ସେଆର କରନ୍ତୁ

ଗୁପ୍ତେଶ୍ଵର

କୋରାପୁଟ ଜିଲ୍ଲାର ଗୁପ୍ତେଶ୍ଵର ଜିଲ୍ଲାର ବିଶେଷତା ଓ ମହତ୍ତ୍ଵ ସମ୍ବନ୍ଧରେ ସୂଚନା ଦିଆଯାଇଛି ।

ଅବସ୍ଥିତି

ଗୁପ୍ତେଶ୍ଵର କୋରାପୁଟ ଜିଲ୍ଲାର ବୈପାରିଗୁଡ଼ା ନିକଟରେ ଅବସ୍ଥିତ ଏକ ଶୈବପୀଠ । ସ୍ଥାନଟି କୋରାପୁଟ ଠାରୁ ୮୦ କି.ମି ଓ ଜୟପୁରଠାରୁ ୬୦ କି.ମି. ଦୂର ।

ବିଶେଷତା

ଗୁପ୍ତେଶ୍ୱର ପାହାଡ଼ର ଶୀର୍ଷ ଦେଶରେ ଏକ ଗୁମ୍ଫା ମଧ୍ୟରେ ଗୁପ୍ତେଶ୍ୱର ଲିଙ୍ଗ ଅବସ୍ଥିତ । ଛତିଶଗଡ଼ର ଲୋକମାନେ ଏହାଙ୍କୁ ଗୁପ୍ତକେଦାର ବା 'Hidden God' ବୋଲି କହିଥାନ୍ତି । ଗୁମ୍ଫା ଭିତରେ ୧୦ ଫୁଟ ଗୋଲେଇ ଓ ୩ ଫୁଟ ଉଚ୍ଚତାର ଶିବଲିଙ୍ଗ ରହିଛି । ପୌରାଣିକ କଥା ଅନୁଯାୟୀ ଶ୍ରୀରାମଚନ୍ଦ୍ର ଭାଇ  ଲକ୍ଷ୍ମଣ ଓ ପତ୍ନୀ ସୀତାଙ୍କ ସହିତ ବନବାସ କାଳରେ ଏହି ଗୁମ୍ଫାରେ ଶିବଲିଙ୍ଗ ସ୍ଥାପନ କରି ପୂଜାର୍ଚ୍ଚନା କରିଥିଲେ । ପାହାଡ଼ଠାରୁ ସାମାନ୍ୟ ଦୁରରେ ରାମକୁଣ୍ଡ ଓ ସୀତାକୁଣ୍ଡ ରହିଛି । ଏଠାରେ ରାମ ଓ ସୀତା ସ୍ନାନ କରୁଥିବା ଲୋକକଥାରୁ ଜଣାଯାଏ । ଗୁପ୍ତେଶ୍ୱର ପୀଠର ଆଖପାଖ ଆଦିବାସୀପଲ୍ଲୀରେ ରହୁଥିବା ଦୁରୁଆ ସମ୍ପ୍ରଦାୟର ଲୋକମାନଙ୍କ ଦ୍ଵାରା ଗୁପ୍ତେଶ୍ୱରଙ୍କ ସେବାକାର୍ଯ୍ୟ ସମ୍ପନ୍ନ ହୋଇଥାଏ । ଆଉ ଏକ ବିଶେଷତ୍ଵ ହେଲା, ପ୍ରଭୁଙ୍କ ଧର୍ମ ଛତ୍ର ଆଗରେ ଏକ ମହୁଫେଣା ରହିଛି, ଯେଉଁ ମହୁ ଫେଣାରୁ ବର୍ଷକୁ ମାତ୍ର ତିନିଥର ମହୁ ଝରେ । ପୂର୍ବେ ଏହି ମହୁରେ ପ୍ରଭୁଙ୍କ ମାଜଣା କରାଯାଉଥିଲା ।

