ହୋମ / ସମାଜ କଲ୍ୟାଣ / ଓଡିଶାର ପର୍ବପର୍ବାଣୀ / ଅବଧୂତ ବାବଙ୍କ ଭାଗବତ ଟୁଙ୍ଗୀ
ସେଆର କରନ୍ତୁ

ଅବଧୂତ ବାବଙ୍କ ଭାଗବତ ଟୁଙ୍ଗୀ

ଅବଧୂତ ବାବ ଭାଗବତ ଟୁଙ୍ଗୀ ଓ ବାଣୀ ବିଷୟରେ କହିଛନ୍ତି ।

ଭାଗବତ ଟୁଙ୍ଗୀ

ଧର୍ମରାଜ ଯୁଧିଷ୍ଠିର ଶ୍ରୀକୃଷ୍ଣଙ୍କ ପରାମର୍ଶରେ ପୃଥ୍ଵୀ ପୃଷ୍ଠର ପ୍ରଜାଗଣଙ୍କୁ ପୁତ୍ରପରି ଲାଳନ ପାଳନ କଲେ । ଧନସମ୍ପଦ ଭାର୍ଯ୍ୟା,ଭ୍ରାତା ଓ ପ୍ରିୟଜନଙ୍କୁ ଭୁଲି ଏକ ଧ୍ୟାନରେ ପ୍ରଜାଙ୍କୁ ସୁଖ ବାଣ୍ଟିବାରେ ବ୍ରତୀ ହେଲେ । ଯେପରି ଭୋକିଲା ମନୁଷ୍ୟ ଅନ୍ନ ଚିନ୍ତାରେ ଅନ୍ୟ ସବୁ କିଛି ଭୁଲି ଯାଏ, ସେହିପରି ଧର୍ମରାଜ ଧର୍ମ ଚିନ୍ତାରେ ଅନ୍ୟ ସବୁ ଭୁଲିଗଲେ ।

ଗୋବିନ୍ଦଙ୍କୁ ହୃଦୟରେ ବସାଇ ପ୍ରଜା ଶାସନ କଲେ । ବିଷୟାରସ, ଅମାପ ଅଲୋଡା ସମ୍ପଦର ତ୍ୟାଗ କରି ଧର୍ମପଥରେ ରାଜପଣ ସଂପାଦନ କଲେ ।

