অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

୮୦ ବର୍ଷରେ ଓଡ଼ିଶା, ଗର୍ବ କଲା ଭଳି ୮୦ଟି ତଥ୍ୟ

୮୦ ବର୍ଷରେ ଓଡ଼ିଶା, ଗର୍ବ କଲା ଭଳି ୮୦ଟି ତଥ୍ୟ

ଉତ୍କଳ ପ୍ରଦେଶ ଗଠନ ଓଡ଼ିଶା

ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ବା ଓଡ଼ିଶା ରାଜ୍ୟ ସ୍ଥାପନାକୁ ୨୦୧୬ ଏପ୍ରିଲ ୧ ତାରିଖରେ ୮୦ ବର୍ଷ ପୂରିଛି । ରାଜ୍ୟ ଓ ରାଜ୍ୟ ବାହାରେ ଓଡ଼ିଆମାନେ ଏହି ଦିବସକୁ ଉତ୍କଳ ଦିବସ ଭାବରେ ଗର୍ବର ସହ ପାଳନ କରୁଥିବା ବେଳେ ଆସନ୍ତୁ ଗୌରବମୟ ଓଡ଼ିଶା ଇତିହାସ ଓ ବର୍ତ୍ତମାନରୁ ସାଉଁଟିବା ଗର୍ବ କଲା ଭଳି ୮୦ଟି ରୋଚକ ତଥ୍ୟ...

ଗର୍ବ କଲା ଭଳି ୮୦ଟି ତଥ୍ୟ

  1. ଭାଷା ଭିତ୍ତିକ ରାଜ୍ୟ ଗଠନରେ ଓଡ଼ିଶା ପ୍ରଥମ । ୧୯୩୬ ମସିହାରେ ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ନେଇ ଏହି ରାଜ୍ୟ ଗଠିତ ହୋଇଥିଲା । ତେବେ ବି କିଛି ଓଡ଼ିଆ ଭାଷାଭାଷୀ ଅଞ୍ଚଳ ପଡ଼ୋଶୀ ରାଜ୍ୟରେ ରହିଯାଇଛି ।
  2. ଓଡ଼ିଶାର ପ୍ରାଚୀନ ନାମ କଳିଙ୍ଗ । ମହାଭାରତରେ ଏହି ରାଜ୍ୟର ବର୍ଣନା ରହିଛି । ଅବଶ୍ୟ କଳିଙ୍ଗ ସେନା ସେତେବେଳେ କୌରବଙ୍କ ପକ୍ଷ ନେଇଥିବାର ବର୍ଣ୍ଣନା ରହିଛି ।
  3. ପରେ ଦୀର୍ଘ ଦିନ ଧରି ଏହି ରାଜ୍ୟର ନାମ ଉତ୍କଳ ରହିଥିଲା । ୧୦୩୬ ରେ ରାଜନୈତିକ ସୀମା ନିର୍ଦ୍ଧାରଣ ପରେ ରାଜ୍ୟର ନାମ ଓଡ଼ିଶା ରଖାଗଲା ।
  4. ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ବର୍ତ୍ତମାନର ଭାରତ, ପାକିସ୍ତାନ ଓ ଆଫଗାନିସ୍ତାନ ବିଶାଳ ଭୂଖଣ୍ଡକୁ ନେଇ ନିଜର ସାମ୍ରାଜ୍ୟ ବିସ୍ତାର କରି ଇତିହାସରେ ଭାରତର ପ୍ରଥମ ସମ୍ରାଟ ଘୋଷିତ ହୋଇଥିଲେ ହେଁ, ତାଙ୍କ ରାଜ୍ୟରେ କଳିଙ୍ଗ ନଥିଲା । ପରେ ଅଶୋକ କଳିଙ୍ଗ ଉପରେ ଆକ୍ରମଣ କରି ଏହାକୁ ନିଜ ଅକ୍ତିଆରକୁ ନେଇଥିଲେ ।
  5. ଅଶୋକଙ୍କ ପରେ କଳିଙ୍ଗର ରାଜା ମହାମେଘବାହାନ ଐର ଖାରବେଳ ମଗଧ ଓ ଅନ୍ୟ ପଡ଼ୋଶୀ ରାଜ୍ୟ ଜୟ କରି ଗଙ୍ଗା ଠାରୁ ଗୋଦାବରୀ ପର୍ଯ୍ୟନ୍ତ କଳିଙ୍ଗର ସୀମା ବଢ଼ାଇଥିଲେ ଏବଂ ସମ୍ରାଟ ଭାବେ ନିଜର ପରିଚୟ ସୃଷ୍ଟି କରିଥିଲେ ।