ଆକର୍ଷଣ

ଗୁପ୍ତେଶ୍ୱର ଶିବଲିଙ୍ଗ ଓ ପାହାଡ଼ର ପାଦଦେଶରେ ଶାବେରୀ ନଦୀ । ପଡ଼ୋଶୀ ରାଜ୍ୟ ଛତିଶଗଡ଼, ଆନ୍ଧ୍ର ପ୍ରଦେଶ ଓ ଓଡ଼ିଶାର କୋଣ ଅନୁକୋଣରୁ ପର୍ଯ୍ୟଟକଙ୍କର ଭିଡ଼ ଏଠାରେ ଲାଗିରହେ । ଗୁମ୍ଫା ଭିତରେ କାଳୀଗାଈ, ସ୍ୱର୍ଗଦ୍ୱାର, ପାରାଭାଡ଼ି, ବାଲିବନ୍ଧ, ଦେବକୁଣ୍ଡ ଇତ୍ୟାଦି ରହିଅଛି । ଗୁମ୍ଫା ଅନ୍ଧାରିଆ ହୋଇଥିବାରୁ ସାଙ୍ଗରେ ଟର୍ଚ ଲାଇଟ୍ ଧରି ଏହି କୌଣସି ଅଭିଜ୍ଞ ପଥପ୍ରଦର୍ଶକଙ୍କ ସହାୟତାରେ ଯିବାକୁ ହୋଇଥାଏ । ଶିବରାତ୍ରି ସମୟରେ ନଦୀରେ ଅସ୍ଥାୟୀ ବାଉଁଶ ଚାଞ୍ଚଡ଼ା ତିଆରି କରାଯାଏ । ଏ ସମୟରେ ଛତିଶ ଗଡ଼ ଘାଟ ଦେଇ ଅନେକ ପର୍ଯ୍ୟଟକଙ୍କର ଭିଡ଼ ହୁଏ । ଶାବେରୀ ନଦୀ ଓ ନଦୀ ଘାଟରେ ପଥୁରିଆ ଚଟାଣ ମନୋମୁଗ୍ଧକର। ନଦୀଟି ବିପଦପୂର୍ଣ୍ଣ ହୋଇଥିବାରୁ କେବଳ ଶାବେରୀ ଘାଟରେ ଶିକୁଳିକୁ ଧରି ଗୋଧୋଇବାର ବ୍ୟବସ୍ଥା କରାଯାଇଛି।

ପର୍ବ

ଏଠାକାର ମୁଖ୍ୟ ପର୍ବ ହେଲା ଶିବରାତ୍ରି । ଏହା ଛଡ଼ା କାର୍ତ୍ତିକ ପୂର୍ଣ୍ଣିମା, ଶ୍ରାବଣ ପୂର୍ଣ୍ଣିମା, ଆଦି ମଧ୍ୟ ଏଠାରେ ପାଳିତ ହୋଇଥାଏ ।

ଆବାସ

ଏଠାରେ ରହିବାପାଇଁ ଓଡ଼ିଶା ପର୍ଯ୍ୟଟନ ବିଭାଗର ପାନ୍ଥଶାଳା, ଧର୍ମଶାଳା, ଗୋଷ୍ଠୀ ଉନ୍ନୟନ ଅଧିକାରୀ ବୈପାରୀଗୁଡ଼ାଙ୍କ ଆବାସସ୍ଥଳ, ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ଜୟପୁରଙ୍କ ଆବାସସ୍ଥଳ ଓ ଜଙ୍ଗଲ ଓ ପରିବେଶ ବିଭାଗ, ଜୟପୁରଙ୍କ ଆବାସସ୍ଥଳ ରହିଛି ।

ଗମନାଗମନ

ଯିବା ଆସିବା କରିବାପାଇଁ ଜୟପୁରଠାରୁ ସବୁଦିନିଆ ଯାନବାହନ ବ୍ୟବସ୍ଥା ରାମଗିରି ପର୍ଯ୍ୟନ୍ତ ରହିଛି । ଅବଶିଷ୍ଟ ୧୩ କି.ମି. ପାଦରେ ଚାଲି ଚାଲି କିମ୍ବା ଭଡ଼ାଗାଡ଼ିରେ ଯିବାକୁ ହୋଇଥାଏ । ତେବେ କୋରାପୁଟ ସେମିଳିଗୁଡ଼ାଠାରୁ ମଧ୍ୟ ଯାନବାହାନର ସୁବିଧା ରହିଛି ।

ଆଧାର -

  1. shaivam.org: Odisha Temples
  2. ଶୈବପୀଠ ଗୁପ୍ତେଶ୍ଵର

 

2.88888888889
ତାରକା ଚିହ୍ନ ଉପରେ କ୍ଲିକ କରି ପୃଷ୍ଟାଟିକୁ ମୂଲ୍ୟାଙ୍କନ କରନ୍ତୁ
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top