ଏମନ୍ତେ ସୂତ ମୁଖୁଁ ଶୁଣି ।

ଶୌନିକ ବୋଲେ ମନେ ଗୁଣି ॥

ଶୌନକ ଉବାଚ

ଜୋପେ ଯେ ଦ୍ରୋଣଙ୍କ କୁମରା

ମନ୍ତ୍ରି ପେଷିଲା ବ୍ରହ୍ମଶର ॥

ତାର ପ୍ରଚଣ୍ଡ ତେଜ ବଳେ ।

ଭୟେ କମ୍ପିଲେ ଦିଗପାଳେ ॥

ଉତ୍ତରା ଗର୍ଭେ ସେ ପଡିଲା ॥

ତକ୍ଷଣେ ଗୋବିନ୍ଦ ରଖିଲା ॥

ସେ ପୁଣି ଗଭୁ ଜନ୍ମହୋଇ ।

ପାଳିଲା ରାଜାପଣେ ମହୀ ॥

ଜଗତେ  ଯେତେ କର୍ମକଲା ॥

ପ୍ରଜାଙ୍କୁ ଯେମନ୍ତେ ପାଳିଲା ॥

କେବଣ ହେତୁ ନୃପରାଣ ।

କାହିଁ ଛାଡିଲା ନିଜପ୍ରାଣ ॥

ଅଳପ ବୟସେ ନୃପତି ।

ଅନ୍ତେ ଲଭିଲା କେଉଁ ଗତି ॥

ଆନନ୍ଦେ ଲଭିଲା କେଉଁ ଗତି ॥

ଆନନ୍ଦେ ବ୍ୟାସଙ୍କର ସୁତ

ଯାହାକୁ ଦେଲେ ଜ୍ଞାନତତ୍ତ୍ଵ ॥

ତାର ସକଳ କର୍ମଦିକ୍ଷା ॥

ଶ୍ରବଣେ ଆରମ୍ଭ କରୁ ଇଚ୍ଛା ॥

ଆମ୍ଭଙ୍କୁ ଯେବେ ଦୟାବହା

ସଂଶୟ ଯାଉ ମୁନି କହ ॥

ସୂତ ଉବାଚ

କୁରୁ ନଗରେ ଧର୍ମରାଜା ।

ପୁତ୍ରଙ୍କ ପ୍ରୟୋ ପାଳେ ପ୍ରଜା ॥

କୃଷ୍ଣ ହୁଁ ନଜାଣଇ ଆନ ।

ବିଷୟା ରସେ ନାହିଁ ମନା ।।

କି ଧନ ସମ୍ପଦ ରକ୍ଷଣେ ।

କି ସ୍ନେହ ଭାର୍ଯ୍ୟା ଭ୍ରାତୃଗଣେ ॥

ଧର୍ମହୁଁ ଅନ୍ୟ ନାହିଁ ଚିତ୍ତେ ।

ରାଜ୍ୟ ପାଳନେ ଏହିମତେ ॥

ଏ ଜମ୍ବୁଦ୍ଵୀପେ ଯେତେ ରାଜା ।

ସର୍ବେ କରନ୍ତି ପାଦ  ପୂଜା ॥

ଯାର ମହିମା ତିନିଲୋକେ ।

ଘୋଷନ୍ତି ଏକକୁ ଆରକେ ॥

ଗୋବିନ୍ଦ ଯାର ହୃଦେ ବସେ ।

ସେ କି ବିଷୟରେସେ ରସେ ॥

କ୍ଷୁଧିତ ଜନ ମନ ଯେହ୍ନେ ।

ଅନ୍ନହୁଁ ନ ଲୋଡଇ ଆନୋ ॥

ଅବଧୂତଙ୍କ ବାର୍ତ୍ତା

ସୁଧୀ ପାଠକ ମଣ୍ଡଳୀ, ଭାଗ ତେୟାନବେରେ ଭାଗବତ ପ୍ରଥମ ସ୍କନ୍ଧର ଏକାଦଶ ଅଧ୍ୟାୟ ସରିଛି । ଏକାଦଶ ଅଧ୍ୟାୟରେ ଭଗବାନ ଶ୍ରୀକୃଷ୍ଣ ମହାଭାରତ ଯୁଦ୍ଧର ଅନ୍ତିମ ପର୍ବ ସମାପ୍ତ ପରେ ଧର୍ମସୁତ ଯୁଧିଷ୍ଠିରଙ୍କୁ ସମ୍ରାଟ ପଦରେ ଅଧିଷ୍ଠିତ କଲେ । ତାଙ୍କୁ ଧର୍ମ ସଂସ୍ଥାପନା ଦାୟିତ୍ଵ ଅର୍ପଣ କରି ଦ୍ଵାରକା ପ୍ରତ୍ୟାବର୍ତ୍ତନ ଓ ଦ୍ଵାରକା ଲୀଳା ସଂପର୍କରେ ବର୍ଣ୍ଣନା କରାଯାଇଛି । ଭାଗ ଚୌରାନବେରୁ ଦ୍ଵାଦଶ ଅଧ୍ୟାୟ ଆରମ୍ଭ ହୋଇଛି । ଏହି ଅଧ୍ୟାୟରେ  ଅଭିମନ୍ୟୁ ପୁତ୍ର ପରୀକ୍ଷିତଙ୍କ ଜନ୍ମ ଜାତକାଦି ବିଷୟରେ ବର୍ଣ୍ଣନା କରାଯାଉଛି।