  6. କଳିଙ୍ଗ ଯୁଦ୍ଧ ହୋଇ ନଥିଲେ, ବୌଦ୍ଧ ଧର୍ମର ସମ୍ଭବତଃ ବିଲୟ ଘଟିଥାନ୍ତା । କଳିଙ୍ଗ ଯୁଦ୍ଧ ପରେ ମର୍ମାହତ ଅଶୋକ ବୌଦ୍ଧ ଧର୍ମ ଗ୍ରହଣ କରିବା ସହ ନିଜକୁ ସୁଧାରିଥିଲେ ଓ ରାଜ୍ୟଜୟ ନିଶାରୁ ଦୂରେଇ ରହିଥିଲେ । ବୌଦ୍ଧ ଧର୍ମ ରାଜ୍ୟଧର୍ମ ଭାବେ ଘୋଷିତ ହୋଇଥିଲା ଏବଂ ଏହାର ପ୍ରଚାର ପ୍ରସାର ପାଇଁ ଅଶୋକ ଆଗ୍ରହ ଦେଖାଇଥିଲେ ।
  7. ଦକ୍ଷୀଣପୂର୍ବ ସାଗରରେ ଭାରତୀୟ ସଂସ୍କୃତି ପ୍ରଚାର ପ୍ରସାର କଳିଙ୍ଗ ଯୋଗୁଁ ସମ୍ଭବ ହୋଇଛି । କାମ୍ବୋଡିଆ, ଆଲେସିଆ, ଜାଭା, ସୁମାତ୍ରା, ବାଲି, ସିଂହଳ, ବର୍ମା ଓ ଥାଇଲାଣ୍ଡ ଆଦିରେ ଏବେ ବି କଳିଙ୍ଗର ଛାପ ଦେଖିବାକୁ ମିଳେ ।
  8. କଳିଙ୍ଗ ହେଉଛି ବିଶ୍ୱର ହାତଗଣତି ପୂରାତନ ଗଣତନ୍ତ୍ର ମଧ୍ୟରୁ ଗୋଟିଏ ।
  9. ପୁରୀ ଶ୍ରୀମନ୍ଦିର ରୋଷେଇ ଘର ବିଶ୍ୱର ସବୁଠୁ ବଡ଼ ରୋଷେଇ ଘର ଭାବେ ପରିଚିତ । ଏଠାରେ ଗୋଟିଏ ଚୁଲାରେ ଉପରକୁ ଉପର ଏକକାଳୀନ ୭ଟି ପାତ୍ରରେ ରୋଷେଇ ହୁଏ । ଏଠାରେ ୪୦୦ ରାନ୍ଧୁଣିଆ କାର୍ଯ୍ୟ କରନ୍ତି ଓ ପ୍ରତ୍ୟହ ୧୦ ହଜାରରୁ ଅଧିକ ଭକ୍ତ ପ୍ରସାଦ ସେବନ କରନ୍ତି ।
  10. ପୁରୀ ଶ୍ରୀମନ୍ଦିରରେ ବିଭିନ୍ନ ସମୟରେ ମୋଟ ୩୦୦ ପ୍ରକାରରୁ ଅଧିକ ବ୍ୟଞ୍ଜନ ରନ୍ଧାଯାଏଁ । କୌଣସି ବ୍ୟଞ୍ଜନରେ ଆଳୁ ଓ ଟମାଟୋ ବ୍ୟବହୃତ ହୁଏନାହିଁ ।
  11. ଓଡ଼ିଶୀ ନୃତ୍ୟ ଭାରତର ସର୍ବ ପୂରାତନ ନୃତ୍ୟ । ମନ୍ଦିର ଗାତ୍ର ଓ ପୂରାତନ ସାହିତ୍ୟରେ ଏହାର ବର୍ଣନା ରହିଛି । ତେବେ ଦେଶ ସ୍ୱାଧୀନତା ପରେ ଏହି ନୃତ୍ୟର ନାମକରଣ କରାଯାଇଛି ।
  12. ବିଜ୍ଞାନ କ୍ଷେତ୍ରରେ ବିଶ୍ୱସ୍ତରରେ ଦିଆଯାଉଥିବା କଳିଙ୍ଗ ପୁରସ୍କାର ଓଡିଶା ପକ୍ଷରୁ ଦିଆଯାଏ ଏବଂ ଏହାକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ପ୍ରତିଷ୍ଠା କରିଥିଲେ ।
  13. ତାଜମହଲ ନିର୍ମାଣର ବହୁ ପୂର୍ବରୁ ସମୁଦ୍ର ତଟରେ ଓଡ଼ିଶାର କାରିଗରମାନେ କୋଣାର୍କ ସୂର୍ଯ୍ୟ ମନ୍ଦିର ନିର୍ମାଣ କରିଥିଲେ । ଏହା ଅନ୍ୟତମ ବିଶ୍ୱ ଐତିହ୍ୟ ।
  14. ଓଡ଼ିଶାର ଭିତରକନିକାରେ ବିଶ୍ୱର ସବୁଠୁ ବଡ଼ କୁମ୍ଭୀର ରହିଛି । ଏହାର ଲମ୍ବ ୨୭ ଫୁଟ ।
  15. ଭାରତରେ ମାତ୍ର ଦୁଇଟି ଧଳା କୁମ୍ଭୀର ରହିଛି । ଆପଣ ଜାଣି ଖୁସି ହେବେ, ଦୁଇଟି ଯାକ ଭିତରକନିକା ବାସିନ୍ଦା ଅଟନ୍ତି ।
