମନ ପଥରେ ଖଇ କଉଡ଼ି ବୁଣି ବୁଣି ଯାଇଥାଏ। ଅନ୍ୟ ସଧବା ସ୍ତ୍ରୀ ଲୋକମାନେ ତାକୁ ସାଉଁଟି ନେଇ ମଙ୍ଗଳ ଅଳଙ୍କାର ରୂପେ ଧାରଣ କରିଥାନ୍ତି।

ଚିକିତ୍ସା ବିଜ୍ଞାନ

କଉଡ଼ିକୁ ଔଷଧୀ ହିସାବରେ ମଧ୍ୟ ବ୍ୟବହାର କରାଯାଏ। ବୈଦ୍ୟମାନେ ଏହାର ଭସ୍ମକୁ ବିଭିନ୍ନ ରୋଗର ଉପଚାର ଭାବେ ପ୍ରୟୋଗ କରିଥାନ୍ତି। ବେଙ୍ଗୀ କଉଡ଼ିକୁ ମାଳି କରି ପିଲାଙ୍କୁ ପିନ୍ଧାଇଲେ ବେଙ୍ଗୀ ବଥ ହୁଏନାହିଁ ବୋଲି ଅନେକେ ବିଶ୍ୱାସ କରିଥାନ୍ତି।

ଓଡ଼ିଆ ଲୋକ କଥାରେ କଉଡ଼ି

ପାଣି ବୁଡ଼ା କଉଡ଼ି ନିଆଁ ପୁଆଁରେ ଯାଏ

କାଣି କଉଡ଼ି ପିତା ତାଳ, ୟାକୁ ଦେଉଥିବ ରାତ୍ରିକାଳ

କାକସ୍ନାହନ. ଗଧଭୋଜନ, କୁକୁରଧାଉଡ଼ି, ତେବେ ଯାଇ ଖାଇବୁ ସରକାର ଘର କଉଡ଼ି

କଉଡ଼ି ଖେଳ

କଉଡ଼ି ଖେଳ ଓଡ଼ିଶାର ଗ୍ରାମାଞ୍ଚଳରେ ପ୍ରଚଳିତ ଏବଂ ଲୋକପ୍ରିୟ। ଶ୍ରୀମନ୍ଦିରର ବିଭିନ୍ନ ରୀତିନୀତିରେ ମଧ୍ୟ କଉଡ଼ି ଖେଳର ସ୍ୱତନ୍ତ୍ର ଭୂମିକା ରହିଛି।

ବାହାଘରେ କଉଡ଼ି ଖେଳ

ଏହାର ପ୍ରଚଳନ ଆଧୁନିକ ଯୁଗରେ ମଧ୍ୟ ରହିଛି। ପ୍ରାୟ ପ୍ରତ୍ୟେକ ହିନ୍ଦୁ ବାହାଘରେ (ହସ୍ତଗଣ୍ଠି ପରେ) ବରକନ୍ୟା କଉଡ଼ି ଖେଳିଥାନ୍ତି। ଘରର ଜଣେ ବୟୋଜ୍ୟେଷ୍ଠା ସ୍ତ୍ରୀ କୁ ବିଚାରକ କରାଯାଏ ଓ ବରର ସାନ ଭଊଣୀ ବା ଅନ୍ୟ ସାନ ଝିଅ ମାନେ ସେମାନଙ୍କୁ କଉଡ଼ି ଖେଳାଇ ଥାଆନ୍ତି। କଉଡ଼ି ଘରକୁ ଧନଧାନ୍ୟ ଓ ସୁଖ ସନ୍ତୋଷ ଆଣି ଦେବ ବୋଲି ସାଧାରଣରେ ବିଶ୍ୱାସ ରହିଥାଏ। ଏହି ଖେଳରେ ପ୍ରଥମେ ବର କଉଡିଟିକୁ ତାର ଗୋଟିଏ ହାତର ମୁଠାରେ ଜାବୁଡ଼ି ଧରେ ଓ କନ୍ୟା ନିଜର ଦୁଇହାତ ସାହାଯ୍ୟରେ ସେହି ମୁଠାକୁ ଫିଟାଇ କଉଡ଼ି ନେବାକୁ ଚେଷ୍ଟା କରିଥାଏ। ଏହାର ପରବର୍ତ୍ତୀ ପର୍ଯ୍ୟାୟରେ କନ୍ୟା ନିଜର ଦୁଇହାତରେ କଉଡ଼ିକୁ ମୁଠାଇ ଧରେ ଓ ବର ତାର ଗୋଟିଏ ହାତରେ କନ୍ୟା ହାତରୁ କଉଡ଼ି ନେବାକୁ ଚେଷ୍ଟା କରେ।