ନୈମିଷ ଅରଣ୍ୟର ଜ୍ଞାନଯଜ୍ଞ ସ୍ଥଳରେ ସମବେତ ମୁନିଋଷିଗଣ ସୂତଙ୍କ  ମୁଖରୁ ଶ୍ରୀକୃଷ୍ଣଙ୍କ ଚମତ୍କାର  ଲୀଳା ଶ୍ରବଣ କରି କୃତକୃତ୍ୟ ହେଲେ । ସେମାନଙ୍କ ମଧ୍ୟରୁ କୁଳବୃଦ୍ଧ ଶୌନକମୁନି ସୂତଙ୍କୁ ପଚାରିଲେ –ହେ’ ସୂତ, ଧର୍ମ ସଂସ୍ଥାପନା ପରେ ଶ୍ରୀକୃଷ୍ଣ ଦ୍ଵାରକା ଫେରିଆସିଲେ । ସାଧାରଣ ମନୁଷ୍ୟ ପରି ଜ୍ଞାତିଜନ ଓ ପ୍ରଜାଙ୍କ ସହିତ ଭାବ ବିନିମୟ ପୂର୍ବକ ଆତ୍ମାରମ ଭାବରେ ରାଜ୍ୟ ଶାସନ କଲେ । ତହିଁପର ଘଟଣା ସଂପର୍କରେ ଶୁଣିବା ପାଇଁ ମନ ଉଚ୍ଛନ୍ନ ହେଉଛି ।

ପୂର୍ବକଥିତ ଅନୁଯାଇ କ୍ରୋଧିତ ଅଶ୍ଵତ୍ଥାମା ପୃଥ୍ଵୀ ଅପାଣ୍ଡବା ଉଦ୍ଦେଶ୍ୟରେ ଉତ୍ତରାଙ୍କ ଗର୍ଭକୁ ଯେଉଁ ବ୍ରହ୍ମଶର ପେଷିଥିଲା, ସେ ଅବ୍ୟର୍ଥ ବାଣର ତେଜରେ ଦଶଦିଗପାଳାଦି ସର୍ବ ଦେବାଦେବୀ ଭୟରେ ଥରହର  ହେଲେ । ସେ ବାଣ ଉତ୍ତରା ଗର୍ଭରେ ପଡିବା କ୍ଷଣି ନାରାୟଣ ଚକ୍ର ଆଢୁଆଳରେ ଗର୍ଭ ସନ୍ତାନକୁ ରକ୍ଷା  କଲେ । ସେଇ ଶିଶୁପୁତ୍ର ଜନ୍ମ ହୋଇ କାଳକ୍ରମେ ରାଜା ହେଲେ ଓ ଧର୍ମନୀତିରେ ପ୍ରଜାପାଳନ କଲେ । ପୁଣି ଅଳ୍ପ ବୟସରେ ଯୁବରାଜ କେଉଁ କାରଣରୁ ମୃତ୍ୟୁକୁ ଆମନ୍ତ୍ରଣ କରି ଦେହ ଛାଡିଲେ ? ବ୍ୟାସଦେବଙ୍କ ପୁତ୍ର ଶୁକଦେବ ମୃତ୍ୟୁ ପ୍ରତୀକ୍ଷିତ ଯୁବରାଜଙ୍କୁ ସର୍ବ ଜ୍ଞାନତତ୍ତ୍ଵ ଶୁଣାଇଲେ  କାହିଁକି ?ଶରୀର ତ୍ୟାଗ ପରେ ସେଇ ନିର୍ମଳ ଆତ୍ମାର ଗତି ପୁଣି କେଉଁ ଭାବରେ, କେଉଁ ଲୋକକୁ ପ୍ରବେଶ କଲା ? ସେଇ ପରମ ସନ୍ଥ ରାଜାଙ୍କ ରାଜାଙ୍କ ରାଜପଣ, କର୍ମକାଣ୍ଡ ଓ ନିତ୍ୟ ଜୀବନ ଲୀଳା  ସଂପର୍କରେ ଶୁଣିବା ପାଇଁ ଆମ୍ଭେମାନେ ବ୍ୟାକୁଳ ହୋଇ ପଡିଛୁ । ଦୟାପର ବଶତଃ ଆମ୍ଭ ନିବେଦନ ରକ୍ଷା କଲେ ସଂଶୟ ଦୂର ହେବ ।