  16. ଭାରତର ଏକମାତ୍ର ରାଜ୍ୟ ଓଡ଼ିଶା ଉପକୂଳରେ ଅଲିଭ ରିଡଲେ କଇଁଛ ସମୁହ ଅଣ୍ଡାଦାନ କରନ୍ତି । ଗହୀରମଥା, ଋଷିକୂଲ୍ୟା ଓ ଦେବୀନଦୀ ମୁହାଣରେ ଲକ୍ଷଲକ୍ଷ କଇଁଛ ଦେଖିବାକୁ ମିଳେ ।
  17. ଓଡ଼ିଶାର ଚିଲିକା ହେଉଛି ଏସିହାର ସର୍ବବୃହତ ଲୁଣା ହ୍ରଦ ।
  18. ଶିମିଳିପାଳ ଭାରତର ଅନ୍ୟତମ ବୃହତ ବ୍ୟାଘ୍ର ଅଭୟାରଣ୍ୟ । ଏକଦା ଏଠାରେ ଖଇରୀ ନାମରେ ଏକ ବାଘ ଥିଲା ଯାହା ଅନ୍ୟ ଗୃହପାଳିତ ପଶୁଙ୍କ ଭଳି ମଣିଷ ସହ ଶେଷ ଜୀବନ ଯାଏଁ ରହିଥିଲା ।
  19. ଭାରତର ଦ୍ୱିତୀୟ ବୃହତ୍ତମ ଚିଡ଼ିଆଖାନା ହେଉଛି ନନ୍ଦନକାନନ । ଏହା ହେଉଛି ଭାରତର ଏକମାତ୍ର ଚିଡିଆଖାନା, ଯେଉଁଠି ବାଘ ଓ ସିଂହ ସଫାରୀ ରହିଛି ।
  20. ଓଡ଼ିଶାରେ ସର୍ବାଧିକ ୬୨ ଆଦିମ ଜନଜାତି ଅଛନ୍ତି । ପ୍ରତ୍ୟେକଙ୍କର ନିଜର ଭାଷା, ପୋଷାକ ଓ ସଂସ୍କୃତି ରହିଛି ।
  21. ଲୁପ୍ତପ୍ରାୟ ବଣ୍ଡା ଜନଜାତି କେବଳ ଓଡ଼ିଶାର କୋରାପୁଟରେ ଦେଖାଯାଆନ୍ତି ।
  22. ହିନ୍ଦୁ ବିଶ୍ୱାସରେ ଚାରିଧାମ ମଧ୍ୟରୁ ଓଡ଼ିଶାର ପୁରୀ ଅନ୍ୟତମ । ତେବେ ଏହା ଏକମାତ୍ର ଧାମ ଯେଉଁଠି ପୂଜାବିଧିରେ ବୈଷ୍ଣବ, ଶାକ୍ତ, ଶୈବ ଓ ଲୋକସଂସ୍କୃତି (ଶବର)ର ମିଶ୍ରଣ ଦେଖିବାକୁ ମିଳେ ।
  23. ବିଶ୍ୱପ୍ରସିଦ୍ଧ ମିଠା ରସଗୋଲାର ଜନ୍ମ ଓଡ଼ିଶାରେ । ଛେନାଜାତୀୟ ଖାଦ୍ୟ ସାଧାରଣତଃ ପୂଜାରେ ବ୍ୟବହୃତ ହେଉନଥିବା ବେଳେ ପୁରୀ ଜଗନ୍ନାଥଙ୍କ ପାଖରେ ରସଗୋଲା ଓ ଅନ୍ୟ ଛେନାଜାତୀୟ ଦ୍ରବ୍ୟ ପୂଜାପାଏ ।
  24. ଚାନ୍ଦିପୁରରେ ଦେଶର ଏକମାତ୍ର ଜୁଆର-ଭଟ୍ଟା ପରିବର୍ତିତ ବେଳାଭୂମି ରହିଛି । ଜୁଆର ବେଳେ ଏଠାରେ ସମୁଦ୍ର ଉପକୂଳ ୫ କିଲୋମିଟର ଆଗକୁ ମାଡ଼ି ଆସୁଥିବା ବେଳେ ଭଟ୍ଟା ବେଳେ ଅନୁରୂପ ଦୂରତା ପଛକୁ ଫେରିଯାଏ ।
  25. କୁହାଯାଏ ଦେଶର ମନ୍ଦିରନଗରୀ ତଥା ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ସହସ୍ରାଧିକ ମନ୍ଦିର ରହିଥିଲା । ବର୍ତ୍ତମାନ ଏଠାରେ ୬୦୦ଟି ପ୍ରାଚୀନ ମନ୍ଦିର ରହିଛି । ଏତେ ସଂଖ୍ୟକ ପ୍ରାଚୀନ ମନ୍ଦିର ଅନ୍ୟ କୌଣସି ସହରରେ ନାହିଁ ।
  26. ଶ୍ରୀଲଙ୍କାର ପ୍ରାଚୀନ ନାମ ସିଂହଳ । ଜାଣନ୍ତି ଏପରି ନାମକରଣର ରହସ୍ୟ? ଓଡ଼ିଆ ରାଜା ଜୟ ସିଂହଙ୍କ ନାମ ଅନୁସାରେ ଏପରି ହୋଇଛି ।