ଅନ୍ୟାନ୍ୟ କଉଡ଼ି ଖେଳ

ଏହାଛଡ଼ା ଆହୁରି ଅନେକ ପ୍ରକାରର କଉଡ଼ି ଖେଳ ରହିଛି :

କସିପାଞ୍ଜି ବା ପାଇଁଛେକ ( ୬: କଟ କଉଡ଼ିରେ ଖେଳାଯାଏ),

  • ଚାରିଚଉକ ( ୪: କଟ),
  • ଆଠପଚିଶ ( ୭: କଟ),
  • ହାଡ଼ିହାଡ଼ିକା ( ୬: କଟ),
  • ଟିପାଟିପି ( ୪: କଟ)

କଉଡ଼ି ଖେଳରେ ୨ ବା ୪ ଜଣ ଖେଳାଳୀ ଖେଳନ୍ତି। ଖେଳାଳିମାନେ କଉଡ଼ିତକ ମୁଠାରେ ମୁଠାଇ ତାହାପରେ ମୁଠାକୁ ଫିଟାଇ ଦେଇ କଉଡ଼ିତକ ଭୁଇଁରେ ପକାଇ ଦିଅନ୍ତି। ଯେତେ କଟ କଉଡ଼ି ମୁହଁମାଡ଼ି (ମାଠ) ହୋଇ ଭୂଇଁରେ ପଡ଼େ କିମ୍ବା ପିଠିମାଡ଼ି (ଚିତି) ହୋଇ ପଡ଼େ ସେହି ଅନୁସାରେ ସେମାନଙ୍କୁ ଦାନ ମିଳେ। ଦାନମାନଙ୍କର ଭିନ୍ନ ଭିନ୍ନ ନାମ ଅଛି, ଯଥା ଗୋଟିଏ କଟ କଉଡ଼ି ଚିତି ହେଲେ ଏକ, ଦୁଇଟି କଟ ଚିତି ହେଲେ ଦୁଗା ବା ଲେଙ୍କା,ତିନିଟି କଟ ଚିତି ହେଲେ ତିନି, ଚାରିଟି କଟ ଚିତି ହେଲେ ଚାରି ବା ଚାଆର; ପାଂଚଟି କଟ ଚିତି ହେଲେ ପାଞ୍ଚ ବା ପଚିଶ, ଛଅ ବା ସାତ କଟ ଚିତି ହେଲେ ବାର ବା ବାଆର;ଛଅ ବା ସାତ କଟ ମାଠ ହେଲେ ଛକା । ପ୍ରାପ୍ତ ଦାନ ଅନୁସାରେ ଖେଳାଳୀମାନେ ନିଜ ନିଜର ସାରଗୁଡ଼ିକୁ ଭୂଇଁରେ କଟା ହୋଇଥିବା ଘରାରେ ସେତିକି ଲେଖାଏଁ ଘର ଚଳାନ୍ତି।

ଆଧାର: ସଂସ୍କୃତିକ ବିଭାଗ, ଓଡିଶା ସରକାର

3.33333333333
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top