ଶୌନକ ମୁନିଙ୍କ ଉତ୍କଣ୍ଠିତ ପ୍ରାଣର ପ୍ରଶ୍ନ ଶ୍ରବଣ କରୁ ସୂତ୍ର ଅତ୍ୟନ୍ତ ପ୍ରୀତ ହେଲେ ଓ କହିଲେ – ହେ’ ମୁନିଜନେ, ତା ପରବର୍ତ୍ତୀ ଘଟଣା ସଂପର୍କରେ ଏବେ ଶ୍ରବଣ କର । ଧର୍ମରାଜ ଯୁଧିଷ୍ଠିର ଶ୍ରୀକୃଷ୍ଣଙ୍କ ପରାମର୍ଶରେ  ପୃଥ୍ଵୀ ପୃଷ୍ଠର ପ୍ରଜାଗଣଙ୍କୁ ପୁତ୍ରପରି ପାଳନ କଲେ । ଧନସମ୍ପଦ, ଭାର୍ଯ୍ୟା, ଭ୍ରାତା ଓ ପ୍ରିୟଜନଙ୍କୁ ଭୁଲି ଏକ ଧ୍ୟାନରେ ପ୍ରଜାଙ୍କୁ ସୁଖ ବାଣ୍ଟିବାରେ ବ୍ରତୀ ହେଲେ । ଯେପରି ଭୋକିଲା ମନୁଷ୍ୟ ଅନ୍ନ ଚିନ୍ତାରେ ଅନ୍ୟ ସବୁ କିଛି ଭୁଲି ଯାଏ, ସେହିପରି ଧର୍ମରାଜ ଧର୍ମ ଚିନ୍ତାରେ ଅନ୍ୟ ସବୁ ଭୁଲିଗଲେ । ଗୋବିନ୍ଦଙ୍କୁ ହୃଦୟରେ ବସାଇ ପ୍ରଜା ଶାସନ  କଲେ । ବିଷୟାରସ, ଅମାପ ଅଲୋଡା ସମ୍ପଦର ମୋହ ତ୍ୟାଗ କରି ଧର୍ମପଥରେ ରାଜପଣ ସଂପାଦନ କଲେ । ଯୁଧିଷ୍ଠିରଙ୍କୁ ପ୍ରଜା ସୁସମାଚାର ସ୍ଵର୍ଗ, ମର୍ତ୍ତ୍ୟ, ପାତାଳ, ତିନିପୁର ବ୍ୟାପିଗଲା । ଦେବାଦେବୀ ଗଣ ଯୁଧିଷ୍ଠିରଙ୍କ ଧର୍ମ ନୀତିପ୍ରତି ଆକୁଣ୍ଠ ସମର୍ଥନ ଜଣାଇ ସବୁଦିଗକୁ ସହାୟତା କଲେ । ଏପରି ମାନବସେବା ଦେଖି ଜମ୍ବୁଦ୍ଵୀପର ସମସ୍ତ ରାଜନଗଣ ଯୁଧିଷ୍ଠିରଙ୍କ ପ୍ରଦାଙ୍କ ଅନୁସରଣ କରି ନିଜ ନିଜ ଭୂଖଣ୍ଡର ପ୍ରଜାମାନଙ୍କୁ ସୁଖ, ଶାନ୍ତି ପ୍ରଜାନ କରୁଥିଲା । ବେଦନୀତିରେ ଶାସନ ଓ ଦଣ୍ଡ ଗ୍ରହଣ କରି, ଦୟା, କ୍ଷମାଗୁଣରେ ପ୍ରଜାଙ୍କୁ ସୁଖ, ଦୁଃଖ ବାଣ୍ଟୁଥିଲେ । ଯୁଧିଷ୍ଠିରଙ୍କ ଧର୍ମନୀତିର ମାନବସମାଜକୁ ଦେଖି, ଧରଣୀମାତା କୃତକୃତ୍ୟ ହେଲେ ।

ଆଧାର – ଦୈନିକ ସଂଚାର

2.92307692308
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top