  27. ବିଶ୍ୱର ଚତୁର୍ଥ ବୃହତ୍ତ ନଦୀବନ୍ଧ ହୀରାକୁଦ ଡ୍ୟାମ୍ ଓଡ଼ିଶାରେ ରହିଛି ।
  28. ହୀରାକୁଦ ହେଉଛି ବିଶ୍ୱର ସବୁଠୁ ଦୀର୍ଘ ମାଟିବନ୍ଧ । ଏହା ମଧ୍ୟ ଏସିଆର ବଡ଼ କୃତ୍ରିମ ହ୍ରଦ ।
  29. ବିଶ୍ୱର ସର୍ବାଧିକ ହେମାଟାଇଟ୍ ଓଡ଼ିଶାରେ ରହିଛି । ଭାରତର ଏକ ଚତୁର୍ଥାଂଶ ହେମାଟାଇଟ୍ ଓଡ଼ିଶାରେ ।
  30. ବିଶ୍ୱର ସବୁଠୁ ବଡ଼ ମୁକୁଳା କ୍ରୋମାଇଟ୍ ଖଣି ସୁକିନ୍ଦାରେ ରହିଛି । ଭାରତର ୯୮ ପ୍ରତିଶତ କ୍ରୋମାଇଟ୍ ଓଡ଼ିଶାରେ ରହିଛି ଓ ସୁକିନ୍ଦାରେ ରହିଛି ୯୭ ପ୍ରତିଶତ ।
  31. ବିଶ୍ୱର ସବୁଠୁ ବଡ଼ ଅଣ୍ଡା ଓଡ଼ିଶାରେ ରହିଛି । ଓଟ ପକ୍ଷୀ ଓ ଏମୁ ପକ୍ଷୀ ଜାତୀୟ ବିଲୁପ୍ତ ହାତୀ ପକ୍ଷୀର ଏହି ଅଣ୍ଡାଟି ଭୁବନେଶ୍ୱରରେ ଥିବା ଆଞ୍ଚଳିକ ପ୍ରାକୃତିକ ଇତିହାସ ସଂଗ୍ରାହାଳୟରେ ରହିଛି । ପକ୍ଷୀଟି ୧୬୫୦ ପର୍ଯ୍ୟନ୍ତ ଜୀବୀତ ଥିଲା ।
  32. ଆମେରିକା ରାଷ୍ଟ୍ରପତିଙ୍କ ପତ୍ନୀ ମିସେଲ ଓବାମାଙ୍କ ଭାରତ ଗସ୍ତ ବେଳେ ତାଙ୍କ ଅଙ୍ଗବସ୍ତ୍ର ପ୍ରସ୍ତୁତ କରିଥିଲେ ଓଡ଼ିଆ ଡିଜାଇନର ବିଭୂ ମହାପାତ୍ର।
  33. ପୃଥିବୀର ଏକମାତ୍ର ଢଳି ପଡ଼ିଥିବା ମନ୍ଦିର ସମ୍ବଲପୁରର ହୁମାରେ ଅବସ୍ଥିତ ।
  34. ଓଡ଼ିଶାର ସମ୍ବଲପୁରୀ ଶାଢ଼ୀ ଅନ୍ୟତମ ପ୍ରସିଦ୍ଧ ବସ୍ତ୍ର ଭାବେ ଜଣାଶୁଣା । ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଏହାକୁ ନିୟମିତ ପିନ୍ଧୁଥିଲେ ।
  35. ଆକାଶ, ଅଗ୍ନି, ପୃଥ୍ୱୀ ଭଳି ଭାରତର ବହୁ ଗୁରୁତ୍ୱପୂର୍ଣ ମିଶାଇଲ ଓଡ଼ିଶାର ହ୍ୱିଲର ଦ୍ୱୀପରେ ପରୀକ୍ଷା ହୋଇଛି । ପୂର୍ବତନ ରାଷ୍ଟ୍ରପତି ଏପ୍ରିଜେ ଅବଦୁଲ କାଲାମଙ୍କ ମୃତ୍ୟୁ ପରେ ଏହି ଦ୍ୱୀପକୁ କାଲାମ ଦ୍ୱୀପ ଭାବରେ ନାମିତ କରାଯାଇଛି ।
  36. ଭାରତର ଏକମାତ୍ର ସର୍ଫିଂ ଫେଷ୍ଟିଭାଲ ଓଡ଼ିଶା ବେଳାଭୂମିରେ ଥିବା ରାମଚଣ୍ଡୀରେ ହୁଏ ।
  37. ରାଉରକେଲା ଷ୍ଟିଲ ପ୍ଳାଣ୍ଟ ହେଉଛି ପ୍ରଥମ ସଂହତ ପବ୍ଲିକ ସେକ୍ଟର ଇସ୍ପାତ କାରଖାନା ଯାହା ୧୯୫୫ରେ ପ୍ରତିଷ୍ଠା ହୋଇଥିଲା ।
  38. ପୂରାତନ ପୋଥି ସଂଗ୍ରହରେ ଭୁବନେଶ୍ୱରରେ ଥିବା ରାଜ୍ୟ ସଂଗ୍ରାହାଳୟ ପୃଥିବୀରେ ସର୍ବାଗ୍ରେ ।
  39. ଗୁଜୁରାଟ ପରେ ଓଡ଼ିଶାର ଧାମରାରେ ଭାରତର ଦ୍ୱିତୀୟ ଗଭୀର ବନ୍ଦର ରହିଛି ।
  40. ବିଶ୍ୱର ସବୁଠୁ ବଡ଼ ମୁକ୍ତାକାଶ ଯାତ୍ରା ବରଗଡ଼ରେ ହେଉଥିବା ଧନୁଯାତ୍ରା । ଅନୁରୂପ ଭାବେ ନୟାଗଡ଼ର ଦଶପଲ୍ଲାରେ ୨୦୦ ବର୍ଷ ଧରି ମୁକ୍ତାକାଶ ଲଙ୍କାପୋଡ଼ି ଯାତ୍ରା ହୋଇଆସୁଛି ।
  41. ଏସିଆର ବୃହତ୍ତ ଗ୍ରାମ ଭୁବନ ଓଡ଼ିଶାର ଢେଙ୍କାନାଳରେ ଅବସ୍ଥିତ ।
  42. ଭାରତର ପ୍ରାଚୀନ ଭାଷାମାନଙ୍କ ମଧ୍ୟରୁ ଓଡ଼ିଆ ଅନ୍ୟତମ । ଓଡ଼ିଆ ସମେତ ମୋଟ ୬ଟି ଭାଷାକୁ ଦେଶରେ ଶାସ୍ତ୍ରୀୟ ମାନ୍ୟତା ମିଳିଛି ।
  43. ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଇଂଲଣ୍ଡ ଜନ୍ମିତ କମ୍ପ୍ୟୁଟର ବିଜ୍ଞାନର ଜନକ ଆଲାନ ତୁରିଙ୍ଗଙ୍କର ଏକ ଓଡ଼ିଶା ସମ୍ପର୍କ ରହିଛି । ତାଙ୍କ ମା’ ଗଞ୍ଜାମର ଛତ୍ରପୁରରେ ଗର୍ଭବତୀ ହୋଇଥିଲେ ଓ ପରେ ଇଂଲଣ୍ଡ ଫେରି ତୁରିଙ୍ଗଙ୍କୁ ଜନ୍ମଦେଲେ ।
  44. ଭାରତରେ ଭୂ-ବନ୍ଦୋବସ୍ତ ବ୍ୟବସ୍ଥା ପ୍ରଥମେ ଗଞ୍ଜାମରେ ଆରମ୍ଭ ହୋଇଥିଲା ।
  45. ସମସ୍ତେ ଜାଣନ୍ତି ବ୍ରିଟିଶ ବିରୋଧରେ ପ୍ରତମ ବିପ୍ଳବ ହେଉଛି ୧୮୫୭ର ସିପାହୀ ବିଦ୍ରୋହ । କିନ୍ତୁ ଏହାର ବହୁ ପୂର୍ବରୁ ଇଂରେଜ ଓଡ଼ିଶା ଅଧିକାର କରିବାର ୧୪ ବର୍ଷ ପରେ ୧୮୧୭ରେ ଓଡ଼ିଶାରେ ପାଇକ ବିଦ୍ରୋହ ହୋଇଥିଲା । ପାଇକ ବିଦ୍ରୋହ ହେଉଛି ବ୍ରିଟିଶ ଶାସନ ବିରୋଧରେ ପ୍ରତମ ସଶସ୍ତ୍ର ଗଣବିଦ୍ରୋହ ।
  46. ଇଣ୍ଡୋନେସିଆ ସ୍ୱାଧୀନତା ଆନ୍ଦୋଳନରେ ଓଡ଼ିଆ ବିଜୁ ପଟ୍ଟନାୟକଙ୍କ ଅବଦାନ ପ୍ରଣିଧାନଯୋଗ୍ୟ । ଇଣ୍ଡୋନେସିଆର ପ୍ରଥମ ପ୍ରଧାନମନ୍ତ୍ରୀ ସୁତନ ଜାହିରଙ୍କୁ ଗୃହବନ୍ଦୀରୁ ମୁକ୍ତ କରି ପାଇଲଟ ବିଜୁ ପଟ୍ଟନାୟକ ବିମାନରେ ଏକାକୀ ନେଇ ଆସିଥିଲେ । ତାଙ୍କୁ ପରେ ଇଣ୍ଡୋନେସିଆର ସବ୍ରୋଚ୍ଚ ନାଗରିକ ସମ୍ମାନ ପ୍ରଦାନ କରାଯାଇଛି ।
  47. ଏସିଆର ଦୁଇଟି ସ୍ଥାନରେ ସୂକ୍ଷ୍ମ ତାରକସି କାମ ଦେଖିବାକୁ ମିଳେ; ତେଲେଙ୍ଗାନାର କରିମ ନଗର ଓ ଓଡ଼ିଶାର କଟକ ।
  48. ଅମିତାଭ ବଚ୍ଚନଙ୍କ ପୁଅ ଅଭିଷେକଙ୍କ ସହ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟଙ୍କ ବିବାହ ଉତ୍ସବ ପାଇଁ ସୋନପୁରର ବସ୍ତ୍ର ଶିଳ୍ପୀ ଚତୁର୍ଭୂଜ ମେହେର ୪ ଗୋଟି ଶାଢ଼ୀ ପ୍ରସ୍ତୁତ କରିଥିଲେ ।
  49. ଓଡ଼ିଶାର ତଳସାରି ଉପକୂଳ ବିରଳ ନାଲି କଙ୍କଡ଼ା ପାଇଁ ପ୍ରସିଦ୍ଧ । ଅନ୍ୟତ୍ର ଏହା କେବଳ ଅଷ୍ଟ୍ରେଲିଆର କ୍ରିସ୍ମାସ ଦ୍ୱୀପରେ ଦେଖାଯାଏ ।
  50. ଓଡ଼ିଶାର ମୟୁରଭଞ୍ଜରେ ୩୦୦ କୋଟି ବର୍ଷ ପୁରୁଣା ପଥର ରହିଛି । ପୃଥିବୀର ବୟସ ହେଉଛି ୪୫୦ କୋଟି ବର୍ଷ ।
  51. ସଂସଦରେ ଲୋକାୟୁକ୍ତ ବିଲ ପାରିତ ହେବା ପରେ ପ୍ରଥମେ ଓଡ଼ିଶା ଏହାକୁ ପାଳନ କରିଛି ।
  52. ବିଶ୍ୱର ଉଚ୍ଚତମ ବୈଦ୍ୟୁତିକ ରେଳ ଟ୍ରାକ୍ ଓଡ଼ିଶାରେ ରହିଛି । ଡବଲ ଷ୍ଟାକ୍ କଣ୍ଟେନର୍(ଡିଏସ୍ସି) ମାଲ ପରିବାହୀ ଟ୍ରେନ୍ ଯାତାୟତ ଲାଗି ଓଡ଼ିଶାର ଯଖପୁରାରୁ ଦୈତାରି ପର୍ଯ୍ୟନ୍ତ ୭.୪୫ ମିଟର ଉଚ୍ଚରେ ବିଦ୍ୟୁତୀକରଣ କରାଯାଇଛି । ଆମେରିକାରେ ଏହିପରି ଦ୍ୱିତୀୟ ଟ୍ରାକ୍(୭.୧ ମିଟର ଉଚ୍ଚ) ଥିବା ବେଳେ ଚୀନରେ ତୃତୀୟ (୬.୬ ମିଟର) ରହିଛି ।
  53. ଦେଶ ସ୍ୱାଧୀନତା ପାଇବା ପୂର୍ବରୁ ଦେଶର ପ୍ରଥମ ସାମରିକ ପରୀକ୍ଷଣ କେନ୍ଦ୍ର ଓଡ଼ିଶାରେ ହୋଇଥିଲା । ଏବେ ଏହାର ନାମ ଡିଆର୍ଡିଓ, ଚାନ୍ଦିପୁର ।
  54. ବଙ୍ଗୋପସାଗରର ସବୁଠୁ ପୁରୁଣା ବତୀଘର କେନ୍ଦ୍ରାପଡ଼ା ନିକଟସ୍ଥ ହୁକିଟୋଲା ଦ୍ୱୀପରେ ରହିଛି ।
  55. ବିଶ୍ୱର ସବୁଠୁ ବଡ଼ ସୂର୍ଯ୍ୟ ମନ୍ଦିର ହେଉଛି କୋଣାର୍କର ସୂର୍ଯ୍ୟମନ୍ଦିର । ବର୍ତମାନ ଭଗ୍ନ ଏହାର ମୁଖ୍ୟ ମନ୍ଦିର ପୁରୀ ଜଗନ୍ନାଥ ମନ୍ଦିର ଠାରୁ ମଧ୍ୟ ଉଚ୍ଚତମ ।
  56. ବିଶ୍ୱର ସର୍ବାଧିକ ପ୍ରଜାତିର ଧାନ ଚାଷ ଓଡ଼ିଶାର କୋରାପୁଟରେ ହୁଏ ।
  57. ମୟୁରଭଞ୍ଜର ଶିମିଳିପାଳ ଜଙ୍ଗଲରେ ବିଶ୍ୱର ସବୁଠୁ ବଡ଼ ଅର୍କିଡ୍ ଉପତ୍ୟକା ରହିଛି ।
  58. ବିହାରର ନାଳନ୍ଦା ଭଳି ବିଶ୍ୱର ଅନ୍ୟତମ ପ୍ରାଚୀନ ବିଶ୍ୱବିଦ୍ୟାଳୟ ହେଉଛଇ ପୁଷ୍ପଗିରି ବିଶ୍ୱବିଦ୍ୟାଳୟ, ଯାହା ଯାଜପୁର ଜିଲ୍ଲାର ଉଦୟଗିରି ନିକଟରେ ରହିଛି ।
  59. ସବୁଠୁ ଅଧିକ ପ୍ରକାରର ହସ୍ତତନ୍ତ ସାମଗ୍ରୀ ଓଡ଼ିଶାରେ ପ୍ରସ୍ତୁତ ହୁଏ ।
  60. ଓଡ଼ିଶାରେ ଭାରତର ଦୁଇଟି ବୃହତ୍ତ ଜଳପ୍ରପାତ ରହିଛି । ଗୋଟିଏ ଶିମିଳିପାଳ ଜଙ୍ଗଲରେ ଓ ଅନ୍ୟଟି ହେଉଛଇ କେନ୍ଦୁଝରର ପ୍ରଧାନପାଟ ।
  61. ଏସିଆର ସର୍ବବୃହତ ଆଲୁମିନିୟମ କାରଖାନା ହେଉଛି ଓଡ଼ିଶାର ନାଲକୋ ।
  62. ଭାରତର ୪ର୍ଥ ରାଷ୍ଟ୍ରପତି ଭିଭି ଗିରି ଓଡ଼ିଶାର ବ୍ରହ୍ମପୁରରେ ଜନ୍ମ ହୋଇଥିଲେ ।
  63. ଅନୁରୂପ ଭାବେ ପ୍ରସିଦ୍ଧ ସିନେ ନିର୍ମାତା ମୀରା ନାୟାରଙ୍କର ଜନ୍ମ ଓଡ଼ିଶାର ରାଉରକେଲାରେ ।
  64. ସ୍ୱିଡେନର ପ୍ରସିଦ୍ଧ ବ୍ୟକ୍ତିତ୍ୱ ଓ ଚିତ୍ରଶିଳ୍ପୀ ପିକେ ମହାନନ୍ଦିଆଙ୍କ ଜନ୍ମ ଅନୁଗୁଳ ଜିଲ୍ଲା ଆଠମଲିକରେ । ସେ ନିଜର ପ୍ରେମିକା-ପତ୍ନୀ ସ୍ୱିଡେନର ରାଜକନ୍ୟାଙ୍କୁ ଭେଟିବାକୁ ୧୯୭୮ରେ ସାଇକେଲ ଯୋଗେ ଭାରତରୁ ସ୍ୱିଡେନ ଯାଇଥିଲେ ।
  65. ଦେଶରେ ଛୁଆଁଅଛୁଆଁ ଭେଦଭାବ ଦୂର କରିବା ପାଇଁ ମହାତ୍ମା ଗାନ୍ଧି ପୁରୀରୁ ନିଜର ହରିଜନ ପଦଯାତ୍ରା ଆରମ୍ଭ କରିଥିଲେ ।
  66. ୧୯୫୨ରେ ଓଡ଼ିଶା ପ୍ରତିଷ୍ଠା କରିଥିବା କଳିଙ୍ଗ ପୁରସ୍କାର ପାଇଥିବା ୨୫ ଜଣ ବ୍ୟକ୍ତିତ୍ୱ ପରେ ନୋବେଲ ପୁରସ୍କାର ପାଇଛନ୍ତି ।
  67. ଦେଶର ଏକମାତ୍ର ଶିଳ୍ପଗ୍ରାମ ପୁରୀର ରଘୁରାଜପୁର । ଏହି ଗ୍ରାମର ପ୍ରତି ବ୍ୟକ୍ତି ଜଣେଜଣେ ପଟ୍ଟଚିତ୍ର ଶିଳ୍ପୀ ।
  68. ନେତାଜୀ ସୁଭାଷ ଚନ୍ଦ୍ର ବୋଷ ବଙ୍ଗାଳି ଥିଲେ ହେଁ, ତାଙ୍କ ବାପା କଟକର ସ୍ଥାୟୀ ବାସିନ୍ଦା ଥିଲେ ଓ ଏହିଠାରେ ହିଁ ନେତାଜୀଙ୍କ ଜନ୍ମ । ଏବେ ତାଙ୍କର ଜନ୍ମସ୍ଥାନରେ ଏକ ସଂଗ୍ରହାଳୟ ପ୍ରତିଷ୍ଠା ପାଇଛି ।
  69. ୨୦୧୧ ନଭେମ୍ବର ୪ ତାରିଖ ଯାଏଁ ଓଡ଼ିଶାର ଇଂରାଜୀ ବନାନ ଓରିସା ଥିଲା । ଦୀର୍ଘ ଦାବି ପରେ ସେହିଦିନ ଠାରୁ ସରକାରୀ ଭାବେ ଏହି ରାଜ୍ୟ ଓଡ଼ିଶା ଭାବେ ପରିଚିତି ପାଇଲା ।
  70. ଏସିଆର ସର୍ବବୃହତ ଧାନ ଗବେଷଣା କେନ୍ଦ୍ର କଟକରେ ରହିଛି ।
  71. ଭାରତ ପର୍ଯ୍ୟଟନର ପ୍ରଚାର ବାକ୍ୟ ‘ଅତୁଲ୍ୟ ଭାରତ’ ରହିଥିବା ବେଳେ ଓଡ଼ିଶା ପର୍ଯ୍ୟଟନର ପ୍ରଚାର ବାକ୍ୟ ରହିଛି ‘ଅତୁଲ୍ୟ ଭାରତର ଆତ୍ମା’। ଓଡ଼ିଶା ଭାରତର ଆତ୍ମା ଭାବେ ପରିଗଣିତ ।
  72. ମାଲେରିଆ ନିରାକରଣରେ ଓଡ଼ିଶା ହେଉଛି ଦେଶର ପ୍ରଥମ ରାଜ୍ୟ ।
  73. ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀ ହେଉଛନ୍ତି ଗଜପତି କୃଷ୍ଣଚନ୍ଦ୍ର ଦେବ ଓ ପ୍ରଥମ ମୁଖ୍ୟମନ୍ତ୍ରୀ ହେଉଛନ୍ତି ହରେକୃଷ୍ଣ ମହତାବ । ନାଁ ନାଁ, ମୁଁ ଭୁଲ କହୁନାହିଁ । ଓଡ଼ିଶା ସ୍ୱତନ୍ତ୍ର ରାଜ୍ୟ ହେବ ପରେ ପ୍ରଥମେ ଏହାର ନିର୍ବାଚିତ ମୁଖ୍ୟଙ୍କୁ ପ୍ରଧାନମନ୍ତ୍ରୀ କୁହାଯାଉଥିଲା ।
  74. ଓଡ଼ିଶାର ପୂରାତନ ନାମ ଉତ୍କଳ ଆମ ଦେଶର ଜାତୀୟ ସଂଗୀତରେ ରହିଛି । ମନେପକାନ୍ତୁ ଜନଗଣମନର ଦ୍ୱିତୀୟ ଧାଡ଼ି- ପଞ୍ଜାବ ସିନ୍ଧୁ ଗୁଜୁରାଟ ମରାଠା ଦ୍ରାବିଡ଼ ଉତ୍କଳ ବଙ୍ଗ ।
  75. ଓଡ଼ିଶା ନାମ ଆଧାରରେ ଏକ ଗୁଳ୍ମ ଜାତିର ନାମକରଣ କରଯାଇଛି - ଓଡ଼ିଶା କ୍ଲେଷ୍ଟାନ୍ଥା
  76. ଭାରତୀୟ ଭାଷାରେ ୱିକିପେଡିଆ ହେବାରେ ପ୍ରଥମ ଦୁଇଟି ଭାଷା ମଧ୍ୟରେ ଓଡ଼ିଆ ଅନ୍ୟତମ ।
  77. ଆଧୁନିକ ଓଡ଼ିଶାର ଅନ୍ୟତମ ବିନ୍ଧାଣୀ ମଧୁସୂଦନ ଦାସ ଯୁବାବସ୍ଥାରେ ସୁଭାଷ ଚନ୍ଦ୍ର ବୋଷଙ୍କ ବାପବା ଜାନକୀନାଥଙ୍କ ଗୃହ ଶିକ୍ଷକ ଥିଲେ ।
  78. ଦାଦନ ଶ୍ରମିକଙ୍କ ପଞ୍ଜୀକରଣ କରିବା ଓ ସେମାନଙ୍କ ଗତିବିଧି ଆକଳନ କରିବାରେ ଓଡ଼ିଶା ପ୍ରଥମ ରାଜ୍ୟ ।
  79. ଓଡ଼ିଶାର ନୟାଗଡ଼ ନିକଟ ଗଡ଼ମାଣତ୍ରିରେ ହିନ୍ଦୁପର୍ବ ଦୁର୍ଗାପୂଜା ପାଳନ ବେଳେ ମୁସଲମାନ ବ୍ୟକ୍ତି ହୋମରେ ବସିଥାନ୍ତି । ଅନୁରୂପ ଭାବେ କଟକରେ ଦୁର୍ଗାପୂଜା ଚାନ୍ଦୀ ମେଢ଼ ମୁସଲମାନ ସଂପ୍ରଦାୟର କାରିଗର ପ୍ରସ୍ତୁତ କରିଥାନ୍ତି । ଏଭଳି ଭାଇଚାରା ବିଶ୍ୱର ଅନ୍ୟତ୍ର ବିରଳ ।
  80. ବିଶ୍ୱର ପ୍ରଥମ ପୂର୍ଣାଙ୍ଗ ବନବିଦ୍ୟାଳୟ ପୁରୀ ଜିଲ୍ଲା ସାକ୍ଷୀଗୋପାଳରେ ପଞ୍ଚସଖାଙ୍କ ଦ୍ୱାରା ପ୍ରତିଷ୍ଠା ପାଇଥିଲା । ରବୀନ୍ଦ୍ରନାଥ ଟାଗୋର ନିଜର ଜମିଦାରୀ ବୁଝିବାକୁ ନିୟମିତ ପୁରୀ ଆସି ଏଠାରେ ଦିନାକେତେ ରହଣି କରୁଥିଲେ । ପରେ ପଶ୍ଚିମବଙ୍ଗ ଶାନ୍ତିନିକେତନରେ ଅନୁରୂପ ଢାଞ୍ଚାରେ ରବୀନ୍ଦ୍ରନାଥ ବିଶ୍ୱଭାରତୀ ବିଦ୍ୟାଳୟ ସ୍ଥାପନ କଲେ ।
  81. ଓଡ଼ିଆରେ ‘ଛତରଖିଆ’ ବା ‘ଛତ୍ରଖିଆ’ ବୋଲି ଏକ ପ୍ରସିଦ୍ଧ ଗାଳି ରହିଛି । ଏ ଶବ୍ଦ ପଛରେ ଓଡ଼ିଆ ସ୍ୱାଭିମାନ ରହିଛି । ନଅଙ୍କ ଦୁର୍ଭିକ୍ଷ ବେଳେ ଓ ପରେ ବିଭିନ୍ନ ସମୟରେ ଇଂରେଜ ସରକାର ଓ ମିଶନାରୀ ପ୍ରଚାରକମାନେ ବିଭିନ୍ନ ସ୍ଥାନରେ ଅନ୍ନଛତ୍ର ଖୋଲୁଥିଲେ । ସ୍ୱାଭିମାନକୁ ଜଗି ବହୁ ଓଡ଼ିଆ ପ୍ରାଣତ୍ୟାଗ କଲେ ପଛକେ, ହାତପାତି ଛତରଖିଆ ହେବାକୁ ନାପସନ୍ଦ କରୁଥିଲେ । ‘ନଅଙ୍କିଆ’ ବୋଲି ଆଉ ଏକ ମଧୁର ଗାଳି ମଧ୍ୟ ଏହି ସ୍ୱାଭିମାନରୁ ସୃଷ୍ଟି ।

ଆଧାର: ଓଡିଶା ରିପୋଟର

Last Modified : 2/19/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate